ଅଷ୍ଟମ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ମୃଦୁବାଣୀ । ଶୁଣ ପାଣ୍ତବ-ଚୂଡ଼ାମଣି ॥ ୧
ବଳି ଯେ ଅସୁରଙ୍କ ପତି । ସ୍ୱଭାବେ ଧର୍ମେ ଶୁଦ୍ଧମତି ॥ ୨
କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥ ୩
ତୁନି ହୋଇଲା କ୍ଷଣମାତ୍ର । ଶିଥିଳେ କମ୍ପମାନ ଗାତ୍ର ॥ ୪
କ୍ଷଣକେ ଗୁରୁ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୫
ବଳି ଉବାଚ
ଭୋ ଗୁରୁ ସତ୍ୟ ତୁମ୍ଭ କଥା । ଗୃହସ୍ଥ ଧର୍ମର ବ୍ୟବସ୍ଥା ॥ ୬
ଯେ ଧର୍ମେ ଅର୍ଥ କାମ ଯଶ । ବୃତ୍ତି ସହିତେ ଯିବ ନାଶ ॥ ୭
ଏବେ ମୁଁ ଧନେ ହୋଇ ଲୋଭୀ । ବିପ୍ରଙ୍କୁ କେମନ୍ତେ ଲଂଘିବି ॥ ୮
ସର୍ବଦେବତା ବିଷ୍ଣୁ ଦେହେ । ବ୍ରାହ୍ମଣ ଦେହେ ବିଷ୍ଣୁ ରହେ ॥ ୯
ଏକ ବିପ୍ରଙ୍କୁ ବଞ୍ଚାଇଲେ । ବ୍ରହ୍ମାଣ୍ତ ନାଶ ଯାଇ ଭଲେ ॥ ୧୦
ମୁଁ ପ୍ରହଲ୍ଲାଦ ବଂଶେ ଜାତ । ଏ କଥା ଜଗତେ ବିଖ୍ୟାତ ॥ ୧୧
କେମନ୍ତେ ସତ୍ୟବାକ୍ୟ କହି । କପଟ କରି ମାୟା ବହି ॥ ୧୨
ଲଂଘିବି ପାପ-କର୍ମ-ବଳେ । ଅଯଶ ଲଭିବି ଶୟଳେ ॥ ୧୩
ସତ୍ୟ ଉପରେ ଧର୍ମ ନାହିଁ । ଏ କଥା ଭୂମି ଅଛି କହି ॥ ୧୪
ସର୍ବ ଅପ୍ରାଧ ସହିପାରେ । ମିଥ୍ୟାର ଭାରେ ମୁହିଁ ଡରେ ॥ ୧୫
ଅଧର୍ମ କରନ୍ତି ଯେ ଜନେ । ନରକେ ପଡ଼ନ୍ତି ସେମାନେ ॥ ୧୬
ନ ଡ଼ରେ ଦୁଃଖ ପାରାବାରେ । ନରକେ କିବା ମରଣରେ ॥ ୧୭
ସ୍ୱସ୍ଥାନ ଭ୍ରଷ୍ଟେ ନାହିଁ ତପ । ବିପ୍ର-ଲଂଘନେ ମହାପାପ ॥ ୧୮
ଏ ଭୂମି ଛାଡ଼ି ଅନ୍ତକାଳେ । ମୁହିଁ ଗମିବି ଅନ୍ତରାଳେ ॥ ୧୯
ଏ ଭୂମି ବିପ୍ର କରେ ଦେଇ । କେମନ୍ତେ ଲଂଘିବଇଁ ମୁହିଁ ॥ ୨୦
ପ୍ରାଣୀଙ୍କ ହିତେ ସାଧୁଜନ । ତ୍ୟଜନ୍ତି ଏ ଧନ-ଜୀବନ ॥ ୨୧
ଦଧୀଚି ଆଦି ଋଷି ଯେତେ । ପୂର୍ବେ ଯେ ସାଧବ ସମସ୍ତେ ॥ ୨୨
ପୃଥିବୀ ଆତ୍ମବଶ କଲେ । ସଙ୍ଗତେ କିବା ଘେନିଗଲେ ॥ ୨୩
ମୋହର ବଂଶର ଅସୁରେ । ଏ ଭୂମି ମଧ୍ୟେ ଯେତେ ଥିଲେ ॥ ୨୪
ସେ ସର୍ବ କାଳେ ଅସ୍ତ ଗଲେ । ଯଶ ରହିଲା ମହୀତଳେ ॥ ୨୫
ସମରେ ଯେ ବୀରେ ପଶନ୍ତି । ଆତ୍ନ-ବିଚାର ନ କରନ୍ତି ॥ ୨୬
ଯେ ତୀର୍ଥେ ତ୍ୟଜନ୍ତି ଶରୀର । ସ୍ୱଧର୍ମେ କରନ୍ତି ବିଚାର ॥ ୨୭
ଯେ ସତପାତ୍ରେ ଦ୍ୟନ୍ତି ଦାନ । ସେ ସର୍ବେ ସାତ୍ତ୍ୱିକ-ଜୀବନ ॥ ୨୮
ଏ ସତ୍ୟ-ଧର୍ମ ଦୂର କରି । ତୁମ୍ଭ ବଚନ ମନେ ଧରି ॥ ୨୯
ଏ ମୋର ଶରୀର ନଥିବ । ଏଥକୁ ସାକ୍ଷୀ ସଦାଶିବ ॥ ୩୦
ବ୍ରହ୍ମାର ବଂଶେ ଜାତ ହୋଇ । ଏମନ୍ତ କହ କାହିଁପାଇଁ ॥ ୩୧
ନିଶ୍ଚେ ଧରଣୀ ଦେବି ଦାନ । ଏଥକୁ ସାକ୍ଷୀ ଭଗବାନ ॥ ୩୨
ବେଦ-ବିଧାନ ଯେ ଜାଣନ୍ତି । ଆତ୍ମାକୁ ସର୍ବଭୂତେ ଚିନ୍ତି ॥ ୩୩
ଅନେକ ଯଜ୍ଞମତେ ଚିନ୍ତି । ଯାର ଚରଣ ନ ଲଭନ୍ତି ॥ ୩୪
ସେ ହରି ମୋତେ ଦୟା କରୁ । ଅଥବା ଶରୀର ସଂହାରୁ ॥ ୩୫
ତହିଁକି ଚିନ୍ତା ମୋର ନାହିଁ । ବିପ୍ରେ ଧରଣୀ ଦେବି ମୁହିଁ ॥ ୩୬
ଅଧର୍ମ-ମାର୍ଗେ ଯେବେ ମୋତେ । ବିପ୍ର ମାରିବ କୋପଚିତ୍ତେ ॥ ୩୭
ଏ ବ୍ରହ୍ମତନୁ ଇଷ୍ଟ ମୋର । ମୁଁ ତ ଏହାର ନିର୍ବଇର ॥ ୩୮
ଛଦ୍ମେ ବ୍ରାହ୍ମଣ ରୂପ ଧରି । ବିଷ୍ଣୁ ମୋ ସଙ୍ଗେ ବାଦ କରି ॥ ୩୯
ଯେବେ ମାରିବେ ଯୁଦ୍ଧେ ମୋତେ । ମୋ ତହୁଁ ଧନ୍ୟ କେ ଜଗତେ ॥ ୪୦
ବ୍ୟାସତନୟ କହେ ଧୀର । ଶୁଣ ପରୀକ୍ଷ ମହୀଧର ॥ ୪୧
ଶୁକ ଉବାଚ
ଏମନ୍ତ ଶୁଣି ବଳି ମୁଖେ । ସେ ଭୃଗୁସୁତ ମନଦୁଃଖେ ॥ ୪୨
ବଳିର ସତ୍ୟକଳ୍ପ ଦେଖି । କ୍ରୋଧେ ଅରୁଣ କଲା ଆଖି ॥ ୪୩
କଟାକ୍ଷ ନୟନେ ଅନାଇଁ । ମୁଖେ କି ଅନଳ ଜଳଇ ॥ ୪୪
ନିର୍ଘାତେ କମ୍ପିତ-ନିଃଶ୍ୱାସେ । ବଳିକି ଶାପ ଦେଲା ରୋଷେ ॥ ୪୫
ଶୁକ୍ର ଉବାଚ
ତୁ ସତ୍ୟସନ୍ଧ ନୃପମଣି । ମୋହର ମହିମା ନଜାଣି ॥ ୪୬
ଗର୍ବ ବହିଲୁ ଯେବେ ଦୁଷ୍ଟ । ସର୍ବ ସମ୍ପଦୁ ହୁଅ ଭ୍ରଷ୍ଟ ॥ ୪୭
ଏମନ୍ତେ ଗୁରୁଶାପ ପାଇ । ଧରଣୀ-ଦାନେ ମନଦେଇ ॥ ୪୮
ବାମନ ବେନିପାଦ ଧରି । ବିଧିପୂର୍ବକ ପୂଜା କରି ॥ ୪୯
ବଳିର ପତ୍ନୀ ବିନ୍ଧ୍ୟାବଳୀ । କଣ୍ଠେ ଭୂଷଣ ରତ୍ନମାଳୀ ॥ ୫୦
ଉଦକେ ପୂର୍ଣ୍ଣ ଘଟ ବେଗେ । ଘେନି ମିଳିଲା ସ୍ୱାମୀ ଆଗେ ॥ ୫୧
ବଳି ବାମନପାଦ ଯୁଗେ । ଜଳ ଢାଳିଲା ନେଇ ବେଗେ ॥ ୫୨
ପାଦଉଦକ ଘେନି ଶିରେ । ଆନନ୍ଦ ପୁଲକ ଶରୀରେ ॥ ୫୩
ଯେ ଜଳ ଭୁବନପାବିନୀ । କାନ୍ତକାମିନୀ ଶିରେ ଘେନି ॥ ୫୪
କୃତାର୍ଥ ହୋଇ କରଯୋଡ଼ି । କିଙ୍କର ପ୍ରାୟେ ପାଦ ପଡ଼ି ॥ ୫୫
ଆନନ୍ଦ-ସାଗରେ ବୁଡ଼ିଲେ । ଶୂନ୍ୟେ ଯେ ଦେବେ ଦେଖୁଥିଲେ ॥ ୫୬
ଗନ୍ଧର୍ବଗଣ ବିଦ୍ୟାଧର । ସୁସିଦ୍ଧ ଚାରଣ କିନ୍ନର ॥ ୫୭
କରନ୍ତି ଜୟ ଜୟ ବାଣୀ । କୁସୁମ କଳ୍ପବୃକ୍ଷୁ ଆଣି ॥ ୫୮
ସିଞ୍ଚିଣ ସନ୍ଦାକିନୀ-ବାରି । ପୁଷ୍ପ ବରଷି ସ୍ତୁତି କରି ॥ ୫୯
ସହସ୍ର ଦୁନ୍ଦୁଭି ଶବଦ । ବଜାନ୍ତି ଚତୁର୍ବିଧ ବାଦ୍ୟ ॥ ୬୦
ନୃତ୍ୟ କରନ୍ତି ଅପସରୀ । ମଙ୍ଗଳ ନାଦେ ମୋଦଭରି ॥ ୬୧
ଆଗରେ ଉଭା ତାର ବାଣୀ । ବଳି ଘେନିଲା କୁଶ ପାଣି ॥ ୬୨
ବେଦ-ବଚନେ ବାକ୍ୟ କରି । କାନ୍ତ-କାମିନୀ ମୋଦଭରି ॥ ୬୩
ବାମନ କଲେ ବେଦନାଦ । ଧରଣୀ ଦେଲା ତିନିପାଦ ॥ ୬୪
ଆତ୍ନସନ୍ତୋଷେ ଯେତେ ଧନ । ଦକ୍ଷିଣା ଦେଲା ଯଜମାନ ॥ ୬୫
ତାର ଦୁର୍ଲ୍ଲଭ କଥା ଶୁଣି । ଦେବେ କରନ୍ତି ଜୟବାଣୀ ॥ ୬୬
ବାମନ କରେ ଜଳ ଘେନି । ପାଦକେ ଢାଙ୍କିଲେ ଅବନୀ ॥ ୬୭
ବାମନ ବଳି-ମୁଖ ଚାହିଁ । ବୋଲନ୍ତି ଆଉ ମହୀ କାହିଁ ॥ ୬୮
ବଳି ବୋଇଲା ଦେବି ସ୍ୱର୍ଗ । ବାମନ ପାଦ ଦେଲେ ବେଗ ॥ ୬୯
ଦ୍ୱିତୀୟ ପାଦେ ସ୍ୱର୍ଗ ଝାମ୍ପେ । ଘୋର-ଶବଦେ ଦିଗ କମ୍ପେ ॥ ୭୦
ଅଦ୍ଭୁତ ବାମନ ଶରୀର । ପୂରିଲା ସ୍ୱର୍ଗ-ଅଭ୍ୟନ୍ତର ॥ ୭୧
ବଳି ଯେ ଆଚାର୍ଯ୍ୟ ସହିତେ । ଅଛନ୍ତି ବାମନ ଅଗ୍ରତେ ॥ ୭୨
ଦେଖଇ ବାମନ ଶରୀର । ଦେବଦାନବେ ଅଗୋଚର ॥ ୭୩
ନିର୍ଗୁଣ ଆତ୍ମା ସେ ସ୍ୱଭାବେ । କିବା ଉପମା ଦେବା ଏବେ ॥ ୭୪
ବେନିଚରଣ ଭୂ-ଆକାଶେ । ପର୍ବତଗଣ ଜଂଘଦେଶେ ॥ ୭୫
ବିହଙ୍ଗଗଣ ଜାନୁମୂଳେ । ଉଡ଼ନ୍ତି ଜନ୍ତୁ ଅନ୍ତରାଳେ ॥ ୭୬
ସନ୍ଧ୍ୟା ଦିଶଇ ବସ୍ତ୍ରପ୍ରାୟେ । ନିଜ ସ୍ୱଭାବେ ବିଶ୍ୱକାୟେ ॥ ୭୭
ଗୁହ୍ୟଦେଶରେ ପ୍ରଜାପତି । ଜଘନେ ଅସୁରେ ବସନ୍ତି ॥ ୭୮
ନାଭି ପ୍ରଦେଶେ ନଭ ଦିଶେ । ସପତ ସିନ୍ଧୁ କୁକ୍ଷିଦେଶେ ॥ ୭୯
ଊରେ ବିରାଜେ ତାରାଗଣ । ଯେହ୍ନେ ଅଳଙ୍କାର-ଭୂଷଣ ॥ ୮୦
ଧର୍ମ ବିରାଜେ ହୃଦମଧ୍ୟେ । ନିଜ ଶରୀର ଅଧଊର୍ଦ୍ଧ୍ୱେ ॥ ୮୧
ସ୍ତନମଣ୍ତଳେ ଊତ-ସତ୍ୟ । ମନେ ନିବାସ ନିଶାନାଥ ॥ ୮୨
କମଳା ହୃଦୟେ ବିରାଜେ । ବେନି କମଳ କରେ ସାଜେ ॥ ୮୩
କଣ୍ଠେ ବିରାଜେ ସାମବେଦ । ଆବର ଯେ ଅବା ଶବଦ ॥ ୮୪
ବାସବ ଆଦି ଦିଗପାଳେ । ଭୁଜେ ବସନ୍ତି ଅନ୍ତରାଳେ ॥ ୮୫
ଗଗନ ଦିଶେ ଶିର ଦେଶେ । ମେଘେ ଦିଶନ୍ତି କେଶପାଶେ ॥ ୮୬
ନାସିକା ମଧ୍ୟେ ହୋଇ ଶ୍ୱାସ । ବହେ ପବନ ଅଣଚାଶ ॥ ୮୭
ବେନି ଲୋଚନେ ରବି ଦିଶେ । ବଦନେ ଅନଳ ପ୍ରକାଶେ ॥ ୮୮
ସପତ ଛନ୍ଦ ବାଣୀ ଦେଶେ । ଜିହ୍ୱାରେ ବରୁଣ ପ୍ରକାଶେ ॥ ୮୯
ବିଧି ନିଷେଧ ଭୂରୁ ଦେଶେ । ରାତ୍ର ଦିବସ ପକ୍ଷ୍ମେ ଦିଶେ ॥ ୯୦
ଲଲାଟେ କ୍ରୋଧ ପ୍ରକାଶଇ । ଅଧର ଓଷ୍ଠେ ଲୋଭ ବହି ॥ ୯୧
ସ୍ପରଶେ କନ୍ଦର୍ପ ରହଇ । ରେତେ ସଲିଳ ବିରାଜଇ ॥ ୯୨
ଅଧର୍ମ ପୃଷ୍ଠ ଦେଶେ ରହେ । କ୍ରମଣ ମାର୍ଗେ ଯଜ୍ଞ ଶୋହେ ॥ ୯୩
ଛାୟାରେ ମୃତ୍ୟୁ ବିରାଜଇ । ହସିତ ମାୟାରେ ବସଇ ॥ ୯୪
ବୃକ୍ଷ-ଔଷଧି ରୋମଗଣ । ଆଶ୍ରିତ ନାନା ପୁଷ୍ପବନ ॥ ୯୫
ନଦୀ-ସମୂହ ନାଡ଼ୀଦେଶେ । ଅଚଳକୁଳ ନଖେ ବସେ ॥ ୯୬
ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ । ପ୍ରାଣେ ଦେବତା-ଊଷି ସାଧ୍ୟେ ॥ ୯୭
ସ୍ଥାବର ଜଙ୍ଗମ ସହିତେ । କୀଟ ପତଙ୍କ ଦିଶେ ଗାତ୍ରେ ॥ ୯୮
ସର୍ବାଙ୍ଗେ ଦିଶେ ତିନିପୁର । ଦେବମାନବେ ଅଗୋଚର ॥ ୯୯
ନିଜ ଆୟୂଧ ଅଷ୍ଟଭୁଜେ । ଶଙ୍ଖ କମଳ ଚକ୍ର ସାଜେ ॥ ୧୦୦
ଗଦା ସାରଙ୍ଗ ଅସିବର । ତୂଣ ଅକ୍ଷୟ ବାଣ ଶର ॥ ୧୦୧
ସୁନନ୍ଦ ଆଦି ପାରିଷଦେ । ସମୀପେ ଖଟନ୍ତି ଆନନ୍ଦେ ॥ ୧୦୨
ଦିଗ ଉଭାରି ଦିଗପାଳେ । ମୁନି ବିବୁଧ ଅନ୍ତରାଳେ ॥ ୧୦୩
କିରୀଟ ଅଙ୍ଗଦ ଉଜ୍ଜ୍ୱଳ । ଶ୍ରବଣେ ମକରକୁଣ୍ତଳ ॥ ୧୦୪
ଶ୍ରୀବତ୍ସଚିହ୍ନ ବନମାଳା । କଟୀରେ ସୁବର୍ଣ୍ଣ ମେଖଳା ॥ ୧୦୫
ବନମାଳାର ଗନ୍ଧ ଆଶେ । ଭ୍ରମରେ ଉଡ଼ୁଛନ୍ତି ପାଶେ ॥ ୧୦୬
ପାଦକେ ଧରଣୀ ପୁରିଲା । ଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା ॥ ୧୦୭
ଦିଗ ପୂରିଲା ଅଷ୍ଟଭୁଜେ । ମେଘେ ଦିଶନ୍ତି ଚୂଳ ମାଝେ ॥ ୧୦୮
ଏମନ୍ତେ ବାମନର ଦେହୀ । ତୃତୀୟ ପାଦ ଠାବ ନାହିଁ ॥ ୧୦୯
ମହତ-ଜନ-ତପ-ଲୋକେ । ଲୁଚିଲେ ବାମନ ମସ୍ତକେ ॥ ୧୧୦
ବୋଲଇ ଦାସ ଜଗନ୍ନାଥ । ଅଦ୍ଭୁତ ବାମନ ଚରିତ ॥ ୧୧୧
ସୁଜନେ ଚିନ୍ତ ଏକ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୧୨
ବଳି-ବାମନର ପ୍ରସ୍ତାବ । ଶୁଣି ତ୍ରିତାପୁ ନିସ୍ତରିବ ॥ ୧୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନବିଶ୍ୱରୂପସର୍ଶନଂ ନାମ ଊନବିଂଶୋଽଧ୍ୟାୟଃ ॥
* * *