ନବମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଶୁକ ଉବାଚ

ନିମି ଯେ ଈକ୍ଷ୍ୱାକୁର ସୁତ । ତା'ବଂଶେ ଯେତେ ରାଜା ଜାତ ॥

ଯେ କର୍ମ କଲେ ଅନୁଭବେ । ଶୁଣ କହିବା ତୋତେ ଏବେ ॥

ସେ ନିମି ବଶିଷ୍ଠ ସଙ୍ଗତେ । ବସି ଭାଳିଲା ଯଜ୍ଞ ଅର୍ଥେ ॥

ବଶିଷ୍ଠ ମୋ'ର ଯଜ୍ଞ କର । ଋତ୍ୱିଜେ ଚାରିବେଦୁଁ ବର ॥

ବଶିଷ୍ଠ ତା'ର ମୁଖ ଚାହିଁ । କହିଲେ ପ୍ରିୟଭାବ ବହି ॥

ଇନ୍ଦ୍ର ବରଣ କଲା ମୋତେ । ତୋ' ଯଜ୍ଞ କରିବି କେମନ୍ତେ ॥

ମୁଁ ଆଗେ ଇନ୍ଦ୍ରଯଜ୍ଞ ସାରି । ଋତ୍ୱିଜେ ଚାରିବେଦୁଁ ବରି ॥

ପଛେ କରିବି ଯଜ୍ଞ ତୋ'ର । ସେ ନିମି ନ ଦେଲା ଉତ୍ତର ॥

ବଶିଷ୍ଠ ଇନ୍ଦ୍ରଯଜ୍ଞେ ଗଲେ । ଅନ୍ୟ ବ୍ରାହ୍ମଣେ ନିମି ବୋଲେ ॥

ଯଜ୍ଞ ଆରମ୍ଭିଲେ ହରଷେ । ସଙ୍କଳ୍ପି ସହସ୍ର ବରଷେ ॥ ୧୦

ଏମନ୍ତେ ଇନ୍ଦ୍ରଯଜ୍ଞ ସାରି । ନିମିର ବାକ୍ୟ ସେ ସୁମରି ॥ ୧୧

ସେ ଯଜ୍ଞ କରିବାର ଆଶେ । ବେଗେ ମିଳିଲେ ନିମି ପାଶେ ॥ ୧୨

ଯଜ୍ଞ ଆରମ୍ଭ ଦେଖି ତା'ର । କୋପିଲେ ବ୍ରହ୍ମାଙ୍କ କୁମର ॥ ୧୩

ବୋଇଲେ କୋପଭର ହୋଇ । ମୋତେ ଅବଜ୍ଞା କଲୁ ତୁହି ॥ ୧୪

ତୋର ଜୀବନେ ନାହିଁ କାର୍ଯ୍ୟ । ମରଣ ହେଉ ତୋତେ ଆଜ ॥ ୧୫

ତା' ଶୁଣି ନିମି କୋପ ବହି । ବୋଇଲେ ଜୀବ ଛାଡ଼ ତୁହି ॥ ୧୬

ତକ୍ଷଣେ ନିମି ଶାପ ଫଳେ । ବଶିଷ୍ଠ ବସିଲେ ନିଶ୍ଚଳେ ॥ ୧୭

ଜୀବନ ଗଲା ଦେହୁ ଛାଡ଼ି । ତକ୍ଷଣେ ଶୂନ୍ୟମାର୍ଗେ ଉଡ଼ି ॥ ୧୮

ଉର୍ବଶୀ ଗର୍ଭେ ହେଲେ ଜନ୍ମ । ମିତ୍ରାବରୁଣଙ୍କ ନନ୍ଦନ ॥ ୧୯

ନିମି ଯେ ଯଜ୍ଞଶାଳେ ଥିଲେ । ତକ୍ଷଣେ ଜୀବନ ଛାଡ଼ିଲେ ॥ ୨୦

ଜୀବନ ଯଜ୍ଞଶାଳେ ପଶି । ରହିଲା ଯଜ୍ଞସ୍ତମ୍ଭେ ଗ୍ରାସି ॥ ୨୧

ନିମି ଶରୀରେ ବିପ୍ରଜନେ । ବିଚାର କଲେ ଅନୁମାନେ ॥ ୨୨

ତୈଳ ସୁଗନ୍ଧଦ୍ରବ୍ୟ ଦେଇ । ନିମି ଶରୀର ତହିଁ ଥୋଇ ॥ ୨୩

ବୋଇଲେ ପୂ‰ର୍ଣ୍ଣାହୁତି ଗଲେ । ଶରୀର ଦହିବା ଅନଳେ ॥ ୨୪

ଏମନ୍ତ ବୋଲି ଯଜ୍ଞ କଲେ । ସମ୍ପୂେ‰ର୍ଣ୍ଣ ପୂ‰ର୍ଣ୍ଣାହୁତି ଦେଲେ ॥ ୨୫

ଇନ୍ଦ୍ରାଦି ଦେବେ ଯେତେ ଥିଲେ । ସନ୍ତୋଷେ ସୋମପାନ କଲେ ॥ ୨୬

ବିପ୍ରେ ଯେ ଦକ୍ଷିଣା ପାଇଲେ । ଅନଳେ ଦହିବା ବୋଇଲେ ॥ ୨୭

ଦେବତା ଋଷି ତୋଷମନେ । ବର ଯାଚିଲେ ଯଜମାନେ ॥ ୨୮

ନିମିର ଦେହେ ପଶୁ ପ୍ରାଣ । ଆମ୍ଭେ କରିବା ପରିତ୍ରାଣ ॥ ୨୯

ନିମି ଜୀବନ ସ୍ତମ୍ଭେ ଥିଲା । ଦେବଙ୍କୁ ପ୍ରତିବାକ୍ୟ କଲା ॥ ୩୦

ମୋ'ର ଶରୀରେ କାର୍ଯ୍ୟ ନାହିଁ । ଅସାର ଅନିତ୍ୟ ଏ ଦେହୀ ॥ ୩୧

ସକଳ ଦୁଃଖ ଏ ଶରୀରେ । ମରଣ ଭୟ ନିରନ୍ତରେ ॥ ୩୨

ଜନ୍ମ-ମରଣ ରାତ୍ରଦିନେ । ଅଶେଷ ବ୍ୟାଧି ଅନୁକ୍ଷଣେ ॥ ୩୩

ମୂତ୍ର ପୂରୀଷ କୃମିସ୍ଥାନ । ମାୟାରେ ହୋଏ ହତଜ୍ଞାନ ॥ ୩୪

କାମାଦିଶତ୍ରୁ ମଧ୍ୟେ ରହେ । ନିରତେ ଅହଙ୍କାର ବହେ ॥ ୩୫

ମାୟା-ସମୁଦ୍ରେ ନିତ୍ୟେ ବୁଡ଼େ । ଅନ୍ତେ ନରକ ପଥେ ପଡ଼େ ॥ ୩୬

ପୂରୀଷ ଭସ୍ମକୀଟ ଅନ୍ତେ । ଦୁର୍ଗନ୍ଧ କରଇ ନିରତେ ॥ ୩୭

ରୋଗଙ୍କ ମନ୍ଦିର ମାତର । ସ୍ୱଭାବେ ଦୁଃଖ ଏ ଶରୀର ॥ ୩୮

ଏମନ୍ତେ ନିମିର ବଚନେ । ସର୍ବଦେବତା ତୋଷମନେ ॥ ୩୯

ବୋଇଲେ ପ୍ରମାଣ ଏ ବାଣୀ । ପୁଣି କ୍ଷଣକେ ମନେ ଗୁଣି ॥ ୪୦

ଦେବଗଣ ଉବାଚ

ବୋଇଲେ ଶୁଣ ନରନାଥ । ଆମ୍ଭର ବର ନୋହେ ବ୍ୟର୍ଥ ॥ ୪୧

ସକଳ ଜନ୍ତୁଙ୍କ ଲୋଚନେ । ବସ ତୁ ନିମିଷ ବିଧାନେ ॥ ୪୨

ନିମିଷମତେ ସଂଖ୍ୟାକର । କାଳର ଗଣନା ବେଭାର ॥ ୪୩

ଏମନ୍ତ ଦେବଙ୍କ ବଚନେ । ବସିଲା ଜନ୍ତୁଙ୍କ ନୟନେ ॥ ୪୪

ଅଧ୍ୟାତ୍ମଗତି ନିତ୍ୟେ ତା'ର । ଏବେ ହୋ ଶୁଣ କୁରୁବୀର ॥ ୪୫

ଅରାଜ୍ୟଭୟେ ମହାଜନେ । ସକଳେ ବିଚାରିଲେ ମନେ ॥ ୪୬

ଆମ୍ଭେ ଯେ ବେଦ-ମନ୍ତ୍ରସ୍ୱରେ । କୁଶେ ମନ୍ଥିବା ଏ ଶରୀରେ ॥ ୪୭

ଯେମନ୍ତେ ପୁତ୍ର ଜନ୍ମ ହେବ । ନିର୍ଭୟେ ପ୍ରଜାଙ୍କୁ ପାଳିବ ॥ ୪୮

ଏମନ୍ତ ବିଚାରି ମନରେ । ତକ୍ଷଣେ ଜନ୍ମିଲା କୁମରେ ॥ ୪୯

କୁଶେ ମନ୍ଥିଲେ ବେଦସ୍ୱରେ । ତକ୍ଷଣେ ଜନ୍ମିଲା କୁମରେ ॥ ୫୦

ଜନ୍ମନ୍ତେ ଜନକ ହୋଇଲା । ବୈଦେହ ନାମ ବୋଲାଇଲା ॥ ୫୧

ମନ୍ଥନେ ମିଥିଳ ତା' ନାମ । ବହେ ଅଶେଷ ଗୁଣଗ୍ରାମ ॥ ୫୨

ଏମନ୍ତେ ନିମିରାଜବଳା । ମିଥିଳାପୁର ବସାଇଲା ॥ ୫୩

ତା' ସୁତ ଉଦାବସୁ ନାମ । ନନ୍ଦିବର୍ଦ୍ଧନ ତା' ନନ୍ଦନ ॥ ୫୪

ସୁକେତୁ ନାମେ ତା'ର ସୁତ । ତା'ର ସନ୍ତତି ଦେବରାତ ॥ ୫୫

ଦେବରାତରୁ ବୃହଦ୍ରଥ । ତା' ତହୁଁ ମହାବୀର୍ଯ୍ୟ ଜାତ ॥ ୫୬

ସୁଧୃତି ତାହାର କୁମର । ତା' ପୁତ୍ର ଧୃଷ୍ଟକେତୁ ବୀର ॥ ୫୭

ହର୍ଯ୍ୟଶ୍ୱ ତାହାର କୁମର । ମରୁ ତାହାଙ୍କ ବଂଶଧର ॥ ୫୮

ମରୁରୁ ପ୍ରତୀପକ ଜନ୍ମ । ତା' ସୁତ କୃତରଥ ନାମ ॥ ୫୯

ତା'ର କୁମର ଦେବମୀଢ଼ । ଯା' ଚିତ୍ତ ଯୋଗାଭ୍ୟାସେ ଦୃଢ଼ ॥ ୬୦

ବିଶ୍ରୁତ ତାହାର ସନ୍ତତି । ତା'ର କୁମର ମହାଧୃତି ॥ ୬୧

ତା' ସୁତ କୃତିରାତ ନାମ । ଜୀବେ ଅଶେଷ ଗୁଣଗ୍ରାମ ॥ ୬୨

ତା'ର ସନ୍ତତି ମହାରୋମ । ରୂପେ ଶଶାଙ୍କ ନୋହେ ସମ ॥ ୬୩

ସୁବ‰ର୍ଣ୍ଣରୋମା ତା' ତନୟେ । ତା' ତହୁଁ ହ୍ରସ୍ୱରୋମା ହୋଏ ॥ ୬୪

ତା'ର କୁମର ସୀରଧ୍ୱଜ । ତା'ର ମହିମା ମହାତେଜ ॥ ୬୫

ବିପ୍ରେ ଯେ ତା'ର ଯଜ୍ଞକାଳେ । ଭୂମିକି ଚଷିଲେ ଲଙ୍ଗଳେ ॥ ୬୬

ଲଙ୍ଗଳ ଅଗ୍ରେ ସୀତା ଜାତ । ଏଣୁ ସେ ସୀରଧ୍ୱଜ ଖ୍ୟାତ ॥ ୬୭

ତା'ର କୁମର କୁଶଧ୍ୱଜ । ଧର୍ମଧ୍ୱଜ ତା'ର ତନୁଜ ॥ ୬୮

ତା' ତହୁଁ ବେନିପୁତ୍ର ଜାତ । ଶୁଣ ହୋ ତାହାଙ୍କ ଚରିତ ॥ ୬୯

ସେ କୃତଧ୍ୱଜ ମିତଧ୍ୱଜ । ଶୁଣ ତାହାଙ୍କର ତନୁଜ ॥ ୭୦

କୃତଧ୍ୱଜର କେଶିଧ୍ୱଜ । ଖାŠଣ୍ତିକ୍ୟ ଆନର ତନୁଜ ॥ ୭୧

ଖାŠଣ୍ତିକ୍ୟ କେଶିଧ୍ୱଜ ବେନି । ସାଧିଲେ ଯୋଗବିଦ୍ୟା ଘେନି ॥ ୭୨

କେଶିଧ୍ୱଜର ଠାରୁ ଭୟେ । ପଳାଇ ଗଲା ଆନଠାଏ ॥ ୭୩

କେଶି ଧ୍ୱଜରୁ ଭାନୁମାନ । ତା'ର ତନୁଜ ଶତଦ୍ୟୁମ୍ନ ॥ ୭୪

ଶୁଚି ନାମରେ ତା' ତନୁଜ । ତା'ର ତନୁଜ ସନଦ୍ୱାଜ ॥ ୭୫

ଉର୍ଜ୍ଜକେତୁ ଯେ ତହୁଁ ଜାତ । ତାହାର ପୁତ୍ର ପୁରୁଜିତ ॥ ୭୬

ଅରିଷ୍ଟ ନେମି ସୁତ ତା'ର । ଶ୍ରୁତାୟୁ ତାହାର କୁମର ॥ ୭୭

ତା'ର ତନୟ ସୁପାର୍ଶ୍ୱକ । ତା' ସୁତ ଚିତ୍ରରଥ ଲେଖ ॥ ୭୮

କ୍ଷେମାଧି ନାମେ ତା'ର ସୁତ । ତା'ର ତନୟ ସମରଥ ॥ ୭୯

ତାହାର ପୁତ୍ର ସତ୍ୟରଥ । ଉପଗୁରୁ ଯେ ତା'ର ସୁତ ॥ ୮୦

ତାହାର ପୁତ୍ର ଉପଗୁପ୍ତ । ବସ୍ୱନନ୍ତ ଯେ ତା'ର ସୁତ ॥ ୮୧

ଯୁଯୁଧ ତା'ର ପୁତ୍ର ନାମ । ତା' ତହୁଁ ହେଲା ସୁଭାଷଣ ॥ ୮୨

ତା' ସୁତ ଶ୍ରୁତ ତହୁଁ ଜୟ । ତାହାର ତନୟ ବିଜୟ ॥ ୮୩

ତା' ତହୁଁ ଋତ ହେଲା ଜାତ । ଶୁନକ ତାହାର ଯେ ସୁତ ॥ ୮୪

ବୀତହବ୍ୟ ଯେ ତା' ସନ୍ତତି । ତାହାର ତହୁଁ ଜାତ ଧୃତି ॥ ୮୫

ତାହାର ପୁତ୍ର ବହୁଳାଶ୍ୱ । ତା' ସୁତ କୃତି ମହାଯଶ ॥ ୮୬

ଜନକବଂଶେ ରାଜା ଯେତେ । କହିଲୁ ଭୂତ ଭବିଷ୍ୟତେ ॥ ୮୭

ସେ ସର୍ବେ ଯୋଗବିଦ୍ୟା ସାଧି । ତରିଲେ ସଂସାର ଜଳଧି ॥ ୮୮

ରବିର ବଂଶେ ରାଜା ଯେତେ । ସେ କଥା ବଂଶାନୁଚରିତେ ॥ ୮୯

ତୋତେ କହିଲି ପ୍ରିୟଭାବେ । ସୋମର ବଂଶ ଶୁଣ ଏବେ ॥ ୯୦

ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୯୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ ॥

* * *