ଅଷ୍ଟମ ସ୍କନ୍ଧ
ବିଂଶ ଅଧ୍ୟାୟ
କହନ୍ତି ବ୍ୟାସଙ୍କର ବଳା । ଶୁଣ ପରୀକ୍ଷ କୃଷ୍ଣଲୀଳା ॥ ୧
ଶୁକ ଉବାଚ
ବାମନ ବିଶ୍ୱରୂପ ଦେଖି । ବୁଜିଲେ ହରବ୍ରହ୍ମା ଆଖି ॥ ୨
ଭୟେ ମିଳିଲେ ବିଷ୍ଣୁପାଶେ । ଅଭୟ ଚରଣ ବିଶ୍ୱାସେ ॥ ୩
ଅମର ଆଦି ମୁନିଗଣେ । ନମିଲେ ବାମନ ଚରଣେ ॥ ୪
ସନନ୍ଦ ଆଦି ଯୋଗୀଜନେ । ବେଦ ଉପବେଦ ସୁମନେ ॥ ୫
ଯମ ନିୟମ ବେନିପାଶେ । ସର୍ବେ ମିଳିଲେ ମହାତ୍ରାସେ ॥ ୬
ତର୍କ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ॥ ୭
ଅପର ଯୋଗୀ ସିଦ୍ଧ ଯେତେ । ଜ୍ଞାନ-ଅନଳ ଜାଳି ଚିତ୍ତେ ॥ ୮
ଅଶେଷ କର୍ମବନ୍ଧ-ଫାଶି । ଯେ କରିଛନ୍ତି ଭସ୍ମରାଶି ॥ ୯
ବେଗେ ମିଳିଲେ ମୋଦଭରି । ସ୍ତୁତି-ବନ୍ଦନ ମୁଖେ କରି ॥ ୧୦
ହର ବିରଞ୍ଚି ତୋଷମନେ । କରସଂପୁଟ ଉପାୟନେ ॥ ୧୧
ବାମନ ପାଦତଳେ ଥୋଇ । ତକ୍ଷଣେ ବ୍ରହ୍ମା ଆଗ ହୋଇ ॥ ୧୨
ଯେ ବିଷ୍ଣୁ ନାଭିପଦ୍ମୁ ଜାତ । ଯାହାରେ ସର୍ଜିଲା ଜଗତ ॥ ୧୩
ଆନନ୍ଦେ ଭରି କମଣ୍ତଳେ । ଶୁଚି ପବିତ୍ର ଶୁଦ୍ଧଜଳେ ॥ ୧୪
ମନ୍ତ୍ର ଉଚ୍ଚାରି କରେ ଘେନି । ଯେ ନୀର ଭୁବନ ପାବନୀ ॥ ୧୫
ବାମନ-ପାଦ ଶୂନ୍ୟେ ଗଲା । ବାଜନ୍ତେ ବ୍ରହ୍ମାଣ୍ତ କମ୍ପିଲା ॥ ୧୬
ସେ ଅଣ୍ତ ଭେଦି ଜଳରାଶି । ବେଗେ ବ୍ରହ୍ମାଣ୍ତ ମଧ୍ୟେ ପଶି ॥ ୧୭
ବିଷ୍ଣୁ-ଚରଣ ପଖାଳିଲା । ପତିତପାବନୀ ହୋଇଲା ॥ ୧୮
ସେ ଜଳ କମଣ୍ତଳେ ଘେନି । ବିଷ୍ଣୁ ସମୀପେ ପଦ୍ମଯୋନି ॥ ୧୯
ସଙ୍ଗତେ ଘେନି ଦେବଗଣ । ଯେ ସିଦ୍ଧ କିନ୍ନର ଚାରଣ ॥ ୨୦
ଯେ ଯାର ଘେନି ଉପାୟନ । ମିଳିଲେ ବିଷ୍ଣୁ ସନ୍ନିଧାନ ॥ ୨୧
ନମି ବାମନ ପାଦତଳେ । ନିଜ ଅଧିକାର ନିଶ୍ଚଳେ ॥ ୨୨
ଗଙ୍ଗା ଯେ କମଣ୍ତଳେ ଥିଲା । ବ୍ରହ୍ମା ବିଷ୍ଣୁପାଦେ ଢ଼ାଳିଲା ॥ ୨୩
ଶୁଦ୍ଧ ପବିତ୍ର ଜଳରାଶି । ଗୋବିନ୍ଦ ନଖକୋଣେ ପଶି ॥ ୨୪
ତହୁଁ ଉଛୁଳି ଅନ୍ତରୀକ୍ଷେ । ପଡ଼ିଲା ମୁନିଙ୍କ ସମକ୍ଷେ ॥ ୨୫
ସୋମ ଆଦିତ୍ୟଲୋକ ଜିଣି । ସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ ॥ ୨୬
ସୁମେରୁଶିଖେ ଅନ୍ତରୀକ୍ଷେ । ସେ ଜଳ ପଡ଼ିଲା ପ୍ରତ୍ୟକ୍ଷେ ॥ ୨୭
ଚତୁରଦିଗେ ଚାରିଧାରେ । ପଡ଼ିଲା ଧରଣୀ ଉପରେ ॥ ୨୮
ସମୁଦ୍ରେ ମିଶେ ଚାରିଦିଗେ । ନଦୀ ସ୍ୱରୂପେ ଅତିବେଗେ ॥ ୨୯
ଏବେ ହୋ ଶୁଣ ମହୀପତି । ଚରଣ ଧୋଇ ପ୍ରଜାପତି ॥ ୩୦
ଘେନି ସୁଗନ୍ଧ ପୁଷ୍ପମାଳ । ଚନ୍ଦନ କର୍ପୂର ଶୀତଳ ॥ ୩୧
ସନ୍ନିଧେ ଦୂପ ଦୀପ ଥୋଇ । ଫଳ ଅକ୍ଷତ ଲାଜା ଦେଇ ॥ ୩୨
ଜୟ ଶବଦେ ସ୍ତୁତି ଭଣି । ନିର୍ମଳ ବାକ୍ୟେ ବେଦବାଣୀ ॥ ୩୩
ବିଷ୍ଣୁର ମହିମା ଉକତେ । ତାଣ୍ତବ ବାଦ୍ୟ ନୃତ୍ୟଗୀତେ ॥ ୩୪
ଶଙ୍ଖଦୁନ୍ଦୁଭି ଶୂନ୍ୟେ ଘୋଷେ । ସର୍ବେ ମିଳିଲେ ବିଷ୍ଣୁପାଶେ ॥ ୩୫
ଅତି ଉଲ୍ଲାସେ ଜାମ୍ବବାନ । ମିଳିଲା ବିଷ୍ଣୁ ସନ୍ନିଧାନ ॥ ୩୬
ବିଷ୍ଣୁର ଯଶ ଗାଇ ତୋଷେ । ଯେ ଯଶ ପୂରେ ଦଶଦିଶେ ॥ ୩୭
ଏମନ୍ତ ମହୋତ୍ସବ ଦେଖି । ଅସୁର ଭୁବନ ଉପେକ୍ଷି ॥ ୩୮
ଦ୍ୱିପାଦ ଦାନେ ସ୍ୱର୍ଗ ମହୀ । ପୂରିଲା ବାମନର ଦେହୀ ॥ ୩୯
ସ୍ୱସ୍ଥାନେ ରହି ନ ପାରିଲେ । ବଳିର ସମୀପେ ମିଳିଲେ ॥ ୪୦
ଗୁରୁବଚନେ କୋପଚିତ୍ତେ । ବୋଲନ୍ତି ବଳିର ଅଗ୍ରତେ ॥ ୪୧
ଅସୁରଗଣ ଉବାଚ
ବ୍ରାହ୍ମଣ ନୋହେ ଏ ବାମନ । ପ୍ରତ୍ୟକ୍ଷେ ପ୍ରଭୁ ଭଗବାନ ॥ ୪୨
ମାୟାବୀମାନଙ୍କ ମୋହନ । କପଟେ ମାଗେ ଭୂମିଦାନ ॥ ୪୩
ମାୟଆବୀମାନଙ୍କର ବର । ସମ୍ପଦ ହରିଲା ତୋହର ॥ ୪୪
ବାମନରୂପ ଏ ଜଗତେ । ଦେବଙ୍କ କାର୍ଯ୍ୟସିଦ୍ଧି ଅର୍ଥେ ॥ ୪୫
ଏ ବଳି ନିତ୍ୟେ ସତ୍ୟବ୍ରତ । ବିଶେଷେ ବ୍ରାହ୍ମଣ ଭକତ ॥ ୪୬
କେବେହେଁ ମିଥ୍ୟା ଏ ନ କହେ । ଦୁଃଜନଙ୍କୁ ଦୟା ବହେ ॥ ୪୭
ଆମ୍ଭର ପ୍ରଭୁ ଏ ରାଜନ । ନିଶ୍ଚେ ବଇରୀ ଏ ବାମନ ॥ ୪୮
ଆସ ଏହାକୁ ବଧ କର । ବଳିକି ସଙ୍କଟୁ ଉଦ୍ଧର ॥ ୪୯
ଏ ମଲେ ଶତ୍ରୁ ନାହିଁ ଦୁଜା । ବଳି ହୋଇବ ସ୍ୱର୍ଗେ ରାଜା ॥ ୫୦
ଆମ୍ଭେ କରିବା ତୋର କାର୍ଯ୍ୟ । ହେ ଦୈତ୍ୟ ବଳି ମହାରାଜ ॥ ୫୧
ଏମନ୍ତ ବୋଲି ଏକଚିତ୍ତେ । ଅସୁରେ ଧାଇଁଲେ ତୁରିତେ ॥ ୫୨
ଶୂଳ ଖଡ଼ଗ ଧରି କରେ । ଧାଇଁଲେ ଘୋରନାଦ ଭରେ ॥ ୫୩
ଶବଦେ ଭୁବନ କମ୍ପିଲା । ସିନ୍ଧୁ କି ଉଛୁଳି ପଡ଼ିଲା ॥ ୫୪
ତାହାଙ୍କୁ ଦେଖି ବିଷ୍ଣୁଗଣେ । ତକ୍ଷଣେ ଉଭାରିଲେ ରଣୈ ॥ ୫୫
ମିଳିଲେ କରେ ଶସ୍ତ୍ର ଧରି । ଶଙ୍ଖ-ଶବଦେ ମୋଦ ଭରି ॥ ୫୬
ନନ୍ଦ ସୁନନ୍ଦ ଜୟ ଆଦି । ବିଜୟ ପ୍ରବଳ ସୁବୁଦ୍ଧି ॥ ୫୭
ବଳ କୁମୁଦ କୁମୁଦାକ୍ଷ । ବିନତାସୁତ ଆଦି ଦକ୍ଷ ॥ ୫୮
ବିଶ୍ୱକସେନ ଯେ ଜୟନ୍ତ । ସୁବାହୁ ପିଶଙ୍ଗୀ ସମସ୍ତ ॥ ୫୯
ସାତ୍ୱତ ପୁଷ୍ପଦନ୍ତ ବୀର । ଶ୍ରୁତଦେବ ଯେ ମନୋହର ॥ ୬୦
ଦଶସହସ୍ର ହସ୍ତୀବଳ । ସ୍ୱଭାବେ ତେଜ ଅନର୍ଗଳ ॥ ୬୧
ବେଗେ ମିଳିଲେ ଘୋରରଣୈ । କୁଞ୍ଜରେ ଯେହ୍ନେ ପଦ୍ମବନେ ॥ ୬୨
ଅସୁରବଳ ନାଶ ଦେଖି । ବଳି ହୋଇଲା ମନେ ଦୁଃଖୀ ॥ ୬୩
ଗୁରୁବଚନ ମନେ ସ୍ମରି । ବୋଲଇ ଜଣ କଣ କରି ॥ ୬୪
ହେ ବିପ୍ରଚିତ୍ତି ବ୍ୟଗ୍ରଗତି । ହେ ରାହୁ କଉଣପପତି ॥ ୬୫
ମୋର ବଚନ ଚିତ୍ତେ ଧର । କେବେ ହେଁ ସମର ନ କର ॥ ୬୬
ଆମ୍ଭର ନୋହେ ଜୟକାଳ । ଈଶ୍ୱର-ମାୟା ଅନ୍ତରାଳ ॥ ୬୭
ଯେ ପ୍ରଭୁ ବଳେ ବଳବନ୍ତା । ପ୍ରାଣୀଙ୍କ ଦୁଃଖ-ସୁଖ-ଦାତା ॥ ୬୮
ସେ ଯେ ଅଶେଷ ମାୟାଧର । ସଂସାର ଯାର ଖେଡ଼ଘର ॥ ୬୯
ସେ ଯାକୁ କାଳେ ବାମହୋଇ । ତାହାର ଜୟ ଯଶ କାହିଁ ॥ ୭୦
ଯେବେ ଦଇବ ଆମ୍ଭପକ୍ଷେ । ସୁକାଳ ହୋଇବ ପ୍ରତ୍ୟକ୍ଷେ ॥ ୭୧
ତେବେ ଜିଣିବା ଆମ୍ଭେ ରଣେ । ଏମନ୍ତ ବୋଧି ଜଣେ ଜଣେ ॥ ୭୨
ଶୁକ ଉବାଚ
ବଳି ବଚନ ବୀରେ ଶୁଣି । ଜୟଅଜୟ ପରିମାଣି ॥ ୭୩
ପୁଣି ମିଳିବୁ ଜୟକାଳେ । ଏମନ୍ତ ବୋଲି ରସାତଳେ ॥ ୭୪
ପଶିଲେ ମନେ କ୍ରୋଧଭରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୭୫
ଗରୁଡ଼ ବିଷ୍ଣୁ ଆଜ୍ଞା ପାଇ । ବଳି ସମୀପେ କ୍ରୋଧ ବହି ॥ ୭୬
ବରୁଣ ପାଶ ଘେନି କରେ । ବଳିକୁ ଯଜ୍ଞର ଶାଳରେ ॥ ୭୭
ସୋମ-ଅଭିଷେକ-ଦିବସେ । ବଳିକୁ ବାନ୍ଧେ ଅତି ରୋଷେ ॥ ୭୮
ଶୁଭିଲା ହାହାକାର ନାଦ । ଅସୁରେ ଲଭିଲେ ବିଷାଦ ॥ ୭୯
ବଳିର ଦେଖିଣ ବନ୍ଧନ । ବୋଲନ୍ତି ପ୍ରଭୁ ଭଗବାନ ॥ ୮୦
ତୃତୀୟପାଦ ମୋର କରେ । ଦେଲୁ ଯେ ଓଁକାର ଉଚ୍ଚାରେ ॥ ୮୧
ଭୂମି ଗଗନେ ବେନିପାଦ । ଆବର ପାଦ ଶୂନ୍ୟେ ଭେଦ ॥ ୮୨
ତୃତୀୟପାଦ ଏବେ ଦିଅ । ସଙ୍କଳ୍ପ ଦୋଷୁ ପାରି ହୁଅ ॥ ୮୩
ଯାବଟ ଚନ୍ଦ୍ର ସୂର୍ଯ୍ୟ ଦିଶେ । ପବନ ଅନଳ ପ୍ରକାଶେ ॥ ୮୪
ତାବତ ଭୂମି ଏ ତୋହର । ମୁଁ ଯେ ଘେନିଲି ବେନିପୁର ॥ ୮୫
ତୃତୀୟପାଦେ ସ୍ଥାନ ଦେଇ । ତୁଏବେ ରହ ସୁଖୀ ହୋଇ ॥ ୮୬
ନ ଦେଲେ ପଡ଼ିବୁ ନରକେ । ଅଯଶ ହେବ ତିନିଲୋକେ ॥ ୮୭
ଏମନ୍ତ ବଳି ଆଗେ କହି । ବିଷ୍ଣୁ ରହିଲେ ସ୍ଥିର ହୋଇ ॥ ୮୮
ବଳିର ସତ୍ୟ ଧ୍ୟାନ କରି । ମାୟାସଂସାରୁ ଯାନ୍ତି ତରି ॥ ୮୯
ସୁଜନେ ଏଣେ ମନ ଦିଅ । ଯେବେ ଖଣ୍ତିବ ମାୟାମୋହ ॥ ୯୦
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିନିଗ୍ରହୋ ନାମ ବିଂଶୋଽଧ୍ୟାୟଃ ॥
* * *