ନବମ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ପରଶୁରାମର ଚରିତ ॥

ପିତା ବଚନେ ବନେ ଗଲେ । ଅନେକ ତୀର୍ଥେ ସ୍ନାନ କଲେ ॥

ପୁଣି ସେ ବରଷକ ଅନ୍ତେ । ଗୃହେ ମିଳିଲେ ଶୁଦ୍ଧଚିତ୍ତେ ॥

ପିତା ଚରଣେ ନମସ୍କାର । କରି ରହିଲେ ନିଜପୁର ॥

ଏବେ ହୋ ଶୁଣ ନୃପମଣି । ରେଣୁକା ଗଲେ ଜଳ ଆଣି ॥

ଗଙ୍ଗାର ନିକଟେ ମିଳିଲେ । ସେ ଜଳେ ଗନ୍ଧର୍ବ ଦେଖିଲେ ॥

ଇନ୍ଦ୍ରକୁମର ଚିତ୍ରରଥ । ସଙ୍ଗତେ ଘେନି ନାରୀଯୂଥ ॥

ଅପ୍‌ସରାଗଣ ଘେନି ଜଳେ । କ୍ରୀଡ଼ା ସେ କରେ କୁତୂହଳେ ॥

ଦଣ୍ତେ ରହିଲେ ତାହା ଦେଖି । ଜଳ ଆନୟନ ଉପେକ୍ଷି ॥

ହୋମର ବେଳ ନ ସୁମରି । ଗନ୍ଧର୍ବ କ୍ରୀଡ଼ା ଅନୁସରି ॥ ୧୦

ପୁଣି କ୍ଷଣକେ ଜ୍ଞାନ ପାଇ । ତକ୍ଷଣେ ଜଳକୁମ୍ଭ ନେଇ ॥ ୧୧

ସ୍ୱାମୀଙ୍କି ଶଙ୍କା ମନେ କଲେ । ତକ୍ଷଣେ ମନ୍ଦିରେ ମିଳିଲେ ॥ ୧୨

ଜଳ-କଳସ ଯଜ୍ଞ ଘରେ । ଥୋଇଲେ ସ୍ୱାମୀଙ୍କ ଗୋଚରେ ॥ ୧୩

ଅଞ୍ଜଳି କରି ବେନିକରେ । ରେଣୁକା ରହେ ଯଜ୍ଞଘରେ ॥ ୧୪

ରେଣୁକା ମୁଖ ଚାହିଁ ମୁନି । ପ୍ରଚଣ୍ତŠ-କୋପେ ଜମଦଗ୍ନି ॥ ୧୫

ଜାଣିଲେ ଗନ୍ଧର୍ବର ମେଳେ । ମନ କଳ୍ପିଲା ଗଙ୍ଗାଜଳେ ॥ ୧୬

ପୁତ୍ରଙ୍କୁ କୋପମୁଖେ ଚାହିଁ । ବୋଇଲେ ଶିର ଛେଦ ନେଇ ॥ ୧୭

ଗନ୍ଧର୍ବ ଦେଖି ଏହା ମନ । କଳ୍ପିଲା ତାହାର ସଙ୍ଗମ ॥ ୧୮

ସ୍ୱଭାବେ ଦୁଷ୍ଟାନାରୀ ଏହି । ଏହାର ବଦନ ନ ଚାହିଁ ॥ ୧୯

ସେ ପୁତ୍ରେ ମାତୃସ୍ନେହ କଲେ । ମାତାର ଶିର ନ ଛେଦିଲେ ॥ ୨୦

ଅଧିକ କୋପଭର ହୋଇ । ବୋଲେ ପରଶୁରାମେ ଚାହିଁ ॥ ୨୧

ମାତା ସହିତେ ତିନିଭାଇ । କୁଠାରେ ଶିର ଛେଦ ନେଇ ॥ ୨୨

ସେ ରାମ ପିତା ଗୁଣ ଜାଣେ । ତପ ସମାଧି ପରମାଣେ ॥ ୨୩

ତକ୍ଷଣେ ପ୍ରହାରି କୁଠାର । ଛେଦିଲେ ମାତା ଭ୍ରାତା ଶିର ॥ ୨୪

ଦେଖିଣ ମୁନି ତୋଷ ହୋଇ । ପରଶୁରାମ ମୁଖ ଚାହିଁ ॥ ୨୫

ବୋଇଲେ ବର ଦେବି ତୋତେ । ଯେ ବା‚ଞ୍ଛା କଳ୍ପ ତୋ'ର ଚିତ୍ତେ ॥ ୨୬

ତକ୍ଷଣେ ପିତାପାଦେ ପଡ଼ି । ରାମ ବୋଲନ୍ତି କରଯୋଡ଼ି ॥ ୨୭

ଭୋ ତାତ ବର ଦେବ ଯେବେ । ଏ ସର୍ବେ ଜୀବନ ପାଇବେ ॥ ୨୮

ଶିର ଲାଗିବ ଯେଝା କନ୍ଧ । ମନେ ନ ଥିବ ତା'ଙ୍କ ବଧ ॥ ୨୯

ଅସ୍ତୁ ବୋଇଲେ ତପୋଧନ । ସେ ସର୍ବେ ପାଇଲେ ଜୀବନ ॥ ୩୦

ନିଦ୍ରିତଜନ ନିଦ୍ରା ଅନ୍ତେ । ଶରୀର ସମ୍ଭାଳେ ଯେମନ୍ତେ ॥ ୩୧

ପିତାର ତପୋବଳ ଜାଣି । ମାତା ଭ୍ରାତାଙ୍କ ଶିର ହାଣି ॥ ୩୨

ଏମନ୍ତେ କରି ଘୋର କର୍ମ । ରାମ ରଖିଲେ ନିଜ ଧର୍ମ ॥ ୩୩

ରାମର ଅଙ୍ଗସଙ୍ଗ ତୁଲେ । ମରଣୁଁ ସମସ୍ତେ ବଞ୍ଚିଲେ ॥ ୩୪

ଭାଇଙ୍କି ଘେନି ଏକଦିନେ । ରାମ ଯେ ଗଲେ ତପୋବନେ ॥ ୩୫

ତପ ଆରାଧି ବିଷ୍ଣୁଧ୍ୟାନେ । ନିଶ୍ଚଳେ ବସିଲେ ଆସନେ ॥ ୩୬

ତାହାଙ୍କ ଧ୍ୟାନ ଦେଖି ବନେ । ପଶୁପତଙ୍ଗ କୀଟମାନେ ॥ ୩୭

ଭୟେ ଶବଦ ନ କରନ୍ତି । ଏବେ ହୋ ଶୁଣ ନରପତି ॥ ୩୮

ସହସ୍ରାର୍ଜୁନର କୁମରେ । ପିତାର ମରଣର କାଳେ ॥ ୩୯

ଭାଜି ଯେ ଥିଲେ ଯେଝାମତେ । ସେ ପୁଣି ମିଳିଲେ ଏକାନ୍ତେ ॥ ୪୦

ମନେ ସୁମରି ଜମଦଗ୍ନି । ସଙ୍ଗେ ଅନେକ ବଳ ଘେନି ॥ ୪୧

ଛିଦ୍ର ଉŠଣ୍ତିବା ସେ ବେଭାରେ । ରାତ୍ରେ ମିଳିଲେ ଅନ୍ଧକାରେ ॥ ୪୨

ହୃଦେ ସୁମରି ଘୋରତମ । ରୁନ୍ଧିଲେ ମୁନିଙ୍କ ଆଶ୍ରମ ॥ ୪୩

ମୁନି ଯେ ଥିଲେ ଯଜ୍ଞଶାଳେ । ବିଷ୍ଣୁଚରଣ ପୂଜା କାଳେ ॥ ୪୪

ବଇରୀ ସାଧିବାର ରୋଷେ । ବନ୍ଧନ କଲେ ଦୃଢ଼ପାଶେ ॥ ୪୫

ରେଣୁକା ରଖ ରଖ ବୋଲେ । ପଡ଼ି ତାହାଙ୍କ ପାଦତଳେ ॥ ୪୬

ରେଣୁକା ବଚନ ନ ଶୁଣି । ତୀକ୍ଷ୍‌ଣ ଖଡ଼ଗେ ମୁଣ୍ତŠହାଣି ॥ ୪୭

ତକ୍ଷଣେ ଗଲେ ନିଜ ପୁରୀ । ଧନ ସମ୍ପଦ ଜୂର କରି ॥ ୪୮

ରେଣୁକା ଦୁଃଖ ଶୋକଭରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୪୯

ଶିର-ହୃଦୟେ କରତାଡ଼ି । କାନ୍ଦଇ ଭୂମିଗତେ ପଡ଼ି ॥ ୫୦

ଉଚ୍ଚେ ଡାକଇ ରାମ ରାମ । ଭୋ ପୁତ୍ର ଆସ ତୁ ଆଶ୍ରମ ॥ ୫୧

ସଙ୍ଗତେ ଘେନି ତିନିଭାଇ । ଭୋ ପୁତ୍ର ବେଗେ ଆସ ଧାଇଁ ॥ ୫୨

ମାତା ରୋଦନ ବାୟୁବଳେ । ଶୁଭିଲା ରାମ କ‰ର୍ଣ୍ଣମୂଳେ ॥ ୫୩

ହେ ରାମ ରାମ ବାଣୀ ଶୁଣି । ସମାଧି ତେଜି ବୀର ମଣି ॥ ୫୪

ଭ୍ରାତାଙ୍କ ଘେନି ବେଗେ ଧାଇଁ । ମିଳିଲେ ନିଜାଶ୍ରମେ ଯାଇ ॥ ୫୫

ଯଜ୍ଞଭୁବନେ ଚାରିଭ୍ରାତ । ଦେଖିଲେ ଜମଦଗ୍ନି ହତ ॥ ୫୬

ପିତାଙ୍କ ଶିରଚ୍ଛେଦ ଦେଖି । ଭାଇଙ୍କ ତୁଲେ ରାମ ଦୁଃଖୀ ॥ ୫୭

ବିମୋହ-ଶୋକ-ଗୁରୁତରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୫୮

ଭୋ ତାତ ସାଧୁ ତୁ ଧାର୍ମିକ । ସୁଜ୍ଞାନୀ ପŠଣ୍ତିତ ବିବେକ ॥ ୫୯

ଆମ୍ଭଙ୍କୁ ଅରକ୍ଷିତ କରି । ନିଶ୍ଚିନ୍ତେ ଗଲ ସ୍ୱର୍ଗ ପୁରୀ ॥ ୬୦

ପିତାର ଶିର ନ ଦେଖିଲେ । ଭାଇଙ୍କି ଚାହିଁ ଆଜ୍ଞା ଦେଲେ ॥ ୬୧

ତୁମ୍ଭେ ହୋ ପ୍ରେତକାର୍ଯ୍ୟ କର । ଏମନ୍ତ କହି ବୀରବର ॥ ୬୨

ପରଶୁ ଧରି ଦକ୍ଷକରେ । ଦୁଃସହ-କୋପ ଗୁରୁତରେ ॥ ୬୩

ସଙ୍କଳ୍ପ କଲେ ଜଳ ଘେନି । ନିକ୍ଷତ୍ର କରିବି ମେଦିନୀ ॥ ୬୪

କ୍ଷତ୍ରିୟ ଅନ୍ତ କରିବାରେ । ପଥେ ଧାଇଁଲେ କୋପଭରେ ॥ ୬୫

ମିଳିଲେ ମାହିଷ୍ମତୀ ପୁରେ । ଦେଖନ୍ତି ଶୂନ୍ୟପଥେ ସୁରେ ॥ ୬୬

ଅର୍ଜୁନ ସ୍ୱବଂଶ ଛେଦିଲେ । ସଂଗ୍ରାମେ ମୁŠଣ୍ତ ରୁŠଣ୍ତ କଲେ ॥ ୬୭

ପର୍ବତ ପ୍ରାୟେ ମୁଣ୍ତŠରାଶି । ଗ୍ରାମେ ସ୍ଥାପିଲେ ଭୃଗୁବଂଶୀ ॥ ୬୮

କ୍ଷତ୍ରିୟ-ମରଣ-ରୁଧିରେ । ନଦୀ ବଢ଼ିଲା ଭୟଙ୍କରେ ॥ ୬୯

ପିତୃ ତର୍ପଣ କରି ବିଧି । ନଦୀରେ ସେହୁ ବନ୍ଧ ବାନ୍ଧି ॥ ୭୦

ସ୍ଥାପି ନିକ୍ଷତ୍ର କରି ରୋଷେ । ପୁଣି ଧାଇଁଲେ ଅନ୍ୟଦେଶେ ॥ ୭୧

ତ୍ରିସପ୍ତବାର ମହୀଭ୍ରମି । କୋପେ ନୋହିଲେ ପଥଶ୍ରମୀ ॥ ୭୨

କ୍ଷତ୍ରିୟଗଣ ଧରି ଆଣି । କୁଠାର ଧାରେ ଶିର ହାଣି ॥ ୭୩

ରୁଧିରେ ନବକୁଣ୍ତŠ କଲେ । ପିତାଙ୍କୁ ତର୍ପଣେ ତୋଷିଲେ ॥ ୭୪

ସେ କୁରୁକ୍ଷେତ୍ରେ ଯଜ୍ଞ କରି । ବିପ୍ରଙ୍କୁ ଚାରିବେଦୁଁ ବରି ॥ ୭୫

ଦକ୍ଷିଣା ଦେଲେ ବିପ୍ରହସ୍ତେ । ଶୁଣ ରାଜନ କହୁଁ ତୋତେ ॥ ୭୬

ଶ୍ରୀକରେ ଘେନି ଜଳ କୁଶ । ହୋତାଙ୍କୁ ଦେଲେ ପୂର୍ବଦେଶ ॥ ୭୭

ଦକ୍ଷିଣ ବ୍ରହ୍ମା ହସ୍ତେ ଦେଲେ । ପଶ୍ଚିମ ଅଧ୍ୱର୍ଯ୍ୟୁ ବରିଲେ ॥ ୭୮

ଉତ୍ତର ଉଦ୍‌ଗାତା ହସ୍ତେ । ପ୍ରଦାନ କଲେ ସେ ପ୍ରଶସ୍ତେ ॥ ୭୯

ବେଦ ଉଚ୍ଚାରି ଚାରିକୋଣେ । ଦକ୍ଷିଣା ଦେଲେ ସେ ବ୍ରାହ୍ମଣେ ॥ ୮୦

ମଧ୍ୟକୁ କୁରୁକ୍ଷେତ୍ର ତୁଲେ । କଶ୍ୟପ ହସ୍ତେ ରାମ ଦେଲେ ॥ ୮୧

ଏ ଆର୍ଯ୍ୟାବର୍ତ୍ତ ପୁଣ୍ୟଭୂମି । ଉପଦେଷ୍ଟାଙ୍କୁ ଦେଲେ ସ୍ୱାମୀ ॥ ୮୨

ସଭାପତିଙ୍କି କରି ତୋଷ । ଆଦରେ ଦେଲେ ଅବଶେଷ ॥ ୮୩

ତା'ପରେ ସରସ୍ୱତୀ କୂଳେ । ଯଜ୍ଞବଭୃଥ ସ୍ନାନ କଲେ ॥ ୮୪

ସେ ବ୍ରହ୍ମନଦୀ ଜଳେ ପଶି । ରବିର ତେଜ ପ୍ରାୟେ ଦିଶି ॥ ୮୫

ସେ ଯଜ୍ଞପୂର୍ଣ୍ଣେ ଜମଦଗ୍ନି । ଜ୍ଞାନ-ଲକ୍ଷଣ-ଦେହ ଘେନି ॥ ୮୬

ସପ୍ତଋଷିଙ୍କ ମଧ୍ୟେ ଧାମ । ସ୍ଥାପିଲେ ତାଙ୍କୁ ପର୍ଶୁରାମ ॥ ୮୭

ସେ ରାମ କମଳଲୋଚନ । ସ୍ୱଭାବେ ଭୃଗୁର ନନ୍ଦନ ॥ ୮୮

ଭବିଷ୍ୟ ମନ୍ୱନ୍ତର କାଳେ । ବ୍ରହ୍ମ-ବିସ୍ତାରେ ଯୋଗବଳେ ॥ ୮୯

ସିଦ୍ଧ ଗନ୍ଧର୍ବେ ସ୍ତୁତି କଲେ । ମହେନ୍ଦ୍ର ପର୍ବତେ ରହିଲେ ॥ ୯୦

ଏମନ୍ତେ ଭୃଗୁବଂଶେ ହରି । ନରଶରୀରେ ଅବତରି ॥ ୯୧

ଦୁଷ୍ଟ କ୍ଷତ୍ରିୟ ନାଶ କରି । ହେଳେ ଧରଣୀ ଭାରା ହରି ॥ ୯୨

ଗାଧିର ପୁତ୍ର ହୋଇ ଜନ୍ମ । ସଂସାରେ କଲେ ଯେତେ କର୍ମ ॥ ୯୩

କ୍ଷତ୍ରିୟ କର୍ମ ଏ ଶୟଳେ । ତେଜିଲେ ତପସ୍ୟାର ବଳେ ॥ ୯୪

ବ୍ରହ୍ମବର୍ଚ୍ଚସେ ଶ୍ରଦ୍ଧା କଲେ । ବିଶ୍ୱାମିତ୍ର ସେ ବୋଲାଇଲେ ॥ ୯୫

ବିଶ୍ୱାମିତ୍ରର ଶତେପୁତ୍ର । ସେହୁ ଜନ୍ମିଲେ ସପ୍ତଗୋତ୍ର ॥ ୯୬

ସେ ଗୋତ୍ରେ ମଧୁଛନ୍ଦ ଆଦି । ସର୍ବେ ଜନ୍ମିଲେ ବେଦବାଦୀ ॥ ୯୭

ଶୁନଃଶେଫକୁ ପୁତ୍ର କରି । ଭାର୍ଗବବଂଶେ ତା'କୁ ବରି ॥ ୯୮

ନିଜ ସୁତଙ୍କୁ ରାଇ ଧୀରେ । କହିଲେ ନିଗମ ବେଭାରେ ॥ ୯୯

ଏହାକୁ ଜ୍ୟେଷ୍ଠ ବୋଲି ମଣ । ଏ ତୁମ୍ଭ ଗୋତ୍ରର ବର୍ଦ୍ଧନ ॥ ୧୦୦

ଏ ହରିଶ୍ଚନ୍ଦ୍ର ଯଜ୍ଞ କାଳେ । ପିତା ବିକ୍ରୟ କଲା ବଳେ ॥ ୧୦୧

ରୋହିତ ପଶୁ ଅର୍ଥେ ନେଲା । ଏହାର ମାଂସେ ଯଜ୍ଞ କଲା ॥ ୧୦୨

ଏହାକୁ ଦେବେ ତୋଷ ହୋଇ । ତକ୍ଷଣେ ମରଣୁଁ ଜିଆଇ ॥ ୧୦୩

ଥୋଇଲେ ମୋ' ପୁତ୍ରଙ୍କ ମେଳେ । ଦେବରାତ ତା' ନାମ ଦେଲେ ॥ ୧୦୪

ବିଶ୍ୱାମିତ୍ରଙ୍କ ଶତସୁତେ । ଜ୍ୟେଷ୍ଠ ଯେ ଥିଲେ ପଞ୍ଚାଶତେ ॥ ୧୦୫

ବୋଇଲେ ଏ ନୋହେ ଉଚିତ । ଏ ଜ୍ୟେଷ୍ଠ ହୋଇବ କେମନ୍ତ ॥ ୧୦୬

ପିତା ତାହାଙ୍କୁ ଦେଲେ ଶାପ । ମ୍ଳେଚ୍ଛ ହୁଅରେ ତୁମ୍ଭେ ପାପ ॥ ୧୦୭

ଆର ପଞ୍ଚାଶପୁତ୍ର ସାନ । ତାହାକୁ କଲେ ଜ୍ୟେଷ୍ଠେମାନ୍ୟ ॥ ୧୦୮

ସନ୍ତୋଷେ ବୋଲେ ବିଶ୍ୱାମିତ୍ର । ସକଳେ ହୁଅ ପୁତ୍ରବନ୍ତ ॥ ୧୦୯

ଏ ଶୁନଃଶେଫ ଅଟେ ବୀର । ଏହାକୁ ସର୍ବେ ଅନୁସର ॥ ୧୧୦

ଶୁଣ ହୋ ରାଜା ପରୀକ୍ଷିତ । ଆବର ବିଶ୍ୱାମିତ୍ର ପୁତ୍ର ॥ ୧୧୧

ଅଷ୍ଟକ ଜୟ ହେ ହାରୀତ । କ୍ରତୁମତାଦି ଥିଲେ ସୁତ ॥ ୧୧୨

ଏ ରୂପେ କଉଶିକ ଗୋତ୍ର । ଦୁଇଭାଗରେ ହେଲା ଖ୍ୟାତ ॥ ୧୧୩

କୌଶିକ ଗୋତ୍ରର ପ୍ରବର । ଏଣୁ ଯେ ସପତ ପ୍ରକାର ॥ ୧୧୪

ସେ ପୁଣି ମନ୍ୱନ୍ତର କାଳେ । ଗୋତ୍ର ସ୍ଥାପିଲେ ରବିତଳେ ॥ ୧୧୫

ସୁଜନେ ଶୁଣ ତୋଷ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୧୬

ଭୃଗୁର ବଂଶେ ହୋଇ ଜନ୍ମ । ସେ ହରି କଲେ ଯେତେ କର୍ମ ॥ ୧୧୭

ଶୁଣନ୍ତେ ସର୍ବ ପାପ ହରେ । ଅଶେଷ କର୍ମବନ୍ଧୁଁ ତରେ ॥ ୧୧୮

ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୧୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ॥

* * *