ସପ୍ତମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ନାରଦ ଉବାଚ

ଏବେ କହିବା ଯତିଧର୍ମ । ସ୍ୱଭାବେ ଅବଧୂତ-କର୍ମ ॥

ମାୟାସଂସାର ଦୂର କରି । ବୁଲିବ ଦେହ ମାତ୍ର ଧରି ॥

ଗ୍ରାମେ ବଞ୍ଚିବ ଏକ ଦିନ । ଦ୍ୱିଦିନ ନ ରହିବ ପୁଣ ॥

ନିର୍ଜନେ ଦିଗମ୍ବର-ବେଶେ । ଯେବେ ପଶିବ ବନଦେଶେ ॥

କୌପୀନ କରିବ ବସନ । ଏକା ଭ୍ରମିବ ରାତ୍ରଦିନ ॥

କେବେ ହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥

ସର୍ବଭୂତରେ ଶାନ୍ତପଣେ । ଶ୍ରୀନାରାୟଣ ପ୍ରାୟ ମଣେ ॥

ସତ ଅସତ ବିଶ୍ୱ ବେନି । ତୁଲେ ଭାବିବ ଆତ୍ମା ଘେନି ॥

ପରମବ୍ରହ୍ମ ଆତ୍ମା ସାର । ସର୍ବବ୍ୟାପିତ ନିରନ୍ତର ॥

ଜାଗ୍ରତ-ସ୍ୱପ୍ନ ମଧ୍ୟେ ରହି । ଆତ୍ମାର ଗତି ଆତ୍ମେ ଧ୍ୟାୟି ॥ ୧୦

ଆତ୍ମାର ବନ୍ଧ-ମୋକ୍ଷ ବେନି । ଲକ୍ଷିବ ମାୟା ମାତ୍ର ଘେନି ॥ ୧୧

ବସ୍ତୁ ସ୍ୱଭାବ ନାହିଁ ତାର । ଏଣୁ ସର୍ବଦା ନିର୍ବିକାର ॥ ୧୨

ବସ୍ତୁର ନିତ୍ୟାନିତ୍ୟ-ଭାବ । ଏଣୁ ଏ ଶରୀର ଅଧ୍ରୁବ ॥ ୧୩

ଜୀବର ଉତ୍ପତ୍ତି-ମରଣ । କାଳଟି ଏହାର କାରଣ ॥ ୧୪

ଏଣୁ ଶରୀର-ଧର୍ମ ଜାଣି । ଆତ୍ମାର-ଗତି ପରିମାଣି ॥ ୧୫

ଅଶାସ୍ତ୍ରେ ନ କରିବ ରତି । ଜୀବିକା ଜ୍ୟୋତିଷ ପ୍ରଭୃତି ॥ ୧୬

ଦୂରେ ତେଜିବ ତର୍କବାଦ । ଯେ ଶାସ୍ତ୍ରେ ପକ୍ଷପାତ ଭେଦ ॥ ୧୭

ଅଭ୍ୟାସ ନ କରି ସେ ପଥେ । ଶିଷ୍ୟ ନ କରିବ ସଙ୍ଗତେ ॥ ୧୮

ବ୍ୟାଖ୍ୟାନ ନିଜ ପ୍ରୟୋଜନ । କେବେ ହେଁ ନ କରିବ ମନେ ॥ ୧୯

ମଠାଦି ଗୃହକୁ ନିର୍ମାଣ । କେବେ ହେଁ ନୋହେ ଯତିଧର୍ମ ॥ ୨୦

ସୁଶାନ୍ତ ବୁଦ୍ଧି ସମଚିତ୍ତ । ହୋଇବ ଅର୍ଥରେ ବିରକ୍ତ ॥ ୨୧

ଦୃଶ୍ୟ-ଅଦୃଶ୍ୟ ଭାବେ ଥିବ । ବାଇବାଳକ ଚେଷ୍ଟାଭାବ ॥ ୨୨

ମୂକ ବଧିର ପ୍ରାୟେ ବେଶେ । ଭାବେ ବଞ୍ଚିବ ଆତ୍ମବଶେ ॥ ୨୩

ଶୁଣ ରାଜନ ସାବଧାନ । ଯେ ଇତିହାସ ପୁରାତନ ॥ ୨୪

ପ୍ରହ୍ମାଦ ସଙ୍ଗେ ମୁନିବର । ନାମ ଯାହାର ଅଜଗର ॥ ୨୫

ଏ ବେନିଜନଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୬

ସେ ପ୍ରହଲ୍ଲାଦ ଏକଦିନେ । ମୃଗୟା ଅର୍ଥେ ଗଲେ ବନେ ॥ ୨୭

ଭୃତ୍ୟନିକର ଘେନି ସଙ୍ଗେ । ବନେ ବିହରେ କ୍ରୀଡ଼ାରଙ୍ଗେ ॥ ୨୮

ଏମନ୍ତେ ସହ୍ୟଗିରି ତଟେ । କାବେରୀ ତଟେ ଭୂମିପୃଷ୍ଠେ ॥ ୨୯

ଶୟନେ ଦେଖେ ମୁନିବର । ଶରୀର ଧୂଳିରେ ଧୂସର ॥ ୩୦

ସ୍ୱେଦ-କର୍ଦ୍ଧମେ ସେ ଭୂଷିତ । ସମ୍ମୁଖେ ଦେଖେ ବିପରୀତ ॥ ୩୧

କର୍ମ-ବଚନ-ଲିଙ୍ଗ-ବର୍ଣ୍ଣେ । ଲକ୍ଷି ନ ପାରେ ଅନୁମାନେ ॥ ୩୨

କିବା ଆଶ୍ରମ ଲକ୍ଷି ନୋହେ । ଶୟନ ବିପରୀତ-ଦେହେ ॥ ୩୩

ତାହାଙ୍କୁ ଦେଖି ପ୍ରହଲ୍ଲାଦ । ଭାବେ ନମିଲା ବେନିପାଦ ॥ ୩୪

ଲକ୍ଷଣେ ମଣି ତାର ଗତି । ବୋଲନ୍ତି ଅସୁରଙ୍କ ପତି ॥ ୩୫

ପ୍ରହ୍ଲାଦ ଉବାଚ

ଏ ସ୍ଥୂଳ-ଶରୀର ତୋହର । ସ୍ୱଭାବେ ଦିଶଇ ସୁନ୍ଦର ॥ ୩୬

ଭୋଗୀପୁରୁଷ ପ୍ରାୟେ ହୋଇ । ତୋ ଦେହ ଦେଖି ପଚାରଇ ॥ ୩୭

ବିତ୍ତ-ଅର୍ଜନେ ଭୋଗୀଜନେ । ଭ୍ରମନ୍ତି ନଗର ବିପିନେ ॥ ୩୮

ଭୋଗର ବଳେ ପୁଷ୍ଟଦେହୀ । ଏ ଅନୁମାନେ ମୁଁ ମଣଇ ॥ ୩୯

ଉଦ୍ୟମ ନ କରି ତୁ ଧନେ । କିମ୍ବା ଶୋଇଛୁ ଘୋରବନେ ॥ ୪୦

କେମନ୍ତେ ପୁଷ୍ଟ ତୋ ଶରୀର । କହ ସଂଶୟ ଯାଉ ଦୂର ॥ ୪୧

କହ ତୁ ନ ଭଜି ମଉନ । ମୁଁ ଯେବେ ଶୁଣିବା ଭାଜନ ॥ ୪୨

ଯେ ଦକ୍ଷ ପଣ୍ଡିତ ଚତୁର । ବିଚିତ୍ରବାକ୍ୟ ପ୍ରିୟକର ॥ ୪୩

ତାଙ୍କୁ ପୁଚ୍ଛିଲେ ସର୍ବ କହେ । ମନେ ଅହଙ୍କାର ନ ବହେ ॥ ୪୪

ଏମନ୍ତେ ପ୍ରହଲ୍ଲାଦ ବାଣୀ । ସେ ଅବଧୂତ କର୍ଣ୍ଣେ ଶୁଣି ॥ ୪୫

ତାହାର ଅମୃତ-ବଚନେ । କହଇ ହୃଷିତବଦନେ ॥ ୪୬

ଅବଧୂତ ଉବାଚ

ତୁ ପ୍ରହଲ୍ଲାଦ ଦୈତ୍ୟବର । ଜାଣଇଁ ମହିମା ତୋହର ॥ ୪୭

ସଂଶୟ ନାହିଁ ତୋର ମନେ । ତୁ ଦେଖୁ ନିର୍ମଳ ନୟନେ ॥ ୪୮

ଯାର ହୃଦୟେ ନାରାୟଣ । ବସଇ ପୁରୁଷ ପୁରାଣ ॥ ୪୯

ସେ ଭକ୍ତିବଳେ ତମଘୋର । ନାଶଇ ଯେହ୍ନେ ଦିବାକର ॥ ୫୦

ତୁ ମୋତେ ପଚାରିଲୁ ଯେବେ । ଶୁଣ କହିବା ତୋତେ ଭାବେ ॥ ୫୧

ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି । ମହାନ୍ତ ପୁଚ୍ଛିଲେ କହନ୍ତି ॥ ୫୨

ଭବ-ବାହିନୀ ତୃଷ୍ଣା ନାମ । ତାର ପୂରଣେ କେହୁ କ୍ଷମ ॥ ୫୩

ସେ ତୃଷ୍ଣାବଳେ ମୁଁ ଜଗତେ । ଭ୍ରମିଲି କୋଟି ଜନ୍ମ ଶତେ ॥ ୫୪

ଅଶେଷ-ଯୋନି ଗର୍ଭବାସ । ତେବେ ହେଁ ନ ପୂରିଲା ଆଶ ॥ ୫୫

ଅର୍ଜିଲା କର୍ମଦୋଷେ ଭ୍ରମି । ଫୁଟି ହୋଇଲି ପଥଶ୍ରମୀ ॥ ୫୬

ଯେ ଶୁଭକର୍ମ ମୋର ଥିଲା । ସେ ଫଳ ଏ ଜନ୍ମେ ଫଳିଲା ॥ ୫୭

ସ୍ୱଭାବେ ସ୍ୱର୍ଗ-ମୋକ୍ଷ ଦ୍ୱାର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥ ୫୮

ସ୍ୱଧର୍ମ କଲେ ସ୍ୱର୍ଗବାସ । ଅଧର୍ମେ ନରକେ ପ୍ରବେଶ ॥ ୫୯

ଏ ବେନିଦ୍ୱାର ଯେ ତେଜନ୍ତି । ନିଶ୍ଚଳଯୋଗେ ଆତ୍ମା ଚିନ୍ତି ॥ ୬୦

ଭଜନ୍ତି ଗୋବିନ୍ଦ ଚରଣେ । ତରନ୍ତି ଏ ଜନ୍ମ ମରଣେ ॥ ୬୧

ମୁଁ ଏ ସଂସାର ସୁଖ ଦେଖି । ବିଚାରି ମନେ ହେଲି ଦୁଃଖୀ ॥ ୬୨

ଦ୍ୱନ୍ଦ୍ୱ ମୈଥୁନ ଗୃହବାସେ । ଇନ୍ଦ୍ରିୟ ସୁଖଭୋଗ ଆଶେ ॥ ୬୩

ଅନ୍ତେ ନରକେ ବିଶ୍ରାମନ୍ତି । ଏ ଘେନି ମନେ କଲି ଭ୍ରାନ୍ତି ॥ ୬୪

ଏଣୁ ମୁଁ ଗୃହଦ୍ୱନ୍ଦ୍ୱ ଏଡ଼ି । ତପ ସାଧଇ ଦୁଃଖେ ପଡ଼ି ॥ ୬୫

ପ୍ରବୃତ୍ତିମାର୍ଗେ ନର ଦୁଃଖୀ । ନିବୃତ୍ତିମାର୍ଗେ ହୋନ୍ତି ସୁଖୀ ॥ ୬୬

ଏବେ ମୁଁ କୃଷ୍ଣର ପ୍ରସାଦେ । ନିବୃତ୍ତି-କର୍ମଯୋଗ ସାଧେ ॥ ୬୭

ନିତ୍ୟେ ଭ୍ରମଇ ଆତ୍ମାଭାବେ । ମନ ଆନନ୍ଦେ ସୁଖପ୍ଲବେ ॥ ୬୮

ମନ-ସଙ୍କଳ୍ପ-ଭୋଗ ତେଜି । ପ୍ରାରବ୍ଧ-ଭୋଗ ବନେ ଭୁଞ୍ଜି ॥ ୬୯

ଏଣୁ ଆତ୍ମାର ଅର୍ଥେ ମୁହିଁ । ସଙ୍କଳ୍ପି ଏକାନ୍ତେ ଭ୍ରମଇ ॥ ୭୦

ଏବେ ହୋ ପ୍ରହଲ୍ଲାଦ ଶୁଣ । ବିଷୟ ବଶେ ଯେତେ ଗୁଣ ॥ ୭୧

ତାମସ ରଜଗୁଣ ତେଜେ । ବିବିଧ କାମ୍ୟକର୍ମ ଭଜେ ॥ ୭୨

ଆତ୍ମାର ହିତ ନ ସୁମରେ । ଅସାଧୁମାର୍ଗେ କର୍ମ କରେ ॥ ୭୩

ପ୍ରାଣୀ ଭ୍ରମନ୍ତି ଘୋରପଥେ । ନାନା-ଯାତନା କର୍ମତନ୍ତ୍ରେ ॥ ୭୪

ଘୋର ସଂସାରେ ସଞ୍ଚରନ୍ତି । ଏ ଘେନି ମୋର ମନେ ଭ୍ରାନ୍ତି ॥ ୭୫

ଦେଖ ଅଜ୍ଞାନେ ମୋହଚ୍ଛନ୍ନେ । ସଂସାରେ ସଞ୍ଚରନ୍ତି ଜନେ ॥ ୭୬

ଯେ ଜଳ ତୃଣେ ଆଚ୍ଛାଦିତ । ତାହା ନ ଇଚ୍ଛଇ ତୃଷିତ ॥ ୭୭

ମୃଗତୃଷ୍ଣାକୁ ଜଳ ମଣେ । ଭ୍ରମେ ଭ୍ରମଇ ଅକାରଣେ ॥ ୭୮

ତାହାର ଶ୍ରମ ମାତ୍ର ସାର । ଯେ ଆତ୍ମା ନ କରେ ବିଚାର ॥ ୭୯

କର୍ମ-ଆୟତ୍ତେ ଦେହ ବହି । ଆତ୍ମାର ସୁଖ ଯେ ଇଚ୍ଛଇ ॥ ୮୦

ସଙ୍କଳ୍ପି କ୍ରିୟା କରେ ଯେତେ । ନିଷ୍ଫଳ ହୋଏ କାର୍ଯ୍ୟ ଅନ୍ତେ ॥ ୮୧

ଅଧ୍ୟାତ୍ମ ଆଦି ଦୁଃଖ ଯେତେ । ଆତ୍ମା ନିପାତ ଯାର ଅନ୍ତେ ॥ ୮୨

ବିମୁକ୍ତ ନୋହେ ପ୍ରାଣୀ ଏଣେ । କି ପ୍ରୟୋଜନ ଅର୍ଥ କାମେ ॥ ୮୩

ଲୋଭୀ ପ୍ରାଣୀଙ୍କ ଦୁଷ୍ଟ-ମନ । ବଳେ ବନ୍ଧନ କରେ ଧନ ॥ ୮୪

ଧନୀଜନଙ୍କ ଦୁଃଖ ଦେଖି । ମୁଁ ଧନତୃଷ୍ଣାକୁ ଉପେକ୍ଷି ॥ ୮୫

ଦେଖଇ ଧନୀଙ୍କର ଦୁଃଖ । ନିଦ୍ରା-ଭୋଜନେ ନାହିଁ ସୁଖ ॥ ୮୬

ରାଜାର ଭୟ ନିତ୍ୟେ ଧନେ । ଚୌର ସ୍ୱଜନ ଶତ୍ରୁଜନେ ॥ ୮୭

ଯେ ଅବା ଆସେ ଧନ ମାଗି । ତା ଦେଖି ଚିତ୍ତେ ଦୁଃଖଭାଗୀ ॥ ୮୮

ଅଶେଷ ଆପଦର ସ୍ଥାନ । ଏ ଧନମୂଳୁଁ ହୋଏ ଜନ୍ମ ॥ ୮୯

ଯେ ଶୋକ ମୋହ ଲୋଭ କ୍ରୋଧ । ନିତ୍ୟେ ଉଦ୍‌ବେଗ ଯେ ପ୍ରମାଦ ॥ ୯୦

ଯାହାର ମୂଳୁଁ ଏ ସ୍ରବନ୍ତି । ଧନର ମୂଳେ ପ୍ରାଣଭୀତି ॥ ୯୧

ଏ ଘେନି ଯେ ପଣ୍ଡିତ ଜନେ । ଲୋଭ ତେଜନ୍ତି ଜାଣି ଧନେ ॥ ୯୨

ମଧୁମକ୍ଷିକା ଅଜଗର । ଏ ଜନ୍ମେ ଗୁରୁ ଏ ମୋହର ॥ ୯୩

ଯେ ବଇରାଗ ପରିତୋଷ । ଏହାଙ୍କ ତହୁଁ ଉପଦେଶ ॥ ୯୪

ବୈରାଗ୍ୟ ସର୍ବକାମେ ମୋର । ଏ ଶିକ୍ଷା ଦେଲା ମଧୁକର ॥ ୯୫

ଅନେକ ଦୁଃଖେ ଯେ ଅର୍ଜନ । ତାକୁ ବିନାଶି ହରେ ଆନ ॥ ୯୬

ଧନ ନ ଇଚ୍ଛି ତୋଷ ମନେ । ଭ୍ରମଇ ଯଥା ଲାଭ ଧନେ ॥ ୯୭

ମହାସର୍ପର ପ୍ରାୟେ ହୋଇ । ବଞ୍ଚଇ ଉପଦେଶ ଧ୍ୟାୟି ॥ ୯୮

ତଥାପି ଗୋବିନ୍ଦ ପ୍ରସନ୍ନେ । ନିତ୍ୟେ ଆନନ୍ଦ ମୋର ମନେ ॥ ୯୯

ମୋ ଦେହେ ବଳ କାନ୍ତି ତୁଷ୍ଟି । ସୁଖ-ବର୍ଦ୍ଧନେ ଦେହ ପୁଷ୍ଟି ॥ ୧୦୦

ଏ ଭାବେ ବଞ୍ଚେ ମୋର ଦେହୀ । ମୁଁ ସୁଖ ଦୁଃଖ ନ ଜାଣଇ ॥ ୧୦୧

ଅଳ୍ପ-ଆହାର କାହିଁ ପାଇ । କାହିଁବା ସମ୍ପୂର୍ଣ୍ଣ ଭୁଞ୍ଜଇ ॥ ୧୦୨

ସ୍ୱାଦୁ-ଅସ୍ୱାଦୁ ନ ମଣଇ । ଯେ ଦିନେ ଯେ ଅବା ମିଳଇ ॥ ୧୦୩

ଗ୍ରାସକୁ ଅମୃତ ମଣଇ । ସୁମିଷ୍ଟ ମିଳେ ଅବା କାହିଁ ॥ ୧୦୪

କାହିଁବା କଟୁ ତିକ୍ତ ପାଇ । ମନ-ସନ୍ତୋଷେ ତା ଭୁଞ୍ଜଇ ॥ ୧୦୫

କାହିଁବା ଶ୍ରଦ୍ଧା-ଉପହୃତ । କାହିଁବା ମାନ୍ୟ ବିବର୍ଜିତ ॥ ୧୦୬

କାହିଁବା ଦଧିଅନ୍ନ ଘୃତ । କାହିଁବା ଲବଣ ବର୍ଜିତ ॥ ୧୦୭

ଅଳ୍ପ ବହୁତ ନ ବାରଇ । ଯହିଁ ଯା ମିଳେ ତୁଷ୍ଟ ତହିଁ ॥ ୧୦୮

ଏମନ୍ତେ ପୋଷଇ ଜୀବନ । ନିଶ୍ଚିନ୍ତ ମନେ ମୋ ଶୟନ ॥ ୧୦୯

ରାତ୍ର ଦିବସ ନ ଜାଣଇ । ଉଭୟ ଏକ ପ୍ରମାଣଇ ॥ ୧୧୦

ପାଟବସନ କାହିଁ ପିନ୍ଧି । କାହିଁ ବୁଲଇ ଚର୍ମ ବାନ୍ଧ ॥ ୧୧୧

ଚୀରାଣି ବସ୍ତ୍ର କାହିଁ ମିଳେ । କାହିଁବା ବଞ୍ଚଇ ବକଳେ ॥ ୧୧୨

କର୍ମ ଆଦରି ତୋଷମନେ । ବସଇ ଇଚ୍ଛା ସୁଖ ସ୍ଥାନେ ॥ ୧୧୩

କାହିଁ ବା ଧରଣୀ ଶୟନ । କାହିଁ ପାଷାଣ କାହିଁ ତୃଣ ॥ ୧୧୪

କାହିଁ ପ୍ରାସାଦ ମଧ୍ୟେ ଥାଇ । କାହିଁ ପଲେଙ୍କ ନିଦ୍ରା ଯାଇ ॥ ୧୧୫

କାହିଁ ହଂସୁଲୀତୂଳୀ ପରେ । କାହିଁ ଶ୍ମଶାନେ ବନ ଘୋରେ ॥ ୧୧୬

କାହିଁ ବା ସ୍ନାନ କରେ ଶୁଦ୍ଧେ । ସୁବାସ ତଇଳ ସୁଗନ୍ଧେ ॥ ୧୧୭

କାହିଁ ଚନ୍ଦନ ଗନ୍ଧସାର । କାହିଁ ବା ନାନା ଅଳଙ୍କାର ॥ ୧୧୮

ସୁବାସ ପୁଷ୍ପମାଳ ଗନ୍ଧେ । କାହିଁ ବା ଗଜ ଅଶ୍ୱ କନ୍ଧେ ॥ ୧୧୯

କାହିଁ ବେଷ୍ଟିତ ପୀତାମ୍ବର । କାହିଁ ବା ଭସ୍ମ ଦିଗମ୍ବର ॥ ୧୨୦

କାହିଁ ବା ଜ୍ଞାନ ଥାଇ ଦେହେ । କାହିଁ ଭ୍ରମଇ ଗୃହୀ ପ୍ରାୟେ ॥ ୧୨୧

କାହିଁ ପ୍ରମାଦ ଦେହେ ଥାଇ । କାହିଁ ବା ବୃକ୍ଷମୂଳେ ଶୋଇ ॥ ୧୨୨

ହେ ପ୍ରହଲ୍ଲାଦ ଶୁଣ ଧୀରେ । ଆର କହିବା ତୋ ଛାମୁରେ ॥ ୧୨୩

ବିଷୟ-ଜଡ଼େ ପ୍ରାଣୀ ଥାନ୍ତି । ନିଜ ସ୍ୱଭାବ ପ୍ରକାଶନ୍ତି ॥ ୧୨୪

କାହାକୁ ନିନ୍ଦା ସ୍ତୁତି ମୋର । କେବେ ହେଁ ନ କରେ ବିଚାର ॥ ୧୨୫

ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତି । ଏଣୁ ମୋ ମନେ ନାହିଁ ଭ୍ରାନ୍ତି ॥ ୧୨୬

ଆନନ୍ଦେ ଗୋବିନ୍ଦ-ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥ ୧୨୭

ଚିତ୍ତ-ବିକଳ୍ପ ହୋମ କରି । ତାହାକୁ ମନ ମଧ୍ୟେ ଭରି ॥ ୧୨୮

ମନ-ବିକାର ତତ୍ତ୍ୱେ ଥୋଇ । ଯେଣେ ମାୟାକୁ ଭୟ ନାହିଁ ॥ ୧୨୯

ସେ ମାୟା ଆତ୍ମା ଅନୁଭୂତେ । ସତ୍ୟ ସଙ୍କଳ୍ପ ମୁନିମତେ ॥ ୧୩୦

ତେଣୁ ନିର୍ବିକାର ମୋ ମନ । ନିର୍ଗୁଣ-ବ୍ରହ୍ମେ କରି ଧ୍ୟାନ ॥ ୧୩୧

ଏମନ୍ତେ ଆତ୍ମା-ଅନୁଭୂତେ । କହିଲି ତୋହର ଅଗ୍ରତେ ॥ ୧୩୨

ଯେ ଲୋକ-ଶାସ୍ତ୍ର ମତ ଦୁଇ । ଏଣେ ବର୍ଜିତ ମୋର ଦେହୀ ॥ ୧୩୩

ତୁ ଯେଣୁ ବିଷ୍ଣୁର ଭକତ । ତେଣୁ କହିଲି ତୋ ଅଗ୍ରତ ॥ ୧୩୪

ତୁ ପ୍ରହଲ୍ଲାଦ କୃଷ୍ଣଦାସ । ଏଣୁ ମୁଁ ତୋହରେ ବିଶ୍ୱାସ ॥ ୧୩୫

ନାରଦ ଉବାଚ

ଏମନ୍ତେ ମୁନି ମୁଖୁଁ ଶୁଣି । ପରମହଂସ ଧର୍ମବାଣୀ ॥ ୧୩୬

ସେ ପ୍ରହଲ୍ଲାଦ ଜ୍ଞାନୀ ଧୀର । ସ୍ୱଭାବେ ବିଷ୍ଣୁର କିଙ୍କର ॥ ୧୩୭

ସେ ଅବଧୂତ ତତ୍ତ୍ୱବାଣୀ । ପ୍ରବାହ-ସୁଧା ତରଙ୍ଗିଣୀ ॥ ୧୩୮

ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେ । ବନ୍ଦିଲା ବିବିଧ-ସ୍ତବନେ ॥ ୧୩୯

ଆନନ୍ଦେ ନମି ତା ଚରଣେ । ସଦନେ ଗଲା ତତକ୍ଷଣେ ॥ ୧୪୦

ଶୁଣ ସୁଜନେ ଦୃଢ଼ଚିତ୍ତେ । ହରି-ଚରିତ ଭାଗବତେ ॥ ୧୪୧

ସପ୍ତମ ସ୍କନ୍ଧେ ଯେତେ ଧର୍ମ । ଯେ ଧର୍ମ ଅବଧୂତ-କର୍ମ ॥ ୧୪୨

ପ୍ରହ୍ଳାଦ-ଅବଧୂତ କଥା । ଶୁଣନ୍ତେ ଖଣ୍ଡେ ଭବବ୍ୟଥା ॥ ୧୪୩

ଏଣେ ନିର୍ମଳ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୪୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ୱାଦେ ଯତିଧର୍ମେ ତ୍ରୟୋଦଶୋଽଧ୍ୟାୟଃ ॥

* * *