ଅଷ୍ଟମ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଉବାଚ
ଶୁଣ ପାଣ୍ଡବ ଚୂଡ଼ାମଣି । ଗଜେନ୍ଦ୍ର ବୋଲେ ମୋକ୍ଷବାଣୀ ॥ ୧
ଏମନ୍ତ ବୁଦ୍ଧି ସେ ବିଚାରି । ଚଞ୍ଚଳ ମନ ସ୍ଥିର କରି ॥ ୨
ପରମ-ଜପ ସେ ଜପିଲା ॥ ଯେ ପୂର୍ବଜନ୍ମେ ଶିକ୍ଷା ଥିଲା ॥ ୩
ଶ୍ରୀକୃଷ୍ଣ ଆଦି ବ୍ରହ୍ମପଦେ । ବୋଲେ ଆନନ୍ଦ ଗଦଗଦେ ॥ ୪
ଗଜେନ୍ଦ୍ର ଉବାଚ
ନମସ୍ତେ ପ୍ରଭୁ ଭଗବାନ । ଅଶେଷ ବ୍ରହ୍ମାଣ୍ଡ ଜୀବନ ॥ ୫
ତୋର ମହିମା ଚିଦାତ୍ମକ । ଅନାଦି ପୁରୁଷ ବିବେକ ॥ ୬
ଜୀବର ଆଦିବୀଜ ତୁହି । ପରମେଶ୍ୱରେ ନମେ ମୁହିଁ ॥ ୭
ଯାହାର ଦେହେ ବିଶ୍ୱ ବସେ । ଯା ତହୁଁ ଏ ବିଶ୍ୱ ପ୍ରକାଶେ ॥ ୮
ଏ ବିଶ୍ୱ-ସର୍ଜନା ଯହିଁରେ । ସ୍ୱୟଂ ଯେ ବିଶ୍ୱରୂପ ଧରେ ॥ ୯
କାର୍ଯ୍ୟ-କାରଣରୁ ଯେ ପର । ତୁ ବ୍ରହ୍ମ ଶରଣସୋଦର ॥ ୧୦
ଏ ଯେ ସଂସାର ମାୟାବଳେ । ଆତ୍ମାରୁ କଳ୍ପେ ଯେ ନିଶ୍ଚଳେ ॥ ୧୧
ପ୍ରକାଶ କରି ତିରୋହିତ । କରଇ ଊର୍ଣ୍ଣନାଭି ବତ ॥ ୧୨
ମଧ୍ୟେ ଦେଖଇ ସାକ୍ଷୀ ରୂପେ । କ୍ରୀଡ଼ା କରଇ କଳ୍ପେ କଳ୍ପେ ॥ ୧୩
ସେ ହରି ରଖୁ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥ ୧୪
କାଳେ ସକଳ ଜୀବଧରି । ଅନ୍ତକ ରୂପେଣ ସଂହରି ॥ ୧୫
ସକଳ ହେତୁ କରେ ଅନ୍ତ । ତମ-ନିବିଡ଼ ଘୋରପଥ ॥ ୧୬
ସେ ତମ ପରେ ସେହୁ ବସେ । ବିରାଜରୂପେ ପରକାଶେ ॥ ୧୭
ତାର ମହିମା ବିଚାରଣେ । ଏ ଯେତେ ଦେବେ ଋଷିଗଣେ ॥ ୧୮
କେହି ନଜାଣେ ପ୍ରଭୁ ତୋତେ । ଅନେକ-ଶାସ୍ତ୍ର-ଯୋଗମତେ ॥ ୧୯
କେ ପ୍ରାଣୀ ତତ୍ତ୍ୱ ତୋ ଜାଣିବ । ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ ॥ ୨୦
ନଟ-ଆକୃତି ପ୍ରାୟେ ଖେଳେ । ଏ ମାୟା-ଗହନ-ଶୟଳେ ॥ ୨୧
ମନ-କର୍ମରୁ ଦୂର ଯେହି । ସେ ହରି ରଖୁ ମୋର ଦେହୀ ॥ ୨୨
ଯାର ମହିମା ମୁନିଜନେ । ସକଳ-ଶାସ୍ତ୍ରେ ଅନୁମାନେ ॥ ୨୩
ବିମୁକ୍ତ-ସଙ୍ଗ ସାଧୁଜନେ । ତପ ସାଧନ୍ତି ଘୋରବନେ ॥ ୨୪
ଭୂତଙ୍କ ଆତ୍ମଭୂତ ଯେହୁ । ସେ ହରି ମୋର ଗତି ହେଉ ॥ ୨୫
ଯାହାର ଜନ୍ମକର୍ମ ନାହିଁ । ଅପର ଗୁଣଦୋଷ କାହିଁ ॥ ୨୬
ତଥାପି ଲୋକରକ୍ଷା ଅର୍ଥେ । ଆପେ ସମ୍ଭବ ଏ ଜଗତେ ॥ ୨୭
ସ୍ୱମାୟାବଳେ ଏ ଜଗତ । ସ୍ଥିତି ପାଳନ କରେ ଅନ୍ତ ॥ ୨୮
ଅରୂପରୂପ ଯେ ଅଦ୍ଭୁତ । ଆତ୍ମା ପ୍ରଦୀପ ସାକ୍ଷୀମତ ॥ ୨୯
ମନ-ବଚନେ ଅଗୋଚର । ପରମଆତ୍ମା ସୁଖଘର ॥ ୩୦
ସୂକ୍ଷ୍ମ-ନିର୍ମଳ ରୂପ ଯାର । ପଣ୍ଡିତଜନଙ୍କ ଗୋଚର ॥ ୩୧
ଯାହାକୁ ସତ୍ତ୍ୱଗୁଣେ ପାଇ । ନିଷ୍କାମଚିେତ୍ତେ ଯେବା ଧ୍ୟାୟି ॥ ୩୨
କୈବଲ୍ୟନାଥ ନମୋସ୍ତୁତେ । ନିର୍ବାଣସୁଖ ଯା ଉଦିତେ ॥ ୩୩
ତୁ ନାଥ ଶାନ୍ତ ଘୋରରୂପୀ । ମୂଢ଼ଧର୍ମେଣ ବିଶ୍ୱବ୍ୟାପୀ ॥ ୩୪
ଯେ ନିର୍ବଶେଷ ସାମ୍ୟରୂପ । ନମସ୍ତେ ଜ୍ଞାନ-ଘନ-ରୂପ ॥ ୩୫
କ୍ଷେତ୍ରଜ୍ଞରୂପୀ ନମୋନମ । ସର୍ବଜ୍ଞ ସାକ୍ଷୀ ନିଜଧାମ ॥ ୩୬
ସେ ଏ ଜଗତ ଆଦିମୂଳ । ମୂଳ ପ୍ରକୃତି ସୂକ୍ଷ୍ମସ୍ଥଳ ॥ ୩୭
ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟା । ସର୍ବ ବିଷୟ ଆଦିସ୍ରଷ୍ଟା ॥ ୩୮
ଅଭକ୍ତ ଜନେ ଅପ୍ରକାଶ । ଭକତପଦେ ରବିତ୍ରାସ ॥ ୩୯
ଅଖିଳକାରଣ-ସ୍ୱରୂପୀ । ଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ ॥ ୪୦
ସର୍ବ-ଆଗମ ବେଦସ୍ଥାନ । ନମସ୍ତେ ମୋକ୍ଷପରାୟଣ ॥ ୪୧
ସ୍ୱୟଂପ୍ରକାଶ ଗୁଣପାଶେ । ବନ୍ଧନ ନୋହୁ ତୁ ବିଶେଷେ ॥ ୪୨
ତୁ ଅପବର୍ଗ-ପରାୟଣ । ନମଇଁ ତୋହର ଚରଣ ॥ ୪୩
ତୁ ନାଥ କରୁଣାସାଗର । ତୋ ପାଦେ ଶରଣ ମୋହର ॥ ୪୪
ଅଶେଷ-ଜନ୍ତୁ ହୃଦଗତେ । ତୋର ପ୍ରକାଶ ଆତ୍ମାମତେ ॥ ୪୫
ସକଳ ଦେଖୁ ନାଥ ତୁହି । ତୋ ଅନୁଭବ କେ ଜାଣଇ ॥ ୪୬
ତୁ ବ୍ରହ୍ମ ପରମମଙ୍ଗଳ । ନମସ୍ତେ ପ୍ରଭୁ ଆଦିମୂଳ ॥ ୪୭
ତୁ ନାଥ କରୁଣାସ୍ୱରୂପୀ । ତୃଣ-କାଷ୍ଠରେ ଅଛୁ ବ୍ୟାପୀ ॥ ୪୮
ମୋହର ପ୍ରାୟ ପଶୁଗଣ । ବିପଦ ପାଶୁଁ କର ତ୍ରାଣ ॥ ୪୯
ଆତ୍ମା-ଆତ୍ମଜ-ଗୃହ-ବିତ୍ତେ । ମମତା କରେ ଦୃଢ଼ଚିତ୍ତେ ॥ ୫୦
ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ । ସେ ତୋତେ କେବେହେଁ ନ ଭଜେ ॥ ୫୧
ଯେ ମୁକ୍ତସଙ୍ଗ ଏ ଜଗତେ । ସେ ତୋତେ ଭଜେ ଅବିରତେ ॥ ୫୨
ଏଣୁ ବିବେକୀ ପ୍ରାଣୀଙ୍କର । ତୁ ନାଥ ଶୁଭ-ସୁଖଘର ॥ ୫୩
ହେ ଜ୍ଞାନାତ୍ମକ ଭଗବାନ । ସର୍ବ-ଈଶ୍ୱର ନମୋନମ ॥ ୫୪
ଧର୍ମାର୍ଥ-କାମ-ଲୋଭୁ ମୁକ୍ତ । ନିଷ୍କାମେ ଭଜେ ଅବିରତ ॥ ୫୫
ଅନ୍ତେ ଲଭନ୍ତି ଇଷ୍ଟଗତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି ॥ ୫୬
ଅବ୍ୟୟସ୍ଥାନେ ରହେ ମନ । ଏଣୁ ଲଭନ୍ତି ଦିବ୍ୟଜ୍ଞାନ ॥ ୫୭
ମୁଁ ଏବେ ଶରଣ ତୋହର । ଏ ଗ୍ରାହ-ମୁଖୁ କର ପାର ॥ ୫୮
ଏକାନ୍ତ ଚିତ୍ତେ ଯେ ଭଜନ୍ତି । ବିଷୟ-ସୁଖ ନ ବାଞ୍ଛନ୍ତି ॥ ୫୯
ତୋ ଜ୍ଞାନ-ସୁଧା-ରସ ପାଇ । ଅଧିକ ବାଞ୍ଛା ତାଙ୍କ ନାହିଁ ॥ ୬୦
ଅତି ଅଦ୍ଭୁତ ତୋ ଚରିତ । ଆନନ୍ଦ ରୂପେ ସୁଲଳିତ ॥ ୬୧
ତୋ କଥା-ସୁଧା-ସିନ୍ଧୁ-ଜଳେ । ଅବଗାହନ ସୁଖଭୋଳେ ॥ ୬୨
କରି ତରନ୍ତି ଦିବ୍ୟଦେହୀ । ଏଣୁ ତୋ ମହିମା କେ କହି ॥ ୬୩
ଅକ୍ଷୟ କ୍ଷୟ ନାହିଁ ଯାର । ଯେ ବ୍ରହ୍ମ ପରମ ଈଶ୍ୱର ॥ ୬୪
ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ । ପରମ-ଯୋଗବଳେ ବ୍ୟାପୀ ॥ ୬୫
ଏଣୁ ଯେ ଅତିଦୂରେ ରହେ । ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ ॥ ୬୬
ଅନନ୍ତ ଆଦି ପରିପୂର୍ଣ୍ଣ । ସେ ହରି ରଖୁ ମୋ ଜୀବନ ॥ ୬୭
ମନବଚନ ତା ଚରଣେ । ନିବେଦନ ମୋ ଅନୁକ୍ଷଣେ ॥ ୬୮
ଏ ଘୋର-ଗ୍ରାହ-ବନ୍ଧ-ପାଶୁ । ଉଦ୍ଧରି ସେ ମୋତେ ଆଶ୍ୱାସୁ ॥ ୬୯
ଯାର ଅଳପ କଳା ଘେନି । ବ୍ରହ୍ମାଦି ଦେବେ ସୁରମୁନି ॥ ୭୦
ସଂସାର ଚରାଚର ଯେତେ । ପ୍ରକାଣ୍ଡ ନାମ ରୂପ ମତେ ॥ ୭୧
ଅଗ୍ନି ସବିତା ଜ୍ୟୋତି ଯେହ୍ନେ । ପ୍ରକାଶି ପ୍ରବେଶନ୍ତି ତେହ୍ନେ ॥ ୭୨
ଗୁଣ ପ୍ରବାହ ଏ ସଂସାର । ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର ॥ ୭୩
ଶରୀର ଆଦି ଏହିମତେ । ପ୍ରବେଶ ହୋନ୍ତି ତାର ଗାତ୍ରେ ॥ ୭୪
ଯେ ନୋହେ ଦେବାସୁର ମର୍ତ୍ତ୍ୟ । ନ ସ୍ତିରୀ ନ ପୁରୁଷ ଗାତ୍ର ॥ ୭୫
ଜନ୍ମ ଶରୀର ପଶୁ ଆଦି । ରୂପେ ଅରୂପେ ନ ସମ୍ପାଦି ॥ ୭୬
କେବେହେଁ ନୋହେ କର୍ମଗୁଣ । ସତ୍ୟ ଅସତ୍ୟ ନୋହେ ଜାଣ ॥ ୭୭
ନିଃଶେଷ ଶେଷ ପରିପୂର୍ଣ୍ଣ । ଏଣୁ ଏ ଅନାଦି କାରଣ ॥ ୭୮
ନମସ୍ତେ ନମସ୍ତେ ଅନନ୍ତ । ଅସହ୍ୟ ବେଗ ବଳବନ୍ତ ॥ ୭୯
ଯାହାର ଅଟେ ଶକ୍ତି-ତ୍ରୟ । ଅଖିଳ ବୁଦ୍ଧି ଗୁଣମୟ ॥ । ୮୦
ପ୍ରପନ୍ନଜନ ଯେ ପାଳଇ । ଦୁରନ୍ତ ଶକ୍ତି ଯାର ଦେହୀ ॥ ୮୧
କୁତ୍ସିତ ଇନ୍ଦ୍ରିଗଣେ ଯାର । ମାର୍ଗ ନ କରାନ୍ତି ଗୋଚର ॥ ୮୨
ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ । ଆତ୍ମା ଶରୀର ନ ଜାଣଇ ॥ ୮୩
ଯେ ହରି ସଂସାର-କାରଣ । ତା ପାଦେ ପଶିଲି ଶରଣ ॥ ୮୪
ରଖୁ ନ ରଖୁ ସେ ଜାଣଇ । ତା ବିନୁ ଆନଗତି ନାହିଁ ॥ ୮୫
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ॥ ୮୬
ଶୁକ ଉବାଚ
ଏମନ୍ତେ ଗଜରାଜ ସ୍ତୁତି । ଗୋବିନ୍ଦ ପାଦେ ଦେଇ ମତି ॥ ୮୭
ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ । ଯେ ପୂର୍ବଭାଗ୍ୟର ଉଦୟେ ॥ ୮୮
ଗଜ ବିକଳ ଶୁଣି ହରି । ସତ୍ୱରେ ଚିତ୍ତେ ମୋଦଭରି ॥ ୮୯
ଯେ ହରି ସର୍ବ-ଦେବମୟେ । ଅଶେଷ ବିଶ୍ୱ ଯାର ଦେହେ ॥ ୯୦
ସର୍ବଦେବତା ମିଳି ସଙ୍ଗେ । ସ୍ତୁତି କରନ୍ତି ନାନାରଙ୍ଗେ ॥ ୯୧
ଗରୁଡ଼ ପୃଷ୍ଠେ ବିଜେ କରି । କରେ ପ୍ରଚଣ୍ଡ-ଚକ୍ର ଧରି ॥ ୯୨
ବେଗେ ମିଳିଲେ ଗଜ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥ ୯୩
ଗଜେନ୍ଦ୍ର ସରୋବର ଜଳେ । ଗ୍ରାହଗ୍ରସିତ ପାଦମୂଳେ ॥ ୯୪
ଦେଖଇ ଗରୁଡ଼-ପୁଷ୍ଠର । ଆକାଶେ ବିଜେ ଚକ୍ରଧର ॥ ୯୫
ପଦ୍ମ ଗୋଟିଏ ଘେନି ହସ୍ତେ । ଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ ॥ ୯୬
ବେଗେ ନମିଲା ଶୁଣ୍ଢ ତୋଳି । ଦେଖନ୍ତେ ପ୍ରଭୁ ବନମାଳୀ ॥ ୯୭
ଚକ୍ର ବିରାଜେ ଦକ୍ଷକରେ । ସୂର୍ଯ୍ୟ କି ଉଦିତ ଅମ୍ବରେ ॥ ୯୮
ଡାକଇ ଆରତଭଞ୍ଜନ । ଭୋ ନାଥ ରଖ ମୋ ଜୀବନ ॥ ୯୯
ହେ ନାରାୟଣ ବିଶ୍ୱଗୁରୁ । ଆରତଜନ ଦୁଃଖ ହରୁ ॥ ୧୦୦
ନମସ୍ତେ ପ୍ରଭୁ ଭଗବାନ । ତୁ ନାଥ ଜଗତ-ଜୀବନ ॥ ୧୦୧
ଗ୍ରାହ-ପୀଡ଼ିତ ଗଜ ଦେଖି । ତକ୍ଷଣେ ଗରୁଡ଼ ଉପେକ୍ଷି ॥ ୧୦୨
ଜଳେ ପଶିଲେ ଚକ୍ରପାଣି । ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ॥ ୧୦୩
କୁମ୍ଭୀର ମୁଖୁଁ ବନମାଳୀ । ହସ୍ତୀ ଚରଣ ହସ୍ତେ ତୋଳି ॥ ୧୦୪
ଦେଖନ୍ତି ଶୂନ୍ୟେ ଦିଗପାଳେ । ଗଜକୁ ଘେନି ବିଜେ କୂଳେ ॥ ୧୦୫
ଅଶେଷ ହରିର ମହିମା । କେ କହିପାରେ ଗୁଣସୀମା ॥ ୧୦୬
ଗଜକୁ ରଖିଲେ ଯେମନ୍ତେ । ଅଷ୍ଟମ ସ୍କନ୍ଧେ ଭାଗବତେ ॥ ୧୦୭
ଭାଷା-ପ୍ରବନ୍ଧେ ହରି ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୦୮
ବୋଲଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏ ଚରିତ ॥ ୧୦୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣେ ତୃତୀୟୋଽଧ୍ୟାୟଃ ॥
* * *