ଅଷ୍ଟମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥

ପର୍ବତ ତ୍ରିକୂଟ ଯେ ନାମ । ସର୍ବସମ୍ପଦ ମୂଳଧାମ ॥

ଅୟୂତ-ଯୋଜନ ବିସ୍ତୃତ । କ୍ଷୀରସମୁଦ୍ରେ ସେ ଆବୃତ ॥

ଉଚ୍ଚ ଯେ ଅୟୂତଯୋଜନ । ଦେଖନ୍ତେ ହରେ ପ୍ରାଣୀମନ ॥

ବିରାଜେ ଅଷ୍ଟଦିଗ ମଧ୍ୟେ । ଆନନ୍ଦ କରେ ଦେବବୃନ୍ଦେ ॥

ତୃତୀୟ ଶୃଙ୍ଗ ବହେ ଶିରେ । ସୁବର୍ଣ୍ଣ ରୌପ୍ୟ ଲୌହ ଧରେ ॥

ରତ୍ନ ଧାରଣ କରି ଅଙ୍ଗେ । ବିରାଜି ଶୋହେ ଦଶଦିଗେ ॥

ନାନାପ୍ରକାରେ ଲତା-ଗୁଳ୍ମ । ନିର୍ଝରତଟେ ବହୁଦ୍ରୁମ ॥

ନିର୍ଝର ଶବଦ ଗମ୍ଭୀର । ଅତି ସୁରମ୍ୟ ମନୋହର ॥

ନିର୍ଝର-ଜଳର ସମୂହେ । ଗିରି-ଚରଣ କିବା ଧୁଏ ॥ ୧୦

ନିର୍ଝର-ଭୂମି ବାୟୁବଳେ । ସ୍ୱର୍ଣ୍ଣ-ବାଲୁକା ଶୋହେ କୂଳେ ॥ ୧୧

ମର୍କତ-ପାଷାଣ-ସମୂହେ । ଶ୍ୟାମଳବର୍ଣ୍ଣେ ଭୂମି ଶୋହେ ॥ ୧୨

ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ସଙ୍ଗତେ କିନ୍ନର ॥ ୧୩

ଉରଗଗଣ ଯୂଥ ଯୂଥ । ଅପ୍ସରା ମିଳି ନୃତ୍ୟ ଗୀତ ॥ ୧୪

ଅରଣ୍ୟେ ନାନା-ପଶୁଗଣେ । ଗିରି-କନ୍ଦରେ ଘୋରବନେ ॥ ୧୫

ନାଦ କରନ୍ତି ମନୋହର । ମୟୂର କୋକିଳ ଭ୍ରମର ॥ ୧୬

ସରିତ ସରୋବର ନଦ । ମଣିବାଲୁକା କୁଦ କୁଦ ॥ ୧୭

ଦେବକାମିନୀଗଣ ଯହିଁ । ସ୍ନାନ କରନ୍ତି ମୋଦ ବହି ॥ ୧୮

ତାହାଙ୍କ ଅଙ୍ଗରେ ଲେପିତ । ଗନ୍ଧ ଚନ୍ଦନ ପାରିଜାତ ॥ ୧୯

ସେ ଗନ୍ଧ ଶୀତଳ-ସମୀରେ । ସୁଗନ୍ଧେ ଦଶଦିଗ ପୂରେ ॥ ୨୦

ସେ ଗିରି-ଦ୍ରୋଣି ମଧ୍ୟେ ବନ । ବରୁଣ କ୍ରୀଡ଼ାର ଉଦ୍ୟାନ ॥ ୨୧

ଋତୁମାନ ନାମ ବନର । ସୁରକାମିନୀ କ୍ରୀଡ଼ାଘର ॥ ୨୨

ପର୍ବତେ ଅଳଙ୍କୃତ ବନ । ଫଳଫୁଲରେ ସୁଶୋଭନ ॥ ୨୩

ମନ୍ଦାର ପାଟଳୀ ଚମ୍ପକ । ପାରିଜାତକ କୁରୁବକ ॥ ୨୪

ଚୂତ ପିଆଳ ପନସଜ । ଆମ୍ର ଅଶୋକ ଆମ୍ରାତକ ॥ ୨୫

କଦମ୍ବ ନାରିକେଳ ବନ । ଖର୍ଜୁର ଦାଡିମ୍ବ ଅର୍ଜୁନ ॥ ୨୬

ମଧୁକ ଶାଳ ତାଳ ଶୋହେ । ତମାଳ ଅସନ ସମୂହେ ॥ ୨୭

ଅରିଷ୍ଟ ଉଡ଼ୁମ୍ବର ପ୍ଳକ୍ଷ । ନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ ॥ ୨୮

ନିମ୍ବ କୋବିଦାର ସରଳ । କିଂଶୁକ ଦେବଦାରୁ କୁଳ ॥ ୨୯

ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାବନ । ବଦରୀ ଅଭୟା ଯେ ଦ୍ରୁମ ॥ ୩୦

ବେଲ ଜମ୍ବୀର କପିତ୍‌ଥକ । ଅଏଁଳା ପୁଣି ଭଲ୍ଲାତକ ॥ ୩୧

ଯହିଁ ବରୁଣ ସରୋବର । ସୁବର୍ଣ୍ଣ ପଦ୍ମ ମନୋହର ॥ ୩୨

କହ୍ଲାର କୁମୁଦ ଉତ୍ପଳ । ସ୍ୱଭାବେ ସଗନ୍ଧ ଶୀତଳ ॥ ୩୩

ବିକଚ-ଶତପତ୍ରେ ଶୋଭା । କିବା ଉପମା ଆନେ ଦେବା ॥ ୩୪

ମତ୍ତଭ୍ରମର ପକ୍ଷୀଗଣ । ନାଦ କରନ୍ତି ଅନୁକ୍ଷଣ ॥ ୩୫

ହଂସ କାରଣ୍ଡକ ସମୂହେ । ସାରସ ଚକ୍ରବାକ ଶୋହେ ॥ ୩୬

ଜଳକୁକ୍କୁଟ କୋଯଷ୍ଟିକ । କୂଜିତ କୋମଳେ ଡାହୁକ ॥ ୩୭

ମତ୍ସ୍ୟ କଚ୍ଛପେ ଚଳେ ଜଳ । ପଦ୍ମ-ପରାଗରେ ଧୂସର ॥ ୩୮

କଦମ୍ବ ବଞ୍ଜୁଳକ ବେତ । ନୀପ କୀଚକ ଯୂଥ ଯୂଥ ॥ ୩୯

କୁନ୍ଦ ଅଶୋକ କୁରୁବକ । କୂଟଜ ଇଙ୍ଗୁଦି କୁବ୍ଚକ ॥ ୪୦

ଶିରୀଷ ପୁଣି ସ୍ୱର୍ଣ୍ଣ‌ଯୂଥୀ । ନାଗ ପୁନ୍ନାଗ ଆର ଜାତି ॥ ୪୧

ମଲ୍ଲିକା ଶତପତ୍ର ଶୋହେ । ମାଧବୀ ମାଳତୀ ସମୂହେ ॥ ୪୨

ଅନ୍ୟାନ୍ୟ ଜଳ ସ୍ଥଳ ଫୁଲ । ଷଡ଼ଋତୁରେ ସମତୁଲ ॥ ୪୩

ଏମନ୍ତ ବନେ ଏକଦିନେ । ଗଜେନ୍ଦ୍ର ବିଚାରଇ ମନେ ॥ ୪୪

ଏ ଗ୍ରୀଷ୍ମକାଳେ ଏ ବନସ୍ତେ । ତୃଷାର୍ତ୍ତ ହୋଇଲୁ ସମସ୍ତେ ॥ ୪୫

ଜଳ ନ କରିଲେ ଆହାର । କେମନ୍ତେ ଧରିବା ଶରୀର ॥ ୪୬

ଏମନ୍ତ ମନେ ବିଚାରଇ । ଶୀତଳ-ଜଳ ଅଛି କାହିଁ ॥ ୪୭

ବ୍ୟାକୁଳେ ବନସ୍ତୁ ବାହାର । ତୃଷିତେ ଦିଶେ ଅନ୍ଧକାର ॥ ୪୮

ସେ ଗଜ ଆଶ୍ରେ ସେ ବନସ୍ତେ । ସୁଖେ ଚରନ୍ତି ପଶୁଯୂଥେ ॥ ୪୯

କଣ୍ଟକାକୀର୍ଣ୍ଣ ବେଣୁବନେ । ଭ୍ରମନ୍ତି ତୃଷିତ ବଦନେ ॥ ୫୦

ସ୍ୱଭାବେ ମତ୍ତଗଜ ଦନ୍ତା । ବନ-ବିହାରେ ବଳବନ୍ତା ॥ ୫୧

ଯାର ଚାଲନ୍ତେ ପାଦ ଲାଗି । ପଡ଼ନ୍ତି ବୃକ୍ଷ ଗୁଳ୍ମ ଭାଙ୍ଗି ॥ ୫୨

ତାହାର ମଦ-ଗନ୍ଧ ବାସେ । ପଶୁଏ ନ ଚରନ୍ତି ପାଶେ ॥ ୫୩

ବ୍ୟାଘ୍ର ଭଲ୍ଲୁକ ଖଡ଼୍‌ଗ ମୃଗ । ଯେବା ସଞ୍ଚରେ ମହୋରଗ ॥ ୫୪

ଶରଭ କୃଷ୍ଣସାର ହରି । ସେ ଶଲ୍ୟ ବୃକ ଯେ ଚମରୀ ॥ ୫୫

ବରାହ ମହିଷ ଶଶକ । ଗୋପୁଚ୍ଛ ଆଦି ଶାଳାବୃକ ॥ ୫୬

କ୍ଷୁଦ୍ର ହରିଣଗଣ ଯେତେ । ଚରନ୍ତି ଯେ ଯାହା ଆୟେତ୍ତେ ॥ ୫୭

ସେ ଗଜପତି ଗଜଯୂଥେ । ଅନେକ ଭ୍ରମିଲା ବନସ୍ତେ ॥ ୫୮

ବରୁଣ-ହ୍ରଦ-ତୀରେ ଯାଇ । ତୃଷିତଲୋଚନେ ଅନାଇଁ ॥ ୫୯

ନିଦାଘ-ତାପେ କରୀଗଣ । ବ୍ୟାକୁଳ ବିଚଳିତ ମନ ॥ ୬୦

ମଦଜଳରେ ହୋଇ ଛନ୍ନ । ଅଙ୍ଗକୁ କଲେ ପ୍ରକମ୍ପନ ॥ ୬୧

ପଦ୍ମକୁ ତେଜି ଅଳିଗଣ । ହସ୍ତୀଙ୍କ ମଦ କଲେ ପାନ ॥ ୬୨

ଜଳ ଶୀତଳ ପୁଷ୍ପଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ ॥ ୬୩

କରିଣୀଯୂଥ ସଙ୍ଗେ ମିଶି । ସନ୍ତୋଷେ ଶୀତଜଳେ ପଶି ॥ ୬୪

ସୁବର୍ଣ୍ଣ-ପଦ୍ମବନ-ମଧ୍ୟେ । ସକଳେ ପଶିଲେ ଆନନ୍ଦେ ॥ ୬୫

ସକଳେ ହରଷ ବଦନ । ସନ୍ତୋଷେ କଲେ ଜଳପାନ ॥ ୬୬

ଜଳ ତୋଳନ୍ତି ଥୋର ହସ୍ତେ । ସିଞ୍ଚନ୍ତି ଅନ୍ୟେ ଅନ୍ୟଗାତ୍ରେ ॥ ୬୭

ନିଦାଘ କାଳେ ଶୀତଜଳେ । କ୍ରୀଡ଼ା କରନ୍ତି ସୁଖଭୋଳେ ॥ ୬୮

ଶବଦ ଶୁଭେ ଉଛୁଳିତ । ଯେସନେ ଜୀମୂତ-ଗର୍ଜିତ ॥ ୬୯

ଅଗାଧ-ଜଳେ ଗ୍ରାହ ଥିଲା । ଜଳେ ସେ ଶବଦ ଶୁଣିଲା ॥ ୭୦

ବେଗେ ଧାଇଁଲା କୋପମନେ । ମିଳିଲା ଗଜ ସନ୍ନିଧ୍ୟାନେ ॥ ୭୧

କେହି ନଦେଖେ ତାକୁ ଜଳେ । କୁମ୍ଭୀର ଅତି କୋପାନଳେ ॥ ୭୨

ଧଇଲା ଗଜପତି-ପାଦ । ଶବଦ କରି ଘୋରନାଦ ॥ ୭୩

ଦଇବ-ବଶେ ଯୋଗବଳେ । ହସ୍ତୀ ବିପତ୍ତି ଘୋରଜଳେ ॥ ୭୪

ଗ୍ରାହ ଧଇଲା ଅକସ୍ମାତେ । ଗଜଚରଣ ଦୃଢ଼ଘାତେ ॥ ୭୫

ସେ ଗଜପତି ବଳବନ୍ତ । ବଜ୍ରହୁଁ ଆଣ୍ଟ ତାର ଦନ୍ତ ॥ ୭୬

କି କରିପାରେ ତାର ଦନ୍ତେ । ବିଷ୍ଣୁଙ୍କ ମାୟାର ଆୟତ୍ତେ ॥ ୭୭

ଗଜ ସ୍ୱଭାବେ ମହାବଳୀ । ଚରଣ ନପାରିଲା ଚାଳି ॥ ୭୮

କରିଣୀଯୂଥ ତାହା ଦେଖି । ଦୁଃଖେ ହୋଇଲେ ଅଶ୍ରୁମୁଖୀ ॥ ୭୯

ସ୍ୱଭାବେ ଅତି ଶୀତ-ପାଣି । ଗଜ ନପାରେ ପାଦ ଆଣି ॥ ୮୦

ସେ ହସ୍ତୀପଲ ତାକୁ ଧରି । ଟାଣନ୍ତି ଘୋରନାଦ କରି ॥ ୮୧

ମୁଖରୁ ରୁଧିର ଗଳଇ । କେବେହେଁ ଗଜ ନ ଟଳଇ ॥ ୮୨

ବଳେ ଆଣନ୍ତି କିଛିଦୂର । କୁମ୍ଭୀର ଅତି ବଳୀୟାର ॥ ୮୩

ପୁଣି ଗଭୀର-ଜଳେ ଭରେ । ସୁଦୃଢ଼-ଦନ୍ତେ ପାଦ ଧରେ ॥ ୮୪

ଏମନ୍ତେ ଗଜ-ଗ୍ରାହ ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ ॥ ୮୫

ଗଜ ଟାଣନ୍ତେ ଅତି ଖରେ । ପୁଣି କୁମ୍ଭୀର ଜଳେ ଭରେ ॥ ୮୬

ଏମନ୍ତେ ସହସ୍ର-ବରଷ । ଯୁଦ୍ଧ ନୋହିଲା ଅବଶେଷ ॥ ୮୭

ଏମନ୍ତେ ଦୀର୍ଘକାଳ ଜଳେ । ଗଜ-କୁମ୍ଭୀର ମହାବଳେ ॥ ୮୮

କ୍ଷୀଣ ହୋଇଲା ଗଜପତି । ସଙ୍ଗତେ ଥିଲେ ଯେତେ ହସ୍ତୀ ॥ ୮୯

ଦଣ୍ଡେ ଚରନ୍ତି ଘୋରବନେ । ଜଳେ ବଞ୍ଚନ୍ତି ଚିତ୍ତଛନ୍ନେ ॥ ୯୦

ଗଜ କୁମ୍ଭୀର ଯୁଦ୍ଧଘାତେ । ସେ ଜଳେ ଜଳଜନ୍ତୁ ଯେତେ ॥ ୯୧

ଦୁଃଖିତେ ଛଟପଟ ହୋନ୍ତି । ଜଳୁ ପଳାଇ ନ ପାରନ୍ତି ॥ ୯୨

ଏହି ପ୍ରକାରେ ହୋଇ ଦୁଃଖୀ । ଗଜେ କାନ୍ଦନ୍ତି ତାହା ଦେଖି ॥ ୯୩

ଏମନ୍ତେ ପୂର୍ବ ପୁଣ୍ୟବଳେ । ବୁଦ୍ଧି ସ୍ଫୂରିଲା ତାକୁ ଜଳେ ॥ ୯୪

ଅନ୍ତରେ କରଇ ବିଚାର । ସେ ହରି ସଂସାରର ସାର ॥ ୯୫

ସଙ୍କଟୁ କରେ ପରିତ୍ରାଣ । ଯେ ତାରେ ପଶନ୍ତି ଶରଣ ॥ ୯୬

ଗଜ-କୁମ୍ଭୀର ଯୁଦ୍ଧବାଣୀ । ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ ॥ ୯୭

ଜନ୍ମମରଣେ ନାହିଁ ଭ୍ରାନ୍ତି । ହେଳେ ସଙ୍କଟୁ ତରିଯାନ୍ତି ॥ ୯୮

ଗୀତ-ପ୍ରବନ୍ଧେ ପରକାଶ । କହଇ ଜଗନ୍ନାଥ ଦାସ ॥ ୯୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ଗଜେନ୍ଦ୍ରୋପ୍ରଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥

* * *