ନବମ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁ ସୁତ । କହିବା ବଂଶାନୁଚରିତ ॥ ୧
ସୁଦ୍ୟୁମ୍ନ ଶ୍ରାଦ୍ଧଦେବବଳା । ତପକରଣେ ବନେ ଗଲା ॥ ୨
ତପେ ଛାଡ଼ିଲା ନିଜ ତନୁ । ତା' ଶୁଣି ବୈବସ୍ୱତ ମନୁ ॥ ୩
ଅପୁତ୍ର-ଭୟେ ସେ ଉଚ୍ଚାଟେ । ମିଳିଲା ଯମୁନାର ତଟେ ॥ ୪
ଶତେ ବରଷ ଦେବ ମତେ । ସମାଧି କରି ଦୃଢ଼ ଚିତ୍ତେ ॥ ୫
ସନ୍ତତି ଅର୍ଥେ ସୂର୍ଯ୍ୟବଳା । ବିଷ୍ଣୁ ଚରଣେ ପୂଜା କଲା ॥ ୬
ଅନେକମତେ ସ୍ତୁତି କରି । ତୋଷିଲା ପ୍ରଭୁ ନରହରି ॥ ୭
ପ୍ରସନ୍ନ ହୋଇ ମହାବାହୁ । ବୋଇଲେ ଦଶପୁତ୍ର ହେଉ ॥ ୮
ଇକ୍ଷ୍ୱାକୁ ଆଦି ଦଶ ପୁତ୍ରେ । ହୋଇବେ କହି ଅଛି ତୋତେ ॥ ୯
ସେ ଦଶପୁତ୍ର ମଧ୍ୟେ ଏକ । ପୃଷଧ୍ର ନାମେ ସୁବିବେକ ॥ ୧୦
ବଶିଷ୍ଠ-ବାକ୍ୟେ ଗୋରୁ ପାଳେ । ରାତ୍ରେ ବୀରାସନେ ନିଶ୍ଚଳେ ॥ ୧୧
ଏମନ୍ତେ ଏକଦିନ ରାତ୍ରେ । ମେଘ-ଅନ୍ଧାର ବୃଷ୍ଟି ପାତେ ॥ ୧୨
ଜନ୍ତୁଙ୍କ ଘୋର ନିଦ୍ରା କାଳେ । ଶାର୍ଦ୍ଦୂଳ ମିଳିଲା ଗୋକୁଳେ ॥ ୧୩
ଆଘ୍ରାଣେ ତା'ର ବାସ ପାଇ । ଭୟେ ଉଠିଲେ ସର୍ବ ଗାଈ ॥ ୧୪
ଭ୍ରମନ୍ତି ଇତସ୍ତତ ହୋଇ । ବ୍ୟାଘ୍ର ଧଇଲା ଏକ ଗାଈ ॥ ୧୫
ବେଗେ ଚାପିଲା ନଖ ଦାଢ଼େ । ପୁଣି ଆକର୍ଷି ଅତି ଗାଢ଼େ ॥ ୧୬
ସେ ଗୋରୁ ଭୟେ ରାବ ଦେଲା । ତା' ଶୁଣି ଉଠି ମନୁବାଳା ॥ ୧୭
ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି । ନିବିଡ଼-ଅନ୍ଧାର-ରଜନୀ ॥ ୧୮
କପିଳା ଗୋଷ୍ଠେ ଥିଲା ଶୋଇ । ଅନ୍ଧାରେ କେହି ନ ଜାଣଇ ॥ ୧୯
ଶାର୍ଦ୍ଦୂଳ ବୋଲି ତା'ର ଶିର । ଛେଦିଲା ମନୁର କୁମର ॥ ୨୦
ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ତେ । ପଡ଼ି ଛିଡ଼ିଲା କର୍ଣ୍ଣ ଖଣ୍ତେ ॥ ୨୧
ବ୍ୟାଘ୍ରର ଶିରେ ହୋଇ କ୍ଷତ । ପଥେ ବରଷିଲା ରକତ ॥ ୨୨
ପୃଷଧ୍ର ଜାଣେ ବ୍ୟାଘ୍ର ମଲା । ଏମନ୍ତେ ରଜନୀ ପାହିଲା ॥ ୨୩
ବଭ୍ରୁ ମରଣ କଥା ଶୁଣି । ବଶିଷ୍ଠ ତାହା ମନେ ଗୁଣି ॥ ୨୪
ମିଳିଲେ ପୃଷଧ୍ର ସମୀପେ । ତାହାକୁ ଶାପ ଦେଲେ କୋପେ ॥ ୨୫
ତୁ ଯେ ବୋଲାଉ କ୍ଷତ୍ରିଦେହ । ଏବେ ତୁ କର୍ମେ ଶୂଦ୍ର ହୁଅ ॥ ୨୬
ଏମନ୍ତେ ଗୁରୁଶାପ ପାଇ । କପାଳେ କରାଞ୍ଜଳି ଦେଇ ॥ ୨୭
ଗୁରୁଙ୍କ ଶାପ ପରିହାରେ । ଊର୍ଦ୍ଧ୍ୱବଦନେ ତପ କରେ ॥ ୨୮
ବିଷ୍ଣୁର ଚରଣ କମଳେ । ସମାଧି କରି ଯୋଗ ବଳେ ॥ ୨୯
ଆତ୍ମାକୁ ଭାବି ଏକେ ଏକେ । ସକଳ ଭୂତେ ହରି ଦେଖେ ॥ ୩୦
ନିଗ୍ରହ କରି ଇନ୍ଦ୍ରିଗଣେ । ନିଃଶଙ୍କେ ନିବାସ ଅରଣ୍ୟେ ॥ ୩୧
ଯେବା ମିଳଇ ଯେତେବେଳେ । ସେ ଭକ୍ଷ କରେ ସନ୍ଧ୍ୟାକାଳେ ॥ ୩୨
ଶରୀର ଆତ୍ମାର ସଂଯତେ । ଜଡ଼ ବଧିର ଅନ୍ଧମତେ ॥ ୩୩
ଭୂମି କରଇ ପର୍ଯ୍ୟଟନ । ଏମନ୍ତେ ଗଲା କେତେଦିନ ॥ ୩୪
ଯହୁଁ ହୋଇଲା ଗ୍ରୀଷ୍ମକାଳ । ବିପିନେ ଉଠିଲା ଅନଳ ॥ ୩୫
ସେ ଅଗ୍ନି ମଧ୍ୟେ ଦେହ ଦେଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥ ୩୬
ତା' ଦେଖି ତା'ର ସାନଭାଇ । ବିଷୟା ରସେ ନରସଇ ॥ ୩୭
ରାଜ୍ୟ ବିସର୍ଜି ବନ୍ଧୁମେଳେ । ପଶିଲା ଅରଣ୍ୟ ଗହଳେ ॥ ୩୮
ନିରତେ ନାରାୟଣ ପାଦେ । ଭକତି କଲା ଅପ୍ରମାଦେ ॥ ୩୯
ଅନ୍ତେ ପଶିଲା ହରିଦେହେ । କିଶୋର ବୟସେ ବିମୋହେ ॥ ୪୦
କରୂଷ ତହୁଁ ଯେତେ ସୁତ । ରାଜା ହୋଇଲେ ବଳବନ୍ତ ॥ ୪୧
ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକ । ନିରତେ ବିଷ୍ଣୁର ସେବକ ॥ ୪୨
ଉତ୍ତରାପଥେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୪୩
ଧୃଷ୍ଟରୁ ଧାର୍ଷ୍ଟ କ୍ଷତ୍ରି ହୋଏ । ସେ ନ ପଡ଼ିଲେ ମାୟାମୋହେ ॥ ୪୪
ନିରତେ ଜ୍ଞାନଭାବେ ଜାଣି । ପୂଜିଲେ ପ୍ରଭୁ ଚକ୍ରପାଣି ॥ ୪୫
ହରିଭକତି ଭାବଭୋଳେ । ବସିଲେ ସମାଧି ନିଶ୍ଚଳେ ॥ ୪୬
ନୃଗର ପୁତ୍ର ଯେ ସୁମତି । ସୁମତି ପୁତ୍ର ଭୂତଜ୍ୟୋତି ॥ ୪୭
ବସୁ ଯେ ତାହାର ସନ୍ତତି । ସ୍ୱଧର୍ମେ ପାଳଇ ସେ କ୍ଷିତି ॥ ୪୮
ପ୍ରତୀକ ବସୁତହୁଁ ଜାତ । ଓଘବାନ ନାମେ ତା' ସୁତ ॥ ୪୯
ତାହାର କନ୍ୟା ଓଘବତୀ । ସୁଦରଶନ ତା'ର ପତି ॥ ୫୦
ନରିଷ୍ୟନ୍ତର ଯେ ନନ୍ଦନ । ନାମ ତାହାର ଚିତ୍ରସେନ ॥ ୫୧
ଚିତ୍ରସେନର ପୁତ୍ର ଋକ୍ଷ । ତହୁଁ ମୀଢ଼ବାନ ପ୍ରତ୍ୟକ୍ଷ ॥ ୫୨
ମୀତ୍ୱର ପୁତ୍ର ନାମ ପୂର୍ଣ୍ଣ । ଇନ୍ଦ୍ରସେନ ତା'ର ନନ୍ଦନ ॥ ୫୩
ତାହାଙ୍କ ସୁତ ବୀତିହୋତ୍ର । ତା' ତହୁଁ ସତ୍ୟଶ୍ରବା ଜାତ ॥ ୫୪
ଉରୁଶ୍ରବା ତାହାଙ୍କ ସୁତ । ତା' ତହୁଁ ଜାତ ଦେବଦତ୍ତ ॥ ୫୫
ଅଗ୍ନିବେଶ୍ୟ ତା'ଙ୍କ ସନ୍ତତି । ତା' ତହୁଁ ଅଗ୍ନି ଉତପତ୍ତି ॥ ୫୬
ଅଗ୍ନିବେଶ୍ୟଙ୍କ ଦୁଇ ନାମ । ଯେ ଜାତୁକର୍ଣ୍ଣ ଯେ କାନୀନ ॥ ୫୭
ଏ ଦୁଇ ନାମେ ମହାଋଷି । ଜଗତ ମଧ୍ୟେ ସଦା ଘୋଷି ॥ ୫୮
ତା' ତହୁଁ ଅଗ୍ନିବେଶ୍ୟାୟନ । ବ୍ରାହ୍ମଣବଂଶ ଉତପନ୍ନ ॥ ୫୯
ନରିଷ୍ୟନ୍ତର ବଂଶମାନ । ସମସ୍ତ ଶୁଣିଲ ରାଜନ ॥ ୬୦
ଦିଷ୍ଟବଂଶର କଥାମାନ । ଏବେ ତୁ ଶୁଣ ହୋ ରାଜନ ॥ ୬୧
ନାଭାଗ ନାମେ ଦିଷ୍ଟସୁତ । କର୍ମେ ସେ ବୈଶ୍ୟଜାତି ପ୍ରାପ୍ତ ॥ ୬୨
ତାହାର ସୁତ ଭଲନ୍ଦନ । ବତ୍ସପ୍ରୀତି ତା'ର ନନ୍ଦନ ॥ ୬୩
ପ୍ରାଂଶୁ ତାହାର ସୁତ ହୋଏ । ଯା ରୂପ କନ୍ଦର୍ପକୁ ମୋହେ ॥ ୬୪
ପ୍ରମତି ନାମେ ତା'ର ସୁତ । ଖନିତ୍ର ତା'ର ବଂଶେ ଜାତ ॥ ୬୫
ଚାକ୍ଷୁଷ ନାମେ ତା'ର ପୁତ୍ର । ବିବିଂଶତି ତାହାର ସୁତ ॥ ୬୬
ତହିଁରୁ ରମ୍ଭ ହେଲା ଜାତ । ଶୁଣ ରାଜନ ପରୀକ୍ଷିତ ॥ ୬୭
ରମ୍ଭର ପୁତ୍ର ଖନୀନେତ୍ର । ପରମ ଧାର୍ମିକ ଯେ ଖ୍ୟାତ ॥ ୬୮
ତାହାର ସୁର କରନ୍ଧମ । ତା' ତହୁଁ ଅବିକ୍ଷିତ ଜନ୍ମ ॥ ୬୯
ମରୁତ୍ତ ତାହାର ସନ୍ତତି । ସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ ॥ ୭୦
ସମ୍ବର୍ତ୍ତ ଅଙ୍ଗିରାର ବଳା । ଯାହାର ଯାଗ କରାଇଲା ॥ ୭୧
ସେ ଯଜ୍ଞେ ସର୍ବ ଦେବେ ଆସି । ନିତ୍ୟେ ଯଜ୍ଞକୁ ପରଶଂସି ॥ ୭୨
ବୋଲନ୍ତି ଯଜ୍ଞପାତ୍ରେ ଚାହିଁ । ଏମନ୍ତ ଦେଖିଲା ତ ନାହିଁ ॥ ୭୩
ହିରଣ୍ୟମୟ ବସ୍ତୁ ଦେଖି । ରସ ଭୋଜନେ ହୋଇ ସୁଖୀ ॥ ୭୪
ଇନ୍ଦ୍ର ମାତିଲେ ସୋମ ଖାଇ । ବିପ୍ରେ ମାତିଲେ ଦାନ ପାଇ ॥ ୭୫
ଯା'ର ସଭାରେ ବିଶ୍ୱଦେବା । ବାୟୁ ସମେତ କଲେ ସେବା ॥ ୭୬
ମରୁତ୍ତ ସୁତ ଦମ ନାମ । ଜଗତ ରୂପ ଦେଖେ ସମ ॥ ୭୭
ରାଜବର୍ଦ୍ଧନ ତା' ନନ୍ଦନ । ତା'ର ସୁଧୃତି ଅନୁପମ ॥ ୭୮
ସୁଧୃତି କୁମର ସୁମତି । ନର ନାମରେ ସେହୁ ଖ୍ୟାତି ॥ ୭୯
କେବଳ ତାହାର ନନ୍ଦନ । ତା'ର କୁମର ବନ୍ଧୁମାନ ॥ ୮୦
ତା'ର କୁମର ବେଗବାନ । ବନ୍ଧୁ ଯେ ତାହାର ନନ୍ଦନ ॥ ୮୧
ତା'ର ତନୁଜ ତୃଣବିନ୍ଦୁ । ତା' ରୂପେ ପଟାନ୍ତର ଇନ୍ଦୁ ॥ ୮୨
ତାହାର ପତ୍ନୀ ଅଳମ୍ଭୁଷା । ଅପ୍ସରାଗଣେ ସେ ପ୍ରଶଂସା ॥ ୮୩
ତା' ଗର୍ଭେ ଇଡ଼ବିଡ଼ା ଜାତ । ବିଶ୍ରବା ମୁନି ଯାର କାନ୍ତ ॥ ୮୪
ବିଶ୍ରବା ଇଡ଼ବିଡ଼ା ଗର୍ଭେ । କୁବେର ଉପୁଜିଲେ ଭାବେ ॥ ୮୫
ସେ ମୁନି ଯୋଗେଶ୍ୱର ବଳା । ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା ॥ ୮୬
ତୃଣବିନ୍ଦୁର ପୁତ୍ରଗଣ । ଏବେ ତାହାଙ୍କ ନାମ ଶୁଣ ॥ ୮୭
ବିଶାଳ ଶୂନ୍ୟବନ୍ଧୁ ଆର । ଧୂମକେତୁ ଆଦି କୁମର ॥ ୮୮
ବୈଶାଳୀ ପୁରୀ ଯେ ନିମାଁଇ । ତା' ତହୁଁ ହେମଚନ୍ଦ୍ର ହୋଇ ॥ ୮୯
ଧୂମ୍ରାକ୍ଷ ନାମେ ତା'ର ସୁତ । ଏବେ ହୋ ଶୁଣ ନରନାଥ ॥ ୯୦
ସଂଯମ ତାହାର ତନୁଜ । ତହୁଁ କୃଶାଶ୍ୱ ଯେ ଦେବଜ ॥ ୯୧
କୃଶାଶ୍ୱ ପୁତ୍ର ସୋମଦତ୍ତ । ତା'ର ମହିମା ଅଦଭୁତ ॥ ୯୨
ଅନେକ ଅଶ୍ୱମେଧ କଲା । ପରମବ୍ରହ୍ମେ ସେ ପଶିଲା ॥ ୯୩
ସୁମତି ସୋମଦତ୍ତ ବଳା । ରୂପେ ବିରାଜେ କାମକଳା ॥ ୯୪
ତା'ର କୁମର ମହାଶୟ । ନାମ ଯାହାର ଜନ୍ମେଜୟ ॥ ୯୫
ବୈଶାଳୀପୁରେ ଏତେ ରାଜା । ସୁଖେ ପାଳିଲେ ଜନପ୍ରଜା ॥ ୯୬
ଯଶ ତାହାଙ୍କ ନିଜ ଧନ । ସକଳ ଗୁଣେ ବିଦ୍ୟମାନ ॥ ୯୭
ଏମନ୍ତେ କହିଲି ମୁଁ ତୋତେ । ଶୁଣ ପରୀକ୍ଷ ଏକଚିତ୍ତେ ॥ ୯୮
ବଂଶାନୁଚରିତ ଏ ବିଧି । ଯା'ର ସ୍ମରଣେ ସର୍ବସିଦ୍ଧି ॥ ୯୯
ଏହା ଯେ ଶୁଣନ୍ତି ଶୁଣାନ୍ତି । ଅପୁତ୍ର ସୁପୁତ୍ର ଲଭନ୍ତି ॥ ୧୦୦
କମଳା ରହେ ତା' ଭୁବନେ । ଯଶ ବଢ଼ଇ ଦିନେ ଦିନେ ॥ ୧୦୧
ଶୁଣ ସୁଜନେ ଏହା ନିତ୍ୟେ । ସଂସାରୁ ତରିବ ଯେମନ୍ତେ ॥ ୧୦୨
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱିତୀୟୋଽଧ୍ୟାୟଃ ॥
* * *