ନବମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୁକ ଉବାଚ

ବୋଲନ୍ତି ଶୁକ ବ୍ରହ୍ମବେତ୍ତା । ଶୁଣ ରାଜନ ଶୁଦ୍ଧଚେତା ॥

ହରିତ ରୋହିତର ସୁତ । ଚମ୍ପ ତାହାର ତହୁଁ ଜାତ ॥

ଗ୍ରାମ ବସାଇ ନିଜ ନାମେ । ରହିଲା ଚମ୍ପାବତୀ ଗ୍ରାମେ ॥

ସୁଦେବ ତା'ର ସୁତ ହୋଏ । ବିଜୟ ତାହାର ତନୟେ ॥

ବୃକ ଯେ ତାହାର ସନ୍ତତି । ସ୍ୱଭାବେ ଅତି ଶୁଦ୍ଧମତି ॥

ବାହୁକ ତାହାର ନନ୍ଦନ । ତା' କଥା ଶୁଣ ହେ ରାଜନ ॥

ଶତ୍ରୁ ପୀଡ଼ିତ ବୃଦ୍ଧପଣେ । ଭୟେ ପଶିଲା ଘୋରବନେ ॥

ପତ୍ନୀ ସହିତେ ପଳାଇଲା । ଔର୍ବଙ୍କ ଆଶ୍ରମେ ମିଳିଲା ॥

ନମିଲା ମୁନିଙ୍କ ଚରଣେ । ବୃଦ୍ଧ ଶରୀରେ ଘୋରବନେ ॥

ସଭୟେ ଛାଡ଼ିଲା ଜୀବନ । ମୁନି ହୋଇଲେ ଦୁଃଖମନ ॥ ୧୦

ତା'ର କାମିନୀ ଶୋକମନେ । ପଶିବା ବେଳେ ହୁତାଶନେ ॥ ୧୧

ମୁନି ଜାଣିଲେ ତା'ର ଭାବ । ଉଦରେ ପାଞ୍ଚମାସ ଗର୍ଭ ॥ ୧୨

ବୋଇଲେ ଅନଳେ ନ ପଶ । ହୋଇବ ଏ ରାଜାର ବଂଶ ॥ ୧୩

ମୁନି ବଚନେ ସେ ଅବଳା । ଅନଳକୁଣ୍ତେŠ ନ ପଶିଲା ॥ ୧୪

ଶୁଣ ରାଜନ ମନ ଦେଇ । ତା' ଗର୍ଭକଥା ତୋତେ କହି ॥ ୧୫

ସେ ଗର୍ଭ ସଞ୍ଚରଣ କାଳେ । ସପତ୍ନୀ ପାଞ୍ଚସାତ ମେଳେ ॥ ୧୬

ଗରଳ ଦେଲେ ଅନ୍ନସଙ୍ଗେ । ବିଷ ନ ଲାଗେ ତା'ର ଅଙ୍ଗେ ॥ ୧୭

ଗର୍ଭ ରଖିଲେ ଜଗନ୍ନାଥ । ଏବେ ହୋ ଶୁଣ ପରୀକ୍ଷିତ ॥ ୧୮

ସେ ଗର୍ଭ ପ୍ରସବର କାଳେ । ମୁନି ସକଳ କୁତୂହଳେ ॥ ୧୯

ବୋଲନ୍ତି ଗରଳ ସଙ୍ଗତେ । ଜନ୍ମ ଲଭିଲା ଏ ଯୁକତେ ॥ ୨୦

ଗରଳ ସଙ୍ଗେ ଜନ୍ମ ଯେଣୁ । ସଗର ନାମ ହେଉ ତେଣୁ ॥ ୨୧

ଏମନ୍ତେ ମୁନିଙ୍କ ସଙ୍ଗତେ । ସଗର ରାଜା ଦିନାକେତେ ॥ ୨୨

ଦିନକୁ ଦିନ ଅତି ତେଜା । ହୋଇଲା ଚକ୍ରବର୍ତ୍ତୀ ରାଜା ॥ ୨୩

ତା'ର ତନୁଜେ ବାହୁବଳେ । ସାଗର କଲେ ମହୀତଳେ ॥ ୨୪

ପିତା ଶତ୍ରୁକୁ ଯୁଦ୍ଧେ ଜିଣି । ସ୍ୱଗୃହେ ବନ୍ଦୀ କଲେ ଆଣି ॥ ୨୫

ଯେତେ ତାହାର ରିପୁମାନ । ଶୁଣ ହୋ ତାହାଙ୍କର ନାମ ॥ ୨୬

ଯବନ ତାଳଜଂଘ ଶକ । ହୈହୟ ବର୍ବର ଯେତେକ ॥ ୨୭

ଗୁରୁଙ୍କ ବାକ୍ୟେ ନ ମାଇଲା । ଶୁଣ ଯାହାକୁ ଯାହା କଲା ॥ ୨୮

ମୁŠଣ୍ତିତକେଶ କାର କରି । କାହାକୁ କଲା ଶ୍ମଶ୍ରୁଧାରୀ ॥ ୨୯

କାହାର କଲା ମୁକ୍ତକେଶ । ଅର୍ଦ୍ଧମୁଣ୍ତିତ କା'ର କେଶ ॥ ୩୦

କେତେକ ଅନ୍ତର୍ବାସ ହୀନ । ଅପରେ ବହିର୍ବାସ ଶୂନ୍ୟ ॥ ୩୧

କାହାର ବସନ ଉତ୍ତାରି । ବିକୃତବେଶ ତା'ଙ୍କୁ କରି ॥ ୩୨

ଯବନ ବେଶ କା'କୁ କରି । ସ୍ୱଧର୍ମ ମାର୍ଗରୁ ଉତ୍ତାରି ॥ ୩୩

ଏମନ୍ତ କରି ହୀନବେଶ । ଛାଡ଼ିଣ ଦେଲା ତା'ଙ୍କୁ ଦେଶ ॥ ୩୪

ସେ ପୁଣି ସଞ୍ଚି ନାନାବିଧି । କଳ୍ପିଲା ଶତେ ଅଶ୍ୱମେଧି ॥ ୩୫

ଔର୍ବ ମୁନିଙ୍କି ହୋତା କରି । ଯଜ୍ଞେ ପୂଜିଲା ନରହରି ॥ ୩୬

ଉତ୍ତମ ଅଶ୍ୱ ପଶୁ କଲା । ସେ ଅଶ୍ୱ ଇନ୍ଦ୍ର ଚୋରାଇଲା ॥ ୩୭

ଷାଠିଏ ସହସ୍ର କୁମର । ତା'ଙ୍କୁ ଡରଇ ସୁନାସୀର ॥ ୩୮

କଳ୍ପଇ ମରିବେ ଯେମନ୍ତେ । ଏମନ୍ତ ଭାଳି ସେ ଗୁପତେ ॥ ୩୯

କପିଳମୁନି ପାଦତଳେ । ଅଶ୍ୱ ବାନ୍ଧିଲା ରାତ୍ରକାଳେ ॥ ୪୦

ଅଶ୍ୱ ନ ଦେଖି ଯଜ୍ଞଦ୍ୱାରେ । ଖୋଜନ୍ତି ବ୍ରହ୍ମାଣ୍ତŠ ଭିତରେ ॥ ୪୧

ସୁମତି ଗର୍ଭେ ଯେତେ ସୁତ । ବଳରେ ଅଟନ୍ତି ଦର୍ପିଷ୍ଟ ॥ ୪୨

ସେ ପୁଣି ପିତାଙ୍କ ଆଦେଶେ । ଅଶ୍ୱ ଖୋଜନ୍ତି ଦଶଦିଶେ ॥ ୪୩

ଖୋଳନ୍ତି ମହୀନବଖଣ୍ତŠ । ଭକ୍ଷନ୍ତି ବିସ୍ତାରିଣ ତୁŠଣ୍ତ ॥ ୪୪

ଉତ୍ତରଦିଗେ ଖୋଳିଗଲେ । କପିଳ ଆଶ୍ରମେ ମିଳିଲେ ॥ ୪୫

ଦେଖିଲେ ମୁନି ସନ୍ନିଧାନେ । ସେ ଅଶ୍ୱ ଅଛଇଁ ବନ୍ଧନେ ॥ ୪୬

କପିଳମୁନି ମୁଖ ଚାହିଁ । ବୋଲନ୍ତି ଅଶ୍ୱଚୋର ଏହି ॥ ୪୭

ଏହାକୁ ରଖି ନ ଯୋଗାଇ । ଏମନ୍ତ ଉଚ୍ଚବାଚ ହୋଇ ॥ ୪୮

ବୋଲନ୍ତି ଖଡ଼ଗ ଉଞ୍ଚାଇ । ଏହାର ଶିର ଛେଦ ନେଇ ॥ ୪୯

ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଜେ । ଆତ୍ମାକୁ ଦମ୍ଭ ପ୍ରାୟେ ବୁଝେ ॥ ୫୦

ଏମନ୍ତ ଘୋରନାଦ କରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୫୧

ଭୂମି କମ୍ପିଲା ତା'ଙ୍କ ପାଦେ । ଧ୍ୟାନ ଭାଜିଲା ଘୋରନାଦେ ॥ ୫୨

ଚାହାଁନ୍ତେ ଉନ୍ମୀଳ ଲୋଚନେ । ଅନଳ ଉଠିଲା ତକ୍ଷଣେ ॥ ୫୩

ମହତ ଅତିକ୍ରମ ଦୋଷେ । ନୟନ ଅଗ୍ନି ମହାରୋଷେ ॥ ୫୪

ଦେଖନ୍ତ ସ୍ୱର୍ଗେ ଦେବଗଣେ । ଭସ୍ମ ହୋଇଲେ ତତ୍‌କ୍ଷଣେ ॥ ୫୫

ଷାଠି - ସହସ୍ର ଏକାଥରେ । ମରିଲେ ସଗର କୁମରେ ॥ ୫୬

କେଶିନୀ ଗର୍ଭେ ଏକସୁତ । ଅସମଞ୍ଜସ ନାମେ ଖ୍ୟାତ ॥ ୫୭

ତା'ର କୁମର ଅଂଶୁମାନ । ସକଳ ଗୁଣେ ଗୁଣଧାମ ॥ ୫୮

ସେ ଥାଇ ପିତାମହ ହିତେ । ମନ ବଚନ କାୟେ ନିତ୍ୟେ ॥ ୫୯

ଅସମଞ୍ଜସ ଯା'ର ନାମ । କରେ ନିନ୍ଦିତ ଆଚରଣ ॥ ୬୦

ସେ ପୂର୍ବଜନ୍ମେ ଯୋଗୀ ଥିଲା । ସଙ୍ଗ ଦୋଷରୁ ଭ୍ରଷ୍ଟ ହେଲା ॥ ୬୧

ଏଣୁ ନିନ୍ଦିତ କର୍ମ କରେ । ଜ୍ଞାତିଙ୍କ ଅପ୍ରିୟ ଆଚରେ ॥ ୬୨

ଅସମଞ୍ଜସ ନାମ ଯେଣୁ । ଲୋକଙ୍କୁ ହିଂସା କରେ ତେଣୁ ॥ ୬୩

ଯୋଗବଳରୁ ଜାତିସ୍ମର । ଏ ଜନ୍ମେ ଅଛଇ ତାହାର ॥ ୬୪

ତେଣୁ ସେ ସଙ୍ଗ ପରିହରି । ଲୋକେ ନିନ୍ଦିତ କର୍ମ କରି ॥ ୬୫

ଶିଶୁମାନଙ୍କୁ ଧରି ବଳେ । ପକାଏ ସରଯୂର ଜଳେ ॥ ୬୬

ଦେଖି ତାହାର ମନ୍ଦପଣ । ଅଯୋଧ୍ୟାବାସୀ ପ୍ରଜାଗଣ ॥ ୬୭

ସଗରେ ଜଣାଇଲେ ଯାଇ । ଅତି ଦୁଃଖିତ ରାଜା ହୋଇ ॥ ୬୮

ସଗର ହୋଇଣ ଦୁଃଖିତ । ପୁତ୍ର ସ୍ନେହକୁ କଲା ତ୍ୟକ୍ତ ॥ ୬୯

ଘରୁ ବାହାର କରି ଦେଲା । ଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା ॥ ୭୦

ସେ ପୁଣି ଯୋଗବଳ କଲା । ମୃତ ବାଳକମାନ ଦେଲା ॥ ୭୧

ବାଳକ ପାଇ ତୋଷମନେ । ଅଯୋଧ୍ୟାବାସୀ ପ୍ରଜାଜନେ ॥ ୭୨

ବିସ୍ମିତ ହୋଇଲେ ସକଳେ । ଅସମଞ୍ଜସ ଯୋଗବଳେ ॥ ୭୩

ତା'ର ଅଦ୍ଭୁତକର୍ମ ଦେଖି । ସଗର ହେଲେ ମହାସୁଖୀ ॥ ୭୪

ଏବେ ହୋ ଶୁଣ ନରନାଥ । ସେ ଅଂଶୁମାନର ଚରିତ ॥ ୭୫

ସଗର ତା'ର ମୁଖ ଚାହିଁ । ବୋଇଲେ ଅଶ୍ୱ ଆଣ ଯାଇ ॥ ୭୬

ଏମନ୍ତେ ପିତାମହ ବାକ୍ୟେ । ସେ ଅଂଶୁମାନ ଗଲା ଏକେ ॥ ୭୭

ପିତୃବ୍ୟ-ଖାତ-ପଥେ ଗଲା । ପାତାଳେ ଅଶ୍ୱକୁ ଦେଖିଲା ॥ ୭୮

ଦେଖିଲା କପିଳ-ସମ୍ମୁଖେ । ବାନ୍ଧିଲା-ଅଶ୍ୱ ଅଛି ସୁଖେ ॥ ୭୯

କପିଳ ପାଦତଳେ ପଡ଼ି । ସେ ଅଂଶୁମାନ କରଯୋଡ଼ି ॥ ୮୦

ଅନେକ ସ୍ତୁତିବାକ୍ୟ ବଳେ । ପୂଜିଲା ଚରଣ କମଳେ ॥ ୮୧

ବୋଲଇ ଶିରେ କର ଦେଇ । ଭୋ ନାଥ କର ମୋତେ ତ୍ରାହି ॥ ୮୨

ଶକ୍ର ବିରଞ୍ଚି-ମହାଦେବ । ସେ କାହିଁ ଜାଣିବେ ତୋ' ଭାବ ॥ ୮୩

ତୁ ଜ୍ଞାନଘନେ ମୋହ ନାଶୁ । ସଂସାର ସ୍ୱତେଜେ ପ୍ରକାଶୁ ॥ ୮୪

ସକକ ଆଦି ମୁନି ଯେତେ । ବିଶେଷେ ଭାବନ୍ତି ସେ ତୋତେ ॥ ୮୫

ତୋ' ରୂପ ଜୀବ-ମୋକ୍ଷ ଅର୍ଥେ । ମୁଁ ତୋତେ ଜାଣିବି କେମନ୍ତେ ॥ ୮୬

ତୋ' ମାୟା ଜୀବ ଜ୍ଞାନ ହରେ । ସଂସାରେ ଜନ୍ମ-ମୃତ୍ୟୁ କରେ ॥ ୮୭

ଜୀବକୁ ଜ୍ଞାନ ଦେବା ଅର୍ଥେ । ତୋ'ର ପ୍ରକାଶ ଏ ଜଗତେ ॥ ୮୮

ଅବିଦ୍ୟା କର୍ମ ପଥେ ଜଡ଼େ । ତୋ' ମାୟା ଗହନ ନିବିଡ଼େ ॥ ୮୯

ଜୀବନ ବନ୍ଧନ ବିଶ୍ୱାସେ । ଦାରା-ତନୟ ଗୃହବାସେ ॥ ୯୦

ଏଣୁ ତୋ' ଚରଣ-କମଳେ । ତା' ଚିତ୍ତ ନ ରହେ ନିଶ୍ଚଳେ ॥ ୯୧

ଆଜଟି ନିସ୍ତରିଲି ମୁହିଁ । ଭୋ ନାଥ ତୋ' ଚରଣ ଚାହିଁ ॥ ୯୨

ଶୁକ ଉବାଚ

ଏମନ୍ତେ ତା'ର ସ୍ତୁତି ଶୁଣି । ପ୍ରସନ୍ନଚିତ୍ତେ ମହାମୁନି ॥ ୯୩

ଅଂଶୁମାନର ମୁଖ ଚାହିଁ । ବୋଲନ୍ତି ଅନୁଗ୍ରହ ବହି ॥ ୯୪

କପିଳ ଉବାଚ

ହେ ପୁତ୍ର ଅଶ୍ୱ ଘେନିଯାଅ । ତୋ' ପିତାମହ ପାଶେ ଦିଅ ॥ ୯୫

ଏ ଅଶ୍ୱେ ଯଜ୍ଞ ପୂଜା କରି । ବିଷମ ସଙ୍କଟୁ ନିସ୍ତରି ॥ ୯୬

ଏ ଯେ ତୋହର ପିତୃକୂଳେ । ଭସ୍ମ ହୋଇଲେ କୋପାନଳେ ॥ ୯୭

ଏହାଙ୍କ ମୋକ୍ଷ ଗଙ୍ଗାଜଳେ । ଅନ୍ୟଥା ନାହିଁ ଏ ଶୟଳେ ॥ ୯୮

ଏମନ୍ତେ କପିଳ ବଚନେ । ସେ ଅଂଶୁମାନ ତୋଷମନେ ॥ ୯୯

ତକ୍ଷଣେ ଅଶ୍ୱକୁ ଆଣିଲେ । ପିତାମହର ପାଶେ ଦେଲେ ॥ ୧୦୦

ସେ ଅଶ୍ୱମାଂସେ ଯଜ୍ଞ କରି । ବିଷମ ସଙ୍କଟୁ ନିସ୍ତରି ॥ ୧୦୧

ଅଂଶୁମାନକୁ ରାଜ୍ୟ ଦେଇ । କର୍ମବନ୍ଧନୁ ମୋକ୍ଷ ହୋଇ ॥ ୧୦୨

ଔର୍ବ-ବଚନେ ବନେ ଗଲା । ଅନ୍ତେ ସେ ଗୋବିନ୍ଦ ଲଭିଲା ॥ ୧୦୩

ସୁଜନେ ଶୁଣିମା ଶ୍ରବଣେ । ଏ ହରିରସ ଅନୁକ୍ଷଣେ ॥ ୧୦୪

ଅବିଦ୍ୟା ବନ୍ଧୁ ପାର ହୋଇ । ଅନ୍ତେ ଲଭିବ ଭାବଗ୍ରାହୀ ॥ ୧୦୫

ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୦୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ॥

* * *