ଅଷ୍ଟମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଶୁକ କହନ୍ତି ଗଙ୍ଗାକୂଳେ । ସକଳ ମହାରଷି ମେଳେ ॥

ଶୁକ ଉବାଚ

ହରି ଚରିତ ସୁଧାସାର । ଗଜ କୁମ୍ଭୀରର ନିସ୍ତାର ॥

ପ୍ରସନ୍ନେ କହି ରାଜା ଆଗେ । ପୁଣ କହନ୍ତି ଅନୁରାଗେ ॥

ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ ଗୋବିନ୍ଦ ଚରିତ ॥

ତୋତେ କହିଲୁ ହରିଗୁଣ । ମନୁ-ଚରିତ ଏବେ ଶୁଣ ॥

ପଞ୍ଚମେ ତାମସ-ସୋଦର । ରୈବତ ନାମେ ମନୁବର ॥

ଅର୍ଜ୍ଜୁନ ବଳିବିନ୍ଧ୍ୟ ନାମ । ତାର ତନୟ ଅନୁପମ ॥

ଇନ୍ଦ୍ର ବସଇ ବିଭୁ ନାମ । ଘେନି ଦେବତା ଋଷିଗଣ ॥

ଦେବତା ଭୂତରୟ ଆଦି । ଏ ଭାବେ ଅମର ପ୍ରସିଦ୍ଧି ॥

ହିରଣ୍ୟରୋମା ବେଦଶିର । ଊର୍ଦ୍ଧ୍ୱବାହୁ ଯେ ମୁନିବର ॥ ୧୦

ବିକୁଣ୍ଠା ନାମେ ଶୁଭ୍ର ନାରୀ । ରୂପେ କମଳା ନୋହେ ସରି ॥ ୧୧

ବୈକୁଣ୍ଠପୁର ଲୋକ ସଙ୍ଗେ । ବିଷ୍ଣୁ ତାହାର ନିଜ ଅଙ୍ଗେ ॥ ୧୨

ଜନ୍ମ ହୋଇଲେ ନିଜଧାମ । ଏଣୁ ବୈକୁଣ୍ଠ ତାର ନାମ ॥ ୧୩

ବୈକୁଣ୍ଠପୁର ମନେ କଳ୍ପି । ଯହିଁ ବିଜୟେ ବିଶ୍ୱରୂପୀ ॥ ୧୪

ସେ ସର୍ବଲୋକ ନମସ୍ତୁତ । ଶୁଣ ନୃପତି ପରୀକ୍ଷିତ ॥ ୧୫

ଲକ୍ଷ୍ମୀର ପ୍ରାର୍ଥନେ ମୁରାରି । କମଳା ତୁଲେ ପ୍ରୀତିକରି ॥ ୧୬

ନିବାସ କଲେ ପ୍ରିୟଭାବେ । ବିଷ୍ଣୁଭକତଙ୍କର ଲାଭେ ॥ ୧୭

ବୈକୁଣ୍ଠ ଗୁଣ ଭାବ ଯେତେ । ଭାବେ କହିଛି ତୋ ଅଗ୍ରତେ ॥ ୧୮

ଏ ବିଷ୍ଣୁଗୁଣ ପରିମାଣୁ । କେ ଗଣିପାରେ ଭୂମିରେଣୁ ॥ ୧୯

ଶୁଣ ରାଜନ ମନତୋଷେ । ଏବେ କହିବା ମନୁବଂଶେ ॥ ୨୦

ଷଷ୍ଠରେ ଚକ୍ଷୁଷଙ୍କ ସୁତ । ଚାକ୍ଷୁଷ ନାମେ ସେ ବିଦିତ ॥ ୨୧

ପୁରୁ ପୁରୁଷ ସୁଦ୍ୟୁମ୍ନ ଯେ । ପ୍ରମୁଖ ଚାକ୍ଷୁଷ ତନୁଜେ ॥ ୨୨

ଇନ୍ଦ୍ରର ନାମ ମନ୍ତ୍ରଦ୍ରୁମ । ଆପ୍ୟାଦି ଦେବଗଣ ନାମ ॥ ୨୩

ହବିଷ୍ମ ବୀରକାଦି ମୁନି । ଉଦୟେ ନିଜଗୁଣ ଘେନି ॥ ୨୪

ସେ ମନୁ କାଳେ ଚକ୍ରଧର । ଦେବ ସମ୍ଭୂତିର ଉଦର ॥ ୨୫

ଅଜିତ ନାମେ ଭଗବାନ । ବୈରାଜ ଋଷିର ନନ୍ଦନ ॥ ୨୬

ଯେ ରୂପେ ସମୁଦ୍ର ମନ୍ଥିଲେ । ସୁରଗଣଙ୍କୁ ସୁଧା ଦେଲେ ॥ ୨୭

ଜଳେ ବୁଡ଼ନ୍ତେ ଗିରିବର । କୂର୍ମ ରୂପେ ଧରି ମନ୍ଦର ॥ ୨୮

ଅମୃତ ଦେଲେ ଦେବଗଣେ । ଅସୁର ମୋହି ସ୍ତିରୀପଣେ ॥ ୨୯

ଶୁକ-ଚରଣ-ତଳେ ବସି । ବୋଲେ ପରୀକ୍ଷ କୁରୁବଂଶୀ ॥ ୩୦

ରାଜା ଉବାଚ

ଭୋ ମୁନି ଅସମ୍ଭବ କଥା । ସମୁଦ୍ର-ମନ୍ଥନ ବ୍ୟବସ୍ଥା ॥ ୩୧

କିମର୍ଥେ ପ୍ରଭୁ ଜନାର୍ଦ୍ଦନ । କଳ୍ପିଲେ କ୍ଷୀରବ୍‌ଧି-ମନ୍ଥନ ॥ ୩୨

କେମନ୍ତେ କୂର୍ମରୂପ ଧରି । ପୃଷ୍ଠେ ବହିଲେ ମହାଗିରି ॥ ୩୩

କେମନ୍ତେ ସର୍ବ ଦେବଗଣ । ସନ୍ତୋଷେ କଲେ ସୁଧାପାନ ॥ ୩୪

ଅନ୍ୟ ବା କି କି ଉପୁଜିଲା । କେତେ ବା ସମ୍ଭୂତ ହୋଇଲା ॥ ୩୫

ବିଷ୍ଣୁ-ଚରିତ ଅଗୋଚର । ଭ୍ରମନ୍ତି ବ୍ରହ୍ମା ଶିବ ସୁର ॥ ୩୬

ହରି-ମହିମା ତୁମ୍ଭ ମୁଖେ । ଶ୍ରବଣେ ପାନକରି ସୁଖେ ॥ ୩୭

ତୃପତ ନୋହିଲା ମୋ ପ୍ରାଣ । ଭୋ ମୁନି କର ପରିତ୍ରାଣ ॥ ୩୮

ଶୁକ କହନ୍ତି ବ୍ରହ୍ମମତେ । ସକଳ ଋଷିଙ୍କ ଅଗ୍ରତେ ॥ ୩୯

ସୂତ ଉବାଚ ଏମନ୍ତେ ପରୀକ୍ଷିତ ବାଣୀ । ଶୁକ ଆନନ୍ଦ ମନେ ଗୁଣି ॥ ୪୦

ହରି-ମହିମା ସୁଖେ ମଜ୍ଜି । ଦଣ୍ଡେ ରହିଲେ ଚକ୍ଷୁ ବୁଜି ॥ ୪୧

ଅନ୍ତସ୍କରଣେ ହରି ଧ୍ୟାୟୀ । କହନ୍ତି ରାଜାମୁଖ ଚାହିଁ ॥ ୪୨

ଶୁକ ଉବାଚ

ପୂର୍ବେ ଯେ ଦେବାସୁର-ରଣେ । ଯୁଦ୍ଧେ ହାରିଲେ ଦେବଗଣେ ॥ ୪୩

ପଡ଼ିଲେ ଗତପ୍ରାଣ ପ୍ରାୟେ । ଜ୍ଞାନ ନ ଲଭନ୍ତି କେବେହେଁ ॥ ୪୪

ଦୁର୍ବାସା ମୁନିଙ୍କର କ୍ରୋଧ । ଧ୍ୱଂସିଲା ଇନ୍ଦ୍ରର ସମ୍ପଦ ॥ ୪୫

ଯଜ୍ଞାଦିକ୍ରିୟା ନାଶ ଗଲା । ଏ ତିନିଭୁବନ କମ୍ପିଲା ॥ ୪୬

ଇନ୍ଦ୍ର ନ ପାରେ ସ୍ୱର୍ଗେ ରହି । ବନେ ପଶିଲା ବେଗେ ଯାଇ ॥ ୪୭

ଭୟେ ନ ରହି ସ୍ୱର୍ଗଲୋକେ । ବନେ ବୁଲନ୍ତି ଏକେ ଏକେ ॥ ୪୮

ତ୍ରୈଲୋକ୍ୟ ଦିଶେ ଅନ୍ଧକାର । ଭୂମି କମ୍ପଇ ଥରହର ॥ ୪୯

ଲକ୍ଷ୍ମୀ ବିହୁନେ ତିନିଲୋକେ । ଦୁଃଖେ ମଜ୍ଜିଲେ ଅତିରେକେ ॥ ୫୦

ଏମନ୍ତେ ଦେବଲୋକେ ଚାହିଁ । ବାସବ ସଙ୍ଗେ ସଙ୍ଗ ହୋଇ ॥ ୫୧

ଦିଗପାଳଙ୍କୁ ସଙ୍ଗ କରି । ଅନେକ ପ୍ରକାରେ ବିଚାରି ॥ ୫୨

ନିସ୍ତାର ନ ପାରିଲେ ଚିନ୍ତି । ମନେ ପାଇଲେ ମହାଭୀତି ॥ ୫୩

ଏମନ୍ତେ କେତେ ଦିନ ରହି । ପୁଣି ସକଳେ ରୁଣ୍ଡ ହୋଇ ॥ ୫୪

ବିଚାର କଲେ ଏକମତେ । କହିବା ବ୍ରହ୍ମାଙ୍କ ଅଗ୍ରତେ ॥ ୫୫

ଇନ୍ଦ୍ର ନଥିଲେ ସୃଷ୍ଟି କାହିଁ । ଆମ୍ଭେ ନ ପାରୁ ସ୍ୱର୍ଗେ ରହି ॥ ୫୬

ଲକ୍ଷ୍ମୀ-ବିହୀନେ ସୃଷ୍ଟି ନଶେ । ସଂସାରେ ଘୋରତମ ଗ୍ରାସେ ॥ ୫୭

ଏମନ୍ତେ ବିଚାରି ସକଳେ । ଶକ୍ରର ସଙ୍ଗେ ଦେବବଳେ ॥ ୫୮

ସୁମେରୁ-ଊର୍ଦ୍ଧ୍ୱେ ବ୍ରହ୍ମସଭା । ଯହିଁ ସକଳ ଋଷିଦେବା ॥ ୫୯

ସେ ସଭାମଧ୍ୟେ ଦେବଗଣେ । ନମିଲେ ଧାତାର ଚରଣେ ॥ ୬୦

ଇନ୍ଦ୍ରଙ୍କୁ କରି ଆଗୁସାର । ବୋଇଲେ ଶୁଣ ବେଦବର ॥ ୬୧

ଦୁର୍ବାସା-କୋପେ ଇନ୍ଦ୍ର ଦୁଃଖୀ । ଆମ୍ଭେ ସକଳ ତାହା ଦେଖି ॥ ୬୨

ତ୍ରୈଲୋକ୍ୟଲକ୍ଷ୍ମୀ କେଣେ ଗଲା । ଦୁଃଖ-ତିମିର ପ୍ରକାଶିଲା ॥ ୬୩

ରବି-ଶଶାଙ୍କ-ହୁତାଶନେ । ତେଜ ନ ଦିଶେ ଲକ୍ଷ୍ମୀହୀନେ ॥ ୬୪

ତ୍ରୈଲୋକ୍ୟଲକ୍ଷ୍ମୀ ଇନ୍ଦ୍ର ମୂଳେ । ସ୍ୱର୍ଗରେ ନ ରହେ ନିଶ୍ଚଳେ ॥ ୬୫

ଇନ୍ଦ୍ରର ତେଜ ଅସ୍ତ ଗଲା । ତେଣୁ ସମ୍ପଦ ନାଶ ହେଲା ॥ ୬୬

ଆମ୍ଭେ ତ ହୋଇଲୁ ଅନାଥ । ଋଷି ସକଳ ବେଦନାଥ ॥ ୬୭

ଏମନ୍ତେ ଦେବଙ୍କ ବଚନ । ଶୁଣି ପଦ୍ମଯୋନି ମଉନ ॥ ୬୮

ଦଣ୍ଡେ ରହିଲେ ଛନ୍ନ ହୋଇ । ଦେବଙ୍କୁ ଚାହିଁ ବିଚାରଇ ॥ ୬୯

ଏ ଇନ୍ଦ୍ରଆଦି ଦିଗପାଳେ । ଗଗନ-ଧରଣୀ-ପାତାଳେ ॥ ୭୦

ଯେତେ ଅଛନ୍ତି ରାଜାଗଣେ । ତେଜ ନ ଦେଖି ଲକ୍ଷ୍ମୀହୀନେ ॥ ୭୧

ଅଶୁଭ ପ୍ରାୟେ ତ ଦିଶଇ । ଏମନ୍ତେ ଦୁଃଖ ମନେ ବହି ॥ ୭୨

ପୁରୁଷୋତ୍ତମ ପାଦମୂଳେ । ଚିନ୍ତିଲେ ସମାଧି ନିଶ୍ଚଳେ ॥ ୭୩

ହରିପ୍ରସନ୍ନ ଲେଶ ପାଇ । ବୋଲନ୍ତି ଦେବଙ୍କୁ ଅନାଇଁ ॥ ୭୪

ଆନନ୍ଦମନେ ବେଦବର । ଦେବଙ୍କୁ ବୋଲନ୍ତି ଉତ୍ତର ॥ ୭୫

ବ୍ରହ୍ମା ଉବାଚ

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ ॥ ୭୬

ବ୍ରହ୍ମା ଶଙ୍କର ଦେବଗଣ । ମନୁଷ୍ୟ ପଶୁ ଗୁଳ୍ମବନ ॥ ୭୭

ଯାହାର ଅଂଶ କଳା ବହି । ଆମ୍ଭେ ସକଳେ ବହୁ ଦେହୀ ॥ ୭୮

ସେ ହରି ଅବ୍ୟୟ ଈଶ୍ୱର । ଆମ୍ଭେ ଯେ ଶରଣ ତାହାର ॥ ୭୯

ଯାହାର ରିପୁ-ମିତ୍ର ନାହିଁ । ରକ୍ଷ-ଅରକ୍ଷ ତାର କାହିଁ ॥ ୮୦

ତଥାପି ସୃଷ୍ଟି ସେ ସଞ୍ଚଇ । ସ୍ୱଭାବେ ତିନିଗୁଣ ବହି ॥ ୮୧

ସୃଷ୍ଟି କରଇ ରଜଗୁଣେ । ସତ୍ତ୍ୱେ ପାଳଇ ବିଷ୍ଣୁପଣେ ॥ ୮୨

ତାମସଗୁଣେ ସଂହରାଇ । ଅନ୍ତରେ ସର୍ବଗୁଣ ବହି ॥ ୮୩

ଏଣୁ ଜଗତଗୁରୁ ପାଦେ । ଶରଣ ପଶ ଅପ୍ରମାଦେ ॥ ୮୪

ତାର ମହିମା ସୁରପ୍ରିୟ । ସୁର-ରକ୍ଷଣେ ବହେ ଦେହ ॥ ୮୫

ଆମ୍ଭ କୁଶଳ ସେ କରିବ । ଅନାଦି ପ୍ରଭୁ ପଦ୍ମନାଭ ॥ ୮୬

ଶୁକ ଉବାଚ

ଏମନ୍ତ ବୋଲି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି ॥ ୮୭

ଆନନ୍ଦେ ଜୟ ଜୟ ନାଦେ । ସର୍ବେ ମିଳିଲେ ବିଷ୍ଣୁପାଦେ ॥ ୮୮

ଯେ ବଇକୁଣ୍ଠ ଯୋଗଗମ୍ୟ । ପରମଆତ୍ମା-ପରଧାମ ॥ ୮୯

ପ୍ରକୃତି ନ ଜାଣଇ ଯାହା । ଯହିଁ ନ ପଶେ ବିଷ୍ଣୁମାୟା ॥ ୯୦

ଅଦୃଷ୍ଟ-ଅଶ୍ରୁତ-ଭୁବନେ । ଦେବେ ମିଳିଲେ ମହାଶୂନ୍ୟେ ॥ ୯୧

ଯହିଁ କି ଜୀବ ଆତ୍ମା ଗଲେ । ପୁଣି ନ ସଞ୍ଚରେ ଶୟଳେ ॥ ୯୨

ଧାତା କପୋଳେ କର ଦେଇ । ବୋଲେ ବୈକୁଣ୍ଠନାଥ ଧ୍ୟାୟୀ ॥ ୯୩

ବ୍ରହ୍ମା ଉବାଚ

ସତ୍ୟ ଅନନ୍ତ ଅବିକାର । ଯେ ନିରଞ୍ଜନ ନିରାକାର ॥ ୯୪

ନିଜ ବିଭୂତି ଅଗୋଚର । ଜନ୍ତୁଙ୍କ ହୃଦେ ଯାର ଘର ॥ ୯୫

ମନରୁ ବେଗବନ୍ତ ଯେହି । ମନ-ବଚନେ ଭେଦ କାହିଁ ॥ ୯୬

ବରେଣ୍ୟ-ଦେବବର ପାଦେ । ଆମ୍ଭେ ମିଳିଲୁ ଅପ୍ରମାଦେ ॥ ୯୭

ସ୍ୱଭାବେ ମନ ପ୍ରାଣ ବୁଦ୍ଧି । ଏ ଯହିଁ ନ ପାରନ୍ତି ଭେଦି ॥ ୯୮

ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟ । ଉନିଦ୍ର-ଭାବେ ଅବିନାଶ ॥ ୯୯

ଛାୟା-ଆତପେ ଯେନ ମିଶେ । ଅକ୍ଷୟ-ଶୂନ୍ୟେ ପରକାଶେ ॥ ୧୦୦

ତ୍ରିଗୁଣ-ରୂପ ଯେ ବୋଲାଇ । ଆମ୍ଭେ ଶରଣ ଗଲୁ ତହିଁ ॥ ୧୦୧

ଏ ଜୀବ ଚକ୍ରରୂପ ଧରେ । ମାୟାରେ ମଣ୍ଡଳେ ସଞ୍ଚରେ ॥ ୧୦୨

ତ୍ରିଗୁଣେ ତ୍ରିନାଭି ତାହାର । ଯେ ଚକ୍ରେ ପଞ୍ଚଦଶ ଅର ॥ ୧୦୩

ଦଶଇନ୍ଦ୍ରିୟ ପଞ୍ଚପ୍ରାଣ । ଅଷ୍ଟପ୍ରକୃତି ନେମି ଜାଣ ॥ ୧୦୪

ସେ ଚକ୍ର ଅକ୍ଷ ଆତ୍ମାରୂପୀ । ଯେ ଆଦି-ଅନ୍ତ-ମଧ୍ୟେ ବ୍ୟାପୀ ॥ ୧୦୫

ସେ ସତ୍ୟସ୍ୱରୂପ ଚରଣେ । ଆମ୍ଭେ ଯେ ପଶିଲୁ ଶରଣେ ॥ ୧୦୬

ଯାହାର ଜ୍ୟୋତି ପରକାଶ । ନିର୍ମଳ କରେ ଦଶଦିଶ ॥ ୧୦୭

ଯୋଗୀଏ ଯୋଗମାର୍ଗେ ଥାଇ । କାଳ ହରନ୍ତି ଯାରେ ଧ୍ୟାୟୀ ॥ ୧୦୮

କେହି ଯାହାର ମାୟାଭ୍ରମ । ତରଣେ ନ ହୁଅନ୍ତି କ୍ଷମ ॥ ୧୦୯

ଯା ମାୟା ଜଗତେ ସଞ୍ଚରେ । ଅନନ୍ତ ନାନାରୂପ ଧରେ ॥ ୧୧୦

ନିର୍ଜିତମାୟା ମାୟାଗୁଣ । ପରମ ପୁରୁଷ ପୁରାଣ ॥ ୧୧୧

ଜନ୍ତୁଙ୍କ ଦେହେ ସମରୂପୀ । ତେଜେ ସଞ୍ଚରେ ସର୍ବବ୍ୟାପୀ ॥ ୧୧୨

ତାର ଚରଣେ ନମସ୍କାର । ଯେ ପ୍ରଭୁ ପରମଈଶ୍ୱର ॥ ୧୧୩

ଏ ଦେବଗଣ ବ୍ରହ୍ମା ଆଦି । ସେ କ୍ରୀଡ଼ା-ଅର୍ଥରେ ସମ୍ପାଦି ॥ ୧୧୪

ସତ୍ତ୍ୱ-ସଂଯୋଗ ସୃଷ୍ଟି କରି । ତହିଁ ଯେ ସୂକ୍ଷ୍ମରୂପ ଧରି ॥ ୧୧୫

ଦିଶଇ ଅନ୍ତର-ବାହିଯ୍ୟେ । ପ୍ରଦୀପ ଯେହ୍ନେ ଗୃହମାଝେ ॥ ୧୧୬

ଯାହାର ସୂକ୍ଷ୍ମଗତି ଆମ୍ଭେ । ଜାଣି ନ ପାରୁ ଜ୍ଞାନଦମ୍ଭେ ॥ ୧୧୭

ସଂସାର ମଧ୍ୟେ ଛନ୍ତି ଯେତେ । ସେ ଅବା ଜାଣିବେ କେମନ୍ତେ ॥ ୧୧୮

ଏ ମହୀ ଯାର ବେନିପାଦ । ସ୍ୱକୃତ-ପ୍ରାଣୀ ଚତୁର୍ବିଧ ॥ ୧୧୯

ଯେ କର୍ମ-ଗହଳେ ସଞ୍ଚରି । ଶରୀର ବହେ ନରହରି ॥ ୧୨୦

ମହାପୁରୁଷ ଆତ୍ମତନ୍ତ୍ର । ମହାବିଭୂତି ବ୍ରହ୍ମତତ୍ତ୍ୱ ॥ ୧୨୧

ପ୍ରସନ୍ନ ହେଉ ସେ ଆମ୍ଭଙ୍କୁ । ଶରଣ ପଶିଲୁ ତାହାଙ୍କୁ ॥ ୧୨୨

ଜଳ ଯାହାର ବୀର୍ଯ୍ୟ ହୋଇ । ସ୍ୱଭାବେ ତାର ତେଜ ବହି ॥ ୧୨୩

ଅଖିଳଲୋକ-ଲୋକପାଳେ । ତିନିଭୁବନ ଯାର ବଳେ ॥ ୧୨୪

ଭୂତ ସଞ୍ଚଇ ଜୀବ ରୂପେ । ସେ ହ୍ରାସ-ବୃଦ୍ଧି ଅନୁରୂପେ ॥ ୧୨୫

ମହାବିଭୂତି ବ୍ରହ୍ମ ଯେହୁ । ଆମ୍ଭ ବିଷୟେ ଦୟାବହୁ ॥ ୧୨୬

ସୋମ ଯାହାର ମନ ହୋଏ । ଦେବଙ୍କ ଅନ୍ନ-ଆୟୁ ବହେ ॥ ୧୨୭

ସ୍ଥାବରଙ୍କର ଯେ ଈଶ୍ୱର । ପ୍ରଜାଙ୍କ ରକ୍ଷା ବୃଦ୍ଧିକର ॥ ୧୨୮

ମହାବିଭୂତି ବ୍ରହ୍ମରୂପ । ସେ ହରି ହରୁ ଆମ୍ଭ ତାପ ॥ ୧୨୯

ଯାହାର ମୁଖୁଁ ଅଗ୍ନିଜାତ । ତେଜେ ପ୍ରତାପଇ ଜଗତ ॥ ୧୩୦

କ୍ରିୟାକାଣ୍ଡ ନିମିତ୍ତେ ଜନ୍ମ । ସେ ସର୍ବସାଧ୍ୟେ ସିଦ୍ଧକର୍ମ ॥ ୧୩୧

ଅନ୍ତଃ-ସମୁଦ୍ରେ ଅଗ୍ନି ବହି । ଆହାର ରୂପେ ଯେ ଭୁଞ୍ଜଇ ॥ ୧୩୨

ଯାହାର ଚକ୍ଷୁ ମାରତଣ୍ଡ । ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ ॥ ୧୩୩

ସେ ଦେବପାଳ ତ୍ରୟୀମୟ । ବ୍ରହ୍ମର ସ୍ଥାନ ଶୁଦ୍ଧଦେହ ॥ ୧୩୪

ମୁକ୍ତିର ଦ୍ୱାର ସେ ବୋଲାଇ । ଅମୃତ ମୃତ୍ୟୁରୂପ ହୋଇ ॥ ୧୩୫

ଚରାଚରଙ୍କ ଦେହ-ପ୍ରାଣ । ଯେ କରେ ପ୍ରାଣୀ ପରିତ୍ରାଣ ॥ ୧୩୬

ପ୍ରକାଶେ ସହ-ଓଜ-ବଳେ । ଯାର ବିହାର ଏ ଶୟଳେ ॥ ୧୩୭

ଯାର ଶ୍ରବଣ ଦଶଦିଶ । ହୃଦୟ ପ୍ରକାଶେ ଆକାଶ ॥ ୧୩୮

ଯାହାର ନାଭି ଅନ୍ତରୀକ୍ଷ । ମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ ॥ ୧୩୯

ପ୍ରାଣ ଇନ୍ଦ୍ରିୟ ଆତ୍ମାହେତୁ । ଯାର ପ୍ରସନ୍ନେ ଜ୍ଞାନତତ୍ତୁ ॥ ୧୪୦

ତ୍ରିଦଶଦେବଙ୍କର ନାଥ । ଇନ୍ଦ୍ର ଯାହାର ବଳୁଁ ଜାତ ॥ ୧୪୧

ଯାହାର ପ୍ରାଣେ ଜନ୍ତୁପ୍ରାଣ । ଏଣୁ ଏ ସର୍ବ ପରିତ୍ରାଣ ॥ ୧୪୨

ଯାହା ପ୍ରସାଦୁଁ ଦେବେ ହୋନ୍ତି । କ୍ରୋଧରୁ ହୋଏ ପଶୁପତି ॥ ୧୪୩

ବୁଦ୍ଧିରୁ ବ୍ରହ୍ମା ଜାତ ହୋଏ । ଲୋକେ ପ୍ରକାଶ ଯାର ଦେହେ ॥ ୧୪୪

ଇନ୍ଦ୍ରିୟ-ଛିଦ୍ରୁଁ ଜାତ ଛନ୍ଦେ । ମେଢ଼ୁଁ ପ୍ରଜାପତି ଆନନ୍ଦେ ॥ ୧୪୫

କମଳା ତାର ବକ୍ଷସ୍ଥଳ । ଛାୟା ସମ୍ଭବେ ପିତୃକୁଳ ॥ ୧୪୬

ଧର୍ମ-ଉଦିତ ସ୍ତନଯୁଗେ । ଅର୍ଧମ ଯାର ପୃଷ୍ଠଭାଗେ ॥ ୧୪୭

ସ୍ୱର୍ଗ ଯା ଶିରୂଁ ଉତପନ୍ନ । ବିହାରୁ ଅପସରାଗଣ ॥ ୧୪୮

ଯେ ମହାବିଭୂତି ଶରଣ । ଆମ୍ଭଙ୍କୁ କରୁ ପରିତ୍ରାଣ ॥ ୧୪୯

ବିପ୍ର ଯାହାର ମୁଖୁଁ ଜାତ । ବ୍ରହ୍ମା-ନିର୍ମାଣ-ଗୁହ୍ୟତତ୍ତ୍ୱ ॥ ୧୫୦

କ୍ଷତ୍ରିୟ ଭୁଜୁଁ ଜନ୍ମ ବଳ । ଉରୁ ସମ୍ଭୂତ ବୈଶ୍ୟକୁଳ ॥ ୧୫୧

ଶୂଦ୍ର ଚରଣୁଁ ଉତପତ୍ତି। ଯେ ବ୍ରହ୍ମ ପରମ ବିଭୂତି ॥ ୧୫୨

ଉପର ଓଷ୍ଠୁ ପ୍ରୀତି ଜାତ । ଅଧରୁ ଲୋଭ ଯେ ସମ୍ଭୂତ ॥ ୧୫୩

କାନ୍ତି ଯାହାର ନାସିକାରୁ । ସମ୍ଭବ ହୁଅଇ ସ୍ପର୍ଶରୁ ॥ ୧୫୪

ପାଶବ୍ୟକାମର ସମ୍ଭବ । ଯମ ଯାହାର ଜାତ ଭୁବ ॥ ୧୫୫

କାଳ ସମ୍ଭବ ପକ୍ଷ୍ମଦେଶେ । କରାଳ ଦିଶେ ବେନିପାଶେ ॥ ୧୫୬

ଦ୍ରବ୍ୟ ବୟସ କର୍ମ ଗୁଣ । ଯା ମାୟା ପ୍ରକାଶେ ଲକ୍ଷଣ ॥ ୧୫୭

ଯେ ଉପଶାନ୍ତି ଶକ୍ତି ବହେ । ଆମ୍ଭେ ଯେ ନମୁ ତାର ପାଏ ॥ ୧୫୮

ସତ୍ୟରେ ଯେ ପ୍ରତିପୂଜିତ । ମାୟା ଚରିତ ଗୁଣେ ସ୍ଥିତ ॥ ୧୫୯

ସେ ହରି ଦେଖାଉ ଶରୀର । ଯେ ନୋହେ କରଣେ ଗୋଚର ॥ ୧୬୦

ଯା ସୁଖ ଦେଖିବାର ଅର୍ଥେ । ଶରଣ ଗଲୁ ପାଦଗତେ ॥ ୧୬୧

ସୁଜନେ କର ଏଣେ ଭାବ । ଯେ ନାବେ ସଂସାରୁ ତରିବ ॥ ୧୬୨

କଳି-କଳ୍ମଷ ନାଶ ପାଇଁ । ଏ ବିନୁ ଆନଗତି ନାହିଁ ॥ ୧୬୩

ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଅମୃତମନ୍ଥନ ଆୟୋଜନେ ପଞ୍ଚମୋଽଧ୍ୟାୟଃ ॥

* * *