ନବମ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ଆନନ୍ଦେ ଅଭିମନ୍ୟୁସୁତ । ଶୁଣିଣ ଗୋବିନ୍ଦ ଚରିତ ॥

ବ୍ୟାସକୁମର ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥

ପରୀକ୍ଷିତ ଉବାଚ

ଭୋ ମୁନି ମନ୍ୱନ୍ତର କଥା । କ‌ହିଲ ସକଳ ବ୍ୟବସ୍ଥା ॥

ଯେ ମନ୍ୱନ୍ତରେ ଯେବା ଦେହୀ । ଧର୍ମ ରକ୍ଷଣେ ଭାବଗ୍ରାହୀ ॥

ଅନନ୍ତ ଯାହାର ମହିମା । କେ ଜାଣିପାରେ ଗୁଣ ସୀମା ॥

ତୁମ୍ଭେ କ‌ହିଲ ମୁନିଗଣୈ । ବିଷ୍ଣୁର ମହିମା ପ୍ରମାଣୈ ॥

ଦ୍ରବିଡ଼େଶ୍ୱର ସତ୍ୟବ୍ରତ । ସେ ରାଜ‌ଋଷି ଦଇବତ ॥

ଅତୀତ କଳ୍ପାନ୍ତରେ ଥିଲା । ଭାବେ ସେ ବିଷ୍ଣୁଙ୍କୁ ଭେଟିଲା ॥

ନିତ୍ୟେ ଗୋବିନ୍ଦପାଦ ଧ୍ୟାୟି । ବିଷ୍ଣୁର ତ‌ହୁଁ ଶିକ୍ଷା ପାଇ ॥

ପୁଣି ସେ ସୃଷ୍ଟି ଆଦିକାଳେ । କେମନ୍ତେ ବୈବସ୍ୱତକୁଳେ ॥ ୧୦

ବଇବସ୍ୱତ ମନୁ ହୋଇ । ଜନ୍ମ ଲଭିଲେ ଦେହବ‌ହି ॥ ୧୧

ପୁଣି ତାହାର ବୀର୍ଯ୍ୟେ ଜାତ । କେତେ ବା ହୋଇଲେକ ସୁତ ॥ ୧୨

ଇକ୍ଷ୍ୱାକୁ ଆଦି ଯେତେ ସୁତେ । ରାଜା ହୋଇଲେ ଏ ଜଗତେ ॥ ୧୩

ଏଣୁ ଆଦିତ୍ୟକୁଳେ ଯେତେ । କ‌ହିବା ବଂଶାନୁଚରିତେ ॥ ୧୪

କାହାର ବଂଶେ କେବା ହୋଇ । ଏ ଭୂମିତଳେ ଦେହ ବ‌ହି ॥ ୧୫

ଯେବା ଚରିତ କଲେ ଯେତେ । ଭୋ ମୁନି କ‌ହ ମୋ ଅଗ୍ରତେ ॥ ୧୬

ମୋତେ ଏ ସଙ୍କଟୁ ଉଦ୍ଧର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୧୭

ଭୂତ ଭବିଷ୍ୟ ବର୍ତ୍ତମାନେ । ସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ ॥ ୧୮

ଏବେ ଜଗତେ କଲା ଯାହା । କ‌ହିବା ମୋତେ ଯେବେ ଦୟା ॥ ୧୯

ସୁତ ଉବାଚ

ଏମନ୍ତେ ଋଷିଗଣ ମଧ୍ୟେ । ଉତ୍ତରାସୁତ ଅନବାଦେ ॥ ୨୦

ଶୁଣି ଆନନ୍ଦେ କୃତକୃତ୍ୟ । କ‌ହ‌ନ୍ତି ବ୍ୟାସଙ୍କର ସୁତ ॥ ୨୧

ଶୁକ ଉବାଚ

ଶୁଣ ହେ ନୃପ ପରୀକ୍ଷିତ । ଆଦିତ୍ୟ ବଂଶର ଚରିତ ॥ ୨୨

ହରି ମହିମା ଅପ୍ରମିତ । କେବା କଥନେ ସମରଥ ॥ ୨୩

ସଂକ୍ଷେପେ କ‌ହିବଇଁ ତୋତେ । ମୁଁ ଯୋଗବଳେ ଜାଣେ ଯେତେ ॥ ୨୪

ଏ ଭୂମି ମଧ୍ୟେ ଦେହ ବ‌ହି । ଶତେ ବରଷେ କେବା କ‌ହି ॥ ୨୫

ରବିର ବଂଶେ ନୃପ ଯେତେ । ଯେ ଯାହା କଲେ ଏ ଜଗତେ ॥ ୨୬

ଭକତ ଶିଷ୍ୟେ ଏହା କ‌ହି । ଏବେ ତୁ ଶୁଣ ମନ ଦେଇ ॥ ୨୭

ଯେବା ଉପୁଜେ ଯା'ର ଅଂଶେ । ବଇବସ୍ୱତ ମନୁବଂଶେ ॥ ୨୮

ଶୁଣ ପାଣ୍ତବ ଚୂଡ଼ାମଣି । ପ୍ରଳୟ କାଳେ ବେଦବାଣୀ ॥ ୨୯

ଯେ ହରି ଅନାଦି କାରଣ । ଜଗତାଆତ୍ମା ନାରାୟଣ ॥ ୩୦

ପୂର୍ବେ ଯେ ସଂସାର ସଂହରି । ଜଳେ ଅନନ୍ତଶ‌ଯ୍ୟା କରି ॥ ୩୧

ନିବିଡ଼ ଅନ୍ଧାରେ ଶୋଇଲେ । ତାହାକୁ କେହି ନ ଦେଖିଲେ ॥ ୩୨

ସେ ପୁଣି ପ୍ରଳୟର ଅନ୍ତେ । ଉଦ୍ଭାନେ ଶୋଏ ଅନାୟତ୍ତେ ॥ ୩୩

ତା' ନାଭିକମଳୁ ପ୍ରକାଶ । ହୋଇଲା ହିରଣ୍ମୟକୋଷ ॥ ୩୪

ସୁବ‰ର୍ଣ୍ଣମୟ ଦିବ୍ୟରୂପୀ । ଉଠିଲା ମହାଜଳ ବ୍ୟାପୀ ॥ ୩୫

ସେ ପଦ୍ମକୋଷୁଁ ବ୍ରହ୍ମା ଜାତ । ଯା'ର ଶରୀରୁ ଏ ଜଗତ ॥ ୩୬

ଭୂମି ଭିଆଇ ଯୋଗବଳେ । ବସିଲା ସମାଧି ନିଶ୍ଚଳେ ॥ ୩୭

ବ୍ରହ୍ମାର ମନରୁ ବାହାର । ହୋଇଲା ମରୀଚି କୁମର ॥ ୩୮

କଶ୍ୟପ ତା'ର ତହୁଁ ଜାତ । ଯା'ର ମହିମା ଅପ୍ରମିତ ॥ ୩୯

ଦକ୍ଷ ଦୁହିତା ବିଭା କଲା । ତା' ତହୁଁ ସୂର୍ଯ୍ୟ ଉପୁଜିଲା ॥ ୪୦

ସୂର୍ଯ୍ୟର ପତ୍ନୀ ସଜ୍ଞା ନାମ । ଅତି ସୁନ୍ଦର ଅନୁପମ ॥ ୪୧

ତା'ର ଉଦରୁ ଦିବ୍ୟ ତନୁ । ହୋଇଲା ଶ୍ରାଦ୍ଧ ଦେବ ମନୁ ॥ ୪୨

ସେ ପୁଣି ଶ୍ରଦ୍ଧାକନ୍ୟା ଗର୍ଭେ । ଦଶକୁମର କଲା ଭାବେ ॥ ୪୩

ରୂପେ ଶୋଭିତ ଅନୁପମ । ଶୁଣ ହେ ତାହାଙ୍କର ନାମ ॥ ୪୪

ଇକ୍ଷ୍ୱାକୁ ନୃପ ପୁତ୍ରବେନି । ଶର୍ଯ୍ୟାତି ଦିଷ୍ଟ ଧୃଷ୍ଟ ଘେନି ॥ ୪୫

ପୁଣି କରୁଷ ନରିଷ୍ୟନ୍ତ । ପୃଷଧ୍ର ନଭଗ ଉଦିତ ॥ ୪୬

ହୋଇଲେ ପୁଣି କବି ଆଦି । ଏ ରୂପେ ଦଶ ଯେ ପ୍ରସିଦ୍ଧି ॥ ୪୭

ସେ ଶ୍ରାଦ୍ଧଦେବ ପୁତ୍ର ଅର୍ଥେ । ବିଚାରି ବଶିଷ୍ଠ ସଙ୍ଗତେ ॥ ୪୮

ମିତ୍ରାବରୁଣ ଅର୍ଥେ ଇଷ୍ଟି । ଆରମ୍ଭ କଲା ପୁତ୍ର କଷ୍ଟୀ ॥ ୪୯

ଏମନ୍ତେ ତା'ର ଶ୍ରଦ୍ଧା ନାରୀ । ବଶିଷ୍ଠ ସଙ୍ଗତେ ବିଚାରି ॥ ୫୦

ବୋଲଇ ମୁହିଁ ପୟୋବ୍ରତା । ଯେମନ୍ତେ ହୋଇବ ଦୁହିତା ॥ ୫୧

ସେ ଅର୍ଥେ ତୁମ୍ଭେ ଯଜ୍ଞକର । ସେବଇ ଚରଣେ ତୁମ୍ଭର ॥ ୫୨

ତା' ଶୁଣି କୁଶକେତୁବଳା । ବିପ୍ରଙ୍କ ସଙ୍ଗେ ବିଚାରିଲା ॥ ୫୩

ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥ ୫୪

ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥ ୫୫

ରାତ୍ରେ ସେ କନ୍ୟା ରୂପ ଦେଖି । ସେ ମନୁ ଶୟନ ଉପେକ୍ଷି ॥ ୫୬

ବୋଲଇ ବିପ୍ରଙ୍କୁ ଅନାଇଁ । ଏମନ୍ତ ଦେଖିଲାତ ନାହିଁ ॥ ୫୭

ତୁମ୍ଭେ ସକଳେ ବ୍ରହ୍ମବେତ୍ତା । ଏ କର୍ମ ଅସମ୍ଭବ କଥା ॥ ୫୮

ବ୍ରାହ୍ମଣ କର୍ମ ତ ନୁହଁଇ । ଏମନ୍ତ କଲ କିସ ପାଇଁ ॥ ୫୯

ତୁମ୍ଭେ ଯେ ନିଜ ତପୋବଳେ । ଦଗ୍ଧ କଳୁଷ ଏ ଶୟଳେ ॥ ୬୦

ସଙ୍କଳ୍ପ ହୋଇଲା ଅନ୍ୟଥା । ଏ ବଡ଼ ଅସମ୍ଭବ କଥା ॥ ୬୧

ଅଜ୍ଞାନୀ ଜନଙ୍କର ମତ । ମୋର ସଙ୍କଳ୍ପ ବିପରୀତ ॥ ୬୨

ଏମନ୍ତେ ମନୁଙ୍କ ନିକଟେ । ବଶିଷ୍ଠ ମିଳି ଯଜ୍ଞବାଟେ ॥ ୬୩

ହୋତାଙ୍କ ବ୍ୟଭିଚାର ଜାଣି । ମନୁଙ୍କୁ କହନ୍ତି ଯେ ମୁନି ॥ ୬୪

ତୋହର ନିଜ ନାରୀ ବୋଲେ । ଦୁହିତା ଅର୍ଥେ ଯଜ୍ଞ କଲେ ॥ ୬୫

ମୁଁ ଏବେ ସାଧିବି ତୋ' ଅର୍ଥେ । କହିବି ବିଷ୍ଣୁଙ୍କ ଅଗ୍ରତେ ॥ ୬୬

ଯେମନ୍ତେ ଏ କନ୍ୟା ତୋହର । ହୋଏ ପୁରୁଷ କଳେବର ॥ ୬୭

ଏମନ୍ତ କହି ମହାଯତି । ବିଷ୍ଣୁଙ୍କୁ କଲେ ଦିବ୍ୟସ୍ତୁତି ॥ ୬୮

ବଶିଷ୍ଠ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୬୯

ଇଳା କନ୍ୟାକୁ ବିଷ୍ଣୁ ଚାହିଁ । ବୋଇଲେ ପୁତ୍ର ହୁଅ ତୁହି ॥ ୭୦

ତକ୍ଷଣେ ପୁରୁଷ ହୋଇଲା । ସୁଦ୍ୟୁମ୍ନ ତା'ର ନାମ ହେଲା ॥ ୭୧

ନିଜ ଭୁବନେ ଗଲେ ହରି । ଏବେ ହୋ ଶୁଣ ଦଣ୍ତŠଧାରୀ ॥ ୭୨

ଦେବଙ୍କ ବଚନ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥ ୭୩

ଶୁଣ ରାଜନ ଶୁଦ୍ଧମନେ । ସେ ମନୁପୁତ୍ର ଏକ ଦିନେ ॥ ୭୪

ମୃଗୟା ଅର୍ଥେ ଘୋର ବନେ । ପଶିଲା ହରଷିତ ମନେ ॥ ୭୫

ଧନୁ କମାଣ ଧରି କରେ । ବସିଲା ଅଶ୍ୱର ଉପରେ ॥ ୭୬

ସେବକବଳ ତା'ର ଯେତେ । ଧାଇଁଲେ ଅଶ୍ୱ-ପୃଷ୍ଠ-ଗତେ ॥ ୭୭

ନାନା ଆୟୁଧ କରେ ଧରି । ପଶୁ ଖୋଜନ୍ତି ବନେ ହେରି ॥ ୭୮

ଗିରି କାନନେ ଲତା କୁଞ୍ଜେ । ଖୋଜି ଅନେକ ବୃକ୍ଷ ପୁଞ୍ଜେ ॥ ୭୯

ମୃଗ ନ ଦେଖି ଘୋରବନେ । ପଶିଲେ ଉତ୍ତର କାନନେ ॥ ୮୦

ମେରୁ ନିକଟେ ଖେଦମନେ । ମିଳିଲେ ସୁକୁମାର ବନେ ॥ ୮୧

ଯେ ବନେ ପ୍ରଭୁ ଶୂଳଧାରୀ । ସଙ୍ଗତେ ଘେନି ନିଜ ନାରୀ ॥ ୮୨

ନିରତେ ପୀଡ଼ିତ ମଦନେ । ଗଉରୀ ସଙ୍ଗତେ ନିର୍ଜନେ ॥ ୮୩

ନିତ୍ୟେ ରମନ୍ତି ସୁଖ ମନେ । ଆନନ୍ଦେ ପୁଷ୍ପିତ କାନନେ ॥ ୮୪

ସେ ବନେ ପଶି ମନୁବଳା । ଅନେକ ମୃଗ ବଧ କଲା ॥ ୮୫

ମୃଗଙ୍କୁ ମାରି ଅବହେଳେ । ଗ୍ରାମକୁ ଆସିବାର ବେଳେ ॥ ୮୬

ଅଶ୍ୱ ସହିତେ ସର୍ବ ଜନେ । ତକ୍ଷଣେ ସୁକୁମାର ବନେ ॥ ୮୭

ସର୍ବେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥ ୮୮

ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେ । ସର୍ବେ ରହିଲେ ମନଦୁଃଖେ ॥ ୮୯

ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତି । ସଲଜ୍ଜେ ଚଳି ନ ପାରନ୍ତି ॥ ୯୦

ଶୁକ ବଦନୁଁ ବାକ୍ୟ ଶୁଣି । ବୋଲେ ପାଣ୍ତŠବ ଚୂଡ଼ାମଣି ॥ ୯୧

ପରୀକ୍ଷିତ ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ହୃଦୟ କମ୍ପିଲା ତ ଶୁଣି ॥ ୯୨

ନାରୀ ହୋଇଲେ କିସ ଅର୍ଥେ । ଏ କଥା କହ ମୋ' ଅଗ୍ରତେ ॥ ୯୩

ସୁଦ୍ୟୁମ୍ନ ମନୁର ନନ୍ଦନ । ପୁରୁଷ କଲେ ଭଗବାନ ॥ ୯୪

ସେ କିପାଁ କାମିନୀ ହୋଇଲା । ଅଶ୍ୱ ସହିତେ ମନୁବଳା ॥ ୯୫

କି ଅବା ବନେ ଥିଲା ଦୋଷ । କିବା ଶଙ୍କର କଲେ ରୋଷ ॥ ୯୬

କିପାଁ ହୋଇଲେ ସ୍ତିରୀ ଦେହ । ସଂଶୟ ଯାଉ ମୁନି କହ ॥ ୯୭

ମୁନି କହନ୍ତି ଅନୁରାଗେ । ଆନନ୍ଦେ ପରୀକ୍ଷିତ ଆଗେ ॥ ୯୮

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁ ସୁତ । କହିବା ତହିଁର ଚରିତ ॥ ୯୯

ସପତ ଋଷି ଏକମେଳେ । ଶଂକର ଦରଶନ ଛଳେ ॥ ୧୦୦

ଦିଶନ୍ତି ରବି ତେଜ ପ୍ରାୟେ । ସେ ବନେ ଚଳନ୍ତି ନିର୍ଭୟେ ॥ ୧୦୧

ଦୂରୁ ତାହାଙ୍କ ରୂପ ଦେଖି । ଅମ୍ବିକା ଶଙ୍କର ଉପେକ୍ଷି ॥ ୧୦୨

ଶିବ ସଙ୍ଗମ ଛାଡ଼ି ବେଗେ । ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ॥ ୧୦୩

ଲାଜେ ଲୁଚାଇ କଳେବର । ଭୟେ କମ୍ପନ୍ତି ଥରହର ॥ ୧୦୪

ଶଂକର ରହେ ଅଧୋମୁଖେ । ଚାହିଁ ନ ପାରି ମନଦୁଃଖେ ॥ ୧୦୫

ଏମନ୍ତ ମୁନିଗଣ ଚାହିଁ । ପାଦେହେଁ ନପାରନ୍ତି ଯାଇ ॥ ୧୦୬

ତାହାଙ୍କ ଗତି ଦେଖି ଛନ୍ନେ । ତକ୍ଷଣେ ଗଲେ ଅନ୍ୟବନେ ॥ ୧୦୭

ପଥ ଚଳନ୍ତି ମହାଶ୍ରମେ । ମିଳିଲେ ନାରାୟଣାଶ୍ରମେ ॥ ୧୦୮

ସେ କଥା ଜାଣି ଶୂଳପାଣି । ଅମ୍ବିକା ମୁଖ ଚାହିଁ ଭଣି ॥ ୧୦୯

ପୁରୁଷ ହୋଇ ଯେବେ ଏଥେ । ପ୍ରବେଶ ହୋଇବ ବନସ୍ତେ ॥ ୧୧୦

ତକ୍ଷଣେ ହେଉ ସ୍ତିରୀରୂପ । ଏମନ୍ତ ରୁଦ୍ର ଦେଲେ ଶାପ ॥ ୧୧୧

ସେ ଦିନୁ ମହାଦେବ-ରୋଷେ । ସେ ବନେ ପୁରୁଷ ନ ପଶେ ॥ ୧୧୨

ଏବେ ହୋ ଶୁଣ ନର ନାଥ । ମନୁତନୟ ବିପରୀତ ॥ ୧୧୩

ଅଶ୍ୱ ସହିତେ ଘୋରବନେ । ସର୍ବେ ଭ୍ରମନ୍ତି ଦୁଃଖମନେ ॥ ୧୧୪

ସେ ବନୁ ଗଲେ ଅନ୍ୟବନେ । ସୋମ ନନ୍ଦନ ତପସ୍ଥାନେ ॥ ୧୧୫

ଭ୍ରମନ୍ତି ଏକୁ ଆରେ ଧରି । ସ୍ୱଭାବେ ସର୍ବେ ମନୋହରୀ ॥ ୧୧୬

ତାହାଙ୍କ ମଧ୍ୟେ ଇଳା ଦେଖି । ସେ ବୁଧ ତପସ୍ୟା ଉପେକ୍ଷି ॥ ୧୧୭

ମନ କଳ୍ପିଲା କାମଭୋଳେ । ତକ୍ଷଣେ ଧରି ତା'କୁ କୋଳେ ॥ ୧୧୮

ବଳେ ରମିଲା ଚନ୍ଦ୍ରସୁତ । ତକ୍ଷଣେ ହେଲା ପୁତ୍ର ଜାତ ॥ ୧୧୯

ତାହାକୁ ଦେଖି ଗୁଣଧାମ । ଦେଲେ ସେ ପୁରୁରବା ନାମ ॥ ୧୨୦

ଏବେ ହୋ ଶୁଣ କୁରୁବୀର । ସେ ବନେ ମନୁର କୁମର ॥ ୧୨୧

କୁଳ ଆଚାର୍ଯ୍ୟ ସୁମରିଲେ । ତକ୍ଷଣେ ବଶିଷ୍ଠ ମିଳିଲେ ॥ ୧୨୨

ତାହାର ସ୍ତିରୀରୂପ ଚାହିଁ । ସେ ବ୍ରହ୍ମଋଷି ଦୟା ବହି ॥ ୧୨୩

ଯେମନ୍ତେ ପୁରୁଷ ହୋଇବ । ତକ୍ଷଣେ ସେବି ସଦାଶିବ ॥ ୧୨୪

ଅନେକ କଲେ ଦିବ୍ୟସ୍ତୁତି । ଶୁଣି ସନ୍ତୋଷ ପଶୁପତି ॥ ୧୨୫

ଆପଣା ବାକ୍ୟ ସତ୍ୟ ଅର୍ଥେ । ବଶିଷ୍ଠେ ଚାହିଁ ଦୟାଚିତ୍ତେ ॥ ୧୨୬

ବୋଲନ୍ତି ଅମ୍ବିକା ରମଣ । ବଶିଷ୍ଠ ମୋ'ର ବାକ୍ୟ ଶୁଣ ॥ ୧୨୭

ଏ ଯେ ତୋହର ଗୋତ୍ରେ ଜାତ । ସ୍ୱଭାବେ ଶ୍ରାଦ୍ଧଦେବ ସୁତ ॥ ୧୨୮

ମାସେ ଏ ହୋଇବ କାମିନୀ । ପୂର୍ବେ ବିଷ୍ଣୁର ବାକ୍ୟ ଘେନି ॥ ୧୨୯

ମାସେ ଏ ପୁରୁଷ ହୋଇବ । ଜୀବନ୍ତେ ଯେତେକାଳ ଥିବ ॥ ୧୩୦

ଏମନ୍ତ ତାକୁ ଦେଇ ବର । ତକ୍ଷଣେ ଗଲେ ଶୂଳଧର ॥ ୧୩୧

ଏମନ୍ତେ ଯେତେ କାଳ ଥିଲା । ମାସକେ ପୁରୁଷ ଅବଳା ॥ ୧୩୨

ରାଜ୍ୟ ସେ କଲା ଏହିମତେ । ନିଗମବାଣୀ ଅନୁମତେ ॥ ୧୩୩

ତାହାର ରାଜ୍ୟେ ପ୍ରଜାଜନେ । ବଞ୍ଚନ୍ତି ଦୁଃଖସୁଖ ମନେ ॥ ୧୩୪

ତା'ର ହୋଇଲେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥ ୧୩୫

ଗୟ ଉତ୍କଳ ପୁତ୍ରବେନି । ବିମଳ ନାମେ ହୋଏ ତିନି ॥ ୧୩୬

ଦକ୍ଷିଣ ପଥେ ତିନି ରାଜା । ଧର୍ମେ ପାଳନ୍ତି ଜନପ୍ରଜା ॥ ୧୩୭

ଏମନ୍ତେ କେତେକାଳ ଗଲା । ସୁଦ୍ୟୁମ୍ନ ମନେ ବିଚାରିଲା ॥ ୧୩୮

ପୁରୁରବାକୁ ରାଜା କରି । ଛାଡ଼ିଲା ପ୍ରତିଷ୍ଠାନ ପୁରୀ ॥ ୧୩୯

ତପସାଧନେ ବନେ ଗଲା । ସେ ବନେ ଶରୀର ଛାଡ଼ିଲା ॥ ୧୪୦

ଚନ୍ଦ୍ରବଂଶର ଆଦ୍ୟପୀଢ଼ । ସୁଜନେ ମନ କର ଦୃଢ଼ ॥ ୧୪୧

ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୪୨

ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥ ୧୪୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ପ୍ରଥମୋଽଧ୍ୟାୟଃ ॥

* * *