ଅଷ୍ଟମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ଶୁକ ଉବାଚ
ଏମନ୍ତେ ଦେବସ୍ତୁତି ଶୁଣି । ଶୂନ୍ୟେ ପ୍ରକାଶ ଚକ୍ରପାଣି ॥ ୧
ସହସ୍ର-ସୂର୍ଯ୍ୟତେଜ ଦେଖି । ଦେବେ ବୁଜିଲେ ଭୟେ ଆଖି ॥ ୨
ଦିଗ ନ ପାରନ୍ତି ବିଚାରି । କେମନ୍ତେ ଦେଖିବେ ଶ୍ରୀହରି ॥ ୩
ରହିଲେ ଅନ୍ଧକାରାଚ୍ଛନ୍ନେ । ଚାହିଁ ନ ପାରନ୍ତି ଗଗନେ ॥ ୪
ମଧ୍ୟେ ଯେ ବ୍ରହ୍ମା-ରୁଦ୍ର ଥିଲେ । ଟେକି ଅନ୍ତରୀକ୍ଷେ ଚାହିଁଲେ ॥ ୫
ଦେଖିଲେ ବିଷ୍ଣୁର ପ୍ରକାଶ । ଶରୀରେ ପୂରିଛି ଆକାଶ ॥ ୬
ନୀଳ-ମହୀନ୍ଦ୍ର ପ୍ରାୟେ ଦିଶେ । ଅରୁଣ-ଲୋଚନ ପ୍ରକାଶେ ॥ ୭
ବିକଚ-ପୁଣ୍ଡରୀକ ପ୍ରାୟେ । କର୍ଣ୍ଣେ କୁଣ୍ଡଳ ବେନି ଶୋହେ ॥ ୮
ତପ୍ତକାଞ୍ଚନ ପ୍ରାୟେ ବର୍ଣ୍ଣ । ପୀତବସନ ପରିଧାନ ॥ ୯
ପ୍ରସନ୍ନ ଚାରୁ ସର୍ବଅଙ୍ଗେ । ଶ୍ରୀମୁଖ ସୁନ୍ଦର ଭ୍ରୂଭଙ୍ଗେ ॥ ୧୦
ଅମୂଲ୍ୟ-ମୁକୁଟ ଲଲାଟେ । କାଞ୍ଚନ ଭୂଷଣ ପ୍ରକଟେ ॥ ୧୧
ଆଜାନୁଲମ୍ବେ ଚାରିଭୂଜେ । କେୟୂର କଙ୍କଣ ବିରାଜେ ॥ ୧୨
କାଞ୍ଚିକଳାପ ବଳୟରେ । ଶୋଭିତ ହାର-ନୂପୁରରେ ॥ ୧୩
କୌସ୍ତୁଭମଣି କଣ୍ଠେ ଶୋହେ । ତେଜ ପ୍ରକାଶେ ଜନମୋହେ ॥ ୧୪
କମଳା ବନମାଳ ରଙ୍ଗେ । ହୃଦେ ଶୋହଇ ଅନୁରାଗେ ॥ ୧୫
ଏମନ୍ତ ରୂପ ଶୂନ୍ୟେ ଚିନ୍ତି । ଶିବ ସହିତେ ବେଦପତି ॥ ୧୬
ଧ୍ୟାନେ ଗୋବିନ୍ଦ-ପାଦେ ପଡ଼ି । ସ୍ତୁତି କରନ୍ତି କରଯୋଡ଼ି ॥ ୧୭
ବ୍ରହ୍ମା ଉବାଚ
ଅଜ-ନିର୍ମଳ ଯେ ସ୍ୱଭାବେ । ସୃଷ୍ଟିପାଳନ-ସ୍ଥିତି ଲାଭେ ॥ ୧୮
ଅଗୁଣେ ବିଶ୍ରାମ ତୁମ୍ଭର । ମହିମା-ଅମୃତ-ସାଗର ॥ ୧୯
ଅଣୁ ହୁଁ ଅଣୁଭାବ ହୋଇ । ସ୍ୱମାୟା ସୁଖେ ଯେ ଭଜଇ ॥ ୨୦
ମହାନୁଭବ ଏ ଜଗତେ । ମହାପୁରୁଷ ନମସ୍ତୁତେ ॥ ୨୧
ତୁ ନାଥ ସଂସାର-ଧାରଣ । ଏଣୁ ଅଶେଷ ମୁନିଗଣ ॥ ୨୨
ଆଗମ-ନିଗମେ ସମ୍ପାଦି । ବିଚାରି ସାଂଖ୍ୟଯୋଗ ବିଧି ॥ ୨୩
ବେଦ-ବିହିତେ ରବିତଳେ । ମନ-ପବନ ସୁନିଶ୍ଚଳେ ॥ ୨୪
ତୋହର ରୂପ ଧ୍ୟାନକରି । ମାୟା-ଗହନୁ ଯାନ୍ତି ତରି ॥ ୨୫
ତୁ ନାଥ ଆଦି-ମଧ୍ୟ-ଅୟେ । ଯେବା କରାଉ ଆତ୍ମତନ୍ତ୍ରେ ॥ ୨୬
ଜଗତେ ଆଦି ମଧ୍ୟ ତୁହି । ମୃତ୍ତିକାଘଟ ପ୍ରାୟେ ହୋଇ ॥ ୨୭
ତୋ ରୂପ ବିଶ୍ୱେ ପ୍ରକାଶଇ । ସେ ରୂପ କେ ପାରିବ କହି ॥ ୨୮
ଆତ୍ମା-ଆଶ୍ରୟେ ମାୟାକରି । ତୁ ଏ ସଂସାର-ରୂପ ଧରି ॥ ୨୯
ସଂସାରେ ପଶୁ ଆତ୍ମାରୂପେ । ସୁଖେ ବିହରୁ କଳ୍ପେ କଳ୍ପେ ॥ ୩୦
ନିର୍ମଳଚେତା ମୁନିଗଣେ । ତୋତେ ଦେଖନ୍ତି ଶୁଦ୍ଧମନେ ॥ ୩୧
ଯଥା ଅନଳ କାଷ୍ଠେ ଥାଏ । ଯେହ୍ନେ ଅମୃତ ଗୋରୁ ଦେହେ ॥ ୩୨
ଧରଣୀ ଦେହେ ଅନ୍ନ ଯେହ୍ନେ । ସଂଯୋଗେ କୃଷି-କରଷଣେ ॥ ୩୩
ମନୁଷ୍ୟ ନାନା ଯୋଗବଳେ । ଭଜନ୍ତି ତୋ ପାଦକମଳେ ॥ ୩୪
ନମିଣ ତୋ ଚରଣତଳେ । ଭବସାଗରୁ ତରିଗଲେ ॥ ୩୫
ସର୍ବେ ନମନ୍ତି ତୋ ଚରଣେ । ତୁ ଥାଉ ସଂସାର ଧାରଣେ ॥ ୩୬
ବାଞ୍ଚିତ ଅର୍ଥ ଫଳ ପାନ୍ତି । ନାନା ପ୍ରକାରେ ତୋତେ ଚିନ୍ତି ॥ ୩୭
ତୋ ରୂପ ଆତ୍ମାଗତେ ଦେଖି । ସଂସାର ତେଜି ହୋନ୍ତି ସୁଖୀ ॥ ୩୮
ଯେସନେ ଗଜ ଦାବାନଳେ । ପ୍ରବେଶ କରେ ଗଙ୍ଗାଜଳେ ॥ ୩୯
ଆମ୍ଭେ ସକଳ ଲୋକପାଳେ । ଶରଣ ତୋ ପାଦକମଳେ ॥ ୪୦
ଏ ଦେହ ଅନ୍ତର-ବାହାରେ । ତୋ ତହୁଁ କେବା ଅଛି ପରେ ॥ ୪୧
ଏ ଦେବଗଣେ ମୋର ତୁଲେ । ଦକ୍ଷାଦି ପ୍ରଜାପତି ମେଳେ ॥ ୪୨
ତୋ ଅନୁଗ୍ରହେ ବହୁଁ ଅଙ୍ଗ । ଅନଳୁ ଯେସନେ ସ୍ଫୁଲିଙ୍ଗ ॥ ୪୩
କିବା କହିବୁଁ ତୋ ଅଗ୍ରତେ । ଆମ୍ଭଙ୍କୁ ରଖ ଏ ଜଗତେ ॥ ୪୪
ଶୁକ ଉବାଚ
ଏମନ୍ତେ ବ୍ରହ୍ମା-ବାକ୍ୟ ଶୁଣି । ସଂସାର ହିତ ମନେ ଗୁଣି ॥ ୪୫
ପରମସୁଖେ ତନୁ ପୂରି । ଧାତାଙ୍କୁ ଅନୁଗ୍ରହ କରି ॥ ୪୬
ଜଳଧି-ମନ୍ଥନ-ପ୍ରସଙ୍ଗେ । ଆତ୍ମା ପ୍ରକାଶ ଅନୁରାଗେ ॥ ୪୭
ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ । କହନ୍ତି ବ୍ରହ୍ମା ମୁଖ ଚାହିଁ ॥ ୪୮
ଭଗବାନ ଉବାଚ
ଶୁଣ ହୋ ବ୍ରହ୍ମା-ଶିବ-ଦେବେ । ଯେବା କରିବି ତୁମ୍ଭ ଲାଭେ ॥ ୪୯
ତୁମ୍ଭର ଶ୍ରେୟ ଯେଉଁମତେ । କହିବା ଶୁଣ ଏକଚିତ୍ତେ ॥ ୫୦
ଅସୁରଙ୍କର ସଙ୍ଗେ ଯାଇ । ବସ ବିଶ୍ୱାସଭାବ ହୋଇ ॥ ୫୧
ନାନା ପ୍ରକାରେ ସନ୍ଧି କର । ପ୍ରଲୋଭେ ତାଙ୍କ ଚିତ୍ତ ହର ॥ ୫୨
ଯାବତ ସିଦ୍ଧ ନୋହେ କାର୍ଯ୍ୟ । ତାବତ ମିତ୍ର ଭାବେ ଭଜ ॥ ୫୩
ଆପଣା କାର୍ଯ୍ୟ ସିଦ୍ଧଅର୍ଥେ । ଶତ୍ରୁକୁ ଭଜନ୍ତି ଜଗତେ ॥ ୫୪
କାର୍ଯ୍ୟ ସରିଲେ ନିଜ ଭାବେ । ସର୍ବେ ରହିବ ଆତ୍ମାଲାଭେ ॥ ୫୫
ଅହି -ମୂଷିକ କରି ସନ୍ଧି । ଯେମନ୍ତେ ଆତ୍ମକାର୍ଯ୍ୟ ସାଧି ॥ ୫୬
ଅମୃତ ଅର୍ଥେ ଯତ୍ନ କର । ଯା ପାନେ ହୋଇବ ଅମର ॥ ୫୭
ଶୁଣ କହିବା ଉପଦେଶ । ବେଗେ ଗହନ ବନେ ପଶ ॥ ୫୮
ଅମ୍ଳ-ଔଷଧି-ଗୁଳ୍ମ ଯେତେ । ବନସ୍ତୁ ଆଣ ଅପ୍ରମିତେ ॥ ୫୯
ପାଷାଣେ ଛେଚି ବାହୁବଳେ । ନିକ୍ଷେପ କ୍ଷୀରସିନ୍ଧୁ-ଜଳେ ॥ ୬୦
ସେ ଅମ୍ଳ-ଗୁଣେ ବସୁ ଦଧି । ଯେଣେ ଲଭିବ ସର୍ବସିଦ୍ଧି ॥ ୬୧
ଏ ଯେ ମନ୍ଦର ମହୀଧର । ମନ୍ଥନଦଣ୍ଡ ଏହା କର ॥ ୬୨
ବାସୁକି ନାଗ ରଜ୍ଜୁ କରି । ମନ୍ଥିବ ଦେବାସୁରେ ଧରି ॥ ୬୩
ମୋହର ବୋଲେ ମହାଜଳେ । ମନ୍ଥନ କର ଯା ନିଶ୍ଚଳେ ॥ ୬୪
ତୁମ୍ଭେ ସେ ଅମୃତ ପିଇବ । ନିରାଶ ହୋଇବେ ଦାନବ ॥ ୬୫
ଇନ୍ଦ୍ର ଲଭିବ ସର୍ବସିଦ୍ଧି । ସର୍ବ ସମ୍ପାଦିବ ଜଳଧି ॥ ୬୬
ଶାନ୍ତି-ବଚନେ କାର୍ଯ୍ୟ ପାଇ । ଆଗମ ଶାସ୍ତ୍ରେ ଏହା କହି ॥ ୬୭
ପ୍ରଥମେ ବାସୁକି ବଦନେ । ଗରଳ ଛାଡ଼ିବ ମନ୍ଥନେ ॥ ୬୮
ତହିଁକି ନ କରିବ ଭୟ । ମୁଁ ପୁଣି କରିବି ଉପାୟ ॥ ୬୯
ମନ୍ଥନେ ଲଭି ବସ୍ତୁ ଯେତେ । ଲୋଭ ନ କରିବ ଯୁକତେ ॥ ୭୦
ପ୍ରାଣୀ ଯେ ଲୋଭେ ନାନାମତେ । ବସ୍ତୁ ଆବୋରନ୍ତି ଜଗତେ ॥ ୭୧
ଶୁକ ଉବାଚ
ଏମନ୍ତ ଦେବଗଣେ କହି । ତକ୍ଷଣେ ଗରୁଡ଼ ଆରୋହି ॥ ୭୨
ନିଜ ଭୁବନେ ହରି ଗଲେ । ଭକତ-ପାରିଷଦ ତୁଲେ ॥ ୭୩
ରୁଦ୍ର-ବ୍ରହ୍ମାଦି ଦେବଗଣେ । ନମିଲେ ବିଷ୍ଣୁର ଚରଣେ ॥ ୭୪
ସକଳେ ହୋଇ ଏକଚିତ୍ତ । ବଳି-ଭୁବନେ ଉପଗତ ॥ ୭୫
ଦ୍ୱାରେ ଅସୁରେ ଯେତେ ଥିଲେ । ଦେବଗଣଙ୍କୁ ନିରୋଧିଲେ ॥ ୭୬
ଦେବନିଷେଧ କଥା ଶୁଣି । ଅସୁର-କୁଳ-ଚୁଡ଼ାମଣି ॥ ୭୭
ସନ୍ଧି-ବିଗ୍ରହ ସେ ଜାଣଇ । ବୋଲଇ ନିଜଗଣ ରାଇ ॥ ୭୮
ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାର । କି ଅବା କରିବେ ବିଚାର ॥ ୭୯
ଏମନ୍ତେ ବଳି ଆଜ୍ଞା ପାଇ । ଦ୍ୱାର ଛାଡ଼ିଲେ ଭାବ ବହି ॥ ୮୦
ବଳି-ନିକଟେ ଦେବେ ଯାଇ । ଜୟଶବଦ ଉଚ୍ଚେ ଗାଇ ॥ ୮୧
ବଳିକି ଦେଖିଲେ ଆସନେ । ବେଷ୍ଟିତ ଅସୁର-ଗହଣେ ॥ ୮୨
ସର୍ବ-ସମ୍ପଦ ଯାର ପୁରେ । କିବା ଉପମା ଦେବା ତାରେ ॥ ୮୩
ନିଜ ସମ୍ପଦ ଜଗୁ ରଞ୍ଜେ । ଦିଗପାଳଙ୍କ ତେଜ ଗଞ୍ଜେ ॥ ୮୪
ଇନ୍ଦ୍ର ଯେ ବଳି ମୁଖ ଚାହିଁ । ବିଶ୍ୱାସେ ବଚନ ବୋଲଇ ॥ ୮୫
ଶୁଣ ରାଜନ ଏକଚିତ୍ତେ । ଏ ତିନିଲୋକ ସୁଖ ଅର୍ଥେ ॥ ୮୬
ଦୁର୍ବାସା-ଶାପ ମହାଘୋର । ନାଶିଲା ସମ୍ପଦ ମୋହର ॥ ୮୭
ସୋମ-ସବିତା-ତେଜ ଗଲା । ନିବିଡ଼ ତମ ପ୍ରକାଶିଲା ॥ ୮୮
କମ୍ପଇ ଏ ତିନିଭୁବନ । ସର୍ବେ ହୋଇଲେ ଦୁଃଖେ ଛନ୍ନ ॥ ୮୯
ଏଣୁ ବିଷ୍ଣୁଭୁବନେ ଯାଇ । କହିଲୁଁ ବ୍ରହ୍ମା ରୁଦ୍ର ଲଇଁ ॥ ୯୦
ସେ ପୁରୁଷୋତ୍ତମ-ବଚନ । ରାଜନ ତୋଷମନେ ଶୁଣ ॥ ୯୧
ବୋଇଲେ ଏ କ୍ଷୀରଜଳଧି । ଅମ୍ଳ-ସଂଯୋଗେ କର ଦଧି ॥ ୯୨
ମନ୍ଦର ଗିରିକି ଆଣିବ । ସମୁଦ୍ର ମଧ୍ୟରେ ସ୍ଥାପିବ ॥ ୯୩
ବାସୁକି ନାଗ ରଜ୍ଜୁ କରି । ଦେବ-ଦାନବେ ତାହା ଧରି ॥ ୯୪
ଯତନେ କରିବ ମନ୍ଥନ । ସୁଧା କରିବ ସୁଖେ ପାନ ॥ ୯୫
ଯେତେ ଉପୁଜିବ ମନ୍ଥନେ । ସକଳେ ମିଳି ତୋଷମନେ ॥ ୯୬
ସମାନ ଭାଗେ ଭୋଗକର । ସନ୍ତୋଷ ମନେ ଦେବାସୁର ॥ ୯୭
ସଂସାର ହେଉ ଏଣେ ରକ୍ଷା । ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା ॥ ୯୮
ଏଣୁ ତୁମ୍ଭର ସଙ୍ଗେ ଆମ୍ଭେ । ମିଳିଲୁ ମନ୍ଥନ-ଆରମ୍ଭେ ॥ ୯୯
ତୁମ୍ଭ ଆମ୍ଭର ଏକଗତି । ଯାହା ବୋଇଲେ ଶିରୀପତି ॥ ୧୦୦
ଏମନ୍ତ ଇନ୍ଦ୍ରମୁଖୁଁ ଶୁଣି । ଅସୁର ମନେମନେ ଗୁଣି ॥ ୧୦୧
ବୋଇଲେ ଶୁଭକର୍ମ ଏହି । ବିଷ୍ଣୁମାୟାରେ ମନ ମୋହି ॥ ୧୦୨
ବଳି ସଙ୍ଗତେ ଉଠି ସର୍ବେ । ସମ୍ମତି କଲେ ପ୍ରିୟଭାବେ ॥ ୧୦୩
ଶମ୍ବରାରିଷ୍ଟ ନେମି ତୁଲେ । ଯେତେ ଦାନବବୀର ଥିଲେ ॥ ୧୦୪
ବିଷ୍ଣୁ-ମୋହନ-ମାୟା ମତେ । ହରଷ ଅସୁରଙ୍କ ଚିତ୍ତେ ॥ ୧୦୫
ଏମନ୍ତେ ଦେବାସୁରଗଣେ । ବେଗେ ମିଳିଲେ ଘୋରବନେ ॥ ୧୦୬
ତୀକ୍ଷ୍ଣ-କୁଠାରେ ବେଗେ ହାଣି । ଅମ୍ଳ-ଔଷଧି-ଗୁଳ୍ମ ଆଣି ॥ ୧୦୭
ପର୍ବତେ ଛେଚି ପ୍ରତି ଶିଳେ । କ୍ଷୀର ସମୁଦ୍ରେ ପକାଇଲେ ॥ ୧୦୮
ବାସୁଦେବର କଥାବାଗେ । ଦଧି ହୋଇଲା ଅମ୍ଳ ଯୋଗେ ॥ ୧୦୯
ଦେବଦାନବେ ଏକମନେ । ମିଳିଲେ ମେରୁ ସନ୍ନିଧାନେ ॥ ୧୧୦
ନାନା ତୀକ୍ଷଣ ଶସ୍ତ୍ର ଧରି । ଉପାଡ଼ି ଘୋରନାଦ କରି ॥ ୧୧୧
ଇନ୍ଦ୍ରର ତୁଲେ ଦେବେ ଯେତେ । ଅସୁରେ ବଳିର ସମେତେ ॥ ୧୧୨
ସମସ୍ତେ ମୁଣ୍ଡେ ଗିରି କଲେ । ବଳେ କେତେହେଁ ଦୂର ନେଲେ ॥ ୧୧୩
କାହୁଁ ବହିବେ ଗିରିବର । ଯେ ଗିରିବରଙ୍କ ଶେଖର ॥ ୧୧୪
ପଥେ ଆଣନ୍ତେ ଗିରିବରେ । ପଡ଼ିଲା ତାହାଙ୍କ ଉପରେ ॥ ୧୧୫
ଚୂର୍ଣ୍ଣ ହୋଇଲେ ମହାଭାରେ । ସକଳେ ପଡ଼ିଲେ ଭୂମିରେ ॥ ୧୧୬
ଶିର ଚରଣ ବାହୁ ଚୂରି । ପଥେ ପଡ଼ିଲା ମହାଗିରି ॥ ୧୧୭
ଦେବଙ୍କ ଦୁଃଖେ ଭଗବାନ । ତକ୍ଷଣେ ଗରୁଡ଼ ଆସନ ॥ ୧୧୮
ପଥେ ମିଳିଲେ ତାଙ୍କ ପାଶେ । ଦେବଙ୍କ ଭକତି ବିଶ୍ୱାସେ ॥ ୧୧୯
କରେ ମନ୍ଦରଗିରି କଲେ । ଦେବ-ଅସୁରଙ୍କୁ ଚାହିଁଲେ ॥ ୧୨୦
ଅମୃତ-ନୟନେ ଅନାଇଁ । ଜୀବନ ଦେଲେ ଭାବଗ୍ରାହୀ ॥ ୧୨୧
ଲାଗନ୍ତେ ଗୋବିନ୍ଦର କର । ତକ୍ଷଣେ ପାଇଲେ ଶରୀର ॥ ୧୨୨
ଗୋବିନ୍ଦ ଏକହସ୍ତେ ଗିରି । ନିଶ୍ଚଳେ ନିଜ କୋଳେ ଧରି ॥ ୧୨୩
ଗରୁଡ଼ ଉଡ଼େ ଶୂନ୍ୟପଥେ । ଦେବ-ଦାନବବଳେ ସାଥେ ॥ ୧୨୪
କ୍ଷୀର ଜଳଧିତଟେ ମିଳି । ଦେବଅସୁର ବନମାଳ ॥ ୧୨୫
ଗରୁଡ଼-କନ୍ଧୁ ଗିରିବର । କୂଳେ ନିବେଶି ଚକ୍ରଧର ॥ ୧୨୬
ଗରୁଡ଼ ଗଲା ନିଜପୁର । ଶୁଣ ପରୀକ୍ଷ ନୃପବର ॥ ୧୨୭
ଦେବ-ଅସୁରଙ୍କର ଭାବ । ଯହୁଁ ଅମୃତ ଉଦଭବ ॥ ୧୨୮
ସୁଜନେ ଏଣେ ଚିତ୍ତ କର । ମାୟା-ସଙ୍କଟରୁ ନିସ୍ତର ॥ ୧୨୯
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍ମନ୍ଧେ ଭାଗବତ ॥ ୧୩୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ମନ୍ଦରାଚଳ ଆନୟନଂ
ଆୟୋଜନେ ନାମ ଷଷ୍ଠୋଽଧ୍ୟାୟ ॥
* * *