ଅଷ୍ଟମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଶ୍ରୀକୃଷ୍ଣ ପାଦ ହୃଦେ ଚିନ୍ତି । କହନ୍ତି ଶୁକ ବ୍ରହ୍ମଯତି ॥

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁସୁତ । ସପ୍ତମେ ମନୁବଂଶେ ଜାତ ॥

ସୂର୍ଯ୍ୟତନୟ ଅନୁପମ । ତାହାର ଶ୍ରାଦ୍ଧଦେବ ନାମ ॥

ବର୍ତ୍ତମାନ ଯା ଭୋଗକାଳ । ଯେ ଶୁଦ୍ଧ ସୁଗୁଣ ସୁଶୀଳ ॥

ତାର ସନ୍ତତି ହେଲେ ଯେତେ । ଶୁଣ କହିବି ଏକଚିତ୍ତେ ॥

ଈକ୍ଷବା୍‌କୁ ନଭଗ ଶର୍ଯ୍ୟାତି । ଧୃଷ୍ଟ ନରିଷ୍ୟନ୍ତ ସନ୍ତତି ॥

ନାଭାଗ ଦିଷ୍ଟ ଯେ ସପ୍ତମ । କରୂଷ ପୃଷଧ୍ର ନବମ ॥

ଦଶମ ବସୁମାନ ନାମ । ବୈବସ୍ୱତର ଏ ନନ୍ଦନ ॥

ସେ ମନୁକାଳେ ଦେବଗଣ । ନାମ କହିବା ତାଙ୍କ ଶୁଣ ॥

ଆଦିତ୍ୟ ବସୁ ରୁଦ୍ର ବିଶ୍ୱ । ଅଶ୍ୱିନୀ ରଭୁ ଅଣଚାଶ ॥ ୧୦

ତାହାଙ୍କ ମଧ୍ୟେ ଦେବବର । ଇନ୍ଦ୍ରର ନାମ ପୁରନ୍ଦର ॥ ୧୧

ସେ ମନୁ କାଳେ ସପ୍ତଋଷି । ଭ୍ରମନ୍ତି ଧ୍ରୁବଚକ୍ରେ ବସି ॥ ୧୨

କଶ୍ୟପ ଅତ୍ରି ଋଷିଶ୍ରେଷ୍ଠ । ତୃତୀୟ ମୁନି ଯେ ବଶିଷ୍ଠ ॥ ୧୩

ଗୌତମ ବିଶ୍ୱାମିତ୍ର ଦ୍ୱିଜ । ଜମଦଗ୍ନି ଯେ ଭରଦ୍ୱାଜ ॥ ୧୪

ଏ ଆଦି ନାମେ ସପ୍ତମୁନି । ଚକ୍ରେ ଭ୍ରମନ୍ତି କର୍ମ ଘେନି ॥ ୧୫

ବଇବସ୍ୱତ ମନୁ କଳ୍ପେ । ଗୋବିନ୍ଦ ବାମନ ସ୍ୱରୂପେ ॥ ୧୬

ଜନ୍ମିଲେ ଅଦିତି ଉଦରେ । କଶ୍ୟପ ଋଷିଙ୍କର ଘରେ ॥ ୧୭

ଏ ସପ୍ତ ମନ୍ୱନ୍ତର ଯେତେ । କହିଲୁ ତୁମ୍ଭର ଅଗ୍ରତେ ॥ ୧୮

ଏବେ ଭବିଷ୍ୟ ମନୁ ସପ୍ତ । ଶୁଣ ସୁମନେ ପରୀକ୍ଷିତ ॥ ୧୯

ବିଶ୍ୱକର୍ମାର କନ୍ୟା ବେନି । ସୂର୍ଯ୍ୟେ ବରିଲେ ଭାବ ଘେନି ॥ ୨୦

ରୂପେ ଦିଶନ୍ତି ଅନୁପମ । ତାହାଙ୍କ ସଂଜ୍ଞା ଛାୟା ନାମ ॥ ୨୧

ସୂର୍ଯ୍ୟର ତେଜ ଅସହନେ । ସଂଜ୍ଞା ଯେ ଅଶ୍ୱରୂପେ ବନେ ॥ ୨୨

ସୂର୍ଯ୍ୟ ରମିଲେ ତାର ତୁଲେ । ଅଶ୍ୱିନୀକୁମାର ଜନ୍ମିଲେ ॥ ୨୩

ପ୍ରଥମେ ସୂର୍ଯ୍ୟ ତୁଲେ ରମି । ସଂଜ୍ଞା ପ୍ରସବେ ଗର୍ଭ ତିନି ॥ ୨୪

ଯମ ଯମୁନା ଭାଇ ଭଗ୍ନୀ । ଜନ୍ମିଲେ ଶ୍ରାଦ୍ଧଦେବ ତିନି ॥ ୨୫

କହୁଅଛଇ ତୋତେ ଭାବେ । ଛାୟା-ଅପତ୍ୟ ଶୁଣ ଏବେ ॥ ୨୬

ସାବର୍ଣ୍ଣି ନାମେ ଏକ ସୁତ । କନ୍ୟା ତପତୀ ରୂପେ ଜାତ ॥ ୨୭

ତୃତୀୟ ପୁତ୍ର ଶନୈଶ୍ଚର । ଏବେ ହୋ ଶୁଣ ନୃପବର ॥ ୨୮

ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ । ଭଜିବ ସଂସାର ବେଭାରେ ॥ ୨୯

ନିର୍ମୋକ ବୀରଯସ୍କ ଆଦି । ସାବର୍ଣ୍ଣି ତନୟ ସମ୍ପାଦି ॥ ୩୦

ବିରଜ ଆଦି ଦେବଗଣେ । ଜନମ ସଂସାର କାରଣେ ॥ ୩୧

ତାହାଙ୍କ ପାଳନ ପ୍ରବନ୍ଧେ । ବଳି ବସିବ ଇନ୍ଦ୍ରପଦେ ॥ ୩୨

ତାହାଙ୍କୁ ଛଳିବେ ବାମନ । ଯଜ୍ଞେ ପୃଥିବୀ ଦେବେ ଦାନ ॥ ୩୩

ତିନି ଚରଣ ଦାନ ଦେଇ । ବାମନ ପାଦ ମୁଣ୍ଡେ ବହି ॥ ୩୪

କେତେହେଁ କାଳ ଦାନ ଫଳେ । ସେ ଭୋଗ ଭୁଞ୍ଜିବ ପାତାଳେ ॥ ୩୫

ସ୍ୱର୍ଗେ ବସିବ ଇନ୍ଦ୍ରପଣେ । ଅନ୍ତେ ପଶିବ ନାରାୟଣେ ॥ ୩୬

ସେ ବଳି କାଳେ ସପ୍ତମୁନି । ଉଦୟ ନିଜ ତେଜ ଘେନି ॥ ୩୭

ଯେ ରୂପେ ସଂସାର ଧାରଣ । ତାହାଙ୍କ ନାମ ଏବେ ଶୁଣ ॥ ୩୮

ଗାଲବ ଦୀପ୍ତିମାନ ରାମ । କୃପାଚାର୍ଯ୍ୟ ଦ୍ରୋଣନନ୍ଦନ ॥ ୩୯

ଅପରେ ଋଷ୍ୟଶୃଙ୍ଗ ବ୍ୟାସ । କହିଲି ଋଷିଙ୍କ ବିଶେଷ ॥ ୪୦

ଏ ଆଦି ସପ୍ତ ଋଷିଗଣେ । ବ୍ରହ୍ମାର ଆଜ୍ଞା ପରମାଣେ ॥ ୪୧

ହୋଇବେ ଭବିଷ୍ୟତ କାଳେ । ଅଛନ୍ତି ଆଶ୍ରମମଣ୍ଡଳେ ॥ ୪୨

ଏହି ସାବ‰ର୍ଣ୍ଣି ମନ୍ୱନ୍ତରେ । ବିଷ୍ଣୁ ଯେ ଦେବଗୁହ୍ୟ ଘରେ ॥ ୪୩

ସରସ୍ୱତୀର ଗର୍ଭୁ ଜାତ । ନାମରେ ସାର୍ବଭୌମ ଖ୍ୟାତ ॥ ୪୪

ସେ କାଳେ ବିଷ୍ଣୁ ନିଜ ଭାବେ । ବଳିକି ଇନ୍ଦ୍ରପଦ ଦେବେ ॥ ୪୫

ହୋଇବ ସେହୁ ସୁରେଶ୍ୱର । ଅମରପୁରେ ପୁରନ୍ଦର ॥ ୪୬

ତଦନ୍ତେ ଶୁଣ ହେ ରାଜନ । ନବମ ମନୁ ବିବରଣ ॥ ୪୭

ଏ ଅନ୍ତେ ବରୁଣ ନନ୍ଦନ । ଦକ୍ଷସାବର୍ଣ୍ଣି ଯେ ନବମ ॥ ୪୮

ପୁତ୍ର ଜନ୍ମିବେ ତାର ରେତୁ । ଯେ ଭୂତକେତୁ ଦୀପ୍ତକେତୁ ॥ ୪୯

ପାରା ମରୀଚିଗର୍ଭ ଆଦି । ଏ ନାମେ ଦେବତା ପ୍ରସିଦ୍ଧି ॥ ୫୦

ଦେବଅଦ୍‌ଭୁତ ନାମେ ଇନ୍ଦ୍ର । ଭୋଗ କରିବ ସ୍ୱର୍ଗପଦ ॥ ୫୧

ଋଷିଏ ଦ୍ୟୁତିମାନ ଆଦି । ହୋଇବେ ସେ ମନୁ ସମ୍ପାଦି ॥ ୫୨

ବିପ୍ର ଯେ ଆୟୁଷ୍ମାନ ଘରେ । ସେ ଅମ୍ବୁଧାର ଗର୍ଭରେ ॥ ୫୩

ଋଷଭ ନାମେ ଜାତ ହେବେ । ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ ॥ ୫୪

ଦଶମେ ଉପଶ୍ଳୋକ ସୁତ । ବ୍ରହ୍ମସାବର୍ଣ୍ଣି ନାମେ ଖ୍ୟାତ ॥ ୫୫

ତାର କୁମରେ ବ୍ରହ୍ମବାଦୀ । ଜନ୍ମିବେ ଭୂରିଷେଣ ଆଦି ॥ ୫୬

ସୁକୃତି ସତ୍ୟ ହବିଷ୍ମାନ । ଜୟ ଆବର ମୂର୍ତ୍ତି ପୁଣ ॥ ୫୭

ଏ ଆଦି ଋଷିଏ ବ୍ରାହ୍ମଣ । ଏବେ ଦେବତା ନାମ ଶୁଣ ॥ ୫୮

ଦେବେ ବିରୁଦ୍ଧ ସୁବାସନ । ଇନ୍ଦ୍ରର ନାମ ଶମ୍ଭୁ ଜାଣ ॥ ୫୯

ବିଶ୍ୱସୃଜର ଘରେ ହରି । ବିଷୂଚି ଗର୍ଭେ ଅବତରି ॥ ୬୦

ବିଶ୍ୱକେସନ ନାମ ବହି । ପାଳିବେ ନିଜ ଧର୍ମେ ମହୀ ॥ ୬୧

ବିଶ୍ୱକେସନ ଶମ୍ଭୁ ସଙ୍ଗେ । ମିତ୍ର ହୋଇବେ ସତ୍ୟଯୁଗେ ॥ ୬୨

ଧର୍ମସାବର୍ଣ୍ଣି ମନୁ ହୋଇ । ପାଳିବେ ଏକାଦଶେ ମହୀ ॥ ୬୩

ସତ୍ୟ ଧର୍ମାଦି ସୁତ ଦଶ । ପାଳିବେ ମହୀ ସ୍ୱର୍ଗଦେଶ ॥ ୬୪

ନିର୍ବାଣରୁଚି ବିହଙ୍ଗମ । ଦେବଙ୍କ ନାମ କାଳଗମ ॥ ୬୫

ଇନ୍ଦ୍ର ହୋଇବେ ବଇଧୃତ । ଋଷି ଅରୁଣ ଆଦି ଖ୍ୟାତ ॥ ୬୬

ବୈଧୃତା ଗର୍ଭେ ଧର୍ମସେତୁ । ଜନମି ସେ ଆର୍ଯ୍ୟକ ରେତୁ ॥ ୬୭

ସେ ଇନ୍ଦ୍ର ଧର୍ମସେତୁ ବଳେ । ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ ॥ ୬୮

ରୁଦ୍ରସାବର୍ଣ୍ଣି ଯେ ଦ୍ୱାଦଶେ । ଜନ୍ମିବେ ନାରାୟଣ ଅଂଶେ ॥ ୬୯

ଯେ ଦେବବାନ ଉପଦେବ । ଦେବଶ୍ରେଷ୍ଠ ଆଦି ସମ୍ଭବ ॥ ୭୦

ଇନ୍ଦ୍ର ହୋଇବେ ଋତଧାମ । ହରିତ ଆଦି ଦେବେ ଜାଣ ॥ ୭୧

ତପୋମୂର୍ତ୍ତି ଆର ତପସ୍ୱୀ । ଆଗ୍ନୀଧ୍ରକାଦି ସପ୍ତଋଷି ॥ ୭୨

ସ୍ୱଧାମା ନାମେ ଦେବ ହରି । ସୁନୃତା ଗର୍ଭେ ଅବତରି ॥ ୭୩

ସତ୍ୟସହ ଯେ ବିପ୍ର ଘରେ । ସାଧିବେ ଏହି ମନ୍ୱନ୍ତରେ ॥ ୭୪

ଦେବସାବର୍ଣ୍ଣି ତ୍ରୟୋଦଶେ । ହୋଇବେ ନାରାୟଣ ଅଂଶେ ॥ ୭୫

ବିଚିତ୍ର ଚିତ୍ରସେନ ଆଦି । ଦେବସାବର୍ଣ୍ଣି ପୁତ୍ର ସାଧି ॥ ୭୬

ସୁକର୍ମ ସୁତ୍ରାମ ଏ ଆଦି । ଦେବତା ରୂପେଣ ପ୍ରସିଦ୍ଧି ॥ ୭୭

ଇନ୍ଦ୍ର ଯେ ଦିବସ୍ପତି ନାମେ । ସୁଖେ ବସିବ ସ୍ୱର୍ଗଗ୍ରାମେ ॥ ୭୮

ନିର୍ମୋକ ତତ୍ତ୍ୱଦର୍ଶୀମାନେ । ହୋଇବେ ସପ୍ତଋଷିଗଣେ ॥ ୭୯

ହରିର ଅଂଶେ ଯୋଗେଶ୍ୱର । ଔରସେ ଦେବହୋତ୍ରଙ୍କର ॥ ୮୦

ବୃହତୀ ଗର୍ଭେ ଜାତ ହେବେ । ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ ॥ ୮୧

ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ । ହୋଇବେ ନାରାୟଣ ଅଂଶେ ॥ ୮୨

ଉରୁ ଗମ୍ଭୀରବୁଦ୍ଧି ଆର । ଜନ୍ମିବେ ତାହାର କୁମର ॥ ୮୩

ପବିତ୍ର ଚାକ୍ଷୁଷ ନାମରେ । ଦେବତା ସେହି ମନ୍ୱନ୍ତରେ ॥ ୮୪

ହୋଇବେ ଶୁଚି ନାମେ ଇନ୍ଦ୍ର । ସୁଖେ ପାଳିବେ ଦେବବୃନ୍ଦ ॥ ୮୫

ଅଗ୍ନିବାହୁ ଯେ ଶୁଚି ଶୁଦ୍ଧ । ମାଗଧ ଆଦି ଋଷି ସିଦ୍ଧ ॥ ୮୬

ଏ ସର୍ବେ ନିତ୍ୟେ ତପସ୍ୱୀନ । ହୋଇବେ ଏକଥା ପ୍ରମାଣ ॥ ୮୭

ବୃହଦଭାନୁ ଅବତାରେ । ବିଷ୍ଣୁ ଯେ ସତ୍ରାୟଣ ଘରେ ॥ ୮୮

ଜନ୍ମିବେ ବିତାନା ଉଦରେ । ଏବେ ହେ ଶୁଣ ନୃପବରେ ॥ ୮୯

ଚତୁରଦଶ ମନୁ ଯେତେ । ଭାବେ କହିଲି ତୋ ଅଗ୍ରତେ ॥ ୯୦

କଳ୍ପାନ୍ତେ ମନୁ ଚତୁର୍ଦ୍ଦଶେ । ଏ ଭାବେ ବ୍ରହ୍ମାର ଦିବସ ॥ ୯୧

ସହସ୍ରଯୁଗ ଏହି ମତେ । କଳ୍ପ ବୋଲାଇ ଏ ଜଗତେ ॥ ୯୨

ଏମନ୍ତେ ବେନିକଳ୍ପ ଗଲେ । ବ୍ରହ୍ମାର ଅହୋରାତ୍ର ଭଲେ ॥ ୯୩

ଏମନ୍ତେ ଶୁକ ମୁଖୁଁ ଶୁଣି । କହେ ପାଣ୍ଡବ-ଚୂଡ଼ାମଣି ॥ ୯୪

ରାଜା ଉବାଚ

ଏ ଭାବେ ବ୍ରହ୍ମାର ଦିବସ । ଭାଷନ୍ତି ମନୁ ଚତୁର୍ଦ୍ଦଶ ॥ ୯୫

ଯେ ମନୁକାଳେ ଯେବା କର୍ମ । ଯୁଗ ସ୍ୱଭାବେ ଯଥା ଧର୍ମ ॥ ୯୬

ବିଷ୍ଣୁର ଆଜ୍ଞା ପରମାଣେ । ଯେବା ସାଧିଲେ ଜଣେ ଜଣେ ॥ ୯୭

ସେ କଥା କହ ମୁନି ମୋତେ । କେ ଅବା କର୍ମ କଲେ କେତେ ॥ ୯୮

ରାଜାର ତହୁଁ ଏହା ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୯୯

ଶୁକ ଉବାଚ

ଯେ ମନୁ ମନୁର ତନୁଜେ । ଯେ ସପ୍ତଋଷି ସୃଷ୍ଟି-ମାଝେ ॥ ୧୦୦

ଯେତେ ଏ ଇନ୍ଦ୍ର ଦେବଗଣ । ଏ ସର୍ବରୂପ ନାରାୟଣ ॥ ୧୦୧

ତା ବିନୁ ଆନ ନାହିଁ କେହି । ସେ ସର୍ବ ଆତ୍ମା ମଧ୍ୟେ ରହି ॥ ୧୦୨

ଯଜ୍ଞାଦି କ୍ରିୟା ତା ଶରୀର । ସେ ହରି ଧର୍ମ-ନିରାକାର ॥ ୧୦୩

କଳ୍ପ ଅନ୍ତରେ କାଳବଳେ । ତ୍ରୈଲୋକ୍ୟ ମଜ୍ଜଇ ସଲିଳେ ॥ ୧୦୪

କାଳ ଗରାସେ ଶ୍ରୁତିପଥ । ତ୍ରୈଲୋକ୍ୟ ଦିଶଇ ଅନାଥ ॥ ୧୦୫

ଋଷି ସକଳେ ତପୋବଳେ । ଧର୍ମକୁ ଦେଖାନ୍ତି ଶୟଳେ ॥ ୧୦୬

ଧର୍ମ ପାଳନ୍ତି ମନୁଗଣେ । ଶ୍ରୁତି-ସଂଯୋଗ-ବିଚାରଣେ ॥ ୧୦୭

ଇନ୍ଦ୍ର ପାଳଇ ତ୍ରିଭୁବନ । ଆଦରି ବିଷ୍ଣୁର ବଚନ ॥ ୧୦୮

ସେ ହରି ସିଦ୍ଧରୂପ ବହେ । ଯୁଗାନୁକଳ୍ପେ ଜ୍ଞାନ କହେ ॥ ୧୦୯

ସେ ହରି ପ୍ରଜାପତି ରୂପେ । ସଂସାର-ସର୍ଜନକୁ କଳ୍ପେ ॥ ୧୧୦

ଆତ୍ମାର ମାୟାଯୋଗ ବଳେ । ନାନା ଶରୀରେ ଏ ଶୟଳେ ॥ ୧୧୧

ବିହାର କରେ ପଦ୍ମନାଭ । ଯା ନାମ ଭବଜଳେ ନାବ ॥ ୧୧୨

ଦୃଶ୍ୟ-ଅଦୃଶ୍ୟେ ସେ ନ ମିଶେ । କେବଳ ବୀଜ ରୂପେ ଦିଶେ ॥ ୧୧୩

କହିଲୁ କଳ୍ପସଂଖ୍ୟା ତୋତେ । ଯେ କଳ୍ପେ ଭୁଞ୍ଜନ୍ତି ସେ ଯେତେ ॥ ୧୧୪

ଯେ ଏହା ଶୁଣେ କର୍ଣ୍ଣପଥେ । ନିଶ୍ଚଳ ମନେ ଶୁଦ୍ଧଚିତ୍ତେ ॥ ୧୧୫

ଚିତ୍ତେ ନ ରହେ ଭବଭ୍ରାନ୍ତି । ଘୋର-ସଂସାରୁ ତରିଯାନ୍ତି ॥ ୧୧୬

ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୧୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁବର୍ଣ୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥

* * *