ଅଷ୍ଟମ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଶୁକ କହନ୍ତି ତୋଷମନ । ଶୁଣ ଅଭିମନ୍ୟୁ-ନନ୍ଦନ ॥ ୧
ଶୁକ ଉବାଚ
କୃଷ୍ଣ ଯେ ମୋହିନୀ-ସ୍ୱରୂପେ । ଅମୃତ ହରି ମୋହକଳ୍ପେ ॥ ୨
ଦେବଙ୍କୁ କରାଇଲେ ପାନ । ମାୟାମୋହିନୀ ଭଗବାନ ॥ ୩
ସେ କଥା ଶୁଣି ବିପରୀତ । ବୃଷେ ଆରୋହି ବିଶ୍ୱନାଥ ॥ ୪
ସକଳ ଭୂତଗଣ ମେଳେ । ଅମ୍ବିକା ଘେନି ନିଜକୋଳେ ॥ ୫
ଦେଖିବା ଅର୍ଥେ ଗଲ ହର । ଯହିଁ ବିଜୟେ ମାୟାଧର ॥ ୬
ଗୋବିନ୍ଦ ରୁଦ୍ର ଦେଖି ତୋଷେ । ଆସନେ ବସାଇ ହରଷେ ॥ ୭
ପୂଜିଲେ ହରଗୌରୀ ପାଦେ । ରୋମହରଷ ଗଦଗଦେ ॥ ୮
ସାନନ୍ଦ ସେ ହରଗଉରୀ । ହରଷେ ହସ୍ତେ ହସ୍ତ ଧରି ॥ ୯
ସନ୍ତୋଷ କରି କୃଷ୍ଣମନ । ବୋଲନ୍ତି ମଧୁର-ବଚନ ॥ ୧୦
ମହାଦେବ ଉବାଚ
ହେ ଦେବଦେବ ଜଗଦ୍ବ୍ୟାପୀ । ଜଗଦୀଶ୍ୱର ବିଶ୍ୱରୂପୀ ॥ ୧୧
ସର୍ବ ଶରୀରେ ଆତ୍ମାରୂପେ । ତୁ ନାଥ ବସୁ ମୋହକଳ୍ପେ ॥ ୧୨
ସକଳ ହେତୁ ତୋ ଗୋଚର । ତୁ ନାଥ ଧର୍ମ-ନିରାକାର ॥ ୧୩
ନାହିଁ ତୋ ଆଦି ମଧ୍ୟ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥ ୧୪
ଚରଣ କମଳ ତୋହର । ଚିନ୍ତନେ ଶ୍ରେୟ ପ୍ରାଣୀଙ୍କର ॥ ୧୫
ବିଷୟ-ସଙ୍ଗ ଦୂର କରି । ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ ॥ ୧୬
ଚିନ୍ତନ୍ତି ତୋ ଚରଣ ହୃଦେ । ଅନ୍ତେ ପଶନ୍ତି ମୋକ୍ଷପଦେ ॥ ୧୭
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାର । ନିର୍ଗୁଣ ବିଶୋକ-ମନ୍ଦିର ॥ ୧୮
ଆନନ୍ଦ-ମାତ୍ର ନିର୍ବିକାର । ଅନ୍ୟୋନ୍ୟେ ଥାଇ ତୁ ଅନ୍ତର ॥ ୧୯
ବିଶ୍ୱର ହେତୁ ନିରଞ୍ଜନ । ସ୍ଥିତି ଉଦୟ ସଞ୍ଜମନ ॥ ୨୦
ଆତ୍ମାର ଆତ୍ମଜ୍ଞାନରୂପୀ । ଏଣୁ ଅଶେଷ-ଦେହବ୍ୟାପୀ ॥ ୨୧
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେ । ସ୍ୱଭାବେ ଅଭେଦ ତୋ ଦେହେ ॥ ୨୨
ଅଜ୍ଞାନୀ ଦମ୍ଭେ ତୋରଠାରେ । ବିକଳ୍ପ ବିକଳ୍ପ ସଂସାରେ ॥ ୨୩
ତୁ ନିରୁପାଧି ତୋର ଗୁଣେ । ଭେଦ କରନ୍ତି ଅକାରଣେ ॥ ୨୪
ସଦ ଅସଦ ପରେ ସ୍ଥିତି । ପରମ ପୁରୁଷ କେ ଚିନ୍ତି ॥ ୨୫
ସଦ ଅସଦ ଏକ ରୂପୀ । ଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ ॥ ୨୬
ତୁ ବ୍ରହ୍ମ ହେତୁ ଚିଦାନନ୍ଦ । ଅନାଦିକନ୍ଦ ଆଦିକନ୍ଦ ॥ ୨୭
ପ୍ରକୃତି ପୁରୁଷ ରୂପର । କେ ସାଂଖ୍ୟେ କରନ୍ତି ବିଚାର ॥ ୨୮
ଅନ୍ୟେ ବଦନ୍ତି ନବଶକ୍ତି । ଯେ ଅବା ଛନ୍ତି ପାଞ୍ଚରାତ୍ରି ॥ ୨୯
ଅବ୍ୟୟ ଆତ୍ମତନ୍ତ୍ରରୂପୀ । ତୁ ନାଥ ଠୁଳଶୂନ୍ୟ ବ୍ୟାପୀ ॥ ୩୦
ମୁଁ ବ୍ରହ୍ମା ଦେବ ମୁନି ଯେତେ । ତୋ ମାୟାବଳେ ଏ ଜଗତେ ॥ ୩୧
ତୋ ରୂପ ନ ଜାଣନ୍ତି କେହି । ଦୁଷ୍ଟେ ଜାଣିବେ ଅବା କାହିଁ ॥ ୩୨
ଜଗତ ଜାତ ସ୍ଥିତି ନାଶ । ଭୂତଙ୍କ ଦେହେ ତୋ ପ୍ରକାଶ ॥ ୩୩
ଜୀବର ବନ୍ଧ-ମୋକ୍ଷ ବେନି । ତୁ ନାଥ କରୁ ମାୟା ଘେନି ॥ ୩୪
ଆକାଶେ ଯେହ୍ନେ ବାୟୁ ରହେ । ପାର୍ଥିବରେଣୁ ବହେ ଦେହେ ॥ ୩୫
ତୋ ଦେହେ କେହି ନ ଲାଗନ୍ତି । ଏମନ୍ତ ଈଶ୍ୱରର ଗତି ॥ ୩୬
ସଚରାଚର ତୋର ଦେହେ । ପବନେ ରେଣୁ ପ୍ରାୟ ରହେ ॥ ୩୭
ତୁ ଏ ସଂସାର-ଉପକାରୀ । ତ୍ରିଗୁଣେ ନାନାରୂପ ଧରି ॥ ୩୮
ଯେତେ ସାଧିଲୁ କ୍ରୀଡ଼ାଅର୍ଥେ । ସେ ରୂପେ ଦେଖିଲି ମୁଁ ତୋତେ ॥ ୩୯
ଏବେ ଯେ ସମୁଦ୍ର-ମନ୍ଥନେ । ଦେବ ଦାନବ ଏକମନେ ॥ ୪୦
ଅମୃତ ଅର୍ଥେ ଅନ୍ୟଅନ୍ୟେ । ତା ଦେଖି ଦେବେ ଦୁଃଖମନେ ॥ ୪୧
ତୋତେ ଚିନ୍ତିଲେ ଧ୍ୟାନ କରି । ତୁ ନାଥ ମାୟାରୂପ ଧରି ॥ ୪୨
ମୋହିନୀରୂପେ ଭଗବାନ । ମୋହିଲୁ ଅସୁରଙ୍କ ମନ ॥ ୪୩
ସେ ରୂପ ଦେଖାଅ ତୁ ମୋତେ । ଦେଖିବି ଗଉରୀ ସମେତେ ॥ ୪୪
ଯେ ରୂପ ପରମମଙ୍ଗଳେ । ମୁଁ ତା ଦେଖିବି କୁତୂହଳେ ॥ ୪୫
ଏମନ୍ତେ ରୁଦ୍ରବାଣୀ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୪୬
ଭଗବାନ ଉବାଚ
ଅସୁରେ ସୁଧା ନେଲେ ବଳେ । ମୁହିଁ ଯେ ଦେବଙ୍କ ବିକଳେ ॥ ୪୭
ମାୟାମୋହିନୀ ରୂପ ଧରି । ଅସୁରଗଣେ ମାୟା କରି ॥ ୪୮
ଅମୃତ ଦେବଗଣେ ଦେଲି । ପୁଣି ସେ ରୂପ ସଂହରିଲି ॥ ୪୯
ଏବେ ତୁ ଦେଖିବାର ଆଶେ । ଯେବେ ମିିଳିଲୁ ମୋର ପାଶେ ॥ ୫୦
ସେ ରୂପ ଦେଖାଇବି ମୁହିଁ । ଯେବେ ସମ୍ଭାଳିପାରୁ ତୁହି ॥ ୫୧
କାମୀମାନଙ୍କ ମହାମୋହ । ପୁରୁଷ କେ ଧରିବ ଦେହ ॥ ୫୨
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ ମହାରାୟେ ॥ ୫୩
ଶୁକ ଉବାଚ
ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥ ୫୪
ରୁଦ୍ର ଚାହାଁନ୍ତି ଦଶଦିଶେ । ଗଉରୀ ସଙ୍ଗେ ପି୍ରୟବଶେ ॥ ୫୫
ଅଗ୍ରେ ଯେ ଅଛି ଉପବନ । ନାନା କୁସୁମେ ତରୁଘନ ॥ ୫୬
ତହିଁ ବିଜୟେ ଦଇତ୍ୟାରି । ଜଗମୋହିନୀ ରୂପ ଧରି ॥ ୫୭
କରେ କନ୍ଦୁକ ସାର ଶୋହେ । ଯେ ରୂପେ ଜଗୁଜନ ମୋହେ ॥ ୫୮
ନିତମ୍ବେ ବେଷ୍ଟିତ ଅମ୍ବର । କଟି-ମେଖଳା ରତ୍ନସାର ॥ ୫୯
ହୃଦେ କମ୍ପଇ ଘନ-କୁଚ । ହାର କାଞ୍ଚଲା ଅତି ସଞ୍ଚ ॥ ୬୦
ଅତି ସୁସଞ୍ଚ କ୍ଷୀଣମଝା । କି ପଟାନ୍ତର ଦେବା ଦୁଜା ॥ ୬୧
ସ୍ୱଭାବେ ଡମ୍ବରୁ ଆକାର । ଖଚିତ ନାନା ଅଳଙ୍କାର ॥ ୬୨
ଶିର ସୀମନ୍ତ ମିଣମୟେ । ନୀଳ-ଅଳକେ ମୁଖଶୋହେ ॥ ୬୩
ଶିରେ ସୁନ୍ଦର ଭୁରୁ ସାଜେ । ଚଞ୍ଚଳ-ଲୋଚନ ବିରାଜେ ॥ ୬୪
ଭାଲେ ସିନ୍ଦୂରବିନ୍ଦୁ ସାଜେ । କମଳଲୋଚନ ବିରାଜେ ॥ ୬୫
ହେମକୁଣ୍ଡଳ ଶୋହେ କର୍ଣ୍ଣେ । ଦଶନ ହସିତ-ବଦନେ ॥ ୬୬
କବରୀ ମଧ୍ୟେ ପୁଷ୍ପ ଦିଶେ । କି ଏ କନ୍ଦର୍ପ ଦେଖି ହସେ ॥ ୬୭
କବରୀ ଶ୍ଳଥ ଫିଟେ ବାସ । କରଇ କନ୍ଦର୍ପ ବିକାଶ ॥ ୬୮
ଅଳକା ତୋଳେ କାମକରେ । ସୁରଙ୍ଗ ଅଙ୍ଗୁଳି ଅଗ୍ରରେ ॥ ୬୯
କନ୍ଦୁକ ଦକ୍ଷକରେ ଧରି । ସେ ଲୀଳା ଲୁବ୍ଧେ ମୋଦଭରି ॥ ୭୦
ଏମନ୍ତ ରୂପ ହର ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୭୧
ଲୀଳା କଟାକ୍ଷେ ରୂପ ଚାହିଁ । ହୃଦୟେ ଚିତ୍ତ ନ ରହଇ ॥ ୭୨
ସ୍ୱଗଣ-ଗଉରୀ-ସମେତେ । ସକଳେ ଚାହାନ୍ତି ଚକିତେ ॥ ୭୩
ଏମନ୍ତେ ମୋହିନୀର କରେ । ଥିଲା କନ୍ଦୁକ ଖସି ଧୀରେ ॥ ୭୪
ତକ୍ଷଣେ ଭୂମିରେ ପଡ଼ିଲା । ପଡ଼ି ଅନେକ ଦୂର ଗଲା ॥ ୭୫
କନ୍ଦୁକ ଆଣିବାର ଛଳେ । ବୃକ୍ଷ-ଉହାଡ଼େ ଅତି ଖରେ ॥ ୭୬
ଧାମନ୍ତେ ଅଦ୍ଭୁତ-ଅବଳା । କୁଚରୁ ବସ୍ତ୍ର ଉଡ଼ିଗଲା ॥ ୭୭
ପବନେ ଉଡ଼େ ଜାନୁବାସ । ଜାନୁଯୁଗଳ ହେଲା ଦୃଶ୍ୟ ॥ ୭୮
ପବନେ ଉଡ଼ିଯାନ୍ତେ ବାସ । ରୂପ ଦେଖିଣ ହର ବଶ ॥ ୭୯
ବସ୍ତ୍ର ତୋଳନ୍ତି ବାମହସ୍ତେ । ପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ ॥ ୮୦
ଅଳକା ଅଙ୍ଗୁଳିର ଅଗ୍ରେ । କପୋଳୁ ତୋଳେ ଅତି ବ୍ୟଗ୍ରେ ॥ ୮୧
ଏମନ୍ତ ରୂପ ତାର ଦେଖି । ଶଙ୍କର ଗଉରୀ ଉପେକ୍ଷି ॥ ୮୨
ମନ ବୁଡ଼ିଲା ତାର ସଙ୍ଗେ । ମଦନବାଣ ପୀଡ଼େ ଅଙ୍ଗେ ॥ ୮୩
ଉମା ଦେଖନ୍ତେ ଲଜ୍ଜା ଛାଡ଼ି । ଧାମନ୍ତି କାମେ ମନ ବୁଡ଼ି ॥ ୮୪
ହରକୁ ଦେଖି ବେଗେ ଧାଇଁ । ବୃକ୍ଷ-ଗହଳେ ସେ ଲୁଚଇ ॥ ୮୫
ରୁଦ୍ର ଧାଇଁଲେ ଅତି ବେଗେ । ମିଳିଲେ ବୃକ୍ଷଙ୍କର ଲାଗେ ॥ ୮୬
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳି । ହସ୍ତ ଦେଖାନ୍ତି ବେଗେ ତୋଳି ॥ ୮୭
ଦେଖି ଧାମନ୍ତି ରୁଦ୍ର ବେଗେ । ବସନ ନାହିଁ କଟିଭାଗେ ॥ ୮୮
ଜଟା-କଳାପ ଅସମ୍ଭାଳ । କପୋଳୁ ଗଳେ ଶ୍ରମ ଝାଳ ॥ ୮୯
କରିଣୀ ଦେଖି ଯେହ୍ନେ ଗଜ । ଧାମଇଁ ଉଚ୍ଚେ ତୋଳି ଭୁଜ ॥ ୯୦
ରୁଦ୍ର ଧଇଲେ ତାଙ୍କୁ କୋଳେ । ଆବୋରି ବେନିଭୁଜେ ବଳେ ॥ ୯୧
ପୁଣି ମୋହିନୀ କରୁଁ ଗଳି । ଧାମଇଁ ଜାନୁବସ୍ତ୍ର ତୋଳି ॥ ୯୨
କବରୀଭାର ଫିଟି ତଳେ । ବିଞ୍ଚି ପଡ଼ନ୍ତି ଫୁଲମାଳେ ॥ ୯୩
ପୁଣି ଧରନ୍ତେ ହର କୋଳେ । ମୋହିନୀ ଗଳେ ଭୁଜତଳେ ॥ ୯୪
ମୁକୁଳା କେଶ ଅଧୋମୁଖେ । ଧାମଇଁ ବଦନ-ସୁରେଖେ ॥ ୯୫
ପୃଥୁ-ନିତଙ୍କ ଚଳେ ଧୀରେ । ପୁଣି ଧଇଲେ ରୁଦ୍ର କୋଳେ ॥ ୯୬
ଏମନ୍ତେ ବିଷ୍ଣୁମାୟା ବଳେ । ଶଙ୍କର ମଦନ ଆକୁଳେ ॥ ୯୭
ବଇରୀ-ବାଣେ ସେ ବିକଳେ । ପୁଣି ଧରନ୍ତି କାମଭୋଳେ ॥ ୯୮
ପୁଣି ପଳାନ୍ତି ଭୁଜ ତୋଳି । ରୁଦ୍ର-ଶରୀରୁ ରେତ ଗଳି ॥ ୯୯
ସୁରଭୀ ଅର୍ଥେ ବୃଷ ଯେହ୍ନେ । ଧାମଇଁ ଉଠିଣ ଅଜ୍ଞାନେ ॥ ୧୦୦
ରେତ ପଡ଼ିଲା ଯହିଁ ତହିଁ । ମୋହିନୀ ବେଶେ ମୋହ ପାଇ ॥ ୧୦୧
ସୁନା ରୂପା ହେଲା ତକ୍ଷଣେ । ଲତା-ଗହନ-ଘୋରବନେ ॥ ୧୦୨
ନଦୀ-ପର୍ବତ-ସରୋବରେ । ପଡ଼ଇ ରେତ ବୃଷ୍ଟିଧାରେ ॥ ୧୦୩
ଏମନ୍ତେ ବିଷ୍ଣୁମାୟା-ବଶେ । ଶଙ୍କର ଧାଇଁ ବନଦେଶେ ॥ ୧୦୪
ନିରାଶ ହୋଇ ନିବର୍ତ୍ତିଲେ । ଗଉରୀ ନିକଟେ ମିଳିଲେ ॥ ୧୦୫
ବିଷ୍ଣୁମାୟାରେ ମୋହି ମନ । ରୁଦ୍ର ହୋଇଲେ ଛନଛନ ॥ ୧୦୬
ଈଶ୍ୱର ଦୁଃଖ କୃଷ୍ଣ ଦେଖି । ମୋହିନୀ ଶରୀର ଉପେକ୍ଷି ॥ ୧୦୭
ନିଜ ମୂରତି ଧରି ହରି । ଶଙ୍କର ପାଶେ ବିଜେ କରି ॥ ୧୦୮
କହନ୍ତି ରୁଦ୍ର-ମୁଖ ଚାହିଁ । କୋମଳ-ବାକ୍ୟେ ଭାବଗ୍ରାହୀ ॥ ୧୦୯
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଦେଖିଣ ଈଶ୍ୱର-ଆରତ ॥ ୧୧୦
ଭଗବାନ ଉବାଚ
ହେ ଦେବଦେବ ବିଶ୍ୱନାଥ । ତୁ ହେଲୁ ମାୟାରେ ମୋହିତ ॥ ୧୧୧
ଅଶେଷଜନ ମାୟାବଳେ । ଭ୍ରମନ୍ତି ଅବନୀମଣ୍ଡଳେ ॥ ୧୧୨
ନାନା ପ୍ରକାରେ ତନୁ ଧରି । କେବା ପାରିବ ମାୟା ତରି ॥ ୧୧୩
ଭୋ ରୁଦ୍ର ମହିମା ତୋହର । ଅଜ୍ଞାନୀଜନେ ଅଗୋଚର ॥ ୧୧୪
ଯେ ବିଷ୍ଣୁମାୟା ଗୁଣମୟୀ । ସେ ମାୟା କଳି ତ ନୁହଁଇ ॥ ୧୧୫
ତୁ ନାଥ ନିଜ ମାୟାବଳେ । ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ ॥ ୧୧୬
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟି । କହନ୍ତି ପରୀକ୍ଷିତ ଚାହିଁ ॥ ୧୧୭
ଶୁକ ଉବାଚ
ଶୁଣ ରାଜନ ଏକଚିତ୍ତେ । ହରଙ୍କୁ ପ୍ରବୋଧି ଏମନ୍ତେ ॥ ୧୧୮
ଶିବଙ୍କୁ ପ୍ରଦକ୍ଷିଣ କରି । ନିଜ ଭୁବନେ ଗଲେ ହରି ॥ ୧୧୯
ରୁଦ୍ର ଭବାନୀଗଣ ତୁଲେ । ନିଜ ଭୁବନେ ବିଜେ କଲେ ॥ ୧୨୦
ଋଷିଙ୍କ ମଧ୍ୟେ ହର ବସି । ବିଷ୍ଣୁଙ୍କ ମାୟା ପରଶଂସି ॥ ୧୨୧
ଈଶ୍ୱର ଉବାଚ
ଶୁଣ ଅଶେଷ ଋଷିବରେ । ବିଷ୍ଣୁର ମାୟା ଏ ଶୟଳେ ॥ ୧୨୨
ଅଶେଷ-ଜନ-ମନ ହରେ । କେବା ଏ ସଂସାରୁ ନିସ୍ତରେ ॥ ୧୨୩
ଶୁଣ ଗୋ ପ୍ରିୟେ କହି ଯାହା । ଦେଖିଲ ବିଷ୍ଣୁଙ୍କର ମାୟା ॥ ୧୨୪
ମୁଁ ମାୟାଧରଙ୍କର ଈଶ । ତା ମାୟା ଦେଖି କଲି ତ୍ରାସ ॥ ୧୨୫
ତା ମାୟାବଳେ ମୋହେ ଶିବ । ଆନ କେ ସେ ମାୟା ତରିବ ॥ ୧୨୬
ବିଷ୍ଣୁର ମାୟା ଅଗୋଚର । ଯହିଁ ଭ୍ରମନ୍ତି ବ୍ରହ୍ମାସୁର ॥ ୧୨୭
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥ ୧୨୮
ଶୁକ ଉବାଚ
ଏମନ୍ତ ଶ୍ରୀକୃଷ୍ଣ ମହିମା । କେ କହିପାରେ ଗୁଣସୀମା ॥ ୧୨୯
ଯେ ହରି ଜଗତ ଉଦ୍ଧରେ । କପଟେ କୂର୍ମରୂପ ଧରେ ॥ ୧୩୦
ତାର ଚରିତ ଶୁଣି କର୍ଣ୍ଣେ । ମୁଖେ ଗୁଣନ୍ତି ଯେବା ଜନେ ॥ ୧୩୧
ଯେ ଅବା ପ୍ରସ୍ତାବେ କହନ୍ତି । ଘୋର ସଂସାରୁ ତରିଯାନ୍ତି ॥ ୧୩୨
ଅଷ୍ଟମ ସ୍କନ୍ଧେ ହରି-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୩
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ ॥
* * *