ନବମ ସ୍କନ୍ଧ

ଦଶମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ମହୀପତି । ଯେ ବଂଶେ ଯାହାର ସନ୍ତତି ॥

ଯେ କୁଳେ ଯେବା ଅଧିପତି । ଶୁଣନ୍ତେ ପାପ ବିନାଶନ୍ତି ॥

ଖଟ୍ୱାଙ୍ଗୁ ଦୀର୍ଘବାହୀ ନାମ । ପୁତ୍ର ହୋଇଲା ଗୁଣଧାମ ॥

ରଘୁ ତାହାର ତହୁଁ ଜାତ । ସକଳ ଗୁଣେ ସୁବିଖ୍ୟାତ ॥

ଅଜ ତାହାର ବୀର୍ଯ୍ୟେ ଜାତ । ତା'ର କୁମର ଦଶରଥ ॥

ସେ ଦଶରଥ ଘରେ ହରି । ଜନ୍ମିଲେ ନରଦେହ ଧରି ॥

ଚତୁର୍ଦ୍ଧା ରୂପେ ଦେବକାର୍ଯ୍ୟେ । ଜନ୍ମିଲେ ଦଶରଥ ବୀର୍ଯ୍ୟେ ॥

ରାମ ଲକ୍ଷ୍ମଣ ଶତ୍ରୁଘନ । ଭରତ ତୁଲେ ଚାରିଜଣ ॥

ସେ ରାମ ଚରିତ ତୁ ସୁଖେ । ଶୁଣିଛୁ ଋଷିଙ୍କର ମୁଖେ ॥

ପିତା ବଚନେ ରାଜ୍ୟ ଛାଡ଼ି । ପଦ୍ମ ଚରଣେ ଭୂମି ମାଡ଼ି ॥ ୧୦

ଲକ୍ଷ୍ମଣ ସୀତାର ସମେତେ । ଯେ ଦୁଃଖେ ବଞ୍ଚିଲେ ବନସ୍ତେ ॥ ୧୧

ସୁଗ୍ରୀବ ତୁଲେ ମିତ୍ର କରି । ବିରୂପ କଲେ ସେ ଅସୁରୀ ॥ ୧୨

ତା' ଶୁଣି ରାବଣ ଅଇଲା । ବନରୁ ସୀତା ହରି ନେଲା ॥ ୧୩

ପ୍ରିୟା ବିଚ୍ଛେଦେ ହୋଇ ଅନ୍ଧ । ସମୁଦ୍ରେ କଲେ ସେତୁବନ୍ଧ ॥ ୧୪

ପ୍ରଥମେ ବିଶ୍ୱାମିତ୍ର ସଙ୍ଗେ । ଯଜ୍ଞ ରଖିଲେ ଅନୁରାଗେ ॥ ୧୫

ମାରୀଚ ଆଦି ନିଶାଚରେ । ରାତ୍ରେ ମିଳିଲେ ଯଜ୍ଞଘରେ ॥ ୧୬

ଲକ୍ଷ୍ମଣ ତୁଲେ ତା ସଂହାରି । ମୁନିଙ୍କ ଯଜ୍ଞ ରକ୍ଷା କରି ॥ ୧୭

ସେ ପୁଣି ସୀତା ସ୍ୱୟମ୍ବରେ । ମିଳିଲେ ବିଦେହ ନଗରେ ॥ ୧୮

ଭାଙ୍ଗିଲେ ଈଶ୍ୱର-କୋଦଣ୍ତŠ । ବାଳକେ ଯେହ୍ନେ ଇକ୍ଷୁଦଣ୍ତŠ ॥ ୧୯

ଅଶେଷ ରାଜାଗଣ ଜିଣି । ସୀତାଙ୍କୁ ସ୍ୱୟମ୍ବରୁ ଆଣି ॥ ୨୦

ଅଯୋଧ୍ୟା ନଗରେ ଆସନ୍ତେ । ପରଶୁରାମ ବନପଥେ ॥ ୨୧

ବୋଲଇ ଶ୍ରୀରାମଙ୍କୁ ଚାହିଁ । ଧନୁ ଭାଙ୍ଗିଲୁ ବଳେ ତୁହି ॥ ୨୨

ମୋ' ଧନୁ ବେନିକରେ ବାହ । ନୋହିଲେ ସୀତା ମୋତେ ଦିଅ ॥ ୨୩

ଏମନ୍ତ ତା'ର ବାକ୍ୟଘୋରେ । ତା' ଧନୁ ଧରି ବାମକରେ ॥ ୨୪

ତକ୍ଷଣେ ଭୃଗୁପତି ବୋଲେ । ଜଂଘେ ବସାଇ ଗୁଣ ଦେଲେ ॥ ୨୫

ରାମର ଦେଖି ଘୋରତମ । ପାଦେ ନମିଲେ ପର୍ଶୁରାମ ॥ ୨୬

ସୀତାକୁ ଆଣି ନିଜପୁରେ । ପ୍ରବେଶ ହୋଇଲେ ସତ୍ୟରେ ॥ ୨୭

ପିତା ଯେ ପତ୍ନୀବଶ ହୋଇ । ଯାହା ବୋଇଲା କଇକେୟୀ ॥ ୨୮

ମୋର ତନୟ ରାଜା ହେଉ । ତୋ' ସୁତ ରାମ ବନେ ଯାଉ ॥ ୨୯

ସେ ରାମ ପିତାର ବଚନେ । ତକ୍ଷଣେ ଚଳିଲେ ବିପିନେ ॥ ୩୦

ବନେ ବୁଲନ୍ତି ବେନିଭାଇ । ଜନକ ସୁତା ସଙ୍ଗେ ଲଇ ॥ ୩୧

ରାବଣ ଭଗ୍ନୀ ସୂର୍ପଣଖା । ମାୟାରେ ବଳେ ଦେଲା ଦେଖା ॥ ୩୨

ଲକ୍ଷ୍ମଣ ରଘୁନାଥ ବୋଲେ । ତା ନାସା ଶ୍ରବଣ ଛେଦିଲେ ॥ ୩୩

ତା' ଛଳେ ରାତ୍ରିଚରଗଣ । ଉଭାରି କଲେ ଘୋରରଣ ॥ ୩୪

ଖର ଦୂଷଣ ଯେ ତ୍ରିଶିର । ଯୁଦ୍ଧେ ମିଳିଲେ ମହାବୀର ॥ ୩୫

ସୂର୍ପଣଖାର ବନ୍ଧୁଗଣେ । ଯେତେ ମିଳିଲେ ଘୋରରଣେ ॥ ୩୬

ତା'ଙ୍କୁ ଛେଦିଲେ ତୀକ୍ଷ୍‌ଣ ଶରେ । ଅଶେଷଜନ ଉପକାରେ ॥ ୩୭

ଚଉଦ ସହସ୍ର ଯେ ବଳ । ଛେଦିଲେ ଦଶରଥ-ବାଳ ॥ ୩୮

ବରଷାଋତୁ ଆଗମନେ । ପଶିଲେ ରାମ ଘୋରବନେ ॥ ୩୯

ତିନ୍ତୁଳି ବୃକ୍ଷ ତଳେ ରହି । ପଲ୍ଲବେ କୁଟୀର ଭିଆଇ ॥ ୪୦

ସୀତାର ରୂପଗୁଣ କଥା । ଶୁଣି ରାବଣ ମନେ ବ୍ୟଥା ॥ ୪୧

ଚିତ୍ତ ପୀଡ଼ିତ କାମଶରେ । ରାକ୍ଷସ ପଶେ ଅନ୍ତଃପୁରେ ॥ ୪୨

ମାରୀଚ ରାବଣ ଆଦେଶେ । ମିଳିଲା ରଘୁନାଥ ପାଶେ ॥ ୪୩

ଅଦ୍ଭୁତ ବିଧାତାର ଯୋଗ । ବନେ ମିଳିଲା ମାୟାମୃଗ ॥ ୪୪

ବନେ ସୁବ‰ର୍ଣ୍ଣମୃଗ ଦେଖି । ରାମଙ୍କୁ ବୋଲେ ଚନ୍ଦ୍ରମୁଖୀ ॥ ୪୫

ଭୋ ନାଥ ମୋର କ୍ରୀଡ଼ା ଅର୍ଥେ । ସୁବ‰ର୍ଣ୍ଣ ମୃଗ ଦିଅ ମୋତେ ॥ ୪୬

ସେ ରାମ ନାରୀବଶ ହୋଇ । ଧନୁ-ନାରାଚ କରେ ନେଇ ॥ ୪୭

ଧାଇଁଲେ ମୃଗବଧ ଅର୍ଥେ । ସେ ପଶେ ଗହନ ବନସ୍ତେ ॥ ୪୮

ତାହାକୁ ମାରିବାର କାଳେ । ଶବଦ କଲା ସେ ବିକଳେ ॥ ୪୯

ରଖ ହେ ଲକ୍ଷ୍ମଣ ଶୁଭିଲା । ଜାନକୀ ଲକ୍ଷ୍ମଣେ କହିଲା ॥ ୫୦

ଲକ୍ଷ୍ମଣେ ଯାଅ ବେଗ ହୋଇ । ସ୍ୱାମୀଙ୍କି ବିପତ୍ତି ପଡଇ ॥ ୫୧

ତକ୍ଷଣେ ଧନୁ ଧରି ହସ୍ତେ । ଗଲେ ଶ୍ରୀରାମଚନ୍ଦ୍ର ପଥେ ॥ ୫୨

ରାବଣ ମିଳି ବୃକ୍ଷତଳେ । ସୀତାଙ୍କୁ ନେଲା ଅନ୍ତରାଳେ ॥ ୫୩

ସୀତା ବିଚ୍ଛେଦେ ଦୁଃଖମନେ । ତହୁଁ ଚଳିଲ ଅନ୍ୟବନେ ॥ ୫୪

ସ୍ତିରୀ ସଙ୍ଗତ ଦୋଷବାଦେ । ଅବଶ୍ୟ ପଡ଼ଇ ପ୍ରମାଦେ ॥ ୫୫

ତକ୍ଷଣେ ଏମନ୍ତ କହିଲେ । ଜଟାୟୁଶକୁ ଦଗ୍ଧ କଲେ ॥ ୫୬

କବନ୍ଧ ନାମେ ମହାସୁର । ବେଗେ ନାଶିଲେ ପ୍ରାଣ ତା'ର ॥ ୫୭

ତହୁଁ ଚଳିଲେ ଦୁଃଖମନେ । ମିଳିଲେ ଋଷ୍ୟମୂକ ବନେ ॥ ୫୮

ସୁଗ୍ରୀବ ତୁଲେ ମିତ୍ର କରି । ସେ ବନେ ବାଳିକି ସଂହାରି ॥ ୫୯

ଅଙ୍ଗଦ ହନୁମାନ ତୁଲେ । ସମୁଦ୍ର ନିକଟେ ମିଳିଲେ ॥ ୬୦

ପ୍ରିୟା ବିଚ୍ଛେଦେ ଦୁଃଖମନ । ଜାଣିଲେ ବରୁଣ ରାଜନ ॥ ୬୧

ସ୍ୱଭାବେ ଦୁର୍ଗମ ଗଭୀର । ଭ୍ରମନ୍ତି ମଗର କୁମ୍ଭୀର ॥ ୬୨

ତକ୍ଷଣେ ନିଜ ରୂପ ଧରି । ରାମର ପାଦେ ନମସ୍କାରି ॥ ୬୩

ଅନେକ ସ୍ତୁତିବାକ୍ୟ କଲା । ସେତୁବନ୍ଧନେ ମାର୍ଗ ଦେଲା ॥ ୬୪

ବୋଲଇ ଭାବଭକ୍ତି ବହି । ରାବଣ ବଧ କରି ତୁହି ॥ ୬୫

ସକଳ ଅସୁର ସଂହାରି । ବେଗେ ତୁ ଲଭ ନିଜ ନାରୀ ॥ ୬୬

ତୋ ଯଶ ରହୁ ଦଶଦିଶେ । ମୁନିଏ ଗାଇବେ ହରଷେ ॥ ୬୭

ସୁଗ୍ରୀବ ନୀଳ ହନୁମନ୍ତ । ଅଙ୍ଗଦ ତୁଲେ କପିଯୂଥ ॥ ୬୮

ଚଳନ୍ତୁ ରକ୍ଷବଳ ସଙ୍ଗେ । ଲଙ୍କା ଗମନ କର ବେଗେ ॥ ୬୯

ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ । ଧୂମ୍ରାକ୍ଷ ଆଦି ଯେତେ ଯୂଥ ॥ ୭୦

ଏ ଆଦି ଯେତେ ଘୋରସୈନ୍ୟ । କୁମ୍ଭକ‰ର୍ଣ୍ଣାଦି ବୀରମାନ ॥ ୭୧

ଶୂଳ ଖଡ଼ଗ ଗଦା ରିଷ୍ଟି । ଭୂଷŠଣ୍ତି ତୀକ୍ଷ୍‌ଣ ଶରବୃଷ୍ଟି ॥ ୭୨

ପ୍ରହାର ଅସୁର ସମୂହେ । ସମୂଳେ ହୋନ୍ତି ଯେଣେ କ୍ଷୟେ ॥ ୭୩

ସୁଗ୍ରୀବ ଲକ୍ଷ୍ମଣ ସହିତେ । ଗନ୍ଧମାଦନ ହନୁମନ୍ତେ ॥ ୭୪

ଏ ଆଦି ଋକ୍ଷବଳ ତୁଲେ । ରାବଣ ସଂହାର ତୁ ବଳେ ॥ ୭୫

ଏମନ୍ତ ବରୁଣର ବାଣୀ । ଶୁଣି ଚଳିଲେ ରଘୁମଣି ॥ ୭୬

ସଙ୍ଗତେ ଘେନି କପିବଳ । ଲଙ୍କାରେ ସଂଯୋଜି ଅନଳ ॥ ୭୭

ରାକ୍ଷସ ତୁଲେ ଯୁଦ୍ଧ କରି । ଅନେକ ବଳ ତା ସଂହାରି ॥ ୭୮

ସୀତାହରଣ ଦୋଷଫଳେ । ସଂଗ୍ରାମେ ନ ଶିଲେ ସକଳେ ॥ ୭୯

ଦେଖିଣ ବୀରଙ୍କ ମରଣ । ରଥ ଆରୋହିଲା ରାବଣ ॥ ୮୦

ମାତଳି ଘେନି ଦିବ୍ୟଯାନେ । ମିଳିଲା ରାମ ସନ୍ନିଧାନେ ॥ ୮୧

ରାମ ରାବଣ ମୁଖ ଚାହିଁ । କହନ୍ତି କୋପଭର ହୋଇ ॥ ୮୨

ମୋ' ନାରୀ ଆଣିଲୁ ଚୋରାଇ । ତପ ପ୍ରଭାବେ ଗର୍ବ ବହି ॥ ୮୩

ଆଜ ସରିଲା ତପ ଫଳ । ହେଳେ ଗଞ୍ଜିବି ତୋର ବଳ ॥ ୮୪

ଏମନ୍ତ କହି ରଘୁନାଥ । କୋପେ କୋଦŠଣ୍ତ ଧରି ହସ୍ତ ॥ ୮୫

ବଜ୍ର ସମାନ ରାମଶର । ଭେଦିଲା ରାବଣ ହୃଦର ॥ ୮୬

ରଥୁଁ ପଡ଼ିଲା ଭୂମିତଳେ । ଦଶବଦନୁ ଶୋଣି ଗଳେ ॥ ୮୭

ଭୂମି କମ୍ପିଲା ଥରହର । ଶବଦ ଶୁଭେ ହାହାକାର ॥ ୮୮

ରାବଣ ହତ ଶୁଣି କର୍ଣ୍ଣେ । ସଂଭ୍ରମେ ଅନ୍ତଃପୁର ଜନେ ॥ ୮୯

ତକ୍ଷଣେ ମନ୍ଦୋଦରୀ ତୁଲେ । ରାକ୍ଷସୀଗଣ ଉଭାରିଲେ ॥ ୯୦

ରୋଦନ କରନ୍ତି ବିକଳେ । ଶବଦେ ଭୁବନ ଉଚ୍ଛୁଳେ ॥ ୯୧

ମିଳିଲେ ରଣଭୂମି ମଧ୍ୟେ । ସ୍ୱାମୀ ସମୀପେ ଶୋକନାଦେ ॥ ୯୨

ହୃଦରେ ବେନିକର ତାଡ଼ି । ହା ନାଥ ବୋଲି ପାଦେ ପଡ଼ି ॥ ୯୩

ରାକ୍ଷସ ନାରୀଙ୍କ ରୋଦନ । ପୁରିଲା ଧରଣୀ ଗଗନ ॥ ୯୪

କାନ୍ଦନ୍ତି ସ୍ୱାମୀ କୋଳେ ଧରି । ନାରୀଙ୍କ ତୁଲେ ମନ୍ଦୋଦରୀ ॥ ୯୫

ବଜ୍ର ସମାନ ରାମ ଶର । ଭେଦିଲା ତୋ'ର ହୃଦୟର ॥ ୯୬

ଭୋ ନାଥ ତୋହର ମରଣେ । ପଶିବୁ କାହାର ଶରଣେ ॥ ୯୭

ତିନିଭୁବନେ ବୀରପଣ । ଅନାଥ କଲୁ ନାରୀଗଣ ॥ ୯୮

ତୋ'ର ମରଣେ ଲଙ୍କାପୁରୀ । ଢାଳେ ହୋଇଲା ହତଶିରୀ ॥ ୯୯

ତୁ ନାଥ କାମେ ଭୋଳ ହୋଇ । ଛଳେ ହରିଲୁ ବଇଦେହୀ ॥ ୧୦୦

ସେ ଦୋଷ ତୋତେ ନାଶ କଲା । ମରଣଦଶା ଭିଆଇଲା ॥ ୧୦୧

ଅନାଥ କଲୁ ସର୍ବନାରୀ । ଆମ୍ଭ ସଙ୍ଗତେ ଲଙ୍କାପୁରୀ ॥ ୧୦୨

ଦେହକୁ କଲୁ ଗୁଧ୍ରଗ୍ରାସ । ନରକେ ହୋଇବୁ ପ୍ରବେଶ ॥ ୧୦୩

ଏମନ୍ତ କହି ନାରୀଗଣେ । ପ୍ରାଣ ଛାଡ଼ିଲେ ହୁତାଶନେ ॥ ୧୦୪

ରହିଲା ମନ୍ଦୋଦରୀ ଶେଷ । ଏବେ ହୋ ଶୁଣ କୁରୁଶିଷ ॥ ୧୦୫

ରାବଣ ଭାଇ ବିଭୀଷଣ । ଥିଲା ଯେ ଶ୍ରୀରାମେ ଶରଣ ॥ ୧୦୬

ତାହାକୁ ଦେଲେ ମନ୍ଦୋଦରୀ । ଲଙ୍କାରେ ଅଭିଷେକ କରି ॥ ୧୦୭

ବୋଇଲେ ପ୍ରଭୁ ରଘୁବୀର । ଏବେ ତୁ ପ୍ରେତକାର୍ଯ୍ୟ କର ॥ ୧୦୮

ଏମନ୍ତ ଆଜ୍ଞା ତା'କୁ ଦେଲେ । ଅଶୋକ ବିପିନେ ମିଳିଲେ ॥ ୧୦୯

ସୀତା ଦେଖିଲେ ବେନି ଡୋଳେ । ଅଧୋବଦନେ ବୃକ୍ଷ ମୂଳେ ॥ ୧୧୦

ରାମ-ବିଚ୍ଛେଦ ଦୁଃଖଭର । ଶୁଖିଛି ସୁରଙ୍ଗ ଅଧର ॥ ୧୧୧

ନୟନେ ଅଶ୍ରୁଜଳ ପୂରି । ହା ସୀତା ବୋଲି କରେ ଧରି ॥ ୧୧୨

ଜାନକୀ ପ୍ରଭୁ ମୁଖ ଚାହିଁ । ବେଗେ ଉଠିଲେ ଜ୍ଞାନ ପାଇ ॥ ୧୧୩

ଆଦିତ୍ୟ ଦେଖି ପଦ୍ମ ଯେହ୍ନେ । ଅନାଇଁ ଉନ୍ମୀଳ ଲୋଚନେ ॥ ୧୧୪

ଅଗ୍ନିରେ ପ୍ରବେଶ ହୋଇଲେ । ସ୍ୱାମୀର ସନ୍ତୋଷ ବିହିଲେ ॥ ୧୧୫

ଶ୍ରୀରାମହସ୍ତେ ହସ୍ତ ଦେଇ । କାଞ୍ଚନ ବିମାନ ଆରୋହି ॥ ୧୧୬

ଲକ୍ଷ୍ମଣ ହନୁମନ୍ତ ତୁଲେ । ରାମ ବିମାନେ ବିଜେ କଲେ ॥ ୧୧୭

ବିଭୀଷଣକୁ ଦାଶରଥି । ଲଙ୍କାରେ କରି ଅଧିପତି ॥ ୧୧୮

ବୋଇଲେ ହୁଅ ତୁ ଅମର । ଏ ଲଙ୍କା କଳ୍ପେ ଭୋଗ କର ॥ ୧୧୯

ବିଭୀଷଣକୁ ରାଜା କରି । ରାମ ବିଜୟେ ନିଜପୁରୀ ॥ ୧୨୦

ପିତା ଆଦେଶେ ବନବାସ । ପୂରିଲା ଚଉଦ ବରଷ ॥ ୧୨୧

ରାମ ବିଜୟେ ଇନ୍ଦ୍ର ଚାହିଁ । ସ୍ୱର୍ଗୁ କୁସୁମ ବରଷଇ ॥ ୧୨୨

ଗଗନେ ଦେବେ ପନ୍ତିପନ୍ତି । ରାମ-ବିଜୟ ଉଚ୍ଚାରନ୍ତି ॥ ୧୨୩

ରାମ-ବିଚ୍ଛେଦେ ଦୁଃଖମନେ । ଭରତ ଥିଲା ତପୋବନେ ॥ ୧୨୪

ତା'ର ଚରିତ ଶୁଣି କର୍ଣ୍ଣେ । ଯେବା କହିଲେ ମୁନିଜନେ ॥ ୧୨୫

କଠୋର ତପ ବନେ କରି । ସେ ବ୍ରହ୍ମଚାରୀ ରୂପ ଧରି ॥ ୧୨୬

ଯାବକ ଭକ୍ଷେ ଗୋରୁମୂତ୍ରେ । ବଳ୍କଳ ପିନ୍ଧି କଟିସୂତ୍ରେ ॥ ୧୨୭

ପିଙ୍ଗଳ ଜଟା ଶିରେ ବହେ । ରାତ୍ରେ ଭୂମିରେ ବୀର ଶୋଏ ॥ ୧୨୮

ରାମପାଦୁକା ଅଗ୍ରେ ଥୋଇ । ନିଶ୍ଚଳ ଚିତ୍ତେ ନିତ୍ୟେ ଧ୍ୟାୟି ॥ ୧୨୯

ସେ ରାମ ମୁନିଗଣ ତୁଲେ । ଭରତ ଆଶ୍ରମେ ମିଳିଲେ ॥ ୧୩୦

ତାହାର ହସ୍ତ ରାମ ଧରି । ସଦୟଚିତ୍ତେ କୋଳ କରି ॥ ୧୩୧

ରାମ ଲକ୍ଷ୍ମଣ ହନୁମନ୍ତ । ସଙ୍ଗତେ ଚଳିଲେ ଭରତ ॥ ୧୩୨

ରାମପାଦୁକା ଶିରେ ଶୋହେ । ତପସ୍ୱୀରୂପେ ଜନ ମୋହେ ॥ ୧୩୩

ମିଳିଲେ ଅଯୋଧ୍ୟା ନିକଟେ । ସରଯୂନଦୀ ପୂର୍ବତଟେ ॥ ୧୩୪

ରାମର ଆଗମନ-ପଥେ । ମିଳିଲେ ପାତ୍ର-ପୁରୋହିତେ ॥ ୧୩୫

ବେଦ-ଶବଦେ ବିପ୍ରଜନେ । ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ୱନେ ॥ ୧୩୬

ଦିବ୍ୟବିମାନ ଶ୍ରେଣୀ ସାଥେ । ବୀରେଧାମନ୍ତି ବେଗେ ପଥେ ॥ ୧୩୭

ଧ୍ୱଜ ପତାକା ଶୋଭେ ସ୍ୱର୍ଣ୍ଣେ । ଉତ୍ତମ ବାଜି ଗଜ ଯାନେ ॥ ୧୩୮

ଗଣିକାଯୂଥ ଅଗ୍ରେ ଶୋହେ । ମାର୍ଗେ ଚଳନ୍ତେ ଜନମୋହେ ॥ ୧୩୯

ବିବିଧ ଉପାୟନ ହସ୍ତେ । ଜୟ ଶବଦ କରି ପଥେ ॥ ୧୪୦

ଯୁବତୀ ଘେନି ଦୀପାବଳୀ । ପଥେ ଦିଅନ୍ତ ହୁଳହୁଳି ॥ ୧୪୧

ବିପ୍ରଙ୍କୁ ଦେଖି ରଘୁନାଥ । ଶିରେ ନିବେଶି ବେନି ହସ୍ତ ॥ ୧୪୨

ତାହାଙ୍କୁ ନମସ୍କାର କଲେ । ସୀତା ଲକ୍ଷ୍ମଣ ଘେନି ତୁଲେ ॥ ୧୪୩

ଅଯୋଧ୍ୟାପୁର ଜନ ଯେତେ । ରାମ ଆଗମ ଦେଖି ପଥେ ॥ ୧୪୪

ରାମ ଲକ୍ଷ୍ମଣ ସୀତା ଚାହିଁ । ରଙ୍ଗେ ନାଚନ୍ତି ଗୀତ ଗାଇ ॥ ୧୪୫

ରାମ ପାଦୁକା ଘେନି ଶିରେ । ଭରତ ଚଳଇ ସଧୀରେ ॥ ୧୪୬

ଭରତ ଚଳେ ରାମ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥ ୧୪୭

ଉତ୍ତମ ବ୍ୟଜନ-ରାମରେ । ସୁଗ୍ରୀବ ବିଭୀଷଣ ଧରେ ॥ ୧୪୮

ଅଞ୍ଜନାସୁତ ବୀରମଣି । ଚଳନ୍ତି ଶ୍ୱେତଛତ୍ର ଘେନି ॥ ୧୪୯

ଶତ୍ରୁଘ୍ନ କରେ ଧନୁଶର । ପଥେ ଦେଖନ୍ତି ସୁରନର ॥ ୧୫୦

ଜାନକୀ କରେ କମଣ୍ତŠଳ । ପୂରିତ ନାନା ତୀର୍ଥଜଳ ॥ ୧୫୧

ଅଙ୍ଗଦ ହସ୍ତେ ଖଡ୍ଗ ଶୋହି । ସୁବ‰ର୍ଣ୍ଣ ଶତଚନ୍ଦ୍ର ଯହିଁ ॥ ୧୫୨

ସ୍ତୁବନ୍ତି ବନ୍ଦୀ ନାରୀଯୂଥ । ମଧ୍ୟେ ବିଜୟ ରଘୁନାଥ ॥ ୧୫୩

ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତ୍ରିଦଶେ କୁସୁମ ବରଷି ॥ ୧୫୪

ସଙ୍ଗତେ ଘେନି ତିନିଭାଇ । ମିଳିଲେ ଅନ୍ତଃପୁରେ ଯାଇ ॥ ୧୫୫

ସେ ପୁର ମହିମା ବ‰ର୍ଣ୍ଣିତ । ମଣ୍ତŠଣିହସ୍ତୀ ଦ୍ୱାରେ ସ୍ଥିତ ॥ ୧୫୬

ନାନା ସୁଗନ୍ଧେ ପରିମଳ । ନାନା ସୁବାସିତ ଶୀତଳ ॥ ୧୫୭

ପ୍ରାସାଦ ଗୋପୁରାଦି ଶୋଭା । ଚିତ୍ରଦେବତା ଗୃହ କିବା ॥ ୧୫୮

ପତାକା ସୁବ‰ର୍ଣ୍ଣ କଳସ । ଶୋଭିତ ଦିଶେ ଦଶଦିଶ ॥ ୧୫୯

ପୁନ୍ନାଗ ନାରିକେଳ ଆଦି । ବସ୍ତ୍ର-ଜାଳକେ ଦର୍ପଣାଦି ॥ ୧୬୦

ତୋରଣା ବିଚିତ୍ର ଦିଶନ୍ତି । ପ୍ରଜାଙ୍କୁ ହରଷ ଦିଅନ୍ତି ॥ ୧୬୧

ଘେନିଣ ନାନା ଦ୍ରବ୍ୟମାନ । ଆନନ୍ଦେ କରନ୍ତି ଦର୍ଶନ ॥ ୧୬୨

ଆଶିଷ କରିଣ ବୋଲନ୍ତି । ପୂର୍ବେ ବରାହ ରୂପେ ପୃଥ୍ୱୀ ॥ ୧୬୩

ଉଦ୍ଧରି ରଖିଲ ଗୋସାଇଁ । ଏବେ ଶ୍ରୀରାମ ରୂପେ ତୁହି ॥ ୧୬୪

ସ୍ତିରୀ ପୁରୁଷେ ଗୃହ ଛାଡ଼ି । ଆରୋହି ଅ ଟ୍ଟାଳୀ ପାଚେରୀ ॥ ୧୬୫

ଦେଖିବା ପାଇଁଣ ଉ›ତ୍ସୁକ । ବୀର ଦର୍ଶନେ ଯେଉଁ ସୁଖ ॥ ୧୬୬

ସର୍ବେ ସନ୍ତୋଷ ମନ ହୋଇ । କୁସୁମ ବରଷନ୍ତି ନେଇ ॥ ୧୬୭

ନମିଲେ ଗୁରୁପତ୍ନୀ ପାଦେ । କୌଶଲ୍ୟା ଚରଣେ ଆନନ୍ଦେ ॥ ୧୬୮

ରାମଙ୍କୁ ଦେଖି ମାତୃଗଣ । ଆନନ୍ଦେ କରନ୍ତି କଲ୍ୟାଣ ॥ ୧୬୯

ପ୍ରାଣକୁ ପାଇ ତନୁ ଯେହ୍ନେ । ଉଠଇ ହରଷ ବଦନେ ॥ ୧୭୦

ଆନନ୍ଦେ ଅଶ୍ରୁଜଳ ନେତ୍ରେ । ସିଞ୍ଚନ୍ତି ଶ୍ରୀରାମର ଗାତ୍ରେ ॥ ୧୭୧

ଶ୍ରୀରାମ ଶିରେ ଜଟା ଦେଖି । ସର୍ବେହୋଇଲେ ମନେ ଦୁଃଖୀ ॥ ୧୭୨

ତକ୍ଷଣେ ମିଳିଲେ ବ୍ରାହ୍ମଣେ । ବଶିଷ୍ଠ ଆଦି ମୁନିଗଣେ ॥ ୧୭୩

ମୁଣ୍ତŠନ କଲେ ଜଟାଭାର । ଘେନାଇଁ ନାନା ଉପହାର ॥ ୧୭୪

ସୁବ‰ର୍ଣ୍ଣକୁମ୍ଭ ତୀର୍ଥଜଳେ । ରାମଙ୍କୁ ଅଭିଷେକ କଲେ ॥ ୧୭୫

ଉତ୍ତମ ବସ୍ତ୍ର ଅଳଙ୍କାର । ରତ୍ନମୁକୁଟ ବାନ୍ଧି ଶିର ॥ ୧୭୬

ଜାନକୀ ତୁଲେ ଅଭିଷେକ । ମିଳି ସକଳ ପ୍ରଜାଲୋକ ॥ ୧୭୭

ରାମଙ୍କୁ ପାଇ ପ୍ରଜାଜନେ । ସକଳେ ହରିଷତ ମନେ ॥ ୧୭୮

ଅପୁତ୍ର ପୁତ୍ର ପାଇ ଯେହ୍ନେ । ଆନନ୍ଦେ ହରଷ ବଦନେ ॥ ୧୭୯

ତ୍ରେତୟା ବର୍ତ୍ତମାନ କାଳେ । ଯେସନେ ସତ୍ୟଯୁଗ ମିଳେ ॥ ୧୮୦

ରାମ ହୋଇଲେ ରାଜ୍ୟେ ରାଜା । ସତ୍ୟଯୁଗର ପ୍ରାୟେ ପ୍ରଜା ॥ ୧୮୧

କରନ୍ତି ସ୍ୱଧର୍ମ ଆଚାର । ଏବେ ହୋ ଶୁଣ କୁରୁବୀର ॥ ୧୮୨

ବନ ପର୍ବତ ନଦ ନଦୀ । ଦ୍ୱୀପ ବରଷ ସିନ୍ଧୁ ଭେଦି ॥ ୧୮୩

ପ୍ରଜାଙ୍କୁ କାମଧେନୁ ପ୍ରାୟ । ଭୂମି ହୋଇଲା ରସଦାୟ ॥ ୧୮୪

ନାଶିଲେ ଆଧିବ୍ୟାଧି ବ୍ୟଥା । ବୃଦ୍ଧ ହୋଇଲେ ସାମରଥା ॥ ୧୮୫

ସେ ରାମ ଏକପତ୍ନୀ ବ୍ରତ । ଆଚରେ ରାଜଋଷି ମତ ॥ ୧୮୬

ଆଚରି ଗୃହମେଧି ଧର୍ମ । ଶୁଭେ ସକଳ କ୍ରିୟା କର୍ମ ॥ ୧୮୭

ଜାନକୀ ରାମର ଚରଣେ । ସ୍ୱଧର୍ମେ ଖଟେ ଅନୁକ୍ଷଣେ ॥ ୧୮୮

ପବିତ୍ର କଲେ ନିଜ ଅଂଶେ । ଜନମି ହରି ଯେଉଁ ବଂଶେ ॥ ୧୮୯

ସୁଜନେ ଚିନ୍ତ ଅବିରତ । ଆଦିତ୍ୟ ବଂଶାନୁଚରିତ ॥ ୧୯୦

ତରିବ ଏ ଭବ-ଜଳଧି । ଶ୍ରବଣେ ଶୁଣି ନିରବଧି ॥ ୧୯୧

କହଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୯୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଦଶମୋଽଧ୍ୟାୟଃ ॥

* * *