ନବମ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ପରଶୁରାମର ଚରିତ ॥ ୧
ପିତା ବଚନେ ବନେ ଗଲେ । ଅନେକ ତୀର୍ଥେ ସ୍ନାନ କଲେ ॥ ୨
ପୁଣି ସେ ବରଷକ ଅନ୍ତେ । ଗୃହେ ମିଳିଲେ ଶୁଦ୍ଧଚିତ୍ତେ ॥ ୩
ପିତା ଚରଣେ ନମସ୍କାର । କରି ରହିଲେ ନିଜପୁର ॥ ୪
ଏବେ ହୋ ଶୁଣ ନୃପମଣି । ରେଣୁକା ଗଲେ ଜଳ ଆଣି ॥ ୫
ଗଙ୍ଗାର ନିକଟେ ମିଳିଲେ । ସେ ଜଳେ ଗନ୍ଧର୍ବ ଦେଖିଲେ ॥ ୬
ଇନ୍ଦ୍ରକୁମର ଚିତ୍ରରଥ । ସଙ୍ଗତେ ଘେନି ନାରୀଯୂଥ ॥ ୭
ଅପ୍ସରାଗଣ ଘେନି ଜଳେ । କ୍ରୀଡ଼ା ସେ କରେ କୁତୂହଳେ ॥ ୮
ଦଣ୍ତେ ରହିଲେ ତାହା ଦେଖି । ଜଳ ଆନୟନ ଉପେକ୍ଷି ॥ ୯
ହୋମର ବେଳ ନ ସୁମରି । ଗନ୍ଧର୍ବ କ୍ରୀଡ଼ା ଅନୁସରି ॥ ୧୦
ପୁଣି କ୍ଷଣକେ ଜ୍ଞାନ ପାଇ । ତକ୍ଷଣେ ଜଳକୁମ୍ଭ ନେଇ ॥ ୧୧
ସ୍ୱାମୀଙ୍କି ଶଙ୍କା ମନେ କଲେ । ତକ୍ଷଣେ ମନ୍ଦିରେ ମିଳିଲେ ॥ ୧୨
ଜଳ-କଳସ ଯଜ୍ଞ ଘରେ । ଥୋଇଲେ ସ୍ୱାମୀଙ୍କ ଗୋଚରେ ॥ ୧୩
ଅଞ୍ଜଳି କରି ବେନିକରେ । ରେଣୁକା ରହେ ଯଜ୍ଞଘରେ ॥ ୧୪
ରେଣୁକା ମୁଖ ଚାହିଁ ମୁନି । ପ୍ରଚଣ୍ତ-କୋପେ ଜମଦଗ୍ନି ॥ ୧୫
ଜାଣିଲେ ଗନ୍ଧର୍ବର ମେଳେ । ମନ କଳ୍ପିଲା ଗଙ୍ଗାଜଳେ ॥ ୧୬
ପୁତ୍ରଙ୍କୁ କୋପମୁଖେ ଚାହିଁ । ବୋଇଲେ ଶିର ଛେଦ ନେଇ ॥ ୧୭
ଗନ୍ଧର୍ବ ଦେଖି ଏହା ମନ । କଳ୍ପିଲା ତାହାର ସଙ୍ଗମ ॥ ୧୮
ସ୍ୱଭାବେ ଦୁଷ୍ଟାନାରୀ ଏହି । ଏହାର ବଦନ ନ ଚାହିଁ ॥ ୧୯
ସେ ପୁତ୍ରେ ମାତୃସ୍ନେହ କଲେ । ମାତାର ଶିର ନ ଛେଦିଲେ ॥ ୨୦
ଅଧିକ କୋପଭର ହୋଇ । ବୋଲେ ପରଶୁରାମେ ଚାହିଁ ॥ ୨୧
ମାତା ସହିତେ ତିନିଭାଇ । କୁଠାରେ ଶିର ଛେଦ ନେଇ ॥ ୨୨
ସେ ରାମ ପିତା ଗୁଣ ଜାଣେ । ତପ ସମାଧି ପରମାଣେ ॥ ୨୩
ତକ୍ଷଣେ ପ୍ରହାରି କୁଠାର । ଛେଦିଲେ ମାତା ଭ୍ରାତା ଶିର ॥ ୨୪
ଦେଖିଣ ମୁନି ତୋଷ ହୋଇ । ପରଶୁରାମ ମୁଖ ଚାହିଁ ॥ ୨୫
ବୋଇଲେ ବର ଦେବି ତୋତେ । ଯେ ବାଞ୍ଛା କଳ୍ପ ତୋ'ର ଚିତ୍ତେ ॥ ୨୬
ତକ୍ଷଣେ ପିତାପାଦେ ପଡ଼ି । ରାମ ବୋଲନ୍ତି କରଯୋଡ଼ି ॥ ୨୭
ଭୋ ତାତ ବର ଦେବ ଯେବେ । ଏ ସର୍ବେ ଜୀବନ ପାଇବେ ॥ ୨୮
ଶିର ଲାଗିବ ଯେଝା କନ୍ଧ । ମନେ ନ ଥିବ ତା'ଙ୍କ ବଧ ॥ ୨୯
ଅସ୍ତୁ ବୋଇଲେ ତପୋଧନ । ସେ ସର୍ବେ ପାଇଲେ ଜୀବନ ॥ ୩୦
ନିଦ୍ରିତଜନ ନିଦ୍ରା ଅନ୍ତେ । ଶରୀର ସମ୍ଭାଳେ ଯେମନ୍ତେ ॥ ୩୧
ପିତାର ତପୋବଳ ଜାଣି । ମାତା ଭ୍ରାତାଙ୍କ ଶିର ହାଣି ॥ ୩୨
ଏମନ୍ତେ କରି ଘୋର କର୍ମ । ରାମ ରଖିଲେ ନିଜ ଧର୍ମ ॥ ୩୩
ରାମର ଅଙ୍ଗସଙ୍ଗ ତୁଲେ । ମରଣୁଁ ସମସ୍ତେ ବଞ୍ଚିଲେ ॥ ୩୪
ଭାଇଙ୍କି ଘେନି ଏକଦିନେ । ରାମ ଯେ ଗଲେ ତପୋବନେ ॥ ୩୫
ତପ ଆରାଧି ବିଷ୍ଣୁଧ୍ୟାନେ । ନିଶ୍ଚଳେ ବସିଲେ ଆସନେ ॥ ୩୬
ତାହାଙ୍କ ଧ୍ୟାନ ଦେଖି ବନେ । ପଶୁପତଙ୍ଗ କୀଟମାନେ ॥ ୩୭
ଭୟେ ଶବଦ ନ କରନ୍ତି । ଏବେ ହୋ ଶୁଣ ନରପତି ॥ ୩୮
ସହସ୍ରାର୍ଜୁନର କୁମରେ । ପିତାର ମରଣର କାଳେ ॥ ୩୯
ଭାଜି ଯେ ଥିଲେ ଯେଝାମତେ । ସେ ପୁଣି ମିଳିଲେ ଏକାନ୍ତେ ॥ ୪୦
ମନେ ସୁମରି ଜମଦଗ୍ନି । ସଙ୍ଗେ ଅନେକ ବଳ ଘେନି ॥ ୪୧
ଛିଦ୍ର ଉଣ୍ତିବା ସେ ବେଭାରେ । ରାତ୍ରେ ମିଳିଲେ ଅନ୍ଧକାରେ ॥ ୪୨
ହୃଦେ ସୁମରି ଘୋରତମ । ରୁନ୍ଧିଲେ ମୁନିଙ୍କ ଆଶ୍ରମ ॥ ୪୩
ମୁନି ଯେ ଥିଲେ ଯଜ୍ଞଶାଳେ । ବିଷ୍ଣୁଚରଣ ପୂଜା କାଳେ ॥ ୪୪
ବଇରୀ ସାଧିବାର ରୋଷେ । ବନ୍ଧନ କଲେ ଦୃଢ଼ପାଶେ ॥ ୪୫
ରେଣୁକା ରଖ ରଖ ବୋଲେ । ପଡ଼ି ତାହାଙ୍କ ପାଦତଳେ ॥ ୪୬
ରେଣୁକା ବଚନ ନ ଶୁଣି । ତୀକ୍ଷ୍ଣ ଖଡ଼ଗେ ମୁଣ୍ତହାଣି ॥ ୪୭
ତକ୍ଷଣେ ଗଲେ ନିଜ ପୁରୀ । ଧନ ସମ୍ପଦ ଜୂର କରି ॥ ୪୮
ରେଣୁକା ଦୁଃଖ ଶୋକଭରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୪୯
ଶିର-ହୃଦୟେ କରତାଡ଼ି । କାନ୍ଦଇ ଭୂମିଗତେ ପଡ଼ି ॥ ୫୦
ଉଚ୍ଚେ ଡାକଇ ରାମ ରାମ । ଭୋ ପୁତ୍ର ଆସ ତୁ ଆଶ୍ରମ ॥ ୫୧
ସଙ୍ଗତେ ଘେନି ତିନିଭାଇ । ଭୋ ପୁତ୍ର ବେଗେ ଆସ ଧାଇଁ ॥ ୫୨
ମାତା ରୋଦନ ବାୟୁବଳେ । ଶୁଭିଲା ରାମ କର୍ଣ୍ଣମୂଳେ ॥ ୫୩
ହେ ରାମ ରାମ ବାଣୀ ଶୁଣି । ସମାଧି ତେଜି ବୀର ମଣି ॥ ୫୪
ଭ୍ରାତାଙ୍କ ଘେନି ବେଗେ ଧାଇଁ । ମିଳିଲେ ନିଜାଶ୍ରମେ ଯାଇ ॥ ୫୫
ଯଜ୍ଞଭୁବନେ ଚାରିଭ୍ରାତ । ଦେଖିଲେ ଜମଦଗ୍ନି ହତ ॥ ୫୬
ପିତାଙ୍କ ଶିରଚ୍ଛେଦ ଦେଖି । ଭାଇଙ୍କ ତୁଲେ ରାମ ଦୁଃଖୀ ॥ ୫୭
ବିମୋହ-ଶୋକ-ଗୁରୁତରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୫୮
ଭୋ ତାତ ସାଧୁ ତୁ ଧାର୍ମିକ । ସୁଜ୍ଞାନୀ ପଣ୍ତିତ ବିବେକ ॥ ୫୯
ଆମ୍ଭଙ୍କୁ ଅରକ୍ଷିତ କରି । ନିଶ୍ଚିନ୍ତେ ଗଲ ସ୍ୱର୍ଗ ପୁରୀ ॥ ୬୦
ପିତାର ଶିର ନ ଦେଖିଲେ । ଭାଇଙ୍କି ଚାହିଁ ଆଜ୍ଞା ଦେଲେ ॥ ୬୧
ତୁମ୍ଭେ ହୋ ପ୍ରେତକାର୍ଯ୍ୟ କର । ଏମନ୍ତ କହି ବୀରବର ॥ ୬୨
ପରଶୁ ଧରି ଦକ୍ଷକରେ । ଦୁଃସହ-କୋପ ଗୁରୁତରେ ॥ ୬୩
ସଙ୍କଳ୍ପ କଲେ ଜଳ ଘେନି । ନିକ୍ଷତ୍ର କରିବି ମେଦିନୀ ॥ ୬୪
କ୍ଷତ୍ରିୟ ଅନ୍ତ କରିବାରେ । ପଥେ ଧାଇଁଲେ କୋପଭରେ ॥ ୬୫
ମିଳିଲେ ମାହିଷ୍ମତୀ ପୁରେ । ଦେଖନ୍ତି ଶୂନ୍ୟପଥେ ସୁରେ ॥ ୬୬
ଅର୍ଜୁନ ସ୍ୱବଂଶ ଛେଦିଲେ । ସଂଗ୍ରାମେ ମୁଣ୍ତ ରୁଣ୍ତ କଲେ ॥ ୬୭
ପର୍ବତ ପ୍ରାୟେ ମୁଣ୍ତରାଶି । ଗ୍ରାମେ ସ୍ଥାପିଲେ ଭୃଗୁବଂଶୀ ॥ ୬୮
କ୍ଷତ୍ରିୟ-ମରଣ-ରୁଧିରେ । ନଦୀ ବଢ଼ିଲା ଭୟଙ୍କରେ ॥ ୬୯
ପିତୃ ତର୍ପଣ କରି ବିଧି । ନଦୀରେ ସେହୁ ବନ୍ଧ ବାନ୍ଧି ॥ ୭୦
ସ୍ଥାପି ନିକ୍ଷତ୍ର କରି ରୋଷେ । ପୁଣି ଧାଇଁଲେ ଅନ୍ୟଦେଶେ ॥ ୭୧
ତ୍ରିସପ୍ତବାର ମହୀଭ୍ରମି । କୋପେ ନୋହିଲେ ପଥଶ୍ରମୀ ॥ ୭୨
କ୍ଷତ୍ରିୟଗଣ ଧରି ଆଣି । କୁଠାର ଧାରେ ଶିର ହାଣି ॥ ୭୩
ରୁଧିରେ ନବକୁଣ୍ତ କଲେ । ପିତାଙ୍କୁ ତର୍ପଣେ ତୋଷିଲେ ॥ ୭୪
ସେ କୁରୁକ୍ଷେତ୍ରେ ଯଜ୍ଞ କରି । ବିପ୍ରଙ୍କୁ ଚାରିବେଦୁଁ ବରି ॥ ୭୫
ଦକ୍ଷିଣା ଦେଲେ ବିପ୍ରହସ୍ତେ । ଶୁଣ ରାଜନ କହୁଁ ତୋତେ ॥ ୭୬
ଶ୍ରୀକରେ ଘେନି ଜଳ କୁଶ । ହୋତାଙ୍କୁ ଦେଲେ ପୂର୍ବଦେଶ ॥ ୭୭
ଦକ୍ଷିଣ ବ୍ରହ୍ମା ହସ୍ତେ ଦେଲେ । ପଶ୍ଚିମ ଅଧ୍ୱର୍ଯ୍ୟୁ ବରିଲେ ॥ ୭୮
ଉତ୍ତର ଉଦ୍ଗାତା ହସ୍ତେ । ପ୍ରଦାନ କଲେ ସେ ପ୍ରଶସ୍ତେ ॥ ୭୯
ବେଦ ଉଚ୍ଚାରି ଚାରିକୋଣେ । ଦକ୍ଷିଣା ଦେଲେ ସେ ବ୍ରାହ୍ମଣେ ॥ ୮୦
ମଧ୍ୟକୁ କୁରୁକ୍ଷେତ୍ର ତୁଲେ । କଶ୍ୟପ ହସ୍ତେ ରାମ ଦେଲେ ॥ ୮୧
ଏ ଆର୍ଯ୍ୟାବର୍ତ୍ତ ପୁଣ୍ୟଭୂମି । ଉପଦେଷ୍ଟାଙ୍କୁ ଦେଲେ ସ୍ୱାମୀ ॥ ୮୨
ସଭାପତିଙ୍କି କରି ତୋଷ । ଆଦରେ ଦେଲେ ଅବଶେଷ ॥ ୮୩
ତା'ପରେ ସରସ୍ୱତୀ କୂଳେ । ଯଜ୍ଞବଭୃଥ ସ୍ନାନ କଲେ ॥ ୮୪
ସେ ବ୍ରହ୍ମନଦୀ ଜଳେ ପଶି । ରବିର ତେଜ ପ୍ରାୟେ ଦିଶି ॥ ୮୫
ସେ ଯଜ୍ଞପୂର୍ଣ୍ଣେ ଜମଦଗ୍ନି । ଜ୍ଞାନ-ଲକ୍ଷଣ-ଦେହ ଘେନି ॥ ୮୬
ସପ୍ତଋଷିଙ୍କ ମଧ୍ୟେ ଧାମ । ସ୍ଥାପିଲେ ତାଙ୍କୁ ପର୍ଶୁରାମ ॥ ୮୭
ସେ ରାମ କମଳଲୋଚନ । ସ୍ୱଭାବେ ଭୃଗୁର ନନ୍ଦନ ॥ ୮୮
ଭବିଷ୍ୟ ମନ୍ୱନ୍ତର କାଳେ । ବ୍ରହ୍ମ-ବିସ୍ତାରେ ଯୋଗବଳେ ॥ ୮୯
ସିଦ୍ଧ ଗନ୍ଧର୍ବେ ସ୍ତୁତି କଲେ । ମହେନ୍ଦ୍ର ପର୍ବତେ ରହିଲେ ॥ ୯୦
ଏମନ୍ତେ ଭୃଗୁବଂଶେ ହରି । ନରଶରୀରେ ଅବତରି ॥ ୯୧
ଦୁଷ୍ଟ କ୍ଷତ୍ରିୟ ନାଶ କରି । ହେଳେ ଧରଣୀ ଭାରା ହରି ॥ ୯୨
ଗାଧିର ପୁତ୍ର ହୋଇ ଜନ୍ମ । ସଂସାରେ କଲେ ଯେତେ କର୍ମ ॥ ୯୩
କ୍ଷତ୍ରିୟ କର୍ମ ଏ ଶୟଳେ । ତେଜିଲେ ତପସ୍ୟାର ବଳେ ॥ ୯୪
ବ୍ରହ୍ମବର୍ଚ୍ଚସେ ଶ୍ରଦ୍ଧା କଲେ । ବିଶ୍ୱାମିତ୍ର ସେ ବୋଲାଇଲେ ॥ ୯୫
ବିଶ୍ୱାମିତ୍ରର ଶତେପୁତ୍ର । ସେହୁ ଜନ୍ମିଲେ ସପ୍ତଗୋତ୍ର ॥ ୯୬
ସେ ଗୋତ୍ରେ ମଧୁଛନ୍ଦ ଆଦି । ସର୍ବେ ଜନ୍ମିଲେ ବେଦବାଦୀ ॥ ୯୭
ଶୁନଃଶେଫକୁ ପୁତ୍ର କରି । ଭାର୍ଗବବଂଶେ ତା'କୁ ବରି ॥ ୯୮
ନିଜ ସୁତଙ୍କୁ ରାଇ ଧୀରେ । କହିଲେ ନିଗମ ବେଭାରେ ॥ ୯୯
ଏହାକୁ ଜ୍ୟେଷ୍ଠ ବୋଲି ମଣ । ଏ ତୁମ୍ଭ ଗୋତ୍ରର ବର୍ଦ୍ଧନ ॥ ୧୦୦
ଏ ହରିଶ୍ଚନ୍ଦ୍ର ଯଜ୍ଞ କାଳେ । ପିତା ବିକ୍ରୟ କଲା ବଳେ ॥ ୧୦୧
ରୋହିତ ପଶୁ ଅର୍ଥେ ନେଲା । ଏହାର ମାଂସେ ଯଜ୍ଞ କଲା ॥ ୧୦୨
ଏହାକୁ ଦେବେ ତୋଷ ହୋଇ । ତକ୍ଷଣେ ମରଣୁଁ ଜିଆଇ ॥ ୧୦୩
ଥୋଇଲେ ମୋ' ପୁତ୍ରଙ୍କ ମେଳେ । ଦେବରାତ ତା' ନାମ ଦେଲେ ॥ ୧୦୪
ବିଶ୍ୱାମିତ୍ରଙ୍କ ଶତସୁତେ । ଜ୍ୟେଷ୍ଠ ଯେ ଥିଲେ ପଞ୍ଚାଶତେ ॥ ୧୦୫
ବୋଇଲେ ଏ ନୋହେ ଉଚିତ । ଏ ଜ୍ୟେଷ୍ଠ ହୋଇବ କେମନ୍ତ ॥ ୧୦୬
ପିତା ତାହାଙ୍କୁ ଦେଲେ ଶାପ । ମ୍ଳେଚ୍ଛ ହୁଅରେ ତୁମ୍ଭେ ପାପ ॥ ୧୦୭
ଆର ପଞ୍ଚାଶପୁତ୍ର ସାନ । ତାହାକୁ କଲେ ଜ୍ୟେଷ୍ଠେମାନ୍ୟ ॥ ୧୦୮
ସନ୍ତୋଷେ ବୋଲେ ବିଶ୍ୱାମିତ୍ର । ସକଳେ ହୁଅ ପୁତ୍ରବନ୍ତ ॥ ୧୦୯
ଏ ଶୁନଃଶେଫ ଅଟେ ବୀର । ଏହାକୁ ସର୍ବେ ଅନୁସର ॥ ୧୧୦
ଶୁଣ ହୋ ରାଜା ପରୀକ୍ଷିତ । ଆବର ବିଶ୍ୱାମିତ୍ର ପୁତ୍ର ॥ ୧୧୧
ଅଷ୍ଟକ ଜୟ ହେ ହାରୀତ । କ୍ରତୁମତାଦି ଥିଲେ ସୁତ ॥ ୧୧୨
ଏ ରୂପେ କଉଶିକ ଗୋତ୍ର । ଦୁଇଭାଗରେ ହେଲା ଖ୍ୟାତ ॥ ୧୧୩
କୌଶିକ ଗୋତ୍ରର ପ୍ରବର । ଏଣୁ ଯେ ସପତ ପ୍ରକାର ॥ ୧୧୪
ସେ ପୁଣି ମନ୍ୱନ୍ତର କାଳେ । ଗୋତ୍ର ସ୍ଥାପିଲେ ରବିତଳେ ॥ ୧୧୫
ସୁଜନେ ଶୁଣ ତୋଷ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୧୬
ଭୃଗୁର ବଂଶେ ହୋଇ ଜନ୍ମ । ସେ ହରି କଲେ ଯେତେ କର୍ମ ॥ ୧୧୭
ଶୁଣନ୍ତେ ସର୍ବ ପାପ ହରେ । ଅଶେଷ କର୍ମବନ୍ଧୁଁ ତରେ ॥ ୧୧୮
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ॥
* * *