ସପ୍ତମ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ନାରଦ ଉବାଚ
ଶୁଣ ହେ ଧର୍ମର ନନ୍ଦନ । ବନସ୍ଥ-ବ୍ରହ୍ମଚାରୀ-ଧର୍ମ ॥ ୧
ଗୃହସ୍ଥ-ଭିକ୍ଷୁଧର୍ମ ଯେତେ । ଏବେ କହିବା ତୋ ଅଗ୍ରତେ ॥ ୨
ଗୁରୁ-ଭୁବନେ ବ୍ରହ୍ମଚାରୀ । ବସିବ ଦୃଢ଼ବ୍ରତ କରି ॥ ୩
ସ୍ୱଭାବେ-ତପକ୍ଳେଶ ଯୁତେ । ନିରତେ ଥିବ ଗୁରୁହିତେ ॥ ୪
ସୁହୃଦ-ସୁଦୃଢ଼-ଲକ୍ଷଣେ । ଆଜ୍ଞା ବହିବ ଦାସପଣେ ॥ ୫
ଗୁରୁ ଅନଳ ସୁରୋତ୍ତମ । ତ୍ରିସନ୍ଧ୍ୟା କରିବ ପ୍ରମାଣ ॥ ୬
ଉଭୟ ସନ୍ଧ୍ୟାରେ ମଉନ । ଜପିବ ବ୍ରହ୍ମ-ସନାତନ ॥ ୭
ବେଦ ପଢ଼ିବ ନିରନ୍ତରେ । ଗୁରୁବଚନ ଧରି ଶିରେ ॥ ୮
ନିକଟେ ଥିବ ଶୁଦ୍ଧଚିତ୍ତେ । ଚରଣେ ନମି ବେନିହସ୍ତେ ॥ ୯
ମେଖଳା ଚର୍ମ କଉପୀନ । ଦଣ୍ଡ କମଣ୍ଡଳୁ ଧାରଣ ॥ ୧୦
ଯଜ୍ଞୋପବୀତ ଦର୍ଭପାଣି । ଯେବା କଳ୍ପିତ ଅନ୍ନ ଆଣି ॥ ୧୧
ବିପ୍ରଭୁବନୁ ମାଗି ଭିକ୍ଷା । ଦୃଢ଼େ ରଖିବ ଗୁରୁଦୀକ୍ଷା ॥ ୧୨
ପଞ୍ଚଭୁବନୁ ଯା ପାଇବ । ଗୁରୁ-ସମୀପେ ସମର୍ପିବ ॥ ୧୩
ଯେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା । ଗୁରୁ-ବଚନେ କରି ଭିକ୍ଷା ॥ ୧୪
ଗୁରୁ-ଆଜ୍ଞାରେ ତା ଭୁଞ୍ଜିବ । ନୋହିଲେ ଉପବାସେ ଥିବ ॥ ୧୫
ସୁଶାନ୍ତ ମନେ ବଞ୍ଚି ଦିନ । କରିବ ଉଶ୍ୱାସ ଭୋଜନ ॥ ୧୬
ଗୁରୁଙ୍କ କାର୍ଯ୍ୟେ ଦକ୍ଷପଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ ॥ ୧୭
ଇନ୍ଦ୍ରିୟଗଣ କରି ବନ୍ଦୀ । ଚଞ୍ଚଳମନ ହୃଦେ ରୁନ୍ଧି ॥ ୧୮
ସ୍ତିରୀ ସ୍ତ୍ରୀବଶ ଲୋକମେଳେ । ସଙ୍ଗେ ନଥିବ ସର୍ବକାଳେ ॥ ୧୯
ନଶୁଣି ସ୍ତିରୀଙ୍କ ବଚନ । ନକରି ମୁଖାବଲୋକନ ॥ ୨୦
କେଶ-ପ୍ରସାଧନ ମର୍ଦ୍ଧନ । ସ୍ନାହାନ ବେଶ ଆଦିକର୍ମ ॥ ୨୧
ଗୁରୁକାମିନୀଙ୍କ ଗୋଚରେ । ଦୃଢ଼େ ବର୍ଜିବ ଅତି ଦୂରେ ॥ ୨୨
ଯୁବତୀଜନ ଅଗ୍ନିସ୍ତମ୍ଭ । ପୁରୁଷ-ଦେହ ଘୃତକୁମ୍ଭ ॥ ୨୩
ଏଣୁ ଯୁବତୀ ଦୂର କରି । ଧର୍ମ ସାଧିବ ବ୍ରହ୍ମଚାରୀ ॥ ୨୪
ଜୀବ ଈଶ୍ୱର ଭେଦଜ୍ଞାନ । ଯାବତ ନ ଛାଡ଼ଇ ମନ ॥ ୨୫
ତାବତ ଥାଏ ଦ୍ୱୈତ ଭ୍ରମ । ଏ ସ୍ତିରୀ ଏ ପୁରୁଷ ଜ୍ଞାନ ॥ ୨୬
ଏଣୁ ତା ଭୋଗେ ହୋଏ ମତି । ତେଣୁ ଛାଡିବ ସ୍ତ୍ରୀ ସଙ୍ଗତି ॥ ୨୭
ଏ ସର୍ବ ବ୍ରହ୍ମଚାରୀ-ବ୍ରତ । ପାଳିବ ଯଦି ଯେ ଗୃହସ୍ଥ ॥ ୨୮
ସ୍ତିରୀ-ଗମନ ଋତୁକାଳେ । ଉଚିତ ଗୃହସ୍ଥାଶ୍ରମରେ ॥ ୨୯
ଅଞ୍ଜନ-ତଇଳ-ମର୍ଦ୍ଧନ । ସ୍ତିରୀ ବା ସ୍ତ୍ରୀ ମୂର୍ତ୍ତି ଦର୍ଶନ ॥ ୩୦
ଭୂଷା-ଲେପନ ମାଲ୍ୟ ଗନ୍ଧ । ତେଜିବ ବ୍ରହ୍ମଚାରୀ ମଦ୍ୟ ॥ ୩୧
ଏମନ୍ତେ ବଞ୍ଚି ଗୁରୁପୁରେ । ବେଦ-ଅଭ୍ୟାସ ନିରନ୍ତରେ ॥ ୩୨
ଅଙ୍ଗ-ଉପାଙ୍ଗ ବେଦ ପଢ଼ି । ଗୁରୁ-ସମୀପେ କରଯୋଡ଼ି ॥ ୩୩
ଉଭା ହୋଇଣ ଗୁରୁଆଗେ । ଆଜ୍ଞା ମାଗିବ ଅନୁରାଗେ ॥ ୩୪
ଗୁରୁ-ବଚନ ଶିରେ ଧରି । ତେବେ ବଞ୍ଚିବ ଗୃହକରି ॥ ୩୫
ଅଥବା ବନସ୍ତେ ପଶିବ । ସନ୍ନ୍ୟାସମତେ ବା ବଞ୍ଚିବ ॥ ୩୬
ଗୁରୁ ଅନଳ ସର୍ବଦେହେ । ତୁଲ୍ୟେ ଦେଖିବ ବିଷ୍ଣୁମୟେ ॥ ୩୭
ଏହି ପ୍ରକାରେ ସାଧି ଧର୍ମ । ଯେବା ଆଶ୍ରମେ ଯେବା କର୍ମ ॥ ୩୮
ଯେବା ସାଧନ୍ତି ଅପ୍ରମାଦେ । ଅନ୍ତେ ପଶନ୍ତି କୃଷ୍ଣପାଦେ ॥ ୩୯
ଏବେ ହୋ ଶୁଣ ମହୀପତି । ଆଶ୍ରମ ବାନପ୍ରସ୍ଥ ଗତି ॥ ୪୦
ବନସ୍ତେ ଧର୍ମ ସାଧି ସୁଖେ । ଅନ୍ତେ ମିଳନ୍ତି ମୁନିଲୋକେ ॥ ୪୧
ଭକ୍ଷଣ ଫଳ-ମୂଳ-ଶାକ । ଅଗ୍ନିରେ ନ କରିବ ପାକ ॥ ୪୨
ନବୀନ ଫଳମୂଳ ଲାଭେ । ପୁରୁଣା ତେଜିବ ସ୍ୱଭାବେ ॥ ୪୩
ବନ-ସମ୍ଭବ ବସ୍ତୁ ଘେନି । କାଳେ ପୂଜିବ ଈଷ୍ଟ ଅଗ୍ନି ॥ ୪୪
ଅଗ୍ନି-ରକ୍ଷଣ ଅର୍ଥେ ଘର । ଅଥବା ପର୍ବତ-କନ୍ଦର ॥ ୪୫
କେଶ-ଲୋମାଦି ନଖ ଶ୍ମଶ୍ରୁ । ଜଟିଳ କଷାବସ୍ତ୍ର ପାଂଶୁ ॥ ୪୬
ଦଣ୍ଡ କମଣ୍ଡଳୁ ଅଜିନ । ବୃକ୍ଷ-ବକଳ ପରିଧାନ ॥ ୪୭
ତ୍ରିସନ୍ଧ୍ୟା କରିବ ସ୍ନାହାନ । ବାଲୁକା-ମଣ୍ଡଳେ ଶୟନ ॥ ୪୮
ଏମନ୍ତେ ଦ୍ୱାଦଶ-ବତ୍ସର । ବନେ ବଞ୍ଚିବ ବ୍ରତଧର ॥ ୪୯
ଅଷ୍ଟ-ବରଷ କିବା ଅର୍ଦ୍ଧେ । ଧର୍ମ ସାଧିବ ଅପ୍ରମାଦେ ॥ ୫୦
ବେନିବରଷ କିବା ଏକ । ବଞ୍ଚିବ ଏ ବିଧି ବିବେକ ॥ ୫୧
ଧର୍ମ-ସାଧନେ ଅସମର୍ଥ । ଯେବେ ହୋଇବ ବ୍ୟାଧିଗ୍ରସ୍ତ ॥ ୫୨
ଆଗମ ନିଗମ ପ୍ରମାଣେ । ସନ୍ନ୍ୟାସ କରିବ ତକ୍ଷଣେ ॥ ୫୩
ସଙ୍କଳ୍ପି ଅନଶନ-ବ୍ରତ । ହରିଚରଣେ ଦେଇ ଚିତ୍ତ ॥ ୫୪
ଯେ ସୃଷ୍ଟି ଶରୀର ଧାରଣେ । ନ୍ୟାସିବ ପରମ କାରଣେ ॥ ୫୫
ଗଗନେ ନ୍ୟାସି ଇନ୍ଦ୍ରିଗଣେ । ନିଃଶ୍ୱାସ ନ୍ୟାସି ସମୀରଣେ ॥ ୫୬
ତେଜେ ତେଜକୁ ନ୍ୟାସ କରି । ଧାତୁ ସମୂହ ଜଳେ ଭରି ॥ ୫୭
ଅନଳେ ବଚନ ବିନାଶି । କ୍ଷିତି କାରଣେ ଶେଷ ନ୍ୟାସି ॥ ୫୮
କରଯୁଗଳ ଇନ୍ଦ୍ରେନ୍ୟାସି । ସୁଦୃଢ଼େ ସ୍ଥାପିବ ସନ୍ନ୍ୟାସୀ ॥ ୫୯
ପାଦର ଗତି ନାରାୟଣେ । ଉପସ୍ଥ ପ୍ରଜାପତିଗଣେ ॥ ୬୦
ଗୁହ୍ୟ ବିସର୍ଗ ମୃତ୍ୟୁ ଅଙ୍ଗେ । ଦିଗେ ସମର୍ପି ଶ୍ରୁତିଯୁଗେ ॥ ୬୧
ସ୍ପରଶ ଗୁଣ ତ୍ୱଚେ ନ୍ୟାସି । ରୂପକୁ ଚକ୍ଷୁବଳେ ଗ୍ରାସି ॥ ୬୨
ରୂପେ ନିବେଶି ଦୃଷ୍ଟି ଗୁଣ । ଜିହ୍ୱାକୁ ରସେ ଗନ୍ଧେ ଘ୍ରାଣ ॥ ୬୩
ମନକୁ ଚନ୍ଦ୍ରରେ ସଂହରି । ବୋଧକୁ ବୁଦ୍ଧି ମଧ୍ୟେ ଭରି ॥ ୬୪
ଅଶେଷକର୍ମ ରୁଦ୍ର ଦେହେ । କ୍ରିୟାକୁ କର୍ତ୍ତବ୍ୟ ସମୂହେ ॥ ୬୫
ଚିତ୍ତକୁ ସତ୍ତ୍ୱଗୁଣେ ଭରି । ଗୁଣେ ବିକାରକୁ ସଂହରି ॥ ୬୬
କ୍ଷିତିକି ନ୍ୟାସକରି ଜଳେ । ଜଳକୁ ବିନାଶି ଅନଳେ ॥ ୬୭
ଅନଳ ବିନାଶି ଅନିଳେ । ପବନ ଗଗନମଣ୍ଡଳେ ॥ ୬୮
ଗଗନ ଅହଙ୍କାରେ ଭରି । ଅବ୍ୟକ୍ତେ ସମୂହ ସଂହାରି ॥ ୬୯
ମହତତତ୍ତ୍ୱେ ଅହଙ୍କାର । ମହତ ପ୍ରକୃତି ଗୋଚର ॥ ୭୦
ସେ ଗୁଣମୟ ସର୍ବବ୍ୟାପୀ । କ୍ଷର ଅକ୍ଷର ବେନିରୂପୀ ॥ ୭୧
ଚିନ୍ମାତ୍ର ଅକ୍ଷର ବିଶେଷ । ଜୀବ ପରମ ପରଂହଂସ ॥ ୭୨
ତହିଁ ପ୍ରବେଶ ଧ୍ୟାନମୟେ । କାଷ୍ଠ-ଦହନେ ଅଗ୍ନିପ୍ରାୟେ ॥ ୭୩
ଏମନ୍ତ ସୃଷ୍ଟିକି ସଂହରି । ବିଷ୍ଣୁମାୟାରୁ ଯାନ୍ତି ତରି ॥ ୭୪
ସୁଜନେ ବୋଲ ହରି ହରି । ଭବସାଗରୁ ହେବ ପାରି ॥ ୭୫
ଏମନ୍ତେ ତରେ ବାନପ୍ରସ୍ଥ । କହଇ ଦାସ ଜଗନ୍ନାଥ ॥ ୭୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ୱାଦେ ସଦାଚାର ନିର୍ଣ୍ଣୟୋ ନାମ ଦ୍ୱାଦଶୋଽଧ୍ୟାୟଃ ॥
* * *