ନବମ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ଶୁକ ଉବାଚ
ନାଭାଗ ନଭଗର ବଳା । ପୂର୍ବେ ସେ ବ୍ରହ୍ମଚର୍ଯ୍ୟ କଲା ॥ ୧
ଭାଇଏ ତା'ର ଭାଗ କାଟି । ସର୍ବ ସମ୍ପଦ ନେଲେ ବାଣ୍ଟି ॥ ୨
ଭାଇଙ୍କୁ ବୋଲେ ଭାଗ କାହିଁ । ପିତା ତୋ' ଭାଗେ ବୋଲେ ଭାଇ॥ ୩
ପିତାଙ୍କୁ ବୋଲନ୍ତେ ତା' ଯାଇ । ସେ ବୋଲେ ଉଚିତ ନୁହଇ ॥ ୪
ବୋଇଲା ପୁଣି ଯାଅ ତୁହି । ଅଙ୍ଗିରସଙ୍କ ଯଜ୍ଞ ଯହିଁ ॥ ୫
ତାହାଙ୍କୁ ଦେବୁ ଉପଦେଶ । ଲଭିବୁ ଦ୍ରବିଣ ଅଶେଷ ॥ ୬
ପିତାର ବୋଲେ ଯଜ୍ଞେ ଗଲା । ଅନେକ ଧନ ସେ ଲଭିଲା ॥ ୭
ତା' ଘେନି ସେ ଯେ ବାଟେ ଆସେ । ମିଳିଲା କାଳିଆ ପୁରୁଷେ ॥ ୮
ବୋଲଇ ମୋ'ର ଧନ ନେଇ । ପଳାଇ ଯାଉ କାହିଁପାଇଁ ॥ ୯
ସେ ବୋଲେ ନ ଜାଣଇ କିଛି । ପିତା ବଚନେ ନେଉଅଛି ॥ ୧୦
ପୁରୁଷ ବୋଲେ ତୁ ପଚାର । ପିତାଙ୍କୁ ଏ ଧନ କାହାର ॥ ୧୧
ତହୁଁ ନାଭାଗ ବେଗେ ଗଲା । ସକଳ ପିତାଙ୍କୁ କହିଲା ॥ ୧୨
ପିତା ବୋଇଲେ ସତ୍ୟ ଏହା । ପୂର୍ବେ ଋଷି ଏ କଲେ ଯାହା ॥ ୧୩
ଯଜ୍ଞର ଶେଷ-ଧନ ଆଦି । ରୁଦ୍ରଙ୍କ ଭାଗ ବୋଲି ବିଧି ॥ ୧୪
ନାଭାଗ ତହୁଁ ବେଗେ ଗଲା । ରୁଦ୍ରେ ସକଳ ସମର୍ପିଲା ॥ ୧୫
ପିତା ପୁତ୍ରର ସତ୍ୟ ଜାଣି । ରୁଦ୍ର ବୋଲନ୍ତି ସାଧୁବାଣୀ ॥ ୧୬
ବୋଇଲେ ସର୍ବ ଘେନିଯାଅ । ଆବର ବ୍ରହ୍ମଜ୍ଞାନ ପାଅ ॥ ୧୭
ଏମନ୍ତେ ସେ ନାଭାଗ ରାଜା । ସୁଖେ ପାଳିଲା ଜନପ୍ରଜା ॥ ୧୮
ଅନେକ କାଳ ରାଜ୍ୟ କଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥ ୧୯
ନାଭାଗ-ପୁତ୍ର ଅମ୍ବରୀଷ । ସେ ରାଜା ବିଷ୍ଣୁର ବିଶ୍ୱାସ ॥ ୨୦
ବ୍ରାହ୍ମଣ ଶାପ ନ ଲାଗିଲା । ତା' ଶୁଣି ଅଭିମନ୍ୟୁବଳା ॥ ୨୧
ଶୁକ ଚରଣ ବେନି ଧରି । ବୋଲେ ପରୀକ୍ଷ ଦଣ୍ତଧାରୀ ॥ ୨୨
ରାଜା ଉବାଚ
ନାଭାଗ ପୁତ୍ର ଅମ୍ବରୀଷ । ସେ ଯେବେ ବିଷ୍ଣୁର ବିଶ୍ୱାସ ॥ ୨୩
ବ୍ରାହ୍ମଣ ଶାପ ନ ଲାଗିଲା । ମୋତେ ତ ସନ୍ଦେହ ଲାଗିଲା ॥ ୨୪
ଯେ ବ୍ରହ୍ମଦଣ୍ତ ବଜ୍ରଘୋର । କେମନ୍ତେ ତହୁଁ ହେଲା ପାର ॥ ୨୫
କି ଅବା ତା'ର ତପ ଫଳୁଁ । ତରିଲା ବ୍ରହ୍ମଶାପାନଳୁଁ ॥ ୨୬
ଏ କଥା କହ ମୁନି ମୋତେ । ସଂଶୟ ଲାଗିଲା ମୋ' ଚିତ୍ତେ ॥ ୨୭
ଏମନ୍ତ ରାଜା-ପ୍ରଶ୍ନ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥ ୨୮
ଶୁକ ଉବାଚ
ଶୁଣ ରାଜନ ଏକଚିତ୍ତେ । ଯେ ପ୍ରଶ୍ନ ବଂଶାନୁଚରିତେ ॥ ୨୯
ନାଭାଗସୁତ ଅମ୍ବରୀଷ । ଯେମନ୍ତେ ବିଷ୍ଣୁର ବିଶ୍ୱାସ ॥ ୩୦
ବ୍ରାହ୍ମଣ ଶାପ ନଲାଗିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥ ୩୧
ସେ ସପ୍ତଦ୍ୱୀପେ ଏକ ରାଜା । ସୁଖେ ପାଳଇ ଜନପ୍ରଜା ॥ ୩୨
ସାତ୍ତ୍ୱିକ-ସମ୍ପଦ ତାହାର । ବିବେକ କେ କରୁ ଗୋଚର ॥ ୩୩
ସପତ ଦ୍ୱୀପେ ରାଜାପଣେ । ପ୍ରଜା ପାଳଇ ଅନୁକ୍ଷଣେ ॥ ୩୪
ଶରୀର ସୁଖକୁ ନ ଲେଖେ । ସମ୍ପଦ ସ୍ୱପ୍ନ-ପ୍ରାୟ ଦେଖେ ॥ ୩୫
ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତି । ଅନ୍ତେ ସେ ନରକେ ପଡ଼ନ୍ତି ॥ ୩୬
ଏମନ୍ତ ନିଶ୍ଚେ ଜାଣି ମନେ । ହରି ଭଜଇ ତତ୍ତ୍ୱଜ୍ଞାନେ ॥ ୩୭
ବିଷ୍ଣୁଭକତ ଯେତେ ଜନ । ତାହାଙ୍କ ପାଦେ ତା'ର ମନ ॥ ୩୮
ସାଧୁଙ୍କ ପାଦେ ନିତ୍ୟେ ସେବେ । ସଂସାର ଆତ୍ମାରୂପେ ଭାବେ ॥ ୩୯
ହରିଚରଣ ଯୁଗେ ମନ । ବିଷ୍ଣୁ ଉଚ୍ଚାରଇ ବଦନ ॥ ୪୦
ବିଷ୍ଣୁର ମନ୍ଦିର ମାର୍ଜନେ । କର ଯୁଗଳ ଅନୁଦିନେ ॥ ୪୧
ଶ୍ରବଣ ଯୁଗ ତା' ସୁକଥା । ନିତ୍ୟେ ଶୁଣଇଁ କୃଷ୍ଣକଥା ॥ ୪୨
ନିରତେ ତାହାର ନୟନ । କଳ୍ପଇ ବିଷ୍ଣୁ-ଦରଶନ ॥ ୪୩
ଶରୀର-ଚର୍ମ ଅନୁଦିନେ । କଳ୍ପେ ବୈଷ୍ଣବ-ଆଲିଙ୍ଗନେ ॥ ୪୪
ହରିଚରଣ ପଦ୍ମଗନ୍ଧେ । ନିରତେ ନାସା ତା' ଆମୋଦେ ॥ ୪୫
ଶ୍ରୀକୃଷ୍ଣଚରଣ ତୁଳସୀ । ତା'ର ରସନା ତେଣେ ରସି ॥ ୪୬
ଚରଣ ଯୁଗ କଳ୍ପେ ନିତ୍ୟେ । କୃଷ୍ଣ ମନ୍ଦିରେ ଉପଗତେ ॥ ୪୭
ବିଷ୍ଣୁ ଚରଣେ ନମସ୍କାର । ଶିର କଳ୍ପଇ ନିରନ୍ତର ॥ ୪୮
ଚିତ୍ତ କଳ୍ପର ଦାସପଣେ । ବୈଷ୍ଣବ ଚରଣ ସେବନେ ॥ ୪୯
ହରି-ଭକତ-ଜନେ ରତି । ନିରତେ କଳ୍ପେ ତା'ର ମତି ॥ ୫୦
ଦେହ ବିଷୟ ତା'ର ଯେତେ । କଳ୍ପଇ ହରିଭାବ ନିତ୍ୟେ ॥ ୫୧
ବିପ୍ର ଦେବତା ପାଦେ ସେବେ । ପ୍ରଜାଙ୍କୁ ଦେଖେ ବିଷ୍ଣୁଭାବେ ॥ ୫୨
ସକଳ ସମ୍ପଦ ପ୍ରସିଦ୍ଧି । ଭିଆଇ କରେ ଅଶ୍ୱମେଧି ॥ ୫୩
ବିପ୍ରଚରଣ ଦାନେ ପୂଜେ । ଯେ ଅଧିଯଜ୍ଞ ବିଧି ଭଜେ ॥ ୫୪
ଅସିତ ବଶିଷ୍ଠ ଗୌତମ । ସଙ୍ଗତେ ଘେନି ମୁନିଗଣ ॥ ୫୫
ବିପ୍ର-ସେବନ ଅନୁମତେ । ସରସ୍ୱତୀର ଅଭିସ୍ରୋତେ ॥ ୫୬
ତାହାର ଯଜ୍ଞସଭା ମଧ୍ୟେ । ତ୍ରିଦଶେ ଅତ୍ୟନ୍ତ ଆନନ୍ଦେ ॥ ୫୭
ମୁନି-ବ୍ରାହ୍ମଣ ମଧ୍ୟେ ବସି । ନିତ୍ୟେ ଯଜ୍ଞକୁ ପରଶଂସି ॥ ୫୮
ଦେବ-ମନୁଷ୍ୟ ସଭାଗତେ । ସର୍ବେ ଦିଶନ୍ତି ଏକମତେ ॥ ୫୯
ଦେବେ ସେ ସଭାମଧ୍ୟେ ଥା'ନ୍ତି । ସ୍ୱର୍ଗ-ଗମନ ନ ବାଞ୍ଛନ୍ତି ॥ ୬୦
କୃଷ୍ଣକୀର୍ତ୍ତନ ସଭା ମଧ୍ୟେ । ସକଳେ ଶୁଣନ୍ତି ଆନନ୍ଦେ ॥ ୬୧
ସ୍ୱର୍ଗର ପ୍ରାୟ ମହୀ ଦିଶେ । ଅଷ୍ଟମନିଧି ଯହିଁ ବସେ ॥ ୬୨
ଏମନ୍ତ ଭକ୍ତିଯୋଗ ବଳେ । ସେ ରାଜା ସରସ୍ୱତୀ କୂଳେ ॥ ୬୩
ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲା । ସର୍ବକାମନା ଉପେକ୍ଷିଲା ॥ ୬୪
ଗୃହ ସମ୍ପଦ ଦାରା ସୁତ । ଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର ॥ ୬୫
ରାଜସମ୍ପଦ ଆଦି ଯେତେ । ଯେ ଅଶ୍ୱ କୁଞ୍ଜର ସହିତେ ॥ ୬୬
ଅପରେ ଦିବ୍ୟବସ୍ତୁ ଯେତେ । ଇଚ୍ଛା ନ କରେ ତା'ର ଚିତ୍ତେ ॥ ୬୭
ନିରତେ ଗୋବିନ୍ଦ ଚରଣେ । ମନନିବେଶେ ଅନୁକ୍ଷଣେ ॥ ୬୮
ତାହାର ଶୁଦ୍ଧଚିତ୍ତ ଜାଣି । ଚକ୍ରକୁ ରାଇ ଚକ୍ରପାଣି ॥ ୬୯
ବୋଇଲେ ଅମ୍ବରୀଷ ମେଳେ । ତୁ ଚକ୍ର ଥିବୁ ସର୍ବକାଳେ ॥ ୭୦
ଏହାକୁ ରଖ ନିରନ୍ତରେ । ଯେମନ୍ତେ ସର୍ବଦୁଃଖୁଁ ତରେ ॥ ୭୧
ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ । ସେ ଚକ୍ର ରକ୍ଷାକଲା ଯାଇ ॥ ୭୨
ସେ ରାଜା ପତ୍ନୀର ସମେତେ । ଉପାସେ ଏକାଦଶୀ ବ୍ରତେ ॥ ୭୩
କାର୍ତ୍ତିକ ଶୁକ୍ଳପକ୍ଷେ ହରି । ପୂଜିଲା ଉପବାସ କରି ॥ ୭୪
ପ୍ରଭାତ କାଳେ ମଧୁବନେ । କାଳନ୍ଦୀକୂଳେ ଏକଧ୍ୟାନେ ॥ ୭୫
ଆନନ୍ଦେ ପତ୍ନୀର ସମେତେ । ବିଷ୍ଣୁ ପୂଜିଲା ଦୃଢ଼ଚିତ୍ତେ ॥ ୭୬
ଦ୍ରବ୍ୟ ସମ୍ପାଦି ଅତିରେକେ । ପୂଜିଲା ମହାଅଭିଷେକେ ॥ ୭୭
ଉତ୍ତମ ବସ୍ତ୍ର ଅଳଙ୍କାର । ସୁଗନ୍ଧମାଲ୍ୟ ଉପହାର ॥ ୭୮
ସଙ୍ଗତେ ଘେନି ନିଜନାରୀ । ଏକାନ୍ତ ଭାବେ ପୂଜା କରି ॥ ୭୯
ଉତ୍ତମ ବ୍ରାହ୍ମଣ ବସାଇ । ସୁନ୍ଦର ଧେନୁମାନ ଦେଇ ॥ ୮୦
ଧେନୁକୁ କରି ଅଳଙ୍କାର । ସୁବର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର ॥ ୮୧
ବିବିଧ ବସ୍ତ୍ର ମଣ୍ତି ଅଙ୍ଗେ । ଗନ୍ଧାଦି ଧୂପଦୀପ ସଙ୍ଗେ ॥ ୮୨
ପୃଷ୍ଠ-ପାରୁଷେ ତାମ୍ର କାଂସ୍ୟେ । ଧେନୁକୁ ମଣ୍ତିଲା ହରଷେ ॥ ୮୩
ସୁଶୀଳା ବତ୍ସା ପୟୋସ୍ୱିନୀ । ମଣ୍ତିଲା ଅଳଙ୍କାର ଘେନି ॥ ୮୪
ବିପ୍ର ବସାଇ ବାକ୍ୟ କଲା । ବତ୍ସା ସହିତେ ଧେନୁ ଦେଲା ॥ ୮୫
ସୁସ୍ୱାଦୁ ଅନ୍ନ ଷଡ଼ରସେ । ବିପ୍ରଙ୍କୁ ଭୁଞ୍ଜାଇ ସନ୍ତୋଷେ ॥ ୮୬
ବିପ୍ରଙ୍କ ପାଦଯୁଗେ ଲାଗି । ପାରଣା ଅର୍ଥେ ଆଜ୍ଞା ମାଗି ॥ ୮୭
ଉଦ୍ୟମ କଲା ନରପତି । ଏମନ୍ତେ ମିଳିଲା ଅତିଥି ॥ ୮୮
ଦୁର୍ବାସା ଶଂକରଙ୍କ ଅଂଶେ । ଯାହାଙ୍କୁ ଦେଖି ଦେବେ ତ୍ରାସେ ॥ ୮୯
ତାହାଙ୍କୁ ଦେଖି ନୃପମଣି । ଆସନ ପାଦାସନ ଆଣି ॥ ୯୦
ପୂଜିଲା ଅତିଥି ସ୍ୱଭାବେ । ଆନନ୍ଦେ ଅତି ଗଉରବେ ॥ ୯୧
ପୁଣି ଚରଣ ତଳେ ପଡ଼ି । ରାଜା ବୋଲଇ କରଯୋଡ଼ି ॥ ୯୨
ଭୋ ମୁନି ପାରଣା ମୋହର । ମୋ ଗୃହେ କର ତୁ ଆହାର ॥ ୯୩
ତକ୍ଷଣେ ଅମ୍ବରୀଷ ବୋଲେ । ଦୁର୍ବାସା ଅଙ୍ଗୀକାର କଲେ ॥ ୯୪
ଆନନ୍ଦ ମନେ ଧ୍ୟାନ କରି । କାଳିନ୍ଦୀ ଜଳେ ମୋଦ ଭରି ॥ ୯୫
ବିଳମ୍ବେ ସ୍ନାନ-ସନ୍ଧ୍ୟା କଲେ । ନିଶ୍ଚିନ୍ତେ ବସି ନଦୀକୂଳେ ॥ ୯୬
ଏବେ ହେ ଶୁଣ ନୃପମଣି । ରାଜା ବିଷାଦ-ମନେ ଗୁଣି ॥ ୯୭
ପାରଣା ହୋଇଲା ଉଛୁର । ଅତିଥି ନଇଲା ମୋହର ॥ ୯୮
କେମନ୍ତେ କରିବି ଭୋଜନ । ଅବଜ୍ଞା କରି ମହାଜନ ॥ ୯୯
ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳ । ଯଥାର୍ଥ ପାରଣାର କାଳ ॥ ୧୦୦
ଉଛୁର ପାରଣାର ବେଳା । ମୋତେ ତ ସଙ୍କଟ ପଡ଼ିଲା ॥ ୧୦୧
ଯେ କର୍ମ କଲେ ସାଧୁବାଣୀ । ରାଜା ବିଚାରେ ମନେ ଗୁଣି ॥ ୧୦୨
ଲୋକେ ବୋଲିବେ ମୋତେ ଶୁଣି । ଅଧର୍ମ କଲା ନୃପମଣି ॥ ୧୦୩
ପାରଣା କଲେ ବେଦମତେ । ଅଧର୍ମ ନ ଲାଗିବ ମୋତେ ॥ ୧୦୪
ଜଳ ଗଣ୍ତୂଷେ କରି ପାନ । ଅତିଥି କରାଇ ଭୋଜନ ॥ ୧୦୫
ପଛେ ମୁଁ କରିବି ଆହାର । ଏତେ ବିଚାରି ନୃପବର ॥ ୧୦୬
ଜଳ ପାରଣା ଅପାରଣ । ଏ ଆଦି ନିଗମ ବଚନ ॥ ୧୦୭
ବିଚାରି ବ୍ରାହ୍ମଣଙ୍କ ତୁଲେ । ଜଳ ଗଣ୍ତୂଷେ ପାନ କଲେ ॥ ୧୦୮
ତକ୍ଷଣେ ଜଳପାନ କରି । ଭୟେ ସୁମରେ ହରିହରି ॥ ୧୦୯
ଦୁର୍ବାସା ଆଗମନ ଚାହିଁ । ରାଜା ରହିଲେ ତୋଷ ହୋଇ ॥ ୧୧୦
ଦୁର୍ବାସା ଯମୁନାର କୂଳେ । ସ୍ୱକର୍ମ ସାରି ସାୟଂକାଳେ ॥ ୧୧୧
ମିଳିଲେ ଅମ୍ବରୀଷ ପାଶେ । ପାରଣା କରିବାର ଆଶେ ॥ ୧୧୨
ନୃପତି କରି ବହୁମାନ୍ୟ । ବୋଲଇ କରିବା ଭୋଜନ ॥ ୧୧୩
ଏମନ୍ତ ଅମ୍ବରୀଷ ବାଣୀ । ଦୁର୍ବାସା ମନେ ମନେ ଗୁଣି ॥ ୧୧୪
ସ୍ୱାଭାବେ ସର୍ବଜ୍ଞାତା ପୁଣ । ଜାଣିଲେ କଲା ଏ ପାରଣ ॥ ୧୧୫
ରାଜାର ବଦନକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥ ୧୧୬
ତୁ ଅନାଦର କରି ମୋତେ । ଜଳ ଯେ ଭକ୍ଷିଲୁ ଯୁଗତେ ॥ ୧୧୭
ଅତିଥି କଲୁ ଅବହେଳା । ଭୁଞ୍ଜିଲୁ ପାରଣାର ବେଳା ॥ ୧୧୮
ତୁ ଯେ ଅବଜ୍ଞା କଲୁ ମୋତେ । ଉଚ୍ଛିଷ୍ଟ ଭୁଞ୍ଜିବି କେମନ୍ତେ ॥ ୧୧୯
ତୁ ମୋତେ କଲୁ ଅବହେଳ । ଭୁଞ୍ଜ ଏ ଅଧର୍ମର ଫଳ ॥ ୧୨୦
ଏମନ୍ତ ବୋଲି କୋପଭରେ । ଜଟା ଉପାଡ଼ି ନିଜ କରେ ॥ ୧୨୧
ଭ୍ରୁକୁଟୀ କୁଟୀଳ ଲୋଚନ । ରାଜାଙ୍କୁ ବୋଲନ୍ତି ବଚନ ॥ ୧୨୨
ଦେଖ ଏ ନୃପତିର ଗତି । ସମ୍ପଦେ ହୋଇ ମୂଢ଼ମତି ॥ ୧୨୩
ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେ । ବୋଲେ ମୁଁ ଈଶ୍ୱର ସାକ୍ଷାତେ ॥ ୧୨୪
ଅତିଥି-ମତେ ପୂଜା କଲା । ପାରଣା ଅର୍ଥେ ନିମନ୍ତ୍ରିଲା ॥ ୧୨୫
ଭିକ୍ଷା ନ ଦେଇ ଆଗ ମୋତେ । ପାରଣା କଲା ଏ ଯୁଗତେ ॥ ୧୨୬
ମୋତେ ଯେ କଲା ଅବହେଳ । ସ୍ୱଦେହେ ଭୁଞ୍ଜୁ ତା'ର ଫଳ ॥ ୧୨୭
ଜଟାକୁ ଚାହିଁ ଆଜ୍ଞା ଦେଲେ । ଅନଳ ହୁଅ ତୁ ବୋଇଲେ ॥ ୧୨୮
ତକ୍ଷଣେ ହୁଁକାର କରାଳ । ଉଠିଲା କୃତିହା ଅନଳ ॥ ୧୨୯
ତେଜେ ଆଚ୍ଛାଦେ ଦଶଦିଶ । ପବନ ବହେ ଅଣଚାଷ ॥ ୧୩୦
ଧୂମ ପୂରିତ ଶୂନ୍ୟ ମଧ୍ୟେ । ବେଗେ ଧାଇଁଲା ଘୋରନାଦେ ॥ ୧୩୧
ପ୍ରଳୟାଳନ ପ୍ରାୟେ ହୋଇ । ମିଳିଲା ରାଜା ଆଗେ ଯାଇ ॥ ୧୩୨
ଜଳନ୍ତା ଖଡ଼୍ଗ କରେ ଧରି । ମିଳିଲା ଘୋରନାଦ କରି ॥ ୧୩୩
ଭୂମି କମ୍ପଇ ପାଦଘାତେ । ପର୍ବତ ଉଡ଼େ ଶ୍ୱାସ ବାତେ ॥ ୧୩୪
ଦେଖି ତାହାର ତେଜ କଳା । ରାଜା ଚରଣେ ନ ଘୁଞ୍ଚିଲା ॥ ୧୩୫
ତା'ର ବଦନ ରାଜା ଚାହିଁ । ମନେ ଚିନ୍ତିଲେ ଭାବଗ୍ରାହୀ ॥ ୧୩୬
ତକ୍ଷଣେ ବିଷ୍ଣୁଚକ୍ର ଆସି । କୋଟିଏ ସୂର୍ଯ୍ୟ ପ୍ରାୟେ ଦିଶି ॥ ୧୩୭
କୃତିହା ଅନଳ ଉପରେ । ପଡ଼ିଲା ମହାନାଦ ଭରେ ॥ ୧୩୮
ତକ୍ଷଣେ ଅନଳ ଲିଭିଲା । ଦିଗ-ଆକାଶ ପ୍ରକାଶିଲା ॥ ୧୩୯
ସୁଦରଶନ ତେଜ ଦେଖି । ଦୁର୍ବାସା ଭୟେ ବୁଜେ ଆଖି ॥ ୧୪୦
ବଦନେ ଦେଇ ବେନିକର । ଭୟେ କମ୍ପଇ ଥରହର ॥ ୧୪୧
ସଂଭ୍ରମେ ଚାହିଁ ନ ପାରିଲା । ଜୀବନ ଭୟେ ପଳାଇଲା ॥ ୧୪୨
ତା'ର ଭାଜିବା ଦେଖି ପଛେ । ଚକ୍ର ଧାଇଁଲା ଅନ୍ତରୀକ୍ଷେ ॥ ୧୪୩
ମଣ୍ତୁକ ଦେଖି ସର୍ପ ଯେହ୍ନେ । ଧାମଇଁ ଗର୍ଜିତ ବଦନେ ॥ ୧୪୪
ଦୁର୍ବାସା ଦଶଦିଶ ଚାହିଁ । ଭୟେ ନ ପାରଇ ପଳାଇ ॥ ୧୪୫
ପଶିଲା ମେରୁ-ଗୁହା ମଧ୍ୟେ । ସୁଦରଶନ ପଛେ ଖେଦେ ॥ ୧୪୬
ଦିଶ-ଆକାଶ-ଭୂମି ଗତେ । ବିବର-ସମୁଦ୍ର-ସହିତେ ॥ ୧୪୭
ଦିଗପାଳଙ୍କ ପୁରେ ଲୁଚେ । ଚକ୍ରକୁ ଦେଖେ ପଛେପଛେ ॥ ୧୪୮
ଯହୁଁ ଯହିଁକି ଧାମେ ବେଗେ । ସୁଦରଶନ ପଛେ ଲାଗେ ॥ ୧୪୯
ସୁଦରଶନ ତେଜ ଦେଖି । କେହି ନ ପାରେ ତା'କୁ ରଖି ॥ ୧୫୦
କେଣେ ହେଁ ଠାବ ନ ପାଇଲା । ସତ୍ୟଲୋକକୁ ପଳାଇଲା ॥ ୧୫୧
ଶୂନ୍ୟେ ପଳାନ୍ତେ ମନଦୁଃଖେ । ଭୟେ ପଶିଲା ବ୍ରହ୍ମଲୋକେ ॥ ୧୫୨
ବ୍ରହ୍ମାର ସମୀପେ ମିଳିଲା । ଶରଣ ସମ୍ଭାଳ ବୋଇଲା ॥ ୧୫୩
ବିଧାତା ରଖ ମୋ'ର ପ୍ରାଣ । ତୁମ୍ଭରେ ପଶିଲି ଶରଣ ॥ ୧୫୪
ଏମନ୍ତେ ମୁନିବାକ୍ୟ ଶୁଣି । ଉଚ୍ଚେ କହନ୍ତି କୁଶପାଣି ॥ ୧୫୫
ବ୍ରହ୍ମା ଉବାଚ
କଳାସ୍ୱରୂପୀ ଯେ ଈଶ୍ୱର । ଭ୍ରୂଭଙ୍ଗ ମାତ୍ରେ ଯା' ସଂସାର ॥ ୧୫୬
ମୁଁ ବ୍ରହ୍ମା ଈଶ୍ୱର ସହିତେ । ଭୃଗୁ ଦକ୍ଷାଦି ମୁନି ଯେତେ ॥ ୧୫୭
ପ୍ରଜା ଈଶ୍ୱର ଭୂତେଶ୍ୱର । ଦେବ ସହିତେ ସୁରେଶ୍ୱର ॥ ୧୫୮
ସେ ହରି ଆଜ୍ଞା ଶିରେ ଧରି । ଯେଝା ବିଷୟେ ଅଧିକାରୀ ॥ ୧୫୯
ଅଛୁଁ ସଂସାର ଲୋକହିତେ । ତା' ରିପୁ ରଖିବୁଁ କେମନ୍ତେ ॥ ୧୬୦
ଏମନ୍ତ ବିଧାତା ବଚନ । ଶୁଣି ଦୁର୍ବାସା ଛନଛନ ॥ ୧୬୧
ତହୁଁ ଚଳିଲା ମନଦୁଃଖେ । ବେଗେ ପଶିଲା ଶିବଲୋକେ ॥ ୧୬୨
ଶଙ୍କର ଚରଣେ ପଡ଼ିଲା । ଶରଣ ସମ୍ଭାଳ ବୋଇଲା ॥ ୧୬୩
ଦୁର୍ବାସା ବାକ୍ୟ ଶୁଣି ହର । ସଂଭ୍ରମେ ବୋଲନ୍ତି ଉତ୍ତର ॥ ୧୬୪
ଶଙ୍କର ଉବାଚ
ଶୁଣ ଦୁର୍ବାସା ତୋତେ କହୁଁ । ଆମ୍ଭେ ଯାହାର ଆଜ୍ଞା ବହୁଁ ॥ ୧୬୫
ବ୍ରହ୍ମାଣ୍ତ ପାଳନ ପ୍ରକାଶେ । ଯେବା ବିଷୟ ଜୀବକୋଷେ ॥ ୧୬୬
କାଳର ବଳେ ଦୃଶ୍ୟାଦୃଶ୍ୟ । ଭ୍ରମନ୍ତି ସେ ଯୋନି ଅଶେଷ ॥ ୧୬୭
ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମି । ଗତ ଆଗତେ ପଥଶ୍ରମୀ ॥ ୧୬୮
ମୋ' ସଙ୍ଗେ ବ୍ରହ୍ମାଦିକୁମର । ନାରଦ ବ୍ରହ୍ମ ମୁନିବର ॥ ୧୬୯
କପିଳ ଦେବଳ ଆସୁରି । ଧର୍ମ ମରୀଚି ଆଦି କରି ॥ ୧୭୦
ଯେ ଅନ୍ୟ ସିଦ୍ଧ ମୁନିଜନ । ବେଦାନ୍ତ ପାର ଦରଶନ ॥ ୧୭୧
ଜାଣି ନ ପାରେ ତା'ର ମାୟା । ନିରତେ ଭ୍ରମାଏ ବିଷୟା ॥ ୧୭୨
ସେ ବିଷ୍ଣୁଚକ୍ର ନିବାରଣେ । ସମର୍ଥ ଅଛି କେ ଶରଣେ ॥ ୧୭୩
ତୁ ଏବେ ଚଳ ବିଷ୍ଣୁପୁର । ହରି ଚରଣେ ଆଶ୍ରେକର ॥ ୧୭୪
ସେ ତୋତେ ରଖିବେ ଶରଣ । ଅନ୍ୟଥା ନାହିଁ ପରିତ୍ରାଣ ॥ ୧୭୫
ଦୁର୍ବାସା ମହେଶ ବଚନେ । ପଶିଲା ବିଷ୍ଣୁର ଭୁବନେ ॥ ୧୭୬
ଲକ୍ଷ୍ମୀ ସହିତେ ଯହିଁ ହରି । ଅଛନ୍ତି ଗୃହାଶ୍ରମ କରି ॥ ୧୭୭
ବିଷ୍ଣୁର ଚକ୍ର-ତେଜ ଭରେ । ଘର୍ମ-ଭୂଷିତ କଳେବରେ ॥ ୧୭୮
ଦୁର୍ବାସା ଶୋକ ଗଦଗଦେ । ପଡ଼ିଲା ବିଷ୍ଣୁ-ପଦ୍ମପାଦେ ॥ ୧୭୯
କାତରେ କମ୍ପଇ ଶରୀର । ଡାକଇ ପ୍ରଭୁ ରକ୍ଷାକର ॥ ୧୮୦
ଭୋ ନାଥ ଅନନ୍ତ ଅଚ୍ୟୁତ । ତୁ ସନ୍ଥଜନଙ୍କର ନାଥ ॥ ୧୮୧
ମୁଁ ତୋରେ ଅପରାଧ କରି । ଶରଣ ଗଲି ରଖ ହରି ॥ ୧୮୨
ମୁଁ ତୋ' ମହିମା ନ ଜାଣିଲି । ତେଣୁ ମୁଁ ସଙ୍କଟେ ପଡ଼ିଲି ॥ ୧୮୩
ତୋ'ର ସେବକେ ଅପରାଧ । କଲି ମୁଁ ରଖ ହେ ଗୋବିନ୍ଦ ॥ ୧୮୪
ତୋ'ର ଭକତ ତୋ'ର ଲୋକ । ମୋତେ ଏ ଚକ୍ରତେଜୁଁ ରଖ ॥ ୧୮୫
ଦୁର୍ବାସା ମୁଖ ଚାହିଁ ହରି । କହନ୍ତି ଅତି ମୋଦ ଭରି ॥ ୧୮୬
ଭଗବାନ ଉବାଚ
ମୁଁ ଭକ୍ତଜନର ଅଧୀନ । ମୋ' ତହୁଁ ଭକ୍ତ ନୋହେ ଭିନ୍ନ ॥ ୧୮୭
ଭକତ ଦେହ-ପ୍ରାଣ ମୁହିଁ । ସେବଇଁ ପରିଚାର ହୋଇ ॥ ୧୮୮
ସାଧୁଙ୍କ ହୃଦେ ମୁଁ ବସଇ । ତା'ଙ୍କ ଭକତି-ଭାବ ବହି ॥ ୧୮୯
ତା'ଙ୍କ ଭକତି-ପ୍ରୀତି ମୋତେ । ଆନନ୍ଦ ଦେଉଥାଇ ଚିତ୍ତେ ॥ ୧୯୦
ଭକ୍ତଟି ମୋହର ଶରୀର । ତିଳେ ହେଁ ନାହିଁ ଅଭ୍ୟନ୍ତର ॥ ୧୯୧
ଭକ୍ତ ନିମନ୍ତେ ଦେହ ବହି । ସଂସାରେ ନାନା ରୂପ ହୋଇ ॥ ୧୯୨
ଅତ୍ୟନ୍ତ ପ୍ରିୟ ମୋ'ର ଭକ୍ତ । ମୁଁ ଭକ୍ତଜନଙ୍କର ହିତ ॥ ୧୯୩
ଏ କଥା ମୁନିଙ୍କ ସଙ୍ଗମେ । ଜାଣନ୍ତି ଆଗମ ନିଗମେ ॥ ୧୯୪
ତା' ତହୁଁ ପ୍ରିୟ କେହି ନାହିଁ । ଶୁଣ ଦୁର୍ବାସା ମନ ଦେଇ ॥ ୧୯୫
ଏକଥା ପରମ୍ପରା ବିଧି । ବେଦ-ପୁରାଣ ମାର୍ଗେ ସିଦ୍ଧି ॥ ୧୯୬
ଶରଣ ଯେ ମୋ'ର ଚରଣେ । ସମ୍ପଦ ତୁଚ୍ଛ ପ୍ରାୟେ ମଣେ ॥ ୧୯୭
ଦାରା ମନ୍ଦିର ସୁତ ଧନ । କେବେ ହେଁ ନ କଳ୍ପେ ତା' ମନ ॥ ୧୯୮
ଯେ ପ୍ରାଣ ଛାଡ଼େ ମୋ'ର ହିତେ । ମୁଁ ତା'କୁ ଛାଡ଼ିବି କେମନ୍ତେ ॥ ୧୯୯
ମୋ'ର ବିଷୟେ ଚିତ୍ତ ସ୍ଥାପେ । ମୋତେ ଦେଖନ୍ତି ଆତ୍ମା ରୂପେ ॥ ୨୦୦
ମୁଁ ତାକୁ ଦିଶେ ସର୍ବଭୂତେ । ହୃଦୟେ ଥାଏଁ ଅବିରତେ ॥ ୨୦୧
ଭକ୍ତିରେ ମୋତେ ବଶ କରି । ନିଜ ପୁରୁଷେ ଯେହ୍ନେ ନାରୀ ॥ ୨୦୨
ମୋ'ର ଚରଣ ନିତ୍ୟେ ଚିନ୍ତି । ଚତୁର୍ଦ୍ଧା ମୁକ୍ତି ନ ବାଞ୍ଛନ୍ତି ॥ ୨୦୩
ଜନ୍ମ-ମରଣ ତା'ର ନାହିଁ । ସ୍ଥିତି ସଂହାର ଆଉ କାହିଁ ॥ ୨୦୪
ମୋ'ର ହୃଦୟ ଭକ୍ତଜନ । ମୁହିଁ ଟି ତାହାଙ୍କ ଜୀବନ ॥ ୨୦୫
ମୋ' ତହୁଁ ନ ଜାଣନ୍ତି ଆନ । ମୁଁ ତା'ଙ୍କ ପ୍ରିୟ ଇଷ୍ଟ ଧନ ॥ ୨୦୬
ଏବେ ମୋ ଭକ୍ତ-ଅପରାଧେ । ସୁଦରଶନ ତୋତେ ବାଧେ ॥ ୨୦୭
ଯେ ମୋ'ର ଭକ୍ତକୁ ପୀଡ଼ନ୍ତି । ମୋ' ଚକ୍ର ତେଜେ ନାଶ ଯା'ନ୍ତି ॥ ୨୦୮
ବିପ୍ରେ ଯେ ତପ ବିଦ୍ୟା ବଳେ । ଶ୍ରେୟ କରନ୍ତି ଏ ଶୟଳେ ॥ ୨୦୯
ସେ ଯେବେ ଭକ୍ତକୁ ପୀଡ଼ନ୍ତି । ଉଭୟ ଲୋକ ନ ଲଭନ୍ତି ॥ ୨୧୦
ଏବେ ତୁ ଯାଆ ବେଗ ହୋଇ । ନାଭାଗ ପୁତ୍ର ଅଛି ଯହିଁ ॥ ୨୧୧
ତା'ରେ ଶରଣ ପଶ ଏବେ । ମୋ' ଚକ୍ରୁ ନିସ୍ତରିବୁ ଯେବେ ॥ ୨୧୨
ଗୋବିନ୍ଦ ଆଜ୍ଞା ପରମାଣେ । ଦୁର୍ବାସା ଗଲା ତତ୍କ୍ଷଣେ ॥ ୨୧୩
ହରିଭକତଙ୍କ ମହିମା । କେ କହିପାରେ ଗୁଣସୀମା ॥ ୨୧୪
ଭକ୍ତଚରଣ ସେବା ଫଳେ । ପ୍ରସନ୍ନ ହୋନ୍ତି ହରି ଭଲେ ॥ ୨୧୫
ସୁଜନେ ଚିନ୍ତ ହରିପାଦେ । ତରିବ ବିଷୟ ପ୍ରମାଦେ ॥ ୨୧୬
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୨୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁର୍ଥୋାଽଧ୍ୟାୟଃ ॥
* * *