ସପ୍ତମ ସ୍କନ୍ଧ

ଦଶମ ଅଧ୍ୟାୟ

ନାରଦ ଉବାଚ

ବିଷ୍ଣୁର ବରଲୋଭ ଶୁଣି । ମନେ ବିଚାରେ ଭକ୍ତମଣି ॥

ଭକ୍ତିଯୋଗକୁ ବିଘ୍ନ ପ୍ରାୟେ । ମଣି ପ୍ରହ୍ଲାଦ କଲା ଭୟେ ॥

ହସି ନୃସିଂହ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥

ପ୍ରହ୍ଲାଦ ଉବାଚ

ଭୋ ନାଥ ଶୁଣ ଚକ୍ରଧର । ବର-ପ୍ରସଙ୍ଗେ ମୋର ଡର ॥

କାମେ ଆସକ୍ତ ପ୍ରାୟେ ମଣି । ବର ଯାଚିଲୁ ଚକ୍ରପାଣି ॥

ସ୍ୱଭାବେ କାମେ ମୁଁ ଆସକ୍ତ । ବର-ଲୋଭରେ ମୋହୁ ଚିତ୍ତ ॥

ମୋହର ମନ ତୋର ପାଦେ । ତୁ ମୋତେ ନ କଳ୍ପ ପ୍ରମାଦେ ॥

ଭୃତ୍ୟ-ଲକ୍ଷଣ ଜାଣିବାରେ । ସ୍ୱାମୀ ସ୍ୱଭାବ ଏ ସଂସାରେ ॥

କାମେ ଭ୍ରମାଇ ଭୃତ୍ୟ ଚିତ୍ତ । ଜାଣଇଁ ଭକ୍ତ କି ଅଭକ୍ତ ॥

ସଂସାର-ବୀଜ ହୃଦଗ୍ରନ୍ଥି । ତେଣେ ଭ୍ରମାଉ ମୋର ମତି ॥ ୧୦

ସେ କଥା ଭଲେ ଜାଣେ ମୁହିଁ । ଏଣୁ ଅନ୍ୟଥା ନ ଘଟଇ ॥ ୧୧

ତୋତେ ଆରାଧି ପ୍ରାଣୀ ଯେବେ । ତୋର ଆଶିଷ ବିତ୍ତେ ଭାବେ ॥ ୧୨

ଭୃତ୍ୟ ଲକ୍ଷଣ ତା ନ ଜାଣି । ଯେ ଆତ୍ମାହିତ ନ ପ୍ରମାଣି ॥ ୧୩

ବଣିକ ସ୍ୱଭାବ ତାହାର । ସେ କାହିଁ ତରିବ ସଂସାର ॥ ୧୪

ଯେ ପ୍ରାଣୀ ଇଷ୍ଟ ଆଶା କରେ । ଭୃତ୍ୟ ନ ବୋଲିବ ତାହାରେ ॥ ୧୫

ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇ । ତା ସ୍ୱାମୀପଣ ରହେ ନାହିଁ ॥ ୧୬

ନିଷ୍କାମ ଭକ୍ତ ମୁହିଁ ତୋର । ତୁ ନାଥ ଭକତ ସୋଦର ॥ ୧୭

ରାଜାର ସେବକ ଯେସନେ । ବଞ୍ଚଇ ଆଜ୍ଞା ଅଲଂଘନେ ॥ ୧୮

ତଥାପି ତୋର ତୋଷ ଅର୍ଥେ । ତୋ ବାକ୍ୟ ପାଳିବା ଉଚିତେ ॥ ୧୯

ମାଗଇ ବର ତୋର ପାଦେ । ଯେମନ୍ତେ ନ ପଡ଼େ ପ୍ରମାଦେ ॥ ୨୦

ଏମନ୍ତ ବର ଦିଅ ମୋତେ । ତୋ ମାୟା ତରିବି ଯେମନ୍ତେ ॥ ୨୧

ଯେ କାମ ମୋର ହୃଦେ ରହି । ବୃକ୍ଷ-ରୋପଣ ପ୍ରାୟେ ହୋଇ ॥ ୨୨

ପତ୍ର-କୁସୁମ-ଫଳ ଯେତେ । ମୂଳ ସଙ୍କୁଳେ ଜଡ଼େ ଚିତ୍ତେ ॥ ୨୩

ସେ ବୃକ୍ଷ ହୃଦରେ ନ ରହୁ । ଭୋ ନାଥ ଏହି ବର ହେଉ ॥ ୨୪

ଇନ୍ଦ୍ରିୟ ମନ ପ୍ରାଣ ସ୍ତୁତି । ଆତ୍ମା ସ୍ୱଧର୍ମ ଧୃତି ମତି ॥ ୨୫

ଲାଜ ସମ୍ପଦ ତେଜ ଜ୍ଞାନ । ସତ୍ୟ ସନ୍ତୋଷ ବ୍ରତମାନ ॥ ୨୬

ଯେ କାମେ ଏସର୍ବ ନଶନ୍ତି । ସେ କାମୁଁ ରଖ ଦାଶରଥି ॥ ୨୭

କାମ-ସଙ୍କଳ୍ପ ଯେତେ ଥାଇ । ଯେ ଜନ୍ମେ ପ୍ରାଣୀ ତା ମୁଞ୍ଚଇ ॥ ୨୮

ସେ ଜନ୍ମେ ମିଳେ ତୋ ସମୀପେ । ତୋ ସମେ ଅଇଶ୍ୱର୍ଯ୍ୟ କଳ୍ପେ ॥ ୨୯

ନମୋ ପୁରୁଷ ମହାତ୍ମନ । ନୃସିଂହ ରୂପୀ ଭଗବାନ ॥ ୩୦

ତୁ ବ୍ରହ୍ମ ପରାମାତ୍ମା ତୁହି । ତୁ ହରି ତୋତେ ମୁଁ ନମଇଁ ॥ ୩୧

ଏମନ୍ତେ ପ୍ରହଲ୍ଲାଦ ବାଣୀ । ଶୁଣି କହନ୍ତି ଚକ୍ରପାଣି ॥ ୩୨

ନୃସିଂହ ଉବାଚ

କହନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ପ୍ରଧାନ ॥ ୩୩

ଏକାନ୍ତ-ଭକ୍ତ ଯେ ମୋହର । ଏ ନିଶ୍ଚେ ତାହାର ବେଭାର ॥ ୩୪

କେବେ ମୋ ଆଶିଷ ନ କଳ୍ପେ । ଯେ ଭୋଗ ଇହ ପରଲୋକେ ॥ ୩୫

ତୋର ସଦୃଶ ଭକ୍ତ ଯେତେ । ନିଷ୍କାମେ ଛନ୍ତି ଏ ଜଗତେ ॥ ୩୬

ତୁ ଏବେ ମୋର ବୋଲ କର । ଏ ଯେତେ କାଳ ମନ୍ୱନ୍ତର ॥ ୩୭

ଦୈତ୍ୟମାନଙ୍କ ମଧ୍ୟେ ରହି । ଅତୁଲ୍ୟ ଭୋଗ ଭୁଞ୍ଜ ତୁହି ॥ ୩୮

ତୁ ମୋତେ ସର୍ବଭୂତେ ଭଜ । ଯଜ୍ଞ-ଈଶ୍ୱର ରୂପେ ପୂଜ ॥ ୩୯

କର୍ମ ବିନାଶି ଯୋଗବଳେ । ସାଧ ଏ ଅବନୀ ମଣ୍ଡଳେ ॥ ୪୦

ଶରୀର ଛାଡ଼ି କାଳବଳେ । ପଶିବୁ ମୋ ପାଦ କମଳେ ॥ ୪୧

ତୁ ଯେତେ ସ୍ତୁତି କଲୁ ମୋତେ । ସଂସାର ତାରଣ ନିମନ୍ତେ ॥ ୪୨

ରଜନୀଅନ୍ତେ ପ୍ରାତଃକାଳେ । ଆନନ୍ଦେ ହୃଦୟ ନିଶ୍ଚଳେ ॥ ୪୩

ମୋତେ ସ୍ମରିବେ ତୋର ସଙ୍ଗେ । ପାପ ନ ରହୁ ତାଙ୍କ ଅଙ୍ଗେ ॥ ୪୪

ଅଶେଷ କର୍ମ-ବନ୍ଧ-ପାଶ । ତକ୍ଷଣେ ହୋଇବ ବିନାଶ ॥ ୪୫

ଏମନ୍ତେ ନରହରି ବାକ୍ୟେ । ଅସୁରପୁତ୍ର ମନ ଶୋକେ ॥ ୪୬

ପ୍ରହ୍ଲାଦ କରଯୋଡ଼ି ପୁଣ । କହେ ନୃସିଂହ ଅଗ୍ରତେଣ ॥ ୪୭

ପ୍ରହ୍ଲାଦ ଉବାଚ

ଶୁଣ ହେ ପ୍ରଭୁ ଭଗବାନ । ସକଳ ଭୂତେ ତୋର ସ୍ଥାନ ॥ ୪୮

ତୁ ବରଦାତାଙ୍କ ଈଶ୍ୱର । ପିତାର ଅର୍ଥେ ମାଗେ ବର ॥ ୪୯

ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି । ତୋର ମହିମା ସେ ନ ଜାଣି ॥ ୫୦

ତୋତେ ନିନ୍ଦିଲା କୋପମନେ । ବୋଲେ ଈଶ୍ୱର ମୁଁ ଭୁବନେ ॥ ୫୧

ଭ୍ରାତ-ମରଣେ କୋପ ବହି । ତୋହର ମହିମା ନିନ୍ଦଇ ॥ ୫୨

ତୋ ଭକ୍ତ ବୋଲିକରି ମୋତେ । କ୍ରୋଧେ ହିଂସଇ ଅବିରତେ ॥ ୫୩

ସେ ପାପୁଁ ପିତାଙ୍କୁ ଉଦ୍ଧର । ଭୋ ନାଥ ମାଗେ ଏହି ବର ॥ ୫୪

ଅମୃତପୂର୍ଣ୍ଣ ଦୃଷ୍ଟି ତୋର । ପଡ଼ଇ ଯାହାର ଉପର ॥ ୫୫

ପବିତ୍ର ଦୃଷ୍ଟି ଯାରେ ହୋଇ । ଅଙ୍ଗେ ଦୁରିତ ନ ରହଇ ॥ ୫୬

ଏମନ୍ତେ ଶୁଣି ତା ବଚନ । କହନ୍ତି ପ୍ରଭୁ ଭଗବାନ ॥ ୫୭

ଭଗବାନ ଉବାଚ

ପ୍ରହ୍ଲାଦ ଶୁଣ ମୋର ବାଣୀ । ତୋ ପିତା ମୋହର କାରେଣୀ ॥ ୫୮

କଶ୍ୟପ ମରୀଚି ବିଧାତା । ସହିତେ ଉଦ୍ଧରିଲୁ ପିତା ॥ ୫୯

ଅପର କଳ୍ପେ ପିତୃ ଯେତେ । ସର୍ବେ ପବିତ୍ର ତୋ ଚରିତେ ॥ ୬୦

ତାହାଙ୍କ କୁଳେ ତୋର ଜନ୍ମ । ତୁ କଲୁ ସକଳ ପାବନ ॥ ୬୧

ମୋର ଭକତ ଯହିଁ ଥାଇ । ସମଦରଶୀ ଶାନ୍ତ ହୋଇ ॥ ୬୨

ଜଗତେ ସାଧୁ ସେ ବୋଲାନ୍ତି । ପତିତେ ପବିତ୍ର କରନ୍ତି ॥ ୬୩

ପ୍ରାଣୀ-ହିଂସନ ତାଙ୍କ ନାହିଁ । ଯେ ଉଚ୍ଚ-ନୀଚେ ଦେହ ବହି ॥ ୬୪

ମୋହର ଭାବେ ନିତ୍ୟେ ଥାନ୍ତି । ନିଷ୍କାମ ଭାବେ ମୋତେ ଚିନ୍ତି ॥ ୬୫

ଯେ ପୁଣି ଥାନ୍ତି ତାଙ୍କ ପଛେ । ସେ ମୋର ଭକତ ପ୍ରତ୍ୟକ୍ଷେ ॥ ୬୬

ତୁ ମୋର ଭକ୍ତମଧ୍ୟେ ସାର । ମହିମା ବର୍ଣ୍ଣିଲୁ ମୋହର ॥ ୬୭

ଏଣୁ ତୁ ବଇଷ୍ଣବବର । ମୋର ବଚନ ଏବେ କର ॥ ୬୮

ମୋର ଭକତଜନ ଯେତେ । ଯତ୍ନ କରନ୍ତି ପିତୃ ଅର୍ଥେ ॥ ୬୯

ପୁତ୍ର-ସ୍ୱଧର୍ମ ଏ ବେଭାର । ପିତାଙ୍କୁ ପ୍ରେତୁଁ କର ପାର ॥ ୭୦

ମୋ ଅଙ୍ଗ-ସ୍ପର୍ଶରୁ ତୋ ତାତ । ସ୍ୱଭାବେ ହୋଇଛି ମୁକତ ॥ ୭୧

ବେଦବାଦୀଙ୍କ ବାକ୍ୟ ଅର୍ଥେ । ପିତୃତର୍ପଣ କର ତୀର୍ଥେ ॥ ୭୨

ମୋ’ ପାଦେ ମନ କର ସ୍ଥିର । ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର ॥ ୭୩

ନାରଦ ଉବାଚ

ନୃସିଂହ ଆଜ୍ଞା ଘେନି ଶିରେ । ପିତାର କର୍ମ ଗଙ୍ଗାତୀରେ ॥ ୭୪

ଆନନ୍ଦେ ହିରଣ୍ୟର ବଳା । ପିତୃ-ତର୍ପଣ-ପିଣ୍ଡ ଦେଲା ॥ ୭୫

ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ । ପ୍ରହଲ୍ଲାଦର ଅଭିଷେକେ ॥ ୭୬

କ୍ଷିତିମଣ୍ଡଳେ କଲେ ରାଜା । ନୃପେ କରନ୍ତି ପାଦପୂଜା ॥ ୭୭

ଅଦ୍ଭୁତ ଦେଖି ତାର କଥା । ଆନନ୍ଦମନେ ସେ ବିଧାତା ॥ ୭୮

ସର୍ବଦେବଙ୍କୁ ଘେନି ସେଙ୍ଗ । ମିଳିଲେ ନରସିଂହ ଆଗେ ॥ ୭୯

ଆନନ୍ଦେ କର ଦେଇ ଶିରେ । ପବିତ୍ରବାକ୍ୟେ ସ୍ତୁତି କରେ ॥ ୮୦

ବ୍ରହ୍ମା ଉବାଚ

ଭୋ ଦେବ ଦେବଙ୍କର ବର । ଅଖିଳ ଲୋକ ସୃଷ୍ଟି କର ॥ ୮୧

ଭୂତଭାବନ ସର୍ବସିଦ୍ଧି । ତୁ ନାଥ କରୁଣାବାରିଧି ॥ ୮୨

ଲୋକ-ସନ୍ତାପୀ ଏ ଅସୁର । ଭୋ ନାଥ କଲୁ ତୁ ସଂହାର ॥ ୮୩

ମୋହର ତହୁଁ ବର ପାଇ । ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ ॥ ୮୪

ତପର ତେଜବଳେ ଦୁଷ୍ଟ । ନିଗମମାର୍ଗ କଲା ନଷ୍ଟ ॥ ୮୫

ତୁ ନାଥ ତାହାକୁ ସଂହାରି । ରଖିଲୁ ବେଦମାର୍ଗ-ଶିରୀ ॥ ୮୬

ତାହାର ପୁତ୍ର ଭାଗ୍ୟବନ୍ତ । ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ ॥ ୮୭

ତାକୁ ରଖିଲୁ ପିତା ମାରି । ମରଣ-ସଙ୍କଟୁ ଉଦ୍ଧରି ॥ ୮୮

ଏ ନରସିଂହ ରୂପ ତୋର । ଧ୍ୟାନେ ଚିନ୍ତିବେ ଯେତେ ନର ॥ ୮୯

ସର୍ବ ସଙ୍କଟୁ ହେବେ ପାର । ସ୍ମରଣେ ଫିଟିବ ଦୁସ୍ତର ॥ ୯୦

ଏମନ୍ତେ ବ୍ରହ୍ମାର ସ୍ତବନ । ଶୁଣି କହନ୍ତି ଭଗବାନ ॥ ୯୧

ଭଗବାନ ଉବାଚ

ଶୁଣି ବିଧାତା ମୋ ଉତ୍ତର । ତପ ସନ୍ତୋଷେ ଯେବା ବର ॥ ୯୨

ତପ ସମାଧି ଯୋଗ ସାଧ୍ୟେ । ନ ଦେବୁ ଅସୁରଙ୍କ ମଧ୍ୟେ ॥ ୯୩

ଦୁଷ୍ଟପ୍ରାଣୀଙ୍କି ବରଦାନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୪

ନାରଦ ଉବାଚ

ବ୍ରହ୍ମାଙ୍କୁ ବୋଧି ଏ ବଚନ । ଅଦୃଶ୍ୟ ହେଲେ ଭଗବାନ ॥ ୯୫

ତକ୍ଷଣେ ଶୂନ୍ୟେ ବିଜେକରି । ଲାବଣ୍ୟ ରୂପେ ଦେବହରି ॥ ୯୬

ଜୟ ଶବଦ ତ୍ରିଭୁବନେ । ପ୍ରହ୍ଲାଦ ଦେଖି ତୋଷମନେ ॥ ୯୭

ଶିର-ନିବେଶି ବ୍ରହ୍ମାପାଦେ । ନମିଲା ପରମ ଆନନ୍ଦେ ॥ ୯୮

ସକଳ ପ୍ରଜାପତିଗଣେ । ବନ୍ଦିଲା ଦେବଙ୍କ ଚରଣେ ॥ ୯୯

ସନ୍ତୋଷ ହୋଇ ପଦ୍ମଯୋନି । ସଙ୍ଗେ ସପତଋଷି ଘେନି ॥ ୧୦୦

ପ୍ରହ୍ଲାଦେ ସ୍ଥାପି ରାଜପଦେ । ଦୈତ୍ୟ-ଦାନବଙ୍କର ମଧ୍ୟେ ॥ ୧୦୧

ଆଶିଷ ଦେଲେ ଦେବଗଣେ । ହସ୍ତ ପ୍ରସାରି ଜଣେ ଜଣେ ॥ ୧୦୨

ପୂଜିଲା ବ୍ରହ୍ମା ଆଦିମୂଳେ । ଇନ୍ଦ୍ରାଦି ଦଶଦିଗପାଳେ ॥ ୧୦୩

ଅସୁର ପୁତ୍ର ସୁପୂଜିତେ । ସର୍ବେ ପରମାନନ୍ଦ ଚିତ୍ତେ ॥ ୧୦୪

ସ୍ୱସ୍ଥାନେ ଗଲେ ଦେବଗଣ । ଏବେ ହୋ ଧର୍ମସୁତ ଶୁଣ ॥ ୧୦୫

ଜୟ-ବିଜୟ ବେନି ଭାଇ । ବିଷ୍ଣୁଭୁବନ-ଦ୍ୱାରେ ଥାଇ ॥ ୧୦୬

ବ୍ରହ୍ମାକୁମର ଶାପ ଫଳେ । ଜନ୍ମ ଲଭିଲେ ଦିତି-କୋଳେ ॥ ୧୦୭

ବଇରୀଭାବ ହୃଦେ ଭରି । ବିଷ୍ଣୁ-ଦ୍ରୋହରେ କାଳ ହରି ॥ ୧୦୮

ହରିର ହସ୍ତେ ପ୍ରାଣ ଦେଇ । ପୁଣି ଜନ୍ମିଲେ ବେନିଭାଇ ॥ ୧୦୯

ରାକ୍ଷସୀ ଗର୍ଭେ ଅବତାର । ରାବଣ-କୁମ୍ଭକର୍ଣ୍ଣ ବୀର ॥ ୧୧୦

ସୀତା-ହରଣେ ରାମବାଣେ । ପ୍ରାଣ ଛାଡ଼ିଲେ ଘୋରରଣେ ॥ ୧୧୧

ବଇରୀ ଭାବେ ଚିତ୍ତ ଦେଇ । ସଂଗ୍ରାମେ ମଲେ ବେନିଭାଇ ॥ ୧୧୨

ପୁଣି ଏ ଧରଣୀମଣ୍ଡଳେ । ଜନ୍ମ ଲଭିଲେ ରାଜକୁଳେ ॥ ୧୧୩

ଯେ ଦନ୍ତବକ୍ର ଶିଶୁପାଳ । ତେଜ ସ୍ୱଭାବେ ଅନର୍ଗଳ ॥ ୧୧୪

ବୈରାନୁବନ୍ଧେ ହରିଦେହେ । ସାଯୁଜ୍ୟ ଲଭିଲେ ସମୂହେ ॥ ୧୧୫

ଏମନ୍ତେ ଦୁଷ୍ଟ ରାଜାଗଣେ । ବିଷ୍ଣୁ ନିନ୍ଦିଲେ ରିପୁପଣେ ॥ ୧୧୬

ଅନ୍ତେ ପାଇଲେ ବିଷ୍ଣୁଗତି । ଯେସନେ କୀଟ ପେଶସ୍କୃତି ॥ ୧୧୭

ଯେ ପ୍ରାଣୀ ଯେମନ୍ତେ ଭଜଇ । ହୃଦେ ଭକତି ଭାବ ବହି ॥ ୧୧୮

ସେହି ପ୍ରକାରେ ଲଭେ ଗତି । ଯେହ୍ନେ ଗରିଷ୍ଠ ଚେଦିପତି ॥ ୧୧୯

ଏବେ ହୋ ଶୁଣ ନୃପବର । ହରି ମହିମା ଅଗୋଚର ॥ ୧୨୦

ଯେବେ ପୁଚ୍ଛିଲୁ ମୋତେ ଭାବେ । ସେ ହରି ଚରିତ ପ୍ରସ୍ତାବେ ॥ ୧୨୧

ସେ ସର୍ବ ପ୍ରଶ୍ନ ତୋ ଅଗ୍ରତେ । କହିଲୁ ଯଥାଶକ୍ତିମତେ ॥ ୧୨୨

ଏ କୃଷ୍ଣକଥା ସୁଧାରସ । ଆଦି ଅସୁରଙ୍କ ବିନାଶ ॥ ୧୨୩

ପ୍ରହଲ୍ଲାଦର ଏ ଚରିତ । ସ୍ୱଭାବେ ମହାଭାଗ୍ୟବନ୍ତ ॥ ୧୨୪

ଜ୍ଞାନ-ବିରକ୍ତି-ଭକ୍ତିବଳେ । ରହିଲା କୃଷ୍ଣ-ପାଦତଳେ ॥ ୧୨୫

ବିଷ୍ଣୁର ସର୍ଗ-ସ୍ଥିତି-ଅନ୍ତ । ଯେ ଗୁଣ-କର୍ମାନୁବର୍ଣ୍ଣିତ ॥ ୧୨୬

ଦେବ-ଦାନବଙ୍କର ସ୍ଥାନ । କେବେହେଁ ନୁହଁଇନା ଆନ ॥ ୧୨୭

ହରି ଭଜନ ଅବିରତ । ଏ ବିଷ୍ଣୁ ଜନଙ୍କର ମତ ॥ ୧୨୮

ଅଶେଷ ବଇଷ୍ଣବ ଧର୍ମ । ଏ ଜ୍ଞାନ-ଅଧ୍ୟାତ୍ମ-ବର୍ଣ୍ଣନ ॥ ୧୨୯

କୃଷ୍ଣ ମହିମା ପୁଣ୍ୟବାଣୀ । ଯେ ନର ଶ୍ରୁତିମାର୍ଗେ ଶୁଣି ॥ ୧୩୦

ଲୋକେ କହନ୍ତି ଶ୍ରଦ୍ଧାରସେ । ସର୍ବ ଦୁରିତ ଏ ବିନାଶେ ॥ ୧୩୧

ଏ ଆଦିପୁରୁଷଙ୍କ କଳା । ଶ୍ରୀ ନରସିଂହ ରୂପ ଲୀଳା ॥ ୧୩୨

ଅସୁର-ବଧ-ଗତି-ବାଣୀ । ଯେ ମୁଖେ କହେ କର୍ଣ୍ଣେ ଶୁଣି ॥ ୧୩୩

ସନ୍ଥଜନଙ୍କ ପୁଣ୍ୟକଥା । ଅଶେଷ ମୁନିମଧ୍ୟେ ଗାଥା ॥ ୧୩୪

ପ୍ରସ୍ତାବେ ଶୁଣି ଜନମଧ୍ୟେ । ନିର୍ଭୟେ ଯାନ୍ତି କୃଷ୍ଣପାଦେ ॥ ୧୩୫

ତୁ ଯେ ପାଣ୍ଡବକୁଳେ ଜାତ । ତ୍ରୈଲୋକ୍ୟେ ମହଭାଗ୍ୟବନ୍ତ ॥ ୧୩୬

ଲୋକ-ନିସ୍ତାରେ ମୁନିଗଣେ । ତୋର ଭୁବନେ ଅନୁକ୍ଷଣେ ॥ ୧୩୭

ମିଳନ୍ତି ଘେନି ତୋର ଭାବ । ତୋ ଗୃହେ ବସେ ପଦ୍ମନାଭ ॥ ୧୩୮

ଯାର ମହିମା ଦେବଗଣେ । ଲୋଡ଼ି ନ ପାନ୍ତି ବେଦ-ବଣେ ॥ ୧୩୯

ଯେ ବ୍ରହ୍ମ-ନିର୍ବାଣ-ଦୁର୍ଲ୍ଲଭ । କୈବଲ୍ୟ ମୋକ୍ଷ ଅନୁଭବ ॥ ୧୪୦

ସେ ପ୍ରିୟ ସୁହୃଦ ତୋହର । ସୋଦର ମାତୁଳ କୁମର ॥ ୧୪୧

ସକଳଆତ୍ମା ସେ ପୂଜିତ । ଅଖିଳଗୁରୁ ଦଇବତ ॥ ୧୪୨

ତାହାର ମହିମା ବର୍ଣ୍ଣନେ । ଭବ ବିରଞ୍ଚି ଆଦି ଜନେ ॥ ୧୪୩

ବସ୍ତୁ ବୁଦ୍ଧିରେ ଭାବ ଚିନ୍ତି । କେବେ ହେଁ ବର୍ଣ୍ଣି ନ ପାରନ୍ତି ॥ ୧୪୪

ମଉନେ ଭକ୍ତିଯୋଗେ ଭଜି । କେବେହେଁ ନ ପାରନ୍ତି ଖୋଜି ॥ ୧୪୫

ସେ ବଇଷ୍ଣବ ଜନ ଗତି । ତା ପାଦେ ରହୁ ତୋର ମତି ॥ ୧୪୬

ସେ ହରି ତୋତେ ଦୟା କରୁ । ତୋ ଯଶ ଜଗତେ ବିସ୍ତାରୁ ॥ ୧୪୭

ପୂର୍ବେ ଯେ ଦେବାସୁର ଯୁଦ୍ଧେ । ରୁଦ୍ରଙ୍କୁ ରଖିଲେ ପ୍ରମାଦେ ॥ ୧୪୮

ସେ ତୋର କରୁ ସର୍ବଶୁଭ । ସର୍ବଦା ଲଭ ତାର ଭାବ ॥ ୧୪୯

ଏ ବାଣୀ ମୁନିମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥ ୧୫୦

ବୋଲେ ନାରଦ ମୁଖ ଚାର୍ହି । ଭୋ ମୁନି କର ମୋତେ ତ୍ରାହି ॥ ୧୫୧

ଯୁଧିଷ୍ଠିର ଉବାଚ

କହ କେବଣ କାଳେ ହରି । ଈଶ୍ୱର-ତ୍ରାସ ଦୂର କରି ॥ ୧୫୨

ଅସୁର ବଳ କଲେ ନାଶ । ଯେ ହରି ଜଗତ-ବିଶ୍ୱାସ ॥ ୧୫୩

ଏମନ୍ତ ଧର୍ମସୁତ ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି ॥ ୧୫୪

ନାରଦ ଉବାଚ

ପୂର୍ବେ ଯେ ଦେବାସୁରଗଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥ ୧୫୫

ଅସୁରେ ପଳାଇ ବିଷାଦେ । ମୟ ଦଇତ୍ୟ ବେନିପାଦେ ॥ ୧୫୬

କାତରେ ପଶିଲେ ଶରଣ । ଭଗ୍ନସଙ୍କଳ୍ପେ ବୀରଗଣ ॥ ୧୫୭

ମୟ ଦଇତ୍ୟ ତାହା ଚାହିଁ । ଅସୁରଗଣେ ଦୟାବହି ॥ ୧୫୮

ବିମାନ କଲା ତିନିପୁର । ଭିତରେ ଘୋର ଅନ୍ଧକାର ॥ ୧୫୯

କାଞ୍ଚନ ରୌପ୍ୟ ଲୌହମୟ । ଦେଖି ତ୍ରିଦଶେ କଲେ ଭୟ ॥ ୧୬୦

ଲକ୍ଷି ନ ପାରି ତାକୁ ଭଲେ । ତା ଗତି ଯିବା ଆସିବାରେ ॥ ୧୬୧

ବିତର୍କି ନୋହେ ପରିଚ୍ଛଦ । ପୂରିତ ଅଶେଷ ଆୟୁଧ ॥ ୧୬୨

ସେ ରଥେ ବସି ଦୈତ୍ୟଗଣେ । ଦେବଙ୍କୁ ଆବୋରିଲେ ରଣେ ॥ ୧୬୩

ତିନିଭୁବନ-ଲୋକଶିରୀ । ନାଶନ୍ତି ବଇର ସୁମରି ॥ ୧୬୪

ଆକୁଳେ ତ୍ରିଭୁବନ-ଲୋକେ । ଶିବ ଭଜିଲେ ଅତିରେକେ ॥ ୧୬୫

ଡାକନ୍ତି ରଖ ତ୍ରିଲୋଚନ । ତୋ ପାଦେ ପଶିଲୁ ଶରଣ ॥ ୧୬୬

ଭୁବନେ ରହି ନ ପାରିଲୁ । ଅସୁରଭୟେ ପଳାଇଲୁ ॥ ୧୬୭

ତ୍ରିପୁରେ ରହି ଅଲକ୍ଷିତେ । ପ୍ରଜା ନାଶିଲେ ଶସ୍ତ୍ରାଘାତେ ॥ ୧୬୮

ଶୁଣି ଈଶ୍ୱର ତୋଷମନ । ବୋଲନ୍ତି ମଧୁର-ବଚନ ॥ ୧୬୯

ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥ ୧୭୦

ଏମନ୍ତ କହି ତ୍ରିଲୋଚନ । ହସ୍ତେ ଘେନିଲେ ଶରାସନ ॥ ୧୭୧

ଶର-ସନ୍ଧାନେ ସେ ବିମାନେ । ଧରି ବିନ୍ଧିଲେ କୋପମନେ ॥ ୧୭୨

ରୁଦ୍ର ନାରଦ ତେଜୋମୟ । ପ୍ରକାଶେ ସୂର୍ଯ୍ୟରଶ୍ମି ପ୍ରାୟ ॥ ୧୭୩

ଅଦୃଶ୍ୟପୁର ଦୃଶ୍ୟ ହୋଏ । ଭେଦିଲା ଅସୁରଙ୍କ ଦେହେ ॥ ୧୭୪

ଶିର ହୃଦୟ କର ଛିଡ଼ି । ପଡ଼ିଲେ ମହୀତଳେ ମାଡ଼ି ॥ ୧୭୫

ଜୀବନ୍ତେ ଭାଜିଲେ ଥୋକାଏ । ଘୋର-ପ୍ରଚଣ୍ଡ ଶରଘାଏ ॥ ୧୭୬

ମୟ ଦଇତ୍ୟ ଦେଖି ତାହା । ଅସୁର ବଳେ କରି ଦୟା ॥ ୧୭୭

ମିଳିଲା ଅସୁର ସମୀପେ । ପ୍ରବେଶ କଲା ସୁଧାକୂପେ ॥ ୧୭୮

ଅମୃତ ରସ ଜଳ ସଙ୍ଗେ । ଲାଗିଲା ଅସୁରଙ୍କ ଅଙ୍ଗେ ॥ ୧୭୯

ବଜ୍ରର ପ୍ରାୟେ ଦେହ ଧରି । ଉଠିଲେ ଘୋରନାଦ କରି ॥ ୧୮୦

ପୁରେ ପ୍ରବେଶ ତତକ୍ଷଣ । ଦେଖି ଡରିଲେ ଦେବଗଣ ॥ ୧୮୧

ଯୁଝନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ ॥ ୧୮୨

ଭୟେ ପଳାଇ ଦେବଗଣ । ଡାକନ୍ତି ରଖ ନାରାୟଣ ॥ ୧୮୩

ଦେଖି ଶଙ୍କର ମନଦୁଃଖ । ଭଗ୍ନ ସଙ୍କଳ୍ପ ଅତିରେକ ॥ ୧୮୪

ବିମୁଖ ଦେଖିଣ ଶଙ୍କର । ଉପାୟ କଲେ ଚକ୍ରଧର ॥ ୧୮୫

ବ୍ରହ୍ମାଙ୍କୁ ବତ୍ସାରୂପ କରି । କୃଷ୍ଣ ସୁରଭୀ ରୂପ ଧରି ॥ ୧୮୬

ବଦନ ରସକୂପେ ଭରି । ନିମିଷେ ପାନ କଲେ ହରି ॥ ୧୮୭

ଯେତେ ଅସୁର ଜଗିଥିଲେ । ନିଷେଧି କେହି ନ ପାରିଲେ ॥ ୧୮୮

ଚାହିଁ ଅସୁରଙ୍କ ବଦନ । ବୋଲଇ ମୟ ଯାତୁଧାନ ॥ ୧୮୯

ଦେବ ଅସୁର କିବା ନର । କର୍ମକୁ ନୁହଁନ୍ତି ଈଶ୍ୱର ॥ ୧୯୦

ଯେ କର୍ମ ଅତି ବଳୀୟାର । ସେ ନ ଜାଣଇ ଆତ୍ମାପର ॥ ୧୯୧

ସେ ନିଶ୍ଚେ ହାନିଲାଭ କରେ । କେବା ନିବାରି ତାକୁ ପାରେ ॥ ୧୯୨

ତକ୍ଷଣେ ପ୍ରଭୁ ନରହରି । ରୁଦ୍ର-ଶରୀରେ ତେଜ ଭରି ॥ ୧୯୩

ସେ ବିଷ୍ଣୁଶକ୍ତି ବଳେ ବଳ । ତେଜେ ବିରାଜେ ଅନର୍ଗଳ ॥ ୧୯୪

ବିରକ୍ତି ଜ୍ଞାନ ଧର୍ମ ଋଦ୍ଧି । ଯେ ତପବିଦ୍ୟା କ୍ରିୟା ଆଦି ॥ ୧୯୫

ଏ ସପ୍ତଗୁଣ ସପ୍ତତେଜ । ରଥ ସାରଥି ମହାଧ୍ୱଜ ॥ ୧୯୬

ସାରଙ୍ଗ ଧନୁ ତ୍ରୋଣ ଶର । ରୁଦ୍ରଙ୍କୁ ଦେଲେ ଦାମୋଦର ॥ ୧୯୭

ଏ ଆଦି ନାନାଶସ୍ତ୍ର ଯେତେ । ରୁଦ୍ରଙ୍କୁ ଦେଲେ ଜଗନ୍ନାଥେ ॥ ୧୯୮

ବର୍ମେ ଆଚ୍ଛାଦି ଦେହ ହର । କରେ ଧଇଲେ ଧନୁଶର ॥ ୧୯୯

ମଧ୍ୟାହ୍ନ-ସମୟେ ଶଙ୍କର । ବିମାନେ ବିଜେ ରୋଷଭର ॥ ୨୦୦

ଅନଳଗର୍ଭ-ବାଣ ବିନ୍ଧି । ସର୍ବ ଅସୁର ବଳ ଛେଦି ॥ ୨୦୧

ତ୍ରିପୁର କଲେ ସେ ଦହନ । ହରଷ ଦେବଙ୍କର ମନ ॥ ୨୦୨

ବିମାନେ ଶତଶଙ୍ଖ ଶୂନ୍ୟେ । ଦୁନ୍ଦୁଭି-ବାଦ୍ୟ-ନାଦ ଘନେ ॥ ୨୦୩

ପିତୃ ଦେବତା ସିଦ୍ଧଗଣେ । ପୁଷ୍ପ ବରଷି ତତକ୍ଷଣେ ॥ ୨୦୪

କୁସୁମ-ବୃଷ୍ଟି ରୁଦ୍ର ଶିରେ । ଜୟ-ଶବଦ ନିରନ୍ତରେ ॥ ୨୦୫

ଆନନ୍ଦ ମନେ ଶୁଭଗାନେ । ନାଚନ୍ତି ଅପସରାଗଣେ ॥ ୨୦୬

ଏହି ପ୍ରକାରେ ତିନିପୁର । ଦହନ କଲେ ଦେବହର ॥ ୨୦୭

ବ୍ରହ୍ମାଦି ଦେବେ କଲେ ସ୍ତୁତି । ସ୍ୱଗୃହେ ଗଲେ ଉମାପତି ॥ ୨୦୮

ଏହି ପ୍ରକାରେ ନରହରି । ମାୟା-ମନୁଷ୍ୟ ରୂପ ଧରି ॥ ୨୦୯

ଯେ କର୍ମ କଲେ ଏ ଜଗତେ । ମୁନି ବର୍ଣ୍ଣନ୍ତି ତାହା ଗୀତେ ॥ ୨୧୦

ଲୋକ-ପାବନ ଯା ମହିମା । ଏଣୁ କେ କହୁ ଗୁଣସୀମା ॥ ୨୧୧

ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୧୨

ଭଣଇ ବିପ୍ର ଜଗନ୍ନାଥ । ଗୀତପ୍ରବନ୍ଧେ ଭାଗବତ ॥ ୨୧୩

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ତ୍ରିପୁରବିଜୟୋ ନାମ ଦଶମୋଽଧ୍ୟାୟଃ ॥

* * *