ଅଷ୍ଟମ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ପାଣ୍ଡବ ଚୂଡ଼ାମଣି । ଗଜେନ୍ଦ୍ର ବୋଲେ ମୋକ୍ଷବାଣୀ ॥

ଏମନ୍ତ ବୁଦ୍ଧି ସେ ବିଚାରି । ଚଞ୍ଚଳ ମନ ସ୍ଥିର କରି ॥

ପରମ-ଜପ ସେ ଜପିଲା ॥ ଯେ ପୂର୍ବଜନ୍ମେ ଶିକ୍ଷା ଥିଲା ॥

ଶ୍ରୀକୃଷ୍ଣ ଆଦି ବ୍ରହ୍ମପଦେ । ବୋଲେ ଆନନ୍ଦ ଗଦଗଦେ ॥

ଗଜେନ୍ଦ୍ର ଉବାଚ

ନମସ୍ତେ ପ୍ରଭୁ ଭଗବାନ । ଅଶେଷ ବ୍ରହ୍ମାଣ୍ଡ ଜୀବନ ॥

ତୋର ମହିମା ଚିଦାତ୍ମକ । ଅନାଦି ପୁରୁଷ ବିବେକ ॥

ଜୀବର ଆଦିବୀଜ ତୁହି । ପରମେଶ୍ୱରେ ନମେ ମୁହିଁ ॥

ଯାହାର ଦେହେ ବିଶ୍ୱ ବସେ । ଯା ତହୁଁ ଏ ବିଶ୍ୱ ପ୍ରକାଶେ ॥

ଏ ବିଶ୍ୱ-ସର୍ଜନା ଯହିଁରେ । ସ୍ୱୟଂ ଯେ ବିଶ୍ୱରୂପ ଧରେ ॥

କାର୍ଯ୍ୟ-କାରଣରୁ ଯେ ପର । ତୁ ବ୍ରହ୍ମ ଶରଣସୋଦର ॥ ୧୦

ଏ ଯେ ସଂସାର ମାୟାବଳେ । ଆତ୍ମାରୁ କଳ୍ପେ ଯେ ନିଶ୍ଚଳେ ॥ ୧୧

ପ୍ରକାଶ କରି ତିରୋହିତ । କରଇ ଊର୍ଣ୍ଣନାଭି ବତ ॥ ୧୨

ମଧ୍ୟେ ଦେଖଇ ସାକ୍ଷୀ ରୂପେ । କ୍ରୀଡ଼ା କରଇ କଳ୍ପେ କଳ୍ପେ ॥ ୧୩

ସେ ହରି ରଖୁ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥ ୧୪

କାଳେ ସକଳ ଜୀବଧରି । ଅନ୍ତକ ରୂପେଣ ସଂହରି ॥ ୧୫

ସକଳ ହେତୁ କରେ ଅନ୍ତ । ତମ-ନିବିଡ଼ ଘୋରପଥ ॥ ୧୬

ସେ ତମ ପରେ ସେହୁ ବସେ । ବିରାଜରୂପେ ପରକାଶେ ॥ ୧୭

ତାର ମହିମା ବିଚାରଣେ । ଏ ଯେତେ ଦେବେ ଋଷିଗଣେ ॥ ୧୮

କେହି ନଜାଣେ ପ୍ରଭୁ ତୋତେ । ଅନେକ-ଶାସ୍ତ୍ର-ଯୋଗମତେ ॥ ୧୯

କେ ପ୍ରାଣୀ ତତ୍ତ୍ୱ ତୋ ଜାଣିବ । ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ ॥ ୨୦

ନଟ-ଆକୃତି ପ୍ରାୟେ ଖେଳେ । ଏ ମାୟା-ଗହନ-ଶୟଳେ ॥ ୨୧

ମନ-କର୍ମରୁ ଦୂର ଯେହି । ସେ ହରି ରଖୁ ମୋର ଦେହୀ ॥ ୨୨

ଯାର ମହିମା ମୁନିଜନେ । ସକଳ-ଶାସ୍ତ୍ରେ ଅନୁମାନେ ॥ ୨୩

ବିମୁକ୍ତ-ସଙ୍ଗ ସାଧୁଜନେ । ତପ ସାଧନ୍ତି ଘୋରବନେ ॥ ୨୪

ଭୂତଙ୍କ ଆତ୍ମଭୂତ ଯେହୁ । ସେ ହରି ମୋର ଗତି ହେଉ ॥ ୨୫

ଯାହାର ଜନ୍ମକର୍ମ ନାହିଁ । ଅପର ଗୁଣଦୋଷ କାହିଁ ॥ ୨୬

ତଥାପି ଲୋକରକ୍ଷା ଅର୍ଥେ । ଆପେ ସମ୍ଭବ ଏ ଜଗତେ ॥ ୨୭

ସ୍ୱମାୟାବଳେ ଏ ଜଗତ । ସ୍ଥିତି ପାଳନ କରେ ଅନ୍ତ ॥ ୨୮

ଅରୂପରୂପ ଯେ ଅଦ୍ଭୁତ । ଆତ୍ମା ପ୍ରଦୀପ ସାକ୍ଷୀମତ ॥ ୨୯

ମନ-ବଚନେ ଅଗୋଚର । ପରମଆତ୍ମା ସୁଖଘର ॥ ୩୦

ସୂକ୍ଷ୍ମ-ନିର୍ମଳ ରୂପ ଯାର । ପଣ୍ଡିତଜନଙ୍କ ଗୋଚର ॥ ୩୧

ଯାହାକୁ ସତ୍ତ୍ୱଗୁଣେ ପାଇ । ନିଷ୍କାମଚିେତ୍ତେ ଯେବା ଧ୍ୟାୟି ॥ ୩୨

କୈବଲ୍ୟନାଥ ନମୋସ୍ତୁତେ । ନିର୍ବାଣସୁଖ ଯା ଉଦିତେ ॥ ୩୩

ତୁ ନାଥ ଶାନ୍ତ ଘୋରରୂପୀ । ମୂଢ଼ଧର୍ମେଣ ବିଶ୍ୱବ୍ୟାପୀ ॥ ୩୪

ଯେ ନିର୍ବଶେଷ ସାମ୍ୟରୂପ । ନମସ୍ତେ ଜ୍ଞାନ-ଘନ-ରୂପ ॥ ୩୫

କ୍ଷେତ୍ରଜ୍ଞରୂପୀ ନମୋନମ । ସର୍ବଜ୍ଞ ସାକ୍ଷୀ ନିଜଧାମ ॥ ୩୬

ସେ ଏ ଜଗତ ଆଦିମୂଳ । ମୂଳ ପ୍ରକୃତି ସୂକ୍ଷ୍ମସ୍ଥଳ ॥ ୩୭

ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟା । ସର୍ବ ବିଷୟ ଆଦିସ୍ରଷ୍ଟା ॥ ୩୮

ଅଭକ୍ତ ଜନେ ଅପ୍ରକାଶ । ଭକତପଦେ ରବିତ୍ରାସ ॥ ୩୯

ଅଖିଳକାରଣ-ସ୍ୱରୂପୀ । ଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ ॥ ୪୦

ସର୍ବ-ଆଗମ ବେଦସ୍ଥାନ । ନମସ୍ତେ ମୋକ୍ଷପରାୟଣ ॥ ୪୧

ସ୍ୱୟଂପ୍ରକାଶ ଗୁଣପାଶେ । ବନ୍ଧନ ନୋହୁ ତୁ ବିଶେଷେ ॥ ୪୨

ତୁ ଅପବର୍ଗ-ପରାୟଣ । ନମଇଁ ତୋହର ଚରଣ ॥ ୪୩

ତୁ ନାଥ କରୁଣାସାଗର । ତୋ ପାଦେ ଶରଣ ମୋହର ॥ ୪୪

ଅଶେଷ-ଜନ୍ତୁ ହୃଦଗତେ । ତୋର ପ୍ରକାଶ ଆତ୍ମାମତେ ॥ ୪୫

ସକଳ ଦେଖୁ ନାଥ ତୁହି । ତୋ ଅନୁଭବ କେ ଜାଣଇ ॥ ୪୬

ତୁ ବ୍ରହ୍ମ ପରମମଙ୍ଗଳ । ନମସ୍ତେ ପ୍ରଭୁ ଆଦିମୂଳ ॥ ୪୭

ତୁ ନାଥ କରୁଣାସ୍ୱରୂପୀ । ତୃଣ-କାଷ୍ଠରେ ଅଛୁ ବ୍ୟାପୀ ॥ ୪୮

ମୋହର ପ୍ରାୟ ପଶୁଗଣ । ବିପଦ ପାଶୁଁ କର ତ୍ରାଣ ॥ ୪୯

ଆତ୍ମା-ଆତ୍ମଜ-ଗୃହ-ବିତ୍ତେ । ମମତା କରେ ଦୃଢ଼ଚିତ୍ତେ ॥ ୫୦

ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ । ସେ ତୋତେ କେବେହେଁ ନ ଭଜେ ॥ ୫୧

ଯେ ମୁକ୍ତସଙ୍ଗ ଏ ଜଗତେ । ସେ ତୋତେ ଭଜେ ଅବିରତେ ॥ ୫୨

ଏଣୁ ବିବେକୀ ପ୍ରାଣୀଙ୍କର । ତୁ ନାଥ ଶୁଭ-ସୁଖଘର ॥ ୫୩

ହେ ଜ୍ଞାନାତ୍ମକ ଭଗବାନ । ସର୍ବ-ଈଶ୍ୱର ନମୋନମ ॥ ୫୪

ଧର୍ମାର୍ଥ-କାମ-ଲୋଭୁ ମୁକ୍ତ । ନିଷ୍କାମେ ଭଜେ ଅବିରତ ॥ ୫୫

ଅନ୍ତେ ଲଭନ୍ତି ଇଷ୍ଟଗତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି ॥ ୫୬

ଅବ୍ୟୟସ୍ଥାନେ ରହେ ମନ । ଏଣୁ ଲଭନ୍ତି ଦିବ୍ୟଜ୍ଞାନ ॥ ୫୭

ମୁଁ ଏବେ ଶରଣ ତୋହର । ଏ ଗ୍ରାହ-ମୁଖୁ କର ପାର ॥ ୫୮

ଏକାନ୍ତ ଚିତ୍ତେ ଯେ ଭଜନ୍ତି । ବିଷୟ-ସୁଖ ନ ବାଞ୍ଛନ୍ତି ॥ ୫୯

ତୋ ଜ୍ଞାନ-ସୁଧା-ରସ ପାଇ । ଅଧିକ ବାଞ୍ଛା ତାଙ୍କ ନାହିଁ ॥ ୬୦

ଅତି ଅଦ୍ଭୁତ ତୋ ଚରିତ । ଆନନ୍ଦ ରୂପେ ସୁଲଳିତ ॥ ୬୧

ତୋ କଥା-ସୁଧା-ସିନ୍ଧୁ-ଜଳେ । ଅବଗାହନ ସୁଖଭୋଳେ ॥ ୬୨

କରି ତରନ୍ତି ଦିବ୍ୟଦେହୀ । ଏଣୁ ତୋ ମହିମା କେ କହି ॥ ୬୩

ଅକ୍ଷୟ କ୍ଷୟ ନାହିଁ ଯାର । ଯେ ବ୍ରହ୍ମ ପରମ ଈଶ୍ୱର ॥ ୬୪

ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ । ପରମ-ଯୋଗବଳେ ବ୍ୟାପୀ ॥ ୬୫

ଏଣୁ ଯେ ଅତିଦୂରେ ରହେ । ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ ॥ ୬୬

ଅନନ୍ତ ଆଦି ପରିପୂର୍ଣ୍ଣ । ସେ ହରି ରଖୁ ମୋ ଜୀବନ ॥ ୬୭

ମନବଚନ ତା ଚରଣେ । ନିବେଦନ ମୋ ଅନୁକ୍ଷଣେ ॥ ୬୮

ଏ ଘୋର-ଗ୍ରାହ-ବନ୍ଧ-ପାଶୁ । ଉଦ୍ଧରି ସେ ମୋତେ ଆଶ୍ୱାସୁ ॥ ୬୯

ଯାର ଅଳପ କଳା ଘେନି । ବ୍ରହ୍ମାଦି ଦେବେ ସୁରମୁନି ॥ ୭୦

ସଂସାର ଚରାଚର ଯେତେ । ପ୍ରକାଣ୍ଡ ନାମ ରୂପ ମତେ ॥ ୭୧

ଅଗ୍ନି ସବିତା ଜ୍ୟୋତି ଯେହ୍ନେ । ପ୍ରକାଶି ପ୍ରବେଶନ୍ତି ତେହ୍ନେ ॥ ୭୨

ଗୁଣ ପ୍ରବାହ ଏ ସଂସାର । ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର ॥ ୭୩

ଶରୀର ଆଦି ଏହିମତେ । ପ୍ରବେଶ ହୋନ୍ତି ତାର ଗାତ୍ରେ ॥ ୭୪

ଯେ ନୋହେ ଦେବାସୁର ମର୍ତ୍ତ୍ୟ । ନ ସ୍ତିରୀ ନ ପୁରୁଷ ଗାତ୍ର ॥ ୭୫

ଜନ୍ମ ଶରୀର ପଶୁ ଆଦି । ରୂପେ ଅରୂପେ ନ ସମ୍ପାଦି ॥ ୭୬

କେବେହେଁ ନୋହେ କର୍ମଗୁଣ । ସତ୍ୟ ଅସତ୍ୟ ନୋହେ ଜାଣ ॥ ୭୭

ନିଃଶେଷ ଶେଷ ପରିପୂର୍ଣ୍ଣ । ଏଣୁ ଏ ଅନାଦି କାରଣ ॥ ୭୮

ନମସ୍ତେ ନମସ୍ତେ ଅନନ୍ତ । ଅସହ୍ୟ ବେଗ ବଳବନ୍ତ ॥ ୭୯

ଯାହାର ଅଟେ ଶକ୍ତି-ତ୍ରୟ । ଅଖିଳ ବୁଦ୍ଧି ଗୁଣମୟ ॥ । ୮୦

ପ୍ରପନ୍ନଜନ ଯେ ପାଳଇ । ଦୁରନ୍ତ ଶକ୍ତି ଯାର ଦେହୀ ॥ ୮୧

କୁତ୍ସିତ ଇନ୍ଦ୍ରିଗଣେ ଯାର । ମାର୍ଗ ନ କରାନ୍ତି ଗୋଚର ॥ ୮୨

ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ । ଆତ୍ମା ଶରୀର ନ ଜାଣଇ ॥ ୮୩

ଯେ ହରି ସଂସାର-କାରଣ । ତା ପାଦେ ପଶିଲି ଶରଣ ॥ ୮୪

ରଖୁ ନ ରଖୁ ସେ ଜାଣଇ । ତା ବିନୁ ଆନଗତି ନାହିଁ ॥ ୮୫

ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ॥ ୮୬

ଶୁକ ଉବାଚ

ଏମନ୍ତେ ଗଜରାଜ ସ୍ତୁତି । ଗୋବିନ୍ଦ ପାଦେ ଦେଇ ମତି ॥ ୮୭

ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ । ଯେ ପୂର୍ବଭାଗ୍ୟର ଉଦୟେ ॥ ୮୮

ଗଜ ବିକଳ ଶୁଣି ହରି । ସତ୍ୱରେ ଚିତ୍ତେ ମୋଦଭରି ॥ ୮୯

ଯେ ହରି ସର୍ବ-ଦେବମୟେ । ଅଶେଷ ବିଶ୍ୱ ଯାର ଦେହେ ॥ ୯୦

ସର୍ବଦେବତା ମିଳି ସଙ୍ଗେ । ସ୍ତୁତି କରନ୍ତି ନାନାରଙ୍ଗେ ॥ ୯୧

ଗରୁଡ଼ ପୃଷ୍ଠେ ବିଜେ କରି । କରେ ପ୍ରଚଣ୍ଡ-ଚକ୍ର ଧରି ॥ ୯୨

ବେଗେ ମିଳିଲେ ଗଜ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥ ୯୩

ଗଜେନ୍ଦ୍ର ସରୋବର ଜଳେ । ଗ୍ରାହଗ୍ରସିତ ପାଦମୂଳେ ॥ ୯୪

ଦେଖଇ ଗରୁଡ଼-ପୁଷ୍ଠର । ଆକାଶେ ବିଜେ ଚକ୍ରଧର ॥ ୯୫

ପଦ୍ମ ଗୋଟିଏ ଘେନି ହସ୍ତେ । ଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ ॥ ୯୬

ବେଗେ ନମିଲା ଶୁଣ୍ଢ ତୋଳି । ଦେଖନ୍ତେ ପ୍ରଭୁ ବନମାଳୀ ॥ ୯୭

ଚକ୍ର ବିରାଜେ ଦକ୍ଷକରେ । ସୂର୍ଯ୍ୟ କି ଉଦିତ ଅମ୍ବରେ ॥ ୯୮

ଡାକଇ ଆରତଭଞ୍ଜନ । ଭୋ ନାଥ ରଖ ମୋ ଜୀବନ ॥ ୯୯

ହେ ନାରାୟଣ ବିଶ୍ୱଗୁରୁ । ଆରତଜନ ଦୁଃଖ ହରୁ ॥ ୧୦୦

ନମସ୍ତେ ପ୍ରଭୁ ଭଗବାନ । ତୁ ନାଥ ଜଗତ-ଜୀବନ ॥ ୧୦୧

ଗ୍ରାହ-ପୀଡ଼ିତ ଗଜ ଦେଖି । ତକ୍ଷଣେ ଗରୁଡ଼ ଉପେକ୍ଷି ॥ ୧୦୨

ଜଳେ ପଶିଲେ ଚକ୍ରପାଣି । ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ॥ ୧୦୩

କୁମ୍ଭୀର ମୁଖୁଁ ବନମାଳୀ । ହସ୍ତୀ ଚରଣ ହସ୍ତେ ତୋଳି ॥ ୧୦୪

ଦେଖନ୍ତି ଶୂନ୍ୟେ ଦିଗପାଳେ । ଗଜକୁ ଘେନି ବିଜେ କୂଳେ ॥ ୧୦୫

ଅଶେଷ ହରିର ମହିମା । କେ କହିପାରେ ଗୁଣସୀମା ॥ ୧୦୬

ଗଜକୁ ରଖିଲେ ଯେମନ୍ତେ । ଅଷ୍ଟମ ସ୍କନ୍ଧେ ଭାଗବତେ ॥ ୧୦୭

ଭାଷା-ପ୍ରବନ୍ଧେ ହରି ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୦୮

ବୋଲଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏ ଚରିତ ॥ ୧୦୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣେ ତୃତୀୟୋଽଧ୍ୟାୟଃ ॥

* * *