ଅଷ୍ଟମ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ଶ୍ରୀକୃଷ୍ଣ ପାଦ ହୃଦେ ଚିନ୍ତି । କହନ୍ତି ଶୁକ ବ୍ରହ୍ମଯତି ॥ ୧
ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁସୁତ । ସପ୍ତମେ ମନୁବଂଶେ ଜାତ ॥ ୨
ସୂର୍ଯ୍ୟତନୟ ଅନୁପମ । ତାହାର ଶ୍ରାଦ୍ଧଦେବ ନାମ ॥ ୩
ବର୍ତ୍ତମାନ ଯା ଭୋଗକାଳ । ଯେ ଶୁଦ୍ଧ ସୁଗୁଣ ସୁଶୀଳ ॥ ୪
ତାର ସନ୍ତତି ହେଲେ ଯେତେ । ଶୁଣ କହିବି ଏକଚିତ୍ତେ ॥ ୫
ଈକ୍ଷବା୍କୁ ନଭଗ ଶର୍ଯ୍ୟାତି । ଧୃଷ୍ଟ ନରିଷ୍ୟନ୍ତ ସନ୍ତତି ॥ ୬
ନାଭାଗ ଦିଷ୍ଟ ଯେ ସପ୍ତମ । କରୂଷ ପୃଷଧ୍ର ନବମ ॥ ୭
ଦଶମ ବସୁମାନ ନାମ । ବୈବସ୍ୱତର ଏ ନନ୍ଦନ ॥ ୮
ସେ ମନୁକାଳେ ଦେବଗଣ । ନାମ କହିବା ତାଙ୍କ ଶୁଣ ॥ ୯
ଆଦିତ୍ୟ ବସୁ ରୁଦ୍ର ବିଶ୍ୱ । ଅଶ୍ୱିନୀ ରଭୁ ଅଣଚାଶ ॥ ୧୦
ତାହାଙ୍କ ମଧ୍ୟେ ଦେବବର । ଇନ୍ଦ୍ରର ନାମ ପୁରନ୍ଦର ॥ ୧୧
ସେ ମନୁ କାଳେ ସପ୍ତଋଷି । ଭ୍ରମନ୍ତି ଧ୍ରୁବଚକ୍ରେ ବସି ॥ ୧୨
କଶ୍ୟପ ଅତ୍ରି ଋଷିଶ୍ରେଷ୍ଠ । ତୃତୀୟ ମୁନି ଯେ ବଶିଷ୍ଠ ॥ ୧୩
ଗୌତମ ବିଶ୍ୱାମିତ୍ର ଦ୍ୱିଜ । ଜମଦଗ୍ନି ଯେ ଭରଦ୍ୱାଜ ॥ ୧୪
ଏ ଆଦି ନାମେ ସପ୍ତମୁନି । ଚକ୍ରେ ଭ୍ରମନ୍ତି କର୍ମ ଘେନି ॥ ୧୫
ବଇବସ୍ୱତ ମନୁ କଳ୍ପେ । ଗୋବିନ୍ଦ ବାମନ ସ୍ୱରୂପେ ॥ ୧୬
ଜନ୍ମିଲେ ଅଦିତି ଉଦରେ । କଶ୍ୟପ ଋଷିଙ୍କର ଘରେ ॥ ୧୭
ଏ ସପ୍ତ ମନ୍ୱନ୍ତର ଯେତେ । କହିଲୁ ତୁମ୍ଭର ଅଗ୍ରତେ ॥ ୧୮
ଏବେ ଭବିଷ୍ୟ ମନୁ ସପ୍ତ । ଶୁଣ ସୁମନେ ପରୀକ୍ଷିତ ॥ ୧୯
ବିଶ୍ୱକର୍ମାର କନ୍ୟା ବେନି । ସୂର୍ଯ୍ୟେ ବରିଲେ ଭାବ ଘେନି ॥ ୨୦
ରୂପେ ଦିଶନ୍ତି ଅନୁପମ । ତାହାଙ୍କ ସଂଜ୍ଞା ଛାୟା ନାମ ॥ ୨୧
ସୂର୍ଯ୍ୟର ତେଜ ଅସହନେ । ସଂଜ୍ଞା ଯେ ଅଶ୍ୱରୂପେ ବନେ ॥ ୨୨
ସୂର୍ଯ୍ୟ ରମିଲେ ତାର ତୁଲେ । ଅଶ୍ୱିନୀକୁମାର ଜନ୍ମିଲେ ॥ ୨୩
ପ୍ରଥମେ ସୂର୍ଯ୍ୟ ତୁଲେ ରମି । ସଂଜ୍ଞା ପ୍ରସବେ ଗର୍ଭ ତିନି ॥ ୨୪
ଯମ ଯମୁନା ଭାଇ ଭଗ୍ନୀ । ଜନ୍ମିଲେ ଶ୍ରାଦ୍ଧଦେବ ତିନି ॥ ୨୫
କହୁଅଛଇ ତୋତେ ଭାବେ । ଛାୟା-ଅପତ୍ୟ ଶୁଣ ଏବେ ॥ ୨୬
ସାବର୍ଣ୍ଣି ନାମେ ଏକ ସୁତ । କନ୍ୟା ତପତୀ ରୂପେ ଜାତ ॥ ୨୭
ତୃତୀୟ ପୁତ୍ର ଶନୈଶ୍ଚର । ଏବେ ହୋ ଶୁଣ ନୃପବର ॥ ୨୮
ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ । ଭଜିବ ସଂସାର ବେଭାରେ ॥ ୨୯
ନିର୍ମୋକ ବୀରଯସ୍କ ଆଦି । ସାବର୍ଣ୍ଣି ତନୟ ସମ୍ପାଦି ॥ ୩୦
ବିରଜ ଆଦି ଦେବଗଣେ । ଜନମ ସଂସାର କାରଣେ ॥ ୩୧
ତାହାଙ୍କ ପାଳନ ପ୍ରବନ୍ଧେ । ବଳି ବସିବ ଇନ୍ଦ୍ରପଦେ ॥ ୩୨
ତାହାଙ୍କୁ ଛଳିବେ ବାମନ । ଯଜ୍ଞେ ପୃଥିବୀ ଦେବେ ଦାନ ॥ ୩୩
ତିନି ଚରଣ ଦାନ ଦେଇ । ବାମନ ପାଦ ମୁଣ୍ଡେ ବହି ॥ ୩୪
କେତେହେଁ କାଳ ଦାନ ଫଳେ । ସେ ଭୋଗ ଭୁଞ୍ଜିବ ପାତାଳେ ॥ ୩୫
ସ୍ୱର୍ଗେ ବସିବ ଇନ୍ଦ୍ରପଣେ । ଅନ୍ତେ ପଶିବ ନାରାୟଣେ ॥ ୩୬
ସେ ବଳି କାଳେ ସପ୍ତମୁନି । ଉଦୟ ନିଜ ତେଜ ଘେନି ॥ ୩୭
ଯେ ରୂପେ ସଂସାର ଧାରଣ । ତାହାଙ୍କ ନାମ ଏବେ ଶୁଣ ॥ ୩୮
ଗାଲବ ଦୀପ୍ତିମାନ ରାମ । କୃପାଚାର୍ଯ୍ୟ ଦ୍ରୋଣନନ୍ଦନ ॥ ୩୯
ଅପରେ ଋଷ୍ୟଶୃଙ୍ଗ ବ୍ୟାସ । କହିଲି ଋଷିଙ୍କ ବିଶେଷ ॥ ୪୦
ଏ ଆଦି ସପ୍ତ ଋଷିଗଣେ । ବ୍ରହ୍ମାର ଆଜ୍ଞା ପରମାଣେ ॥ ୪୧
ହୋଇବେ ଭବିଷ୍ୟତ କାଳେ । ଅଛନ୍ତି ଆଶ୍ରମମଣ୍ଡଳେ ॥ ୪୨
ଏହି ସାବର୍ଣ୍ଣି ମନ୍ୱନ୍ତରେ । ବିଷ୍ଣୁ ଯେ ଦେବଗୁହ୍ୟ ଘରେ ॥ ୪୩
ସରସ୍ୱତୀର ଗର୍ଭୁ ଜାତ । ନାମରେ ସାର୍ବଭୌମ ଖ୍ୟାତ ॥ ୪୪
ସେ କାଳେ ବିଷ୍ଣୁ ନିଜ ଭାବେ । ବଳିକି ଇନ୍ଦ୍ରପଦ ଦେବେ ॥ ୪୫
ହୋଇବ ସେହୁ ସୁରେଶ୍ୱର । ଅମରପୁରେ ପୁରନ୍ଦର ॥ ୪୬
ତଦନ୍ତେ ଶୁଣ ହେ ରାଜନ । ନବମ ମନୁ ବିବରଣ ॥ ୪୭
ଏ ଅନ୍ତେ ବରୁଣ ନନ୍ଦନ । ଦକ୍ଷସାବର୍ଣ୍ଣି ଯେ ନବମ ॥ ୪୮
ପୁତ୍ର ଜନ୍ମିବେ ତାର ରେତୁ । ଯେ ଭୂତକେତୁ ଦୀପ୍ତକେତୁ ॥ ୪୯
ପାରା ମରୀଚିଗର୍ଭ ଆଦି । ଏ ନାମେ ଦେବତା ପ୍ରସିଦ୍ଧି ॥ ୫୦
ଦେବଅଦ୍ଭୁତ ନାମେ ଇନ୍ଦ୍ର । ଭୋଗ କରିବ ସ୍ୱର୍ଗପଦ ॥ ୫୧
ଋଷିଏ ଦ୍ୟୁତିମାନ ଆଦି । ହୋଇବେ ସେ ମନୁ ସମ୍ପାଦି ॥ ୫୨
ବିପ୍ର ଯେ ଆୟୁଷ୍ମାନ ଘରେ । ସେ ଅମ୍ବୁଧାର ଗର୍ଭରେ ॥ ୫୩
ଋଷଭ ନାମେ ଜାତ ହେବେ । ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ ॥ ୫୪
ଦଶମେ ଉପଶ୍ଳୋକ ସୁତ । ବ୍ରହ୍ମସାବର୍ଣ୍ଣି ନାମେ ଖ୍ୟାତ ॥ ୫୫
ତାର କୁମରେ ବ୍ରହ୍ମବାଦୀ । ଜନ୍ମିବେ ଭୂରିଷେଣ ଆଦି ॥ ୫୬
ସୁକୃତି ସତ୍ୟ ହବିଷ୍ମାନ । ଜୟ ଆବର ମୂର୍ତ୍ତି ପୁଣ ॥ ୫୭
ଏ ଆଦି ଋଷିଏ ବ୍ରାହ୍ମଣ । ଏବେ ଦେବତା ନାମ ଶୁଣ ॥ ୫୮
ଦେବେ ବିରୁଦ୍ଧ ସୁବାସନ । ଇନ୍ଦ୍ରର ନାମ ଶମ୍ଭୁ ଜାଣ ॥ ୫୯
ବିଶ୍ୱସୃଜର ଘରେ ହରି । ବିଷୂଚି ଗର୍ଭେ ଅବତରି ॥ ୬୦
ବିଶ୍ୱକେସନ ନାମ ବହି । ପାଳିବେ ନିଜ ଧର୍ମେ ମହୀ ॥ ୬୧
ବିଶ୍ୱକେସନ ଶମ୍ଭୁ ସଙ୍ଗେ । ମିତ୍ର ହୋଇବେ ସତ୍ୟଯୁଗେ ॥ ୬୨
ଧର୍ମସାବର୍ଣ୍ଣି ମନୁ ହୋଇ । ପାଳିବେ ଏକାଦଶେ ମହୀ ॥ ୬୩
ସତ୍ୟ ଧର୍ମାଦି ସୁତ ଦଶ । ପାଳିବେ ମହୀ ସ୍ୱର୍ଗଦେଶ ॥ ୬୪
ନିର୍ବାଣରୁଚି ବିହଙ୍ଗମ । ଦେବଙ୍କ ନାମ କାଳଗମ ॥ ୬୫
ଇନ୍ଦ୍ର ହୋଇବେ ବଇଧୃତ । ଋଷି ଅରୁଣ ଆଦି ଖ୍ୟାତ ॥ ୬୬
ବୈଧୃତା ଗର୍ଭେ ଧର୍ମସେତୁ । ଜନମି ସେ ଆର୍ଯ୍ୟକ ରେତୁ ॥ ୬୭
ସେ ଇନ୍ଦ୍ର ଧର୍ମସେତୁ ବଳେ । ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ ॥ ୬୮
ରୁଦ୍ରସାବର୍ଣ୍ଣି ଯେ ଦ୍ୱାଦଶେ । ଜନ୍ମିବେ ନାରାୟଣ ଅଂଶେ ॥ ୬୯
ଯେ ଦେବବାନ ଉପଦେବ । ଦେବଶ୍ରେଷ୍ଠ ଆଦି ସମ୍ଭବ ॥ ୭୦
ଇନ୍ଦ୍ର ହୋଇବେ ଋତଧାମ । ହରିତ ଆଦି ଦେବେ ଜାଣ ॥ ୭୧
ତପୋମୂର୍ତ୍ତି ଆର ତପସ୍ୱୀ । ଆଗ୍ନୀଧ୍ରକାଦି ସପ୍ତଋଷି ॥ ୭୨
ସ୍ୱଧାମା ନାମେ ଦେବ ହରି । ସୁନୃତା ଗର୍ଭେ ଅବତରି ॥ ୭୩
ସତ୍ୟସହ ଯେ ବିପ୍ର ଘରେ । ସାଧିବେ ଏହି ମନ୍ୱନ୍ତରେ ॥ ୭୪
ଦେବସାବର୍ଣ୍ଣି ତ୍ରୟୋଦଶେ । ହୋଇବେ ନାରାୟଣ ଅଂଶେ ॥ ୭୫
ବିଚିତ୍ର ଚିତ୍ରସେନ ଆଦି । ଦେବସାବର୍ଣ୍ଣି ପୁତ୍ର ସାଧି ॥ ୭୬
ସୁକର୍ମ ସୁତ୍ରାମ ଏ ଆଦି । ଦେବତା ରୂପେଣ ପ୍ରସିଦ୍ଧି ॥ ୭୭
ଇନ୍ଦ୍ର ଯେ ଦିବସ୍ପତି ନାମେ । ସୁଖେ ବସିବ ସ୍ୱର୍ଗଗ୍ରାମେ ॥ ୭୮
ନିର୍ମୋକ ତତ୍ତ୍ୱଦର୍ଶୀମାନେ । ହୋଇବେ ସପ୍ତଋଷିଗଣେ ॥ ୭୯
ହରିର ଅଂଶେ ଯୋଗେଶ୍ୱର । ଔରସେ ଦେବହୋତ୍ରଙ୍କର ॥ ୮୦
ବୃହତୀ ଗର୍ଭେ ଜାତ ହେବେ । ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ ॥ ୮୧
ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ । ହୋଇବେ ନାରାୟଣ ଅଂଶେ ॥ ୮୨
ଉରୁ ଗମ୍ଭୀରବୁଦ୍ଧି ଆର । ଜନ୍ମିବେ ତାହାର କୁମର ॥ ୮୩
ପବିତ୍ର ଚାକ୍ଷୁଷ ନାମରେ । ଦେବତା ସେହି ମନ୍ୱନ୍ତରେ ॥ ୮୪
ହୋଇବେ ଶୁଚି ନାମେ ଇନ୍ଦ୍ର । ସୁଖେ ପାଳିବେ ଦେବବୃନ୍ଦ ॥ ୮୫
ଅଗ୍ନିବାହୁ ଯେ ଶୁଚି ଶୁଦ୍ଧ । ମାଗଧ ଆଦି ଋଷି ସିଦ୍ଧ ॥ ୮୬
ଏ ସର୍ବେ ନିତ୍ୟେ ତପସ୍ୱୀନ । ହୋଇବେ ଏକଥା ପ୍ରମାଣ ॥ ୮୭
ବୃହଦଭାନୁ ଅବତାରେ । ବିଷ୍ଣୁ ଯେ ସତ୍ରାୟଣ ଘରେ ॥ ୮୮
ଜନ୍ମିବେ ବିତାନା ଉଦରେ । ଏବେ ହେ ଶୁଣ ନୃପବରେ ॥ ୮୯
ଚତୁରଦଶ ମନୁ ଯେତେ । ଭାବେ କହିଲି ତୋ ଅଗ୍ରତେ ॥ ୯୦
କଳ୍ପାନ୍ତେ ମନୁ ଚତୁର୍ଦ୍ଦଶେ । ଏ ଭାବେ ବ୍ରହ୍ମାର ଦିବସ ॥ ୯୧
ସହସ୍ରଯୁଗ ଏହି ମତେ । କଳ୍ପ ବୋଲାଇ ଏ ଜଗତେ ॥ ୯୨
ଏମନ୍ତେ ବେନିକଳ୍ପ ଗଲେ । ବ୍ରହ୍ମାର ଅହୋରାତ୍ର ଭଲେ ॥ ୯୩
ଏମନ୍ତେ ଶୁକ ମୁଖୁଁ ଶୁଣି । କହେ ପାଣ୍ଡବ-ଚୂଡ଼ାମଣି ॥ ୯୪
ରାଜା ଉବାଚ
ଏ ଭାବେ ବ୍ରହ୍ମାର ଦିବସ । ଭାଷନ୍ତି ମନୁ ଚତୁର୍ଦ୍ଦଶ ॥ ୯୫
ଯେ ମନୁକାଳେ ଯେବା କର୍ମ । ଯୁଗ ସ୍ୱଭାବେ ଯଥା ଧର୍ମ ॥ ୯୬
ବିଷ୍ଣୁର ଆଜ୍ଞା ପରମାଣେ । ଯେବା ସାଧିଲେ ଜଣେ ଜଣେ ॥ ୯୭
ସେ କଥା କହ ମୁନି ମୋତେ । କେ ଅବା କର୍ମ କଲେ କେତେ ॥ ୯୮
ରାଜାର ତହୁଁ ଏହା ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୯୯
ଶୁକ ଉବାଚ
ଯେ ମନୁ ମନୁର ତନୁଜେ । ଯେ ସପ୍ତଋଷି ସୃଷ୍ଟି-ମାଝେ ॥ ୧୦୦
ଯେତେ ଏ ଇନ୍ଦ୍ର ଦେବଗଣ । ଏ ସର୍ବରୂପ ନାରାୟଣ ॥ ୧୦୧
ତା ବିନୁ ଆନ ନାହିଁ କେହି । ସେ ସର୍ବ ଆତ୍ମା ମଧ୍ୟେ ରହି ॥ ୧୦୨
ଯଜ୍ଞାଦି କ୍ରିୟା ତା ଶରୀର । ସେ ହରି ଧର୍ମ-ନିରାକାର ॥ ୧୦୩
କଳ୍ପ ଅନ୍ତରେ କାଳବଳେ । ତ୍ରୈଲୋକ୍ୟ ମଜ୍ଜଇ ସଲିଳେ ॥ ୧୦୪
କାଳ ଗରାସେ ଶ୍ରୁତିପଥ । ତ୍ରୈଲୋକ୍ୟ ଦିଶଇ ଅନାଥ ॥ ୧୦୫
ଋଷି ସକଳେ ତପୋବଳେ । ଧର୍ମକୁ ଦେଖାନ୍ତି ଶୟଳେ ॥ ୧୦୬
ଧର୍ମ ପାଳନ୍ତି ମନୁଗଣେ । ଶ୍ରୁତି-ସଂଯୋଗ-ବିଚାରଣେ ॥ ୧୦୭
ଇନ୍ଦ୍ର ପାଳଇ ତ୍ରିଭୁବନ । ଆଦରି ବିଷ୍ଣୁର ବଚନ ॥ ୧୦୮
ସେ ହରି ସିଦ୍ଧରୂପ ବହେ । ଯୁଗାନୁକଳ୍ପେ ଜ୍ଞାନ କହେ ॥ ୧୦୯
ସେ ହରି ପ୍ରଜାପତି ରୂପେ । ସଂସାର-ସର୍ଜନକୁ କଳ୍ପେ ॥ ୧୧୦
ଆତ୍ମାର ମାୟାଯୋଗ ବଳେ । ନାନା ଶରୀରେ ଏ ଶୟଳେ ॥ ୧୧୧
ବିହାର କରେ ପଦ୍ମନାଭ । ଯା ନାମ ଭବଜଳେ ନାବ ॥ ୧୧୨
ଦୃଶ୍ୟ-ଅଦୃଶ୍ୟେ ସେ ନ ମିଶେ । କେବଳ ବୀଜ ରୂପେ ଦିଶେ ॥ ୧୧୩
କହିଲୁ କଳ୍ପସଂଖ୍ୟା ତୋତେ । ଯେ କଳ୍ପେ ଭୁଞ୍ଜନ୍ତି ସେ ଯେତେ ॥ ୧୧୪
ଯେ ଏହା ଶୁଣେ କର୍ଣ୍ଣପଥେ । ନିଶ୍ଚଳ ମନେ ଶୁଦ୍ଧଚିତ୍ତେ ॥ ୧୧୫
ଚିତ୍ତେ ନ ରହେ ଭବଭ୍ରାନ୍ତି । ଘୋର-ସଂସାରୁ ତରିଯାନ୍ତି ॥ ୧୧୬
ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁବର୍ଣ୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥
* * *