ଅଷ୍ଟମ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ଶ୍ରୀକୃଷ୍ଣେ ଚିନ୍ତି ମନେମନ । କହନ୍ତି ବ୍ୟାସଙ୍କ ନନ୍ଦନ ॥ ୧
ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । କଶ୍ୟପ ମୁଖୁଁ ଏହାଶୁଣି ॥ ୨
ଅଦିତି କଳ୍ପି ଅନ୍ତର୍ଗତେ । ବିଧିପୂର୍ବକ ପୟୋବ୍ରତେ ॥ ୩
ଦ୍ୱାଦଶ ଦିନ ବିଧିମତେ । ସଂଯମେ ରହିଲା ଯୁଗତେ ॥ ୪
ଏକାଗ୍ରଚିତ୍ତେ ହରିପାଦେ । ସେବା କଳ୍ପିଲା ଅପ୍ରମାଦେ ॥ ୫
ସୁଦୃଢ଼ ମନ ବୁଦ୍ଧିବଳେ । ଇନ୍ଦ୍ରିଙ୍କି ନିରୋଧି ନିଶ୍ଚଳେ ॥ ୬
ଏକାନ୍ତଚିତ୍ତେ ହରିପାଦେ । ଧ୍ୟାନ ସମ୍ପାଦି ଅପ୍ରମାଦେ ॥ ୭
ଦ୍ୱାଦଶଦିନ ପୟୋବ୍ରତ । ବିଷ୍ଣୁ ସେବିଲା ଅବିରତେ ॥ ୮
ଅଦିତି ପୟୋବ୍ରତ ତୋଷେ । ବିଷ୍ଣୁ ମିଳିଲେ ତାର ପାଶେ ॥ ୯
ଶରୀର କାନ୍ତି ନୀଳଘନ । ପୀତବସନ ପରିଧାନ ॥ ୧୦
ଆଜାନୁଲମ୍ବେ ଚାରିଭୁଜେ । ଗଦାବ୍ଜ-ଶଙ୍ଖ-ଚକ୍ର ସାଜେ ॥ ୧୧
ସମୀପେ ବିଷ୍ଣୁ ରୂପ ଦେଖି । ଉନ୍ମୀଳ କଲା ବେନି ଆଖି ॥ ୧୨
ଉଠିଲା ଅଶ୍ରୁ ଗଦଗଦେ । ଶିର ନିବେଶି ପଦ୍ମପାଦେ ॥ ୧୩
ଭୂମିରେ ଦଣ୍ତବତେ ଶୋଇ । କରାଞ୍ଜଳି ଶିରେ ଦେଇ ॥ ୧୪
ଆନନ୍ଦ ସାଗରେ ବୁଡ଼ିଲା । ନିଜ ଶରୀର ପାସୋରିଲା ॥ ୧୫
ଶରୀର କମ୍ପିଲା ବିକଳେ । କଣ୍ଠ କୁଣ୍ଠିତ ଅଶ୍ରୁଜଳେ ॥ ୧୬
ବଦନୁ ବଚନ ନ ସ୍ଫୁରେ । ପ୍ରାଣ ହୋଇଲା କଣ୍ଠଦ୍ୱାରେ ॥ ୧୭
ଚକୋର ଚନ୍ଦ୍ର ଦେଖି ଯେହ୍ନେ । ଅମୃତ ପିଅଇ ଲୋଚନେ ॥ ୧୮
ମନ ନିବେଶି କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ॥ ୧୯
ବୋଲଇ ବିଷ୍ଣୁମୁଖ ଚାହିଁ । ସାନନ୍ଦେ ଶିରେ କର ଦେଇ ॥ ୨୦
ଅଦିତି ଉବାଚ
ହେ ଯଜ୍ଞେଶ୍ୱର ଜଗନ୍ନାଥ । ତୋର ଚରଣେ ସର୍ବତୀର୍ଥ ॥ ୨୧
ସର୍ବମଙ୍ଗଳ ତୋର ନାମ । ରୂପ-ଅରୂପ ଅନୁପମ ॥ ୨୨
ଶରଣାଗତ ଦୁଃଖ ହର । ତୁ ନାଥ କରୁଣାସାଗର ॥ ୨୩
କରୁଣାକର ବିଶ୍ୱବ୍ୟାପୀ । ବିଶ୍ୱଭାବନ ବିଶ୍ୱରୂପୀ ॥ ୨୪
ସ୍ଥିତି ଉତ୍ପତ୍ତି ସଂହାରଣ । ତୁ ନାଥ ପରମକାରଣ ॥ ୨୫
ଆୟୁ ସମ୍ପଦ ବୁଦ୍ଧି ଜ୍ଞାନ । ତୋର ସନ୍ତୋଷେ ପାନ୍ତି ଜନ ॥ ୨୬
କୈବଲ୍ୟ-ପ୍ରାପ୍ତ ତୋ ସନ୍ତୋଷେ । ଅନ୍ତେ ପରମପଦେ ମିଶେ ॥ ୨୭
ଭୋ ନାଥ ତୋର ଶ୍ରୀଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ॥ ୨୮
ସେ ସର୍ବ ଦୁର୍ଗତି ତରନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି ॥ ୨୯
ଭୋ ନାଥ ପ୍ରଭୁ ଆଦିମୂଳ । ଶୁଣିମା ମୋହର ବିକଳ ॥ ୩୦
ଦୁଃଖେ କୁଣ୍ଠିତ ମୋର ପ୍ରାଣ । ପଶିଲି ତୋ ପାଦେ ଶରଣ ॥ ୩୧
ପୁତ୍ରେ ନ ରହି ସ୍ୱର୍ଗପୁରେ । ଲୁଚିଲେ ବନ-ଗିରି-ଘୋରେ ॥ ୩୨
ସର୍ବ ଦାନବ ସଙ୍ଗେ ମିଳି । ବସିଲା ଇନ୍ଦ୍ରାସନେ ବଳି ॥ ୩୩
ଶୁକ୍ରର ଯଜ୍ଞତେଜ ବଳେ । ଭୟେ ଭାଜିଲେ ଦିଗପାଳେ ॥ ୩୪
ଇନ୍ଦ୍ର ହୋଇଲା ଅରକ୍ଷିତ । ତ୍ରାହି କରିବ ଜଗନ୍ନାଥ ॥ ୩୫
ମୋର ପୁତ୍ରଙ୍କୁ ରକ୍ଷାକର । ଭୋ ନାଥ ଶରଣ ତୋହର ॥ ୩୬
ସପତ୍ନୀ ଦୁଃଖ କି ନ ଜାଣୁ । ତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ ॥ ୩୭
ଶୁକ ଉବାଚ
ଶୁଣିନ ଅଦିତି-ବଚନ । ପ୍ରସନ୍ନେ କମଳଲୋଚନ ॥ ୩୮
ଅଦିତି ବଦନକୁ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୩୯
ଭଗବାନ ଉବାଚ
ଶୁଣ ଅଦିତି ଦେବମାତ । ଜାଣଇଁ ତୋର ମନୋରଥ ॥ ୪୦
ବଳି ଯେ ବଳେ ସ୍ୱର୍ଗ ନେଲା । ବିକଳେ ଇନ୍ଦ୍ର ପଳାଇଳା ॥ ୪୧
ତାର ସଙ୍ଗତେ ଦେବଗଣେ । ପଶିଲେ ଗିରି-ଘୋରବନେ ॥ ୪୨
ଏବେ ସେ ଆସି ସ୍ୱର୍ଗପୁରେ । ଶତ୍ରୁକୁ ଜିଣି ରଣଘୋରେ ॥ ୪୩
ସ୍ୱର୍ଗେ ସେ ବସିବ ନିଶ୍ଚିନ୍ତେ । ତୁ ଏହା କଳ୍ପଅଛୁ ଚିତ୍ତେ ॥ ୪୪
ସମରେ ଅସୁର-ମରଣେ । କାନ୍ଦିବେ ତାଙ୍କ ବଧୁଗଣେ ॥ ୪୫
ସ୍ୱାମୀ-ମରଣେ ଅତି ଦୁଃଖୀ । ତୁ ତାହା ଦେଖି ହେବୁ ସୁଖୀ ॥ ୪୬
ସ୍ୱର୍ଗେ ବସିବ ଇନ୍ଦ୍ର ତୋର । ସଙ୍ଗତେ ଘେନି ସର୍ବ ସୁର ॥ ୪୭
ସକଳ ସମ୍ପଦ ମିଳିବ । ତ୍ରିଲୋକ ନିଶ୍ଚିନ୍ତେ ପାଳିବ ॥ ୪୮
ଏମନ୍ତ ଚିତ୍ତେ କଳ୍ପୁ ତୁହି । ଶୁଣ କହଇ ଯାହା ମୁହିଁ ॥ ୪୯
ଅସୁରେ ଯାଇ ସ୍ୱର୍ଗପୁର । ବଳେ ହୋଇଲେ ବଳୀୟାର ॥ ୫୦
ବଳି ସଙ୍ଗତେ ଘୋରରଣେ । କାହିଁ ଜିଣିବେ ଦେବଗଣେ ॥ ୫୧
ଏକଥା ଭଲେ ମୁଁ ଜାଣଇଁ । ତୋର ପୁତ୍ରଙ୍କୁ ଭୟ ନାହିଁ ॥ ୫୨
ଯେମନ୍ତେ ତୋହର କୁମରେ । ସୁଖେ ବସିବେ ସ୍ୱର୍ଗପୁରେ ॥ ୫୩
ତୁ ଯେ ମୋହର ପାଦଗତେ । ସେବିଲୁ ପୟୋବ୍ରତ ମତେ ॥ ୫୪
ଏ କଥା ଅନ୍ୟଥା ନୋହିବ । ଏହା ଜାଣନ୍ତି ବ୍ରହ୍ମାଶିବ ॥ ୫୫
ବ୍ରତେ ତୁ ତୋଷିଅଛୁ ମୋତେ । ଇନ୍ଦ୍ର-ସମ୍ପଦ ରକ୍ଷା ଅର୍ଥେ ॥ ୫୬
ମୋହର ସେବା-ବ୍ରତ ଫଳ । କେବେହେଁ ନୁହଁଇ ବିଫଳ ॥ ୫୭
ମୁଁ ନିଜ-ଅଂଶେ ତୋର ଗର୍ଭେ । ଜନ୍ମିବି ପୟୋବ୍ରତ-ଭାବେ ॥ ୫୮
ଏ ବ୍ରତ ମହିମା ଏମନ୍ତ । ଅବଶ୍ୟ ମୋତେ ଲଭେ ସୁତ ॥ ୫୯
ତୋର ପୁତ୍ରଙ୍କୁ ମୁଁ ରଖିବି । ଶତ୍ରୁଙ୍କ ଭୟ ନିବାରିବି ॥ ୬୦
ନିଶ୍ଚେ ରଖିବି ଦେବକୁଳ । ତୁ ସ୍ୱାମୀ ସଙ୍ଗେ କର ମେଳ ॥ ୬୧
ଏ ବ୍ରତଫଳ ଯେବେ ପାଇ । ବିଶ୍ୱାସେ ପରକୁ ନ କହି ॥ ୬୨
ସର୍ବସମ୍ପଦ ଲଭ ତୁହି । ଦେବମାତାଙ୍କୁ ଏତେ କହି ॥ ୬୩
ତକ୍ଷଣେ ହୋଇଲେ ଅନ୍ତର । ଶୁଣ ପରୀକ୍ଷ ନୃପବର ॥ ୬୪
ଏମନ୍ତ ବିଷ୍ଣୁର ବଚନ । ଶୁଣି ଅଦିତି ତୋଷମନ ॥ ୬୫
ଆନନ୍ଦେ ପ୍ରଭୁ ହୃଷୀକେଶ । କଶ୍ୟପ-ଶରୀରେ ପ୍ରବେଶ ॥ ୬୬
ବିଷ୍ଣୁର ତେଜେ ବ୍ରହ୍ମଋଷି । ଉଦୟ-ରବି ପ୍ରାୟ ଦିଶି ॥ ୬୭
ଅମରଗୁରୁ-ଲଗ୍ନ ବେଳେ । ଉଚ୍ଚେ ଅଛନ୍ତି ଗ୍ରହବଳେ ॥ ୬୮
ମୁହୂର୍ତ୍ତ ନାମ ଅଭିଜିତ । ପତିକ-କାମିନୀ ଏକ ଯୁକ୍ତ ॥ ୬୯
ରତି ଆନନ୍ଦେ ରଜ-ବୀର୍ଯ୍ୟେ । ଗର୍ଭ-ସଞ୍ଚାର ଅତି ତେଜେ ॥ ୭୦
ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ । ତେଜ ପ୍ରକାଶେ ଅନୁଦିନେ ॥ ୭୧
ଅଦିତି ବିଷ୍ଣୁ ଗର୍ଭେ ଧରି । ଶଶାଙ୍କ ପ୍ରାୟେ ମନୋହାରୀ ॥ ୭୨
ଦିଶଇ ଅତି ରୂପକାନ୍ତି । ବିଜୁଳି ଯେହ୍ନେ ଝଟକନ୍ତି ॥ ୭୩
ଦିନକୁ ଦିନ ଶୁଭ୍ରଜ୍ୟୋତି । ଯହିଁ ବିଜୟେ ବିଷ୍ଣୁମୂର୍ତ୍ତି ॥ ୭୪
ଅଦିତି-ଗର୍ଭର ସଞ୍ଚାର । ଜାଣିଲେ ପ୍ରଭୁ ବେଦବର ॥ ୭୫
ରଜନୀ-ଅର୍ଦ୍ଧକାଳେ ଆସି । ଅଦିତି ନିଦ୍ରାସ୍ଥାନେ ବସି ॥ ୭୬
ଗର୍ଭକୁ ଚାହିଁ ପ୍ରଜାପତି । ଆନନ୍ଦେ କଲେ ଦିବ୍ୟସ୍ତୁତି ॥ ୭୭
ବ୍ରହ୍ମା ଉବାଚ
ଜୟ ଅନନ୍ତ ଉରୁକ୍ରମ । ନମସ୍ତେ ପ୍ରଭୁ ତ୍ରିବିକ୍ରମ ॥ ୭୮
ନମୋ ବ୍ରହ୍ମଣ୍ୟ ଭାଗବତ । ନମସ୍ତେ ତ୍ରିଗୁଣ ଅଜିତ ॥ ୭୯
ନମସ୍ତେ ବିଶ୍ୱଗର୍ଭ-ରୂପୀ । ନମସ୍ତେ ତ୍ରୟବେଦବ୍ୟାପୀ ॥ ୮୦
ତ୍ରିନାଭ ତ୍ରିପୃଷ୍ଠ ତୋ ନାମ । ଶିପିବିଷ୍ଟ ଯେ ତୋର ଧାମ ॥ ୮୧
ଏ ସୃଷ୍ଟି ଆଦ୍ୟ-ମଧ୍ୟ-ଅନ୍ତେ । ତୁ ନାଥ ବିହରୁ ନିଶ୍ଚିନ୍ତେ ॥ ୮୨
ତୁ ସେ ଅନନ୍ତ-ଶକ୍ତିଧର । ମନ-ବଚନେ ଅଗୋଚର ॥ ୮୩
ତୁ କାଳରୂପେ ଏ ଜଗତ । ସୃଷ୍ଟି ପାଳନ କର ଅନ୍ତ ॥ ୮୪
ତୃଣ ଯେସନେ ଜଳସ୍ରୋତେ । ପଶେ ଜଳଧି ଗର୍ଭଗତେ ॥ ୮୫
ଏ ସୃଷ୍ଟି ସଂହରୁ ତେମନ୍ତେ । ଅନନ୍ତଶୟନେ ନିଶ୍ଚିନ୍ତେ ॥ ୮୬
ସ୍ଥାବର ଆଦି ଜନ୍ତୁ ଚାରି । ତୁ ବସୁ ଆତ୍ମାରୂପ ଧରି ॥ ୮୭
ତୋର ମାୟାର ବଳେ ଜନେ । ତୋ ରୂପ ଜାଣିବେ କେସନେ ॥ ୮୮
ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । ତୋ ତହୁଁ କେବା ଅଛି ପରେ ॥ ୮୯
ଜଳେ ପଡ଼ନ୍ତି ଯେତେ ପ୍ରାଣୀ । ଯେବେ ନ ଲଭନ୍ତି ତରଣୀ ॥ ୯୦
ସେ କାହିଁ ଜଳଧି ତରିବେ । ଯେ ନ ପଶନ୍ତି ତୋର ଭାବେ ॥ ୯୧
ଏମନ୍ତେ କରି ଦିବ୍ୟସ୍ତୁତି । ନିଜ ଭୁବନେ ପ୍ରଜାପତି ॥ ୯୨
ଆନନ୍ଦମନେ ବିଜେ କଲା । ଶୁଣ ରାଜନ ବିଷ୍ଣୁଲୀଳା ॥ ୯୩
ବାମନ ରୂପ ଧରି ଭାବେ । ବିଷ୍ଣୁ ଯେ ବଳି କି ଛଳିବେ ॥ ୯୪
ଏ ବାଳୀ ଏକମନେ ଶୁଣି । ନିସ୍ତର ଭବ ତରଙ୍ଗିଣୀ ॥ ୯୫
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଉପାୟ ତ ନାହିଁ ॥ ୯୬
କହିଲା ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବ ଷୋଡ଼ଶୋଽଧ୍ୟାୟଃ ॥
* * *