ଅଷ୍ଟମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥ ୧
ଶୁକ ଉବାଚ
ଏମନ୍ତେ ପୁତ୍ରଙ୍କର ରିଷ୍ଟ । ସେ ଦେବମାତା ମନେ କଷ୍ଟ ॥ ୨
ଇନ୍ଦ୍ରର ଇନ୍ଦ୍ରପଣ ଗଲା । ଗିରି-ଦୁର୍ଗମେ ଆଶ୍ରେ କଲା ॥ ୩
ଦେବେ ଲୁଚିଲେ ଘୋରବନେ । ଶୁଣି ଅଦିତି ଦୁଃଖ ମନେ ॥ ୪
ରାତ୍ର-ଦିବସ ନ ଜାଣଇ । ନିରତେ ଥାଏ ଗୃହେ ଶୋଇ ॥ ୫
ତାର ଭୁବନେ ଏକବେଳେ । କଶ୍ୟପ ଋଷି ବିଜେ କଲେ ॥ ୬
ଅଦିତି ଶୟନ ସମୀପେ । କଶ୍ୟପ ବସି ମନସ୍ତାପେ ॥ ୭
ଦେଖିଲେ ଅଦିତିଭୁବନ । ଅଷ୍ଟସମ୍ପଦ ଅତିହୀନ ॥ ୮
ଉତ୍ସବ ଆନନ୍ଦ ନ ଦିଶେ । ଆଦିତ୍ୟ ଯେହ୍ନେ ଧୂମତ୍ରାସେ ॥ ୯
ଶୟନ ସେ କୁଶ ଆସନେ । ଚାହିଁଲେ ଅଦିତି ବଦନେ ॥ ୧୦
ଦେଖିଲେ ମୁଖେ ସୁଖ ନାହିଁ । ଶୋକଆକୁଳେ କମ୍ପେ ଦେହି ॥ ୧୧
ଶୋକ-କଳୁଷ ଦେଖି ମନ । ବୋଲନ୍ତି ମରୀଚିନନ୍ଦନ ॥ ୧୨
ଶୁଣ ସୁନ୍ଦରୀ ଶୁଦ୍ଧଚିତ୍ତେ । କହଇ ତୋହର ଅଗ୍ରତେ ॥ ୧୩
ବ୍ରହ୍ମା ସଞ୍ଚିତ ସୃଷ୍ଟିମଧ୍ୟେ । ବ୍ରାହ୍ମଣେ ବସନ୍ତି ଆନନ୍ଦେ ॥ ୧୪
ତାହାଙ୍କ ଗୃହେ ଦୁଃଖ ନାହିଁ । ଏବେ ବିପରୀତ ଦେଖଇ ॥ ୧୫
ଧନସମ୍ପଦ ସୁଖ ନୋହେ । ଶୁଣ ନିଗମ ଯାହା କହେ ॥ ୧୬
ଅଶେଷ ବିଷ୍ଣୁର ଜଗତ । କର୍ମର ବଳେ ଆତଯାତ ॥ ୧୭
ଶୁଭ-ଅଶୁଭ ଭାବବଳେ । କାଳ କ୍ରୀଡ଼ଇ ଅନ୍ତରାଳେ ॥ ୧୮
କାଳର ବଶ ଏ ସଂସାର । କେ ଭୃତ୍ୟ କେ ଅବା ଈଶ୍ୱର ॥ ୧୯
ଭୋଗ ସମ୍ପଦ ଅର୍ଥ ଗୃହେ । ପ୍ରାଣୀ ସାଧନ୍ତି ଅତି ମୋହେ ॥ ୨୦
ଏ ଭାବେ ସଂସାର ରଚିତ । କିବା ହୋଇଲା ଆଚମ୍ବିତ ॥ ୨୧
ବିପ୍ର ଅତିଥି କିବା ଘରେ । କୁଟୁମ୍ବ ଭରଣ ବେଭାରେ ॥ ୨୨
ପୂଜା ନ ପାଇ ଏ ଭୁବନେ । କି ଅବା ଗଲେ ଦୁଃଖମନେ ॥ ୨୩
ଯା ପୁରୁ ଅତିଥି ବାହୁଡ଼େ । ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ ॥ ୨୪
ତାର ସଞ୍ଚଲା ପୁଣ୍ୟ ଯେତେ । ଗମନ୍ତି ଅତିଥି ସଙ୍ଗତେ ॥ ୨୫
ଅଗ୍ନିରେ ଯଥାକାଳେ ହବି । ନ ଦେଇ ହୁଅ ପରାଭବୀ ॥ ୨୬
ମୋର ପ୍ରବାସେ ତୋର ଚିତ୍ତ । କିବା ହୋଇଲା ମୋହଗତ ॥ ୨୭
ଅଗ୍ନି-ପୂଜନେ ଶୁଦ୍ଧମନେ । ସେ କାମଧେନୁ ଯଜମାନେ ॥ ୨୮
ସମ୍ପଦ ବିପ୍ରଜନେ ଦ୍ୟନ୍ତି । ଦେବେ ଯେ କଲ୍ୟାଣ ବାଞ୍ଛନ୍ତି ॥ ୨୯
ବିପ୍ର ଅଗ୍ନିକି ନ ପୂଜିଲେ । କଲ୍ୟାଣ ଲଭେ କାହିଁ ଭଲେ ॥ ୩୦
ହରିଙ୍କି କାହିଁ ସେ ପାଇବ । ଯାକୁ ନ ପାନ୍ତି ବ୍ରହ୍ମାଶିବ ॥ ୩୧
ଉଭୟ ଲୋକେ ନାହିଁ ସୁଖ । ସର୍ବଦା ଲଭନ୍ତି ବିମୁଖ ॥ ୩୨
ତୋର ତନୁଜ ଦେବତାଏ । ସ୍ୱର୍ଗେ ଅଛନ୍ତି ନା ନିର୍ଭୟେ ॥ ୩୩
ଇନ୍ଦ୍ରର କୁଶଳ ନ ଦେଖି । କିବା ହୋଇଛୁ ମନେ ଦୁଃଖୀ ॥ ୩୪
ଏମନ୍ତ ସ୍ୱାମୀବାକ୍ୟ ଶୁଣି । କହଇ ଦକ୍ଷର ଦୁଲଣୀ ॥ ୩୫
ଅଦିତି ଉବାଚ
ଗୋରୁ-ବ୍ରାହ୍ମଣ-ସୃଷ୍ଟିଲୋକେ । ଏ ସର୍ବେ ଛନ୍ତି ନାନାସୁଖେ ॥ ୩୬
ଧର୍ମ ହିଁ ଅଛି ମୋର ପୁରେ । ଆଗମ ନିଗମ ବେଭାରେ ॥ ୩୭
ତ୍ରିବର୍ଗ ମୋହର ଭୁବନେ । କେବେହେଁ ନ ତୁଟଇ ଦିନେ ॥ ୩୮
ଅଗ୍ନି-ଅତିଥି ମୋର ଗୃହେ । ନିରାଶ ନୁହଁନ୍ତି କେବେହେଁ ॥ ୩୯
ସକଳ ଶୁଭ ତୁମ୍ଭ ବଳେ । ଯେ ଯାହା କର୍ମର କୁଶଳେ ॥ ୪୦
ତୁମ୍ଭେ କହିଲ ଯେତେ ଧର୍ମ । ଗୃହସ୍ଥ ସ୍ୱଭାବେ ଯେ କର୍ମ ॥ ୪୧
ସର୍ବସମ୍ପଦେ ମୋର ଚିତ୍ତ । କେବେହେଁ ନୁହଁଇ ମୋହିତ ॥ ୪୨
ତୁମ୍ଭେ ଯେ ଦେବଙ୍କ କୁଶଳେ । ନିରତେ ଭଜ ଯୋଗବଳେ ॥ ୪୩
ଏ ସୃଷ୍ଟିମଧ୍ୟେ ଯେତେ ଜନ । ସକଳେ ତ୍ରିଗୁଣେ ବନ୍ଧନ ॥ ୪୪
ଅର୍ଜିଲା କର୍ମର ଆୟତ୍ତେ । ଜନ୍ତୁ ସଞ୍ଚରନ୍ତି ଜଗତେ ॥ ୪୫
ତଥାପି ଭକ୍ତକୁ ଭଜନ୍ତି । ବ୍ରହ୍ମା ଶଙ୍କର ଲକ୍ଷ୍ମୀପତି ॥ ୪୬
ଶୁଣ ହେ ସ୍ୱାମୀ ବ୍ରହ୍ମାସୁତ । ତୁମ୍ଭ ପ୍ରସାଦେ ମୋର ଚିତ୍ତ ॥ ୪୭
ଦୁର୍ଲ୍ଲଭ ଚତୁର୍ବର୍ଗ ନୋହେ । ସେବକୀ ପଣେ ତୁମ୍ଭ ଗୃହେ ॥ ୪୮
ତୁମ୍ଭର ଚିତ୍ତ ପ୍ରଜାହିତେ । ଯେ ଧର୍ମ କହ ମୋ ଅଗ୍ରତେ ॥ ୪୯
ତୁମ୍ଭର ପୁତ୍ର ଦୁଇମତେ । ଦେବ-ଅସୁର ଏ ଜଗତେ ॥ ୫୦
ଏହାଙ୍କ ଭଲ ତୁମ୍ଭେ ଇଚ୍ଛ । ଏହା ମୁଁ ଦେଖଇ ପ୍ରତ୍ୟକ୍ଷ ॥ ୫୧
ମୋ ପୁତ୍ରେ ସତ୍ତ୍ୱଗୁଣେ ଥାନ୍ତି । ଅସୁରେ ରଜ-ତମ ଚିନ୍ତି ॥ ୫୨
ପୀଡ଼ା କରନ୍ତି ସାଧୁଜନେ । ଧର୍ମ ରଖନ୍ତି ମୋ ନନ୍ଦନେ ॥ ୫୩
ମୋ ସୁତେ ଅସୁରଙ୍କ ଡରେ । ଲୁଚିଲେ ବନ-ଗିରି ଘୋରେ ॥ ୫୪
ଇନ୍ଦ୍ରକୁ ନ ଦେଖି ମୋ ମନ । ନିରତେ ହୁଏ ଛନଛନ ॥ ୫୫
କହ କି କରିବି ଉପାୟେ । କେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ ॥ ୫୬
ମୋର ସପତ୍ନୀପୁତ୍ର ବଳେ । ବିଚାର କରି ଗୁରୁମେଳେ ॥ ୫୭
ଶୁକ୍ରର ମନ୍ତ୍ରବଳ-ତେଜେ । ବଳି ବସିଲା ସ୍ୱର୍ଗରାଜ୍ୟେ ॥ ୫୮
ମିଳିଲେ ଅନେକ ଦାନବ । ହରିଲେ ଇନ୍ଦ୍ରର ବିଭବ ॥ ୫୯
ସେ ଏବେ ହୋଇ ସ୍ଥାନଭ୍ରଷ୍ଟ । ଅନେକ ପାଉଅଛି କଷ୍ଟ ॥ ୬୦
ମୋ ତହୁଁ ଦୁଃଖୀ କେ ଶୟଳେ । କହିଲି ତୁମ୍ଭ ପାଦତଳେ ॥ ୬୧
ତୋର କୁମରେ ଭଲେ ଥିବେ । ମୋ ପୁତ୍ରେ ସ୍ୱସ୍ଥାନେ ରହିବେ ॥ ୬୨
ଏମନ୍ତ ଆଜ୍ଞା ମୋତେ କର । ତୁମ୍ଭେ ତ ବୁଦ୍ଧିରେ ଈଶ୍ୱର ॥ ୬୩
ଏମନ୍ତ ଅଦିତି ବଚନେ । କଶ୍ୟପ ବିଚାରନ୍ତି ମନେ ॥ ୬୪
ଦେଖ ଏ ବିଷ୍ଣୁମାୟା ବଳେ । ଜୀବର ବନ୍ଧନ ଶୟଳେ ॥ ୬୫
ପଞ୍ଚଭୌତିକ ଏ ଶରୀର । ଆତ୍ମା ନିର୍ଲେପ ନିରାକାର ॥ ୬୬
ଶରୀର ପତ୍ନୀ ପୁତ୍ର ଆଦି । ଏ ବିଷ୍ଣୁ ମାୟାରେ ସମ୍ପାଦି ॥ ୬୭
କେ ଏହା ଅନ୍ୟଥା କରିବ । ବ୍ରହ୍ମା ଶଙ୍କର ବାସୁଦେବ ॥ ୬୮
ପତ୍ନୀର ବଚନ ପ୍ରଶଂସି । କହନ୍ତି ପ୍ରଜାପତି ହସି ॥ ୬୯
ତୁ ଏବେ ମୋର ବୋଲ କର । ହରି ଚରଣ ମନେ ଧର ॥ ୭୦
ସେ ହରି ତୋର ମନଦୁଃଖ । ନିବାରି ଦେବେ ସ୍ୱର୍ଗସୁଖ ॥ ୭୧
ଆରତ ଜନ-ବନ୍ଧୁ ହରି । ସେ ପାରେ ଆରତ ନିବାରି ॥ ୭୨
ଯାର ଚରଣ ଆଶ୍ରେ କଲେ । ସଙ୍କଟୁ ତରେ ପ୍ରାଣୀ ଭଲେ ॥ ୭୩
ତାର ଚରଣେ ସେବା କର । ନିର୍ଭୟେ ମନଦୁଃଖୁଁ ତର ॥ ୭୪
କଶ୍ୟପ ମୁଖୁଁ ଏହା ଶୁଣି । ଅଦିତି କହେ ଯୋଡ଼ି ପାଣି ॥ ୭୫
ଅଦିତି ଉବାଚ
ଭୋ ନାଥ କହ ବୁଦ୍ଧି ମୋତେ । ହରିଙ୍କି ସେବିବି କେମନ୍ତେ ॥ ୭୬
ଯେମନ୍ତେ ମୋର ମନୋରଥ । ସଫଳ କରେ ଜଗନ୍ନାଥ ॥ ୭୭
ପୁତ୍ର ବସିଣ ଇନ୍ଦ୍ରପଦେ । ଭୋ ନାଥ ନମେ ତୋର ପାଦେ ॥ ୭୮
ଏମନ୍ତେ ପତ୍ନୀ-ବାକ୍ୟ ଶୁଣି । ବ୍ରହ୍ମାନନ୍ଦନ ମନେ ଗୁଣି ॥ ୭୯
କଶ୍ୟପ ଉବାଚ
ବୋଲନ୍ତି ଶୁଣ ମୋ ଘରଣୀ । ହରିତୋଷଣ ସେବାବାଣୀ ॥ ୮୦
ଯେ ବ୍ରତେ ପ୍ରଭୁ ହୃଷୀକେଶ । ତୋହର ଉଦରେ ପ୍ରବେଶ ॥ ୮୧
ସେ ବିଷ୍ଣୁ ଦ୍ୱିଜ ଖର୍ବ ରୂପେ । ବଳିକି ଛଳି ଦାନକଳ୍ପେ ॥ ୮୨
ତୋର ପୁତ୍ରକୁ ସେ ରଖିବ । ତୁ ଏବେ ହରି ପାଦେ ସେବ ॥ ୮୩
ହରିତୋଷଣ ବ୍ରତ କର । ଏ ଦୁଃଖସାଗରୁ ନିସ୍ତର ॥ ୮୪
ଶୁଣ କହିବା ବେଦମତେ । ଏ ବ୍ରତ କରିବୁ ଯେମନ୍ତେ ॥ ୮୫
ଫାଲ୍ଗୁନ-ଶୁକ୍ଳପକ୍ଷ-ଯୁତେ । ଦ୍ୱାଦଶଦିନ ପୟେ ବ୍ରତେ ॥ ୮୬
ଅର୍ଚ୍ଚନ କରି ଭକ୍ତିବଳେ । ଶ୍ରୀକୃଷ୍ଣ ଚରଣ କମଳେ ॥ ୮୭
ସେବା କରିବ ଯେବାମତେ । ଶୁଣ କହିବା କଳ୍ପ ତୋତେ ॥ ୮୮
ପ୍ରାତହୁଁ ଅମାବାସ୍ୟା ଦିନ । ମନ୍ଦିରୁ ଗମିବ ବହନ ॥ ୮୯
ବରାହ ଦନ୍ତ ଖାତେ ଯାଇ । ମୃତ୍ତିକା ବାମ ହସ୍ତେ ଲଇଁ ॥ ୯୦
ଶୁଣ ମନ୍ତ୍ରିବ ଯେଉଁ ମନ୍ତ୍ରେ । ଅଙ୍ଗେ ଘେନିବ ଯେବା ତନ୍ତ୍ରେ ॥ ୯୧
ଭୋ ଦେବି ତୁ ଯେ ଅନ୍ତଃକାଳେ । ନିମଗ୍ନେ ଥିଲୁ ମହାଜଳେ ॥ ୯୨
ପାତାଳ-ଜଳ-ପଙ୍କେ ଥିଲୁ । ବରାହ-ଦଶନେ ଉଠିଲୁ ॥ ୯୩
ବରାହ-ଦନ୍ତ-ଅଗ୍ରବାସୀ । ତୁ ମୋର ହର ପାପରାଶି ॥ ୯୪
ଏମନ୍ତେ ମୃତ୍ତିକା ମନ୍ତ୍ରିବ । ଶରୀର- ସର୍ବାଙ୍ଗେ ଲେପିବ ॥ ୯୫
ସ୍ନାନ କରିବ ପ୍ରାତଃକାଳେ । ସୂର୍ଯ୍ୟ-ଉଦୟେ ଶୁଦ୍ଧଜଳେ ॥ ୯୬
ମାର୍ଜନା ସାରି ଶୁଦ୍ଧଗାତ୍ରେ । ସଂଯମ ଆତ୍ମା ଶୁଦ୍ଧଚିତ୍ତେ ॥ ୯୭
ମୂର୍ତ୍ତିରେ ଅଥବା ଅନଳେ । ସ୍ଥଣ୍ଡିଳେ ଆଦିତ୍ୟମଣ୍ଡଳେ ॥ ୯୮
ଜଳେ ଅଥବା ଗୋରୁଗାତ୍ରେ । ଅର୍ଚ୍ଚନା କରିବ ଏ ମତେ ॥ ୯୯
ଏମନ୍ତେ ପୂଜାସ୍ଥାନେ ଚିନ୍ତି । ଶୁଣ କରିବ ଯେବା ସ୍ତୁତି ॥ ୧୦୦
ନମସ୍ତେ ପ୍ରଭୁ ଭଗବାନ । ମହାପୁରୁଷ ଶୁଦ୍ଧଧାମ ॥ ୧୦୧
ହେ ଭଗବତ ନମସ୍ତୁତେ । ସାକ୍ଷୀ ସ୍ୱରୂପ ଏ ଜଗତେ ॥ ୧୦୨
ସକଳ-ଭୂତର ନିବାସ । ନମସ୍ତେ ପ୍ରଧାନ ପୁରୁଷ ॥ ୧୦୩
ଚତୁର୍ବିଂଶତି-ଗୁଣ-ଜ୍ଞାତା । ଗୁଣ ସଂଖ୍ୟାନେ ହେତୁ କର୍ତ୍ତା ॥ ୧୦୪
ଦ୍ୱିଶିର ତ୍ରିରଚରଣ ତୁହି । ଚରଇ ଶୃଙ୍ଗ ତନ୍ତୁ ଦେହୀ ॥ ୧୦୫
ସପତହସ୍ତ ଯଜ୍ଞରୂପୀ । ଆତ୍ମା ତୋ ତିନିବେଦ ବ୍ୟାପୀ ॥ ୧୦୬
ନମସ୍ତେ ଶିବ-ରୁଦ୍ରବର । ନମସ୍ତେ ସର୍ବ-ଶକ୍ତିଧର ॥ ୧୦୭
ସକଳ ବିଦ୍ୟା ଅଧିପତି । ସର୍ବଭୂତଙ୍କ ଆତ୍ମାଗତି ॥ ୧୦୮
ହିରଣ୍ୟଗର୍ଭ ନମୋନମ । ଜଗତ-ପ୍ରାଣ ଆତ୍ମାରାମ ॥ ୧୦୯
ଯୋଗ-ଐଶ୍ୱର୍ଯ୍ୟ ଯା ଶରୀର । ଯୋଗର ହେତୁ ଯୋଗେଶ୍ୱର ॥ ୧୧୦
ନମସ୍ତେ ଆଦିଦେବଦେବ । ନମସ୍ତେ ସଂସାର-ପ୍ରଭବ ॥ ୧୧୧
ନମସ୍ତେ ନର-ନାରାୟଣ । ନମସ୍ତେ ପରମ-କଲ୍ୟାଣ ॥ ୧୧୨
ନମୋ ମର୍କତ-ଶ୍ୟାମ-ଦେହ । ନମସ୍ତେ କମଳା-ଆଶ୍ରୟ ॥ ୧୧୩
ନମୋ ଗୋବିନ୍ଦ ପୀତବାସ । ନମସ୍ତେ ଭକତ-ବିଶ୍ୱାସ ॥ ୧୧୪
ନମସ୍ତେ ସର୍ବବରଦାତା । ନମସ୍ତେ ସର୍ବ ମାତାପିତା ॥ ୧୧୫
ଶରଣ ଜନେ ରକ୍ଷାକରୁ । ନମୋ ଭକତ-କଳ୍ପତରୁ ॥ ୧୧୬
ତୋ ପାଦରେଣୁ ଧରି ଶିରେ । ମୋକ୍ଷ-ସାଧନ ଯୋଗବଳେ ॥ ୧୧୭
ଯେ ପାଦପଦ୍ମେ ଭକ୍ତ ସେବେ । ଭାବେ ଖଟନ୍ତି ଦେବୀଦେବେ ॥ ୧୧୮
ତୋ ପାଦସରୋଜ-ସୁବାସେ । ଅଶେଷ-ଭବଭୟ ନାଶେ ॥ ୧୧୯
ଏମନ୍ତେ ଆବାହନ କରି । ନିଶ୍ଚଳଚିତ୍ତେ ଭାବଭରି ॥ ୧୨୦
ଏମନ୍ତେ ପାଦ୍ୟ ଅର୍ଘ୍ୟ ଆଦି । ଶ୍ରଦ୍ଧା-ଭକତିରେ ନିବେଦି ॥ ୧୨୧
ଅର୍ଚ୍ଚନା କରି ଗନ୍ଧମାଲ୍ୟେ । ପୂଜିବ ଆନନ୍ଦେ ନିଶ୍ଚଳେ ॥ ୧୨୨
ଉତ୍ତମ ବସ୍ତ୍ର-ଅଳଙ୍କାର । ସୁଗନ୍ଧ-ଧୂପ ମନୋହର ॥ ୧୨୩
ନୈବେଦ୍ୟ କରି ଷଡ଼ରସେ । ପୂଜିବ ପ୍ରପାନ-ପାୟସେ ॥ ୧୨୪
ଦଧି-ଶାକର-ମଧୁ-ଘୃତେ । ସୁଶାଳିଅନ୍ନ ଦୁଗ୍ଧଯୁତେ ॥ ୧୨୫
ନାନା ପ୍ରକାରେ ଭୋଗ ଦେଇ । ହୃଦେ ଭକତିଭାବ ବହି ॥ ୧୨୬
ଯେ ମନ୍ତ୍ର ଦ୍ୱାଦଶ ଅକ୍ଷର । ଜପିବ ଶହେଆଠ ବାର ॥ ୧୨୭
ହୋମ କରିବ ହୁତାଶନେ । ଉଚ୍ଚାରି ମୂଳମନ୍ତ୍ର ଧ୍ୟାନେ ॥ ୧୨୮
ଶ୍ରୋତ୍ରିୟ-ବ୍ରାହ୍ମଣ ବସାଇ । ସୁସ୍ୱାଦୁ ଅନ୍ନ ଭୋଗ ଦେଇ ॥ ୧୨୯
ବିପ୍ରକୁ ଦେଇ ଆଚମନ । ନିବେଦି ସୁମୁଖବାସନ ॥ ୧୩୦
ଅତିଥି ଅନ୍ଧ ରଙ୍କୀ ଦୁଃଖୀ । ତାଙ୍କୁ ଭୋଜନେ କରି ସୁଖୀ ॥ ୧୩୧
ତାହାଙ୍କୁ ଅନ୍ନଦାନ ଦେଇ । ସନ୍ତୋଷ ଚିତ୍ତେ ଆଜ୍ଞା ପାଇ ॥ ୧୩୨
ଅନ୍ନ ଭୁଞ୍ଜିବ ସାୟଂକାଳେ । ବାଳକ ପାଞ୍ଚ ସାତ ମେଳେ ॥ ୧୩୩
ରାତ୍ରେ ବଞ୍ଚିବ ବିଷ୍ଣୁଗୀତେ । ସଂଯତ-ବ୍ରହ୍ମଚାରୀ-ବ୍ରତେ ॥ ୧୩୪
ରାତ୍ର ଅନ୍ତରେ ପ୍ରାତଃକାଳେ । ସ୍ନାନ କରିବ ଶୁଦ୍ଧଜଳେ ॥ ୧୩୫
ଯଥାର୍ଥ ବିଧି ସମଚିତ୍ତେ । ସୁଗନ୍ଧଜଳ ଦୁଗ୍ଧଯୁତେ ॥ ୧୩୬
ସ୍ନାନ କରାଇ ଦେବମୂର୍ତ୍ତି । ପୟ-ଭକ୍ଷଣେ ପୟୋବ୍ରତୀ ॥ ୧୩୭
ପୂର୍ବର ପ୍ରାୟ ହୋମକରି । ବିପ୍ରମାନଙ୍କୁ ଭୋଜ୍ୟେ ବରି ॥ ୧୩୮
ଦ୍ୱାଦଶ ଦିନ ଏହିମତେ । ବଞ୍ଚିବ ଶୁଚି ପୟୋବ୍ରତେ ॥ ୧୩୯
ଏମନ୍ତ ହରି-ଆରାଧନେ । ହୋମାଦି ବ୍ରାହ୍ମଣ ଭୋଜନେ ॥ ୧୪୦
ପ୍ରତୀପଦିନୁ ଏ ଅଭ୍ୟାସି । ଯାବତ-ଶୁକ୍ଳ-ତ୍ରୟୋଦଶୀ ॥ ୧୪୧
ତ୍ରିକାଳେ କରିବ ସ୍ନାହାନ । ରଜନୀ ଧରଣୀ ଶୟନ ॥ ୧୪୨
ଅସାଧୁ-ଆଳାପ ତେଜିବ । ନିନ୍ଦିତଭୋଗ ନ କରିବ ॥ ୧୪୩
ହିଂସା ତେଜିବ ସର୍ବଭୂତେ । ବିଷ୍ଣୁ-ଆଶ୍ରୟ କରି ନିତ୍ୟେ ॥ ୧୪୪
ଏମନ୍ତେ ତ୍ରୟୋଦଶୀ ଦିନ । ବିଷ୍ଣୁଙ୍କୁ କରାଇ ସ୍ନାହାନ ॥ ୧୪୫
ଶାସ୍ତ୍ର-ପ୍ରମାଣେ ପଞ୍ଚାମୃତେ । କରିବ ବେଦବିଧି-ମତେ ॥ ୧୪୬
ପୂଜା କରିବ ଶୁଦ୍ଧଚିତ୍ତେ । ସମ୍ଭାର ଶକ୍ତି-ଅନୁମତେ ॥ ୧୪୭
ଶ୍ରୀହରି ରୂପ ଧ୍ୟାନେ ଧରି । ଅନଳେ ମନ୍ତ୍ରେ ହୋମ କରି ॥ ୧୪୮
ପାୟସ ଚରୁ ପଞ୍ଚାମୃତେ । ମନ୍ତ୍ର ଉଚ୍ଚାରି ଶୁଦ୍ଧଚିତ୍ତେ ॥ ୧୪୯
ନାନା ପ୍ରକାରେ ନଇବେଦ୍ୟ । କଟୁ ମଧୁର ଆଦି ସ୍ୱାଦ ॥ ୧୫୦
ନିବେଦି ବିଷ୍ଣୁ-ପ୍ରୀତିଅର୍ଥେ । ପୂଜା କରିବ ନାନାମତେ ॥ ୧୫୧
ଅଗ୍ନିପୂଜନ କର୍ମ ସାରି । ଗୁରୁ-ଆଚାର୍ଯ୍ୟ ପାଦ ଧରି ॥ ୧୫୨
ଧନ-ବସନ-ଅଳଙ୍କାର । ଯେବା ଦକ୍ଷିଣା ବ୍ରତସାର ॥ ୧୫୩
ଋତ୍ୱିଜଜନ ମନ ତୋଷି । ଦୁଃଖୀ-ଦରିଦ୍ରଙ୍କୁ ଆଶ୍ୱାସି ॥ ୧୫୪
ଭୋଜନେ ତୋଷି ସର୍ବପ୍ରାଣୀ । ଯେଣେ ସନ୍ତୋଷ ଚକ୍ରପାଣି ॥ ୧୫୫
ସକଳ ଜ୍ଞାତି-ବନ୍ଧୁମେଳେ । ଭୋଜନ ସାରି ସାୟଂକାଳେ ॥ ୧୫୬
ସୁବାଦ୍ୟ-ନୃତ୍ୟ-ଗୀତସ୍ୱରେ । ଉତ୍ସବ କରିବ ମନ୍ଦିରେ ॥ ୧୫୭
ଏମନ୍ତେ ପୟୋବ୍ରତ କରି । ଯେବା ଜଗତେ ନରନାରୀ ॥ ୧୫୮
ମନୋବାଞ୍ଛିତ ସେ ଲଭନ୍ତି । ଅନ୍ତେ ବିଷ୍ଣୁମାୟା ତରନ୍ତି ॥ ୧୫୯
ଏ ବ୍ରତ ବ୍ରହ୍ମାମୁଖୁଁ ପୂର୍ବେ । ମୁହିଁ ଯେ ଶୁଣିଛି ପ୍ରସ୍ତାବେ ॥ ୧୬୦
ତୁ ଯେଣୁ ମୋହର ଭାବିନୀ । ତେଣୁ କହିଲି ଭାବଘେନି ॥ ୧୬୧
ଏହା ତୁ ଶୁଦ୍ଧଚିତ୍ତେ ଧର । ଏ ବ୍ରତ ସର୍ବ ଯଜ୍ଞସାର ॥ ୧୬୨
ହରି-ସନ୍ତୋଷେ ବ୍ରତ କର । ଦୁଗର୍ମ-ସଙ୍କଟୁ ଉଦ୍ଧର ॥ ୧୬୩
ସର୍ବଭୂତଙ୍କ ପୂଜା ଏହି । ଦାନ-ଯଜ୍ଞାଦି ଯେତେ ଧ୍ୟାୟି ॥ ୧୬୪
ଏ ବ୍ରତେ ଈଶ୍ୱର-ଅର୍ପଣ । ଚତୁରବର୍ଗର କାରଣ ॥ ୧୬୫
ଯମ-ନିୟମ ଏଣେ ସାଧି । ଏ ଧର୍ମେ ବିଷ୍ଣୁଙ୍କୁ ସମ୍ପାଦି ॥ ୧୬୬
ତୁ ଏହା ଏକମନେ ଧର । ହରି-ସନ୍ତୋଷେ ବ୍ରତ କର ॥ ୧୬୭
ତୋର ବାଞ୍ଛିତ ହରି ଦେବେ । ଦେବଙ୍କୁ ନିଶ୍ଚିନ୍ତେ ରଖିବେ ॥ ୧୬୮
କହଇ ଦାସ ଜଗନ୍ନାଥ । ଅଦିତି ଶୁଣି ପୟୋବ୍ରତ ॥ ୧୬୯
ଚିତ୍ତେ ଚିନ୍ତିଲା ଭଗବାନ । ସୁଜନେ ଏଣେ କର ଧ୍ୟାନ ॥ ୧୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅଦିତି-ପୟୋବ୍ରତ-କଥନଂ ନାମ ପଞ୍ଚଦଶୋଽଧ୍ୟାୟଃ ॥
* * *