ସପ୍ତମ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଯୁଧିଷ୍ଠିର ଉବାଚ
ଶୁଣ ହେ ବ୍ରହ୍ମାର ନନ୍ଦନ । ବନସ୍ଥ ଅବଧୂତ ଧର୍ମ ॥ ୧
ଶୁଣିଲି ଶାସ୍ତ୍ରର ପ୍ରସ୍ତାବେ । ଗୃହସ୍ଥ ଧର୍ମ କହ ଏବେ ॥ ୨
ଦେଶକାଳାଦି ଭେଦେ ଯହିଁ । ଅନେକ ଶ୍ରେୟ ଜାତ ହୋଇ ॥ ୩
ଯେ ବିଧି ଗୃହ-ଆଚରଣେ । ଆଗମ ନିଗମ ପ୍ରମାଣେ ॥ ୪
ଏମନ୍ତେ ଧର୍ମସୂତ-ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି ॥ ୫
ନାରଦ ଉବାଚ
ଗୃହସ୍ଥ ରଜନୀ ପ୍ରଭାତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ ॥ ୬
ସ୍ମରିବ ନାରାୟଣ ନାମ । ହରି ଗୋବିନ୍ଦ କୃଷ୍ଣ ରାମ ॥ ୭
ପୁରୁଷୋତ୍ତମ ଦାମୋଦର । ବିଶ୍ୱସମ୍ଭବ ବିଶ୍ୱମ୍ଭର ॥ ୮
ଏ ଆଦି ପୁଣ୍ୟଶ୍ଳୋକ ଯେତେ । ନାମ-ସଂକୀର୍ତ୍ତନ ପ୍ରଭାତେ ॥ ୯
କୃଷ୍ଣେ ଅର୍ପଣ ନିତ୍ୟେ କରି । ଗୃହସ୍ଥ ଧର୍ମକୁ ଆଚରି ॥ ୧୦
ମହତ-ଜନେ ଉପାସନ । କରିବ ନିତ୍ୟେ କୃଷ୍ଣଧ୍ୟାନ ॥ ୧୧
କୃଷ୍ଣର ଅବତାର କଥା । ପୁରାଣ ଆଦି ଶାସ୍ତ୍ରଗୀତା ॥ ୧୨
ସଙ୍ଗ କରିବ ସାଧୁସନ୍ଥେ । ଦିନ ବଞ୍ଚିବ ଶୁଣି ନିତ୍ୟେ ॥ ୧୩
ସାଧୁସଙ୍ଗତେ ଥୋଇ ମନ । ପୁତ୍ର କଳତ୍ର ଗୃହଜନ ॥ ୧୪
ତାହାଙ୍କୁ ସୁଖଭୋଗ ଦେଇ । ଆତ୍ମାକୁ ସନ୍ତୋଷେ ଭୁଞ୍ଜଇ ॥ ୧୫
ସମ୍ପଦ ସ୍ୱପ୍ନ ପ୍ରାୟ ମଣି । ଚିତ୍ତେ ଚିନ୍ତିବ ଚକ୍ରପାଣି ॥ ୧୬
ଯାବତ ପ୍ରୟୋଜନ ଅର୍ଥ । ଗୃହେ ସାଧିବ ନିତ୍ୟ ନିତ୍ୟ ॥ ୧୭
ବିରକ୍ତଚିତ୍ତ ଅନ୍ତର୍ଗତେ । ଲୋକବେଭାର ଜନ ସାଥେ ॥ ୧୮
ଭ୍ରାତ ସୁହୃଦ ତାତ ମାତ । ଜ୍ଞାତି ବାନ୍ଧବ ଦାରା ସୁତ ॥ ୧୯
ଯେ ବା ଇଚ୍ଛନ୍ତି ଯେ ବୋଲନ୍ତି । ଯେ ଭାବେ ସନ୍ତୋଷେ ରହନ୍ତି ॥ ୨୦
ମନ ସନ୍ତୋଷେ ସୁଖ ଦେବ । ନିର୍ମଳେ ସର୍ବଦା ବଞ୍ଚିବ ॥ ୨୧
ଭୂମି ଗଗନ ଅନ୍ତରୀକ୍ଷେ । ଯେ ଧନ ମିଳିବ ପ୍ରତ୍ୟକ୍ଷେ ॥ ୨୨
କୃଷ୍ଣର ଦେଲା ପ୍ରାୟେ ବୁଝି । ସେ ଧନ ଦୁଃଖ ସୁଖେ ଭୁଞ୍ଜି ॥ ୨୩
ଦିନ ବଞ୍ଚିବ ହରି ଭାବେ । ଯତ୍ନ କରିବ ଧର୍ମଲାଭେ ॥ ୨୪
ଯାବତ ଦେହେ ପ୍ରାଣ ଥିବ । ତାବତ ସନ୍ତୋଷେ ବଞ୍ଚିବ ॥ ୨୫
ଲୋଭେ ଅଧିକ ଯେ ଚିନ୍ତନ୍ତି । ଚୋର ସମାନେ ଦଣ୍ଡ ପାନ୍ତି ॥ ୨୬
ଏବେ ହୋ ଶୁଣ ନୃପବର । କହିବା ସର୍ବଧର୍ମସାର ॥ ୨୭
କପି ମକ୍ଷିକା ଉଷ୍ଟ୍ର ଖଗ । ମୂଷିକ ଗର୍ଦ୍ଦଭ ଯେ ମୃଗ ॥ ୨୮
ଉରଗ ପତଙ୍ଗାଦି ଯେତେ । ତାହାଙ୍କୁ ପୁତ୍ରପ୍ରାୟେ ଚିତ୍ତେ ॥ ୨୯
ଆତ୍ମାର ପ୍ରାୟେ ନିତ୍ୟେ ଦେଖି । ଅନ୍ତର ମନେ ନ ଉପେକ୍ଷି ॥ ୩୦
ତ୍ରିବର୍ଗ କଷ୍ଟେ ନ ସାଧିବ । ଯେ ଭାବେ ନିନ୍ଦନ୍ତି ସାଧବ ॥ ୩୧
ଯେ ଦ୍ରବ୍ୟ ଅତିକଷ୍ଟେ ପାଇ । ଯେ ସୁଖେ ଅତିଲୋଭ ହୋଇ ॥ ୩୨
ଯେଣେ ବା ପରପୀଡ଼ା ହେବ । ଏ ତିନି ଚିତ୍ତେ ନ ଧରିବ ॥ ୩୩
ଯେ ଦେଶ-କାଳ-ପାତ୍ର ମତେ । ମିଳଇ କର୍ମର ଆୟତ୍ତେ ॥ ୩୪
ସେ ଭାବେ ପୋଷିବ ଜୀବନ । ଦେଖିବ ସକଳେ ସମାନ ॥ ୩୫
ଶ୍ୱାନ ଚଣ୍ଡାଳ ଅନ୍ୟ ଜାତି । ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି ॥ ୩୬
ବିଭାଗେ ଭୋଗ ତାଙ୍କୁ ଦେବ । ଆତ୍ମାର ପରାୟେ ଭାବି ॥ ୩୭
ଏକ ଗୃହିଣୀ ସଂଗ୍ରହଣ । ସ୍ୱଧର୍ମ ଗୃହର କାରଣ ॥ ୩୮
ଅର୍ଦ୍ଧାଙ୍ଗ ସମ ଅଟେ ନାରୀ । ସାତ୍ତ୍ୱିକେ ତାହା ଭୋଗ କରି ॥ ୩୯
ନିଯୋଗି ଅତିଥି ସେବନେ । ଯତ୍ନ କରିବ ନିଜ ଧର୍ମେ ॥ ୪୦
ଯା ପାଇଁ ପିତା ଗୁରୁ ପ୍ରାଣ । ପ୍ରାଣୀ ହିଂସଇ ହେଳେ ଜାଣ ॥ ୪୧
ଅତିଥି-ସେବାରେ ସେ ନାରୀ । ଦେଇଣ ଆପଦୁଁ ଉଦ୍ଧରି ॥ ୪୨
ଆନେ ଅସାଧ୍ୟ ଯେଉଁ ହରି । ଏ ଭାବେ ତାଙ୍କୁ ସାଧ୍ୟ କରି ॥ ୪୩
ଦେଖ ଏ ତୁଚ୍ଛ-କଳେବର । ଅନ୍ତେ ଭଜଇ ତ୍ରିପ୍ରକାର ॥ ୪୪
ଭସ୍ମ ପୁରୀଷ କୃମିସ୍ଥାନ । ଅବଶ୍ୟ ଭଜେ ଅବସାନ ॥ ୪୫
ସେ ଦେହେ ରତି ପତ୍ନୀମେଳେ । ଏ କାହିଁ ଆତ୍ମାର କୁଶଳେ ॥ ୪୬
ମଜ୍ଜଇ ସୁଧାପ୍ରାୟ ମଣି । କାହୁଁ ତରିବ ମୂଢ଼ପ୍ରାଣୀ ॥ ୪୭
ଯଜ୍ଞାବଶେଷ ସିଦ୍ଧଅନ୍ନେ । ଆହାର କଳ୍ପିବ ଜୀବନେ ॥ ୪୮
ଅଧିକେ ମମତା ନଥାଇ । ତେବେଟି ମହତ ବୋଲାଇ ॥ ୪୯
ଦେବତା ଋଷି ଭୂତଗଣେ । ଆତ୍ମା ଅତିଥି ପିତୃଜନେ ॥ ୫୦
ଏହାଙ୍କୁ ବିଷ୍ଣୁପ୍ରାୟେ ମଣି । ସନ୍ତୋଷେ ଦେବ ଅନ୍ନ ପାଣି ॥ ୫୧
ଆତ୍ମାଧିକାରେ ନାନାବିଧି । ଯଜ୍ଞର ସମ୍ଭାର ସମ୍ପାଦି ॥ ୫୨
ବିଧିବିଧାନ ବେଦମତେ । ଯଜ୍ଞ କରିବ ଅଗ୍ନିହୋତ୍ରେ ॥ ୫୩
ଅଗ୍ନିହୋତ୍ରର ଅବସାନେ । ବିପ୍ରଙ୍କୁ ତୋଷିବ ଭୋଜନେ ॥ ୫୪
ବ୍ରାହ୍ମଣ-ଦେହେ ଥାଇ ହରି । ଏଣୁ ଭୋଜନେ ପୂଜାକରି ॥ ୫୫
ବିପ୍ର ଭୋଜନେ ତୋଷ ଯେତେ । ସେ ନୋହେ ଯଜ୍ଞ କୋଟିଶତେ ॥ ୫୬
ଏ ଘେନି ଦେବତା-ବ୍ରାହ୍ମଣେ । ପୂଜା କରିବ ଅନୁକ୍ଷଣେ ॥ ୫୭
ଏଣୁ ବ୍ରାହ୍ମଣ-ମୁଖେ ଦେଇ । ପୂଜା କରିବ ଭାବଗ୍ରାହୀ ॥ ୫୮
ଆଶ୍ୱିନମାସ-କୃଷ୍ଣପକ୍ଷେ । ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ॥ ୫୯
ସମ୍ଭାର ଯଥାଶକ୍ତିମତେ । ପିତୃ ପୂଜିବ ଶ୍ରଦ୍ଧାଚିତ୍ତେ ॥ ୬୦
ଜ୍ଞାତି ସୁହୃଦ ବନ୍ଧୁଜନ । ଭୋଜନ ନେବ ମିଷ୍ଟଅନ୍ନ ॥ ୬୧
ଏବେ ହୋ ଶୁଣ ମହୀପତି । ଗୃହସ୍ଥଜନର ଏ ଗତି ॥ ୬୨
ବେନି-ଅୟନ ବିଷୁବାନ୍ତେ । ଦିବସ କ୍ଷୟ ବ୍ୟତିପାତେ ॥ ୬୩
ଅକ୍ଷୟତୃତୀୟା ଦିବସେ । ଆଦିତ୍ୟ-ଶଶାଙ୍କର ଗ୍ରାସେ ॥ ୬୪
ଦ୍ୱାଦଶୀ-ଶ୍ରବଣା-ସଂଯୋଗେ । ତୃତୀୟାତିଥି କ୍ଷୟଭୋଗେ ॥ ୬୫
ଶୁକ୍ଳ-ନବମୀ ଭର୍ଜ୍ଜମାସେ । ଚତୁର ଅଷ୍ଟକା-ଦିବସେ ॥ ୬୬
ମାଘ-ସପ୍ତମୀ ଶୁକ୍ଳପକ୍ଷେ । ପୂର୍ଣ୍ଣିମା ମିଶି ମଘାରକ୍ଷେ ॥ ୬୭
ଦ୍ୱାଦଶୀ ଅନୁରାଧା ଭୋଗେ । ଶ୍ରବଣା ତ୍ରି-ଉତ୍ତରା ଯୋଗେ ॥ ୬୮
ଏ ତିନିଯୋଗେ ଏକାଦଶୀ । ଶ୍ରବଣା ଜନ୍ମରକ୍ଷେ ମିଶି ॥ ୬୯
ଶ୍ରେୟ-ସାଧନ-ଯୋଗ ଏତେ । ଗୃହସ୍ଥଧର୍ମ ସାଧ୍ୟ ଅର୍ଥେ ॥ ୭୦
ଏ ଦିନେ ଧର୍ମକର୍ମ କଲେ । ଶ୍ରେୟ-ଆୟୁଷ ବଢ଼େ ଭଲେ ॥ ୭୧
ଏ ଦିନେ ତପ ହୋମ ସ୍ନାନ । ଯଜ୍ଞେ ଦେବତା-ଆରାଧନ ॥ ୭୨
ପିତୃଦେବତା ଭୂତଗଣେ । ଅନ୍ନ ଜଳ ତିଳତର୍ପଣେ ॥ ୭୩
ପତ୍ନୀର ସଂସ୍କାର କାଳରେ । ଅପତ୍ୟ-ସମ୍ଭବ ଦିନରେ ॥ ୭୪
ଜ୍ଞାତି-ମରଣେ ପ୍ରେତକାର୍ଯ୍ୟେ । ପୂଜିବ ବାନ୍ଧବ-ସମାଜେ ॥ ୭୫
ଏବେ ହୋ ଶୁଣ ଧର୍ମଶିଷ୍ୟ । କହିବା ପୁଣ୍ୟ ସ୍ଥାନ ଦେଶ ॥ ୭୬
ବିଷ୍ଣୁ ପ୍ରତିମା ବସେ ଯହିଁ । ସଚରାଚର ବିଶ୍ୱ ତହିଁ ॥ ୭୭
ସତ୍ପାତ୍ର-ଜନ ଲଭି ଯହିଁ । ସେ ପୁଣ୍ୟତମ-ଦେଶ କହି ॥ ୭୮
ବ୍ରାହ୍ମଣକୁଳ ବସେ ଯହିଁ । ଦୟା ତପସ୍ୟା ବିଦ୍ୟା ବହି ॥ ୭୯
ବିଷ୍ଣୁର ପୂଜା ଯହିଁ ନିତ୍ୟେ । ସେ ପୁଣ୍ୟଦେଶ ବେଦମତେ ॥ ୮୦
ଗଙ୍ଗାଦି ନଦୀ ଯହିଁ ବହେ । ସେ ପୁଣ୍ୟକ୍ଷେତ୍ର ବେଦ କହେ ॥ ୮୧
ପୁଷ୍କର ଆଦି ସରୋବର । ଯହିଁ ବସନ୍ତି ବିଷ୍ଣୁ ହର ॥ ୮୨
ପ୍ରୟାଗ ପୁଲହ ଆଶ୍ରମ । ନୈମିଷାରଣ୍ୟ ପୁଣ୍ୟଧାମ ॥ ୮୩
ପ୍ରଭାସ କୁରୁ ବ୍ରଜଗଳି । ଗୟା ମଥୁରା କୁଶସ୍ଥଳୀ ॥ ୮୪
ସେ କାଶୀ ପମ୍ପା ବିନ୍ଦୁସର । ସେତୁବନ୍ଧ ଯେ ରାମେଶ୍ୱର ॥ ୮୫
ଆଶ୍ରମ ନରନାରାୟଣ । ନନ୍ଦା ସୀତୟା ରାମାଶ୍ରମ ॥ ୮୬
ମହେନ୍ଦ୍ର ମଳୟ ପର୍ବତେ । ଏ ମଧ୍ୟେ କ୍ଷେତ୍ର ଛନ୍ତି ଯେତେ ॥ ୮୭
ଏ ସର୍ବସ୍ଥାନ ହରିପ୍ରିୟ । ତେଣୁ ଜଗତେ ପୁଣ୍ୟମୟ ॥ ୮୮
ସେ ପୁଣ୍ୟତମ ଦେଶ ଭାବି । ବିଷ୍ଣୁପ୍ରତିମା ଯହିଁ ସେବି ॥ ୮୯
କୈବଲ୍ୟ ଇଚ୍ଛା ଯାର ଚିତ୍ତେ । ଏ ଦେଶେ ସେହୁ ଥିବ ନିତ୍ୟେ ॥ ୯୦
ଏବେ କହିବା ପାତ୍ର ଯେତେ । ଶୁଣ ରାଜନ ଶୁଦ୍ଧଚିତ୍ତେ ॥ ୯୧
ପୁରାଣପୁରୁଷ ମୁରାରି । ଯାର ଭିଆଣ ବସୁନ୍ଧରୀ ॥ ୯୨
ସଚରାଚର ଯା ଶରୀର । ଋଷି ଦେବତା ବ୍ରହ୍ମା ହର ॥ ୯୩
ଅଗ୍ରେ ଚରଣ ପୂଜି ଯାର । ତା ତହୁଁ ପାତ୍ର କେବା ଆର ॥ ୯୪
ଦେବତା ଋଷି ସିଦ୍ଧେଶ୍ୱର । ସନକ ଆଦି ଯଜ୍ଞେ ତୋର ॥ ୯୫
ସଭାରେ ସର୍ବଜନ ଥିଲେ । କୃଷ୍ଣଙ୍କୁ ଅଗ୍ରେ ପୂଜା କଲେ ॥ ୯୬
ଏଣୁ ସକଳ-ପାତ୍ର-ସାର । ଅଚ୍ୟୁତ ଅଟେ ନୃପବର ॥ ୯୭
ଜୀବରାଶିରେ ହୋଇ ବ୍ୟାପ୍ତ । ଯେ ଅଣ୍ଡକୋଷ ବୃକ୍ଷଶତ ॥ ୯୮
ସେ ବୃକ୍ଷମୂଳ ଯେଣୁ ହରି । ତାହାଙ୍କୁ ଯେହୁ ପୂଜା କରି ॥ ୯୯
ପୂଜିବା ଫଳ ଜଗତର । ନିଶ୍ଚେ ଲଭଇ ସେହୁ ନର ॥ ୧୦୦
ଯାର ଶରୀର ଜୀବରାଶି । ଯେ ଅଣ୍ଡକୋଷ ମୂଳେ ବସି ॥ ୧୦୧
ଯେ ହରି ସର୍ବଜୀବ-ମୂଳ । ଅଶେଷ ପୁଣ୍ୟକର୍ମ-ଫଳ ॥ ୧୦୨
ନାନା ପ୍ରପଞ୍ଚେ ପୁର କରି । ତା ମଧ୍ୟେ ଜୀବ ରୂପ ଧରି ॥ ୧୦୩
ହୃଦୟପଦ୍ମ ମଧ୍ୟେ ଶୋହେ । ପୁରୁଷୋତ୍ତମ ନାମ ବହେ ॥ ୧୦୪
ତେଣୁ ପୁରୁଷ ପାତ୍ରୋତ୍ତମ । ଯେ ନିତ୍ୟେ ରମେ ଆତ୍ମାରାମ ॥ ୧୦୫
ଯେଣୁ ଏ ପୁରୁଷଙ୍କ ଦେହେ । ସେ ହରି ତାରତମ୍ୟେ ରହେ ॥ ୧୦୬
ଏ ଭାବେ ସଂଶୟ ବିଚାରି । ତ୍ରୋତାଦି ଯୁଗେ ମୂର୍ତ୍ତି କରି ॥ ୧୦୭
ସଂସ୍କାର-ନିଗମ-ଆଗମେ । ପୂଜା କରନ୍ତି ଗ୍ରାମେ-ଗ୍ରାମେ ॥ ୧୦୮
ସେ ପୂଜା ମାତ୍ରେ ତୋଷ ହୋନ୍ତି । ବାଞ୍ଛିତ ଫଳ ନିତ୍ୟେ ଦ୍ୟନ୍ତି ॥ ୧୦୯
ଯେ ପ୍ରାଣୀ ପରେ ହିଂସା କରେ । ଦେବତା ପୂଜି ସେ ନ ତରେ ॥ ୧୧୦
ଏଣୁ ପୁରୁଷଙ୍କର ମଧ୍ୟେ । ଯେ ବିପ୍ର ଜ୍ଞାନୀ ବେଦ ସାଧେ ॥ ୧୧୧
ତା ତହୁଁ ପାତ୍ର ଆର ନାହିଁ । ସେ ବିପ୍ର ନିଶ୍ଚେ ବିଷ୍ଣୁଦେହୀ ॥ ୧୧୨
ଯେ କୃଷ୍ଣ ଆତ୍ମା ତ୍ରିଲୋକର । ବ୍ରାହ୍ମଣ ଦେବତା ତାଙ୍କର ॥ ୧୧୩
ଏଣୁ ସେ ବ୍ରାହ୍ମଣ ଚରଣ । ତ୍ରୈଲୋକ୍ୟ ନିସ୍ତାର କାରଣ ॥ ୧୧୪
ଏ ଭାବେ ଦେଶ କାଳ ପାତ୍ର । ଦୀକ୍ଷାଦି ଧର୍ମ ଦଇବତ ॥ ୧୧୫
ନାରଦ ମୁନି ଅନୁରାଗେ । କହିଲେ ଯୁଧିଷ୍ଠିର ଆଗେ ॥ ୧୧୬
ଏ ଭାଗବତ କୃଷ୍ଣବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୧୭
ଏହା ଯେ ପଢ଼ନ୍ତି ଶୁଣନ୍ତି । ସେ ଗୃହଦ୍ୱନ୍ଦ୍ୱେ ନ ପଡ଼ନ୍ତି ॥ ୧୧୮
ସପ୍ତମ ସ୍କନ୍ଧେ ଭାଗବତ । ଭଣଇ ଦାସ ଜଗନ୍ନାଥ ॥ ୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ସଦାଚାର ନିର୍ଣ୍ଣୟୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥
* * *