ନବମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ନାଭାଗ ନଭଗର ବଳା । ପୂର୍ବେ ସେ ବ୍ରହ୍ମଚର୍ଯ୍ୟ କଲା ॥

ଭାଇଏ ତା'ର ଭାଗ କାଟି । ସର୍ବ ସମ୍ପଦ ନେଲେ ବାଣ୍ଟି ॥

ଭାଇଙ୍କୁ ବୋଲେ ଭାଗ କାହିଁ । ପିତା ତୋ' ଭାଗେ ବୋଲେ ଭାଇ॥

ପିତାଙ୍କୁ ବୋଲନ୍ତେ ତା' ଯାଇ । ସେ ବୋଲେ ଉଚିତ ନୁହଇ ॥

ବୋଇଲା ପୁଣି ଯାଅ ତୁହି । ଅଙ୍ଗିରସଙ୍କ ଯଜ୍ଞ ଯହିଁ ॥

ତାହାଙ୍କୁ ଦେବୁ ଉପଦେଶ । ଲଭିବୁ ଦ୍ରବିଣ ଅଶେଷ ॥

ପିତାର ବୋଲେ ଯଜ୍ଞେ ଗଲା । ଅନେକ ଧନ ସେ ଲଭିଲା ॥

ତା' ଘେନି ସେ ଯେ ବାଟେ ଆସେ । ମିଳିଲା କାଳିଆ ପୁରୁଷେ ॥

ବୋଲଇ ମୋ'ର ଧନ ନେଇ । ପଳାଇ ଯାଉ କାହିଁପାଇଁ ॥

ସେ ବୋଲେ ନ ଜାଣଇ କିଛି । ପିତା ବଚନେ ନେଉଅଛି ॥ ୧୦

ପୁରୁଷ ବୋଲେ ତୁ ପଚାର । ପିତାଙ୍କୁ ଏ ଧନ କାହାର ॥ ୧୧

ତହୁଁ ନାଭାଗ ବେଗେ ଗଲା । ସକଳ ପିତାଙ୍କୁ କହିଲା ॥ ୧୨

ପିତା ବୋଇଲେ ସତ୍ୟ ଏହା । ପୂର୍ବେ ଋଷି ଏ କଲେ ଯାହା ॥ ୧୩

ଯଜ୍ଞର ଶେଷ-ଧନ ଆଦି । ରୁଦ୍ରଙ୍କ ଭାଗ ବୋଲି ବିଧି ॥ ୧୪

ନାଭାଗ ତହୁଁ ବେଗେ ଗଲା । ରୁଦ୍ରେ ସକଳ ସମର୍ପିଲା ॥ ୧୫

ପିତା ପୁତ୍ରର ସତ୍ୟ ଜାଣି । ରୁଦ୍ର ବୋଲନ୍ତି ସାଧୁବାଣୀ ॥ ୧୬

ବୋଇଲେ ସର୍ବ ଘେନିଯାଅ । ଆବର ବ୍ରହ୍ମଜ୍ଞାନ ପାଅ ॥ ୧୭

ଏମନ୍ତେ ସେ ନାଭାଗ ରାଜା । ସୁଖେ ପାଳିଲା ଜନପ୍ରଜା ॥ ୧୮

ଅନେକ କାଳ ରାଜ୍ୟ କଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥ ୧୯

ନାଭାଗ-ପୁତ୍ର ଅମ୍ବରୀଷ । ସେ ରାଜା ବିଷ୍ଣୁର ବିଶ୍ୱାସ ॥ ୨୦

ବ୍ରାହ୍ମଣ ଶାପ ନ ଲାଗିଲା । ତା' ଶୁଣି ଅଭିମନ୍ୟୁବଳା ॥ ୨୧

ଶୁକ ଚରଣ ବେନି ଧରି । ବୋଲେ ପରୀକ୍ଷ ଦŠଣ୍ତଧାରୀ ॥ ୨୨

ରାଜା ଉବାଚ

ନାଭାଗ ପୁତ୍ର ଅମ୍ବରୀଷ । ସେ ଯେବେ ବିଷ୍ଣୁର ବିଶ୍ୱାସ ॥ ୨୩

ବ୍ରାହ୍ମଣ ଶାପ ନ ଲାଗିଲା । ମୋତେ ତ ସନ୍ଦେହ ଲାଗିଲା ॥ ୨୪

ଯେ ବ୍ରହ୍ମଦଣ୍ତŠ ବଜ୍ରଘୋର । କେମନ୍ତେ ତହୁଁ ହେଲା ପାର ॥ ୨୫

କି ଅବା ତା'ର ତପ ଫଳୁଁ । ତରିଲା ବ୍ରହ୍ମଶାପାନଳୁଁ ॥ ୨୬

ଏ କଥା କହ ମୁନି ମୋତେ । ସଂଶୟ ଲାଗିଲା ମୋ' ଚିତ୍ତେ ॥ ୨୭

ଏମନ୍ତ ରାଜା-ପ୍ରଶ୍ନ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥ ୨୮

ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ । ଯେ ପ୍ରଶ୍ନ ବଂଶାନୁଚରିତେ ॥ ୨୯

ନାଭାଗସୁତ ଅମ୍ବରୀଷ । ଯେମନ୍ତେ ବିଷ୍ଣୁର ବିଶ୍ୱାସ ॥ ୩୦

ବ୍ରାହ୍ମଣ ଶାପ ନଲାଗିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥ ୩୧

ସେ ସପ୍ତଦ୍ୱୀପେ ଏକ ରାଜା । ସୁଖେ ପାଳଇ ଜନପ୍ରଜା ॥ ୩୨

ସାତ୍ତ୍ୱିକ-ସମ୍ପଦ ତାହାର । ବିବେକ କେ କରୁ ଗୋଚର ॥ ୩୩

ସପତ ଦ୍ୱୀପେ ରାଜାପଣେ । ପ୍ରଜା ପାଳଇ ଅନୁକ୍ଷଣେ ॥ ୩୪

ଶରୀର ସୁଖକୁ ନ ଲେଖେ । ସମ୍ପଦ ସ୍ୱପ୍ନ-ପ୍ରାୟ ଦେଖେ ॥ ୩୫

ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତି । ଅନ୍ତେ ସେ ନରକେ ପଡ଼ନ୍ତି ॥ ୩୬

ଏମନ୍ତ ନିଶ୍ଚେ ଜାଣି ମନେ । ହରି ଭଜଇ ତତ୍ତ୍ୱଜ୍ଞାନେ ॥ ୩୭

ବିଷ୍ଣୁଭକତ ଯେତେ ଜନ । ତାହାଙ୍କ ପାଦେ ତା'ର ମନ ॥ ୩୮

ସାଧୁଙ୍କ ପାଦେ ନିତ୍ୟେ ସେବେ । ସଂସାର ଆତ୍ମାରୂପେ ଭାବେ ॥ ୩୯

ହରିଚରଣ ଯୁଗେ ମନ । ବିଷ୍ଣୁ ଉଚ୍ଚାରଇ ବଦନ ॥ ୪୦

ବିଷ୍ଣୁର ମନ୍ଦିର ମାର୍ଜନେ । କର ଯୁଗଳ ଅନୁଦିନେ ॥ ୪୧

ଶ୍ରବଣ ଯୁଗ ତା' ସୁକଥା । ନିତ୍ୟେ ଶୁଣଇଁ କୃଷ୍ଣକଥା ॥ ୪୨

ନିରତେ ତାହାର ନୟନ । କଳ୍ପଇ ବିଷ୍ଣୁ-ଦରଶନ ॥ ୪୩

ଶରୀର-ଚର୍ମ ଅନୁଦିନେ । କଳ୍ପେ ବୈଷ୍ଣବ-ଆଲିଙ୍ଗନେ ॥ ୪୪

ହରିଚରଣ ପଦ୍ମଗନ୍ଧେ । ନିରତେ ନାସା ତା' ଆମୋଦେ ॥ ୪୫

ଶ୍ରୀକୃଷ୍ଣଚରଣ ତୁଳସୀ । ତା'ର ରସନା ତେଣେ ରସି ॥ ୪୬

ଚରଣ ଯୁଗ କଳ୍ପେ ନିତ୍ୟେ । କୃଷ୍ଣ ମନ୍ଦିରେ ଉପଗତେ ॥ ୪୭

ବିଷ୍ଣୁ ଚରଣେ ନମସ୍କାର । ଶିର କଳ୍ପଇ ନିରନ୍ତର ॥ ୪୮

ଚିତ୍ତ କଳ୍ପର ଦାସପଣେ । ବୈଷ୍ଣବ ଚରଣ ସେବନେ ॥ ୪୯

ହରି-ଭକତ-ଜନେ ରତି । ନିରତେ କଳ୍ପେ ତା'ର ମତି ॥ ୫୦

ଦେହ ବିଷୟ ତା'ର ଯେତେ । କଳ୍ପଇ ହରିଭାବ ନିତ୍ୟେ ॥ ୫୧

ବିପ୍ର ଦେବତା ପାଦେ ସେବେ । ପ୍ରଜାଙ୍କୁ ଦେଖେ ବିଷ୍ଣୁଭାବେ ॥ ୫୨

ସକଳ ସମ୍ପଦ ପ୍ରସିଦ୍ଧି । ଭିଆଇ କରେ ଅଶ୍ୱମେଧି ॥ ୫୩

ବିପ୍ରଚରଣ ଦାନେ ପୂଜେ । ଯେ ଅଧିଯଜ୍ଞ ବିଧି ଭଜେ ॥ ୫୪

ଅସିତ ବଶିଷ୍ଠ ଗୌତମ । ସଙ୍ଗତେ ଘେନି ମୁନିଗଣ ॥ ୫୫

ବିପ୍ର-ସେବନ ଅନୁମତେ । ସରସ୍ୱତୀର ଅଭିସ୍ରୋତେ ॥ ୫୬

ତାହାର ଯଜ୍ଞସଭା ମଧ୍ୟେ । ତ୍ରିଦଶେ ଅତ୍ୟନ୍ତ ଆନନ୍ଦେ ॥ ୫୭

ମୁନି-ବ୍ରାହ୍ମଣ ମଧ୍ୟେ ବସି । ନିତ୍ୟେ ଯଜ୍ଞକୁ ପରଶଂସି ॥ ୫୮

ଦେବ-ମନୁଷ୍ୟ ସଭାଗତେ । ସର୍ବେ ଦିଶନ୍ତି ଏକମତେ ॥ ୫୯

ଦେବେ ସେ ସଭାମଧ୍ୟେ ଥା'ନ୍ତି । ସ୍ୱର୍ଗ-ଗମନ ନ ବାଞ୍ଛ‚ନ୍ତି ॥ ୬୦

କୃଷ୍ଣକୀର୍ତ୍ତନ ସଭା ମଧ୍ୟେ । ସକଳେ ଶୁଣନ୍ତି ଆନନ୍ଦେ ॥ ୬୧

ସ୍ୱର୍ଗର ପ୍ରାୟ ମହୀ ଦିଶେ । ଅଷ୍ଟମନିଧି ଯହିଁ ବସେ ॥ ୬୨

ଏମନ୍ତ ଭକ୍ତିଯୋଗ ବଳେ । ସେ ରାଜା ସରସ୍ୱତୀ କୂଳେ ॥ ୬୩

ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲା । ସର୍ବକାମନା ଉପେକ୍ଷିଲା ॥ ୬୪

ଗୃହ ସମ୍ପଦ ଦାରା ସୁତ । ଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର ॥ ୬୫

ରାଜସମ୍ପଦ ଆଦି ଯେତେ । ଯେ ଅଶ୍ୱ କୁଞ୍ଜର ସହିତେ ॥ ୬୬

ଅପରେ ଦିବ୍ୟବସ୍ତୁ ଯେତେ । ଇଚ୍ଛା ନ କରେ ତା'ର ଚିତ୍ତେ ॥ ୬୭

ନିରତେ ଗୋବିନ୍ଦ ଚରଣେ । ମନନିବେଶେ ଅନୁକ୍ଷଣେ ॥ ୬୮

ତାହାର ଶୁଦ୍ଧଚିତ୍ତ ଜାଣି । ଚକ୍ରକୁ ରାଇ ଚକ୍ରପାଣି ॥ ୬୯

ବୋଇଲେ ଅମ୍ବରୀଷ ମେଳେ । ତୁ ଚକ୍ର ଥିବୁ ସର୍ବକାଳେ ॥ ୭୦

ଏହାକୁ ରଖ ନିରନ୍ତରେ । ଯେମନ୍ତେ ସର୍ବଦୁଃଖୁଁ ତରେ ॥ ୭୧

ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ । ସେ ଚକ୍ର ରକ୍ଷାକଲା ଯାଇ ॥ ୭୨

ସେ ରାଜା ପତ୍ନୀର ସମେତେ । ଉପାସେ ଏକାଦଶୀ ବ୍ରତେ ॥ ୭୩

କାର୍ତ୍ତିକ ଶୁକ୍ଳପକ୍ଷେ ହରି । ପୂଜିଲା ଉପବାସ କରି ॥ ୭୪

ପ୍ରଭାତ କାଳେ ମଧୁବନେ । କାଳନ୍ଦୀକୂଳେ ଏକଧ୍ୟାନେ ॥ ୭୫

ଆନନ୍ଦେ ପତ୍ନୀର ସମେତେ । ବିଷ୍ଣୁ ପୂଜିଲା ଦୃଢ଼ଚିତ୍ତେ ॥ ୭୬

ଦ୍ରବ୍ୟ ସମ୍ପାଦି ଅତିରେକେ । ପୂଜିଲା ମହାଅଭିଷେକେ ॥ ୭୭

ଉତ୍ତମ ବସ୍ତ୍ର ଅଳଙ୍କାର । ସୁଗନ୍ଧମାଲ୍ୟ ଉପହାର ॥ ୭୮

ସଙ୍ଗତେ ଘେନି ନିଜନାରୀ । ଏକାନ୍ତ ଭାବେ ପୂଜା କରି ॥ ୭୯

ଉତ୍ତମ ବ୍ରାହ୍ମଣ ବସାଇ । ସୁନ୍ଦର ଧେନୁମାନ ଦେଇ ॥ ୮୦

ଧେନୁକୁ କରି ଅଳଙ୍କାର । ସୁବ‰ର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର ॥ ୮୧

ବିବିଧ ବସ୍ତ୍ର ମଣ୍ତି ଅଙ୍ଗେ । ଗନ୍ଧାଦି ଧୂପଦୀପ ସଙ୍ଗେ ॥ ୮୨

ପୃଷ୍ଠ-ପାରୁଷେ ତାମ୍ର କାଂସ୍ୟେ । ଧେନୁକୁ ମŠଣ୍ତିଲା ହରଷେ ॥ ୮୩

ସୁଶୀଳା ବତ୍ସା ପୟୋସ୍ୱିନୀ । ମŠଣ୍ତିଲା ଅଳଙ୍କାର ଘେନି ॥ ୮୪

ବିପ୍ର ବସାଇ ବାକ୍ୟ କଲା । ବତ୍ସା ସହିତେ ଧେନୁ ଦେଲା ॥ ୮୫

ସୁସ୍ୱାଦୁ ଅନ୍ନ ଷଡ଼ରସେ । ବିପ୍ରଙ୍କୁ ଭୁଞ୍ଜାଇ ସନ୍ତୋଷେ ॥ ୮୬

ବିପ୍ରଙ୍କ ପାଦଯୁଗେ ଲାଗି । ପାରଣା ଅର୍ଥେ ଆଜ୍ଞା ମାଗି ॥ ୮୭

ଉଦ୍ୟମ କଲା ନରପତି । ଏମନ୍ତେ ମିଳିଲା ଅତିଥି ॥ ୮୮

ଦୁର୍ବାସା ଶଂକରଙ୍କ ଅଂଶେ । ଯାହାଙ୍କୁ ଦେଖି ଦେବେ ତ୍ରାସେ ॥ ୮୯

ତାହାଙ୍କୁ ଦେଖି ନୃପମଣି । ଆସନ ପାଦାସନ ଆଣି ॥ ୯୦

ପୂଜିଲା ଅତିଥି ସ୍ୱଭାବେ । ଆନନ୍ଦେ ଅତି ଗଉରବେ ॥ ୯୧

ପୁଣି ଚରଣ ତଳେ ପଡ଼ି । ରାଜା ବୋଲଇ କରଯୋଡ଼ି ॥ ୯୨

ଭୋ ମୁନି ପାରଣା ମୋହର । ମୋ ଗୃହେ କର ତୁ ଆହାର ॥ ୯୩

ତକ୍ଷଣେ ଅମ୍ବରୀଷ ବୋଲେ । ଦୁର୍ବାସା ଅଙ୍ଗୀକାର କଲେ ॥ ୯୪

ଆନନ୍ଦ ମନେ ଧ୍ୟାନ କରି । କାଳିନ୍ଦୀ ଜଳେ ମୋଦ ଭରି ॥ ୯୫

ବିଳମ୍ବେ ସ୍ନାନ-ସନ୍ଧ୍ୟା କଲେ । ନିଶ୍ଚିନ୍ତେ ବସି ନଦୀକୂଳେ ॥ ୯୬

ଏବେ ହେ ଶୁଣ ନୃପମଣି । ରାଜା ବିଷାଦ-ମନେ ଗୁଣି ॥ ୯୭

ପାରଣା ହୋଇଲା ଉଛୁର । ଅତିଥି ନଇଲା ମୋହର ॥ ୯୮

କେମନ୍ତେ କରିବି ଭୋଜନ । ଅବଜ୍ଞା କରି ମହାଜନ ॥ ୯୯

ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳ । ଯଥାର୍ଥ ପାରଣାର କାଳ ॥ ୧୦୦

ଉଛୁର ପାରଣାର ବେଳା । ମୋତେ ତ ସଙ୍କଟ ପଡ଼ିଲା ॥ ୧୦୧

ଯେ କର୍ମ କଲେ ସାଧୁବାଣୀ । ରାଜା ବିଚାରେ ମନେ ଗୁଣି ॥ ୧୦୨

ଲୋକେ ବୋଲିବେ ମୋତେ ଶୁଣି । ଅଧର୍ମ କଲା ନୃପମଣି ॥ ୧୦୩

ପାରଣା କଲେ ବେଦମତେ । ଅଧର୍ମ ନ ଲାଗିବ ମୋତେ ॥ ୧୦୪

ଜଳ ଗŠଣ୍ତୂଷେ କରି ପାନ । ଅତିଥି କରାଇ ଭୋଜନ ॥ ୧୦୫

ପଛେ ମୁଁ କରିବି ଆହାର । ଏତେ ବିଚାରି ନୃପବର ॥ ୧୦୬

ଜଳ ପାରଣା ଅପାରଣ । ଏ ଆଦି ନିଗମ ବଚନ ॥ ୧୦୭

ବିଚାରି ବ୍ରାହ୍ମଣଙ୍କ ତୁଲେ । ଜଳ ଗଣ୍ତୂଷେ ପାନ କଲେ ॥ ୧୦୮

ତକ୍ଷଣେ ଜଳପାନ କରି । ଭୟେ ସୁମରେ ହରିହରି ॥ ୧୦୯

ଦୁର୍ବାସା ଆଗମନ ଚାହିଁ । ରାଜା ରହିଲେ ତୋଷ ହୋଇ ॥ ୧୧୦

ଦୁର୍ବାସା ଯମୁନାର କୂଳେ । ସ୍ୱକର୍ମ ସାରି ସାୟଂକାଳେ ॥ ୧୧୧

ମିଳିଲେ ଅମ୍ବରୀଷ ପାଶେ । ପାରଣା କରିବାର ଆଶେ ॥ ୧୧୨

ନୃପତି କରି ବହୁମାନ୍ୟ । ବୋଲଇ କରିବା ଭୋଜନ ॥ ୧୧୩

ଏମନ୍ତ ଅମ୍ବରୀଷ ବାଣୀ । ଦୁର୍ବାସା ମନେ ମନେ ଗୁଣି ॥ ୧୧୪

ସ୍ୱାଭାବେ ସର୍ବଜ୍ଞାତା ପୁଣ । ଜାଣିଲେ କଲା ଏ ପାରଣ ॥ ୧୧୫

ରାଜାର ବଦନକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥ ୧୧୬

ତୁ ଅନାଦର କରି ମୋତେ । ଜଳ ଯେ ଭକ୍ଷିଲୁ ଯୁଗତେ ॥ ୧୧୭

ଅତିଥି କଲୁ ଅବହେଳା । ଭୁଞ୍ଜିଲୁ ପାରଣାର ବେଳା ॥ ୧୧୮

ତୁ ଯେ ଅବଜ୍ଞା କଲୁ ମୋତେ । ଉଚ୍ଛିଷ୍ଟ ଭୁଞ୍ଜିବି କେମନ୍ତେ ॥ ୧୧୯

ତୁ ମୋତେ କଲୁ ଅବହେଳ । ଭୁଞ୍ଜ ଏ ଅଧର୍ମର ଫଳ ॥ ୧୨୦

ଏମନ୍ତ ବୋଲି କୋପଭରେ । ଜଟା ଉପାଡ଼ି ନିଜ କରେ ॥ ୧୨୧

ଭ୍ରୁକୁଟୀ କୁଟୀଳ ଲୋଚନ । ରାଜାଙ୍କୁ ବୋଲନ୍ତି ବଚନ ॥ ୧୨୨

ଦେଖ ଏ ନୃପତିର ଗତି । ସମ୍ପଦେ ହୋଇ ମୂଢ଼ମତି ॥ ୧୨୩

ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେ । ବୋଲେ ମୁଁ ଈଶ୍ୱର ସାକ୍ଷାତେ ॥ ୧୨୪

ଅତିଥି-ମତେ ପୂଜା କଲା । ପାରଣା ଅର୍ଥେ ନିମନ୍ତ୍ରିଲା ॥ ୧୨୫

ଭିକ୍ଷା ନ ଦେଇ ଆଗ ମୋତେ । ପାରଣା କଲା ଏ ଯୁଗତେ ॥ ୧୨୬

ମୋତେ ଯେ କଲା ଅବହେଳ । ସ୍ୱଦେହେ ଭୁଞ୍ଜୁ ତା'ର ଫଳ ॥ ୧୨୭

ଜଟାକୁ ଚାହିଁ ଆଜ୍ଞା ଦେଲେ । ଅନଳ ହୁଅ ତୁ ବୋଇଲେ ॥ ୧୨୮

ତକ୍ଷଣେ ହୁଁକାର କରାଳ । ଉଠିଲା କୃତିହା ଅନଳ ॥ ୧୨୯

ତେଜେ ଆଚ୍ଛାଦେ ଦଶଦିଶ । ପବନ ବହେ ଅଣଚାଷ ॥ ୧୩୦

ଧୂମ ପୂରିତ ଶୂନ୍ୟ ମଧ୍ୟେ । ବେଗେ ଧାଇଁଲା ଘୋରନାଦେ ॥ ୧୩୧

ପ୍ରଳୟାଳନ ପ୍ରାୟେ ହୋଇ । ମିଳିଲା ରାଜା ଆଗେ ଯାଇ ॥ ୧୩୨

ଜଳନ୍ତା ଖଡ଼୍‌ଗ କରେ ଧରି । ମିଳିଲା ଘୋରନାଦ କରି ॥ ୧୩୩

ଭୂମି କମ୍ପଇ ପାଦଘାତେ । ପର୍ବତ ଉଡ଼େ ଶ୍ୱାସ ବାତେ ॥ ୧୩୪

ଦେଖି ତାହାର ତେଜ କଳା । ରାଜା ଚରଣେ ନ ଘୁଞ୍ଚିଲା ॥ ୧୩୫

ତା'ର ବଦନ ରାଜା ଚାହିଁ । ମନେ ଚିନ୍ତିଲେ ଭାବଗ୍ରାହୀ ॥ ୧୩୬

ତକ୍ଷଣେ ବିଷ୍ଣୁଚକ୍ର ଆସି । କୋଟିଏ ସୂର୍ଯ୍ୟ ପ୍ରାୟେ ଦିଶି ॥ ୧୩୭

କୃତିହା ଅନଳ ଉପରେ । ପଡ଼ିଲା ମହାନାଦ ଭରେ ॥ ୧୩୮

ତକ୍ଷଣେ ଅନଳ ଲିଭିଲା । ଦିଗ-ଆକାଶ ପ୍ରକାଶିଲା ॥ ୧୩୯

ସୁଦରଶନ ତେଜ ଦେଖି । ଦୁର୍ବାସା ଭୟେ ବୁଜେ ଆଖି ॥ ୧୪୦

ବଦନେ ଦେଇ ବେନିକର । ଭୟେ କମ୍ପଇ ଥରହର ॥ ୧୪୧

ସଂଭ୍ରମେ ଚାହିଁ ନ ପାରିଲା । ଜୀବନ ଭୟେ ପଳାଇଲା ॥ ୧୪୨

ତା'ର ଭାଜିବା ଦେଖି ପଛେ । ଚକ୍ର ଧାଇଁଲା ଅନ୍ତରୀକ୍ଷେ ॥ ୧୪୩

ମŠଣ୍ତୁକ ଦେଖି ସର୍ପ ଯେହ୍ନେ । ଧାମଇଁ ଗର୍ଜିତ ବଦନେ ॥ ୧୪୪

ଦୁର୍ବାସା ଦଶଦିଶ ଚାହିଁ । ଭୟେ ନ ପାରଇ ପଳାଇ ॥ ୧୪୫

ପଶିଲା ମେରୁ-ଗୁହା ମଧ୍ୟେ । ସୁଦରଶନ ପଛେ ଖେଦେ ॥ ୧୪୬

ଦିଶ-ଆକାଶ-ଭୂମି ଗତେ । ବିବର-ସମୁଦ୍ର-ସହିତେ ॥ ୧୪୭

ଦିଗପାଳଙ୍କ ପୁରେ ଲୁଚେ । ଚକ୍ରକୁ ଦେଖେ ପଛେପଛେ ॥ ୧୪୮

ଯହୁଁ ଯହିଁକି ଧାମେ ବେଗେ । ସୁଦରଶନ ପଛେ ଲାଗେ ॥ ୧୪୯

ସୁଦରଶନ ତେଜ ଦେଖି । କେହି ନ ପାରେ ତା'କୁ ରଖି ॥ ୧୫୦

କେଣେ ହେଁ ଠାବ ନ ପାଇଲା । ସତ୍ୟଲୋକକୁ ପଳାଇଲା ॥ ୧୫୧

ଶୂନ୍ୟେ ପଳାନ୍ତେ ମନଦୁଃଖେ । ଭୟେ ପଶିଲା ବ୍ରହ୍ମଲୋକେ ॥ ୧୫୨

ବ୍ରହ୍ମାର ସମୀପେ ମିଳିଲା । ଶରଣ ସମ୍ଭାଳ ବୋଇଲା ॥ ୧୫୩

ବିଧାତା ରଖ ମୋ'ର ପ୍ରାଣ । ତୁମ୍ଭରେ ପଶିଲି ଶରଣ ॥ ୧୫୪

ଏମନ୍ତେ ମୁନିବାକ୍ୟ ଶୁଣି । ଉଚ୍ଚେ କହନ୍ତି କୁଶପାଣି ॥ ୧୫୫

ବ୍ରହ୍ମା ଉବାଚ

କଳାସ୍ୱରୂପୀ ଯେ ଈଶ୍ୱର । ଭ୍ରୂଭଙ୍ଗ ମାତ୍ରେ ଯା' ସଂସାର ॥ ୧୫୬

ମୁଁ ବ୍ରହ୍ମା ଈଶ୍ୱର ସହିତେ । ଭୃଗୁ ଦକ୍ଷାଦି ମୁନି ଯେତେ ॥ ୧୫୭

ପ୍ରଜା ଈଶ୍ୱର ଭୂତେଶ୍ୱର । ଦେବ ସହିତେ ସୁରେଶ୍ୱର ॥ ୧୫୮

ସେ ହରି ଆଜ୍ଞା ଶିରେ ଧରି । ଯେଝା ବିଷୟେ ଅଧିକାରୀ ॥ ୧୫୯

ଅଛୁଁ ସଂସାର ଲୋକହିତେ । ତା' ରିପୁ ରଖିବୁଁ କେମନ୍ତେ ॥ ୧୬୦

ଏମନ୍ତ ବିଧାତା ବଚନ । ଶୁଣି ଦୁର୍ବାସା ଛନଛନ ॥ ୧୬୧

ତହୁଁ ଚଳିଲା ମନଦୁଃଖେ । ବେଗେ ପଶିଲା ଶିବଲୋକେ ॥ ୧୬୨

ଶଙ୍କର ଚରଣେ ପଡ଼ିଲା । ଶରଣ ସମ୍ଭାଳ ବୋଇଲା ॥ ୧୬୩

ଦୁର୍ବାସା ବାକ୍ୟ ଶୁଣି ହର । ସଂଭ୍ରମେ ବୋଲନ୍ତି ଉତ୍ତର ॥ ୧୬୪

ଶଙ୍କର ଉବାଚ

ଶୁଣ ଦୁର୍ବାସା ତୋତେ କହୁଁ । ଆମ୍ଭେ ଯାହାର ଆଜ୍ଞା ବହୁଁ ॥ ୧୬୫

ବ୍ରହ୍ମାଣ୍ତŠ ପାଳନ ପ୍ରକାଶେ । ଯେବା ବିଷୟ ଜୀବକୋଷେ ॥ ୧୬୬

କାଳର ବଳେ ଦୃଶ୍ୟାଦୃଶ୍ୟ । ଭ୍ରମନ୍ତି ସେ ଯୋନି ଅଶେଷ ॥ ୧୬୭

ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମି । ଗତ ଆଗତେ ପଥଶ୍ରମୀ ॥ ୧୬୮

ମୋ' ସଙ୍ଗେ ବ୍ରହ୍ମାଦିକୁମର । ନାରଦ ବ୍ରହ୍ମ ମୁନିବର ॥ ୧୬୯

କପିଳ ଦେବଳ ଆସୁରି । ଧର୍ମ ମରୀଚି ଆଦି କରି ॥ ୧୭୦

ଯେ ଅନ୍ୟ ସିଦ୍ଧ ମୁନିଜନ । ବେଦାନ୍ତ ପାର ଦରଶନ ॥ ୧୭୧

ଜାଣି ନ ପାରେ ତା'ର ମାୟା । ନିରତେ ଭ୍ରମାଏ ବିଷୟା ॥ ୧୭୨

ସେ ବିଷ୍ଣୁଚକ୍ର ନିବାରଣେ । ସମର୍ଥ ଅଛି କେ ଶରଣେ ॥ ୧୭୩

ତୁ ଏବେ ଚଳ ବିଷ୍ଣୁପୁର । ହରି ଚରଣେ ଆଶ୍ରେକର ॥ ୧୭୪

ସେ ତୋତେ ରଖିବେ ଶରଣ । ଅନ୍ୟଥା ନାହିଁ ପରିତ୍ରାଣ ॥ ୧୭୫

ଦୁର୍ବାସା ମହେଶ ବଚନେ । ପଶିଲା ବିଷ୍ଣୁର ଭୁବନେ ॥ ୧୭୬

ଲକ୍ଷ୍ମୀ ସହିତେ ଯହିଁ ହରି । ଅଛନ୍ତି ଗୃହାଶ୍ରମ କରି ॥ ୧୭୭

ବିଷ୍ଣୁର ଚକ୍ର-ତେଜ ଭରେ । ଘର୍ମ-ଭୂଷିତ କଳେବରେ ॥ ୧୭୮

ଦୁର୍ବାସା ଶୋକ ଗଦଗଦେ । ପଡ଼ିଲା ବିଷ୍ଣୁ-ପଦ୍ମ‌ପାଦେ ॥ ୧୭୯

କାତରେ କମ୍ପଇ ଶରୀର । ଡାକଇ ପ୍ରଭୁ ରକ୍ଷାକର ॥ ୧୮୦

ଭୋ ନାଥ ଅନନ୍ତ ଅଚ୍ୟୁତ । ତୁ ସନ୍ଥଜନଙ୍କର ନାଥ ॥ ୧୮୧

ମୁଁ ତୋରେ ଅପରାଧ କରି । ଶରଣ ଗଲି ରଖ ହରି ॥ ୧୮୨

ମୁଁ ତୋ' ମହିମା ନ ଜାଣିଲି । ତେଣୁ ମୁଁ ସଙ୍କଟେ ପଡ଼ିଲି ॥ ୧୮୩

ତୋ'ର ସେବକେ ଅପରାଧ । କଲି ମୁଁ ରଖ ହେ ଗୋବିନ୍ଦ ॥ ୧୮୪

ତୋ'ର ଭକତ ତୋ'ର ଲୋକ । ମୋତେ ଏ ଚକ୍ରତେଜୁଁ ରଖ ॥ ୧୮୫

ଦୁର୍ବାସା ମୁଖ ଚାହିଁ ହରି । କହନ୍ତି ଅତି ମୋଦ ଭରି ॥ ୧୮୬

ଭଗବାନ ଉବାଚ

ମୁଁ ଭକ୍ତଜନର ଅଧୀନ । ମୋ' ତହୁଁ ଭକ୍ତ ନୋହେ ଭିନ୍ନ ॥ ୧୮୭

ଭକତ ଦେହ-ପ୍ରାଣ ମୁହିଁ । ସେବଇଁ ପରିଚାର ହୋଇ ॥ ୧୮୮

ସାଧୁଙ୍କ ହୃଦେ ମୁଁ ବସଇ । ତା'ଙ୍କ ଭକତି-ଭାବ ବହି ॥ ୧୮୯

ତା'ଙ୍କ ଭକତି-ପ୍ରୀତି ମୋତେ । ଆନନ୍ଦ ଦେଉଥାଇ ଚିତ୍ତେ ॥ ୧୯୦

ଭକ୍ତଟି ମୋହର ଶରୀର । ତିଳେ ହେଁ ନାହିଁ ଅଭ୍ୟନ୍ତର ॥ ୧୯୧

ଭକ୍ତ ନିମନ୍ତେ ଦେହ ବହି । ସଂସାରେ ନାନା ରୂପ ହୋଇ ॥ ୧୯୨

ଅତ୍ୟନ୍ତ ପ୍ରିୟ ମୋ'ର ଭକ୍ତ । ମୁଁ ଭକ୍ତଜନଙ୍କର ହିତ ॥ ୧୯୩

ଏ କଥା ମୁନିଙ୍କ ସଙ୍ଗମେ । ଜାଣନ୍ତି ଆଗମ ନିଗମେ ॥ ୧୯୪

ତା' ତହୁଁ ପ୍ରିୟ କେହି ନାହିଁ । ଶୁଣ ଦୁର୍ବାସା ମନ ଦେଇ ॥ ୧୯୫

ଏକଥା ପରମ୍ପରା ବିଧି । ବେଦ-ପୁରାଣ ମାର୍ଗେ ସିଦ୍ଧି ॥ ୧୯୬

ଶରଣ ଯେ ମୋ'ର ଚରଣେ । ସମ୍ପଦ ତୁଚ୍ଛ ପ୍ରାୟେ ମଣେ ॥ ୧୯୭

ଦାରା ମନ୍ଦିର ସୁତ ଧନ । କେବେ ହେଁ ନ କଳ୍ପେ ତା' ମନ ॥ ୧୯୮

ଯେ ପ୍ରାଣ ଛାଡ଼େ ମୋ'ର ହିତେ । ମୁଁ ତା'କୁ ଛାଡ଼ିବି କେମନ୍ତେ ॥ ୧୯୯

ମୋ'ର ବିଷୟେ ଚିତ୍ତ ସ୍ଥାପେ । ମୋତେ ଦେଖନ୍ତି ଆତ୍ମା ରୂପେ ॥ ୨୦୦

ମୁଁ ତାକୁ ଦିଶେ ସର୍ବଭୂତେ । ହୃଦୟେ ଥାଏଁ ଅବିରତେ ॥ ୨୦୧

ଭକ୍ତିରେ ମୋତେ ବଶ କରି । ନିଜ ପୁରୁଷେ ଯେହ୍ନେ ନାରୀ ॥ ୨୦୨

ମୋ'ର ଚରଣ ନିତ୍ୟେ ଚିନ୍ତି । ଚତୁର୍ଦ୍ଧା ମୁକ୍ତି ନ ବାଞ୍ଛ‚ନ୍ତି ॥ ୨୦୩

ଜନ୍ମ-ମରଣ ତା'ର ନାହିଁ । ସ୍ଥିତି ସଂହାର ଆଉ କାହିଁ ॥ ୨୦୪

ମୋ'ର ହୃଦୟ ଭକ୍ତଜନ । ମୁହିଁ ଟି ତାହାଙ୍କ ଜୀବନ ॥ ୨୦୫

ମୋ' ତହୁଁ ନ ଜାଣନ୍ତି ଆନ । ମୁଁ ତା'ଙ୍କ ପ୍ରିୟ ଇଷ୍ଟ ଧନ ॥ ୨୦୬

ଏବେ ମୋ ଭକ୍ତ-ଅପରାଧେ । ସୁଦରଶନ ତୋତେ ବାଧେ ॥ ୨୦୭

ଯେ ମୋ'ର ଭକ୍ତକୁ ପୀଡ଼ନ୍ତି । ମୋ' ଚକ୍ର ତେଜେ ନାଶ ଯା'ନ୍ତି ॥ ୨୦୮

ବିପ୍ରେ ଯେ ତପ ବିଦ୍ୟା ବଳେ । ଶ୍ରେୟ କରନ୍ତି ଏ ଶୟଳେ ॥ ୨୦୯

ସେ ଯେବେ ଭକ୍ତକୁ ପୀଡ଼ନ୍ତି । ଉଭୟ ଲୋକ ନ ଲଭନ୍ତି ॥ ୨୧୦

ଏବେ ତୁ ଯାଆ ବେଗ ହୋଇ । ନାଭାଗ ପୁତ୍ର ଅଛି ଯହିଁ ॥ ୨୧୧

ତା'ରେ ଶରଣ ପଶ ଏବେ । ମୋ' ଚକ୍ରୁ ନିସ୍ତରିବୁ ଯେବେ ॥ ୨୧୨

ଗୋବିନ୍ଦ ଆଜ୍ଞା ପରମାଣେ । ଦୁର୍ବାସା ଗଲା ତତ୍‌କ୍ଷଣେ ॥ ୨୧୩

ହରିଭକତଙ୍କ ମହିମା । କେ କହିପାରେ ଗୁଣସୀମା ॥ ୨୧୪

ଭକ୍ତଚରଣ ସେବା ଫଳେ । ପ୍ରସନ୍ନ ହୋନ୍ତି ହରି ଭଲେ ॥ ୨୧୫

ସୁଜନେ ଚିନ୍ତ ହରିପାଦେ । ତରିବ ବିଷୟ ପ୍ରମାଦେ ॥ ୨୧୬

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୨୧୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଚତୁର୍ଥୋାଽଧ୍ୟାୟଃ ॥

* * *