ନବମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କହିବା ବଂଶାନୁଚରିତ ॥ ୧
ସେ ଅମ୍ବରୀଷ ପୁତ୍ର ତିନି । ବିରୂପ ଶମ୍ଭୁ କେତୁ ଘେନି ॥ ୨
ରୂପେ ଦିଶନ୍ତି ଅନୁପମ । ଅଶେଷ ଗୁଣେ ଗୁଣଧାମ ॥ ୩
ପୃଷଦଶ୍ୱ ବିରୂପ ପୁତ୍ର । ରଥୀତର ଯେ ତା'ର ସୁତ ॥ ୪
ସେ ରଥୀତର ଅପୁତ୍ରିକ । ଉପାୟ କଲା ସେ ଅନେକ ॥ ୫
କେବେହେଁ ପୁତ୍ର ତା' ନୋହିଲା । ଅଙ୍ଗିରା ତୁଲେ ବିଚାରିଲା ॥ ୬
ବୋଇଲା ମୋ'ର ପତ୍ନୀ ଗର୍ଭେ । ସନ୍ତତି କର ତୁମ୍ଭେ ଭାବେ ॥ ୭
କ୍ଷତ୍ରଜ ପୁତ୍ର ହେଉ ମୋ'ର । ଅପୁତ୍ର ଦୁଃଖୁଁ କର ପାର ॥ ୮
ଏମନ୍ତ ରାଜାର ବଚନେ । ଅଙ୍ଗିରା କରି ଗର୍ଭାଧାନେ ॥ ୯
ଶତକୁମର ବ୍ରହ୍ମତେଜେ । ଜନ୍ମିଲେ ଅଙ୍ଗିରାର ବୀର୍ଯ୍ୟେ ॥ ୧୦
ସେ ପୁଣି ଅଙ୍ଗିର ହୋଇଲେ । କ୍ଷତ୍ରିୟ କ୍ଷେତ୍ର ଉପୁଜିଲେ ॥ ୧୧
ପୁଣି ମନୁର ଘ୍ରାଣୁଁ ଜାତ । ଇକ୍ଷ୍ୱାକୁ ନାମେ ହୋଏ ସୁତ ॥ ୧୨
ସେ ଇକ୍ଷ୍ୱାକୁର ବଂଶ ଯେତେ । କହିବା ଶୁଣ ଏକଚିତ୍ତେ ॥ ୧୩
ହୋଇଲେ ଶତେକ କୁମର । ତାହାଙ୍କ ମଧ୍ୟେ ବଂଶଧର ॥ ୧୪
ବିକୁକ୍ଷି ନିମି ଦଣ୍ତ ନାମ । ଅତି ପ୍ରଶସ୍ତ ଗୁଣଗ୍ରାମ ॥ ୧୫
ଏ ତିନିପୁତ୍ର ଆଦି ଯେତେ । ରାଜା ହୋଇଲେ ଏ ଜଗତେ ॥ ୧୬
ପୂର୍ବେ ପଚିଶ ତା'ର ପୁତ୍ରେ । ରାଜା ହୋଇଲେ ଆର୍ଯ୍ୟାବର୍ତ୍ତେ ॥ ୧୭
ପଶ୍ଚିମେ ତା'ର ପଞ୍ଚବିଂଶେ । ଜ୍ୟେଷ୍ଠ ତିନିହେଁ ମଧ୍ୟଦେଶେ ॥ ୧୮
ଅପରେ ଦକ୍ଷିଣ ଉତ୍ତର । ଏବେ ହୋ ଶୁଣ ନୃପବର ॥ ୧୯
ଏମନ୍ତେ ପୁତ୍ରେ ପୁତ୍ରେ ତା'ର । ପୃଥିବୀ ଭାଙ୍ଗେ ନୃପବର ॥ ୨୦
ହେଲେ ସେ ନୃପତିକେଶରୀ । ତଦନ୍ତେ ଶୁଣ ଦଣ୍ତଧାରୀ ॥ ୨୧
ଇକ୍ଷ୍ୱାକୁ ପିତୃଶ୍ରାଦ୍ଧ ଦିନେ । ବିକୁକ୍ଷି ରାଇ ସନ୍ନିଧାନେ ॥ ୨୨
ବୋଇଲେ ବନ ପଶୁଗଣ । ମୋ ପିତୃଶ୍ରାଦ୍ଧ ଅର୍ଥେ ଆଣ ॥ ୨୩
ତକ୍ଷଣେ ପିତା ଆଜ୍ଞା ପାଇ । ପଶିଲା ଘୋରବନେ ଯାଇ ॥ ୨୪
ଶବରଗଣ ତୁଲେ ଗଲା । ଅନେକ ପଶୁ ବଧକଲା ॥ ୨୫
ଶ୍ରାଦ୍ଧକୁ ଯୋଗ୍ୟ ଯେତେ ମାଂସ । ତାହାଙ୍କ ମଧ୍ୟେ ଏକ ଶଶ ॥ ୨୬
ଅରଣ୍ୟେ ପଥଶ୍ରମ ପାଇ । କ୍ଷୁଧାର୍ତ୍ତେ ଚଳି ନ ପାରଇ ॥ ୨୭
ଶଶା ଗୋଟିଏ ପତ୍ରେ ପୋଡ଼ି । ମାଂସ ଭକ୍ଷିଲା ଧର୍ମ ହୁଡ଼ି ॥ ୨୮
ଶେଷ ଯେତେକ ପଶୁ ଥିଲା । ପିତା ସମୀପେ ନେଇ ଦେଲା ॥ ୨୯
ସେ ପୁଣ ବଶିଷ୍ଠଙ୍କୁ ଆଣି । ଆନନ୍ଦେ ବୋଲେ ନୃପମଣି ॥ ୩୦
ଏ ପଶୁ ମାଂସେ ଶ୍ରାଦ୍ଧକର । ଏମନ୍ତ ଶୁଣି ମୁନିବର ॥ ୩୧
ବଶିଷ୍ଠ ରାଜା ବାକ୍ୟ ଶୁଣି । ସେ କଥା ଯୋଗବଳେ ଜାଣି ॥ ୩୨
ବୋଇଲେ ରାଜାମୁଖ ଚାହିଁ । ପ୍ରୋକ୍ଷଣେ ଯୋଗ୍ୟ ଏ ନୁହଇ ॥ ୩୩
ଦେବତା-ପିତୃଅର୍ଥେ ମାଂସ । କେମନ୍ତେ ଦେବି ଅବଶେଷ ॥ ୩୪
ତୋ'ର କୁମର କ୍ଷୁଧା ଅର୍ଥେ । ଶଶାଏ ଭକ୍ଷିଲା ବନସ୍ତେ ॥ ୩୫
ବନେ ଭକ୍ଷିଲା ଅଗ୍ରଭାଗ । ଏ ମାଂସ ଶ୍ରାଦ୍ଧେନୋହେ ଯୋଗ୍ୟ ॥ ୩୬
ଏମନ୍ତେ ଗୁରୁବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥ ୩୭
ଏ ପୁତ୍ର ପାପିଷ୍ଠ-ପାମର । ଏହାକୁ ରାଜ୍ୟୁ ଦୂର କର ॥ ୩୮
ତକ୍ଷଣେ ରାଜାର ବଚନେ । ପୁରୁଁ ବାହାର କଲେ ଜନେ ॥ ୩୯
ସେ ପୁଣ ବିପ୍ରଙ୍କ ଚରଣେ । ସେବା କରଇ ଅନୁକ୍ଷଣେ ॥ ୪୦
ପିତାର ଅନ୍ତେ ରାଜା ହେଲା । ଶଶାଦ ନାମ ସେ ପାଇଲା ॥ ୪୧
ପୃଥିବୀ ଶାସନ ସେ କଲା । ଯଜ୍ଞେ ହରିଙ୍କୁ ଆରାଧିଲା ॥ ୪୨
ଶଶାଦ ପୁତ୍ର ପୁରଞ୍ଜୟ । ନାମ ତା' ହୋଏ ଇନ୍ଦ୍ରବାହ ॥ ୪୩
ପରୋପକାରେ ଧର୍ମ କଲା । କକୁସ୍ଥ ନାମ ସେ ବହିଲା ॥ ୪୪
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥ ୪୫
କକୁସ୍ଥ ନାମ ତା' କେମନ୍ତେ । ଏ କଥା କହ ମୁନି ମୋତେ ॥ ୪୬
ଶୁକ ଉବାଚ
ମୁନି ବୋଲନ୍ତି ଶୁଣ ରାୟେ । ଦେବେ ଯେ ଅସୁରଙ୍କ ଭୟେ ॥ ୪୭
ଦେବ ଦାନବ କୃତ ଯୁଗେ । ଯୁଦ୍ଧ ଆରମ୍ଭ କଲେ ରଙ୍ଗେ ॥ ୪୮
ଗୁରୁଙ୍କୁ ପୁଛିଲେ ଦୈବତେ । ସଂଗ୍ରାମେ ଜିଣିବୁ କେମନ୍ତେ ॥ ୪୯
ବୋଲଇ ଅଙ୍ଗିରା କୁମର । ପୁରଞ୍ଜୟକୁ ଯୋଦ୍ଧା କର ॥ ୫୦
ତା'ର ନାରାଚେ ରିପୁଗଣେ । ବେଗେ ଭାଜିବେ ଘୋରରଣେ ॥ ୫୧
ଶୁଣି ବିବୁଧେ ତୋଷ ହେଲେ । ପୁରଞ୍ଜୟକୁ ନିମନ୍ତ୍ରିଲେ ॥ ୫୨
ସେ ପୁଣି ଦେବବାକ୍ୟ ଶୁଣି । କପାଳେ ଦେଇ ବେନିପାଣି ॥ ୫୩
ବୋଲଇ ଇନ୍ଦ୍ର କନ୍ଧେ ବସି । ସଂଗ୍ରାମ କରିବି ସାହସି ॥ ୫୪
ନୋହିଲେ ଯୁଦ୍ଧ ନାହିଁ ମୋ'ର । ଏମନ୍ତ ଶୁଣି ତା' ଉତ୍ତର ॥ ୫୫
ହେଉ ବୋଇଲେ ସୁରଗଣେ । ଇନ୍ଦ୍ର ମିଳିଲେ ତତ୍କ୍ଷଣେ ॥ ୫୬
ସଂଗ୍ରାମେ ବୃଷରୂପ ହୋଇ । ପୁରଞ୍ଜୟ କନ୍ଧେ ଆରୋହି ॥ ୫୭
ସ୍ତୁତି କରନ୍ତି ଦେବଗଣେ । ସେ ପୁରଞ୍ଜୟ ଘୋରରଣେ ॥ ୫୮
ଅଭେଦ-ସେହ୍ନା ଦେହେ ଭରି । ଧନୁ-ନାରାଚ ହସ୍ତେ ଧରି ॥ ୫୯
ନିର୍ଭୟେ ଇନ୍ଦ୍ରକନ୍ଧେ ରହି । ତକ୍ଷଣେ ବିଷ୍ଣୁତେଜ ବହି ॥ ୬୦
ପଶ୍ଚିମ ଦିଗେ ବେଗେ ଗଲା । ଅସୁର ଭୁବନେ ମିଳିଲା ॥ ୬୧
ରୁନ୍ଧିଲା ଦେବ ଘେନି ସାଥେ । ପବନ ନ ବହଇ ପଥେ ॥ ୬୨
ଦେବ-ଦାନବ ଘୋରରଣ । ହୋଇଲା ଲୋମହରଷଣ ॥ ୬୩
ଅସୁରେ ନାନାଶସ୍ତ୍ର ଧରି । ଧାଇଁଲେ ଘୋରନାଦ କରି ॥ ୬୪
ତାହାର ବାଣ ଅଗ୍ନି ପ୍ରାୟେ । ପଡ଼ିଲା ଅସୁରଙ୍କ ଦେହେ ॥ ୬୫
ସମରେ ରହି ନ ପାରିଲେ । ପଳାଇ ନିଜ ପୁରେ ଗଲେ ॥ ୬୬
ଅସୁରବଳ ରଣେ ଜିଣି । ସକଳ ଧନରତ୍ନ ଆଣି ॥ ୬୭
ଇନ୍ଦ୍ରକୁ ଦେଇ ସର୍ବଧନ । ତୋଷିଲା ବିବୁଧଙ୍କ ମନ ॥ ୬୮
ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ । କକୁସ୍ଥ ନାମ ତା'କୁ ଦେଲେ ॥ ୬୯
ଏଣୁ ତା' ନାମ ଭୋ ରାଜନ । କହିଲୁ କଲୁ ଯେ ପ୍ରଶନ ॥ ୭୦
ତଦନ୍ତେ ଶୁଣ ଭୋ ରାଜନ । ବଂଶାନୁଚରିତ ବିଧାନ ॥ ୭୧
ଅନେନା ପୁରଞ୍ଜୟ ସୁତ । ପୃଥୁ ତାହାର ତହୁଁ ଜାତ ॥ ୭୨
ତା'ର ତନୟ ବିଶ୍ୱଗନ୍ଧି । ତା' ପୁତ୍ର ଚନ୍ଦ୍ର ନାମେ ସିଦ୍ଧି ॥ ୭୩
ତା' ସୁତ ଯୁବନାଶ୍ୱ ନାମ । ଶ୍ରାବସ୍ତ ତାହାର ନନ୍ଦନ ॥ ୭୪
ଶ୍ରାବସ୍ତୀପୁର ଯେ ନିର୍ମାଇ । ସପତଦ୍ୱୀପେ ରାଜା ହୋଇ ॥ ୭୫
ତା'ର କୁମର ବୃହଦଶ୍ୱ । ପବନୁଁ ବେଗ ଯାଇ ଅଶ୍ୱ ॥ ୭୬
ତା'ର ସୁତ କୁବଳୟାଶ୍ୱ । ଯେ ରାଜା ଉତଙ୍କେ ବିଶ୍ୱାସ ॥ ୭୭
ଏକ ବିଂଶ ସହସ୍ର ସୁତ । ତା'ଠାରୁ ହୋଇଲେ ସମ୍ଭୂତ ॥ ୭୮
ସେ ରାଜା ଉତଙ୍କର ହିତେ । ପୁତ୍ରଙ୍କୁ ଘେନିଣ ସଙ୍ଗତେ ॥ ୭୯
ସେ ଧୁନ୍ଧୁ ସଙ୍ଗେ ରଣ କରି । ରଣେ ତାହାର ପ୍ରାଣ ହରି ॥ ୮୦
ଧୁନ୍ଧୁ ଅସୁର ଯେଣୁ ବଧି । ତେଣୁ ଧୁନ୍ଧୁମାର ପ୍ରସିଦ୍ଧି ॥ ୮୧
ଧୁନ୍ଧୁ ମୁଖରୁ ଅଗ୍ନିଜ୍ୱାଳା । ପ୍ରଚଣ୍ତ ଭାବେ ସେ ଜଳିଲା ॥ ୮୨
ସମସ୍ତେ ହେଲେ ଭସ୍ମୀଭୂତ । ରହିଲେ ମାତ୍ର ତିନିସୁତ ॥ ୮୩
ଦୃଢ଼ାଶ୍ୱ କପିଳାଶ୍ୱ ବେନି । ଭଦ୍ରାଶ୍ୱ ସହିତେ ସେ ତିନି ॥ ୮୪
ହର୍ଯ୍ୟଶ୍ୱ ଦୃଢ଼ାଶ୍ୱର ସୁତ । ତା' ତହୁଁ ନିକୁମ୍ଭ ସମ୍ଭୂତ ॥ ୮୫
ନିକୁମ୍ଭ ଠାରୁ ଯେ ଜନମ । ତାହାର ବହୁଳାଶ୍ୱ ନାମ ॥ ୮୬
କୃଶାଶ୍ୱ ନାମେ ତା'ର ସୁତ । ତା'ର ତନୟ ସେନଜିତ ॥ ୮୭
ତା' ସୁତ ଯବନାଶ୍ୱ ନାମେ । କେବେ ହେଁ ନରହିଲା ଗ୍ରାମେ ॥ ୮୮
ଅପୁତ୍ର ପଣେ ଦୁଃଖମନେ । ପତ୍ନୀ ସମେତେ ଗଲା ବନେ ॥ ୮୯
ଶତେକ ପତ୍ନୀ ତା'ର ତୁଲେ । ଋଷିଙ୍କ ଆଶ୍ରମେ ମିଳିଲେ ॥ ୯୦
ଦେଖି ତାହାର ଶତେ ନାରୀ । ମୁନି ସକଳେ ଦୟାକରି ॥ ୯୧
ରାଜାର ପୁତ୍ର ଜନ୍ମ ଅର୍ଥେ । ଯଜ୍ଞ କରାଇଲେ ସମସ୍ତେ ॥ ୯୨
କଳସେ ତୀର୍ଥ ଜଳ ଭରି । ଗର୍ଭର ଅର୍ଥେ ମନ୍ତ୍ରି ବାରି ॥ ୯୩
ଯଜ୍ଞର ଶାଳେ ଘଟ ଥୋଇ । ସକଳେ ନିଦ୍ରାଗତେ ଶୋଇ ॥ ୯୪
ଏମନ୍ତେ ରାଜା ଯଜ୍ଞଶାଳେ । ଅତି ତୃଷିତ ଅନ୍ତରାଳେ ॥ ୯୫
ସହି ନ ପାରି ରାତ୍ର ଅନ୍ତେ । ଜଳ କଳସ ଘେନି ହସ୍ତେ ॥ ୯୬
ଦେଖିଲେ ସକଳେ ଅଜ୍ଞାନ । ତୁଷାର୍ତ୍ତେ କଲା ଜଳପାନ ॥ ୯୭
ଏମନ୍ତେ ପାହିଲା ରଜନୀ । ନିଦ୍ରା ତେଜିଲେ ସର୍ବମୁନି ॥ ୯୮
ଉଦୟ କାଳେ ମନ୍ତ୍ରସ୍ୱରେ । କୁମ୍ଭ ତୋଳିଲେ ବେନିକରେ ॥ ୯୯
ଦେଖିଲେ କୁମ୍ଭେ ଜଳ ନାହିଁ । ଚକିତେ ଚଉଦିଗେ ଚାହିଁ ॥ ୧୦୦
ବୋଲନ୍ତି ପାଇ ମନେ ଭ୍ରମ । କେ ପ୍ରାଣୀ କଲା ଏଡ଼େ କର୍ମ ॥ ୧୦୧
ମନ୍ତ୍ରିତ ଫୁସବନ ବାରି । କେ ପାନ କଲା ତୃଷାଭରି ॥ ୧୦୨
ତକ୍ଷଣେ ବେନିକର ଯୋଡ଼ି । ମୁନିଙ୍କ ପାଦତଳେ ପଡ଼ି ॥ ୧୦୩
ରାଜା ବୋଇଲା ମୁଁ ଅଜ୍ଞାନେ । ତୃଷା ତୋଷିଲି ଜଳପାନେ ॥ ୧୦୪
ଶୁଣି ବ୍ରାହ୍ମଣେ କୋପବହି । ବୋଇଲେ ବିଷ୍ଣୁମାୟା ଏହି ॥ ୧୦୫
ପ୍ରାଣୀ ଯେ ଦଇବ ଅଧୀନ । ମାୟାର ବଳେ ହରେ ଜ୍ଞାନ ॥ ୧୦୬
ବୋଇଲେ ରାଜାମୁଖ ଚାହିଁ । ଗର୍ଭ ଧଇଲୁ ଏବେ ତୁହି ॥ ୧୦୭
ଏବେ ତୋ' ଜୀବନ ସମ୍ଭାଳ । ଏମନ୍ତେ ଗଲା କେତେକାଳ ॥ ୧୦୮
ଏମନ୍ତେ ପୁତ୍ର ଜନ୍ମକାଳେ । ରାଜା ଉଦର ବାହୁ ବଳେ ॥ ୧୦୯
ଦକ୍ଷିଣ କୁକ୍ଷି ବିଦାରିଲା । ତକ୍ଷଣେ ଭୂମିରେ ପଡ଼ିଲା ॥ ୧୧୦
ରାଜା ନମଲା ପୁଣ୍ୟବଳେ । ଉଭାରି ଦେଖନ୍ତି ସକଳେ ॥ ୧୧୧
ପୁତ୍ର ରୋଦଇ କ୍ଷୀର ଅର୍ଥେ । ତା' ଦେଖି ଇନ୍ଦ୍ର ଦୟାଚିତ୍ତେ ॥ ୧୧୨
ବୋଇଲେ ବିପ୍ରଙ୍କୁ ଅନାଇଁ । ରାଜାର ସ୍ତନଯୁଗ ନାହିଁ ॥ ୧୧୩
ଏ ପୁତ୍ର ଲୋଡୁଅଛି କ୍ଷୀର । ଏମନ୍ତ ବୋଲି ନିଜ କର ॥ ୧୧୪
ଅଙ୍ଗୁଳି ତା'ର ତୁଣ୍ତେ ଦେଲା । ତକ୍ଷଣେ କ୍ଷୁଧା ତା' ହରିଲା ॥ ୧୧୫
ଇନ୍ଦ୍ର ବୋଲଇ ତା'କୁ ଚାହିଁ । ତୋହର ହୋଇଲି ମୁଁ ଧାଈ ॥ ୧୧୬
ତୁ ଯେ ହୋଇଲୁ ବଳବନ୍ତା । ଏଣୁ ତୋ' ନାମଟି ମାନ୍ଧାତା ॥ ୧୧୭
ସେ ପୁଣି ଚକ୍ରବର୍ତ୍ତୀ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥ ୧୧୮
ଇନ୍ଦ୍ର ତାହାକୁ ବର ଦେଲେ । ଅଜୟ ହୁଅସି ବୋଇଲେ ॥ ୧୧୯
ସେ ପୁଣି ନିଜ ତେଜ ବଳେ । ଅବନୀ ପାଳଇ ନିଶ୍ଚଳେ ॥ ୧୨୦
ତାହାର ତେଜେ ଦସ୍ୟୁଗଣ । ଭୟେ ପଳାନ୍ତି ଛାଡ଼ି ରଣ ॥ ୧୨୧
ଏଣୁ ସେ ନିଜ ତେଜ ଧାମ । ପାଇଲା ତ୍ରସଦ୍ଦସ୍ୟୁ ନାମ ॥ ୧୨୨
ରାବଣ ଆଦି ଦସ୍ୟୁ ଯେତେ । ତ୍ରାସନ୍ତି ସେ ବସିଲେ ରଥେ ॥ ୧୨୩
ଏମନ୍ତ ନାମ ଇନ୍ଦ୍ର ଦେଲା । ଅନେକ କାଳ ରାଜ୍ୟ କଲା ॥ ୧୨୪
ତା' ରିପୁ ନାହିଁ ଏ ଶୟଳେ । ବଞ୍ଚିଲା ବିଷ୍ଣୁତେଜ ବଳେ ॥ ୧୨୫
ଅନେକ ମତେ ଯଜ୍ଞ କଲା । ଦକ୍ଷିଣା ବିପ୍ରଗଣେ ଦେଲା ॥ ୧୨୬
ଯେ ହରି ସର୍ବ ଦେବମୟେ । ଦେବେ ବସନ୍ତି ଯା'ର ଦେହେ ॥ ୧୨୭
ସେ ହରି ଯଜ୍ଞେ ତୋଷ କରି । ସୁଖେ ପାଳିଲା ବସୁନ୍ଧରୀ ॥ ୧୨୮
ସୂର୍ଯ୍ୟର ତେଜ ଯେତେ ଦୂର । ଯହିଁ ବା ଚନ୍ଦ୍ରମା ସମୀର ॥ ୧୨୯
ମାନ୍ଧାତା ତେତେଦୂର ରାଜା । ସର୍ବେ କରନ୍ତି ପାଦପୂଜା ॥ ୧୩୦
ସେ ପୁଣି ଶଶବିନ୍ଦୁ ପୁରେ । କନ୍ୟା ଲଭିଲା ସ୍ୱୟମ୍ବରେ ॥ ୧୩୧
ସେ କନ୍ୟା ଇନ୍ଦୁମତି ନାମ । ରୂପରେ ଅଟେ ଅନୁପମ ॥ ୧୩୨
ତାହାର ଗର୍ଭେ ପୁତ୍ର ତିନି । ଜନ୍ମିଲେ ବିଷ୍ଣୁତେଜ ଘେନି ॥ ୧୩୩
ପୁରୁକୂତ୍ସ ଯେ ଅମ୍ବରୀଷ । ଏ ଆଦି ମୁଚୁକୁନ୍ଦ ଶେଷ ॥ ୧୩୪
ଏ ଅନ୍ତେ ପଞ୍ଚାଶ ଦୁହିତା । ଉତ୍ପତ୍ତି କଲେ ମାନ୍ଧାତା ॥ ୧୩୫
ସେ କନ୍ୟାଗଣ ବିଭାକାଳେ । ସୌଭରିମୁନି ଯୋଗବଳେ ॥ ୧୩୬
ବିବାହ କଲେ କନ୍ୟାଗଣ । ସେ କଥା ଏକମନେ ଶୁଣ ॥ ୧୩୭
ସୌଭରିଋଷି ବୃନ୍ଦାବନେ । କାଳିନ୍ଦୀ ଜଳେ ଯୋଗଧ୍ୟାନେ ॥ ୧୩୮
ତପ କରନ୍ତି ଦୃଢ଼ଚିତ୍ତେ । ଏମନ୍ତେ କିଛିକାଳ ଅନ୍ତେ ॥ ୧୩୯
ସମାଧି ଭାଜିଲା ଚଞ୍ଚଳେ । ସ୍ଥିରେ ଚାହିଁଲେ ନଦୀଜଳେ ॥ ୧୪୦
ଦେଖିଲେ ମୀନଗଣ ମଧ୍ୟେ । ରୋହିତ ଖେଳଇ ଆନନ୍ଦେ ॥ ୧୪୧
ବାଳକ ମୀନ ତା' ଶରୀରେ । କ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ ॥ ୧୪୨
ଏମନ୍ତ ହୋଇ ପ୍ରତିଦିନେ । ଖେଳନ୍ତି ମୁନି ସନ୍ନିଧାନେ ॥ ୧୪୩
ସୌଭରି ମୁନି ତାହା ଚାହିଁ । ଲାଳସଚିତ୍ତେ ବିଚାରଇ ॥ ୧୪୪
ଦେଖ ଏ ରୋହିତର ଭାଗ୍ୟ । କୁଟୁମ୍ବ ମଧ୍ୟେ ସୁଖ ଭୋଗ ॥ ୧୪୫
ମୁଁ ଏବେ କରି ଗୃହାଶ୍ରମ । ସାଧିବି ଯଥା କୁଳ ଧର୍ମ ॥ ୧୪୬
ଏତେ ବିଚାରି ତପ ଛାଡ଼ି । ଗୃହ କରଣେ ଚିତ୍ତ ବଢ଼ି ॥ ୧୪୭
ମାର୍ଗେ ଚଳନ୍ତି ସେ ବିଚାରି । ବିବାହ ଅର୍ଥେ ବ୍ରହ୍ମଚାରୀ ॥ ୧୪୮
ଗୃହସ୍ଥ ନୋହେ ସେହୁ ଭଲେ । ଦାରା ପରିଗ୍ରହ ନ କଲେ ॥ ୧୪୯
ଏତେ ବିଚାରି ଦୃଢ଼ଚିତ୍ତେ । ମିଳିଲେ ନୃପତି ଅଗ୍ରତେ ॥ ୧୫୦
ମୁନି ଆଗମ ରାଜା ଦେଖି । ଉଠିଲେ ଆସନ ଉପେକ୍ଷି ॥ ୧୫୧
ଅତିଥିମତେ ପୂଜା କଲେ । ଆସନେ ନେଇ ବସାଇଲେ ॥ ୧୫୨
ଅନେକ ଗଉରବ କରି । ତା' ଦେଖି ମୁନି ସଉଭରି ॥ ୧୫୩
ବୋଇଲେ ରାଜା ମୁଖ ଚାହିଁ । ବିଭା କରାଅ ମୋତେ ତୁହି ॥ ୧୫୪
ଗୃହେ କଳ୍ପିଲା ମୋର ମନ । କନ୍ୟାଏ ଦିଅ ମୋତେ ଦାନ ॥ ୧୫୫
ମୋହର ସନ୍ତତି ହୋଇଲେ । ସ୍ୱଧର୍ମ ରଖିବୁ ତୁ ଭଲେ ॥ ୧୫୬
ଏମନ୍ତେ ମୁନି ମୁଖୁଁ ଶୁଣି । ରାଜା ବିଚାରେ ମନେ ଗୁଣି ॥ ୧୫୭
ଏ ଅତିବୃଦ୍ଧ ଜରଜର । ବାତେ କମ୍ପଇ ତା' ଶରୀର ॥ ୧୫୮
ବୃଦ୍ଧଙ୍କ ମଧ୍ୟେ ଅତିବୃଦ୍ଧ । ଗୃହ କରଣେ କଲେ ସଧ ॥ ୧୫୯
ମୋ'ର ଦୁହିତା ଅତି ସୁଖୀ । ଏହାକୁ ଦେଲେ ହେବ ଦୁଃଖୀ ॥ ୧୬୦
ନ ଦେଲେ ମୋ'ର ଭଲ ନାହିଁ । ଏତେ ବିଚାରି ମୁନି ଚାହିଁ ॥ ୧୬୧
ବୋଲଇ ଶିରେ ଦେଇ କର । ଭୋ ମୁନି ଶୁଣ ମୋ' ଉତ୍ତର ॥ ୧୬୨
ପଞ୍ଚାଶ କନ୍ୟା ଅଛି ମୋ'ର । ଅନ୍ତଃପୁରକୁ ବିଜେ କର ॥ ୧୬୩
ଯେ କନ୍ୟା ତୁମ୍ଭଙ୍କୁ ବରିବ । ସୁମନେ କରି ପ୍ରୀତିଭାବ ॥ ୧୬୪
ସେ କନ୍ୟା ନିଶ୍ଚେ ଦେବି ମୁହିଁ । ଏମନ୍ତେ ରାଜା ସତ୍ୟ ପାଇଁ ॥ ୧୬୫
ମୁନି ଉଠିଲେ ତୋଷ ହୋଇ । ତକ୍ଷଣେ ଅନ୍ତଃପୁରେ ଯାଇ ॥ ୧୬୬
ଦ୍ୱାରପାଳକୁ ରାଜା ଚାହିଁ । ବୋଇଲା ଘେନିଯାଅ ତୁହି ॥ ୧୬୭
ଯେ କନ୍ୟା ବରିବ ଏ ବର । ଦେବଇଁ ସତ୍ୟ ଏ ମୋହର ॥ ୧୬୮
ଦ୍ୱାରପାଳର ହସ୍ତ ଧରି । ପୁରେ ପଶିଲେ ସଉଭରି ॥ ୧୬୯
ମିଳିଲେ କନ୍ୟାଙ୍କ ମନ୍ଦିରେ । ମାୟା-ମୋହନ-କଳେବରେ ॥ ୧୭୦
ରୂପେ କନ୍ଦର୍ପ ରୂପ ଗଞ୍ଜେ । ଜଗମୋହନ ତେଜ ପୁଞ୍ଜେ ॥ ୧୭୧
କନ୍ୟାଙ୍କୁ ଚାହିଁ ଦ୍ୱାରପାଳ । ଅଳପ ନମିଲା କପୋଳ ॥ ୧୭୨
ବୋଲଇ କନ୍ୟାଙ୍କୁ ଅନାଇଁ । ମୁଁ ତୁମ୍ଭ ପିତା ଆଜ୍ଞା ପାଇ ॥ ୧୭୩
ସଙ୍ଗତେ ଆଣିଅଛି ବର । ଯାହାର ଇଚ୍ଛା ତୁମେ ବର ॥ ୧୭୪
ଏକଇ କନ୍ୟା ଦେବେ ଦାନ । ଅଧିକେ ନାହିଁ ପ୍ରୟୋଜନ ॥ ୧୭୫
କନ୍ୟାଏ ତା'ର ରୂପ ଚାହିଁ । ନୟନ ପିଛା ନଚଳଇ ॥ ୧୭୬
ସର୍ବେ ଇଚ୍ଛନ୍ତି ତା'ର ସଙ୍ଗ । ଅନଳେ ଯେସନେ ପତଙ୍ଗ ॥ ୧୭୭
ଏକ ଆରେକ ଆଗ ହୋଇ । ବୋଲନ୍ତି ମୋ'ର ବର ଏହି ॥ ୧୭୮
ମୁହିଁ ବରିଲି ଆଗେ ବର । ନିଶ୍ଚୟେ ବର ଏ ମୋହର ॥ ୧୭୯
ଏମନ୍ତେ ଏକୁ ଆରେ ବାଦେ । ମୁନିଙ୍କି ବରିଲେ ଆନନ୍ଦେ ॥ ୧୮୦
ତକ୍ଷଣେ ଦ୍ୱାରପାଳ ଗଲା । ନୃପତି ଆଗେ ଜଣାଇଲା ॥ ୧୮୧
ବୋଲଇ ବିଧାତାର ମାୟା । କେ ଆନ କରେ ପ୍ରଭୁ ଏହା ॥ ୧୮୨
ଦଇବବଳ ଆକର୍ଷଣେ । ସର୍ବେ ବରିଲେ ବରପଣେ ॥ ୧୮୩
ଶୁଣି ତାହାର ମୁଖୁଁ ବାଣୀ । ସଂଭ୍ରମଚିରେ ନୃପମଣି ॥ ୧୮୪
ଆନନ୍ଦେ କନ୍ୟାଦାନ କଲା । ଅନେକ ଯଉତୁକ ଦେଲା ॥ ୧୮୫
ପଞ୍ଚାଶ କନ୍ୟା ବିଭା କରି । ପୁରୁଁ ବାହାର ସଉଭରି ॥ ୧୮୬
ସମ୍ପଦ ସିଦ୍ଧି ଯୋଗବଳେ । ଗୃହସ୍ଥ-ଆଶ୍ରମ ନିଶ୍ଚଳେ ॥ ୧୮୭
ନାନାପ୍ରକାରେ ଭୋଗକଲେ । ଅନେକ ପୁତ୍ର ନାତି ତୁଲେ ॥ ୧୮୮
ଯେ ଭୋଗକଳ୍ପେ ତା'ଙ୍କ ମନେ । ତକ୍ଷଣେ ମିଳେ ସନ୍ନିଧାନେ ॥ ୧୮୯
ଦିଗପାଳଙ୍କ ଭୋଗ ଆଦି । ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି ॥ ୧୯୦
ଏମନ୍ତ ଭୋଗ ଅନୁଦିନେ । ବିହାର ପୁଷ୍ପିତ କାନନେ ॥ ୧୯୧
ଏମନ୍ତେ କିଛିକାଳ ଗଲା । ବୈରାଗ୍ୟ ମନେ ଉପୁଜିଲା ॥ ୧୯୨
ନିଜ କପାଳେ ହସ୍ତ ମାରି । ତାପେ ବୋଲନ୍ତି ସଉଭରି ॥ ୧୯୩
ଦଇବ ବଳ ଦେଖ ମୋତେ । ତପ ମୁଁ କଲି ମୋକ୍ଷ ଅର୍ଥେ ॥ ୧୯୪
ଜଳେ ଅନାଇଁ ମୀନବଂଶେ । ଜ୍ଞାନ ହାରିଲି ସଙ୍ଗଦୋଷ ॥ ୧୯୫
ଏକ ମୁଁ ଭଜିଲି ଅନେକ । ନିଶ୍ଚୟେ ପଡ଼ିବି ନରକ ॥ ୧୯୬
ଏମନ୍ତ ଭାଳି ସେ ଏକାନ୍ତେ । ତକ୍ଷଣେ ପଶିଲେ ବନସ୍ତେ ॥ ୧୯୭
ପତ୍ନୀ ସମେତେ ତପ ଦାହି । ଅନ୍ତେ ଲଭିଲେ ଭାବଗ୍ରାହୀ ॥ ୧୯୮
ସୁଜନେ ଶୁଣ ଏକଚିତ୍ତେ । ଯେ ଧର୍ମ ବଂଶାନୁଚରିତେ ॥ ୧୯୯
କହିଲି ଆତ୍ମାହିତ ବାଣୀ । ଯେଣେ ଭକତି ତତ୍ତ୍ୱ ଜାଣି ॥ ୨୦୦
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଆନଗତି ନାହିଁ ॥ ୨୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥
* * *