ସପ୍ତମ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ଏ ପଞ୍ଚଦଶେ ବର୍ଣ୍ଣାଶ୍ରମ । ସାର ସଂଗ୍ରହେ ଯେବା ଧର୍ମ ॥

ପ୍ରାଣୀଙ୍କ ନିସ୍ତାର କାରଣେ । ମୋକ୍ଷ ଲକ୍ଷଣ ଯେ ପ୍ରମାଣେ ॥

ବର୍ଣ୍ଣିତ ନିଗମ ବଚନେ । ଶୁଣ ରାଜନ ସାବଧାନେ ॥

ରାଜୁସୀ ଯଜ୍ଞ-ସଭା ଚାହିଁ । କୁନ୍ତୀନନ୍ଦନ ଭାବ ବହି ॥

କହନ୍ତି ବ୍ରହ୍ମାଙ୍କ କୁମର । ଅଶେଷ ଜ୍ଞାନ ଧର୍ମସାର ॥

ନାରଦ ଉବାଚ

ବ୍ରାହ୍ମଣ କେବା କର୍ମନିଷ୍ଠ । ତପସାଧନେ କେ ପ୍ରତିଷ୍ଠ ॥

ବେଦ ପଠନେ କାର ସିଦ୍ଧି । କେବା ନିସ୍ତରେ ଯୋଗସାଧି ॥

ଗୃହସ୍ଥ ପିତୃଶ୍ରାଦ୍ଧ କାଳେ । ଜ୍ଞାନୀ-ପୁରୁଷ ଯେବେ ମିଳେ ॥

ତାହାଙ୍କୁ ହବ୍ୟ-କବ୍ୟ ଦାନ । କଲେ ଅନେକ ହୁଏ ପୁଣ୍ୟ ॥

ଜ୍ଞାନୀ ଅଭାବେ ଯଥାକ୍ରମେ । ଯେ ବିପ୍ରେ ଥାନ୍ତି ନିଜ ଧର୍ମେ ॥ ୧୦

ତାହାଙ୍କୁ ଯଥାଭୋଗ ଦେଇ । ତେବେ ଉଚିତ-ଫଳ ପାଇ ॥ ୧୧

ଶ୍ରାଦ୍ଧେ ଦେବତା-ଅର୍ଥେ ଦୁଇ । କରିବ ବିଶ୍ୱଦେବା ପାଇଁ ॥ ୧୨

ତୃତୀୟ ପିତୃସ୍ଥାନେ ବରି । ଅଭାବେ ଏକ ଏକ କରି ॥ ୧୩

ଉତ୍ତମ-ଦ୍ରବ୍ୟେ ଭୁଞ୍ଜାଇବ । ଶ୍ରାଦ୍ଧେ ବିସ୍ତାର ନ କରିବ ॥ ୧୪

ଯେ ଦ୍ରବ୍ୟ ଦେଶ-କାଳୋଚିତେ । ମିଳିବ ଶ୍ରଦ୍ଧା ଅନୁମତେ ॥ ୧୫

ଯେ ପାତ୍ରେ ଯେବା ଅରହଣ । ବିସ୍ତାରେ ନୁହଁଇ ଘଟଣ ॥ ୧୬

ଏମନ୍ତେ ଦେବ-ପିତୃ-ଯଜ୍ଞେ । ଯେବା ପୂଜନ୍ତି ହବ୍ୟ-କବ୍ୟେ ॥ ୧୭

ଉତ୍ତମ-ଫଳ ସେ ଲଭନ୍ତି । ଏ ଭବସଂସାର ତରନ୍ତି ॥ ୧୮

ଏଣୁ ଯେ ଦେଶ-କାଳ-ପାତ୍ରେ । ଆମିଷ ବର୍ଜି ବନଜାତେ ॥ ୧୯

ଯଥାସଂସ୍କାରେ ଦେଇ ଅନ୍ନ । ବିଷ୍ଣୁଙ୍କୁ କରି ନିବେଦନ ॥ ୨୦

ଶ୍ରଦ୍ଧାରେ ସତପାତ୍ରେ ଦେଇ । ସେ ଶ୍ରାଦ୍ଧ କାମଧେନୁ ହୋଇ ॥ ୨୧

ଭୁଞ୍ଜନ୍ତି ଅକ୍ଷୟ-କଲ୍ୟାଣ । ଏ ବାକ୍ୟ ନିଗମ ପ୍ରମାଣ ॥ ୨୨

ଦେବ-ବ୍ରାହ୍ମଣ-ପିତୃ-ଭୂତେ । ସ୍ୱଜନ ଆଦି ବନ୍ଧୁଯୁତେ ॥ ୨୩

ଏହାଙ୍କୁ ବିଷ୍ଣୁଭାବେ ମଣି । ସନ୍ତୋଷେ ଦେବ ଅନ୍ନପାଣି ॥ ୨୪

ଯା ଚିତ୍ତ ଧର୍ମ-ଉପଦେଶେ । ଶ୍ରାଦ୍ଧ କରିବ ନିରାମିଷେ ॥ ୨୫

ଯେ ଧର୍ମ ଲଭି ନିରାମିଷେ । ସେ କାହିଁ ଲାଭ ପଶୁହିଂସେ ॥ ୨୬

ସ୍ୱଧର୍ମେ ଇଚ୍ଛା ଯାର ଥିବ । କେବେହେଁ ପଶୁ ନ ହିଂସିବ ॥ ୨୭

ମାନସ-କାୟିକ-ବଚନେ । ନ କରି ପଶୁକୁ ହିଂସନେ ॥ ୨୮

ଉତ୍ତମ-ଧର୍ମ ଯେ ଇଚ୍ଛଇ । ଏ ସମ ଧର୍ମ ଆଉ ନାହିଁ ॥ ୨୯

ଯଜ୍ଞର ଫଳ ଯେ ଜାଣନ୍ତି । ଅନିତ୍ୟ କର୍ମମୟ ଚିନ୍ତି ॥ ୩୦

ଆତ୍ମାସଂଯମ ଅଗ୍ନି ଜାଳି । ଇନ୍ଦ୍ରିୟ-ଅର୍ଥ-ଘୃତ ଢାଳି ॥ ୩୧

ଏ ଜ୍ଞାନଯଜ୍ଞେ ଦୃଢ଼ କରି । ବିଷ୍ଣୁମାୟାରୁ ଯାନ୍ତି ତରି ॥ ୩୨

ଯେ ଦ୍ରବ୍ୟମୟ ଯଜ୍ଞ କରେ । ତାହାଙ୍କୁ ଦେଖି ସାଧୁ ତରେ ॥ ୩୩

ଏହାର ଦେହେ ଜ୍ଞାନ ନାହିଁ । ଆମ୍ଭ ଜୀବନ ରଖେ କାହିଁ ॥ ୩୪

ଏ ଘେନି ଦୟା ଯାର ଚିତ୍ତେ । ଯଜ୍ଞ କରିବ ମୁନିମତେ ॥ ୩୫

ବିଧର୍ମ ପରଧର୍ମ ବେନି । ଆଭାସ ଉପମାକୁ ଘେନି ॥ ୩୬

ଛଳ ସମେତ ପଞ୍ଚ ଜାଣ । ଅଧର୍ମ ଶାଖା ଏ ପ୍ରମାଣ ॥ ୩୭

ଯେ ଧର୍ମେ ସ୍ୱଧର୍ମେରେ ବାଧା । ସେ ଧର୍ମେ ନକରିବ ଶ୍ରଦ୍ଧା ॥ ୩୮

ଯେ ଧର୍ମ ପରବାକ୍ୟେ କରି । ସେ ଧର୍ମେ କେବେହେଁ ନ ତରି ॥ ୩୯

ପାଷଣ୍ଡଧର୍ମ ଉପଧର୍ମ । ଦମ୍ଭ ମତ୍ସରେ ଯେବା କର୍ମ ॥ ୪୦

ଶାସ୍ତ୍ରର ତତ୍ତ୍ୱ ନ ବିଚାରି । ବାହ୍ୟଧର୍ମର ଧ୍ୱଜା ଧରି ॥ ୪୧

ଯେ ଶାସ୍ତ୍ରବାକ୍ୟ ଭେଦକରି । ଛଳଧର୍ମ ଯେ ତାକୁ ବୋଲି ॥ ୪୨

ଧର୍ମ ଆଭାସ ମାତ୍ର ଧରି । ଆଶ୍ରମ ଧର୍ମ ପରିହରି ॥ ୪୩

ସ୍ୱଇଚ୍ଛେ ଏକଧର୍ମ କରି । ଆଭାସ ଧର୍ମ ତାକୁ ବୋଲି ॥ ୪୪

ଯେ ଧର୍ମ ଆତ୍ମଶାନ୍ତି କରେ । କେ ତାହା ନିତ୍ୟେ ନ ସୁମରେ ॥ ୪୫

ନିର୍ଦ୍ଧନ-ପ୍ରାଣୀ ଯେବେ ହୋଇ । ଧର୍ମ ବା ଜୀବିକାର ପାଇଁ ॥ ୪୬

ଚେଷ୍ଟା ନକରେ ବହୁଧନେ । ସନ୍ତୋଷ ଅଳପ-ଭୋଜନେ ॥ ୪୭

ସହଇ ଅଜଗର ଯେହ୍ନେ । ଆହାର ନ ବାଞ୍ଛଇ ମନେ ॥ ୪୮

ସନ୍ତୋଷ ଆତ୍ମା ଯେବା ନରେ । ଅନ୍ତେ ପଶନ୍ତି ସୁଖଘରେ ॥ ୪୯

ଯେ ଧନଲୋଭେ ଅସନ୍ତୋଷ । ଭ୍ରମେ ଭ୍ରମଇ ଦଶଦିଶ ॥ ୫୦

ତହିଁରେ କଷ୍ଟ ସାର ହୋଏ । ସର୍ବ ସନ୍ତୋଷ ସୁଖମୟେ ॥ ୫୧

ଚର୍ମ ପାଦୁକା ଯା ଚରଣେ । ସେ ଯେହ୍ନେ କଣ୍ଟକ-ପାଷାଣେ ॥ ୫୨

ଭ୍ରମି ନ ଲଭେ କିଛି ଦୁଃଖ । ରାତ୍ର ଦିବସେ ଲଭେ ସୁଖ ॥ ୫୩

କଲେ କେବଳ ଜଳପାନ । ବଞ୍ଚେ ସନ୍ତୋଷେ ସୁଖେ ଦିନ ॥ ୫୪

ଜିହ୍ୱା-ଉପସ୍ଥେ ଲୋଭ ଯାର । ସେ ଗୃହପାଳ ପ୍ରାୟେ ନର ॥ ୫୫

ଯେ ବିପ୍ର ହୋଏ ଅସନ୍ତୋଷ । ତାହାର ତପ ବିଦ୍ୟା ଯଶ ॥ ୫୬

ଇନ୍ଦ୍ରିୟ-ଲୋଭେ ହୋନ୍ତି ନାଶ । ଅଜ୍ଞାନ-କର୍ମେ ହୋନ୍ତି ଧ୍ୱଂସ ॥ ୫୭

ଯେ ଜିହ୍ୱା-ଉପସ୍ଥକୁ ଜିଣି । ସନ୍ତୋଷ ଲଭଇ ଯେ ପ୍ରାଣୀ ॥ ୫୮

ସେ ପ୍ରାଣୀ ଇହପର ଲୋକେ । ଅଶେଷ ଫଳ ଭୁଞ୍ଜେ ଏକେ ॥ ୫୯

ଯେ ଜନ କ୍ଷୁଧା-ତୃଷାବନ୍ତ । ସେ ନିଶ୍ଚେ କାମ କରେ ଅନ୍ତ ॥ ୬୦

ହିଂସା ଉଦୟ ହୋଏ ଯାର । କ୍ରୋଧ ହୁଅଇ ଅନ୍ତ ତାର ॥ ୬୧

ଯେ ଜନ ସର୍ବଦିଗ ଜିଣି । ଏକାନ୍ତେ ଭୁଞ୍ଜଇ ଧରଣୀ ॥ ୬୨

ସେ ଲୋଭ ନପାରଇ ଜିଣି । ଶୁଣ ନୃପତି-ଚୂଡ଼ାମଣି ॥ ୬୩

ପଣ୍ଡିତଜନ ହୋଇ ଯେବେ । ନିରତେ ଅସନ୍ତୋଷ-ଭାବେ ॥ ୬୪

ଅଧୋଗମନ ତାହାଙ୍କର । ଶୁଣ ସୁମନେ ନୃପବର ॥ ୬୫

କାମକୁ ଜିଣେ ଅସଂକଳ୍ପେ । ପ୍ରାଣୀ ନାଶଇ ଯାର ଦର୍ପେ ॥ ୬୬

କାମର କ୍ଷୟେ କ୍ରୋଧ ଯାଏ । ଅର୍ଥ-ବର୍ଜନେ ଲୋଭ କ୍ଷୟେ ॥ ୬୭

ଭୟକୁ ଜିଣେ ତତ୍ତ୍ୱଜ୍ଞାନେ । ଶୋକମୋହକୁ କୃଷ୍ଣଧ୍ୟାନେ ॥ ୬୮

ମହାନ୍ତସେବା ଦମ୍ଭ ନାଶେ । ଯେ ଭାବେ କୈବଲ୍ୟ ପ୍ରକାଶେ ॥ ୬୯

ତତ୍ତ୍ୱଜ୍ଞାନରେ ହୋଏ ମୁକ୍ତି । ଏ ଧର୍ମ ବଇଷ୍ଣବ ଭକ୍ତି ॥ ୭୦

ଯୋଗ ସାଧନେ ଯେତେ ବିଘ୍ନ । ତାହାକୁ ଖଣ୍ଡଇ ମଉନ ॥ ୭୧

ହିଂସାକୁ ଜିଣେ କାମତ୍ୟାଗେ । କାମକୁ ଜିଣେ ଯୋଗମାର୍ଗେ ॥ ୭୨

ଦୟା ପ୍ରାଣୀଙ୍କ ଭୟ ହରେ । ତ୍ରିତାପ ସମାଧି ସଂହରେ ॥ ୭୩

ସଞ୍ଜମ ଦେହବ୍ୟାଧି ହରେ । ନିଦ୍ରାକୁ ସାତ୍ତ୍ୱିକ-ଆହାରେ ॥ ୭୪

ରଜ-ତମକୁ ସତ୍ତ୍ୱଗୁଣେ । ସତ୍ତ୍ୱକୁ ଉପଶମେ ଜିଣେ ॥ ୭୫

ଗୁରୁସେବନେ ସର୍ବଦୁଃଖେ । ପ୍ରାଣୀ ତରନ୍ତି ଆତ୍ମା ସୁଖେ ॥ ୭୬

ଯେ ଗୁରୁ ଜ୍ଞାନ-ଦାନ ଦେଇ । ତାକୁ ଯେ ମନୁଷ୍ୟେ ଗଣଇ ॥ ୭୭

ସେ ଯେତେ ଧର୍ମ କରେ ଦେହେ । ନିଷ୍ଫଳ ହସ୍ତୀସ୍ନାନ ପ୍ରାୟେ ॥ ୭୮

ଯା ଦେହେ ପ୍ରଭୁ ଚକ୍ରଧର । ପ୍ରସନ୍ନ ପୁରୁଷ ଈଶ୍ୱର ॥ ୭୯

ତାର ଚରଣସେବା ଅର୍ଥେ । ଅଜ୍ଞାନୀ ନୁହଁନ୍ତି ସମର୍ଥେ ॥ ୮୦

ତାହାକୁ ନରପ୍ରାୟେ ମଣି । ଅଧୋଗମନେ ଯାନ୍ତି ପ୍ରାଣୀ ॥ ୮୧

ଏକାନ୍ତଭକ୍ତି ଯେଉଁ ପ୍ରାଣୀ । ସାଧଇ ଷଡ଼ରିପୁ ଜିଣି ॥ ୮୨

ସର୍ବନିୟମ ସାଧି ଜାଣେ । ନିଗମ-ବଚନ-ପ୍ରମାଣେ ॥ ୮୩

ଯେବେ ନ ଭଜେ ନରହରି । ସେ ଶ୍ରମଭାରେ ହୋନ୍ତି ଭାରି ॥ ୮୪

ବୃତ୍ତି-କଳ୍ପନେ ଯେତେ ଅର୍ଥ । ଯୋଗେ ନୁହନ୍ତି ସାମରଥ ॥ ୮୫

ଏମନ୍ତେ ଈଷ୍ଟାପୂର୍ତ୍ତିମାନେ । ଅନର୍ଥ କୃଷ୍ଣର ବିହୁନେ ॥ ୮୬

ଚିତ୍ତ-ବିଜୟେ ଯତ୍ନ ଯାର । ନିଃସଙ୍ଗେ କରଇ ବିହାର ॥ ୮୭

ଗୃହେ ଅସଙ୍ଗ ମନସୁଖେ । ଯୋଗ ସାଧଇ ଅତିରେକେ ॥ ୮୮

ଏକାନ୍ତେ ଏକମତେ ଥାଇ । ଅଳ୍ପଭୋଜନେ ତୋଷହୋଇ ॥ ୮୯

ଏକାନ୍ତମନେ ଶୁଚିଦେଶେ । ବସିବ ଆସନେ ଉଶ୍ୱାସେ ॥ ୯୦

ପବିତ୍ର ସ୍ଥିର ସୁଖମନେ । ଓଁକାର କରି ଉଚ୍ଚାରଣେ ॥ ୯୧

ବାମଚରଣ ଗୁହ୍ୟଦ୍ୱାରେ । ଦକ୍ଷିଣପାଦ ତା’ ଉପରେ ॥ ୯୨

ଦେଇ ଟେକିବ ମେରୁଦଣ୍ଡ । ଭୁଜେ ଆମଞ୍ଚି ଜାନୁଖଣ୍ଡ ॥ ୯୩

ପ୍ରାଣ-ଅପାନ-ବାୟୁବଳେ । ରସନା ତୋଳି ତାଳୁମୂଳେ ॥ ୯୪

ନିଶ୍ଚଳଧ୍ୟାନ ଦୃଷ୍ଟି ଏକେ । ସାଧିବି ପୂରକ କୁମ୍ଭକେ ॥ ୯୫

ରେଚକେ କରି ତାକୁ ସମ । ନାସାଗ୍ରେ ସ୍ଥାପିବ ନୟନ ॥ ୯୬

ଯାବତ କାମନା ନ ତେଜେ । ତାବତ ସଞ୍ଜମ ନ ଭଜେ ॥ ୯୭

ଏଣୁ ନିଶ୍ଚଳେ ସ୍ଥାପି ମନ । କରିବ ନାସାଅଗ୍ରେ ଧ୍ୟାନ ॥ ୯୮

ଅଗ୍ନିର ବଳେ କାମବନ । ଜ୍ଞାନେଣ ଇନ୍ଦ୍ରିୟ ଦହନ ॥ ୯୯

ଯୋଗ-ଅଭ୍ୟାସ ଧୀରେ କରି । ତହିଁ ରହିବ ମନ ଧରି ॥ ୧୦୦

ନିର୍ମଳ କରି ଚକ୍ଷୁଦ୍ୱାର । କର୍ମ-ସାଧିବ ନିରନ୍ତର ॥ ୧୦୧

ଅଭ୍ୟାସ-ବଳେ ଜିଣି ମନ । ଅଳପ ଅଳପ ସାଧନ ॥ ୧୦୨

ଏମନ୍ତ ସାଧି-ନିରନ୍ତରେ । ସୁଖେ ମିଳିବ ମୋକ୍ଷଦ୍ୱାରେ ॥ ୧୦୩

କାଷ୍ଠ-ବିହୁନେ ଅଗ୍ନିପ୍ରାୟେ । ସକଳ କାମ ଲୀନ ହୋଏ ॥ ୧୦୪

ଯେ ଚିତ୍ତ ସର୍ବବୃତ୍ତିତେଜେ । କାମାଦି ରିପୁକୁ ନ ଭଜେ ॥ ୧୦୫

ଯେ ଚିତ୍ତ ମିଶେ ବ୍ରହ୍ମସୁଖେ । କେବେହେଁ ନ ପଡ଼ଇ ଦୁଃଖେ ॥ ୧୦୬

କେବେହେଁ ମାୟା ନ କଳ୍ପଇ । ଅନ୍ତରେ ରହେ ସୂକ୍ଷ୍ମ ହୋଇ ॥ ୧୦୭

ଯେ ପ୍ରାଣୀ ଗୃହଦ୍ୱନ୍ଦ୍ୱ ତେଜେ । ତ୍ରିବର୍ଗ ଛାଡ଼ି ବନ ଭଜେ ॥ ୧୦୮

ପୁଣି ମିଳଇ ଗୃହେ ଯାଇ । ନିର୍ଲ୍ଲଜ ସେହୁ ବାନ୍ତି ଖାଇ ॥ ୧୦୯

ଏ ଦେହେ ସୁଖ ଯେ ଲୋଡ଼ନ୍ତି । ଅଜରାମର ପ୍ରାୟ ଚିନ୍ତି ॥ ୧୧୦

ଜୀବନ ଅନ୍ତେ ଏ ଶରୀର । ଭସ୍ମ ପୁରୀଷ କୃମି ସାର ॥ ୧୧୧

ଏହାକୁ ସତ୍ୟ ପ୍ରାୟେ ମଣି । ଅଧର୍ମେ ପଶନ୍ତି ଯେ ପ୍ରାଣୀ ॥ ୧୧୨

ତାହାକୁ ବୋଲି ମୂଢ଼ଜନ । ନିଷ୍ଫଳ ତାହାଙ୍କ ଜୀବନ ॥ ୧୧୩

ଗୃହସ୍ଥ ଗୃହଧର୍ମ ଛାଡ଼ି । ଅନ୍ୟ ଆଶ୍ରମେ ଲୋଭ ବଢ଼ି ॥ ୧୧୪

ବ୍ରତକୁ ତେଜେ ବ୍ରହ୍ମଚାରୀ । ତପସ୍ୱୀଗ୍ରାମେ ବାସ କରି ॥ ୧୧୫

ସନ୍ନ୍ୟାସୀ ଇନ୍ଦ୍ରି ଲୋଭେ ରସେ । ଗ୍ରାମ-ଗହନେ ଯେବେ ପଶେ ॥ ୧୧୬

ଆଶ୍ରମ-ଭ୍ରଷ୍ଟ ଏତେ ପ୍ରାଣୀ । ଏହାକୁ ଆଶ୍ରମେ ନ ଗଣି ॥ ୧୧୭

ଅଧର୍ମେ ବିଡ଼ମ୍ବନ-କର୍ମ । ବିଷ୍ଣୁମାୟାରେ ହୋଇ ଭ୍ରମ ॥ ୧୧୮

ବୁଲନ୍ତି ମାୟାରୂପ ଧରି । ତାହାଙ୍କୁ ସମ୍ଭାଷ ନ କରି ॥ ୧୧୯

ପରମଜ୍ଞାନ ଚିତ୍ତେ ଚିନ୍ତି । ଯେ ଆତ୍ମାଗତି ନ ଜାଣନ୍ତି ॥ ୧୨୦

ସେ କି କାରଣେ ଦେହ ଧରି । ବହୁ ଭୋଜନେ ପୁଷ୍ଟ କରି ॥ ୧୨୧

ଏବେ ହୋ ଶୁଣ ଯୁଧିଷ୍ଠିର । ଏ ନର-ଶରୀର ବେଭାର ॥ ୧୨୨

ଦେହ ବହିଲା ଯେବା ଅର୍ଥେ । କେବେହେଁ ନ ଭଜେ ତା ଚିତ୍ତେ ॥ ୧୨୩

ବିଧାତା-ନିର୍ମାଣ-ବିଧାନ । ଏହା ନ ଜାଣେ ମୂର୍ଖଜନ ॥ ୧୨୪

ଦେହକୁ ରଥପ୍ରାୟେ ରଚି । ଦଶ ତୁରଙ୍ଗ ଯହିଁ ଯୋଚି ॥ ୧୨୫

ଦଶ-ଇନ୍ଦ୍ରିୟ ଦଶ-ବାଜି । ମନ ରଶ୍ମିଏ ତହିଁ ଯୋଚି ॥ ୧୨୬

ଶବ୍ଦ ସ୍ପରଶ ରସ ଗନ୍ଧେ । ରୂପରେ ଚଳେ ଅନୁବନ୍ଧେ ॥ ୧୨୭

ସାରଥିପଣେ ବୁଦ୍ଧି ରହେ । ଏ ପଞ୍ଚମାର୍ଗେ ରଥ ବାହେ ॥ ୧୨୮

ଏ ନରଦେହ ବନ୍ଧ ଚିତ୍ତେ । ଛନ୍ଦ ବନ୍ଧନ ଈଷଯନ୍ତ୍ରେ ॥ ୧୨୯

ପ୍ରାଣ ବସଇ ଏ ଶରୀରେ । ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ ॥ ୧୩୦

ସେ ପ୍ରାଣ ଅକ୍ଷରୂପ ଧରି । ବାହାର ଭିତରେ ସଞ୍ଚରି ॥ ୧୩୧

ଧର୍ମ ଅଧର୍ମ ଚକ ଦୁଇ । ଏ ଜୀବ ଅହଙ୍କାର ବହି ॥ ୧୩୨

ରଥେ ବସଇ ରଥୀ ରୂପେ । କର୍ମାନୁସାରେ ବଳ ଦର୍ପେ ॥ ୧୩୩

ପ୍ରଣବ ହସ୍ତେ ଧନୁ ତାର । ଅକାର ଉକାର ମକାର ॥ ୧୩୪

ଜୀବକୁଶର ରୂପେ କରି । ପ୍ରଣବ ଧନୁ ହସ୍ତେ ଧରି ॥ ୧୩୫

ପରମଆତ୍ମା କରି ଲକ୍ଷ୍ୟ । ନାରାଚ ବିନ୍ଧିବ ପ୍ରତ୍ୟକ୍ଷ ॥ ୧୩୬

ସମ୍ମୁଖେ ଯେତେ ରିପୁ ଥିବେ । ଯୁଦ୍ଧେ ସକଳେ ନାଶଯିବେ ॥ ୧୩୭

ଶୁଣ ରାଜନ ଶୁଦ୍ଧଚିତ୍ତେ । ସମ୍ମୁଖେ ରିପୁ ଛନ୍ତି ଯେତେ ॥ ୧୩୮

ଏ କାମକ୍ରୋଧ ଶୋକ ମୋହ । ଲୋଭ ଅସୂୟା ମାୟା ଭୟ ॥ ୧୩୯

ମଦ ମତ୍ସର ଅପମାନ । ପ୍ରମାଦ ହିଂସା ମିଥ୍ୟାମାନ ॥ ୧୪୦

ରଜ ତାମସ ନିଦ୍ରା କ୍ଷୁଧା । ଏତେ ଶତ୍ରୁରେ ଯହିଁ ବାଧା ॥ ୧୪୧

ତ୍ରିଗୁଣମୟୀ ଯେ ପ୍ରକୃତି । ଏ ଆଦି ରିପୁ ଯେତେ ଛନ୍ତି ॥ ୧୪୨

ଏହାକୁ ସମ୍ମୁଖେ ଆବୋରି । ଯେ ରଥୀ ପାରେ ଯୁଦ୍ଧେ ମାରି ॥ ୧୪୩

ରଥକୁ ଆତ୍ମା-ବଶ କରି । ଜ୍ଞାନ-ଖଡ଼ଗ ହସ୍ତେ ଧରି ॥ ୧୪୪

ସୁଖେ ଭୁଞ୍ଜଇ ସ୍ୱର୍ଗରାଜ୍ୟ । ଆନନ୍ଦେ ଅଷ୍ଟ ଅଇଶ୍ୱର୍ଯ୍ୟ ॥ ୧୪୫

ଯେବେ ଏ ରଥ ତ୍ୟାଗକରି । ନିଶ୍ଚିନ୍ତେ ରହେ ମୋହ ଭରି ॥ ୧୪୬

ଏମନ୍ତେ ରିପୁ ଯେ ନ ମାରେ । ସେ କାହିଁ ଆତ୍ମସୁଖେ ତରେ ॥ ୧୪୭

ଯେବେ ଅଳସେ ରହେ ରଥେ । ତାହାଙ୍କୁ ବେଢ଼ନ୍ତି ସମସ୍ତେ ॥ ୧୪୮

ଅସାଧ୍ୟ-ଅଶ୍ୱ ଯେତେ ରଥେ । ସାରଥି ବିମାନ ସହିତେ ॥ ୧୪୯

ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି । ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି ॥ ୧୫୦

ସେ ଶତ୍ରୁଗଣେ ବଳେ କରି । ଅଶ୍ୱ ସାରଥି ରଥ ଧରି ॥ ୧୫୧

ସଂସାର-କୂପ-ଅନ୍ଧକାରେ । କ୍ଷେପନ୍ତି ମୃତୁ୍ୟଭୟ ଘୋରେ ॥ ୧୫୨

ପ୍ରବୃତ୍ତି ନିବୃତ୍ତି ଏ କର୍ମ । ସଂସାରେ ବଇଦିକ ଧର୍ମ ॥ ୧୫୩

ପ୍ରବୃତ୍ତି-ପଥେ ସଞ୍ଚରନ୍ତି । ନିବୃତ୍ତେ ଅମୃତ ଭୁଞ୍ଜନ୍ତି ॥ ୧୫୪

ଯେ ଦ୍ରବ୍ୟମୟ ଯଜ୍ଞ କାମ । ଆବର ଅଗ୍ନିହୋତ୍ର ନାମ ॥ ୧୫୫

ପୂର୍ଣ୍ଣିମା ଅମାବାସ୍ୟା ଆଦି । ପଶୁ ଯେ ଚାତୁର୍ମାସ୍ୟା ବିଧି ॥ ୧୫୬

କୂପ ପ୍ରାସାଦ ଉପବନ । ଏ ଆଦି ଈଷ୍ଟାପୂର୍ତ୍ତି କର୍ମ ॥ ୧୫୭

ହୁତ ପ୍ରହୁତ ଆଦି ଯେତେ । ପ୍ରବୃତ୍ତିପଥ-କର୍ମ ଏତେ ॥ ୧୫୮

ସୂକ୍ଷ୍ମ ଦ୍ରବ୍ୟ ବିପାକମୟ । ଧୂମ ରଜନୀ ଅପକ୍ଷୟ ॥ ୧୫୯

ଦକ୍ଷିଣାୟନେ ସୋମ ବୁଧ । ଦରଶ ଓଷଧି ବିରୁଧ ॥ ୧୬୦

ଯେ ଅନ୍ନ ରେତରୁ ସମ୍ଭବ । ଏ ପିତୃଯାନ ପୁନର୍ଭବ ॥ ୧୬୧

ଏ ଅନ୍ନରୂପେ ଏକେ ଏକେ । ଭବେ ଭ୍ରମନ୍ତି ଜୀବଲୋକେ ॥ ୧୬୨

ପ୍ରବୃତ୍ତିମାର୍ଗ ଏ ପ୍ରମାଣ । ଏବେ ହୋ ଧର୍ମସୁତ ଶୁଣ ॥ ୧୬୩

ଦେବଙ୍କ ରାତ୍ର ଏ ବୋଲାଇ । ଶୁଣ ଦିବସ ଏବେ କହି ॥ ୧୬୪

ସମ୍ଭବୁଁ ମରଣ ପର୍ଯ୍ୟନ୍ତେ । ଦ୍ୱିଜ-ସଂସ୍କାର ବେଦମତେ ॥ ୧୬୫

ସେ ଦ୍ୱିଜ ଯେବେ ଜ୍ଞାନୀ ହୋଏ । ଯଜ୍ଞ କରଇ ନିଜ ଦେହେ ॥ ୧୬୬

ଇନ୍ଦ୍ରି ବନ୍ଧନ ଅର୍ଥେ କଳ୍ପେ । ହୋମ କରଇ ଜ୍ଞାନ ଦୀପେ ॥ ୧୬୭

ମନେ କରିବ ଇନ୍ଦ୍ରି ଲୀନ । ବଚନେ ସଂହରିବ ମନ ॥ ୧୬୮

ବଚନ ସ୍ୱରେ ଲୀନକରି । ସ୍ୱରକୁ ଓଁକାରେ ସଂହରି ॥ ୧୬୯

ଓଁକାର ବିନ୍ଦୁ ନାଦେ ଦେଇ । ବିନ୍ଦୁକୁ ପ୍ରାଣ ସଙ୍ଗେ ଥୋଇ ॥ ୧୭୦

ଜ୍ଞାନୀର ଏମନ୍ତ ଲକ୍ଷଣ । ଯେ ପଥେ ଯିବ ତାହା ଶୁଣ ॥ ୧୭୧

ଅଗ୍ନି ଆଦିତ୍ୟ ପ୍ରାତଃକାଳ । ପୂର୍ଣ୍ଣିମା ପକ୍ଷ ଯେ ଶୁକଳ ॥ ୧୭୨

ଏ ବ୍ରହ୍ମମାର୍ଗ ଅନୁପମ । ଉତ୍ତରାୟଣ ଏହା ନାମ ॥ ୧୭୩

ବିଶ୍ୱ-ତୈଜସ-ପ୍ରାଜ୍ଞେ ଲୟ । ତୁରୀୟାତୀତେ ଆତ୍ମମୟ ॥ ୧୭୪

ଏ ଦେବଯାନ-ପଥ ଚିନ୍ତି । ଏ ମାର୍ଗେ ଭବେ ନ ମିଳନ୍ତି ॥ ୧୭୫

ଯେ ଆତ୍ମା-ଉପଶାନ୍ତ ଜନେ । ନିତ୍ୟେ ରହନ୍ତି ଆତ୍ମଧ୍ୟାନେ ॥ ୧୭୬

ସେ ନ ପଡ଼ନ୍ତି ନରଲୋକେ । ନିଶ୍ଚନ୍ତେ ଥାନ୍ତି ଆତ୍ମାସୁଖେ ॥ ୧୭୭

ଏ ପିତୃ-ଦେବଯାନ-ପଥେ । ଯେ ଜନେ ଯାନ୍ତି ବେଦମତେ ॥ ୧୭୮

ଗମନାଗମନ କରନ୍ତି । ଜ୍ଞାନୀ ରହନ୍ତି ଏହା ଚିନ୍ତି ॥ ୧୭୯

ଯେ ଆଦିଅନ୍ତ ପ୍ରାଣୀଙ୍କର । ବ୍ୟାପିଛି ବାହ୍ୟ ଅଭ୍ୟନ୍ତର ॥ ୧୮୦

ପର-ଅପର ଯାହା ଦେହେ । ଯେ ଅବା ଜ୍ଞାନ ଜ୍ଞେୟ ହୋଏ ॥ ୧୮୧

ବଚନ ବାଚ୍ୟ ତମ ଜ୍ୟୋତି । ଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି ॥ ୧୮୨

ଯେ ତାଙ୍କୁ ଯେମନ୍ତେ ଚିନ୍ତଇ । ଆଭାସ ମାତ୍ରେ ସେ ଦେଖଇ ॥ ୧୮୩

ଭାବ-ପ୍ରମାଣେ ଦୃଶ୍ୟ ହୋଏ । ଦର୍ପଣେ ପ୍ରତିବିମ୍ବ ପ୍ରାୟେ ॥ ୧୮୪

ବସ୍ତୁ ନୁହଁଇ କଦାଚିତେ । ଏ ଭାବ ଘଟିବ କେମନ୍ତେ ॥ ୧୮୫

ଏଣୁ ନିଶ୍ଚଳ ଦୃଢ଼ଚିତ୍ତେ । ଯେ ତାଙ୍କୁ ଚିନ୍ତେ ଅବିରତେ ॥ ୧୮୬

କର୍ମେ ଭଜନ୍ତି ତାର ପଥ । ଏ ଭାବ ନିଗମେ ସମ୍ମତ ॥ ୧୮୭

ଏ ଭୂମି ଆଦି ପଞ୍ଚଭୂତେ । ସେ ରହେ ବାହ୍ୟ ଅନ୍ତର୍ଗତେ ॥ ୧୮୮

ତାଙ୍କୁ ନ ପାଇ ଏକେ ଏକେ । ସେ ତାରତମ୍ୟ ଅତିରେକେ ॥ ୧୮୯

ବନ-ସମୂହେ ଲତା ଯେହ୍ନେ । ଜାଣିଲେ କର୍ମ ଅନୁମାନେ ॥ ୧୯୦

ବିଚାରେ ବହେ ଏକମୂଳେ । ଅନ୍ୟତ୍ର ନ ଲାଗେ ନିଶ୍ଚଳେ ॥ ୧୯୧

ତା ଆଦି ଅନ୍ତ ଯେ ନ ଜାଣି । ଏହି ପ୍ରକାରେ ଭ୍ରମେ ପ୍ରାଣୀ ॥ ୧୯୨

ନିଦ୍ରା ଜାଗ୍ରତ ସ୍ୱପ୍ନ ମଧ୍ୟେ । ଯେ ରୂପେ ଏ ବିଧି ନିଷେଧେ ॥ ୧୯୩

ଯେ କ୍ରିୟା ଭାବ ଦ୍ରବ୍ୟମତେ । ମୁନି କହନ୍ତି ଶାସ୍ତ୍ରଗତେ ॥ ୧୯୪

ଜାଗ୍ରତ ସ୍ୱପ୍ନ ନିଦ୍ରା ଯେହ୍ନେ । ନ ଲାଗେ ଶୁଦ୍ଧ ଚଇତନେ ॥ ୧୯୫

କାର୍ଯ୍ୟକାରଣ ବସ୍ତୁ ଯେତେ । ଦେଖଇ ପଟ-ତନ୍ତୁମତେ ॥ ୧୯୬

ଦେହରେ ଅବସ୍ତୁ-ବିକଳ୍ପ । ଏ ଭାବାଦ୍ୱୈତ୍ୟ କହି ନୃପ ॥ ୧୯୭

ଶରୀର ବହି ଏ ଜଗତେ । ଯେ କର୍ମ କରି ବେଦମତେ ॥ ୧୯୮

ହରି-ବିଷୟେ ସମର୍ପିଲେ । ବିଷ୍ଣୁମାୟାରୁ ତରେ ଭଲେ ॥ ୧୯୯

ଏହାର ନାମ କ୍ରିୟାଦ୍ୱୈତ । ଅପରେ ଶୁଣ ନରନାଥ ॥ ୨୦୦

ଶରୀର ଦାରା ସୁତ ଆଦି । ଅନ୍ୟ ବାନ୍ଧବ ଯେ ପ୍ରସିଦ୍ଧି ॥ ୨୦୧

ଯେ ଅର୍ଥକର୍ମେଏହା ଦେଖି । ଏହାକୁ ଦ୍ରବ୍ୟାଦ୍ୱୈତ ଲେଖି ॥ ୨୦୨

ଯେ କର୍ମ ଯେଉଁ ଉପାୟରେ । ଯାହା ସକାଶୁଁ ଯେଉଁଠାରେ ॥ ୨୦୩

ଯାହାର ଯେ ନିଷେଧ ଥିବ । ବିନା ଆପଦେ ନ କରିବ ॥ ୨୦୪

ଏ ଆଦି ବେଦବାକ୍ୟ ଯେତେ । ଗୃହେ ଯେ ସାଧେ ଅବିରତେ ॥ ୨୦୫

କୃଷ୍ଣେ ନ କରେ ସମର୍ପଣ । ତାର ଜୀବନ ଅକାରଣ ॥ ୨୦୬

ଦେଖ ତୁ ଗୃହଧର୍ମେ ଥାଇ । ସଙ୍ଗତେ ଘେନି ଚାରିଭାଇ ॥ ୨୦୭

ରାଜ୍ୟ ବିହୁନେ ବନବାସେ । ଯେତେ ଭ୍ରମିଲୁ ନାନାଦେଶେ ॥ ୨୦୮

ଯାର ଚରଣେ ଆଶ୍ରେକରି । ଘୋର-ସଂକଟୁ ତୁ ନିସ୍ତରି ॥ ୨୦୯

ଏବେ ତୋହର ଦେଖ ଭାଗ୍ୟ । କଲୁ ରାଜୁସି ମହାଯାଗ ॥ ୨୧୦

ଲଭିଲୁ ପରମ କାରଣ । ତୋତେ ସୁଲଭ ନାରାୟଣ ॥ ୨୧୧

ମୁହିଁ ଯେ ପୂର୍ବେ ଦେହବହି । କୃଷ୍ଣମାୟାରେ ଭ୍ରମି ହୋଇ ॥ ୨୧୨

ପୂର୍ବକଳ୍ପର ନାମ ଶୁଣ । ଗନ୍ଧର୍ବ ଉପବରହରଣ ॥ ୨୧୩

ସେ କଳ୍ପଅନ୍ତେ ଦେହବହି । ଗନ୍ଧର୍ବଗଣ ମଧ୍ୟେ ଥାଇ ॥ ୨୧୪

ସ୍ୱଭାବେ ରୂପ-ଗୁଣ ମୋର । ଅତି ସୁନ୍ଦର ମନୋହର ॥ ୨୧୫

ଗନ୍ଧର୍ବ-ନାରୀଗଣ ମଧ୍ୟେ । ଉନ୍ମତ୍ତ ରୂପେ ମୁଁ ଆନନ୍ଦେ ॥ ୨୧୬

ଯୁବତୀଗଣେ ପ୍ରିୟତମ । ଏମନ୍ତେ ଗଲା କିଛୁଦିନ ॥ ୨୧୭

ଏକ-ଦିବସେ ଦେବଗଣେ । ସମସ୍ତେ ମିଳି ପୁଷ୍ପବନେ ॥ ୨୧୮

ବ୍ରହ୍ମାଶଙ୍କର ଆଦି ବସି । ହରିଗାୟନ-ରସେ ରସି ॥ ୨୧୯

ଗନ୍ଧର୍ବଗଣେ ଅଣାଇଲେ । ମୁହିଁ ଯେ ଥିଲି ତାଙ୍କ ତୁଲେ ॥ ୨୨୦

ଯୁବତୀଗଣ ମଧ୍ୟେ ଥାଇ । ଆନନ୍ଦେ ବୀଣା-ବାଦ୍ୟ ବାଇ ॥ ୨୨୧

ଆବୃତ ଅପସରାବୃନ୍ଦେ । ହସ୍ତ ନିବେଶି ତାଙ୍କ କନ୍ଧେ ॥ ୨୨୨

ନୃତ୍ୟ ମୁଁ କଲି ନାନାମତେ । ତା ଦେଖି ବ୍ରହ୍ମା କୋପଚିତ୍ତେ ॥ ୨୨୩

ଦେବହେଳନ କର୍ମ ଦେଖି । କୋପେ ଅରୁଣ କଲେ ଆଖି ॥ ୨୨୪

ବୋଇଲେ ମୋତେ କୋପ ବହି । ଯା ବେଗେ ଶୂଦ୍ର ହୁଅ ତୁହି ॥ ୨୨୫

ବ୍ରହ୍ମାଙ୍କ ଶାପ-କୋପାନଳେ । ପଡ଼ିଲି ଅବନୀ ମଣ୍ଡଳେ ॥ ୨୨୬

ଲଭିଲି ଦାସୀଗର୍ଭେ ଜନ୍ମ । ଯେଣୁ ମୋ ଥିଲା ଶୁଭକର୍ମ ॥ ୨୨୭

ତେଣୁ ମୁଁ ସେବି ବିପ୍ରପାଦ । ତରିଲି ଦୁର୍ଗମ-ପ୍ରମାଦ ॥ ୨୨୮

ବିପ୍ର-ଚରଣ ସେବାଫଳେ । ପୁଣି ଜନ୍ମିଲି ବ୍ରହ୍ମା-କୋଳେ ॥ ୨୨୯

ତୋର ଅଗ୍ରତେ ଗୃହଧର୍ମ । ବର୍ଣ୍ଣିଲି ଯଥା ବେଦକର୍ମ ॥ ୨୩୦

ଏହା ଶୁଣନ୍ତେ ପାପହରେ । ଯେ ଧର୍ମେ ଗୃହେ ଥାଇ ତରେ ॥ ୨୩୧

ତୁ ନରଲୋକେ ଭାଗ୍ୟବନ୍ତ । ଯେଣୁ ତୋ ବାନ୍ଧବ ଅନନ୍ତ ॥ ୨୩୨

ତୋହର ଗୃହେ ନରହରି । ବସଇ ନରରୂପ ଧରି ॥ ୨୩୩

ସେ ହରି ବ୍ରହ୍ମ-ନିରଞ୍ଜନ । ଧ୍ୟାନେ ନ ପାନ୍ତି ମୁନିଜନ ॥ ୨୩୪

କୈବଲ୍ୟ-ସୁଖଦ ଯେ ଭକ୍ତି । ପରମ ସୁଖେ ତାର ସ୍ଥିତି ॥ ୨୩୫

ସେ ତୋର ପ୍ରିୟ ଭଗବାନ । ସ୍ୱଭାବେ ମାତୁଳନନ୍ଦନ ॥ ୨୩୬

ଜଗତ ଆତ୍ମା ମହାଗୁରୁ । କେବା ମହିମା ବର୍ଣ୍ଣିପାରୁ ॥ ୨୩୭

ବ୍ରହ୍ମାଶଙ୍କର ଆଦି ଦେବେ । ଯାର ମହିମା ନ ଜାଣିବେ ॥ ୨୩୮

ମଉନବ୍ରତ ତପ ଆଦି । ନିଶ୍ଚଳ ଧାରଣା ସମାଧି ॥ ୨୩୯

ନିର୍ମଳ ଭକ୍ତି-ଉପଶମେ । ନିର୍ବାଣ ଲଭେ ଯାର ନାମେ ॥ ୨୪୦

ସାତ୍ତ୍ୱତଜନଙ୍କର ପତି । ସେ ହରି ହେଉ ଆମ୍ଭ ଗତି ॥ ୨୪୧

ଶୁଣ ତୁ ରାଜା ଯୁଧିଷ୍ଠିର । ଗୋବିନ୍ଦପାଦେ ଆଶ୍ରେ କର ॥ ୨୪୨

ଶୁକ ଉବାଚ

ଏମନ୍ତେ ବେଦଋଷି- ବାକ୍ୟେ । ପଞ୍ଚପାଣ୍ଡବ ଏକେ ଏକେ ॥ ୨୪୩

କୃଷ୍ଣଚରଣେ ପୂଜା କଲେ । ନାରଦ ପାଦେ ପ୍ରଣମିଲେ ॥ ୨୪୪

ନାରଦ ଉଠିଣ ତକ୍ଷଣେ । ନମିଲେ ଶ୍ରୀକୃଷ୍ଣ ଚରଣେ ॥ ୨୪୫

ସେ କୃଷ୍ଣ ଆଜ୍ଞା ଘେନି ଶିରେ । ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ ॥ ୨୪୬

ଏମନ୍ତେ ଦକ୍ଷକନ୍ୟା ଗର୍ଭେ । ଯେତେ ଉପୁଜିଲେ ଦାନବେ ॥ ୨୪୭

ଦେବ-ଦାନବ ଆଦି ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥ ୨୪୮

ଏବେ କହିଲି ତୋତେ ଭାବେ । ଯେ ଯହିଁ ଦେବତା-ଦାନବେ ॥ ୨୪୯

ସର୍ବ କହିଲି ତୋ ଅଗ୍ରତେ । ସୁଜନେ ଶୁଣ ଏକଚିତ୍ତେ ॥ ୨୫୦

ହରିଚରିତ ଭାଗବତ । ନୃସିଂହ-ଚରିତ-ଅମୃତ ॥ ୨୫୧

ସପ୍ତମ ସ୍କନ୍ଧେ ଭାଗବତ । ସୁପୁଣ୍ୟ-ପ୍ରହ୍ଲାଦ ଚରିତ ॥ ୨୫୨

ଯେ ଏହା ଶ୍ରୁତିପଥେ ଶୁଣେ । ମନ-ବଚନେ ପରିମାଣେ ॥ ୨୫୩

ନୁହନ୍ତି ମାୟାରେ ମୋହିତ । ଭଣଇ ଦାସ ଜଗନ୍ନାଥ ॥ ୨୫୪

ଶୁଣି ସଂସାରୁ ତର ପ୍ରାଣୀ । ସୁଜନ ହିତେ ମୁହିଁ ଭଣି ॥ ୨୫୫

ସଂସାର-ସୁଖଦୁଃଖେ ଥାଇ । ମୂଢ଼ ତରିବେ ଏହା ଗାଇ ॥ ୨୫୬

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଯୁଧିଷ୍ଠିରନାରଦସମ୍ବାଦେ ସଦାଚାର-ନିର୍ଣ୍ଣୟେ ନାମ ପଞ୍ଚଦଶୋଽଧ୍ୟାୟଃ ॥

* * *