ଅଷ୍ଟମ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଶୁକ ଚରଣ କରେ ଧରି । ବୋଲେ ପରୀକ୍ଷ ଦଣ୍ଡଧାରୀ ॥ ୧
ପରୀକ୍ଷିତ ଉବାଚ
ଭୋ ମୁନି ତୁମ୍ଭ ମୁଖୁଁ ଶୁଣି । ଦୁର୍ଗମ ଅସମ୍ଭବ ବାଣୀ ॥ ୨
ସଂଶୟ କଲି ମୁହିଁ ଚିତ୍ତେ । ସେ କଥା କହ ମୁନି ମୋତେ ॥ ୩
ବଳିର ଯଜ୍ଞ ଭଗ୍ନ ଅର୍ଥେ । ବାମନ ଜନ୍ମିଲେ କେମନ୍ତେ ॥ ୪
କାହାର ତପକର୍ମ ବଳେ । ଜନ୍ମ ଲଭିଲେ କାହା କୋଳେ ॥ ୫
ଧରଣୀ ତିନିପାଦ ଦାନେ । ବଳିକି ଛଳିଲେ ବାମନେ ॥ ୬
ସେ ପୂର୍ଣ୍ଣ-ସ୍ୱଭାବେ ଈଶ୍ୱର । ଅଶେଷ ଦ୍ରବ୍ୟେ ଅଧିକାର ॥ ୭
କୃପଣ ପ୍ରାୟେ ତାକୁ ଧରି । କିମ୍ପା ବାନ୍ଧିଲେ ନରହରି ॥ ୮
ଏମନ୍ତେ ରାଜା-ବାକ୍ୟ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥ ୯
ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁସୁତ । ଅଦ୍ଭୁତ କୃଷ୍ଣର ଚରିତ ॥ ୧୦
ଯେମନ୍ତେ ବିପ୍ର ରୂପେ ଛଳେ । ବଳିକି ଚାପିଲେ ପାତାଳେ ॥ ୧୧
ପୂର୍ବେ ଯେ ଦେବାସୁର ରଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥ ୧୨
ବଳି ସହିତେ ମରିଗଲେ । ଶେଷେ ଦାନବ ଯେତେ ଥିଲେ ॥ ୧୩
ବଳିର ମୃତ୍ୟୁପିଣ୍ଡ ନେଇ । ପଶ୍ଚିମ-ଗିରିପୃଷ୍ଠେ ଥୋଇ ॥ ୧୪
ଶୁକ୍ରଙ୍କୁ ଆଣି ଗଉରବେ । ବିଶ୍ୱାସ କହିଲେ ଦାନବେ ॥ ୧୫
ଅସୁରଙ୍କର ଭାବ ଘେନି । ଶୁକ୍ର ଯେ ମୃତସଞ୍ଜୀବନୀ ॥ ୧୬
ମନ୍ତ୍ରେ ଜିଆଇଲେ ତକ୍ଷଣେ । ଯେ ଅବା ମରିଥିଲେ ରଣେ ॥ ୧୭
ସକଳେ ଉଠିଲେ ତକ୍ଷଣେ । ନମିଲେ ଶୁକ୍ରଙ୍କ ଚରଣେ ॥ ୧୮
ବୋଇଲେ ଶୁକ୍ରମୁଖ ଚାହିଁ । ଅନାଥ ହୋଇଲୁ ଗୋସାଇଁ ॥ ୧୯
ଦେବେ ଯେ ଅମୃତ-ଭକ୍ଷଣେ । ଅମର ହୋଇ ଘୋରରଣେ ॥ ୨୦
ଆମ୍ଭଙ୍କୁ ମାରିଗଲେ ସର୍ବେ । ତୁମ୍ଭେ ଜୀବନ ଦେଲ ଏବେ ॥ ୨୧
ତୁମ୍ଭେ ଯେ ଆମ୍ଭର ସହାୟ । ଏବେ ହୋ କି କରିବୁ କହ ॥ ୨୨
ଏମନ୍ତେ ଅସୁରଙ୍କ ବାକ୍ୟେ । ଶୁକ୍ର ଚିନ୍ତିଲେ ବସି ଏକେ ॥ ୨୩
ବିଚାର କରି ଶୁଦ୍ଧଚିତ୍ତେ । କହନ୍ତି ବଳିର ଅଗ୍ରତେ ॥ ୨୪
ତୁ ମହାଯଜ୍ଞ ବେଗେ କର । ଯେମନ୍ତେ ଜିଣିବୁ ଅମର ॥ ୨୫
ଏମନ୍ତେ ଗୁରୁବାକ୍ୟ ଶୁଣି । ବଳି ଯଜ୍ଞର ବିଧି ଆଣି ॥ ୨୬
ଋତ୍ୱିଜ ଆଣି ଜଣେ ଜଣେ । ବରିଲା ଯଜ୍ଞର କାରଣେ ॥ ୨୭
ତ୍ରିପୁର ଜୟ ନାମ କ୍ରତୁ । କଲା ଅମର ଜୟ ହେତୁ ॥ ୨୮
ବ୍ରାହ୍ମଣେ ମିଳି ବେଦବାକ୍ୟେ । ମାର୍ଜନ କଲେ ଏକେ ଏକେ ॥ ୨୯
ତ୍ରିଲୋକ ମଧ୍ୟେ ରାଜା ଏକ । ଏ ଭାବେ କଲେ ଅଭିଷେକ ॥ ୩୦
ସୁବର୍ଣ୍ଣ ରଥ ମନ୍ତ୍ରତେଜେ । ବାହାର ହେଲା ଅଗ୍ନି ମାଝେ ॥ ୩୧
ହରିତବର୍ଣ୍ଣ ଅଶ୍ୱଜ୍ୟୋତି । ଯେସନେ ରବିରଥ-ଗତି ॥ ୩୨
ଗଗନ ମାର୍ଗେ ରଥ ସାଜେ । ସୁବର୍ଣ୍ଣ-ସିଂହ ଥାଇ ଧ୍ୱଜେ ॥ ୩୩
ହେମ ନିର୍ମିତ ଧନୁ ତୂଣେ । ଅଭେଦ କବଚ ଭୂଷଣେ ॥ ୩୪
ଅମ୍ଳାନ-ପଦ୍ମମାଳା ପୁଣି । ଗଳେ ପ୍ରହ୍ଲାଦ ଦେଲା ଆଣି ॥ ୩୫
ଭୃଗୁ ଯେ ଶଙ୍ଖ ଦେଲେ କରେ । ଯେ ନାଦେ ତ୍ରିଭୁବନ ପୂରେ ॥ ୩୬
ବିପ୍ରେ ଆଶିଷ ମନ୍ତ୍ରବଳେ । ସ୍ୱସ୍ତିବାଚନ ସୁମଙ୍ଗଳେ ॥ ୩୭
ବିପ୍ରଙ୍କୁ ପ୍ରଦକ୍ଷିଣ କରି । ରୋମାଞ୍ଚ-ଗାତ୍ରେ ମୋଦଭରି ॥ ୩୮
ପ୍ରହ୍ଲାଦ ପାଦେ ପ୍ରଣମିତ । ବଳି ଆରୋହି ଦିବ୍ୟରଥ ॥ ୩୯
ମାଳା କବଚ କଳେବରେ । ଧନୁ ଖଡ଼ଗ ଶୋହେ କରେ ॥ ୪୦
ରତ୍ନ-କେୟୂର ବାହୁମୂଳେ । ବିରାଜେ ମୁକୁଟ କୁଣ୍ଡଳେ ॥ ୪୧
ସେ ବଳି ରଥ ମଧ୍ୟେ ବସି । ଅନଳ ତେଜ ପ୍ରାୟ ଦିଶି ॥ ୪୨
ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ । ଅସୁରବଳ ମଧ୍ୟେ ରାଜେ ॥ ୪୩
ଏମନ୍ତ ଦୈତ୍ୟବଳ ଘେନି । ଚଳନ୍ତେ କମ୍ପଇ ମେଦିନୀ ॥ ୪୪
ସକଳେ ହୋଇ ଏକମନ । ଦିଶେ କି ପିଇବେ ଗଗନ ॥ ୪୫
ଅସୁରସେନା ରଥେ ବସି । ଧାଇଁଲେ ଗଗନ ଗରାସି ॥ ୪୬
ଚଳନ୍ତେ କମ୍ପେ ଦଶଦିଶ । କେ ସହୁ ଅସୁରଙ୍କ ତ୍ରାସ ॥ ୪୭
ମିଳିଲେ ଇନ୍ଦ୍ରର ଭୁବନେ । ସକଳେ ବିଧିର ବିଧାନେ ॥ ୪୮
ନନ୍ଦନବନେ ପନ୍ତିପନ୍ତି । କଳ୍ପ-ପାଦପେ ବିରାଜନ୍ତି ॥ ୪୯
ବିହଙ୍ଗ-ମିଥୁନେ ନାଚନ୍ତି । ମତ୍ତକୋକିଳେ ରାବ ଦ୍ୟନ୍ତି ॥ ୫୦
ହଂସ ସାରସ ଚକ୍ରବାକ । କାରଣ୍ଡବ ଆଦି ଡାହୁକ ॥ ୫୧
ପଲ୍ଲବ-ଫଳ-ପୁଷ୍ପଭରେ । ପାଦପେ ଲୋଟନ୍ତି ଭୂମିରେ ॥ ୫୨
ନଳିନୀବନ ମନୋହର । ସୁରକାମିନୀ କ୍ରୀଡ଼ାଘର ॥ ୫୩
ସୁସଞ୍ଚ ପରିଖା ଯେସନ । ଆକାଶ ଗଙ୍ଗାରେ ଭୂଷଣ ॥ ୫୪
ପାଚେରୀ ଦିଶେ ଅଗ୍ନିବର୍ଣ୍ଣ । ଅଟ୍ଟାଳୀ ଭେଦିଛି ଗଗନ ॥ ୫୫
ଦ୍ୱାରେ କବାଟ ହେମମୟେ । ଦେଖନ୍ତା ପ୍ରାଣୀ ମନ ମୋହେ ॥ ୫୬
ସ୍ପଟିକମୟ ପୁରଦ୍ୱାର । ଯେହ୍ନେ ବିରାଜେ ନିଶାକର ॥ ୫୭
କେ କହୁ ରୂପରାଶି ସୀମା । ଯାହା ଗଢ଼ିଲା ବିଶ୍ୱକର୍ମା ॥ ୫୮
ସଭା ଚତ୍ୱର ପଥ ଶୋହେ । ତପସ୍ୱୀଜନ ମନ ମୋହେ ॥ ୫୯
ଅପୂର୍ବ-ବିମାନ ସମୂହେ । ମଣି ନିର୍ମିତ ଝରା ଶୋହେ ॥ ୬୦
ପ୍ରବାଳ-ବେଦିକା ବିରାଜେ । ମଣି ଶୋଭିତ ମହାତେଜେ ॥ ୬୧
ଦିବ୍ୟ କାମିନୀଗଣ ଯହିଁ । ନବବୟସୀ ରୂପ ବହି ॥ ୬୨
ଶ୍ୟାମ-ବିରଜ-ବସ୍ତ୍ର-ଯୁତ । ଯହିଁ ଚଳନ୍ତି ଯୂଥ ଯୂଥ ॥ ୬୩
ଶୋଭା ଦିଶନ୍ତି ନାନାବର୍ଣ୍ଣେ । ପ୍ରଦୀପ-ଶିଖା-ଅଗ୍ନି ଯେହ୍ନେ ॥ ୬୪
କବରୀବନ୍ଧେ ଭୃଙ୍ଗମାଳା । ଅମର-ପ୍ରସୂନ ମେଖଳା ॥ ୬୫
ନାନାସୁଗନ୍ଧ ଲେପ ଦେହେ । ପ୍ରମୋଦ ମୋଦବାୟୁ ବହେ ॥ ୬୬
ସୁବର୍ଣ୍ଣକାନ୍ଥେ ଜଳାରନ୍ଧ୍ରେ । ମୋହେ ଅଗୁରୁ ଧୂପ ଗନ୍ଧେ ॥ ୬୭
ମାର୍ଗେ ସୁଗନ୍ଧ ଧୂପ ଧୂଆଁ । ମଧ୍ୟେ ଚଳନ୍ତି ସୁରପ୍ରିୟା ॥ ୬୮
ପାଣ୍ଡୁର ଦିଶେ ପନ୍ତିପନ୍ତି । ଧୂମମଣ୍ଡଳ ସଞ୍ଚରନ୍ତି ॥ ୬୯
ମଣ୍ଡିମଣ୍ଡିତ ହେମକାନ୍ଥେ । ଛାୟା ଦିଶନ୍ତି ମାର୍ଗେ ଯାନ୍ତେ ॥ ୭୦
ଜଗତୀ ଅଟ୍ଟାଳୀ ସୁସଞ୍ଚେ । ପତାକା ଶୋହେ ଅତି ଉଚ୍ଚେ ॥ ୭୧
ମୟୂର ପାରାବତ ନାଦେ । ସଙ୍ଗୀତ ମଙ୍ଗଳ ଶବଦେ ॥ ୭୨
ମୃଦଙ୍ଗ ଶଙ୍ଖ ଭେରୀ ନାଦ । ତାଳ ମୁରଲୀ ବୀଣାବାଦ୍ୟ ॥ ୭୩
ତାଣ୍ଡବେ ନାନା ବାଦ୍ୟ ଶୋହେ । ଗୀତ-ପ୍ରବନ୍ଧେ ମନମୋହେ ॥ ୭୪
ଯେ ପୁର ଭୋଗେ ତପଦାହି । ପାପିଷ୍ଠେ ନ ପାରନ୍ତି ଯାଇ ॥ ୭୫
ଭୂତ-ସନ୍ତାପୀ ଖଳ ଜନେ । ସୁଜନେ ପୀଡ଼ନ୍ତି ଅଜ୍ଞାନେ ॥ ୭୬
ଶଠ ହୃଦୟ କାମୀ ଲୋଭୀ । ଯେ ଚିତ୍ତେ ପରହିଂସା ଭାବି ॥ ୭୭
ସେ କାହିଁ ଯିବେ ସେ ଭୁବନେ । ଯାହା ଚିନ୍ତନ୍ତି ଯୋଗୀଜନେ ॥ ୭୮
ଏମନ୍ତ ପୁରେ ରାତ୍ରକାଳେ । ବଳି ମିଳିଲା ବାହୁବଳେ ॥ ୭୯
ବେଗେ ରୁନ୍ଧିଲା ଅଷ୍ଟଦିଗ । କେ ସହୁ ଅସୁରଙ୍କ ବେଗ ॥ ୮୦
ଭୂମି-ଗଗନ-ଅନ୍ତରାଳେ । ବାକ୍ୟ ନ ଶୁଭଇ ଚହଳେ ॥ ୮୧
ଶୁକ୍ରର ଶଙ୍ଖ କରେ ଘେନି । ବଳି କରଇ ଘୋର ଧ୍ୱନି ॥ ୮୨
ଶବଦେ ଭୁବନ କମ୍ପିଲା । ସେ ରବେ ଇନ୍ଦ୍ର ଭୟ କଲା ॥ ୮୩
ବଳି-ଉଦ୍ୟମ ଇନ୍ଦ୍ର ଶୁଣି । ସଭୟ ଚିତ୍ତେ ମନେ ଗୁଣି ॥ ୮୪
ବିଚାର କଲା ଗୁରୁମେଳେ । କେମନ୍ତେ ରହିବି ନିଶ୍ଚଳେ ॥ ୮୫
ଅସୁରେ ଅମୃତ ନ ପାଇ । ସମରେ ମଲେ ରୋଷ ବହି ॥ ୮୬
ଶୁକ୍ରର ମୃତ୍ୟୁସଞ୍ଜୀବନେ । ପ୍ରାଣ ପାଇଲେ ଯାତୁଧାନେ ॥ ୮୭
କିବା ଉଦ୍ୟମ ପରିମାଣି । ଅଇଲେ ଆମ୍ଭେ ତ ନ ଜାଣି ॥ ୮୮
ଭୋ ଗୁରୁ ନମୁଁ ତୋର ପାୟେ । ସ୍ୱର୍ଗେ କେମନ୍ତେ ଥିବୁ ଭୟେ ॥ ୮୯
କହ କି କରିବୁ ଉପାୟେ । ଯାବତ ରଜନୀ ନ ପାହେ ॥ ୯୦
ଦେଖ ଏହାର ତେଜରାଶି । ଅଗ୍ନିର ଶିଖାପ୍ରାୟ ଦିଶି ॥ ୯୧
ମୁଖେ କି ଆକାଶ ପିଇବ । ତ୍ରିଦଶେ ଜିହ୍ୱାରେ ଲେହିବ ॥ ୯୨
ଇନ୍ଦ୍ରର ବାକ୍ୟେ ବୃହସ୍ପତି । ଇନ୍ଦ୍ରକୁଶଳ ମନେ ଚିନ୍ତି ॥ ୯୩
ବୋଲନ୍ତି ଶୁଣ ସୁରପତି । ତୁ ବେଗେ ଛାଡ଼ ବାରସ୍ପତି ॥ ୯୪
ଶୁକ୍ର ଯେ ଅସୁରଙ୍କୁ ତାରି । ଚିତ୍ତେ ପ୍ରତିଜ୍ଞା ଅଛି କରି ॥ ୯୫
ସଙ୍କଳ୍ପ କରି ପୁରୋହିତେ । ଯଜ୍ଞ-କଳ୍ପିଲା ଇନ୍ଦ୍ର-ଜିତେ ॥ ୯୬
ତାହାର ମନ୍ତ୍ରବଳ-ତେଜେ । ତୁ କାହିଁ ଥିବୁ ଦେବରାଜ୍ୟେ ॥ ୯୭
ଜୀବନେ ଯେବେ ଅଛି କାର୍ଯ୍ୟ । ବେଗେ ଅମରାବତୀ ତେଜ ॥ ୯୮
ମୁଁ ଏହା ଜାଣେ ଯୋଗଧ୍ୟାନେ । ବଳି ଯେ ଶୁକ୍ରର ବଚନେ ॥ ୯୯
ଘୋରସମରେ ତୋତେ ଜିଣି । ତିନିଭୁବନେ ବୀରମଣି ॥ ୧୦୦
ରାଜା ହୋଇବ ଯଜ୍ଞବଳେ । ତୁ ଏବେ ରହ ଯା ନିରୋଳେ ॥ ୧୦୧
ହରିଙ୍କି ପଶ ଯା ଶରଣ । ତୋତେ ରଖିବେ ନାରାୟଣ ॥ ୧୦୨
କାଳର ବଶେ ବଞ୍ଚ ଏବେ । ଚିନ୍ତି ଶ୍ରୀହରିପାଦ ଭାବେ ॥ ୧୦୩
ଯାବତ ବଳି ତେଜ ନାଶେ । ତାବତ ରହ ବନବାସେ ॥ ୧୦୪
ଦୁର୍ଗମେ କାମରୂପେ ଚର । ଯହିଁ ପର୍ବତ ବନଘୋର ॥ ୧୦୫
ଏମନ୍ତ ଗୁରୁବାକ୍ୟ ଶୁଣି । ଅମୃତ ପ୍ରାୟ ଚିତ୍ତେ ମଣି ॥ ୧୦୬
ମିଳି ସକଳ ଦେବଗଣେ । ଭୟେ ପଶିଲେ ଘୋରବନେ ॥ ୧୦୭
ଏମନ୍ତେ ରଜନୀ ପ୍ରଭାତେ । ବଳି ଅସୁରଙ୍କ ସମେତେ ॥ ୧୦୮
ବସିଲା ଇନ୍ଦ୍ରର ଆସନେ । ଭୃଗୁବଚନେ ତୋଷମନେ ॥ ୧୦୯
ଇନ୍ଦ୍ରଆସନେ ବସି ତୋଷେ । ତ୍ରିଲୋକ କଲା ଆତ୍ମବଶେ ॥ ୧୧୦
ଶତାଶ୍ୱମେଧ ଯାଗ ଫଳେ । ସଂସାରେ ଯଶ ଲଭେ ହେଳେ ॥ ୧୧୧
ସୁଜନେ ଏଣେ କର ମତି । ତରିବ ବିଷୟ ଦୁର୍ଗତି ॥ ୧୧୨
ମନ ନିବେଶ ହରିପାଦେ । ମାୟା ତରିବ ଅପ୍ରମାଦେ ॥ ୧୧୩
ମନବଚନେ ଭାବ ଏବେ । ତରିବ ବିଷ୍ଣୁମାୟା ଯେବେ ॥ ୧୧୪
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବଳିରାଜା ସ୍ୱର୍ଗବିଜୟେ ନାମ ଚତୁର୍ଶୋଽଧ୍ୟାୟଃ ॥
* * *