ଅଷ୍ଟମ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଶୁକ ଚରଣ କରେ ଧରି । ବୋଲେ ପରୀକ୍ଷ ଦଣ୍ଡଧାରୀ ॥

ପରୀକ୍ଷିତ ଉବାଚ

ଭୋ ମୁନି ତୁମ୍ଭ ମୁଖୁଁ ଶୁଣି । ଦୁର୍ଗମ ଅସମ୍ଭବ ବାଣୀ ॥

ସଂଶୟ କଲି ମୁହିଁ ଚିତ୍ତେ । ସେ କଥା କହ ମୁନି ମୋତେ ॥

ବଳିର ଯଜ୍ଞ ଭଗ୍ନ ଅର୍ଥେ । ବାମନ ଜନ୍ମିଲେ କେମନ୍ତେ ॥

କାହାର ତପକର୍ମ ବଳେ । ଜନ୍ମ ଲଭିଲେ କାହା କୋଳେ ॥

ଧରଣୀ ତିନିପାଦ ଦାନେ । ବଳିକି ଛଳିଲେ ବାମନେ ॥

ସେ ପୂର୍ଣ୍ଣ-ସ୍ୱଭାବେ ଈଶ୍ୱର । ଅଶେଷ ଦ୍ରବ୍ୟେ ଅଧିକାର ॥

କୃପଣ ପ୍ରାୟେ ତାକୁ ଧରି । କିମ୍ପା ବାନ୍ଧିଲେ ନରହରି ॥

ଏମନ୍ତେ ରାଜା-ବାକ୍ୟ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ କୃଷ୍ଣର ଚରିତ ॥ ୧୦

ଯେମନ୍ତେ ବିପ୍ର ରୂପେ ଛଳେ । ବଳିକି ଚାପିଲେ ପାତାଳେ ॥ ୧୧

ପୂର୍ବେ ଯେ ଦେବାସୁର ରଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥ ୧୨

ବଳି ସହିତେ ମରିଗଲେ । ଶେଷେ ଦାନବ ଯେତେ ଥିଲେ ॥ ୧୩

ବଳିର ମୃତ୍ୟୁପିଣ୍ଡ ନେଇ । ପଶ୍ଚିମ-ଗିରିପୃଷ୍ଠେ ଥୋଇ ॥ ୧୪

ଶୁକ୍ରଙ୍କୁ ଆଣି ଗଉରବେ । ବିଶ୍ୱାସ କହିଲେ ଦାନବେ ॥ ୧୫

ଅସୁରଙ୍କର ଭାବ ଘେନି । ଶୁକ୍ର ଯେ ମୃତସଞ୍ଜୀବନୀ ॥ ୧୬

ମନ୍ତ୍ରେ ଜିଆଇଲେ ତକ୍ଷଣେ । ଯେ ଅବା ମରିଥିଲେ ରଣେ ॥ ୧୭

ସକଳେ ଉଠିଲେ ତକ୍ଷଣେ । ନମିଲେ ଶୁକ୍ରଙ୍କ ଚରଣେ ॥ ୧୮

ବୋଇଲେ ଶୁକ୍ରମୁଖ ଚାହିଁ । ଅନାଥ ହୋଇଲୁ ଗୋସାଇଁ ॥ ୧୯

ଦେବେ ଯେ ଅମୃତ-ଭକ୍ଷଣେ । ଅମର ହୋଇ ଘୋରରଣେ ॥ ୨୦

ଆମ୍ଭଙ୍କୁ ମାରିଗଲେ ସର୍ବେ । ତୁମ୍ଭେ ଜୀବନ ଦେଲ ଏବେ ॥ ୨୧

ତୁମ୍ଭେ ଯେ ଆମ୍ଭର ସହାୟ । ଏବେ ହୋ କି କରିବୁ କହ ॥ ୨୨

ଏମନ୍ତେ ଅସୁରଙ୍କ ବାକ୍ୟେ । ଶୁକ୍ର ଚିନ୍ତିଲେ ବସି ଏକେ ॥ ୨୩

ବିଚାର କରି ଶୁଦ୍ଧଚିତ୍ତେ । କହନ୍ତି ବଳିର ଅଗ୍ରତେ ॥ ୨୪

ତୁ ମହାଯଜ୍ଞ ବେଗେ କର । ଯେମନ୍ତେ ଜିଣିବୁ ଅମର ॥ ୨୫

ଏମନ୍ତେ ଗୁରୁବାକ୍ୟ ଶୁଣି । ବଳି ଯଜ୍ଞର ବିଧି ଆଣି ॥ ୨୬

ଋତ୍ୱିଜ ଆଣି ଜଣେ ଜଣେ । ବରିଲା ଯଜ୍ଞର କାରଣେ ॥ ୨୭

ତ୍ରିପୁର ଜୟ ନାମ କ୍ରତୁ । କଲା ଅମର ଜୟ ହେତୁ ॥ ୨୮

ବ୍ରାହ୍ମଣେ ମିଳି ବେଦବାକ୍ୟେ । ମାର୍ଜନ କଲେ ଏକେ ଏକେ ॥ ୨୯

ତ୍ରିଲୋକ ମଧ୍ୟେ ରାଜା ଏକ । ଏ ଭାବେ କଲେ ଅଭିଷେକ ॥ ୩୦

ସୁବର୍ଣ୍ଣ ରଥ ମନ୍ତ୍ରତେଜେ । ବାହାର ହେଲା ଅଗ୍ନି ମାଝେ ॥ ୩୧

ହରିତବର୍ଣ୍ଣ ଅଶ୍ୱଜ୍ୟୋତି । ଯେସନେ ରବିରଥ-ଗତି ॥ ୩୨

ଗଗନ ମାର୍ଗେ ରଥ ସାଜେ । ସୁବର୍ଣ୍ଣ-ସିଂହ ଥାଇ ଧ୍ୱଜେ ॥ ୩୩

ହେମ ନିର୍ମିତ ଧନୁ ତୂଣେ । ଅଭେଦ କବଚ ଭୂଷଣେ ॥ ୩୪

ଅମ୍ଳାନ-ପଦ୍ମମାଳା ପୁଣି । ଗଳେ ପ୍ରହ୍ଲାଦ ଦେଲା ଆଣି ॥ ୩୫

ଭୃଗୁ ଯେ ଶଙ୍ଖ ଦେଲେ କରେ । ଯେ ନାଦେ ତ୍ରିଭୁବନ ପୂରେ ॥ ୩୬

ବିପ୍ରେ ଆଶିଷ ମନ୍ତ୍ରବଳେ । ସ୍ୱସ୍ତିବାଚନ ସୁମଙ୍ଗଳେ ॥ ୩୭

ବିପ୍ରଙ୍କୁ ପ୍ରଦକ୍ଷିଣ କରି । ରୋମାଞ୍ଚ-ଗାତ୍ରେ ମୋଦଭରି ॥ ୩୮

ପ୍ରହ୍ଲାଦ ପାଦେ ପ୍ରଣମିତ । ବଳି ଆରୋହି ଦିବ୍ୟରଥ ॥ ୩୯

ମାଳା କବଚ କଳେବରେ । ଧନୁ ଖଡ଼ଗ ଶୋହେ କରେ ॥ ୪୦

ରତ୍ନ-କେୟୂର ବାହୁମୂଳେ । ବିରାଜେ ମୁକୁଟ କୁଣ୍ଡଳେ ॥ ୪୧

ସେ ବଳି ରଥ ମଧ୍ୟେ ବସି । ଅନଳ ତେଜ ପ୍ରାୟ ଦିଶି ॥ ୪୨

ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ । ଅସୁରବଳ ମଧ୍ୟେ ରାଜେ ॥ ୪୩

ଏମନ୍ତ ଦୈତ୍ୟବଳ ଘେନି । ଚଳନ୍ତେ କମ୍ପଇ ମେଦିନୀ ॥ ୪୪

ସକଳେ ହୋଇ ଏକମନ । ଦିଶେ କି ପିଇବେ ଗଗନ ॥ ୪୫

ଅସୁରସେନା ରଥେ ବସି । ଧାଇଁଲେ ଗଗନ ଗରାସି ॥ ୪୬

ଚଳନ୍ତେ କମ୍ପେ ଦଶଦିଶ । କେ ସହୁ ଅସୁରଙ୍କ ତ୍ରାସ ॥ ୪୭

ମିଳିଲେ ଇନ୍ଦ୍ରର ଭୁବନେ । ସକଳେ ବିଧିର ବିଧାନେ ॥ ୪୮

ନନ୍ଦନବନେ ପନ୍ତିପନ୍ତି । କଳ୍ପ-ପାଦପେ ବିରାଜନ୍ତି ॥ ୪୯

ବିହଙ୍ଗ-ମିଥୁନେ ନାଚନ୍ତି । ମତ୍ତକୋକିଳେ ରାବ ଦ୍ୟନ୍ତି ॥ ୫୦

ହଂସ ସାରସ ଚକ୍ରବାକ । କାରଣ୍ଡବ ଆଦି ଡାହୁକ ॥ ୫୧

ପଲ୍ଲବ-ଫଳ-ପୁଷ୍ପଭରେ । ପାଦପେ ଲୋଟନ୍ତି ଭୂମିରେ ॥ ୫୨

ନଳିନୀବନ ମନୋହର । ସୁରକାମିନୀ କ୍ରୀଡ଼ାଘର ॥ ୫୩

ସୁସଞ୍ଚ ପରିଖା ଯେସନ । ଆକାଶ ଗଙ୍ଗାରେ ଭୂଷଣ ॥ ୫୪

ପାଚେରୀ ଦିଶେ ଅଗ୍ନିବର୍ଣ୍ଣ । ଅଟ୍ଟାଳୀ ଭେଦିଛି ଗଗନ ॥ ୫୫

ଦ୍ୱାରେ କବାଟ ହେମମୟେ । ଦେଖନ୍ତା ପ୍ରାଣୀ ମନ ମୋହେ ॥ ୫୬

ସ୍ପଟିକମୟ ପୁରଦ୍ୱାର । ଯେହ୍ନେ ବିରାଜେ ନିଶାକର ॥ ୫୭

କେ କହୁ ରୂପରାଶି ସୀମା । ଯାହା ଗଢ଼ିଲା ବିଶ୍ୱକର୍ମା ॥ ୫୮

ସଭା ଚତ୍ୱର ପଥ ଶୋହେ । ତପସ୍ୱୀଜନ ମନ ମୋହେ ॥ ୫୯

ଅପୂର୍ବ-ବିମାନ ସମୂହେ । ମଣି ନିର୍ମିତ ଝରା ଶୋହେ ॥ ୬୦

ପ୍ରବାଳ-ବେଦିକା ବିରାଜେ । ମଣି ଶୋଭିତ ମହାତେଜେ ॥ ୬୧

ଦିବ୍ୟ କାମିନୀଗଣ ଯହିଁ । ନବବୟସୀ ରୂପ ବହି ॥ ୬୨

ଶ୍ୟାମ-ବିରଜ-ବସ୍ତ୍ର-ଯୁତ । ଯହିଁ ଚଳନ୍ତି ଯୂଥ ଯୂଥ ॥ ୬୩

ଶୋଭା ଦିଶନ୍ତି ନାନାବର୍ଣ୍ଣେ । ପ୍ରଦୀପ-ଶିଖା-ଅଗ୍ନି ଯେହ୍ନେ ॥ ୬୪

କବରୀବନ୍ଧେ ଭୃଙ୍ଗମାଳା । ଅମର-ପ୍ରସୂନ ମେଖଳା ॥ ୬୫

ନାନାସୁଗନ୍ଧ ଲେପ ଦେହେ । ପ୍ରମୋଦ ମୋଦବାୟୁ ବହେ ॥ ୬୬

ସୁବର୍ଣ୍ଣକାନ୍ଥେ ଜଳାରନ୍ଧ୍ରେ । ମୋହେ ଅଗୁରୁ ଧୂପ ଗନ୍ଧେ ॥ ୬୭

ମାର୍ଗେ ସୁଗନ୍ଧ ଧୂପ ଧୂଆଁ । ମଧ୍ୟେ ଚଳନ୍ତି ସୁରପ୍ରିୟା ॥ ୬୮

ପାଣ୍ଡୁର ଦିଶେ ପନ୍ତିପନ୍ତି । ଧୂମମଣ୍ଡଳ ସଞ୍ଚରନ୍ତି ॥ ୬୯

ମଣ୍ଡିମଣ୍ଡିତ ହେମକାନ୍ଥେ । ଛାୟା ଦିଶନ୍ତି ମାର୍ଗେ ଯାନ୍ତେ ॥ ୭୦

ଜଗତୀ ଅଟ୍ଟାଳୀ ସୁସଞ୍ଚେ । ପତାକା ଶୋହେ ଅତି ଉଚ୍ଚେ ॥ ୭୧

ମୟୂର ପାରାବତ ନାଦେ । ସଙ୍ଗୀତ ମଙ୍ଗଳ ଶବଦେ ॥ ୭୨

ମୃଦଙ୍ଗ ଶଙ୍ଖ ଭେରୀ ନାଦ । ତାଳ ମୁରଲୀ ବୀଣାବାଦ୍ୟ ॥ ୭୩

ତାଣ୍ଡବେ ନାନା ବାଦ୍ୟ ଶୋହେ । ଗୀତ-ପ୍ରବନ୍ଧେ ମନମୋହେ ॥ ୭୪

ଯେ ପୁର ଭୋଗେ ତପଦାହି । ପାପିଷ୍ଠେ ନ ପାରନ୍ତି ଯାଇ ॥ ୭୫

ଭୂତ-ସନ୍ତାପୀ ଖଳ ଜନେ । ସୁଜନେ ପୀଡ଼ନ୍ତି ଅଜ୍ଞାନେ ॥ ୭୬

ଶଠ ହୃଦୟ କାମୀ ଲୋଭୀ । ଯେ ଚିତ୍ତେ ପରହିଂସା ଭାବି ॥ ୭୭

ସେ କାହିଁ ଯିବେ ସେ ଭୁବନେ । ଯାହା ଚିନ୍ତନ୍ତି ଯୋଗୀଜନେ ॥ ୭୮

ଏମନ୍ତ ପୁରେ ରାତ୍ରକାଳେ । ବଳି ମିଳିଲା ବାହୁବଳେ ॥ ୭୯

ବେଗେ ରୁନ୍ଧିଲା ଅଷ୍ଟଦିଗ । କେ ସହୁ ଅସୁରଙ୍କ ବେଗ ॥ ୮୦

ଭୂମି-ଗଗନ-ଅନ୍ତରାଳେ । ବାକ୍ୟ ନ ଶୁଭଇ ଚହଳେ ॥ ୮୧

ଶୁକ୍ରର ଶଙ୍ଖ କରେ ଘେନି । ବଳି କରଇ ଘୋର ଧ୍ୱନି ॥ ୮୨

ଶବଦେ ଭୁବନ କମ୍ପିଲା । ସେ ରବେ ଇନ୍ଦ୍ର ଭୟ କଲା ॥ ୮୩

ବଳି-ଉଦ୍ୟମ ଇନ୍ଦ୍ର ଶୁଣି । ସଭୟ ଚିତ୍ତେ ମନେ ଗୁଣି ॥ ୮୪

ବିଚାର କଲା ଗୁରୁମେଳେ । କେମନ୍ତେ ରହିବି ନିଶ୍ଚଳେ ॥ ୮୫

ଅସୁରେ ଅମୃତ ନ ପାଇ । ସମରେ ମଲେ ରୋଷ ବହି ॥ ୮୬

ଶୁକ୍ରର ମୃତ୍ୟୁସଞ୍ଜୀବନେ । ପ୍ରାଣ ପାଇଲେ ଯାତୁଧାନେ ॥ ୮୭

କିବା ଉଦ୍ୟମ ପରିମାଣି । ଅଇଲେ ଆମ୍ଭେ ତ ନ ଜାଣି ॥ ୮୮

ଭୋ ଗୁରୁ ନମୁଁ ତୋର ପାୟେ । ସ୍ୱର୍ଗେ କେମନ୍ତେ ଥିବୁ ଭୟେ ॥ ୮୯

କହ କି କରିବୁ ଉପାୟେ । ଯାବତ ରଜନୀ ନ ପାହେ ॥ ୯୦

ଦେଖ ଏହାର ତେଜରାଶି । ଅଗ୍ନିର ଶିଖାପ୍ରାୟ ଦିଶି ॥ ୯୧

ମୁଖେ କି ଆକାଶ ପିଇବ । ତ୍ରିଦଶେ ଜିହ୍ୱାରେ ଲେହିବ ॥ ୯୨

ଇନ୍ଦ୍ରର ବାକ୍ୟେ ବୃହସ୍ପତି । ଇନ୍ଦ୍ରକୁଶଳ ମନେ ଚିନ୍ତି ॥ ୯୩

ବୋଲନ୍ତି ଶୁଣ ସୁରପତି । ତୁ ବେଗେ ଛାଡ଼ ବାରସ୍ପତି ॥ ୯୪

ଶୁକ୍ର ଯେ ଅସୁରଙ୍କୁ ତାରି । ଚିତ୍ତେ ପ୍ରତିଜ୍ଞା ଅଛି କରି ॥ ୯୫

ସଙ୍କଳ୍ପ କରି ପୁରୋହିତେ । ଯଜ୍ଞ-କଳ୍ପିଲା ଇନ୍ଦ୍ର-ଜିତେ ॥ ୯୬

ତାହାର ମନ୍ତ୍ରବଳ-ତେଜେ । ତୁ କାହିଁ ଥିବୁ ଦେବରାଜ୍ୟେ ॥ ୯୭

ଜୀବନେ ଯେବେ ଅଛି କାର୍ଯ୍ୟ । ବେଗେ ଅମରାବତୀ ତେଜ ॥ ୯୮

ମୁଁ ଏହା ଜାଣେ ଯୋଗଧ୍ୟାନେ । ବଳି ଯେ ଶୁକ୍ରର ବଚନେ ॥ ୯୯

ଘୋରସମରେ ତୋତେ ଜିଣି । ତିନିଭୁବନେ ବୀରମଣି ॥ ୧୦୦

ରାଜା ହୋଇବ ଯଜ୍ଞବଳେ । ତୁ ଏବେ ରହ ଯା ନିରୋଳେ ॥ ୧୦୧

ହରିଙ୍କି ପଶ ଯା ଶରଣ । ତୋତେ ରଖିବେ ନାରାୟଣ ॥ ୧୦୨

କାଳର ବଶେ ବଞ୍ଚ ଏବେ । ଚିନ୍ତି ଶ୍ରୀହରିପାଦ ଭାବେ ॥ ୧୦୩

ଯାବତ ବଳି ତେଜ ନାଶେ । ତାବତ ରହ ବନବାସେ ॥ ୧୦୪

ଦୁର୍ଗମେ କାମରୂପେ ଚର । ଯହିଁ ପର୍ବତ ବନଘୋର ॥ ୧୦୫

ଏମନ୍ତ ଗୁରୁବାକ୍ୟ ଶୁଣି । ଅମୃତ ପ୍ରାୟ ଚିତ୍ତେ ମଣି ॥ ୧୦୬

ମିଳି ସକଳ ଦେବଗଣେ । ଭୟେ ପଶିଲେ ଘୋରବନେ ॥ ୧୦୭

ଏମନ୍ତେ ରଜନୀ ପ୍ରଭାତେ । ବଳି ଅସୁରଙ୍କ ସମେତେ ॥ ୧୦୮

ବସିଲା ଇନ୍ଦ୍ରର ଆସନେ । ଭୃଗୁବଚନେ ତୋଷମନେ ॥ ୧୦୯

ଇନ୍ଦ୍ରଆସନେ ବସି ତୋଷେ । ତ୍ରିଲୋକ କଲା ଆତ୍ମବଶେ ॥ ୧୧୦

ଶତାଶ୍ୱମେଧ ଯାଗ ଫଳେ । ସଂସାରେ ଯଶ ଲଭେ ହେଳେ ॥ ୧୧୧

ସୁଜନେ ଏଣେ କର ମତି । ତରିବ ବିଷୟ ଦୁର୍ଗତି ॥ ୧୧୨

ମନ ନିବେଶ ହରିପାଦେ । ମାୟା ତରିବ ଅପ୍ରମାଦେ ॥ ୧୧୩

ମନବଚନେ ଭାବ ଏବେ । ତରିବ ବିଷ୍ଣୁମାୟା ଯେବେ ॥ ୧୧୪

ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ବଳିରାଜା ସ୍ୱର୍ଗବିଜୟେ ନାମ ଚତୁŸର୍ଶୋଽଧ୍ୟାୟଃ ॥

* * *