ନବମ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ସାବଧାନେ । ମନୁର ବଂଶାନୁବିଧାନେ ॥ ୧
ଶର୍ଯ୍ୟାତି ନାମେ ମନୁସୁତ । ଶୁଣ ହୋ ତାହାର ଚରିତ ॥ ୨
ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲା । ଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା ॥ ୩
ସୁକନ୍ୟା ନାମେ ତା'ର କନ୍ୟା । ହୋଇଲା ରୂପେ ଅନୁପମା ॥ ୪
ସେ କନ୍ୟା ପିତାର ସଙ୍ଗତେ । ଆନନ୍ଦେ ପଶିଲା ବନସ୍ତେ ॥ ୫
କୁମାରୀ ପାଞ୍ଚ ସାତ ସଙ୍ଗେ । ବନେ ଭ୍ରମଇ ଅତିରଙ୍ଗେ ॥ ୬
ସେ ବନେ ଭୃଗୁର ନନ୍ଦନ । ତପସ୍ୱୀ ନାମ ତା' ଚ୍ୟବନ ॥ ୭
ସେ ବନେ ନିଶ୍ଚଳ ଆସନେ । ବସିଲା ଯୋଗର ଧାରଣେ ॥ ୮
ରହିଲା ଅନେକ ବରଷ । ହୋଇଲା ଅସ୍ଥି ଚର୍ମ ଶେଷ ॥ ୯
ବଲ୍ମୀକ କୀଟ ତା'ର ଦେହେ । ମୁଖ ଢାଙ୍କିଲେ ମୂତ୍ତିକାଏ ॥ ୧୦
ବଲ୍ମୀକ କୁଦ ପ୍ରାୟ ଦିଶେ । କେବଳ ନୟନ ପ୍ରକାଶେ ॥ ୧୧
ଏମନ୍ତେ ରାଜକନ୍ୟା ଗଲା । ଚ୍ୟବନ ନିକଟେ ମିଳିଲା ॥ ୧୨
ବଲ୍ମୀକ କୁଦ ମଧ୍ୟେ ଭିନ୍ନ । ଦିଶଇ ମୁନିଙ୍କ ନୟନ ॥ ୧୩
ଅଦ୍ଭୁତ ବେନି ଜ୍ୟୋତି ଚାହିଁ । ସୁକନ୍ୟା ମନେ ବିଚାରଇ ॥ ୧୪
ଏ ତ ସୁନ୍ଦର ଜ୍ୟୋତି ଦିଶେ । ତେଜେ ତିମିର ବନେ ନାଶେ ॥ ୧୫
ଏମନ୍ତ ମନେ ପରିମାଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥ ୧୬
ସେ ବେନି ଜ୍ୟୋତି କଲା କ୍ଷତ । ତକ୍ଷଣେ ସ୍ରବିଲା ରକତ ॥ ୧୭
ବଲ୍ମୀକ ମଧ୍ୟେ ଶୋଣି ବହେ । ଧାରା ଦିଶଇ ମୁନି ଦେହେ ॥ ୧୮
ମୁନିଙ୍କି ଅପରାଧ କଲା । ଶୁଣ ହେ ଅଭିମନ୍ୟୁବଳା ॥ ୧୯
ତକ୍ଷଣେ ରାଜାର ସମେତେ । ଅପରେ ଥିଲେ ଲୋକ ଯେତେ ॥ ୨୦
ସର୍ବେ ହୋଇଲେ ଅପରାଧୀ । ହୋଇଲା ମୂତ୍ରଦ୍ୱାରା ରୁନ୍ଧି ॥ ୨୧
ସୁକନ୍ୟା ସଙ୍ଗେ କନ୍ୟା ଯେତେ । ଥିଲେ ଯେ ରାଜାଙ୍କ ସଙ୍ଗତେ ॥ ୨୨
କେହି ନ ପାରେ ମୂତ୍ର କରି । କାନ୍ଦନ୍ତି ମୂତ୍ରଦ୍ୱାରା ଧରି ॥ ୨୩
ସର୍ବେ କରନ୍ତି ହାହାକାର । ଶୁଣି ଶର୍ଯ୍ୟାତି ନୃପବର ॥ ୨୪
ସକଳେ ପୁଚ୍ଛି ଦୁଃଖମନ । କନ୍ୟାକୁ ବୋଲନ୍ତି ବଚନ ॥ ୨୫
ତୁ ଯେ ବନସ୍ତେ ଭ୍ରମୁ ଥିଲୁ । କାହିଁକି ଅବା ଆଚରିଲୁ ॥ ୨୬
ସେ କର୍ମବଳେଟି ଏ ବ୍ୟାଧି । ରହିଲା ମୂତ୍ରଦ୍ୱାର ରୁନ୍ଧି ॥ ୨୭
ସର୍ବେ ମରିବା ଏହିକ୍ଷଣି । ସୁକନ୍ୟା କହେ ତାହା ଶୁଣି ॥ ୨୮
ଭୋ ତାତ ବଲ୍ମୀକ ଉପରେ । ଜ୍ୟୋତି-ଯୁଗଳ ଦେଖି ଖରେ ॥ ୨୯
ଅଦ୍ଭୁତ ପ୍ରାୟେ ମୁହିଁ ମଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥ ୩୦
ଭେଦିଲି ସେ ଜ୍ୟୋତି ଅଦ୍ଭୁତ । ତକ୍ଷଣେ ସ୍ରବିଲା ରକତ ॥ ୩୧
ତା' ଶୁଣି ନୃପ ଅତିବେଗେ । ମିଳିଲା ବଲ୍ମୀକର ଆଗେ ॥ ୩୨
ସଂଭ୍ରମେ ବେନିକର ଯୋଡ଼ି । କହେ ବଲ୍ମୀକ ତଳେ ପଡ଼ି ॥ ୩୩
ଭୋ କୀଟ ବଲ୍ମୀକ ତୋ' ଦେହ । ରୁଧିର ବହେ କିମ୍ବା କହ ॥ ୩୪
ମୁଁ ତୋ'ର କଲି ଅପରାଧ । ତୋ'ଜ୍ୟୋତି କନ୍ୟା କଲାଭେଦ ॥ ୩୫
ସେ କନ୍ୟା ସ୍ୱଭାବେ ଚଞ୍ଚଳ । ସର୍ବେ ପାଇଲୁ ପ୍ରତିଫଳ ॥ ୩୬
ନିରୋଧ ହେଲା ମୂତ୍ରଦ୍ୱାରା । ରଖ ଶରଣ ଗଲି ତୋ'ର ॥ ୩୭
ଏମନ୍ତ ରାଜାବାକ୍ୟ ଶୁଣି । ଚ୍ୟବନ କହେ ଖେଦବାଣୀ ॥ ୩୮
ଭୋ ନୃପ ଭୃଗୁର କୁମର । ଚ୍ୟବନଋଷି ନାମ ମୋ'ର ॥ ୩୯
ମୁଁ ଏ ଅରଣ୍ୟେ ତପ କରି । ଚିନ୍ତଇ ପ୍ରଭୁ ନରହରି ॥ ୪୦
ଆସନେ ବସିଲି ନିଶ୍ଚଳ । ଏମନ୍ତେ ଗଲା କେତେକାଳ ॥ ୪୧
ବଲ୍ମୀକ କୀଟ ମୋ' ଶରୀରେ । ମାଂସ ରୁଧିର ଭକ୍ଷି ଖରେ ॥ ୪୨
ମୃତ୍ତିକା ମୋହର ଉପରେ । ମୁଖେ ଆଚ୍ଛାଦି ନିରନ୍ତରେ ॥ ୪୩
ଦେହ ଭକ୍ଷିଲେ ସ୍ୱାଦୁ ରସେ । କେବଳ ଅସ୍ଥି ରହେ ଶେଷେ ॥ ୪୪
ଏମନ୍ତ ମୁନିମୁଖୁଁ ଶୁଣି । ଚରଣେ ପଡ଼ି ନୃପମଣି ॥ ୪୫
ଧରିଣ ମୁନିଙ୍କ ଚରଣ । ବୋଲଇ କର ପରିତ୍ରାଣ ॥ ୪୬
ଏ ଯେ ସୁକନ୍ୟା ମୋ' ଦୁଲଣୀ । ଏ ହେଉ ତୋହର ଘରଣୀ ॥ ୪୭
ସତ୍ୟ ବଚନ ଏ ମୋହର । ଏଥକୁ ସାକ୍ଷୀ ଦିବାକର ॥ ୪୮
ଏମନ୍ତ ରାଜା ମୁଖୁଁ ଶୁଣି । ଚ୍ୟବନ କହେ ମଞ୍ଜୁବାଣୀ ॥ ୪୯
ଏ ଯେବେ ସତ୍ୟବାକ୍ୟ ତୋ'ର । ସ୍ରବୁ ସକଳ ମୂତ୍ରଦ୍ୱାର ॥ ୫୦
ଶୁଣି ସେ ଚ୍ୟବନ ବଚନ । ଫିଟିଲା ମୂତ୍ର-ନିରୋଧନ ॥ ୫୧
ସର୍ବେ ଲଭିଲେ ପରିତ୍ରାଣ । ଏବେ ହୋ ପରୀକ୍ଷିତ ଶୁଣ ॥ ୫୨
ମୁନିଙ୍କି କନ୍ୟାଦାନ କରି । ରାଜା ଚଳିଲା ନିଜ ପୁରୀ ॥ ୫୩
ନିଜ ଜନଙ୍କ ସଙ୍ଗେ ମିଶି । ଚ୍ୟବନ ମହିମା ପ୍ରକାଶି ॥ ୫୪
ସୁକନ୍ୟା ଚ୍ୟବନ ସମୀପେ । ଖଟଇ ମନ ଅନୁରୂପେ ॥ ୫୫
ନିତ୍ୟେ କଳ୍ପିତ ଭିକ୍ଷା ଆଣି । ଯେ ମିଳେ ଶାକ କନ୍ଦ ପାଣି ॥ ୫୬
ଏମନ୍ତେ ଶୁଣ ନୃପବର । ବିଧାତା ବଳ ବଳୀୟାର ॥ ୫୭
ଏମନ୍ତେ କେତେକାଳ ଗଲା । ସୁକନ୍ୟା ରଜ ପ୍ରକାଶିଲା ॥ ୫୮
ସେ ଦିନ ପ୍ରଭାତର କାଳେ । ଅଶ୍ୱିନୀ କୁମାରେ ମିଳିଲେ ॥ ୫୯
ମୁନିଙ୍କି ନମସ୍କାର କରି । ବସିଲେ ଆସନ ଆବୋରି ॥ ୬୦
ଚ୍ୟବନ ଉଠି ମନତୋଷେ । ଅଶ୍ୱିନୀ କୁମାରଙ୍କ ପାଶେ ॥ ୬୧
ପାଦ୍ୟାର୍ଘେ ଚରଣ ପୂଜିଲେ । ଅନେକ ସ୍ତୁତିବାକ୍ୟ କଲେ ॥ ୬୨
ବୋଲନ୍ତି ବିଶ୍ୱାସ କରାଇ । ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ ॥ ୬୩
ଯେ ତୁମ୍ଭ ନାମ ଉଚ୍ଚାରନ୍ତି । ରୋଗ-ପ୍ରବନ୍ଧୁ ସେ ତରନ୍ତି ॥ ୬୪
ଦେଖ ଏ ମୋହର ଶରୀର । ଜରା ଅବସ୍ଥା ଜରଜର ॥ ୬୫
ଶର୍ଯ୍ୟାତି କନ୍ୟା ମୋତେ ଦେଲା । ଭାବ ଅଭାବ ନ ଜାଣିଲା ॥ ୬୬
ଦେଖ ଏ କନ୍ୟା ପତିବ୍ରତା । ଏହାକୁ ହୁଅ ବରଦାତା ॥ ୬୭
ଏ ବୃଦ୍ଧ-ଦୁଃଖ ମୋର ହର । ଯୁବାବୟସ ମୋତେ କର ॥ ୬୮
ମୁଁ ପୁଣି ତୁମ୍ଭ ଉପକାରେ । କରିବି ଯଥାର୍ଥ ବେଭାରେ ॥ ୬୯
ତୁମ୍ଭେ ଯେ ଦେବବୈଦ୍ୟ ଦୋଷେ । ଯଜ୍ଞେ ନ ଲଭ ସୋମ ଅଂଶେ ॥ ୭୦
ଏବେ ମୁଁ ତୁମ୍ଭୁଙ୍କୁ ବରିବି । ଆନନ୍ଦେ ଯଜ୍ଞଭାଗ ଦେବି ॥ ୭୧
ଇନ୍ଦ୍ର କି କରିବ ମୋହର । ଯୁବା ଶରୀର ମୋତେ କର ॥ ୭୨
ଏମନ୍ତ ମୁନିମୁଖୁଁ ଶୁଣି । ଅଶ୍ୱିନୀ ସୁତେ ମନେ ଗୁଣି ॥ ୭୩
ବୋଲନ୍ତି ମୁନି ମୁଖ ଚାହିଁ । ଏ କଥା ଅନ୍ୟଥା ନୁହଇ ॥ ୭୪
ଅମ୍ବର ସଙ୍ଗେ ସିଦ୍ଧହ୍ରଦେ । ସ୍ନାହାନ କର ଅପ୍ରମାଦେ ॥ ୭୫
ହୋଇବ କନ୍ଦର୍ପ ଶରୀର । ପ୍ରତ୍ୟକ୍ଷ ଦେଖ ମନ୍ତ୍ରବଳ ॥ ୭୬
ତା' ଶୁଣି ଚ୍ୟବନ ଆନନ୍ଦେ । ବେଗେ ପଶିଲେ ସିଦ୍ଧହ୍ରଦେ ॥ ୭୭
ତିନିହେଁ ହସ୍ତେ ହସ୍ତଧରି । ଜଳେ ବୁଡ଼ିଲେ ବୋଲି ହରି ॥ ୭୮
ତକ୍ଷଣେ ଏକରୂପ ହୋଇ । ଉଠିଲେ କନ୍ୟାମୁଖ ଚାହିଁ ॥ ୭୯
କି ଅବା ଦେବା ପଟାନ୍ତର । ରୂପେ ମୋହିଲେ ସୁରନର ॥ ୮୦
ସେ କନ୍ୟା ତୀରେ ଚାହିଁଥିଲା । ନିଜ ସ୍ୱାମୀକି ନ ଚିହ୍ନିଲା ॥ ୮୧
ବିକଳେ ହୋଇ ଛନ୍ନଛନ୍ନ । ଚାହିଁଣ ତାହାଙ୍କ ବଦନ ॥ ୮୨
କର ଅଞ୍ଜଳି ଶିରେ ଦେଇ । ବୋଲଇ ମୋତେ କର ତ୍ରାହି ॥ ୮୩
ମୁଁ ଯେବେ ସତ୍ୟ ପତିବ୍ରତା । ନିକଟେ ଦିଅ ମୋର ଭର୍ତ୍ତା ॥ ୮୪
ଅଶ୍ୱିନୀ ସୁତେ ତାହା ଶୁଣି । ସ୍ୱାମୀକି ଦେଲେ ତା'ର ଆଣି ॥ ୮୫
ଋଷିଙ୍କି ନମସ୍କାର ହୋଇ । ସ୍ୱର୍ଗେ ଚଳିଲେ ବେନିଭାଇ ॥ ୮୬
ଶୁଣ ହୋ ପରୀକ୍ଷିତ ଏବେ । ଶର୍ଯ୍ୟାତି ଯଜ୍ଞର ଆରମ୍ଭେ ॥ ୮୭
ଚ୍ୟବନ ଆଶ୍ରମେ ମିଳିଲା । ନୟନେ ଅଦ୍ଭୁତ ଦେଖିଲା ॥ ୮୮
ନିଜର କନ୍ୟାର ପାଶେ ବସି । ପୁରୁଷେ ଦିଶେ ତେଜ ରାଶି ॥ ୮୯
ସୁକନ୍ୟା ଆସି ପିତା ପାଦେ । ସ୍ୱଭାବେ ନମିଲା ଆନନ୍ଦେ ॥ ୯୦
ତାହାକୁ କଲ୍ୟାଣ ନ କରି । କନ୍ୟାକୁ ବୋଲେ କୋପକରି ॥ ୯୧
ଅଦ୍ଭୁତ କର୍ମ ଏ ତୋହର । ଅତ୍ୟନ୍ତ ବୃଦ୍ଧ ତୋ'ର ବର ॥ ୯୨
ତା'ର ଚରଣେ ସେବା ଛାଡ଼ି । ଯୁବା ପୁରୁଷେ ଲୋଭ ବଢ଼ି ॥ ୯୩
କେମନ୍ତେ ଟଳିଲା ତୋ' ମତି । ସଂସାରେ ଯେସନେ ଅସତୀ ॥ ୯୪
କୁଳ ଦୂଷଣ କର୍ମ କଲୁ । ବୃଦ୍ଧ ସ୍ୱାମୀକି ଉପେକ୍ଷିଲୁ ॥ ୯୫
ଜାର ପୁରୁଷେ କଲୁ ମତି । ଏ ବଡ଼ ତୋହର ଅନୀତି ॥ ୯୬
ଉଭୟ କୁଳ କଲୁ ନାଶ । ପରପୁରୁଷେ ତୋ' ବିଶ୍ୱାସ ॥ ୯୭
ଏ କର୍ମେ ପିତା-ପତି-ବଂଶ । ନରକେ କରାଇଲୁ ବାସ ॥ ୯୮
ଏମନ୍ତ ପିତାବାକ୍ୟ ଶୁଣି । ହସି ବୋଲଇ ତା' ଦୁଲଣୀ ॥ ୯୯
ଭୋ ତାତ ଭ୍ରାନ୍ତି ତୁ ନ କର । ଏହିଟି ମୋର ନିଜ ବର ॥ ୧୦୦
ଏମନ୍ତ ପିତାର ଅଗ୍ରତେ । ସର୍ବ କହିଲା ଆଦି ଅନ୍ତେ ॥ ୧୦୧
ଯେମନ୍ତେ ସ୍ୱର୍ଗ ବୈଦ୍ୟେ ଆସି । ସୁନ୍ଦର କଲେ ଜଳେ ପଶି ॥ ୧୦୨
ବୃଦ୍ଧକୁ ଯୁବା ରୂପ କଲେ । ରଥ ଆରୋହୀ ସ୍ୱର୍ଗେ ଗଲେ ॥ ୧୦୩
ଏମନ୍ତେ ପୁତ୍ରୀ ବାକ୍ୟ ଶୁଣି । ଅତି ଆନନ୍ଦ ନୃପମଣି ॥ ୧୦୪
ତକ୍ଷଣେ ଦୁହିତା ବଚନ । ଅଦ୍ଭୁତ ଶୁଣି ସେ ରାଜନ ॥ ୧୦୫
ଅତି ଆନନ୍ଦେ ମୋଦ ଭରି । ନିଜ ଦୁହିତା କୋଳକରି ॥ ୧୦୬
ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅଭିମନ୍ୟୁ ବଳା ॥ ୧୦୭
ନିଜ ଭୁବନେ ନୃପମଣି । ଚ୍ୟବନ ମୁନି ଗୃହେ ଆଣି ॥ ୧୦୮
ଆଗମ-ନିଗମ-ଉକତେ । ଯଜ୍ଞ ସେ କଲା ବିଧିମତେ ॥ ୧୦୯
ଚ୍ୟବନ ବାକ୍ୟେ ଯଜ୍ଞ ଘରେ । ମିଳିଲେ ଅଶ୍ୱିନୀ କୁମାରେ ॥ ୧୧୦
ତାହାଙ୍କୁ ସୋମ ଦେବା ବେଳେ । ଇନ୍ଦ୍ର ମିଳିଲା ଯଜ୍ଞଶାଳେ ॥ ୧୧୧
ବଜ୍ର ଉଞ୍ଚାଇ କୋପଭରେ । ନିଷେଧ କଲା ମନ୍ତ୍ରସ୍ୱରେ ॥ ୧୧୨
ତା' ଦେଖି ଚ୍ୟବନ ଉଠିଲେ । ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ ॥ ୧୧୩
ମାରି ନ ପାରି ବଜ୍ର କୋପେ । ଇନ୍ଦ୍ର ଶରୀର ଭୟେ କମ୍ପେ ॥ ୧୧୪
ବୋଲଇ ମୁନିମୁଖ ଚାହିଁ । ଏ କଥା ଉଚିତ ନୁହଇ ॥ ୧୧୫
ଯଜ୍ଞେ ଏହାଙ୍କ ଭାଗ ନାହିଁ । ଆହୁତି ଦିଅ କାହିଁ ପାଇଁ ॥ ୧୧୬
ଚ୍ୟବନ ବୋଲେ ଇନ୍ଦ୍ରେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୧୭
ଏ ଯହୁଁ ଯୁବା କଲେ ମୋତେ । ଆହୁରି ଦେବି ଯଜ୍ଞ ଅନ୍ତେ ॥ ୧୧୮
ଯଜ୍ଞରେ ଶେଷଭାଗ ପାଇ । ସନ୍ତୋଷ ହେବେ ବେନିଭାଇ ॥ ୧୧୯
ବ୍ୟାଧି ନାଶିବେ ଯଜମାନେ । ଏମନ୍ତେ ଚ୍ୟବନ ବଚନେ ॥ ୧୨୦
ତୋଷ ହୋଇଲେ ସୁରନାଥ । ମୁନି ଛାଡ଼ିଲେ ତା'ର ହସ୍ତ ॥ ୧୨୧
ସେଦିନୁ ସର୍ବଦେବେ ଯଜ୍ଞେ । ତା'ଙ୍କୁ ସ୍ଥାପିଲେ ହବିର୍ଭାଗେ ॥ ୧୨୨
ଶେଷେ ସେ ସୋମଭାଗ ପା'ନ୍ତି । ଏବେ ହୋ ଶୁଣ ନରପତି ॥ ୧୨୩
ଏମନ୍ତେ ଯଜ୍ଞକର୍ମ ଫଳେ । ପୁତ୍ରେ ଜନ୍ମିଲେ ରାଜାକୁଳେ ॥ ୧୨୪
ଅତି ସୁନ୍ଦର ଅନୁପମ । ଶୁଣ ହେ ତାହାଙ୍କର ନାମ ॥ ୧୨୫
ଉତ୍ତାନବରହି ଆନର୍ତ୍ତ । ତୃତୀୟେ ଭୂରିସେନ ଜାତ ॥ ୧୨୬
ଶର୍ଯ୍ୟାତି ପୁତ୍ରେ ମହାତେଜେ । ପ୍ରଜାପାଳିଲେ ଶୁଭେ ରାଜ୍ୟେ ॥ ୧୨୭
ଆନର୍ତ୍ତ ନାମେ ମଧ୍ୟ ସୁତ । ଶୁଣ ହେ ତାହାଙ୍କ ଚରିତ ॥ ୧୨୮
ସେ ନିତ୍ୟେ ହରି ସେବା କରେ । ସେ ପୁଣ୍ୟେ ତା'ପତ୍ନୀ ଉଦରେ ॥ ୧୨୯
ରେବତ ନାମେ ପୁତ୍ର ଜାତ । ହୋଇଲା ଅତି ବଳବନ୍ତ ॥ ୧୩୦
ସମୁଦ୍ର ମଧ୍ୟେ ପୁର କଲା । ତା' ନାମ କୁଶସ୍ଥଳୀ ଦେଲା ॥ ୧୩୧
ସେ ରାଜ୍ୟେ ବସି ଦିନାକେତେ । ଭୋଗ ଭୁଞ୍ଜିଲା ନାନାମତେ ॥ ୧୩୨
ନିତ୍ୟେ ସେ ବିଷ୍ଣୁଙ୍କୁ ସେବଇ । ତାହାର ଶତ୍ରୁ ନାହିଁ କେହି ॥ ୧୩୩
ତାହାର ଶତେ ପୁତ୍ର ଜାତ । ତାହାଙ୍କ ମଧ୍ୟେ ଜ୍ୟେଷ୍ଠଭ୍ରାତ ॥ ୧୩୪
କକୁଦ୍ମୀ ନାମ ତା'ର ହୋଏ । ଇନ୍ଦ୍ର କମ୍ପଇ ଯା'ର ଭୟେ ॥ ୧୩୫
ରେବତୀ ନାମେ କନ୍ୟା ତା'ର । ସୁନ୍ଦରେ ନାହିଁ ପଟାନ୍ତର ॥ ୧୩୬
ସେ କନ୍ୟା ଘେନି ଅତି ଦୁଃଖେ । ଦିନେ ମିଳିଲେ ବ୍ରହ୍ମଲୋକେ ॥ ୧୩୭
ଭୂମିରେ ନୃପତି କୁମର । ଯେତେ ମିଳିଲେ ତା'କୁ ବର ॥ ୧୩୮
ତା'ଙ୍କୁ ନ ଦେଲା କୁଳ ଶ୍ରେଷ୍ଠେ । ମିଳିଲା ବ୍ରହ୍ମାଙ୍କ ନିକଟେ ॥ ୧୩୯
ସେ ବ୍ରହ୍ମା ଘେନି ମହାଜନ । କରଇ ବିଷ୍ଣୁର କୀର୍ତ୍ତନ ॥ ୧୪୦
କ୍ଷଣେ ରହିଲେ ତା'କୁ ଦେଖି । ସେ ଧାତା କୀର୍ତ୍ତନ ଉପେକ୍ଷି ॥ ୧୪୧
ତକ୍ଷଣେ ଚାହିଁ ତା' ବଦନ । ବୋଲନ୍ତି ମଧୁର ବଚନ ॥ ୧୪୨
କିପାଁ ଅଇଲୁ ବ୍ରହ୍ମଲୋକେ । ଏ କନ୍ୟା ଘେନି ମନଦୁଃଖେ ॥ ୧୪୩
ବ୍ରହ୍ମା ବଚନେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥ ୧୪୪
ବୋଲଇ ଅତି ଦୁଃଖ ଭରେ । ଏ କନ୍ୟା ଦେବି କେଉଁ ବରେ ॥ ୧୪୫
ଏ କଥା ରାଜା ମୁଖୁଁ ଶୁଣି । ହସି ବୋଲନ୍ତି କୁଶପାଣି ॥ ୧୪୬
ଅଦ୍ଭୁତ୍ କଥା ଏ ତୋହର । ଭୂମିରେ ନ ବରିଲୁ ବର ॥ ୧୪୭
ଯା' କଥା ଅଇଲୁ ତୁ କହି । ଭୂମିରେ ତା'ଙ୍କ ବଂଶ ନାହିଁ ॥ ୧୪୮
ବ୍ରହ୍ମାଣ୍ତ ମଧ୍ୟେ କାଳ ବଳେ । ଅନେକ ଯୁଗ ବହି ଗଲେ ॥ ୧୪୯
ତୋ' ପୁତ୍ର ନାତି ଯେତେ ଥିଲେ । କାଳର ବଳେ ନାଶ ଗଲେ ॥ ୧୫୦
ତୋ' ଗୋତ୍ର ନାହିଁ ରବି ତଳେ । ଶୁଣ ହେ ଯେତେ ଯୁଗ ଗଲେ ॥ ୧୫୧
ପ୍ରଚଣ୍ତ କାଳଲୀଳା ବଳେ । ବିଷ୍ଣୁ ବିହରେ ରବି ତଳେ ॥ ୧୫୨
ସପତ ବିଂଶ ଚତୁର୍ଯୁଗ । ଭୂମିରେ କାଳ କଲା ଭୋଗ ॥ ୧୫୩
ଅଧିକ ତିନିଯୁଗ ଗଲା । କଳିର ଆଗମନ ହେଲା ॥ ୧୫୪
ଦ୍ୱାପର ଯୁଗ ଅବସାନ । ଏବେ ତୁ ଶୁଣ ମୋ' ବଚନ ॥ ୧୫୫
ଭାରା ନିବାରଣ ନିମନ୍ତେ । ବିଷ୍ଣୁ ଜନ୍ମିଲେ ଏ ଜଗତେ ॥ ୧୫୬
ଦେବକୀ-ଗର୍ଭେ ଦେହ ବହି । ନୀଳ-ଧବଳ ରୂପ ହୋଇ ॥ ୧୫୭
ଅନନ୍ତ ବଳଭଦ୍ର ରୂପେ । ଜନ୍ମ ଲଭିଲେ ମୋହ କଳ୍ପେ ॥ ୧୫୮
ଏ କନ୍ୟାରତ୍ନ ତା'ଙ୍କୁ ଦେଇ । ଭବସାଗରୁ ତର ତୁହି ॥ ୧୫୯
ଏମନ୍ତ ବ୍ରହ୍ମା ମୁଖୁଁ ଶୁଣି । ଆନନ୍ଦ ମନେ ନୃପମଣି ॥ ୧୬୦
ତକ୍ଷଣେ ନିଜ ପୁରେ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୬୧
ତାହାର ଯେତେ ଭାଇ ଥିଲେ । ଯକ୍ଷଙ୍କ ଭୟେ ପଳାଇଲେ ॥ ୧୬୨
ସେ କନ୍ୟା ବଳଭଦ୍ରେ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥ ୧୬୩
ତପକରଣେ ଶୁଦ୍ଧମନେ । ମିଳିଲା ବଦରିକାଶ୍ରମେ ॥ ୧୬୪
ଯାହା ବୋଇଲେ ନରହରି । ଭାଷା ପ୍ରବନ୍ଧେ ଗୀତ କରି ॥ ୧୬୫
ସୁଜନେ ଏଣେ ମତି କର । ତରିବ ସଂସାର-ସାଗର ॥ ୧୬୬
ଅନ୍ତେ ପାଇବ ଚକ୍ରଧର । ଏଣେ ବିଶ୍ୱାସ ନିତ୍ୟେ କର ॥ ୧୬୭
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତୃତୀୟୋଽଧ୍ୟାୟଃ ॥
* * *