ସପ୍ତମ ସ୍କନ୍ଧ
ଦଶମ ଅଧ୍ୟାୟ
ନାରଦ ଉବାଚ
ବିଷ୍ଣୁର ବରଲୋଭ ଶୁଣି । ମନେ ବିଚାରେ ଭକ୍ତମଣି ॥ ୧
ଭକ୍ତିଯୋଗକୁ ବିଘ୍ନ ପ୍ରାୟେ । ମଣି ପ୍ରହ୍ଲାଦ କଲା ଭୟେ ॥ ୨
ହସି ନୃସିଂହ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୩
ପ୍ରହ୍ଲାଦ ଉବାଚ
ଭୋ ନାଥ ଶୁଣ ଚକ୍ରଧର । ବର-ପ୍ରସଙ୍ଗେ ମୋର ଡର ॥ ୪
କାମେ ଆସକ୍ତ ପ୍ରାୟେ ମଣି । ବର ଯାଚିଲୁ ଚକ୍ରପାଣି ॥ ୫
ସ୍ୱଭାବେ କାମେ ମୁଁ ଆସକ୍ତ । ବର-ଲୋଭରେ ମୋହୁ ଚିତ୍ତ ॥ ୬
ମୋହର ମନ ତୋର ପାଦେ । ତୁ ମୋତେ ନ କଳ୍ପ ପ୍ରମାଦେ ॥ ୭
ଭୃତ୍ୟ-ଲକ୍ଷଣ ଜାଣିବାରେ । ସ୍ୱାମୀ ସ୍ୱଭାବ ଏ ସଂସାରେ ॥ ୮
କାମେ ଭ୍ରମାଇ ଭୃତ୍ୟ ଚିତ୍ତ । ଜାଣଇଁ ଭକ୍ତ କି ଅଭକ୍ତ ॥ ୯
ସଂସାର-ବୀଜ ହୃଦଗ୍ରନ୍ଥି । ତେଣେ ଭ୍ରମାଉ ମୋର ମତି ॥ ୧୦
ସେ କଥା ଭଲେ ଜାଣେ ମୁହିଁ । ଏଣୁ ଅନ୍ୟଥା ନ ଘଟଇ ॥ ୧୧
ତୋତେ ଆରାଧି ପ୍ରାଣୀ ଯେବେ । ତୋର ଆଶିଷ ବିତ୍ତେ ଭାବେ ॥ ୧୨
ଭୃତ୍ୟ ଲକ୍ଷଣ ତା ନ ଜାଣି । ଯେ ଆତ୍ମାହିତ ନ ପ୍ରମାଣି ॥ ୧୩
ବଣିକ ସ୍ୱଭାବ ତାହାର । ସେ କାହିଁ ତରିବ ସଂସାର ॥ ୧୪
ଯେ ପ୍ରାଣୀ ଇଷ୍ଟ ଆଶା କରେ । ଭୃତ୍ୟ ନ ବୋଲିବ ତାହାରେ ॥ ୧୫
ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇ । ତା ସ୍ୱାମୀପଣ ରହେ ନାହିଁ ॥ ୧୬
ନିଷ୍କାମ ଭକ୍ତ ମୁହିଁ ତୋର । ତୁ ନାଥ ଭକତ ସୋଦର ॥ ୧୭
ରାଜାର ସେବକ ଯେସନେ । ବଞ୍ଚଇ ଆଜ୍ଞା ଅଲଂଘନେ ॥ ୧୮
ତଥାପି ତୋର ତୋଷ ଅର୍ଥେ । ତୋ ବାକ୍ୟ ପାଳିବା ଉଚିତେ ॥ ୧୯
ମାଗଇ ବର ତୋର ପାଦେ । ଯେମନ୍ତେ ନ ପଡ଼େ ପ୍ରମାଦେ ॥ ୨୦
ଏମନ୍ତ ବର ଦିଅ ମୋତେ । ତୋ ମାୟା ତରିବି ଯେମନ୍ତେ ॥ ୨୧
ଯେ କାମ ମୋର ହୃଦେ ରହି । ବୃକ୍ଷ-ରୋପଣ ପ୍ରାୟେ ହୋଇ ॥ ୨୨
ପତ୍ର-କୁସୁମ-ଫଳ ଯେତେ । ମୂଳ ସଙ୍କୁଳେ ଜଡ଼େ ଚିତ୍ତେ ॥ ୨୩
ସେ ବୃକ୍ଷ ହୃଦରେ ନ ରହୁ । ଭୋ ନାଥ ଏହି ବର ହେଉ ॥ ୨୪
ଇନ୍ଦ୍ରିୟ ମନ ପ୍ରାଣ ସ୍ତୁତି । ଆତ୍ମା ସ୍ୱଧର୍ମ ଧୃତି ମତି ॥ ୨୫
ଲାଜ ସମ୍ପଦ ତେଜ ଜ୍ଞାନ । ସତ୍ୟ ସନ୍ତୋଷ ବ୍ରତମାନ ॥ ୨୬
ଯେ କାମେ ଏସର୍ବ ନଶନ୍ତି । ସେ କାମୁଁ ରଖ ଦାଶରଥି ॥ ୨୭
କାମ-ସଙ୍କଳ୍ପ ଯେତେ ଥାଇ । ଯେ ଜନ୍ମେ ପ୍ରାଣୀ ତା ମୁଞ୍ଚଇ ॥ ୨୮
ସେ ଜନ୍ମେ ମିଳେ ତୋ ସମୀପେ । ତୋ ସମେ ଅଇଶ୍ୱର୍ଯ୍ୟ କଳ୍ପେ ॥ ୨୯
ନମୋ ପୁରୁଷ ମହାତ୍ମନ । ନୃସିଂହ ରୂପୀ ଭଗବାନ ॥ ୩୦
ତୁ ବ୍ରହ୍ମ ପରାମାତ୍ମା ତୁହି । ତୁ ହରି ତୋତେ ମୁଁ ନମଇଁ ॥ ୩୧
ଏମନ୍ତେ ପ୍ରହଲ୍ଲାଦ ବାଣୀ । ଶୁଣି କହନ୍ତି ଚକ୍ରପାଣି ॥ ୩୨
ନୃସିଂହ ଉବାଚ
କହନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ପ୍ରଧାନ ॥ ୩୩
ଏକାନ୍ତ-ଭକ୍ତ ଯେ ମୋହର । ଏ ନିଶ୍ଚେ ତାହାର ବେଭାର ॥ ୩୪
କେବେ ମୋ ଆଶିଷ ନ କଳ୍ପେ । ଯେ ଭୋଗ ଇହ ପରଲୋକେ ॥ ୩୫
ତୋର ସଦୃଶ ଭକ୍ତ ଯେତେ । ନିଷ୍କାମେ ଛନ୍ତି ଏ ଜଗତେ ॥ ୩୬
ତୁ ଏବେ ମୋର ବୋଲ କର । ଏ ଯେତେ କାଳ ମନ୍ୱନ୍ତର ॥ ୩୭
ଦୈତ୍ୟମାନଙ୍କ ମଧ୍ୟେ ରହି । ଅତୁଲ୍ୟ ଭୋଗ ଭୁଞ୍ଜ ତୁହି ॥ ୩୮
ତୁ ମୋତେ ସର୍ବଭୂତେ ଭଜ । ଯଜ୍ଞ-ଈଶ୍ୱର ରୂପେ ପୂଜ ॥ ୩୯
କର୍ମ ବିନାଶି ଯୋଗବଳେ । ସାଧ ଏ ଅବନୀ ମଣ୍ଡଳେ ॥ ୪୦
ଶରୀର ଛାଡ଼ି କାଳବଳେ । ପଶିବୁ ମୋ ପାଦ କମଳେ ॥ ୪୧
ତୁ ଯେତେ ସ୍ତୁତି କଲୁ ମୋତେ । ସଂସାର ତାରଣ ନିମନ୍ତେ ॥ ୪୨
ରଜନୀଅନ୍ତେ ପ୍ରାତଃକାଳେ । ଆନନ୍ଦେ ହୃଦୟ ନିଶ୍ଚଳେ ॥ ୪୩
ମୋତେ ସ୍ମରିବେ ତୋର ସଙ୍ଗେ । ପାପ ନ ରହୁ ତାଙ୍କ ଅଙ୍ଗେ ॥ ୪୪
ଅଶେଷ କର୍ମ-ବନ୍ଧ-ପାଶ । ତକ୍ଷଣେ ହୋଇବ ବିନାଶ ॥ ୪୫
ଏମନ୍ତେ ନରହରି ବାକ୍ୟେ । ଅସୁରପୁତ୍ର ମନ ଶୋକେ ॥ ୪୬
ପ୍ରହ୍ଲାଦ କରଯୋଡ଼ି ପୁଣ । କହେ ନୃସିଂହ ଅଗ୍ରତେଣ ॥ ୪୭
ପ୍ରହ୍ଲାଦ ଉବାଚ
ଶୁଣ ହେ ପ୍ରଭୁ ଭଗବାନ । ସକଳ ଭୂତେ ତୋର ସ୍ଥାନ ॥ ୪୮
ତୁ ବରଦାତାଙ୍କ ଈଶ୍ୱର । ପିତାର ଅର୍ଥେ ମାଗେ ବର ॥ ୪୯
ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି । ତୋର ମହିମା ସେ ନ ଜାଣି ॥ ୫୦
ତୋତେ ନିନ୍ଦିଲା କୋପମନେ । ବୋଲେ ଈଶ୍ୱର ମୁଁ ଭୁବନେ ॥ ୫୧
ଭ୍ରାତ-ମରଣେ କୋପ ବହି । ତୋହର ମହିମା ନିନ୍ଦଇ ॥ ୫୨
ତୋ ଭକ୍ତ ବୋଲିକରି ମୋତେ । କ୍ରୋଧେ ହିଂସଇ ଅବିରତେ ॥ ୫୩
ସେ ପାପୁଁ ପିତାଙ୍କୁ ଉଦ୍ଧର । ଭୋ ନାଥ ମାଗେ ଏହି ବର ॥ ୫୪
ଅମୃତପୂର୍ଣ୍ଣ ଦୃଷ୍ଟି ତୋର । ପଡ଼ଇ ଯାହାର ଉପର ॥ ୫୫
ପବିତ୍ର ଦୃଷ୍ଟି ଯାରେ ହୋଇ । ଅଙ୍ଗେ ଦୁରିତ ନ ରହଇ ॥ ୫୬
ଏମନ୍ତେ ଶୁଣି ତା ବଚନ । କହନ୍ତି ପ୍ରଭୁ ଭଗବାନ ॥ ୫୭
ଭଗବାନ ଉବାଚ
ପ୍ରହ୍ଲାଦ ଶୁଣ ମୋର ବାଣୀ । ତୋ ପିତା ମୋହର କାରେଣୀ ॥ ୫୮
କଶ୍ୟପ ମରୀଚି ବିଧାତା । ସହିତେ ଉଦ୍ଧରିଲୁ ପିତା ॥ ୫୯
ଅପର କଳ୍ପେ ପିତୃ ଯେତେ । ସର୍ବେ ପବିତ୍ର ତୋ ଚରିତେ ॥ ୬୦
ତାହାଙ୍କ କୁଳେ ତୋର ଜନ୍ମ । ତୁ କଲୁ ସକଳ ପାବନ ॥ ୬୧
ମୋର ଭକତ ଯହିଁ ଥାଇ । ସମଦରଶୀ ଶାନ୍ତ ହୋଇ ॥ ୬୨
ଜଗତେ ସାଧୁ ସେ ବୋଲାନ୍ତି । ପତିତେ ପବିତ୍ର କରନ୍ତି ॥ ୬୩
ପ୍ରାଣୀ-ହିଂସନ ତାଙ୍କ ନାହିଁ । ଯେ ଉଚ୍ଚ-ନୀଚେ ଦେହ ବହି ॥ ୬୪
ମୋହର ଭାବେ ନିତ୍ୟେ ଥାନ୍ତି । ନିଷ୍କାମ ଭାବେ ମୋତେ ଚିନ୍ତି ॥ ୬୫
ଯେ ପୁଣି ଥାନ୍ତି ତାଙ୍କ ପଛେ । ସେ ମୋର ଭକତ ପ୍ରତ୍ୟକ୍ଷେ ॥ ୬୬
ତୁ ମୋର ଭକ୍ତମଧ୍ୟେ ସାର । ମହିମା ବର୍ଣ୍ଣିଲୁ ମୋହର ॥ ୬୭
ଏଣୁ ତୁ ବଇଷ୍ଣବବର । ମୋର ବଚନ ଏବେ କର ॥ ୬୮
ମୋର ଭକତଜନ ଯେତେ । ଯତ୍ନ କରନ୍ତି ପିତୃ ଅର୍ଥେ ॥ ୬୯
ପୁତ୍ର-ସ୍ୱଧର୍ମ ଏ ବେଭାର । ପିତାଙ୍କୁ ପ୍ରେତୁଁ କର ପାର ॥ ୭୦
ମୋ ଅଙ୍ଗ-ସ୍ପର୍ଶରୁ ତୋ ତାତ । ସ୍ୱଭାବେ ହୋଇଛି ମୁକତ ॥ ୭୧
ବେଦବାଦୀଙ୍କ ବାକ୍ୟ ଅର୍ଥେ । ପିତୃତର୍ପଣ କର ତୀର୍ଥେ ॥ ୭୨
ମୋ’ ପାଦେ ମନ କର ସ୍ଥିର । ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର ॥ ୭୩
ନାରଦ ଉବାଚ
ନୃସିଂହ ଆଜ୍ଞା ଘେନି ଶିରେ । ପିତାର କର୍ମ ଗଙ୍ଗାତୀରେ ॥ ୭୪
ଆନନ୍ଦେ ହିରଣ୍ୟର ବଳା । ପିତୃ-ତର୍ପଣ-ପିଣ୍ଡ ଦେଲା ॥ ୭୫
ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ । ପ୍ରହଲ୍ଲାଦର ଅଭିଷେକେ ॥ ୭୬
କ୍ଷିତିମଣ୍ଡଳେ କଲେ ରାଜା । ନୃପେ କରନ୍ତି ପାଦପୂଜା ॥ ୭୭
ଅଦ୍ଭୁତ ଦେଖି ତାର କଥା । ଆନନ୍ଦମନେ ସେ ବିଧାତା ॥ ୭୮
ସର୍ବଦେବଙ୍କୁ ଘେନି ସେଙ୍ଗ । ମିଳିଲେ ନରସିଂହ ଆଗେ ॥ ୭୯
ଆନନ୍ଦେ କର ଦେଇ ଶିରେ । ପବିତ୍ରବାକ୍ୟେ ସ୍ତୁତି କରେ ॥ ୮୦
ବ୍ରହ୍ମା ଉବାଚ
ଭୋ ଦେବ ଦେବଙ୍କର ବର । ଅଖିଳ ଲୋକ ସୃଷ୍ଟି କର ॥ ୮୧
ଭୂତଭାବନ ସର୍ବସିଦ୍ଧି । ତୁ ନାଥ କରୁଣାବାରିଧି ॥ ୮୨
ଲୋକ-ସନ୍ତାପୀ ଏ ଅସୁର । ଭୋ ନାଥ କଲୁ ତୁ ସଂହାର ॥ ୮୩
ମୋହର ତହୁଁ ବର ପାଇ । ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ ॥ ୮୪
ତପର ତେଜବଳେ ଦୁଷ୍ଟ । ନିଗମମାର୍ଗ କଲା ନଷ୍ଟ ॥ ୮୫
ତୁ ନାଥ ତାହାକୁ ସଂହାରି । ରଖିଲୁ ବେଦମାର୍ଗ-ଶିରୀ ॥ ୮୬
ତାହାର ପୁତ୍ର ଭାଗ୍ୟବନ୍ତ । ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ ॥ ୮୭
ତାକୁ ରଖିଲୁ ପିତା ମାରି । ମରଣ-ସଙ୍କଟୁ ଉଦ୍ଧରି ॥ ୮୮
ଏ ନରସିଂହ ରୂପ ତୋର । ଧ୍ୟାନେ ଚିନ୍ତିବେ ଯେତେ ନର ॥ ୮୯
ସର୍ବ ସଙ୍କଟୁ ହେବେ ପାର । ସ୍ମରଣେ ଫିଟିବ ଦୁସ୍ତର ॥ ୯୦
ଏମନ୍ତେ ବ୍ରହ୍ମାର ସ୍ତବନ । ଶୁଣି କହନ୍ତି ଭଗବାନ ॥ ୯୧
ଭଗବାନ ଉବାଚ
ଶୁଣି ବିଧାତା ମୋ ଉତ୍ତର । ତପ ସନ୍ତୋଷେ ଯେବା ବର ॥ ୯୨
ତପ ସମାଧି ଯୋଗ ସାଧ୍ୟେ । ନ ଦେବୁ ଅସୁରଙ୍କ ମଧ୍ୟେ ॥ ୯୩
ଦୁଷ୍ଟପ୍ରାଣୀଙ୍କି ବରଦାନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୪
ନାରଦ ଉବାଚ
ବ୍ରହ୍ମାଙ୍କୁ ବୋଧି ଏ ବଚନ । ଅଦୃଶ୍ୟ ହେଲେ ଭଗବାନ ॥ ୯୫
ତକ୍ଷଣେ ଶୂନ୍ୟେ ବିଜେକରି । ଲାବଣ୍ୟ ରୂପେ ଦେବହରି ॥ ୯୬
ଜୟ ଶବଦ ତ୍ରିଭୁବନେ । ପ୍ରହ୍ଲାଦ ଦେଖି ତୋଷମନେ ॥ ୯୭
ଶିର-ନିବେଶି ବ୍ରହ୍ମାପାଦେ । ନମିଲା ପରମ ଆନନ୍ଦେ ॥ ୯୮
ସକଳ ପ୍ରଜାପତିଗଣେ । ବନ୍ଦିଲା ଦେବଙ୍କ ଚରଣେ ॥ ୯୯
ସନ୍ତୋଷ ହୋଇ ପଦ୍ମଯୋନି । ସଙ୍ଗେ ସପତଋଷି ଘେନି ॥ ୧୦୦
ପ୍ରହ୍ଲାଦେ ସ୍ଥାପି ରାଜପଦେ । ଦୈତ୍ୟ-ଦାନବଙ୍କର ମଧ୍ୟେ ॥ ୧୦୧
ଆଶିଷ ଦେଲେ ଦେବଗଣେ । ହସ୍ତ ପ୍ରସାରି ଜଣେ ଜଣେ ॥ ୧୦୨
ପୂଜିଲା ବ୍ରହ୍ମା ଆଦିମୂଳେ । ଇନ୍ଦ୍ରାଦି ଦଶଦିଗପାଳେ ॥ ୧୦୩
ଅସୁର ପୁତ୍ର ସୁପୂଜିତେ । ସର୍ବେ ପରମାନନ୍ଦ ଚିତ୍ତେ ॥ ୧୦୪
ସ୍ୱସ୍ଥାନେ ଗଲେ ଦେବଗଣ । ଏବେ ହୋ ଧର୍ମସୁତ ଶୁଣ ॥ ୧୦୫
ଜୟ-ବିଜୟ ବେନି ଭାଇ । ବିଷ୍ଣୁଭୁବନ-ଦ୍ୱାରେ ଥାଇ ॥ ୧୦୬
ବ୍ରହ୍ମାକୁମର ଶାପ ଫଳେ । ଜନ୍ମ ଲଭିଲେ ଦିତି-କୋଳେ ॥ ୧୦୭
ବଇରୀଭାବ ହୃଦେ ଭରି । ବିଷ୍ଣୁ-ଦ୍ରୋହରେ କାଳ ହରି ॥ ୧୦୮
ହରିର ହସ୍ତେ ପ୍ରାଣ ଦେଇ । ପୁଣି ଜନ୍ମିଲେ ବେନିଭାଇ ॥ ୧୦୯
ରାକ୍ଷସୀ ଗର୍ଭେ ଅବତାର । ରାବଣ-କୁମ୍ଭକର୍ଣ୍ଣ ବୀର ॥ ୧୧୦
ସୀତା-ହରଣେ ରାମବାଣେ । ପ୍ରାଣ ଛାଡ଼ିଲେ ଘୋରରଣେ ॥ ୧୧୧
ବଇରୀ ଭାବେ ଚିତ୍ତ ଦେଇ । ସଂଗ୍ରାମେ ମଲେ ବେନିଭାଇ ॥ ୧୧୨
ପୁଣି ଏ ଧରଣୀମଣ୍ଡଳେ । ଜନ୍ମ ଲଭିଲେ ରାଜକୁଳେ ॥ ୧୧୩
ଯେ ଦନ୍ତବକ୍ର ଶିଶୁପାଳ । ତେଜ ସ୍ୱଭାବେ ଅନର୍ଗଳ ॥ ୧୧୪
ବୈରାନୁବନ୍ଧେ ହରିଦେହେ । ସାଯୁଜ୍ୟ ଲଭିଲେ ସମୂହେ ॥ ୧୧୫
ଏମନ୍ତେ ଦୁଷ୍ଟ ରାଜାଗଣେ । ବିଷ୍ଣୁ ନିନ୍ଦିଲେ ରିପୁପଣେ ॥ ୧୧୬
ଅନ୍ତେ ପାଇଲେ ବିଷ୍ଣୁଗତି । ଯେସନେ କୀଟ ପେଶସ୍କୃତି ॥ ୧୧୭
ଯେ ପ୍ରାଣୀ ଯେମନ୍ତେ ଭଜଇ । ହୃଦେ ଭକତି ଭାବ ବହି ॥ ୧୧୮
ସେହି ପ୍ରକାରେ ଲଭେ ଗତି । ଯେହ୍ନେ ଗରିଷ୍ଠ ଚେଦିପତି ॥ ୧୧୯
ଏବେ ହୋ ଶୁଣ ନୃପବର । ହରି ମହିମା ଅଗୋଚର ॥ ୧୨୦
ଯେବେ ପୁଚ୍ଛିଲୁ ମୋତେ ଭାବେ । ସେ ହରି ଚରିତ ପ୍ରସ୍ତାବେ ॥ ୧୨୧
ସେ ସର୍ବ ପ୍ରଶ୍ନ ତୋ ଅଗ୍ରତେ । କହିଲୁ ଯଥାଶକ୍ତିମତେ ॥ ୧୨୨
ଏ କୃଷ୍ଣକଥା ସୁଧାରସ । ଆଦି ଅସୁରଙ୍କ ବିନାଶ ॥ ୧୨୩
ପ୍ରହଲ୍ଲାଦର ଏ ଚରିତ । ସ୍ୱଭାବେ ମହାଭାଗ୍ୟବନ୍ତ ॥ ୧୨୪
ଜ୍ଞାନ-ବିରକ୍ତି-ଭକ୍ତିବଳେ । ରହିଲା କୃଷ୍ଣ-ପାଦତଳେ ॥ ୧୨୫
ବିଷ୍ଣୁର ସର୍ଗ-ସ୍ଥିତି-ଅନ୍ତ । ଯେ ଗୁଣ-କର୍ମାନୁବର୍ଣ୍ଣିତ ॥ ୧୨୬
ଦେବ-ଦାନବଙ୍କର ସ୍ଥାନ । କେବେହେଁ ନୁହଁଇନା ଆନ ॥ ୧୨୭
ହରି ଭଜନ ଅବିରତ । ଏ ବିଷ୍ଣୁ ଜନଙ୍କର ମତ ॥ ୧୨୮
ଅଶେଷ ବଇଷ୍ଣବ ଧର୍ମ । ଏ ଜ୍ଞାନ-ଅଧ୍ୟାତ୍ମ-ବର୍ଣ୍ଣନ ॥ ୧୨୯
କୃଷ୍ଣ ମହିମା ପୁଣ୍ୟବାଣୀ । ଯେ ନର ଶ୍ରୁତିମାର୍ଗେ ଶୁଣି ॥ ୧୩୦
ଲୋକେ କହନ୍ତି ଶ୍ରଦ୍ଧାରସେ । ସର୍ବ ଦୁରିତ ଏ ବିନାଶେ ॥ ୧୩୧
ଏ ଆଦିପୁରୁଷଙ୍କ କଳା । ଶ୍ରୀ ନରସିଂହ ରୂପ ଲୀଳା ॥ ୧୩୨
ଅସୁର-ବଧ-ଗତି-ବାଣୀ । ଯେ ମୁଖେ କହେ କର୍ଣ୍ଣେ ଶୁଣି ॥ ୧୩୩
ସନ୍ଥଜନଙ୍କ ପୁଣ୍ୟକଥା । ଅଶେଷ ମୁନିମଧ୍ୟେ ଗାଥା ॥ ୧୩୪
ପ୍ରସ୍ତାବେ ଶୁଣି ଜନମଧ୍ୟେ । ନିର୍ଭୟେ ଯାନ୍ତି କୃଷ୍ଣପାଦେ ॥ ୧୩୫
ତୁ ଯେ ପାଣ୍ଡବକୁଳେ ଜାତ । ତ୍ରୈଲୋକ୍ୟେ ମହଭାଗ୍ୟବନ୍ତ ॥ ୧୩୬
ଲୋକ-ନିସ୍ତାରେ ମୁନିଗଣେ । ତୋର ଭୁବନେ ଅନୁକ୍ଷଣେ ॥ ୧୩୭
ମିଳନ୍ତି ଘେନି ତୋର ଭାବ । ତୋ ଗୃହେ ବସେ ପଦ୍ମନାଭ ॥ ୧୩୮
ଯାର ମହିମା ଦେବଗଣେ । ଲୋଡ଼ି ନ ପାନ୍ତି ବେଦ-ବଣେ ॥ ୧୩୯
ଯେ ବ୍ରହ୍ମ-ନିର୍ବାଣ-ଦୁର୍ଲ୍ଲଭ । କୈବଲ୍ୟ ମୋକ୍ଷ ଅନୁଭବ ॥ ୧୪୦
ସେ ପ୍ରିୟ ସୁହୃଦ ତୋହର । ସୋଦର ମାତୁଳ କୁମର ॥ ୧୪୧
ସକଳଆତ୍ମା ସେ ପୂଜିତ । ଅଖିଳଗୁରୁ ଦଇବତ ॥ ୧୪୨
ତାହାର ମହିମା ବର୍ଣ୍ଣନେ । ଭବ ବିରଞ୍ଚି ଆଦି ଜନେ ॥ ୧୪୩
ବସ୍ତୁ ବୁଦ୍ଧିରେ ଭାବ ଚିନ୍ତି । କେବେ ହେଁ ବର୍ଣ୍ଣି ନ ପାରନ୍ତି ॥ ୧୪୪
ମଉନେ ଭକ୍ତିଯୋଗେ ଭଜି । କେବେହେଁ ନ ପାରନ୍ତି ଖୋଜି ॥ ୧୪୫
ସେ ବଇଷ୍ଣବ ଜନ ଗତି । ତା ପାଦେ ରହୁ ତୋର ମତି ॥ ୧୪୬
ସେ ହରି ତୋତେ ଦୟା କରୁ । ତୋ ଯଶ ଜଗତେ ବିସ୍ତାରୁ ॥ ୧୪୭
ପୂର୍ବେ ଯେ ଦେବାସୁର ଯୁଦ୍ଧେ । ରୁଦ୍ରଙ୍କୁ ରଖିଲେ ପ୍ରମାଦେ ॥ ୧୪୮
ସେ ତୋର କରୁ ସର୍ବଶୁଭ । ସର୍ବଦା ଲଭ ତାର ଭାବ ॥ ୧୪୯
ଏ ବାଣୀ ମୁନିମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥ ୧୫୦
ବୋଲେ ନାରଦ ମୁଖ ଚାର୍ହି । ଭୋ ମୁନି କର ମୋତେ ତ୍ରାହି ॥ ୧୫୧
ଯୁଧିଷ୍ଠିର ଉବାଚ
କହ କେବଣ କାଳେ ହରି । ଈଶ୍ୱର-ତ୍ରାସ ଦୂର କରି ॥ ୧୫୨
ଅସୁର ବଳ କଲେ ନାଶ । ଯେ ହରି ଜଗତ-ବିଶ୍ୱାସ ॥ ୧୫୩
ଏମନ୍ତ ଧର୍ମସୁତ ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି ॥ ୧୫୪
ନାରଦ ଉବାଚ
ପୂର୍ବେ ଯେ ଦେବାସୁରଗଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥ ୧୫୫
ଅସୁରେ ପଳାଇ ବିଷାଦେ । ମୟ ଦଇତ୍ୟ ବେନିପାଦେ ॥ ୧୫୬
କାତରେ ପଶିଲେ ଶରଣ । ଭଗ୍ନସଙ୍କଳ୍ପେ ବୀରଗଣ ॥ ୧୫୭
ମୟ ଦଇତ୍ୟ ତାହା ଚାହିଁ । ଅସୁରଗଣେ ଦୟାବହି ॥ ୧୫୮
ବିମାନ କଲା ତିନିପୁର । ଭିତରେ ଘୋର ଅନ୍ଧକାର ॥ ୧୫୯
କାଞ୍ଚନ ରୌପ୍ୟ ଲୌହମୟ । ଦେଖି ତ୍ରିଦଶେ କଲେ ଭୟ ॥ ୧୬୦
ଲକ୍ଷି ନ ପାରି ତାକୁ ଭଲେ । ତା ଗତି ଯିବା ଆସିବାରେ ॥ ୧୬୧
ବିତର୍କି ନୋହେ ପରିଚ୍ଛଦ । ପୂରିତ ଅଶେଷ ଆୟୁଧ ॥ ୧୬୨
ସେ ରଥେ ବସି ଦୈତ୍ୟଗଣେ । ଦେବଙ୍କୁ ଆବୋରିଲେ ରଣେ ॥ ୧୬୩
ତିନିଭୁବନ-ଲୋକଶିରୀ । ନାଶନ୍ତି ବଇର ସୁମରି ॥ ୧୬୪
ଆକୁଳେ ତ୍ରିଭୁବନ-ଲୋକେ । ଶିବ ଭଜିଲେ ଅତିରେକେ ॥ ୧୬୫
ଡାକନ୍ତି ରଖ ତ୍ରିଲୋଚନ । ତୋ ପାଦେ ପଶିଲୁ ଶରଣ ॥ ୧୬୬
ଭୁବନେ ରହି ନ ପାରିଲୁ । ଅସୁରଭୟେ ପଳାଇଲୁ ॥ ୧୬୭
ତ୍ରିପୁରେ ରହି ଅଲକ୍ଷିତେ । ପ୍ରଜା ନାଶିଲେ ଶସ୍ତ୍ରାଘାତେ ॥ ୧୬୮
ଶୁଣି ଈଶ୍ୱର ତୋଷମନ । ବୋଲନ୍ତି ମଧୁର-ବଚନ ॥ ୧୬୯
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥ ୧୭୦
ଏମନ୍ତ କହି ତ୍ରିଲୋଚନ । ହସ୍ତେ ଘେନିଲେ ଶରାସନ ॥ ୧୭୧
ଶର-ସନ୍ଧାନେ ସେ ବିମାନେ । ଧରି ବିନ୍ଧିଲେ କୋପମନେ ॥ ୧୭୨
ରୁଦ୍ର ନାରଦ ତେଜୋମୟ । ପ୍ରକାଶେ ସୂର୍ଯ୍ୟରଶ୍ମି ପ୍ରାୟ ॥ ୧୭୩
ଅଦୃଶ୍ୟପୁର ଦୃଶ୍ୟ ହୋଏ । ଭେଦିଲା ଅସୁରଙ୍କ ଦେହେ ॥ ୧୭୪
ଶିର ହୃଦୟ କର ଛିଡ଼ି । ପଡ଼ିଲେ ମହୀତଳେ ମାଡ଼ି ॥ ୧୭୫
ଜୀବନ୍ତେ ଭାଜିଲେ ଥୋକାଏ । ଘୋର-ପ୍ରଚଣ୍ଡ ଶରଘାଏ ॥ ୧୭୬
ମୟ ଦଇତ୍ୟ ଦେଖି ତାହା । ଅସୁର ବଳେ କରି ଦୟା ॥ ୧୭୭
ମିଳିଲା ଅସୁର ସମୀପେ । ପ୍ରବେଶ କଲା ସୁଧାକୂପେ ॥ ୧୭୮
ଅମୃତ ରସ ଜଳ ସଙ୍ଗେ । ଲାଗିଲା ଅସୁରଙ୍କ ଅଙ୍ଗେ ॥ ୧୭୯
ବଜ୍ରର ପ୍ରାୟେ ଦେହ ଧରି । ଉଠିଲେ ଘୋରନାଦ କରି ॥ ୧୮୦
ପୁରେ ପ୍ରବେଶ ତତକ୍ଷଣ । ଦେଖି ଡରିଲେ ଦେବଗଣ ॥ ୧୮୧
ଯୁଝନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ ॥ ୧୮୨
ଭୟେ ପଳାଇ ଦେବଗଣ । ଡାକନ୍ତି ରଖ ନାରାୟଣ ॥ ୧୮୩
ଦେଖି ଶଙ୍କର ମନଦୁଃଖ । ଭଗ୍ନ ସଙ୍କଳ୍ପ ଅତିରେକ ॥ ୧୮୪
ବିମୁଖ ଦେଖିଣ ଶଙ୍କର । ଉପାୟ କଲେ ଚକ୍ରଧର ॥ ୧୮୫
ବ୍ରହ୍ମାଙ୍କୁ ବତ୍ସାରୂପ କରି । କୃଷ୍ଣ ସୁରଭୀ ରୂପ ଧରି ॥ ୧୮୬
ବଦନ ରସକୂପେ ଭରି । ନିମିଷେ ପାନ କଲେ ହରି ॥ ୧୮୭
ଯେତେ ଅସୁର ଜଗିଥିଲେ । ନିଷେଧି କେହି ନ ପାରିଲେ ॥ ୧୮୮
ଚାହିଁ ଅସୁରଙ୍କ ବଦନ । ବୋଲଇ ମୟ ଯାତୁଧାନ ॥ ୧୮୯
ଦେବ ଅସୁର କିବା ନର । କର୍ମକୁ ନୁହଁନ୍ତି ଈଶ୍ୱର ॥ ୧୯୦
ଯେ କର୍ମ ଅତି ବଳୀୟାର । ସେ ନ ଜାଣଇ ଆତ୍ମାପର ॥ ୧୯୧
ସେ ନିଶ୍ଚେ ହାନିଲାଭ କରେ । କେବା ନିବାରି ତାକୁ ପାରେ ॥ ୧୯୨
ତକ୍ଷଣେ ପ୍ରଭୁ ନରହରି । ରୁଦ୍ର-ଶରୀରେ ତେଜ ଭରି ॥ ୧୯୩
ସେ ବିଷ୍ଣୁଶକ୍ତି ବଳେ ବଳ । ତେଜେ ବିରାଜେ ଅନର୍ଗଳ ॥ ୧୯୪
ବିରକ୍ତି ଜ୍ଞାନ ଧର୍ମ ଋଦ୍ଧି । ଯେ ତପବିଦ୍ୟା କ୍ରିୟା ଆଦି ॥ ୧୯୫
ଏ ସପ୍ତଗୁଣ ସପ୍ତତେଜ । ରଥ ସାରଥି ମହାଧ୍ୱଜ ॥ ୧୯୬
ସାରଙ୍ଗ ଧନୁ ତ୍ରୋଣ ଶର । ରୁଦ୍ରଙ୍କୁ ଦେଲେ ଦାମୋଦର ॥ ୧୯୭
ଏ ଆଦି ନାନାଶସ୍ତ୍ର ଯେତେ । ରୁଦ୍ରଙ୍କୁ ଦେଲେ ଜଗନ୍ନାଥେ ॥ ୧୯୮
ବର୍ମେ ଆଚ୍ଛାଦି ଦେହ ହର । କରେ ଧଇଲେ ଧନୁଶର ॥ ୧୯୯
ମଧ୍ୟାହ୍ନ-ସମୟେ ଶଙ୍କର । ବିମାନେ ବିଜେ ରୋଷଭର ॥ ୨୦୦
ଅନଳଗର୍ଭ-ବାଣ ବିନ୍ଧି । ସର୍ବ ଅସୁର ବଳ ଛେଦି ॥ ୨୦୧
ତ୍ରିପୁର କଲେ ସେ ଦହନ । ହରଷ ଦେବଙ୍କର ମନ ॥ ୨୦୨
ବିମାନେ ଶତଶଙ୍ଖ ଶୂନ୍ୟେ । ଦୁନ୍ଦୁଭି-ବାଦ୍ୟ-ନାଦ ଘନେ ॥ ୨୦୩
ପିତୃ ଦେବତା ସିଦ୍ଧଗଣେ । ପୁଷ୍ପ ବରଷି ତତକ୍ଷଣେ ॥ ୨୦୪
କୁସୁମ-ବୃଷ୍ଟି ରୁଦ୍ର ଶିରେ । ଜୟ-ଶବଦ ନିରନ୍ତରେ ॥ ୨୦୫
ଆନନ୍ଦ ମନେ ଶୁଭଗାନେ । ନାଚନ୍ତି ଅପସରାଗଣେ ॥ ୨୦୬
ଏହି ପ୍ରକାରେ ତିନିପୁର । ଦହନ କଲେ ଦେବହର ॥ ୨୦୭
ବ୍ରହ୍ମାଦି ଦେବେ କଲେ ସ୍ତୁତି । ସ୍ୱଗୃହେ ଗଲେ ଉମାପତି ॥ ୨୦୮
ଏହି ପ୍ରକାରେ ନରହରି । ମାୟା-ମନୁଷ୍ୟ ରୂପ ଧରି ॥ ୨୦୯
ଯେ କର୍ମ କଲେ ଏ ଜଗତେ । ମୁନି ବର୍ଣ୍ଣନ୍ତି ତାହା ଗୀତେ ॥ ୨୧୦
ଲୋକ-ପାବନ ଯା ମହିମା । ଏଣୁ କେ କହୁ ଗୁଣସୀମା ॥ ୨୧୧
ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୧୨
ଭଣଇ ବିପ୍ର ଜଗନ୍ନାଥ । ଗୀତପ୍ରବନ୍ଧେ ଭାଗବତ ॥ ୨୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ତ୍ରିପୁରବିଜୟୋ ନାମ ଦଶମୋଽଧ୍ୟାୟଃ ॥
* * *