ଅଷ୍ଟମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ହେତୁ ହୋଇ । ହରି-ଚରଣେ ମନ ଦେଇ ॥

ବରୁଣ ହ୍ରଦେ ଚକ୍ରପାଣି । ଗଜେନ୍ଦ୍ର ମୋକ୍ଷ କଲେ ଶୁଣି ॥

ଦେଖିବା ଅର୍ଥେ ଦେବଗଣେ । ମଙ୍ଗଳ-ସ୍ତୁତି ଉଚ୍ଚାରଣେ ॥

ବ୍ରହ୍ମା ଶଙ୍କର ଦେବଋଷି । ଗନ୍ଧର୍ବେ କୁସୁମ ବରଷି ॥

ହରିର କର୍ମ ପ୍ରଶଂସନେ । ମିଳିଲେ ଗଜ-ସନ୍ନିଧ୍ୟାନେ ॥

ଦେବଦୁନ୍ଦୁଭି ନାଦ କରି । ନୃତ୍ୟ କରନ୍ତି ଅପସରୀ ॥

ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ । ମଙ୍ଗଳ-ସ୍ତୁତି ଉପଚାରେ ॥

ଋଷି-ଚାରଣ-ସିଦ୍ଧଗଣେ । ଆଗମ-ନିଗମ ପ୍ରମାଣେ ॥

ପୁରୁଷୋତ୍ତମ ରୂପ ଚାହିଁ । ସ୍ତୁତି କରନ୍ତି ଭାବବହି ॥

ଭୂମି ଅନ୍ତରୀକ୍ଷ ଗଗନେ । ମଙ୍ଗଳ ସ୍ତୁତି ତୋଷମନେ ॥ ୧୦

କରନ୍ତି ଜୟ ଜୟ ବାଣୀ । କୁମ୍ଭୀର-ଦେହ ଜଳୁ ପୁଣି ॥ ୧୧

ତକ୍ଷଣେ ହୋଇଲା ବାହାର । କି ଅବା ଦେବା ପଟାନ୍ତର ॥ ୧୨

ରବି-ଶଶାଙ୍କ-ଅଗ୍ନି ଗଞ୍ଜେ । ଅଦ୍ଭୁତ ରୂପ ତେଜପୁଞ୍ଜେ ॥ ୧୩

ଦେବଳ ଶାପୁଁ ପାର ଗଲା । ଯେ ବିଷ୍ଣୁଚକ୍ରେ ପ୍ରାଣ ଦେଲା ॥ ୧୪

ହୁହୁ ଗନ୍ଧର୍ବ ତାର ନାମ । ସ୍ୱଭାବେ ରୂପ ତେଜଧାମ ॥ ୧୫

ଦେଖନ୍ତି ସର୍ବ ଦେବଗଣେ । ବିଷ୍ଣୁ ଚରଣେ ତୋଷମନେ ॥ ୧୬

ଶତପ୍ରଣାମ ଦଣ୍ଡବତେ । ନମିଲା ହରି ପାଦାଗ୍ରତେ ॥ ୧୭

ଉଠି ଅଞ୍ଜଳି ଶିରେ ଦେଇ । ଗାନ୍ଧାର-ରାଗେ ଗୀତ ଗାଇ ॥ ୧୮

ଆନନ୍ଦେ ନମିଲା ଚରଣେ । ହରିର ଆଜ୍ଞା ପରମାଣେ ॥ ୧୯

ଦେଖନ୍ତି ସର୍ବ ଦେବତାଏ । ଗମିଲା ଗନ୍ଧର୍ବର ଦେହେ ॥ ୨୦

ଗଜ ଯେ ଥିଲା କୃଷ୍ଣପାଶେ । ଗୋବିନ୍ଦ ଚରଣ-ସ୍ପରଶେ ॥ ୨୧

ତକ୍ଷଣେ ହୋଇ କୃତକୃତ୍ୟ । ଅଜ୍ଞାନ-ବନ୍ଧନୁ ବିମୁକ୍ତ ॥ ୨୨

ବିଷ୍ଣୁର ରୂପ ପରକାଶେ । ରତ୍ନକୁଣ୍ଡଳ ରବି ତ୍ରାସେ ॥ ୨୩

କଟୀରେ ପୀତବସ୍ତ୍ର ଶୋହେ । ହାର କେୟୂର ଜନ ମୋହେ ॥ ୨୪

ସୁନ୍ଦର ଶୋହେ ଚାରିଭୁଜ । ବିଷ୍ଣୁ-ଆୟୁଧ ଦିବ୍ୟତେଜ ॥ ୨୫

ତକ୍ଷଣେ ଦିବ୍ୟରୂପ ହୋଇ । ଗରୁଡ଼ ପୃଷ୍ଠରେ ଆରୋହି ॥ ୨୬

ଗରୁଡ଼ ଉଡ଼ି ମହାଶୂନ୍ୟେ । ପଶିଲା ବିଷ୍ଣୁର ଭୁବନେ ॥ ୨୭

ଶୁଣ ପରୀକ୍ଷ ନରନାଥ । ସେ ଗଜଇନ୍ଦ୍ରର ଚରିତ ॥ ୨୮

ଦ୍ରାବିଡ଼ି-ଦେଶେ ପାଣ୍ଡ୍ୟନାମ । ଶୁଭସୁନ୍ଦର ଗୁଣଧାମ ॥ ୨୯

ରାଜା ଯେ ଇନ୍ଦ୍ରଦ୍ୟୁମ୍ନ ନାମ । ବିଷ୍ଣୁର ବ୍ରତ ପରାୟଣ ॥ ୩୦

ସେ ରାଜା ବସି ଏକଦିନେ । ବିଷ୍ଣୁପୂଜନେ ଦୃଢ଼ମନେ ॥ ୩୧

ନିଶ୍ଚଳେ ବସି କୁଳାଚଳେ । ମନ ନିବେଶି ପାଦମୂଳେ ॥ ୩୨

ମଉନବ୍ରତେ ଜପକରି । ଧ୍ୟାନେ ଚିନ୍ତଇ ନରହରି ॥ ୩୩

ଜଟା-କଳାପ ଶିରେ ସାଜେ । ପ୍ରକାଶେ ବନଭୂମି ତେଜେ ॥ ୩୪

ଅନେକ ଶିଷ୍ୟଗଣ ତୁଲେ । ଅଗସ୍ତି ମୁନି ବିଜେ କଲେ ॥ ୩୫

ତାହାଙ୍କୁ ଦେଖି ନ ଉଠିଲା । ସୁଖେ ସମ୍ଭାଷଣ ନ କଲା ॥ ୩୬

ଏମନ୍ତ ଦେଖି ମୁନିଗଣେ । ବେଗେ ଉଠିଲେ କୋପମନେ ॥ ୩୭

ବୋଲନ୍ତି ଏକ ଆରେ ଚାହିଁ । ଦେଖ ଏହାର ଜ୍ଞାନ ନାହିଁ ॥ ୩୮

ଅବଜ୍ଞା କଲା ବିପ୍ରଗଣେ । ଗଜର ପ୍ରାୟେ ମୂଢ଼ପଣେ ॥ ୩୯

ରାଜସମ୍ପଦ ଗର୍ବଭରେ । ବିପ୍ରଙ୍କୁ ଅମାନନା କରେ ॥ ୪୦

ଅନ୍ତେ ପଡ଼ିବ ତମଘୋରେ । କେବେହେଁ ଦୁଃଖୁଁ ନ ନିସ୍ତରେ ॥ ୪୧

ଏ ଧର୍ମଦୂଷଣ ପ୍ରସ୍ତାବେ । ଗଜ ଏ ହେବ ଏହି ଭାବେ ॥ ୪୨

ଗହନ-ବନେ ଚିରକାଳେ । ଗ୍ରାହ ଗ୍ରାସିବ ହ୍ରଦଜଳେ ॥ ୪୩

ଏମନ୍ତ ଶାପ ତାକୁ ଦେଇ । ମୁନିଏ ଗଲେ ପଥ ବାହି ॥ ୪୪

ସେ ରାଜା ପ୍ରାଣତ୍ୟାଗ କାଳେ । ଗଜ ଦେଖିଲା ବେନିଡ଼ୋଳେ ॥ ୪୫

ଯେ ଗଜଯୋନି ଜ୍ଞାନ ହରେ । ନିବାସ ଘନ-ବନ-ଘୋରେ ॥ ୪୬

ଯେଣୁ ଗୋବିନ୍ଦ ଭଜିଥିଲା । ସେ ଭାବେ ହରି ସୁମରିଲା ॥ ୪୭

ଏମନ୍ତେ ଗଜ ମୋକ୍ଷ କରି । ନିଜ ଭୁବନେ ଗଲେ ହରି ॥ ୪୮

ଏବେ ହୋ ପରୀକ୍ଷିତ ଶୁଣ । କହିଲି ଗଜେନ୍ଦ୍ରମୋକ୍ଷଣ ॥ ୪୯

ଏକଥା ଫଳ ଶୁଣ ଏବେ । ଯେ ନର ଶୁଣେ ଭକ୍ତିଭାବେ ॥ ୫୦

ଯେ ଅବା ଉଚ୍ଚାରେ ବଦନେ । ଯେବା ପୁଚ୍ଛନ୍ତି ଅନ୍ୟ ଅନ୍ୟେ ॥ ୫୧

ସର୍ବସମ୍ପଦ ଯଶସ୍କର । କଳି-କଳୁଷ ଦୁଃଖ ହର ॥ ୫୨

ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ସ୍ମରଣେ ନାଶେ ସର୍ବପୀଡ଼ା ॥ ୫୩

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଯେବା ଚିନ୍ତନ୍ତି ଏହା ମନେ ॥ ୫୪

ରଜନୀ ଅନ୍ତେ ଉଷାକାଳେ । କର-ବଦନ ଧୋଇ ଜଳେ ॥ ୫୫

ଗଜେନ୍ଦ୍ରମୋକ୍ଷ ଯେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି ॥ ୫୬

ଦୁଃସ୍ୱପ୍ନ ଗ୍ରହପୀଡ଼ା ନାଶେ । ନିର୍ମଳଜ୍ଞାନ ପରକାଶେ ॥ ୫୭

ସକଳ ଦେବଋଷି ମଧ୍ୟେ । ଗୋବିନ୍ଦ କହିଲେ ଆନନ୍ଦେ ॥ ୫୮

ଗଜେନ୍ଦ୍ର ମୁଖ ଚାହିଁ ହରି । କହନ୍ତି ଜନେ ଦୟାକରି ॥ ୫୯

ଭଗବାନ ଉବାଚ

ଗଜେନ୍ଦ୍ର ଶୁଣ ମୋ ବଚନ । ଅଶେଷ ଦୁରିତ ଦହନ ॥ ୬୦

ଯେ ନର ଅହୋରାତ୍ର ଅନ୍ତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ ॥ ୬୧

ମୋତେ ସ୍ମରିବ ସଙ୍ଗେ ତୋର । ଆବର ଏହି ସରୋବର ॥ ୬୨

ପର୍ବତ-କନ୍ଦର-କାନନ । ବେତ କୀଚକ ବେଣୁବନ ॥ ୬୩

ସୁରପାଦପ ଗୁଳ୍ମ ଆଦି । ପର୍ବତ-ତ୍ରିଶୃଙ୍ଗ ସମ୍ପାଦି ॥ ୬୪

ବ୍ରହ୍ମା-ଭୁବନ ମୋ ନିବାସ । ଶଙ୍କର ସ୍ଥାନ କପିଳାସ ॥ ୬୫

କ୍ଷୀରଜଳଧି ପ୍ରିୟ ମୋର । ଯେ ଶ୍ୱେତଦୀପ ମନୋହର ॥ ୬୬

ଶ୍ରୀବତ୍ସ କଉସ୍ତୁଭ ମଣି । ଚତୁରଭୁଜ ପରିମାଣି ॥ ୬୭

ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା ॥ ୬୮

ବିନତାନନ୍ଦନ ଅନନ୍ତ । କମଳା ମୋର ହୃଦେ ସ୍ଥିତ ॥ ୬୯

ବ୍ରହ୍ମା ଶଙ୍କର ଯେ ନାରଦ । ଭକତ ମଧ୍ୟେ ପ୍ରହଲ୍ଲାଦ ॥ ୭୦

ମତ୍ସ୍ୟକଚ୍ଛପ କୋଳ ଆଦି । ଯେ ରୂପ ଅଛି ମୁଁ ସମ୍ପାଦି ॥ ୭୧

ଅଶେଷ ଗୁଣ କର୍ମ ଯେତେ । ମୋହର ଯଶ ଏ ଜଗତେ ॥ ୭୨

ରବି ଶଶାଙ୍କ ହୁତାଶନ । ପ୍ରଣବ ସତ୍ୟ ଯେ ବଚନ ॥ ୭୩

ଗୋ ବିପ୍ର ଆଦି ଧର୍ମ ଯେତେ । ଋଷି ଦେବତା ଯଜ୍ଞମତେ ॥ ୭୪

ଦକ୍ଷଦୁହିତା ମନୁ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୭୫

ସୋମ କଶ୍ୟପବଂଶ ଆଦି । ସୃଷ୍ଟି-ସର୍ଜନେ ଯେ ପ୍ରସିଦ୍ଧି ॥ ୭୬

ଗଙ୍ଗା କାଳିନ୍ଦୀ ସରସ୍ୱତୀ । ଅଇରାବତ ନନ୍ଦାବତୀ ॥ ୭୭

ଧ୍ରୁବାଦି ସପ୍ତଋଷି ଯେତେ । ଯେ ପୁଣ୍ୟଶ୍ଳୋକ ଏ ଜଗତେ ॥ ୭୮

ସ୍ମରଣେ ସର୍ବପାପ ହରେ । ଏ ଘୋର-ସଙ୍କଟୁ ନିସ୍ତରେ ॥ ୭୯

ଶୁକ ଉବାଚ

ଏମନ୍ତ କହି ଦେବବୃନ୍ଦେ । ସେ ହରି ପରମଆନନ୍ଦେ ॥ ୮୦

ଆରୋହି ଗରୁଡ଼ ଉପରେ । ତକ୍ଷଣେ ଗଲେ ନିଜପୁରେ ॥ ୮୧

ସୁଜନ ହିତେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୮୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣଂ ନାମ ଚତୁର୍ଥୋଽଧ୍ୟାୟଃ ॥

* * *