ନବମ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ସୋମବଂଶ ଶୁଣ । ଯେବେ ତରିବ ତିନିଗୁଣ ॥

ସେ ବଂଶେ ପୁରୁରବା ଆଦି । ଯେ ଭାବେ ଯେ ଅବା ସମ୍ପାଦି ॥

ଯଶ ରହିଲା ମହୀତଳେ । ସର୍ବେ ଚଳିଲେ କାଳବଳେ ॥

ସହସ୍ରଶିର ଯେ ଅନନ୍ତ । ତା' ନାଭିପଦୁଁ ବ୍ରହ୍ମାଜାତ ॥

ସୃଷ୍ଟିର ଅର୍ଥେ ସପ୍ତପୁତ୍ରେ । ଜନ୍ମ ହୋଇଲେ ବ୍ରହ୍ମାଗାତ୍ରେ ॥

ମରୀଚି ଆଦି ସପ୍ତଋଷି । ଧ୍ରୁବମଣ୍ତŠଳ ରଥେ ବସି ॥

ଭ୍ରମନ୍ତି ଧ୍ରୁବଚକ୍ର-ବଳେ । ଉତ୍ତର-ଆକାଶ-ମଣ୍ତŠଳେ ॥

ତାହାଙ୍କ ମଧ୍ୟେ ଅତ୍ରିମୁନି । ତପ କରନ୍ତି ଯୋଗ ଘେନି ॥

ଧ୍ୟାନ କରନ୍ତେ ଯୋଗବଳେ । ତା'ଙ୍କ ଲୋଚନ ଅଶ୍ରୁଜଳେ ॥

ପୁରୁଷେ ହୋଇଲା ପ୍ରକାଶ । ତେଜେ ଗଞ୍ଜିଲା ଦଶଦିଶ ॥ ୧୦

ଅମୃତମୟ ମନୋରମ । ତାହାର ନାମ ଦେଲେ ସୋମ ॥ ୧୧

ବିପ୍ର-ଔଷଧି-ଉଡ଼ୁଗଣେ । ବ୍ରହ୍ମା ସ୍ଥାପିଲେ ରାଜାପଣେ ॥ ୧୨

ସେ ସୋମ ରାଜସୂୟ କରି । ତିନି ଭୁବନେ ଅଧିକାରୀ ॥ ୧୩

ବଳେ ଜିଣିଲା ତିନିପୁର । ଏବେ ହୋ ଶୁଣ ନୃପବର ॥ ୧୪

ସୁନ୍ଦର ରୂପେ ମତ୍ତଗର୍ବେ । ନିରତେ ଭ୍ରମେ ସେ ସ୍ୱଭାବେ ॥ ୧୫

ଏମନ୍ତେ ବୃହସ୍ପତି ନାରୀ । ଗଙ୍ଗାର ଜଳେ ସ୍ନାନ କରି ॥ ୧୬

ରୂପେ ସୁନ୍ଦରୀ ମନୋହରା । ସ୍ୱବଭାବେ ନାମ ତା'ର ତାରା ॥ ୧୭

ତାହାର ରୂପଗୁଣ ଚାହିଁ । ଅନଙ୍ଗବାଣେ ମୋହ ଯାଇ ॥ ୧୮

ସ୍ୱଭାବେ ଋତୁସ୍ନାନ କାଳେ । ସୋମ ହରିଲା ତା'କୁ ବଳେ ॥ ୧୯

ସେ କଥା ଶୁଣି ବୃହଷ୍ପତି । ପତ୍ନୀ ହରଣେ ଦୁଃଖମତି ॥ ୨୦

ସୋମର ଦ୍ୱାରେ ରାତ୍ରେ ଗଲେ । ଅନେକ ପ୍ରକାରେ ମାଗିଲେ ॥ ୨୧

କେବେ ହେଁ ତାରାକୁ ନ ଦେଲା । ଅନେକ ଅପମାନ କଲା ॥ ୨୨

ସେ ଗୁରୁ ଦେବ ମଧ୍ୟେ ଆସି । ଇନ୍ଦ୍ରଙ୍କୁ କହିଲେ ବିଶେଷି ॥ ୨୩

ଇନ୍ଦ୍ରର ତୁଲେ ଦେବବଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୨୪

ଏ କଥା ଶୁଣି ଶୁକ୍ରବାଦେ । ମିଳିଲା ଅସୁରଙ୍କ ମଧ୍ୟେ ॥ ୨୫

ଅସୁରବଳ ସଙ୍ଗ କରି । ଧାଇଁଲେ ସୋମପକ୍ଷ ଧରି ॥ ୨୬

ଇନ୍ଦ୍ରର ତୁଲେ ଦେବଗଣ । ଏମନ୍ତେ ଦେବାସୁର ରଣ ॥ ୨୭

ପ୍ରକୋପେ ବଢ଼ିଲା ସଂଗ୍ରାମ । ତାରକାମୟ ଯୁଦ୍ଧନାମ ॥ ୨୮

ତାରାର ଅର୍ଥେ ଯୁଦ୍ଧ ଯେଣୁ । ତାରକାମୟ ନାମ ତେଣୁ ॥ ୨୯

ଏମନ୍ତେ ଘୋର ଯୁଦ୍ଧ କଲେ । ଅନେକ ଦେବାସୁର ମଲେ ॥ ୩୦

ଦେବ ଅସୁର ଘୋରରଣେ । ବ୍ରହ୍ମା ମିଳିଲେ ତତ୍‌କ୍ଷଣେ ॥ ୩୧

ରଣ ନିବାରି ଚତୁର୍ମାଥ । ମିଳିଲେ ସୋମର ଅଗ୍ରତ ॥ ୩୨

ଅନେକ ଭ›ର୍ତ୍ସନା ସେ କଲେ । ବୃହସ୍ପତିଙ୍କି ତାରା ଦେଲେ ॥ ୩୩

ସେ ଗୁରୁ ତାରାମୁଖ ଚାହିଁ । ବୋଲନ୍ତି ବ୍ରହ୍ମାଙ୍କୁ ଅନାଇଁ ॥ ୩୪

ଭୋ ତାତ ଦେଖ ତୋ' ଅଗ୍ରତେ । ଗର୍ଭ ଏ ଧରିଛି ଗୁପତେ ॥ ୩୫

କେମନ୍ତେ ଛୁଇଁବି ଶରୀର । ଏହାରେ କାର୍ଯ୍ୟ ନାହିଁ ମୋ'ର ॥ ୩୬

କାହାର ବୀର୍ଯ୍ୟ ଗର୍ଭେ ଅଛି । କେମନ୍ତେ ଜାଣିବା ତା' ଲକ୍ଷି ॥ ୩୭

ତାରାର ଗର୍ଭ ଚାହିଁ କୋପେ । ଗୁରୁ ବୋଲନ୍ତି ମନସ୍ତାପେ ॥ ୩୮

ତୁ ମୋତେ ଛୁଇଁବୁ କେମନ୍ତେ । ଭସ୍ମ କରିବି ଆଜ ତୋତେ ॥ ୩୯

ଏମନ୍ତେ ଶୁଣି ସେ ଉତ୍ତର । କମ୍ପଇ ତାରାର ଶରୀର ॥ ୪୦

ତକ୍ଷଣେ ଗର୍ଭ ପ୍ରସବିଲା । ସୁନ୍ଦରେ ଜଗତ ମୋହିଲା ॥ ୪୧

କାନ୍ଦଇ ପଡ଼ି ଭୂମିଗତେ । ଆଶ୍ଚର୍ଯ୍ୟେ ଦେଖନ୍ତି ସମସ୍ତେ ॥ ୪୨

ସୁନ୍ଦର ଦେଖି ତା' ବଦନ । କଳ୍ପିଲା ବୃହସ୍ପତି ମନ ॥ ୪୩

ବୋଲଇ ମୋର ପୁତ୍ର ଏହି । ସୋମ ବୋଲଇ ତାହା ଚାହିଁ ॥ ୪୪

ଦେଖ ଏ ମୋହର କୁମର । ମୋହର ପ୍ରାୟେକ ସୁନ୍ଦର ॥ ୪୫

ଗୁରୁ ବୋଲନ୍ତି ମୋ'ର ସୁତ । ଏମନ୍ତେ ହୋଇଲା ଅନର୍ଥ ॥ ୪୬

ସକଳ ମୁନିଗଣ ତୁଲେ । ତାରାକୁ ବିଶ୍ୱାସେ ପୁଚ୍ଛିଲେ ॥ ୪୭

ତା' ଶୁଣି ଅଧୋମୁଖୀ ହୋଇ । ତାରା ରହିଲା ଲଜ୍ଜା ପାଇ ॥ ୪୮

କୁମର ଭୂମିଗତେ ଥାଇ । ବୋଲେ ଜନନୀ ମୁଖ ଚାହିଁ ॥ ୪୯

ଦୁର୍ବୃତ୍ତପଣ ଏ ତୋହର । କହ ମୁଁ କାହାର କୁମର ॥ ୫୦

ନୋହିଲେ ଶାପ ଦେବି ତୋତେ । ଲଜ୍ଜା ହୋଇଲା ବଡ଼ ମୋତେ ॥ ୫୧

ଏମନ୍ତ ପୁତ୍ରବାକ୍ୟ ଶୁଣି । ତାରାକୁ ରାଇ କୁଶପାଣି ॥ ୫୨

ବୋଲନ୍ତି କୋମଳ ବଚନ । ନିର୍ଭୟ କରି ତାରା ମନ ॥ ୫୩

ଭୋ ମାତ ଲଜ୍ଜା ତୁ ନ କର । କହ ଏ କାହାର କୁମର ॥ ୫୪

ତା' ଶୁଣି ଅଧୋମୁଖୀ ହୋଇ । ବୋଲେ ସୋମର ପୁତ୍ର ଏହି ॥ ୫୫

ତକ୍ଷଣେ ସୋମ କୋଳ କଲା । ବ୍ରହ୍ମା ତାହାକୁ ନାମ ଦେଲା ॥ ୫୬

ବୋଧିଲା ରୂପଗୁଣେ ଯେଣୁ । ନାମ ହୋଇଲା ବୁଧ ତେଣୁ ॥ ୫୭

ସେ ବୁଧ ଇଳାକନ୍ୟା ଗର୍ଭେ । ମୁଁ ତୋତେ କହିଅଛି ପୂର୍ବେ ॥ ୫୮

ପୁରୁରବାକୁ ଜନ୍ମ କଲା । ଯେ କାଳେ ତପୋବନେ ଥିଲା ॥ ୫୯

ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥ ୬୦

ସୁରଭୁବନେ ଏକ ଦିନେ । ଉର୍ବଶୀ ଗନ୍ଧର୍ବ-ଗାୟନେ ॥ ୬୧

ମିତ୍ରାବରୁଣଙ୍କୁ ଲଙ୍ଘିଲା । ସେ ତା'କୁ କୋପେ ଶାପ ଦେଲା ॥ ୬୨

ବୋଇଲା ନରଲୋକେ ଯାଅ । ସ୍ୱର୍ଗ-ଭୁବନେ ତୁ ନ ଥାଅ ॥ ୬୩

ତକ୍ଷଣେ ଅଧୋମୁଖ ହୋଇ । ମିଳିଲା ନରଲୋକେ ଯାଇ ॥ ୬୪

ଗିରି-କନ୍ଦର-ବନେ ବୁଲେ । ସ୍ୱାମୀ ନ ଲଭେ ଆତ୍ମ ତୁଲେ ॥ ୬୫

ଏମନ୍ତେ ଭ୍ରମନ୍ତେ ତରୁଣୀ । ପୁରୁରବାକୁ ଦେଖେ ପୁଣି ॥ ୬୬

କନ୍ଦର୍ପ ପ୍ରାୟ ରୂପରାଶି । ତେଜେ ଗଞ୍ଜଇ ରବିଶଶୀ ॥ ୬୭

ଏମନ୍ତେ ତାହାର ସଙ୍ଗତେ । ଉର୍ବଶୀ ମିଳିଲା ଏକାନ୍ତେ ॥ ୬୮

ଉତ୍‌ଫୁଲ୍ଲ ହରଷ ଲୋଚନେ । ପୁରୁରବାର ସନ୍ନିଧାନେ ॥ ୬୯

ସେ ରାଜା ତା'ର ମୁଖ ଚାହିଁ । ତକ୍ଷଣେ କାମବଶ ହୋଇ ॥ ୭୦

ଗଭୀର-ବାକ୍ୟେ ତା'କୁ କହେ । ରୋମ-ହରଷ ସର୍ବଦେହେ ॥ ୭୧

ରାଜା ଉବାଚ

ଆସ ସୁନ୍ଦରି ବସ ଏଥେ । ଭଲେ ଅଇଲୁଟିକି ପଥେ ॥ ୭୨

ମିଳିଲୁ ମୋହର ସଙ୍ଗତେ । କହ ମୁଁ କି କରିବି ତୋତେ ॥ ୭୩

ମୋ' ସଙ୍ଗେ ରମ ତୁ ଏକାନ୍ତେ । ସୁନ୍ଦରି ରହି ଦିନାକେତେ ॥ ୭୪

ଉର୍ବଶୀ ବୋଲଇ ତୁରିତେ । ମୋହର ସଧ ଅଛି ତୋତେ ॥ ୭୫

ତୋ' ରୂପ ଦେଖି ହେ ରାଜନ । ଅନଙ୍ଗ ବାଧିଲା ମୋ 'ମନ ॥ ୭୬

ତୁ ମୋ'ର ତୁଲେ ସତ୍ୟକର । ନିଶ୍ଚେଁ ବରିବି ତୋତେ ବର ॥ ୭୭

ଦେଖ ଏ ମେଷପୁତ୍ର ଦୁଇ । ତୁଲେ ଅଛନ୍ତି ବେନିଭାଇ ॥ ୭୮

ଅତ୍ୟନ୍ତ ପ୍ରିୟ ଏ ମୋହର । ଏହାଙ୍କୁ ଯତ୍ନେ ରକ୍ଷାକର ॥ ୭୯

ଉଲଗ୍ନ ନ ଦେଖିବି ତୋତେ । ଘୃତ ଆହାର ମୋ'ର ନିତ୍ୟେ ॥ ୮୦

ଏ ସତ୍ୟ ପ୍ରତିପାଳୁ ଯେବେ । ତୋ' ସଙ୍ଗେ ରମିବଇଁ ତେବେ ॥ ୮୧

ଏମନ୍ତ ତା'ର ମୁଖୁଁ ଶୁଣି । ସତ୍ୟ ଯେ କଲା ନୃପମଣି ॥ ୮୨

ଉର୍ବଶୀରୂପେ ହୋଇ ବଶ । କଲା ସେ ଅନେକ ବିଶ୍ୱାସ ॥ ୮୩

ବିମାନେ ବସି ତା'ର ପାଶେ । ଗିରି-କାନନ-ନାନା ଦେଶେ ॥ ୮୪

ରମିଲା ହରଷିତ ମନେ । ଚଇତ୍ରରଥ ଆଦି ବନେ ॥ ୮୫

ଜଳ ବିହାର ନାନା ଦେଶେ । ପଦ୍ମ କୁମୁଦ ଗନ୍ଧ ବାସେ ॥ ୮୬

ଉର୍ବଶୀ ସଙ୍ଗେ ସଙ୍ଗ କଲା । ରାତ୍ର-ଦିବସ ନ ଜାଣିଲା ॥ ୮୭

ଏବେ ହୋ ଶୁଣ କୁରୁବଂଶୀ । ଇନ୍ଦ୍ର ଯେ ନ ଦେଖି ଉର୍ବଶୀ ॥ ୮୮

ବୋଲେ ଗନ୍ଧର୍ବଗଣ ଚାହିଁ । ଉର୍ବଶୀ ମୋର ଗଲା କାହିଁ ॥ ୮୯

ଗନ୍ଧର୍ବେ ବେନିକର ଯୋଡ଼ି । କହିଲେ ଇନ୍ଦ୍ରପାଦେ ପଡ଼ି ॥ ୯୦

ମିତ୍ରାବରୁଣ ଶାପ ଫଳେ । ଉର୍ବଶୀ ଅଛି ମର୍ତ୍ତ୍ୟପୁରେ ॥ ୯୧

ରମଇ ପୁରୁରବା ତୁଲେ । ତା' ଶୁଣି ପୁରନ୍ଦର ବୋଲେ ॥ ୯୨

ତୁମ୍ଭେ ହୋ ମର୍ତ୍ତ୍ୟପୁରେ ଯାଇ । ଉର୍ବଶୀ ଆଣ ବେଗ ହୋଇ ॥ ୯୩

ସ୍ୱର୍ଗ ନ ଶୋହେ ତା' ବିହୀନେ । ଚନ୍ଦ୍ର ନ ଥିଲେ ରାତ୍ର ଯେହ୍ନେ ॥ ୯୪

ତକ୍ଷଣେ ଇନ୍ଦ୍ରଆଜ୍ଞା ଶିରେ । ଘେନି ଚଳିଲେ ମର୍ତ୍ତ୍ୟପୁରେ ॥ ୯୫

ରାତ୍ରେ ନିବିଡ଼ ଅନ୍ଧକାରେ । ମିଳିଲେ ପୁରୁରବା ପୁରେ ॥ ୯୬

ତକ୍ଷଣେ ଦେବମାୟାବଳେ । ଉର୍ବଶୀ ମେଷ ଚୋରାଇଲେ ॥ ୯୭

ସେ ବେନିମେଷ ଶୂନ୍ୟେ ଯା'ନ୍ତେ । ଉଚ୍ଚେ ରୋଦନ କଲେ ପଥେ ॥ ୯୮

ତା' ଶୁଣି ନିଦ୍ରାଭଙ୍ଗ ହୋଇ । ବିକଳେ ଉର୍ବଶୀ କାନ୍ଦଇ ॥ ୯୯

ବୋଲଇ ଶିରେ କର ଦେଇ । ମୋ' ପୁତ୍ର କେନେଲା ଚୋରାଇ॥ ୧୦୦

ମୁଁ ଏଡ଼େ ହୀନେ ଆଶ୍ରେ କଲି । ଏ ପୁରେ ଅନାଥା ହୋଇଲି ॥ ୧୦୧

ଭୁଲିଲି ନପୁଂସକ ବୋଲେ । ପୁତ୍ରେମୋହର କେଣେ ଗଲେ ॥ ୧୦୨

ଏ ରାଜା ନାରୀଙ୍କର ପ୍ରାୟେ । ଶୋଇଛି ନିଦ୍ରାସୁଖ ମୋହେ ॥ ୧୦୩

ଯେସନେ ନ ଫୁସକ ଶୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୦୪

ଶୁକ ଉବାଚ

ଏମନ୍ତେ ରୋଦନ କରନ୍ତେ । ରାଜାର ଶୟନ ଏକାନ୍ତେ ॥ ୧୦୫

ଉର୍ବଶୀ କଟୁବାକ୍ୟ ଶୁଣି । ନିଦ୍ରା ତେଜିଲା ନୃପମଣି ॥ ୧୦୬

ବ୍ୟଥିତ ଉର୍ବଶୀ ବଚନେ । ଅଙ୍କୁଶେ କୁଞ୍ଜର ଯେସନେ ॥ ୧୦୭

ତକ୍ଷଣେ ଶୟନରୁ ଉଠି । ଖଡ଼ଗ କଲା ଦୃଢ଼ମୁଷ୍ଠି ॥ ୧୦୮

ଉଲଗ୍ନେ ରାଜା ଥିଲା ଶୋଇ । ଅନ୍ଧାରେ ଦେହ ନ ଦିଶଇ ॥ ୧୦୯

ପଥେ ସେ ରେରେକାର ରାବେ । ମେଷକୁ ଛାଡ଼ିଲେ ଗନ୍ଧର୍ବେ ॥ ୧୧୦

ସେ ମେଷ ଘେନି ବାମହସ୍ତେ । ମିଳିଲେ ଉର୍ବଶୀ ଅଗ୍ରତେ ॥ ୧୧୧

ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେ । ବିଜୁଳି ତେଜ ପ୍ରକାଶିଲେ ॥ ୧୧୨

ରାଜା କଟୀରେ ବସ୍ତ୍ର ନାହିଁ । ଉଲଗ୍ନ ଦେଖି କୋପବହି ॥ ୧୧୩

ମେଷକୁ ଦେଖି ରାଜା ହସ୍ତେ । ଉର୍ବଶୀ ଗଲା ଶୂନ୍ୟପଥେ ॥ ୧୧୪

ସେ ରାଜା ମେଷ ଘେନିକରେ । ଆସି ମିଳିଲା ଅନ୍ତଃପୁରେ ॥ ୧୧୫

ବୋଲଇ ନିଅ ତୋ' ନନ୍ଦନ । ନ ଜାଣି କଲୁ ଯେ ରୋଦନ ॥ ୧୧୬

ଶୟନ ସ୍ଥାନେ ସେ ମିଳିଲା । ଖଟେ ଉର୍ବଶୀ ନ ଦେଖିଲା ॥ ୧୧୭

ଦୀପ ଆଣିଲା ତତ୍‌କ୍ଷଣେ । ଦେଖେ ଉର୍ବଶୀ ଗଲା କେଣେ ॥ ୧୧୮

ନ ଦେଖି ମୋହଗତେ ପଡ଼ି । କାନ୍ଦଇ ହୃଦେ କର ତାଡ଼ି ॥ ୧୧୯

ଉନ୍ମତ୍ତ ପ୍ରାୟେ ମହୀଭ୍ରମେ । ଗିରି-କାନନ-ଦୁର୍ଗ-ଗ୍ରାମେ ॥ ୧୨୦

ଭ୍ରମନ୍ତେ ଅତ୍ୟନ୍ତ ବ୍ୟାକୁଳେ । ଅଦ୍ଭୁତେ କରୁକ୍ଷେତ୍ରେ ମିଳେ ॥ ୧୨୧

ଉର୍ବଶୀ ସଖୀଜନ ମେଳେ । ଦେଖିଲା ସରସ୍ୱତୀ କୂଳେ ॥ ୧୨୨

ରାଜାଙ୍କୁ ଚାହିଁ ଅଧୋମୁଖୀ । ମନେ ହୋଇଲା ମହାଦୁଃଖୀ ॥ ୧୨୩

ରାଜା ଉର୍ବଶୀ ମୁଖ ଚାହିଁ । ବୋଲଇ ସ୍ନେହଭର ହୋଇ ॥ ୧୨୪

ରାଜାଙ୍କୁ ଦେଖି କୋପଭରେ । ଉର୍ବଶୀ ଗଲା କିଛି ଦୂରେ ॥ ୧୨୫

ପଛେ ଗୋଡ଼ାଇ କାମବଶେ । ସେ ରାଜା ବୋଲଇ ବିଶ୍ୱାସେ ॥ ୧୨୬

ରାଜା ଉବାଚ

ହେ ସଖି କ୍ଷଣେ ରହରହ । ନ ଛାଡ଼ ମୋହର ସେନେହ ॥ ୧୨୭

ତୁ ଘୋର କର୍ମ କିପାଁ କରୁ । ଭାବ ଅଭାବ ନବିଚାରୁ ॥ ୧୨୮

ମୋତେ ନ ଛାଡ଼ କୋପମନେ । ମୁଁ ଅଛି ତୋହର ବଚନେ ॥ ୧୨୯

ତୁ ମୋତେ ଦୂର କରି ଗଲେ । ଜୀବନ ଛାଡ଼ିବି ମୁଁ ଭଲେ ॥ ୧୩୦

ତୋ'ର ବିହୁନେ ମୋ' ଶରୀର । ଭକ୍ଷିବେ ଶୃଗାଳ କୁକୁର ॥ ୧୩୧

ଏମନ୍ତେ ରାଜାବାକ୍ୟ ଶୁଣି । ଉର୍ବଶୀ କହେ ମଧୁବାଣୀ ॥ ୧୩୨

ଉର୍ବଶୀ ଉବାଚ

ଭୋ ନାଥ ଶୁଣ ମୋ' ଉତ୍ତର । ସଂସାରେ ସ୍ତିରୀଙ୍କ ବେଭାର ॥ ୧୩୩

ସ୍ୱଭାବେ ଯେବା ଦୁଷ୍ଟା ନାରୀ । ତା'ସଙ୍ଗେ ବିଶ୍ୱାସ ନ କରି ॥ ୧୩୪

ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନର । ଯେସନେ ବିଶ୍ୱାସ-ବେଭାର ॥ ୧୩୫

ସ୍ତିରୀଙ୍କ ଦେହେ ଯେତେ ଗୁଣ । ରାଜନ ସାବଧାନେ ଶୁଣ ॥ ୧୩୬

ନିŸର୍ଦ୍ଦୟ କପଟ କଠିନ । ସାହସ ଆଦି ଚାରିଗୁଣ ॥ ୧୩୭

ଅଳପ କ୍ରୋଧେ ପ୍ରାଣ ନ୍ୟନ୍ତି । ପତି-ଭ୍ରାତାଙ୍କୁ ନଗଣନ୍ତି ॥ ୧୩୮

ଅଜ୍ଞାନ ଭାବେ ଥା'ନ୍ତି ନିତ୍ୟେ । ବା‚ଞ୍ଛନ୍ତି କାମଭୋଗ ଚିତ୍ତେ ॥ ୧୩୯

ସ୍ୱଭାବେ ନିତ୍ୟେ ହୋନ୍ତି କାମୀ । ଇଚ୍ଛନ୍ତି ନବନବ ସ୍ୱାମୀ ॥ ୧୪୦

ନାରୀଙ୍କ ସ୍ୱଭାବ ଏମନ୍ତ । କିପାଁ ତୁ କରୁ ଦୁଃଖଚିତ୍ତ ॥ ୧୪୧

ଏବେ ତୁ ନିଜ ପୁରେ ଯାଅ । ଅବଶ୍ୟ ଲଭିବି ତୋ' ସ୍ନେହ ॥ ୧୪୨

ଆସିବି ସମ୍ବ›ତ୍ସର ଅନ୍ତେ । ରମିବି ତୋହର ସଙ୍ଗତେ ॥ ୧୪୩

ଋତୁସ୍ନାନାନ୍ତେ ଏକଦିନେ । ରମିବି ତୋ'ର ସନ୍ନିଧାନେ ॥ ୧୪୪

ଅବଶ୍ୟ ହୋଇବ ସନ୍ତତି । ଏବେ ଉପାୟ କର ଚିନ୍ତି ॥ ୧୪୫

ଗନ୍ଧର୍ବଗଣ ପୂଜା କର । ସେ ତୋତେ ତୋଷେ ଦେବେବର ॥ ୧୪୬

ଏହାଙ୍କ ପ୍ରସନ୍ନେ ତୁ ମୋତେ । ପାଇବୁ ବରଷକ ଅନ୍ତେ ॥ ୧୪୭

ଶୁକ ଉବାଚ

ଏମନ୍ତେ ତା'ର ବାକ୍ୟ ଶୁଣି । ଆନନ୍ଦମନେ ନୃପମଣି ॥ ୧୪୮

ଗନ୍ଧର୍ବଗଣେ ପୂଜା କଲା । ଅନେକ ବଳିଭୋଜା ଦେଲା ॥ ୧୪୯

ସ୍ତୁତି କରଇ କରଯୋଡ଼ି । ଚରଣେ ଦଣ୍ତŠବତେ ପଡ଼ି ॥ ୧୫୦

ତା'ର ଭକତି ଦେଖି ମନେ । ଗନ୍ଧର୍ବେ ପ୍ରସନ୍ନ ବଦନେ ॥ ୧୫୧

ମୃତ୍ତିକାଭାଣ୍ତେ ଅଗ୍ନି ଥୋଇ । ରାଜା ସମୀପେ ଦେଲେ ନେଇ ॥ ୧୫୨

ବୋଇଲେ ଏଥେ ଯଜ୍ଞ କର । ଉର୍ବଶୀ ଆସିବ ତୋହର ॥ ୧୫୩

ଏମନ୍ତେ ଅଗ୍ନିଭାଣ୍ତŠ ଦେଲେ । ରାଜାର ମନ ତୋଷ କଲେ ॥ ୧୫୪

ଗନ୍ଧର୍ବେ ଉର୍ବଶୀର ତୁଲେ । ତକ୍ଷଣେ ଶୂନ୍ୟମାର୍ଗେ ଗଲେ ॥ ୧୫୫

ସେ ରାଜା ଅଗ୍ନିଭାଣ୍ତŠ ଘେନି । ଗନ୍ଧର୍ବଗଣ ବାକ୍ୟ ମାନି ॥ ୧୫୬

ରାତ୍ରେ ବୁଲନ୍ତେ ବୃକ୍ଷମୂଳେ । ଥୋଇଲେ ନିଶା ଅନ୍ତଃକାଳେ ॥ ୧୫୭

ଅଗ୍ନିକି ବୃକ୍ଷମୂଳେ ଥୋଇ । ମିଳିଲା ନିଜପୁରେ ଯାଇ ॥ ୧୫୮

ରହିଲା ପ୍ରଜାଜନ ହିତେ । ଏମନ୍ତେ ଗଲା ଦିନା କେତେ ॥ ୧୫୯

ଉର୍ବଶୀ ବାକ୍ୟେ ମନଦେଇ । ନିଶ୍ଚଳେ ମନ ନ ରହଇ ॥ ୧୬୦

ଏମନ୍ତେ ସତ୍ୟଯୁଗ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୬୧

ତ୍ରେତୟା ଯୁଗ ପ୍ରବେଶନେ । ରାଜା ଉର୍ବଶୀ ସ୍ମରି ମନେ ॥ ୧୬୨

ଅଗ୍ନି ଉେŸଶ୍ୟ ଦିନେ ଗଲା । ବନେ ଅନଳ ନ ଦେଖିଲା ॥ ୧୬୩

ଯେ ବୃକ୍ଷ ମୂଳେ ଥୋଇଗଲା । ସେ ବୃକ୍ଷ ଅଶ୍ୱତ୍ଥ ହୋଇଲା ॥ ୧୬୪

ଅଶ୍ୱତ୍ଥ ବୃକ୍ଷ ଶମୀ ବୃକ୍ଷେ । ରାଜନ ଦେଖିଲା ପ୍ରତ୍ୟକ୍ଷେ ॥ ୧୬୫

ସେ ବୃକ୍ଷ କାଷ୍ଠ ଗୃହେ ଆଣି । ସଞ୍ଚିଲା ଯଜ୍ଞର ଅରଣି ॥ ୧୬୬

ଅରଣି ମନ୍ଥନ ସେ କରି । ନିଗମ-ମନ୍ତ୍ରକୁ ଉଚ୍ଚାରି ॥ ୧୬୭

ଉର୍ବଶୀ ଧ୍ୟାନ କରି ମନେ । ଆହୁତି ଦେଲା ହୁତାଶନେ ॥ ୧୬୮

ଉର୍ବଶୀ ଯଜ୍ଞବଳେ ଆସି । ରାଜା ସଦନେ ମିଳେ ନିଶି ॥ ୧୬୯

ଯଜ୍ଞପୁରୁଷ ପରସନେ । ଉର୍ବଶୀ ମିଳେ ତା' ଭୁବନେ ॥ ୧୭୦

ଉର୍ବଶୀ ପୁରୁରବା ସଙ୍ଗେ । ପୁତ୍ରେ ଜନ୍ମିଲେ ରତିରଙ୍ଗେ ॥ ୧୭୧

ଅଗ୍ନିର ବ‰ର୍ଣ୍ଣପ୍ରାୟ ହୋଇ । ଜନ୍ମ ଲଭିଲେ ଷଡ଼ଭାଇ ॥ ୧୭୨

ରାଜା ବଞ୍ଚିଲେ ମନସୁଖେ । ନିଶ୍ଚିନ୍ତେ ତ୍ରେତାଯୁଗ ମୁଖେ ॥ ୧୭୩

ଆୟୁଷ ଅନ୍ତେ ପୁରୁରବା । ଅନଳ ପ୍ରାୟ ହୋଇ ପ୍ରଭା ॥ ୧୭୪

ଉର୍ବଶୀ ଧ୍ୟାନେ ମନ ଥିଲା । ଗନ୍ଧର୍ବ ଲୋକେ ସେ ମିଳିଲା ॥ ୧୭୫

ସୁଜନ ଜନଙ୍କର ହିତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୭୬

ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୭୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଚତୁŸର୍ଦ୍ଦଶୋଽଧ୍ୟାୟଃ ॥

* * *