ସପ୍ତମ ସ୍କନ୍ଧ

ଏକାଦଶ ଅଧ୍ୟାୟ

ନାରଦ ଯୁଧିଷ୍ଠିର ପାଶେ । କହନ୍ତି ଅଧ୍ୟା ଏକାଦଶେ ॥

ମନୁଷ୍ୟ-ବର୍ଣ୍ଣ ଧର୍ମ ଯେତେ । ଯେ ଚାରିବର୍ଣ୍ଣ ଏ ଜଗତେ ॥

ନ ଥାନ୍ତି ପାଷଣ୍ଡଙ୍କ ମତେ । ଗୋବିନ୍ଦ ଭଜି ଶୁଦ୍ଧଚିତ୍ତେ ॥

ମୋକ୍ଷ ସାଧନ ଆଦି କରି । ଯେ କର୍ମେ ସିଦ୍ଧି ନରହରି ॥

ଦଶଅଧ୍ୟାରେ ମହାମୁନି । କହିଲେ ଭକ୍ତିଜ୍ଞାନ ବେନି ॥

ପାଞ୍ଚଅଧ୍ୟାରେ ପୁଣି ଏବେ । କର୍ମଯୋଗକୁ ସେ କହିବେ ॥

ଶୁକ କହନ୍ତି ଭକ୍ତିମାର୍ଗେ । ଆନନ୍ଦେ ପରୀକ୍ଷିତ ଆଗେ ॥

ଶୁକ ଉବାଚ

ଶୁଣି ନାରଦ ମୁଖୁଁ କଥା । ସେ ଧର୍ମସୁତ ଶୁଦ୍ଧଚେତା ॥

ସେ ପ୍ରହଲ୍ଲାଦର ଚରିତ । ସୁସାଧୁ-ସଭାମଧ୍ୟେ ଗୀତ ॥

ଉତ୍ତମ ମଧ୍ୟେ ଯେ ଅଗ୍ରଣୀ । ଯାହାର ଆତ୍ମା ଚକ୍ରପାଣି ॥ ୧୦

ତାର ଚରିତ ଧର୍ମସୁତ । ଶୁଣି ଆନନ୍ଦେ ହରଷିତ ॥ ୧୧

ବ୍ରହ୍ମାନନ୍ଦନ ପରିମୁଖେ । ପୁଣି ପୁଚ୍ଛିଲେ ଆତ୍ମସୁଖେ ॥ ୧୨

ଯୁଧିଷ୍ଠିର ଉବାଚ

ମନୁଷ୍ୟ ଜନ୍ମର ସ୍ୱଧର୍ମ । ଯେ ବର୍ଣ୍ଣେ ସାଧି ଯେବା କର୍ମ ॥ ୧୩

ଈଶ୍ୱରବାକ୍ୟେ ଧର୍ମ ସାଧି । ଯେବା ଆଶ୍ରମେ ଯେବା ବିଧି ॥ ୧୪

ଧର୍ମ ସମ୍ପାଦି କର୍ମମଧ୍ୟେ । ଅନ୍ତେ ପଶନ୍ତି କୃଷ୍ଣପାଦେ ॥ ୧୫

ଏହା ଶୁଣିବି ଇଚ୍ଛା ମୋର । ହେ ମୁନି ମୋତେ ଦୟାକର ॥ ୧୬

ତୁମ୍ଭେ ଯେ ପଦ୍ମଯୋନି ସୁତ । ଜାଣ ସକଳ ପରମାର୍ଥ ॥ ୧୭

ସମାଧି ତପ ଜ୍ଞାନ ତୋର । ସନ୍ତୋଷ ତୋତେ ବେଦବର ॥ ୧୮

ଯେ ବିପ୍ର ନାରାୟଣ ପର । କି ଅବା ତାର ଅଗୋଚର ॥ ୧୯

କରୁଣାବନ୍ତ ଶାନ୍ତ ଦେହେ । ଯେବା ଅଛନ୍ତି ତୁମ୍ଭ ପ୍ରାୟେ ॥ ୨୦

ସେ ଗୁପ୍ତ ଧର୍ମକୁ ଜାଣନ୍ତି । ଯେ ଧର୍ମ ଅନ୍ୟେ ନ ଜାଣନ୍ତି ॥ ୨୧

କେବଳ ଦୟାସିନ୍ଧୁ ଧୀର । ଅଶେଷ ଜ୍ଞାନର ଈଶ୍ୱର ॥ ୨୨

ଏମନ୍ତେ ରାଜା ଭାବ ଘେନି । ହସି କହନ୍ତି ବ୍ରହ୍ମମୁନି ॥ ୨୩

ନାରଦ ଉବାଚ

ନମଇଁ ପ୍ରଭୁ ନରହରି । ଅଜନ୍ମା ଜନ୍ମ-ରୂପ ଧରି ॥ ୨୪

ଅଶେଷ ପ୍ରାଣୀ ଧର୍ମସେତୁ । ପ୍ରକାଶ କଲେ ପାର ହେତୁ ॥ ୨୫

ସେ ସନାତନ-ଧର୍ମ-ବାଣୀ । ମୁଁ ନାରାୟଣ ମୁଖୁଁ ଶୁଣି ॥ ୨୬

ସକଳ ଲୋକ ଧର୍ମ ଅର୍ଥେ । କହିବି ନରନାଥ ତୋତେ ॥ ୨୭

ସେ ଅବତାର ଆତ୍ମାଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ ॥ ୨୮

ଦକ୍ଷକନ୍ୟାର ଗର୍ଭେ ହରି । ଜନ୍ମିଲେ ଋଷି ରୂପ ଧରି ॥ ୨୯

ସଂସାର ଲୋକ ସିଦ୍ଧି କାମେ । ସେ ବସି ବଦରିକାଶ୍ରମେ ॥ ୩୦

ତପ ସାଧନ୍ତି ଦୃଢ଼କରି । ନୃ-ନାରାୟଣ ରୂପ ଧରି ॥ ୩୧

ଯେ ହରି ସର୍ବଦେହେ ଆତ୍ମା । ଧର୍ମର ମୂଳ ଶୁଦ୍ଧକର୍ମା ॥ ୩୨

ତାର ବଚନ ଶ୍ରୁତିପଥେ । ଯେ ପ୍ରାଣୀ ଶୁଣେ ଅବିରତେ ॥ ୩୩

ଭକ୍ତି ସମ୍ପାଦି ତା ଚରଣ । ଆନନ୍ଦେ ପଶନ୍ତି ଶରଣ ॥ ୩୪

ସତ୍ୟ ଶଉଚ ଦୟା ତପ । ତିତିକ୍ଷା ଶମ ଦମ କଳ୍ପ ॥ ୩୫

ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ । ସାଧୁ ଶରୀର ରିପୁଭୋଗ ॥ ୩୬

ସନ୍ତୋଷ ସମଦୃଷ୍ଟି ସେବା । ଯେଣେ ସନ୍ତୋଷ ଋଷିଦେବା ॥ ୩୭

କର୍ମେ ନିବୃତ୍ତି ଗ୍ରାମ୍ୟଧର୍ମ । ମଉନ ଆତ୍ମବିଚାରଣ ॥ ୩୮

ହୃଦେ ନିରୋଧ ଦୁଷ୍ଟମନ । ଏ ପ୍ରାଣୀ ସାଧାରଣ-ଧର୍ମ ॥ ୩୯

ତତ୍ତ୍ୱ-ଧାରଣା ତତ୍ତ୍ୱଜ୍ଞାନ । ଯା ଦେଖି ରହିବ ଚେତନ ॥ ୪୦

ବିଷୟ କର୍ମ ଜାଣି ବ୍ୟର୍ଥ । କେବେ ନ ଦେବ ତହିଁ ଚିତ୍ତ ॥ ୪୧

ନ କରି ଅନ୍ୟ ଭୋଗାଭୋଗ । ଭୂତ ଅତିଥି ପୂଜ ଆଗ ॥ ୪୨

ଆତ୍ମା ଦେବତାବୁଦ୍ଧି କରି । ଏ ଭାବେ ଗୃହେ ଥିଲେ ତରି ॥ ୪୩

ଶ୍ରୀକୃଷ୍ଣ ନାମ ଅନୁକ୍ଷଣ । ସ୍ମରଣ ଶ୍ରବଣ କୀର୍ତ୍ତନ ॥ ୪୪

ସେବା ପୂଜନ ଦାସପଣ । ସୁସଖ୍ୟ ଆତ୍ମନିବେଦନ ॥ ୪୫

ପରମଧର୍ମ ଏ ପ୍ରସିଦ୍ଧି । ମନୁଷ୍ୟ-ଜନ୍ମର ଏ ବିଧି ॥ ୪୬

କୁଳ ଲକ୍ଷଣ ଧର୍ମ ଏହି । ଯେଣେ ସନ୍ତୋଷ ଭାବଗ୍ରାହୀ ॥ ୪୭

ଅଖିଳ-ସଂସ୍କାର-କାରଣେ । ବେଦ ଅଭ୍ୟାସିବେ ବ୍ରାହ୍ମଣେ ॥ ୪୮

ବ୍ରାହ୍ଣଣ ଆଦି ତିନିବର୍ଣ୍ଣ । ଯଜନ ଦାନ ଅଧ୍ୟୟନ ॥ ୪୯

ଜନ୍ମାଦି -କ୍ରିୟାକର୍ମ ଯେତେ । ଚତୁର-ଆଶ୍ରମ ସହିତେ ॥ ୫୦

ପଠନଆଦି ଷଟକର୍ମ । ବ୍ରାହ୍ମଣ-ଜନର ଏ ଧର୍ମ ॥ ୫୧

ରାଜାର ଧର୍ମ ପ୍ରଜା ରକ୍ଷା । ଆଦାନ ବିନେ ପଞ୍ଚଦୀକ୍ଷା ॥ ୫୨

ବାଣିଜ୍ୟ କୃଷି ଗୋରକ୍ଷଣ । ବୈଶ୍ୟଜନର ଏ ଲକ୍ଷଣ ॥ ୫୩

ଶୂଦ୍ରଜନର ଦ୍ୱିଜସେବା । ଯେଣେ ସନ୍ତୋଷ ସର୍ବଦେବା ॥ ୫୪

ଯେ ଧର୍ମ ଶ୍ରୁତି-ସ୍ତୁତି-ଭେଦେ । ତାହା ସାଧିବ ନିରାପଦେ ॥ ୫୫

ଆପଦେ ଅନ୍ୟ ବର୍ଣ୍ଣକର୍ମେ । ସାଧି ବଞ୍ଚିବ ତିନିବର୍ଣ୍ଣେ ॥ ୫୬

ବିପ୍ର-ଜୀବନ-ବୃତ୍ତି ଅର୍ଥେ । କୃଷି ଅଥବା ଅଯାଚିତେ ॥ ୫୭

ଧାନ୍ୟ-ଯାଚଜ୍ଞା ପ୍ରତିଦିନ । ଯେ ଅବା ବୃତ୍ତି ଶିଳେଳାଞ୍ଛନ ॥ ୫୮

ବାଣିଜ୍ୟ କରି ବା ବଞ୍ଚିବ । ନୀଚକୁ ସେବା ନ କରିବ ॥ ୫୯

ବିପ୍ର କ୍ଷତ୍ରିୟ ବେନିବର୍ଣ୍ଣ । ବର୍ଜିବ ନିନ୍ଦାବୃତ୍ତି ମାନ ॥ ୬୦

ଏତେ ଲକ୍ଷଣ ତୋତେ କହି । ରାଜନ ଶୁଣ ମନଦେଇ ॥ ୬୧

ତପ ଶଉଚ ଶମ ଦମ । ସନ୍ତୋଷ ଋଜୁ କ୍ଷମା ଜ୍ଞାନ ॥ ୬୨

ସଦା ଅଚ୍ୟୁତ ଆତ୍ମା ସତ୍ୟ । ବିପ୍ରଲକ୍ଷଣ ଏ ବିହିତ ॥ ୬୩

ତେଜ ଶଉର୍ଯ୍ୟ ବୀର୍ଯ୍ୟ ଧୃତି । ତ୍ୟାଗ ସଂଯମ ସତ୍ୟ ଶାନ୍ତି ॥ ୬୪

ନିତ୍ୟେ ପ୍ରସନ୍ନ ବିପ୍ରରକ୍ଷା । କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା ॥ ୬୫

ଗୁରୁ ଅଚ୍ୟୁତ ଦେବେ ଭକ୍ତି । ତ୍ରିବର୍ଗ ସାଧନ ଯେ ନିତି ॥ ୬୬

ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟ । ବୈଶ୍ୟଜନର ଏ ଲକ୍ଷଣ ॥ ୬୭

ଅକପଟରେ ସ୍ୱାମୀ ସେବା । କେବେ ହେଁ ଚୋରି ନ କରିବା ॥ ୬୮

ସତ୍ୟ ଯେ ଗୋ-ବିପ୍ର ରକ୍ଷଣ । ମନ୍ତ୍ରବିହୀନେ ଯଜ୍ଞକର୍ମ ॥ ୬୯

ସାଧୁ ବିନତି ଶୌଚକର୍ମ । ଶୂଦ୍ରଜନର ଏ ସ୍ୱକର୍ମ ॥ ୭୦

ଏବେ ହୋ ଯୁଧିଷ୍ଠିର ଶୁଣ । ସ୍ତିରୀଜନର ଯେ ଲକ୍ଷଣ ॥ ୭୧

ସ୍ୱାମୀର ଚରଣ-କମଳେ । ସେବିବ ମନର ନିଶ୍ଚଳେ ॥ ୭୨

ସ୍ୱାମୀର ବନ୍ଧୁ ଥିବେ ଯେତେ । ତାଙ୍କ ତୋଷଣେ ଥିବ ନିତ୍ୟେ ॥ ୭୩

ପତିବ୍ରତାଙ୍କ ଏ ଲକ୍ଷଣ । ନିଗମ-ବଚନ ପ୍ରମାଣ ॥ ୭୪

ଗୃହମାର୍ଜନ ଉପଲେପ । ମଣ୍ଡନ ସାୟଂକାଳେ ଦୀପ ॥ ୭୫

ଶୌଚ ମାର୍ଜନ ତନୁ କେଶ । ହରିଦ୍ରା ସୁଗନ୍ଧ ଉତ୍କର୍ଷ ॥ ୭୬

ଶୁଦ୍ଧ ସୁନିତ୍ୟକର୍ମ ସ୍ନାନ । ପବିତ୍ର ସାତ୍ତ୍ୱିକ ଭୋଜନ ॥ ୭୭

ଆତ୍ମ-ମଣ୍ଡନ ନିରନ୍ତରେ । ଭୂଷଣ କଜ୍ଜ୍ୱଳ ସିନ୍ଦୂରେ ॥ ୭୮

ବିନୟେ ଦମେ ସାଧ୍ୱୀ ନାରୀ । ଯେ ଉଚ୍ଚନୀଚ କର୍ମ କରି ॥ ୭୯

ସର୍ବଦା ସ୍ନେହ ସତ୍ୟଶୀଳେ । ଭଜିବ ପତି କାଳେ-କାଳେ ॥ ୮୦

ସତ୍ୟବଚନେ ପ୍ରେମେ ସଦା । ପତିଙ୍କି ଭଜିବ ସର୍ବଦା ॥ ୮୧

ସନ୍ତୋଷ ଅଲୋଭ ସୁଦକ୍ଷ । ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ ॥ ୮୨

ଶୁଚି ସୁସିଗ୍ଧେ ସେ ଆନନ୍ଦେ । ନିରତେ ସେବେ ସ୍ୱାମୀପାଦେ ॥ ୮୩

ସେବା କରିବ ଜନ୍ତୁଜନେ । ପରପୁରୁଷ ପିତୃଜ୍ଞାନେ ॥ ୮୪

ଯେ ନାରୀ ହରି ଭାବେ ନିତି । ସେବା କରନ୍ତି ନିଜ ପତି ॥ ୮୫

ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇ । ପତିର ହସ୍ତେ ହସ୍ତ ଦେଇ ॥ ୮୬

ପତି ସଙ୍ଗତେ ବିଷ୍ଣୁଲୋକେ । ବସଇ ଆନନ୍ଦେ ଅଶୋକେ ॥ ୮୭

ଅନ୍ୟଜାତିର ଯେବା ଧର୍ମ । ନିୟତ କୁଳର ସେ କର୍ମ ॥ ୮୮

ଏମନ୍ତ ଧର୍ମ ଯୁଗେ ଯୁଗେ । ଜାଣି ସେବନ୍ତି ଅନୁରାଗେ ॥ ୮୯

ବେଦଦୃଷ୍ଟିରେ ବିପ୍ରଜନେ । ଧର୍ମ କହନ୍ତି ଅବଧାନେ ॥ ୯୦

ଯେ ଧର୍ମେ ଇହ ପରଲୋକେ । ପ୍ରାଣୀ ତରନ୍ତି ଆତ୍ମସୁଖେ ॥ ୯୧

ବୃତ୍ତି-ସ୍ୱଭାବେ କ୍ରିୟା ଘେନି । ଯେ ଧର୍ମ ଇହପରେ ମାନି ॥ ୯୨

ବର୍ତ୍ତନ୍ତି ସ୍ୱକର୍ମ-କରଣେ । ସେ ନରେ ପଶନ୍ତି ନିର୍ଗୁଣେ ॥ ୯୩

ନିରତେ ତପ-ବ୍ରତ କରି । ବିଷ୍ଣୁମାୟାରୁ ଯାନ୍ତି ତରି ॥ ୯୪

ନିଷ୍କାମମାର୍ଗେ ଯେବେ ଭଜେ । ଅଙ୍କୁର ଯେହ୍ନେ ଦଗ୍ଧବୀଜେ ॥ ୯୫

କେବେହେଁ ବୃକ୍ଷ ସେ ନୁହଇ । ଯତ୍ନ କଲେହେଁ ନାଶ ଯାଇ ॥ ୯୬

କି ଅବା କାମ ଜଡ଼ଚିତ୍ତେ । ଯେବେ ସେବଇ ଅବିରତେ ॥ ୯୭

ତେବେ ବିରକ୍ତ ଚିତ୍ତ ହୋଏ । ବହୁତ ଘୃତେ ଅଗ୍ନି ପ୍ରାୟେ ॥ ୯୮

ସେ ବର୍ଣ୍ଣେ ଯେମନ୍ତ ଲକ୍ଷଣ । ଦେବେ ବର୍ଣ୍ଣନ୍ତି ମୁନିଗଣ ॥ ୯୯

ତା ଅଧୋଊର୍ଦ୍ଧ୍ୱେ ଯେବେ ଦେଖି । ସେ ବର୍ଣ୍ଣଧର୍ମେ ତାକୁ ଲେଖି ॥ ୧୦୦

ଏମନ୍ତ ଧର୍ମ ଅନୁବାଦେ । ମୁନି କହନ୍ତି ସଭାମଧ୍ୟେ ॥ ୧୦୧

ଶୁଣି ସାନନ୍ଦ ଧର୍ମସୁତ । କହଇ ଦାସ ଜଗନ୍ନାଥ ॥ ୧୦୨

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ସଦାଚାର ନିର୍ଣ୍ଣୟୋ ନାମ ଏକାଦଶୋଽଧ୍ୟାୟଃ ॥

* * *