ଅଷ୍ଟମ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୁକ ଉବାଚ
ବ୍ୟାସନନ୍ଦନ ଅନୁରାଗେ । କହନ୍ତି ପରୀକ୍ଷିତ ଆଗେ ॥ ୧
ଦେବ-ଦାନବେ ଏକମେଳେ । ପ୍ରବେଶ ହୋଇଲେ ପାତାଳେ ॥ ୨
ବାସୁକି ନିକଟେ ମିଳିଲେ । ସମୁଦ୍ର-ମନ୍ଥନେ ବରିଲେ ॥ ୩
ଗୋବିନ୍ଦ ଆଜ୍ଞା ଶିରେଧରି । ଉଭୟ-ରୂପ ଅଙ୍ଗୀ କରି ॥ ୪
ଧରଣୀ ଧରି ଏକରୂପେ । ମିଳିଲା କ୍ଷୀରୋଦ ସମୀପେ ॥ ୫
ଦେହେ ବେଷ୍ଟିତ ମହାଗିରି । ରହିଲା ବିଶ୍ୱରୂପ ଧରି ॥ ୬
ଦେବେ ସକଳ ତୋଷମନେ । ଆରମ୍ଭ ସମୁଦ୍ର-ମନ୍ଥନେ ॥ ୭
ବାସୁକିଫଣା ଆଗ ଧରି । ଦେବଙ୍କ ତୁଲେ ନରହରି ॥ ୮
ବୋଲନ୍ତି ଅସୁରଙ୍କୁ ଚାହିଁ । ତୁମ୍ଭେ ହୋ ପୁଚ୍ଛ ଧର ଯାଇ ॥ ୯
ହରି-ବଚନ ଶୁଣି କର୍ଣ୍ଣେ । ଅସୁରେ ଭାଳି ଏକମନେ ॥ ୧୦
ବୋଇଲେ ବିଷ୍ଣୁ ମୁଖ ଚାହିଁ । ଏ କଥା ଉଚିତ ନୁହଇ ॥ ୧୧
ସ୍ୱଭାବେ ସର୍ପର ଲାଙ୍ଗୁଳ । କେବେହେଁ ନୁହଇ ମଙ୍ଗଳ ॥ ୧୨
ଆମ୍ଭେ ଦେବଙ୍କ ଅଗ୍ରେ ଜାତ । ପବିତ୍ର କଶ୍ୟପଙ୍କ ସୁତ ॥ ୧୩
ଧର୍ମ-ଅର୍ଧମ ଆମ୍ଭେ ଜାଣୁ । ଆଗମ-ନିଗମ ପ୍ରମାଣୁ ॥ ୧୪
ପ୍ରଖ୍ୟାତ-ଜନ-କୁଳ-ଶୀଳ । କେମନ୍ତେ ଧରିବୁ ଲାଙ୍ଗୁଳ ॥ ୧୫
ଆମ୍ଭର ଏଣେ କାର୍ଯ୍ୟ ନାହିଁ । ଏମନ୍ତେ ଭଗ୍ନଚିତ୍ତେ ରହି ॥ ୧୬
ସର୍ବ ଅସୁରେ ଏକମେଳେ । ରହିଲେ କ୍ଷୀରସିନ୍ଧୁ କୂଳେ ॥ ୧୭
ବସିଲେ ଆରମ୍ଭ ଉପେକ୍ଷି । ପୁରୁଷୋତ୍ତମ ତାହା ଦେଖି ॥ ୧୮
ପୁଚ୍ଛ ଧଇଲେ ଶିରୀରଙ୍ଗେ । ସର୍ବ ଦେବତା ଘେନି ସଙ୍ଗେ ॥ ୧୯
ମନ୍ଦର ଧରି ବାହୁବଳେ । ସ୍ଥାପିଲେ କ୍ଷୀରସିନ୍ଧୁ ଜଳେ ॥ ୨୦
ସ୍ୱଭାବେ ଗଭୀର ଜଳଧି । ଯୋଜନ ଶତଲକ୍ଷ ଭେଦି ॥ ୨୧
ଗିରି ପଡ଼ିଲା ରସାତଳେ । ଖୋଜି ନ ପାଇଲେ ସକଳେ ॥ ୨୨
ତୀରେ ଉଠିଲେ ଦୁଃଖମନେ । ବଦନ ଚାହିଁ ଅନ୍ୟ ଅନ୍ୟେ ॥ ୨୩
ନଶିଲା ନିଜ ପୃଷୁକାର । ହୃଦେ କେ ବହୁ ଅହଙ୍କାର ॥ ୨୪
ଦଇବ-ମାୟା ଯୋଗବଳ । ଆରମ୍ଭ ହୋଇଲା ନିଷ୍ଫଳ ॥ ୨୫
ଦେବ-ଦାନବ ବିଷ୍ଣୁପାଶେ । ରହି ଚାହିଁଲେ ଦଶଦିଶେ ॥ ୨୬
ତାହାଙ୍କ ଦର୍ପଭଙ୍ଗ ଚାହିଁ । ମହାମହିମ ଭାବଗ୍ରାହୀ ॥ ୨୭
ପାତାଳୁଁ କୂର୍ମରୂପ ଧରି । ପୃଷ୍ଠେ ବସାଇ ମହାଗିରି ॥ ୨୮
ଉଠିଲେ ତୋଳି ଗିରିବର । ତୀରେ ଦେଖନ୍ତି ଦେବାସୁର ॥ ୨୯
ଯେସନେ ସରୋବର ମଧ୍ୟେ । ପଦ୍ମ ପ୍ରକାଶ ହୋଏ ଊର୍ଦ୍ଧ୍ୱେ ॥ ୩୦
ଗିରି ଯୋଜନ ଏକାଦଶ । ଜଳେ ରହିଲା ଅବଶେଷ ॥ ୩୧
ଗୋବିନ୍ଦ ଯୋଗମାୟା କରି । ତକ୍ଷଣେ ମାୟାରୂପ ଧରି ॥ ୩୨
ବହିଲେ ଗିରି ପୃଷ୍ଠଦେଶେ । ମସ୍ତକ ଲାଗିଲା ଆକାଶେ ॥ ୩୩
ଦେଖି ସାନନ୍ଦ ଦେବାସୁରେ । ବାସୁକି ଧରି ତେଜଭରେ ॥ ୩୪
ପର୍ବତେ ତିନିଗୁଣ କରି । ବେଢ଼ିଲେ ମନ୍ଥନ ଆବୋରି ॥ ୩୫
ଦେବ-ଅସୁରେ ବେନିଭାଗେ । ବାସୁକି ଧରି ଅତି ବେଗେ ॥ ୩୬
ହୁଂକାରେ କରନ୍ତି ମନ୍ଥନ । ଶୁଣ ହୋ ପରୀକ୍ଷ ରାଜନ ॥ ୩୭
ପୃଷ୍ଠରେ ଗିରି ଘରଷଣେ । ଅନଳ ଉଠିଲା ବହନେ ॥ ୩୮
କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲା । ତକ୍ଷଣେ ଉଶ୍ୱାସ ହୋଇଲା ॥ ୩୯
କଣ୍ଡୁ-ଘର୍ଷଣ-ସୁଖ ବୁଝି । ସେ କୂର୍ମ ବେନିଚକ୍ଷୁ ବୁଜି ॥ ୪୦
ସୁଖେ ନିଦ୍ରିତ ନାରାୟଣ । କେ ସହେ ଅଚଳ ଧାରଣ ॥ ୪୧
ପୁଣି ଗୋବିନ୍ଦ ଅନ୍ତରୀକ୍ଷେ । ମିଳିଲେ ଦେବଙ୍କ ପ୍ରତ୍ୟକ୍ଷେ ॥ ୪୨
ଦେବ-ଅସୁର ଅଳ୍ପବଳ । ଜାଣିଲେ ପ୍ରଭୁ ଆଦିମୂଳ ॥ ୪୩
ତକ୍ଷଣେ ପ୍ରଭୁ ଭାବଗ୍ରାହୀ । ଦେବ-ଦାନବ ମଧ୍ୟେ ଯାଇ ॥ ୪୪
ପଶିଲେ ତାହାଙ୍କର ଚିତ୍ତେ । ବଳ ହୋଇଲା ଅପ୍ରମିତେ ॥ ୪୫
ବାସୁକି ଦେହେ ନରହରି । ପଶିଲେ ବଳ-ରୂପ ଧରି ॥ ୪୬
ସହସ୍ର ଭୁଜେ ଶୂନ୍ୟପଥେ । ଗିରି ଆବୋରି ହୃଦଗତେ ॥ ୪୭
ରହିଲେ ପ୍ରଭୁ ନାରାୟଣ । ଶୂନ୍ୟେ ଦେଖନ୍ତି ଋଷିଗଣ ॥ ୪୮
ଗଗନେ ବିମାନ ଆରୋହି । ସ୍ତୁତି କରନ୍ତି ବିଷ୍ଣୁଧ୍ୟାୟୀ ॥ ୪୯
ପୁଷ୍ପ ବରଷି ବେଦନାଦେ । ମୁନିଏ ପରମ-ଆନନ୍ଦେ ॥ ୫୦
ଦେଖନ୍ତି ଅଧ-ଊର୍ଦ୍ଧ୍ୱେ ଚାହିଁ । ହରିହୁଁ ଆନ ନ ଦିଶଇ ॥ ୫୧
ପ୍ରହୃଷ୍ଟମନେ ସୁରାସୁରେ । ଗିରି ଘୂରାନ୍ତି ଅତି ଖରେ ॥ ୫୨
ମହାପର୍ବତ ଘରଷଣେ । ଜଳେ ସେ ଥିଲେ ଜନ୍ତୁଗଣେ ॥ ୫୩
ଜଳଧି ମଧ୍ୟେ କ୍ଷୋଭ ପାଇ । ତୀରେ ରହିଲେ ସ୍ଥିର ହୋଇ ॥ ୫୪
ବାସୁକି ସହସ୍ର ବଦନେ । ନିଃଶ୍ୱାସ ଛାଡ଼େ ଘନଘନେ ॥ ୫୫
ତାର ନିଃଶ୍ୱାସ ଦାବାନଳ । ପୂରିଲା ଦିଗ-ଅନ୍ତରାଳ ॥ ୫୬
ନିଃଶ୍ୱାସ-ଅଗ୍ନି-ଧୂମ ଲାଗି । ଦେବ-ଦାନବେ ଦୁଃଖଭାଗୀ ॥ ୫୭
ଚାଳି ନ ପାରିଲେ ମନ୍ଦର । ତାହାଙ୍କୁ ଦେଖି ଚକ୍ରଧର ॥ ୫୮
ନିଃଶ୍ୱାସ-ବାତେ ହତପ୍ରାଣ । ତାହା ଜାଣିଲେ ନାରାୟଣ ॥ ୫୯
ତକ୍ଷଣେ ଶୂନ୍ୟେ ମେଘମାଳ । ଶୀତଳ ବରଷନ୍ତି ଜଳ ॥ ୬୦
କ୍ଷୀରସମୁଦ୍ରେ ଶୀତବାତ । ଯେଣୁ ପେଷିଲେ ଜଗନ୍ନାଥ ॥ ୬୧
ବାସୁକି ଆଦି ଜଳଜୀବେ । ତାପୁଁ ତରିଲେ ଶୀତଭାବେ ॥ ୬୨
ଦେବଦାନବ ଦେହଗତେ । ମାଳା କଙ୍କଣ ଥିଲା ଯେତେ ॥ ୬୩
ସକଳ ଧୂମେ ହତପ୍ରଭ । ଅନାଇ ପ୍ରଭୁ ପଦ୍ମନାଭ ॥ ୬୪
ଜଳ ସିଞ୍ଚନେ ସୁସ୍ଥ କଲେ । ବଳି ସମେତେ ଯେତେ ଥିଲେ ॥ ୬୫
ଏମନ୍ତେ ବାସୁକି ଶରୀରେ । ଅତି ମନ୍ଥନ ଖେଦଭରେ ॥ ୬୬
ଗରଳ ଛାଡ଼େ ଅତିଦୁଃଖେ । ବରଷା ପ୍ରାୟ ସସ୍ରମୁଖେ ॥ ୬୭
ଜଳେ ପଡ଼ନ୍ତେ ବିଷଜାଳେ । ଯେ ଜଳଜନ୍ତୁ ଥିଲେ ଜଳେ ॥ ୬୮
ବିକଳେ ବୁଲି ଛଟପଟେ । ପୁଣି ଗଭୀରେ ପୁଣି ତଟେ ॥ ୬୯
ସେ ବିଷ ବେଗବନ୍ତ-ଜଳେ । ଦିଗ ପୂରିଲା ଅନ୍ତରାଳେ ॥ ୭୦
ଚକିତେ ଅଧ-ଊର୍ଦ୍ଧ୍ୱ-ମଧ୍ୟେ । ଜନ୍ତୁଏ ପଳାନ୍ତି ବିଷାଦେ ॥ ୭୧
ଡାକନ୍ତି ଊର୍ଦ୍ଧ୍ୱମୁଖ କରି । ରଖ ହେ ପ୍ରଭୁ ଶୂଳଧାରୀ ॥ ୭୨
ସହି ନ ପାରବୁ କଷଣ । ତୋ ପାଦେ ପଶିଲୁ ଶରଣ ॥ ୭୩
ହର ସମୀପେ ମୁନିଗଣ । ମିଳି କରନ୍ତି ପ୍ରଦକ୍ଷିଣ ॥ ୭୪
ଯେ ଦୁଃଖବନ-ଧୂମକେତୁ । ଅଶେଷ-ଅପବର୍ଗ-ହେତୁ ॥ ୭୫
ମିଳି ସକଳ ପ୍ରଜାପତି । ସନ୍ନିଧେ ବସାଇ ପାର୍ବତୀ ॥ ୭୬
ବିକଳେ ମିଳି ଶିବ ପାଶେ । ସ୍ତୁତି କରନ୍ତି ବିଷତ୍ରାସେ ॥ ୭୭
ପ୍ରଜାପତିଗଣ ଉବାଚ
ହେ ମହାଦେବ ସଦାଶିବ । କେ ଜାଣିପାରେ ତୋର ଭାବ ॥ ୭୮
ତୁ ଭୂତଭାବନ-ଈଶ୍ୱର । ଆମ୍ଭର ପ୍ରାଣ ରକ୍ଷା କର ॥ ୭୯
ଏ ବିଷ ସଂସାର ଦହିବ । ଏଥୁଁ ଉଦ୍ଧର ସଦାଶିବ ॥ ୮୦
ସର୍ବ ଜଗତ-ବନ୍ଧ-ମୋକ୍ଷ । ତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ ॥ ୮୧
କୁଶଳ ଇଚ୍ଛା ଯାର ମନେ । ସେ ତୋତେ ଚିନ୍ତେ ନିତ୍ୟେ ଧ୍ୟାନେ ॥ ୮୨
ଜଗତଗୁରୁ ନାଥ ତୁହି । ଯେ ତୋତେ ଶରଣ ପଶଇ ॥ ୮୩
ସ୍ୱଶକ୍ତି ତୋର ଗୁଣମୟୀ । ଯେ ଭାବେ ସର୍ଗ-ସ୍ଥିତି ହୋଇ ॥ ୮୪
ପ୍ରଳୟ କରୁ ନାଥ ତୁହି । ତୁ ବ୍ରହ୍ମା-ବିଷ୍ଣୁ-ରୁଦ୍ରଦେହୀ ॥ ୮୫
ତୁ ବ୍ରହ୍ମ ପରମ ଗୁପତ । ସଦ-ଅସଦ ଭାବମତ ॥ ୮୬
ପ୍ରକାଶୁ ନାନା ଶକ୍ତିରୂପେ । ତୁ ଆତ୍ମାରୂପ ମୋହକଳ୍ପେ ॥ ୮୭
ଜଗତ ଆଦି ଶବ୍ଦଯୋନି । ପ୍ରାଣ-ଇନ୍ଦ୍ରିୟ-ଗୁଣ ଘେନି ॥ ୮୮
ତୁ କାଳଯଜ୍ଞ ସତ୍ୟରତ । ତୁ ବ୍ରହ୍ମ ଅଛିଦ୍ର ତ୍ରିବୃତ୍ତ ॥ ୮୯
ଅନଳ ତୁମ୍ଭର ବଦନ । ଆଦିତ୍ୟ-ଶଶାଙ୍କ ଲୋଚନ ॥ ୯୦
ସର୍ବଦେବଙ୍କ ଆତ୍ମା ତୁମ୍ଭେ । ଅଶେଷ ଯଜ୍ଞର ଆରମ୍ଭେ ॥ ୯୧
ଏ ଭୂମି ତୋର ପାଦବେନି । ତୋ ବଳ ବହଇ ମେଦିନୀ ॥ ୯୨
କାଳ ତୋହର ନିଜ ଗତି । ତୋର ବୃଷଣ ପ୍ରଜାପତି ॥ ୯୩
ଏ ଅଷ୍ଟଦିଗ ତୋ ଶ୍ରବଣ । ତୋହର ରସନା ବରୁଣ ॥ ୯୪
ନଭ ତୋହର ନାଭିଦେଶ । ନିଃଶ୍ୱାସ ବାତ-ଅଣଚାଶ ॥ ୯୫
ପର୍ବତେ ତୋ ଅସ୍ଥି ସମୂହ । ବୃକ୍ଷ-ଔଷଧି ତନୁରୁହ ॥ ୯୬
ଏ ସପ୍ତଛନ୍ଦ ସପ୍ତଧାତୁ । ତୋ ହୃଦ ଧର୍ମସ୍ଥିତି-ହେତୁ ॥ ୯୭
ଭୋ ନାଥ ତୋ ପଞ୍ଚବଦନ । ପଞ୍ଚୋପନିଷଦ ବଚନ ॥ ୯୮
ଅଷ୍ଟଉତ୍ତର ତିନିଶତ । ମନ୍ତ୍ର ବର୍ଗ ଯହୁଁ ଉଦିତ ॥ ୯୯
ତୋ ପରମାତ୍ମା ତତ୍ତ୍ୱଧାମ । ଏଣୁ ତୋହର ଶିବ ନାମ ॥ ୧୦୦
ଜ୍ୟୋତିସ୍ୱରୂପେ ତୋର ବାସ । ତୁ ବ୍ରହ୍ମ ପରମ ପ୍ରକାଶ ॥ ୧୦୧
ଅଧର୍ମ ତୋ ଶରୀର ଛାୟା । ତୋର ଆଶ୍ରିତ ମୋହମାୟା । ୧୦୨
ତୋ ତିନିନେତ୍ର ତିନିଗୁଣ । ଯେ ଗୁଣେ ସଂସାର ଧାରଣ ॥ ୧୦୩
ଯେ ଛନ୍ଦୋମୟ ଶାସ୍ତ୍ରଈକ୍ଷା । ଯେ ଭାବେ ଋଷିଙ୍କର ଶିକ୍ଷା ॥ ୧୦୪
ଅଖିଳ-ଲୋକପାଳ ତୁହି । ତୋ ଅନ୍ତ କେହି ନଜାଣଇ ॥ ୧୦୫
ବିରଞ୍ଚି ବଇକୁଣ୍ଠ ଧାମ । ସୁରେନ୍ଦ୍ରଗଣେ ନୋହେ ଗମ୍ୟ ॥ ୧୦୬
ପରମଜ୍ୟୋତି ତୋ ଆନନ୍ଦ । କେବେହେଁ ଗୁଣେ ନୋହେ ଭେଦ ॥ ୧୦୭
କାମ ତ୍ରିପୁର ଘୋରକାଳ । ଦକ୍ଷର ଯଜ୍ଞ ଧ୍ୱଂସ କଲ ॥ ୧୦୮
ଯେବା ଅଛନ୍ତି ଭୂତଦ୍ରୋହ । ଯେ ଅବା କ୍ରୋଧ ଲୋଭ ମୋହ ॥ ୧୦୯
ଏହାଙ୍କୁ କରୁ ତୁ ଦହନ । ତୁ ନାଥ ଆଦି ନିରଞ୍ଜନ ॥ ୧୧୦
ସୃଷ୍ଟିକୁ ଅନ୍ତଃକାଳେ ଧରି । ତୃତୀୟନେତ୍ର ତୁ ଆବୋରି ॥ ୧୧୧
ପ୍ରାଣୀଙ୍କି କରୁ ଆତଯାତ । ଏଣୁ ତୋ ନାହିଁ ଆଦିଅନ୍ତ ॥ ୧୧୨
ଯେ ଆତ୍ମଜ୍ଞାନୀ ଏ ଜଗତେ । ତୋ ପଦ ଚିନ୍ତେ ଅବିରତେ ॥ ୧୧୩
ଯେବା ତପସ୍ୟା କରି ଭଜେ । ତୋ ରୂପ ଧ୍ୟାନଭାବେ ପୂଜେ ॥ ୧୧୪
ତୋତେ ଆଶ୍ରୟ ଯେ କରନ୍ତି । ଏ ଘୋର ସଂସାରୁ ତରନ୍ତି ॥ ୧୧୫
ଆମ୍ଭେ ଯେ ଘୋର-ବିଷ-ଭୟେ । ଶରଣ ଗଲୁ ତୋର ପାଏ ॥ ୧୧୬
ଏ ଘୋର ଭୟୁ କର ତ୍ରାଣ । ଭୋ ନାଥ ରଖ ଆମ୍ଭ ପ୍ରାଣ ॥ ୧୧୭
ଶୁକ ଉବାଚ
ତାହାଙ୍କ ଦୁଃଖ ଦେଖି ହର । କୃପାରେ ହୋଇଣ କାତର ॥ ୧୧୮
ସୁହୃଦ ସର୍ବଭୂତେ ସେହି । କହନ୍ତି ପ୍ରିୟାମୁଖ ଚାହିଁ ॥ ୧୧୯
ଶିବ ଉବାଚ
ଏ ବିଷ ତେଜେ ଦଶଦିଶ । କେବେହେଁ ନ ଦିଶେ ପ୍ରକାଶ ॥ ୧୨୦
ଏଣୁ ବ୍ରହ୍ମାଣ୍ଡ ନାଶ ଗଲା । ଅକାଳେ ପ୍ରଳୟ ହୋଇଲା ॥ ୧୨୧
ଭୟେ କମ୍ପଇ ତିନିପୁର । ଆକାଶେ କମ୍ପେ ସୁରେଶ୍ୱର ॥ ୧୨୨
ଦେଖ ଭବାନୀ ପ୍ରଜାଙ୍କର । ଦୁଃଖ ହୋଇଲା ଭୟଙ୍କର ॥ ୧୨୩
ସମୁଦ୍ର ମନ୍ଥନୁ ଏ ଜାତ । ଏଥି ରଖିବା ମୋ ଉଚିତ ॥ ୧୨୪
ଯେ କରେ ଦୀନ ଉପକାର । ସେ ଧର୍ମଜ୍ଞାନୀଙ୍କର ସାର ॥ ୧୨୫
ସାତ୍ତ୍ୱିକ ଧର୍ମ ସେ କରନ୍ତି । ଅଜ୍ଞାନୀଜନେ ନ ଜାଣନ୍ତି ॥ ୧୨୬
ଦୁଃଖୁଁ ଯେ ପରିତ୍ରାଣ କରେ । ସଙ୍କଟୁ ପ୍ରାଣୀଙ୍କି ଉଦ୍ଧରେ ॥ ୧୨୭
ତା ଜନ୍ମ ଧନ୍ୟ ଏ ସଂସାରେ । ଯେ ରହେ ପର ଉପକାରେ ॥ ୧୨୮
ସାଧୁଜନଙ୍କର ଏ ଗତି । କେବେହେଁ ଧର୍ମ ନ ଛାଡ଼ନ୍ତି ॥ ୧୨୯
କ୍ଷଣଭଙ୍ଗୁର ଏ ଶରୀର । ସୁଧର୍ମ ପର ଉପକାର ॥ ୧୩୦
ଶୁକ ଉବାଚ
ଏମନ୍ତ ଶିବଙ୍କ ବଚନ । ଅମ୍ବିକା ଶୁଣି ତୋଷମନ ॥ ୧୩୧
ରୁଦ୍ର ଚରଣ ଶିରେ ଧରି । ମଧୁରେ କହନ୍ତି ଗଉରୀ ॥ ୧୩୨
ଅମ୍ବିକା ଉବାଚ ଭୋ ନାଥ ଜଗତ ଈଶ୍ୱର । ଦେବଙ୍କ ବୋଲ ତୁମ୍ଭେ କର ॥ ୧୩୩
ଏ ଘୋର ବିଷ କର ଗ୍ରାସ । ସଂସାରେ ଥିବ ତୁମ୍ଭ ଯଶ ॥ ୧୩୪
ଧର୍ମ କରନ୍ତି ଯେତେ ପ୍ରାଣୀ । ତାହାଙ୍କୁ ତୋଷ ଚକ୍ରପାଣି ॥ ୧୩୫
ଶୁକ ଉବାଚ ଏମନ୍ତେ ଗଉରୀ ବଚନେ । ରୁଦ୍ର ଉଠିଲେ ତୋଷମନେ ॥ ୧୩୬
କ୍ଷୀରାବ୍ଧି-ତଟେ ବିଜେକରି । କରଅଞ୍ଜଳି ବିଷେ ଭରି ॥ ୧୩୭
ଉତ୍କଟ ଘୋର ମହାବିଷ । ଏକାବେଳକେ କଲେ ଗ୍ରାସ ॥ ୧୩୮
ରଖିଲେ ଅଶେଷ ଭୁବନ । ଶୁଣ ହେ ପରୀକ୍ଷ ରାଜନ ॥ ୧୩୯
କଣ୍ଠ ଦିଶିଲା ନୀଳପ୍ରଭା । ସାଧୁଜନଙ୍କର ଏ ଶୋଭା ॥ ୧୪୦
ସାଧୁଜନଙ୍କ ମତ ଏହି । ଯେ ପରଦୁଃଖେ ଦୁଃଖୀ ହୋଇ ॥ ୧୪୧
କରନ୍ତି ପର ଉପକାର । ଧନ୍ୟ ଜୀବନ ତାହାଙ୍କର ॥ ୧୪୨
ଏମନ୍ତେ ରୁଦ୍ରକର୍ମ ଦେଖି । ସଂସାରଜନେ ହେଲେ ସୁଖୀ ॥ ୧୪୩
ବ୍ରହ୍ମା-ଗୋବିନ୍ଦ ଦେବ ମେଳେ । ସର୍ବେ ଶଙ୍କରେ ପ୍ରଶଂସିଲେ ॥ ୧୪୪
ରୁଦ୍ର ପିବନ୍ତେ ଘୋର ବିଷ । କୂଳେ ଯେ ଥିଲା ଅବଶେଷ ॥ ୧୪୫
ବୃଶ୍ଚିକ-ଦନ୍ଦ ଶୂକଗଣ । ଭକ୍ଷିଲେ ବିଷ-ଶେଷକଣ ॥ ୧୪୬
ଏ କ୍ଷୀର ସାଗର-ମନ୍ଥନ । ଶୁଣି ପବିତ୍ର ହୁଅ ଜନ ॥ ୧୪୭
ସୁସାଧୁ ଜନଙ୍କର ହିତେ । ଅଷ୍ଟମ ସ୍କନ୍ଧେ ଭାଗବତେ ॥ ୧୪୮
ଭାଷା ପ୍ରବନ୍ଧେ ଗୀତନାଦେ । ଶୁଣ ସୁଜନେ ଅପ୍ରମାଦେ ॥ ୧୪୯
ବୋଲଇ ଦାସ ଜଗନ୍ନାଥ । ବିଷ ଭକ୍ଷିଲେ ଉମାକାନ୍ତ ॥ ୧୫୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ସମୁଦ୍ରମନ୍ଥନେ ସଦାଶିବ ବିଷପାନେ ସପ୍ତମୋଽଧ୍ୟାୟଃ ॥
* * *