ନବମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥ ୧
ଉର୍ବଶୀ ଗର୍ଭେ ବିଷ୍ଣୁ ତେଜେ । ଜନ୍ମିଲେ ପୁରୁରବା ବୀର୍ଯ୍ୟେ ॥ ୨
ସୁନ୍ଦର ପଣେ ନାହିଁ ସମ । ଶୁଣ ସେ ଷଡ଼ପୁତ୍ର ନାମ ॥ ୩
ଆୟୁ ଶ୍ରୁତାୟୁ ପୁଣି ରୟ । ସତ୍ୟାୟୁ ବିଜୟ ଯେ ଜୟ ॥ ୪
ଶ୍ରୁତାୟୁ ସୁତ ବସୁମାନ । ଏକନାମ ରୟ ନନ୍ଦନ ॥ ୫
ଶ୍ରୁତଞ୍ଜୟ ସତ୍ୟାୟୁ ସୁତ । ଜୟର ତନୟ ଅମିତ ॥ ୬
ବିଜୟ ତନୟ ଯେ ଭୀମ । ଭୀମର ପୁତ୍ର ଯେ କାଞ୍ଚନ ॥ ୭
ତା' ସୁତ ହେତ୍ରୁ ଜହ୍ନୁ ହୋଏ । ଗଣ୍ତୂଷେ ଗଙ୍ଗା ଜଳ ପିଏ ॥ ୮
ଜହ୍ନୁର ସୁତ ପୁରୁ ନାମ । ବଳାକ ତାହାଙ୍କ ନନ୍ଦନ ॥ ୯
ଅଜକ ବଳାକର ସୁତ । କୁଶ ତା' ଠାରୁ ହେଲା ଜାତ ॥ ୧୦
ବଳାକସୁତ କୁଶ ହୋଇ । ସେ ଚାରି ପୁତ୍ରକୁ ଜନ୍ମାଇ ॥ ୧୧
କୁଶାମ୍ବୁ ପୁତ୍ର ଯେ ପ୍ରଥମ । ତନୟ ଦ୍ୱିତୀୟ ସନ୍ତାନ ॥ ୧୨
ତୃତୀୟ ବସୁ ନାମେ ଖ୍ୟାତ । କୁଶନାଭ ଅଟେ ଚତୁର୍ଥ ॥ ୧୩
କୁଶ୍ୱାମ୍ବୁ ସୁତ ଗାଧି ନାମ । ଅତି ସୁନ୍ଦର ଗୁଣଧାମ ॥ ୧୪
ତାହାର କନ୍ୟା ସତ୍ୟବତୀ । ତା' କଥା ଶୁଣ ହୋ ନୃପତି ॥ ୧୫
ଋଚୀକ ନାମେ ବ୍ରହ୍ମଋଷି । କନ୍ୟା ମାଗିଲେ ତା'କୁ ଆସି ॥ ୧୬
ଦେଖିଣ ବୃଦ୍ଧ ତା' ଶରୀର । ସେ ଗାଧି ନ ବରିଲା ବର ॥ ୧୭
ବୋଲେ ଋଚୀକ ମୁଖ ଚାହିଁ । କନ୍ୟା ଲଭିବୁ ଯେବେ ତୁହି ॥ ୧୮
ହୋଇବୁ ମୋ'ର କନ୍ୟାବର । ତୁ ଏବେ ମୋ'ର ବୋଲ କର ॥ ୧୯
ସହସ୍ରଅଶ୍ୱ ମୋତେ ଦିଅ । ଚନ୍ଦ୍ରର ପ୍ରାୟ ଯା'ର ଦେହ ॥ ୨୦
କର୍ଣ୍ଣ ହୋଇବ ଶ୍ୟାମବର୍ଣ୍ଣ । ତେବେ ମୁଁ ଦେବି କନ୍ୟାଦାନ ॥ ୨୧
ଏମନ୍ତେ ରାଜାର ବଚନେ । ଋଚୀକ ବରୁଣ ଭୁବନେ ॥ ୨୨
ମିଳି ବରୁଣକୁ ମାଗିଲେ । ବରୁଣ ସସ୍ରେଅଶ୍ୱ ଦେଲେ ॥ ୨୩
ସେ ଅଶ୍ୱ ଆଣି ମୁନି ଦେଲା । ସତ୍ୟବତୀକି ବିଭା ହେଲା ॥ ୨୪
ଋଚୀକ ପତ୍ନୀ ପୁତ୍ର ଅର୍ଥେ । ବିଚାରି ମାତାର ସହିତେ ॥ ୨୫
ପୁତ୍ର କାମନା କରି ବେନି । କାମନା କଲେ ଚରୁ ଘେନି ॥ ୨୬
ଯଜ୍ଞ ଆରମ୍ଭେ ପୁତ୍ର ଅର୍ଥେ । ଚରୁ ସଞ୍ଚିଲା ବେଦମନ୍ତ୍ରେ ॥ ୨୭
ମାତା ଦୁହିତା ଅର୍ଥେ ବେନି । ଚରୁ ସାଧିଲା ମହାମୁନି ॥ ୨୮
ସେ ଚରୁ ଦେଇ ପତ୍ନୀ ହସ୍ତେ । ୠଚୀକ ଗଲେ ସ୍ନାନ ଅର୍ଥେ ॥ ୨୯
ଯେ ଚରୁ କଲା ମହାତମା । ଶୁଣ ସେ ଚରୁର ମହିମା ॥ ୩୦
ଏକ କ୍ଷତ୍ରିୟ ବିପ୍ର ଏକ । ସେ ଚରୁ ବିପରୀତ ଦେଖ ॥ ୩୧
ସତ୍ୟବତୀର ମୁଖ ଚାହିଁ । ମାତା ବୋଲଇ ଭ୍ରାନ୍ତି ବହି ॥ ୩୨
ତୋ' ଚରୁ ମୋର ହସ୍ତେ ଦିଅ । ମୋଠାରେ ଯେବେ ଅଛି ସ୍ନେହ ॥ ୩୩
ଏମନ୍ତ ମାତା ମୁଖୁଁ ଶୁଣି । ତକ୍ଷଣେ ରାଜାର ଦୁଲଣୀ ॥ ୩୪
ଆପଣା ଚରୁ ମାତା ହସ୍ତେ । ଦେଲା ସେ ପ୍ରିୟଭାବ ମତେ ॥ ୩୫
ଚରୁ ଭୁଞ୍ଜିଲେ ବେନି ନାରୀ । ଏବେ ହୋ ଶୁଣ ଦଣ୍ତଧାରୀ ॥ ୩୬
ଋଚୀକ ସ୍ନାନ ସାରି ଜଳେ । ଗୃହେ ମିଳିଲେ ରାତ୍ରକାଳେ ॥ ୩୭
ମିଳିଲେ ସତ୍ୟବତୀ ସଙ୍ଗେ । ପ୍ରଚଣ୍ତ ତେଜ ତା'ର ଅଙ୍ଗେ ॥ ୩୮
ନିକଟେ ବସି ନ ପାରଇ । ବୋଲଇ ପତ୍ନୀମୁଖ ଚାହିଁ ॥ ୩୯
ତୁ ଘୋରକର୍ମ କିପାଁ କଲୁ । ତୋ' ଚରୁମାତା ହସ୍ତେ ଦେଲୁ ॥ ୪୦
ପ୍ରଚଣ୍ତ ହୋଇବ ତୋ' ସୁତ । ତା' ତେଜେ କମ୍ପିବ ଜଗତ ॥ ୪୧
ଭ୍ରାତା ହୋଇବ ବ୍ରହ୍ମମୁନି । ସନ୍ତୋଷ-ଶମ-ଦମ ଘେନି ॥ ୪୨
ତା' ଶୁଣି ସତ୍ୟବତୀ ଭାଳେ । ପଡ଼ିଲା ସ୍ୱାମୀ ପାଦତଳେ ॥ ୪୩
କହେ କପୋଳେ ଦେଇ ହସ୍ତ । ପ୍ରଚଣ୍ତ ନୋହୁ ମୋର ସୁତ ॥ ୪୪
ରଚୀକ ପତ୍ନୀର ବଚନେ । ଭବିଷ୍ୟ ସୁମରିଲେ ମନେ ॥ ୪୫
ବୋଇଲେ ସୁତ ତୋ' ସୁତର । ହେଉ କ୍ଷତ୍ରିୟ ମହାବୀର ॥ ୪୬
ଏମନ୍ତେ ଋଚୀକ ବଚନେ । ପୁତ୍ର ଜନ୍ମିଲା ବିପ୍ରବର୍ଣ୍ଣେ ॥ ୪୭
ଅତି ସୁନ୍ଦର ସୁକୁମାର । ରୂପେ ମୋହିଲା ତିନିପୁର ॥ ୪୮
ତାହାର ଜମଦଗ୍ନି ନାମ । ତେଜେ ବିରାଜେ ଅଗ୍ନିସମ ॥ ୪୯
ପୁତ୍ର ପ୍ରସବି ସତ୍ୟବତୀ । ଭଜିଲା ନଦୀଙ୍କର ଗତି ॥ ୫୦
ସେ ନଦୀରୂପେ ବହିଗଲା । କୌଶିକୀ ନାମ ପୁଣ୍ୟଜଳା ॥ ୫୧
ରେଣୁକା ରେଣୁର ଦୁହିତା । ପୁଣ୍ୟ ପବିତ୍ର ଶୁଦ୍ଧଚିତ୍ତା ॥ ୫୨
ଅତି ସୁନ୍ଦରୀ ସୁକୁମାରୀ । ସେ କନ୍ୟା ଜମଦଗ୍ନି ବରି ॥ ୫୩
ତା' ଗର୍ଭେ ଜମଦଗ୍ନି ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ବିଷ୍ଣୁତେଜେ ॥ ୫୪
ବସୁମଦାଦି ପୁତ୍ର ତୁଲେ । ପରଶୁରାମ ଉପୁଜିଲେ ॥ ୫୫
ସେ ବାସୁଦେବ ଅଂଶେ ଏକ । ହୈହୟ ରାଜା କୁଳାନ୍ତକ ॥ ୫୬
ପରଶୁ ଦକ୍ଷକରେ ଧରି । କୋପେ ଭ୍ରମିଲା ବସୁନ୍ଧରୀ ॥ ୫୭
ଯେ ଦୁଷ୍ଟ କ୍ଷତ୍ରିୟ ରାଜନ । ବ୍ରାହ୍ମଣେ ନ କରନ୍ତି ମାନ୍ୟ ॥ ୫୮
କ୍ଷତ୍ରିୟ ଗର୍ବେ ମତ୍ତ ଭ୍ରମେ । ଆବୃତ ହୋଇ ରଜ ତମେ ॥ ୫୯
ଏକବିଂଶ ବାର ଭ୍ରମିଲା । ଧରଣୀ କ୍ଷତ୍ରିହୀନ କଲା ॥ ୬୦
ପରୀକ୍ଷିତ ଉବାଚ
ଭୋ ମୁନି କହ ମୋ' ଅଗ୍ରତେ । ଦୁଷ୍ଟ କ୍ଷତ୍ରିୟ ଏ ଜଗତେ ॥ ୬୧
କ୍ଷତ୍ରିୟ ହଇହୟବଂଶ । କିବା ବିଷ୍ଣୁରେ କଲେ ଦୋଷ ॥ ୬୨
ଯେ ଦୋଷେ କରେ ଶସ୍ତ୍ର ଧରି । ନିକ୍ଷତ୍ର କଲେ ବସୁନ୍ଧରୀ ॥ ୬୩
ଶୁକ ଉବାଚ
କହନ୍ତି ଶୁକ ମୁନିବର । ଶୁଣ ହେ ଉତ୍ତରାକୁମର ॥ ୬୪
ଅର୍ଜୁନ ନାମେ ବୀର ଅଂଶେ । ଜନ୍ମିଲେ ହଇହୟ ବଂଶେ ॥ ୬୫
ଦତ୍ତ ଯେ ନାରାୟଣ ଅଂଶ । ତା'ପାଦେ ହୋଇଲେ ବିଶ୍ୱାସ ॥ ୬୬
ଅନେକ ଆରାଧନା କଲେ । ସେ ତା'ଙ୍କୁ ତୋଷେ ବର ଦେଲେ ॥ ୬୭
ତପେ ସହସ୍ରଭୁଜ ଧରି । ତେଜ ସାମର୍ଥ୍ୟ ଯଶ ଶିରୀ ॥ ୬୮
ଅଣିମା ଆଦି ଅଷ୍ଟସିଦ୍ଧି । ଲଭିଲା ଅନେକ ସମୃଦ୍ଧି ॥ ୬୯
ଭ୍ରମଇ ଏ ତିନିଭୁବନେ । ପ୍ରଚଣ୍ତ ଯେସନେ ପବନେ ॥ ୭୦
ଦିନେକ ସ୍ତିରୀଗଣ ସଙ୍ଗେ । ଦିଗବିଜୟ କଲା ରଙ୍ଗେ ॥ ୭୧
କାମିନୀ ସଙ୍ଗେ ରସ ଭୋଳେ । ପଶିଲା ରେବାନଦୀ ଜଳେ ॥ ୭୨
ବଇଜୟନ୍ତୀ ମାଳା ଗଳେ । ନାରୀଙ୍କ ସଙ୍ଗେ ଜଳେ ଖେଳେ ॥ ୭୩
ଜଳ ନିଷେଧି କ୍ରୀଡ଼ା କାଳେ । ନଦୀ ବାନ୍ଧିଲା ଭୁଜ ବଳେ ॥ ୭୪
ଭୁଜ ଉପରେ ଭୁଜ ଦେଲା । ନଦୀ ଜଳକୁ ବନ୍ଦୀ କଲା ॥ ୭୫
ନଦୀ ବହିଲା ପ୍ରତିସ୍ରୋତେ । ବାମ ଦକ୍ଷିଣେ ଗ୍ରାମ ଯେତେ ॥ ୭୬
ପର୍ବତ ଆଦି ଘୋରବନ । ସ୍ଥଳ-ଗଭୀର-ଦେବସ୍ଥାନ ॥ ୭୭
ପ୍ରଳୟ ପ୍ରାୟ ଜଳ ପୁରେ । କାମିନୀଗଣେ କ୍ରୀଡ଼ା କରେ ॥ ୭୮
ଏହି ସମୟେ ଦଶାନନ । ଦିଗବିଜୟେ କରି ମନ ॥ ୭୯
ମହିଷ୍ମତୀପୁର ସମୀପେ । ଶିବିର ନେଇ ତହିଁ ସ୍ଥାପେ ॥ ୮୦
ଜଳରେ ପ୍ଲାବିତ ଶିବିର । ଦେଖି କୁପିତ ଦଶଶିର ॥ ୮୧
ଅର୍ଜୁନ ପାଶେ ସେ ମିଳିଲା । ନିନ୍ଦିତ ବାକ୍ୟେ ଗାଳି ଦେଲା ॥ ୮୨
ତା' ଶୁଣି ସହସ୍ର ଅର୍ଜୁନ । ହେଳେ ବାନ୍ଧିଲା ଦଶାନନ ॥ ୮୩
ମର୍କଟ ପ୍ରାୟ ବାନ୍ଧି କରି । ବନ୍ଧନାଗାରେ ନେଇ ଭରି ॥ ୮୪
ଅନେକ ଦିନ ସେ ରଖିଲା । ଅବଜ୍ଞା କରି ଛାଡ଼ିଦେଲା ॥ ୮୫
ପୁଣି ଅର୍ଜୁନ ଏକ ଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୮୬
ତାହାର ଅଶ୍ୱବଳ ଯେତେ । ରବିର କିରଣେ ତୃଷିତେ ॥ ୮୭
ବୁଲନ୍ତେ ଗିରି-ଘୋରବନେ । ମିଳିଲେ ଜମଦଗ୍ନି ସ୍ଥାନେ ॥ ୮୮
ରାଜାଙ୍କୁ ଦେଖି ମୁନିଜନେ । ବସାଇ ସୁବର୍ଣ୍ଣ ଆସନେ ॥ ୮୯
ପୂଜିଲେ ନାନା ଉପହାରେ । କଳ୍ପିତ-ଯଜ୍ଞ-ଧେନୁ କ୍ଷୀରେ ॥ ୯୦
ସର୍ବ ସୁବର୍ଣ୍ଣମୟ ଚାହିଁ । ଯେ କାମେ କାମଧେନୁ ଦୁହିଁ ॥ ୯୧
ଅଦ୍ଭୁତ ଦେଖି ନୃପମଣି । ସଙ୍କୋଚେ ମନେ ମନେ ଗୁଣି ॥ ୯୨
ଭୃତ୍ୟକୁ ରାଇ ଆଜ୍ଞା ଦେଲା । ଏ ଧେନୁ ଘେନରେ ବୋଇଲା ॥ ୯୩
ମୁନିଙ୍କି ଅନାଦର କରି । ତକ୍ଷଣେ ଗଲା ଦଣ୍ତଧାରୀ ॥ ୯୪
ସେ ଧେନୁ ବତ୍ସା ସଙ୍ଗେ ବାନ୍ଧେ । ପଥେ ଚଳନ୍ତେ ଧେନୁ କାନ୍ଦେ ॥ ୯୫
ରାଜା ଚଳିଲା ନିଜ ଗ୍ରାମ । ବନେ ଯେ ଥିଲେ ପର୍ଶୁରାମ ॥ ୯୬
ଯଜ୍ଞ ଆହୁତି ଭଙ୍ଗ ଶୁଣି । ଗୃହେ ମିଳିଲେ ଭୃଗୁମଣି ॥ ୯୭
ବତ୍ସା ସହିତେ ଧେନୁ ନେଲା । ପିତାଙ୍କୁ ଅନାଦର କଲା ॥ ୯୮
ଏ କଥା ଶୁଣି କୋପଭରେ । ତୀକ୍ଷ୍ଣ ପରଶୁ ଧରି କରେ ॥ ୯୯
କବଚେ ଆବୋରି ଶରୀର । କାନ୍ଧେ କାର୍ମୁକ ତୀକ୍ଷ୍ଣ ଶର ॥ ୧୦୦
ପଛେ ଧାଇଁଲେ କୋପମନେ । କୁଞ୍ଜର ଦେଖି ସିଂହ ଯେହ୍ନେ ॥ ୧୦୧
ପଛେ ଗୋଡ଼ାନ୍ତେ ପର୍ଶୁରାମ । ରାଜା ଦେଖିଲେ ଘୋରତମ ॥ ୧୦୨
ପରଶୁ ଦକ୍ଷକରେ ଧରି । ହରିଣଚର୍ମ ଦେହେ ଭରି ॥ ୧୦୩
ସୂର୍ଯ୍ୟର ପ୍ରାୟେ ତେଜ ଦେହେ । କପିଳ ଜଟା ଶିରେ ଶୋହେ ॥ ୧୦୪
ଦେଖି ପରଶୁରାମ ତେଜ । ପଥେ ରହିଲା ମହାରାଜ ॥ ୧୦୫
ସୈନ୍ୟଙ୍କୁ ଚାହିଁ ଆଜ୍ଞା ଦେଲା । ଅନେକ ଶସ୍ତ୍ର ପ୍ରହାରିଲା ॥ ୧୦୬
ଅଶ୍ୱ କୁଞ୍ଜର ସେନା ଯେତେ । ଶସ୍ତ୍ର ପେଷିଲେ ଅପ୍ରମିତେ ॥ ୧୦୭
ଗଦା ଖଡ଼ଗ ଶକ୍ତି ଯଷ୍ଟି । କୋପେ କରନ୍ତି ଶର ବୃଷ୍ଟି ॥ ୧୦୮
ଯୁଝନ୍ତି ଅତି କୋପମନେ । ସମୁଦ୍ରେ ମନ୍ଦର ଯେସନେ ॥ ୧୦୯
ପରଶୁ କୋପରେ ପ୍ରହାରି । ଅର୍ଦ୍ଧନିମିଷେ ସର୍ବ ମାରି ॥ ୧୧୦
ଭୁଜ କନ୍ଧର ଉର ଛିଡ଼ି । ସର୍ବେ ପଡ଼ିଲେ ଭୂମି ମାଡ଼ି ॥ ୧୧୧
ରୁଧିର ନଦୀ ଉଚ୍ଚେ ବହେ । ମାଂସ ଶୋଣିତ ମେଦମୟେ ॥ ୧୧୨
ମଲେ କ୍ଷଉଣୀ ସପ୍ତଦଶ । ରହିଲା ସସ୍ରବାହୁ ଶେଷ ॥ ୧୧୩
ସୈନ୍ୟ ମରଣେ ବହି ମନ୍ୟୁ । ଧଇଲା ପଞ୍ଚଶତ ଧନୁ ॥ ୧୧୪
ନାରାଚ ଯୋଚି ପଞ୍ଚଶତେ । ରହିଲା ରାମର ଅଗ୍ରତେ ॥ ୧୧୫
ବୃକ୍ଷରୁ ପତ୍ର ଯେହ୍ନେ ଝଡ଼େ । ରାମ ଉପରେ ଶସ୍ତ୍ର ପଡ଼େ ॥ ୧୧୬
ଦେଖି ତାହାର ବୀରଗତି । ବେଗେ ଧାଇଁଲେ ଭୃଗୁପତି ॥ ୧୧୭
କୁଠାରେ ସହସ୍ରେକ ଭୁଜ । ହେଳେ ଛେଦିଲେ ଭୃଗୁରାଜ ॥ ୧୧୮
ତୀକ୍ଷ୍ଣ କୁଠାରେ ମୁଣ୍ତ ହାଣି । ଭାରା ଉଶ୍ୱାସିଲେ ଧରଣୀ ॥ ୧୧୯
ପିତା ମରଣ ପୁତ୍ରେ ଦେଖି । ଭାଜିଲେ ସମର ଉପେକ୍ଷି ॥ ୧୨୦
ରାମ ସଂହରି ମହାମନ୍ୟୁ । ସଙ୍ଗତେ ଘେନି ଯଜ୍ଞଧେନୁ ॥ ୧୨୧
ଆନନ୍ଦମନେ ଯଜ୍ଞବାଟେ । ମିଳିଲେ ପିତାର ନିକଟେ ॥ ୧୨୨
ପିତା ସମୀପେ ଧେନୁ ଦେଇ । ଚରଣେ ଗଡ଼ଘାଲି ଶୋଇ ॥ ୧୨୩
ସଙ୍ଗତେ ଘେନି ତିନି ଭ୍ରାତେ । ଯୁଦ୍ଧକରଣ କଥା ଯେତେ ॥ ୧୨୪
କହିଲେ ପିତାର ଅଗ୍ରତେ । ତା' ଶୁଣି ପିତା ତୋଷଚିତ୍ତେ ॥ ୧୨୫
ବୋଇଲେ ରାମର ଅଗ୍ରତେ । ଭୋ ପୁତ୍ର ଶୁଣ ଏକଚିତ୍ତେ ॥ ୧୨୬
ହେ ରାମ ରାମ ମହାବାହୁ । ଶୁଣ ସୁମନେ ତୋତେ କହୁଁ ॥ ୧୨୭
ଶୁଭ ଅଶୁଭ ତୁ ନଜାଣି । ପାତକ କଲୁ ରାଜା ହାଣି ॥ ୧୨୮
ସର୍ବଦେବତା ରାଜା ଦେହେ । ବସନ୍ତି ସୂର୍ଯ୍ୟଜ୍ୟୋତି ପ୍ରାୟେ ॥ ୧୨୯
ଆମ୍ଭେ ଯେ ଜାତିରେ ବ୍ରାହ୍ମଣ । ସ୍ୱଭାବେ କ୍ଷମା ଆଚରଣ ॥ ୧୩୦
ବ୍ରହ୍ମା ଯେ ସର୍ବଦେବଗୁରୁ । କ୍ଷମା ପୂରିତ ଯେହ୍ନେ ମେରୁ ॥ ୧୩୧
ତେଣୁ ବସିଲା ସତ୍ୟଲୋକେ । ଅଶେଷ ଲକ୍ଷ୍ମୀ ଭୁଞ୍ଜେ ଏକେ ॥ ୧୩୨
କ୍ଷମା ଯାହାର ହୃଦେ ରହେ । ବିଷ୍ଣୁ ବସନ୍ତି ତା'ର ଦେହେ ॥ ୧୩୩
ଏଣୁ ଯେ ନୃପ ବଧ କରେ । ଦୁରିତୁଁ କେବେହେଁ ନ ତରେ ॥ ୧୩୪
ଏବେ ତୁ ତୀର୍ଥ ସେବା କର । ତୋ'ଠାରୁ ପାପ ହେବ ଦୂର ॥ ୧୩୫
ଚିତ୍ତେ ଚିନ୍ତିବୁ ନାରାୟଣ । ଅନ୍ୟଥା ନାହିଁ ପରିତ୍ରାଣ ॥ ୧୩୬
ପରଶୁରାମର କାହାଣୀ । ଯେ ନର ଶ୍ରୁତିପଥେ ଶୁଣି ॥ ୧୩୭
ନରକ ପଥେ ନାହିଁ ଭ୍ରାନ୍ତି । ହେଳେ ସେ ସଂସାରୁ ତରନ୍ତି ॥ ୧୩୮
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୩୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚଦଶୋଽଧ୍ୟାୟଃ ॥
* * *