ଅଷ୍ଟମ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ଦେବସ୍ତୁତି ଶୁଣି । ଶୂନ୍ୟେ ପ୍ରକାଶ ଚକ୍ରପାଣି ॥

ସହସ୍ର-ସୂର୍ଯ୍ୟତେଜ ଦେଖି । ଦେବେ ବୁଜିଲେ ଭୟେ ଆଖି ॥

ଦିଗ ନ ପାରନ୍ତି ବିଚାରି । କେମନ୍ତେ ଦେଖିବେ ଶ୍ରୀହରି ॥

ରହିଲେ ଅନ୍ଧକାରାଚ୍ଛନ୍ନେ । ଚାହିଁ ନ ପାରନ୍ତି ଗଗନେ ॥

ମଧ୍ୟେ ଯେ ବ୍ରହ୍ମା-ରୁଦ୍ର ଥିଲେ । ଟେକି ଅନ୍ତରୀକ୍ଷେ ଚାହିଁଲେ ॥

ଦେଖିଲେ ବିଷ୍ଣୁର ପ୍ରକାଶ । ଶରୀରେ ପୂରିଛି ଆକାଶ ॥

ନୀଳ-ମହୀନ୍ଦ୍ର ପ୍ରାୟେ ଦିଶେ । ଅରୁଣ-ଲୋଚନ ପ୍ରକାଶେ ॥

ବିକଚ-ପୁଣ୍ଡରୀକ ପ୍ରାୟେ । କର୍ଣ୍ଣେ କୁଣ୍ଡଳ ବେନି ଶୋହେ ॥

ତପ୍ତକାଞ୍ଚନ ପ୍ରାୟେ ବର୍ଣ୍ଣ । ପୀତବସନ ପରିଧାନ ॥

ପ୍ରସନ୍ନ ଚାରୁ ସର୍ବଅଙ୍ଗେ । ଶ୍ରୀମୁଖ ସୁନ୍ଦର ଭ୍ରୂଭଙ୍ଗେ ॥ ୧୦

ଅମୂଲ୍ୟ-ମୁକୁଟ ଲଲାଟେ । କାଞ୍ଚନ ଭୂଷଣ ପ୍ରକଟେ ॥ ୧୧

ଆଜାନୁଲମ୍ବେ ଚାରିଭୂଜେ । କେୟୂର କଙ୍କଣ ବିରାଜେ ॥ ୧୨

କାଞ୍ଚିକଳାପ ବଳୟରେ । ଶୋଭିତ ହାର-ନୂପୁରରେ ॥ ୧୩

କୌସ୍ତୁଭମଣି କଣ୍ଠେ ଶୋହେ । ତେଜ ପ୍ରକାଶେ ଜନମୋହେ ॥ ୧୪

କମଳା ବନମାଳ ରଙ୍ଗେ । ହୃଦେ ଶୋହଇ ଅନୁରାଗେ ॥ ୧୫

ଏମନ୍ତ ରୂପ ଶୂନ୍ୟେ ଚିନ୍ତି । ଶିବ ସହିତେ ବେଦପତି ॥ ୧୬

ଧ୍ୟାନେ ଗୋବିନ୍ଦ-ପାଦେ ପଡ଼ି । ସ୍ତୁତି କରନ୍ତି କରଯୋଡ଼ି ॥ ୧୭

ବ୍ରହ୍ମା ଉବାଚ

ଅଜ-ନିର୍ମଳ ଯେ ସ୍ୱଭାବେ । ସୃଷ୍ଟିପାଳନ-ସ୍ଥିତି ଲାଭେ ॥ ୧୮

ଅଗୁଣେ ବିଶ୍ରାମ ତୁମ୍ଭର । ମହିମା-ଅମୃତ-ସାଗର ॥ ୧୯

ଅଣୁ ହୁଁ ଅଣୁଭାବ ହୋଇ । ସ୍ୱମାୟା ସୁଖେ ଯେ ଭଜଇ ॥ ୨୦

ମହାନୁଭବ ଏ ଜଗତେ । ମହାପୁରୁଷ ନମସ୍ତୁତେ ॥ ୨୧

ତୁ ନାଥ ସଂସାର-ଧାରଣ । ଏଣୁ ଅଶେଷ ମୁନିଗଣ ॥ ୨୨

ଆଗମ-ନିଗମେ ସମ୍ପାଦି । ବିଚାରି ସାଂଖ୍ୟଯୋଗ ବିଧି ॥ ୨୩

ବେଦ-ବିହିତେ ରବିତଳେ । ମନ-ପବନ ସୁନିଶ୍ଚଳେ ॥ ୨୪

ତୋହର ରୂପ ଧ୍ୟାନକରି । ମାୟା-ଗହନୁ ଯାନ୍ତି ତରି ॥ ୨୫

ତୁ ନାଥ ଆଦି-ମଧ୍ୟ-ଅୟେ । ଯେବା କରାଉ ଆତ୍ମତନ୍ତ୍ରେ ॥ ୨୬

ଜଗତେ ଆଦି ମଧ୍ୟ ତୁହି । ମୃତ୍ତିକାଘଟ ପ୍ରାୟେ ହୋଇ ॥ ୨୭

ତୋ ରୂପ ବିଶ୍ୱେ ପ୍ରକାଶଇ । ସେ ରୂପ କେ ପାରିବ କହି ॥ ୨୮

ଆତ୍ମା-ଆଶ୍ରୟେ ମାୟାକରି । ତୁ ଏ ସଂସାର-ରୂପ ଧରି ॥ ୨୯

ସଂସାରେ ପଶୁ ଆତ୍ମାରୂପେ । ସୁଖେ ବିହରୁ କଳ୍ପେ କଳ୍ପେ ॥ ୩୦

ନିର୍ମଳଚେତା ମୁନିଗଣେ । ତୋତେ ଦେଖନ୍ତି ଶୁଦ୍ଧମନେ ॥ ୩୧

ଯଥା ଅନଳ କାଷ୍ଠେ ଥାଏ । ଯେହ୍ନେ ଅମୃତ ଗୋରୁ ଦେହେ ॥ ୩୨

ଧରଣୀ ଦେହେ ଅନ୍ନ ଯେହ୍ନେ । ସଂଯୋଗେ କୃଷି-କରଷଣେ ॥ ୩୩

ମନୁଷ୍ୟ ନାନା ଯୋଗବଳେ । ଭଜନ୍ତି ତୋ ପାଦକମଳେ ॥ ୩୪

ନମିଣ ତୋ ଚରଣତଳେ । ଭବସାଗରୁ ତରିଗଲେ ॥ ୩୫

ସର୍ବେ ନମନ୍ତି ତୋ ଚରଣେ । ତୁ ଥାଉ ସଂସାର ଧାରଣେ ॥ ୩୬

ବାଞ୍ଚିତ ଅର୍ଥ ଫଳ ପାନ୍ତି । ନାନା ପ୍ରକାରେ ତୋତେ ଚିନ୍ତି ॥ ୩୭

ତୋ ରୂପ ଆତ୍ମାଗତେ ଦେଖି । ସଂସାର ତେଜି ହୋନ୍ତି ସୁଖୀ ॥ ୩୮

ଯେସନେ ଗଜ ଦାବାନଳେ । ପ୍ରବେଶ କରେ ଗଙ୍ଗାଜଳେ ॥ ୩୯

ଆମ୍ଭେ ସକଳ ଲୋକପାଳେ । ଶରଣ ତୋ ପାଦକମଳେ ॥ ୪୦

ଏ ଦେହ ଅନ୍ତର-ବାହାରେ । ତୋ ତହୁଁ କେବା ଅଛି ପରେ ॥ ୪୧

ଏ ଦେବଗଣେ ମୋର ତୁଲେ । ଦକ୍ଷାଦି ପ୍ରଜାପତି ମେଳେ ॥ ୪୨

ତୋ ଅନୁଗ୍ରହେ ବହୁଁ ଅଙ୍ଗ । ଅନଳୁ ଯେସନେ ସ୍ଫୁଲିଙ୍ଗ ॥ ୪୩

କିବା କହିବୁଁ ତୋ ଅଗ୍ରତେ । ଆମ୍ଭଙ୍କୁ ରଖ ଏ ଜଗତେ ॥ ୪୪

ଶୁକ ଉବାଚ

ଏମନ୍ତେ ବ୍ରହ୍ମା-ବାକ୍ୟ ଶୁଣି । ସଂସାର ହିତ ମନେ ଗୁଣି ॥ ୪୫

ପରମସୁଖେ ତନୁ ପୂରି । ଧାତାଙ୍କୁ ଅନୁଗ୍ରହ କରି ॥ ୪୬

ଜଳଧି-ମନ୍ଥନ-ପ୍ରସଙ୍ଗେ । ଆତ୍ମା ପ୍ରକାଶ ଅନୁରାଗେ ॥ ୪୭

ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ । କହନ୍ତି ବ୍ରହ୍ମା ମୁଖ ଚାହିଁ ॥ ୪୮

ଭଗବାନ ଉବାଚ

ଶୁଣ ହୋ ବ୍ରହ୍ମା-ଶିବ-ଦେବେ । ଯେବା କରିବି ତୁମ୍ଭ ଲାଭେ ॥ ୪୯

ତୁମ୍ଭର ଶ୍ରେୟ ଯେଉଁମତେ । କହିବା ଶୁଣ ଏକଚିତ୍ତେ ॥ ୫୦

ଅସୁରଙ୍କର ସଙ୍ଗେ ଯାଇ । ବସ ବିଶ୍ୱାସଭାବ ହୋଇ ॥ ୫୧

ନାନା ପ୍ରକାରେ ସନ୍ଧି କର । ପ୍ରଲୋଭେ ତାଙ୍କ ଚିତ୍ତ ହର ॥ ୫୨

ଯାବତ ସିଦ୍ଧ ନୋହେ କାର୍ଯ୍ୟ । ତାବତ ମିତ୍ର ଭାବେ ଭଜ ॥ ୫୩

ଆପଣା କାର୍ଯ୍ୟ ସିଦ୍ଧଅର୍ଥେ । ଶତ୍ରୁକୁ ଭଜନ୍ତି ଜଗତେ ॥ ୫୪

କାର୍ଯ୍ୟ ସରିଲେ ନିଜ ଭାବେ । ସର୍ବେ ରହିବ ଆତ୍ମାଲାଭେ ॥ ୫୫

ଅହି -ମୂଷିକ କରି ସନ୍ଧି । ଯେମନ୍ତେ ଆତ୍ମକାର୍ଯ୍ୟ ସାଧି ॥ ୫୬

ଅମୃତ ଅର୍ଥେ ଯତ୍ନ କର । ଯା ପାନେ ହୋଇବ ଅମର ॥ ୫୭

ଶୁଣ କହିବା ଉପଦେଶ । ବେଗେ ଗହନ ବନେ ପଶ ॥ ୫୮

ଅମ୍ଳ-ଔଷଧି-ଗୁଳ୍ମ ଯେତେ । ବନସ୍ତୁ ଆଣ ଅପ୍ରମିତେ ॥ ୫୯

ପାଷାଣେ ଛେଚି ବାହୁବଳେ । ନିକ୍ଷେପ କ୍ଷୀରସିନ୍ଧୁ-ଜଳେ ॥ ୬୦

ସେ ଅମ୍ଳ-ଗୁଣେ ବସୁ ଦଧି । ଯେଣେ ଲଭିବ ସର୍ବସିଦ୍ଧି ॥ ୬୧

ଏ ଯେ ମନ୍ଦର ମହୀଧର । ମନ୍ଥନଦଣ୍ଡ ଏହା କର ॥ ୬୨

ବାସୁକି ନାଗ ରଜ୍ଜୁ କରି । ମନ୍ଥିବ ଦେବାସୁରେ ଧରି ॥ ୬୩

ମୋହର ବୋଲେ ମହାଜଳେ । ମନ୍ଥନ କର ଯା ନିଶ୍ଚଳେ ॥ ୬୪

ତୁମ୍ଭେ ସେ ଅମୃତ ପିଇବ । ନିରାଶ ହୋଇବେ ଦାନବ ॥ ୬୫

ଇନ୍ଦ୍ର ଲଭିବ ସର୍ବସିଦ୍ଧି । ସର୍ବ ସମ୍ପାଦିବ ଜଳଧି ॥ ୬୬

ଶାନ୍ତି-ବଚନେ କାର୍ଯ୍ୟ ପାଇ । ଆଗମ ଶାସ୍ତ୍ରେ ଏହା କହି ॥ ୬୭

ପ୍ରଥମେ ବାସୁକି ବଦନେ । ଗରଳ ଛାଡ଼ିବ ମନ୍ଥନେ ॥ ୬୮

ତହିଁକି ନ କରିବ ଭୟ । ମୁଁ ପୁଣି କରିବି ଉପାୟ ॥ ୬୯

ମନ୍ଥନେ ଲଭି ବସ୍ତୁ ଯେତେ । ଲୋଭ ନ କରିବ ଯୁକତେ ॥ ୭୦

ପ୍ରାଣୀ ଯେ ଲୋଭେ ନାନାମତେ । ବସ୍ତୁ ଆବୋରନ୍ତି ଜଗତେ ॥ ୭୧

ଶୁକ ଉବାଚ

ଏମନ୍ତ ଦେବଗଣେ କହି । ତକ୍ଷଣେ ଗରୁଡ଼ ଆରୋହି ॥ ୭୨

ନିଜ ଭୁବନେ ହରି ଗଲେ । ଭକତ-ପାରିଷଦ ତୁଲେ ॥ ୭୩

ରୁଦ୍ର-ବ୍ରହ୍ମାଦି ଦେବଗଣେ । ନମିଲେ ବିଷ୍ଣୁର ଚରଣେ ॥ ୭୪

ସକଳେ ହୋଇ ଏକଚିତ୍ତ । ବଳି-ଭୁବନେ ଉପଗତ ॥ ୭୫

ଦ୍ୱାରେ ଅସୁରେ ଯେତେ ଥିଲେ । ଦେବଗଣଙ୍କୁ ନିରୋଧିଲେ ॥ ୭୬

ଦେବନିଷେଧ କଥା ଶୁଣି । ଅସୁର-କୁଳ-ଚୁଡ଼ାମଣି ॥ ୭୭

ସନ୍ଧି-ବିଗ୍ରହ ସେ ଜାଣଇ । ବୋଲଇ ନିଜଗଣ ରାଇ ॥ ୭୮

ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାର । କି ଅବା କରିବେ ବିଚାର ॥ ୭୯

ଏମନ୍ତେ ବଳି ଆଜ୍ଞା ପାଇ । ଦ୍ୱାର ଛାଡ଼ିଲେ ଭାବ ବହି ॥ ୮୦

ବଳି-ନିକଟେ ଦେବେ ଯାଇ । ଜୟଶବଦ ଉଚ୍ଚେ ଗାଇ ॥ ୮୧

ବଳିକି ଦେଖିଲେ ଆସନେ । ବେଷ୍ଟିତ ଅସୁର-ଗହଣେ ॥ ୮୨

ସର୍ବ-ସମ୍ପଦ ଯାର ପୁରେ । କିବା ଉପମା ଦେବା ତାରେ ॥ ୮୩

ନିଜ ସମ୍ପଦ ଜଗୁ ରଞ୍ଜେ । ଦିଗପାଳଙ୍କ ତେଜ ଗଞ୍ଜେ ॥ ୮୪

ଇନ୍ଦ୍ର ଯେ ବଳି ମୁଖ ଚାହିଁ । ବିଶ୍ୱାସେ ବଚନ ବୋଲଇ ॥ ୮୫

ଶୁଣ ରାଜନ ଏକଚିତ୍ତେ । ଏ ତିନିଲୋକ ସୁଖ ଅର୍ଥେ ॥ ୮୬

ଦୁର୍ବାସା-ଶାପ ମହାଘୋର । ନାଶିଲା ସମ୍ପଦ ମୋହର ॥ ୮୭

ସୋମ-ସବିତା-ତେଜ ଗଲା । ନିବିଡ଼ ତମ ପ୍ରକାଶିଲା ॥ ୮୮

କମ୍ପଇ ଏ ତିନିଭୁବନ । ସର୍ବେ ହୋଇଲେ ଦୁଃଖେ ଛନ୍ନ ॥ ୮୯

ଏଣୁ ବିଷ୍ଣୁଭୁବନେ ଯାଇ । କହିଲୁଁ ବ୍ରହ୍ମା ରୁଦ୍ର ଲଇଁ ॥ ୯୦

ସେ ପୁରୁଷୋତ୍ତମ-ବଚନ । ରାଜନ ତୋଷମନେ ଶୁଣ ॥ ୯୧

ବୋଇଲେ ଏ କ୍ଷୀରଜଳଧି । ଅମ୍ଳ-ସଂଯୋଗେ କର ଦଧି ॥ ୯୨

ମନ୍ଦର ଗିରିକି ଆଣିବ । ସମୁଦ୍ର ମଧ୍ୟରେ ସ୍ଥାପିବ ॥ ୯୩

ବାସୁକି ନାଗ ରଜ୍ଜୁ କରି । ଦେବ-ଦାନବେ ତାହା ଧରି ॥ ୯୪

ଯତନେ କରିବ ମନ୍ଥନ । ସୁଧା କରିବ ସୁଖେ ପାନ ॥ ୯୫

ଯେତେ ଉପୁଜିବ ମନ୍ଥନେ । ସକଳେ ମିଳି ତୋଷମନେ ॥ ୯୬

ସମାନ ଭାଗେ ଭୋଗକର । ସନ୍ତୋଷ ମନେ ଦେବାସୁର ॥ ୯୭

ସଂସାର ହେଉ ଏଣେ ରକ୍ଷା । ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା ॥ ୯୮

ଏଣୁ ତୁମ୍ଭର ସଙ୍ଗେ ଆମ୍ଭେ । ମିଳିଲୁ ମନ୍ଥନ-ଆରମ୍ଭେ ॥ ୯୯

ତୁମ୍ଭ ଆମ୍ଭର ଏକଗତି । ଯାହା ବୋଇଲେ ଶିରୀପତି ॥ ୧୦୦

ଏମନ୍ତ ଇନ୍ଦ୍ରମୁଖୁଁ ଶୁଣି । ଅସୁର ମନେମନେ ଗୁଣି ॥ ୧୦୧

ବୋଇଲେ ଶୁଭକର୍ମ ଏହି । ବିଷ୍ଣୁମାୟାରେ ମନ ମୋହି ॥ ୧୦୨

ବଳି ସଙ୍ଗତେ ଉଠି ସର୍ବେ । ସମ୍ମତି କଲେ ପ୍ରିୟଭାବେ ॥ ୧୦୩

ଶମ୍ବରାରିଷ୍ଟ ନେମି ତୁଲେ । ଯେତେ ଦାନବବୀର ଥିଲେ ॥ ୧୦୪

ବିଷ୍ଣୁ-ମୋହନ-ମାୟା ମତେ । ହରଷ ଅସୁରଙ୍କ ଚିତ୍ତେ ॥ ୧୦୫

ଏମନ୍ତେ ଦେବାସୁରଗଣେ । ବେଗେ ମିଳିଲେ ଘୋରବନେ ॥ ୧୦୬

ତୀକ୍ଷ୍ଣ-କୁଠାରେ ବେଗେ ହାଣି । ଅମ୍ଳ-ଔଷଧି-ଗୁଳ୍ମ ଆଣି ॥ ୧୦୭

ପର୍ବତେ ଛେଚି ପ୍ରତି ଶିଳେ । କ୍ଷୀର ସମୁଦ୍ରେ ପକାଇଲେ ॥ ୧୦୮

ବାସୁଦେବର କଥାବାଗେ । ଦଧି ହୋଇଲା ଅମ୍ଳ ଯୋଗେ ॥ ୧୦୯

ଦେବଦାନବେ ଏକମନେ । ମିଳିଲେ ମେରୁ ସନ୍ନିଧାନେ ॥ ୧୧୦

ନାନା ତୀକ୍ଷଣ ଶସ୍ତ୍ର ଧରି । ଉପାଡ଼ି ଘୋରନାଦ କରି ॥ ୧୧୧

ଇନ୍ଦ୍ରର ତୁଲେ ଦେବେ ଯେତେ । ଅସୁରେ ବଳିର ସମେତେ ॥ ୧୧୨

ସମସ୍ତେ ମୁଣ୍ଡେ ଗିରି କଲେ । ବଳେ କେତେହେଁ ଦୂର ନେଲେ ॥ ୧୧୩

କାହୁଁ ବହିବେ ଗିରିବର । ଯେ ଗିରିବରଙ୍କ ଶେଖର ॥ ୧୧୪

ପଥେ ଆଣନ୍ତେ ଗିରିବରେ । ପଡ଼ିଲା ତାହାଙ୍କ ଉପରେ ॥ ୧୧୫

ଚୂର୍ଣ୍ଣ ହୋଇଲେ ମହାଭାରେ । ସକଳେ ପଡ଼ିଲେ ଭୂମିରେ ॥ ୧୧୬

ଶିର ଚରଣ ବାହୁ ଚୂରି । ପଥେ ପଡ଼ିଲା ମହାଗିରି ॥ ୧୧୭

ଦେବଙ୍କ ଦୁଃଖେ ଭଗବାନ । ତକ୍ଷଣେ ଗରୁଡ଼ ଆସନ ॥ ୧୧୮

ପଥେ ମିଳିଲେ ତାଙ୍କ ପାଶେ । ଦେବଙ୍କ ଭକତି ବିଶ୍ୱାସେ ॥ ୧୧୯

କରେ ମନ୍ଦରଗିରି କଲେ । ଦେବ-ଅସୁରଙ୍କୁ ଚାହିଁଲେ ॥ ୧୨୦

ଅମୃତ-ନୟନେ ଅନାଇଁ । ଜୀବନ ଦେଲେ ଭାବଗ୍ରାହୀ ॥ ୧୨୧

ଲାଗନ୍ତେ ଗୋବିନ୍ଦର କର । ତକ୍ଷଣେ ପାଇଲେ ଶରୀର ॥ ୧୨୨

ଗୋବିନ୍ଦ ଏକହସ୍ତେ ଗିରି । ନିଶ୍ଚଳେ ନିଜ କୋଳେ ଧରି ॥ ୧୨୩

ଗରୁଡ଼ ଉଡ଼େ ଶୂନ୍ୟପଥେ । ଦେବ-ଦାନବବଳେ ସାଥେ ॥ ୧୨୪

କ୍ଷୀର ଜଳଧିତଟେ ମିଳି । ଦେବଅସୁର ବନମାଳ ॥ ୧୨୫

ଗରୁଡ଼-କନ୍ଧୁ ଗିରିବର । କୂଳେ ନିବେଶି ଚକ୍ରଧର ॥ ୧୨୬

ଗରୁଡ଼ ଗଲା ନିଜପୁର । ଶୁଣ ପରୀକ୍ଷ ନୃପବର ॥ ୧୨୭

ଦେବ-ଅସୁରଙ୍କର ଭାବ । ଯହୁଁ ଅମୃତ ଉଦଭବ ॥ ୧୨୮

ସୁଜନେ ଏଣେ ଚିତ୍ତ କର । ମାୟା-ସଙ୍କଟରୁ ନିସ୍ତର ॥ ୧୨୯

ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍ମନ୍ଧେ ଭାଗବତ ॥ ୧୩୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ମନ୍ଦରାଚଳ ଆନୟନଂ

ଆୟୋଜନେ ନାମ ଷଷ୍ଠୋଽଧ୍ୟାୟ ॥

* * *