ନବମ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ସାବଧାନେ । ମନୁର ବଂଶାନୁବିଧାନେ ॥

ଶର୍ଯ୍ୟାତି ନାମେ ମନୁସୁତ । ଶୁଣ ହୋ ତାହାର ଚରିତ ॥

ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲା । ଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା ॥

ସୁକନ୍ୟା ନାମେ ତା'ର କନ୍ୟା । ହୋଇଲା ରୂପେ ଅନୁପମା ॥

ସେ କନ୍ୟା ପିତାର ସଙ୍ଗତେ । ଆନନ୍ଦେ ପଶିଲା ବନସ୍ତେ ॥

କୁମାରୀ ପାଞ୍ଚ ସାତ ସଙ୍ଗେ । ବନେ ଭ୍ରମଇ ଅତିରଙ୍ଗେ ॥

ସେ ବନେ ଭୃଗୁର ନନ୍ଦନ । ତପସ୍ୱୀ ନାମ ତା' ଚ୍ୟବନ ॥

ସେ ବନେ ନିଶ୍ଚଳ ଆସନେ । ବସିଲା ଯୋଗର ଧାରଣେ ॥

ରହିଲା ଅନେକ ବରଷ । ହୋଇଲା ଅସ୍ଥି ଚର୍ମ ଶେଷ ॥

ବଲ୍ମୀକ କୀଟ ତା'ର ଦେହେ । ମୁଖ ଢାଙ୍କିଲେ ମୂତ୍ତିକାଏ ॥ ୧୦

ବଲ୍ମୀକ କୁଦ ପ୍ରାୟ ଦିଶେ । କେବଳ ନୟନ ପ୍ରକାଶେ ॥ ୧୧

ଏମନ୍ତେ ରାଜକନ୍ୟା ଗଲା । ଚ୍ୟବନ ନିକଟେ ମିଳିଲା ॥ ୧୨

ବଲ୍ମୀକ କୁଦ ମଧ୍ୟେ ଭିନ୍ନ । ଦିଶଇ ମୁନିଙ୍କ ନୟନ ॥ ୧୩

ଅଦ୍‌ଭୁତ ବେନି ଜ୍ୟୋତି ଚାହିଁ । ସୁକନ୍ୟା ମନେ ବିଚାରଇ ॥ ୧୪

ଏ ତ ସୁନ୍ଦର ଜ୍ୟୋତି ଦିଶେ । ତେଜେ ତିମିର ବନେ ନାଶେ ॥ ୧୫

ଏମନ୍ତ ମନେ ପରିମାଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥ ୧୬

ସେ ବେନି ଜ୍ୟୋତି କଲା କ୍ଷତ । ତକ୍ଷଣେ ସ୍ରବିଲା ରକତ ॥ ୧୭

ବଲ୍ମୀକ ମଧ୍ୟେ ଶୋଣି ବହେ । ଧାରା ଦିଶଇ ମୁନି ଦେହେ ॥ ୧୮

ମୁନିଙ୍କି ଅପରାଧ କଲା । ଶୁଣ ହେ ଅଭିମନ୍ୟୁବଳା ॥ ୧୯

ତକ୍ଷଣେ ରାଜାର ସମେତେ । ଅପରେ ଥିଲେ ଲୋକ ଯେତେ ॥ ୨୦

ସର୍ବେ ହୋଇଲେ ଅପରାଧୀ । ହୋଇଲା ମୂତ୍ରଦ୍ୱାରା ରୁନ୍ଧି ॥ ୨୧

ସୁକନ୍ୟା ସଙ୍ଗେ କନ୍ୟା ଯେତେ । ଥିଲେ ଯେ ରାଜାଙ୍କ ସଙ୍ଗତେ ॥ ୨୨

କେହି ନ ପାରେ ମୂତ୍ର କରି । କାନ୍ଦନ୍ତି ମୂତ୍ରଦ୍ୱାରା ଧରି ॥ ୨୩

ସର୍ବେ କରନ୍ତି ହାହାକାର । ଶୁଣି ଶର୍ଯ୍ୟାତି ନୃପବର ॥ ୨୪

ସକଳେ ପୁଚ୍ଛି ଦୁଃଖମନ । କନ୍ୟାକୁ ବୋଲନ୍ତି ବଚନ ॥ ୨୫

ତୁ ଯେ ବନସ୍ତେ ଭ୍ରମୁ ଥିଲୁ । କାହିଁକି ଅବା ଆଚରିଲୁ ॥ ୨୬

ସେ କର୍ମବଳେଟି ଏ ବ୍ୟାଧି । ରହିଲା ମୂତ୍ରଦ୍ୱାର ରୁନ୍ଧି ॥ ୨୭

ସର୍ବେ ମରିବା ଏହିକ୍ଷଣି । ସୁକନ୍ୟା କହେ ତାହା ଶୁଣି ॥ ୨୮

ଭୋ ତାତ ବଲ୍ମୀକ ଉପରେ । ଜ୍ୟୋତି-ଯୁଗଳ ଦେଖି ଖରେ ॥ ୨୯

ଅଦ୍‌ଭୁତ ପ୍ରାୟେ ମୁହିଁ ମଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥ ୩୦

ଭେଦିଲି ସେ ଜ୍ୟୋତି ଅଦ୍‌ଭୁତ । ତକ୍ଷଣେ ସ୍ରବିଲା ରକତ ॥ ୩୧

ତା' ଶୁଣି ନୃପ ଅତିବେଗେ । ମିଳିଲା ବଲ୍ମୀକର ଆଗେ ॥ ୩୨

ସଂଭ୍ରମେ ବେନିକର ଯୋଡ଼ି । କହେ ବଲ୍ମୀକ ତଳେ ପଡ଼ି ॥ ୩୩

ଭୋ କୀଟ ବଲ୍ମୀକ ତୋ' ଦେହ । ରୁଧିର ବହେ କିମ୍ବା କହ ॥ ୩୪

ମୁଁ ତୋ'ର କଲି ଅପରାଧ । ତୋ'ଜ୍ୟୋତି କନ୍ୟା କଲାଭେଦ ॥ ୩୫

ସେ କନ୍ୟା ସ୍ୱଭାବେ ଚଞ୍ଚଳ । ସର୍ବେ ପାଇଲୁ ପ୍ରତିଫଳ ॥ ୩୬

ନିରୋଧ ହେଲା ମୂତ୍ରଦ୍ୱାରା । ରଖ ଶରଣ ଗଲି ତୋ'ର ॥ ୩୭

ଏମନ୍ତ ରାଜାବାକ୍ୟ ଶୁଣି । ଚ୍ୟବନ କହେ ଖେଦବାଣୀ ॥ ୩୮

ଭୋ ନୃପ ଭୃଗୁର କୁମର । ଚ୍ୟବନଋଷି ନାମ ମୋ'ର ॥ ୩୯

ମୁଁ ଏ ଅରଣ୍ୟେ ତପ କରି । ଚିନ୍ତଇ ପ୍ରଭୁ ନରହରି ॥ ୪୦

ଆସନେ ବସିଲି ନିଶ୍ଚଳ । ଏମନ୍ତେ ଗଲା କେତେକାଳ ॥ ୪୧

ବଲ୍ମୀକ କୀଟ ମୋ' ଶରୀରେ । ମାଂସ ରୁଧିର ଭକ୍ଷି ଖରେ ॥ ୪୨

ମୃତ୍ତିକା ମୋହର ଉପରେ । ମୁଖେ ଆଚ୍ଛାଦି ନିରନ୍ତରେ ॥ ୪୩

ଦେହ ଭକ୍ଷିଲେ ସ୍ୱାଦୁ ରସେ । କେବଳ ଅସ୍ଥି ରହେ ଶେଷେ ॥ ୪୪

ଏମନ୍ତ ମୁନିମୁଖୁଁ ଶୁଣି । ଚରଣେ ପଡ଼ି ନୃପମଣି ॥ ୪୫

ଧରିଣ ମୁନିଙ୍କ ଚରଣ । ବୋଲଇ କର ପରିତ୍ରାଣ ॥ ୪୬

ଏ ଯେ ସୁକନ୍ୟା ମୋ' ଦୁଲଣୀ । ଏ ହେଉ ତୋହର ଘରଣୀ ॥ ୪୭

ସତ୍ୟ ବଚନ ଏ ମୋହର । ଏଥକୁ ସାକ୍ଷୀ ଦିବାକର ॥ ୪୮

ଏମନ୍ତ ରାଜା ମୁଖୁଁ ଶୁଣି । ଚ୍ୟବନ କହେ ମଞ୍ଜୁବାଣୀ ॥ ୪୯

ଏ ଯେବେ ସତ୍ୟବାକ୍ୟ ତୋ'ର । ସ୍ରବୁ ସକଳ ମୂତ୍ରଦ୍ୱାର ॥ ୫୦

ଶୁଣି ସେ ଚ୍ୟବନ ବଚନ । ଫିଟିଲା ମୂତ୍ର-ନିରୋଧନ ॥ ୫୧

ସର୍ବେ ଲଭିଲେ ପରିତ୍ରାଣ । ଏବେ ହୋ ପରୀକ୍ଷିତ ଶୁଣ ॥ ୫୨

ମୁନିଙ୍କି କନ୍ୟାଦାନ କରି । ରାଜା ଚଳିଲା ନିଜ ପୁରୀ ॥ ୫୩

ନିଜ ଜନଙ୍କ ସଙ୍ଗେ ମିଶି । ଚ୍ୟବନ ମହିମା ପ୍ରକାଶି ॥ ୫୪

ସୁକନ୍ୟା ଚ୍ୟବନ ସମୀପେ । ଖଟଇ ମନ ଅନୁରୂପେ ॥ ୫୫

ନିତ୍ୟେ କଳ୍ପିତ ଭିକ୍ଷା ଆଣି । ଯେ ମିଳେ ଶାକ କନ୍ଦ ପାଣି ॥ ୫୬

ଏମନ୍ତେ ଶୁଣ ନୃପବର । ବିଧାତା ବଳ ବଳୀୟାର ॥ ୫୭

ଏମନ୍ତେ କେତେକାଳ ଗଲା । ସୁକନ୍ୟା ରଜ ପ୍ରକାଶିଲା ॥ ୫୮

ସେ ଦିନ ପ୍ରଭାତର କାଳେ । ଅଶ୍ୱିନୀ କୁମାରେ ମିଳିଲେ ॥ ୫୯

ମୁନିଙ୍କି ନମସ୍କାର କରି । ବସିଲେ ଆସନ ଆବୋରି ॥ ୬୦

ଚ୍ୟବନ ଉଠି ମନତୋଷେ । ଅଶ୍ୱିନୀ କୁମାରଙ୍କ ପାଶେ ॥ ୬୧

ପାଦ୍ୟାର୍ଘେ ଚରଣ ପୂଜିଲେ । ଅନେକ ସ୍ତୁତିବାକ୍ୟ କଲେ ॥ ୬୨

ବୋଲନ୍ତି ବିଶ୍ୱାସ କରାଇ । ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ ॥ ୬୩

ଯେ ତୁମ୍ଭ ନାମ ଉଚ୍ଚାରନ୍ତି । ରୋଗ-ପ୍ରବନ୍ଧୁ ସେ ତରନ୍ତି ॥ ୬୪

ଦେଖ ଏ ମୋହର ଶରୀର । ଜରା ଅବସ୍ଥା ଜରଜର ॥ ୬୫

ଶର୍ଯ୍ୟାତି କନ୍ୟା ମୋତେ ଦେଲା । ଭାବ ଅଭାବ ନ ଜାଣିଲା ॥ ୬୬

ଦେଖ ଏ କନ୍ୟା ପତିବ୍ରତା । ଏହାକୁ ହୁଅ ବରଦାତା ॥ ୬୭

ଏ ବୃଦ୍ଧ-ଦୁଃଖ ମୋର ହର । ଯୁବାବୟସ ମୋତେ କର ॥ ୬୮

ମୁଁ ପୁଣି ତୁମ୍ଭ ଉପକାରେ । କରିବି ଯଥାର୍ଥ ବେଭାରେ ॥ ୬୯

ତୁମ୍ଭେ ଯେ ଦେବବୈଦ୍ୟ ଦୋଷେ । ଯଜ୍ଞେ ନ ଲଭ ସୋମ ଅଂଶେ ॥ ୭୦

ଏବେ ମୁଁ ତୁମ୍ଭୁଙ୍କୁ ବରିବି । ଆନନ୍ଦେ ଯଜ୍ଞଭାଗ ଦେବି ॥ ୭୧

ଇନ୍ଦ୍ର କି କରିବ ମୋହର । ଯୁବା ଶରୀର ମୋତେ କର ॥ ୭୨

ଏମନ୍ତ ମୁନିମୁଖୁଁ ଶୁଣି । ଅଶ୍ୱିନୀ ସୁତେ ମନେ ଗୁଣି ॥ ୭୩

ବୋଲନ୍ତି ମୁନି ମୁଖ ଚାହିଁ । ଏ କଥା ଅନ୍ୟଥା ନୁହଇ ॥ ୭୪

ଅମ୍ବର ସଙ୍ଗେ ସିଦ୍ଧହ୍ରଦେ । ସ୍ନାହାନ କର ଅପ୍ରମାଦେ ॥ ୭୫

ହୋଇବ କନ୍ଦର୍ପ ଶରୀର । ପ୍ରତ୍ୟକ୍ଷ ଦେଖ ମନ୍ତ୍ରବଳ ॥ ୭୬

ତା' ଶୁଣି ଚ୍ୟବନ ଆନନ୍ଦେ । ବେଗେ ପଶିଲେ ସିଦ୍ଧହ୍ରଦେ ॥ ୭୭

ତିନିହେଁ ହସ୍ତେ ହସ୍ତଧରି । ଜଳେ ବୁଡ଼ିଲେ ବୋଲି ହରି ॥ ୭୮

ତକ୍ଷଣେ ଏକରୂପ ହୋଇ । ଉଠିଲେ କନ୍ୟାମୁଖ ଚାହିଁ ॥ ୭୯

କି ଅବା ଦେବା ପଟାନ୍ତର । ରୂପେ ମୋହିଲେ ସୁରନର ॥ ୮୦

ସେ କନ୍ୟା ତୀରେ ଚାହିଁଥିଲା । ନିଜ ସ୍ୱାମୀକି ନ ଚିହ୍ନିଲା ॥ ୮୧

ବିକଳେ ହୋଇ ଛନ୍ନଛନ୍ନ । ଚାହିଁଣ ତାହାଙ୍କ ବଦନ ॥ ୮୨

କର ଅଞ୍ଜଳି ଶିରେ ଦେଇ । ବୋଲଇ ମୋତେ କର ତ୍ରାହି ॥ ୮୩

ମୁଁ ଯେବେ ସତ୍ୟ ପତିବ୍ରତା । ନିକଟେ ଦିଅ ମୋର ଭର୍ତ୍ତା ॥ ୮୪

ଅଶ୍ୱିନୀ ସୁତେ ତାହା ଶୁଣି । ସ୍ୱାମୀକି ଦେଲେ ତା'ର ଆଣି ॥ ୮୫

ଋଷିଙ୍କି ନମସ୍କାର ହୋଇ । ସ୍ୱର୍ଗେ ଚଳିଲେ ବେନିଭାଇ ॥ ୮୬

ଶୁଣ ହୋ ପରୀକ୍ଷିତ ଏବେ । ଶର୍ଯ୍ୟାତି ଯଜ୍ଞର ଆରମ୍ଭେ ॥ ୮୭

ଚ୍ୟବନ ଆଶ୍ରମେ ମିଳିଲା । ନୟନେ ଅଦ୍‌ଭୁତ ଦେଖିଲା ॥ ୮୮

ନିଜର କନ୍ୟାର ପାଶେ ବସି । ପୁରୁଷେ ଦିଶେ ତେଜ ରାଶି ॥ ୮୯

ସୁକନ୍ୟା ଆସି ପିତା ପାଦେ । ସ୍ୱଭାବେ ନମିଲା ଆନନ୍ଦେ ॥ ୯୦

ତାହାକୁ କଲ୍ୟାଣ ନ କରି । କନ୍ୟାକୁ ବୋଲେ କୋପକରି ॥ ୯୧

ଅଦ୍ଭୁତ କର୍ମ ଏ ତୋହର । ଅତ୍ୟନ୍ତ ବୃଦ୍ଧ ତୋ'ର ବର ॥ ୯୨

ତା'ର ଚରଣେ ସେବା ଛାଡ଼ି । ଯୁବା ପୁରୁଷେ ଲୋଭ ବଢ଼ି ॥ ୯୩

କେମନ୍ତେ ଟଳିଲା ତୋ' ମତି । ସଂସାରେ ଯେସନେ ଅସତୀ ॥ ୯୪

କୁଳ ଦୂଷଣ କର୍ମ କଲୁ । ବୃଦ୍ଧ ସ୍ୱାମୀକି ଉପେକ୍ଷିଲୁ ॥ ୯୫

ଜାର ପୁରୁଷେ କଲୁ ମତି । ଏ ବଡ଼ ତୋହର ଅନୀତି ॥ ୯୬

ଉଭୟ କୁଳ କଲୁ ନାଶ । ପରପୁରୁଷେ ତୋ' ବିଶ୍ୱାସ ॥ ୯୭

ଏ କର୍ମେ ପିତା-ପତି-ବଂଶ । ନରକେ କରାଇଲୁ ବାସ ॥ ୯୮

ଏମନ୍ତ ପିତାବାକ୍ୟ ଶୁଣି । ହସି ବୋଲଇ ତା' ଦୁଲଣୀ ॥ ୯୯

ଭୋ ତାତ ଭ୍ରାନ୍ତି ତୁ ନ କର । ଏହିଟି ମୋର ନିଜ ବର ॥ ୧୦୦

ଏମନ୍ତ ପିତାର ଅଗ୍ରତେ । ସର୍ବ କହିଲା ଆଦି ଅନ୍ତେ ॥ ୧୦୧

ଯେମନ୍ତେ ସ୍ୱର୍ଗ ବୈଦ୍ୟେ ଆସି । ସୁନ୍ଦର କଲେ ଜଳେ ପଶି ॥ ୧୦୨

ବୃଦ୍ଧକୁ ଯୁବା ରୂପ କଲେ । ରଥ ଆରୋହୀ ସ୍ୱର୍ଗେ ଗଲେ ॥ ୧୦୩

ଏମନ୍ତେ ପୁତ୍ରୀ ବାକ୍ୟ ଶୁଣି । ଅତି ଆନନ୍ଦ ନୃପମଣି ॥ ୧୦୪

ତକ୍ଷଣେ ଦୁହିତା ବଚନ । ଅଦ୍‌ଭୁତ ଶୁଣି ସେ ରାଜନ ॥ ୧୦୫

ଅତି ଆନନ୍ଦେ ମୋଦ ଭରି । ନିଜ ଦୁହିତା କୋଳକରି ॥ ୧୦୬

ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅଭିମନ୍ୟୁ ବଳା ॥ ୧୦୭

ନିଜ ଭୁବନେ ନୃପମଣି । ଚ୍ୟବନ ମୁନି ଗୃହେ ଆଣି ॥ ୧୦୮

ଆଗମ-ନିଗମ-ଉକତେ । ଯଜ୍ଞ ସେ କଲା ବିଧିମତେ ॥ ୧୦୯

ଚ୍ୟବନ ବାକ୍ୟେ ଯଜ୍ଞ ଘରେ । ମିଳିଲେ ଅଶ୍ୱିନୀ କୁମାରେ ॥ ୧୧୦

ତାହାଙ୍କୁ ସୋମ ଦେବା ବେଳେ । ଇନ୍ଦ୍ର ମିଳିଲା ଯଜ୍ଞଶାଳେ ॥ ୧୧୧

ବଜ୍ର ଉଞ୍ଚାଇ କୋପଭରେ । ନିଷେଧ କଲା ମନ୍ତ୍ରସ୍ୱରେ ॥ ୧୧୨

ତା' ଦେଖି ଚ୍ୟବନ ଉଠିଲେ । ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ ॥ ୧୧୩

ମାରି ନ ପାରି ବଜ୍ର କୋପେ । ଇନ୍ଦ୍ର ଶରୀର ଭୟେ କମ୍ପେ ॥ ୧୧୪

ବୋଲଇ ମୁନିମୁଖ ଚାହିଁ । ଏ କଥା ଉଚିତ ନୁହଇ ॥ ୧୧୫

ଯଜ୍ଞେ ଏହାଙ୍କ ଭାଗ ନାହିଁ । ଆହୁତି ଦିଅ କାହିଁ ପାଇଁ ॥ ୧୧୬

ଚ୍ୟବନ ବୋଲେ ଇନ୍ଦ୍ରେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୧୭

ଏ ଯହୁଁ ଯୁବା କଲେ ମୋତେ । ଆହୁରି ଦେବି ଯଜ୍ଞ ଅନ୍ତେ ॥ ୧୧୮

ଯଜ୍ଞରେ ଶେଷଭାଗ ପାଇ । ସନ୍ତୋଷ ହେବେ ବେନିଭାଇ ॥ ୧୧୯

ବ୍ୟାଧି ନାଶିବେ ଯଜମାନେ । ଏମନ୍ତେ ଚ୍ୟବନ ବଚନେ ॥ ୧୨୦

ତୋଷ ହୋଇଲେ ସୁରନାଥ । ମୁନି ଛାଡ଼ିଲେ ତା'ର ହସ୍ତ ॥ ୧୨୧

ସେଦିନୁ ସର୍ବଦେବେ ଯଜ୍ଞେ । ତା'ଙ୍କୁ ସ୍ଥାପିଲେ ହବିର୍ଭାଗେ ॥ ୧୨୨

ଶେଷେ ସେ ସୋମଭାଗ ପା'ନ୍ତି । ଏବେ ହୋ ଶୁଣ ନରପତି ॥ ୧୨୩

ଏମନ୍ତେ ଯଜ୍ଞକର୍ମ ଫଳେ । ପୁତ୍ରେ ଜନ୍ମିଲେ ରାଜାକୁଳେ ॥ ୧୨୪

ଅତି ସୁନ୍ଦର ଅନୁପମ । ଶୁଣ ହେ ତାହାଙ୍କର ନାମ ॥ ୧୨୫

ଉତ୍ତାନବରହି ଆନର୍ତ୍ତ । ତୃତୀୟେ ଭୂରିସେନ ଜାତ ॥ ୧୨୬

ଶର୍ଯ୍ୟାତି ପୁତ୍ରେ ମହାତେଜେ । ପ୍ରଜାପାଳିଲେ ଶୁଭେ ରାଜ୍ୟେ ॥ ୧୨୭

ଆନର୍ତ୍ତ ନାମେ ମଧ୍ୟ ସୁତ । ଶୁଣ ହେ ତାହାଙ୍କ ଚରିତ ॥ ୧୨୮

ସେ ନିତ୍ୟେ ହରି ସେବା କରେ । ସେ ପୁଣ୍ୟେ ତା'ପତ୍ନୀ ଉଦରେ ॥ ୧୨୯

ରେବତ ନାମେ ପୁତ୍ର ଜାତ । ହୋଇଲା ଅତି ବଳବନ୍ତ ॥ ୧୩୦

ସମୁଦ୍ର ମଧ୍ୟେ ପୁର କଲା । ତା' ନାମ କୁଶସ୍ଥଳୀ ଦେଲା ॥ ୧୩୧

ସେ ରାଜ୍ୟେ ବସି ଦିନାକେତେ । ଭୋଗ ଭୁଞ୍ଜିଲା ନାନାମତେ ॥ ୧୩୨

ନିତ୍ୟେ ସେ ବିଷ୍ଣୁଙ୍କୁ ସେବଇ । ତାହାର ଶତ୍ରୁ ନାହିଁ କେହି ॥ ୧୩୩

ତାହାର ଶତେ ପୁତ୍ର ଜାତ । ତାହାଙ୍କ ମଧ୍ୟେ ଜ୍ୟେଷ୍ଠଭ୍ରାତ ॥ ୧୩୪

କକୁଦ୍ମୀ ନାମ ତା'ର ହୋଏ । ଇନ୍ଦ୍ର କମ୍ପଇ ଯା'ର ଭୟେ ॥ ୧୩୫

ରେବତୀ ନାମେ କନ୍ୟା ତା'ର । ସୁନ୍ଦରେ ନାହିଁ ପଟାନ୍ତର ॥ ୧୩୬

ସେ କନ୍ୟା ଘେନି ଅତି ଦୁଃଖେ । ଦିନେ ମିଳିଲେ ବ୍ରହ୍ମଲୋକେ ॥ ୧୩୭

ଭୂମିରେ ନୃପତି କୁମର । ଯେତେ ମିଳିଲେ ତା'କୁ ବର ॥ ୧୩୮

ତା'ଙ୍କୁ ନ ଦେଲା କୁଳ ଶ୍ରେଷ୍ଠେ । ମିଳିଲା ବ୍ରହ୍ମାଙ୍କ ନିକଟେ ॥ ୧୩୯

ସେ ବ୍ରହ୍ମା ଘେନି ମହାଜନ । କରଇ ବିଷ୍ଣୁର କୀର୍ତ୍ତନ ॥ ୧୪୦

କ୍ଷଣେ ରହିଲେ ତା'କୁ ଦେଖି । ସେ ଧାତା କୀର୍ତ୍ତନ ଉପେକ୍ଷି ॥ ୧୪୧

ତକ୍ଷଣେ ଚାହିଁ ତା' ବଦନ । ବୋଲନ୍ତି ମଧୁର ବଚନ ॥ ୧୪୨

କିପାଁ ଅଇଲୁ ବ୍ରହ୍ମଲୋକେ । ଏ କନ୍ୟା ଘେନି ମନଦୁଃଖେ ॥ ୧୪୩

ବ୍ରହ୍ମା ବଚନେ ଦŠଣ୍ତଧାରୀ । ଚରଣେ ନମସ୍କାର କରି ॥ ୧୪୪

ବୋଲଇ ଅତି ଦୁଃଖ ଭରେ । ଏ କନ୍ୟା ଦେବି କେଉଁ ବରେ ॥ ୧୪୫

ଏ କଥା ରାଜା ମୁଖୁଁ ଶୁଣି । ହସି ବୋଲନ୍ତି କୁଶପାଣି ॥ ୧୪୬

ଅଦ୍‌ଭୁତ୍ କଥା ଏ ତୋହର । ଭୂମିରେ ନ ବରିଲୁ ବର ॥ ୧୪୭

ଯା' କଥା ଅଇଲୁ ତୁ କହି । ଭୂମିରେ ତା'ଙ୍କ ବଂଶ ନାହିଁ ॥ ୧୪୮

ବ୍ରହ୍ମାŠଣ୍ତ ମଧ୍ୟେ କାଳ ବଳେ । ଅନେକ ଯୁଗ ବହି ଗଲେ ॥ ୧୪୯

ତୋ' ପୁତ୍ର ନାତି ଯେତେ ଥିଲେ । କାଳର ବଳେ ନାଶ ଗଲେ ॥ ୧୫୦

ତୋ' ଗୋତ୍ର ନାହିଁ ରବି ତଳେ । ଶୁଣ ହେ ଯେତେ ଯୁଗ ଗଲେ ॥ ୧୫୧

ପ୍ରଚଣ୍ତŠ କାଳଲୀଳା ବଳେ । ବିଷ୍ଣୁ ବିହରେ ରବି ତଳେ ॥ ୧୫୨

ସପତ ବିଂଶ ଚତୁର୍ଯୁଗ । ଭୂମିରେ କାଳ କଲା ଭୋଗ ॥ ୧୫୩

ଅଧିକ ତିନିଯୁଗ ଗଲା । କଳିର ଆଗମନ ହେଲା ॥ ୧୫୪

ଦ୍ୱାପର ଯୁଗ ଅବସାନ । ଏବେ ତୁ ଶୁଣ ମୋ' ବଚନ ॥ ୧୫୫

ଭାରା ନିବାରଣ ନିମନ୍ତେ । ବିଷ୍ଣୁ ଜନ୍ମିଲେ ଏ ଜଗତେ ॥ ୧୫୬

ଦେବକୀ-ଗର୍ଭେ ଦେହ ବହି । ନୀଳ-ଧବଳ ରୂପ ହୋଇ ॥ ୧୫୭

ଅନନ୍ତ ବଳଭଦ୍ର ରୂପେ । ଜନ୍ମ ଲଭିଲେ ମୋହ କଳ୍ପେ ॥ ୧୫୮

ଏ କନ୍ୟାରତ୍ନ ତା'ଙ୍କୁ ଦେଇ । ଭବସାଗରୁ ତର ତୁହି ॥ ୧୫୯

ଏମନ୍ତ ବ୍ରହ୍ମା ମୁଖୁଁ ଶୁଣି । ଆନନ୍ଦ ମନେ ନୃପମଣି ॥ ୧୬୦

ତକ୍ଷଣେ ନିଜ ପୁରେ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୬୧

ତାହାର ଯେତେ ଭାଇ ଥିଲେ । ଯକ୍ଷଙ୍କ ଭୟେ ପଳାଇଲେ ॥ ୧୬୨

ସେ କନ୍ୟା ବଳଭଦ୍ରେ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥ ୧୬୩

ତପକରଣେ ଶୁଦ୍ଧମନେ । ମିଳିଲା ବଦରିକାଶ୍ରମେ ॥ ୧୬୪

ଯାହା ବୋଇଲେ ନରହରି । ଭାଷା ପ୍ରବନ୍ଧେ ଗୀତ କରି ॥ ୧୬୫

ସୁଜନେ ଏଣେ ମତି କର । ତରିବ ସଂସାର-ସାଗର ॥ ୧୬୬

ଅନ୍ତେ ପାଇବ ଚକ୍ରଧର । ଏଣେ ବିଶ୍ୱାସ ନିତ୍ୟେ କର ॥ ୧୬୭

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ତୃତୀୟୋଽଧ୍ୟାୟଃ ॥

* * *