ଅଷ୍ଟମ ସ୍କନ୍ଧ
ଏକାଦଶ ଅଧ୍ୟାୟ
କହନ୍ତି ବ୍ୟାସଙ୍କର ଚାଟ । ଶୁଣ ହେ ପରୀକ୍ଷିତ ରାଟ ॥ ୧
ଶୁକ ଉବାଚ
ହରିଙ୍କି ଦେଖି ଦେବଗଣେ । ପୁଣି ମିଳିଲେ ଘୋରରଣେ ॥ ୨
ଗୋବିନ୍ଦ-ଅନୁକମ୍ପା ବଳେ । ସମରେ ରହିଲେ ନିଶ୍ଚଳେ ॥ ୩
ଇନ୍ଦ୍ର ପବନ ଆଦି ବଳେ । ବେଗେ ମିଳିଲେ ଦିଗପାଳେ ॥ ୪
ନିରତେ ଅସୁରଙ୍କ ଗାତ୍ରେ । ପ୍ରହାର କଲେ ନାନାଶସ୍ତ୍ରେ ॥ ୫
ଦେବଙ୍କ ଶସ୍ତ୍ରାଘାତେ ଫୁଟି । ଅସୁର ମଲେ କୋଟି କୋଟି ॥ ୬
ଅସୁରବଳ ଭଗ୍ନ ଦେଖି । ଇନ୍ଦ୍ର ଯେ ସମର ଉପେକ୍ଷି ॥ ୭
ବଳି ସମୀପେ ବେଗେ ମିଳି । ବଜ୍ର ଉଞ୍ଚାଇ ମହାବଳୀ ॥ ୮
ବୋଲଇ ଅତି କୋପମନେ । ଅତ୍ୟନ୍ତ କର୍କଶ ବଚନେ ॥ ୯
ତୁ ଯେ ବୋଲାଉ ମହାବୀର । ସମ୍ଭାଳ ବଜ୍ରାଘାତ ମୋର ॥ ୧୦
ଏମନ୍ତ କହି ବଜ୍ର ଧରି । ବୁଲାଇ ଅନ୍ତରାଳ କରି ॥ ୧୧
ଶୂନ୍ୟେ ବୁଲାନ୍ତେ ଶସ୍ତ୍ରବର । ଦେଖି ଡରିଲେ ଦେବାସୁର ॥ ୧୨
ଅସୁରେ ଦେଖି ହାହାପଦେ । ବଳି ଗର୍ଜଇ ଘୋରନାଦେ ॥ ୧୩
ବଳି-ବଦନ ଇନ୍ଦ୍ର ଚାହିଁ । ନିନ୍ଦିତ-ବଚନ ବୋଲାଇ ॥ ୧୪
ରେ ମୂଢ଼ ମୋତେ ମାୟା କରି । ଜିଣିବା ପ୍ରାୟ ମନେ ଧରି ॥ ୧୫
ନଟର ପ୍ରାୟେ ଛନ୍ଦ କଲୁ । ନିଜ ସ୍ୱଭାବ ଦେଖାଇଲୁ ॥ ୧୬
କୁହୁକେ ଯେହ୍ନେ ନଟଜନ । ମାୟାରେ ମୋହେ ପ୍ରାଣୀମନ ॥ ୧୭
ମାୟାର ବଳେ ସ୍ୱର୍ଗ ଜିଣି । ଇଚ୍ଛା କରନ୍ତି ଯେବା ପ୍ରାଣୀ ॥ ୧୮
ତାହାଙ୍କ ଦର୍ପ ଗଞ୍ଜି ବେଗେ । ମୁହିଁ କ୍ଷେପଇ ଅଧୋଭାଗେ ॥ ୧୯
ଏବେ ହୋ ମହାସୁର ତୋର । ଅଙ୍ଗ କୁଳିଶୁଁ ରକ୍ଷାକର ॥ ୨୦
ଏ ବଜ୍ରେ ତୋର ଶିର ଛେଦି । ରଖିବି ଅମରେ ସମ୍ପାଦି ॥ ୨୧
ଏବେ ମୋ ବଜ୍ରାଘାତ ସହ । ଜ୍ଞାତିଙ୍କ ତୁଲେ ରୁଣ୍ଡ ହୁଅ ॥ ୨୨
ଏମନ୍ତେ ଇନ୍ଦ୍ରର ବଚନେ । ବଳି ବୋଲଇ କୋପମନେ ॥ ୨୩
ବଳି ଉବାଚ
କାଳର ବଳେ ଏ ସଂସାର । ଯୁଦ୍ଧେ ମିଳନ୍ତି ଯେତେ ବୀର ॥ ୨୪
ଜୟ ଅଜୟ କୀର୍ତ୍ତି ଯଶ । ଯେବା ରହଇ ଅବଶେଷ ॥ ୨୫
ଯୁଦ୍ଧେ ମାରିଣ ଜୟ ଘୋଷି । ମରଣେ ସ୍ୱର୍ଗେ ଯେଣୁ ବସି ॥ ୨୬
ଏଣୁ ଶୟଳେ ଯେତେ ଜନ । କାଳଗରାସେ ନିବନ୍ଧନ ॥ ୨୭
ପଣ୍ଡିତଜନ ଏହା ଜାଣି । ଧର୍ମ-ଅଧର୍ମ ପରିମାଣି ॥ ୨୮
ଶୋକ-ହରଷ ପଥେ ମନ । କେବେହେଁ ନକରନ୍ତି ଛନ୍ନ ॥ ୨୯
ଆମ୍ଭେ ସକଳ ଏହା ଜାଣି । ଆଗମ-ନିଗମ ପ୍ରମାଣି ॥ ୩୦
ଏଣୁ ଏ ତୋହର ବଚନେ । ମର୍ମ-ତାଡ଼ନ ଅନୁମାନେ ॥ ୩୧
ଆମ୍ଭେ ତା କେବେହେଁ ନ ଗଣୁ । ତୁମ୍ଭର ବୀରପଣ ଜାଣୁ ॥ ୩୨
ଶୁକ କହନ୍ତି ତୋଷମନ । ଶୁଣ ହେ ପରୀକ୍ଷ ରାଜନ ॥ ୩୩
ଶୁକ ଉବାଚ
ଏମନ୍ତ ଇନ୍ଦ୍ରଆଗେ କହି । ବଳି ଧନୁରେ ଗୁଣ ଦେଇ ॥ ୩୪
ଆକର୍ଣ୍ଣ ପୂରି ଦଶବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ ॥ ୩୫
ଇନ୍ଦ୍ର ଉପରେ ବେଗେ ବାଜି । ତଳେ ପଡ଼ିଲେ ସର୍ବେ ଭାଜି ॥ ୩୬
ଗଜ ଶରୀରେ ପୁଷ୍ପମାଳ । ବାଜି ପଡ଼ଇ ଯେହ୍ନେ ତଳ ॥ ୩୭
ଇନ୍ଦ୍ର ଅମୋଘ ବ୍ରଜ ଧରି । ହୁଙ୍କାରେ ବଳିକି ପ୍ରହାରି ॥ ୩୮
ହୃଦୟେ ବାଜି ଶସ୍ତ୍ରଗୋଟି । ତକ୍ଷଣେ ବକ୍ଷସ୍ଥଳ ଫୁଟି ॥ ୩୯
ବଳି ପଡ଼ିଲା ମହୀତଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୪୦
ବଳିକି ଭୂମିଗତ ଚାହିଁ । ଜୟ ମିଳିଲା ବେଗେ ଯାଇ ॥ ୪୧
ଦେଖିଣ ସଖାର ମରଣ । ଆବୋରି କଲା ଘୋରରଣ ॥ ୪୨
ସିଂହ-ବାହନେ ମହାବଳୀ । ହୁଙ୍କାରନାଦେ ଗଦା ତୋଳି ॥ ୪୩
ଇନ୍ଦ୍ର ଉପରେ ପ୍ରହାରିଲା । ସେ ଗଦା ହସ୍ତୀରେ ବାଜିଲା ॥ ୪୪
ଗଦା-ପ୍ରହାରେ ଜ୍ଞାନ ହାରି । ଗଜ ପଡ଼ିଲା ଇନ୍ଦ୍ର ଧରି ॥ ୪୫
ଅଗ୍ରଚରଣ ବେନି ପାଡ଼ି । ଗର୍ଜଇ ମେଘ ଘଡ଼ଘଡ଼ି ॥ ୪୬
ପଡ଼ିଲା ଅଚେତନ ହୋଇ । ଦେଖି ମାତଳି ବେଗେ ଧାଇଁ ॥ ୪୭
ରଥେ ସହସ୍ର ଅଶ୍ୱ ଯୋଖି । ଇନ୍ଦ୍ର ନିକଟେ ଦେଲା ରଖି ॥ ୪୮
ବିମାନ ଦେଖି ସୁରପତି । ତକ୍ଷଣେ ତେଜି ନିଜ ହସ୍ତୀ ॥ ୪୯
ବିମାନେ ବସି ବଜ୍ରହସ୍ତେ । ସମରେ ରହିଲା ଆୟତ୍ତେ ॥ ୫୦
ଜୟ ମାତଳି-କର୍ମ ଚାହିଁ । ଧନ୍ୟ-ବଚନେ ପ୍ରଶଂସଇ ॥ ୫୧
ଜଳନ୍ତା ଶୂଳ ଧରି ବେଗେ । ପିଟିଲା ମାତଳିର ଅଙ୍ଗେ ॥ ୫୨
ସେ ଶୂଳ-ପ୍ରହାର ମାତଳି । ସହେ ସ୍ୱଭାବେ ମହାବଳୀ ॥ ୫୩
ଇନ୍ଦ୍ର ଧାଇଁଲା ଦେଖି ବେଗେ । ବଜ୍ର ପ୍ରହାରି ଜୟ ଅଙ୍ଗେ ॥ ୫୪
ବେଗେ ନାଶିଲା ତାର ପ୍ରାଣ । ଶୁଣ ପାଣ୍ଡବ ନୃପରାଣ ॥ ୫୫
ଜୟ ମରଣ ବଜ୍ରାଘାତେ । ଦେଖି ତାହାର ଜ୍ଞାତି ଯେତେ ॥ ୫୬
ନାରଦ ମୁଖୁଁ ବାକ୍ୟ ଶୁଣି । ଜୟ ଅଜୟ ନ ପ୍ରମାଣି ॥ ୫୭
ନମୁଚି ବଳ ପାକ ସଙ୍ଗେ । ଧାଇଁଲା ଶସ୍ତ୍ର ଘେନି ରାଗେ ॥ ୫୮
ଇନ୍ଦ୍ର ନିକଟେ ବେଗେ ମିଳି । ପରୁଷ ବାକ୍ୟେ ଦେଇ ଗାଳି ॥ ୫୯
ଶସ୍ତ୍ର ବରଷନ୍ତି ଗହଳେ । ଯେସନେ ଆକାଶମଣ୍ଡଳେ ॥ ୬୦
ପବନ ବଳେ ମେଘମାଳ । ପର୍ବତେ ବରଷନ୍ତି ଜଳ ॥ ୬୧
ଗର୍ଜନ କରି ବାଣପନ୍ତି । ରଥ ଉପରେ ବରଷନ୍ତି ॥ ୬୨
ବଳ ସହସ୍ରେ ଶର ସନ୍ଧି । ଅଶ୍ୱଙ୍କ ଉପରକୁ ବିନ୍ଧି ॥ ୬୩
ଦଶ ନାରାଚେ ଦେବରାଜ । ଛେଦିଲେ ସହସ୍ର ନାରାଜ ॥ ୬୪
ଶରସମୂହ ଭଗ୍ନ ଗଲା । ତା ଦେଖି ପାକ କୋପ କଲା ॥ ୬୫
ଧନୁ ଆକର୍ଷି କର୍ଣ୍ଣମୂଳେ । ବେନି ନାରାଚ କୋପାନଳେ ॥ ୬୬
ମାତଳି ଉପରେ ପ୍ରହାରେ । ଅଦ୍ଭୁତ ଘୋରନାଦ କରେ ॥ ୬୭
ନମୁଚି କରି ମହାରୋଷ । ବାଣ ବିନ୍ଧିଲା ପଞ୍ଚଦଶ ॥ ୬୮
ସୁବର୍ଣ୍ଣପକ୍ଷ ଲୌହମୁଖେ । ଇନ୍ଦ୍ର ତା ଦୂରେ ଥାଇ ଦେଖେ ॥ ୬୯
ବିିନ୍ଧି ଗର୍ଜଇ ଘୋରରଣେ । ଜଳଦ ଅମ୍ବରେ ଯେସନେ ॥ ୭୦
ଏମନ୍ତେ ଅସୁରଙ୍କ ଶସ୍ତ୍ରେ । ଆଚ୍ଛାଦେ ଦେବରାଜ ରଥେ ॥ ୭୧
ବରଷାକାଳ ରବି ଯେହ୍ନେ । ଜୀମୂତ ଆଚ୍ଛାଦେ ଗଗନେ ॥ ୭୨
ଅସୁର-ରଣରଙ୍ଗ ଦେଖି । ଦେବେ ହୋଇଲେ ମହାଦୁଃଖୀ ॥ ୭୩
ଅନାଥ ହେଲେ ରିପୁ ଡରେ । ବଣିକେ ଯେହ୍ନେ ସିନ୍ଧୁନୀରେ ॥ ୭୪
ଅସୁରବଳ ମଧ୍ୟଗତେ । ଦେବେ ପଡ଼ିଲେ ଅନାୟତ୍ତେ ॥ ୭୫
ପିଞ୍ଜରେ ଯେହ୍ନେ ପକ୍ଷୀଗଣେ । ଇନ୍ଦ୍ର ଯେ ଥିଲେ ଘୋରରଣେ ॥ ୭୬
ଆବୋରି ଥିଲେ ଯେ ଦାନବ । ଏମନ୍ତ ସମୟେ ବାସବ ॥ ୭୭
ବାହାର ହେଲେ ଦିବ୍ୟରଥେ । ରବି ଯେସନେ ନିଶି ଅନ୍ତେ ॥ ୭୮
ଅସୁର-ବାଣେ ଦେବେ ଦୁଃଖୀ । ସମ୍ଭ୍ରମେ ଇନ୍ଦ୍ର ତାହା ଦେଖି ॥ ୭୯
ବେଗେ ଧାଇଁଲେ ରଣ ମଧ୍ୟେ । ବଜ୍ର ଉଞ୍ଚାଇ ଘୋରନାଦେ ॥ ୮୦
ସେ ଅଷ୍ଟଧାର ବଜ୍ରାଘାତେ । ଜୀମୂତେ ଯେହ୍ନେ ଘୋରବାତେ ॥ ୮୧
ବଳ ପାକର ଶିରହାଣି । ଘୋର ଶବଦେ ବଜ୍ରପାଣି ॥ ୮୨
ଦେଖି ତାଙ୍କର ବନ୍ଧୁକୁଳ । ବିକଳେ ପାଡ଼ନ୍ତି ଚହଳ ॥ ୮୩
ନମୁଚି ତାଙ୍କ ବଧ ଦେଖି । ଦଣ୍ଡେ ହୋଇଲା ଅଶ୍ରୁମୁଖି ॥ ୮୪
ଶୋକସାଗରେ ସେ ବୁଡ଼ିଲା । ପୁଣି କ୍ଷଣକେ କୋପକଲା ॥ ୮୫
ଲୌହ-ନିର୍ମିତ ଶୂଳ କରେ । ଘେନି ଧାଇଁଲା ଧାତିକାରେ ॥ ୮୬
ସେ ଶୂଳ ସୁବର୍ଣ୍ଣେ ବିରାଜେ । ଚଳ-ପ୍ରଚଳେ ଘଣ୍ଟି ବାଜେ ॥ ୮୭
ସେ ଶୂଳ ଘେନି ଅତି ବେଗେ । ମିଳିଲା ସୁରନାଥ ଆଗେ ॥ ୮୮
ଇନ୍ଦ୍ର ଉପରେ ପ୍ରହାରିଲା । ନିର୍ଭୟେ ସିଂହନାଦ କଲା ॥ ୮୯
ଶୂଳ ଆସନ୍ତେ ଶୂନ୍ୟ ପଥେ । ବାସବ ଧନୁ ଧରି ହସ୍ତେ ॥ ୯୦
ବାଣେ ଛେଦିଲେ ଶତେ ଖଣ୍ଡେ । ପାଷାଣ ଯେହ୍ନେ ଛତୁପିଣ୍ଡେ ॥ ୯୧
ପୁଣି କୁଳିଶେ ପୁରନ୍ଦର । ପେଷିଲା ନମୁଚି କନ୍ଧର ॥ ୯୨
ବ୍ରଜ-ପ୍ରହାର ନ କାଟିଲା । କନ୍ଧରୁ ଚର୍ମ ନ ଛିଡ଼ିଲା ॥ ୯୩
ତା ଦେଖି ଇନ୍ଦ୍ର ବିଚାରଇ । ଅଦ୍ଭୁତ ଦେଖିଲା ତ ନାହିଁ ॥ ୯୪
ବଜ୍ରରୁ ବଞ୍ଚିଲା କେମନ୍ତେ । ଏ ବଡ଼ ସଂଶୟ ମୋ ଚିତ୍ତେ ॥ ୯୫
ଏ ଶସ୍ତ୍ର ଅସୁରଙ୍କୁ ରଣେ । ପ୍ରହାର କଲି ଅକାରଣେ ॥ ୯୬
ଏମନ୍ତେ ରଣ-ମଧ୍ୟଗତେ । ଶବଦ ଶୁଭେ ଅଦ୍ଭୁତେ ॥ ୯୭
ଶୁଣ ହେ ଶକ୍ର ଏକଚିତ୍ତେ । ନ ଭେଦେ ଶୁଷ୍କ ଆର୍ଦ୍ର ଶସ୍ତ୍ରେ ॥ ୯୮
ପୂର୍ବେ ଏ କଲା ତପ ଘୋର । ଏହାକୁ ଦେଇଅଛୁଁ ବର ॥ ୯୯
ଅଜେୟ ହୋଇଲା ସ୍ୱଭାବେ । ଅଜୟ ଯୁଦ୍ଧ-ମହାର୍ଣ୍ଣବେ ॥ ୧୦୦
ଶୁଷ୍କ-ଆର୍ଦ୍ରକ ଅସ୍ତ୍ରଶସ୍ତ୍ରେ । ଏଣୁ ନ ଭେଦେ ଏହା ଗାତ୍ରେ ॥ ୧୦୧
ଏବେ ତୁ ଶୁଣ ମଘବାନ । ଏହା ମରଣେ କର ଧ୍ୟାନ ॥ ୧୦୨
ଯେ ତୋତେ ଦିଶେ ଧ୍ୟାନମାର୍ଗେ । ତେଣେ ଜୀବନ ହରେ ବେଗେ ॥ ୧୦୩
ଏମନ୍ତେ ଶୂନ୍ୟବାଣୀ ଶୁଣି । ବାସବ ଧ୍ୟାନେ ମନେ ଗୁଣି ॥ ୧୦୪
ଧ୍ୟାନେ ଦେଖଇ ଜଳ-ଫେନ । ତା ଦେଖି ବିଚାରଇ ମନ ॥ ୧୦୫
ଏ ଆର୍ଦ୍ର-ଶୁଷ୍କ ଯେ ବୋଲାଇ । ଏଣେ ନାଶିବି ତାର ଦେହୀ ॥ ୧୦୬
ଏମନ୍ତ ମନେ ବିଚାରନ୍ତେ । ଫେନ ମିଳିଲା ଆସି ହସ୍ତେ ॥ ୧୦୭
ନମୁଚି ଅଙ୍ଗେ ପ୍ରହାରିଲା । ତକ୍ଷଣେ ଶିର ତା ଛିଡ଼ିଲା ॥ ୧୦୮
ସମରେ ନମୁଚି ମରଣେ । ମିଳିଲେ ଋଷି ଦେବଗଣେ ॥ ୧୦୯
ଇନ୍ଦ୍ର ଉପରେ ପୁଷ୍ପବୃଷ୍ଟି । କରନ୍ତି ଚିତ୍ତେ ହୋଇ ତୁଷ୍ଟି ॥ ୧୧୦
ଗନ୍ଧର୍ବେ ଅପସରାବୃନ୍ଦେ । ନୃତ୍ୟ କରନ୍ତି ଗୀତନାଦେ ॥ ୧୧୧
ଜୟଦୁନ୍ଦୁଭି ରଣେ ବାଜେ । ଦେବ-ଦାନବ ରଣମାଝେ ॥ ୧୧୨
ଏହି ପ୍ରକାର ଦିଗପାଳେ । ବରୁଣ ପବନ ଅନଳେ ॥ ୧୧୩
ଅସୁରବଳ ସର୍ବ ମାରି । ପଶୁଙ୍କୁ ଯେସନେ କେଶରୀ ॥ ୧୧୪
ଅସୁରବଳ ଭଗ୍ନ ଶୁଣି । ନାରଦେ ପେଷି କୁଶପାଣି ॥ ୧୧୫
ଦେବଗଣଙ୍କୁ ବୋଧକଲେ । ଯୁଦ୍ଧ ନ କର ଆଜ୍ଞାଦେଲେ ॥ ୧୧୬
ନାରଦ ସର୍ବ ଦେବଗଣେ । ପ୍ରବୋଧ କଲେ ଜଣେ ଜଣେ ॥ ୧୧୭
ବୋଲନ୍ତି ଦେବଗଣ ଚାହିଁ । ସମର କରୁଛ କିମ୍ପାଇଁ ॥ ୧୧୮
ସିନ୍ଧୁ ମନ୍ଥନେ ପାଇ ପ୍ରାସ । ଅସୁରେ ହୋଇଲେ ନିରାଶ ॥ ୧୧୯
ତୁମ୍ଭେ ଅମୃତ ପାନ କରି । ଲଭିଲ ସ୍ୱର୍ଗ-ଶୁଭ-ଶିରୀ ॥ ୧୨୦
କହନ୍ତି ଶୁକ ବ୍ରହ୍ମଯତି । ଶୁଣ ପରୀକ୍ଷ ମହୀପତି ॥ ୧୨୧
ନାରଦ ବାକ୍ୟ ଶୁଣି ଭଲେ । ତ୍ରିଦଶେ ସମର ନ କଲେ ॥ ୧୨୨
ଆନନ୍ଦେ ନୃତ୍ୟ ଗୀତ କରି । ଦେବେ ଚଳିଲେ ସ୍ୱର୍ଗପୁରୀ ॥ ୧୨୩
ଯୁଦ୍ଧେ ଅସୁର ଯେତେ ଥିଲେ । ନାରଦ ବାକ୍ୟେ ବାହୁଡ଼ିଲେ ॥ ୧୨୪
ବ୍ରହ୍ମାନନ୍ଦନ ବାକ୍ୟ ମାନି । ବଳିର ମୃତ୍ୟୁପିଣ୍ଡ ଘେନି ॥ ୧୨୫
ସକଳେ ମିଳି ଏକମେଳେ । ପଶ୍ଚିମ-ଅସ୍ତଗିରି ଗଲେ ॥ ୧୨୬
ଯେ ଅବା ଶିର ଉର ଛିଡ଼ି । ରଣଭୂମିରେ ଥିଲେ ପଡ଼ି ॥ ୧୨୭
ଶୁକ୍ରର ମୃତ୍ୟୁ ସଞ୍ଜୀବନେ । ସକଳେ ଲଭିଲେ ଜୀବନେ ॥ ୧୨୮
ବଳିକି ଶୁକ୍ର ଘେନି କୋଳେ । ଆସନେ ବସାଇ ନିଶ୍ଚଳେ ॥ ୧୨୯
ଶୁକ୍ର-ସ୍ପରଶେ ବଳି ସ୍ମୃତି । ଲଭିଲା ଇନ୍ଦ୍ରି-ବଳ-ବୃତ୍ତି ॥ ୧୩୦
ଶୁକ୍ରଙ୍କ ମନ୍ତ୍ରେ ତୋଷ ହୋଇ । ବଳି ଉଠିଲା ଜ୍ଞାନ ପାଇ ॥ ୧୩୧
ଯୁଦ୍ଧେ ହାରିବା କୋପାରମ୍ଭେ । ସଂହରି ରହେ ନିଜ ଦମ୍ଭେ ॥ ୧୩୨
ସୁଜନେ ଏଣେ କର ଭାବ । ଏ ଭାବେ ସଂସାରୁ ତରିବ ॥ ୧୩୩
ବୋଲଇ ଦାସ ଜଗନ୍ନାଥ । ଅମୃତ ବିଷ୍ଣୁର ଚରିତ ॥ ୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଦେବାସୁର ସଂଗ୍ରାମେ ଏକାଦଶୋଽଧ୍ୟାୟଃ ॥
* * *