ଅଷ୍ଟମ ସ୍କନ୍ଧ
ଦ୍ୱାବିଂଶ ଅଧ୍ୟାୟ
ହରଷେ କହେ ବ୍ୟାସସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
ଶୁକ ଉବାଚ
ଏମନ୍ତ ବିଷ୍ଣୁ ମୁଖୁଁ ଶୁଣି । ବଳି କୃତାର୍ଥ ପ୍ରାୟ ମଣି ॥ ୨
ସାଧୁ ସୁମତି ସେ ସ୍ୱଭାବେ । ପ୍ରସନ୍ନ ମନେ ପ୍ରିୟ ଭାବେ ॥ ୩
କର-ଅଞ୍ଜଳି ଶିରେ ଧରି । ରୋମ-ପୁଲକେ ଅଶ୍ରୁଭରି ॥ ୪
ପ୍ରଣାମ କରି ବିଷ୍ଣୁପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୫
ବଳି ଉବାଚ
ମୋହର ଭାଗ୍ୟ ଏ ଜଗତେ । ଦାନ ମୁଁ ଦେଲି ତୋର ହସ୍ତେ ॥ ୬
ବ୍ରହ୍ମା-ସୃଷ୍ଟିରେ ହୋଇ ଜନ୍ମ । କେବା ଲଭିବ ଏଡ଼େ କର୍ମ ॥ ୭
ଭୋ ନାଥ ଅନୁଗ୍ରହ ତୋର । ଦିଗପାଳଙ୍କୁ ଅଗୋଚର ॥ ୮
କମଳା-ଆଶ୍ରୟ ଯେ ପାଦ । ଦୁର୍ଲ୍ଲଭ ଲଭିଲି ପ୍ରସାଦ ॥ ୯
କହନ୍ତି ଶୁକ ମୁନିବର । ଶୁଣ ପାଣ୍ତବ ବଂଶଧର ॥ ୧୦
ଶୁକ ଉବାଚ
ଏମନ୍ତ ବିଷ୍ଣୁପାଦେ କହି । ପୁତ୍ର-କଳତ୍ର ସଙ୍ଗେ ଲଇ ॥ ୧୧
ବଳି ଯେ ବସିଲା ନିଶ୍ଚଳେ । ଗୋବିନ୍ଦ ଶ୍ରୀଚରଣ ତଳେ ॥ ୧୨
ହୁଙ୍କାର ନାଦ ବେଗେ କରି । ନାଭିରୁ ପାଦ ଜାତ କରି ॥ ୧୩
ତାହାର ଶିରେ ପାଦ ଦେଇ । ଚାପିଲେ ବ୍ରହ୍ମାଣ୍ତଗୋସାଇଁ ॥ ୧୪
ବଳି ଦେଖନ୍ତେ ବେନିଡୋଳେ । ଗୋବିନ୍ଦ ଚାପିଲେ ପାତାଳେ ॥ ୧୫
ଭକ୍ତବତ୍ସଳ ଭାବଗ୍ରାହୀ । ସୁତଳପୁରେ ଠାବ ଦେଇ ॥ ୧୬
ତକ୍ଷଣେ ସୁତଳେ ପ୍ରବେଶ । ଶୁଭିଲା ଜୟ ଜୟ ଘୋଷ ॥ ୧୭
ଇନ୍ଦ୍ରକୁ ଆଣି ତୋଷମନେ । ସ୍ଥାପିଲେ ଅମର ଭୁବନେ ॥ ୧୮
ଅଦିତି କଲା ପୟୋବ୍ରତ । ସଫଳ କଲେ ଜଗନ୍ନାଥ ॥ ୧୯
ଦେଖିଣ ନିଜ ନୀତି ଗତି । କୃତାର୍ଥ ପ୍ରହଲ୍ଲାଦ ମତି ॥ ୨୦
ଖଣ୍ତିଲେ ଜଗତ ବିଷାଦ । ବଳି ଲଭିଲା ପଦ୍ମପାଦ ॥ ୨୧
ଏମନ୍ତେ ନମି ବିଷ୍ଣୁପାଦେ । ଆନନ୍ଦେ ଅଶ୍ରୁ ଗଦଗଦେ ॥ ୨୨
ହିରବ୍ୟକଶିପୁ କୁମର । ବୋଲଇ ଦେଖ ଭାଗ୍ୟ ମୋର ॥ ୨୩
ଏ ଜଗନ୍ନାଥଙ୍କ ପ୍ରସାଦ । ଲଭି ନ ପାରେ ବ୍ରହ୍ମା ରୁଦ୍ର ॥ ୨୪
କମଳା ବକ୍ଷସ୍ଥଳେ ବସେ । କଟାକ୍ଷେ ଜନଦୁଃଖ ନାଶେ ॥ ୨୫
ସର୍ବଦା ସମୀପେ ବସଇ । ପ୍ରସାଦ ଲଭି ନ ପାରଇ ॥ ୨୬
ଯାହା ନ ଲଭେ ବାମଦେବ । ଆନ ବା କେ ତାହା ପାଇବ ॥ ୨୭
ଯେ ପାଦପଦ୍ମ-ରେଣୁ ଆଶେ । ଯୋଗୀଏ ଯୋଗ ସାଧି ପ୍ରାସେ ॥ ୨୮
ଅଷ୍ଟାଙ୍ଗଯୋଗେ ପାଇ ତ୍ରାସ । ଚରଣେ କରୁଥାନ୍ତି ଆଶ ॥ ୨୯
ସେ କାହିଁ ଲଭିବେ ସେ ଭାବ । ଯାହା ନ ପାନ୍ତି ବ୍ରହ୍ମାଶିବ ॥ ୩୦
ଏମନ୍ତ ପ୍ରହଲ୍ଲାଦ କହି । ବାମନପାଦେ ଶିର ଦେଇ ॥ ୩୧
ଦେଖି ସନ୍ତୋଷ ଭଗବାନ । କହନ୍ତି କୋମଳ ବଚନ ॥ ୩୨
ଭଗବାନ ଉବାଚ
ପ୍ରହ୍ଲାଦ ଶୁଣ ମୋ ଉତ୍ତର । ଯାଅ ତୁ ସୁତଳ ମନ୍ଦିର ॥ ୩୩
ଆନନ୍ଦେ ନିଜ ପୌତ୍ର ତୁଲେ । ସୁଖେ ବିହର ଜ୍ଞାତି ମେଳେ ॥ ୩୪
ମୁଁ ଥିବି ଗଦାପାଣି ହୋଇ । ନିତ୍ୟେ ଦେଖିବୁ ମୋତେ ତୁହି ॥ ୩୫
ମୋ ଆହାଲ୍ଲାଦ ମୋ ଦର୍ଶନ । ନାଶିବ କର୍ମତ ବନ୍ଧନ ॥ ୩୬
ଶୁକ ଉବାଚ
ବିଷ୍ଣୁର ବଚନ ଶୁଣିଲା । ଅନେକ ମତେ ସ୍ତୁତି କଲା ॥ ୩୭
ପ୍ରହ୍ଲାଦ ସଙ୍ଗେ ଦୈତ୍ୟବଳ । ସକଳେ ମିଳିଲେ ସୁତଳ ॥ ୩୮
ଏବେ ହୋ ଶୁଣ ପରୀକ୍ଷିତ । ଅଦ୍ଭୁତ ଗୋବିନ୍ଦ ଚରିତ ॥ ୩୯
ଏଥୁ ଅନ୍ତରେ ସେ ବାମନ । ଶୁକ୍ରଙ୍କୁ ଆଜ୍ଞା ଦେଲେ ପୁଣ ॥ ୪୦
ଯାଗର ଶେଷ ତୁମ୍ଭେ କର । ବଳିକି ନ କର ବିଚାର ॥ ୪୧
ଯେ ଯଜ୍ଞେ ସନ୍ତୋଷ ଭୃଗୁର । ନ୍ୟୁନାତିରିକ୍ତ କାହିଁ ତାର ॥ ୪୨
ଶ୍ରୀକୃଷ୍ଣ ବାକ୍ୟେ ଭୃଗୁ ତୋଷ । ଯଜ୍ଞାବଶେଷ କରି ଶେଷ ॥ ୪୩
ଯଜ୍ଞାନ୍ତେ ସେ ଯଜ୍ଞପୁରୁଷ । ତକ୍ଷଣେ ହୋଇଲେ ସନ୍ତୋଷ ॥ ୪୪
ଯଜ୍ଞପୁରୁଷ ରୂପେ ହରି । ଅନଳ କୁଣ୍ତୁ ଅବତରି ॥ ୪୫
ଭୃଗୁବଦନ ଚାହିଁ ତୋଷେ । ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ ॥ ୪୬
ଯଜ୍ଞେ ସ୍ୱଭାବେ ବ୍ରହ୍ମା ଆଦି । ବିପ୍ରେ ଅଛନ୍ତି ବେଦବାଦୀ ॥ ୪୭
ତାହାଙ୍କୁ ଗଉରବ କରି । କହନ୍ତି ଯଜ୍ଞରୂପଧାରୀ ॥ ୪୮
ଯଜ୍ଞପୁରୁଷ ଉବାଚ
ତୁ ବ୍ରହ୍ମ ସନାତନ ଶିଷ୍ୟ । ଜାଣୁ ତୁ ଏ ଭୂତ ଭବିଷ୍ୟ ॥ ୪୯
ଆଗମ ନିଗମ ବିଦିତ । ମୁଁ ତ ଦେଖିଲି ବିପରୀତ ॥ ୫୦
ଯଜ୍ଞ ସଙ୍କଳ୍ପ କଲୁ ହାଦେ । ବଳି ବସିବ ଇନ୍ଦ୍ରପଦେ ॥ ୫୧
ଏବେ ତୁ କର୍ମଛିଦ୍ର ଦେଖି । ରହିଲୁ ଯଜ୍ଞକୁ ଉପେକ୍ଷି ॥ ୫୨
ଯଜ୍ଞ ଲଂଘନ-କର୍ମ କଲେ । କେମନ୍ତେ ବର୍ତ୍ତିବୁ ତୁ ଭଲେ ॥ ୫୩
ଏ ଯଜ୍ଞ ତୋହର ଗୋଚର । ତୁ ଏବେ ପୂର୍ଣ୍ଣାହୁତି କର ॥ ୫୪
ଫଳ ପାଇବ ଯଜମାନ । ତା କୁଳେ ଥିବ ତୋର ମାନ୍ୟ ॥ ୫୫
ଶୁକ ଉବାଚ
ଯଜ୍ଞପୁରୁଷ ମୁଖୁଁ ଶୁଣି । ଭୃଗୁ ଅନେକ ସ୍ତୁତି ଭଣି ॥ ୫୬
ଚାହିଁ ସେ ବାମନ ଚରଣ । ଯଜ୍ଞସ୍ୱରୂପୀ ନାରାୟଣ ॥ ୫୭
ବୋଲଇ ଯୋଡ଼ି ବେନିକର । ପୁଲକ ଆନନ୍ଦ ଶରୀର ॥ ୫୮
ଭୋ ନାଥ ଏ ଯଜ୍ଞ-ଶରୀର । ଅଶେଷ ଜନ ଉପକାର ॥ ୫୯
କର୍ମର ଈଶ୍ୱର ତୁ ଯହିଁ । ତା କର୍ମ ଛିଦ୍ରହୋଇ କାହିଁ ॥ ୬୦
ଯେ ମନ୍ତ୍ର ଆଦି ଦେଶକାଳ । ଯେ ଛିଦ୍ର ହୁଅଇ ସକଳ ॥ ୬୧
ତୋ ନାମ-କୀର୍ତ୍ତନେ ସଫଳ । ଅଛିଦ୍ର ହୁଅଇ ସକଳ ॥ ୬୨
ତୁ ପ୍ରଭୁ ସଂସାର-କାରଣ । ନମୋ ନମସ୍ତେ ନାରାୟଣ ॥ ୬୩
ଏମନ୍ତ ଆଜ୍ଞା ଘେନି ମାଥେ । ଶ୍ରୁବ ଧଇଲା ଦକ୍ଷହସ୍ତେ ॥ ୬୪
ଋତ୍ୱିଜ ଋଷିଗଣ ସଙ୍ଗେ । ଆହୁତି ଦେଲା ବେଦମାର୍ଗେ ॥ ୬୫
ଆନନ୍ଦେ ହୋଇ ଦ୍ରବୀଭୂତ । ଭୃଗୁ ହୋଇଲେ କୃତକୃତ୍ୟ ॥ ୬୬
ଶ୍ରୀକୃଷ୍ଣ ପାଦ କରି ଧ୍ୟାନ । କହନ୍ତି ବ୍ୟାସଙ୍କ ନନ୍ଦନ ॥ ୬୭
ଏବେ ତୁ ଶୁଣ ହେ ରାଜନ । ବାମନ ରୂପେ ଭଗବାନ ॥ ୬୮
ବଳିର ହସ୍ତୁ ଘେନି ଦାନ । କପଟେ ଏ ତିନିଭୁବନ ॥ ୬୯
ଇନ୍ଦ୍ରକୁ ଇନ୍ଦ୍ରପଦେ ସ୍ଥାପି । ତିନି ଭୁବନେ ତନୁ ବ୍ୟାପୀ ॥ ୭୦
ବିଷ୍ଣୁର ଦେଖି ଦିବ୍ୟଗତି । ସକଳ ଦେବେ ବେଦପତି ॥ ୭୧
ଭୃଗୁ-ଅଙ୍ଗିରା ଘେନି ତୁଲେ । ପିତୃ-ରାଜର୍ଷି-ଦକ୍ଷ ମେଳେ ॥ ୭୨
କୁମାର ମେଳେ ଭୂତପତି । ମିଳିଲେ କଶ୍ୟପ-ଅଦିତି ॥ ୭୩
ଦିଗପାଳଙ୍କ ମଧ୍ୟେ ଆଣି । କଳ୍ପକୁସୁମ ଗଙ୍ଗା ପାଣି ॥ ୭୪
ବାମନେ କରି ଅଭିଷେକ । ସର୍ବସମ୍ପଦେ ମନ ସୁଖ ॥ ୭୫
ଅଶେଷ ନୃତ୍ୟ-ଗୀତ ବାଦ୍ୟେ । ଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ ॥ ୭୬
ସର୍ବସମ୍ପଦ ସଙ୍ଗେ ଘେନି । ମଙ୍ଗଳ-ବେଦନାଦେ ମୁନି ॥ ୭୭
ବ୍ରହ୍ମାଶଙ୍କର ତୋଷମନେ । ବାମନେ ବସାଇ ବିମାନେ ॥ ୭୮
ଆନନ୍ଦେ ପ୍ରଜାପତି ବୋଲେ । ସକଳେ ସ୍ୱର୍ଗପୁର ଗଲେ ॥ ୭୯
ଇନ୍ଦ୍ର ବାମନ ଭୁଜବଳେ । ସକଳ ଦିଗପାଳ ମେଳେ ॥ ୮୦
ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା । ଯେଣୁ ଅଦିତି ବ୍ରତ କଲା ॥ ୮୧
ଏବେ ହୋ ପରୀକ୍ଷିତ ଶୁଣ । ବ୍ରହ୍ମାଶଙ୍କର ଦେବଗଣ ॥ ୮୨
ବାମନପଦେ ସ୍ତୁତି କଲେ । ଆନନ୍ଦେ ନିଜପୁରେ ଗଲେ ॥ ୮୩
ବଳି-ବାମନର ପ୍ରସ୍ତାବେ । ପ୍ରତୋଷେ କହିଲୁ ତୋ ଭାବେ ॥ ୮୪
ତୁ ଯେଣୁ ପଚାରିଲୁ ମୋତେ । ବାମନରୂପ ତୋ ଅଗ୍ରତେ ॥ ୮୫
କହିଲୁ ଆଦି-ଅନ୍ତ କରି । ଯେ କଥା-ଶ୍ରବଣେ ନିସ୍ତରି ॥ ୮୬
ବିଷ୍ଣୁ-ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମାଶିବ ॥ ୮୭
ଭୂମିରେ ରେଣୁ ଅଛି ଯେତେ । ଆକାଶେ ନକ୍ଷତ୍ରେ ସହିତେ ॥ ୮୮
ମେଘ-ବରଷା ଯେତେ ଧାର । ଯେ ବିନ୍ଦୁ ପ୍ରକାଶ ନିହାର ॥ ୮୯
ଏହା ଗଣି ତ ଅତିରେକେ । ଜଗତେ ଅଛନ୍ତି ନା ଲୋକେ ॥ ୯୦
ହରି-ମହିମା ସଂଖ୍ୟାକାରୀ । ସଂସାରେ ନାହିଁ ଦେହଧରି ॥ ୯୧
ଅଦ୍ଭୁତ ଚରିତ ବାମନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୯୨
ସକଳ ବିଘ୍ନ ନାଶ ଯାଇ । ଅନ୍ତେ ପରମଗତି ପୈ ॥ ୯୩
ସେ ହରି ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନାବତାର ଚରିତେ ନାମ ଦ୍ୱାବିଂଶୋଽଧ୍ୟାୟଃ ॥
* * *