ନବମ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ଶୁକ ଉବାଚ
ଆୟୁ ଯେ ପୁରୁରବା ସୁତ । ଶୁଣ ହୋ ତାହାର ଚରିତ ॥ ୧
ନହୁଷ ତାହାର ତନୟେ । ଆବର କ୍ଷତ୍ରବୃଦ୍ଧ ହୋଏ ॥ ୨
ରଜୀ ରମ୍ଭ ଯେ ବୀର୍ଯ୍ୟବନ୍ତ । ଅନେନା ଆଦି ପଞ୍ଚସୁତ ॥ ୩
କ୍ଷତ୍ରବୃଦ୍ଧର ବଂଶ ଶୁଣ । ସୁହୋତ୍ର ତାହାର ନନ୍ଦନ ॥ ୪
ତାହାର ହେଲେ ତିନିସୁତ । କାଶ୍ୟ ଯେ କୁଶ ଗୁତ୍ସମଦ ॥ ୫
ଗୁତ୍ସମଦର ଯେ ସନ୍ତାନ । ଶୁନକ ବୋଲି ତା'ର ନାମ ॥ ୬
ଶୁନକ ମହାତେଜବନ୍ତ । ଶୌନକ ମୁନି ତହୁଁ ଜାତ ॥ ୭
ଜନ୍ମିଲେ ପିତୃତେଜ ଘେନି । ବେଦପାରଗ ମହାମୁନି ॥ ୮
କାଶ୍ୟର କାଶୀ ନାମେ ସୁତ । ରାଷ୍ଟ୍ର ତା' ତହୁଁ ହେଲା ଜାତ ॥ ୯
ଦୀର୍ଘତମା ତା'ର ନନ୍ଦନ । ତା' ପୁତ୍ର ଧନ୍ୱନ୍ତରୀ ନାମ ॥ ୧୦
ସେ ଆୟୁର୍ବେଦ ଭିଆଇଲା । ପ୍ରାଣୀଙ୍କ ବ୍ୟାଧି ନାଶ କଲା ॥ ୧୧
ସେ ଯଜ୍ଞଭୋଜୀ ବିଷ୍ଣୁ ଅଂଶ । ସ୍ମରଣେ ସର୍ବରୋଗ ନାଶ ॥ ୧୨
ତା'ର ସନ୍ତତି କେତୁମାନ । ଭୀମରଥ ତା'ର ନନ୍ଦନ ॥ ୧୩
ତାହାର ବୀର୍ଯ୍ୟେ ଦିବୋଦାସ । ଦ୍ୟୁମାନ ତାହାର ଯେ ଶିଷ ॥ ୧୪
ତା' ନାମ ପ୍ରତର୍ଦ୍ଦନ ଖ୍ୟାତ । କେ ଅବା ବୋଲେ ଶତ୍ରୁଜିତ ॥ ୧୫
ଋତଧ୍ୱଜ କୁବଳୟାଶ୍ୱ । ବୋଲନ୍ତି ପୁଣି ତା'କୁ ବତ୍ସ ॥ ୧୬
ଅଳର୍କ ଆଦି ତହୁଁ ଜନ୍ମ । ଶୁଣ ହୋ ତା'ର ଗୃହକର୍ମ ॥ ୧୭
ଷାଠିଏ ସହସ୍ର ବରଷ । ଅଧିକେ ଷଷ୍ଟିଶତ ଶେଷ ॥ ୧୮
ଅବନୀ ତଳେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୧୯
ସନ୍ତତି ଅଳର୍କର ପୁତ୍ର । ସୁନୀଥ ତା' ତହୁଁ ସମ୍ଭୂତ ॥ ୨୦
ପୁତ୍ର ତାହାର ସୁକେତନ । ଧର୍ମକେତୁ ତା'ର ନନ୍ଦନ ॥ ୨୧
ସତ୍ୟକେତୁ ତାହାର ସୁତ । ଧୃଷ୍ଟକେତୁ ତା'ର ଅପତ୍ୟ ॥ ୨୨
ସୁକୁମାର ତା'ର ତନୁଜ । ଅନେକ ଦିନ କଲା ରାଜ୍ୟ ॥ ୨୩
ତହୁଁ ଜନ୍ମିଲା ବୀତିହୋତ୍ର । ଭର୍ଗ ଯେ ତା'ର ତହୁଁ ଜାତ ॥ ୨୪
ତାହାର ପୁତ୍ର ଭାର୍ଗଭୂମି । ଏବେହୋ ଶୁଣ ନୃପମଣି ॥ ୨୫
ଏମାନେ କାଶୀବଂଶେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୨୬
ତାହାଙ୍କ ନାମେ କମ୍ପେ ଭୂମି । ଯମ ନ ପାରେ ଯହିଁ ଭ୍ରମି ॥ ୨୭
ରମ୍ଭର ପୁତ୍ର ଯେ ରଭସ । ଗମ୍ଭୀର ହୁଏ ତା'ର ବଂଶ ॥ ୨୮
ଅକ୍ରିୟ ଗମ୍ଭୀରର ସୁତ । ତା'କ୍ଷେତ୍ରେ ବିପ୍ର ହେଲେ ଜାତ ॥ ୨୯
ଅନେନା ଆୟୁର କୁମର । ଶୁଣ କହିବା ବଂଶ ତା'ର ॥ ୩୦
ଶୁଦ୍ଧ ଯେ ଅନେନାର ସୁତ । ତା' ତହୁଁ ଶୁଚି ହେଲା ଜାତ ॥ ୩୧
କହିବା ତାହାର ସନ୍ତତି । ତ୍ରିକକୁଦ ଧର୍ମ ସାରଥି ॥ ୩୨
ତା'ଠାରୁ ଶାନ୍ତରୟ ଜାତ । ସେ କୃତକୃତ୍ୟ ଆତ୍ମବନ୍ତ ॥ ୩୩
ଏ ଗୋତ୍ରେ ବ୍ରହ୍ମଜ୍ଞାନୀ ସୁତେ । ଜନ୍ମ ଲଭିଲେ ଏ ଜଗତେ ॥ ୩୪
ଏବେ ରଜୀର ପୁତ୍ର ଯେତେ । ଭାବେ କହିବା ତୋ' ଅଗ୍ରତେ ॥ ୩୫
ତା'ର କୁମର ପଞ୍ଚଶତ । ତେଜ ପ୍ରତାପ ଅପ୍ରମିତ ॥ ୩୬
ଅସୁରେ ଆସି ଅନ୍ତରାଳେ । ଇନ୍ଦ୍ରକୁ ଉଭାରିଲେ ବଳେ ॥ ୩୭
ଇନ୍ଦ୍ର ଦେବଙ୍କ ତୁଲେ ଆସି । ରଜୀକୁ କହିଲେ ବିଶ୍ୱାସି ॥ ୩୮
ଭୋ ରାଜା ତୋ'ର ପୁତ୍ରଗଣେ । ଜିଣିବେ ଅସୁରଙ୍କୁ ରଣେ ॥ ୩୯
ମୋତେ କହିଲେ ବୃହସ୍ପତି । ଅନ୍ୟଥା ନାହିଁ ଜୟେ ଗତି ॥ ୪୦
ଏମନ୍ତ କହି ଦେବଯୂଥ । ଘେନାଇ ପଞ୍ଚଶତ ସୁତ ॥ ୪୧
ସ୍ୱର୍ଗ ଆବୋରି ଯୁଦ୍ଧ କରି । ଅନେକ ଅସୁର ସଂହାରି ॥ ୪୨
ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ଦେଲେ । ତା' ଦେଖି ଇନ୍ଦ୍ର ତୁଷ୍ଟ ହେଲେ ॥ ୪୩
ପୁଣି ସେ ରାଜ୍ୟ ରଜୀ ହସ୍ତେ । ନ୍ୟାସ କରିଲେ ସେ ବିଶ୍ୱସ୍ତେ ॥ ୪୪
ଇନ୍ଦ୍ରର ତୁଲେ ତା'ର ସୁତେ । ସ୍ୱର୍ଗେ ରହିଲେ ଦିନା କେତେ ॥ ୪୫
ଏମନ୍ତେ କେତେଦିନ ଅନ୍ତେ । ରଜୀ ଯେ ଗଲେ ସ୍ୱର୍ଗପଥେ ॥ ୪୬
ପିତାର ମରଣ ଅନ୍ତର । ଇନ୍ଦ୍ର ମାଗିଲେ ସ୍ୱର୍ଗପୁର ॥ ୪୭
ତଦନ୍ତେ ତାହାର ତନୁଜ । ଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ ॥ ୪୮
ସ୍ୱର୍ଗ ସେ କଲେ ଅଧିକାର । ଇନ୍ଦ୍ରଙ୍କୁ କରି ଅନାଦର ॥ ୪୯
ରଜୀର ପୁତ୍ରେ ତା ନ ଦେଲେ । ଯାଗାର ଭାଗମାନ ନେଲେ ॥ ୫୦
ରଜୀ ତନୟଙ୍କର ମତି । ନାଶ କରିଲେ ବୃହସ୍ପତି ॥ ୫୧
ସ୍ଥାପିଲେ ଇନ୍ଦ୍ର ଅଧିକାରେ । ସୁଧର୍ମା ସଭାରେ ବେଭାରେ ॥ ୫୨
ଇନ୍ଦ୍ର ପାଇଲେ ସ୍ୱର୍ଗେ ସ୍ଥାନ । ଏବେ ତୁ ଶୁଣ ନୃପରାଣ ॥ ୫୩
କୁଶ ଯେ କ୍ଷତ୍ରବୃଦ୍ଧ ନାତି । ତାହାର ସୁତ ନାମ ପ୍ରତି ॥ ୫୪
ତାହାର ସନ୍ତାନ ସଞ୍ଜୟ । ତା'ର ତନୟ ହୋଏ ଜୟ ॥ ୫୫
ହର୍ଯ୍ୟବଳ ତାହାର ସୁତ । ତହୁଁ ସହଦେବ ସମ୍ଭୂତ ॥ ୫୬
ସହଦେବର ପୁତ୍ର ହୀନ । ତାହାର ସୁତ ଜୟସେନ ॥ ୫୭
ସଂକୃତି ତାହାର ତନୟ । ତାହାର ପୁତ୍ର ଅଟେ ଜୟ ॥ ୫୮
ସେ କ୍ଷାତ୍ରଧର୍ମେ ନିତ୍ୟେ ରତ । ମହାରଥୀ ନାମରେ ଖ୍ୟାତ ॥ ୫୯
ଏ ସର୍ବ କ୍ଷତ୍ରବୃଦ୍ଧ ବଂଶ । କହିଲୁ ଶୁଣିଲ ନରେଶ ॥ ୬୦
ଏବେ ନହୁଷ ବଂଶମାନ । କହିବୁ ଭବିଷ୍ୟ ପୁରାଣ ॥ ୬୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥ ୬୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥
* * *