ନବମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ବିଷ୍ଣୁର ବଚନେ । ଦୂର୍ବାସା ଗଲେ ତୋଷମନେ ॥

ତକ୍ଷଣେ ଅମ୍ବରୀଷ ପାଦେ । ପଡ଼ିଲେ ଜୀବନ ପ୍ରମାଦେ ॥

ଚରଣ ତଳେ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥

ବିପ୍ର ଜୀବନ ରକ୍ଷା ଅର୍ଥେ । କର-ଅଞ୍ଜଳି ଦେଇ ମାଥେ ॥

ସୁଦରଶନ ମୁଖ ଚାହିଁ । ଡାକନ୍ତି କର ତ୍ରାହି ତ୍ରାହି ॥

ଅମ୍ବରୀଷ ଉବାଚ

ଭୋ ଚକ୍ର ତୋ' ମହିମା ଯେତେ । କେ କହିପାରେ ଏ ଜଗତେ ॥

ତୁ ଅଗ୍ନି ତୁ ଆଦିତ୍ୟ ସୋମ । ସର୍ବଜ୍ୟୋତିଙ୍କ ଗୁଣଧାମ ॥

ତୁ ଆପ କ୍ଷିତି ବାୟୁରୂପୀ । ବ୍ୟୋମ ପ୍ରକାଶେ ସର୍ବବ୍ୟାପୀ ॥

ତୁ ତନମାତ୍ର ଇନ୍ଦ୍ରିଗଣ । ବିରାଜପୁରୁଷ କାରଣ ॥

ଭୋ ଚକ୍ର ତୋତେ ନମସ୍କାର । ସ୍ୱଭାବେ ତୁ ସହସ୍ର ଅର ॥ ୧୦

ବିଷ୍ଣୁର ନିଜ ପ୍ରିୟ ତୁହି । ତୋ' ଭାବ ନ ଜାଣନ୍ତି କେହି ॥ ୧୧

ସକଳ ଶସ୍ତ୍ରତେଜ ହରୁ । ତୋ'ର ମହିମା ମହାମେରୁ ॥ ୧୨

ତୁ ଲୋକପାଳ ସର୍ବଆତ୍ମା । ତୁ ତେଜ-ପୁରୁଷ ମହାତ୍ମା ॥ ୧୩

ତୁ ସର୍ବ-ଧର୍ମ-କର୍ମ-ହେତୁ । ଅଧର୍ମକୁଳ ଧୂମକେତୁ ॥ ୧୪

ତ୍ରୈଲୋକପାଳ ଶୁଦ୍ଧଚେତା । ମନହୁଁ ବେଗ ବଳବନ୍ତା ॥ ୧୫

ତୋହର ନିଜ ତେଜ ତ୍ରାସେ । ସଂସାର ଘୋରତମ ନାଶେ ॥ ୧୬

ଶ୍ରୁତି ତୋ' ମହିମା ନ ଜାଣେ । କେବଳ ପ୍ରକାଶ ପ୍ରମାଣେ ॥ ୧୭

ସଦଅସଦ ରୂପ ତୋ'ର । ବ୍ରହ୍ମାଶିବଙ୍କୁ ଆଗୋଚର ॥ ୧୮

ଦାନବ ବଳେ ନରହରି । ତୋତେ ପେଷନ୍ତି ବେଗକରି ॥ ୧୯

ତୁ ଦୈତ୍ୟବଳ ମଧ୍ୟେ ପଶି । ସକଳ ନିଜ ତେଜେ ଧ୍ୱଂସି ॥ ୨୦

ଅସୁର ରଣେ ତୋ'ର ତେଜ । ଦେଖି କମ୍ପଇ ଗ୍ରହରାଜ ॥ ୨୧

ଏଣୁ ଜଗତ ତ୍ରାଣ ଅର୍ଥେ । ଖଳ ବିନାଶେ ଧରି ହସ୍ତେ ॥ ୨୨

ତୋ' ବଳେ ବଳୀ ଗଦାଧର । ତୁ ଏବେ ମୋତେ ତ୍ରାହିକର ॥ ୨୩

ଏ ବିପ୍ର କୁଳଦେବ ମୋର । ଏହା ଜୀବନ ରକ୍ଷା କର ॥ ୨୪

ମୁଁ ଯେବେ ଦାନ ଯଜ୍ଞ କରି । ସ୍ୱଧର୍ମ ମାର୍ଗକୁ ଆଚରି ॥ ୨୫

ବ୍ରାହ୍ମଣ-ଚରଣକମଳେ । ଯେବେ ସେବନ ମୋ'ର କୁଳେ ॥ ୨୬

ଯେବେ ଗୋବିନ୍ଦ ପ୍ରୀତ ମୋତେ । ମୁଁ ସମେ ଦେଖେ ସର୍ବଭୂତେ ॥ ୨୭

ଏ ଧର୍ମେ ଯେବେ ମୋର ଦୀକ୍ଷା । ଏ ବିପ୍ର ପ୍ରାଣ ହେଉ ରକ୍ଷା ॥ ୨୮

ଶୁକ ଉବାଚ

ଏମନ୍ତ ଶୁଣି ତା' ବଚନ । ବିଷ୍ଣୁର ଚକ୍ର ସୁଦର୍ଶନ ॥ ୨୯

ତକ୍ଷଣେ ନିଶାକର ପ୍ରାୟେ । ଶୀତଳ ଲାଗେ ବିପ୍ର ଦେହେ ॥ ୩୦

ଦୁର୍ବାସା ଜୀବନ ପାଇଲା । ସନ୍ତୋଷେ ଚକ୍ରକୁ ଚାହିଁଲା ॥ ୩୧

ଚକ୍ରକୁ ନମସ୍କାର କରି । ବୋଲେ ଦୁର୍ବାସା ବ୍ରହ୍ମଚାରୀ ॥ ୩୨

ଦୁର୍ବାସା ଉବାଚ

ଦେଖ ଅନନ୍ତଦାସଙ୍କର । ମହାମହିମା ଅଗୋଚର ॥ ୩୩

ଅପ୍ରାଧ କଲେ ହେଁ ସହନ୍ତି । ବିଷ୍ଣୁଙ୍କୁ ସର୍ବଦେହେ ଚିନ୍ତି ॥ ୩୪

ସାଧୁ କି ଅବା ନ ଉପେକ୍ଷେ । ହରି ସକଳ ଦେହେ ଦେଖେ ॥ ୩୫

ଯା' ନାମ ସୁମରଣ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥ ୩୬

ସେ ତୀର୍ଥପଦ ଦାସ ଯେତେ । ଦୁଃଖ ନାଶନ୍ତି ଏ ଜଗତେ ॥ ୩୭

ଯେଣୁ ରଖିଲୁ ମୋ' ଜୀବନ । ତୋ'ର ମହିମା ଧନ୍ୟ ଧନ୍ୟ ॥ ୩୮

ଏମନ୍ତ ବିପ୍ର ମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥ ୩୯

ଅମ୍ବରୀଷ ଉବାଚ

ବୋଲେ ଦୁର୍ବାସା ମୁଖ ଚାହିଁ । ଭୋ ବିପ୍ର କର ମୋତେ ତ୍ରାହି ॥ ୪୦

ତୁ ଯେ ଅତିଥି ମୋ'ର କୁଳେ । ମିଳିଲୁ ପାରଣାର ବେଳେ ॥ ୪୧

ପାରଣା ଭୟେ ମୁଁ ଗୁପତେ । ଅପ୍ରାଧ କଲି ଦୁଷ୍ଟଚିତ୍ତେ ॥ ୪୨

ସେ ଅପରାଧ ମୋ ନ ଧର । ପାରଣା ମୋ'ର ଗୃହେ କର ॥ ୪୩

ଏମନ୍ତ ରାଜାର ବଚନେ । ପାରଣା କଲେ ତୋଷମନେ ॥ ୪୪

କଲ୍ୟାଣ କରି ଅମ୍ବରୀଷେ । ଅନେକ ମନର ହରଷେ ॥ ୪୫

ତକ୍ଷଣେ ଶୂନ୍ୟମାର୍ଗେ ଗଲେ । ବ୍ରହ୍ମାର ଭୁବନେ ମିଳିଲେ ॥ ୪୬

କହିଲେ ଅମ୍ବରୀଷ ବାଣୀ । ବ୍ରହ୍ମା ସନ୍ତୋଷ ତାହା ଶୁଣି ॥ ୪୭

ରାଜାକୁ କଲେ ଧନ୍ୟଧନ୍ୟ । ଏବେ ହୋ ଶୁଣସି ରାଜନ ॥ ୪୮

ସେ ଅମ୍ବରୀଷ ଦଣ୍ତŠଧାରୀ । ପୁତ୍ରକୁ ରାଜ୍ୟେ ରାଜା କରି ॥ ୪୯

ହରିଚରଣେ ମନ ଦେଇ । ପଶିଲା ଘୋର ବନେ ଯାଇ ॥ ୫୦

ପ୍ରାଣ ଛାଡ଼ିଲା ତପବଳେ । ପଶିଲା ବିଷ୍ଣୁର ମŠଣ୍ତଳେ ॥ ୫୧

ସେ ଅମ୍ବରୀଷର ଆଖ୍ୟାନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୫୨

ହରିଚରଣ ମନେ ଚିନ୍ତି । ଅନ୍ତେ ସେ ଗୋବିନ୍ଦେ ପଶନ୍ତି ॥ ୫୩

ସୁଜନେ ଅମ୍ବରୀଷ ବାଣୀ । ସଂସାରୁ ତର ଏହା ଶୁଣି ॥ ୫୪

ଅମୃତ ରସମୟବାଣୀ । ଭକତ ମହିମା ବଖାଣି ॥ ୫୫

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୫୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥

* * *