ଅଷ୍ଟମ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ହରଷେ ଅଭିମନ୍ୟୁସୁତ । ଶୁଣି ଗୋବିନ୍ଦର ଚରିତ ॥

ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ଦଣ୍ଡଧର ॥

ରାଜା ଉବାଚ

ବିଷ୍ଣୁ-ଚରିତ ତୁମ୍ଭ ମୁଖେ । ଶୁଣିଲି ଅଦୃଷ୍ଟ-ସୁପାକେ ॥

ଭୋ ମୁନି ଦୟାକର ମୋତେ । ସଂସାରୁ ତରିବି ଯେମନ୍ତେ ॥

ମୋଠାରେ ସ୍ନେହ ବହ ଯେବେ । ପ୍ରସନ୍ନ ଚିତ୍ତେ କହ ଏବେ ॥

ପୂର୍ବେ ଯେ ସ୍ୱାୟମ୍ଭୂବ ମନୁ । ପ୍ରତ୍ୟକ୍ଷେ ପଦ୍ମଯୋନି ତନୁ ॥

ତାହାଙ୍କ ବଂଶେ ଯେ ଚରିତ । ଯେ ପୂର୍ବେ ଭୂତ-ଭବିଷ୍ୟତ ॥

ବିସ୍ତାରେ ତୁମ୍ଭ ମୁଖୁଁ ଶୁଣି । ତରିବି ଭବ-ତରଙ୍ଗିଣୀ ॥

ଯେ ବଂଶେ ବିଶ୍ୱସୃକଗଣ । ମନୁଦୁହିତା ଗର୍ଭେ ପୁଣ ॥

ପୁତ୍ର-ପୌତ୍ରାଦି ଏ ଜଗତେ । ଯେବା ଚରିତ କଲେ ଯେତେ ॥ ୧୦

ଯେ ମନୁବଂଶେ ଯେବା କୃତ୍ୟ । ଅଦ୍ଭୁତ ବିଷ୍ଣୁର ଚରିତ ॥ ୧୧

ଅଦ୍ୟାପି କବି-ଋଷିମାନେ । ଅଶେଷ-ଶାସ୍ତ୍ର-ଅନୁମାନେ ॥ ୧୨

ଗ୍ରନ୍ଥିଲେ କୃଷ୍ଣଗୁଣ ଗାଥା । ଅଶେଷ କର୍ମ ହରିକଥା ॥ ୧୩

ଯେ କଥା କ‰ର୍ଣ୍ଣରନ୍ଧ୍ରେ ପଶେ । ଅଶେଷ କଳୁଷ ବିନାଶେ ॥ ୧୪

ଯେ ମନୁ ଅନ୍ତରେ ଯେ କଥା । ବିଷ୍ଣୁ ଚରିତ ସାଧୁଗାଥା ॥ ୧୫

ଯେ ବତ୍ତର୍ମାନ ପୂର୍ବଭୂତେ । ଯେବା କରିବେ ଭବିଷ୍ୟତେ ॥ ୧୬

ସକଳ କହ ମୁନିବର । ଏ ଭବସାଗରୁ ଉଦ୍ଧର ॥ ୧୭

ଏମନ୍ତ ପରୀକ୍ଷିତ ଆଗେ । ଶୁକ କହନ୍ତି ଅନୁରାଗେ ॥ ୧୮

ଶୁକ ଉବାଚ

ପ୍ରଥମକଳ୍ପେ ମୁଁ ସମ୍ପାଦି । କହିଲି ସ୍ୱାୟମ୍ଭୂବ ଆଦି ॥ ୧୯

ଏ ଷଟ ମନୁବଂଶ ଯେତେ । ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ ॥ ୨୦

ଆଦ୍ୟନ୍ତ ମଧ୍ୟେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୨୧

ଆକୂତି ଦେବହୂତି ବେନି । ମନୁଦୁହିତା ବେନିଭଗ୍ନୀ ॥ ୨୨

ଧର୍ମଜ୍ଞାନର ଉପଦେଶେ । ପରମବ୍ରହ୍ମ ନିଜ ଅଂଶେ ॥ ୨୩

ଯଜ୍ଞବରାହ କଳ୍ପେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ ॥ ୨୪

କପିଳ ରୂପେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୨୫

ଆକୂତି ଗର୍ଭେ ଯଜ୍ଞ ରୂପେ । ଯେ ଅବା କଲେ ପୂର୍ବକଳ୍ପେ ॥ ୨୬

ସେ କଥା ଶୁଣ ନୃପବର । ହରି-ଚରିତ ସୁଧାସାର ॥ ୨୭

ସେ ସ୍ୱାୟମ୍ଭୂବ ମନୁରାଜା । ସୃଷ୍ଟି-ସର୍ଜନେ ମହାତେଜା ॥ ୨୮

ସେ ପତ୍ନୀ ଶତରୂପା ସଙ୍ଗେ । ବିରକ୍ତ ଚିତ୍ତ କାମଭୋଗେ ॥ ୨୯

ବନେ ପଶିଲେ ତପ ଅର୍ଥେ । ସେ ପତିବ୍ରତାର ସମେତେ ॥ ୩୦

ସୁନନ୍ଦା-ତୀର୍ଥେ ଏକପାଦେ । ଉଭା ସେ ହୋଇ ଦୃଢ଼ବନ୍ଧେ ॥ ୩୧

ଗଗନଗତେ ମୁଖକରି । ଚଞ୍ଚଳ-ଚିତ୍ତକୁ ନିବାରି ॥ ୩୨

ସୁଘୋର ତପେ ରହି ବନେ । ସେ ରାଜା ବିଚାରଇ ବନେ ॥ ୩୩

ମନୁ ଉବାଚ

ଯେ ହରି ଏ ବିଶ୍ୱସଂସାରେ । ଚେତନା ରୂପେ ହୃଦେ ପୂରେ ॥ ୩୪

ଚେତନ-ଅଚେତନ-ରୂପୀ । ଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପୀ ॥ ୩୫

ଧାତା ନ ଜାଣେ ଯାର ଅନ୍ତ । ତେଣୁ ସେ ବୋଲାଇ ଅନନ୍ତ ॥ ୩୬

ଏ ବିଶ୍ୱଆତ୍ମା ଯେହୁ ହୋଏ । ବିରାଜେ ସ୍ୱୟଂ ସର୍ବଦେହେ ॥ ୩୭

ସୃଜଇ ପାଳଇ ସଂହାରେ । ବାଳକ-ଲୀଳାରେ ବିହରେ ॥ ୩୮

ଦେଖନ୍ତା ପ୍ରାଣୀଙ୍କି ନ ଦିଶେ । ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ ॥ ୩୯

ସକଳ ରୂପେ ଯାର ବାସ । ବିରାଜେ ଯେହ୍ନେ ଘଟାକାଶ ॥ ୪୦

ସେ ସର୍ବପ୍ରାଣୀଙ୍କ ମନ୍ଦିର । ଜୀମୂତ ମଧ୍ୟେ ଯେହ୍ନେ ନୀର ॥ ୪୧

ସୁପର୍ଣ୍ଣ ପୃଷ୍ଠେ ଯାର ସ୍ଥିତି । ତା’ ପାଦେ ରହୁ ମୋର ମତି ॥ ୪୨

ଆଦ୍ୟନ୍ତ ମଧ୍ୟ ଯାର ନାହିଁ । ସ୍ୱ ପର ଭେଦ ଅବା କାହିିଁ ॥ ୪୩

ନ ମିଶେ ଅନ୍ତର ବାହାରେ । ଏ ମାୟା-ମୋହନ ସଂସାରେ ॥ ୪୪

ଏ ବିଶ୍ୱମୟ ଯେ ପ୍ରମାଣ । ସତ୍ୟ-ସ୍ୱରୂପ ପୂର୍ଣ୍ଣବ୍ରହ୍ମ ॥ ୪୫

ଯେ ବିଶ୍ୱକାୟ ପୁରୁହୂତ । ବିଶ୍ୱ-ସୃଜନେ ଉପଗତ ॥ ୪୬

ବିମୋହ ମୋହ ପାଶେ ଛନ୍ଦି । ଯାର କ୍ରୀଡ଼ାରେ ବିଶ୍ୱ ବନ୍ଦୀ ॥ ୪୭

ସତ୍ୟ ପରମଜ୍ୟୋତି ଅଜ । ପୁରାଣ ପୁରୁଷ ବିରାଜ ॥ ୪୮

ଜୀବର ଜନ୍ମ ଆଦି ଯେତେ । ଧରେ ଆତ୍ମଶକ୍ତି ଆୟେତ୍ତେ ॥ ୪୯

ନିରୀହ ଚେଷ୍ଟା-ବିବର୍ଜିତ । ସ୍ୱରୂପେ ଯେବେ ହୋଏ ସ୍ଥିତ ॥ ୫୦

ଏ ଭାବ ଜାଣି ଋଷିଜନେ । କର୍ମ ଇଚ୍ଛନ୍ତି ଦୃଢ଼ମନେ ॥ ୫୧

ଯେ ଭାବେ କର୍ମ ହିଁ ନ ଫଳେ । ସେ ଭାବେ ଭଜନ୍ତି ନିଶ୍ଚଳେ ॥ ୫୨

ଈଶ୍ୱର ଭାବେ କର୍ମ କଲେ । ନିର୍ଗୁଣ ଲଭନ୍ତି ସେ ଭଲେ ॥ ୫୩

ଇଷ୍ଟ କରନ୍ତି ପ୍ରାଣୀଙ୍କର । ସେ ଭାବେ ଭଜେ ଦୁରାଚାର ॥ ୫୪

ଆତ୍ମାର ପୂର୍ଣ୍ଣଲାଭ ଅର୍ଥେ । ଯେ ତାଙ୍କୁ ଭଜନ୍ତି ଜଗତେ ॥ ୫୫

କେବେହେଁ ଭ୍ରଷ୍ଟ ସେ ନୁହନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି ॥ ୫୬

ସକଳ ଆତ୍ମାର ଈଶ୍ୱର । ସ୍ୱଭାବେ ନାହିଁ ଅହଙ୍କାର ॥ ୫୭

ପର୍ଣ୍ଣ ଅନାଦି ନିରଞ୍ଜନ । କାହାର ନୋହେ ସେ ଅଧୀନ ॥ ୫୮

ସ୍ୱଭାବେ ନିଜମାର୍ଗେ ରହେ । କେ ଚିନ୍ତିପାରେ ତାକୁ ଦେହେ ॥ ୫୯

ଏଣୁ ସେ ସଂସାରର ସାର । ତା’ ପାଦେ ମୋର ନମସ୍କାର ॥ ୬୦

ଶୁକ ଉବାଚ

ଶୁଣ ହୋ ଅଭିମନ୍ୟୁ ସୁତ । ସେ ସ୍ୱାୟମ୍ଭୂବ ଦୃଢ଼ଚିତ୍ତ ॥ ୬୧

ଚିନ୍ତା କରନ୍ତେ ତପବଳେ । ସୁଦୃଢ଼ ସମାଧି ନିଶ୍ଚଳେ ॥ ୬୨

ଅସୁର-ଯାତୁଧାନ ଗଣେ । ବେଗେ ମିଳିଲେ ଘୋରବନେ ॥ ୬୩

ଭକ୍ଷିବା ପାଇଁ କ୍ଷୁଧା ଆଶେ । ବେଗେ ମିଳିଲେ ତାର ପାଶେ ॥ ୬୪

ତାହାଙ୍କୁ ଦେଖି ନରହରି । ଯଜ୍ଞପୁରୁଷ ରୂପ ଧରି ॥ ୬୫

ନିବାରି ଯାତୁଧାନ ଗଣ । ସ୍ୱର୍ଗ ପାଳିଲେ ନାରାୟଣ ॥ ୬୬

ସେ ମନୁ ଅନ୍ତେ ସ୍ୱାରୋତିଷ । ଦ୍ୱିତୀୟ ମନୁ ସେ ବିଶେଷ ॥ ୬୭

ଅଗ୍ନିର ପୁତ୍ର ସେ ସ୍ୱଭାବେ । ରାଜତ୍ୱ କଲା ବିଶ୍ୱଭାବେ ॥ ୬୮

ଦ୍ୟୁମାନ ସୁଷେଣ ରୋଚିଷ । ଏ ଆଦି ତାର ପୁତ୍ର ଦଶ ॥ ୬୯

ସେ ମନୁ କାଳେ ସୁରନାଥ । ରୋଚନ ନାମେ ବଳବନ୍ତ ॥ ୭୦

ଯାହାର କାଳେ ଦେବଗଣ । ତୁଷିତ ନାମେ ଉଚ୍ଚାରଣ ॥ ୭୧

ଋଷିଏ ଊର୍ଜ୍ଜସ୍ତମ୍ଭ ଆଦି । ଏ ସପ୍ତଋଷି ବ୍ରହ୍ମବାଦୀ ॥ ୭୨

ଯେ ବେଦଶିରା ନାମେ ମୁନି । ତୁଷିତା ନାମେ ତା ଭାମିନୀ ॥ ୭୩

ସେ ପତ୍ନୀ ଗର୍ଭେ ବିଭୁ ରୂପେ । ବିଷ୍ଣୁ ଜନ୍ମିଲେ ଆଦିକଳ୍ପେ ॥ ୭୪

ପୂର୍ବେ ଯେ ବାଳଖିଲ୍ୟା ରୂପେ । ଅଠାଶୀସସ୍ର ଆଦିକଳ୍ପେ ॥ ୭୫

ଯୋଗ-ଅଭ୍ୟାସେ ଊର୍ଦ୍ଧ୍ୱରେତା । ବିଷ୍ଣୁ-ଭଜନେ ବଳବନ୍ତା ॥ ୭୬

ବିଭୁର ଶିକ୍ଷା ଶିରେ ଧରି । ସେ ମୁନିଗଣେ ବ୍ରହ୍ମଚାରୀ ॥ ୭୭

କୁମାର-ବ୍ରତ ଆଚରିଲେ । ତେଣୁ ବାଳକ ସେ ହୋଇଲେ ॥ ୭୮

ତୃତୀୟ-ମନୁ ଯେ ଉତ୍ତମ । ସେ ପ୍ରିୟବ୍ରତର ନନ୍ଦନ ॥ ୭୯

ତାର ସୁଞ୍ଜୟ ଯଜ୍ଞହୋତ୍ର । ଏ ଆଦି ପୁତ୍ରେ ବଳବନ୍ତ ॥ ୮୦

ସେ କଳ୍ପେ ସପ୍ତଋଷି ଜନ । ବଶିଷ୍ଠଋଷିଙ୍କ ନନ୍ଦନ ॥ ୮୧

ପ୍ରମଦ ଆଦି ସପ୍ତସୁତେ । ସତ୍ୟ ଆଦି ଯେ ଦେବଯୁଥେ ॥ ୮୨

ସତ୍ୟଜିତ ଯେ ଦେବରାଜା । ହରି-ଭକତେ ମହାତେଜା ॥ ୮୩

ସୁନୃତା ଧର୍ମପତ୍ନୀ ଗର୍ଭେ । ପୁରୁଷୋତ୍ତମ ରୂପେ ପୂର୍ବେ ॥ ୮୪

ବହିଣ ସତ୍ୟସେନ ନାମ । ସତ୍ୟବ୍ରତଙ୍କ ସଙ୍ଗେ ପୁଣ ॥ ୮୫

ଜନ୍ମିଲେ ସତ୍ୟବ୍ରତ ତୁଲେ । ଶୁଣ ତୁ ଯେବା କର୍ମ କଲେ ॥ ୮୬

ଯକ୍ଷ ରାକ୍ଷସ ଭୂତଗଣ । ପ୍ରାଣୀଙ୍କି କରନ୍ତି ଭକ୍ଷଣ ॥ ୮୭

ତାହାଙ୍କୁ ମାରି ସତ୍ୟ ସଙ୍ଗେ । ଧର୍ମ ରଖିଲେ ସତ୍ୟଯୁଗେ ॥ ୮୮

ଚତୁର୍ଥେ ପ୍ରିୟବ୍ରତ-ସୁତ । ତାମସ ଉତ୍ତମର ଭ୍ରାତ ॥ ୮୯

ଯେ ପୃଥୁ କେତୁ ଖ୍ୟାତି ନର । ଏ ଆଦି ଦଶ ତା କୁମର ॥ ୯୦

ତାର ଅନ୍ତରେ ସ୍ୱର୍ଗପୁରେ । ତ୍ରିଶିଖ ନାମେ ସୁରେଶ୍ୱରେ ॥ ୯୧

ସତ୍ୟକ ହରି ବୀର ଆଦି । ଦେବତା ନାମେ ଏ ପ୍ରସିଦ୍ଧି ॥ ୯୨

ମୁନିଏ ଜ୍ୟୋତିର୍ଦ୍ଧାମ ଆଦି । ତାମସ ଅନ୍ତରେ ପ୍ରସିଦ୍ଧି ॥ ୯୩

ବୈଧୃତି ନାମେ ଦେବଗଣ । ଶୁଣ ହୋ ତାହାଙ୍କ ପ୍ରମାଣ ॥ ୯୪

କାଳେ ଯେ ବେଦ ନାଶ ଗଲେ । ସେ ମନ୍ୱନ୍ତରେ ସେ ରଖିଲେ ॥ ୯୫

ସେ ମନ୍ୱନ୍ତରରେ ଅଚ୍ୟୁତ । ହରିଣୀ ଉଦରେ ସମ୍ଭୂତ ॥ ୯୬

ତେଣୁ ବହିଲେ ହରି ନାମ । ରୂପେ ମୋହିତ କୋଟିକାମ ॥ ୯୭

ଯେ ହରିନାମ ଏ ସଂସାରେ । ଅଶେଷ ଦୁରିତ ସଂହରେ ॥ ୯୮

ଯେ ରୂପେ ଗଜେନ୍ଦ୍ର-ମୋକ୍ଷଣ । କୁମ୍ଭୀର-ଦର୍ପ ନିବାରଣ ॥ ୯୯

ଜଳେ କୁମ୍ଭୀର ମୁଣ୍ଡ ହାଣି । ଗଜ ରଖିଲେ ଚକ୍ରପାଣି ॥ ୧୦୦

ଯା ନାମ ଭୁବନମଙ୍ଗଳ । ଦୂରିତ ବନ-ଦାବାନଳ ॥ ୧୦୧

ଏକଥା ଶୁକ ମୁଖୁଁ ଶୁଣି । ପାଣ୍ଡବ ବଂଶ ଚୂଡ଼ାମଣି ॥ ୧୦୨

ଆନନ୍ଦେ ହୋଇ କୃତକୃତ୍ୟ । ବୋଇଲେ ନୃପ ପରୀକ୍ଷିତ ॥ ୧୦୩

ରାଜା ଉବାଚ

ଭୋ ମୁନି ଦୁର୍ଲ୍ଲଭ-ବଚନ । ଶୁଣି ଆନନ୍ଦ ମୋର ମନ ॥ ୧୦୪

କେମନ୍ତେ ପ୍ରଭୁ ନରହରି । ଗଜ ରଖିଲେ ଗ୍ରାହ ମାରି ॥ ୧୦୫

କୁମ୍ଭୀର କେଉଁ ଜଳେ ଥିଲା । ଗଜକୁ କେମନ୍ତେ ଧଇଲା ॥ ୧୦୬

ସେ ଜଳଜୀବ ଜଳେ ଥାଇ । ହସ୍ତୀ-ସଂଯୋଗ ତାର କାହିଁ ॥ ୧୦୭

ହସ୍ତୀ ସବଳ ମହାକାୟେ । କୁମ୍ଭୀର କେତେ ବଳ ବହେ ॥ ୧୦୮

ଏକଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ ॥ ୧୦୯

ଏ ପୁଣ୍ୟକଥା ମହାଧନ୍ୟ । ମଙ୍ଗଳ ସର୍ବ ସ୍ୱସ୍ତ୍ୟୟନ ॥ ୧୧୦

ଏ ଯେ ପ୍ରସ୍ତାବ ହରିବାଣୀ । ଶ୍ରବଣମାର୍ଗେ ଯେବା ଶୁଣି ॥ ୧୧୧

ହରି ପ୍ରସାଦୁ ଭବୁ ତରେ । ନ ପଡ଼େ ମାୟା-ତମ-ଘୋରେ ॥ ୧୧୨

ସୁତ ଉବାଚ

ଏମନ୍ତେ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି ॥ ୧୧୩

ଗଙ୍ଗାର ତୀରେ ଅନ୍ତର୍ଜଳେ । ଅସଂଖ୍ୟ ମୁନିଗଣ ମେଳେ ॥ ୧୧୪

ଗୋବିନ୍ଦ ପାଦେ ଦେଇ ଚିତ୍ତ । ବୋଲଇ ଦାସ ଜଗନ୍ନାଥ ॥ ୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁଚରିତେ ପ୍ରଥମୋଽଧ୍ୟାୟଃ ॥

* * *