ନବମ ସ୍କନ୍ଧ
ନବମ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନୃପମଣି । କପିଳ ମୁଖୁଁ ବାକ୍ୟ ଶୁଣି ॥ ୧
ସେ ଅଂଶୁମାନ ଘୋର ବନେ । ବସିଲା ନିଶ୍ଚଳ ଆସନେ ॥ ୨
ମନପବନ ସଂଯମନେ । ସଂକଳ୍ପ ଗଙ୍ଗାର ଆଗମେ ॥ ୩
ଅନେକ କାଳ ତପ କଲା । ସେ ବନେ ପ୍ରାଣ ଉତ୍ସର୍ଗିଲା ॥ ୪
ତଦନ୍ତେ ତା' ପୁତ୍ର ଦିଲୀପ । ଗଙ୍ଗାର ଅର୍ଥେ କଲା ତପ ॥ ୫
ତଥାପି ଗଙ୍ଗା ନ ପାଇଲା । କାଳର ବଶେ ନାଶ ଗଲା ॥ ୬
ତା'ର କୁମର ଭଗୀରଥ । ଗଙ୍ଗା ଆଗମେ ତପଚିତ୍ତ ॥ ୭
ସେ ତପ କଲା ଘୋରବନେ । ବସିଲା ନିଶ୍ଚଳ ଆସନେ ॥ ୮
ତାହାର ତପବଳ ଭାବି । ସନ୍ତୋଷେ ମିଳିଲେ ଜାହ୍ନବୀ ॥ ୯
ବୋଲନ୍ତି ପ୍ରସନ୍ନ ବଦନେ । ବର ତୁ ମାଗ ତୋଷମନେ ॥ ୧୦
ତକ୍ଷଣେ ଶିରେ ଦେଇ କର । ବୋଲେ ମୋ' ପିତୃଙ୍କୁ ଉଦ୍ଧର ॥ ୧୧
କପିଳ ତେଜେ ଦଗ୍ଧ ହୋଇ । ତୋ' ବିନୁ ତା'ଙ୍କ ଗତି ନାହିଁ ॥ ୧୨
ଶୁଣି ବୋଲନ୍ତି ଭଗବତୀ । କେ ସହି ପାରିବ ମୋ' ଗତି ॥ ୧୩
ଗଗନୁ ଭୂମିରେ ପଡ଼ନ୍ତେ । ମହୀ ନ ଶିବ ମୋ'ର ଘାତେ ॥ ୧୪
ପାତାଳେ ପଡ଼ିବି ଯେ ମୁହିଁ । ମୋ' ଉଦ୍ଧାରଣେ କେହି ନାହିଁ ॥ ୧୫
କି ଅବା ଭୂମିକି ମୁଁ ଗଲେ । ମନୁଷ୍ୟେ ମୋ'ର ତହିଁ ଭଲେ ॥ ୧୬
ଧୋଇବେ ପାପ ତାହା ମୁହିଁ । ଧୋଇବି କାହିଁ ଚିନ୍ତ ତୁହି ॥ ୧୭
ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ । ନ ଗଲେ ନାହିଁ ପରିତ୍ରାଣ ॥ ୧୮
ଏମନ୍ତ ଗଙ୍ଗା ବାକ୍ୟ ଶୁଣି । ରାଜା ବୋଲନ୍ତି ମନେ ଗୁଣି ॥ ୧୯
ଭାଗୀରଥ ଉବାଚ
ସାଧୁ ସନ୍ନ୍ୟାସୀ ଶାନ୍ତ ଦାନ୍ତ । ବ୍ରହ୍ମିଷ୍ଠ ଶୁଚି ଦୟାବନ୍ତ ॥ ୨୦
ଏହାଙ୍କ ଅଙ୍ଗସଙ୍ଗ ଫଳେ । ପାପ ହରଇ ଭୂମିତଳେ ॥ ୨୧
ତୁମ୍ଭର ପାପ ବିନାଶନେ । କ୍ଷମ କି ନୋହିବେ ସେମାନେ ॥ ୨୨
ତୋ' ବେଗ ରୁଦ୍ର ଅବା ସହେ । ଯେ ହର ବିଶ୍ୱଆତ୍ମା ବହେ ॥ ୨୩
ରୁଦ୍ରର ଦେହେ ଏ ଜଗତ । ବସନ ପ୍ରାୟେ ଓତଃପ୍ରୋତ ॥ ୨୪
ତୋହର ବେଗ ସହିବାରେ । ତା' ବିନୁ ଅଛି କେ ଅପରେ ॥ ୨୫
ଗଙ୍ଗା ବୋଇଲେ ଏଟି ସତ୍ୟ । ବେଗେ ତୁ ସେବ ବିଶ୍ୱନାଥ ॥ ୨୬
ଏମନ୍ତ ଗଙ୍ଗ-ବାକ୍ୟ ଶୁଣି । ଆନନ୍ଦେ ଗଲା ନୃପମଣି ॥ ୨୭
ସେବିଲା ଈଶ୍ୱର ଚରଣେ । ପିତୃଙ୍କ ଉଦ୍ଧାର କାରଣେ ॥ ୨୮
ସେ ଭଗୀରଥ ପୁଣ୍ୟବଳେ । ଶିବ ସନ୍ତୋଷ ଅଳ୍ପକାଳେ ॥ ୨୯
ହେ ଭଗୀରଥ ମାଗ ବର । ଦେବଇଁ ସତ୍ୟ ଏ ମୋହର ॥ ୩୦
ହେ ଦେବ ଶୁଣ ଶୂଳପାଣି । ମୋ' ପିତାମହଙ୍କ କାହାଣୀ ॥ ୩୧
କପିଳ କୋପେ ସେ ଜଳିଲେ । ମୋତେ ସେ ପ୍ରସନ୍ନ ହୋଇଲେ ॥ ୩୨
ବୋଇଲେ ଗଙ୍ଗାଙ୍କୁ ଆଣିଲେ । ତୋ' ପିତୃ ନିସ୍ତରିବେ ଭଲେ ॥ ୩୩
ଗଙ୍ଗା ପ୍ରସନ୍ନେ ମୋତେ ଚାହିଁ । ମା' ତେଜ ଶିବ ପାରେ ସହି ॥ ୩୪
ଶିବ ଉବାଚ
ବୋଇଲେ ଧରିବି ମୁଁ ଶିରେ । ଜଟାକଳପ ଅଭ୍ୟନ୍ତରେ ॥ ୩୫
ଜାହ୍ମବୀ ରୁଦ୍ରର ବଚନେ । ତକ୍ଷଣେ ସ୍ରବିଲେ ଗଗନେ ॥ ୩୬
ସ୍ୱଭାବେ ବିଷ୍ଣୁପାଦଜଳ । ସୁ ପୁଣ୍ୟ ଶୁଚି ସୁନିର୍ମଳ ॥ ୩୭
ଜଳେ ପୂରିଲା ଜଟାଭାର । ଧାରାଏ ତିନ୍ତିଲା ଶରୀର ॥ ୩୮
ରୁଦ୍ର-ଶରୀରୁ ଜଳରାଶି । ବହିଲା ଭୂମିତଳେ ଆସି ॥ ୩୯
ଯେ ଗଙ୍ଗା ଭୁବନ-ପାବିନୀ । ତାହାଙ୍କୁ ଭଗୀରଥ ଘେନି ॥ ୪୦
ବସିଲା ବାୟୁବେଗ ରଥେ । ଗଙ୍ଗା ତାହାର ଅନୁପଥେ ॥ ୪୧
ପବିତ୍ର କରି ବେନିପାଶେ । ଲାଗିଲେ ଯେତେ ନଗ୍ର-ଦେଶେ ॥ ୪୨
ଧରଣୀ-ବିବରେ ପଶିଲେ । କପିଳ ଆଶ୍ରମେ ମିଳିଲେ ॥ ୪୩
ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରି । ତହୁଁ ଚଳିଲେ ଶୀଘ୍ର କରି ॥ ୪୪
ସଗର-ସୁତେ ଯହିଁ ମିଳି । ଅନଳେ ଯାଇଥିଲେ ଜଳି ॥ ୪୫
ଜଳ ପଶିଲା ତା'ଙ୍କ ମଧ୍ୟେ । ତକ୍ଷଣେ ପରମ ଆନନ୍ଦେ ॥ ୪୬
ଜ୍ୟୋତି ସ୍ୱରୂପେ ସ୍ୱର୍ଗେ ଗଲେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୪୭
କପିଳମୁନି କୋପାନଳ । ଦହଇ ଭୁବନ-ମଣ୍ତଳ ॥ ୪୮
ଯେ ଜଳ ସ୍ପରଶନ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥ ୪୯
ଅନନ୍ତ ଚରଣ ସ୍ପରଶେ । ଗଙ୍ଗା ସ୍ମରଣେ ପାପ ନାଶେ ॥ ୫୦
ସେ ଗଙ୍ଗାଜଳେ ଦେଇ ମନ । ଭବୁ ତରିଲେ ମୁନିଜନ ॥ ୫୧
ଏବେ ହୋ ଶୁଣ ପରୀକ୍ଷିତ । ସଗର-ବଂଶାନୁଚରିତ ॥ ୫୨
ସେ ଭଗୀରଥର ତନୟେ । ସ୍ୱଭାବେ ଶ୍ରୁତ ନାମ ବହେ ॥ ୫୩
ନାଭ ତାହାର ସୁତ ହୋଏ । ଅଶେଷ ଗୁଣ ଯା'ର ଦେହେ ॥ ୫୪
ସିନ୍ଧୁଦ୍ୱୀପ ତା'ର ନନ୍ଦନ । ତହୁଁ ଅୟୁତାୟୁ ଉତ୍ପନ୍ନ ॥ ୫୫
ତା' ସୁତ ଋତୁପର୍ଣ୍ଣ ଲେଖା । ନଳ ଯାହାର ପ୍ରାଣସଖା ॥ ୫୬
ଅକ୍ଷବିଦ୍ୟାରେ ଗରୁଟାଣ । ନଳକୁ ଶିଖାଇ ରାଜନ ॥ ୫୭
ଅଶ୍ୱବିଦ୍ୟାକୁ ନଳୁଁ ନେଇ । ବନେ ପଶିଲା ତପଧ୍ୟାୟି ॥ ୫୮
ତା'ର କୁମର ସର୍ବକାମ । ସ୍ୱଭାବେ ସର୍ବ ଗୁଣଧାମ ॥ ୫୯
ସୁଦାସ ତାହାର ସନ୍ତତି । ତା' ପୁତ୍ର ମଦୟନ୍ତୀ ପତି ॥ ୬୦
ତାହାର ମିତ୍ର ସହ ନାମ । କଳ୍ପାଷପାଦ ପୁଣି ନାମ ॥ ୬୧
ବଶିଷ୍ଠ ଗୁରୁ ଶାପ ପାଇଁ । ବନେ ରାକ୍ଷସ ଦେହ ବହି ॥ ୬୨
ସ୍ୱକର୍ମେ ଅପୁତ୍ର ହୋଇଲା । କୋପେ ବ୍ରାହ୍ମଣୀ ଶାପ ଦେଲା ॥ ୬୩
ଏ କଥା ଶୁକମୁଖୁଁ ଶୁଣି । ବୋଲେ ପରୀକ୍ଷ ନୃପମଣି ॥ ୬୪
ମହାତ୍ମା ସୌଦାସ କେମନ୍ତେ । ରାକ୍ଷସ ହୋଇଲା ବନସ୍ତେ ॥ ୬୫
କିବା ଅନୀତି ଆଚରିଲା । ଅପୁତ୍ର କିଗୁଣେ ହୋଇଲା ॥ ୬୬
ଏ କଥା କହ ମୁନିବର । ମୁଁ ଯେବେ ସେବକ ତୁମ୍ଭର ॥ ୬୭
ଶୁକ ଉବାଚ
ଶୁକ କହନ୍ତି ରାଜା ଚାହିଁ । ଶୁଣ ହୋ ସାବଧାନ ହୋଇ ॥ ୬୮
ସୌଦାସ ଚରିତ ଅଦ୍ଭୁତ । ଭଜିଲା କର୍ମର ଆୟତ୍ତ ॥ ୬୯
ବନେ ରାକ୍ଷସ ବେନିଭାଇ । ବୁଲନ୍ତି ନରମାଂସ ଖାଇ ॥ ୭୦
ସୌଦାସ ରାଜା ଶସ୍ତ୍ରହସ୍ତେ । ବନେ ପଶିଲା ପଶୁ ଅର୍ଥେ ॥ ୭୧
ସେ ବନେ ଥିଲେ ବେନିଭାଇ । ରାକ୍ଷସ ବ୍ୟାଘ୍ରରୂପ ହୋଇ ॥ ୭୨
ସେ ଦୁଇ ରାକ୍ଷସଙ୍କୁ ଦେଖି । ବାଣ ମାଇଲା ରାଜା ଲକ୍ଷ୍ୟି ॥ ୭୩
ବାଣେ ରାକ୍ଷସ ମରେ ଏକ । ତା'ର ଭାଇର କର୍ମ ଦେଖ ॥ ୭୪
ରାକ୍ଷସ ଭ୍ରାତୃବଧ ଦେଖି । ଅତ୍ୟନ୍ତ ହୋଇଲାକ ଦୁଃଖୀ ॥ ୭୫
ମନରେ ବିଚାର କରଇ । ଏ ଯେ ମାଇଲା ମୋର ଭାଇ ॥ ୭୬
ଏବେ ଏ ନିଜପୁରେ ଗଲେ । କରିବି ପ୍ରତିଫଳ ହେଳେ ॥ ୭୭
ଚିନ୍ତିଲା ପ୍ରତିକାର ମନେ । ମିଳିଲା ରାଜା ସନ୍ନିଧାନେ ॥ ୭୮
ବୋଲଇ ରାଜମୁଖ ଚାହିଁ । ତୁ ଯେ ମାଇଲୁ ମୋର ଭାଇ ॥ ୭୯
ତୁ ଏବେ ନିଜପୁରେ ଚଳ । ମୁହିଁ କରିବି ପ୍ରତିକାର ॥ ୮୦
ତଦନ୍ତେ ରାଜା ଗୃହେ ଗଲା । ଶୁଣ ହେ ଅଭିମନ୍ୟୁବଳା ॥ ୮୧
ଏମନ୍ତେ ଗଲା ଦିନାକେତେ । ବଶିଷ୍ଠ ନୃପତି ଅଗ୍ରତେ ॥ ୮୨
ମିଳିଲେ କ୍ଷୁଧାର କଷଣେ । ଆମିଷ ଭୋଜନ କାରଣେ ॥ ୮୩
ବୋଲନ୍ତି ନୃପତି ଅଗ୍ରତେ । ମାଂସ ଭୋଜନ ଦିଅ ମୋତେ ॥ ୮୪
ଏମନ୍ତ କହି ମୁନିଗଲେ । ସନ୍ଧ୍ୟାର ଅର୍ଥେ ଗଙ୍ଗାଜଳେ ॥ ୮୫
ବଶିଷ୍ଠ ଆଗମନ ଚାହିଁ । ସୂପକାରଙ୍କୁ ସେ ଅଣାଇଁ ॥ ୮୬
ବୋଲଇ ମାଂସ ପାକ କର । ଭୁଞ୍ଜିବେ ବ୍ରହ୍ମାଙ୍କ କୁମର ॥ ୮୭
ଶୁଣି ସୂପକାର ସୁଚିତ୍ତେ । ଆମିଷ ରାନ୍ଧିଲେ ତ୍ୱରିତେ ॥ ୮୮
ଉତ୍ତମ ପଶୁଙ୍କର ମାଂସ । ଯେଣେ ବଶିଷ୍ଠ ମନ ତୋଷ ॥ ୮୯
ସେ ମଧ୍ୟେ ସୂପକାର ରୂପେ । ରାକ୍ଷସ ଭାଇ ଥିଲା ଗୋପ୍ୟେ ॥ ୯୦
ସେ ନରମାଂସ ପାକ କରି । ସୁବର୍ଣ୍ଣପାତ୍ରେ ତାହା ଭରି ॥ ୯୧
ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । ଏମନ୍ତେ ବଶିଷ୍ଠ ମିଳିଲା ॥ ୯୨
ଭୋଜନେ ବସିଲେ ଆସନେ । ରାଜା ସମୀପେ ବିଧି ମାନ୍ୟେ ॥ ୯୩
ଏମନ୍ତେ ସୂପକାର ନେଲେ । ସୁବର୍ଣ୍ଣପାତ୍ରେ ମାଂସ ଦେଲେ ॥ ୯୪
ତକ୍ଷଣେ ମନୁଷ୍ୟର ମାଂସ । କରେ ଘେନିଲେ ଏକଗ୍ରାସ ॥ ୯୫
ଆଘ୍ରାଣ ନାସାରନ୍ଧ୍ରେ କଲେ । ତକ୍ଷଣେ ତଳେ ପକାଇଲେ ॥ ୯୬
ରାଜାର ବଦନ ଅନାଇଁ । ବୋଲନ୍ତି କୋପଭର ହୋଇ ॥ ୯୭
ମୋତେ ଯେ ଦେଲୁ ନରମାଂସ । ଏ ପାପେ ହୁଅ ତୁ ରାକ୍ଷସ ॥ ୯୮
ଅରଣ୍ୟେ ଦ୍ୱାଦଶ-ବରଷ । ଭକ୍ଷଣ କର ନରମାଂସ ॥ ୯୯
ଏମନ୍ତ ମୁନିବାକ୍ୟ ଶୁଣି । କୋପେ କମ୍ପିଲା ନୃପମଣି ॥ ୧୦୦
ବୋଲେ ମୁଁ ନୁହେଁ ଜ୍ଞାନଭ୍ରଂଶ । କେମନ୍ତେ ଦେଲି ନରମାଂସ ॥ ୧୦୧
ନ ଜାଣି ଶାପ ଦେଲ ଗୁରୁ । କେ ବ୍ରହ୍ମଶାପ ଆନ କରୁ ॥ ୧୦୨
ମୁଁ ଏବେ ପ୍ରତିଶାପ ଦେବି । ଏମନ୍ତ ବୁଦ୍ଧି ଚିତ୍ତେ ଭାବି ॥ ୧୦୩
ଜଳଅଞ୍ଜଳି କରେ କଲା । ବଶିଷ୍ଠ ଅଗ୍ରତେ ମିଳିଲା ॥ ୧୦୪
ରାଜାର କୋପ ଦେଖି ମନେ । ପତ୍ନୀ ମିଳିଲା ସନ୍ନିଧାନେ ॥ ୧୦୫
ତାହାର ମଦୟନ୍ତୀ ନାମ । ସକଳଗୁଣେ ଗୁଣଧାମ ॥ ୧୦୬
ବୋଲନ୍ତି ସ୍ୱାମୀ ମୁଖ ଚାହିଁ । ଏ କଥା ତୋତେ ନଘଟଇ ॥ ୧୦୭
ଗୁରୁଙ୍କ ଶିଷ୍ୟ ଶାପ ଦେଲେ । ଅଧର୍ମ ହୋଇବଟି ଭଲେ ॥ ୧୦୮
ଏ କଥା କେବେ ହେଁ ନ କର । ତା'ର ବଚନେ ନୃପବର ॥ ୧୦୯
ମନ୍ତ୍ରିତ ଜଳ କୋପଭରେ । ସିଞ୍ଚିଲା ଆପଣା ପୟରେ ॥ ୧୧୦
ତକ୍ଷଣେ ଅଜ୍ଞାନ ହୋଇଲା । କଳ୍ମାଷପାଦ ବୋଲାଇଲା ॥ ୧୧୧
କୋପେ ଚାହିଁଲା ଦଶଦିଶେ । ସକଳ ମାଂସ ପ୍ରାୟେ ଦିଶେ ॥ ୧୧୨
ତକ୍ଷଣେ ରାକ୍ଷସ ଶରୀରେ । ରାଜା ପଶିଲା ବନଘୋରେ ॥ ୧୧୩
ବନେ ରାକ୍ଷସ ଦେହବହି । ଭ୍ରମଇ ନରମାଂସ ଖାଇ ॥ ୧୧୪
ଏମନ୍ତେ ଗଲା କେତେଦିନ । ଶୁଣ ହେ ପରୀକ୍ଷ ରାଜନ ॥ ୧୧୫
ବିପ୍ରଦମ୍ପତି ଏକଦିନେ । ଆସନ୍ତି ଗହନ କାନନେ ॥ ୧୧୬
ପତ୍ନୀ ଯେ ପିତାଗୃହେ ଥିଲା । ଏମନ୍ତେ ଋତୁ ଉପୁଜିଲା ॥ ୧୧୭
ସେ ବିପ୍ର ପୁଷ୍ପୋତ୍ସବ ଆଶେ । ପତ୍ନୀ ଆଣନ୍ତେ ଗୃହବାସେ ॥ ୧୧୮
ସେ ବନେ ବିଧାତାର ବଳେ । ରାକ୍ଷସ ନିକଟେ ମିଳିଲେ ॥ ୧୧୯
ସ୍ୱଭାବେ ନିର୍ଜନ ବନସ୍ତ । ବୁଲନ୍ତି ହରାଇଣ ପଥ ॥ ୧୨୦
ସେ ରାଜା ଭୟଙ୍କର ରୂପେ । ମିଳିଲା ତାହାଙ୍କ ସମୀପେ ॥ ୧୨୧
ଗର୍ଜନ କରି ଭୟଙ୍କରେ । ବିପ୍ରକୁ ଧରି ବେନିକରେ ॥ ୧୨୨
ଭକ୍ଷଣେ ତୁ ବିସ୍ତାରଇ । ବ୍ରାହ୍ମଣୀ ବୋଲେ ତା'କୁ ଚାହିଁ ॥ ୧୨୩
ହେ ନୃପ ଅଧର୍ମ ନ କର । ଇକ୍ଷ୍ୱାକୁ ବଂଶେ ଯଶସ୍କର ॥ ୧୨୪
ତୁ ନୋହୁ ରାକ୍ଷସ-ଶରୀର । ପ୍ରତ୍ୟକ୍ଷେ ଦମୟନ୍ତୀ ବର ॥ ୧୨୫
ମୋ'ର ସ୍ୱାମୀଙ୍କି ଛାଡ଼ ତୁହି । ପୁଷ୍ପଉତ୍ସବ ମୋର ହୋଇ ॥ ୧୨୬
ସ୍ୱାମୀର ସଙ୍ଗେ ସଙ୍ଗ କରି । ପୁତ୍ର ସନ୍ତତି ଗର୍ଭେ ଧରି ॥ ୧୨୭
ସଂସାର ହୋଇବ ମୋହର । ଦୁର୍ଲ୍ଲଭ ନର କଳେବର ॥ ୧୨୮
ଦେବେ ବାଞ୍ଛନ୍ତି ଯାହା ଚିତ୍ତେ । ଏ କର୍ମ କରିବୁ କେମନ୍ତେ ॥ ୧୨୯
ଦେଖ ପଣ୍ତିତ ମୋ'ର ସ୍ୱାମୀ । ତପ ସାଧନେ ପଥଶ୍ରମୀ ॥ ୧୩୦
ଏ ସର୍ବଭୂତେ ଦୟା ବହେ । ଦେବେ ବସନ୍ତି ଏହା ଦେହେ ॥ ୧୩୧
ଏହାର ବଧେ ସୃଷ୍ଟି ବଧ । ଏ ମଲେ ଲଭିବୁ ପ୍ରମାଦ ॥ ୧୩୨
ଏ କଥା ଯେବେ ମଣୁ ମିଛ । ତୁ ମୋତେ ଆଗ କରି ଭକ୍ଷ ॥ ୧୩୩
ମୋହର ଆଗେ ସ୍ୱାମୀ ମଲେ । ଜୀବନ ନ ଧରିବି ଭଲେ ॥ ୧୩୪
ଏମନ୍ତେ ଅନେକ କହିଲା । ତାହାର ଚରଣେ ପଡ଼ିଲା ॥ ୧୩୫
କାନ୍ଦଇ ପତିମୁଖ ଚାହିଁ । ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ॥ ୧୩୬
ବଶିଷ୍ଠ ଶାପେ ଜ୍ଞାନ ଗଲା । ତକ୍ଷଣେ ବିପ୍ରକୁ ଭକ୍ଷିଲା ॥ ୧୩୭
ସ୍ୱାମୀମରଣ ଦେଖି କୋପେ । ରାକ୍ଷସେ ଚାହିଁ ମନସ୍ତାପେ ॥ ୧୩୮
ବୋଲଇ ଶୁଣରେ ପାମର । ସ୍ୱାମୀଙ୍କି ନାଶିଲୁ ମୋହର ॥ ୧୩୯
ତୋହର ପତ୍ନୀ ସଙ୍ଗକାଳେ । ପ୍ରାଣ ତୁ ଛାଡ଼ ଅନ୍ତରାଳେ ॥ ୧୪୦
ଏମନ୍ତ ଶାପ ତା'କୁ ଦେଇ । ପଶିଲା ଅଗ୍ନିକୁଣ୍ତେ ଯାଇ ॥ ୧୪୧
ତକ୍ଷଣେ ଜୀବନ ଛାଡ଼ିଲା । ସ୍ୱଧର୍ମେ ପତି ସଙ୍ଗେ ଗଲା ॥ ୧୪୨
ଏମନ୍ତେ ମୁନି-ଶାପ-ଦୋଷ । ପୂରିଲା ଦ୍ୱାଦଶବରଷ ॥ ୧୪୩
ଶାପୁଁ ମୁକତ ରାଜା ହୋଇ । ମିଳିଲା ଅନ୍ତଃପୁରେ ଯାଇ ॥ ୧୪୪
ପତ୍ନୀ ସଙ୍ଗମ ଚିତ୍ତେ ଚିନ୍ତି । ତା' ଦେଖି ବୋଲେ ଦମୟନ୍ତୀ ॥ ୧୪୫
ବ୍ରାହ୍ମଣୀ ଶାପ ଦେଲା ତୋତେ । ମୋ' ଅଙ୍ଗ ଛୁଇଁବୁ କେମନ୍ତେ ॥ ୧୪୬
ସ୍ତିରୀ ମୈଥୁନ ଆଶା ତେଜ । ଜୀବନେ ଯେବେ ଅଛି କାର୍ଯ୍ୟ ॥ ୧୪୭
ଏମନ୍ତେ ତାହାର ବଚନେ । ରାଜା ବିଚାରେ ଦୁଃଖମନେ ॥ ୧୪୮
କେମନ୍ତେ ହୋଇବ ସନ୍ତତି । ନାନା ଉପାୟ ମନେ ଚିନ୍ତି ॥ ୧୪୯
ବଶିଷ୍ଠ ସମୀପେ ମିଳିଲା । ମୋ' ବଂଶ ରଖ ତୁ ବୋଇଲା ॥ ୧୫୦
ଏମନ୍ତେ ରାଜାର ବଚନେ । ତା'ର କାମିନୀ ଗର୍ଭଧାନେ ॥ ୧୫୧
ବଶିଷ୍ଠ ସଙ୍ଗେ ସଙ୍ଗ କରି । ଗର୍ଭ ହୋଇଲା ତା'ର ନାରୀ ॥ ୧୫୨
ସେ ଗର୍ଭ ସପତ-ବରଷେ । ଜନ୍ମ ନୋହିଲା ବୋଲି ରୋଷେ ॥ ୧୫୩
ଅଶ୍ମ ପ୍ରହାର ଗର୍ଭେ କଲା । ତକ୍ଷଣେ ପୁତ୍ର ଉପୁଜିଲା ॥ ୧୫୪
ନାମ ତା ଅଶ୍ମକ ହୋଇଲା । ଯେଣୁ ଅଶ୍ମଘାତ ବାଜିଲା ॥ ୧୫୫
ମୂଳକ ଅଶ୍ମକ ନନ୍ଦନ । ନାରୀକବଚ ତା'ର ନାମ ॥ ୧୫୬
ପରଶୁରାମ କ୍ଷୟ ବେଳେ । ସୁଖେ ରଖିଲା କ୍ଷତ୍ରିକୁଳେ ॥ ୧୫୭
ତାହାର ପୁତ୍ର ଦଶରଥ । ଐଡ଼ବିଡ଼ ଯେ ତା'ର ସୁତ ॥ ୧୫୮
ତା'ଠାରୁ ହେଲା ଉତପତ୍ତି । ଯେ ବିଶ୍ୱସହ ନରପତି ॥ ୧୫୯
ଖଟ୍ୱାଙ୍ଗ ତାହାର କୁମର । ଯୁଦ୍ଧେ ରଖିଲା ପୁରନ୍ଦର ॥ ୧୬୦
ସେ ମହୀତଳେ ଚକ୍ରବର୍ତ୍ତୀ । ଶୁଣ ରାଜନ ତା'ର ଗତି ॥ ୧୬୧
ଅସୁର ଯୁଦ୍ଧେ ଦେବଗଣେ । ତା'ଙ୍କୁ ବରିଲେ ଯୋଦ୍ଧାପଣେ ॥ ୧୬୨
ସେ ପୁଣି ରିପୁ ଜିଣି ଯୁଦ୍ଧେ । ମେଲାଣି ଇଚ୍ଛେ ଦେବମଧ୍ୟେ ॥ ୧୬୩
ଦେବେ ବୋଲନ୍ତି ରାଜା ଚାହିଁ । ଯେ ବର ଇଚ୍ଛା ମାଗ ତୁହି ॥ ୧୬୪
ରାଜା ବୋଲଇ ଇନ୍ଦ୍ର ଚାହିଁ । ବର କଳ୍ପିତ ମୋ'ର ନାହିଁ ॥ ୧୬୫
ଇନ୍ଦ୍ର ତାହାର ମୁଖ ଚାହିଁ । ବୋଇଲେ ତୁ ଯିବୁ କିପାଇଁ ॥ ୧୬୬
ମୁହୂର୍ତ୍ତେ ଅଛି ତୋ ଜୀବନ । ତା' ଶୁଣି ବୋଲଇ ରାଜନ ॥ ୧୬୭
ମୋହର ସ୍ୱର୍ଗେ କାର୍ଯ୍ୟ ନାହିଁ । କର୍ମଭୂମିକି ଯିବି ମୁହିଁ ॥ ୧୬୮
ଏମନ୍ତ ଇନ୍ଦ୍ର ଆଗ କହି । ମିଳିଲେ ନିଜପୁରେ ଯାଇ ॥ ୧୬୯
ମନ ନିବେଶି ହରିପାଦେ । ରୋମପୁଲକେ ଗଦଗଦେ ॥ ୧୭୦
ତକ୍ଷଣେ ରାଇ ଜନପ୍ରଜା । ଭୁଜ ଉଭାରି ବୋଲେ ରାଜା ॥ ୧୭୧
ମୁଁ ଯେ ବ୍ରହ୍ମଣ୍ୟ କୁଳେ ଜାତ । ବ୍ରାହ୍ମଣ ମୋର ଦଇବତ ॥ ୧୭୨
ଯେବା ଅଛଇ ମୋର ଧନ । ଦାରା-ତନୟ-ବନ୍ଧୁଜନ ॥ ୧୭୩
ଏ ସର୍ବ ହରି-ନିବେଦନ । ଶୁଣ ସକଳ ସାବଧାନ ॥ ୧୭୪
ସତ୍ୟ ମୁଁ କିଛି ନ ଦେଖୁଛି । ବିଷ୍ଣୁଙ୍କ ଠାରୁ ଅନ୍ୟ କିଛି ॥ ୧୭୫
ମୋ ମତି ଧର୍ମ ବ୍ୟତିରେକେ । ହରିଙ୍କି ସର୍ବଭୂତେ ଦେଖେ ॥ ୧୭୬
ଯେ ତିନି ଭୁବନେ ଈଶ୍ୱର । ଇନ୍ଦ୍ର ଯାଚିଲେ ମୋତେ ବର ॥ ୧୭୭
ଏ ବର ଯେବେ ସେ ପ୍ରମାଣେ । ମୋ' ଚିତ୍ତ ରହୁ ନାରାୟଣେ ॥ ୧୭୮
ବିଷ୍ଣୁର ମାୟାରେ ଜଗତ । ଦିଶଇ ଇନ୍ଦ୍ରଜାଲ ମତ ॥ ୧୭୯
ସେ ମାୟା ଛାଡ଼ି ହରିପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥ ୧୮୦
ଏମନ୍ତ କହି ନୃପରାଣ । ତକ୍ଷଣେ ହାରିଲା ଜୀବନ ॥ ୧୮୧
ନିସ୍ତରି ଗଲା ମାୟାମୋହେ । ପଶିଲା ଗୋବିନ୍ଦର ଦେହେ ॥ ୧୮୨
ନିର୍ମଳ ବିଷ୍ଣୁର ଚରିତ । ସୁଜନ ଶୁଣ ଅବିରତ ॥ ୧୮୩
ବିଷୟା ବିଷକୁ ଅମୃତ । ଏଣେ ଯେ ହୋଇବ ମୁକତ ॥ ୧୮୪
ଶୁଣି ପୁରାଣ ଭାଗବତ । ଭାବ ହୋଇବ କୃତକୃତ୍ୟ ॥ ୧୮୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ନବମୋଽଧ୍ୟାୟଃ ॥
* * *