ଅଷ୍ଟମ ସ୍କନ୍ଧ

ଦଶମ ଅଧ୍ୟାୟ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥

ଶୁକ ଉବାଚ

କଠୋରେ ସାଧି ଯାତୁଧାନେ । ବିମୁଖ ହେଲେ ସୁଧାପାନେ ॥

କୃଷ୍ଣଭକତି ଯେଣୁ ନାହିଁ । ଅମୃତ ପାଇବେ ସେ କାହିଁ ॥

ଦେବଙ୍କୁ ଅମୃତ ପିଆଇ । ଗରୁଡ଼େ ବସି ଭାବଗ୍ରାହୀ ॥

ନିଜ ଭୁବନେ ଗଲେ ହରି । ଶୁଣ ପରୀକ୍ଷ ଦଣ୍ଡଧାରୀ ॥

ଏମନ୍ତେ ବିଷ୍ଣୁର ମୋହନେ । ନିରାଶ ହୋଇ ସୁଧାପାନେ ॥

ସର୍ବ ଦାନବ ଏକମତେ । ଜଣାଇ ବଳିର ଅଗ୍ରତେ ॥

ବଳି ସଙ୍ଗତେ ବିଚାରିଲେ । ଯୁଦ୍ଧର ଉଦ୍ୟମ ସେ କଲେ ॥

ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖି । ଭାଳି ସକଳେ ମନଦୁଃଖୀ ॥

ଦୈତ୍ୟ-ଦାନବ ଯୂଥେ ଯୂଥେ । ବିଚାର କଲେ ଏକମତେ ॥ ୧୦

ଦେବଙ୍କୁ ବାହୁବଳେ ମାରି । ସର୍ବସମ୍ପଦ ଯେବେ ହରି ॥ ୧୧

ତେବେ ସେ ଜୀବନ ଆମ୍ଭର । ସଂଗ୍ରାମେ ହୋଇବ ସୁଫଳ ॥ ୧୨

ଏମନ୍ତେ ମନରେ ବିଚାରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୧୩

ଅମୃତପାନେ ଦେବଗଣ । ଇଚ୍ଛନ୍ତି ଦୈତ୍ୟସଙ୍ଗେ ରଣ ॥ ୧୪

ସ୍ୱଭାବେ ହରି-ପରାୟଣ । ସୁଧା ସେ କରିଛନ୍ତି ପାନ ॥ ୧୫

ଏମନ୍ତ ଦେବାସୁର ରଣ । ସୁଘୋର ସୁଭୀମ ଦାରୁଣ ॥ ୧୬

ଶର ବରଷି ନିରନ୍ତରେ । ସମର କଲେ ଦେବାସୁରେ ॥ ୧୭

ଶବଦ କରି ବାହୁନାଦେ । ଯୁଝନ୍ତି ବିବିଧ-ଆୟୁଧେ ॥ ୧୮

ବଜାନ୍ତି ରଣଶଙ୍ଖ ଭେରୀ । ପଟହ ମଙ୍ଗଳ ମହୁରୀ ॥ ୧୯

ସକଳ ମଙ୍ଗଳ ସୁବାଦ୍ୟେ । ଗଜ ତୁରଙ୍ଗ ଘୋରନାଦେ ॥ ୨୦

ଶୁଭିଲା ଶବଦ ତୁମୁଳେ । ପ୍ରଳୟସିନ୍ଧୁ କି ଉଛୁଳେ ॥ ୨୧

ଯୁଦ୍ଧ କରନ୍ତି ଏକେଏକେ । ଦନୁଜଗଣେ ବୃନ୍ଦାରକେ ॥ ୨୨

ଅଶ୍ୱକୁ ଅଶ୍ୱ ସଜକଲେ । ହସ୍ତୀକି ହସ୍ତୀ ଘେନି ତୁଲେ ॥ ୨୩

ନାନା ବାହନେ ବିଜେକରି । ରଣେ ଧାଇଁଲେ ଶସ୍ତ୍ର ଧରି ॥ ୨୪

ଓଟର ପୃଷ୍ଠେ କେ ବସନ୍ତି । କେ ଉଚ୍ଚ ଅଶ୍ୱେ ଆରୋହନ୍ତି ॥ ୨୫

ଗର୍ଦ୍ଦଭେ ବସି ଅବା ଖରେ । କେ ମୃଗ ବାନର ସ୍କନ୍ଧରେ ॥ ୨୬

କେ ବ୍ୟାଘ୍ର କେ ସିଂହ ଆରୋହେ । କେ ଗୃଧ୍ର କଙ୍କ ବକେ ଧାଏଁ ॥ ୨୭

ଶ୍ୱେନ ଭାସ ବା ତିମିିଙ୍ଗିଳେ । ଶରଭେ ମହିଷେ କେ ଚଳେ ॥ ୨୮

କେ ଶିବା କେହୁ କୃକଲାଶେ । ଶଶକେ କେ ଅବା ମାନୁଷ୍ୟେ ॥ ୨୯

ଅମୂଲ୍ୟ-ରତ୍ନ ଦଣ୍ଡଛତ୍ର । ନୀଳ ଲୋହିତ ଶ୍ୱେତ ପୀତ ॥ ୩୦

ବ୍ୟଜନ-ବରହୀ ଚାମରେ । ରଙ୍ଗଭୂଷଣ ପାଗ ଶିରେ ॥ ୩୧

ବିବିଧ ସଂଗ୍ରାମ-ଭୂଷଣେ । ଶୋଭନ୍ତି ଦେବାସୁର-ଗଣେ ॥ ୩୨

ବିବିଧ-ତୀକ୍ଷ୍ଣ-ଶସ୍ତ୍ର ଭୁଜେ । ବିରାଜେ ରବି ରଶ୍ମି ତେଜେ ॥ ୩୩

ଏମନ୍ତେ ଦେବାସୁରେ ବଳେ । ସ୍ୱଭାବେ ବଳିଷ୍ଠ ସକଳେ ॥ ୩୪

ଅତି କୁପିତ ଦେବାସୁର । କି ଅବା ଦେବା ପଟାନ୍ତର ॥ ୩୫

ଶୋଭନ୍ତି ମହାବୀରେ ରଣେ । ଯେସନେ ଜଳଧି ମନ୍ଥନେ ॥ ୩୬

ଅସୁର ବଳେ ଝଟକନ୍ତି । ଯେ ବଳେ ବଳି ସେନାପତି ॥ ୩୭

ଶୁଣ ରାଜନ କହୁଁ ତୋତେ । ବଳି ମହିମା ଅପ୍ରମିତେ ॥ ୩୮

ମୟ-ନିର୍ମିତ ଘୋରଯାନ । ସ୍ୱଭାବେ ବୈହାୟସ ନାମ ॥ ୩୯

ସମର ଅର୍ଥେ ସଜ ଯେତେ । ସର୍ବ ପୂରିତ ମୟ ରଥେ ॥ ୪୦

ମନବଚନେ ଅଗୋଚର । ଦୃଶ୍ୟ ଅଦୃଶ୍ୟ ଭୟଙ୍କର ॥ ୪୧

ଏମନ୍ତ ରଥେ ବଳି ବସେ । ବୀରେ ବେଷ୍ଟିତ ଚଉପାଶେ ॥ ୪୨

ବାମ-ଦକ୍ଷିଣେ ମହାବୀରେ । ଛତ୍ର ଚାମର ଧରି କରେ ॥ ୪୩

ମଧ୍ୟେ ବିରାଜେ ବଳିପ୍ରଭା । କିବା ଉପମା ତାକୁ ଦେବା ॥ ୪୪

ନକ୍ଷତ୍ରଗଣେ ପୂର୍ଣ୍ଣ ଶଶୀ । ଅସୁର ମଧ୍ୟେ ତେହ୍ନେ ଦିଶି ॥ ୪୫

ବଳି ସମୀପେ ପନ୍ତି ପନ୍ତି । ମିଳିଲେ ସର୍ବ ଯୂଥପତି ॥ ୪୬

ଦେବ ଅସୁରେ ଘୋରରଣେ । ବଳେ ଆବୋରି ଜଣେ ଜଣେ ॥ ୪୭

କରନ୍ତି ଅଦ୍ଭୁତ ସଂଗ୍ରାମ । ଶୁଣ ହୋ ଅସୁରଙ୍କ ନାମ ॥ ୪୮

ନମୁଚି ଶମ୍ବର ଯେ ବାଣ । ବିପ୍ରଚିତ୍ତି ଲୋହବଦନ ॥ ୪୯

ଦ୍ୱିମୂର୍ଦ୍ଧା କାଳନାଭ ହେତି । ଇଲ୍ୱଳ ଆଦି ସପ୍ରହେତି ॥ ୫୦

ଶକୁନି ଭୂତ ସନ୍ତାପନ । ବଜ୍ରଦଶନ ବିରୋଚନ ॥ ୫୧

ହୟଗ୍ରୀବ ଯେ ଶଙ୍କୁଶିରା । କପିଳ ନାମେ ମହାବୀରା ॥ ୫୨

ଜୀମୂତ ଦୁନ୍ଦୁଭି ଅଦ୍ଭୁତ । ତାରକା ପୁଣି ଚକ୍ରଜିତ ॥ ୫୩

ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ । ଅରିଷ୍ଟନେମି ପୁଣି ଜମ୍ଭ ॥ ୫୪

ତ୍ରିପୁରାଧିପ ଯେଉଁ ମୟ । ପୌଲମ ଅରିଷ୍ଟ କାଳେୟ ॥ ୫୫

ନିବାତକବଚ ସହିତେ । ଅପରେ ଦୈତ୍ୟବୀର ଯେତେ ॥ ୫୬

ନ ପାଇ ଅମୃତର ଭାଗ । ମନେ ବହିଲେ ମହାରାଗ ॥ ୫୭

ଦେବଙ୍କୁ ଯୁଦ୍ଧ କରି ବଳେ । ଅସୁରେ ବେଢ଼ିଲେ ଗହଳେ ॥ ୫୮

କରନ୍ତି ସର୍ବେ ଶଙ୍ଖନାଦ । ଦୁନ୍ଦୁଭି ତୁଲେ ବହୁବାଦ୍ୟ ॥ ୫୯

ଏମନ୍ତେ ବଳି-ବଳ ଚାହିଁ । ସକଳ ଦେବେ କ୍ରୋଧ ବହି ॥ ୬୦

ସାଜିଲେ ସୁରପତି ସଙ୍ଗେ । ଅଶେଷ ଘୋର ରଣରଙ୍ଗେ ॥ ୬୧

ଅଇରାବତ ସ୍କନ୍ଧେ ବସି । ପୂର୍ଣ୍ଣିମା ରାତ୍ରେ ଯେହ୍ନେ ଶଶୀ ॥ ୬୨

ସେ ଯୂଥପତିଙ୍କି ଆବୋରି । ଆନନ୍ଦେ ବାଦ୍ୟନାଦ କରି ॥ ୬୩

ନିଜ ବାହନେ ଶସ୍ତ୍ର ତୁଲେ । ଅଶେଷ ଦେବେ ବିଜେ କଲେ ॥ ୬୪

ରଣସଙ୍କୁଳ ମହାଗୋଳେ । ସମୁଦ୍ରତୀରେ ବେନି ବଳେ ॥ ୬୫

ଶବଦ ଶୁଭଇ ତୁମୁଳେ । ମିଳିଲେ ସର୍ବ ଦିଗପାଳେ ॥ ୬୬

ଶସ୍ତ୍ର ଉଞ୍ଚାଇ କୋପମନେ । ନାମ ଡାକନ୍ତି ଅନ୍ୟ ଅନ୍ୟେ ॥ ୬୭

ନିକଟେ ମିଳି ଘୋରନାଦେ । ଯୁଦ୍ଧ କରନ୍ତି ମାଲବନ୍ଧେ ॥ ୬୮

ଇନ୍ଦ୍ରର ତୁଲେ ବଳି ଯୁଝେ । ଦାରୁଣ ଦେବାସୁର ମାଝେ ॥ ୬୯

ସ୍କନ୍ଧ ତାରକ ଅବହେଳେ । ଯୁଦ୍ଧ କରନ୍ତି ବାହୁବଳେ ॥ ୭୦

ବରୁଣ ହେତି ବେନିବୀରେ । ପ୍ରହେତି ମିତ୍ରେ ଯୁଦ୍ଧ କରେ ॥ ୭୧

ଯମର ତୁଲେ କାଳନାଭ । ବିଶ୍ୱକର୍ମା ମୟ ଦାନବ ॥ ୭୨

ଶମ୍ବର ତ୍ୱଷ୍ଟା ତୁଲେ ରଣ । ସବିତା ତୁଲେ ବିରୋଚନ ॥ ୭୩

ନମୁଚି ଯେ ଅପରାଜିତେ । ଅଶ୍ୱିନୀ ବୃଷପର୍ବା ସାଥେ ॥ ୭୪

ସୂର୍ଯ୍ୟର ତୁଲେ ବାଣାସୁର । ରାହୁର ତୁଲେ ନିଶାକର ॥ ୭୫

ପୁଲୋମା ସଙ୍ଗତେ ସମୀର । ଅନଳେ କାଳକେତୁ ବୀର ॥ ୭୬

ଶୁମ୍ଭ ନିଶୁମ୍ଭେ ଭଦ୍ରକାଳୀ । ଜମ୍ଭରେ ବୃଷାକପି ମିଳି ॥ ୭୭

ମହିଷେ ବିଭାବସୁ ଯୁଝେ । ଗହଳେ ଦେବାସୁର ମାଝେ ॥ ୭୮

ଇଲ୍ୱଳ ବାତାପି ସହିତେ । ରଣେ ପଶିଲେ ବ୍ରହ୍ମାପୁତ୍ରେ ॥ ୭୯

ସନକ ତୁଲେ ଅରିନ୍ଦମ । ନିର୍ଭୟେ କରନ୍ତି ସଂଗ୍ରାମ ॥ ୮୦

ଦୁର୍ମର୍ଷ ତୁଲେ ରତିପତି । ଉତ୍କଳେ ମାତୃକା ଯୁଝନ୍ତି ॥ ୮୧

ଗୁରୁ ଭାର୍ଗବେ ଯୁଦ୍ଧ ଘୋର । ନାରକା ତୁଲେ ଶନୈଶ୍ଚର ॥ ୮୨

ନିବାତକବଚ ମରୁତେ । କାଳେୟ ବସୁଙ୍କ ସଙ୍ଗତେ ॥ ୮୩

ପୌଲୋମା ବିଶ୍ୱଦେବା ସଙ୍ଗେ । ଯୁଦ୍ଧ କରନ୍ତି ରଣରଙ୍ଗେ ॥ ୮୪

ଦେବେ ଅସୁରଗଣ ସଙ୍ଗେ । ନିର୍ଘାତେ ଯୁଦ୍ଧ ରଣରଙ୍ଗେ ॥ ୮୫

ରୁଦ୍ରଙ୍କ କ୍ରୋଧବଶ ଗଣ । ଆବୋରି କଲେ ଘୋରରଣ ॥ ୮୬

ଏମନ୍ତେ ମହାରଣ ମଧ୍ୟେ । ଦେବ ଦାନବ ବାହୁଯୁଦ୍ଧେ ॥ ୮୭

ସମସ୍ତେ ମାଲଯୁଦ୍ଧ ସାରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୮୮

ଖଡ଼୍‌ଗ ତୋମର ଶର ବୃଷ୍ଟି । ଭୁଶୁଣ୍ଡି ଚକ୍ର ଗଦା ରିଷ୍ଟି ॥ ୮୯

ପଟ୍ଟିଶ ଶକ୍ତି ଉଲ୍ଲୁକରେ । ପ୍ରାସ ପରଶୁ କେ କୁଠାରେ ॥ ୯୦

ନିସ୍ତି୍ରଂଶ ଭଲ୍ଲ ଯେ ମୁଦ୍‌ଗର । ପରିଘ ପୁଣି ଭିନ୍ଦିପାଳ ॥ ୯୧

ଏମନ୍ତେ ନାନାଶସ୍ତ୍ର ଭେଦି । ଅସୁରଙ୍କର ଶିର ଛେଦି ॥ ୯୨

ଗଜ ତୁରଙ୍ଗ ରଥ ରଥୀ । ଯୁଦ୍ଧେ ପଡ଼ିଲେ ପନ୍ତିପନ୍ତି ॥ ୯୩

ଶସ୍ତ୍ରେ ଖଣ୍ଡିତ କଳେବର । ନିରତେ ଗଳଇ ରୁଧିର ॥ ୯୪

ବାହୁ ହୃଦୟ ଶିର ଛିଡ଼ି । ପଡ଼ିଲେ ଦଶନ କାମୋଡ଼ି ॥ ୯୫

ନାନା-ଆଭରଣ-ଆୟୁଧେ । ଭୁଜ ସହିତେ ନାନା ଛନ୍ଦେ ॥ ୯୬

ଗଜ ତୁରଙ୍ଗ ମୃତ୍ୟୁପିଣ୍ଡେ । ଆଚ୍ଛାଦି ରହେ ଭୂମିଖଣ୍ଡେ ॥ ୯୭

କବନ୍ଧ ଉଠି ରଣମଧ୍ୟେ । ନୃତ୍ୟ କରନ୍ତି ବାଦ୍ୟନାଦେ ॥ ୯୮

ତୀକ୍ଷ୍‌ଣ-ଖଡ଼ଗ କରେ ଧରି । ଧାମନ୍ତେ କମ୍ପେ ବସୁନ୍ଧରୀ ॥ ୯୯

ବଳି ଯେ ଇନ୍ଦ୍ର ସଙ୍ଗେ ଥିଲା । ଅନେକ ବାହୁଯୁଦ୍ଧ କଲା ॥ ୧୦୦

ଜିଣି ନ ପାରି ବାହୁଯୁଦ୍ଧେ । ବସିଲା ମାୟାଯାନ ମଧ୍ୟେ ॥ ୧୦୧

ଧନୁକେ ଦଶଶର ଧରି । ଇନ୍ଦ୍ରେ ବିନ୍ଧିଲା କ୍ରୋଧଭରି ॥ ୧୦୨

ତିନି ନାରାଚ ଐରାବତେ । ବିନ୍ଧିଲା ଆତ୍ମାର-ଆୟତ୍ତେ ॥ ୧୦୩

ଚାରି ଅଶ୍ୱଙ୍କୁ ଚାରିବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ ॥ ୧୦୪

ମାତଳି ସାରଥି ଇନ୍ଦ୍ରର । ଥିଲା ଯେ ରଥର ଉପର ॥ ୧୦୫

ଯହୁଁ ବିିନ୍ଧିଲା ବୀର ଡାକି । ଇନ୍ଦ୍ର ଧାଇଁଲେ ତାହା ଦେଖି ॥ ୧୦୬

ବଳିର ଯେତେକ ନାରାଚ । ବେଗେ ଛେଦିଲେ ଦେବରାଜ ॥ ୧୦୭

ବଳିକି ଚାହିଁ ମନ୍ଦହାସେ । ବେଗେ ମିଳିଲେ ତାର ପାଶେ ॥ ୧୦୮

ଇନ୍ଦ୍ର ଅଦ୍ଭୁତ-କର୍ମ ଚାହିଁ । ବଳି ଅତ୍ୟନ୍ତ କ୍ରୋଧ ବହି ॥ ୧୦୯

ପୁଣି ଶକ୍ତିଏ ଧରି କରେ । ପେଷିଲା ବାସବ ଉପରେ ॥ ୧୧୦

ଉଲ୍‌କା ଯେସନେ ଶୂନ୍ୟମାର୍ଗେ । ପଡ଼ି ବିରାଜେ ଦଶଦିଗେ ॥ ୧୧୧

ଯେ ଶକ୍ତି ବଳି ପେଷିଥିଲା । ଇନ୍ଦ୍ର ତା ଈଷିତେ ଛେଦିଲା ॥ ୧୧୨

ଏମନ୍ତେ ଶୂଳ କୁନ୍ତ ଋଷ୍ଟି । ବଳି ହସ୍ତରୁ ଇନ୍ଦ୍ର କାଟି ॥ ୧୧୩

ହରଷେ କରେ ଶଙ୍ଖନାଦ । କ୍ଷୀଣ-ଶସ୍ତ୍ରେ ବଳି ସ୍ତବଧ ॥ ୧୧୪

ନ ପାରି ମାୟା ପ୍ରକାଶିଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା ॥ ୧୧୫

ମାୟାରେ ଶିଳାବୃଷ୍ଟି ଘନେ । ମେଘ ଆଚ୍ଛାଦିଲା ଗଗନେ ॥ ୧୧୬

ଦେବଙ୍କ ଉପରେ ବରଷେ । ବିଜୁଳି ଯେହ୍ନେ ମେଘୁଁ ଖସେ ॥ ୧୧୭

ପୁଣି କ୍ଷଣକେ ବହୁବୃଷ୍ଟି । ଶୁଷ୍କ-ଇନ୍ଧନ କୋଟି କୋଟି ॥ ୧୧୮

ଦାବାଗ୍ନି ଦେବଙ୍କ ଉପରେ । ପଡ଼ନ୍ତି ମଣ୍ଡଳ ସମୀରେ ॥ ୧୧୯

ଶିଳା ବରଷେ ନିରନ୍ତରେ । ଗହଳେ ଦେବଙ୍କ ଉପରେ ॥ ୧୨୦

ପଡ଼ନ୍ତି ମହୋରଗଗଣ । ବୃଶ୍ଚିକ ବୃଷ୍ଟି ଅନୁକ୍ଷଣ ॥ ୧୨୧

ବରାହ ସିଂହ ବ୍ୟାଘ୍ର ହସ୍ତୀ । ସମ୍ମୁଖେ ଗର୍ଜନ କରନ୍ତି ॥ ୧୨୨

ଶତ ସହସ୍ର ଯାତୁଧାନୀ । ଅନେକ ଶାକିନୀ ଡାକିନୀ ॥ ୧୨୩

ବିବସ୍ତ୍ରହୋଇ ଶୂଳ କରେ । ପିଟନ୍ତି ଦେବଙ୍କ ଉପରେ ॥ ୧୨୪

ରାକ୍ଷସେ ଛେଦ-ଭେଦ ନାଦେ । ସମରେ ମିଳିଲେ ଆନନ୍ଦେ ॥ ୧୨୫

ପ୍ରଳୟକାଳେ ମେଘମାଳେ । ଯେସନେ ଗଗନ ମଣ୍ଡଳେ ॥ ୧୨୬

ଗଭୀର ଘୋରନାଦ କରି । ସଘନେ ବରଷନ୍ତି ବାରି ॥ ୧୨୭

ପୁଣି କ୍ଷଣକେ ଅଗ୍ନି ବୃଷ୍ଟି । ନାରାଚ ପେଷେ କୋଟିକୋଟି ॥ ୧୨୮

ପ୍ରଳୟ ପ୍ରାୟେ ଅତିବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥ ୧୨୯

ସମୁଦ୍ରେ ପ୍ରଳୟ ଲହରୀ । ଉଠିଲା ଘୋରନାଦ କରି ॥ ୧୩୦

ପ୍ରଚଣ୍ଡ ବାତେ ଉର୍ମିଗଣ । ଉଠନ୍ତେ ଦିଶଇ ଭୀଷଣ ॥ ୧୩୧

ଏମନ୍ତେ ଅସୁରଙ୍କ ମାୟା । ଦୃଶ୍ୟ-ଅଦୃଶ୍ୟ ନାନାକାୟା ॥ ୧୩୨

ନାନାପ୍ରକାର ମାୟାବଳେ । ଯୁଝିଲେ ଦେବଙ୍କର ତୁଲେ ॥ ୧୩୩

ଅସୁର ମାୟାବଳ ଦେଖି । ତ୍ରିଦଶେ ସମର ଉପେକ୍ଷି ॥ ୧୩୪

ବିକଳେ ଭ୍ରମନ୍ତି ଗଗନେ । ଅସୁର ମାୟାବଳେ ଛନ୍ନେ ॥ ୧୩୫

ରହି ନ ପାରି ସ୍ୱର୍ଗପଥେ । ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ ॥ ୧୩୬

ଦେବଙ୍କ ଭୟ ଦେଖି ହରି । ଗରୁଡ଼-ପୃଷ୍ଠେ ବିଜେ କରି ॥ ୧୩୭

ପୀତବସନ ପରିଧାନ । ସୁରଙ୍ଗ-କମଳଲୋଚନ ॥ ୧୩୮

ଯୁଦ୍ଧେ ଅଇଲେ ଅଷ୍ଟଭୁଜେ । କର୍ଣ୍ଣେ କୁଣ୍ଡଳ ରତ୍ନସାଜେ ॥ ୧୩୯

ଶ୍ରୀବତ୍ସ-କଉସ୍ତୁଭମଣି । ଅମୂଲ୍ୟ ରତ୍ନେ ସୁଖଞ୍ଜଣି ॥ ୧୪୦

ଦିବ୍ୟମୌକ୍ତିକ ହାର ସଙ୍ଗେ । ବିବିଧ ରତ୍ନମାଳା ଅଙ୍ଗେ ॥ ୧୪୧

ଶସ୍ତ୍ରେ ଶୋଭିତ ଦିଶେ କର । ଶଙ୍ଖାବ୍ଚ-ଗଦା ଚକ୍ରଧର ॥ ୧୪୨

ଏମନ୍ତ ରୂପେ ଦଇତ୍ୟାରି । ଦେବଙ୍କ ମଧ୍ୟେ ବିଜେକରି ॥ ୧୪୩

ଦେବଙ୍କୁ ମାୟା ଘୋଟିଥିଲା । ବିଷ୍ଣୁ-ଦର୍ଶନେ ନାଶ ଗଲା ॥ ୧୪୪

ତ୍ରିଦଶେ ଦେଖନ୍ତି ଆକାଶେ । ତମ ଯେସନେ ରବିତ୍ରାସେ ॥ ୧୪୫

ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ । ଏ ଭାବେ ଦେଖିଲେ ପ୍ରତ୍ୟକ୍ଷ ॥ ୧୪୬

ଅସୁର ମାୟା ନାଶ ଗଲା । ଦେବଙ୍କ ଆନନ୍ଦ ବଢ଼ିଲା ॥ ୧୪୭

ହରି-ସ୍ମରଣେ ବନ୍ଧ-ମୋକ୍ଷ । ଏ ଭାବେ ବୁଝିଲେ ପ୍ରତ୍ୟକ୍ଷ ॥ ୧୪୮

ଦେବଙ୍କ ମଧ୍ୟେ କାଳନେମି । ଲୁଚି ଯେ ଥିଲା ମାୟାଘେନି ॥ ୧୪୯

ଶୂଳ ବୁଲାଇ ଅନ୍ତରୀକ୍ଷେ । ମିଳିଲା ଗୋବିନ୍ଦ ସମକ୍ଷେ ॥ ୧୫୦

ପିଟନ୍ତେ ଗରୁଡ଼ ଉପରେ । ହରି ଧଇଲେ ବାମକରେ ॥ ୧୫୧

ସେ ଶୂଳ କାଳନେମି ମୁଣ୍ଡେ । ହରି ପ୍ରହାରିଲେ ପ୍ରଚଣ୍ଡେ ॥ ୧୫୨

ବାଜି ସହିତେ ମହାସୁର । ତକ୍ଷଣେ ହେଲା ଶତେ ଚୂର ॥ ୧୫୩

ମାଳୀ ସୁମାଳୀ ବେନିବୀରେ । ଦେଖି ମିଳିଲେ ଅତିଖରେ ॥ ୧୫୪

ତ୍ରିଶୂଳ ଗୋବିନ୍ଦ ଉପରେ । ପ୍ରହାର କଲେ ମହାଘୋରେ ॥ ୧୫୫

ତାହାଙ୍କ ତେଜ ଦେଖି ହରି । ସୁଦରଶନ କରେ ଧରି ॥ ୧୫୬

ସେ ବେନିବୀର ମୁଣ୍ଡ ହାଣି । ଶଙ୍ଖ ଶବଦେ ଚକ୍ରପାଣି ॥ ୧୫୭

ମିଳିଲେ ଦେବାସୁର ମଧ୍ୟେ । ତ୍ରିଦଶେ ଦେଖନ୍ତି ଆନନ୍ଦେ ॥ ୧୫୮

ସେ ହରି ଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୫୯

ଅଷ୍ଟମ ସ୍କନ୍ଧେ ଭାଗବତ । ଅଦ୍ଭୁତ ଗୋବିନ୍ଦ ଚରିତ ॥ ୧୬୦

ଭାଷା-ପ୍ରବନ୍ଧେ ହରିଗୀତ । କହଇ ବିପ୍ର ଜଗନ୍ନାଥ ॥ ୧୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଦେବାସୁରସଂଗ୍ରାମେ ଦଶମୋଽଧ୍ୟାୟଃ ॥

* * *