ଅଷ୍ଟମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ତୋଷମନେ । ସଦାଶିବଙ୍କ ବିଷପାନେ ॥

ଦେବ ଦାନବ ମନତୋଷେ । ରୁଦ୍ର ବିରଞ୍ଚି ଘେନି ପାଶେ ॥

ପୁଣି ମନ୍ଥିଲେ କରି ମନ୍ୟୁ । ଜଳୁ ଉଠିଲା କାମଧେନୁ ॥

ସେ ଧେନୁ ଦେଖି ତୋଷମନେ । ବ୍ରାହ୍ମଣେ ମିଳିଲେ ମନ୍ଥନେ ॥

ହରଷେ ଅଗ୍ନିହୋତ୍ର ଅର୍ଥେ । ମିଳିଲେ ଅଗ୍ନିହୋତ୍ରୀ ଯେତେ ॥

ସ୍ୱଭାବେ ବିପ୍ରେ ବ୍ରହ୍ମବେତ୍ତା । ଅଗ୍ନିପୂଜନେ ସାମରଥା ॥

ସେ କାମଧେନୁ ଘେନିଗଲେ । ଆନନ୍ଦ ମନେ ଯଜ୍ଞ କଲେ ॥

ପୁଣି ମନ୍ଥିଲେ ସୁରଦେବା । ଉଠିଲା ଅଶ୍ୱ ଉଚ୍ଚୈଶ୍ରବା ॥

ସେ ସର୍ବଲକ୍ଷଣେ ସୁନ୍ଦର । ଶଶାଙ୍କ ସଦୃଶ ପାଣ୍ଡୁର ॥

ସେ ଅଶ୍ୱ ଦେଖି ବଳି ଚିତ୍ତେ । ଶ୍ରଦ୍ଧା ବସିଲା ଅନ୍ତର୍ଗତେ ॥ ୧୦

ଈଶ୍ୱର ତାର ମନ ଜାଣି । ବୋଇଲେ ଇନ୍ଦ୍ର ଶୁଣ ବାଣୀ ॥ ୧୧

ତୋହର ଅଶ୍ୱ ଏ ଉଚିତେ । ସେ ନେଇ ଆମ୍ଭ ସନମତେ ॥ ୧୨

ପୁଣି ମନ୍ଥିଲେ ଏକଚିତ୍ତେ । ଉଠିଲା ଗଜ ଐରାବତେ ॥ ୧୩

ଚତୁରଦନ୍ତ ଶୋଭାକର । କୈଳାସ ପର୍ବତ ଆକାର ॥ ୧୪

ଇନ୍ଦ୍ରର ଗଜ ସେ ସ୍ୱଭାବେ । ତେଣୁ ନ ଇଚ୍ଛିଲେ ଦାନବେ ॥ ୧୫

ସେ ଗଜ ଇନ୍ଦ୍ର ଆବୋରିଲେ । ପୁଣି ମନ୍ଥନ ଯାଇ କଲେ ॥ ୧୬

ଅଷ୍ଟଦିଗ୍‌‌ଗଜ ଐରାବଣ । ଅଭ୍ରମୁ ଆଦି ପତ୍ନୀ ନାମ ॥ ୧୭

ପୁଣି ମନ୍ଥନେ ମହାଭାଗ । ଉଠିଲା ମଣି ପଦ୍ମରାଗ ॥ ୧୮

କୌସ୍ତୁଭ ନାମେ ରତ୍ନ ହରି । ସ୍ନେହେ ଏହାକୁ ବକ୍ଷେ ଧରି ॥ ୧୯

ସୁନ୍ଦର ପୁଷ୍ପ ପାରିଜାତ । ସୁଗନ୍ଧେ ମୋହିଲା ଜଗତ ॥ ୨୦

ତକ୍ଷଣେ ଉଠିଲା ଗଗନେ । ମିଳିଲା ଶଚୀପତି ବନେ ॥ ୨୧

ପୁଣି ମନ୍ଥିଲେ ବାହୁବଳେ । ମନ୍ଦରଗିରି ସିନ୍ଧୁଜଳେ ॥ ୨୨

ଉଠିଲେ ଅପସରା ବୃନ୍ଦ । ସୁସ୍ୱରେ କରି ଗୀତନାଦ ॥ ୨୩

ରତ୍ନମେଖଳା କଟୀତଟେ । କୁଚେ କାଞ୍ଚଲା ସୁପ୍ରକଟେ ॥ ୨୪

ରତ୍ନଭୂଷଣେ ଶୋହେ ଗ୍ରୀବା । ରୂପେ କି ପଟାନ୍ତର ଦେବା ॥ ୨୫

ହାର କେୟୂର ଝଟକନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୨୬

ଚାହାନ୍ତେ କଟାକ୍ଷ-ଲୋଚନ । ଯେ ରୂପେ ତ୍ରୈଲୋକ୍ୟ-ମୋହନ ॥ ୨୭

ଗଗନମାର୍ଗେ ଶୂନ୍ୟେ ଗଲେ । ଇନ୍ଦ୍ରର ଭୁବନେ ମିଳିଲେ ॥ ୨୮

ଅସୁରେ ମନେ ଦୁଃଖ ଭରି । ପୁଣି ମନ୍ଥିଲେ ଗିରି ଧରି ॥ ୨୯

ସୁନ୍ଦର ଦିଶେ ଦଶଦିଶ । ଧରଣୀ ହେଉଛି ଉଲ୍ଲାସ ॥ ୩୦

ଅମୃତ-ଶୁଭଲଗ୍ନ-ବଳେ । ଲକ୍ଷ୍ମୀ ଉଠିଲେ ମହାଜଳେ ॥ ୩୧

ଦିଗ ପ୍ରସରେ ଦେହ ଝଳି । ଜୀମୂତେ ଯେସନେ ବିଜୁଳି । ୩୨

କମଳା ରୂପ ଦେଖି ବନେ । ଲୋଭ ବସିଲା ସର୍ବମନେ ॥ ୩୩

ଲକ୍ଷ୍ମୀ-ବଦନ ଚାହିଁ ବେଗେ । ଇନ୍ଦ୍ର ମିଳିଲେ ପଦଯୁଗେ ॥ ୩୪

ରତ୍ନ ଆସନ ଦେଲେ ଆଣି । ଯହିଁ ବିଜୟେ କମଳିନୀ ॥ ୩୫

ଜାହ୍ନବୀ ଆଦି ନଦୀ ଯେତେ । ସର୍ବେ ମିଳିଲେ ପାଦଗତେ ॥ ୩୬

ସୁବର୍ଣ୍ଣ କୁମ୍ଭେ ଜଳ ଭରି । ମୁନିଏ ରହିଲେ ଉଭାରି ॥ ୩୭

ଧରଣୀ ଦେଲା ଅଉଷଧି । ଅପରେ ଅଭିଷେକ ବିଧି ॥ ୩୮

ଅଇରାବତ ପୁଣ୍ଡରୀକ । ଏ ବେନି ହସ୍ତୀଙ୍କ ନାୟକ ॥ ୩୯

ସୁବର୍ଣ୍ଣକୁମ୍ଭେ ନୀର ଭରି । ଢ଼ାଳିଲେ ଥୋର ହସ୍ତେ ଧରି ॥ ୪୦

ସୁରଭୀ ପଞ୍ଚାମୃତ ଧାରେ । ସିଞ୍ଚିଲା କମଳା ଉପରେ ॥ ୪୧

ମଧୁ-ମାଧବ ବେନିମାସେ । ମିଳିଲେ କୁସୁମ ସୁବାସେ ॥ ୪୨

ମିଳି ଅଶେଷ ମୁନିଗଣେ । ଆଗମ ନିଗମ ପ୍ରମାଣେ ॥ ୪୩

କଲେ ସେ ଅଭିଷେକ ବିଧି । ନିଗମ ମାର୍ଗେ ଯେ ପ୍ରସିଦ୍ଧି ॥ ୪୪

ଗନ୍ଧର୍ବେ କଲେ ଗୀତନାଦ । ନାଚନ୍ତି ଅପସରାବୃନ୍ଦ ॥ ୪୫

ପଣବ ମୃଦଙ୍ଗ ଗୋମୁଖ । ମୁରୁଜ ଯନ୍ତ୍ର ଯେ ଆନକ ॥ ୪୬

କମ୍ବୁ କାହାଳ ବେଣୁସ୍ୱନ । ଗର୍ଜନ୍ତି ଶୂନ୍ୟପଥେ ଘନ ॥ ୪୭

ସକଳେ ମିଳି ଚଉପାଶେ । ସୁବାକ୍ୟ ବେଦମନ୍ତ୍ର ଘୋଷେ ॥ ୪୮

ହସ୍ତୀଏ ରତ୍ନକୁମ୍ଭେ ନୀର । ଢାଳିଲେ କମଳାର ଶିର ॥ ୪୯

କ୍ଷୀର ଜଳଧି ଉଠି ତୋଷେ । ମିଳିଲା କମଳିନୀ ପାଶେ ॥ ୫୦

ପୀତପତନୀ ବେନି ଦେଲା । ଅମ୍ଳାନ-ପଙ୍କଜର ମାଳା ॥ ୫୧

ବରୁଣ ଦେଲା ଦେବୀ ଗଳେ । ମତ୍ତ-ମଧୁପ ଯହିଁ ରୋଳେ ॥ ୫୨

ନାନା-ଭୂଷଣ ରତ୍ନଜ୍ୟୋତି । ସେ ବିଶ୍ୱକର୍ମା ପ୍ରଜାପତି ॥ ୫୩

ହାର କଙ୍କଣ ଅବତଂସ । ରତ୍ନ ଝଟକେ ରବି ତ୍ରାସ ॥ ୫୪

ସେ ଦେବୀ ଅଭିଷେକ ଅନ୍ତେ । ପଙ୍କଜମାଳା ଘେନି ହସ୍ତେ ॥ ୫୫

ପାଦେ ଚଳନ୍ତେ ମହୀତଳେ । ରତ୍ନକୁଣ୍ଡଳ କର୍ଣ୍ଣେ ଲୁଳେ ॥ ୫୬

ସୁଶୁଭ୍ରହାସ ଶୁଭ୍ରଦନ୍ତୀ । ହୃଦେ ପୟୋଧର ଚଳନ୍ତି ॥ ୫୭

ମୁକୁତାହାର କୁଚଶିଖେ । କୁଙ୍କୁମ ଲେପନ ସୁରେଖେ ॥ ୫୮

ଚରଣେ ରଣିତ ନୂପୁର । ସୁଘୋଷ ଶୁଭଇ ମଧୁର ॥ ୫୯

ପଥେ ଚାଲନ୍ତେ ଜନମାତା । ରୂପେ କି ଦିଶେ ହେମଲତା ॥ ୬୦

ବିଷ୍ଣୁଚରଣେ ମନଦେଇ । ଆନନ୍ଦେ ବେନିପାଶେ ଚାହିଁ ॥ ୬୧

ଅଶେଷ-ବ୍ରହ୍ମାଣ୍ଡ-କାରଣ । କଳ୍ପଇ ଯାହାର ଚରଣ ॥ ୬୨

ଯଦ୍ୟପି କନ୍ୟାରୂପ ଧରେ । ମନ ନ ରମେ ଅନ୍ୟ ବରେ ॥ ୬୩

ଗନ୍ଧର୍ବ ସିଦ୍ଧ ଯକ୍ଷ ସୁର । ଥିଲେ ଯେ ଚାରଣ ଅସୁର ॥ ୬୪

ଯେଣୁ ମିଶ୍ରିତ ଦୋଷ ଗୁଣ । ତେଣୁ ତାଙ୍କରେ ନାହିଁ ମନ ॥ ୬୫

ଚଞ୍ଚଳା ପୁଣ ଏହି ମତେ । ବିଷ୍ଣୁଚରଣ ଚିନ୍ତି ଚିତ୍ତେ ॥ ୬୬

ଗୋବିନ୍ଦ ଗଳେ ମାଳାଦେଇ । ଅନଙ୍ଗଲୋଚନେ ଅନାଇଁ ॥ ୬୭

କୋଳେ ବସିଲେ ଜନମାତା । ଯେ ଜୀବ-ଜୀବନର ଦାତା ॥ ୬୮

ଗୋବିନ୍ଦକୋଳେ ଲକ୍ଷ୍ମୀ ଦେଖି । ଅସୁରେ ମନ୍ଥନ ଉପେକ୍ଷି ॥ ୬୯

ତୂରୀ ମର୍ଦ୍ଦଳ ଶଙ୍ଖସ୍ୱନ । ନୃତ୍ୟ ଉତ୍ସବ ଘନ ଘନ ॥ ୭୦

ବ୍ରହ୍ମା ଶଙ୍କର ଆଦି ଯେତେ । ତକ୍ଷଣେ ମିଳିଲେ ସମସ୍ତେ ॥ ୭୧

ସକଳ ଦେବେ ମୋଦଭରି । ପୁଷ୍ପ-ବରଷି ସ୍ତୁତି କରି ॥ ୭୨

ଲକ୍ଷ୍ମୀ-କଟାକ୍ଷ ଦେହେ ଲାଗି । ସର୍ବେ ହୋଇଲେ ମୋକ୍ଷଭାଗୀ ॥ ୭୩

ସତ୍ୟାଦି ପୁଣ୍ୟଶୀଳ ଗୁଣେ । ଯୁକ୍ତ ହୋଇଲେ ତତକ୍ଷଣେ ॥ ୭୪

ବ୍ରହ୍ମାଶଙ୍କର ଆଦି ଦେବେ । ଲକ୍ଷ୍ମୀ-ଗୋବିନ୍ଦ ତୋଷଭାବେ ॥ ୭୫

ଲକ୍ଷ୍ମୀଙ୍କି ଦେଖି ବିଷ୍ଣୁ ଅଙ୍ଗେ । ମଙ୍ଗଳଗୀତ ସ୍ତୁତି ରଙ୍ଗେ ॥ ୭୬

ମିଳି ସକଳ ଦିଗପାଳେ । ପୁଷ୍ପ ବରଷିଲେ ଗହଳେ ॥ ୭୭

ଲକ୍ଷ୍ମୀ-ଗୋବିନ୍ଦ ମୁଖ ଦେଖି । ଦେବେ ହୋଇଲେ ସର୍ବସୁଖୀ ॥ ୭୮

ଶୀଳାଦି-ଅଷ୍ଟଗୁଣେ ଯୁତ । ସର୍ବେ ହୋଇଲେ କୃତକୃତ୍ୟ ॥ ୭୯

ଲକ୍ଷ୍ମୀଙ୍କି ନ ଲଭି ଅସୁରେ । ବିଗୁଣ ବହିଲେ ଅନ୍ତରେ ॥ ୮୦

ନିର୍ବଳ ହୋଇଲେ ସରାଗେ । ଲୋଭ ବସିଲା ହୃଦଭାଗେ ॥ ୮୧

ଉଦ୍‌ବେଗେ ହୋଇଲେ କାତର । ଲଜ୍ଜା-ସ୍ୱଭାବ ଗଲା ଦୂର ॥ ୮୨

ପୁଣି ମନ୍ଥିଲେ ମନଦୁଃଖେ । ଚାହାନ୍ତି ଅନ୍ୟେ ଅନ୍ୟ ମୁଖେ ॥ ୮୩

ମନ୍ଥନେ ଉଠିଲା ବାରୁଣୀ । ରୂପେ ଶୋଭିତ କମଳିନୀ ॥ ୮୪

ଅସୁରେ ହସିଣ ଉନ୍ମତ୍ତେ । ସେ କନ୍ୟା ଲଭିଲେ ସମସ୍ତେ ॥ ୮୫

ପୁଣି ମନ୍ଥିଲେ ତୋଷମନେ । ପୌରୁଷେ ହରଷ ବଦନେ ॥ ୮୬

ଅଦ୍‌ଭୁତ ପୁରୁଷ ଉପୁଜେ । ତେଜେ ସକଳ ରୂପ ଗଞ୍ଜେ ॥ ୮୭

ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ । ଆଜାନୁଲମ୍ବେ ଭୁଜ ଦୁଇ ॥ ୮୮

ସୁନ୍ଦର କମ୍ବୁ-ଗ୍ରୀବା ସାଜେ । ଅରୁଣଲୋଚନ ବିରାଜେ ॥ ୮୯

ଶ୍ୟାମ-ତରୁଣ-ବୟ ଶୋହେ । ରତ୍ନଭୂଷଣ ମନ ମୋହେ ॥ ୯୦

ହୃଦେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ ॥ ୯୧

ସିଂହ ବିକ୍ରମ ଶୁଭ୍ରଅଙ୍ଗ । ପୀତବସନ କଟୀଭାଗ ॥ ୯୨

ରତ୍ନବଳୟ ମଣିବନ୍ଧେ । ଅମୃତ କୁମ୍ଭ ଘେନି ସ୍କନ୍ଧେ ॥ ୯୩

ସେ ରୂପ ନାରାୟଣ ଅଂଶେ । ଧନ୍ୱନ୍ତରି ରୂପ ପ୍ରକାଶେ ॥ ୯୪

ସ୍ୱଭାବେ ଆୟୁର୍ବେଦ-ଗୁରୁ । ଧୀର ସ୍ୱଭାବେ ଯେହ୍ନେ ମେରୁ ॥ ୯୫

ଅସୁରଗଣ ତାହା ଦେଖି । ଧାଇଁଲେ ମନ୍ଥନ ଉପେକ୍ଷି ॥ ୯୬

ଲୁଟିଲେ ସର୍ବବସ୍ତୁ ବଳେ । ଦେବଙ୍କୁ କରି ଅବହେଳେ ॥ ୯୭

ଅମୃତ କୁମ୍ଭ ଅତି ଖରେ । ଥିଲା ଯେ ଧନ୍ୱନ୍ତରି କରେ ॥ ୯୮

ସେ କୁମ୍ଭ ବଳେ ଅପହରି । ଧାଇଁଲେ ଘୋରନାଦ କରି ॥ ୯୯

ପ୍ରତାପେ ଗର୍ଜିଣ ଧାଇଁଲେ । ପର୍ବତ ଉପରେ ଉଠିଲେ ॥ ୧୦୦

ଦେବେ ଦୁଃଖିତମନ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ ॥ ୧୦୧

ବୋଲନ୍ତି ରଖ ନାରାୟଣ । ଘୋର ସଙ୍କଟୁ ଆମ୍ଭ ପ୍ରାଣ ॥ ୧୦୨

ଅମୃତ ଭକ୍ଷିଲେ ଅସୁରେ । ଆମ୍ଭେ କି ଥିବୁ ସ୍ୱର୍ଗପୁରେ ॥ ୧୦୩

ନିଶ୍ଚୟେ ହୋଇଲୁ ଅନାଥ । ଶରଣ ରଖ ଜଗନ୍ନାଥ ॥ ୧୦୪

ଏମନ୍ତ ଦେବଙ୍କ ବିକଳ । ଦେଖି ହସନ୍ତି ଆଦିମୂଳ ॥ ୧୦୫

ସ୍ୱଭାବେ ପରମ ଆନନ୍ଦ । ଭକ୍ତବତ୍ସଳ ଆଦିକନ୍ଦ ॥ ୧୦୬

ବୋଲନ୍ତି ଶୁଣ ଦେବତାଏ । ଚିତ୍ତେ ନ କର ତୁମ୍ଭେ ଭୟେ ॥ ୧୦୭

ମୁଁ ଆଜ ଯୋଗମାୟା ଛଳେ । ଅମୃତ ଆଣିବଇଁ ହେଳେ ॥ ୧୦୮

ତକ୍ଷଣେ ଅସୁରଙ୍କ ଦେହେ । ହରି ପଶିଲେ ମାୟାମୋହେ ॥ ୧୦୯

ଅସୁରେ ଚିତ୍ତେ କ୍ରୋଧ ବହି । ବୋଲନ୍ତି ଏକୁ ଆରେ ଚାହିଁ ॥ ୧୧୦

କେହି କାହାକୁ ନ ଗଣନ୍ତି । ମୁଁ ଆଗେ ଭକ୍ଷିବି ବୋଲନ୍ତି ॥ ୧୧୧

ଦେବଙ୍କ ଭାଗ ଆଗେ ଦେବା । କେ ବୋଲେ ଆମ୍ଭେ ହେ ଭୁଞ୍ଜିବା ॥ ୧୧୨

ଆମ୍ଭର ତୁଲେ ଦେବେ ଦୁଃଖୀ । ଆମ୍ଭେ ଯେ ତାହାଙ୍କୁ ଉପେକ୍ଷି ॥ ୧୧୩

ବଳେ ଆଣିଲୁ ସୁଧାକୁମ୍ଭ । ଏମନ୍ତ ବହି ମହାଦମ୍ଭ ॥ ୧୧୪

କେହି କାହାକୁ ନ ଗଣନ୍ତି । ଧର୍ମ ଅଧର୍ମ ବିଚାରନ୍ତି ॥ ୧୧୫

ମଧ୍ୟେ ଅମୃତ କୁମ୍ଭ ଥୋଇ । ବିଷ୍ଣୁମାୟାରେ ମନ ମୋହି ॥ ୧୧୬

ଏମନ୍ତ ସମୟେ ମୁରାରି । ତକ୍ଷଣେ ମାୟାରୂପ ଧରି ॥ ୧୧୭

ସ୍ୱରୂପେ ହୋଇଲେ କାମିନୀ । ଅଶେଷ ଜଗତମୋହିନୀ ॥ ୧୧୮

ଶ୍ୟାମଉତ୍ପଳ ସ୍ୱରୂପିଣୀ । କାମିନୀଗଣ ଶିରୋମଣି ॥ ୧୧୯

ବିବିଧ-ମଣିଗଣମାନ । ବିରାଜେ କେୟୂର କଙ୍କଣ ॥ ୧୨୦

ସୁନ୍ଦର ନାସା ଭୂରୁ ଶୋହେ । କଟାକ୍ଷେ ଜଗୁଜନ ମୋହେ ॥ ୧୨୧

ଉନ୍ନତ ନବଯଉବନ । ଯୌବନ ଭାରେ ମଝା କ୍ଷୀଣ ॥ ୧୨୨

ରଙ୍ଗ ଅଧରେ ଦନ୍ତପନ୍ତି । ହାସ ବଦନେ ଝଟକନ୍ତି ॥ ୧୨୩

ଉତ୍‌ଫୁଲ୍ଲ-ମଲ୍ଲୀମାଳ ଶିରେ । ଶୋହେ ସୁନୀଳ କଳେବରେ ॥ ୧୨୪

ସୁଗ୍ରୀବ-କଣ୍ଠେ ଆଭରଣ । ସୁଭୁଜେ ଅଙ୍ଗଦ ଭୂଷଣ ॥ ୧୨୫

ବିରଜ ଅମ୍ବରେ ଭୂଷିତ । ଉଦର ନିତମ୍ବ ଶୋଭିତ ॥ ୧୨୬

କଟୀମେଖଳା ମନରଞ୍ଜେ । ଉଜ୍ୱଳ ମଣିଗଣ ଗଞ୍ଜେ ॥ ୧୨୭

ଚରଣେ ନୂପୁର ବାଜେଣୀ । ସୀମନ୍ତ ମଧ୍ୟେ ଶୋହେ ମଣି ॥ ୧୨୮

ସର୍ବାଙ୍ଗେ ଭୂଷିତ ଭୂଷଣ । ଭୂରୁ-ବିଳାସ ବିମୋହନ ॥ ୧୨୯

ହାସ୍ୟେ ଅସୁର-ଚିତ୍ତ ହରି । ମୋହିନୀ ରୂପେ ବଶକରି ॥ ୧୩୦

ଚିତ୍ତେ ଅନଙ୍ଗ ଉଦ୍ଦୀପନ । ହରି ହରିଲେ ତାଙ୍କ ମନ ॥ ୧୩୧

ବ୍ରାହ୍ମଣ ଜଗନ୍ନାଥ କହେ । ଅସୁରେ ହରି ମାୟାମୋହେ ॥ ୧୩୨

ଅମୃତ ଭକ୍ଷଣ ପାସୋରି । ବିଷ୍ଣୁଙ୍କୁ ରହିଲେ ଆବୋରି ॥ ୧୩୩

ବିଷ୍ଣୁ-ମୋହିନୀ ରୂପ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଭଗବତ୍ ମାୟା ଉପଲମ୍ଭନଂ ନାମ ଅଷ୍ଟମୋଽଧ୍ୟାୟଃ ॥

* * *