ଅଷ୍ଟମ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ଶୁକ କହନ୍ତି ତୋଷମନେ । ଶୁଣ ପରୀକ୍ଷ ସାବଧାନେ ॥ ୧
ଶୁକ ଉବାଚ
ଏମନ୍ତେ ବଳି ବାକ୍ୟ ଶୁଣି । ସନ୍ତୋଷେ ପ୍ରଭୁ ପଦ୍ମପାଣି ॥ ୨
ବଳିର ବାକ୍ୟେ ପ୍ରୀତି କରି । ବଟୁ ବାମନ ରୂପ ଧରି ॥ ୩
ବୋଲନ୍ତି ମଧୁର ବଚନ । ଯେ ବାକ୍ୟ ମୋହେ ପ୍ରାଣୀ ମନ॥ ୪
ଭଗବାନ ଉବାଚ
ହେ ବଳିରାଜା ତୁହି ଧନ୍ୟ । କୁଳ ଉଚିତ ତୋ ବଚନ ॥ ୫
ଧର୍ମସଂଯୁତ ଯଶସ୍କର । ପାରଲୌକିକ ଧର୍ମପର ॥ ୬
ଯାହାର ବଂଶେ ପୁରୋହିତ । ଭାର୍ଗବ ପଦ୍ମଯୋନିସୁନି ॥ ୭
ପ୍ରହ୍ଲାଦ ଯାର ପିତାମହ । ବିଷ୍ଣୁ ଭଜନେ ମହାଶୟ ॥ ୮
ଏ କୁଳେ ନାହିଁ ବଳହୀନ । ନିଃସତ୍ତ୍ୱ କୃପଣ ଜୀବନ ॥ ୯
ବ୍ରାହ୍ମଣେ ଦାନ ତୁମ୍ଭ କୁଳେ । ପ୍ରସିଦ୍ଧି ଭୁବନ ମଣ୍ତଳେ ॥ ୧୦
ଯାହାର ବଂଶେ ରଣତୀର୍ଥ । ସଂଗ୍ରାମେ ନୁହଁନ୍ତି ନିସତ ॥ ୧୧
ଅତିଥି ଆଗମନ ସୁଖୀ । ଦୁଃଖଜନଙ୍କ ଦୁଃଖେ ଦୁଃଖୀ ॥ ୧୨
ନିର୍ମଳ ଯଶ ଯାର କୁଳେ । ବିଖ୍ୟାତ ଭୁବନମଣ୍ତଳେ॥ ୧୩
ପ୍ରହ୍ଲାଦ ଜାତ ଯେଉଁ କୁଳେ । ଯେହ୍ନେ ଶଶାଙ୍କ ତାରା ମେଳେ ॥ ୧୪
ଯେ ବଂଶେ ହିରଣ୍ୟାକ୍ଷ ବୀର । ଦେବ-ଦାନବେ ଅଗୋଚର ॥ ୧୫
ହିରଣ୍ୟାକ୍ଷ ଯେ ଗଦାପାଣି । ଉଦ୍ଦଣ୍ତେ ଭ୍ରମଇ ଧରଣୀ ॥ ୧୬
ତାହାର ସଙ୍ଗେ ଗଦାଯୁଦ୍ଧେ । କେହି ନ ମିଳେ ରଣମଧ୍ୟେ ॥ ୧୭
ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୧୮
ପାତାଳୁ ଆଗମନ କାଳେ । ସେ ବୀର ଥିଲା ମହାଜଳେ ॥ ୧୯
ଅନେକ ମାୟାଯୁଦ୍ଧ କଲା । ବିଷ୍ଣୁର ଗଦାଘାତେ ମଲା ॥ ୨୦
ତାର ମହିମା ଚକ୍ରପାଣି । ଆନନ୍ଦେ ରୁଦ୍ର ଆଗେ ଭଣି ॥ ୨୧
ହରଗଉରୀଙ୍କ ଅଗ୍ରତେ । ସେ ବିଷ୍ଣୁ କହେ ତୋଷଚିତ୍ତେ ॥ ୨୨
ସେ ହରି ହିରଣ୍ୟାକ୍ଷ ମାରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୨୩
ଆତ୍ମାକୁ ବୀରଜୟୀ ମଣି । ସକଳ ସଭାମଧ୍ୟେ ଭଣି ॥ ୨୪
ତାହାର ବଧ ଶୁଣି ରଣେ । ହିରଣ୍ୟକଶିପୁ ତକ୍ଷଣେ ॥ ୨୫
ଭ୍ରାତୃ ମରଣେ କ୍ରୋଧ କରି । ପ୍ରଚଣ୍ତ ଶୂଳ କରେ ଧରି ॥ ୨୬
ଶମନ ତୁଲ୍ୟ କୋପମନେ । ମିଳିଲା ବିଷ୍ଣୁର ଭୁବନେ ॥ ୨୭
ଗୋବିନ୍ଦ ତାର ଆଗମନ । ଦେଖିଣ ତେଜିଲେ ଆସନ ॥ ୨୮
କୃତାନ୍ତ ପ୍ରାୟ ଶୂଳ ତୋଳି । ଧାମଇଁ କୋପେ ମହାବଳୀ ॥ ୨୯
ସେ ବିଷ୍ଣୁମାୟା ଯୋଗବଳେ । ଅଦ୍ଭୁତ ଦେଖି ପଳାଇଲେ ॥ ୩୦
ଲୀଳାଏ ଯାନ୍ତେ ବନମାଳୀ । ଦେଖି ବିଚାରେ ମହାବଳୀ ॥ ୩୧
ଏ ମୋର ମାରିଅଛି ଭାଇ । ନିଶ୍ଚୟେ ଶତ୍ରୁ ମୋର ଏହି ॥ ୩୨
ଏହାକୁ ପ୍ରାଣେ ନାଶ କଲେ । ତେବେ ଜୀବନେ ଥିବି ଭଲେ ॥ ୩୩
ଏମନ୍ତେ ଚିନ୍ତି ଶୂଳ ଧରି । ପଛେ ଧାଇଁଲା ରୋଷଭରି ॥ ୩୪
ବିଷ୍ଣୁ ପଳାନ୍ତି ତାକୁ ଦେଖି । ସଂଭ୍ରମେ ଭୁବନ ଉପେକ୍ଷି ॥ ୩୫
ଯେଣେ ପଳାନ୍ତେ ନରହରି । ଧାଏଁ ଅସୁର ଶୂଳ ଧରି ॥ ୩୬
ସେ ବିଷ୍ଣୁ କରନ୍ତି ବିଚାର । ସ୍ୱଭାବେ ଅଜେୟ ଅସୁର ॥ ୩୭
ଏହାକୁ ମାୟା ମୁଁ ନକଲେ । କେମନ୍ତେ ପୁରେ ଥିବି ଭଲେ ॥ ୩୮
ଏହାର ହୃଦୟେ ମୁଁ ପଶି । ମାୟାରେ ମଙ୍କୁ ଆକର୍ଷି ॥ ୩୯
ଯେମନ୍ତେ ମୋତେ ଏ ନ ପାଇ । ବିମୁଖେ ନିଜ ପୁରେ ଯାଇ ॥ ୪୦
ମୋର ବିଷୟେ କରି କ୍ରୋଧ । କାଳେ ହୋଇବ ପ୍ରାଣେ ବଧ ॥ ୪୧
ଏମନ୍ତେ ବିଷ୍ଣୁ ବିଚାରିଲେ । ମାୟାରେ ଅନ୍ତର ହୋଇଲେ ॥ ୪୨
ତାର ଶରୀର ପ୍ରାଣରନ୍ଧ୍ରେ । ବିଷ୍ଣୁ ପଶିଲେ ଯୋଗବନ୍ଧେ ॥ ୪୩
ବିଷ୍ଣୁ ନ ଦେଖି ମହାକ୍ରୋଧେ । ଗର୍ଜିଲା ଭୟଙ୍କର ନାଦେ ॥ ୪୪
ଆକାଶ ଦିଗ ଯେ ବିବର । ପୃଥିବୀ ସ୍ୱର୍ଗ ଯେ ସାଗର ॥ ୪୫
ସର୍ବତ୍ର ଅନ୍ୱେଷଣ କଲା । କୁତ୍ରାପି ହରି ନ ପାଇଲା ॥ ୪୬
ସେ ବୀର ବିଚାରଇ ମନେ । ଏ ତ ଭାଜିଲା ଭୟଛନ୍ନେ ॥ ୪୭
ନିଶ୍ଚୟ ବୈକୁଣ୍ଠକୁ ଗଲା । ଏମନ୍ତ ବୋଲି ବାହୁଡ଼ିଲା ॥ ୪୮
ପଥେ ଚଳନ୍ତେ ମନେ ଭାବି । ବୋଲି ଅବଶ୍ୟ ମାରିବି ॥ ୪୯
ସେ ମୋର ଭ୍ରାତୃ-ହତ୍ୟାକାରୀ । ଏମନ୍ତେ ମନେ କ୍ରୋଧଭରି ॥ ୫୦
ଜୀବନ ଥିବା ପରିଯନ୍ତେ । ବିଷ୍ଣୁ ନ ଭଜେ କୋପଚିତ୍ତେ ॥ ୫୧
ହରିର ତୁଲେ ବାଦ କଲା । ଅନ୍ତେ ସେ ବୈକୁଣ୍ଠକୁ ଗଲା ॥ ୫୨
ତାର ତନୟ ପ୍ରହଲ୍ଲାଦ । ତୋ ପିତା ତାହାର ଦାୟାଦ ॥ ୫୩
ବିଷ୍ଣୁଭକତ ମହାଶୟ । ଦେବଦାନବେ ସେ ଅଜେୟ ॥ ୫୪
ଦେବଙ୍କ କପଟ ଜାଣିଲା । ବ୍ରାହ୍ମଣ ବୋଲି ଆୟୁ ଦେଲା ॥ ୫୫
ତାହାର ବଂଶେ ତୁହି ଜାତ । ସ୍ୱଭାବେ ଅଟୁ ଭାଗ୍ୟବନ୍ତ ॥ ୫୬
ବ୍ରହ୍ମାଣ୍ତେ ମହିମା ତୋହର । ଏ କୁଳେ ଅତି ଯଶସ୍କର ॥ ୫୭
ତିନିଭୁବନେ ତୁ ଯେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୫୮
ଏଣୁ ତୋହର ହସ୍ତେ ତୁହି । ନିବାସ ଅର୍ଥେ କିଛି ଭୂଇଁ ॥ ୫୯
ମୋହର ପାଦେ ପାଦ ତିନି । ମାପିଣ ଦିଅ ହେ ମେଦିନୀ ॥ ୬୦
ଦାରା ତନୟ ମୋର ନାହିଁ । କେବଳ ବାସ୍ତୁ ମୁଁ ଇଚ୍ଛଇ ॥ ୬୧
ଏ ଭୂମିଦାନ ଦିଅ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥ ୬୨
ତୁ ଅଟୁ ଜଗତ ଈଶ୍ୱର । ଆନେ କି ପ୍ରୟୋଜନ ମୋର ॥ ୬୩
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥ ୬୪
ବଳି ବାମନ-ବାକ୍ୟ ଶୁଣି । ହସି କହଇ ମନେ ଗୁଣି ॥ ୬୫
ବଳି ଉବାଚ
ଭୋ ବିପ୍ର ଶୁଣ ମୋ ଉତ୍ତର । ତୁ ଅଟୁ ବାଳକ ଶରୀର ॥ ୬୬
ବୃଦ୍ଧର ପ୍ରାୟେ କଥା କହୁ । ବିଚାରେ ବାଳକ ତୁ ନୋହୁ ॥ ୬୭
ସ୍ୱଭାବେ ବାଳବୃଦ୍ଧି ଘେନି । ନ ଜାଣୁ ଆତ୍ମା-ଲାଭ-ହାନି ॥ ୬୮
ଅଜ୍ଞାନ ପ୍ରାୟେ ବହୁମତି । ଏ ତୋର ବିପରୀତ ଗତି ॥ ୬୯
ମୁହିଁ ତ୍ରିଲୋକେ ଏକ ରାଜା । ସର୍ବେ କରନ୍ତି ପାଦପୂଜା ॥ ୭୦
ତ୍ରିପାଦ ଭୂମି ମାଗୁଁ ମୋତେ । ଏ ଦାନ ଦେବି ମୁଁ କେମନ୍ତେ ॥ ୭୧
ଲୋକେ କରିବେ ଉପହାସ । ଏ କଥା ନୋହଇ ବିଶ୍ୱାସ ॥ ୭୨
ଯେ ବିପ୍ର ମୋର ଦାନ ନେବ । ସେ କିମ୍ପା ଆନକୁ ମାଗିବ ॥ ୭୩
ଏଣୁ ବହୁତ-ବୃତ୍ତିକାରୀ । ଭୋ ବିପ୍ର ମାଗ ବସୁନ୍ଧରୀ ॥ ୭୪
ଏମନ୍ତ ବଳି ମୁଖୁଁ ଶୁଣି । ବଟୁ-ବାମନ କହେ ପୁଣି ॥ ୭୫
ବାମନ ଉବାଚ
ଶୁଣ ହୋ ବଳି ନୃପନାଥ । ଅଜ୍ଞାନୀଜନଙ୍କର ମତ ॥ ୭୬
ସମୁଦ୍ର ଆବରଣେ ମହୀ । ଏତେ ସମ୍ପଦ ଯେବେ ପାଇ ॥ ୭୭
ତେବେ ହେଁ ଆଶା ନ ପୂରଇ । ଶୁଣ ନୃପତି ମନଦେଇ ॥ ୭୮
ସପତଦ୍ୱୀପେ ଅଧିପତି । ଥିଲେ ଯେ ଅନେକ ନୃପତି ॥ ୭୯
ବେଣତନୟ ଗୟ ଆଦି । ଅସଂଖ୍ୟ-ଅତୁଳ-ସମ୍ପତ୍ତି ॥ ୮୦
ସେ ଅର୍ଥ-କାମ ଯେତେ କଲେ । ତୃଷ୍ଣାର ଅନ୍ତ ନ ପାଇଲେ ॥ ୮୧
ପୂର୍ବର କର୍ମଫଳ ଲଇ । ଯେ ଦିନେ ଯେ ଅବା ମିଳଇ ॥ ୮୨
ତେଣେ ସନ୍ତୋଷ ଚିତ୍ତ ଯାର । ସେ ପ୍ରାଣୀ ତ୍ରିଜଗତେ ସାର ॥ ୮୩
ସନ୍ତୋଷେ ତେଜ ବଢ଼େ ଭଲେ । ଘୃତେ ଅନଳ ଯେହ୍ନେ ଜଳେ ॥ ୮୪
ଯେ ଅର୍ଥ-କାମେ ଅସନ୍ତୋଷ । ହେଳେ ତା ତେଜ ହୋଏ ନାଶ ॥ ୮୫
ଉଭୟଲୋକେ ସୁଖ ନାହିଁ । ସେ ପ୍ରାଣୀ ଥିବ ଅବା କାହିଁ ॥ ୮୬
ଅର୍ଜନେ ଅସନ୍ତୋଷ ହେଲେ । ଅତୁଷ୍ଟେ ପଡ଼ଇ ପାତାଳେ ॥ ୮୭
ଅତୁଷ୍ଟି ଜଳବିନ୍ଦୁ ହୋଇ । ଅଗ୍ନିର ତେଜ ସେ ଲିଭାଇ ॥ ୮୮
ଏଣୁ ସମ୍ପଦେ କାର୍ଯ୍ୟ ନାହିଁ । ତ୍ରିପାଦ ଭୂମି ଦିଅ ତୁହି ॥ ୮୯
ଏକଇ ମାତ୍ର ମୋ ଜୀବନ । ଅଧିକେ କିବା ପ୍ରୟୋଜନ ॥ ୯୦
ଆନନ୍ଦେ କହେ ବ୍ୟାସସୁତ । ଶୁଣ ହେ ନୃପ ପରୀକ୍ଷିତ ॥ ୯୧
ଶୁକ ଉବାଚ
ଏମନ୍ତେ ବିପ୍ର ଯହୁଁ ଭାଷି । ସେ ବାକ୍ୟ ଶୁଣି ବଳି ହସି ॥ ୯୨
ବୋଲଇ ଧରି କୁଶପାଣି । ତୋ ପାଦ-ପ୍ରମାଣେ ଧରଣୀ ॥ ୯୩
ଦେବଇଁ ସତ୍ୟ ମୋ ବଚନ । ଭୋ ବିପ୍ର ତୋଷଚିତ୍ତେ ଘେନ ॥ ୯୪
ଶୁକ୍ର ଯେ ବଳି ପାଶେ ଥିଲା । ଦାନର ନିର୍ଣ୍ଣୟ ଜାଣିଲା ॥ ୯୫
କରଅଞ୍ଜଳି ବ୍ୟଗ୍ରେ ଧରି । ବଳିକି କହେ ଆଗସରି ॥ ୯୬
ଶୁକ୍ର ଉବାଚ
ଶୁଣ ହେ ବିରୋଚନ ସୁତ । ତୋର ଦେଖଇଁ ବିପରୀତ ॥ ୯୭
ପାତ୍ର-ଅପାତ୍ର ତୁ ନ ଜାଣୁ । ବିପ୍ରଙ୍କୁ ଦାନେ ପରିମାଣୁ ॥ ୯୮
ଦେଖ ଏ ପ୍ରଭୁ ଭଗବାନ । କପଟେ ଶରୀର ବାମନ ॥ ୯୯
ବିବୁଧକୁଳ ରକ୍ଷା କାର୍ଯ୍ୟେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥ ୧୦୦
ଅଦିତି-ଗର୍ଭେ ଜାତ ହୋଇ । ଅଇଲେ ତୋର ମନମୋହି ॥ ୧୦୧
ଅର୍ଥ ଅନର୍ଥ ତୁ ନ ଜାଣି । ହସ୍ତେ ଧଇଲୁ କୁଶପାଣି ॥ ୧୦୨
ଦିତିର ଗର୍ଭେ ଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୦୩
ଏ ବିଷ୍ଣୁ ତୋର ଯଶଶିରୀ । ମାୟା ବାମନ ରୂପେ ହରି ॥ ୧୦୪
ଇନ୍ଦ୍ରକୁ ଦେବ ବୁଦ୍ଧିବଳେ । ତୁ ମୂଢ଼ ପଶିବୁ ପାତାଳେ ॥ ୧୦୫
ତିନିଚରଣେ ତିନିପୁରେ । ସମ୍ପଦ ହରିବ ତୋହର ॥ ୧୦୬
ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ । ତୁ ମୂଢ଼ ବିଶ୍ରାମିବୁ କାହିଁ ॥ ୧୦୭
ପାଦକେ ଅବନୀ ପୂରିବ । ଶରୀର ବ୍ରହ୍ମାଣ୍ତେ ଘୋଟିବ ॥ ୧୦୮
ଦ୍ୱିତୀୟ ପାଦେ ହୃଷୀକେଶ । ବିକ୍ରମି ଘେନିବ ଆକାଶ ॥ ୧୦୯
ତୃତୀୟପାଦ କାହୁଁ ଦେବୁ । ନିଶ୍ଚୟେ ନରକେ ପଡ଼ିବୁ ॥ ୧୧୦
ସଙ୍କଳ୍ପ କରି ଦାନ ଅର୍ଥେ । ପଛେ ନ ଦ୍ୟନ୍ତି ଯେ ଯୁଗତେ ॥ ୧୧୧
ସେ କାହିଁ ଥିବେ ଏ ସଂସାରେ । ପଡ଼ନ୍ତି ଅନ୍ଧତମ ଘୋରେ ॥ ୧୧୨
ଯେ ଦାନେ ବୃତ୍ତି ଯାଏ ନାଶ । କୁଳ ସମ୍ପଦ ଧର୍ମ ଯଶ ॥ ୧୧୩
ସେ ଦାନ କେବେହେଁ ନକରି । ଯଶ ସମ୍ପଦ ପରିହରି ॥ ୧୧୪
ଧର୍ମ ଅର୍ଥ ଯେ ଯଶ କାମ । ଆବର କୁଟୁମ୍ବ ପୋଷଣ ॥ ୧୧୫
ଏଥକୁ ରଖି ଦାନ କଲେ । ଆନନ୍ଦ ଲଭେ ପ୍ରାଣୀ ଭଲେ ॥ ୧୧୬
ପୂର୍ବେ ଯେ ସିଦ୍ଧମୁନି ଯେତେ । ସେ କହିଛନ୍ତି ଧର୍ମଶାସ୍ତ୍ରେ ॥ ୧୧୭
ତାହା କହିବା ତୋ ଅଗ୍ରତେ । ରାଜନ ଶୁଣ ଏକଚିତ୍ତେ ॥ ୧୧୮
ମନବଚନେ ସତ୍ୟକରି । ଓଁ କାର-ବାକ୍ୟ ଯେ ଉଚ୍ଚାରି ॥ ୧୧୯
ଦେବି ମୁଁ ବୋଲି ସତ୍ୟକରେ । କେ ତାହା ଜ୍ଞାନ ଥାଉଁ ହରେ ॥ ୧୨୦
ମିଥ୍ୟା ବୋଲିଟି ତାର ନାମ । ଜାଣ ହେ ଅସୁରଉତ୍ତମ ॥ ୧୨୧
ଏ ଦେହ-ବୃକ୍ଷ ମିଥ୍ୟାମୂଳ । ସତ୍ୟ ଯେ ତାର ଫୁଲଫଳ ॥ ୧୨୨
ବୃକ୍ଷର ନାଶେ ନାଶ ଯାନ୍ତି । ବୃକ୍ଷର ମୂଳ ଥିଲେ ଥାନ୍ତି ॥ ୧୨୩
ସଙ୍କଳ୍ପ-ସତ୍ୟ ନାଶ ଯାନ୍ତେ । ଅଙ୍କୁର ନୁହଁଇ ବିହିତେ ॥ ୧୨୪
ଅ କାର ଉ କାର ମ କାରେ । ଶବ୍ଦ ଉଚ୍ଚାର ପ୍ରଣବରେ ॥ ୧୨୫
ଯେ ତାହା ଅଜ୍ଞାନେ ହରନ୍ତି । ନିଜ ଶରୀର ନ ଧରନ୍ତି ॥ ୧୨୬
ରତି-ସମ୍ଭାଗେ ନାରୀ ସଙ୍ଗେ । ବିବାହେ କନ୍ୟାବର ଯୋଗେ ॥ ୧୨୭
ବୃତ୍ତ୍ୟର୍ଥେ ପ୍ରାଣର ସଙ୍କଟେ । ଗୋରୁ-ବ୍ରାହ୍ମଣଙ୍କର କଷ୍ଟେ ॥ ୧୨୮
ମିଥ୍ୟା କହିଲେ ଯେବେ ତରେ । ଏ କଥା କେ ଅବା ନ କରେ ॥ ୧୨୯
ଗୁରୁ ଏମନ୍ତ ବାକ୍ୟ କହି । ବଳି ତା ବାକ୍ୟେ ମନ ଦେଇ ॥ ୧୩୦
ସଂଶୟ ରହିଲା ତା ଚିତ୍ତେ । ଗୁରୁ ବଚନେ ଧର୍ମମତେ ॥ ୧୩୧
ବଳି-ବାମନ ବାକ୍ୟବନ୍ଧେ । ଯେମନ୍ତେ ଏ ଅଷ୍ଟମସ୍କନ୍ଧେ ॥ ୧୩୨
ସୁଜନେ ଶୁଣ ଏକ ଚିତ୍ତେ । ହରିଚରିତ ଭାଗବତେ ॥ ୧୩୩
ଶ୍ରୀହରି-ଚରିତ ଏ ଭାବ । ଭାବିଲେ ସଂସାରୁ ତରିବ ॥ ୧୩୪
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ଅଷ୍ଟାଦଶୋଽଧ୍ୟାୟଃ ॥
* * *