ନବମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଆୟୁ ଯେ ପୁରୁରବା ସୁତ । ଶୁଣ ହୋ ତାହାର ଚରିତ ॥

ନହୁଷ ତାହାର ତନୟେ । ଆବର କ୍ଷତ୍ରବୃଦ୍ଧ ହୋଏ ॥

ରଜୀ ରମ୍ଭ ଯେ ବୀର୍ଯ୍ୟବନ୍ତ । ଅନେନା ଆଦି ପଞ୍ଚସୁତ ॥

କ୍ଷତ୍ରବୃଦ୍ଧର ବଂଶ ଶୁଣ । ସୁହୋତ୍ର ତାହାର ନନ୍ଦନ ॥

ତାହାର ହେଲେ ତିନିସୁତ । କାଶ୍ୟ ଯେ କୁଶ ଗୁ›ତ୍ସମଦ ॥

ଗୁତ୍ସ›ମଦର ଯେ ସନ୍ତାନ । ଶୁନକ ବୋଲି ତା'ର ନାମ ॥

ଶୁନକ ମହାତେଜବନ୍ତ । ଶୌନକ ମୁନି ତହୁଁ ଜାତ ॥

ଜନ୍ମିଲେ ପିତୃତେଜ ଘେନି । ବେଦପାରଗ ମହାମୁନି ॥

କାଶ୍ୟର କାଶୀ ନାମେ ସୁତ । ରାଷ୍ଟ୍ର ତା' ତହୁଁ ହେଲା ଜାତ ॥

ଦୀର୍ଘତମା ତା'ର ନନ୍ଦନ । ତା' ପୁତ୍ର ଧନ୍ୱନ୍ତରୀ ନାମ ॥ ୧୦

ସେ ଆୟୁର୍ବେଦ ଭିଆଇଲା । ପ୍ରାଣୀଙ୍କ ବ୍ୟାଧି ନାଶ କଲା ॥ ୧୧

ସେ ଯଜ୍ଞଭୋଜୀ ବିଷ୍ଣୁ ଅଂଶ । ସ୍ମରଣେ ସର୍ବରୋଗ ନାଶ ॥ ୧୨

ତା'ର ସନ୍ତତି କେତୁମାନ । ଭୀମରଥ ତା'ର ନନ୍ଦନ ॥ ୧୩

ତାହାର ବୀର୍ଯ୍ୟେ ଦିବୋଦାସ । ଦ୍ୟୁମାନ ତାହାର ଯେ ଶିଷ ॥ ୧୪

ତା' ନାମ ପ୍ରତŸର୍ଦ୍ଦନ ଖ୍ୟାତ । କେ ଅବା ବୋଲେ ଶତ୍ରୁଜିତ ॥ ୧୫

ଋତଧ୍ୱଜ କୁବଳୟାଶ୍ୱ । ବୋଲନ୍ତି ପୁଣି ତା'କୁ ବତ୍ସ› ॥ ୧୬

ଅଳର୍କ ଆଦି ତହୁଁ ଜନ୍ମ । ଶୁଣ ହୋ ତା'ର ଗୃହକର୍ମ ॥ ୧୭

ଷାଠିଏ ସହସ୍ର ବରଷ । ଅଧିକେ ଷଷ୍ଟିଶତ ଶେଷ ॥ ୧୮

ଅବନୀ ତଳେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୧୯

ସନ୍ତତି ଅଳର୍କର ପୁତ୍ର । ସୁନୀଥ ତା' ତହୁଁ ସମ୍ଭୂତ ॥ ୨୦

ପୁତ୍ର ତାହାର ସୁକେତନ । ଧର୍ମକେତୁ ତା'ର ନନ୍ଦନ ॥ ୨୧

ସତ୍ୟକେତୁ ତାହାର ସୁତ । ଧୃଷ୍ଟକେତୁ ତା'ର ଅପତ୍ୟ ॥ ୨୨

ସୁକୁମାର ତା'ର ତନୁଜ । ଅନେକ ଦିନ କଲା ରାଜ୍ୟ ॥ ୨୩

ତହୁଁ ଜନ୍ମିଲା ବୀତିହୋତ୍ର । ଭର୍ଗ ଯେ ତା'ର ତହୁଁ ଜାତ ॥ ୨୪

ତାହାର ପୁତ୍ର ଭାର୍ଗଭୂମି । ଏବେହୋ ଶୁଣ ନୃପମଣି ॥ ୨୫

ଏମାନେ କାଶୀବଂଶେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୨୬

ତାହାଙ୍କ ନାମେ କମ୍ପେ ଭୂମି । ଯମ ନ ପାରେ ଯହିଁ ଭ୍ରମି ॥ ୨୭

ରମ୍ଭର ପୁତ୍ର ଯେ ରଭସ । ଗମ୍ଭୀର ହୁଏ ତା'ର ବଂଶ ॥ ୨୮

ଅକ୍ରିୟ ଗମ୍ଭୀରର ସୁତ । ତା'କ୍ଷେତ୍ରେ ବିପ୍ର ହେଲେ ଜାତ ॥ ୨୯

ଅନେନା ଆୟୁର କୁମର । ଶୁଣ କହିବା ବଂଶ ତା'ର ॥ ୩୦

ଶୁଦ୍ଧ ଯେ ଅନେନାର ସୁତ । ତା' ତହୁଁ ଶୁଚି ହେଲା ଜାତ ॥ ୩୧

କହିବା ତାହାର ସନ୍ତତି । ତ୍ରିକକୁଦ ଧର୍ମ ସାରଥି ॥ ୩୨

ତା'ଠାରୁ ଶାନ୍ତରୟ ଜାତ । ସେ କୃତକୃତ୍ୟ ଆତ୍ମବନ୍ତ ॥ ୩୩

ଏ ଗୋତ୍ରେ ବ୍ରହ୍ମଜ୍ଞାନୀ ସୁତେ । ଜନ୍ମ ଲଭିଲେ ଏ ଜଗତେ ॥ ୩୪

ଏବେ ରଜୀର ପୁତ୍ର ଯେତେ । ଭାବେ କହିବା ତୋ' ଅଗ୍ରତେ ॥ ୩୫

ତା'ର କୁମର ପଞ୍ଚଶତ । ତେଜ ପ୍ରତାପ ଅପ୍ରମିତ ॥ ୩୬

ଅସୁରେ ଆସି ଅନ୍ତରାଳେ । ଇନ୍ଦ୍ରକୁ ଉଭାରିଲେ ବଳେ ॥ ୩୭

ଇନ୍ଦ୍ର ଦେବଙ୍କ ତୁଲେ ଆସି । ରଜୀକୁ କହିଲେ ବିଶ୍ୱାସି ॥ ୩୮

ଭୋ ରାଜା ତୋ'ର ପୁତ୍ରଗଣେ । ଜିଣିବେ ଅସୁରଙ୍କୁ ରଣେ ॥ ୩୯

ମୋତେ କହିଲେ ବୃହସ୍ପତି । ଅନ୍ୟଥା ନାହିଁ ଜୟେ ଗତି ॥ ୪୦

ଏମନ୍ତ କହି ଦେବଯୂଥ । ଘେନାଇ ପଞ୍ଚଶତ ସୁତ ॥ ୪୧

ସ୍ୱର୍ଗ ଆବୋରି ଯୁଦ୍ଧ କରି । ଅନେକ ଅସୁର ସଂହାରି ॥ ୪୨

ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ଦେଲେ । ତା' ଦେଖି ଇନ୍ଦ୍ର ତୁଷ୍ଟ ହେଲେ ॥ ୪୩

ପୁଣି ସେ ରାଜ୍ୟ ରଜୀ ହସ୍ତେ । ନ୍ୟାସ କରିଲେ ସେ ବିଶ୍ୱସ୍ତେ ॥ ୪୪

ଇନ୍ଦ୍ରର ତୁଲେ ତା'ର ସୁତେ । ସ୍ୱର୍ଗେ ରହିଲେ ଦିନା କେତେ ॥ ୪୫

ଏମନ୍ତେ କେତେଦିନ ଅନ୍ତେ । ରଜୀ ଯେ ଗଲେ ସ୍ୱର୍ଗପଥେ ॥ ୪୬

ପିତାର ମରଣ ଅନ୍ତର । ଇନ୍ଦ୍ର ମାଗିଲେ ସ୍ୱର୍ଗପୁର ॥ ୪୭

ତଦନ୍ତେ ତାହାର ତନୁଜ । ଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ ॥ ୪୮

ସ୍ୱର୍ଗ ସେ କଲେ ଅଧିକାର । ଇନ୍ଦ୍ରଙ୍କୁ କରି ଅନାଦର ॥ ୪୯

ରଜୀର ପୁତ୍ରେ ତା ନ ଦେଲେ । ଯାଗାର ଭାଗମାନ ନେଲେ ॥ ୫୦

ରଜୀ ତନୟଙ୍କର ମତି । ନାଶ କରିଲେ ବୃହସ୍ପତି ॥ ୫୧

ସ୍ଥାପିଲେ ଇନ୍ଦ୍ର ଅଧିକାରେ । ସୁଧର୍ମା ସଭାରେ ବେଭାରେ ॥ ୫୨

ଇନ୍ଦ୍ର ପାଇଲେ ସ୍ୱର୍ଗେ ସ୍ଥାନ । ଏବେ ତୁ ଶୁଣ ନୃପରାଣ ॥ ୫୩

କୁଶ ଯେ କ୍ଷତ୍ରବୃଦ୍ଧ ନାତି । ତାହାର ସୁତ ନାମ ପ୍ରତି ॥ ୫୪

ତାହାର ସନ୍ତାନ ସଞ୍ଜୟ । ତା'ର ତନୟ ହୋଏ ଜୟ ॥ ୫୫

ହର୍ଯ୍ୟବଳ ତାହାର ସୁତ । ତହୁଁ ସହଦେବ ସମ୍ଭୂତ ॥ ୫୬

ସହଦେବର ପୁତ୍ର ହୀନ । ତାହାର ସୁତ ଜୟସେନ ॥ ୫୭

ସଂକୃତି ତାହାର ତନୟ । ତାହାର ପୁତ୍ର ଅଟେ ଜୟ ॥ ୫୮

ସେ କ୍ଷାତ୍ରଧର୍ମେ ନିତ୍ୟେ ରତ । ମହାରଥୀ ନାମରେ ଖ୍ୟାତ ॥ ୫୯

ଏ ସର୍ବ କ୍ଷତ୍ରବୃଦ୍ଧ ବଂଶ । କହିଲୁ ଶୁଣିଲ ନରେଶ ॥ ୬୦

ଏବେ ନହୁଷ ବଂଶମାନ । କହିବୁ ଭବିଷ୍ୟ ପୁରାଣ ॥ ୬୧

ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥ ୬୨

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୬୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥

* * *