ଅଷ୍ଟମ ସ୍କନ୍ଧ
ତ୍ରୟୋବିଂଶ ଅଧ୍ୟାୟ
ଚିନ୍ତି ଶ୍ରୀକୃଷ୍ଣ-ପଦାମ୍ୱୁଜ । କହନ୍ତି ବ୍ୟାସଙ୍କ ତନୁଜ ॥ ୧
ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁ ବଳା । ଏମନ୍ତ ଈଶ୍ୱରର ଲୀଳା ॥ ୨
ମାୟାକଳ୍ପିତ ଏ ସଂସାରେ । ମତ୍ସ୍ୟାଦି ନାନା ଅବତାରେ ॥ ୩
ଧର୍ମକୁ ପାଳେ ଯୁଗେ ଯୁଗେ । ସାଧୁଙ୍କୁ ରଖେ ଅନୁରାଗେ ॥ ୪
ଦୁଷ୍ଟ ନିବାରି ସନ୍ଥ ପାଳେ । ରୂପ ପ୍ରକାଶେ ଯଥାକାଳେ ॥ ୫
ତା ରୂପ କେ କରିବ ଅନ୍ତ । ସ୍ୱଭାବେ ମହିମା ଅନନ୍ତ ॥ ୬
ଏମନ୍ତ ଶୁକମୁଖୁଁ ଶୁଣି । ଆନନ୍ଦମନେ ନୃପମଣି ॥ ୭
ବୋଲେ ଚରଣେ କର ଦେଇ । ଭୋ ମୁନି ନିସ୍ତରିଲି ମୁହିଁ ॥ ୮
ପରୀକ୍ଷିତ ଉବାଚ
ବୋଲ ଯେ ମୀନ ଅବତାର । ହୋଇଲେ ଜଗତ ଈଶ୍ୱର ॥ ୯
ନିନ୍ଦିତ ଜଳଚର ରୂପେ । ଦେହ ବହିଲେ କେଉଁ କଳ୍ପେ ॥ ୧୦
କେବଣ କାର୍ଯ୍ୟେ କିସ ଅର୍ଥେ । ପ୍ରସନ୍ନେ କହ ମୋ ଅଗ୍ରତେ ॥ ୧୧
ତାର ଚରିତ ପାପହର । ଅଶେଷ ପ୍ରାଣୀ ସୁଖଘର ॥ ୧୨
ଅନାଦି ପ୍ରଭୁ ନାରାୟଣ । ମାୟାର ପରମ କାରଣ ॥ ୧୩
ସୁତ କହନ୍ତି ମୁନିମଧ୍ୟେ । ଅତି ଆନନ୍ଦ ଗଦଗଦେ ॥ ୧୪
ସୂତ ଉବାଚ
ଶୁଣ ସକଳ ମୁନିଗଣେ । ଶୁକ ପରୀକ୍ଷେ ଯା ବଖାଣେ ॥ ୧୫
ଏମନ୍ତେ ରାଜାବାକ୍ୟ ଶୁଣି । ପରମାନନ୍ଦ ଶୁକମୁନି ॥ ୧୬
ଅତି ହରଷେ ଗଦଗଦେ । କହନ୍ତି ପରମ ଆନନ୍ଦେ ॥ ୧୭
ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁସୁତ । କହିବା ବିଷ୍ଣୁର ଚରିତ ॥ ୧୮
ଅନାଦି ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୧୯
ଯେ ପ୍ରଭୁ ଜଗତ ଈଶ୍ୱର । ବ୍ରହ୍ମାଣ୍ତ ଯାର ଖେଳଘର ॥ ୨୦
ସୃଜଇ ପାଳଇ ସଂହରେ । ସଂସାରେ ନାନାରୂପ ଧରେ ॥ ୨୧
ଧର୍ମ ସ୍ଥାପନେ ଦେହ ଧରି । ଅଧର୍ମ ସମୂହ ନିବାରି ॥ ୨୨
ଅସାଧୁକୂଳ ସଂହାରିଣ । ସାଧୁଙ୍କୁ ରଖେ ନାରାୟଣ ॥ ୨୩
ଶୁଣ ତୁ ଯେବା ଅର୍ଥେ ହରି । ଇଚ୍ଛାରେ ମୀନରୂପ ଧରି ॥ ୨୪
ବ୍ରହ୍ମା ଯେ ସୃଷ୍ଟି-ଅନ୍ତଃକାଳେ । ବେଦପୁସ୍ତକ ଥୋଇ କୂଳେ ॥ ୨୫
ଜଳେ ପଶିଲେ ସନ୍ଧ୍ୟା କରି । ସେ ବେଦ ହୟଗ୍ରୀବ ହରି ॥ ୨୬
ଅଗାଧ-ଜଳେ ପଶିଗଲା । ବିଧାତା ବିଷ୍ଣୁଙ୍କୁ ଚିନ୍ତିଲା ॥ ୨୭
ଦାନବ ଦୁଷ୍ଟମତି ଜାଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୨୮
ଶଫରୀ ରୂପକୁ ଧଇଲେ । ସେ ମହାଜଳରେ ପଶିଲେ ॥ ୨୯
ଯେମନ୍ତେ ମାଇଲେ ଅସୁର । ବେଦ ଉଦ୍ଧରି ଚକ୍ରଧର ॥ ୩୦
ପ୍ରବେଶ ବ୍ରହ୍ମାର ରଜନୀ । କଳ୍ପର ନାମ ଦୈନନ୍ଦିନୀ ॥ ୩୧
ଏମନ୍ତେ ପ୍ରଳୟ ନିକଟେ । ରାଜାଏ ଥିଲା ସିନ୍ଧୁତଟେ ॥ ୩୨
ତାହାର ନାମ ସତ୍ୟବ୍ରତ । ଅଶେଷ ଗୁଣରେ ଭୂଷିତ ॥ ୩୩
ସ୍ୱଭାବେ ବିଷ୍ଣୁ-ପରାୟଣ । ତପ ସାଧନେ ଦୃଢ଼ମନ ॥ ୩୪
ତପ ସାଧଇ ସିନ୍ଧୁତୀରେ । ଜଳ ଭକ୍ଷଣେ ଦିନ ହରେ ॥ ୩୫
ସେ ତପ ସାଧି କଳ୍ପଅନ୍ତେ । ମନୁ ହୋଇବ ଭବିଷ୍ୟତେ ॥ ୩୬
ଆଦିତ୍ୟ ବୀର୍ଯ୍ୟେ ଜନ୍ମ ହୋଇ । ସେ ଶ୍ରାଦ୍ଧଦେବ ନାମ ବହି ॥ ୩୭
ମନୁ ହୋଇବ ଏ ଜଗତେ । ହରି ସ୍ଥାପିବେ ତୋଷଚିତ୍ତେ ॥ ୩୮
ଏବେ ହୋ ଶୁଣ ନରପତି । ସେ ସତ୍ୟବ୍ରତ ରାଜା କୀର୍ତ୍ତି ॥ ୩୯
ସେ ସତ୍ୟବ୍ରତ ଏକକାଳେ । ମିଳିଲା କୃତମାଳା କୂଳେ ॥ ୪୦
ସେ ନଦୀଜଳେ ସ୍ନାନକରି । ଗୋବିନ୍ଦ ନାମ ଚିତ୍ତେ ସ୍ମରି ॥ ୪୧
ସ୍ନାହାନ ସାରି ସନ୍ଧ୍ୟା ଅର୍ଥେ । ଜଳଅଞ୍ଜଳି କଲା ହସ୍ତେ ॥ ୪୨
ତକ୍ଷଣେ ପ୍ରଭୁ ନରହରି । ମାୟାରେ ମୀନରୂପ ଧରି ॥ ୪୩
ପଶିଲେ ଜଳାଞ୍ଜଳି ମଧ୍ୟ । ଶଫରୀରୂପେ ଆଦିକନ୍ଦ ॥ ୪୪
ସେ ସତ୍ୟବ୍ରତ ତା ଦେଖିଲା । ଜଳଅଞ୍ଜଳି ପକାଇଲା ॥ ୪୫
ରାଜାର ହସ୍ତୁ ପଡ଼ି ଜଳେ । ସେ ମୀନ ଡ଼ାକିଲା ବିକଳେ ॥ ୪୬
ମହାକାରୁଣ୍ୟ ହେ ରାଜନ । ମୁଁ ଦୁଃଖୀ ତୁ ଦୀନପାଳନ ॥ ୪୭
ଜଳେ ଯେ ପକାଇଲୁ ମୋତେ । ମୋ ଜ୍ଞାତି ରିପୁ ଏ ସମସ୍ତେ ॥ ୪୮
ମୋତେ ଗିଳିବେ ବୋଲି ଡ଼ରେ । ପଶିଲି ତୋର ଅଞ୍ଜୁଳିରେ ॥ ୪୯
ମୋତେ ଗିଳିବେ ଏହିକ୍ଷଣି । ମୋ ପ୍ରାଣ ରଖ ନୃପମଣି ॥ ୫୦
ପ୍ରାଣୀ ଜୀବନ ରକ୍ଷା କଲେ । ଆପଣେ ରକ୍ଷା ପାଇ ଭଲେ ॥ ୫୧
ଏବେ ମୁଁ ତୋହର ଶରଣ । ପଶିଲି ରଖ ମୋର ପ୍ରାଣ ॥ ୫୨
ଏମନ୍ତ ଶଫରୀ ବଚନେ । ସେ ରାଜା ଶୁଣି ଅବଧାନେ ॥ ୫୩
ଜଳଅଞ୍ଜଳି କରେ ଧରି । ମୀନକୁ ଜଳରୁ ଉଦ୍ଧରି ॥ ୫୪
ଜନ୍ତୁ ଜୀବନେ ଦୟା କରି । ଥୋଇଲା କମଣ୍ତଳେ ଭରି ॥ ୫୫
ଜଳେ ତର୍ପଣ ବେଗେ ସାରି । ଗୃହେ ମିଳିଲେ ଦଣ୍ତଧାରୀ ॥ ୫୬
ସେ ମୀନ କମଣ୍ତଳ-ଜଳେ । ରହି ନ ପାରି ରାତ୍ରକାଳେ ॥ ୫୭
ବିକଳେ କରଇ ରୋଦନ । ମୋ ପ୍ରାଣ ରଖ ହେ ରାଜନ ॥ ୫୮
ଚଳି ନ ପାରେ କମଣ୍ତଳେ । ବେଗେ ତୁ ଥୁଅ ଅନ୍ୟଜଳେ ॥ ୫୯
ଏମନ୍ତ ଶଫରୀ ବଚନ । ଶୁଣି ସଂଭ୍ରମେ ସେ ରାଜନ ॥ ୬୦
ସେ ମୀନ କମଣ୍ତଳୁ ଫେଇ । କଳସ ଜଳ ମଧ୍ୟେ ଥୋଇ ॥ ୬୧
ଏମନ୍ତେ ରଜନୀ ପାହିଲା । ପୁଣି ସେ ମୀନ ଡ଼ାକଦେଲା ॥ ୬୨
ବୋଲଇ ଶୁଣ ଦଣ୍ତଧର । କଳସୁ ମୋ ପ୍ରାଣ ଉଦ୍ଧର ॥ ୬୩
ମୋ ଦେହ କଳସେ ନ ଚଳେ । ବେଦେ ତୁ ଥୁଅ ଅନ୍ୟ ଜଳେ ॥ ୬୪
ଯେ ଜଳେ ଆନନ୍ଦେ ବିହରି । ଅଳପ ଜଳେ ପ୍ରାଣହାରି ॥ ୬୫
ତକ୍ଷଣେ କଳସୁଁ ଉଦ୍ଧରି । କୂପେ ଥୋଇଲା ଦଣ୍ତଧାରୀ ॥ ୬୬
ମୁହୂର୍ତ୍ତେ କୂପ ମଧ୍ୟେ ରହି । ବିସ୍ତାର କଲା ତାର ଦେହୀ ॥ ୬୭
କୂପେ ସେ ଡ଼ାକଇ ବିକଳେ । ହେ ନୃପ ଥୁଅ ଅନ୍ୟଜଳେ ॥ ୬୮
କୂପେ ମୁଁ ନ ପାରଇ ରହି । ମୋର ଜୀବନ ରଖ ତୁହି ॥ ୬୯
ଶଫରୀ ବାଦ୍ୟେ ନୃପମଣି । କୂପୁଁ ଉଦ୍ଧରି ବେଗେ ଆଣି ॥ ୭୦
ତକ୍ଷଣେ ଖାତଜଳେ ଥୋଇ । ଖାତେ ପୂରିଲା ତାର ଦେହୀ ॥ ୭୧
ଡ଼ାକଇ ଜୀବନ ବିକଳେ । ଭୋ ନୃପ ରଖ ଅନ୍ୟଜଳେ ॥ ୭୨
ଏମନ୍ତେ ଖାତୁଁ ନେଇ ଧୀରେ । ବେଗେ ଥୋଇଲା ସରୋବରେ ॥ ୭୩
ଦିବସେ ସରୋବରେ ରହି । ଜଳେ ନ ଚଳେ ତାର ଦେହୀ ॥ ୭୪
ପୁଣି ଡ଼ାକଇ ଭୟଙ୍କରେ । ଭୋ ନୃପ ଥୁଅ ଅନ୍ୟ ନୀରେ ॥ ୭୫
ତକ୍ଷଣେ ତଡ଼ାଗୁଁ ଉଦ୍ଧରି । ହ୍ରଦେ ରଖିଲା ଦଣ୍ତଧାରୀ ॥ ୭୬
ସେ ମୀନ ଦଣ୍ତେ ହ୍ରଦେ ରହେ । ତହିଁ ବଢ଼ିଲା ମହାକାୟେ ॥ ୭୭
ପୁଣି ଡାକିଲା ଘୋରନାଦେ । ରାଜନ ରହି ନୋହେ ହ୍ରଦେ ॥ ୭୮
ତା ଶୁଣି ହ୍ରଦୁଁ ତୋଳି ବଳେ । କ୍ଷେପିଲା ସମୁଦ୍ରର ଜଳେ ॥ ୭୯
ସେ ମୀନ ପଡ଼ି ସିନ୍ଧୁଜଳେ । ଡାକିଲା ଜୀବନ ବିକଳେ ॥ ୮୦
ଭୋ ନୃପ ରଖ ମୋର ପ୍ରାଣ । ତୋର ମୁଁ ପଶିଛି ଶରଣ ॥ ୮୧
ଶରଣ ଜନ ଉପେକ୍ଷିଲେ । କେ ତାକୁ ପ୍ରଶଂସଇ ଭଲେ ॥ ୮୨
ଏ ଜଳେ ଜୀବଛନ୍ତି ଯେତେ । ବଳେ ଭକ୍ଷିବେ ଏବେ ମୋତେ ॥ ୮୩
ଏମନ୍ତ ମୀନ ମୁଖୁଁ ଶୁଣି । ମନେ ବିଚାରେ ନୃପମଣି ॥ ୮୪
ଏ କି ଅଦ୍ଭୁତ କର୍ମ ମୁହିଁ । ଜଗତେ ଦେଖିଲିତ ନାହିଁ ॥ ୮୫
କେଉଁ ଦେବତା ମାୟାବଳେ । ମୋତେ ଛଳଇ ମୀନଛଳେ ॥ ୮୬
କି ବୁଦ୍ଧି କରିବଇଁ ମୁହିଁ । ଭାଳଇ ମୀନ ମୁଖ ଚାହିଁ ॥ ୮୭
ବିଷ୍ଣୁର ମାୟାରେ ମୋହିତ । ଦଣ୍ତେ ରହିଲା ସ୍ତମ୍ଭୀଭୂତ ॥ ୮୮
ପୁଣି କ୍ଷଣକେ ନୃପବର । କପୋଳେ ଦେଇ ବେନିକର ॥ ୮୯
ବୋଲଇ ମୀନମୁଖ ଚାହିଁ । ମୋହର ଧର୍ମ ରଖ ତୁହି ॥ ୯୦
କେଉଁ ଦେବତା ଆସି ଛଳେ । ମୋତେ ମୋହିଲୁ ମାୟାବଳେ ॥ ୯୧
ଏ ତୋର ବିଶ୍ୱରୂପ ଦେହ । ମାୟା ନ କରି ସତ୍ୟ କହ ॥ ୯୨
ଏମନ୍ତ ଜଳଚର-ଦେହୀ । ଜଗତେ ଦେଖିଲା ତ ନାହିଁ ॥ ୯୩
ଭୋ ମୀନ ତୋହର ଶରୀରେ । ଶତେ-ଯୋଜନ-ହ୍ରଦ ପୂରେ ॥ ୯୪
ନିଶ୍ଚେ ଜାଣିଲି ତୋତେ ଆଜ । ତୁ ନାରାୟଣ ଦେବରାଜ ॥ ୯୫
ଅନାଦି ପ୍ରଭୁ ନିରଞ୍ଜନ । ଅବ୍ୟକ୍ତ-ରୂପ ଭଗବାନ ॥ ୯୬
ପ୍ରାଣୀଙ୍କ ନିସ୍ତାରଣ ଅର୍ଥେ । ମୀନ ଶରୀର ଏ ଜଗତେ ॥ ୯୭
ସ୍ଥିତି-ପାଳନ ସଂହାରଣ । ତୁ ନାଥ ପରମକାରଣ ॥ ୯୮
ନମସ୍ତେ ଜଳଚର-ଦେହୀ । ଭୋ ନାଥ କର ମୋତେ ତ୍ରାହି ॥ ୯୯
ତୋର ମାୟାରେ ଭ୍ରମ ହୋନ୍ତି । ହର ବିରଞ୍ଚି ସୁରପତି ॥ ୧୦୦
ତୁ ନାଥ ଜନ ଉପକାରେ । ନାନା ଶରୀର ଏ ସଂସାରେ ॥ ୧୦୧
ତୋ ଅବତାର ଭକ୍ତହିତେ । ଧର୍ମ-ସ୍ଥାପନ ଶୁଭ ଅର୍ଥେ ॥ ୧୦୨
କି କାର୍ଯ୍ୟେ ମୀନ ଅବତାର । କହ ହେ କମଳାର ବର ॥ ୧୦୩
ଏମନ୍ତ ରାଜ ବାକ୍ୟ ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥ ୧୦୪
ଭଗବାନ ଉବାଚ
ଶୁଣ ରାଜନ ସତ୍ୟବ୍ରତ । ତୁ ଯେଣୁ ମୋହର ଭକତ ॥ ୧୦୫
ଯେ କାର୍ଯ୍ୟେ ମୀନରୂପ ମୋର । କହୁଛି ଶୁଣ ନୃପବର ॥ ୧୦୬
ତେଣୁ ଅଇଲି ତୋତେ କହି । ଅଦ୍ଭୁତ ମୀନରୂପ ହୋଇ ॥ ୧୦୭
ମାୟାବୀ ପ୍ରଚଣ୍ତ ଦାନବ । ନାମ ଯାହାର ହୟଗ୍ରୀବ ॥ ୧୦୮
ବ୍ରହ୍ମାର ବେଦ ହରି ବଳେ । ବେଗେ ପଶିଲା ମହାଜଳେ ॥ ୧୦୯
ପ୍ରଳୟ ଜଳେ ମୁଁ ବିହରି । ସେ ବେଦ ଉଦ୍ଧାରଣ କରି ॥ ୧୧୦
ରଖିବି ସଂସାରର ବୀଜ । ହରିବି ହୟଗ୍ରୀବ ତେଜ ॥ ୧୧୧
ତୁ ଏବେ ରହ ମୋ ବଚନେ । ଆଜହୁଁ ଗଣି ସାତଦିନେ ॥ ୧୧୨
ପ୍ରଳୟ ଜଳେ ତିନିପୁର । ନାଶିବ ଶୁଣ ନୃପବର ॥ ୧୧୩
ଅଠରଖଣ୍ତ ମେଘ ମିଳି । ସ୍ଫୁରିବ ପ୍ରଚଣ୍ତେ ବିଜୁଳି ॥ ୧୧୪
ବହିଣ ଅଣଚାଶ ବାତ । ଆକାଶେ ବିଜୁଳି ପୂରିତ ॥ ୧୧୫
ଗଭୀରନାଦେ ମେଘମାଳ । ପ୍ରଚଣ୍ତେ ବରଷିବେ ଜଳ ॥ ୧୧୬
କ୍ଷଣକେ ସିନ୍ଧୁ ଉଛୁଳିବ । ଉଲ୍ଲୋଳ ଗଗନେ ମିଳିବ ॥ ୧୧୭
ସପତଋଷିଙ୍କ ମଣ୍ତଳେ । ଜଳଧି ଲାଗିବ ଉଲ୍ଲୋଳେ ॥ ୧୧୮
ବ୍ରହ୍ମାର ରଜନୀ ହୋଇବ । ଏ ତିନିପୁର ନାଶଯିବ ॥ ୧୧୯
ତୁ ଏବେ ମୋର ବୋଲ କର । ଔଷଧି ବୀଜ ସଙ୍ଗେ ଧର ॥ ୧୨୦
ତୋର କୁଟୁମ୍ବଛନ୍ତି ଯେତେ । ସକଳ ଘେନିଣ ସଙ୍ଗତେ ॥ ୧୨୧
ଆଜୁହଁ ସପତ ଦିବସେ । ନାବ ମିଳିବ ଆସି ପାଶେ ॥ ୧୨୨
ଯେ ନାବ ସମୁଦ୍ରର କୂଳେ । ତୋତେ ମିଳିବ ସନ୍ଧ୍ୟାକାଳେ ॥ ୧୨୩
ତୁ ତହିଁ ବସି ସର୍ବ ଘେନି । ତରିବୁ ବ୍ରହ୍ମାର ରଜନୀ ॥ ୧୨୪
ଆଗତକଳ୍ପ ପରିଯନ୍ତେ । ତୁ ଥିବୁ ଋଷିଙ୍କ ସଙ୍ଗତେ ॥ ୧୨୫
ସେ ନାବ ମୋର ଶୃଙ୍ଗେ ବାନ୍ଧି । ମୁହିଁ ବିହରିବି ଜଳଧି ॥ ୧୨୬
ବ୍ରହ୍ମା ରଜନୀକାଳ ଯେତେ । ସେ ନାବେ ଥିବୁ ତୁ ନିଶ୍ଚିନ୍ତେ ॥ ୧୨୭
ସପତଋଷି ସଙ୍ଗେ ଘେନି । ବଞ୍ଚିବୁ ବ୍ରହ୍ମାର ରଜନୀ ॥ ୧୨୮
ସେ ମହାଜଳେ ଯେବେ ନାବ । ପ୍ରଳୟ ପବନେ କମ୍ପିବ ॥ ୧୨୯
ତହିଁକି ନ କରିବୁ ଭୟ । କହଇ ଶୁଣ ମହାରାୟ ॥ ୧୩୦
ମୋହର ଶୃଙ୍ଗେ ସେ ନିଶ୍ଚଳେ । ବନ୍ଧନେ ଥିବ ଯୋଗବଳେ ॥ ୧୩୧
ପରମବ୍ରହ୍ମ ମୋ ମହିମା । ଜାଣି ନ ପାରେ ହରବ୍ରହ୍ମା ॥ ୧୩୨
ମୋ ଅନୁଗ୍ରହେ ମୋତେ ଜାଣି । ସଙ୍କଟୁ ତର ନୃପମଣି ॥ ୧୩୩
ଏମନ୍ତ କହି ଚକ୍ରଧର । ତକ୍ଷଣେ ହୋଇଲେ ଅନ୍ତର ॥ ୧୩୪
ଗୋବିନ୍ଦ ଆଜ୍ଞା ଘେନି ଶିରେ । ରାଜା ମିଳିଲେ ସିନ୍ଧୁତୀରେ ॥ ୧୩୫
ଘେନାଇ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ॥ ୧୩୬
ସମୁଦ୍ରତୀରେ କୁଶ ପାଡ଼ି । କପୋଳେ ବେନିକର ଯୋଡ଼ି ॥ ୧୩୭
ମୀନରୂପକୁ ଧ୍ୟାନ କରି । କୃଷ୍ଣଚରଣ ମନେ ଧରି ॥ ୧୩୮
ସମୁଦ୍ରତୀରେ ସେ ରହିଲା । ଏମନ୍ତେ ସାତଦିନ ଗଲା ॥ ୧୩୯
ରାତ୍ରହୁଁ ମେଘ ସଙ୍ଗେ ମିଳି । ପ୍ରଚଣ୍ତେ ପ୍ରକାଶେ ବିଜୁଳି ॥ ୧୪୦
ବହେ ପବନ ଅଣଚାଶ । ଶବଦେ କମ୍ପେ ଦଶଦିଶ ॥ ୧୪୧
ଘୋର ଶବଦେ ଜଳରାଶି । ହସ୍ତୀ-ଶୁଣ୍ଢ ପ୍ରାୟେ ବରଷି ॥ ୧୪୨
ସମୁଦ୍ର ଉଛୁଳିଲା ବେଗେ । ଘୋର-ପ୍ରଚଣ୍ତ-ବାତ ଯୋଗେ ॥ ୧୪୩
ଗୋବିନ୍ଦ ଆଜ୍ଞା ପରମାଣେ । ନାବ ମିଳିଲା ତତକ୍ଷଣ ॥ ୧୪୪
ଋଷିଏ ଶୂନ୍ୟମାଗୁଁ ଆସି । ରାଜା ସହିତେ ନାବେ ବସି ॥ ୧୪୫
ଦେଖିଲେ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ॥ ୧୪୬
ସେ ନାବେ ରାଜା ସଙ୍ଗେ ବସି । ମୁନିଏ ରାଜାକୁ ପ୍ରଶଂସି ॥ ୧୪୭
ବୋଲନ୍ତି ତୁମ୍ଭେ ଭାଗ୍ୟବନ୍ତ । ସଙ୍କଟୁ ରଖିଲୁ ଆମ୍ଭନ୍ତ ॥ ୧୪୮
ଏବେ ଆମ୍ଭର ବୋଲକର । ଏ ନାବେ ବିଷ୍ଣୁଙ୍କୁ ସୁମର ॥ ୧୪୯
ତୋହର ଭାବେ ସେ ମାଧବ । ଆମ୍ଭଙ୍କୁ ସଙ୍କଟୁ ତାରିବ ॥ ୧୫୦
ଏମନ୍ତେ ଋଷିଙ୍କ ବଚନେ । ରାଜା ବସିଲା ବିଷ୍ଣୁଧ୍ୟାନେ ॥ ୧୫୧
ତକ୍ଷଣେ ପ୍ରଭୁ ନରହରି । ମିଳିଲେ ମୀନରୂପ ଧରି ॥ ୧୫୨
ଏକଇ ଶୃଙ୍ଗ ଶିରେ ସାଜେ । ରୂପେ ସୂବର୍ଣ୍ଣତେଜ ଗଞ୍ଜେ ॥ ୧୫୩
ମେରୁର ପ୍ରାୟେ ଅତିଦମ୍ଭ । ନିୟୁତଯୋଜନ ତା ଲମ୍ବ ॥ ୧୫୪
ସେ ଶୃଙ୍ଗେ ନାବ ବାନ୍ଧି ବଳେ । ସେ ରାଜା ବସିଲା ନିଶ୍ଚଳେ ॥ ୧୫୫
ସେ ନାବେ ମୁନିଙ୍କ ସଙ୍ଗତେ । କୃଷ୍ଣଙ୍କୁ ଧ୍ୟାନ କଲା ଚିତ୍ତେ ॥ ୧୫୬
ମହାପ୍ରଳୟେ ନାବେ ବସି । ଗୋବିନ୍ଦ-ବଚନେ ବିଶ୍ୱାସି ॥ ୧୫୭
ଆକୁଳେ ଶିରେ କର ଦେଇ । ବୋଲଇ ରଖ ଭାବଗ୍ରାହୀ ॥ ୧୫୮
ଏ ଘୋର-ସଙ୍କଟ ତରଣେ । ଶରଣ ଗଲୁ ତୋ ଚରଣେ ॥ ୧୫୯
କପୋଳେ ଦେଇ ବେନିକର । ଗୋବିନ୍ଦ ଚିନ୍ତେ ନୃପବର ॥ ୧୬୦
ସପତଋଷିଙ୍କ ବଚନେ । ନିଶ୍ଚଳେ ବସି ଯୋଗଧ୍ୟାନେ ॥ ୧୬୧
ମନ-ବଚନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୧୬୨
ଅନ୍ତରେ ମନ ସ୍ଥିର କଲା । ସୁମରି ଗୋବିନ୍ଦର ଲୀଳା ॥ ୧୬୩
ଆନନ୍ଦ ମନେ ସତ୍ୟବ୍ରତ । ସ୍ତୁବଇ ଯୋଡ଼ି ବେନିହସ୍ତ ॥ ୧୬୪
ରାଜା ଉବାଚ
ଭୋ ନାଥ ସଙ୍କଟ ତାରଣ । ତୋ ପାଦେ ପଶିଲି ଶରଣ ॥ ୧୬୫
ଅଶେଷ ବ୍ରହ୍ମାଣ୍ତ-ଠାକୁର । ଏ ଘୋର-ସଙ୍କଟୁ ଉଦ୍ଧର ॥ ୧୬୬
ଅନାଦି ଅବିଦ୍ୟାର ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୧୬୭
ଅଶେଷ-ବ୍ରହ୍ମାଣ୍ତ-କାରଣ । ତୋ ପାଦେ ରଖ ନାରାୟଣ ॥ ୧୬୮
ଯାବତ ତୋ ପାଦ ନ ଚିନ୍ତେ । ତାବତ ସୁଖୀ କେ ଜଗତେ ॥ ୧୬୯
ତୁ ନାଥ ତାପତ୍ରୟୁଁ ତାରୁ । ଅଶେଷ ଗୁରୁଙ୍କର ଗୁରୁ ॥ ୧୭୦
ଅଜ୍ଞାନୀଜନ ଏ ଜଗତେ । ବନ୍ଧନ କର୍ମର ଆୟତ୍ତେ ॥ ୧୭୧
ସୁଖର ଲୋଭେ ଦୁଃଖେ ପଡ଼େ । ଯାବତ ଭକ୍ତିମାର୍ଗ ହୁଡ଼େ ॥ ୧୭୨
ତାବତ ସୁଖ ନାହିଁ ତାର । ଲଭଇ ଦୁଃଖ ମହାଘୋର ॥ ୧୭୩
ଯାବତ ନ ଜାଣଇ ତୋତେ । ତାବତ ଭ୍ରମଇଁ ଜଗତେ ॥ ୧୭୪
ତୋହର ମାୟା ଏ ସଂସାର । ଦୁର୍ଗମ ଘୋର ଅନ୍ଧକାର ॥ ୧୭୫
ତୋର ଭଜନ ରବିତ୍ରାସ । ଆତ୍ମାର ତମ କରେ ନାଶ ॥ ୧୭୬
ତୁମ୍ଭ ପ୍ରସାଦାୟତ ଲେଶ । ଯେ ଗୁରୁଦେବେ ଅପ୍ରକାଶ ॥ ୧୭୭
ସମସ୍ତ ଇନ୍ଦ୍ରିଙ୍କ ପ୍ରକାଶ । ସୁଗତି ତୁମ୍ଭେ କର ଦୃଶ୍ୟ ॥ ୧୭୮
ବରଣ କରି ଗୁରୁ କଲୁ । ସକଳ କଳୁଷ ଛେଦିଲୁ ॥ ୧୭୯
ମୂର୍ଖକୁ ମୂର୍ଖ କଲେ ଗୁରୁ । ତରିକି ପାରେ ତମଘୋରୁ ॥ ୧୮୦
ଏ ଭୟେ ତୋ ପାଦେ ସେବିଲୁ । ଜ୍ଞାନଦୀପକୁ ପ୍ରକାଶିଲୁ ॥ ୧୮୧
ତୁମ୍ଭେ ସକଳ ପ୍ରିୟବନ୍ଧୁ । ଗୁରୁର ଜ୍ଞାନେ କୃପାସିନ୍ଧୁ ॥ ୧୮୨
ଏ ମହାପ୍ରଭୁ ହୃଦେ ସ୍ଥିତି । ଜୀବ ନ ଜାଣେ ତୁମ୍ଭ ଗତି ॥ ୧୮୩
ହେ ପ୍ରଭୁ ବରଦ ଈଶ୍ୱର । ତୁମ୍ଭରେ ଶରଣ ମୋହର ॥ ୧୮୪
ହୃଦୟ-ମଳ-ଗ୍ରନ୍ଥି ନାଶ । ତୁମ୍ଭର ଶରୀର ପ୍ରକାଶ ॥ ୧୮୫
କହନ୍ତି ଶୁକ ମୁନିବର । ହୃହୟେ ଚିନ୍ତି ଗଦାଧର ॥ ୧୮୬
ଶୁକ ଉବାଚ
ଏମନ୍ତ ଭାବେ ଦଣ୍ତଧାରୀ । ଚିତ୍ତେ ଅନେକ ସ୍ତୁତି କରି ॥ ୧୮୭
ରହିଲା ସମାଧି ନିଶ୍ଚଳେ । ନାବେ ଗୋବିନ୍ଦ ପାଦମୂଳେ ॥ ୧୮୮
ଏମନ୍ତେ ଶୁଣ ନୃପମଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୧୮୯
ପ୍ରଳୟ ଜଳେ ମୀନରୂପ । ହୟଗ୍ରୀବର ହରି ଦର୍ପ ॥ ୧୯୦
ଜଳେ ଅସୁର ପ୍ରାଣହରି । ବ୍ରହ୍ମାର ବେଦକୁ ଉଦ୍ଧରି ॥ ୧୯୧
ମିଳିଲେ ନୃପତିର ଆଗେ । ସଦୟଚିତ୍ତେ ଅନୁରାଗେ ॥ ୧୯୨
ବୋଲନ୍ତି ରାଜାମୁଖ ଚାହିଁ । ସଂସାରେ ଭାଗ୍ୟବନ୍ତ ତୁହି ॥ ୧୯୩
ଏମନ୍ତ କହି ଭଗବାନ । ଆନନ୍ଦେ ଦେଲେ ତତ୍ତ୍ୱଜ୍ଞାନ ॥ ୧୯୪
ବୋଇଲେ ଦିବାକର ବଂଶେ । ଜନ୍ମ ଲଭିବୁ ଆୟୁ ଶେଷେ ॥ ୧୯୫
ବଇବସ୍ୱତ ମନୁ ହୋଇ । ପ୍ରଜା ପାଳିବୁ ଧର୍ମ ବହି ॥ ୧୯୬
ଏ ଜ୍ଞାନେ ତୋହର ଜୀବନ । ମନୁଙ୍କ ମଧ୍ୟ ହେଉ ଧନ୍ୟ ॥ ୧୯୭
ଏ ମୋର ମୀନ ଅବତାର । ଧ୍ୟାନେ ରହିବ ତୋ ଅନ୍ତର ॥ ୧୯୮
ତୋହର ତୁଲେ ମୋ ସମ୍ବାଦ । ଶୁଣନ୍ତେ ତୁଟଇ ପ୍ରମାଦ ॥ ୧୯୯
ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥ ୨୦୦
ଅଷ୍ଟମ ସ୍ମନ୍ଧେ ଏ ଚରିତ । ଅମୃତ ରସମୟ ଗୀତ ॥ ୨୦୧
ସୁଜନେ ଶୁଣ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥ ୨୦୨
ଖଣ୍ତିବ ଅଶେଷ ଦୁର୍ଗତି । ସୁଜନେ ଏଣେ କର ମତି ॥ ୨୦୩
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମତ୍ସ୍ୟାବତାର ଚରିତ ଅନୁବର୍ଣ୍ଣନଂ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥
* * *