ଅଷ୍ଟମ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ହେତୁ ହୋଇ । ହରି-ଚରଣେ ମନ ଦେଇ ॥ ୧
ବରୁଣ ହ୍ରଦେ ଚକ୍ରପାଣି । ଗଜେନ୍ଦ୍ର ମୋକ୍ଷ କଲେ ଶୁଣି ॥ ୨
ଦେଖିବା ଅର୍ଥେ ଦେବଗଣେ । ମଙ୍ଗଳ-ସ୍ତୁତି ଉଚ୍ଚାରଣେ ॥ ୩
ବ୍ରହ୍ମା ଶଙ୍କର ଦେବଋଷି । ଗନ୍ଧର୍ବେ କୁସୁମ ବରଷି ॥ ୪
ହରିର କର୍ମ ପ୍ରଶଂସନେ । ମିଳିଲେ ଗଜ-ସନ୍ନିଧ୍ୟାନେ ॥ ୫
ଦେବଦୁନ୍ଦୁଭି ନାଦ କରି । ନୃତ୍ୟ କରନ୍ତି ଅପସରୀ ॥ ୬
ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ । ମଙ୍ଗଳ-ସ୍ତୁତି ଉପଚାରେ ॥ ୭
ଋଷି-ଚାରଣ-ସିଦ୍ଧଗଣେ । ଆଗମ-ନିଗମ ପ୍ରମାଣେ ॥ ୮
ପୁରୁଷୋତ୍ତମ ରୂପ ଚାହିଁ । ସ୍ତୁତି କରନ୍ତି ଭାବବହି ॥ ୯
ଭୂମି ଅନ୍ତରୀକ୍ଷ ଗଗନେ । ମଙ୍ଗଳ ସ୍ତୁତି ତୋଷମନେ ॥ ୧୦
କରନ୍ତି ଜୟ ଜୟ ବାଣୀ । କୁମ୍ଭୀର-ଦେହ ଜଳୁ ପୁଣି ॥ ୧୧
ତକ୍ଷଣେ ହୋଇଲା ବାହାର । କି ଅବା ଦେବା ପଟାନ୍ତର ॥ ୧୨
ରବି-ଶଶାଙ୍କ-ଅଗ୍ନି ଗଞ୍ଜେ । ଅଦ୍ଭୁତ ରୂପ ତେଜପୁଞ୍ଜେ ॥ ୧୩
ଦେବଳ ଶାପୁଁ ପାର ଗଲା । ଯେ ବିଷ୍ଣୁଚକ୍ରେ ପ୍ରାଣ ଦେଲା ॥ ୧୪
ହୁହୁ ଗନ୍ଧର୍ବ ତାର ନାମ । ସ୍ୱଭାବେ ରୂପ ତେଜଧାମ ॥ ୧୫
ଦେଖନ୍ତି ସର୍ବ ଦେବଗଣେ । ବିଷ୍ଣୁ ଚରଣେ ତୋଷମନେ ॥ ୧୬
ଶତପ୍ରଣାମ ଦଣ୍ଡବତେ । ନମିଲା ହରି ପାଦାଗ୍ରତେ ॥ ୧୭
ଉଠି ଅଞ୍ଜଳି ଶିରେ ଦେଇ । ଗାନ୍ଧାର-ରାଗେ ଗୀତ ଗାଇ ॥ ୧୮
ଆନନ୍ଦେ ନମିଲା ଚରଣେ । ହରିର ଆଜ୍ଞା ପରମାଣେ ॥ ୧୯
ଦେଖନ୍ତି ସର୍ବ ଦେବତାଏ । ଗମିଲା ଗନ୍ଧର୍ବର ଦେହେ ॥ ୨୦
ଗଜ ଯେ ଥିଲା କୃଷ୍ଣପାଶେ । ଗୋବିନ୍ଦ ଚରଣ-ସ୍ପରଶେ ॥ ୨୧
ତକ୍ଷଣେ ହୋଇ କୃତକୃତ୍ୟ । ଅଜ୍ଞାନ-ବନ୍ଧନୁ ବିମୁକ୍ତ ॥ ୨୨
ବିଷ୍ଣୁର ରୂପ ପରକାଶେ । ରତ୍ନକୁଣ୍ଡଳ ରବି ତ୍ରାସେ ॥ ୨୩
କଟୀରେ ପୀତବସ୍ତ୍ର ଶୋହେ । ହାର କେୟୂର ଜନ ମୋହେ ॥ ୨୪
ସୁନ୍ଦର ଶୋହେ ଚାରିଭୁଜ । ବିଷ୍ଣୁ-ଆୟୁଧ ଦିବ୍ୟତେଜ ॥ ୨୫
ତକ୍ଷଣେ ଦିବ୍ୟରୂପ ହୋଇ । ଗରୁଡ଼ ପୃଷ୍ଠରେ ଆରୋହି ॥ ୨୬
ଗରୁଡ଼ ଉଡ଼ି ମହାଶୂନ୍ୟେ । ପଶିଲା ବିଷ୍ଣୁର ଭୁବନେ ॥ ୨୭
ଶୁଣ ପରୀକ୍ଷ ନରନାଥ । ସେ ଗଜଇନ୍ଦ୍ରର ଚରିତ ॥ ୨୮
ଦ୍ରାବିଡ଼ି-ଦେଶେ ପାଣ୍ଡ୍ୟନାମ । ଶୁଭସୁନ୍ଦର ଗୁଣଧାମ ॥ ୨୯
ରାଜା ଯେ ଇନ୍ଦ୍ରଦ୍ୟୁମ୍ନ ନାମ । ବିଷ୍ଣୁର ବ୍ରତ ପରାୟଣ ॥ ୩୦
ସେ ରାଜା ବସି ଏକଦିନେ । ବିଷ୍ଣୁପୂଜନେ ଦୃଢ଼ମନେ ॥ ୩୧
ନିଶ୍ଚଳେ ବସି କୁଳାଚଳେ । ମନ ନିବେଶି ପାଦମୂଳେ ॥ ୩୨
ମଉନବ୍ରତେ ଜପକରି । ଧ୍ୟାନେ ଚିନ୍ତଇ ନରହରି ॥ ୩୩
ଜଟା-କଳାପ ଶିରେ ସାଜେ । ପ୍ରକାଶେ ବନଭୂମି ତେଜେ ॥ ୩୪
ଅନେକ ଶିଷ୍ୟଗଣ ତୁଲେ । ଅଗସ୍ତି ମୁନି ବିଜେ କଲେ ॥ ୩୫
ତାହାଙ୍କୁ ଦେଖି ନ ଉଠିଲା । ସୁଖେ ସମ୍ଭାଷଣ ନ କଲା ॥ ୩୬
ଏମନ୍ତ ଦେଖି ମୁନିଗଣେ । ବେଗେ ଉଠିଲେ କୋପମନେ ॥ ୩୭
ବୋଲନ୍ତି ଏକ ଆରେ ଚାହିଁ । ଦେଖ ଏହାର ଜ୍ଞାନ ନାହିଁ ॥ ୩୮
ଅବଜ୍ଞା କଲା ବିପ୍ରଗଣେ । ଗଜର ପ୍ରାୟେ ମୂଢ଼ପଣେ ॥ ୩୯
ରାଜସମ୍ପଦ ଗର୍ବଭରେ । ବିପ୍ରଙ୍କୁ ଅମାନନା କରେ ॥ ୪୦
ଅନ୍ତେ ପଡ଼ିବ ତମଘୋରେ । କେବେହେଁ ଦୁଃଖୁଁ ନ ନିସ୍ତରେ ॥ ୪୧
ଏ ଧର୍ମଦୂଷଣ ପ୍ରସ୍ତାବେ । ଗଜ ଏ ହେବ ଏହି ଭାବେ ॥ ୪୨
ଗହନ-ବନେ ଚିରକାଳେ । ଗ୍ରାହ ଗ୍ରାସିବ ହ୍ରଦଜଳେ ॥ ୪୩
ଏମନ୍ତ ଶାପ ତାକୁ ଦେଇ । ମୁନିଏ ଗଲେ ପଥ ବାହି ॥ ୪୪
ସେ ରାଜା ପ୍ରାଣତ୍ୟାଗ କାଳେ । ଗଜ ଦେଖିଲା ବେନିଡ଼ୋଳେ ॥ ୪୫
ଯେ ଗଜଯୋନି ଜ୍ଞାନ ହରେ । ନିବାସ ଘନ-ବନ-ଘୋରେ ॥ ୪୬
ଯେଣୁ ଗୋବିନ୍ଦ ଭଜିଥିଲା । ସେ ଭାବେ ହରି ସୁମରିଲା ॥ ୪୭
ଏମନ୍ତେ ଗଜ ମୋକ୍ଷ କରି । ନିଜ ଭୁବନେ ଗଲେ ହରି ॥ ୪୮
ଏବେ ହୋ ପରୀକ୍ଷିତ ଶୁଣ । କହିଲି ଗଜେନ୍ଦ୍ରମୋକ୍ଷଣ ॥ ୪୯
ଏକଥା ଫଳ ଶୁଣ ଏବେ । ଯେ ନର ଶୁଣେ ଭକ୍ତିଭାବେ ॥ ୫୦
ଯେ ଅବା ଉଚ୍ଚାରେ ବଦନେ । ଯେବା ପୁଚ୍ଛନ୍ତି ଅନ୍ୟ ଅନ୍ୟେ ॥ ୫୧
ସର୍ବସମ୍ପଦ ଯଶସ୍କର । କଳି-କଳୁଷ ଦୁଃଖ ହର ॥ ୫୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ସ୍ମରଣେ ନାଶେ ସର୍ବପୀଡ଼ା ॥ ୫୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଯେବା ଚିନ୍ତନ୍ତି ଏହା ମନେ ॥ ୫୪
ରଜନୀ ଅନ୍ତେ ଉଷାକାଳେ । କର-ବଦନ ଧୋଇ ଜଳେ ॥ ୫୫
ଗଜେନ୍ଦ୍ରମୋକ୍ଷ ଯେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି ॥ ୫୬
ଦୁଃସ୍ୱପ୍ନ ଗ୍ରହପୀଡ଼ା ନାଶେ । ନିର୍ମଳଜ୍ଞାନ ପରକାଶେ ॥ ୫୭
ସକଳ ଦେବଋଷି ମଧ୍ୟେ । ଗୋବିନ୍ଦ କହିଲେ ଆନନ୍ଦେ ॥ ୫୮
ଗଜେନ୍ଦ୍ର ମୁଖ ଚାହିଁ ହରି । କହନ୍ତି ଜନେ ଦୟାକରି ॥ ୫୯
ଭଗବାନ ଉବାଚ
ଗଜେନ୍ଦ୍ର ଶୁଣ ମୋ ବଚନ । ଅଶେଷ ଦୁରିତ ଦହନ ॥ ୬୦
ଯେ ନର ଅହୋରାତ୍ର ଅନ୍ତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ ॥ ୬୧
ମୋତେ ସ୍ମରିବ ସଙ୍ଗେ ତୋର । ଆବର ଏହି ସରୋବର ॥ ୬୨
ପର୍ବତ-କନ୍ଦର-କାନନ । ବେତ କୀଚକ ବେଣୁବନ ॥ ୬୩
ସୁରପାଦପ ଗୁଳ୍ମ ଆଦି । ପର୍ବତ-ତ୍ରିଶୃଙ୍ଗ ସମ୍ପାଦି ॥ ୬୪
ବ୍ରହ୍ମା-ଭୁବନ ମୋ ନିବାସ । ଶଙ୍କର ସ୍ଥାନ କପିଳାସ ॥ ୬୫
କ୍ଷୀରଜଳଧି ପ୍ରିୟ ମୋର । ଯେ ଶ୍ୱେତଦୀପ ମନୋହର ॥ ୬୬
ଶ୍ରୀବତ୍ସ କଉସ୍ତୁଭ ମଣି । ଚତୁରଭୁଜ ପରିମାଣି ॥ ୬୭
ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା ॥ ୬୮
ବିନତାନନ୍ଦନ ଅନନ୍ତ । କମଳା ମୋର ହୃଦେ ସ୍ଥିତ ॥ ୬୯
ବ୍ରହ୍ମା ଶଙ୍କର ଯେ ନାରଦ । ଭକତ ମଧ୍ୟେ ପ୍ରହଲ୍ଲାଦ ॥ ୭୦
ମତ୍ସ୍ୟକଚ୍ଛପ କୋଳ ଆଦି । ଯେ ରୂପ ଅଛି ମୁଁ ସମ୍ପାଦି ॥ ୭୧
ଅଶେଷ ଗୁଣ କର୍ମ ଯେତେ । ମୋହର ଯଶ ଏ ଜଗତେ ॥ ୭୨
ରବି ଶଶାଙ୍କ ହୁତାଶନ । ପ୍ରଣବ ସତ୍ୟ ଯେ ବଚନ ॥ ୭୩
ଗୋ ବିପ୍ର ଆଦି ଧର୍ମ ଯେତେ । ଋଷି ଦେବତା ଯଜ୍ଞମତେ ॥ ୭୪
ଦକ୍ଷଦୁହିତା ମନୁ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୭୫
ସୋମ କଶ୍ୟପବଂଶ ଆଦି । ସୃଷ୍ଟି-ସର୍ଜନେ ଯେ ପ୍ରସିଦ୍ଧି ॥ ୭୬
ଗଙ୍ଗା କାଳିନ୍ଦୀ ସରସ୍ୱତୀ । ଅଇରାବତ ନନ୍ଦାବତୀ ॥ ୭୭
ଧ୍ରୁବାଦି ସପ୍ତଋଷି ଯେତେ । ଯେ ପୁଣ୍ୟଶ୍ଳୋକ ଏ ଜଗତେ ॥ ୭୮
ସ୍ମରଣେ ସର୍ବପାପ ହରେ । ଏ ଘୋର-ସଙ୍କଟୁ ନିସ୍ତରେ ॥ ୭୯
ଶୁକ ଉବାଚ
ଏମନ୍ତ କହି ଦେବବୃନ୍ଦେ । ସେ ହରି ପରମଆନନ୍ଦେ ॥ ୮୦
ଆରୋହି ଗରୁଡ଼ ଉପରେ । ତକ୍ଷଣେ ଗଲେ ନିଜପୁରେ ॥ ୮୧
ସୁଜନ ହିତେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣଂ ନାମ ଚତୁର୍ଥୋଽଧ୍ୟାୟଃ ॥
* * *