ଅଷ୍ଟମ ସ୍କନ୍ଧ
ନବମ ଅଧ୍ୟାୟ
ଶୁକ ଉବାଚ
ଅସୁରେ ବସି ଏକମେଳେ । ସୁଧା-ସମ୍ପୂର୍ଣ୍ଣ କୁମ୍ଭ କରେ ॥ ୧
ବିବିଧ-ପାନପାତ୍ର ଆଣି । ଏକ ଆରକେ ବାକ୍ୟ ଭଣି ॥ ୨
ସୁହୃଦପଣ ଦୂର କଲେ । ଦୁଷ୍ଟ-ଆଚାର ଆଚରିଲେ ॥ ୩
ଏମନ୍ତେ ଶୁଣ ପରୀକ୍ଷିତ । ମୋହିନୀ ରୂପେ ଜଗନ୍ନାଥ ॥ ୪
ମିଳିଲେ ଅସୁରଙ୍କ ପାଶେ । ଅମୃତ-ହରଣ ବିଶ୍ୱାସେ ॥ ୫
ବିଷ୍ଣୁମୋହିନୀ ରୂପ ଦେଖି । ନିଶ୍ଚଳ କଲେ ସର୍ବେ ଆଖି ॥ ୬
ଚକିତେ ଅନ୍ୟଅନ୍ୟେ ଚାହିଁ । ବୋଲନ୍ତି ବିଷ୍ଣୁରୂପେ ମୋହି ॥ ୭
ଦେଖ ଏ ରୂପ-କାନ୍ତି-ଧାମ । ନବଯୁବତୀ ଅନୁପମ ॥ ୮
କାହୁଁ ଅଇଲା କିବା ଅର୍ଥେ । ପାଦେ ଚାଲଇ ଦୃଷ୍ଟି ପଥେ ॥ ୯
ଏମନ୍ତ କହି କନ୍ୟା ଆଗେ । ପଥେ ମିଳିଲେ ଯାଇ ବେଗେ ॥ ୧୦
ନିଶ୍ଚଳେ ନ ପାରନ୍ତି ଚାହିଁ । ବୋଲନ୍ତି କନ୍ୟା ପାଶେ ରହି ॥ ୧୧
ହେ ପଦ୍ମଲୋଚନି ସୁନ୍ଦରି । ଯୁବାଜନଙ୍କ ମନୋହାରୀ ॥ ୧୨
କି ତୋର ନାମ କିବା ଅର୍ଥେ । କେଣେ ଅଇଲୁ କହ ଏଥେ ॥ ୧୩
କାହାର ପତ୍ନୀ ତୁ ବୋଲାଉ । ଜ୍ଞାନ ହରିଲୁ ଚାହୁଁ ଚାହୁଁ ॥ ୧୪
ଆମ୍ଭେ ଯେତେକ ଦେବାସୁରେ । ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ ॥ ୧୫
ମୁନି ଚାରଣ ବିଦ୍ୟାଧର । ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର ॥ ୧୬
ଅଦୃଷ୍ଟପୂର୍ବ ରୂପ ତୁହି । ତୋତେ ତ କେହି ନ ଜାଣଇ ॥ ୧୭
ନିଶ୍ଚେ ଜାଣିଲୁ ତୋ ବାରତା । ତୋତେ ବା ସର୍ଜିଲା ବିଧାତା ॥ ୧୮
ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ । ମୋହନ-ଅଜ୍ଞାନ-କାରଣେ ॥ ୧୯
ତୋ ରୂପ ଅତି ମନୋହର । ତୁ ଏବେ ଆମ୍ଭ ବୋଲ କର ॥ ୨୦
ଆମ୍ଭେ ଯେ ଦେବତା ଦାନବେ । ଅମୃତପାନ ସମଭାବେ ॥ ୨୧
ଏ ବସ୍ତୁ ବେନିଭାଗ କରି । ଦିଅ ଗୋ ପରମା ସୁନ୍ଦରୀ ॥ ୨୨
କଶ୍ୟପପୁତ୍ର ଆମ୍ଭେ ଦୁଇ । କେବେ ଆମ୍ଭର ନ ପଡ଼ଇ ॥ ୨୩
ତୁ ଏ ଅମୃତ ଆମ୍ଭ ପାତ୍ରେ । ଦ୍ୱିଭାଗ କରି ଯଥାଅର୍ଥେ ॥ ୨୪
ପରଷି ଦିଅ ଶୁଦ୍ଧଚିତ୍ତେ । ସମାନ ଭାବେ ଆମ୍ଭ ପାତ୍ରେ ॥ ୨୫
କେବେହେଁ ନକରିବୁ ଭେଦ । ଯେମନ୍ତେ ଉଭୟ ଆନନ୍ଦ ॥ ୨୬
ଅସୁରଙ୍କର ବୋଲ ଶୁଣି । ମାୟା-ମୋହିନୀ-ଚକ୍ରପାଣି ॥ ୨୭
ମୋହନ-ମନ୍ଦହାସ ମୁଖେ । ଅପାଙ୍ଗ କଟାକ୍ଷ ସୁରେଖେ ॥ ୨୮
ଅମୃତ ସମାନ ବଚନ । କହନ୍ତି ଜଗତ-ମୋହନ ॥ ୨୯
ଭଗବାନ ଉବାଚ
ତୁମ୍ଭେ ଯେ କଶ୍ୟପ-ନନ୍ଦନ । ଶୁଣ ହୋ ମୋହର ବଚନ ॥ ୩୦
ସ୍ୱଭାବେ ସ୍ୱାମୀ ମୋର ନାହିଁ । କୁଳଟା-ବାଦ ମୋର ତହିଁ ॥ ୩୧
ଅସତୀ-ନାରୀଙ୍କ ସ୍ୱଭାବ । ଶ୍ୱାନର ପ୍ରାୟେକ ଜାଣିବ ॥ ୩୨
ନିତ୍ୟେ ଲୋଡ଼ଇ ନୂଆଭାବ । କେ ଅବା ବିଶ୍ୱାସ କରିବ ॥ ୩୩
କହିଲି ତୁମ୍ଭ ଆଗେ ସତ । ଏମନ୍ତ ପଣ୍ଡିତଙ୍କ ମତ ॥ ୩୪
ଶୁକ ଉବାଚ କନ୍ୟାର ଚତୁର-ବଚନ । ଶୁଣି ଅସୁରେ ତୋଷମନ ॥ ୩୫
ଭାବ-ସୁଗଭୀର-ବଚନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥ ୩୬
ଅମୃତଭାଣ୍ଡ ଆଣି ବେଗେ । ସମର୍ପି ଦେଲେ କନ୍ୟା ଆଗେ ॥ ୩୭
ହସି ବୋଇଲେ ତୋଷଚିତ୍ତେ । ଶୁଣ ରାଜନ ପରୀକ୍ଷିତେ ॥ ୩୮
ଅସୁରଙ୍କର ବୋଲ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୩୯
ଅମୃତଭାଣ୍ଡ କାଖେ ଧରି । ଅଳପ ହାସମୁଖ କରି ॥ ୪୦
ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ସଭୟେ ଅସୁରଙ୍କୁ ଚାହିଁ ॥ ୪୧
ମୋହିନୀ ଉବାଚ
ସାଧୁ ଅସାଧୁ ନଜାଣଇ । ତୁମ୍ଭେ ସମାନ ବେନିଭାଇ ॥ ୪୨
ବିଭାଗେ ଦେବି ସୁଧାରସ । ସଂସ୍କାର ହୋଇ ତୁମ୍ଭେ ବସ ॥ ୪୩
ଶୁକ ଉବାଚ
ଏମନ୍ତେ ମୋହିନୀ ବଚନେ । ଦେବ-ଦାନବେ ତୋଷମନେ ॥ ୪୪
ପ୍ରଥମେ ଉପବାସ କରି । ପ୍ରାତଃ ସ୍ନାହାନ ସନ୍ଧ୍ୟା ସାରି ॥ ୪୫
ସନ୍ତୋଷ ଚିତ୍ତେ ହୋମ କଲେ । ଗୋ-ବିପ୍ର-ଚରଣେ ପୂଜିଲେ ॥ ୪୬
ଭୂତଙ୍କୁ ଦେଲେ ଭୂତବଳି । ସ୍ତୁତି ଯେ କଲେ ବିପ୍ରେ ମିଳି ॥ ୪୭
ଅହତ ବସ୍ତ୍ରଯୁଗ ପିନ୍ଧି । ଶୋଭନଗନ୍ଧେ ନାନାବିଧି ॥ ୪୮
କୁଶ ଆସନେ ସର୍ବେ ବସି । ବଦନ କଲେ ପୂର୍ବଦିଶି ॥ ୪୯
ଧୂପ ଆମୋଦ ଯଜ୍ଞଶାଳେ । ଆନନ୍ଦେ ବସିଲେ ସକଳେ ॥ ୫୦
ସୁଗନ୍ଧମାଳା ଦୀପପନ୍ତି । ଆବୋରି ପାନପାତ୍ର ଛନ୍ତି ॥ ୫୧
ସେ ଯଜ୍ଞଶାଳେ ନରହରି । ଅତି ମୋହିନୀ ରୂପ ଧରି ॥ ୫୨
ଅସୁରଙ୍କର ମନମୋହି । ଅମୃତକୁମ୍ଭ ତଳେ ଥୋଇ ॥ ୫୩
ଅତିମୋହନ ରୂପ ଦେଖି । ଦେବତା ଅସୁରଙ୍କ ଆଖି ॥ ୫୪
ରହିଲା ହରି-ବକ୍ଷସ୍ଥଳେ । ସୁସଞ୍ଚ-କୁଚଯୁଗ ମୂଳେ ॥ ୫୫
ହରି ବିଚାର କଲେ ମନେ । ଅସୁରଙ୍କର ସୁଧାପାନେ ॥ ୫୬
ଦେବେ ହୋଇବେ ଅରକ୍ଷିତ । ଏ କଥା ନୁହଇ ଉଚିତ ॥ ୫୭
ସର୍ପକୁ କ୍ଷୀର ଯେ ପିଆନ୍ତି । ସର୍ପର ଘାତେ ସେ ମରନ୍ତି ॥ ୫୮
ଜାତି ସ୍ୱଭାବେ ନୃଶଂସକ । ଅସୁରେ ନୁହନ୍ତି ବିବେକ ॥ ୫୯
ଏମନ୍ତ ଚିନ୍ତିଣ ଶ୍ରୀପତି । ବୋଇଲେ ହୁଅ ବେନିପନ୍ତି ॥ ୬୦
ବାମ-ଦକ୍ଷିଣେ ମୋର ବସ । କହି ହୁଅନ୍ତି ହସ ହସ ॥ ୬୧
ସ୍ୱରୂପେ ଅସୁରଙ୍କ ମନ । ବଳେ ହରିଲେ ଭଗବାନ ॥ ୬୨
ରୂପ ଦେଖନ୍ତି ହୋଇ ଛନ୍ନ । ବଦନୁ ନ ସ୍ଫୁରେ ବଚନ ॥ ୬୩
ଦକ୍ଷିଣେ ଦେବଗଣେ ଥିଲେ । ତାହାଙ୍କ ପାତ୍ରେ ସୁଧା ଦେଲେ ॥ ୬୪
ଅସୁରେ ସୁକୃତ ପାଳନେ । ନିଶ୍ଚଳେ ବସିଲେ ମଉନେ ॥ ୬୫
କାମିନୀ-ସମ୍ମତ ପାଳନେ । ଧର୍ମେ ରହିଲେ ଦୃଢ଼ମନେ ॥ ୬୬
ମାୟା ମୋହିଲେ ଚକ୍ରଧର । ବଦନେ ନଇଲା ଉତ୍ତର ॥ ୬୭
ଦେବଙ୍କୁ ପରଶିବା ବେଳେ । ରାହୁ ଯେ ଥିଲା ତାଙ୍କ ମେଳେ ॥ ୬୮
ଗୁପତେ ବସି ଦେବବୃନ୍ଦେ । ଅମୃତ ଭକ୍ଷିଲା ଆନନ୍ଦେ ॥ ୬୯
ରବି-ଶଶାଙ୍କ ତାହା ଦେଖି । ଉଠିଲେ ଆସନ ଉପେକ୍ଷି ॥ ୭୦
ଚାହିଁଣ ଗୋବିନ୍ଦ-ବଦନେ । ନୟନେ ଠାରିଲେ ମଉନେ ॥ ୭୧
ସୁଦରଶନେ ତାର ଶିର । ବେଗେ ଛେଦିଲେ ଚକ୍ରଧର ॥ ୭୨
ତକ୍ଷଣେ ହୋଇ ବେନିଖଣ୍ଡ । ଅମୃତପାତ୍ରେ ପଡ଼େ ମୁଣ୍ଡ ॥ ୭୩
ଅମର ହୋଇଲା ତକ୍ଷଣ । ଦେଖି ସନ୍ତୋଷ ନାରାୟଣ ॥ ୭୪
ବୋଇଲେ ବର ମାଗ ତୁହି । ରାହୁ ବୋଇଲା ବିଷ୍ଣୁ ଚାହିଁ ॥ ୭୫
ଭୋ ନାଥ ମୋର ଅବଶେଷ । ଅବଶ୍ୟ କରିବଇଁ ଗ୍ରାସ ॥ ୭୬
ଶୁଣି ସନ୍ତୋଷ ମହାବାହୁ । ବୋଇଲେ ଏହି ବର ହେଉ ॥ ୭୭
ଏମନ୍ତ କହି ଭଗବାନ । ଗ୍ରହମଣ୍ଡଳେ ଦେଲେ ସ୍ଥାନ ॥ ୭୮
ତେଣୁ ସେ ରାହୁ ପର୍ବକାଳେ । ଗ୍ରାସଇ ରବିଚନ୍ଦ୍ର ବଳେ ॥ ୭୯
ବଇରୀ ବୁଦ୍ଧି ନ ଛାଡ଼ଇ । ଅୟନେ ଅୟନେ ଗୋଡ଼ାଇ ॥ ୮୦
ଦେବଙ୍କୁ ଦେଇ ସୁଧାପାନ । ତକ୍ଷଣେ ପ୍ରଭୁ ଭଗବାନ ॥ ୮୧
ଦେଖନ୍ତି ଦେବତା ଅସୁର । ମାୟା ଛାଡ଼ିଲେ ମାୟାଧର ॥ ୮୨
ମୋହିନୀରୂପ ଗଲା କେଣେ । ଯେ ରୂପ ଅମୃତ କାରଣେ ॥ ୮୩
କଠୋର-ସାଧ୍ୟେ ଭଗବାନ । ଦେବଙ୍କୁ ଦେଲେ ସୁଧାପାନ ॥ ୮୪
ଏ ରୂପେ ସୁରାସୁରଗଣେ । ସମାନ-ଦେଶ-କାଳ-ଧର୍ମେ ॥ ୮୫
ମନ୍ଥିଲେ ସିନ୍ଧୁ ତୁଲ୍ୟବଳେ । ଲଭିଲେ ବିପରୀତ-ଫଳେ ॥ ୮୬
କୃଷ୍ଣର ପାଦ ଯେଣୁ ଧ୍ୟାୟୀ । ଦେବେ ଅମୃତ-ଫଳ ପାଇ ॥ ୮୭
ଅସୁରେ ନ ସେବି ଚରଣ । କର୍ମର ଫଳେ ହେଲେ ହୀନ ॥ ୮୮
ପୁତ୍ର-କଳତ୍ର ଦେହ ଅର୍ଥେ । ଯେ ଯାହା କରଇ ଯୁକତେ ॥ ୮୯
ତାହା ନ କଲେ କୃଷ୍ଣାର୍ପଣ । କେବଳ ଶ୍ରମମାତ୍ର ଜାଣ ॥ ୯୦
ମୂଳେ ସିଞ୍ଚିଲେ ସିନା ଜଳ । ବିକଶେ ବୃକ୍ଷ-ପତ୍ର-ଡାଳ ॥ ୯୧
ଶ୍ରୀକୃଷ୍ଣ ମାୟା-ବିଦ୍ୟମାନେ । ଯେ ରୂପେ ସମୁଦ୍ର-ମନ୍ଥନେ ॥ ୯୨
ଦେବଙ୍କୁ ସୁଧାପାନ ଦେଇ । ନିଜ ଭୁବନେ ଭାବଗ୍ରାହୀ ॥ ୯୩
ଦେଖନ୍ତି ସ୍ୱର୍ଗଲୋକେ ମିଳି । ଗରୁଡ଼େ ବସି ବନମାଳୀ ॥ ୯୪
ଯେ ରୂପ ଗରୁଡ଼ ଆସନେ । ସୁଜନେ ଚିନ୍ତ ସ୍ଥିର ମନେ ॥ ୯୫
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍କନ୍ଧେ ଭାଗବତ ॥ ୯୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ବିଷ୍ଣୁମୋହିନୀରୂପଧାରଣେ ଦେବଗଣ
ଅମୃତପାନେ ନବମୋଽଧ୍ୟାୟଃ ॥
* * *