ସପ୍ତମ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ନାରଦ ଉବାଚ
ଏବେ କହିବା ଯତିଧର୍ମ । ସ୍ୱଭାବେ ଅବଧୂତ-କର୍ମ ॥ ୧
ମାୟାସଂସାର ଦୂର କରି । ବୁଲିବ ଦେହ ମାତ୍ର ଧରି ॥ ୨
ଗ୍ରାମେ ବଞ୍ଚିବ ଏକ ଦିନ । ଦ୍ୱିଦିନ ନ ରହିବ ପୁଣ ॥ ୩
ନିର୍ଜନେ ଦିଗମ୍ବର-ବେଶେ । ଯେବେ ପଶିବ ବନଦେଶେ ॥ ୪
କୌପୀନ କରିବ ବସନ । ଏକା ଭ୍ରମିବ ରାତ୍ରଦିନ ॥ ୫
କେବେ ହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥ ୬
ସର୍ବଭୂତରେ ଶାନ୍ତପଣେ । ଶ୍ରୀନାରାୟଣ ପ୍ରାୟ ମଣେ ॥ ୭
ସତ ଅସତ ବିଶ୍ୱ ବେନି । ତୁଲେ ଭାବିବ ଆତ୍ମା ଘେନି ॥ ୮
ପରମବ୍ରହ୍ମ ଆତ୍ମା ସାର । ସର୍ବବ୍ୟାପିତ ନିରନ୍ତର ॥ ୯
ଜାଗ୍ରତ-ସ୍ୱପ୍ନ ମଧ୍ୟେ ରହି । ଆତ୍ମାର ଗତି ଆତ୍ମେ ଧ୍ୟାୟି ॥ ୧୦
ଆତ୍ମାର ବନ୍ଧ-ମୋକ୍ଷ ବେନି । ଲକ୍ଷିବ ମାୟା ମାତ୍ର ଘେନି ॥ ୧୧
ବସ୍ତୁ ସ୍ୱଭାବ ନାହିଁ ତାର । ଏଣୁ ସର୍ବଦା ନିର୍ବିକାର ॥ ୧୨
ବସ୍ତୁର ନିତ୍ୟାନିତ୍ୟ-ଭାବ । ଏଣୁ ଏ ଶରୀର ଅଧ୍ରୁବ ॥ ୧୩
ଜୀବର ଉତ୍ପତ୍ତି-ମରଣ । କାଳଟି ଏହାର କାରଣ ॥ ୧୪
ଏଣୁ ଶରୀର-ଧର୍ମ ଜାଣି । ଆତ୍ମାର-ଗତି ପରିମାଣି ॥ ୧୫
ଅଶାସ୍ତ୍ରେ ନ କରିବ ରତି । ଜୀବିକା ଜ୍ୟୋତିଷ ପ୍ରଭୃତି ॥ ୧୬
ଦୂରେ ତେଜିବ ତର୍କବାଦ । ଯେ ଶାସ୍ତ୍ରେ ପକ୍ଷପାତ ଭେଦ ॥ ୧୭
ଅଭ୍ୟାସ ନ କରି ସେ ପଥେ । ଶିଷ୍ୟ ନ କରିବ ସଙ୍ଗତେ ॥ ୧୮
ବ୍ୟାଖ୍ୟାନ ନିଜ ପ୍ରୟୋଜନ । କେବେ ହେଁ ନ କରିବ ମନେ ॥ ୧୯
ମଠାଦି ଗୃହକୁ ନିର୍ମାଣ । କେବେ ହେଁ ନୋହେ ଯତିଧର୍ମ ॥ ୨୦
ସୁଶାନ୍ତ ବୁଦ୍ଧି ସମଚିତ୍ତ । ହୋଇବ ଅର୍ଥରେ ବିରକ୍ତ ॥ ୨୧
ଦୃଶ୍ୟ-ଅଦୃଶ୍ୟ ଭାବେ ଥିବ । ବାଇବାଳକ ଚେଷ୍ଟାଭାବ ॥ ୨୨
ମୂକ ବଧିର ପ୍ରାୟେ ବେଶେ । ଭାବେ ବଞ୍ଚିବ ଆତ୍ମବଶେ ॥ ୨୩
ଶୁଣ ରାଜନ ସାବଧାନ । ଯେ ଇତିହାସ ପୁରାତନ ॥ ୨୪
ପ୍ରହ୍ମାଦ ସଙ୍ଗେ ମୁନିବର । ନାମ ଯାହାର ଅଜଗର ॥ ୨୫
ଏ ବେନିଜନଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୬
ସେ ପ୍ରହଲ୍ଲାଦ ଏକଦିନେ । ମୃଗୟା ଅର୍ଥେ ଗଲେ ବନେ ॥ ୨୭
ଭୃତ୍ୟନିକର ଘେନି ସଙ୍ଗେ । ବନେ ବିହରେ କ୍ରୀଡ଼ାରଙ୍ଗେ ॥ ୨୮
ଏମନ୍ତେ ସହ୍ୟଗିରି ତଟେ । କାବେରୀ ତଟେ ଭୂମିପୃଷ୍ଠେ ॥ ୨୯
ଶୟନେ ଦେଖେ ମୁନିବର । ଶରୀର ଧୂଳିରେ ଧୂସର ॥ ୩୦
ସ୍ୱେଦ-କର୍ଦ୍ଧମେ ସେ ଭୂଷିତ । ସମ୍ମୁଖେ ଦେଖେ ବିପରୀତ ॥ ୩୧
କର୍ମ-ବଚନ-ଲିଙ୍ଗ-ବର୍ଣ୍ଣେ । ଲକ୍ଷି ନ ପାରେ ଅନୁମାନେ ॥ ୩୨
କିବା ଆଶ୍ରମ ଲକ୍ଷି ନୋହେ । ଶୟନ ବିପରୀତ-ଦେହେ ॥ ୩୩
ତାହାଙ୍କୁ ଦେଖି ପ୍ରହଲ୍ଲାଦ । ଭାବେ ନମିଲା ବେନିପାଦ ॥ ୩୪
ଲକ୍ଷଣେ ମଣି ତାର ଗତି । ବୋଲନ୍ତି ଅସୁରଙ୍କ ପତି ॥ ୩୫
ପ୍ରହ୍ଲାଦ ଉବାଚ
ଏ ସ୍ଥୂଳ-ଶରୀର ତୋହର । ସ୍ୱଭାବେ ଦିଶଇ ସୁନ୍ଦର ॥ ୩୬
ଭୋଗୀପୁରୁଷ ପ୍ରାୟେ ହୋଇ । ତୋ ଦେହ ଦେଖି ପଚାରଇ ॥ ୩୭
ବିତ୍ତ-ଅର୍ଜନେ ଭୋଗୀଜନେ । ଭ୍ରମନ୍ତି ନଗର ବିପିନେ ॥ ୩୮
ଭୋଗର ବଳେ ପୁଷ୍ଟଦେହୀ । ଏ ଅନୁମାନେ ମୁଁ ମଣଇ ॥ ୩୯
ଉଦ୍ୟମ ନ କରି ତୁ ଧନେ । କିମ୍ବା ଶୋଇଛୁ ଘୋରବନେ ॥ ୪୦
କେମନ୍ତେ ପୁଷ୍ଟ ତୋ ଶରୀର । କହ ସଂଶୟ ଯାଉ ଦୂର ॥ ୪୧
କହ ତୁ ନ ଭଜି ମଉନ । ମୁଁ ଯେବେ ଶୁଣିବା ଭାଜନ ॥ ୪୨
ଯେ ଦକ୍ଷ ପଣ୍ଡିତ ଚତୁର । ବିଚିତ୍ରବାକ୍ୟ ପ୍ରିୟକର ॥ ୪୩
ତାଙ୍କୁ ପୁଚ୍ଛିଲେ ସର୍ବ କହେ । ମନେ ଅହଙ୍କାର ନ ବହେ ॥ ୪୪
ଏମନ୍ତେ ପ୍ରହଲ୍ଲାଦ ବାଣୀ । ସେ ଅବଧୂତ କର୍ଣ୍ଣେ ଶୁଣି ॥ ୪୫
ତାହାର ଅମୃତ-ବଚନେ । କହଇ ହୃଷିତବଦନେ ॥ ୪୬
ଅବଧୂତ ଉବାଚ
ତୁ ପ୍ରହଲ୍ଲାଦ ଦୈତ୍ୟବର । ଜାଣଇଁ ମହିମା ତୋହର ॥ ୪୭
ସଂଶୟ ନାହିଁ ତୋର ମନେ । ତୁ ଦେଖୁ ନିର୍ମଳ ନୟନେ ॥ ୪୮
ଯାର ହୃଦୟେ ନାରାୟଣ । ବସଇ ପୁରୁଷ ପୁରାଣ ॥ ୪୯
ସେ ଭକ୍ତିବଳେ ତମଘୋର । ନାଶଇ ଯେହ୍ନେ ଦିବାକର ॥ ୫୦
ତୁ ମୋତେ ପଚାରିଲୁ ଯେବେ । ଶୁଣ କହିବା ତୋତେ ଭାବେ ॥ ୫୧
ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି । ମହାନ୍ତ ପୁଚ୍ଛିଲେ କହନ୍ତି ॥ ୫୨
ଭବ-ବାହିନୀ ତୃଷ୍ଣା ନାମ । ତାର ପୂରଣେ କେହୁ କ୍ଷମ ॥ ୫୩
ସେ ତୃଷ୍ଣାବଳେ ମୁଁ ଜଗତେ । ଭ୍ରମିଲି କୋଟି ଜନ୍ମ ଶତେ ॥ ୫୪
ଅଶେଷ-ଯୋନି ଗର୍ଭବାସ । ତେବେ ହେଁ ନ ପୂରିଲା ଆଶ ॥ ୫୫
ଅର୍ଜିଲା କର୍ମଦୋଷେ ଭ୍ରମି । ଫୁଟି ହୋଇଲି ପଥଶ୍ରମୀ ॥ ୫୬
ଯେ ଶୁଭକର୍ମ ମୋର ଥିଲା । ସେ ଫଳ ଏ ଜନ୍ମେ ଫଳିଲା ॥ ୫୭
ସ୍ୱଭାବେ ସ୍ୱର୍ଗ-ମୋକ୍ଷ ଦ୍ୱାର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥ ୫୮
ସ୍ୱଧର୍ମ କଲେ ସ୍ୱର୍ଗବାସ । ଅଧର୍ମେ ନରକେ ପ୍ରବେଶ ॥ ୫୯
ଏ ବେନିଦ୍ୱାର ଯେ ତେଜନ୍ତି । ନିଶ୍ଚଳଯୋଗେ ଆତ୍ମା ଚିନ୍ତି ॥ ୬୦
ଭଜନ୍ତି ଗୋବିନ୍ଦ ଚରଣେ । ତରନ୍ତି ଏ ଜନ୍ମ ମରଣେ ॥ ୬୧
ମୁଁ ଏ ସଂସାର ସୁଖ ଦେଖି । ବିଚାରି ମନେ ହେଲି ଦୁଃଖୀ ॥ ୬୨
ଦ୍ୱନ୍ଦ୍ୱ ମୈଥୁନ ଗୃହବାସେ । ଇନ୍ଦ୍ରିୟ ସୁଖଭୋଗ ଆଶେ ॥ ୬୩
ଅନ୍ତେ ନରକେ ବିଶ୍ରାମନ୍ତି । ଏ ଘେନି ମନେ କଲି ଭ୍ରାନ୍ତି ॥ ୬୪
ଏଣୁ ମୁଁ ଗୃହଦ୍ୱନ୍ଦ୍ୱ ଏଡ଼ି । ତପ ସାଧଇ ଦୁଃଖେ ପଡ଼ି ॥ ୬୫
ପ୍ରବୃତ୍ତିମାର୍ଗେ ନର ଦୁଃଖୀ । ନିବୃତ୍ତିମାର୍ଗେ ହୋନ୍ତି ସୁଖୀ ॥ ୬୬
ଏବେ ମୁଁ କୃଷ୍ଣର ପ୍ରସାଦେ । ନିବୃତ୍ତି-କର୍ମଯୋଗ ସାଧେ ॥ ୬୭
ନିତ୍ୟେ ଭ୍ରମଇ ଆତ୍ମାଭାବେ । ମନ ଆନନ୍ଦେ ସୁଖପ୍ଲବେ ॥ ୬୮
ମନ-ସଙ୍କଳ୍ପ-ଭୋଗ ତେଜି । ପ୍ରାରବ୍ଧ-ଭୋଗ ବନେ ଭୁଞ୍ଜି ॥ ୬୯
ଏଣୁ ଆତ୍ମାର ଅର୍ଥେ ମୁହିଁ । ସଙ୍କଳ୍ପି ଏକାନ୍ତେ ଭ୍ରମଇ ॥ ୭୦
ଏବେ ହୋ ପ୍ରହଲ୍ଲାଦ ଶୁଣ । ବିଷୟ ବଶେ ଯେତେ ଗୁଣ ॥ ୭୧
ତାମସ ରଜଗୁଣ ତେଜେ । ବିବିଧ କାମ୍ୟକର୍ମ ଭଜେ ॥ ୭୨
ଆତ୍ମାର ହିତ ନ ସୁମରେ । ଅସାଧୁମାର୍ଗେ କର୍ମ କରେ ॥ ୭୩
ପ୍ରାଣୀ ଭ୍ରମନ୍ତି ଘୋରପଥେ । ନାନା-ଯାତନା କର୍ମତନ୍ତ୍ରେ ॥ ୭୪
ଘୋର ସଂସାରେ ସଞ୍ଚରନ୍ତି । ଏ ଘେନି ମୋର ମନେ ଭ୍ରାନ୍ତି ॥ ୭୫
ଦେଖ ଅଜ୍ଞାନେ ମୋହଚ୍ଛନ୍ନେ । ସଂସାରେ ସଞ୍ଚରନ୍ତି ଜନେ ॥ ୭୬
ଯେ ଜଳ ତୃଣେ ଆଚ୍ଛାଦିତ । ତାହା ନ ଇଚ୍ଛଇ ତୃଷିତ ॥ ୭୭
ମୃଗତୃଷ୍ଣାକୁ ଜଳ ମଣେ । ଭ୍ରମେ ଭ୍ରମଇ ଅକାରଣେ ॥ ୭୮
ତାହାର ଶ୍ରମ ମାତ୍ର ସାର । ଯେ ଆତ୍ମା ନ କରେ ବିଚାର ॥ ୭୯
କର୍ମ-ଆୟତ୍ତେ ଦେହ ବହି । ଆତ୍ମାର ସୁଖ ଯେ ଇଚ୍ଛଇ ॥ ୮୦
ସଙ୍କଳ୍ପି କ୍ରିୟା କରେ ଯେତେ । ନିଷ୍ଫଳ ହୋଏ କାର୍ଯ୍ୟ ଅନ୍ତେ ॥ ୮୧
ଅଧ୍ୟାତ୍ମ ଆଦି ଦୁଃଖ ଯେତେ । ଆତ୍ମା ନିପାତ ଯାର ଅନ୍ତେ ॥ ୮୨
ବିମୁକ୍ତ ନୋହେ ପ୍ରାଣୀ ଏଣେ । କି ପ୍ରୟୋଜନ ଅର୍ଥ କାମେ ॥ ୮୩
ଲୋଭୀ ପ୍ରାଣୀଙ୍କ ଦୁଷ୍ଟ-ମନ । ବଳେ ବନ୍ଧନ କରେ ଧନ ॥ ୮୪
ଧନୀଜନଙ୍କ ଦୁଃଖ ଦେଖି । ମୁଁ ଧନତୃଷ୍ଣାକୁ ଉପେକ୍ଷି ॥ ୮୫
ଦେଖଇ ଧନୀଙ୍କର ଦୁଃଖ । ନିଦ୍ରା-ଭୋଜନେ ନାହିଁ ସୁଖ ॥ ୮୬
ରାଜାର ଭୟ ନିତ୍ୟେ ଧନେ । ଚୌର ସ୍ୱଜନ ଶତ୍ରୁଜନେ ॥ ୮୭
ଯେ ଅବା ଆସେ ଧନ ମାଗି । ତା ଦେଖି ଚିତ୍ତେ ଦୁଃଖଭାଗୀ ॥ ୮୮
ଅଶେଷ ଆପଦର ସ୍ଥାନ । ଏ ଧନମୂଳୁଁ ହୋଏ ଜନ୍ମ ॥ ୮୯
ଯେ ଶୋକ ମୋହ ଲୋଭ କ୍ରୋଧ । ନିତ୍ୟେ ଉଦ୍ବେଗ ଯେ ପ୍ରମାଦ ॥ ୯୦
ଯାହାର ମୂଳୁଁ ଏ ସ୍ରବନ୍ତି । ଧନର ମୂଳେ ପ୍ରାଣଭୀତି ॥ ୯୧
ଏ ଘେନି ଯେ ପଣ୍ଡିତ ଜନେ । ଲୋଭ ତେଜନ୍ତି ଜାଣି ଧନେ ॥ ୯୨
ମଧୁମକ୍ଷିକା ଅଜଗର । ଏ ଜନ୍ମେ ଗୁରୁ ଏ ମୋହର ॥ ୯୩
ଯେ ବଇରାଗ ପରିତୋଷ । ଏହାଙ୍କ ତହୁଁ ଉପଦେଶ ॥ ୯୪
ବୈରାଗ୍ୟ ସର୍ବକାମେ ମୋର । ଏ ଶିକ୍ଷା ଦେଲା ମଧୁକର ॥ ୯୫
ଅନେକ ଦୁଃଖେ ଯେ ଅର୍ଜନ । ତାକୁ ବିନାଶି ହରେ ଆନ ॥ ୯୬
ଧନ ନ ଇଚ୍ଛି ତୋଷ ମନେ । ଭ୍ରମଇ ଯଥା ଲାଭ ଧନେ ॥ ୯୭
ମହାସର୍ପର ପ୍ରାୟେ ହୋଇ । ବଞ୍ଚଇ ଉପଦେଶ ଧ୍ୟାୟି ॥ ୯୮
ତଥାପି ଗୋବିନ୍ଦ ପ୍ରସନ୍ନେ । ନିତ୍ୟେ ଆନନ୍ଦ ମୋର ମନେ ॥ ୯୯
ମୋ ଦେହେ ବଳ କାନ୍ତି ତୁଷ୍ଟି । ସୁଖ-ବର୍ଦ୍ଧନେ ଦେହ ପୁଷ୍ଟି ॥ ୧୦୦
ଏ ଭାବେ ବଞ୍ଚେ ମୋର ଦେହୀ । ମୁଁ ସୁଖ ଦୁଃଖ ନ ଜାଣଇ ॥ ୧୦୧
ଅଳ୍ପ-ଆହାର କାହିଁ ପାଇ । କାହିଁବା ସମ୍ପୂର୍ଣ୍ଣ ଭୁଞ୍ଜଇ ॥ ୧୦୨
ସ୍ୱାଦୁ-ଅସ୍ୱାଦୁ ନ ମଣଇ । ଯେ ଦିନେ ଯେ ଅବା ମିଳଇ ॥ ୧୦୩
ଗ୍ରାସକୁ ଅମୃତ ମଣଇ । ସୁମିଷ୍ଟ ମିଳେ ଅବା କାହିଁ ॥ ୧୦୪
କାହିଁବା କଟୁ ତିକ୍ତ ପାଇ । ମନ-ସନ୍ତୋଷେ ତା ଭୁଞ୍ଜଇ ॥ ୧୦୫
କାହିଁବା ଶ୍ରଦ୍ଧା-ଉପହୃତ । କାହିଁବା ମାନ୍ୟ ବିବର୍ଜିତ ॥ ୧୦୬
କାହିଁବା ଦଧିଅନ୍ନ ଘୃତ । କାହିଁବା ଲବଣ ବର୍ଜିତ ॥ ୧୦୭
ଅଳ୍ପ ବହୁତ ନ ବାରଇ । ଯହିଁ ଯା ମିଳେ ତୁଷ୍ଟ ତହିଁ ॥ ୧୦୮
ଏମନ୍ତେ ପୋଷଇ ଜୀବନ । ନିଶ୍ଚିନ୍ତ ମନେ ମୋ ଶୟନ ॥ ୧୦୯
ରାତ୍ର ଦିବସ ନ ଜାଣଇ । ଉଭୟ ଏକ ପ୍ରମାଣଇ ॥ ୧୧୦
ପାଟବସନ କାହିଁ ପିନ୍ଧି । କାହିଁ ବୁଲଇ ଚର୍ମ ବାନ୍ଧ ॥ ୧୧୧
ଚୀରାଣି ବସ୍ତ୍ର କାହିଁ ମିଳେ । କାହିଁବା ବଞ୍ଚଇ ବକଳେ ॥ ୧୧୨
କର୍ମ ଆଦରି ତୋଷମନେ । ବସଇ ଇଚ୍ଛା ସୁଖ ସ୍ଥାନେ ॥ ୧୧୩
କାହିଁ ବା ଧରଣୀ ଶୟନ । କାହିଁ ପାଷାଣ କାହିଁ ତୃଣ ॥ ୧୧୪
କାହିଁ ପ୍ରାସାଦ ମଧ୍ୟେ ଥାଇ । କାହିଁ ପଲେଙ୍କ ନିଦ୍ରା ଯାଇ ॥ ୧୧୫
କାହିଁ ହଂସୁଲୀତୂଳୀ ପରେ । କାହିଁ ଶ୍ମଶାନେ ବନ ଘୋରେ ॥ ୧୧୬
କାହିଁ ବା ସ୍ନାନ କରେ ଶୁଦ୍ଧେ । ସୁବାସ ତଇଳ ସୁଗନ୍ଧେ ॥ ୧୧୭
କାହିଁ ଚନ୍ଦନ ଗନ୍ଧସାର । କାହିଁ ବା ନାନା ଅଳଙ୍କାର ॥ ୧୧୮
ସୁବାସ ପୁଷ୍ପମାଳ ଗନ୍ଧେ । କାହିଁ ବା ଗଜ ଅଶ୍ୱ କନ୍ଧେ ॥ ୧୧୯
କାହିଁ ବେଷ୍ଟିତ ପୀତାମ୍ବର । କାହିଁ ବା ଭସ୍ମ ଦିଗମ୍ବର ॥ ୧୨୦
କାହିଁ ବା ଜ୍ଞାନ ଥାଇ ଦେହେ । କାହିଁ ଭ୍ରମଇ ଗୃହୀ ପ୍ରାୟେ ॥ ୧୨୧
କାହିଁ ପ୍ରମାଦ ଦେହେ ଥାଇ । କାହିଁ ବା ବୃକ୍ଷମୂଳେ ଶୋଇ ॥ ୧୨୨
ହେ ପ୍ରହଲ୍ଲାଦ ଶୁଣ ଧୀରେ । ଆର କହିବା ତୋ ଛାମୁରେ ॥ ୧୨୩
ବିଷୟ-ଜଡ଼େ ପ୍ରାଣୀ ଥାନ୍ତି । ନିଜ ସ୍ୱଭାବ ପ୍ରକାଶନ୍ତି ॥ ୧୨୪
କାହାକୁ ନିନ୍ଦା ସ୍ତୁତି ମୋର । କେବେ ହେଁ ନ କରେ ବିଚାର ॥ ୧୨୫
ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତି । ଏଣୁ ମୋ ମନେ ନାହିଁ ଭ୍ରାନ୍ତି ॥ ୧୨୬
ଆନନ୍ଦେ ଗୋବିନ୍ଦ-ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥ ୧୨୭
ଚିତ୍ତ-ବିକଳ୍ପ ହୋମ କରି । ତାହାକୁ ମନ ମଧ୍ୟେ ଭରି ॥ ୧୨୮
ମନ-ବିକାର ତତ୍ତ୍ୱେ ଥୋଇ । ଯେଣେ ମାୟାକୁ ଭୟ ନାହିଁ ॥ ୧୨୯
ସେ ମାୟା ଆତ୍ମା ଅନୁଭୂତେ । ସତ୍ୟ ସଙ୍କଳ୍ପ ମୁନିମତେ ॥ ୧୩୦
ତେଣୁ ନିର୍ବିକାର ମୋ ମନ । ନିର୍ଗୁଣ-ବ୍ରହ୍ମେ କରି ଧ୍ୟାନ ॥ ୧୩୧
ଏମନ୍ତେ ଆତ୍ମା-ଅନୁଭୂତେ । କହିଲି ତୋହର ଅଗ୍ରତେ ॥ ୧୩୨
ଯେ ଲୋକ-ଶାସ୍ତ୍ର ମତ ଦୁଇ । ଏଣେ ବର୍ଜିତ ମୋର ଦେହୀ ॥ ୧୩୩
ତୁ ଯେଣୁ ବିଷ୍ଣୁର ଭକତ । ତେଣୁ କହିଲି ତୋ ଅଗ୍ରତ ॥ ୧୩୪
ତୁ ପ୍ରହଲ୍ଲାଦ କୃଷ୍ଣଦାସ । ଏଣୁ ମୁଁ ତୋହରେ ବିଶ୍ୱାସ ॥ ୧୩୫
ନାରଦ ଉବାଚ
ଏମନ୍ତେ ମୁନି ମୁଖୁଁ ଶୁଣି । ପରମହଂସ ଧର୍ମବାଣୀ ॥ ୧୩୬
ସେ ପ୍ରହଲ୍ଲାଦ ଜ୍ଞାନୀ ଧୀର । ସ୍ୱଭାବେ ବିଷ୍ଣୁର କିଙ୍କର ॥ ୧୩୭
ସେ ଅବଧୂତ ତତ୍ତ୍ୱବାଣୀ । ପ୍ରବାହ-ସୁଧା ତରଙ୍ଗିଣୀ ॥ ୧୩୮
ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେ । ବନ୍ଦିଲା ବିବିଧ-ସ୍ତବନେ ॥ ୧୩୯
ଆନନ୍ଦେ ନମି ତା ଚରଣେ । ସଦନେ ଗଲା ତତକ୍ଷଣେ ॥ ୧୪୦
ଶୁଣ ସୁଜନେ ଦୃଢ଼ଚିତ୍ତେ । ହରି-ଚରିତ ଭାଗବତେ ॥ ୧୪୧
ସପ୍ତମ ସ୍କନ୍ଧେ ଯେତେ ଧର୍ମ । ଯେ ଧର୍ମ ଅବଧୂତ-କର୍ମ ॥ ୧୪୨
ପ୍ରହ୍ଳାଦ-ଅବଧୂତ କଥା । ଶୁଣନ୍ତେ ଖଣ୍ଡେ ଭବବ୍ୟଥା ॥ ୧୪୩
ଏଣେ ନିର୍ମଳ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୪୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ୱାଦେ ଯତିଧର୍ମେ ତ୍ରୟୋଦଶୋଽଧ୍ୟାୟଃ ॥
* * *