ନବମ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ତୁ ନରେଶ । ମାନ୍ଧାତା ପୁତ୍ର ଅମ୍ବରୀଷ ॥ ୧
ପିତାମହଙ୍କୁ ସେବା କଲା । ସେ ଫଳେ ସୁପୁତ୍ର ଲଭିଲା ॥ ୨
ତା' ସୁତ ଯୁବନାଶ୍ୱ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥ ୩
ହାରୀତ ତାହାର କୁମର । ମାନ୍ଧାତା ବଂଶେ ସେ ପ୍ରବର ॥ ୪
ନାଗେନ୍ଦ୍ର ବାକ୍ୟେ ନାଗଯୂଥେ । ଗନ୍ଧର୍ବ ବଳକୁ ହାରନ୍ତେ ॥ ୫
ସେ ନାଗେ ଆସି ରାତ୍ର କାଳେ । ପୁରୁକୁତ୍ସକୁ ଘେନିଗଲେ ॥ ୬
ସକଳ ଭ୍ରାତୃଗଣ ଥାଇ । ନର୍ମଦା କନ୍ୟା ତା'କୁ ଦେଇ ॥ ୭
ପାତାଳ ପୁରେ ଘେନିଗଲେ । ଗନ୍ଧର୍ବବଳେ ଯୁଝାଇଲେ ॥ ୮
ସେ ପୁଣି ବିଷ୍ଣୁତେଜେ ବଳୀ । ଗନ୍ଧର୍ବବଳ ନାଶ କରି ॥ ୯
ମିଳି ସକଳ ନାଗବଳେ । ସନ୍ତୋଷ ବର ତା'କୁ ଦେଲେ ॥ ୧୦
ଯେ ପ୍ରାଣୀ ଶୟନର କାଳେ । ନର୍ମଦା ନାମ ତିନି ବେଳେ ॥ ୧୧
ରାତ୍ର ଦିବସ ସନ୍ଧ୍ୟା ସ୍ମରେ । ସର୍ପଭୟରୁ ସେ ନିସ୍ତରେ ॥ ୧୨
ଏବେ ହୋ ପୁରୁକୁତ୍ସ ବଂଶେ । କହିବା ଶୁଣ ତୁ ହରଷେ ॥ ୧୩
ସର୍ବସମ୍ପଦ ଗୁଣଗ୍ରାମ । ତା' ସୁତ ତ୍ରସଦ୍ଦସ୍ୟୁ ନାମ ॥ ୧୪
ସେ ବିଷ୍ଣୁତେଜେ ଅନର୍ଗଳା । ଯେ ଅନରଣ୍ୟ ଜାତ ହେଲା ॥ ୧୫
ହର୍ଯଶ୍ୱ ତାହାର ନନ୍ଦନ । ତହୁଁ ପ୍ରାରୁଣ ତ୍ରିବନ୍ଧନ ॥ ୧୬
ତା'ର ତନୟ ସତ୍ୟବ୍ରତ । ତ୍ରିଶଙ୍କୁ ନାମେ ଯେ ବିଦିତ ॥ ୧୭
ପିତାଙ୍କ ଶାପ ସେହୁ ଘେନି । ଲଭିଲା ଚଣ୍ତାଳର ଯୋନି ॥ ୧୮
ବଶିଷ୍ଠ ଶାପ ମହାଘୋର । କୌଶିକ ତେଜେ ହେଲା ପାର ॥ ୧୯
ଶରୀର ଘେନି ସ୍ୱର୍ଗେ ଗଲା । ଉତ୍ତର ଆକାଶେ ବସିଲା ॥ ୨୦
ଜଗତେ ରହିଲା ତା' ଯଶ । ଅଦ୍ୟାପି ରାତ୍ରେ ହୋଏ ଦୃଶ୍ୟ ॥ ୨୧
ଦେବେ ତାହାକୁ କୋପ କଲେ । ଭୂମିରେ ପଡ଼ ତୁ ବୋଇଲେ ॥ ୨୨
ତକ୍ଷଣେ ଆଧୋମୁଖ ହୋଇ । ପଡ଼ନ୍ତେ କୌଶିକ ଅନାଇଁ ॥ ୨୩
ସ୍ତମ୍ଭନ କଲେ ବେଦମନ୍ତ୍ରେ । ପୁଣି ବସିଲା ନିଜ କ୍ଷେତ୍ରେ ॥ ୨୪
ତାହାର ସୁତ ହରିଶ୍ଚନ୍ଦ୍ର । ସପତ ଦ୍ୱୀପେ ସେ ନରେନ୍ଦ୍ର ॥ ୨୫
ତାହାର ଅର୍ଥେ ଅନ୍ୟୋଅନି । ବଶିଷ୍ଠ ବିଶ୍ୱାମିତ୍ର ବେନି ॥ ୨୬
ବହୁ ବରଷ ଯୁଦ୍ଧ କଲେ । ପକ୍ଷୀଙ୍କ ପ୍ରାୟ ରୂପ ହେଲେ ॥ ୨୭
ସେ ପୁଣି ଅପୁତ୍ରିକ ହୋଇ । ନାରଦ ମୁନିଙ୍କି ଅନାଇଁ ॥ ୨୮
ସନ୍ତତି ଅର୍ଥେ ପ୍ରଶ୍ନକଲା । ବିକଳେ ତ୍ରିଶଙ୍କୁର ବଳା ॥ ୨୯
ନାରଦ ମୁନି ତା' ପ୍ରସ୍ତାବେ । କହିଲେ ଆତ୍ମା ପ୍ରିୟ ଭାବେ ॥ ୩୦
ତୁ ଯାଇ ବରୁଣ-ଚରଣେ । ବିଶ୍ୱାସେ ପଶ ତା' ଶରଣେ ॥ ୩୧
ସେ ତୋତେ ପ୍ରସନ୍ନ ହୋଇଲେ । ସନ୍ତତି ଲଭିବୁ ତୁ ଭଲେ ॥ ୩୨
ଏମନ୍ତେ ନାରଦ ବଚନେ । ମିଳିଲେ ବରୁଣ ଭୁବନେ ॥ ୩୩
ବରୁଣ ଚରଣରେ ପଡ଼ି । ରାଜନ କହେ କରଯୋଡ଼ି ॥ ୩୪
ହେ ପ୍ରଭୁ କର ଅନୁଗ୍ରହ । ମୋହର ହେଉ ଯେ ତନୟ ॥ ୩୫
ପୁତ୍ର ଉତ୍ପନ୍ନ ହେଲେ ମୋର । ଯଜ୍ଞେ ମୁଁ ଦେବି ତା'ର ଶିର ॥ ୩୬
ତା'ର ବଚନେ ତୁଷ୍ଟ ହେଲେ । ବରୁଣ ତୋଷେ ବର ଦେଲେ ॥ ୩୭
ବରୁଣ ବରେ ପୁତ୍ର ଜାତ । ନାମ ତା' ହୋଇଲା ରୋହିତ ॥ ୩୮
ଦେଖିଣ ପୁତ୍ରର ଜନମ । ରାଜାଙ୍କୁ କହନ୍ତି ବରୁଣ ॥ ୩୯
ହେ ନୃପ ମୋର ଯଜ୍ଞ କର । ଏବେ ତୋ' ହୋଇଲା କୁମର ॥ ୪୦
ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ବିଚାରେ ହରିଶ୍ଚନ୍ଦ୍ର ମନେ ॥ ୪୧
ଏ ପୁତ୍ର ଅପବିତ୍ର ଶିଶୁ । ଯାଗେ କି ରୂପେ ହେବ ପଶୁ ॥ ୪୨
ଏହା ବିଚାରି ନରପତି । ବରୁଣେ କରଇ ବିନତି ॥ ୪୩
ଶୁଣିମା ହେଉ ପାଶହସ୍ତ । ଏ ପୁତ୍ର ମୋ'ର ଅପବିତ୍ର ॥ ୪୪
ମନୁଷ୍ୟ ପଶୁ ଭିଆଇଲେ । ଯଜ୍ଞ ମୁଁ କରିବଇଁ ଭଲେ ॥ ୪୫
ନିର୍ଦ୍ଦନ୍ତ ପଶୁ ଅସଂସ୍କାର । ଦନ୍ତ ନିର୍ଗମ ନାହିଁ ତା'ର ॥ ୪୬
ଦନ୍ତ ନ ଥିଲେ ଯଜ୍ଞ କାହିଁ । ଏମନ୍ତେ ଦିନାକେତେ ରହି ॥ ୪୭
ତୁଣ୍ତେ ଜନ୍ମିଲା ତା'ର ଦନ୍ତ । ରାଜାକୁ ବୋଲେ ପାଶହସ୍ତ ॥ ୪୮
ଦନ୍ତ ହୋଇଲା ତୋ' କୁମର । ତା' ମାଂସେ ମୋର ଯଜ୍ଞକର ॥ ୪୯
ବରୁଣ ମୁଖୁଁ ଏହା ଶୁଣି । ସେ ହରିଶ୍ଚନ୍ଦ୍ର ମନେ ଗୁଣି ॥ ୫୦
ଦନ୍ତ ସମ୍ପୂର୍ଣ୍ଣେ ପଶୁ ଶୁଚି । ବରୁଣ ତାହା ଦେଖି ଘୁଞ୍ଚି ॥ ୫୧
ପୁଣି କେତେହେଁ ଦିନ ଗଲା । ସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା ॥ ୫୨
ଏବେ କି ବିଳମ୍ବ ତୋହର । ବରୁଣ ବୋଲେ ଯଜ୍ଞକର ॥ ୫୩
ବରୁଣେ ଚାହିଁ ରାଜା କହେ । ପ୍ରଥମ ଦନ୍ତ ଶୁଦ୍ଧ ନୋହେ ॥ ୫୪
ଏ ଦନ୍ତ ପଡ଼ି ଯେବେ ଉଠେ । ତେବେ ସେ ଯଜ୍ଞ ପଶୁ ଘଟେ ॥ ୫୫
ଏମନ୍ତେ କିଛି କାଳ ଅନ୍ତେ । ତୁଣ୍ତୁ ପଡ଼ିଲେ ସର୍ବଦନ୍ତେ ॥ ୫୬
ପୁଣି ଉଠିଲେ ଏକ ତୁଲେ । ବରୁଣ ରାଜା ଚାହିଁ ବୋଲେ ॥ ୫୭
ଦନ୍ତ ହୋଇଲା ପୁନର୍ବାର । ଭୋ ରାଜା ଏବେ ଯଜ୍ଞକର ॥ ୫୮
ତା' ଶୁଣି ବୋଲେ ନୃପମଣି । ଏ ନୋହେ କୁଳଧର୍ମ ବାଣୀ ॥ ୫୯
କ୍ଷତ୍ରିୟ ବଂଶେ ହୋଇ ଜାତ । ଯାବତ ନୁହଁଇ ସମର୍ଥ ॥ ୬୦
ତାବତ୍ ମାଂସ ଶୁଦ୍ଧ ନୋହେ । ଏମନ୍ତ ବୋଲେ ପୁତ୍ର ସ୍ନେହେ ॥ ୬୧
ବରୁଣ ତା'ର ବାକ୍ୟ ମାନି । କିଛି ନ କହି ହେଲେ ତୁନି ॥ ୬୨
ଏମନ୍ତେ କାଳ ବଞ୍ଚାଇଲା । ତା' ଜାଣି ପୁତ୍ର ବିଚାରିଲା ॥ ୬୩
ପିତା ଯେ କରିଛନ୍ତି ସତ୍ୟ । ଅବଶ୍ୟ ଯଜ୍ଞେ ହେବି ହତ ॥ ୬୪
ପ୍ରାଣର ରକ୍ଷା ଚିନ୍ତା କଲା । ତକ୍ଷଣେ ଗ୍ରାମ ଉପେକ୍ଷିଲା ॥ ୬୫
ଧନୁ-କମାଣ ଘେନି କରେ । ପଶିଲା-ଗହନ ବନରେ ॥ ୬୬
ବନେ ବୁଲନ୍ତେ ଧର୍ମ ଗୁଣି । ଶୁଣିଲା ଅନ୍ତରୀକ୍ଷ ବାଣୀ ॥ ୬୭
ବରୁଣ ପିତା ବନ୍ଦି କଲା । ଯାବତ ଯଜ୍ଞ ନ ପାଇଲା ॥ ୬୮
ତେଣୁ ଉଦରେ ରୋଗ ଜାତ । ବରୁଣ ଶାପେ ହୋଇ ଗ୍ରସ୍ତ ॥ ୬୯
ଶୁଣି ରୋହିତ ଶୋକାକୁଳେ । ଗ୍ରାମକୁ ଆସିବାର ବେଳେ ॥ ୭୦
ଇନ୍ଦ୍ର ମିଳିଲା ଆସି ପଥେ । ବୋଲଇ ରୋହିତ ଅଗ୍ରତେ ॥ ୭୧
ଯଜ୍ଞ ନ କଲା ତୋ'ର ତାତ । କୋପେ ବରୁଣ କଲାଗ୍ରସ୍ତ ॥ ୭୨
ତୋତେ ଗ୍ରାସିବ କୋପ ବହି । ଏବେ ଅରଣ୍ୟେ ଥାଅ ତୁହି ॥ ୭୩
ଧର୍ମକୁ ଯେବେ ତୋ'ର ମନ । ଧରଣୀ କର ପର୍ଯ୍ୟଟନ ॥ ୭୪
ଅନେକ ପୁଣ୍ୟତୀର୍ଥ କର । ଧର୍ମେ ବିଶ୍ୱାସ ଯେବେ ତୋ'ର ॥ ୭୫
ଏମନ୍ତେ ଇନ୍ଦ୍ରର ବଚନେ । ରୋହିତ ତୀର୍ଥ କରେ ବନେ ॥ ୭୬
ପୁଣି ଗ୍ରାମକୁ ଇଚ୍ଛାକରେ । ଆସନ୍ତେ ଇନ୍ଦ୍ର ତା' ନିବାରେ ॥ ୭୭
ଏକ ଦ୍ୱିତୀୟ ତ୍ରି ଚତୁର୍ଥେ । ପଞ୍ଚମ ବର୍ଷେ ତା'କୁ ପଥେ ॥ ୭୮
ବୃଦ୍ଧ ବ୍ରାହ୍ମଣ ରୂପ ଧରି । ଗ୍ରାମ ଗମନେ ବିଘ୍ନ କରି ॥ ୭୯
ଷଡ଼ବରଷ ବନେ ଥିଲା । ଅନେକ ତୀର୍ଥ ସେ ଭ୍ରମିଲା ॥ ୮୦
ସପ୍ତବରଷେ ନିଜ ଗ୍ରାମେ । ମିଳିଲା ଯାଇ ତୀର୍ଥାଶ୍ରମେ ॥ ୮୧
ଶୁଣିଲା ଅଜୀଗର୍ତ୍ତ ମୁନି । ବିକିବା ଅର୍ଥେ ପୁତ୍ର ତିନି ॥ ୮୨
ତାହାଙ୍କ ପାଶେ ସେ ମିଳିଲା । ମଧ୍ୟମ ପୁତ୍ରକୁ କିଣିଲା ॥ ୮୩
ସେ ପୁତ୍ର ଶୁନଃଶେଫ୍ ନାମ । ସକଳ ଗୁଣେ ଗୁଣଧାମ ॥ ୮୪
ପିତାର ଅଗ୍ରେ ନେଇ ଦେଲା । ତା' ଦେଖି ବରୁଣ ଛାଡ଼ିଲା ॥ ୮୫
ସେ ହରିଶ୍ଚନ୍ଦ୍ର ଆସି ପୁରେ । ଯଜ୍ଞ ଆରମ୍ଭିଲେ ସମ୍ଭାରେ ॥ ୮୬
ପୁରୁଷମେଧ ଯଜ୍ଞ ମତେ । ବିଷ୍ଣୁଙ୍କୁ ପୂଜି ବେଦପଥେ ॥ ୮୭
ଆଚାର୍ଯ୍ୟ ବିଶ୍ୱାମିତ୍ର କରି । ଜମଦଗ୍ନିଙ୍କୁ ବ୍ରହ୍ମା ବରି ॥ ୮୮
ବଶିଷ୍ଠ ସାମଗାନେ ବରି । ସମିଧ ହୋତା ତା'ଙ୍କୁ କରି ॥ ୮୯
ବରୁଣ ଅର୍ଥେ ଯଜ୍ଞ କଲା । ସକଳ ଦେବଙ୍କୁ ତୋଷିଲା ॥ ୯୦
ସନ୍ତୋଷ ହୋଇ ସୁରନାଥ । ଦେଲେ ସୁବର୍ଣ୍ଣମୟ ରଥ ॥ ୯୧
ଶୁନଃଶେଫର କଥା ଯେତେ । ପଛେ କହିବା ତୋ' ଅଗ୍ରତେ ॥ ୯୨
ଏମନ୍ତେ ମହାଯଜ୍ଞ ଅନ୍ତେ । ଦକ୍ଷିଣା ଦେଲା ବିଧିମତେ ॥ ୯୩
ବିଶ୍ୱାମିତ୍ରଙ୍କୁ ଭୂମି ଦେଲା । ସୁବର୍ଣ୍ଣ ରଥେ ବିଜେ କଲା ॥ ୯୪
ରାଜାର ସତ୍ୟବ୍ରତ ଚାହିଁ । ସନ୍ତୋଷ ବିଶ୍ୱାମିତ୍ର ହୋଇ ॥ ୯୫
ନିଶ୍ଚଳ ଗତି ଶୂନ୍ୟ ପଥେ । ନିଜ ଜନଙ୍କୁ ଘେନି ସାଥେ ॥ ୯୬
ଯେ ସ୍ଥାନେ ମନ ତା'ର ଧରେ । ଇଚ୍ଛାୟେ ଭ୍ରମଇ ଅମ୍ବରେ ॥ ୯୭
ତା'ର ଭକତି ଭାବ ଘେନି । ସନ୍ତୋଷେ ବିଶ୍ୱାମିତ୍ର ମୁନି ॥ ୯୮
ପରମ ଜ୍ଞାନ ତାକୁ ଦେଲେ । ଆକାଶେ ଥାଅ ତୁ ବୋଇଲେ ॥ ୯୯
ଆକାଶେ ଥାଅ ଦେବ ପ୍ରାୟେ । ଅନ୍ତେ ପଶିବୁ ବିଷ୍ଣୁ ଦେହେ ॥ ୧୦୦
ଭାଷା ପ୍ରବନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥
* * *