ନବମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ହୋ ଅଭିମନ୍ୟୁ ସୁତ । କହିବା ବଂଶାନୁଚରିତ ॥

ସୁଦ୍ୟୁମ୍ନ ଶ୍ରାଦ୍ଧଦେବବଳା । ତପକରଣେ ବନେ ଗଲା ॥

ତପେ ଛାଡ଼ିଲା ନିଜ ତନୁ । ତା' ଶୁଣି ବୈବସ୍ୱତ ମନୁ ॥

ଅପୁତ୍ର-ଭୟେ ସେ ଉଚ୍ଚାଟେ । ମିଳିଲା ଯମୁନାର ତଟେ ॥

ଶତେ ବରଷ ଦେବ ମତେ । ସମାଧି କରି ଦୃଢ଼ ଚିତ୍ତେ ॥

ସନ୍ତତି ଅର୍ଥେ ସୂର୍ଯ୍ୟବଳା । ବିଷ୍ଣୁ ଚରଣେ ପୂଜା କଲା ॥

ଅନେକମତେ ସ୍ତୁତି କରି । ତୋଷିଲା ପ୍ରଭୁ ନରହରି ॥

ପ୍ରସନ୍ନ ହୋଇ ମହାବାହୁ । ବୋଇଲେ ଦଶପୁତ୍ର ହେଉ ॥

ଇକ୍ଷ୍ୱାକୁ ଆଦି ଦଶ ପୁତ୍ରେ । ହୋଇବେ କହି ଅଛି ତୋତେ ॥

ସେ ଦଶପୁତ୍ର ମଧ୍ୟେ ଏକ । ପୃଷଧ୍ର ନାମେ ସୁବିବେକ ॥ ୧୦

ବଶିଷ୍ଠ-ବାକ୍ୟେ ଗୋରୁ ପାଳେ । ରାତ୍ରେ ବୀରାସନେ ନିଶ୍ଚଳେ ॥ ୧୧

ଏମନ୍ତେ ଏକଦିନ ରାତ୍ରେ । ମେଘ-ଅନ୍ଧାର ବୃଷ୍ଟି ପାତେ ॥ ୧୨

ଜନ୍ତୁଙ୍କ ଘୋର ନିଦ୍ରା କାଳେ । ଶାŸର୍ଦ୍ଦୂଳ ମିଳିଲା ଗୋକୁଳେ ॥ ୧୩

ଆଘ୍ରାଣେ ତା'ର ବାସ ପାଇ । ଭୟେ ଉଠିଲେ ସର୍ବ ଗାଈ ॥ ୧୪

ଭ୍ରମନ୍ତି ଇତସ୍ତତ ହୋଇ । ବ୍ୟାଘ୍ର ଧଇଲା ଏକ ଗାଈ ॥ ୧୫

ବେଗେ ଚାପିଲା ନଖ ଦାଢ଼େ । ପୁଣି ଆକର୍ଷି ଅତି ଗାଢ଼େ ॥ ୧୬

ସେ ଗୋରୁ ଭୟେ ରାବ ଦେଲା । ତା' ଶୁଣି ଉଠି ମନୁବାଳା ॥ ୧୭

ତୀକ୍ଷ୍‌ଣ ଖଡ଼ଗ ହସ୍ତେ ଘେନି । ନିବିଡ଼-ଅନ୍ଧାର-ରଜନୀ ॥ ୧୮

କପିଳା ଗୋଷ୍ଠେ ଥିଲା ଶୋଇ । ଅନ୍ଧାରେ କେହି ନ ଜାଣଇ ॥ ୧୯

ଶାŸର୍ଦ୍ଦୂଳ ବୋଲି ତା'ର ଶିର । ଛେଦିଲା ମନୁର କୁମର ॥ ୨୦

ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ତେ । ପଡ଼ି ଛିଡ଼ିଲା କ‰ର୍ଣ୍ଣ ଖଣ୍ତେŠ ॥ ୨୧

ବ୍ୟାଘ୍ରର ଶିରେ ହୋଇ କ୍ଷତ । ପଥେ ବରଷିଲା ରକତ ॥ ୨୨

ପୃଷଧ୍ର ଜାଣେ ବ୍ୟାଘ୍ର ମଲା । ଏମନ୍ତେ ରଜନୀ ପାହିଲା ॥ ୨୩

ବଭ୍ରୁ ମରଣ କଥା ଶୁଣି । ବଶିଷ୍ଠ ତାହା ମନେ ଗୁଣି ॥ ୨୪

ମିଳିଲେ ପୃଷଧ୍ର ସମୀପେ । ତାହାକୁ ଶାପ ଦେଲେ କୋପେ ॥ ୨୫

ତୁ ଯେ ବୋଲାଉ କ୍ଷତ୍ରିଦେହ । ଏବେ ତୁ କର୍ମେ ଶୂଦ୍ର ହୁଅ ॥ ୨୬

ଏମନ୍ତେ ଗୁରୁଶାପ ପାଇ । କପାଳେ କରାଞ୍ଜଳି ଦେଇ ॥ ୨୭

ଗୁରୁଙ୍କ ଶାପ ପରିହାରେ । ଊର୍ଦ୍ଧ୍ୱବଦନେ ତପ କରେ ॥ ୨୮

ବିଷ୍ଣୁର ଚରଣ କମଳେ । ସମାଧି କରି ଯୋଗ ବଳେ ॥ ୨୯

ଆତ୍ମାକୁ ଭାବି ଏକେ ଏକେ । ସକଳ ଭୂତେ ହରି ଦେଖେ ॥ ୩୦

ନିଗ୍ରହ କରି ଇନ୍ଦ୍ରିଗଣେ । ନିଃଶଙ୍କେ ନିବାସ ଅରଣ୍ୟେ ॥ ୩୧

ଯେବା ମିଳଇ ଯେତେବେଳେ । ସେ ଭକ୍ଷ କରେ ସନ୍ଧ୍ୟାକାଳେ ॥ ୩୨

ଶରୀର ଆତ୍ମାର ସଂଯତେ । ଜଡ଼ ବଧିର ଅନ୍ଧମତେ ॥ ୩୩

ଭୂମି କରଇ ପର୍ଯ୍ୟଟନ । ଏମନ୍ତେ ଗଲା କେତେଦିନ ॥ ୩୪

ଯହୁଁ ହୋଇଲା ଗ୍ରୀଷ୍ମକାଳ । ବିପିନେ ଉଠିଲା ଅନଳ ॥ ୩୫

ସେ ଅଗ୍ନି ମଧ୍ୟେ ଦେହ ଦେଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥ ୩୬

ତା' ଦେଖି ତା'ର ସାନଭାଇ । ବିଷୟା ରସେ ନରସଇ ॥ ୩୭

ରାଜ୍ୟ ବିସର୍ଜି ବନ୍ଧୁମେଳେ । ପଶିଲା ଅରଣ୍ୟ ଗହଳେ ॥ ୩୮

ନିରତେ ନାରାୟଣ ପାଦେ । ଭକତି କଲା ଅପ୍ରମାଦେ ॥ ୩୯

ଅନ୍ତେ ପଶିଲା ହରିଦେହେ । କିଶୋର ବୟସେ ବିମୋହେ ॥ ୪୦

କରୂଷ ତହୁଁ ଯେତେ ସୁତ । ରାଜା ହୋଇଲେ ବଳବନ୍ତ ॥ ୪୧

ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକ । ନିରତେ ବିଷ୍ଣୁର ସେବକ ॥ ୪୨

ଉତ୍ତରାପଥେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୪୩

ଧୃଷ୍ଟରୁ ଧାର୍ଷ୍ଟ କ୍ଷତ୍ରି ହୋଏ । ସେ ନ ପଡ଼ିଲେ ମାୟାମୋହେ ॥ ୪୪

ନିରତେ ଜ୍ଞାନଭାବେ ଜାଣି । ପୂଜିଲେ ପ୍ରଭୁ ଚକ୍ରପାଣି ॥ ୪୫

ହରିଭକତି ଭାବଭୋଳେ । ବସିଲେ ସମାଧି ନିଶ୍ଚଳେ ॥ ୪୬

ନୃଗର ପୁତ୍ର ଯେ ସୁମତି । ସୁମତି ପୁତ୍ର ଭୂତଜ୍ୟୋତି ॥ ୪୭

ବସୁ ଯେ ତାହାର ସନ୍ତତି । ସ୍ୱଧର୍ମେ ପାଳଇ ସେ କ୍ଷିତି ॥ ୪୮

ପ୍ରତୀକ ବସୁତହୁଁ ଜାତ । ଓଘବାନ ନାମେ ତା' ସୁତ ॥ ୪୯

ତାହାର କନ୍ୟା ଓଘବତୀ । ସୁଦରଶନ ତା'ର ପତି ॥ ୫୦

ନରିଷ୍ୟନ୍ତର ଯେ ନନ୍ଦନ । ନାମ ତାହାର ଚିତ୍ରସେନ ॥ ୫୧

ଚିତ୍ରସେନର ପୁତ୍ର ଋକ୍ଷ । ତହୁଁ ମୀଢ଼ବାନ ପ୍ରତ୍ୟକ୍ଷ ॥ ୫୨

ମୀତ୍ୱର ପୁତ୍ର ନାମ ପୂ‰ର୍ଣ୍ଣ । ଇନ୍ଦ୍ରସେନ ତା'ର ନନ୍ଦନ ॥ ୫୩

ତାହାଙ୍କ ସୁତ ବୀତିହୋତ୍ର । ତା' ତହୁଁ ସତ୍ୟଶ୍ରବା ଜାତ ॥ ୫୪

ଉରୁଶ୍ରବା ତାହାଙ୍କ ସୁତ । ତା' ତହୁଁ ଜାତ ଦେବଦତ୍ତ ॥ ୫୫

ଅଗ୍ନିବେଶ୍ୟ ତା'ଙ୍କ ସନ୍ତତି । ତା' ତହୁଁ ଅଗ୍ନି ଉତପତ୍ତି ॥ ୫୬

ଅଗ୍ନିବେଶ୍ୟଙ୍କ ଦୁଇ ନାମ । ଯେ ଜାତୁକ‰ର୍ଣ୍ଣ ଯେ କାନୀନ ॥ ୫୭

ଏ ଦୁଇ ନାମେ ମହାଋଷି । ଜଗତ ମଧ୍ୟେ ସଦା ଘୋଷି ॥ ୫୮

ତା' ତହୁଁ ଅଗ୍ନିବେଶ୍ୟାୟନ । ବ୍ରାହ୍ମଣବଂଶ ଉତପନ୍ନ ॥ ୫୯

ନରିଷ୍ୟନ୍ତର ବଂଶମାନ । ସମସ୍ତ ଶୁଣିଲ ରାଜନ ॥ ୬୦

ଦିଷ୍ଟବଂଶର କଥାମାନ । ଏବେ ତୁ ଶୁଣ ହୋ ରାଜନ ॥ ୬୧

ନାଭାଗ ନାମେ ଦିଷ୍ଟସୁତ । କର୍ମେ ସେ ବୈଶ୍ୟଜାତି ପ୍ରାପ୍ତ ॥ ୬୨

ତାହାର ସୁତ ଭଲନ୍ଦନ । ବତ୍ସ›ପ୍ରୀତି ତା'ର ନନ୍ଦନ ॥ ୬୩

ପ୍ରାଂଶୁ ତାହାର ସୁତ ହୋଏ । ଯା ରୂପ କନ୍ଦର୍ପକୁ ମୋହେ ॥ ୬୪

ପ୍ରମତି ନାମେ ତା'ର ସୁତ । ଖନିତ୍ର ତା'ର ବଂଶେ ଜାତ ॥ ୬୫

ଚାକ୍ଷୁଷ ନାମେ ତା'ର ପୁତ୍ର । ବିବିଂଶତି ତାହାର ସୁତ ॥ ୬୬

ତହିଁରୁ ରମ୍ଭ ହେଲା ଜାତ । ଶୁଣ ରାଜନ ପରୀକ୍ଷିତ ॥ ୬୭

ରମ୍ଭର ପୁତ୍ର ଖନୀନେତ୍ର । ପରମ ଧାର୍ମିକ ଯେ ଖ୍ୟାତ ॥ ୬୮

ତାହାର ସୁର କରନ୍ଧମ । ତା' ତହୁଁ ଅବିକ୍ଷିତ ଜନ୍ମ ॥ ୬୯

ମରୁତ୍ତ ତାହାର ସନ୍ତତି । ସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ ॥ ୭୦

ସମ୍ବର୍ତ୍ତ ଅଙ୍ଗିରାର ବଳା । ଯାହାର ଯାଗ କରାଇଲା ॥ ୭୧

ସେ ଯଜ୍ଞେ ସର୍ବ ଦେବେ ଆସି । ନିତ୍ୟେ ଯଜ୍ଞକୁ ପରଶଂସି ॥ ୭୨

ବୋଲନ୍ତି ଯଜ୍ଞପାତ୍ରେ ଚାହିଁ । ଏମନ୍ତ ଦେଖିଲା ତ ନାହିଁ ॥ ୭୩

ହିରଣ୍ୟମୟ ବସ୍ତୁ ଦେଖି । ରସ ଭୋଜନେ ହୋଇ ସୁଖୀ ॥ ୭୪

ଇନ୍ଦ୍ର ମାତିଲେ ସୋମ ଖାଇ । ବିପ୍ରେ ମାତିଲେ ଦାନ ପାଇ ॥ ୭୫

ଯା'ର ସଭାରେ ବିଶ୍ୱଦେବା । ବାୟୁ ସମେତ କଲେ ସେବା ॥ ୭୬

ମରୁତ୍ତ ସୁତ ଦମ ନାମ । ଜଗତ ରୂପ ଦେଖେ ସମ ॥ ୭୭

ରାଜବର୍ଦ୍ଧନ ତା' ନନ୍ଦନ । ତା'ର ସୁଧୃତି ଅନୁପମ ॥ ୭୮

ସୁଧୃତି କୁମର ସୁମତି । ନର ନାମରେ ସେହୁ ଖ୍ୟାତି ॥ ୭୯

କେବଳ ତାହାର ନନ୍ଦନ । ତା'ର କୁମର ବନ୍ଧୁମାନ ॥ ୮୦

ତା'ର କୁମର ବେଗବାନ । ବନ୍ଧୁ ଯେ ତାହାର ନନ୍ଦନ ॥ ୮୧

ତା'ର ତନୁଜ ତୃଣବିନ୍ଦୁ । ତା' ରୂପେ ପଟାନ୍ତର ଇନ୍ଦୁ ॥ ୮୨

ତାହାର ପତ୍ନୀ ଅଳମ୍ଭୁଷା । ଅପ୍ସରାଗଣେ ସେ ପ୍ରଶଂସା ॥ ୮୩

ତା' ଗର୍ଭେ ଇଡ଼ବିଡ଼ା ଜାତ । ବିଶ୍ରବା ମୁନି ଯାର କାନ୍ତ ॥ ୮୪

ବିଶ୍ରବା ଇଡ଼ବିଡ଼ା ଗର୍ଭେ । କୁବେର ଉପୁଜିଲେ ଭାବେ ॥ ୮୫

ସେ ମୁନି ଯୋଗେଶ୍ୱର ବଳା । ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା ॥ ୮୬

ତୃଣବିନ୍ଦୁର ପୁତ୍ରଗଣ । ଏବେ ତାହାଙ୍କ ନାମ ଶୁଣ ॥ ୮୭

ବିଶାଳ ଶୂନ୍ୟବନ୍ଧୁ ଆର । ଧୂମକେତୁ ଆଦି କୁମର ॥ ୮୮

ବୈଶାଳୀ ପୁରୀ ଯେ ନିମାଁଇ । ତା' ତହୁଁ ହେମଚନ୍ଦ୍ର ହୋଇ ॥ ୮୯

ଧୂମ୍ରାକ୍ଷ ନାମେ ତା'ର ସୁତ । ଏବେ ହୋ ଶୁଣ ନରନାଥ ॥ ୯୦

ସଂଯମ ତାହାର ତନୁଜ । ତହୁଁ କୃଶାଶ୍ୱ ଯେ ଦେବଜ ॥ ୯୧

କୃଶାଶ୍ୱ ପୁତ୍ର ସୋମଦତ୍ତ । ତା'ର ମହିମା ଅଦଭୁତ ॥ ୯୨

ଅନେକ ଅଶ୍ୱମେଧ କଲା । ପରମବ୍ରହ୍ମେ ସେ ପଶିଲା ॥ ୯୩

ସୁମତି ସୋମଦତ୍ତ ବଳା । ରୂପେ ବିରାଜେ କାମକଳା ॥ ୯୪

ତା'ର କୁମର ମହାଶୟ । ନାମ ଯାହାର ଜନ୍ମେଜୟ ॥ ୯୫

ବୈଶାଳୀପୁରେ ଏତେ ରାଜା । ସୁଖେ ପାଳିଲେ ଜନପ୍ରଜା ॥ ୯୬

ଯଶ ତାହାଙ୍କ ନିଜ ଧନ । ସକଳ ଗୁଣେ ବିଦ୍ୟମାନ ॥ ୯୭

ଏମନ୍ତେ କହିଲି ମୁଁ ତୋତେ । ଶୁଣ ପରୀକ୍ଷ ଏକଚିତ୍ତେ ॥ ୯୮

ବଂଶାନୁଚରିତ ଏ ବିଧି । ଯା'ର ସ୍ମରଣେ ସର୍ବସିଦ୍ଧି ॥ ୯୯

ଏହା ଯେ ଶୁଣନ୍ତି ଶୁଣାନ୍ତି । ଅପୁତ୍ର ସୁପୁତ୍ର ଲଭନ୍ତି ॥ ୧୦୦

କମଳା ରହେ ତା' ଭୁବନେ । ଯଶ ବଢ଼ଇ ଦିନେ ଦିନେ ॥ ୧୦୧

ଶୁଣ ସୁଜନେ ଏହା ନିତ୍ୟେ । ସଂସାରୁ ତରିବ ଯେମନ୍ତେ ॥ ୧୦୨

ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଦ୍ୱିତୀୟୋଽଧ୍ୟାୟଃ ॥

* * *