ନବମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପତି । ଶ୍ରୀରଘୁନାଥଙ୍କ ସନ୍ତତି ॥

ଅତିଥି କୁଶର ନନ୍ଦନ । ନିଷଧ ତା'ର ତହୁଁ ଜନ୍ମ ॥

ନଭ ତାହାର ହୁଏ ସୁତ । ତା' ପୁତ୍ର ପୁŠଣ୍ତରୀକ ଖ୍ୟାତ ॥

ତା' ପୁତ୍ର କ୍ଷେମଧନ୍ୱା ନାମ । ରୂପେ ସୁନ୍ଦର ଅନୁପମ ॥

ତା'ର କୁମର ଦେବାନୀକ । ଅନୀହ ତା'ର ପୁତ୍ର ଏକ ॥

ତା'ର ତନୟ ପାରିପାତ୍ର । ବଳସ୍ଥଳ ନାମ ତା' ସୁତ ॥

ତା'ର ସନ୍ତତି ବଜ୍ରନାଭ । ଅର୍କର ଅଂଶେ ସେ ସମ୍ଭବ ॥

ସଗଣ ତାହାର ତନୟେ । ବିଧୃତି ତାର ବୀର୍ଯ୍ୟେ ହୋଏ ॥

ହିରଣ୍ୟନାଭ ତା' ସନ୍ତତି । ଯୋଗ ବିଦ୍ୟାରେ ତା'ର ଖ୍ୟାତି ॥

ତା' ଗୁରୁ ଅଟନ୍ତି ଜୈମିନି । ତା' ଶିଷ୍ୟ ଯାଜ୍ଞବଲ୍‌କ୍ୟ ମୁନି ॥ ୧୦

ଅଭ୍ୟାସ ଯା'ର ଚାରିବେଦେ । ତେଜେ ହୃଦୟଗ୍ରନ୍ଥି ଭେଦେ ॥ ୧୧

ହିରଣ୍ୟନାଭର କୁମର । ପୁଷ୍ପ ଅଭ୍ୟାସ ଯଜ୍ଞେ ଯା'ର ॥ ୧୨

ତା'ର କୁମର ଧ୍ରୁବସନ୍ଧି । ଯା' ବଂଶେ ଧାନ୍ତି ଅଷ୍ଟନିଧି ॥ ୧୩

ତା'ର କୁମର ସୁଦର୍ଶନ । ତାହାର ପୁତ୍ର ଅଗ୍ନିବ‰ର୍ଣ୍ଣ ॥ ୧୪

ଶୀଘ୍ର ଜନମ ତାହାଠାରୁ । ତାହାର ସୁତ ଅଟେ ମରୁ ॥ ୧୫

ମରୁ ଯେ ଶୀଘ୍ରର ତନୟେ । ଯେ ନିତ୍ୟେ ଯୋଗକର୍ମ ଧ୍ୟାୟେ ॥ ୧୬

କଳାପ ଗ୍ରାମେ ବସି ଧ୍ୟାନେ । ଯନ୍ତ୍ରିତ ନିତ୍ୟେ ତତ୍ତ୍ୱଜ୍ଞାନେ ॥ ୧୭

ଯୋଗ ସାଧଇ ଯେବା ଅର୍ଥେ । ଶୁଣ କହିବା ତୋ' ଅଗ୍ରତେ ॥ ୧୮

କଳିର ଅନ୍ତେ ସୂର୍ଯ୍ୟବଂଶ । ସେ ପୁଣି କରିବ ପ୍ରକାଶ ॥ ୧୯

ପ୍ରସୁଶ୍ରୁତ ତା'ର ତନୟେ । ତା' ସୁତ ସନ୍ଧିନାମ ବହେ ॥ ୨୦

ଅମର୍ଷଣ ଯେ ତା'ର ସୁତ । ମହସ୍ୱାନ ଯେ ତହୁଁ ଜାତ ॥ ୨୧

ତା'ର କୁମର ବିଶ୍ୱବାହୁ । ତା'ର ମହିମା କେବା କହୁ ॥ ୨୨

ପ୍ରସେନଜିତ ତା'ର ପୁତ୍ର । ତକ୍ଷକ ନାମେ ତା'ର ସୁତ ॥ ୨୩

ବୃହଦବଳ ତା'ର ସୁତ । ତୋ' ପିତା ଅର୍ଥେ ରଣେ ହତ ॥ ୨୪

ଇକ୍ଷ୍ୱାକୁ ବଂଶେ ଯେତେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୨୫

ଶୁଣ ପରୀକ୍ଷ କହୁଁ ଏବେ । ଭବିଷ୍ୟେ ଯେତେ ଉପୁଜିବେ ॥ ୨୬

ବୃହଦବଳ ପୁତ୍ର ଶୁଣ । ନାମ ହୋଇବ ବୃହଦ୍ରଣ ॥ ୨୭

ତାହାର ପୁତ୍ର ଉରୁପ୍ରିୟ । ବତ୍ସ›ବୃଦ୍ଧ ତା'ର ତନୟ ॥ ୨୮

ତା'ର କୁମର ପ୍ରତିବ୍ୟୋମ । ଭାନୁ ନାମେ ତା'ର ନନ୍ଦନ ॥ ୨୯

ଦିବାକ ତାହାର ସନ୍ତତି । ସେ ହେବ ଯୁଦ୍ଧେ ସେନାପତି ॥ ୩୦

ତା'ର ତନୟ ସହଦେବ । ତହୁଁ ବୃହଦଶ୍ୱ ସମ୍ଭବ ॥ ୩୧

ତା'ର କୁମର ଭାନୁମାନ । ପ୍ରତିକାଶ୍ୱ ତା'ର ନନ୍ଦନ ॥ ୩୨

ସୁପ୍ରତୀକ ତହୁଁ ସମ୍ଭବ । ତା' ପୁତ୍ର ହେବ ମରୁଦେବ ॥ ୩୩

ତା'ର ନନ୍ଦନ ସୁନକ୍ଷତ୍ର । ପୁଷ୍କର ହେବ ତା'ର ପୁତ୍ର ॥ ୩୪

ଅନ୍ତରୀକ୍ଷ ତା'ର ସନ୍ତତି । ତହୁଁ ସୁତପା ଉତପତ୍ତି ॥ ୩୫

ଅମିତ୍ରଜିତ ତା' ନନ୍ଦନ । ତା' ତହୁଁ ବୃହଦ୍ରାଜ ଜନ୍ମ ॥ ୩୬

ତା'ର ସନ୍ତାନ ରଣଞ୍ଜୟ । ତା' ପୁତ୍ର ନାମଟି ସଞ୍ଜୟ ॥ ୩୭

ତା' ସୁତ ଶାକ୍ୟ ନାମେ ଖ୍ୟାତ । ଶୁଦ୍ଧୋଦ ତାହାର ଅପତ୍ୟ ॥ ୩୮

ଲାଙ୍ଗଳ ତାହାର କୁମର । ପ୍ରସେନଜିତ ସୁତ ତା'ର ॥ ୩୯

ତାହାର ନନ୍ଦନ କ୍ଷୁଦ୍ରକ । ତା' ତହୁଁ ହୋଇବ ରଣକ ॥ ୪୦

ତା' ପୁତ୍ର ସୁରଥ ହୋଇବ । ସୁମିତ୍ର ପୁତ୍ରେ ଶେଷ ହେବ ॥ ୪୧

ଈକ୍ଷ୍ୱାକୁ ବଂଶେ ରାଜା ଯେତେ । ତୋତେ କହିଲି ଭବିଷ୍ୟତେ ॥ ୪୨

ସୁମିତ୍ର ଯାଏ କଳିଯୁଗେ । ଏତେ ନୃପତି ହେବେ ଭୋଗେ ॥ ୪୩

ଆଦିତ୍ୟବଂଶାନୁଚରିତ । ଯେ ଅବା ଭୂତ-ଭବିଷ୍ୟତ ॥ ୪୪

ତାହାଙ୍କ ଜନ୍ମ ଏ ସଂସାରେ । ଶୁଣନ୍ତେ ସର୍ବପାପ ହରେ ॥ ୪୫

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୪୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ॥

* * *