ନବମ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ସୋମବଂଶ ଶୁଣ । ଯେବେ ତରିବ ତିନିଗୁଣ ॥ ୧
ସେ ବଂଶେ ପୁରୁରବା ଆଦି । ଯେ ଭାବେ ଯେ ଅବା ସମ୍ପାଦି ॥ ୨
ଯଶ ରହିଲା ମହୀତଳେ । ସର୍ବେ ଚଳିଲେ କାଳବଳେ ॥ ୩
ସହସ୍ରଶିର ଯେ ଅନନ୍ତ । ତା' ନାଭିପଦୁଁ ବ୍ରହ୍ମାଜାତ ॥ ୪
ସୃଷ୍ଟିର ଅର୍ଥେ ସପ୍ତପୁତ୍ରେ । ଜନ୍ମ ହୋଇଲେ ବ୍ରହ୍ମାଗାତ୍ରେ ॥ ୫
ମରୀଚି ଆଦି ସପ୍ତଋଷି । ଧ୍ରୁବମଣ୍ତଳ ରଥେ ବସି ॥ ୬
ଭ୍ରମନ୍ତି ଧ୍ରୁବଚକ୍ର-ବଳେ । ଉତ୍ତର-ଆକାଶ-ମଣ୍ତଳେ ॥ ୭
ତାହାଙ୍କ ମଧ୍ୟେ ଅତ୍ରିମୁନି । ତପ କରନ୍ତି ଯୋଗ ଘେନି ॥ ୮
ଧ୍ୟାନ କରନ୍ତେ ଯୋଗବଳେ । ତା'ଙ୍କ ଲୋଚନ ଅଶ୍ରୁଜଳେ ॥ ୯
ପୁରୁଷେ ହୋଇଲା ପ୍ରକାଶ । ତେଜେ ଗଞ୍ଜିଲା ଦଶଦିଶ ॥ ୧୦
ଅମୃତମୟ ମନୋରମ । ତାହାର ନାମ ଦେଲେ ସୋମ ॥ ୧୧
ବିପ୍ର-ଔଷଧି-ଉଡ଼ୁଗଣେ । ବ୍ରହ୍ମା ସ୍ଥାପିଲେ ରାଜାପଣେ ॥ ୧୨
ସେ ସୋମ ରାଜସୂୟ କରି । ତିନି ଭୁବନେ ଅଧିକାରୀ ॥ ୧୩
ବଳେ ଜିଣିଲା ତିନିପୁର । ଏବେ ହୋ ଶୁଣ ନୃପବର ॥ ୧୪
ସୁନ୍ଦର ରୂପେ ମତ୍ତଗର୍ବେ । ନିରତେ ଭ୍ରମେ ସେ ସ୍ୱଭାବେ ॥ ୧୫
ଏମନ୍ତେ ବୃହସ୍ପତି ନାରୀ । ଗଙ୍ଗାର ଜଳେ ସ୍ନାନ କରି ॥ ୧୬
ରୂପେ ସୁନ୍ଦରୀ ମନୋହରା । ସ୍ୱବଭାବେ ନାମ ତା'ର ତାରା ॥ ୧୭
ତାହାର ରୂପଗୁଣ ଚାହିଁ । ଅନଙ୍ଗବାଣେ ମୋହ ଯାଇ ॥ ୧୮
ସ୍ୱଭାବେ ଋତୁସ୍ନାନ କାଳେ । ସୋମ ହରିଲା ତା'କୁ ବଳେ ॥ ୧୯
ସେ କଥା ଶୁଣି ବୃହଷ୍ପତି । ପତ୍ନୀ ହରଣେ ଦୁଃଖମତି ॥ ୨୦
ସୋମର ଦ୍ୱାରେ ରାତ୍ରେ ଗଲେ । ଅନେକ ପ୍ରକାରେ ମାଗିଲେ ॥ ୨୧
କେବେ ହେଁ ତାରାକୁ ନ ଦେଲା । ଅନେକ ଅପମାନ କଲା ॥ ୨୨
ସେ ଗୁରୁ ଦେବ ମଧ୍ୟେ ଆସି । ଇନ୍ଦ୍ରଙ୍କୁ କହିଲେ ବିଶେଷି ॥ ୨୩
ଇନ୍ଦ୍ରର ତୁଲେ ଦେବବଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୨୪
ଏ କଥା ଶୁଣି ଶୁକ୍ରବାଦେ । ମିଳିଲା ଅସୁରଙ୍କ ମଧ୍ୟେ ॥ ୨୫
ଅସୁରବଳ ସଙ୍ଗ କରି । ଧାଇଁଲେ ସୋମପକ୍ଷ ଧରି ॥ ୨୬
ଇନ୍ଦ୍ରର ତୁଲେ ଦେବଗଣ । ଏମନ୍ତେ ଦେବାସୁର ରଣ ॥ ୨୭
ପ୍ରକୋପେ ବଢ଼ିଲା ସଂଗ୍ରାମ । ତାରକାମୟ ଯୁଦ୍ଧନାମ ॥ ୨୮
ତାରାର ଅର୍ଥେ ଯୁଦ୍ଧ ଯେଣୁ । ତାରକାମୟ ନାମ ତେଣୁ ॥ ୨୯
ଏମନ୍ତେ ଘୋର ଯୁଦ୍ଧ କଲେ । ଅନେକ ଦେବାସୁର ମଲେ ॥ ୩୦
ଦେବ ଅସୁର ଘୋରରଣେ । ବ୍ରହ୍ମା ମିଳିଲେ ତତ୍କ୍ଷଣେ ॥ ୩୧
ରଣ ନିବାରି ଚତୁର୍ମାଥ । ମିଳିଲେ ସୋମର ଅଗ୍ରତ ॥ ୩୨
ଅନେକ ଭର୍ତ୍ସନା ସେ କଲେ । ବୃହସ୍ପତିଙ୍କି ତାରା ଦେଲେ ॥ ୩୩
ସେ ଗୁରୁ ତାରାମୁଖ ଚାହିଁ । ବୋଲନ୍ତି ବ୍ରହ୍ମାଙ୍କୁ ଅନାଇଁ ॥ ୩୪
ଭୋ ତାତ ଦେଖ ତୋ' ଅଗ୍ରତେ । ଗର୍ଭ ଏ ଧରିଛି ଗୁପତେ ॥ ୩୫
କେମନ୍ତେ ଛୁଇଁବି ଶରୀର । ଏହାରେ କାର୍ଯ୍ୟ ନାହିଁ ମୋ'ର ॥ ୩୬
କାହାର ବୀର୍ଯ୍ୟ ଗର୍ଭେ ଅଛି । କେମନ୍ତେ ଜାଣିବା ତା' ଲକ୍ଷି ॥ ୩୭
ତାରାର ଗର୍ଭ ଚାହିଁ କୋପେ । ଗୁରୁ ବୋଲନ୍ତି ମନସ୍ତାପେ ॥ ୩୮
ତୁ ମୋତେ ଛୁଇଁବୁ କେମନ୍ତେ । ଭସ୍ମ କରିବି ଆଜ ତୋତେ ॥ ୩୯
ଏମନ୍ତେ ଶୁଣି ସେ ଉତ୍ତର । କମ୍ପଇ ତାରାର ଶରୀର ॥ ୪୦
ତକ୍ଷଣେ ଗର୍ଭ ପ୍ରସବିଲା । ସୁନ୍ଦରେ ଜଗତ ମୋହିଲା ॥ ୪୧
କାନ୍ଦଇ ପଡ଼ି ଭୂମିଗତେ । ଆଶ୍ଚର୍ଯ୍ୟେ ଦେଖନ୍ତି ସମସ୍ତେ ॥ ୪୨
ସୁନ୍ଦର ଦେଖି ତା' ବଦନ । କଳ୍ପିଲା ବୃହସ୍ପତି ମନ ॥ ୪୩
ବୋଲଇ ମୋର ପୁତ୍ର ଏହି । ସୋମ ବୋଲଇ ତାହା ଚାହିଁ ॥ ୪୪
ଦେଖ ଏ ମୋହର କୁମର । ମୋହର ପ୍ରାୟେକ ସୁନ୍ଦର ॥ ୪୫
ଗୁରୁ ବୋଲନ୍ତି ମୋ'ର ସୁତ । ଏମନ୍ତେ ହୋଇଲା ଅନର୍ଥ ॥ ୪୬
ସକଳ ମୁନିଗଣ ତୁଲେ । ତାରାକୁ ବିଶ୍ୱାସେ ପୁଚ୍ଛିଲେ ॥ ୪୭
ତା' ଶୁଣି ଅଧୋମୁଖୀ ହୋଇ । ତାରା ରହିଲା ଲଜ୍ଜା ପାଇ ॥ ୪୮
କୁମର ଭୂମିଗତେ ଥାଇ । ବୋଲେ ଜନନୀ ମୁଖ ଚାହିଁ ॥ ୪୯
ଦୁର୍ବୃତ୍ତପଣ ଏ ତୋହର । କହ ମୁଁ କାହାର କୁମର ॥ ୫୦
ନୋହିଲେ ଶାପ ଦେବି ତୋତେ । ଲଜ୍ଜା ହୋଇଲା ବଡ଼ ମୋତେ ॥ ୫୧
ଏମନ୍ତ ପୁତ୍ରବାକ୍ୟ ଶୁଣି । ତାରାକୁ ରାଇ କୁଶପାଣି ॥ ୫୨
ବୋଲନ୍ତି କୋମଳ ବଚନ । ନିର୍ଭୟ କରି ତାରା ମନ ॥ ୫୩
ଭୋ ମାତ ଲଜ୍ଜା ତୁ ନ କର । କହ ଏ କାହାର କୁମର ॥ ୫୪
ତା' ଶୁଣି ଅଧୋମୁଖୀ ହୋଇ । ବୋଲେ ସୋମର ପୁତ୍ର ଏହି ॥ ୫୫
ତକ୍ଷଣେ ସୋମ କୋଳ କଲା । ବ୍ରହ୍ମା ତାହାକୁ ନାମ ଦେଲା ॥ ୫୬
ବୋଧିଲା ରୂପଗୁଣେ ଯେଣୁ । ନାମ ହୋଇଲା ବୁଧ ତେଣୁ ॥ ୫୭
ସେ ବୁଧ ଇଳାକନ୍ୟା ଗର୍ଭେ । ମୁଁ ତୋତେ କହିଅଛି ପୂର୍ବେ ॥ ୫୮
ପୁରୁରବାକୁ ଜନ୍ମ କଲା । ଯେ କାଳେ ତପୋବନେ ଥିଲା ॥ ୫୯
ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥ ୬୦
ସୁରଭୁବନେ ଏକ ଦିନେ । ଉର୍ବଶୀ ଗନ୍ଧର୍ବ-ଗାୟନେ ॥ ୬୧
ମିତ୍ରାବରୁଣଙ୍କୁ ଲଙ୍ଘିଲା । ସେ ତା'କୁ କୋପେ ଶାପ ଦେଲା ॥ ୬୨
ବୋଇଲା ନରଲୋକେ ଯାଅ । ସ୍ୱର୍ଗ-ଭୁବନେ ତୁ ନ ଥାଅ ॥ ୬୩
ତକ୍ଷଣେ ଅଧୋମୁଖ ହୋଇ । ମିଳିଲା ନରଲୋକେ ଯାଇ ॥ ୬୪
ଗିରି-କନ୍ଦର-ବନେ ବୁଲେ । ସ୍ୱାମୀ ନ ଲଭେ ଆତ୍ମ ତୁଲେ ॥ ୬୫
ଏମନ୍ତେ ଭ୍ରମନ୍ତେ ତରୁଣୀ । ପୁରୁରବାକୁ ଦେଖେ ପୁଣି ॥ ୬୬
କନ୍ଦର୍ପ ପ୍ରାୟ ରୂପରାଶି । ତେଜେ ଗଞ୍ଜଇ ରବିଶଶୀ ॥ ୬୭
ଏମନ୍ତେ ତାହାର ସଙ୍ଗତେ । ଉର୍ବଶୀ ମିଳିଲା ଏକାନ୍ତେ ॥ ୬୮
ଉତ୍ଫୁଲ୍ଲ ହରଷ ଲୋଚନେ । ପୁରୁରବାର ସନ୍ନିଧାନେ ॥ ୬୯
ସେ ରାଜା ତା'ର ମୁଖ ଚାହିଁ । ତକ୍ଷଣେ କାମବଶ ହୋଇ ॥ ୭୦
ଗଭୀର-ବାକ୍ୟେ ତା'କୁ କହେ । ରୋମ-ହରଷ ସର୍ବଦେହେ ॥ ୭୧
ରାଜା ଉବାଚ
ଆସ ସୁନ୍ଦରି ବସ ଏଥେ । ଭଲେ ଅଇଲୁଟିକି ପଥେ ॥ ୭୨
ମିଳିଲୁ ମୋହର ସଙ୍ଗତେ । କହ ମୁଁ କି କରିବି ତୋତେ ॥ ୭୩
ମୋ' ସଙ୍ଗେ ରମ ତୁ ଏକାନ୍ତେ । ସୁନ୍ଦରି ରହି ଦିନାକେତେ ॥ ୭୪
ଉର୍ବଶୀ ବୋଲଇ ତୁରିତେ । ମୋହର ସଧ ଅଛି ତୋତେ ॥ ୭୫
ତୋ' ରୂପ ଦେଖି ହେ ରାଜନ । ଅନଙ୍ଗ ବାଧିଲା ମୋ 'ମନ ॥ ୭୬
ତୁ ମୋ'ର ତୁଲେ ସତ୍ୟକର । ନିଶ୍ଚେଁ ବରିବି ତୋତେ ବର ॥ ୭୭
ଦେଖ ଏ ମେଷପୁତ୍ର ଦୁଇ । ତୁଲେ ଅଛନ୍ତି ବେନିଭାଇ ॥ ୭୮
ଅତ୍ୟନ୍ତ ପ୍ରିୟ ଏ ମୋହର । ଏହାଙ୍କୁ ଯତ୍ନେ ରକ୍ଷାକର ॥ ୭୯
ଉଲଗ୍ନ ନ ଦେଖିବି ତୋତେ । ଘୃତ ଆହାର ମୋ'ର ନିତ୍ୟେ ॥ ୮୦
ଏ ସତ୍ୟ ପ୍ରତିପାଳୁ ଯେବେ । ତୋ' ସଙ୍ଗେ ରମିବଇଁ ତେବେ ॥ ୮୧
ଏମନ୍ତ ତା'ର ମୁଖୁଁ ଶୁଣି । ସତ୍ୟ ଯେ କଲା ନୃପମଣି ॥ ୮୨
ଉର୍ବଶୀରୂପେ ହୋଇ ବଶ । କଲା ସେ ଅନେକ ବିଶ୍ୱାସ ॥ ୮୩
ବିମାନେ ବସି ତା'ର ପାଶେ । ଗିରି-କାନନ-ନାନା ଦେଶେ ॥ ୮୪
ରମିଲା ହରଷିତ ମନେ । ଚଇତ୍ରରଥ ଆଦି ବନେ ॥ ୮୫
ଜଳ ବିହାର ନାନା ଦେଶେ । ପଦ୍ମ କୁମୁଦ ଗନ୍ଧ ବାସେ ॥ ୮୬
ଉର୍ବଶୀ ସଙ୍ଗେ ସଙ୍ଗ କଲା । ରାତ୍ର-ଦିବସ ନ ଜାଣିଲା ॥ ୮୭
ଏବେ ହୋ ଶୁଣ କୁରୁବଂଶୀ । ଇନ୍ଦ୍ର ଯେ ନ ଦେଖି ଉର୍ବଶୀ ॥ ୮୮
ବୋଲେ ଗନ୍ଧର୍ବଗଣ ଚାହିଁ । ଉର୍ବଶୀ ମୋର ଗଲା କାହିଁ ॥ ୮୯
ଗନ୍ଧର୍ବେ ବେନିକର ଯୋଡ଼ି । କହିଲେ ଇନ୍ଦ୍ରପାଦେ ପଡ଼ି ॥ ୯୦
ମିତ୍ରାବରୁଣ ଶାପ ଫଳେ । ଉର୍ବଶୀ ଅଛି ମର୍ତ୍ତ୍ୟପୁରେ ॥ ୯୧
ରମଇ ପୁରୁରବା ତୁଲେ । ତା' ଶୁଣି ପୁରନ୍ଦର ବୋଲେ ॥ ୯୨
ତୁମ୍ଭେ ହୋ ମର୍ତ୍ତ୍ୟପୁରେ ଯାଇ । ଉର୍ବଶୀ ଆଣ ବେଗ ହୋଇ ॥ ୯୩
ସ୍ୱର୍ଗ ନ ଶୋହେ ତା' ବିହୀନେ । ଚନ୍ଦ୍ର ନ ଥିଲେ ରାତ୍ର ଯେହ୍ନେ ॥ ୯୪
ତକ୍ଷଣେ ଇନ୍ଦ୍ରଆଜ୍ଞା ଶିରେ । ଘେନି ଚଳିଲେ ମର୍ତ୍ତ୍ୟପୁରେ ॥ ୯୫
ରାତ୍ରେ ନିବିଡ଼ ଅନ୍ଧକାରେ । ମିଳିଲେ ପୁରୁରବା ପୁରେ ॥ ୯୬
ତକ୍ଷଣେ ଦେବମାୟାବଳେ । ଉର୍ବଶୀ ମେଷ ଚୋରାଇଲେ ॥ ୯୭
ସେ ବେନିମେଷ ଶୂନ୍ୟେ ଯା'ନ୍ତେ । ଉଚ୍ଚେ ରୋଦନ କଲେ ପଥେ ॥ ୯୮
ତା' ଶୁଣି ନିଦ୍ରାଭଙ୍ଗ ହୋଇ । ବିକଳେ ଉର୍ବଶୀ କାନ୍ଦଇ ॥ ୯୯
ବୋଲଇ ଶିରେ କର ଦେଇ । ମୋ' ପୁତ୍ର କେନେଲା ଚୋରାଇ॥ ୧୦୦
ମୁଁ ଏଡ଼େ ହୀନେ ଆଶ୍ରେ କଲି । ଏ ପୁରେ ଅନାଥା ହୋଇଲି ॥ ୧୦୧
ଭୁଲିଲି ନପୁଂସକ ବୋଲେ । ପୁତ୍ରେମୋହର କେଣେ ଗଲେ ॥ ୧୦୨
ଏ ରାଜା ନାରୀଙ୍କର ପ୍ରାୟେ । ଶୋଇଛି ନିଦ୍ରାସୁଖ ମୋହେ ॥ ୧୦୩
ଯେସନେ ନ ଫୁସକ ଶୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୦୪
ଶୁକ ଉବାଚ
ଏମନ୍ତେ ରୋଦନ କରନ୍ତେ । ରାଜାର ଶୟନ ଏକାନ୍ତେ ॥ ୧୦୫
ଉର୍ବଶୀ କଟୁବାକ୍ୟ ଶୁଣି । ନିଦ୍ରା ତେଜିଲା ନୃପମଣି ॥ ୧୦୬
ବ୍ୟଥିତ ଉର୍ବଶୀ ବଚନେ । ଅଙ୍କୁଶେ କୁଞ୍ଜର ଯେସନେ ॥ ୧୦୭
ତକ୍ଷଣେ ଶୟନରୁ ଉଠି । ଖଡ଼ଗ କଲା ଦୃଢ଼ମୁଷ୍ଠି ॥ ୧୦୮
ଉଲଗ୍ନେ ରାଜା ଥିଲା ଶୋଇ । ଅନ୍ଧାରେ ଦେହ ନ ଦିଶଇ ॥ ୧୦୯
ପଥେ ସେ ରେରେକାର ରାବେ । ମେଷକୁ ଛାଡ଼ିଲେ ଗନ୍ଧର୍ବେ ॥ ୧୧୦
ସେ ମେଷ ଘେନି ବାମହସ୍ତେ । ମିଳିଲେ ଉର୍ବଶୀ ଅଗ୍ରତେ ॥ ୧୧୧
ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେ । ବିଜୁଳି ତେଜ ପ୍ରକାଶିଲେ ॥ ୧୧୨
ରାଜା କଟୀରେ ବସ୍ତ୍ର ନାହିଁ । ଉଲଗ୍ନ ଦେଖି କୋପବହି ॥ ୧୧୩
ମେଷକୁ ଦେଖି ରାଜା ହସ୍ତେ । ଉର୍ବଶୀ ଗଲା ଶୂନ୍ୟପଥେ ॥ ୧୧୪
ସେ ରାଜା ମେଷ ଘେନିକରେ । ଆସି ମିଳିଲା ଅନ୍ତଃପୁରେ ॥ ୧୧୫
ବୋଲଇ ନିଅ ତୋ' ନନ୍ଦନ । ନ ଜାଣି କଲୁ ଯେ ରୋଦନ ॥ ୧୧୬
ଶୟନ ସ୍ଥାନେ ସେ ମିଳିଲା । ଖଟେ ଉର୍ବଶୀ ନ ଦେଖିଲା ॥ ୧୧୭
ଦୀପ ଆଣିଲା ତତ୍କ୍ଷଣେ । ଦେଖେ ଉର୍ବଶୀ ଗଲା କେଣେ ॥ ୧୧୮
ନ ଦେଖି ମୋହଗତେ ପଡ଼ି । କାନ୍ଦଇ ହୃଦେ କର ତାଡ଼ି ॥ ୧୧୯
ଉନ୍ମତ୍ତ ପ୍ରାୟେ ମହୀଭ୍ରମେ । ଗିରି-କାନନ-ଦୁର୍ଗ-ଗ୍ରାମେ ॥ ୧୨୦
ଭ୍ରମନ୍ତେ ଅତ୍ୟନ୍ତ ବ୍ୟାକୁଳେ । ଅଦ୍ଭୁତେ କରୁକ୍ଷେତ୍ରେ ମିଳେ ॥ ୧୨୧
ଉର୍ବଶୀ ସଖୀଜନ ମେଳେ । ଦେଖିଲା ସରସ୍ୱତୀ କୂଳେ ॥ ୧୨୨
ରାଜାଙ୍କୁ ଚାହିଁ ଅଧୋମୁଖୀ । ମନେ ହୋଇଲା ମହାଦୁଃଖୀ ॥ ୧୨୩
ରାଜା ଉର୍ବଶୀ ମୁଖ ଚାହିଁ । ବୋଲଇ ସ୍ନେହଭର ହୋଇ ॥ ୧୨୪
ରାଜାଙ୍କୁ ଦେଖି କୋପଭରେ । ଉର୍ବଶୀ ଗଲା କିଛି ଦୂରେ ॥ ୧୨୫
ପଛେ ଗୋଡ଼ାଇ କାମବଶେ । ସେ ରାଜା ବୋଲଇ ବିଶ୍ୱାସେ ॥ ୧୨୬
ରାଜା ଉବାଚ
ହେ ସଖି କ୍ଷଣେ ରହରହ । ନ ଛାଡ଼ ମୋହର ସେନେହ ॥ ୧୨୭
ତୁ ଘୋର କର୍ମ କିପାଁ କରୁ । ଭାବ ଅଭାବ ନବିଚାରୁ ॥ ୧୨୮
ମୋତେ ନ ଛାଡ଼ କୋପମନେ । ମୁଁ ଅଛି ତୋହର ବଚନେ ॥ ୧୨୯
ତୁ ମୋତେ ଦୂର କରି ଗଲେ । ଜୀବନ ଛାଡ଼ିବି ମୁଁ ଭଲେ ॥ ୧୩୦
ତୋ'ର ବିହୁନେ ମୋ' ଶରୀର । ଭକ୍ଷିବେ ଶୃଗାଳ କୁକୁର ॥ ୧୩୧
ଏମନ୍ତେ ରାଜାବାକ୍ୟ ଶୁଣି । ଉର୍ବଶୀ କହେ ମଧୁବାଣୀ ॥ ୧୩୨
ଉର୍ବଶୀ ଉବାଚ
ଭୋ ନାଥ ଶୁଣ ମୋ' ଉତ୍ତର । ସଂସାରେ ସ୍ତିରୀଙ୍କ ବେଭାର ॥ ୧୩୩
ସ୍ୱଭାବେ ଯେବା ଦୁଷ୍ଟା ନାରୀ । ତା'ସଙ୍ଗେ ବିଶ୍ୱାସ ନ କରି ॥ ୧୩୪
ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନର । ଯେସନେ ବିଶ୍ୱାସ-ବେଭାର ॥ ୧୩୫
ସ୍ତିରୀଙ୍କ ଦେହେ ଯେତେ ଗୁଣ । ରାଜନ ସାବଧାନେ ଶୁଣ ॥ ୧୩୬
ନିର୍ଦ୍ଦୟ କପଟ କଠିନ । ସାହସ ଆଦି ଚାରିଗୁଣ ॥ ୧୩୭
ଅଳପ କ୍ରୋଧେ ପ୍ରାଣ ନ୍ୟନ୍ତି । ପତି-ଭ୍ରାତାଙ୍କୁ ନଗଣନ୍ତି ॥ ୧୩୮
ଅଜ୍ଞାନ ଭାବେ ଥା'ନ୍ତି ନିତ୍ୟେ । ବାଞ୍ଛନ୍ତି କାମଭୋଗ ଚିତ୍ତେ ॥ ୧୩୯
ସ୍ୱଭାବେ ନିତ୍ୟେ ହୋନ୍ତି କାମୀ । ଇଚ୍ଛନ୍ତି ନବନବ ସ୍ୱାମୀ ॥ ୧୪୦
ନାରୀଙ୍କ ସ୍ୱଭାବ ଏମନ୍ତ । କିପାଁ ତୁ କରୁ ଦୁଃଖଚିତ୍ତ ॥ ୧୪୧
ଏବେ ତୁ ନିଜ ପୁରେ ଯାଅ । ଅବଶ୍ୟ ଲଭିବି ତୋ' ସ୍ନେହ ॥ ୧୪୨
ଆସିବି ସମ୍ବତ୍ସର ଅନ୍ତେ । ରମିବି ତୋହର ସଙ୍ଗତେ ॥ ୧୪୩
ଋତୁସ୍ନାନାନ୍ତେ ଏକଦିନେ । ରମିବି ତୋ'ର ସନ୍ନିଧାନେ ॥ ୧୪୪
ଅବଶ୍ୟ ହୋଇବ ସନ୍ତତି । ଏବେ ଉପାୟ କର ଚିନ୍ତି ॥ ୧୪୫
ଗନ୍ଧର୍ବଗଣ ପୂଜା କର । ସେ ତୋତେ ତୋଷେ ଦେବେବର ॥ ୧୪୬
ଏହାଙ୍କ ପ୍ରସନ୍ନେ ତୁ ମୋତେ । ପାଇବୁ ବରଷକ ଅନ୍ତେ ॥ ୧୪୭
ଶୁକ ଉବାଚ
ଏମନ୍ତେ ତା'ର ବାକ୍ୟ ଶୁଣି । ଆନନ୍ଦମନେ ନୃପମଣି ॥ ୧୪୮
ଗନ୍ଧର୍ବଗଣେ ପୂଜା କଲା । ଅନେକ ବଳିଭୋଜା ଦେଲା ॥ ୧୪୯
ସ୍ତୁତି କରଇ କରଯୋଡ଼ି । ଚରଣେ ଦଣ୍ତବତେ ପଡ଼ି ॥ ୧୫୦
ତା'ର ଭକତି ଦେଖି ମନେ । ଗନ୍ଧର୍ବେ ପ୍ରସନ୍ନ ବଦନେ ॥ ୧୫୧
ମୃତ୍ତିକାଭାଣ୍ତେ ଅଗ୍ନି ଥୋଇ । ରାଜା ସମୀପେ ଦେଲେ ନେଇ ॥ ୧୫୨
ବୋଇଲେ ଏଥେ ଯଜ୍ଞ କର । ଉର୍ବଶୀ ଆସିବ ତୋହର ॥ ୧୫୩
ଏମନ୍ତେ ଅଗ୍ନିଭାଣ୍ତ ଦେଲେ । ରାଜାର ମନ ତୋଷ କଲେ ॥ ୧୫୪
ଗନ୍ଧର୍ବେ ଉର୍ବଶୀର ତୁଲେ । ତକ୍ଷଣେ ଶୂନ୍ୟମାର୍ଗେ ଗଲେ ॥ ୧୫୫
ସେ ରାଜା ଅଗ୍ନିଭାଣ୍ତ ଘେନି । ଗନ୍ଧର୍ବଗଣ ବାକ୍ୟ ମାନି ॥ ୧୫୬
ରାତ୍ରେ ବୁଲନ୍ତେ ବୃକ୍ଷମୂଳେ । ଥୋଇଲେ ନିଶା ଅନ୍ତଃକାଳେ ॥ ୧୫୭
ଅଗ୍ନିକି ବୃକ୍ଷମୂଳେ ଥୋଇ । ମିଳିଲା ନିଜପୁରେ ଯାଇ ॥ ୧୫୮
ରହିଲା ପ୍ରଜାଜନ ହିତେ । ଏମନ୍ତେ ଗଲା ଦିନା କେତେ ॥ ୧୫୯
ଉର୍ବଶୀ ବାକ୍ୟେ ମନଦେଇ । ନିଶ୍ଚଳେ ମନ ନ ରହଇ ॥ ୧୬୦
ଏମନ୍ତେ ସତ୍ୟଯୁଗ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୬୧
ତ୍ରେତୟା ଯୁଗ ପ୍ରବେଶନେ । ରାଜା ଉର୍ବଶୀ ସ୍ମରି ମନେ ॥ ୧୬୨
ଅଗ୍ନି ଉେଶ୍ୟ ଦିନେ ଗଲା । ବନେ ଅନଳ ନ ଦେଖିଲା ॥ ୧୬୩
ଯେ ବୃକ୍ଷ ମୂଳେ ଥୋଇଗଲା । ସେ ବୃକ୍ଷ ଅଶ୍ୱତ୍ଥ ହୋଇଲା ॥ ୧୬୪
ଅଶ୍ୱତ୍ଥ ବୃକ୍ଷ ଶମୀ ବୃକ୍ଷେ । ରାଜନ ଦେଖିଲା ପ୍ରତ୍ୟକ୍ଷେ ॥ ୧୬୫
ସେ ବୃକ୍ଷ କାଷ୍ଠ ଗୃହେ ଆଣି । ସଞ୍ଚିଲା ଯଜ୍ଞର ଅରଣି ॥ ୧୬୬
ଅରଣି ମନ୍ଥନ ସେ କରି । ନିଗମ-ମନ୍ତ୍ରକୁ ଉଚ୍ଚାରି ॥ ୧୬୭
ଉର୍ବଶୀ ଧ୍ୟାନ କରି ମନେ । ଆହୁତି ଦେଲା ହୁତାଶନେ ॥ ୧୬୮
ଉର୍ବଶୀ ଯଜ୍ଞବଳେ ଆସି । ରାଜା ସଦନେ ମିଳେ ନିଶି ॥ ୧୬୯
ଯଜ୍ଞପୁରୁଷ ପରସନେ । ଉର୍ବଶୀ ମିଳେ ତା' ଭୁବନେ ॥ ୧୭୦
ଉର୍ବଶୀ ପୁରୁରବା ସଙ୍ଗେ । ପୁତ୍ରେ ଜନ୍ମିଲେ ରତିରଙ୍ଗେ ॥ ୧୭୧
ଅଗ୍ନିର ବର୍ଣ୍ଣପ୍ରାୟ ହୋଇ । ଜନ୍ମ ଲଭିଲେ ଷଡ଼ଭାଇ ॥ ୧୭୨
ରାଜା ବଞ୍ଚିଲେ ମନସୁଖେ । ନିଶ୍ଚିନ୍ତେ ତ୍ରେତାଯୁଗ ମୁଖେ ॥ ୧୭୩
ଆୟୁଷ ଅନ୍ତେ ପୁରୁରବା । ଅନଳ ପ୍ରାୟ ହୋଇ ପ୍ରଭା ॥ ୧୭୪
ଉର୍ବଶୀ ଧ୍ୟାନେ ମନ ଥିଲା । ଗନ୍ଧର୍ବ ଲୋକେ ସେ ମିଳିଲା ॥ ୧୭୫
ସୁଜନ ଜନଙ୍କର ହିତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୭୬
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁର୍ଦ୍ଦଶୋଽଧ୍ୟାୟଃ ॥
* * *