ଅଷ୍ଟମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ଶୁକ କ‌ହ‌ନ୍ତି ତୋଷମନେ । ଶୁଣ ପରୀକ୍ଷ ସାବଧାନେ ॥

ଶୁକ ଉବାଚ

ଏମନ୍ତେ ବଳି ବାକ୍ୟ ଶୁଣି । ସନ୍ତୋଷେ ପ୍ରଭୁ ପଦ୍ମ‌ପାଣି ॥

ବଳିର ବାକ୍ୟେ ପ୍ରୀତି କରି । ବଟୁ ବାମନ ରୂପ ଧରି ॥

ବୋଲନ୍ତି ମଧୁର ବଚନ । ଯେ ବାକ୍ୟ ମୋହେ ପ୍ରାଣୀ ମନ॥

ଭଗବାନ ଉବାଚ

ହେ ବଳିରାଜା ତୁହି ଧନ୍ୟ । କୁଳ ଉଚିତ ତୋ ବଚନ ॥

ଧର୍ମସଂଯୁତ ଯଶସ୍କର । ପାରଲୌକିକ ଧର୍ମ‌ପର ॥

ଯାହାର ବଂଶେ ପୁରୋହିତ । ଭାର୍ଗବ ପଦ୍ମ‌ଯୋନିସୁନି ॥

ପ୍ରହ୍ଲାଦ ଯାର ପିତାମ‌ହ । ବିଷ୍ଣୁ ଭଜନେ ମହାଶୟ ॥

ଏ କୁଳେ ନାହିଁ ବଳହୀନ । ନିଃସତ୍ତ୍ୱ କୃପଣ ଜୀବନ ॥

ବ୍ରାହ୍ମଣେ ଦାନ ତୁମ୍ଭ କୁଳେ । ପ୍ରସିଦ୍ଧି ଭୁବନ ମଣ୍ତଳେ ॥ ୧୦

ଯାହାର ବଂଶେ ରଣତୀର୍ଥ । ସଂଗ୍ରାମେ ନୁହଁନ୍ତି ନିସତ ॥ ୧୧

ଅତିଥି ଆଗମନ ସୁଖୀ । ଦୁଃଖଜନ‌ଙ୍କ ଦୁଃଖେ ଦୁଃଖୀ ॥ ୧୨

ନିର୍ମଳ ଯଶ ଯାର କୁଳେ । ବିଖ୍ୟାତ ଭୁବନମଣ୍ତଳେ॥ ୧୩

ପ୍ରହ୍ଲାଦ ଜାତ ଯେଉଁ କୁଳେ । ଯେହ୍ନେ ଶଶାଙ୍କ ତାରା ମେଳେ ॥ ୧୪

ଯେ ବଂଶେ ହିରଣ୍ୟାକ୍ଷ ବୀର । ଦେବ-ଦାନବେ ଅଗୋଚର ॥ ୧୫

ହିରଣ୍ୟାକ୍ଷ ଯେ ଗଦାପାଣି । ଉଦ୍ଦଣ୍ତେ ଭ୍ରମଇ ଧରଣୀ ॥ ୧୬

ତାହାର ସଙ୍ଗେ ଗଦାଯୁଦ୍ଧେ । କେହି ନ ମିଳେ ରଣମଧ୍ୟେ ॥ ୧୭

ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୧୮

ପାତାଳୁ ଆଗମନ କାଳେ । ସେ ବୀର ଥିଲା ମହାଜଳେ ॥ ୧୯

ଅନେକ ମାୟାଯୁଦ୍ଧ କଲା । ବିଷ୍ଣୁର ଗଦାଘାତେ ମଲା ॥ ୨୦

ତାର ମହିମା ଚକ୍ରପାଣି । ଆନନ୍ଦେ ରୁଦ୍ର ଆଗେ ଭଣି ॥ ୨୧

ହରଗଉରୀଙ୍କ ଅଗ୍ରତେ । ସେ ବିଷ୍ଣୁ କ‌ହେ ତୋଷଚିତ୍ତେ ॥ ୨୨

ସେ ହରି ହିରଣ୍ୟାକ୍ଷ ମାରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୨୩

ଆତ୍ମାକୁ ବୀରଜୟୀ ମଣି । ସକଳ ସଭାମଧ୍ୟେ ଭଣି ॥ ୨୪

ତାହାର ବଧ ଶୁଣି ରଣେ । ହିରଣ୍ୟକଶିପୁ ତକ୍ଷଣେ ॥ ୨୫

ଭ୍ରାତୃ ମରଣେ କ୍ରୋଧ କରି । ପ୍ରଚଣ୍ତ ଶୂଳ କରେ ଧରି ॥ ୨୬

ଶମନ ତୁଲ୍ୟ କୋପମନେ । ମିଳିଲା ବିଷ୍ଣୁର ଭୁବନେ ॥ ୨୭

ଗୋବିନ୍ଦ ତାର ଆଗମନ । ଦେଖିଣ ତେଜିଲେ ଆସନ ॥ ୨୮

କୃତାନ୍ତ ପ୍ରାୟ ଶୂଳ ତୋଳି । ଧାମଇଁ କୋପେ ମହାବଳୀ ॥ ୨୯

ସେ ବିଷ୍ଣୁମାୟା ଯୋଗବଳେ । ଅଦ୍‌ଭୁତ ଦେଖି ପଳାଇଲେ ॥ ୩୦

ଲୀଳାଏ ଯାନ୍ତେ ବନମାଳୀ । ଦେଖି ବିଚାରେ ମ‌ହାବଳୀ ॥ ୩୧

ଏ ମୋର ମାରିଅଛି ଭାଇ । ନିଶ୍ଚୟେ ଶତ୍ରୁ ମୋର ଏହି ॥ ୩୨

ଏହାକୁ ପ୍ରାଣେ ନାଶ କଲେ । ତେବେ ଜୀବନେ ଥିବି ଭଲେ ॥ ୩୩

ଏମନ୍ତେ ଚିନ୍ତି ଶୂଳ ଧରି । ପଛେ ଧାଇଁଲା ରୋଷଭରି ॥ ୩୪

ବିଷ୍ଣୁ ପଳାନ୍ତି ତାକୁ ଦେଖି । ସଂଭ୍ରମେ ଭୁବନ ଉପେକ୍ଷି ॥ ୩୫

ଯେଣେ ପଳାନ୍ତେ ନରହରି । ଧାଏଁ ଅସୁର ଶୂଳ ଧରି ॥ ୩୬

ସେ ବିଷ୍ଣୁ କରନ୍ତି ବିଚାର । ସ୍ୱଭାବେ ଅଜେୟ ଅସୁର ॥ ୩୭

ଏହାକୁ ମାୟା ମୁଁ ନ‌କଲେ । କେମନ୍ତେ ପୁରେ ଥିବି ଭଲେ ॥ ୩୮

ଏହାର ହୃଦୟେ ମୁଁ ପଶି । ମାୟାରେ ମଙ୍କୁ ଆକର୍ଷି ॥ ୩୯

ଯେମନ୍ତେ ମୋତେ ଏ ନ ପାଇ । ବିମୁଖେ ନିଜ ପୁରେ ଯାଇ ॥ ୪୦

ମୋର ବିଷୟେ କରି କ୍ରୋଧ । କାଳେ ହୋଇବ ପ୍ରାଣେ ବଧ ॥ ୪୧

ଏମନ୍ତେ ବିଷ୍ଣୁ ବିଚାରିଲେ । ମାୟାରେ ଅନ୍ତର ହୋଇଲେ ॥ ୪୨

ତାର ଶରୀର ପ୍ରାଣରନ୍ଧ୍ରେ । ବିଷ୍ଣୁ ପଶିଲେ ଯୋଗବନ୍ଧେ ॥ ୪୩

ବିଷ୍ଣୁ ନ ଦେଖି ମହାକ୍ରୋଧେ । ଗର୍ଜିଲା ଭୟଙ୍କର ନାଦେ ॥ ୪୪

ଆକାଶ ଦିଗ ଯେ ବିବର । ପୃଥିବୀ ସ୍ୱର୍ଗ ଯେ ସାଗର ॥ ୪୫

ସର୍ବତ୍ର ଅନ୍ୱେଷଣ କଲା । କୁତ୍ରାପି ହରି ନ ପାଇଲା ॥ ୪୬

ସେ ବୀର ବିଚାରଇ ମନେ । ଏ ତ ଭାଜିଲା ଭୟଛନ୍ନେ ॥ ୪୭

ନିଶ୍ଚୟ ବୈକୁଣ୍ଠକୁ ଗଲା । ଏମନ୍ତ ବୋଲି ବାହୁଡ଼ିଲା ॥ ୪୮

ପଥେ ଚଳନ୍ତେ ମନେ ଭାବି । ବୋଲି ଅବଶ୍ୟ ମାରିବି ॥ ୪୯

ସେ ମୋର ଭ୍ରାତୃ-ହତ୍ୟାକାରୀ । ଏମନ୍ତେ ମନେ କ୍ରୋଧଭରି ॥ ୫୦

ଜୀବନ ଥିବା ପରିଯନ୍ତେ । ବିଷ୍ଣୁ ନ ଭଜେ କୋପଚିତ୍ତେ ॥ ୫୧

ହରିର ତୁଲେ ବାଦ କଲା । ଅନ୍ତେ ସେ ବୈକୁଣ୍ଠକୁ ଗଲା ॥ ୫୨

ତାର ତନୟ ପ୍ରହଲ୍ଲାଦ । ତୋ ପିତା ତାହାର ଦାୟାଦ ॥ ୫୩

ବିଷ୍ଣୁଭକତ ମହାଶୟ । ଦେବଦାନବେ ସେ ଅଜେୟ ॥ ୫୪

ଦେବଙ୍କ କପଟ ଜାଣିଲା । ବ୍ରାହ୍ମଣ ବୋଲି ଆୟୁ ଦେଲା ॥ ୫୫

ତାହାର ବଂଶେ ତୁହି ଜାତ । ସ୍ୱଭାବେ ଅଟୁ ଭାଗ୍ୟବନ୍ତ ॥ ୫୬

ବ୍ରହ୍ମାଣ୍ତେ ମହିମା ତୋହର । ଏ କୁଳେ ଅତି ଯଶସ୍କର ॥ ୫୭

ତିନିଭୁବନେ ତୁ ଯେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୫୮

ଏଣୁ ତୋହର ହସ୍ତେ ତୁହି । ନିବାସ ଅର୍ଥେ କିଛି ଭୂଇଁ ॥ ୫୯

ମୋହର ପାଦେ ପାଦ ତିନି । ମାପିଣ ଦିଅ ହେ ମେଦିନୀ ॥ ୬୦

ଦାରା ତନୟ ମୋର ନାହିଁ । କେବଳ ବାସ୍ତୁ ମୁଁ ଇଚ୍ଛଇ ॥ ୬୧

ଏ ଭୂମିଦାନ ଦିଅ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥ ୬୨

ତୁ ଅଟୁ ଜଗତ ଈଶ୍ୱର । ଆନେ କି ପ୍ରୟୋଜନ ମୋର ॥ ୬୩

କ‌ହ‌ନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥ ୬୪

ବଳି ବାମନ-ବାକ୍ୟ ଶୁଣି । ହ‌ସି କ‌ହଇ ମନେ ଗୁଣି ॥ ୬୫

ବଳି ଉବାଚ

ଭୋ ବିପ୍ର ଶୁଣ ମୋ ଉତ୍ତର । ତୁ ଅଟୁ ବାଳକ ଶରୀର ॥ ୬୬

ବୃଦ୍ଧର ପ୍ରାୟେ କଥା କ‌ହୁ । ବିଚାରେ ବାଳକ ତୁ ନୋହୁ ॥ ୬୭

ସ୍ୱଭାବେ ବାଳବୃଦ୍ଧି ଘେନି । ନ ଜାଣୁ ଆତ୍ମା-ଲାଭ-ହାନି ॥ ୬୮

ଅଜ୍ଞାନ ପ୍ରାୟେ ବ‌ହୁମତି । ଏ ତୋର ବିପରୀତ ଗତି ॥ ୬୯

ମୁହିଁ ତ୍ରିଲୋକେ ଏକ ରାଜା । ସର୍ବେ କରନ୍ତି ପାଦପୂଜା ॥ ୭୦

ତ୍ରିପାଦ ଭୂମି ମାଗୁଁ ମୋତେ । ଏ ଦାନ ଦେବି ମୁଁ କେମନ୍ତେ ॥ ୭୧

ଲୋକେ କରିବେ ଉପ‌ହାସ । ଏ କଥା ନୋହଇ ବିଶ୍ୱାସ ॥ ୭୨

ଯେ ବିପ୍ର ମୋର ଦାନ ନେବ । ସେ କିମ୍ପା ଆନ‌କୁ ମାଗିବ ॥ ୭୩

ଏଣୁ ବ‌ହୁତ-ବୃତ୍ତିକାରୀ । ଭୋ ବିପ୍ର ମାଗ ବସୁନ୍ଧରୀ ॥ ୭୪

ଏମନ୍ତ ବଳି ମୁଖୁଁ ଶୁଣି । ବଟୁ-ବାମନ କ‌ହେ ପୁଣି ॥ ୭୫

ବାମନ ଉବାଚ

ଶୁଣ ହୋ ବଳି ନୃପନାଥ । ଅଜ୍ଞାନୀଜନଙ୍କର ମତ ॥ ୭୬

ସମୁଦ୍ର ଆବରଣେ ମହୀ । ଏତେ ସମ୍ପଦ ଯେବେ ପାଇ ॥ ୭୭

ତେବେ ହେଁ ଆଶା ନ ପୂରଇ । ଶୁଣ ନୃପତି ମନ‌ଦେଇ ॥ ୭୮

ସପତଦ୍ୱୀପେ ଅଧିପତି । ଥିଲେ ଯେ ଅନେକ ନୃପତି ॥ ୭୯

ବେଣତନୟ ଗୟ ଆଦି । ଅସଂଖ୍ୟ-ଅତୁଳ-ସମ୍ପତ୍ତି ॥ ୮୦

ସେ ଅର୍ଥ-କାମ ଯେତେ କଲେ । ତୃଷ୍ଣାର ଅନ୍ତ ନ ପାଇଲେ ॥ ୮୧

ପୂର୍ବର କର୍ମଫଳ ଲଇ । ଯେ ଦିନେ ଯେ ଅବା ମିଳଇ ॥ ୮୨

ତେଣେ ସନ୍ତୋଷ ଚିତ୍ତ ଯାର । ସେ ପ୍ରାଣୀ ତ୍ରିଜଗତେ ସାର ॥ ୮୩

ସନ୍ତୋଷେ ତେଜ ବଢ଼େ ଭଲେ । ଘୃତେ ଅନଳ ଯେହ୍ନେ ଜଳେ ॥ ୮୪

ଯେ ଅର୍ଥ-କାମେ ଅସନ୍ତୋଷ । ହେଳେ ତା ତେଜ ହୋଏ ନାଶ ॥ ୮୫

ଉଭୟଲୋକେ ସୁଖ ନାହିଁ । ସେ ପ୍ରାଣୀ ଥିବ ଅବା କାହିଁ ॥ ୮୬

ଅର୍ଜନେ ଅସନ୍ତୋଷ ହେଲେ । ଅତୁଷ୍ଟେ ପଡ଼ଇ ପାତାଳେ ॥ ୮୭

ଅତୁଷ୍ଟି ଜଳବିନ୍ଦୁ ହୋଇ । ଅଗ୍ନିର ତେଜ ସେ ଲିଭାଇ ॥ ୮୮

ଏଣୁ ସମ୍ପଦେ କାର୍ଯ୍ୟ ନାହିଁ । ତ୍ରିପାଦ ଭୂମି ଦିଅ ତୁହି ॥ ୮୯

ଏକଇ ମାତ୍ର ମୋ ଜୀବନ । ଅଧିକେ କିବା ପ୍ରୟୋଜନ ॥ ୯୦

ଆନନ୍ଦେ କ‌ହେ ବ୍ୟାସସୁତ । ଶୁଣ ହେ ନୃପ ପରୀକ୍ଷିତ ॥ ୯୧

ଶୁକ ଉବାଚ

ଏମନ୍ତେ ବିପ୍ର ଯ‌ହୁଁ ଭାଷି । ସେ ବାକ୍ୟ ଶୁଣି ବଳି ହସି ॥ ୯୨

ବୋଲଇ ଧରି କୁଶପାଣି । ତୋ ପାଦ-ପ୍ରମାଣେ ଧରଣୀ ॥ ୯୩

ଦେବଇଁ ସତ୍ୟ ମୋ ବଚନ । ଭୋ ବିପ୍ର ତୋଷଚିତ୍ତେ ଘେନ ॥ ୯୪

ଶୁକ୍ର ଯେ ବଳି ପାଶେ ଥିଲା । ଦାନର ନିର୍ଣ୍ଣୟ ଜାଣିଲା ॥ ୯୫

କରଅଞ୍ଜଳି ବ୍ୟଗ୍ରେ ଧରି । ବଳିକି କ‌ହେ ଆଗସରି ॥ ୯୬

ଶୁକ୍ର ଉବାଚ

ଶୁଣ ହେ ବିରୋଚନ ସୁତ । ତୋର ଦେଖଇଁ ବିପରୀତ ॥ ୯୭

ପାତ୍ର-ଅପାତ୍ର ତୁ ନ ଜାଣୁ । ବିପ୍ରଙ୍କୁ ଦାନେ ପରିମାଣୁ ॥ ୯୮

ଦେଖ ଏ ପ୍ରଭୁ ଭଗବାନ । କପଟେ ଶରୀର ବାମନ ॥ ୯୯

ବିବୁଧକୁଳ ରକ୍ଷା କାର୍ଯ୍ୟେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥ ୧୦୦

ଅଦିତି-ଗର୍ଭେ ଜାତ ହୋଇ । ଅଇଲେ ତୋର ମନମୋହି ॥ ୧୦୧

ଅର୍ଥ ଅନର୍ଥ ତୁ ନ ଜାଣି । ହସ୍ତେ ଧଇଲୁ କୁଶପାଣି ॥ ୧୦୨

ଦିତିର ଗର୍ଭେ ଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୦୩

ଏ ବିଷ୍ଣୁ ତୋର ଯଶଶିରୀ । ମାୟା ବାମନ ରୂପେ ହରି ॥ ୧୦୪

ଇନ୍ଦ୍ରକୁ ଦେବ ବୁଦ୍ଧିବଳେ । ତୁ ମୂଢ଼ ପଶିବୁ ପାତାଳେ ॥ ୧୦୫

ତିନିଚରଣେ ତିନିପୁରେ । ସମ୍ପଦ ହରିବ ତୋହର ॥ ୧୦୬

ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ । ତୁ ମୂଢ଼ ବିଶ୍ରାମିବୁ କାହିଁ ॥ ୧୦୭

ପାଦକେ ଅବନୀ ପୂରିବ । ଶରୀର ବ୍ରହ୍ମାଣ୍ତେ ଘୋଟିବ ॥ ୧୦୮

ଦ୍ୱିତୀୟ ପାଦେ ହୃଷୀକେଶ । ବିକ୍ରମି ଘେନିବ ଆକାଶ ॥ ୧୦୯

ତୃତୀୟପାଦ କାହୁଁ ଦେବୁ । ନିଶ୍ଚୟେ ନରକେ ପଡ଼ିବୁ ॥ ୧୧୦

ସଙ୍କଳ୍ପ କରି ଦାନ ଅର୍ଥେ । ପଛେ ନ ଦ୍ୟନ୍ତି ଯେ ଯୁଗତେ ॥ ୧୧୧

ସେ କାହିଁ ଥିବେ ଏ ସଂସାରେ । ପଡ଼ନ୍ତି ଅନ୍ଧତମ ଘୋରେ ॥ ୧୧୨

ଯେ ଦାନେ ବୃତ୍ତି ଯାଏ ନାଶ । କୁଳ ସମ୍ପଦ ଧର୍ମ ଯଶ ॥ ୧୧୩

ସେ ଦାନ କେବେହେଁ ନ‌କରି । ଯଶ ସମ୍ପଦ ପରିହରି ॥ ୧୧୪

ଧର୍ମ ଅର୍ଥ ଯେ ଯଶ କାମ । ଆବର କୁଟୁମ୍ବ ପୋଷଣ ॥ ୧୧୫

ଏଥକୁ ରଖି ଦାନ କଲେ । ଆନନ୍ଦ ଲଭେ ପ୍ରାଣୀ ଭଲେ ॥ ୧୧୬

ପୂର୍ବେ ଯେ ସିଦ୍ଧମୁନି ଯେତେ । ସେ କ‌ହିଛନ୍ତି ଧର୍ମଶାସ୍ତ୍ରେ ॥ ୧୧୭

ତାହା କ‌ହିବା ତୋ ଅଗ୍ରତେ । ରାଜନ ଶୁଣ ଏକଚିତ୍ତେ ॥ ୧୧୮

ମନବଚନେ ସତ୍ୟକରି । ଓଁ କାର-ବାକ୍ୟ ଯେ ଉଚ୍ଚାରି ॥ ୧୧୯

ଦେବି ମୁଁ ବୋଲି ସତ୍ୟକରେ । କେ ତାହା ଜ୍ଞାନ ଥାଉଁ ହରେ ॥ ୧୨୦

ମିଥ୍ୟା ବୋଲିଟି ତାର ନାମ । ଜାଣ ହେ ଅସୁରଉତ୍ତମ ॥ ୧୨୧

ଏ ଦେହ-ବୃକ୍ଷ ମିଥ୍ୟାମୂଳ । ସତ୍ୟ ଯେ ତାର ଫୁଲଫଳ ॥ ୧୨୨

ବୃକ୍ଷର ନାଶେ ନାଶ ଯାନ୍ତି । ବୃକ୍ଷର ମୂଳ ଥିଲେ ଥାନ୍ତି ॥ ୧୨୩

ସଙ୍କଳ୍ପ-ସତ୍ୟ ନାଶ ଯାନ୍ତେ । ଅଙ୍କୁର ନୁହଁଇ ବିହିତେ ॥ ୧୨୪

ଅ କାର ଉ କାର ମ କାରେ । ଶବ୍ଦ ଉଚ୍ଚାର ପ୍ରଣବରେ ॥ ୧୨୫

ଯେ ତାହା ଅଜ୍ଞାନେ ହରନ୍ତି । ନିଜ ଶରୀର ନ ଧରନ୍ତି ॥ ୧୨୬

ରତି-ସମ୍ଭାଗେ ନାରୀ ସଙ୍ଗେ । ବିବାହେ କନ୍ୟାବର ଯୋଗେ ॥ ୧୨୭

ବୃତ୍ତ୍ୟର୍ଥେ ପ୍ରାଣର ସଙ୍କଟେ । ଗୋରୁ-ବ୍ରାହ୍ମଣଙ୍କର କଷ୍ଟେ ॥ ୧୨୮

ମିଥ୍ୟା କ‌ହିଲେ ଯେବେ ତରେ । ଏ କଥା କେ ଅବା ନ କରେ ॥ ୧୨୯

ଗୁରୁ ଏମନ୍ତ ବାକ୍ୟ କ‌ହି । ବଳି ତା ବାକ୍ୟେ ମନ ଦେଇ ॥ ୧୩୦

ସଂଶୟ ରହିଲା ତା ଚିତ୍ତେ । ଗୁରୁ ବଚନେ ଧର୍ମମତେ ॥ ୧୩୧

ବଳି-ବାମନ ବାକ୍ୟବନ୍ଧେ । ଯେମନ୍ତେ ଏ ଅଷ୍ଟମସ୍କନ୍ଧେ ॥ ୧୩୨

ସୁଜନେ ଶୁଣ ଏକ ଚିତ୍ତେ । ହରିଚରିତ ଭାଗବତେ ॥ ୧୩୩

ଶ୍ରୀହରି-ଚରିତ ଏ ଭାବ । ଭାବିଲେ ସଂସାରୁ ତରିବ ॥ ୧୩୪

ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୩୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ଅଷ୍ଟାଦଶୋଽଧ୍ୟାୟଃ ॥

* * *