ନବମ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ଆନନ୍ଦେ ଅଭିମନ୍ୟୁସୁତ । ଶୁଣିଣ ଗୋବିନ୍ଦ ଚରିତ ॥ ୧
ବ୍ୟାସକୁମର ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୨
ପରୀକ୍ଷିତ ଉବାଚ
ଭୋ ମୁନି ମନ୍ୱନ୍ତର କଥା । କହିଲ ସକଳ ବ୍ୟବସ୍ଥା ॥ ୩
ଯେ ମନ୍ୱନ୍ତରେ ଯେବା ଦେହୀ । ଧର୍ମ ରକ୍ଷଣେ ଭାବଗ୍ରାହୀ ॥ ୪
ଅନନ୍ତ ଯାହାର ମହିମା । କେ ଜାଣିପାରେ ଗୁଣ ସୀମା ॥ ୫
ତୁମ୍ଭେ କହିଲ ମୁନିଗଣୈ । ବିଷ୍ଣୁର ମହିମା ପ୍ରମାଣୈ ॥ ୬
ଦ୍ରବିଡ଼େଶ୍ୱର ସତ୍ୟବ୍ରତ । ସେ ରାଜଋଷି ଦଇବତ ॥ ୭
ଅତୀତ କଳ୍ପାନ୍ତରେ ଥିଲା । ଭାବେ ସେ ବିଷ୍ଣୁଙ୍କୁ ଭେଟିଲା ॥ ୮
ନିତ୍ୟେ ଗୋବିନ୍ଦପାଦ ଧ୍ୟାୟି । ବିଷ୍ଣୁର ତହୁଁ ଶିକ୍ଷା ପାଇ ॥ ୯
ପୁଣି ସେ ସୃଷ୍ଟି ଆଦିକାଳେ । କେମନ୍ତେ ବୈବସ୍ୱତକୁଳେ ॥ ୧୦
ବଇବସ୍ୱତ ମନୁ ହୋଇ । ଜନ୍ମ ଲଭିଲେ ଦେହବହି ॥ ୧୧
ପୁଣି ତାହାର ବୀର୍ଯ୍ୟେ ଜାତ । କେତେ ବା ହୋଇଲେକ ସୁତ ॥ ୧୨
ଇକ୍ଷ୍ୱାକୁ ଆଦି ଯେତେ ସୁତେ । ରାଜା ହୋଇଲେ ଏ ଜଗତେ ॥ ୧୩
ଏଣୁ ଆଦିତ୍ୟକୁଳେ ଯେତେ । କହିବା ବଂଶାନୁଚରିତେ ॥ ୧୪
କାହାର ବଂଶେ କେବା ହୋଇ । ଏ ଭୂମିତଳେ ଦେହ ବହି ॥ ୧୫
ଯେବା ଚରିତ କଲେ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୧୬
ମୋତେ ଏ ସଙ୍କଟୁ ଉଦ୍ଧର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୧୭
ଭୂତ ଭବିଷ୍ୟ ବର୍ତ୍ତମାନେ । ସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ ॥ ୧୮
ଏବେ ଜଗତେ କଲା ଯାହା । କହିବା ମୋତେ ଯେବେ ଦୟା ॥ ୧୯
ସୁତ ଉବାଚ
ଏମନ୍ତେ ଋଷିଗଣ ମଧ୍ୟେ । ଉତ୍ତରାସୁତ ଅନବାଦେ ॥ ୨୦
ଶୁଣି ଆନନ୍ଦେ କୃତକୃତ୍ୟ । କହନ୍ତି ବ୍ୟାସଙ୍କର ସୁତ ॥ ୨୧
ଶୁକ ଉବାଚ
ଶୁଣ ହେ ନୃପ ପରୀକ୍ଷିତ । ଆଦିତ୍ୟ ବଂଶର ଚରିତ ॥ ୨୨
ହରି ମହିମା ଅପ୍ରମିତ । କେବା କଥନେ ସମରଥ ॥ ୨୩
ସଂକ୍ଷେପେ କହିବଇଁ ତୋତେ । ମୁଁ ଯୋଗବଳେ ଜାଣେ ଯେତେ ॥ ୨୪
ଏ ଭୂମି ମଧ୍ୟେ ଦେହ ବହି । ଶତେ ବରଷେ କେବା କହି ॥ ୨୫
ରବିର ବଂଶେ ନୃପ ଯେତେ । ଯେ ଯାହା କଲେ ଏ ଜଗତେ ॥ ୨୬
ଭକତ ଶିଷ୍ୟେ ଏହା କହି । ଏବେ ତୁ ଶୁଣ ମନ ଦେଇ ॥ ୨୭
ଯେବା ଉପୁଜେ ଯା'ର ଅଂଶେ । ବଇବସ୍ୱତ ମନୁବଂଶେ ॥ ୨୮
ଶୁଣ ପାଣ୍ତବ ଚୂଡ଼ାମଣି । ପ୍ରଳୟ କାଳେ ବେଦବାଣୀ ॥ ୨୯
ଯେ ହରି ଅନାଦି କାରଣ । ଜଗତାଆତ୍ମା ନାରାୟଣ ॥ ୩୦
ପୂର୍ବେ ଯେ ସଂସାର ସଂହରି । ଜଳେ ଅନନ୍ତଶଯ୍ୟା କରି ॥ ୩୧
ନିବିଡ଼ ଅନ୍ଧାରେ ଶୋଇଲେ । ତାହାକୁ କେହି ନ ଦେଖିଲେ ॥ ୩୨
ସେ ପୁଣି ପ୍ରଳୟର ଅନ୍ତେ । ଉଦ୍ଭାନେ ଶୋଏ ଅନାୟତ୍ତେ ॥ ୩୩
ତା' ନାଭିକମଳୁ ପ୍ରକାଶ । ହୋଇଲା ହିରଣ୍ମୟକୋଷ ॥ ୩୪
ସୁବର୍ଣ୍ଣମୟ ଦିବ୍ୟରୂପୀ । ଉଠିଲା ମହାଜଳ ବ୍ୟାପୀ ॥ ୩୫
ସେ ପଦ୍ମକୋଷୁଁ ବ୍ରହ୍ମା ଜାତ । ଯା'ର ଶରୀରୁ ଏ ଜଗତ ॥ ୩୬
ଭୂମି ଭିଆଇ ଯୋଗବଳେ । ବସିଲା ସମାଧି ନିଶ୍ଚଳେ ॥ ୩୭
ବ୍ରହ୍ମାର ମନରୁ ବାହାର । ହୋଇଲା ମରୀଚି କୁମର ॥ ୩୮
କଶ୍ୟପ ତା'ର ତହୁଁ ଜାତ । ଯା'ର ମହିମା ଅପ୍ରମିତ ॥ ୩୯
ଦକ୍ଷ ଦୁହିତା ବିଭା କଲା । ତା' ତହୁଁ ସୂର୍ଯ୍ୟ ଉପୁଜିଲା ॥ ୪୦
ସୂର୍ଯ୍ୟର ପତ୍ନୀ ସଜ୍ଞା ନାମ । ଅତି ସୁନ୍ଦର ଅନୁପମ ॥ ୪୧
ତା'ର ଉଦରୁ ଦିବ୍ୟ ତନୁ । ହୋଇଲା ଶ୍ରାଦ୍ଧ ଦେବ ମନୁ ॥ ୪୨
ସେ ପୁଣି ଶ୍ରଦ୍ଧାକନ୍ୟା ଗର୍ଭେ । ଦଶକୁମର କଲା ଭାବେ ॥ ୪୩
ରୂପେ ଶୋଭିତ ଅନୁପମ । ଶୁଣ ହେ ତାହାଙ୍କର ନାମ ॥ ୪୪
ଇକ୍ଷ୍ୱାକୁ ନୃପ ପୁତ୍ରବେନି । ଶର୍ଯ୍ୟାତି ଦିଷ୍ଟ ଧୃଷ୍ଟ ଘେନି ॥ ୪୫
ପୁଣି କରୁଷ ନରିଷ୍ୟନ୍ତ । ପୃଷଧ୍ର ନଭଗ ଉଦିତ ॥ ୪୬
ହୋଇଲେ ପୁଣି କବି ଆଦି । ଏ ରୂପେ ଦଶ ଯେ ପ୍ରସିଦ୍ଧି ॥ ୪୭
ସେ ଶ୍ରାଦ୍ଧଦେବ ପୁତ୍ର ଅର୍ଥେ । ବିଚାରି ବଶିଷ୍ଠ ସଙ୍ଗତେ ॥ ୪୮
ମିତ୍ରାବରୁଣ ଅର୍ଥେ ଇଷ୍ଟି । ଆରମ୍ଭ କଲା ପୁତ୍ର କଷ୍ଟୀ ॥ ୪୯
ଏମନ୍ତେ ତା'ର ଶ୍ରଦ୍ଧା ନାରୀ । ବଶିଷ୍ଠ ସଙ୍ଗତେ ବିଚାରି ॥ ୫୦
ବୋଲଇ ମୁହିଁ ପୟୋବ୍ରତା । ଯେମନ୍ତେ ହୋଇବ ଦୁହିତା ॥ ୫୧
ସେ ଅର୍ଥେ ତୁମ୍ଭେ ଯଜ୍ଞକର । ସେବଇ ଚରଣେ ତୁମ୍ଭର ॥ ୫୨
ତା' ଶୁଣି କୁଶକେତୁବଳା । ବିପ୍ରଙ୍କ ସଙ୍ଗେ ବିଚାରିଲା ॥ ୫୩
ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥ ୫୪
ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥ ୫୫
ରାତ୍ରେ ସେ କନ୍ୟା ରୂପ ଦେଖି । ସେ ମନୁ ଶୟନ ଉପେକ୍ଷି ॥ ୫୬
ବୋଲଇ ବିପ୍ରଙ୍କୁ ଅନାଇଁ । ଏମନ୍ତ ଦେଖିଲାତ ନାହିଁ ॥ ୫୭
ତୁମ୍ଭେ ସକଳେ ବ୍ରହ୍ମବେତ୍ତା । ଏ କର୍ମ ଅସମ୍ଭବ କଥା ॥ ୫୮
ବ୍ରାହ୍ମଣ କର୍ମ ତ ନୁହଁଇ । ଏମନ୍ତ କଲ କିସ ପାଇଁ ॥ ୫୯
ତୁମ୍ଭେ ଯେ ନିଜ ତପୋବଳେ । ଦଗ୍ଧ କଳୁଷ ଏ ଶୟଳେ ॥ ୬୦
ସଙ୍କଳ୍ପ ହୋଇଲା ଅନ୍ୟଥା । ଏ ବଡ଼ ଅସମ୍ଭବ କଥା ॥ ୬୧
ଅଜ୍ଞାନୀ ଜନଙ୍କର ମତ । ମୋର ସଙ୍କଳ୍ପ ବିପରୀତ ॥ ୬୨
ଏମନ୍ତେ ମନୁଙ୍କ ନିକଟେ । ବଶିଷ୍ଠ ମିଳି ଯଜ୍ଞବାଟେ ॥ ୬୩
ହୋତାଙ୍କ ବ୍ୟଭିଚାର ଜାଣି । ମନୁଙ୍କୁ କହନ୍ତି ଯେ ମୁନି ॥ ୬୪
ତୋହର ନିଜ ନାରୀ ବୋଲେ । ଦୁହିତା ଅର୍ଥେ ଯଜ୍ଞ କଲେ ॥ ୬୫
ମୁଁ ଏବେ ସାଧିବି ତୋ' ଅର୍ଥେ । କହିବି ବିଷ୍ଣୁଙ୍କ ଅଗ୍ରତେ ॥ ୬୬
ଯେମନ୍ତେ ଏ କନ୍ୟା ତୋହର । ହୋଏ ପୁରୁଷ କଳେବର ॥ ୬୭
ଏମନ୍ତ କହି ମହାଯତି । ବିଷ୍ଣୁଙ୍କୁ କଲେ ଦିବ୍ୟସ୍ତୁତି ॥ ୬୮
ବଶିଷ୍ଠ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୬୯
ଇଳା କନ୍ୟାକୁ ବିଷ୍ଣୁ ଚାହିଁ । ବୋଇଲେ ପୁତ୍ର ହୁଅ ତୁହି ॥ ୭୦
ତକ୍ଷଣେ ପୁରୁଷ ହୋଇଲା । ସୁଦ୍ୟୁମ୍ନ ତା'ର ନାମ ହେଲା ॥ ୭୧
ନିଜ ଭୁବନେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୭୨
ଦେବଙ୍କ ବଚନ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥ ୭୩
ଶୁଣ ରାଜନ ଶୁଦ୍ଧମନେ । ସେ ମନୁପୁତ୍ର ଏକ ଦିନେ ॥ ୭୪
ମୃଗୟା ଅର୍ଥେ ଘୋର ବନେ । ପଶିଲା ହରଷିତ ମନେ ॥ ୭୫
ଧନୁ କମାଣ ଧରି କରେ । ବସିଲା ଅଶ୍ୱର ଉପରେ ॥ ୭୬
ସେବକବଳ ତା'ର ଯେତେ । ଧାଇଁଲେ ଅଶ୍ୱ-ପୃଷ୍ଠ-ଗତେ ॥ ୭୭
ନାନା ଆୟୁଧ କରେ ଧରି । ପଶୁ ଖୋଜନ୍ତି ବନେ ହେରି ॥ ୭୮
ଗିରି କାନନେ ଲତା କୁଞ୍ଜେ । ଖୋଜି ଅନେକ ବୃକ୍ଷ ପୁଞ୍ଜେ ॥ ୭୯
ମୃଗ ନ ଦେଖି ଘୋରବନେ । ପଶିଲେ ଉତ୍ତର କାନନେ ॥ ୮୦
ମେରୁ ନିକଟେ ଖେଦମନେ । ମିଳିଲେ ସୁକୁମାର ବନେ ॥ ୮୧
ଯେ ବନେ ପ୍ରଭୁ ଶୂଳଧାରୀ । ସଙ୍ଗତେ ଘେନି ନିଜ ନାରୀ ॥ ୮୨
ନିରତେ ପୀଡ଼ିତ ମଦନେ । ଗଉରୀ ସଙ୍ଗତେ ନିର୍ଜନେ ॥ ୮୩
ନିତ୍ୟେ ରମନ୍ତି ସୁଖ ମନେ । ଆନନ୍ଦେ ପୁଷ୍ପିତ କାନନେ ॥ ୮୪
ସେ ବନେ ପଶି ମନୁବଳା । ଅନେକ ମୃଗ ବଧ କଲା ॥ ୮୫
ମୃଗଙ୍କୁ ମାରି ଅବହେଳେ । ଗ୍ରାମକୁ ଆସିବାର ବେଳେ ॥ ୮୬
ଅଶ୍ୱ ସହିତେ ସର୍ବ ଜନେ । ତକ୍ଷଣେ ସୁକୁମାର ବନେ ॥ ୮୭
ସର୍ବେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥ ୮୮
ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେ । ସର୍ବେ ରହିଲେ ମନଦୁଃଖେ ॥ ୮୯
ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତି । ସଲଜ୍ଜେ ଚଳି ନ ପାରନ୍ତି ॥ ୯୦
ଶୁକ ବଦନୁଁ ବାକ୍ୟ ଶୁଣି । ବୋଲେ ପାଣ୍ତବ ଚୂଡ଼ାମଣି ॥ ୯୧
ପରୀକ୍ଷିତ ଉବାଚ
ଭୋ ମୁନି ଅସମ୍ଭବ ବାଣୀ । ହୃଦୟ କମ୍ପିଲା ତ ଶୁଣି ॥ ୯୨
ନାରୀ ହୋଇଲେ କିସ ଅର୍ଥେ । ଏ କଥା କହ ମୋ' ଅଗ୍ରତେ ॥ ୯୩
ସୁଦ୍ୟୁମ୍ନ ମନୁର ନନ୍ଦନ । ପୁରୁଷ କଲେ ଭଗବାନ ॥ ୯୪
ସେ କିପାଁ କାମିନୀ ହୋଇଲା । ଅଶ୍ୱ ସହିତେ ମନୁବଳା ॥ ୯୫
କି ଅବା ବନେ ଥିଲା ଦୋଷ । କିବା ଶଙ୍କର କଲେ ରୋଷ ॥ ୯୬
କିପାଁ ହୋଇଲେ ସ୍ତିରୀ ଦେହ । ସଂଶୟ ଯାଉ ମୁନି କହ ॥ ୯୭
ମୁନି କହନ୍ତି ଅନୁରାଗେ । ଆନନ୍ଦେ ପରୀକ୍ଷିତ ଆଗେ ॥ ୯୮
ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁ ସୁତ । କହିବା ତହିଁର ଚରିତ ॥ ୯୯
ସପତ ଋଷି ଏକମେଳେ । ଶଂକର ଦରଶନ ଛଳେ ॥ ୧୦୦
ଦିଶନ୍ତି ରବି ତେଜ ପ୍ରାୟେ । ସେ ବନେ ଚଳନ୍ତି ନିର୍ଭୟେ ॥ ୧୦୧
ଦୂରୁ ତାହାଙ୍କ ରୂପ ଦେଖି । ଅମ୍ବିକା ଶଙ୍କର ଉପେକ୍ଷି ॥ ୧୦୨
ଶିବ ସଙ୍ଗମ ଛାଡ଼ି ବେଗେ । ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ॥ ୧୦୩
ଲାଜେ ଲୁଚାଇ କଳେବର । ଭୟେ କମ୍ପନ୍ତି ଥରହର ॥ ୧୦୪
ଶଂକର ରହେ ଅଧୋମୁଖେ । ଚାହିଁ ନ ପାରି ମନଦୁଃଖେ ॥ ୧୦୫
ଏମନ୍ତ ମୁନିଗଣ ଚାହିଁ । ପାଦେହେଁ ନପାରନ୍ତି ଯାଇ ॥ ୧୦୬
ତାହାଙ୍କ ଗତି ଦେଖି ଛନ୍ନେ । ତକ୍ଷଣେ ଗଲେ ଅନ୍ୟବନେ ॥ ୧୦୭
ପଥ ଚଳନ୍ତି ମହାଶ୍ରମେ । ମିଳିଲେ ନାରାୟଣାଶ୍ରମେ ॥ ୧୦୮
ସେ କଥା ଜାଣି ଶୂଳପାଣି । ଅମ୍ବିକା ମୁଖ ଚାହିଁ ଭଣି ॥ ୧୦୯
ପୁରୁଷ ହୋଇ ଯେବେ ଏଥେ । ପ୍ରବେଶ ହୋଇବ ବନସ୍ତେ ॥ ୧୧୦
ତକ୍ଷଣେ ହେଉ ସ୍ତିରୀରୂପ । ଏମନ୍ତ ରୁଦ୍ର ଦେଲେ ଶାପ ॥ ୧୧୧
ସେ ଦିନୁ ମହାଦେବ-ରୋଷେ । ସେ ବନେ ପୁରୁଷ ନ ପଶେ ॥ ୧୧୨
ଏବେ ହୋ ଶୁଣ ନର ନାଥ । ମନୁତନୟ ବିପରୀତ ॥ ୧୧୩
ଅଶ୍ୱ ସହିତେ ଘୋରବନେ । ସର୍ବେ ଭ୍ରମନ୍ତି ଦୁଃଖମନେ ॥ ୧୧୪
ସେ ବନୁ ଗଲେ ଅନ୍ୟବନେ । ସୋମ ନନ୍ଦନ ତପସ୍ଥାନେ ॥ ୧୧୫
ଭ୍ରମନ୍ତି ଏକୁ ଆରେ ଧରି । ସ୍ୱଭାବେ ସର୍ବେ ମନୋହରୀ ॥ ୧୧୬
ତାହାଙ୍କ ମଧ୍ୟେ ଇଳା ଦେଖି । ସେ ବୁଧ ତପସ୍ୟା ଉପେକ୍ଷି ॥ ୧୧୭
ମନ କଳ୍ପିଲା କାମଭୋଳେ । ତକ୍ଷଣେ ଧରି ତା'କୁ କୋଳେ ॥ ୧୧୮
ବଳେ ରମିଲା ଚନ୍ଦ୍ରସୁତ । ତକ୍ଷଣେ ହେଲା ପୁତ୍ର ଜାତ ॥ ୧୧୯
ତାହାକୁ ଦେଖି ଗୁଣଧାମ । ଦେଲେ ସେ ପୁରୁରବା ନାମ ॥ ୧୨୦
ଏବେ ହୋ ଶୁଣ କୁରୁବୀର । ସେ ବନେ ମନୁର କୁମର ॥ ୧୨୧
କୁଳ ଆଚାର୍ଯ୍ୟ ସୁମରିଲେ । ତକ୍ଷଣେ ବଶିଷ୍ଠ ମିଳିଲେ ॥ ୧୨୨
ତାହାର ସ୍ତିରୀରୂପ ଚାହିଁ । ସେ ବ୍ରହ୍ମଋଷି ଦୟା ବହି ॥ ୧୨୩
ଯେମନ୍ତେ ପୁରୁଷ ହୋଇବ । ତକ୍ଷଣେ ସେବି ସଦାଶିବ ॥ ୧୨୪
ଅନେକ କଲେ ଦିବ୍ୟସ୍ତୁତି । ଶୁଣି ସନ୍ତୋଷ ପଶୁପତି ॥ ୧୨୫
ଆପଣା ବାକ୍ୟ ସତ୍ୟ ଅର୍ଥେ । ବଶିଷ୍ଠେ ଚାହିଁ ଦୟାଚିତ୍ତେ ॥ ୧୨୬
ବୋଲନ୍ତି ଅମ୍ବିକା ରମଣ । ବଶିଷ୍ଠ ମୋ'ର ବାକ୍ୟ ଶୁଣ ॥ ୧୨୭
ଏ ଯେ ତୋହର ଗୋତ୍ରେ ଜାତ । ସ୍ୱଭାବେ ଶ୍ରାଦ୍ଧଦେବ ସୁତ ॥ ୧୨୮
ମାସେ ଏ ହୋଇବ କାମିନୀ । ପୂର୍ବେ ବିଷ୍ଣୁର ବାକ୍ୟ ଘେନି ॥ ୧୨୯
ମାସେ ଏ ପୁରୁଷ ହୋଇବ । ଜୀବନ୍ତେ ଯେତେକାଳ ଥିବ ॥ ୧୩୦
ଏମନ୍ତ ତାକୁ ଦେଇ ବର । ତକ୍ଷଣେ ଗଲେ ଶୂଳଧର ॥ ୧୩୧
ଏମନ୍ତେ ଯେତେ କାଳ ଥିଲା । ମାସକେ ପୁରୁଷ ଅବଳା ॥ ୧୩୨
ରାଜ୍ୟ ସେ କଲା ଏହିମତେ । ନିଗମବାଣୀ ଅନୁମତେ ॥ ୧୩୩
ତାହାର ରାଜ୍ୟେ ପ୍ରଜାଜନେ । ବଞ୍ଚନ୍ତି ଦୁଃଖସୁଖ ମନେ ॥ ୧୩୪
ତା'ର ହୋଇଲେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥ ୧୩୫
ଗୟ ଉତ୍କଳ ପୁତ୍ରବେନି । ବିମଳ ନାମେ ହୋଏ ତିନି ॥ ୧୩୬
ଦକ୍ଷିଣ ପଥେ ତିନି ରାଜା । ଧର୍ମେ ପାଳନ୍ତି ଜନପ୍ରଜା ॥ ୧୩୭
ଏମନ୍ତେ କେତେକାଳ ଗଲା । ସୁଦ୍ୟୁମ୍ନ ମନେ ବିଚାରିଲା ॥ ୧୩୮
ପୁରୁରବାକୁ ରାଜା କରି । ଛାଡ଼ିଲା ପ୍ରତିଷ୍ଠାନ ପୁରୀ ॥ ୧୩୯
ତପସାଧନେ ବନେ ଗଲା । ସେ ବନେ ଶରୀର ଛାଡ଼ିଲା ॥ ୧୪୦
ଚନ୍ଦ୍ରବଂଶର ଆଦ୍ୟପୀଢ଼ । ସୁଜନେ ମନ କର ଦୃଢ଼ ॥ ୧୪୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୪୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପ୍ରଥମୋଽଧ୍ୟାୟଃ ॥
* * *