ଅଷ୍ଟମ ସ୍କନ୍ଧ
ଏକବିଂଶ ଅଧ୍ୟାୟ
କହନ୍ତି ଶୁକମୁନି ହସି । ଶୁଣ ପାଣ୍ତବବଂଶ-ଶଶୀ ॥ ୧
ରାଜନ ଶୁଣ ସ୍ଥିର ହୋଇ । ହରିଚରଣେ ମନ ଦେଇ ॥ ୨
ଶୁକ ଉବାଚ
ବଳିକି ହରି ଯେତେବେଳେ । ବନ୍ଧନ କଲେ ଦାନଛଳେ ॥ ୩
ବନ୍ଧନ-ଦୁଃଖେ ବଳି ମନ । ସାତ୍ତ୍ୱିକେ ନ ଭଜିଲା ଛନ୍ନ ॥ ୪
ବିଷ୍ଣୁର ପାଦେ ମନ ଦେଇ । କହନ୍ତି ଶ୍ରୀମୁଖକୁ ଚାହିଁ ॥ ୫
ବଳି ଉବାଚ
ଭୋ ନାଥ ମୋର ବାକ୍ୟ ଯେବେ । ମୁହିଁ ଲଂଘିବି ମୂଢ଼ ଭାବେ ॥ ୬
ଏ କଥା କେବେହେଁ ନ ଘଟେ । ଯେତେ ଜୀବନ ମୋର ତୁଟେ ॥ ୭
ତୃତୀୟପାଦ ତୋର ହସ୍ତେ । ଦେଇ ମୁଁ ଲଂଘିବି କେମନ୍ତେ ॥ ୮
ଚରଣ ଅଛି ଯେବେ ତୋର । ଭୋ ନାଥ ଦିଅ ମୁଣ୍ତେ ମୋର ॥ ୯
ନରକେ ମୋର ଭୟ ନାହିଁ । ପାଶ-ବନ୍ଧନେ ନ ଡରଇ ॥ ୧୦
ତୋର ନିଗ୍ରହେ ନାହିଁ ଭୟ । ଅସାଧୁବାଦେ ମୋର ଭୟ ॥ ୧୧
ତୋ ଅନୁଗ୍ରହ ଯାରେ ହୋଏ । ସେ ପ୍ରାଣୀ ସର୍ବଦୁଃଖ ସହେ ॥ ୧୨
ତୁ ନାଥ ଅସୁରଙ୍କ ପକ୍ଷେ । ପରୋକ୍ଷ-ଗୁରୁ ତୁ ପ୍ରତ୍ୟକ୍ଷେ ॥ ୧୩
ଆମ୍ଭର ଚକ୍ଷୁ ମଦେ ଅନ୍ଧ । ସତ୍ୟ ଯେ ମଣୁ ଏ ସମ୍ପଦ ॥ ୧୪
ଏ ମତେ ଅଞ୍ଜନ ସଦୃଶ । ଦୟାରେ କରୁ ତୁ ପ୍ରକାଶ ॥ ୧୫
ବଇରୀ କରି ତୋ ବିଷୟେ । ପୂର୍ବେ ଯେ ଥିଲେ ମହାରାୟେ ॥ ୧୬
ଅନ୍ତେ ଲଭିଲେ ତୋ ଚରଣ । ଯେ ଗତି ମୁନି-ସିଦ୍ଧଗଣ ॥ ୧୭
ତୁ ନାଥ ମୋତେ ଦୟା କଲୁ । ବରୁଣପାଶେ ଯା ବାନ୍ଧିଲୁ ॥ ୧୮
ନିଗ୍ରହ କରୁ ଯେତେ ମୋତେ । ସେ ଭୟ ନାହିଁ ମୋର ଚିତ୍ତେ ॥ ୧୯
ତୋ ଭକ୍ତ ମୋର ପିତାମହ । ସାଧୁ ସୁଗୁଣ ମହାଶୟ ॥ ୨୦
ତୋର ଚରଣେ ଆଶ୍ରେ କରି । ପିତାର ଦଣ୍ତରୁ ନିସ୍ତରି ॥ ୨୧
ଜାଣଇ ମିଥ୍ୟା ଏ ସଂସାର । କେ ମିତ୍ର ବନ୍ଧୁ କେବା ପର ॥ ୨୨
କେବା ଜନନୀ ଭ୍ରାତା ତାତ । କିବା ସମ୍ପଦ ଏ ଜଗତ ॥ ୨୩
ପତ୍ନୀ ତନୟ କେହି ନୋହେ । ସର୍ବେ ଯନ୍ତ୍ରିତ ମାୟା ମୋହେ ॥ ୨୪
ଏ ଯେତେ ସଂସାର ଦେଖଇ । ଜନ୍ମ ମରଣେ ହେତୁ ତୁହି ॥ ୨୫
ସେ ପୁଣି ଏମନ୍ତ ବିଚାରି । ତୋ ପାଦ ଚିତ୍ତ ଦୃଢ଼ କରି ॥ ୨୬
ଅନ୍ତେ ପଶିଲା ତୋର ପାଦେ । ମାୟାକୁ ଜିଣି ଅପ୍ରମାଦେ ॥ ୨୭
ରହିଲା ପାରିଷଦ ହୋଇ । ଜନ୍ମ-ମରଣ ଆର କାହିଁ ॥ ୨୮
ତୋର ମହିମା ଭାବଗ୍ରାହୀ । ମୁଁ ମୂଢ଼ ଜାଣିବି ତା କାହିଁ ॥ ୨୯
କହନ୍ତି ଶୁକ ବ୍ରହ୍ମଯତି । ଶୁଣ ହେ ଉତ୍ତରା-ସନ୍ତତି ॥ ୩୦
ଶୁକ ଉବାଚ
ଏମନ୍ତେ କହୁଁ କହୁଁ ବଳି । ପ୍ରତ୍ୟକ୍ଷେ ଯେସନେ ବିଜୁଳି ॥ ୩୧
ଗଗନେ ଶୁଭେ ଶଙ୍ଖନାଦ । ତକ୍ଷଣେ ମିଳେ ପ୍ରହଲ୍ଲାଦ ॥ ୩୨
ବଳି ନମିଲା ତାଙ୍କୁ ଦେଖି । ବାମନ-ସଙ୍ଗତ ଉପେକ୍ଷି ॥ ୩୩
ବିଷ୍ଣୁର ପ୍ରାୟେ ତାର ତେଜ । ତୁଲ୍ୟ ନୋହିବେ ଗ୍ରହରାଜ ॥ ୩୪
ପୀଥବସନ ପରିଧାନ । ସୁନ୍ଦର ନଳିନ ନୟନ ॥ ୩୫
ଆଜାନୁ ବେନିନାହୁ ଶୋହେ । ରୂପେ ଅନଙ୍ଗ ସମ ନୋହେ ॥ ୩୬
ବଳି ଆନନ୍ଦ ଗଦଗଦେ । କଣ୍ଠେ କୁଣ୍ଠିତ-ବାକ୍ୟ ରୁନ୍ଧେ ॥ ୩୭
ଚରଣେ ଦଣ୍ତବତ ହୋଇ । ମନ-କଳ୍ପିତେ ଅର୍ଘ୍ୟ ଦେଇ ॥ ୩୮
ରହିଲା ପିତାମହ ପାଶେ । ବାମନ-ଅନୁଗ୍ରହ ଆଶେ ॥ ୩୯
ସେ ପ୍ରହଲ୍ଲାଦ ଅତି ବେଗେ । ନମିଲା ବିଷ୍ଣୁପାଦଯୁଗେ ॥ ୪୦
ନୟନେ ଅଶ୍ରୁଜଳ ଭରି । କର-ଅଞ୍ଜଳି ଶିରେ ଧରି ॥ ୪୧
ଆନନ୍ଦେ ଶୋକ ଗଦଗଦ । ସ୍ତୁତି କରଇ ପ୍ରହଲ୍ଲାଦ ॥ ୪୨
ପ୍ରହ୍ଲାଦ ଉବାଚ
ତୁ ନାଥ ଅନୁଗ୍ରହ ମନେ । ଏହାକୁ ସ୍ଥାପି ଇନ୍ଦ୍ରାସନେ ॥ ୪୩
ପୁଣି ଭ୍ରମାଉ ସୁଖସ୍ଥାନୁ । ଯେଣୁ ହୋଇଲା ତୋର ମନ୍ୟୁ ॥ ୪୪
ନିଶ୍ଚୟ କଲୁ ଅନୁଗ୍ରହ । ଯେଣୁ ନାଶିଲୁ ମାୟାମୋହ ॥ ୪୫
ନମସ୍ତେ ଜଗତ ଈଶ୍ୱର । ନମସ୍ତେ ଶଙ୍ଖ-ଚକ୍ରଧର ॥ ୪୬
ତୁ ନାରାୟଣ ବିଶ୍ୱଗୁରୁ । ମହାମହିମ ମହାମେରୁ ॥ ୪୭
ତୁ ନାରାୟଣ ବିଶ୍ୱରୂପୀ । ବିଶ୍ୱସମ୍ଭୂତ ବିଶ୍ୱବ୍ୟାପି ॥ ୪୮
ଆତ୍ମାପ୍ରକାଶ ସର୍ବଭୂତେ । ଭୋ ନାଥ ନମସ୍ତେ ନମସ୍ତେ ॥ ୪୯
ଶୁକ ଉବାଚ
ପ୍ରହଲ୍ଲାଦର ଭକ୍ତି ଦେଖି । ହିରଣ୍ୟଗର୍ଭ ମନେ ସୁଖୀ ॥ ୫୦
ବେଗେ ନମିଲେ ବିଷ୍ଣୁପାଦେ । ଚତୁରସୁଖେ ବେଦନାଦେ ॥ ୫୧
ବଳିର ପତ୍ନୀ ଆସେ ବେଗେ । ବିଷ୍ଣୁଚରଣେ ଅନୁରାଗେ ॥ ୫୨
ସ୍ୱାମୀ କଷଣେ ଅତି ଦୁଃଖୀ । ସ୍ତୁତି କରଇ ଅଶ୍ରୁମୁଖୀ ॥ ୫୩
ବିନ୍ଧ୍ୟାବଳୀ ଉବାଚ
ଭୋ ନାଥ ନିଜ କ୍ରୀଡ଼ାଅର୍ଥେ । ତୋର ପ୍ରକାଶ ଏ ଜଗତେ ॥ ୫୪
ତୋହର ମହିମା ନ ଜାଣି । ଗର୍ବ ବହନ୍ତି ଯେତେ ପ୍ରାଣୀ ॥ ୫୫
ଜ୍ଞାନ ହରାନ୍ତି ସୁଖଭୋଳେ । ସେ କାହିଁଥିବେ ଏ ଶୟଳେ ॥ ୫୬
ତୋ ପାଦ ସର୍ବ ସୁଖଘର । ଆମ୍ଭଙ୍କୁ ଅନୁଗ୍ରହ କର ॥ ୫୭
ବ୍ରହ୍ମା ବାମନ ମୁଖ ଚାହିଁ । ସ୍ତୁବନ୍ତି ଶିରେ କର ଦେଇ ॥ ୫୮
ବ୍ରହ୍ମା ଉବାଚ
ଭୂତଭାବନ ଭୂତଈଶ । ହେ ଦେବଦେବ ଜଗଦୀଶ ॥ ୫୯
ଏହାକୁ ନିଗ୍ରହ ତୁ କଲୁ । ସକଳ ସମ୍ପଦ ହରିଲୁ ॥ ୬୦
ସର୍ବସମ୍ପଦ ଦେଇ ତୋତେ । ଭ୍ରାନ୍ତି ନ କଲା କିଛି ଚିତ୍ତେ ॥ ୬୧
ନିର୍ମଳ ଚିତ୍ତେ ତୋର ପାଦେ । ଅର୍ଘ୍ୟ ନିବେଶି ଅପ୍ରମାଦେ ॥ ୬୨
ତ୍ରିଲୋକଦାନ ତୋତେ ଦେଲା । ଚିତ୍ତେ ବିଷାଦ ନ ଚିନ୍ତିଲା ॥ ୬୩
ତୁ ନାଥ ବସୁ ସର୍ବଭୂତେ । ଏହାକୁ ବାନ୍ଧିଲୁ କେମନ୍ତେ ॥ ୬୪
ତୁ ନାଥ ସର୍ବଚିତ୍ତ ଜାଣୁ । କେ ତୋର ମହିମା ବଖାଣୁ ॥ ୬୫
ଶୁକ ଉବାଚ
ବ୍ରହ୍ମା ବଚନ ଶୁଣି ହରି । ବଳିକି ଚିତ୍ତେ ଦୟା କରି ॥ ୬୬
ବୋଲନ୍ତି ପ୍ରଭୁ ଭଗବାନ । ବିଧାତା ଶୁଣ ମୋ ବଚନ ॥ ୬୭
ଭଗବାନ ଉବାଚ
ମୁଁ ଯାକୁ ଅନୁଗ୍ରହ ବହି । ତା ସର୍ବ ସମ୍ପଦ ହରଇ ॥ ୬୮
ଯେ ଅର୍ଥ-ମଦେ ମତ୍ତ ହୋଇ । ପର ଅପର ନ ଜାଣଇ ॥ ୬୯
ମୁଁ ଯେ ବସଇ ସର୍ବଭୂତେ । ମୋତେ ନ ଗଣେ ଗର୍ବଚିତ୍ତେ ॥ ୭୦
ଏ ଜୀବଆତ୍ମା ନିଜ କର୍ମେ । ମାୟାରେ ସର୍ବଭୂତେ ଭ୍ରମେ ॥ ୭୧
ନାନା-ଯୋନିରେ ଜନ୍ମ ହୋଏ । ଜ୍ଞାନ ନ ଲଭେ ମାୟାମୋହେ ॥ ୭୨
ଜନ୍ମ କରମ ବୟ ରୂପ । ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ ॥ ୭୩
ଏ ଭାବେ ଯାର ଗର୍ବ ନାହିଁ । ମୋହର ଅନୁଗ୍ରହ ତହିଁ ॥ ୭୪
ଯେ ଜନ ମାନଗର୍ବ ବହେ । ଧନ ସମ୍ପଦ ରୂପ ଦେହେ ॥ ୭୫
ସେ ମୋତେ ଜାଣିବ କେମନ୍ତେ । ମାୟା-ମୋହିତ ଅବିରତେ ॥ ୭୬
ଏ ଯେ ଦାନବ ଦୈତ୍ୟରାଜା । ନିଜ ସ୍ୱଭାବେ ମହାତେଜା ॥ ୭୭
ଅସୁରବୁଦ୍ଧି ନ ଘେନିଲା । ଗୁରୁବଚନ ନ ମାନିଲା ॥ ୭୮
ବନ୍ଧୁ-ବାନ୍ଧବ-ଜ୍ଞାତି ଯେତେ । ଏହାଙ୍କୁ ଛାଡ଼ିଲେ ସମସ୍ତେ ॥ ୭୯
କେବେ ହେଁ ସତ୍ୟ ନ ଛାଡ଼ିଲା । ମୋର ବଚନେ ମନ ଦେଲା ॥ ୮୦
ଏ ଭୂମିଦାନ ଦେଲା ମୋତେ । ଏ ଲୋକେ ଥିବ ଏ କେମନ୍ତେ ॥ ୮୧
ଏହାକୁ ଦେବି ଦିବ୍ୟସ୍ଥାନ । ସ୍ୱର୍ଗହୁଁ ଦୁର୍ଲ୍ଲଭ ଭୁବନ ॥ ୮୨
ନିର୍ମିତ ବିଶ୍ୱକର୍ମା ପୁର । ଦେବ-ଦାନବେ ଅଗୋଚର ॥ ୮୩
ଯେ ପୁରେ ଆଧି-ବ୍ୟାଧି ନାହିଁ । କାଳର ତେଜ ନ ଲାଗଇ ॥ ୮୪
ସେ ପୁରେ ଥିବ ଏ ନିଶ୍ଚିନ୍ତେ । ସାବର୍ଣ୍ଣିମନୁ ପରିଯନ୍ତେ ॥ ୮୫
ସେ ମନୁକାଳେ ସ୍ୱର୍ଗପୁରେ । ବସିବ ଅମର ଶରୀରେ ॥ ୮୬
ଇନ୍ଦ୍ର ହୋଇବ ସ୍ୱର୍ଗଦେଶେ । ମୁଁ ଏବେ ଥିବି ଏହା ପାଶେ ॥ ୮୭
ନିଶ୍ଚିନ୍ତେ ଥାଉ ଏ ସୁତଳେ । ଦାରା ତନୟ ଜ୍ଞାତି ମେଳେ ॥ ୮୮
ଧନ ହିଁ ଥିବ ଅପ୍ରମିତ । ଶତ୍ରୁ ନୋହିବ ଉପଗତ ॥ ୮୯
ସୁଦରଶନ ତା ଅଗ୍ରତେ । ଆବୋରିଥିବ ଅବିରତେ ॥ ୯୦
ଦୈତ୍ୟଦାନବ ତାର ସଙ୍ଗେ । ନିରତେ ଥିବେ ମନରଙ୍ଗେ ॥ ୯୧
ମୁହିଁ ଯେ କରେ ଗଦା ଧରି । ଥିବଇଁ ତା ପୁର ଆବୋରି ॥ ୯୨
ନିରତେ ଦେଖୁଥିବ ମୋତେ । ଥିବି ମୁଁ ଏହାର ଅଗ୍ରତେ ॥ ୯୩
ଏମନ୍ତ କହି ଭଗବାନ । ଫେଡ଼ିଲେ ବଳିର ବନ୍ଧନ ॥ ୯୪
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ-ପ୍ରାଦୁର୍ଭାବେ ବଳି-ବାମନ ସମ୍ବାଦୋ ନାମ ଏକବିଂଶୋଽଧ୍ୟାୟଃ ॥
* * *