ନବମ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଶୁକ ଉବାଚ
ଏମନ୍ତେ ବିଷ୍ଣୁର ବଚନେ । ଦୂର୍ବାସା ଗଲେ ତୋଷମନେ ॥ ୧
ତକ୍ଷଣେ ଅମ୍ବରୀଷ ପାଦେ । ପଡ଼ିଲେ ଜୀବନ ପ୍ରମାଦେ ॥ ୨
ଚରଣ ତଳେ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୩
ବିପ୍ର ଜୀବନ ରକ୍ଷା ଅର୍ଥେ । କର-ଅଞ୍ଜଳି ଦେଇ ମାଥେ ॥ ୪
ସୁଦରଶନ ମୁଖ ଚାହିଁ । ଡାକନ୍ତି କର ତ୍ରାହି ତ୍ରାହି ॥ ୫
ଅମ୍ବରୀଷ ଉବାଚ
ଭୋ ଚକ୍ର ତୋ' ମହିମା ଯେତେ । କେ କହିପାରେ ଏ ଜଗତେ ॥ ୬
ତୁ ଅଗ୍ନି ତୁ ଆଦିତ୍ୟ ସୋମ । ସର୍ବଜ୍ୟୋତିଙ୍କ ଗୁଣଧାମ ॥ ୭
ତୁ ଆପ କ୍ଷିତି ବାୟୁରୂପୀ । ବ୍ୟୋମ ପ୍ରକାଶେ ସର୍ବବ୍ୟାପୀ ॥ ୮
ତୁ ତନମାତ୍ର ଇନ୍ଦ୍ରିଗଣ । ବିରାଜପୁରୁଷ କାରଣ ॥ ୯
ଭୋ ଚକ୍ର ତୋତେ ନମସ୍କାର । ସ୍ୱଭାବେ ତୁ ସହସ୍ର ଅର ॥ ୧୦
ବିଷ୍ଣୁର ନିଜ ପ୍ରିୟ ତୁହି । ତୋ' ଭାବ ନ ଜାଣନ୍ତି କେହି ॥ ୧୧
ସକଳ ଶସ୍ତ୍ରତେଜ ହରୁ । ତୋ'ର ମହିମା ମହାମେରୁ ॥ ୧୨
ତୁ ଲୋକପାଳ ସର୍ବଆତ୍ମା । ତୁ ତେଜ-ପୁରୁଷ ମହାତ୍ମା ॥ ୧୩
ତୁ ସର୍ବ-ଧର୍ମ-କର୍ମ-ହେତୁ । ଅଧର୍ମକୁଳ ଧୂମକେତୁ ॥ ୧୪
ତ୍ରୈଲୋକପାଳ ଶୁଦ୍ଧଚେତା । ମନହୁଁ ବେଗ ବଳବନ୍ତା ॥ ୧୫
ତୋହର ନିଜ ତେଜ ତ୍ରାସେ । ସଂସାର ଘୋରତମ ନାଶେ ॥ ୧୬
ଶ୍ରୁତି ତୋ' ମହିମା ନ ଜାଣେ । କେବଳ ପ୍ରକାଶ ପ୍ରମାଣେ ॥ ୧୭
ସଦଅସଦ ରୂପ ତୋ'ର । ବ୍ରହ୍ମାଶିବଙ୍କୁ ଆଗୋଚର ॥ ୧୮
ଦାନବ ବଳେ ନରହରି । ତୋତେ ପେଷନ୍ତି ବେଗକରି ॥ ୧୯
ତୁ ଦୈତ୍ୟବଳ ମଧ୍ୟେ ପଶି । ସକଳ ନିଜ ତେଜେ ଧ୍ୱଂସି ॥ ୨୦
ଅସୁର ରଣେ ତୋ'ର ତେଜ । ଦେଖି କମ୍ପଇ ଗ୍ରହରାଜ ॥ ୨୧
ଏଣୁ ଜଗତ ତ୍ରାଣ ଅର୍ଥେ । ଖଳ ବିନାଶେ ଧରି ହସ୍ତେ ॥ ୨୨
ତୋ' ବଳେ ବଳୀ ଗଦାଧର । ତୁ ଏବେ ମୋତେ ତ୍ରାହିକର ॥ ୨୩
ଏ ବିପ୍ର କୁଳଦେବ ମୋର । ଏହା ଜୀବନ ରକ୍ଷା କର ॥ ୨୪
ମୁଁ ଯେବେ ଦାନ ଯଜ୍ଞ କରି । ସ୍ୱଧର୍ମ ମାର୍ଗକୁ ଆଚରି ॥ ୨୫
ବ୍ରାହ୍ମଣ-ଚରଣକମଳେ । ଯେବେ ସେବନ ମୋ'ର କୁଳେ ॥ ୨୬
ଯେବେ ଗୋବିନ୍ଦ ପ୍ରୀତ ମୋତେ । ମୁଁ ସମେ ଦେଖେ ସର୍ବଭୂତେ ॥ ୨୭
ଏ ଧର୍ମେ ଯେବେ ମୋର ଦୀକ୍ଷା । ଏ ବିପ୍ର ପ୍ରାଣ ହେଉ ରକ୍ଷା ॥ ୨୮
ଶୁକ ଉବାଚ
ଏମନ୍ତ ଶୁଣି ତା' ବଚନ । ବିଷ୍ଣୁର ଚକ୍ର ସୁଦର୍ଶନ ॥ ୨୯
ତକ୍ଷଣେ ନିଶାକର ପ୍ରାୟେ । ଶୀତଳ ଲାଗେ ବିପ୍ର ଦେହେ ॥ ୩୦
ଦୁର୍ବାସା ଜୀବନ ପାଇଲା । ସନ୍ତୋଷେ ଚକ୍ରକୁ ଚାହିଁଲା ॥ ୩୧
ଚକ୍ରକୁ ନମସ୍କାର କରି । ବୋଲେ ଦୁର୍ବାସା ବ୍ରହ୍ମଚାରୀ ॥ ୩୨
ଦୁର୍ବାସା ଉବାଚ
ଦେଖ ଅନନ୍ତଦାସଙ୍କର । ମହାମହିମା ଅଗୋଚର ॥ ୩୩
ଅପ୍ରାଧ କଲେ ହେଁ ସହନ୍ତି । ବିଷ୍ଣୁଙ୍କୁ ସର୍ବଦେହେ ଚିନ୍ତି ॥ ୩୪
ସାଧୁ କି ଅବା ନ ଉପେକ୍ଷେ । ହରି ସକଳ ଦେହେ ଦେଖେ ॥ ୩୫
ଯା' ନାମ ସୁମରଣ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥ ୩୬
ସେ ତୀର୍ଥପଦ ଦାସ ଯେତେ । ଦୁଃଖ ନାଶନ୍ତି ଏ ଜଗତେ ॥ ୩୭
ଯେଣୁ ରଖିଲୁ ମୋ' ଜୀବନ । ତୋ'ର ମହିମା ଧନ୍ୟ ଧନ୍ୟ ॥ ୩୮
ଏମନ୍ତ ବିପ୍ର ମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥ ୩୯
ଅମ୍ବରୀଷ ଉବାଚ
ବୋଲେ ଦୁର୍ବାସା ମୁଖ ଚାହିଁ । ଭୋ ବିପ୍ର କର ମୋତେ ତ୍ରାହି ॥ ୪୦
ତୁ ଯେ ଅତିଥି ମୋ'ର କୁଳେ । ମିଳିଲୁ ପାରଣାର ବେଳେ ॥ ୪୧
ପାରଣା ଭୟେ ମୁଁ ଗୁପତେ । ଅପ୍ରାଧ କଲି ଦୁଷ୍ଟଚିତ୍ତେ ॥ ୪୨
ସେ ଅପରାଧ ମୋ ନ ଧର । ପାରଣା ମୋ'ର ଗୃହେ କର ॥ ୪୩
ଏମନ୍ତ ରାଜାର ବଚନେ । ପାରଣା କଲେ ତୋଷମନେ ॥ ୪୪
କଲ୍ୟାଣ କରି ଅମ୍ବରୀଷେ । ଅନେକ ମନର ହରଷେ ॥ ୪୫
ତକ୍ଷଣେ ଶୂନ୍ୟମାର୍ଗେ ଗଲେ । ବ୍ରହ୍ମାର ଭୁବନେ ମିଳିଲେ ॥ ୪୬
କହିଲେ ଅମ୍ବରୀଷ ବାଣୀ । ବ୍ରହ୍ମା ସନ୍ତୋଷ ତାହା ଶୁଣି ॥ ୪୭
ରାଜାକୁ କଲେ ଧନ୍ୟଧନ୍ୟ । ଏବେ ହୋ ଶୁଣସି ରାଜନ ॥ ୪୮
ସେ ଅମ୍ବରୀଷ ଦଣ୍ତଧାରୀ । ପୁତ୍ରକୁ ରାଜ୍ୟେ ରାଜା କରି ॥ ୪୯
ହରିଚରଣେ ମନ ଦେଇ । ପଶିଲା ଘୋର ବନେ ଯାଇ ॥ ୫୦
ପ୍ରାଣ ଛାଡ଼ିଲା ତପବଳେ । ପଶିଲା ବିଷ୍ଣୁର ମଣ୍ତଳେ ॥ ୫୧
ସେ ଅମ୍ବରୀଷର ଆଖ୍ୟାନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୫୨
ହରିଚରଣ ମନେ ଚିନ୍ତି । ଅନ୍ତେ ସେ ଗୋବିନ୍ଦେ ପଶନ୍ତି ॥ ୫୩
ସୁଜନେ ଅମ୍ବରୀଷ ବାଣୀ । ସଂସାରୁ ତର ଏହା ଶୁଣି ॥ ୫୪
ଅମୃତ ରସମୟବାଣୀ । ଭକତ ମହିମା ବଖାଣି ॥ ୫୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥
* * *