ନବମ ସ୍କନ୍ଧ

ନବମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନୃପମଣି । କପିଳ ମୁଖୁଁ ବାକ୍ୟ ଶୁଣି ॥

ସେ ଅଂଶୁମାନ ଘୋର ବନେ । ବସିଲା ନିଶ୍ଚଳ ଆସନେ ॥

ମନପବନ ସଂଯମନେ । ସଂକଳ୍ପ ଗଙ୍ଗାର ଆଗମେ ॥

ଅନେକ କାଳ ତପ କଲା । ସେ ବନେ ପ୍ରାଣ ଉତ୍ସ›ର୍ଗିଲା ॥

ତଦନ୍ତେ ତା' ପୁତ୍ର ଦିଲୀପ । ଗଙ୍ଗାର ଅର୍ଥେ କଲା ତପ ॥

ତଥାପି ଗଙ୍ଗା ନ ପାଇଲା । କାଳର ବଶେ ନାଶ ଗଲା ॥

ତା'ର କୁମର ଭଗୀରଥ । ଗଙ୍ଗା ଆଗମେ ତପଚିତ୍ତ ॥

ସେ ତପ କଲା ଘୋରବନେ । ବସିଲା ନିଶ୍ଚଳ ଆସନେ ॥

ତାହାର ତପବଳ ଭାବି । ସନ୍ତୋଷେ ମିଳିଲେ ଜାହ୍ନବୀ ॥

ବୋଲନ୍ତି ପ୍ରସନ୍ନ ବଦନେ । ବର ତୁ ମାଗ ତୋଷମନେ ॥ ୧୦

ତକ୍ଷଣେ ଶିରେ ଦେଇ କର । ବୋଲେ ମୋ' ପିତୃଙ୍କୁ ଉଦ୍ଧର ॥ ୧୧

କପିଳ ତେଜେ ଦଗ୍ଧ ହୋଇ । ତୋ' ବିନୁ ତା'ଙ୍କ ଗତି ନାହିଁ ॥ ୧୨

ଶୁଣି ବୋଲନ୍ତି ଭଗବତୀ । କେ ସହି ପାରିବ ମୋ' ଗତି ॥ ୧୩

ଗଗନୁ ଭୂମିରେ ପଡ଼ନ୍ତେ । ମହୀ ନ ଶିବ ମୋ'ର ଘାତେ ॥ ୧୪

ପାତାଳେ ପଡ଼ିବି ଯେ ମୁହିଁ । ମୋ' ଉଦ୍ଧାରଣେ କେହି ନାହିଁ ॥ ୧୫

କି ଅବା ଭୂମିକି ମୁଁ ଗଲେ । ମନୁଷ୍ୟେ ମୋ'ର ତହିଁ ଭଲେ ॥ ୧୬

ଧୋଇବେ ପାପ ତାହା ମୁହିଁ । ଧୋଇବି କାହିଁ ଚିନ୍ତ ତୁହି ॥ ୧୭

ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ । ନ ଗଲେ ନାହିଁ ପରିତ୍ରାଣ ॥ ୧୮

ଏମନ୍ତ ଗଙ୍ଗା ବାକ୍ୟ ଶୁଣି । ରାଜା ବୋଲନ୍ତି ମନେ ଗୁଣି ॥ ୧୯

ଭାଗୀରଥ ଉବାଚ

ସାଧୁ ସନ୍ନ୍ୟାସୀ ଶାନ୍ତ ଦାନ୍ତ । ବ୍ରହ୍ମିଷ୍ଠ ଶୁଚି ଦୟାବନ୍ତ ॥ ୨୦

ଏହାଙ୍କ ଅଙ୍ଗସଙ୍ଗ ଫଳେ । ପାପ ହରଇ ଭୂମିତଳେ ॥ ୨୧

ତୁମ୍ଭର ପାପ ବିନାଶନେ । କ୍ଷମ କି ନୋହିବେ ସେମାନେ ॥ ୨୨

ତୋ' ବେଗ ରୁଦ୍ର ଅବା ସହେ । ଯେ ହର ବିଶ୍ୱଆତ୍ମା ବହେ ॥ ୨୩

ରୁଦ୍ରର ଦେହେ ଏ ଜଗତ । ବସନ ପ୍ରାୟେ ଓତଃପ୍ରୋତ ॥ ୨୪

ତୋହର ବେଗ ସହିବାରେ । ତା' ବିନୁ ଅଛି କେ ଅପରେ ॥ ୨୫

ଗଙ୍ଗା ବୋଇଲେ ଏଟି ସତ୍ୟ । ବେଗେ ତୁ ସେବ ବିଶ୍ୱନାଥ ॥ ୨୬

ଏମନ୍ତ ଗଙ୍ଗ-ବାକ୍ୟ ଶୁଣି । ଆନନ୍ଦେ ଗଲା ନୃପମଣି ॥ ୨୭

ସେବିଲା ଈଶ୍ୱର ଚରଣେ । ପିତୃଙ୍କ ଉଦ୍ଧାର କାରଣେ ॥ ୨୮

ସେ ଭଗୀରଥ ପୁଣ୍ୟବଳେ । ଶିବ ସନ୍ତୋଷ ଅଳ୍ପକାଳେ ॥ ୨୯

ହେ ଭଗୀରଥ ମାଗ ବର । ଦେବଇଁ ସତ୍ୟ ଏ ମୋହର ॥ ୩୦

ହେ ଦେବ ଶୁଣ ଶୂଳପାଣି । ମୋ' ପିତାମହଙ୍କ କାହାଣୀ ॥ ୩୧

କପିଳ କୋପେ ସେ ଜଳିଲେ । ମୋତେ ସେ ପ୍ରସନ୍ନ ହୋଇଲେ ॥ ୩୨

ବୋଇଲେ ଗଙ୍ଗାଙ୍କୁ ଆଣିଲେ । ତୋ' ପିତୃ ନିସ୍ତରିବେ ଭଲେ ॥ ୩୩

ଗଙ୍ଗା ପ୍ରସନ୍ନେ ମୋତେ ଚାହିଁ । ମା' ତେଜ ଶିବ ପାରେ ସହି ॥ ୩୪

ଶିବ ଉବାଚ

ବୋଇଲେ ଧରିବି ମୁଁ ଶିରେ । ଜଟାକଳପ ଅଭ୍ୟନ୍ତରେ ॥ ୩୫

ଜାହ୍ମବୀ ରୁଦ୍ରର ବଚନେ । ତକ୍ଷଣେ ସ୍ରବିଲେ ଗଗନେ ॥ ୩୬

ସ୍ୱଭାବେ ବିଷ୍ଣୁପାଦଜଳ । ସୁ ପୁଣ୍ୟ ଶୁଚି ସୁନିର୍ମଳ ॥ ୩୭

ଜଳେ ପୂରିଲା ଜଟାଭାର । ଧାରାଏ ତିନ୍ତିଲା ଶରୀର ॥ ୩୮

ରୁଦ୍ର-ଶରୀରୁ ଜଳରାଶି । ବହିଲା ଭୂମିତଳେ ଆସି ॥ ୩୯

ଯେ ଗଙ୍ଗା ଭୁବନ-ପାବିନୀ । ତାହାଙ୍କୁ ଭଗୀରଥ ଘେନି ॥ ୪୦

ବସିଲା ବାୟୁବେଗ ରଥେ । ଗଙ୍ଗା ତାହାର ଅନୁପଥେ ॥ ୪୧

ପବିତ୍ର କରି ବେନିପାଶେ । ଲାଗିଲେ ଯେତେ ନଗ୍ର-ଦେଶେ ॥ ୪୨

ଧରଣୀ-ବିବରେ ପଶିଲେ । କପିଳ ଆଶ୍ରମେ ମିଳିଲେ ॥ ୪୩

ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରି । ତହୁଁ ଚଳିଲେ ଶୀଘ୍ର କରି ॥ ୪୪

ସଗର-ସୁତେ ଯହିଁ ମିଳି । ଅନଳେ ଯାଇଥିଲେ ଜଳି ॥ ୪୫

ଜଳ ପଶିଲା ତା'ଙ୍କ ମଧ୍ୟେ । ତକ୍ଷଣେ ପରମ ଆନନ୍ଦେ ॥ ୪୬

ଜ୍ୟୋତି ସ୍ୱରୂପେ ସ୍ୱର୍ଗେ ଗଲେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୪୭

କପିଳମୁନି କୋପାନଳ । ଦହଇ ଭୁବନ-ମŠଣ୍ତଳ ॥ ୪୮

ଯେ ଜଳ ସ୍ପରଶନ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥ ୪୯

ଅନନ୍ତ ଚରଣ ସ୍ପରଶେ । ଗଙ୍ଗା ସ୍ମରଣେ ପାପ ନାଶେ ॥ ୫୦

ସେ ଗଙ୍ଗାଜଳେ ଦେଇ ମନ । ଭବୁ ତରିଲେ ମୁନିଜନ ॥ ୫୧

ଏବେ ହୋ ଶୁଣ ପରୀକ୍ଷିତ । ସଗର-ବଂଶାନୁଚରିତ ॥ ୫୨

ସେ ଭଗୀରଥର ତନୟେ । ସ୍ୱଭାବେ ଶ୍ରୁତ ନାମ ବହେ ॥ ୫୩

ନାଭ ତାହାର ସୁତ ହୋଏ । ଅଶେଷ ଗୁଣ ଯା'ର ଦେହେ ॥ ୫୪

ସିନ୍ଧୁଦ୍ୱୀପ ତା'ର ନନ୍ଦନ । ତହୁଁ ଅୟୁତାୟୁ ଉତ୍ପନ୍ନ ॥ ୫୫

ତା' ସୁତ ଋତୁପ‰ର୍ଣ୍ଣ ଲେଖା । ନଳ ଯାହାର ପ୍ରାଣସଖା ॥ ୫୬

ଅକ୍ଷବିଦ୍ୟାରେ ଗରୁଟାଣ । ନଳକୁ ଶିଖାଇ ରାଜନ ॥ ୫୭

ଅଶ୍ୱବିଦ୍ୟାକୁ ନଳୁଁ ନେଇ । ବନେ ପଶିଲା ତପଧ୍ୟାୟି ॥ ୫୮

ତା'ର କୁମର ସର୍ବକାମ । ସ୍ୱଭାବେ ସର୍ବ ଗୁଣଧାମ ॥ ୫୯

ସୁଦାସ ତାହାର ସନ୍ତତି । ତା' ପୁତ୍ର ମଦୟନ୍ତୀ ପତି ॥ ୬୦

ତାହାର ମିତ୍ର ସହ ନାମ । କଳ୍ପାଷପାଦ ପୁଣି ନାମ ॥ ୬୧

ବଶିଷ୍ଠ ଗୁରୁ ଶାପ ପାଇଁ । ବନେ ରାକ୍ଷସ ଦେହ ବହି ॥ ୬୨

ସ୍ୱକର୍ମେ ଅପୁତ୍ର ହୋଇଲା । କୋପେ ବ୍ରାହ୍ମଣୀ ଶାପ ଦେଲା ॥ ୬୩

ଏ କଥା ଶୁକମୁଖୁଁ ଶୁଣି । ବୋଲେ ପରୀକ୍ଷ ନୃପମଣି ॥ ୬୪

ମହାତ୍ମା ସୌଦାସ କେମନ୍ତେ । ରାକ୍ଷସ ହୋଇଲା ବନସ୍ତେ ॥ ୬୫

କିବା ଅନୀତି ଆଚରିଲା । ଅପୁତ୍ର କିଗୁଣେ ହୋଇଲା ॥ ୬୬

ଏ କଥା କହ ମୁନିବର । ମୁଁ ଯେବେ ସେବକ ତୁମ୍ଭର ॥ ୬୭

ଶୁକ ଉବାଚ

ଶୁକ କହନ୍ତି ରାଜା ଚାହିଁ । ଶୁଣ ହୋ ସାବଧାନ ହୋଇ ॥ ୬୮

ସୌଦାସ ଚରିତ ଅଦ୍ଭୁତ । ଭଜିଲା କର୍ମର ଆୟତ୍ତ ॥ ୬୯

ବନେ ରାକ୍ଷସ ବେନିଭାଇ । ବୁଲନ୍ତି ନରମାଂସ ଖାଇ ॥ ୭୦

ସୌଦାସ ରାଜା ଶସ୍ତ୍ରହସ୍ତେ । ବନେ ପଶିଲା ପଶୁ ଅର୍ଥେ ॥ ୭୧

ସେ ବନେ ଥିଲେ ବେନିଭାଇ । ରାକ୍ଷସ ବ୍ୟାଘ୍ରରୂପ ହୋଇ ॥ ୭୨

ସେ ଦୁଇ ରାକ୍ଷସଙ୍କୁ ଦେଖି । ବାଣ ମାଇଲା ରାଜା ଲକ୍ଷ୍ୟି ॥ ୭୩

ବାଣେ ରାକ୍ଷସ ମରେ ଏକ । ତା'ର ଭାଇର କର୍ମ ଦେଖ ॥ ୭୪

ରାକ୍ଷସ ଭ୍ରାତୃବଧ ଦେଖି । ଅତ୍ୟନ୍ତ ହୋଇଲାକ ଦୁଃଖୀ ॥ ୭୫

ମନରେ ବିଚାର କରଇ । ଏ ଯେ ମାଇଲା ମୋର ଭାଇ ॥ ୭୬

ଏବେ ଏ ନିଜପୁରେ ଗଲେ । କରିବି ପ୍ରତିଫଳ ହେଳେ ॥ ୭୭

ଚିନ୍ତିଲା ପ୍ରତିକାର ମନେ । ମିଳିଲା ରାଜା ସନ୍ନିଧାନେ ॥ ୭୮

ବୋଲଇ ରାଜମୁଖ ଚାହିଁ । ତୁ ଯେ ମାଇଲୁ ମୋର ଭାଇ ॥ ୭୯

ତୁ ଏବେ ନିଜପୁରେ ଚଳ । ମୁହିଁ କରିବି ପ୍ରତିକାର ॥ ୮୦

ତଦନ୍ତେ ରାଜା ଗୃହେ ଗଲା । ଶୁଣ ହେ ଅଭିମନ୍ୟୁବଳା ॥ ୮୧

ଏମନ୍ତେ ଗଲା ଦିନାକେତେ । ବଶିଷ୍ଠ ନୃପତି ଅଗ୍ରତେ ॥ ୮୨

ମିଳିଲେ କ୍ଷୁଧାର କଷଣେ । ଆମିଷ ଭୋଜନ କାରଣେ ॥ ୮୩

ବୋଲନ୍ତି ନୃପତି ଅଗ୍ରତେ । ମାଂସ ଭୋଜନ ଦିଅ ମୋତେ ॥ ୮୪

ଏମନ୍ତ କହି ମୁନିଗଲେ । ସନ୍ଧ୍ୟାର ଅର୍ଥେ ଗଙ୍ଗାଜଳେ ॥ ୮୫

ବଶିଷ୍ଠ ଆଗମନ ଚାହିଁ । ସୂପକାରଙ୍କୁ ସେ ଅଣାଇଁ ॥ ୮୬

ବୋଲଇ ମାଂସ ପାକ କର । ଭୁଞ୍ଜିବେ ବ୍ରହ୍ମାଙ୍କ କୁମର ॥ ୮୭

ଶୁଣି ସୂପକାର ସୁଚିତ୍ତେ । ଆମିଷ ରାନ୍ଧିଲେ ତ୍ୱରିତେ ॥ ୮୮

ଉତ୍ତମ ପଶୁଙ୍କର ମାଂସ । ଯେଣେ ବଶିଷ୍ଠ ମନ ତୋଷ ॥ ୮୯

ସେ ମଧ୍ୟେ ସୂପକାର ରୂପେ । ରାକ୍ଷସ ଭାଇ ଥିଲା ଗୋପ୍ୟେ ॥ ୯୦

ସେ ନରମାଂସ ପାକ କରି । ସୁବ‰ର୍ଣ୍ଣପାତ୍ରେ ତାହା ଭରି ॥ ୯୧

ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । ଏମନ୍ତେ ବଶିଷ୍ଠ ମିଳିଲା ॥ ୯୨

ଭୋଜନେ ବସିଲେ ଆସନେ । ରାଜା ସମୀପେ ବିଧି ମାନ୍ୟେ ॥ ୯୩

ଏମନ୍ତେ ସୂପକାର ନେଲେ । ସୁବ‰ର୍ଣ୍ଣପାତ୍ରେ ମାଂସ ଦେଲେ ॥ ୯୪

ତକ୍ଷଣେ ମନୁଷ୍ୟର ମାଂସ । କରେ ଘେନିଲେ ଏକଗ୍ରାସ ॥ ୯୫

ଆଘ୍ରାଣ ନାସାରନ୍ଧ୍ରେ କଲେ । ତକ୍ଷଣେ ତଳେ ପକାଇଲେ ॥ ୯୬

ରାଜାର ବଦନ ଅନାଇଁ । ବୋଲନ୍ତି କୋପଭର ହୋଇ ॥ ୯୭

ମୋତେ ଯେ ଦେଲୁ ନରମାଂସ । ଏ ପାପେ ହୁଅ ତୁ ରାକ୍ଷସ ॥ ୯୮

ଅରଣ୍ୟେ ଦ୍ୱାଦଶ-ବରଷ । ଭକ୍ଷଣ କର ନରମାଂସ ॥ ୯୯

ଏମନ୍ତ ମୁନିବାକ୍ୟ ଶୁଣି । କୋପେ କମ୍ପିଲା ନୃପମଣି ॥ ୧୦୦

ବୋଲେ ମୁଁ ନୁହେଁ ଜ୍ଞାନଭ୍ରଂଶ । କେମନ୍ତେ ଦେଲି ନରମାଂସ ॥ ୧୦୧

ନ ଜାଣି ଶାପ ଦେଲ ଗୁରୁ । କେ ବ୍ରହ୍ମଶାପ ଆନ କରୁ ॥ ୧୦୨

ମୁଁ ଏବେ ପ୍ରତିଶାପ ଦେବି । ଏମନ୍ତ ବୁଦ୍ଧି ଚିତ୍ତେ ଭାବି ॥ ୧୦୩

ଜଳଅଞ୍ଜଳି କରେ କଲା । ବଶିଷ୍ଠ ଅଗ୍ରତେ ମିଳିଲା ॥ ୧୦୪

ରାଜାର କୋପ ଦେଖି ମନେ । ପତ୍ନୀ ମିଳିଲା ସନ୍ନିଧାନେ ॥ ୧୦୫

ତାହାର ମଦୟନ୍ତୀ ନାମ । ସକଳଗୁଣେ ଗୁଣଧାମ ॥ ୧୦୬

ବୋଲନ୍ତି ସ୍ୱାମୀ ମୁଖ ଚାହିଁ । ଏ କଥା ତୋତେ ନଘଟଇ ॥ ୧୦୭

ଗୁରୁଙ୍କ ଶିଷ୍ୟ ଶାପ ଦେଲେ । ଅଧର୍ମ ହୋଇବଟି ଭଲେ ॥ ୧୦୮

ଏ କଥା କେବେ ହେଁ ନ କର । ତା'ର ବଚନେ ନୃପବର ॥ ୧୦୯

ମନ୍ତ୍ରିତ ଜଳ କୋପଭରେ । ସିଞ୍ଚିଲା ଆପଣା ପୟରେ ॥ ୧୧୦

ତକ୍ଷଣେ ଅଜ୍ଞାନ ହୋଇଲା । କଳ୍ମାଷପାଦ ବୋଲାଇଲା ॥ ୧୧୧

କୋପେ ଚାହିଁଲା ଦଶଦିଶେ । ସକଳ ମାଂସ ପ୍ରାୟେ ଦିଶେ ॥ ୧୧୨

ତକ୍ଷଣେ ରାକ୍ଷସ ଶରୀରେ । ରାଜା ପଶିଲା ବନଘୋରେ ॥ ୧୧୩

ବନେ ରାକ୍ଷସ ଦେହବହି । ଭ୍ରମଇ ନରମାଂସ ଖାଇ ॥ ୧୧୪

ଏମନ୍ତେ ଗଲା କେତେଦିନ । ଶୁଣ ହେ ପରୀକ୍ଷ ରାଜନ ॥ ୧୧୫

ବିପ୍ରଦମ୍ପତି ଏକଦିନେ । ଆସନ୍ତି ଗହନ କାନନେ ॥ ୧୧୬

ପତ୍ନୀ ଯେ ପିତାଗୃହେ ଥିଲା । ଏମନ୍ତେ ଋତୁ ଉପୁଜିଲା ॥ ୧୧୭

ସେ ବିପ୍ର ପୁଷ୍ପୋତ୍ସ›ବ ଆଶେ । ପତ୍ନୀ ଆଣନ୍ତେ ଗୃହବାସେ ॥ ୧୧୮

ସେ ବନେ ବିଧାତାର ବଳେ । ରାକ୍ଷସ ନିକଟେ ମିଳିଲେ ॥ ୧୧୯

ସ୍ୱଭାବେ ନିର୍ଜନ ବନସ୍ତ । ବୁଲନ୍ତି ହରାଇଣ ପଥ ॥ ୧୨୦

ସେ ରାଜା ଭୟଙ୍କର ରୂପେ । ମିଳିଲା ତାହାଙ୍କ ସମୀପେ ॥ ୧୨୧

ଗର୍ଜନ କରି ଭୟଙ୍କରେ । ବିପ୍ରକୁ ଧରି ବେନିକରେ ॥ ୧୨୨

ଭକ୍ଷଣେ ତୁŠ ବିସ୍ତାରଇ । ବ୍ରାହ୍ମଣୀ ବୋଲେ ତା'କୁ ଚାହିଁ ॥ ୧୨୩

ହେ ନୃପ ଅଧର୍ମ ନ କର । ଇକ୍ଷ୍ୱାକୁ ବଂଶେ ଯଶସ୍କର ॥ ୧୨୪

ତୁ ନୋହୁ ରାକ୍ଷସ-ଶରୀର । ପ୍ରତ୍ୟକ୍ଷେ ଦମୟନ୍ତୀ ବର ॥ ୧୨୫

ମୋ'ର ସ୍ୱାମୀଙ୍କି ଛାଡ଼ ତୁହି । ପୁଷ୍ପଉତ୍ସ›ବ ମୋର ହୋଇ ॥ ୧୨୬

ସ୍ୱାମୀର ସଙ୍ଗେ ସଙ୍ଗ କରି । ପୁତ୍ର ସନ୍ତତି ଗର୍ଭେ ଧରି ॥ ୧୨୭

ସଂସାର ହୋଇବ ମୋହର । ଦୁର୍ଲ୍ଲଭ ନର କଳେବର ॥ ୧୨୮

ଦେବେ ବା‚ଞ୍ଛନ୍ତି ଯାହା ଚିତ୍ତେ । ଏ କର୍ମ କରିବୁ କେମନ୍ତେ ॥ ୧୨୯

ଦେଖ ପŠଣ୍ତିତ ମୋ'ର ସ୍ୱାମୀ । ତପ ସାଧନେ ପଥଶ୍ରମୀ ॥ ୧୩୦

ଏ ସର୍ବଭୂତେ ଦୟା ବହେ । ଦେବେ ବସନ୍ତି ଏହା ଦେହେ ॥ ୧୩୧

ଏହାର ବଧେ ସୃଷ୍ଟି ବଧ । ଏ ମଲେ ଲଭିବୁ ପ୍ରମାଦ ॥ ୧୩୨

ଏ କଥା ଯେବେ ମଣୁ ମିଛ । ତୁ ମୋତେ ଆଗ କରି ଭକ୍ଷ ॥ ୧୩୩

ମୋହର ଆଗେ ସ୍ୱାମୀ ମଲେ । ଜୀବନ ନ ଧରିବି ଭଲେ ॥ ୧୩୪

ଏମନ୍ତେ ଅନେକ କହିଲା । ତାହାର ଚରଣେ ପଡ଼ିଲା ॥ ୧୩୫

କାନ୍ଦଇ ପତିମୁଖ ଚାହିଁ । ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ॥ ୧୩୬

ବଶିଷ୍ଠ ଶାପେ ଜ୍ଞାନ ଗଲା । ତକ୍ଷଣେ ବିପ୍ରକୁ ଭକ୍ଷିଲା ॥ ୧୩୭

ସ୍ୱାମୀମରଣ ଦେଖି କୋପେ । ରାକ୍ଷସେ ଚାହିଁ ମନସ୍ତାପେ ॥ ୧୩୮

ବୋଲଇ ଶୁଣରେ ପାମର । ସ୍ୱାମୀଙ୍କି ନାଶିଲୁ ମୋହର ॥ ୧୩୯

ତୋହର ପତ୍ନୀ ସଙ୍ଗକାଳେ । ପ୍ରାଣ ତୁ ଛାଡ଼ ଅନ୍ତରାଳେ ॥ ୧୪୦

ଏମନ୍ତ ଶାପ ତା'କୁ ଦେଇ । ପଶିଲା ଅଗ୍ନିକୁଣ୍ତେ ଯାଇ ॥ ୧୪୧

ତକ୍ଷଣେ ଜୀବନ ଛାଡ଼ିଲା । ସ୍ୱଧର୍ମେ ପତି ସଙ୍ଗେ ଗଲା ॥ ୧୪୨

ଏମନ୍ତେ ମୁନି-ଶାପ-ଦୋଷ । ପୂରିଲା ଦ୍ୱାଦଶବରଷ ॥ ୧୪୩

ଶାପୁଁ ମୁକତ ରାଜା ହୋଇ । ମିଳିଲା ଅନ୍ତଃପୁରେ ଯାଇ ॥ ୧୪୪

ପତ୍ନୀ ସଙ୍ଗମ ଚିତ୍ତେ ଚିନ୍ତି । ତା' ଦେଖି ବୋଲେ ଦମୟନ୍ତୀ ॥ ୧୪୫

ବ୍ରାହ୍ମଣୀ ଶାପ ଦେଲା ତୋତେ । ମୋ' ଅଙ୍ଗ ଛୁଇଁବୁ କେମନ୍ତେ ॥ ୧୪୬

ସ୍ତିରୀ ମୈଥୁନ ଆଶା ତେଜ । ଜୀବନେ ଯେବେ ଅଛି କାର୍ଯ୍ୟ ॥ ୧୪୭

ଏମନ୍ତେ ତାହାର ବଚନେ । ରାଜା ବିଚାରେ ଦୁଃଖମନେ ॥ ୧୪୮

କେମନ୍ତେ ହୋଇବ ସନ୍ତତି । ନାନା ଉପାୟ ମନେ ଚିନ୍ତି ॥ ୧୪୯

ବଶିଷ୍ଠ ସମୀପେ ମିଳିଲା । ମୋ' ବଂଶ ରଖ ତୁ ବୋଇଲା ॥ ୧୫୦

ଏମନ୍ତେ ରାଜାର ବଚନେ । ତା'ର କାମିନୀ ଗର୍ଭଧାନେ ॥ ୧୫୧

ବଶିଷ୍ଠ ସଙ୍ଗେ ସଙ୍ଗ କରି । ଗର୍ଭ ହୋଇଲା ତା'ର ନାରୀ ॥ ୧୫୨

ସେ ଗର୍ଭ ସପତ-ବରଷେ । ଜନ୍ମ ନୋହିଲା ବୋଲି ରୋଷେ ॥ ୧୫୩

ଅଶ୍ମ ପ୍ରହାର ଗର୍ଭେ କଲା । ତକ୍ଷଣେ ପୁତ୍ର ଉପୁଜିଲା ॥ ୧୫୪

ନାମ ତା ଅଶ୍ମକ ହୋଇଲା । ଯେଣୁ ଅଶ୍ମଘାତ ବାଜିଲା ॥ ୧୫୫

ମୂଳକ ଅଶ୍ମକ ନନ୍ଦନ । ନାରୀକବଚ ତା'ର ନାମ ॥ ୧୫୬

ପରଶୁରାମ କ୍ଷୟ ବେଳେ । ସୁଖେ ରଖିଲା କ୍ଷତ୍ରିକୁଳେ ॥ ୧୫୭

ତାହାର ପୁତ୍ର ଦଶରଥ । ଐଡ଼ବିଡ଼ ଯେ ତା'ର ସୁତ ॥ ୧୫୮

ତା'ଠାରୁ ହେଲା ଉତପତ୍ତି । ଯେ ବିଶ୍ୱସହ ନରପତି ॥ ୧୫୯

ଖଟ୍ୱାଙ୍ଗ ତାହାର କୁମର । ଯୁଦ୍ଧେ ରଖିଲା ପୁରନ୍ଦର ॥ ୧୬୦

ସେ ମହୀତଳେ ଚକ୍ରବର୍ତ୍ତୀ । ଶୁଣ ରାଜନ ତା'ର ଗତି ॥ ୧୬୧

ଅସୁର ଯୁଦ୍ଧେ ଦେବଗଣେ । ତା'ଙ୍କୁ ବରିଲେ ଯୋଦ୍ଧାପଣେ ॥ ୧୬୨

ସେ ପୁଣି ରିପୁ ଜିଣି ଯୁଦ୍ଧେ । ମେଲାଣି ଇଚ୍ଛେ ଦେବମଧ୍ୟେ ॥ ୧୬୩

ଦେବେ ବୋଲନ୍ତି ରାଜା ଚାହିଁ । ଯେ ବର ଇଚ୍ଛା ମାଗ ତୁହି ॥ ୧୬୪

ରାଜା ବୋଲଇ ଇନ୍ଦ୍ର ଚାହିଁ । ବର କଳ୍ପିତ ମୋ'ର ନାହିଁ ॥ ୧୬୫

ଇନ୍ଦ୍ର ତାହାର ମୁଖ ଚାହିଁ । ବୋଇଲେ ତୁ ଯିବୁ କିପାଇଁ ॥ ୧୬୬

ମୁହୂର୍ତ୍ତେ ଅଛି ତୋ ଜୀବନ । ତା' ଶୁଣି ବୋଲଇ ରାଜନ ॥ ୧୬୭

ମୋହର ସ୍ୱର୍ଗେ କାର୍ଯ୍ୟ ନାହିଁ । କର୍ମଭୂମିକି ଯିବି ମୁହିଁ ॥ ୧୬୮

ଏମନ୍ତ ଇନ୍ଦ୍ର ଆଗ କହି । ମିଳିଲେ ନିଜପୁରେ ଯାଇ ॥ ୧୬୯

ମନ ନିବେଶି ହରିପାଦେ । ରୋମପୁଲକେ ଗଦଗଦେ ॥ ୧୭୦

ତକ୍ଷଣେ ରାଇ ଜନପ୍ରଜା । ଭୁଜ ଉଭାରି ବୋଲେ ରାଜା ॥ ୧୭୧

ମୁଁ ଯେ ବ୍ରହ୍ମଣ୍ୟ କୁଳେ ଜାତ । ବ୍ରାହ୍ମଣ ମୋର ଦଇବତ ॥ ୧୭୨

ଯେବା ଅଛଇ ମୋର ଧନ । ଦାରା-ତନୟ-ବନ୍ଧୁଜନ ॥ ୧୭୩

ଏ ସର୍ବ ହରି-ନିବେଦନ । ଶୁଣ ସକଳ ସାବଧାନ ॥ ୧୭୪

ସତ୍ୟ ମୁଁ କିଛି ନ ଦେଖୁଛି । ବିଷ୍ଣୁଙ୍କ ଠାରୁ ଅନ୍ୟ କିଛି ॥ ୧୭୫

ମୋ ମତି ଧର୍ମ ବ୍ୟତିରେକେ । ହରିଙ୍କି ସର୍ବଭୂତେ ଦେଖେ ॥ ୧୭୬

ଯେ ତିନି ଭୁବନେ ଈଶ୍ୱର । ଇନ୍ଦ୍ର ଯାଚିଲେ ମୋତେ ବର ॥ ୧୭୭

ଏ ବର ଯେବେ ସେ ପ୍ରମାଣେ । ମୋ' ଚିତ୍ତ ରହୁ ନାରାୟଣେ ॥ ୧୭୮

ବିଷ୍ଣୁର ମାୟାରେ ଜଗତ । ଦିଶଇ ଇନ୍ଦ୍ରଜାଲ ମତ ॥ ୧୭୯

ସେ ମାୟା ଛାଡ଼ି ହରିପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥ ୧୮୦

ଏମନ୍ତ କହି ନୃପରାଣ । ତକ୍ଷଣେ ହାରିଲା ଜୀବନ ॥ ୧୮୧

ନିସ୍ତରି ଗଲା ମାୟାମୋହେ । ପଶିଲା ଗୋବିନ୍ଦର ଦେହେ ॥ ୧୮୨

ନିର୍ମଳ ବିଷ୍ଣୁର ଚରିତ । ସୁଜନ ଶୁଣ ଅବିରତ ॥ ୧୮୩

ବିଷୟା ବିଷକୁ ଅମୃତ । ଏଣେ ଯେ ହୋଇବ ମୁକତ ॥ ୧୮୪

ଶୁଣି ପୁରାଣ ଭାଗବତ । ଭାବ ହୋଇବ କୃତକୃତ୍ୟ ॥ ୧୮୫

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୮୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ନବମୋଽଧ୍ୟାୟଃ ॥

* * *