ନବମ ସ୍କନ୍ଧ
ଏକାଦଶ ଅଧ୍ୟାୟ
କହନ୍ତି ଶୁକ ମହାଯତି । ଶୁଣ ପରୀକ୍ଷ ଚକ୍ରବର୍ତ୍ତୀ ॥ ୧
ଶୁକ ଉବାଚ
ଶ୍ରୀରାମ ରାଜ୍ୟେ ହୋଇ ରାଜା । ଆନନ୍ଦେ ପାଳି ଜନପ୍ରଜା ॥ ୨
ଉତ୍ତମ କଳ୍ପେ ଯଜ୍ଞ କଲେ । ବଶିଷ୍ଠ ଆଦି ମୁନି ତୁଲେ ॥ ୩
ବିପ୍ରଙ୍କୁ ଚାରିବେଦୁଁ ବରି । ଦକ୍ଷିଣା ଦେଲେ ଚିତ୍ତ ଭରି ॥ ୪
ଭୂମିକି କରି ଚାରିଭାଗେ । ଦକ୍ଷିଣା ଦେଲେ ଅନୁରାଗେ ॥ ୫
ହୋତାଙ୍କୁ ପୂର୍ବଦିଗ ଦେଲେ । ଅଧ୍ୱର୍ଯ୍ୟୁ ପଶ୍ଚିମେ କଳ୍ପିଲେ ॥ ୬
ଉତ୍ତର ଦିଗ ସାମଗାନେ । ବ୍ରହ୍ମାଙ୍କୁ ଦକ୍ଷିଣ ବିଧାନେ ॥ ୭
ବ୍ରାହ୍ମଣେ ଦେଲେ ଚାରିଦିଶ । ଆଚାର୍ଯ୍ୟେ ଦେଲେ ଅବଶେଷ ॥ ୮
ସୀତା ସଙ୍ଗତେ ରଘୁପତି । ଆଚରି ଗୃହସ୍ଥଙ୍କ ଗତି ॥ ୯
ଅନେକ ବସ୍ତ୍ର-ରତ୍ନ-ଧନେ । ସନ୍ତୋଷ କରି ସର୍ବଜନେ ॥ ୧୦
ଆଚରି ଗୃହମେଧି-ଧର୍ମ । ବେଦ ବିହିତ ଯେତେ କର୍ମ ॥ ୧୧
ବ୍ରାହ୍ମଣେ ଦେଖି ସାଧୁକଥା । ମନେ ନ କଳ୍ପି ଅନ୍ୟ ଚିନ୍ତା ॥ ୧୨
ରାମର ନିକଟେ ମିଳିଲେ । ଅନେକ ସ୍ତୁତି ବାକ୍ୟ କଲେ ॥ ୧୩
କହିଲେ ପ୍ରିୟଭାବେ ବହି । ଭୋ ନାଥ ଏତେ କାର୍ଯ୍ୟ ନାହିଁ ॥ ୧୪
ଆମ୍ଭେ କହିଲୁ ବେଦଧର୍ମେ । ତୋତେ ନ ଜାଣି ମତିଭ୍ରମେ ॥ ୧୫
ତୋହର ରାଜ୍ୟ ତୁହି ନିଅ । ଆମ୍ଭର ହୃଦେ ସଦା ଥାଅ ॥ ୧୬
ଏମନ୍ତେ କିଛି ଦିନ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୭
ଦିନେକ ରାମ ରାତ୍ରକାଳେ । ବୁଲନ୍ତି ନିଜ ଭୃତ୍ୟ ତୁଲେ ॥ ୧୮
ଯଶ ଅଯଶ କେ କି ଚିନ୍ତେ । ଏମନ୍ତେ ବିଚାରି ଗୁପତେ ॥ ୧୯
ଶୁଣିଲେ ଏକ ଗୃହାଶ୍ରମେ । ପତ୍ନୀକି ବୋଲେ ଗରୁତମେ ॥ ୨୦
ତୁ ଦୁଷ୍ଟା ନାରୀ ଘରୁ ଯାଅ । ମୁଁ ନ ଛୁଇଁବି ତୋ'ର ଦେହ ॥ ୨୧
ଅସତୀ ପରଗୃହାଶ୍ରମୀ । ମୁଁ ନୋହେ ରାମ ପ୍ରାୟେ କାମୀ ॥ ୨୨
ସେ ଯେହ୍ନେ ସୀତା ଘେନି ଘରେ । ଆନନ୍ଦେ ଗୃହାଶ୍ରମ କରେ ॥ ୨୩
ଏମନ୍ତ ଶୁଣି ତା'ର ମୁଖେ । ଗୃହେ ମିଳିଲେ ମନଦୁଃଖେ ॥ ୨୪
ଶୁଣିଣ ଲୋକ ଅପବାଦ । ଚିନ୍ତା ବସିଲା ରାମ ହୃଦ ॥ ୨୫
ଲୋକାପବାଦ ନ ସହିଲେ । ସୀତାରେ ରାମ କୋପ କଲେ ॥ ୨୬
ପ୍ରିୟାର ଗର୍ଭବାସ ଦେଖି । ତା'ର ବିଚ୍ଛେଦେ ହୋଇ ଦୁଃଖୀ ॥ ୨୭
ଏ ଲୋକ ଅପବାଦ ଭୟ । କରିବି କେବଣ ଉପାୟ ॥ ୨୮
ଲକ୍ଷ୍ମଣେ ରାଇ ରଘୁନାଥ । ତା' ସଙ୍ଗେ ଭାଳିଲେ ଏକାନ୍ତ ॥ ୨୯
ବୋଇଲେ ସୀତାଙ୍କୁ ବିପିନେ । ନିବେଶି ଆସ ତୁ ବହନେ ॥ ୩୦
ତକ୍ଷଣେ ରାଜା ଆଜ୍ଞା ପାଇ । ସୀତାଙ୍କୁ ବନେ ନିବେଶଇ ॥ ୩୧
ସେ ମିଳେ ବାଲମୀକ ସ୍ଥାନେ । ବେନିକୁମର ଜାତ ବନେ ॥ ୩୨
ବାଲ୍ମୀକି ଭ୍ରାନ୍ତି ଛାଡ଼ି ମନ । ନିଜ କୁଟୀରେ ଦେଲେ ସ୍ଥାନ ॥ ୩୩
ବାଲ୍ମୀକି ଜାତକର୍ମ କଲେ । ପୁତ୍ର ଦୁହିଙ୍କ ନାମ ଦେଲେ ॥ ୩୪
ପ୍ରଥମ କୁଶ ନାମେ ଖ୍ୟାତ । ଅନ୍ୟ ଲବ ନାମେ ବିଦିତ ॥ ୩୫
ଏମନ୍ତେ କିଛିଦିନ ଅନ୍ତେ । ରାମ ଚଳିଲେ ସୀତା ପଥେ ॥ ୩୬
ରାମ ଆଗମ ଶୁଣି କର୍ଣ୍ଣେ । ତକ୍ଷଣେ ବରୁଣ-ଭୁବନେ ॥ ୩୭
ଜାନକୀ ହୋଇଲେ ପ୍ରବେଶ । ମନେ ଅନେକ କରି ରୋଷ ॥ ୩୮
ସୀତାର ନ ପାଇଁ ସନ୍ଦେଶ । ରାମ ଚଳିଲେ ନିଜ ଦେଶ ॥ ୩୯
ଲବ କୁଶକୁ ସଙ୍ଗେ ନେଲେ । କୁଶକୁ ଅଧିକାର ଦେଲେ ॥ ୪୦
ଅଙ୍ଗଦ ଚିତ୍ରକେତୁ ଦୁଇ । ଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ ॥ ୪୧
ତକ୍ଷ ପୁଷ୍କଳ ବେନି ଭାଇ । ଭରତ ପତ୍ନୀ ଗର୍ଭେ ହୋଇ ॥ ୪୨
ସୁବାହୁ ଶ୍ରୁତସେନ ବୀର । ହୋଇଲେ ଶତ୍ରୁଘ୍ନ କୁମର ॥ ୪୩
ଭରତ ଦିଗବିଜେ କରି । କୋଟି ଗନ୍ଧର୍ବବଳ ମାରି ॥ ୪୪
ଯୁଦ୍ଧେ ପାଇଲା ଯେତେ ଧନ । ଦେଲା ସେ ରାମ ସନ୍ନିଧାନ ॥ ୪୫
ଶତ୍ରୁଘ୍ନ ଦିଗବିଜେ କରି । ଲବଣ ମଧୁପୁତ୍ର ମାରି ॥ ୪୬
ମଥୁରାପୁର ମଧୁବନେ । ପୁରୀ ସ୍ଥାପିଲେ ପ୍ରଜାଜନେ ॥ ୪୭
ଧନ ଶ୍ରୀରାମ ଆଗେ ଦେଲା । ପୁତ୍ରକୁ ତହିଁ ରାଜା କଲା ॥ ୪୮
ଲକ୍ଷ୍ମଣ ଚନ୍ଦ୍ରଜ୍ୟୋତି ପୁରୀ । ପୁତ୍ରକୁ ତହିଁ ରାଜା କରି ॥ ୪୯
ରାମ ଯେ ଜାନକୀ ବିଚ୍ଛେଦେ । ମନ ନ କଳ୍ପେ ରାଜପଦେ ॥ ୫୦
ସୀତାର ଗୁଣ ଚିନ୍ତି ମନେ । ନିଦ୍ରା ନ ମାଡ଼ଇ ନୟନେ ॥ ୫୧
କଣ୍ଠ-କୁଣ୍ଠିତ ଶୋକେ ପୂରି । ଚିତ୍ତକୁ ନ ପାରନ୍ତି ଧରି ॥ ୫୨
ସ୍ତିରୀ ପୁରୁଷ ସଙ୍ଗ ଏହି । କେ ସହେ ନରଦେହ ବହି ॥ ୫୩
ସେ ଦିନୁ ବ୍ରହ୍ମଚର୍ଯ୍ୟ କରି । ରାମ ହୋଇଲେ ବ୍ରହ୍ମଚାରୀ ॥ ୫୪
ବର୍ଷସହସ୍ର ତ୍ରୟୋଦଶ । ନିରତେ ବ୍ରହ୍ମଚାରୀ ବେଶ ॥ ୫୫
ଅଖଣ୍ତ ଅଗ୍ନିହୋତ୍ର କଲେ । ବଶିଷ୍ଠ ଆଦି ମୁନି ତୁଲେ ॥ ୫୬
ଦକ୍ଷିଣା ଦେଲେ ତୋଷ ଚିତ୍ତେ । ସନ୍ଧ୍ୟା-ମଧ୍ୟାହ୍ନେ ଅବିରତେ ॥ ୫୭
ସଂସାରେ ସ୍ଥାପି ନିଜ ଯଶ । ସ୍ୱଧାମେ ହୋଇଲେ ପ୍ରବେଶ ॥ ୫୮
ଲବକୁଶଙ୍କୁ ରାଜ୍ୟ ଦେଇ । ସକଳ ଜନପ୍ରଜା ରାଇ ॥ ୫୯
ଚତୁର୍ଦ୍ଧାରୂପେ ରଘୁନାଥ । ଚଳିଲେ ଉତ୍ତରର ପଥ ॥ ୬୦
ସ୍ଥାବର ଜଙ୍ଗମାଦି କୀଟ । ଘେନି ଚଳିଲେ ବଇକୁଣ୍ଠ ॥ ୬୧
ବୋଲନ୍ତି ଶୁକ ବ୍ରହ୍ମଋଷି । ଶୁଣ ହୋ ରାଜା କୁରୁବଂଶୀ ॥ ୬୨
ରାମ ଚରିତ ତୋ' ଅଗ୍ରତେ । ସଂକ୍ଷେପେ କହିଲି ମୁଁ ଯେତେ ॥ ୬୩
ଏହା ଯେ ଶ୍ରବଣେ ଶୁଣନ୍ତି । ଦୁର୍ଗମ ସଙ୍କଟୁ ତରନ୍ତି ॥ ୬୪
ରାମ ଚରିତ ପୁଣ୍ୟକଥା । ଯେଣେ ଖଣ୍ତଇ ଭବବ୍ୟଥା ॥ ୬୫
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକାଦଶୋଽଧ୍ୟାୟଃ ॥
* * *