ଅଷ୍ଟମ ସ୍କନ୍ଧ

ନବମ ଅଧ୍ୟାୟ

ଶୁକ ଉବାଚ

ଅସୁରେ ବସି ଏକମେଳେ । ସୁଧା-ସମ୍ପୂର୍ଣ୍ଣ କୁମ୍ଭ କରେ ॥

ବିବିଧ-ପାନପାତ୍ର ଆଣି । ଏକ ଆରକେ ବାକ୍ୟ ଭଣି ॥

ସୁହୃଦପଣ ଦୂର କଲେ । ଦୁଷ୍ଟ-ଆଚାର ଆଚରିଲେ ॥

ଏମନ୍ତେ ଶୁଣ ପରୀକ୍ଷିତ । ମୋହିନୀ ରୂପେ ଜଗନ୍ନାଥ ॥

ମିଳିଲେ ଅସୁରଙ୍କ ପାଶେ । ଅମୃତ-ହରଣ ବିଶ୍ୱାସେ ॥

ବିଷ୍ଣୁମୋହିନୀ ରୂପ ଦେଖି । ନିଶ୍ଚଳ କଲେ ସର୍ବେ ଆଖି ॥

ଚକିତେ ଅନ୍ୟଅନ୍ୟେ ଚାହିଁ । ବୋଲନ୍ତି ବିଷ୍ଣୁରୂପେ ମୋହି ॥

ଦେଖ ଏ ରୂପ-କାନ୍ତି-ଧାମ । ନବଯୁବତୀ ଅନୁପମ ॥

କାହୁଁ ଅଇଲା କିବା ଅର୍ଥେ । ପାଦେ ଚାଲଇ ଦୃଷ୍ଟି ପଥେ ॥

ଏମନ୍ତ କହି କନ୍ୟା ଆଗେ । ପଥେ ମିଳିଲେ ଯାଇ ବେଗେ ॥ ୧୦

ନିଶ୍ଚଳେ ନ ପାରନ୍ତି ଚାହିଁ । ବୋଲନ୍ତି କନ୍ୟା ପାଶେ ରହି ॥ ୧୧

ହେ ପଦ୍ମଲୋଚନି ସୁନ୍ଦରି । ଯୁବାଜନଙ୍କ ମନୋହାରୀ ॥ ୧୨

କି ତୋର ନାମ କିବା ଅର୍ଥେ । କେଣେ ଅଇଲୁ କହ ଏଥେ ॥ ୧୩

କାହାର ପତ୍ନୀ ତୁ ବୋଲାଉ । ଜ୍ଞାନ ହରିଲୁ ଚାହୁଁ ଚାହୁଁ ॥ ୧୪

ଆମ୍ଭେ ଯେତେକ ଦେବାସୁରେ । ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ ॥ ୧୫

ମୁନି ଚାରଣ ବିଦ୍ୟାଧର । ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର ॥ ୧୬

ଅଦୃଷ୍ଟପୂର୍ବ ରୂପ ତୁହି । ତୋତେ ତ କେହି ନ ଜାଣଇ ॥ ୧୭

ନିଶ୍ଚେ ଜାଣିଲୁ ତୋ ବାରତା । ତୋତେ ବା ସର୍ଜିଲା ବିଧାତା ॥ ୧୮

ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ । ମୋହନ-ଅଜ୍ଞାନ-କାରଣେ ॥ ୧୯

ତୋ ରୂପ ଅତି ମନୋହର । ତୁ ଏବେ ଆମ୍ଭ ବୋଲ କର ॥ ୨୦

ଆମ୍ଭେ ଯେ ଦେବତା ଦାନବେ । ଅମୃତପାନ ସମଭାବେ ॥ ୨୧

ଏ ବସ୍ତୁ ବେନିଭାଗ କରି । ଦିଅ ଗୋ ପରମା ସୁନ୍ଦରୀ ॥ ୨୨

କଶ୍ୟପପୁତ୍ର ଆମ୍ଭେ ଦୁଇ । କେବେ ଆମ୍ଭର ନ ପଡ଼ଇ ॥ ୨୩

ତୁ ଏ ଅମୃତ ଆମ୍ଭ ପାତ୍ରେ । ଦ୍ୱିଭାଗ କରି ଯଥାଅର୍ଥେ ॥ ୨୪

ପରଷି ଦିଅ ଶୁଦ୍ଧଚିତ୍ତେ । ସମାନ ଭାବେ ଆମ୍ଭ ପାତ୍ରେ ॥ ୨୫

କେବେହେଁ ନକରିବୁ ଭେଦ । ଯେମନ୍ତେ ଉଭୟ ଆନନ୍ଦ ॥ ୨୬

ଅସୁରଙ୍କର ବୋଲ ଶୁଣି । ମାୟା-ମୋହିନୀ-ଚକ୍ରପାଣି ॥ ୨୭

ମୋହନ-ମନ୍ଦହାସ ମୁଖେ । ଅପାଙ୍ଗ କଟାକ୍ଷ ସୁରେଖେ ॥ ୨୮

ଅମୃତ ସମାନ ବଚନ । କହନ୍ତି ଜଗତ-ମୋହନ ॥ ୨୯

ଭଗବାନ ଉବାଚ

ତୁମ୍ଭେ ଯେ କଶ୍ୟପ-ନନ୍ଦନ । ଶୁଣ ହୋ ମୋହର ବଚନ ॥ ୩୦

ସ୍ୱଭାବେ ସ୍ୱାମୀ ମୋର ନାହିଁ । କୁଳଟା-ବାଦ ମୋର ତହିଁ ॥ ୩୧

ଅସତୀ-ନାରୀଙ୍କ ସ୍ୱଭାବ । ଶ୍ୱାନର ପ୍ରାୟେକ ଜାଣିବ ॥ ୩୨

ନିତ୍ୟେ ଲୋଡ଼ଇ ନୂଆଭାବ । କେ ଅବା ବିଶ୍ୱାସ କରିବ ॥ ୩୩

କହିଲି ତୁମ୍ଭ ଆଗେ ସତ । ଏମନ୍ତ ପଣ୍ଡିତଙ୍କ ମତ ॥ ୩୪

ଶୁକ ଉବାଚ କନ୍ୟାର ଚତୁର-ବଚନ । ଶୁଣି ଅସୁରେ ତୋଷମନ ॥ ୩୫

ଭାବ-ସୁଗଭୀର-ବଚନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥ ୩୬

ଅମୃତଭାଣ୍ଡ ଆଣି ବେଗେ । ସମର୍ପି ଦେଲେ କନ୍ୟା ଆଗେ ॥ ୩୭

ହସି ବୋଇଲେ ତୋଷଚିତ୍ତେ । ଶୁଣ ରାଜନ ପରୀକ୍ଷିତେ ॥ ୩୮

ଅସୁରଙ୍କର ବୋଲ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୩୯

ଅମୃତଭାଣ୍ଡ କାଖେ ଧରି । ଅଳପ ହାସମୁଖ କରି ॥ ୪୦

ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ସଭୟେ ଅସୁରଙ୍କୁ ଚାହିଁ ॥ ୪୧

ମୋହିନୀ ଉବାଚ

ସାଧୁ ଅସାଧୁ ନଜାଣଇ । ତୁମ୍ଭେ ସମାନ ବେନିଭାଇ ॥ ୪୨

ବିଭାଗେ ଦେବି ସୁଧାରସ । ସଂସ୍କାର ହୋଇ ତୁମ୍ଭେ ବସ ॥ ୪୩

ଶୁକ ଉବାଚ

ଏମନ୍ତେ ମୋହିନୀ ବଚନେ । ଦେବ-ଦାନବେ ତୋଷମନେ ॥ ୪୪

ପ୍ରଥମେ ଉପବାସ କରି । ପ୍ରାତଃ ସ୍ନାହାନ ସନ୍ଧ୍ୟା ସାରି ॥ ୪୫

ସନ୍ତୋଷ ଚିତ୍ତେ ହୋମ କଲେ । ଗୋ-ବିପ୍ର-ଚରଣେ ପୂଜିଲେ ॥ ୪୬

ଭୂତଙ୍କୁ ଦେଲେ ଭୂତବଳି । ସ୍ତୁତି ଯେ କଲେ ବିପ୍ରେ ମିଳି ॥ ୪୭

ଅହତ ବସ୍ତ୍ରଯୁଗ ପିନ୍ଧି । ଶୋଭନଗନ୍ଧେ ନାନାବିଧି ॥ ୪୮

କୁଶ ଆସନେ ସର୍ବେ ବସି । ବଦନ କଲେ ପୂର୍ବଦିଶି ॥ ୪୯

ଧୂପ ଆମୋଦ ଯଜ୍ଞଶାଳେ । ଆନନ୍ଦେ ବସିଲେ ସକଳେ ॥ ୫୦

ସୁଗନ୍ଧମାଳା ଦୀପପନ୍ତି । ଆବୋରି ପାନପାତ୍ର ଛନ୍ତି ॥ ୫୧

ସେ ଯଜ୍ଞଶାଳେ ନରହରି । ଅତି ମୋହିନୀ ରୂପ ଧରି ॥ ୫୨

ଅସୁରଙ୍କର ମନମୋହି । ଅମୃତକୁମ୍ଭ ତଳେ ଥୋଇ ॥ ୫୩

ଅତିମୋହନ ରୂପ ଦେଖି । ଦେବତା ଅସୁରଙ୍କ ଆଖି ॥ ୫୪

ରହିଲା ହରି-ବକ୍ଷସ୍ଥଳେ । ସୁସଞ୍ଚ-କୁଚଯୁଗ ମୂଳେ ॥ ୫୫

ହରି ବିଚାର କଲେ ମନେ । ଅସୁରଙ୍କର ସୁଧାପାନେ ॥ ୫୬

ଦେବେ ହୋଇବେ ଅରକ୍ଷିତ । ଏ କଥା ନୁହଇ ଉଚିତ ॥ ୫୭

ସର୍ପକୁ କ୍ଷୀର ଯେ ପିଆନ୍ତି । ସର୍ପର ଘାତେ ସେ ମରନ୍ତି ॥ ୫୮

ଜାତି ସ୍ୱଭାବେ ନୃଶଂସକ । ଅସୁରେ ନୁହନ୍ତି ବିବେକ ॥ ୫୯

ଏମନ୍ତ ଚିନ୍ତିଣ ଶ୍ରୀପତି । ବୋଇଲେ ହୁଅ ବେନିପନ୍ତି ॥ ୬୦

ବାମ-ଦକ୍ଷିଣେ ମୋର ବସ । କହି ହୁଅନ୍ତି ହସ ହସ ॥ ୬୧

ସ୍ୱରୂପେ ଅସୁରଙ୍କ ମନ । ବଳେ ହରିଲେ ଭଗବାନ ॥ ୬୨

ରୂପ ଦେଖନ୍ତି ହୋଇ ଛନ୍ନ । ବଦନୁ ନ ସ୍ଫୁରେ ବଚନ ॥ ୬୩

ଦକ୍ଷିଣେ ଦେବଗଣେ ଥିଲେ । ତାହାଙ୍କ ପାତ୍ରେ ସୁଧା ଦେଲେ ॥ ୬୪

ଅସୁରେ ସୁକୃତ ପାଳନେ । ନିଶ୍ଚଳେ ବସିଲେ ମଉନେ ॥ ୬୫

କାମିନୀ-ସମ୍ମତ ପାଳନେ । ଧର୍ମେ ରହିଲେ ଦୃଢ଼ମନେ ॥ ୬୬

ମାୟା ମୋହିଲେ ଚକ୍ରଧର । ବଦନେ ନଇଲା ଉତ୍ତର ॥ ୬୭

ଦେବଙ୍କୁ ପରଶିବା ବେଳେ । ରାହୁ ଯେ ଥିଲା ତାଙ୍କ ମେଳେ ॥ ୬୮

ଗୁପତେ ବସି ଦେବବୃନ୍ଦେ । ଅମୃତ ଭକ୍ଷିଲା ଆନନ୍ଦେ ॥ ୬୯

ରବି-ଶଶାଙ୍କ ତାହା ଦେଖି । ଉଠିଲେ ଆସନ ଉପେକ୍ଷି ॥ ୭୦

ଚାହିଁଣ ଗୋବିନ୍ଦ-ବଦନେ । ନୟନେ ଠାରିଲେ ମଉନେ ॥ ୭୧

ସୁଦରଶନେ ତାର ଶିର । ବେଗେ ଛେଦିଲେ ଚକ୍ରଧର ॥ ୭୨

ତକ୍ଷଣେ ହୋଇ ବେନିଖଣ୍ଡ । ଅମୃତପାତ୍ରେ ପଡ଼େ ମୁଣ୍ଡ ॥ ୭୩

ଅମର ହୋଇଲା ତକ୍ଷଣ । ଦେଖି ସନ୍ତୋଷ ନାରାୟଣ ॥ ୭୪

ବୋଇଲେ ବର ମାଗ ତୁହି । ରାହୁ ବୋଇଲା ବିଷ୍ଣୁ ଚାହିଁ ॥ ୭୫

ଭୋ ନାଥ ମୋର ଅବଶେଷ । ଅବଶ୍ୟ କରିବଇଁ ଗ୍ରାସ ॥ ୭୬

ଶୁଣି ସନ୍ତୋଷ ମହାବାହୁ । ବୋଇଲେ ଏହି ବର ହେଉ ॥ ୭୭

ଏମନ୍ତ କହି ଭଗବାନ । ଗ୍ରହମଣ୍ଡଳେ ଦେଲେ ସ୍ଥାନ ॥ ୭୮

ତେଣୁ ସେ ରାହୁ ପର୍ବକାଳେ । ଗ୍ରାସଇ ରବିଚନ୍ଦ୍ର ବଳେ ॥ ୭୯

ବଇରୀ ବୁଦ୍ଧି ନ ଛାଡ଼ଇ । ଅୟନେ ଅୟନେ ଗୋଡ଼ାଇ ॥ ୮୦

ଦେବଙ୍କୁ ଦେଇ ସୁଧାପାନ । ତକ୍ଷଣେ ପ୍ରଭୁ ଭଗବାନ ॥ ୮୧

ଦେଖନ୍ତି ଦେବତା ଅସୁର । ମାୟା ଛାଡ଼ିଲେ ମାୟାଧର ॥ ୮୨

ମୋହିନୀରୂପ ଗଲା କେଣେ । ଯେ ରୂପ ଅମୃତ କାରଣେ ॥ ୮୩

କଠୋର-ସାଧ୍ୟେ ଭଗବାନ । ଦେବଙ୍କୁ ଦେଲେ ସୁଧାପାନ ॥ ୮୪

ଏ ରୂପେ ସୁରାସୁରଗଣେ । ସମାନ-ଦେଶ-କାଳ-ଧର୍ମେ ॥ ୮୫

ମନ୍ଥିଲେ ସିନ୍ଧୁ ତୁଲ୍ୟବଳେ । ଲଭିଲେ ବିପରୀତ-ଫଳେ ॥ ୮୬

କୃଷ୍ଣର ପାଦ ଯେଣୁ ଧ୍ୟାୟୀ । ଦେବେ ଅମୃତ-ଫଳ ପାଇ ॥ ୮୭

ଅସୁରେ ନ ସେବି ଚରଣ । କର୍ମର ଫଳେ ହେଲେ ହୀନ ॥ ୮୮

ପୁତ୍ର-କଳତ୍ର ଦେହ ଅର୍ଥେ । ଯେ ଯାହା କରଇ ଯୁକତେ ॥ ୮୯

ତାହା ନ କଲେ କୃଷ୍ଣାର୍ପଣ । କେବଳ ଶ୍ରମମାତ୍ର ଜାଣ ॥ ୯୦

ମୂଳେ ସିଞ୍ଚିଲେ ସିନା ଜଳ । ବିକଶେ ବୃକ୍ଷ-ପତ୍ର-ଡାଳ ॥ ୯୧

ଶ୍ରୀକୃଷ୍ଣ ମାୟା-ବିଦ୍ୟମାନେ । ଯେ ରୂପେ ସମୁଦ୍ର-ମନ୍ଥନେ ॥ ୯୨

ଦେବଙ୍କୁ ସୁଧାପାନ ଦେଇ । ନିଜ ଭୁବନେ ଭାବଗ୍ରାହୀ ॥ ୯୩

ଦେଖନ୍ତି ସ୍ୱର୍ଗଲୋକେ ମିଳି । ଗରୁଡ଼େ ବସି ବନମାଳୀ ॥ ୯୪

ଯେ ରୂପ ଗରୁଡ଼ ଆସନେ । ସୁଜନେ ଚିନ୍ତ ସ୍ଥିର ମନେ ॥ ୯୫

ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍କନ୍ଧେ ଭାଗବତ ॥ ୯୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ବିଷ୍ଣୁମୋହିନୀରୂପଧାରଣେ ଦେବଗଣ

ଅମୃତପାନେ ନବମୋଽଧ୍ୟାୟଃ ॥

* * *