ଅଷ୍ଟମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଶ୍ରୀକୃଷ୍ଣ ଚିନ୍ତି ରାଜା ଚାହିଁ । ଶୁକ କ‌ହ‌ନ୍ତି ଭାବବ‌ହି ॥

ଶୁକ ଉବାଚ

ଶୁଣ ଅଭିମନ୍ୟୁନନ୍ଦନ । ଯେମନ୍ତେ ଜନ୍ମିଲେ ବାମନ ॥

ଅଦିତି ପୟୋବ୍ରତ ଫଳେ । ବିଷ୍ଣୁ ଜନ୍ମିଲେ ତାର କୋଳେ ॥

ତାଙ୍କ ଚରିତ ଶୁଣ ଏବେ । ଯେ ରୂପେ ବଳିକି ଛଳିବେ ॥

ବ୍ରହ୍ମାର ସ୍ତୁତି ଶୁଣି ତୋଷେ । ସେ ହରି ପରମ-ହରଷେ ॥

ଅମୃତବେଳେ ସୁଶରୀରେ । ହେଲେ ବାମନ ଅବତାରେ ॥

ଗ‌ଗନେ ଯେହ୍ନେ ଦିଙ୍କର । ବାମନ ଉଦରୁ ବାହାର ॥

ଅଦିତି ତ‌ହୁଁ ଭୂମିଗତେ । ବାମନ ଦେଖିଲେ ଅଗ୍ରତେ ॥

ନୀଳନୀରଦ ତନୁ ବର୍ଣ୍ଣ । ପ୍ରକାଶ କମଳ‌ଲୋଚନ ॥

ପୀତବସନ କଟୀଭାଗେ । ତଡ଼ିତ ଯେହ୍ନେ ନୀଳ ମେଘେ ॥ ୧୦

ରତ୍ନ‌କୁଣ୍ତଳ କର୍ଣ୍ଣ‌ଯୁଗେ । ଶ୍ରୀବସ୍ତ୍ରଚିହ୍ନ ହୃଦଭାଗେ ॥ ୧୧

ଊରେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ ॥ ୧୨

ମଣିମୁକୁଟ ଶିରେ ସାଜେ । ରତ୍ନମେଖଳା କଟି ମାଝେ ॥ ୧୩

ନୂପୁର କଙ୍କଣ ବିରାଜେ । ତେଜେ ଅନଙ୍ଗ-ରୂପ ଗଞ୍ଜେ ॥ ୧୪

କଣ୍ଠେ ଶ୍ରୀକରସ୍ତୂଭ ମଣି । ଅମୂଲ୍ୟ ରତ୍ନ ସୁଖଞ୍ଜଣି ॥ ୧୫

ପ୍ରସନ୍ନ ଦଶଦିଗ ଦିଶେ । ସଲିଳେ କମଳ ପ୍ରକାଶେ ॥ ୧୬

ଜଳଧି ଉଛୁଳେ ଉଲ୍ଲୋଳେ । କାନନେ ନାନାପୁଷ୍ପ ଲୋଳେ ॥ ୧୭

ଋତୁ ବ‌ହଇ ଗୁଣମତେ । ପ୍ରସରେ ଶରଦ ବସନ୍ତେ ॥ ୧୮

ସୁଗନ୍ଧ ପବନେ ଆମୋଦ । ଗ‌ଗନେ ମଙ୍ଗଳ-ଶବଦ ॥ ୧୯

ବ୍ରାହ୍ମଣ‌ଗଣେ ବେଦନାଦେ । ଅନଳ ପୂଜନ୍ତି ସମିଧେ ॥ ୨୦

ଗୋ ବିପ୍ର ଦେବ ଭୂ ପର୍ବତ । ଆକାଶ ହେଲେ ପ୍ରଫୁଲ୍ଲିତ ॥ ୨୧

ଭାଦ୍ରବ ମାସ ଶୁକ୍ଳପକ୍ଷେ । ଦ୍ୱାଦଶୀ ଶ୍ରବଣା ଯେ ଋକ୍ଷେ ॥ ୨୨

ମୁହୂର୍ତ୍ତ ନାମ ଅଭିଜିତ । ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ ॥ ୨୩

ସର୍ବ ନକ୍ଷତ୍ର ତାରାଗଣେ । ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ॥ ୨୪

ବିଜୟାଯୋଗର ମଧ୍ୟାହ୍ନେ । ଶଙ୍ଖଦୁନ୍ଦୁଭି ବାଦ୍ୟସ୍ୱନେ ॥ ୨୫

ମୃଦଙ୍ଗ ପଟ୍ଟ‌ହ ସମାନେ । ଶୁଭନ୍ତି ଭେରୀନାଦ ସ୍ୱନେ ॥ ୨୬

ବାଜନ୍ତି ଗୋମୁଖ ଆନ‌କ । ପଣବ ତୂରୀ ଯେ ଅନେକ ॥ ୨୭

ଗୀତ ବିନୋଦ ନୃତ୍ୟଗୋଳ । ଦିଗ ଉଛୁଳନ୍ତି ତୁମୁଳ ॥ ୨୮

ନାଚନ୍ତି ଅପସରାବୃନ୍ଦ । ଗନ୍ଧର୍ବେ ତାଳ ଯନ୍ତ୍ରବାଦ୍ୟ ॥ ୨୯

ଦେବତା-ପିତୃ-ମୁନିଗଣେ । ଅଗ୍ନି ସ‌ହିତେ ଜଣେ ଜଣେ ॥ ୩୦

ସ୍ତବନ୍ତି ସିଦ୍ଧ-ବିଦ୍ୟାଧରେ । ତୁଲେ କିଂପୁରୁଷ-କିନ୍ନତେ ॥ ୩୧

ଚାରଣ ଯକ୍ଷ ରକ୍ଷ ଆଦି । ପିଶାଚ ଗୁହ୍ୟକ ପ୍ରସିଦ୍ଧି ॥ ୩୨

ସ୍ତୁତି-ବଚନେ ଗୀତସ୍ୱରେ । ପୁଷ୍ପ ବର୍ଷନ୍ତି ନିରନ୍ତରେ ॥ ୩୩

ଅଦିତି ପରେ ପୁଷ୍ପବୃଷ୍ଟି । ଯେଣେ ଖଣ୍ତିବ ଜନ୍ମରିଷ୍ଟି ॥ ୩୪

ଅଦିତି ନିଜ ପୁତ୍ର ଦେଖି । ନିର୍ମଳ କଲା ବେନିଆଖି ॥ ୩୫

ଶ୍ରୀହରି ନିଜ ଯୋଗତେଜେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥ ୩୬

କଶ୍ୟପ ଜୟ ଜୟ ବାଣୀ । ମଙ୍ଗଳ ବେକବାକ୍ୟ ଭଣି ॥ ୩୭

ତକ୍ଷଣେ ପ୍ରଭୁ ଭଗବାନ । ରୂପ ପ୍ରକାଶିଲେ ବାମନ ॥ ୩୮

ଦେଖିଲେ ସର୍ବଦିଗପାଳେ । ଦେବୀ ଦେବତା ଅନ୍ତରାଳେ ॥ ୩୯

ବଟୁ ବାମନ ରୂପ ଦେଖି । ମୁନିଏ ଆଶ୍ରମ ଉପେକ୍ଷି ॥ ୪୦

କଶ୍ୟପ-ଆଶ୍ରମେ ମିଳିଲେ । ଜୟମଙ୍ଗଳ ସ୍ତୁତି କଲେ ॥ ୪୧

ବିଧାତା ଆଦି ମୁନି ତୁଲେ । ପୁତ୍ରର ଜାତକର୍ମ କଲେ ॥ ୪୨

ବାମନ-ଉପନୟ ଦେଖି । ସବିତା ଗ‌ଗନ ଉପେକ୍ଷି ॥ ୪୩

ସାବିତ୍ରୀମନ୍ତ୍ର କର୍ଣ୍ଣେ କ‌ହେ । ଯେଣେ ସବିତା ତେଜ ବ‌ହେ ॥ ୪୪

ଗୁରୁ ପଇତା ଦେଲେ କନ୍ଧେ । କଶ୍ୟପ ମେଖଳା ଆନନ୍ଦେ ॥ ୪୫

ଅବନୀ କୃଷ୍ଣାଜିତ ଦେଲା । ଶଶାଙ୍କ ଦଣ୍ତ ସମର୍ପିଲା ॥ ୪୬

ଅଦିତି ଦେଲା କଉପୀନ । ଆକାଶ କଲା ଛତ୍ର ଦାନ ॥ ୪୭

ମୁନିଏ କରେ ଦେଲେ ଦର୍ଭ । କମଣ୍ତଳୁ ଯେ ବେଦଗର୍ଭ ॥ ୪୮

ଶାରଦା ଦେଲେ ଅକ୍ଷମାଳା । ଯେମନ୍ତେ ବୁଦ୍ଧି ଅନର୍ଗଳା ॥ ୪୯

କୁବେର ରାଜା ଶୁଦ୍ଧଚିତ୍ତେ । ଭିକ୍ଷାପାତ୍ରେକ ଦେଲା ହସ୍ତେ ॥ ୫୦

ଅମ୍ୱିକା ଭିକ୍ଷା ଦେଲେ ଆଣି । ସଙ୍ଗତେ ବିପ୍ରଗଣ ଘେନେ ॥ ୫୧

ମୁନିଏ ବ୍ରହ୍ମତେଜ ଦେଲେ । ସ୍ତୁତିବଚନେ ତୋଷ କଲେ ॥ ୫୨

କଶ୍ୟପ ହୋମ କରାଇଲେ । ବିଧାତା ପୁରୁଷର ବୋଲେ ॥ ୫୩

ଏମନ୍ତେ ବିପ୍ରରୂପ ଧରି । ପୂର୍ଣ୍ଣ ଆହୁତି ହୋମ କରି ॥ ୫୪

ତେଣେ ଶୁକ୍ର ଯେ ଯଜ୍ଞବିଧି । ବଳିର ଶତେ ଅଶ୍ୱମେଧି ॥ ୫୫

କରାଏ ନିଜ ମନ୍ତ୍ରବଳେ । ଅମରେ ସ୍ଥାପିବ ନିଶ୍ଚଳେ ॥ ୫୬

ସେ କଥା ଜାଣି ଭଗବାନ । ଯେ ରୂପ ଅଦ୍‌ଭୁତ ବାମନ ॥ ୫୭

ବଳି-ଭୁବନ‌କୁ ଗମନ୍ତେ । ଭୂମି କମ୍ପଇ ପାଦଘାତେ ॥ ୫୮

ନର୍ମଦା ନ‌ଦୀର ଉତ୍ତରେ । ଭୃଗୁକଚ୍ଛେ ଯେ ବିପ୍ରବରେ ॥ ୫୯

ବଳିକି ଯଜନମାନେ ବରି । ମିଳି ଭୃଗୁଙ୍କୁ ଆଗ କରି ॥ ୬୦

ଯଜ୍ଞ କରନ୍ତି ମନ୍ତ୍ରବଳେ । ଯେମନ୍ତେ ଅମର ମଣ୍ତଳେ ॥ ୬୧

ବଳି ବସିବ ଦୃଢ଼ଚିତ୍ତେ । ନିର୍ଭୟେ କଳ୍ପ ପରିଯନ୍ତେ ॥ ୬୨

ଏମନ୍ତେ ବଳି-ଯଜ୍ଞବାଟେ । ବାମନ ମିଳିଲେ କପଟେ ॥ ୬୩

ରବି-କିରଣେ ତାରାପନ୍ତି । ଯେସନେ ହୋନ୍ତି ହତଜ୍ୟୋତି ॥ ୬୪

ଭାର୍ଗବ ଆଦି ପୁରୋହିତେ । ସଦସ୍ୟ ଯଜମାନ ଯେତେ ॥ ୬୫

ବାମନ-ତେଜେ ଅନ୍ତଗଲେ । ତମ ଯେସନେ ପ୍ରାତଃକାଳେ ॥ ୬୬

ରବି ଶଶାଙ୍କ କିବା ବ‌ହ୍ନି । ମିଳିଲେ ନିଜ ତେଜ ଘେନି ॥ ୬୭

କିବା ସନତ ବ୍ରହ୍ମାସୁତ । ଯଜ୍ଞ ପ୍ରେକ୍ଷଣେ ଉପଗତ ॥ ୬୮

ଏମନ୍ତେ ଜାଣି ନ ପାରିଲେ । ବାମନ ତେଜେ ଅସ୍ତ ଗଲେ ॥ ୬୯

ମୁହୂର୍ତ୍ତେ ରହି ଖେଦମନେ । ଚାହାନ୍ତି ମୋହିତ ନୟନେ ॥ ୭୦

କରି ନ ପାରି ଅନୁମାନ । ସର୍ବେ ହୋଇଲେ ହତଜ୍ଞାନ ॥ ୭୧

ଉଦକ କମଣ୍ତଳୁ ଘେନି । କରନ୍ତି ସାମ‌ବେଦ ଧ୍ୱନି ॥ ୭୨

ବିଷ୍ଣୁ ମିଳିଲେ ଯଜ୍ଞବାଟେ । ବଳି ନୃପତିର ନିକଟେ ॥ ୭୩

କଟିରେ ମର୍କତ ମେଖଳା । ଯଜ୍ଞୋପବୀତ ଅକ୍ଷମାଳା ॥ ୭୪

କନ୍ଧରେ କୃଷ୍ଣାଜିତ ଶୋହେ । ଉତ୍ତରୀ ପ୍ରାୟ ନିଜଦେହେ ॥ ୭୫

ଅଦ୍‌ଭୁତ ବାମନ ଶରୀର । ଶିରେ ବିରାଜେ ଜଟାଭାର ॥ ୭୬

ମାୟାବାମନ ରୂପ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୭୭

ଭୃଗୁ ସ‌ହିତେ ଶିଷ୍ୟ ଯେତେ । ଆସନୁ ଉଠିଲେ ତ୍ୱରିତେ ॥ ୭୮

ଅଞ୍ଜଳିହସ୍ତ କରି ବେଗେ । ମିଳିଲେ ବାମନର ଆଗେ ॥ ୭୯

ବଳି ବାମନ ରୂପ ଚାହିଁ । ଆସନ ଦେଲା ବେଗେ ନେଇ ॥ ୮୦

ଚରଣେ ନମସ୍କାର କରି । କୁଶଳ ବାରତା ପଚାରି ॥ ୮୧

ପବିତ୍ରଜଳେ ଧୋଇ ପାଦ । ଆନନ୍ଦେ କଣ୍ଠ ଗଦଗଦ ॥ ୮୨

ପାଦ ଉଦକ ଘେନି ଶିରେ । ରୋମହରଷ କଳେବରେ ॥ ୮୩

ଯାର ଚରଣସ୍ପର୍ଶ-ଜଳ । ଖଣ୍ତଇ ସର୍ବ ଅମଙ୍ଗଳ ॥ ୮୪

ଗିରୀଶ ପରମ ଭକ୍ତିରେ । ଯେ ପାଦୋଦକ ଧରେ ଶିରେ ॥ ୮୫

ବଳି ଯେ ବେନିକର ଯୋଡ଼ି । କ‌ହେ ବାମନ ପାଦେ ପଡ଼ି ॥ ୮୬

ବଳି ଉବାଚ

ଭୋ ବିପ୍ର ନମୁଁ ତୋ ଚରଣେ । ଅଶେଷ କୁଶଳ କାରଣେ ॥ ୮୭

ବ୍ରହ୍ମ‌ଋଷିଙ୍କ ତେଜପ୍ରାୟେ । ମୁହିଁ ଦେଖି ତୋର ଦେହେ ॥ ୮୮

ତୁ ବ୍ରହ୍ମସ୍ୱରୂପ ସାକ୍ଷାତେ । ତୋ ରୂପ ନାହିଁ ଏ ଜଗତେ ॥ ୮୯

କି ଅର୍ଥେ ତୋହର ଆଗମ । କହ ତୋହର କିସ ନାମ ॥ ୯୦

ମୋ ପିତୃଗଣେ ଆଜ ତୋଷ । ପବିତ୍ର ମୋର ଗୃହବାସ ॥ ୯୧

ଆଜ ମୋ ସୁଫଳ ଜୀବନ । ଯେଣୁ ତୋହର ଆଗମନ ॥ ୯୨

ପବିତ୍ର ହୋଇଲା ମୋ କୁଳ । ଲଭିଲି ଶତକ୍ରତୁ ଫଳ ॥ ୯୩

ଆଜ ଅନଳେ ଘୃତରାଶି । ଶୁଦ୍ଧେ ଜଳିବ ମୋତେ ତୋଷି ॥ ୯୪

ଏ ଭୂମି ପବିତ୍ର ମୋହର । ନିର୍ମଳ ଯେହ୍ନେ ସ୍ୱର୍ଗପୁର ॥ ୯୫

ଭୋ ବିପ୍ର ଦାନ ମାଗ ମୋତେ । ଯେ ଅବା ଇଚ୍ଛା କର ଚିତ୍ତେ ॥ ୯୬

ଗୋରୁ କାଞ୍ଚନ ଦିବ୍ୟପୁର । କିବା ପ୍ରାସାଦ ମନୋହର ॥ ୯୭

ଗ୍ରାମ ପାଟଣା କନ୍ୟାଧନ । ଅମୂଲ୍ୟ ବସ୍ତୁ ରତ୍ନମାନ ॥ ୯୮

ଅନ୍ନବସନ ଆଦି ଯେତେ । ଭୋ ବିପ୍ର ମାଗ ତୋଷଚିତ୍ତେ ॥ ୯୯

ଗଜ ତୁରଙ୍ଗ ସୁଖାସନ । ରଥ ପଲ୍ୟଙ୍କ ଯହିଁ ମନ ॥ ୧୦୦

କି ଅବା ଅଛି ତୋର ଚିତ୍ତେ । ଭୋ ବିପ୍ର ମାଗ ଇଚ୍ଛା ଯେତେ ॥ ୧୦୧

ଦେବି ମୁଁ ସତ୍ୟ ମୋ ବଚନ । ଦାରା ତନୟ ବା ଜୀବନ ॥ ୧୦୨

ଏମନ୍ତେ ବଳି ଶୁଦ୍ଧଚିତ୍ତେ । କହିଲା ବାମନ ଅଗ୍ରତେ ॥ ୧୦୩

ଏମନ୍ତ ବଳି ବାକ୍ୟ ଶୁଣି । ବାମନ ଧରି କୁଶ ପାଣି ॥ ୧୦୪

ମଙ୍ଗଳ ସ୍ୱରେ ବେଦ‌ଧ୍ୱନି । କରନ୍ତି ବଳି ମନ‌ଘେନି ॥ ୧୦୫

ତିନିଭୁବନ କମ୍ପେ ନାଦେ । ସୁଗନେ ଚିନ୍ତ କୃଷ୍ଣପାଦେ ॥ ୧୦୬

କ‌ହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୦୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିବାମନ ସମ୍ୱାଦେ ସପ୍ତଦଶୋଽଧ୍ୟାୟଃ ॥

* * *