ସପ୍ତମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ଏ ପଞ୍ଚଦଶେ ବର୍ଣ୍ଣାଶ୍ରମ । ସାର ସଂଗ୍ରହେ ଯେବା ଧର୍ମ ॥ ୧
ପ୍ରାଣୀଙ୍କ ନିସ୍ତାର କାରଣେ । ମୋକ୍ଷ ଲକ୍ଷଣ ଯେ ପ୍ରମାଣେ ॥ ୨
ବର୍ଣ୍ଣିତ ନିଗମ ବଚନେ । ଶୁଣ ରାଜନ ସାବଧାନେ ॥ ୩
ରାଜୁସୀ ଯଜ୍ଞ-ସଭା ଚାହିଁ । କୁନ୍ତୀନନ୍ଦନ ଭାବ ବହି ॥ ୪
କହନ୍ତି ବ୍ରହ୍ମାଙ୍କ କୁମର । ଅଶେଷ ଜ୍ଞାନ ଧର୍ମସାର ॥ ୫
ନାରଦ ଉବାଚ
ବ୍ରାହ୍ମଣ କେବା କର୍ମନିଷ୍ଠ । ତପସାଧନେ କେ ପ୍ରତିଷ୍ଠ ॥ ୬
ବେଦ ପଠନେ କାର ସିଦ୍ଧି । କେବା ନିସ୍ତରେ ଯୋଗସାଧି ॥ ୭
ଗୃହସ୍ଥ ପିତୃଶ୍ରାଦ୍ଧ କାଳେ । ଜ୍ଞାନୀ-ପୁରୁଷ ଯେବେ ମିଳେ ॥ ୮
ତାହାଙ୍କୁ ହବ୍ୟ-କବ୍ୟ ଦାନ । କଲେ ଅନେକ ହୁଏ ପୁଣ୍ୟ ॥ ୯
ଜ୍ଞାନୀ ଅଭାବେ ଯଥାକ୍ରମେ । ଯେ ବିପ୍ରେ ଥାନ୍ତି ନିଜ ଧର୍ମେ ॥ ୧୦
ତାହାଙ୍କୁ ଯଥାଭୋଗ ଦେଇ । ତେବେ ଉଚିତ-ଫଳ ପାଇ ॥ ୧୧
ଶ୍ରାଦ୍ଧେ ଦେବତା-ଅର୍ଥେ ଦୁଇ । କରିବ ବିଶ୍ୱଦେବା ପାଇଁ ॥ ୧୨
ତୃତୀୟ ପିତୃସ୍ଥାନେ ବରି । ଅଭାବେ ଏକ ଏକ କରି ॥ ୧୩
ଉତ୍ତମ-ଦ୍ରବ୍ୟେ ଭୁଞ୍ଜାଇବ । ଶ୍ରାଦ୍ଧେ ବିସ୍ତାର ନ କରିବ ॥ ୧୪
ଯେ ଦ୍ରବ୍ୟ ଦେଶ-କାଳୋଚିତେ । ମିଳିବ ଶ୍ରଦ୍ଧା ଅନୁମତେ ॥ ୧୫
ଯେ ପାତ୍ରେ ଯେବା ଅରହଣ । ବିସ୍ତାରେ ନୁହଁଇ ଘଟଣ ॥ ୧୬
ଏମନ୍ତେ ଦେବ-ପିତୃ-ଯଜ୍ଞେ । ଯେବା ପୂଜନ୍ତି ହବ୍ୟ-କବ୍ୟେ ॥ ୧୭
ଉତ୍ତମ-ଫଳ ସେ ଲଭନ୍ତି । ଏ ଭବସଂସାର ତରନ୍ତି ॥ ୧୮
ଏଣୁ ଯେ ଦେଶ-କାଳ-ପାତ୍ରେ । ଆମିଷ ବର୍ଜି ବନଜାତେ ॥ ୧୯
ଯଥାସଂସ୍କାରେ ଦେଇ ଅନ୍ନ । ବିଷ୍ଣୁଙ୍କୁ କରି ନିବେଦନ ॥ ୨୦
ଶ୍ରଦ୍ଧାରେ ସତପାତ୍ରେ ଦେଇ । ସେ ଶ୍ରାଦ୍ଧ କାମଧେନୁ ହୋଇ ॥ ୨୧
ଭୁଞ୍ଜନ୍ତି ଅକ୍ଷୟ-କଲ୍ୟାଣ । ଏ ବାକ୍ୟ ନିଗମ ପ୍ରମାଣ ॥ ୨୨
ଦେବ-ବ୍ରାହ୍ମଣ-ପିତୃ-ଭୂତେ । ସ୍ୱଜନ ଆଦି ବନ୍ଧୁଯୁତେ ॥ ୨୩
ଏହାଙ୍କୁ ବିଷ୍ଣୁଭାବେ ମଣି । ସନ୍ତୋଷେ ଦେବ ଅନ୍ନପାଣି ॥ ୨୪
ଯା ଚିତ୍ତ ଧର୍ମ-ଉପଦେଶେ । ଶ୍ରାଦ୍ଧ କରିବ ନିରାମିଷେ ॥ ୨୫
ଯେ ଧର୍ମ ଲଭି ନିରାମିଷେ । ସେ କାହିଁ ଲାଭ ପଶୁହିଂସେ ॥ ୨୬
ସ୍ୱଧର୍ମେ ଇଚ୍ଛା ଯାର ଥିବ । କେବେହେଁ ପଶୁ ନ ହିଂସିବ ॥ ୨୭
ମାନସ-କାୟିକ-ବଚନେ । ନ କରି ପଶୁକୁ ହିଂସନେ ॥ ୨୮
ଉତ୍ତମ-ଧର୍ମ ଯେ ଇଚ୍ଛଇ । ଏ ସମ ଧର୍ମ ଆଉ ନାହିଁ ॥ ୨୯
ଯଜ୍ଞର ଫଳ ଯେ ଜାଣନ୍ତି । ଅନିତ୍ୟ କର୍ମମୟ ଚିନ୍ତି ॥ ୩୦
ଆତ୍ମାସଂଯମ ଅଗ୍ନି ଜାଳି । ଇନ୍ଦ୍ରିୟ-ଅର୍ଥ-ଘୃତ ଢାଳି ॥ ୩୧
ଏ ଜ୍ଞାନଯଜ୍ଞେ ଦୃଢ଼ କରି । ବିଷ୍ଣୁମାୟାରୁ ଯାନ୍ତି ତରି ॥ ୩୨
ଯେ ଦ୍ରବ୍ୟମୟ ଯଜ୍ଞ କରେ । ତାହାଙ୍କୁ ଦେଖି ସାଧୁ ତରେ ॥ ୩୩
ଏହାର ଦେହେ ଜ୍ଞାନ ନାହିଁ । ଆମ୍ଭ ଜୀବନ ରଖେ କାହିଁ ॥ ୩୪
ଏ ଘେନି ଦୟା ଯାର ଚିତ୍ତେ । ଯଜ୍ଞ କରିବ ମୁନିମତେ ॥ ୩୫
ବିଧର୍ମ ପରଧର୍ମ ବେନି । ଆଭାସ ଉପମାକୁ ଘେନି ॥ ୩୬
ଛଳ ସମେତ ପଞ୍ଚ ଜାଣ । ଅଧର୍ମ ଶାଖା ଏ ପ୍ରମାଣ ॥ ୩୭
ଯେ ଧର୍ମେ ସ୍ୱଧର୍ମେରେ ବାଧା । ସେ ଧର୍ମେ ନକରିବ ଶ୍ରଦ୍ଧା ॥ ୩୮
ଯେ ଧର୍ମ ପରବାକ୍ୟେ କରି । ସେ ଧର୍ମେ କେବେହେଁ ନ ତରି ॥ ୩୯
ପାଷଣ୍ଡଧର୍ମ ଉପଧର୍ମ । ଦମ୍ଭ ମତ୍ସରେ ଯେବା କର୍ମ ॥ ୪୦
ଶାସ୍ତ୍ରର ତତ୍ତ୍ୱ ନ ବିଚାରି । ବାହ୍ୟଧର୍ମର ଧ୍ୱଜା ଧରି ॥ ୪୧
ଯେ ଶାସ୍ତ୍ରବାକ୍ୟ ଭେଦକରି । ଛଳଧର୍ମ ଯେ ତାକୁ ବୋଲି ॥ ୪୨
ଧର୍ମ ଆଭାସ ମାତ୍ର ଧରି । ଆଶ୍ରମ ଧର୍ମ ପରିହରି ॥ ୪୩
ସ୍ୱଇଚ୍ଛେ ଏକଧର୍ମ କରି । ଆଭାସ ଧର୍ମ ତାକୁ ବୋଲି ॥ ୪୪
ଯେ ଧର୍ମ ଆତ୍ମଶାନ୍ତି କରେ । କେ ତାହା ନିତ୍ୟେ ନ ସୁମରେ ॥ ୪୫
ନିର୍ଦ୍ଧନ-ପ୍ରାଣୀ ଯେବେ ହୋଇ । ଧର୍ମ ବା ଜୀବିକାର ପାଇଁ ॥ ୪୬
ଚେଷ୍ଟା ନକରେ ବହୁଧନେ । ସନ୍ତୋଷ ଅଳପ-ଭୋଜନେ ॥ ୪୭
ସହଇ ଅଜଗର ଯେହ୍ନେ । ଆହାର ନ ବାଞ୍ଛଇ ମନେ ॥ ୪୮
ସନ୍ତୋଷ ଆତ୍ମା ଯେବା ନରେ । ଅନ୍ତେ ପଶନ୍ତି ସୁଖଘରେ ॥ ୪୯
ଯେ ଧନଲୋଭେ ଅସନ୍ତୋଷ । ଭ୍ରମେ ଭ୍ରମଇ ଦଶଦିଶ ॥ ୫୦
ତହିଁରେ କଷ୍ଟ ସାର ହୋଏ । ସର୍ବ ସନ୍ତୋଷ ସୁଖମୟେ ॥ ୫୧
ଚର୍ମ ପାଦୁକା ଯା ଚରଣେ । ସେ ଯେହ୍ନେ କଣ୍ଟକ-ପାଷାଣେ ॥ ୫୨
ଭ୍ରମି ନ ଲଭେ କିଛି ଦୁଃଖ । ରାତ୍ର ଦିବସେ ଲଭେ ସୁଖ ॥ ୫୩
କଲେ କେବଳ ଜଳପାନ । ବଞ୍ଚେ ସନ୍ତୋଷେ ସୁଖେ ଦିନ ॥ ୫୪
ଜିହ୍ୱା-ଉପସ୍ଥେ ଲୋଭ ଯାର । ସେ ଗୃହପାଳ ପ୍ରାୟେ ନର ॥ ୫୫
ଯେ ବିପ୍ର ହୋଏ ଅସନ୍ତୋଷ । ତାହାର ତପ ବିଦ୍ୟା ଯଶ ॥ ୫୬
ଇନ୍ଦ୍ରିୟ-ଲୋଭେ ହୋନ୍ତି ନାଶ । ଅଜ୍ଞାନ-କର୍ମେ ହୋନ୍ତି ଧ୍ୱଂସ ॥ ୫୭
ଯେ ଜିହ୍ୱା-ଉପସ୍ଥକୁ ଜିଣି । ସନ୍ତୋଷ ଲଭଇ ଯେ ପ୍ରାଣୀ ॥ ୫୮
ସେ ପ୍ରାଣୀ ଇହପର ଲୋକେ । ଅଶେଷ ଫଳ ଭୁଞ୍ଜେ ଏକେ ॥ ୫୯
ଯେ ଜନ କ୍ଷୁଧା-ତୃଷାବନ୍ତ । ସେ ନିଶ୍ଚେ କାମ କରେ ଅନ୍ତ ॥ ୬୦
ହିଂସା ଉଦୟ ହୋଏ ଯାର । କ୍ରୋଧ ହୁଅଇ ଅନ୍ତ ତାର ॥ ୬୧
ଯେ ଜନ ସର୍ବଦିଗ ଜିଣି । ଏକାନ୍ତେ ଭୁଞ୍ଜଇ ଧରଣୀ ॥ ୬୨
ସେ ଲୋଭ ନପାରଇ ଜିଣି । ଶୁଣ ନୃପତି-ଚୂଡ଼ାମଣି ॥ ୬୩
ପଣ୍ଡିତଜନ ହୋଇ ଯେବେ । ନିରତେ ଅସନ୍ତୋଷ-ଭାବେ ॥ ୬୪
ଅଧୋଗମନ ତାହାଙ୍କର । ଶୁଣ ସୁମନେ ନୃପବର ॥ ୬୫
କାମକୁ ଜିଣେ ଅସଂକଳ୍ପେ । ପ୍ରାଣୀ ନାଶଇ ଯାର ଦର୍ପେ ॥ ୬୬
କାମର କ୍ଷୟେ କ୍ରୋଧ ଯାଏ । ଅର୍ଥ-ବର୍ଜନେ ଲୋଭ କ୍ଷୟେ ॥ ୬୭
ଭୟକୁ ଜିଣେ ତତ୍ତ୍ୱଜ୍ଞାନେ । ଶୋକମୋହକୁ କୃଷ୍ଣଧ୍ୟାନେ ॥ ୬୮
ମହାନ୍ତସେବା ଦମ୍ଭ ନାଶେ । ଯେ ଭାବେ କୈବଲ୍ୟ ପ୍ରକାଶେ ॥ ୬୯
ତତ୍ତ୍ୱଜ୍ଞାନରେ ହୋଏ ମୁକ୍ତି । ଏ ଧର୍ମ ବଇଷ୍ଣବ ଭକ୍ତି ॥ ୭୦
ଯୋଗ ସାଧନେ ଯେତେ ବିଘ୍ନ । ତାହାକୁ ଖଣ୍ଡଇ ମଉନ ॥ ୭୧
ହିଂସାକୁ ଜିଣେ କାମତ୍ୟାଗେ । କାମକୁ ଜିଣେ ଯୋଗମାର୍ଗେ ॥ ୭୨
ଦୟା ପ୍ରାଣୀଙ୍କ ଭୟ ହରେ । ତ୍ରିତାପ ସମାଧି ସଂହରେ ॥ ୭୩
ସଞ୍ଜମ ଦେହବ୍ୟାଧି ହରେ । ନିଦ୍ରାକୁ ସାତ୍ତ୍ୱିକ-ଆହାରେ ॥ ୭୪
ରଜ-ତମକୁ ସତ୍ତ୍ୱଗୁଣେ । ସତ୍ତ୍ୱକୁ ଉପଶମେ ଜିଣେ ॥ ୭୫
ଗୁରୁସେବନେ ସର୍ବଦୁଃଖେ । ପ୍ରାଣୀ ତରନ୍ତି ଆତ୍ମା ସୁଖେ ॥ ୭୬
ଯେ ଗୁରୁ ଜ୍ଞାନ-ଦାନ ଦେଇ । ତାକୁ ଯେ ମନୁଷ୍ୟେ ଗଣଇ ॥ ୭୭
ସେ ଯେତେ ଧର୍ମ କରେ ଦେହେ । ନିଷ୍ଫଳ ହସ୍ତୀସ୍ନାନ ପ୍ରାୟେ ॥ ୭୮
ଯା ଦେହେ ପ୍ରଭୁ ଚକ୍ରଧର । ପ୍ରସନ୍ନ ପୁରୁଷ ଈଶ୍ୱର ॥ ୭୯
ତାର ଚରଣସେବା ଅର୍ଥେ । ଅଜ୍ଞାନୀ ନୁହଁନ୍ତି ସମର୍ଥେ ॥ ୮୦
ତାହାକୁ ନରପ୍ରାୟେ ମଣି । ଅଧୋଗମନେ ଯାନ୍ତି ପ୍ରାଣୀ ॥ ୮୧
ଏକାନ୍ତଭକ୍ତି ଯେଉଁ ପ୍ରାଣୀ । ସାଧଇ ଷଡ଼ରିପୁ ଜିଣି ॥ ୮୨
ସର୍ବନିୟମ ସାଧି ଜାଣେ । ନିଗମ-ବଚନ-ପ୍ରମାଣେ ॥ ୮୩
ଯେବେ ନ ଭଜେ ନରହରି । ସେ ଶ୍ରମଭାରେ ହୋନ୍ତି ଭାରି ॥ ୮୪
ବୃତ୍ତି-କଳ୍ପନେ ଯେତେ ଅର୍ଥ । ଯୋଗେ ନୁହନ୍ତି ସାମରଥ ॥ ୮୫
ଏମନ୍ତେ ଈଷ୍ଟାପୂର୍ତ୍ତିମାନେ । ଅନର୍ଥ କୃଷ୍ଣର ବିହୁନେ ॥ ୮୬
ଚିତ୍ତ-ବିଜୟେ ଯତ୍ନ ଯାର । ନିଃସଙ୍ଗେ କରଇ ବିହାର ॥ ୮୭
ଗୃହେ ଅସଙ୍ଗ ମନସୁଖେ । ଯୋଗ ସାଧଇ ଅତିରେକେ ॥ ୮୮
ଏକାନ୍ତେ ଏକମତେ ଥାଇ । ଅଳ୍ପଭୋଜନେ ତୋଷହୋଇ ॥ ୮୯
ଏକାନ୍ତମନେ ଶୁଚିଦେଶେ । ବସିବ ଆସନେ ଉଶ୍ୱାସେ ॥ ୯୦
ପବିତ୍ର ସ୍ଥିର ସୁଖମନେ । ଓଁକାର କରି ଉଚ୍ଚାରଣେ ॥ ୯୧
ବାମଚରଣ ଗୁହ୍ୟଦ୍ୱାରେ । ଦକ୍ଷିଣପାଦ ତା’ ଉପରେ ॥ ୯୨
ଦେଇ ଟେକିବ ମେରୁଦଣ୍ଡ । ଭୁଜେ ଆମଞ୍ଚି ଜାନୁଖଣ୍ଡ ॥ ୯୩
ପ୍ରାଣ-ଅପାନ-ବାୟୁବଳେ । ରସନା ତୋଳି ତାଳୁମୂଳେ ॥ ୯୪
ନିଶ୍ଚଳଧ୍ୟାନ ଦୃଷ୍ଟି ଏକେ । ସାଧିବି ପୂରକ କୁମ୍ଭକେ ॥ ୯୫
ରେଚକେ କରି ତାକୁ ସମ । ନାସାଗ୍ରେ ସ୍ଥାପିବ ନୟନ ॥ ୯୬
ଯାବତ କାମନା ନ ତେଜେ । ତାବତ ସଞ୍ଜମ ନ ଭଜେ ॥ ୯୭
ଏଣୁ ନିଶ୍ଚଳେ ସ୍ଥାପି ମନ । କରିବ ନାସାଅଗ୍ରେ ଧ୍ୟାନ ॥ ୯୮
ଅଗ୍ନିର ବଳେ କାମବନ । ଜ୍ଞାନେଣ ଇନ୍ଦ୍ରିୟ ଦହନ ॥ ୯୯
ଯୋଗ-ଅଭ୍ୟାସ ଧୀରେ କରି । ତହିଁ ରହିବ ମନ ଧରି ॥ ୧୦୦
ନିର୍ମଳ କରି ଚକ୍ଷୁଦ୍ୱାର । କର୍ମ-ସାଧିବ ନିରନ୍ତର ॥ ୧୦୧
ଅଭ୍ୟାସ-ବଳେ ଜିଣି ମନ । ଅଳପ ଅଳପ ସାଧନ ॥ ୧୦୨
ଏମନ୍ତ ସାଧି-ନିରନ୍ତରେ । ସୁଖେ ମିଳିବ ମୋକ୍ଷଦ୍ୱାରେ ॥ ୧୦୩
କାଷ୍ଠ-ବିହୁନେ ଅଗ୍ନିପ୍ରାୟେ । ସକଳ କାମ ଲୀନ ହୋଏ ॥ ୧୦୪
ଯେ ଚିତ୍ତ ସର୍ବବୃତ୍ତିତେଜେ । କାମାଦି ରିପୁକୁ ନ ଭଜେ ॥ ୧୦୫
ଯେ ଚିତ୍ତ ମିଶେ ବ୍ରହ୍ମସୁଖେ । କେବେହେଁ ନ ପଡ଼ଇ ଦୁଃଖେ ॥ ୧୦୬
କେବେହେଁ ମାୟା ନ କଳ୍ପଇ । ଅନ୍ତରେ ରହେ ସୂକ୍ଷ୍ମ ହୋଇ ॥ ୧୦୭
ଯେ ପ୍ରାଣୀ ଗୃହଦ୍ୱନ୍ଦ୍ୱ ତେଜେ । ତ୍ରିବର୍ଗ ଛାଡ଼ି ବନ ଭଜେ ॥ ୧୦୮
ପୁଣି ମିଳଇ ଗୃହେ ଯାଇ । ନିର୍ଲ୍ଲଜ ସେହୁ ବାନ୍ତି ଖାଇ ॥ ୧୦୯
ଏ ଦେହେ ସୁଖ ଯେ ଲୋଡ଼ନ୍ତି । ଅଜରାମର ପ୍ରାୟ ଚିନ୍ତି ॥ ୧୧୦
ଜୀବନ ଅନ୍ତେ ଏ ଶରୀର । ଭସ୍ମ ପୁରୀଷ କୃମି ସାର ॥ ୧୧୧
ଏହାକୁ ସତ୍ୟ ପ୍ରାୟେ ମଣି । ଅଧର୍ମେ ପଶନ୍ତି ଯେ ପ୍ରାଣୀ ॥ ୧୧୨
ତାହାକୁ ବୋଲି ମୂଢ଼ଜନ । ନିଷ୍ଫଳ ତାହାଙ୍କ ଜୀବନ ॥ ୧୧୩
ଗୃହସ୍ଥ ଗୃହଧର୍ମ ଛାଡ଼ି । ଅନ୍ୟ ଆଶ୍ରମେ ଲୋଭ ବଢ଼ି ॥ ୧୧୪
ବ୍ରତକୁ ତେଜେ ବ୍ରହ୍ମଚାରୀ । ତପସ୍ୱୀଗ୍ରାମେ ବାସ କରି ॥ ୧୧୫
ସନ୍ନ୍ୟାସୀ ଇନ୍ଦ୍ରି ଲୋଭେ ରସେ । ଗ୍ରାମ-ଗହନେ ଯେବେ ପଶେ ॥ ୧୧୬
ଆଶ୍ରମ-ଭ୍ରଷ୍ଟ ଏତେ ପ୍ରାଣୀ । ଏହାକୁ ଆଶ୍ରମେ ନ ଗଣି ॥ ୧୧୭
ଅଧର୍ମେ ବିଡ଼ମ୍ବନ-କର୍ମ । ବିଷ୍ଣୁମାୟାରେ ହୋଇ ଭ୍ରମ ॥ ୧୧୮
ବୁଲନ୍ତି ମାୟାରୂପ ଧରି । ତାହାଙ୍କୁ ସମ୍ଭାଷ ନ କରି ॥ ୧୧୯
ପରମଜ୍ଞାନ ଚିତ୍ତେ ଚିନ୍ତି । ଯେ ଆତ୍ମାଗତି ନ ଜାଣନ୍ତି ॥ ୧୨୦
ସେ କି କାରଣେ ଦେହ ଧରି । ବହୁ ଭୋଜନେ ପୁଷ୍ଟ କରି ॥ ୧୨୧
ଏବେ ହୋ ଶୁଣ ଯୁଧିଷ୍ଠିର । ଏ ନର-ଶରୀର ବେଭାର ॥ ୧୨୨
ଦେହ ବହିଲା ଯେବା ଅର୍ଥେ । କେବେହେଁ ନ ଭଜେ ତା ଚିତ୍ତେ ॥ ୧୨୩
ବିଧାତା-ନିର୍ମାଣ-ବିଧାନ । ଏହା ନ ଜାଣେ ମୂର୍ଖଜନ ॥ ୧୨୪
ଦେହକୁ ରଥପ୍ରାୟେ ରଚି । ଦଶ ତୁରଙ୍ଗ ଯହିଁ ଯୋଚି ॥ ୧୨୫
ଦଶ-ଇନ୍ଦ୍ରିୟ ଦଶ-ବାଜି । ମନ ରଶ୍ମିଏ ତହିଁ ଯୋଚି ॥ ୧୨୬
ଶବ୍ଦ ସ୍ପରଶ ରସ ଗନ୍ଧେ । ରୂପରେ ଚଳେ ଅନୁବନ୍ଧେ ॥ ୧୨୭
ସାରଥିପଣେ ବୁଦ୍ଧି ରହେ । ଏ ପଞ୍ଚମାର୍ଗେ ରଥ ବାହେ ॥ ୧୨୮
ଏ ନରଦେହ ବନ୍ଧ ଚିତ୍ତେ । ଛନ୍ଦ ବନ୍ଧନ ଈଷଯନ୍ତ୍ରେ ॥ ୧୨୯
ପ୍ରାଣ ବସଇ ଏ ଶରୀରେ । ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ ॥ ୧୩୦
ସେ ପ୍ରାଣ ଅକ୍ଷରୂପ ଧରି । ବାହାର ଭିତରେ ସଞ୍ଚରି ॥ ୧୩୧
ଧର୍ମ ଅଧର୍ମ ଚକ ଦୁଇ । ଏ ଜୀବ ଅହଙ୍କାର ବହି ॥ ୧୩୨
ରଥେ ବସଇ ରଥୀ ରୂପେ । କର୍ମାନୁସାରେ ବଳ ଦର୍ପେ ॥ ୧୩୩
ପ୍ରଣବ ହସ୍ତେ ଧନୁ ତାର । ଅକାର ଉକାର ମକାର ॥ ୧୩୪
ଜୀବକୁଶର ରୂପେ କରି । ପ୍ରଣବ ଧନୁ ହସ୍ତେ ଧରି ॥ ୧୩୫
ପରମଆତ୍ମା କରି ଲକ୍ଷ୍ୟ । ନାରାଚ ବିନ୍ଧିବ ପ୍ରତ୍ୟକ୍ଷ ॥ ୧୩୬
ସମ୍ମୁଖେ ଯେତେ ରିପୁ ଥିବେ । ଯୁଦ୍ଧେ ସକଳେ ନାଶଯିବେ ॥ ୧୩୭
ଶୁଣ ରାଜନ ଶୁଦ୍ଧଚିତ୍ତେ । ସମ୍ମୁଖେ ରିପୁ ଛନ୍ତି ଯେତେ ॥ ୧୩୮
ଏ କାମକ୍ରୋଧ ଶୋକ ମୋହ । ଲୋଭ ଅସୂୟା ମାୟା ଭୟ ॥ ୧୩୯
ମଦ ମତ୍ସର ଅପମାନ । ପ୍ରମାଦ ହିଂସା ମିଥ୍ୟାମାନ ॥ ୧୪୦
ରଜ ତାମସ ନିଦ୍ରା କ୍ଷୁଧା । ଏତେ ଶତ୍ରୁରେ ଯହିଁ ବାଧା ॥ ୧୪୧
ତ୍ରିଗୁଣମୟୀ ଯେ ପ୍ରକୃତି । ଏ ଆଦି ରିପୁ ଯେତେ ଛନ୍ତି ॥ ୧୪୨
ଏହାକୁ ସମ୍ମୁଖେ ଆବୋରି । ଯେ ରଥୀ ପାରେ ଯୁଦ୍ଧେ ମାରି ॥ ୧୪୩
ରଥକୁ ଆତ୍ମା-ବଶ କରି । ଜ୍ଞାନ-ଖଡ଼ଗ ହସ୍ତେ ଧରି ॥ ୧୪୪
ସୁଖେ ଭୁଞ୍ଜଇ ସ୍ୱର୍ଗରାଜ୍ୟ । ଆନନ୍ଦେ ଅଷ୍ଟ ଅଇଶ୍ୱର୍ଯ୍ୟ ॥ ୧୪୫
ଯେବେ ଏ ରଥ ତ୍ୟାଗକରି । ନିଶ୍ଚିନ୍ତେ ରହେ ମୋହ ଭରି ॥ ୧୪୬
ଏମନ୍ତେ ରିପୁ ଯେ ନ ମାରେ । ସେ କାହିଁ ଆତ୍ମସୁଖେ ତରେ ॥ ୧୪୭
ଯେବେ ଅଳସେ ରହେ ରଥେ । ତାହାଙ୍କୁ ବେଢ଼ନ୍ତି ସମସ୍ତେ ॥ ୧୪୮
ଅସାଧ୍ୟ-ଅଶ୍ୱ ଯେତେ ରଥେ । ସାରଥି ବିମାନ ସହିତେ ॥ ୧୪୯
ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି । ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି ॥ ୧୫୦
ସେ ଶତ୍ରୁଗଣେ ବଳେ କରି । ଅଶ୍ୱ ସାରଥି ରଥ ଧରି ॥ ୧୫୧
ସଂସାର-କୂପ-ଅନ୍ଧକାରେ । କ୍ଷେପନ୍ତି ମୃତୁ୍ୟଭୟ ଘୋରେ ॥ ୧୫୨
ପ୍ରବୃତ୍ତି ନିବୃତ୍ତି ଏ କର୍ମ । ସଂସାରେ ବଇଦିକ ଧର୍ମ ॥ ୧୫୩
ପ୍ରବୃତ୍ତି-ପଥେ ସଞ୍ଚରନ୍ତି । ନିବୃତ୍ତେ ଅମୃତ ଭୁଞ୍ଜନ୍ତି ॥ ୧୫୪
ଯେ ଦ୍ରବ୍ୟମୟ ଯଜ୍ଞ କାମ । ଆବର ଅଗ୍ନିହୋତ୍ର ନାମ ॥ ୧୫୫
ପୂର୍ଣ୍ଣିମା ଅମାବାସ୍ୟା ଆଦି । ପଶୁ ଯେ ଚାତୁର୍ମାସ୍ୟା ବିଧି ॥ ୧୫୬
କୂପ ପ୍ରାସାଦ ଉପବନ । ଏ ଆଦି ଈଷ୍ଟାପୂର୍ତ୍ତି କର୍ମ ॥ ୧୫୭
ହୁତ ପ୍ରହୁତ ଆଦି ଯେତେ । ପ୍ରବୃତ୍ତିପଥ-କର୍ମ ଏତେ ॥ ୧୫୮
ସୂକ୍ଷ୍ମ ଦ୍ରବ୍ୟ ବିପାକମୟ । ଧୂମ ରଜନୀ ଅପକ୍ଷୟ ॥ ୧୫୯
ଦକ୍ଷିଣାୟନେ ସୋମ ବୁଧ । ଦରଶ ଓଷଧି ବିରୁଧ ॥ ୧୬୦
ଯେ ଅନ୍ନ ରେତରୁ ସମ୍ଭବ । ଏ ପିତୃଯାନ ପୁନର୍ଭବ ॥ ୧୬୧
ଏ ଅନ୍ନରୂପେ ଏକେ ଏକେ । ଭବେ ଭ୍ରମନ୍ତି ଜୀବଲୋକେ ॥ ୧୬୨
ପ୍ରବୃତ୍ତିମାର୍ଗ ଏ ପ୍ରମାଣ । ଏବେ ହୋ ଧର୍ମସୁତ ଶୁଣ ॥ ୧୬୩
ଦେବଙ୍କ ରାତ୍ର ଏ ବୋଲାଇ । ଶୁଣ ଦିବସ ଏବେ କହି ॥ ୧୬୪
ସମ୍ଭବୁଁ ମରଣ ପର୍ଯ୍ୟନ୍ତେ । ଦ୍ୱିଜ-ସଂସ୍କାର ବେଦମତେ ॥ ୧୬୫
ସେ ଦ୍ୱିଜ ଯେବେ ଜ୍ଞାନୀ ହୋଏ । ଯଜ୍ଞ କରଇ ନିଜ ଦେହେ ॥ ୧୬୬
ଇନ୍ଦ୍ରି ବନ୍ଧନ ଅର୍ଥେ କଳ୍ପେ । ହୋମ କରଇ ଜ୍ଞାନ ଦୀପେ ॥ ୧୬୭
ମନେ କରିବ ଇନ୍ଦ୍ରି ଲୀନ । ବଚନେ ସଂହରିବ ମନ ॥ ୧୬୮
ବଚନ ସ୍ୱରେ ଲୀନକରି । ସ୍ୱରକୁ ଓଁକାରେ ସଂହରି ॥ ୧୬୯
ଓଁକାର ବିନ୍ଦୁ ନାଦେ ଦେଇ । ବିନ୍ଦୁକୁ ପ୍ରାଣ ସଙ୍ଗେ ଥୋଇ ॥ ୧୭୦
ଜ୍ଞାନୀର ଏମନ୍ତ ଲକ୍ଷଣ । ଯେ ପଥେ ଯିବ ତାହା ଶୁଣ ॥ ୧୭୧
ଅଗ୍ନି ଆଦିତ୍ୟ ପ୍ରାତଃକାଳ । ପୂର୍ଣ୍ଣିମା ପକ୍ଷ ଯେ ଶୁକଳ ॥ ୧୭୨
ଏ ବ୍ରହ୍ମମାର୍ଗ ଅନୁପମ । ଉତ୍ତରାୟଣ ଏହା ନାମ ॥ ୧୭୩
ବିଶ୍ୱ-ତୈଜସ-ପ୍ରାଜ୍ଞେ ଲୟ । ତୁରୀୟାତୀତେ ଆତ୍ମମୟ ॥ ୧୭୪
ଏ ଦେବଯାନ-ପଥ ଚିନ୍ତି । ଏ ମାର୍ଗେ ଭବେ ନ ମିଳନ୍ତି ॥ ୧୭୫
ଯେ ଆତ୍ମା-ଉପଶାନ୍ତ ଜନେ । ନିତ୍ୟେ ରହନ୍ତି ଆତ୍ମଧ୍ୟାନେ ॥ ୧୭୬
ସେ ନ ପଡ଼ନ୍ତି ନରଲୋକେ । ନିଶ୍ଚନ୍ତେ ଥାନ୍ତି ଆତ୍ମାସୁଖେ ॥ ୧୭୭
ଏ ପିତୃ-ଦେବଯାନ-ପଥେ । ଯେ ଜନେ ଯାନ୍ତି ବେଦମତେ ॥ ୧୭୮
ଗମନାଗମନ କରନ୍ତି । ଜ୍ଞାନୀ ରହନ୍ତି ଏହା ଚିନ୍ତି ॥ ୧୭୯
ଯେ ଆଦିଅନ୍ତ ପ୍ରାଣୀଙ୍କର । ବ୍ୟାପିଛି ବାହ୍ୟ ଅଭ୍ୟନ୍ତର ॥ ୧୮୦
ପର-ଅପର ଯାହା ଦେହେ । ଯେ ଅବା ଜ୍ଞାନ ଜ୍ଞେୟ ହୋଏ ॥ ୧୮୧
ବଚନ ବାଚ୍ୟ ତମ ଜ୍ୟୋତି । ଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି ॥ ୧୮୨
ଯେ ତାଙ୍କୁ ଯେମନ୍ତେ ଚିନ୍ତଇ । ଆଭାସ ମାତ୍ରେ ସେ ଦେଖଇ ॥ ୧୮୩
ଭାବ-ପ୍ରମାଣେ ଦୃଶ୍ୟ ହୋଏ । ଦର୍ପଣେ ପ୍ରତିବିମ୍ବ ପ୍ରାୟେ ॥ ୧୮୪
ବସ୍ତୁ ନୁହଁଇ କଦାଚିତେ । ଏ ଭାବ ଘଟିବ କେମନ୍ତେ ॥ ୧୮୫
ଏଣୁ ନିଶ୍ଚଳ ଦୃଢ଼ଚିତ୍ତେ । ଯେ ତାଙ୍କୁ ଚିନ୍ତେ ଅବିରତେ ॥ ୧୮୬
କର୍ମେ ଭଜନ୍ତି ତାର ପଥ । ଏ ଭାବ ନିଗମେ ସମ୍ମତ ॥ ୧୮୭
ଏ ଭୂମି ଆଦି ପଞ୍ଚଭୂତେ । ସେ ରହେ ବାହ୍ୟ ଅନ୍ତର୍ଗତେ ॥ ୧୮୮
ତାଙ୍କୁ ନ ପାଇ ଏକେ ଏକେ । ସେ ତାରତମ୍ୟ ଅତିରେକେ ॥ ୧୮୯
ବନ-ସମୂହେ ଲତା ଯେହ୍ନେ । ଜାଣିଲେ କର୍ମ ଅନୁମାନେ ॥ ୧୯୦
ବିଚାରେ ବହେ ଏକମୂଳେ । ଅନ୍ୟତ୍ର ନ ଲାଗେ ନିଶ୍ଚଳେ ॥ ୧୯୧
ତା ଆଦି ଅନ୍ତ ଯେ ନ ଜାଣି । ଏହି ପ୍ରକାରେ ଭ୍ରମେ ପ୍ରାଣୀ ॥ ୧୯୨
ନିଦ୍ରା ଜାଗ୍ରତ ସ୍ୱପ୍ନ ମଧ୍ୟେ । ଯେ ରୂପେ ଏ ବିଧି ନିଷେଧେ ॥ ୧୯୩
ଯେ କ୍ରିୟା ଭାବ ଦ୍ରବ୍ୟମତେ । ମୁନି କହନ୍ତି ଶାସ୍ତ୍ରଗତେ ॥ ୧୯୪
ଜାଗ୍ରତ ସ୍ୱପ୍ନ ନିଦ୍ରା ଯେହ୍ନେ । ନ ଲାଗେ ଶୁଦ୍ଧ ଚଇତନେ ॥ ୧୯୫
କାର୍ଯ୍ୟକାରଣ ବସ୍ତୁ ଯେତେ । ଦେଖଇ ପଟ-ତନ୍ତୁମତେ ॥ ୧୯୬
ଦେହରେ ଅବସ୍ତୁ-ବିକଳ୍ପ । ଏ ଭାବାଦ୍ୱୈତ୍ୟ କହି ନୃପ ॥ ୧୯୭
ଶରୀର ବହି ଏ ଜଗତେ । ଯେ କର୍ମ କରି ବେଦମତେ ॥ ୧୯୮
ହରି-ବିଷୟେ ସମର୍ପିଲେ । ବିଷ୍ଣୁମାୟାରୁ ତରେ ଭଲେ ॥ ୧୯୯
ଏହାର ନାମ କ୍ରିୟାଦ୍ୱୈତ । ଅପରେ ଶୁଣ ନରନାଥ ॥ ୨୦୦
ଶରୀର ଦାରା ସୁତ ଆଦି । ଅନ୍ୟ ବାନ୍ଧବ ଯେ ପ୍ରସିଦ୍ଧି ॥ ୨୦୧
ଯେ ଅର୍ଥକର୍ମେଏହା ଦେଖି । ଏହାକୁ ଦ୍ରବ୍ୟାଦ୍ୱୈତ ଲେଖି ॥ ୨୦୨
ଯେ କର୍ମ ଯେଉଁ ଉପାୟରେ । ଯାହା ସକାଶୁଁ ଯେଉଁଠାରେ ॥ ୨୦୩
ଯାହାର ଯେ ନିଷେଧ ଥିବ । ବିନା ଆପଦେ ନ କରିବ ॥ ୨୦୪
ଏ ଆଦି ବେଦବାକ୍ୟ ଯେତେ । ଗୃହେ ଯେ ସାଧେ ଅବିରତେ ॥ ୨୦୫
କୃଷ୍ଣେ ନ କରେ ସମର୍ପଣ । ତାର ଜୀବନ ଅକାରଣ ॥ ୨୦୬
ଦେଖ ତୁ ଗୃହଧର୍ମେ ଥାଇ । ସଙ୍ଗତେ ଘେନି ଚାରିଭାଇ ॥ ୨୦୭
ରାଜ୍ୟ ବିହୁନେ ବନବାସେ । ଯେତେ ଭ୍ରମିଲୁ ନାନାଦେଶେ ॥ ୨୦୮
ଯାର ଚରଣେ ଆଶ୍ରେକରି । ଘୋର-ସଂକଟୁ ତୁ ନିସ୍ତରି ॥ ୨୦୯
ଏବେ ତୋହର ଦେଖ ଭାଗ୍ୟ । କଲୁ ରାଜୁସି ମହାଯାଗ ॥ ୨୧୦
ଲଭିଲୁ ପରମ କାରଣ । ତୋତେ ସୁଲଭ ନାରାୟଣ ॥ ୨୧୧
ମୁହିଁ ଯେ ପୂର୍ବେ ଦେହବହି । କୃଷ୍ଣମାୟାରେ ଭ୍ରମି ହୋଇ ॥ ୨୧୨
ପୂର୍ବକଳ୍ପର ନାମ ଶୁଣ । ଗନ୍ଧର୍ବ ଉପବରହରଣ ॥ ୨୧୩
ସେ କଳ୍ପଅନ୍ତେ ଦେହବହି । ଗନ୍ଧର୍ବଗଣ ମଧ୍ୟେ ଥାଇ ॥ ୨୧୪
ସ୍ୱଭାବେ ରୂପ-ଗୁଣ ମୋର । ଅତି ସୁନ୍ଦର ମନୋହର ॥ ୨୧୫
ଗନ୍ଧର୍ବ-ନାରୀଗଣ ମଧ୍ୟେ । ଉନ୍ମତ୍ତ ରୂପେ ମୁଁ ଆନନ୍ଦେ ॥ ୨୧୬
ଯୁବତୀଗଣେ ପ୍ରିୟତମ । ଏମନ୍ତେ ଗଲା କିଛୁଦିନ ॥ ୨୧୭
ଏକ-ଦିବସେ ଦେବଗଣେ । ସମସ୍ତେ ମିଳି ପୁଷ୍ପବନେ ॥ ୨୧୮
ବ୍ରହ୍ମାଶଙ୍କର ଆଦି ବସି । ହରିଗାୟନ-ରସେ ରସି ॥ ୨୧୯
ଗନ୍ଧର୍ବଗଣେ ଅଣାଇଲେ । ମୁହିଁ ଯେ ଥିଲି ତାଙ୍କ ତୁଲେ ॥ ୨୨୦
ଯୁବତୀଗଣ ମଧ୍ୟେ ଥାଇ । ଆନନ୍ଦେ ବୀଣା-ବାଦ୍ୟ ବାଇ ॥ ୨୨୧
ଆବୃତ ଅପସରାବୃନ୍ଦେ । ହସ୍ତ ନିବେଶି ତାଙ୍କ କନ୍ଧେ ॥ ୨୨୨
ନୃତ୍ୟ ମୁଁ କଲି ନାନାମତେ । ତା ଦେଖି ବ୍ରହ୍ମା କୋପଚିତ୍ତେ ॥ ୨୨୩
ଦେବହେଳନ କର୍ମ ଦେଖି । କୋପେ ଅରୁଣ କଲେ ଆଖି ॥ ୨୨୪
ବୋଇଲେ ମୋତେ କୋପ ବହି । ଯା ବେଗେ ଶୂଦ୍ର ହୁଅ ତୁହି ॥ ୨୨୫
ବ୍ରହ୍ମାଙ୍କ ଶାପ-କୋପାନଳେ । ପଡ଼ିଲି ଅବନୀ ମଣ୍ଡଳେ ॥ ୨୨୬
ଲଭିଲି ଦାସୀଗର୍ଭେ ଜନ୍ମ । ଯେଣୁ ମୋ ଥିଲା ଶୁଭକର୍ମ ॥ ୨୨୭
ତେଣୁ ମୁଁ ସେବି ବିପ୍ରପାଦ । ତରିଲି ଦୁର୍ଗମ-ପ୍ରମାଦ ॥ ୨୨୮
ବିପ୍ର-ଚରଣ ସେବାଫଳେ । ପୁଣି ଜନ୍ମିଲି ବ୍ରହ୍ମା-କୋଳେ ॥ ୨୨୯
ତୋର ଅଗ୍ରତେ ଗୃହଧର୍ମ । ବର୍ଣ୍ଣିଲି ଯଥା ବେଦକର୍ମ ॥ ୨୩୦
ଏହା ଶୁଣନ୍ତେ ପାପହରେ । ଯେ ଧର୍ମେ ଗୃହେ ଥାଇ ତରେ ॥ ୨୩୧
ତୁ ନରଲୋକେ ଭାଗ୍ୟବନ୍ତ । ଯେଣୁ ତୋ ବାନ୍ଧବ ଅନନ୍ତ ॥ ୨୩୨
ତୋହର ଗୃହେ ନରହରି । ବସଇ ନରରୂପ ଧରି ॥ ୨୩୩
ସେ ହରି ବ୍ରହ୍ମ-ନିରଞ୍ଜନ । ଧ୍ୟାନେ ନ ପାନ୍ତି ମୁନିଜନ ॥ ୨୩୪
କୈବଲ୍ୟ-ସୁଖଦ ଯେ ଭକ୍ତି । ପରମ ସୁଖେ ତାର ସ୍ଥିତି ॥ ୨୩୫
ସେ ତୋର ପ୍ରିୟ ଭଗବାନ । ସ୍ୱଭାବେ ମାତୁଳନନ୍ଦନ ॥ ୨୩୬
ଜଗତ ଆତ୍ମା ମହାଗୁରୁ । କେବା ମହିମା ବର୍ଣ୍ଣିପାରୁ ॥ ୨୩୭
ବ୍ରହ୍ମାଶଙ୍କର ଆଦି ଦେବେ । ଯାର ମହିମା ନ ଜାଣିବେ ॥ ୨୩୮
ମଉନବ୍ରତ ତପ ଆଦି । ନିଶ୍ଚଳ ଧାରଣା ସମାଧି ॥ ୨୩୯
ନିର୍ମଳ ଭକ୍ତି-ଉପଶମେ । ନିର୍ବାଣ ଲଭେ ଯାର ନାମେ ॥ ୨୪୦
ସାତ୍ତ୍ୱତଜନଙ୍କର ପତି । ସେ ହରି ହେଉ ଆମ୍ଭ ଗତି ॥ ୨୪୧
ଶୁଣ ତୁ ରାଜା ଯୁଧିଷ୍ଠିର । ଗୋବିନ୍ଦପାଦେ ଆଶ୍ରେ କର ॥ ୨୪୨
ଶୁକ ଉବାଚ
ଏମନ୍ତେ ବେଦଋଷି- ବାକ୍ୟେ । ପଞ୍ଚପାଣ୍ଡବ ଏକେ ଏକେ ॥ ୨୪୩
କୃଷ୍ଣଚରଣେ ପୂଜା କଲେ । ନାରଦ ପାଦେ ପ୍ରଣମିଲେ ॥ ୨୪୪
ନାରଦ ଉଠିଣ ତକ୍ଷଣେ । ନମିଲେ ଶ୍ରୀକୃଷ୍ଣ ଚରଣେ ॥ ୨୪୫
ସେ କୃଷ୍ଣ ଆଜ୍ଞା ଘେନି ଶିରେ । ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ ॥ ୨୪୬
ଏମନ୍ତେ ଦକ୍ଷକନ୍ୟା ଗର୍ଭେ । ଯେତେ ଉପୁଜିଲେ ଦାନବେ ॥ ୨୪୭
ଦେବ-ଦାନବ ଆଦି ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୨୪୮
ଏବେ କହିଲି ତୋତେ ଭାବେ । ଯେ ଯହିଁ ଦେବତା-ଦାନବେ ॥ ୨୪୯
ସର୍ବ କହିଲି ତୋ ଅଗ୍ରତେ । ସୁଜନେ ଶୁଣ ଏକଚିତ୍ତେ ॥ ୨୫୦
ହରିଚରିତ ଭାଗବତ । ନୃସିଂହ-ଚରିତ-ଅମୃତ ॥ ୨୫୧
ସପ୍ତମ ସ୍କନ୍ଧେ ଭାଗବତ । ସୁପୁଣ୍ୟ-ପ୍ରହ୍ଲାଦ ଚରିତ ॥ ୨୫୨
ଯେ ଏହା ଶ୍ରୁତିପଥେ ଶୁଣେ । ମନ-ବଚନେ ପରିମାଣେ ॥ ୨୫୩
ନୁହନ୍ତି ମାୟାରେ ମୋହିତ । ଭଣଇ ଦାସ ଜଗନ୍ନାଥ ॥ ୨୫୪
ଶୁଣି ସଂସାରୁ ତର ପ୍ରାଣୀ । ସୁଜନ ହିତେ ମୁହିଁ ଭଣି ॥ ୨୫୫
ସଂସାର-ସୁଖଦୁଃଖେ ଥାଇ । ମୂଢ଼ ତରିବେ ଏହା ଗାଇ ॥ ୨୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଯୁଧିଷ୍ଠିରନାରଦସମ୍ବାଦେ ସଦାଚାର-ନିର୍ଣ୍ଣୟେ ନାମ ପଞ୍ଚଦଶୋଽଧ୍ୟାୟଃ ॥
* * *