ସପ୍ତମ ସ୍କନ୍ଧ
ନବମ ଅଧ୍ୟାୟ
ନାରଦ ଉବାଚ
ବ୍ରହ୍ମାଦି ଯେତେ ଦେବଗଣେ । ନୃସିଂହ ମୂରତି ଦର୍ଶନେ ॥ ୧
କାତରେ ନାନା ସ୍ତୁତି କଲେ । ସମୀପେ ରହି ନପାରିଲେ ॥ ୨
ଲକ୍ଷ୍ମୀ ଅଣାଇ ଦେବଗଣେ । ବିଶ୍ୱାସେ ମିଳିଲେ ଚରଣେ ॥ ୩
ବୋଇଲେ ଯାଅ ଜନମାତ । ଶାନ୍ତି କରାଅ ତୋର କାନ୍ତ ॥ ୪
ଦେବଙ୍କ ବଚନେ କମଳା । ଭାବେ କେତେହେଁ ଦୂର ଗଲା ॥ ୫
ଅଦୃଷ୍ଟପୂର୍ବ ରୂପ ଚାହିଁ । ସନ୍ନିଧେ ନ ପାରିଲେ ଯାଇ ॥ ୬
ନିକଟେ ପ୍ରହଲ୍ଲାଦ ଆଣି । ବିଶ୍ୱାସେ କହେ କୁଶପାଣି ॥ ୭
ନୃସିଂହ ପାଶେ ବେଗେ ଯାଇ । ସ୍ତୁତିରେ ତୋଷ କର ତୁହି ॥ ୮
ଭୟେ ନ ପାରୁ ଆମ୍ଭେ ଯାଇ । ତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ ॥ ୯
ନୃସିଂହ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା ॥ ୧୦
ଚରଣତଳେ ଶିର ଦେଇ । ନମିଲା ଦଣ୍ଡବତ ହୋଇ ॥ ୧୧
ଦେଖି ନୃସିଂହ ଦୟାଚିତ୍ତେ । ଆନନ୍ଦେ ଧରି ତାକୁ ହସ୍ତେ ॥ ୧୨
ଭୂମିରୁ ତୋଳି ବସାଇଲେ । ହସ୍ତପଙ୍କଜ ଶିରେ ଦେଲେ ॥ ୧୩
ସେ ପଦ୍ମକରର ମହିମା । କି ଦେବା ତହିଁକି ଉପମା ॥ ୧୪
କାଳଭୁଜଙ୍ଗ ଭୟ ପାଇ । ଯେ ପ୍ରାଣୀ ଶରଣ ପଶଇ ॥ ୧୫
ସେ ପଦ୍ମକର ରଖେ ତାରେ । ବେଗେ ପଶଇ ସୁଖଘରେ ॥ ୧୬
ନୃସିଂହ କର ଲାଗି ଶିରେ । ଅଶୁଭ ଗଲା ଅତି ଦୂରେ ॥ ୧୭
ତକ୍ଷଣେ ଜ୍ଞାନ ପ୍ରକାଶିଲା । ଆନନ୍ଦେ ଅସୁରର ବଳା ॥ ୧୮
ନୃସିଂହ-ଚରଣ-କମଳେ । ମନ ନିରୋପିଲା ନିଶ୍ଚଳେ ॥ ୧୯
ରୋମ ପୁଲକ ତାର ଦେହେ । ଆନନ୍ଦେ ଅଶ୍ରୁ ଜଳ ବହେ ॥ ୨୦
ଏକାଗ୍ରେ ମନ ଦୃଢ଼ କରି । ସେ ରୂପ ଅନ୍ତର୍ଗତେ ଭରି ॥ ୨୧
ଚରଣେ ଦେଇ ବେନିପାଣି । କଣ୍ଠ ଗଦ୍ଗଦେ କହେ ବାଣୀ ॥ ୨୨
ବ୍ରହ୍ମାଦି ଦେବଙ୍କ ବିଷୟେ । ଯେଣେ ନୃସିଂହ ଦୟାବହେ ॥ ୨୩
ଆତ୍ମାର ନିସ୍ତାରଣ ଅର୍ଥେ । ସଂସାରୁ ତରିବା ନିମନ୍ତେ ॥ ୨୪
ତ୍ରିଚତ୍ୱାରିଂଶ ପଦ ଶ୍ଳୋକେ । ସ୍ତୁତି କରଇ ଏକେ ଏକେ ॥ ୨୫
ପ୍ରହ୍ଲାଦ ଉବାଚ
ବ୍ରହ୍ମାଦି ସିଦ୍ଧ ମୁନିଗଣେ । ସ୍ୱଭାବ ସାତ୍ତ୍ୱିକ ଲକ୍ଷଣେ ॥ ୨୬
ଅମୃତ-ବଚନ-ପ୍ରବାହେ । ନିର୍ମଳ-ବିଶୁଦ୍ଧ-ହୃଦୟେ ॥ ୨୭
ନାନା ପ୍ରକାରେ ସ୍ତୁତି କରି । ଆରାଧି ନପାରିଲେ ହରି ॥ ୨୮
ମୁଁ ଛାର ଅସୁର ହୋଇଣ । କାହୁଁ ତୋଷିବି ନାରାୟଣ ॥ ୨୯
ଧନ ସତ୍କୁଳ ଅବା ରୂପ । ପଣ୍ଡିତପଣ ତେଜ ତପ ॥ ୩୦
ବଳ ପୌରୁଷ ବୁଦ୍ଧି ଯୋଗ । ଓଜ ବିଭୂତି ବାରମାର୍ଗ ॥ ୩୧
ଏ ଆଦି ଯେତେ ଗୁଣଗ୍ରାମ । ନୁହଁନ୍ତି ବିଷ୍ଣୁତୋଷେ କ୍ଷମ ॥ ୩୨
କେବଳ ଭକ୍ତିଯୋଗେ ତୋଷ । ଯେସନେ ଗଜେନ୍ଦ୍ର-ବିଶ୍ୱାସ ॥ ୩୩
ଦ୍ୱାଦଶଗୁଣେ ବିପ୍ର ଯୁକ୍ତ । ସେ ଯେବେ ନୋହେ ବିଷ୍ଣୁଭକ୍ତ ॥ ୩୪
ସେ ବିପ୍ରଶ୍ରେଷ୍ଠ ନ ବୋଲାଇ । ସଂସାରୁ ତରିବ ସେ କାହିଁ ॥ ୩୫
ଯେହୁ ଦ୍ୱାଦଶଗୁଣ ଧରେ । ସେ ବିପ୍ର ସଂସାର-ବେଭାରେ ॥ ୩୬
ସ୍ୱଭାବେ ସତ୍ୟ ଶମ ଦମ । ଅହିଂସା ତପ କ୍ଷମା ଧର୍ମ ॥ ୩୭
ଆର୍ଜବ ଦାନ ବ୍ରତ ଧୃତି । ଶଉଚ ଶ୍ରୁତ ଆଦି କୃତି ॥ ୩୮
ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ । ବେଦେ ବର୍ଣ୍ଣିତ ଏତେ ଗୁଣ ॥ ୩୯
ଏମନ୍ତ ବିପ୍ର ହୋଇ ଯେବେ । ଭକ୍ତି ନକରେ କୃଷ୍ଣଭାବେ ॥ ୪୦
ଚଣ୍ଡାଳ ଜନ୍ମ ହୋଇ ଯେବେ । ମନ ଅର୍ପଇ କୃଷ୍ଣଭାବେ ॥ ୪୧
ଆତ୍ମା ପବିତ୍ର ବେଗେ କରେ । ଚଣ୍ଡାଳ କୁଳକୁ ଉଦ୍ଧରେ ॥ ୪୨
ବ୍ରାହ୍ମଣ ସର୍ବମାନ୍ୟ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥ ୪୩
ଯେ ହରି ନିତ୍ୟ ଶୁଦ୍ଧଜ୍ଞାନ । ଆତ୍ମା ପ୍ରକାଶେ ନିରଞ୍ଜନ ॥ ୪୪
ସେ କାହିଁ ଅଜ୍ଞାନ-ସଙ୍କଳ୍ପେ । ଆବର ନାନା ପୂଜା ରୂପେ ॥ ୪୫
ଯେଣୁ ଦୟାଳୁ ସେ ବୋଲାଇ । ଏଣୁ ଭରସା ପ୍ରାଣୀ ପାଇ ॥ ୪୬
କରନ୍ତି ପୂଜାବିଧି ଯେତେ । ଆତ୍ମା ମଙ୍ଗଳପ୍ରାପ୍ତି ଅର୍ଥେ ॥ ୪୭
ସ୍ୱଭାବେ ନିଜ ମୁଖ ବେଶ । ଯେସନେ ଦର୍ପଣେ ପ୍ରକାଶ ॥ ୪୮
ତେଣୁ ଭରସା ପାଇ ମୁହିଁ । ଈଶ୍ୱର-ମହିମା ବର୍ଣ୍ଣଇ ॥ ୪୯
ଯଦ୍ୟପି ନୀଚ ଦେହ ମୋର । ସ୍ତବନେ ନାହିଁ ଅଧିକାର ॥ ୫୦
ତଥାପି ବୁଦ୍ଧି ଯେତେ ମୋର । ସ୍ତୁତି କରିବି ତୋ ଛାମୁର ॥ ୫୧
ଅବିଦ୍ୟାବଳେ ଏ ସଂସାରେ । ଏ ଜୀବ ଅଶେଷ ପ୍ରକାରେ ॥ ୫୨
କର୍ମର ବଳେ ସଞ୍ଚରଇ । ତୋର ଭଜନେ ସେ ତରଇ ॥ ୫୩
ତୁ ସତ୍ୟଧାମ ଦାମୋଦର । ମୁହିଁ ଯେ ତୋହର କିଙ୍କର ॥ ୫୪
ବ୍ରହ୍ମାଦି ଯେତେ ଦେବଗଣେ । ସେ ସର୍ବେ ତୋହର ଚରଣେ ॥ ୫୫
ତୋତେ ଚିନ୍ତନ୍ତି ଭୟଚିତ୍ତେ । ପାଦେ ସେବନ୍ତି ଅବିରତେ ॥ ୫୬
ଏଣୁ ସଂସାର ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ ॥ ୫୭
ତେଣୁ ତୋ କୋପ ତୁ ସଂହର । ତୁ ନାଥ ଜଗତ ଈଶ୍ୱର ॥ ୫୮
ତୁ ଏ ଅସୁର ହତ କଲୁ । ସଂସାର ଭୟ ନିବାରିଲୁ ॥ ୫୯
ଆନନ୍ଦ ସାଧୁଙ୍କର ମନେ । ସର୍ପ-ବୃଶ୍ଚିକ-ନାଶେ ଯେହ୍ନେ ॥ ୬୦
ଲୋକେ ଆନନ୍ଦେ ସ୍ଥିରମନେ । ଭଜିଲେ ତୋହର ପ୍ରସନ୍ନେ ॥ ୬୧
ଶୁଣ ହେ ପ୍ରଭୁ ଚକ୍ରଧର । ଏରୂପ ମହାଭୟଙ୍କର ॥ ୬୨
ଏବେ ଏ ଭୟରୂପ ହର । ଲୋକଙ୍କ ଭୟକୁ ସଂହର ॥ ୬୩
ଜିହ୍ୱା ଚଞ୍ଚଳ ସୌଦାମିନୀ । ପ୍ରଳୟାନଳ ନେତ୍ର ବେନି ॥ ୬୪
ଭ୍ରୂକୁଟୀ କୁଟୀଳ ପ୍ରଚଣ୍ଡ । ଦଂଷ୍ଟ୍ରା କରାଳ ପାଟିତୁଣ୍ଡ ॥ ୬୫
ଅସୁର-ହୃଦୟ-ରୁଧିରେ । ତା ଅନ୍ତ୍ର-ପୁଷ୍ପମାଳ କରେ ॥ ୬୬
କେଶର ଦିଶେ ଶୋଣି ବର୍ଣ୍ଣ । ରୁଧିରେ ରଙ୍ଗ ବେନି କର୍ଣ୍ଣ ॥ ୬୭
ତୁମ୍ଭର ଘୋରନାଦ ଶୁଣି । ପ୍ରଳୟ-ବଜ୍ର ପ୍ରାୟ ମଣି ॥ ୬୮
ଅଇରାବତ ଆଦି ନାଗେ । ପଳାଇଗଲେ ଅଷ୍ଟଦିଗେ ॥ ୬୯
ଅନଳ ପ୍ରାୟ ନଖପନ୍ତି । ଅସୁର ରୁଧିର ପିବନ୍ତି ॥ ୭୦
ଏମନ୍ତ ରୂପ ତୋର ଚାହିଁ । ଭୋ ନାଥ ମୋର ଭୟ ନାହିଁ ॥ ୭୧
ତୁ ନାଥ ଶରଣ-ବତ୍ସଳ । ଅବ୍ୟୟ ଆତ୍ମା ଆଦିମୂଳ ॥ ୭୨
ତୋର ସଂସାରଚକ୍ରେ ପଡ଼ି । ଆତ୍ମାର ନିଜ ପଥ ହୁଡ଼ି ॥ ୭୩
ସେ ମାୟାଚକ୍ର ମୋତେ ଘେନି । କାଳେ ଭ୍ରମାଇ ନାନା ଯୋନି ॥ ୭୪
ସ୍ୱକର୍ମବଦ୍ଧେ ମୋ ଜୀବନ । ଏଣୁ ହରାଇ ନିଜ ଜ୍ଞାନ ॥ ୭୫
ଏବେ ତୋହର ପାଦମୂଳେ । ଶରଣ ପଶିଲି ନିଶ୍ଚଳେ ॥ ୭୬
ତୋତେ ନଭଜି ନାରାୟଣ । ମୋର ଜୀବନ ଗତି ଶୁଣ ॥ ୭୭
ଏ ଘୋର ସଂସାର-ସାଗରେ । ଜନ୍ମ-ମରଣ ଅଭ୍ୟନ୍ତରେ ॥ ୭୮
ସଂଯୋଗ-ବିଯୋଗ ଅଜ୍ଞାନ । ଶୋକ-ଅନଳେ ଦହେ ମନ ॥ ୭୯
ଏ ଦେହେ ସର୍ବ ଦୁଃଖ ବ୍ୟାଧି । ତୋହର ଚରଣ ଔଷଧି ॥ ୮୦
ସେ ପାଦ ଛାଡ଼ି ମୁହିଁ ଦୂରେ । ଭ୍ରମଇଁ ଘୋର ଅନ୍ଧକାରେ ॥ ୮୧
ଏବେ ଏମନ୍ତ ଆଜ୍ଞା କର । ଯେମନ୍ତେ ସେବିବି ପୟର ॥ ୮୨
ତୁ ନାଥ ପ୍ରାଣୀଙ୍କ ଜୀବନ । ପ୍ରିୟ-ଦେବତା ବନ୍ଧୁଜନ ॥ ୮୩
ତୋହର ଲୀଳା-କ୍ରୀଡ଼ା ବାଣୀ । ବିରଞ୍ଚି ସଭାମଧ୍ୟେ ଭଣି ॥ ୮୪
ମୁଁ ତୋର ଲୀଳାଗୁଣ ଗୁଣି । ତରିବି ଭବ-ତରଙ୍ଗିଣୀ ॥ ୮୫
ତୋ ପାଦ-ପଦ୍ମବନ ମଧ୍ୟେ । ଯେ ହଂସ ଖେଳନ୍ତି ଆନନ୍ଦେ ॥ ୮୬
ତାହାଙ୍କ ସଙ୍ଗୀ ମୋତେ କର । ଏ ମାୟା-ସଂସାରୁ ଉଦ୍ଧର ॥ ୮୭
ବାଳକ ରକ୍ଷଣ ସଂସାରେ । ପିତାମାତା ହୁଁ ନାହିଁ ପରେ ॥ ୮୮
ଅଗାଧ-ସମୁଦ୍ର ଲଙ୍ଘନେ । ପ୍ରାଣୀଙ୍କ ନଉକା ଯେସନେ ॥ ୮୯
ପଥେ-ତୃଷିତ-ପ୍ରାଣୀ ଯେହ୍ନେ । ଜୀବନ ରଖେ ଜଳପାନେ ॥ ୯୦
ବ୍ୟାଧିରେ ଆର୍ତ୍ତ ହେଲେ ଜନ । ଔଷଧି ହୁଅଇ ଶରଣ ॥ ୯୧
ମାତ୍ର ତୋ ପାଦ କୃପା ବିନେ । ଏ କେହି ନୁହଁନ୍ତି କାରଣେ ॥ ୯୨
ଏମନ୍ତ ତୋ ପଦ୍ମଚରଣ । ଏଣୁ ମୁଁ ପଶିଲି ଶରଣ ॥ ୯୩
ଭୋ ନାଥ ତୋର ମାୟାବଳେ । ପ୍ରକୃତି ଏ ମାୟା ଶୟଳେ ॥ ୯୪
କାଳର ବଳେ ସଙ୍ଗ ହୋଇ । ଯାହାକୁ ଯେମନ୍ତ ଭାବଇ ॥ ୯୫
ଯେଣେ ଯାହାକୁ ନିଯୋଜଇ । ସେ ଫଳ ତାର ହସ୍ତେ ଦେଇ ॥ ୯୬
କାହୁଁ ଆସଇ କାହିଁ ଥାଇ । କାହାକୁ କାହିଁ ନେଇ ଥୋଇ ॥ ୯୭
ଜୀବକୁ କରେ ନାନା ଗତି । ଏମନ୍ତେ ପ୍ରଧାନ ପ୍ରକୃତି ॥ ୯୮
ସେ ଜୀବ ତୋର ସଙ୍ଗେ ରହେ । ଭାବେ ଭ୍ରମଇଁ ସର୍ବଦେହେ ॥ ୯୯
ଏ ଜୀବ ତୋର ଅଂଶୁ ଜାତ । ତୋହର ବଶ ଏ ଜଗତ ॥ ୧୦୦
କାଳର ବଳେ ବଶ ହୋଇ । ଦେହ-ବନ୍ଧନେ ବଦ୍ଧ ଦେହୀ ॥ ୧୦୧
ସଂସାରଚକ୍ରେ ଷୋଡ଼ଶାରେ । କର୍ମେ ଭ୍ରମଇ ନିରନ୍ତରେ ॥ ୧୦୨
ଦଶଇନ୍ଦ୍ରିୟ ମନବନ୍ଧେ । ଶବ୍ଦ ସ୍ପରଶ ରୂପ ଗନ୍ଧେ ॥ ୧୦୩
ରସେ ରସଇ ସର୍ବକାଳେ । ଏମନ୍ତେ ଭ୍ରମେ ମହୀତଳେ ॥ ୧୦୪
ଏମନ୍ତ ଚକ୍ରେ ଜୀବ ବସି । କର୍ମ-ବିଷୟ ରସେ ରସି ॥ ୧୦୫
ଚକ୍ରେ ଭ୍ରମଇ ଦୁଃଖ ସହି । ତୋ ବିନୁ ତାର ମୋକ୍ଷ ନାହିଁ ॥ ୧୦୬
ନିତ୍ୟ ବିଜିତ ଆତ୍ମାଗୁଣ । ସ୍ୱତେଜ ବଳେ ନାରାୟଣ ॥ ୧୦୭
ଏ କାଳଆତ୍ମା ବଶ କରି । ବିସର୍ଗ-ଶକ୍ତିକି ବିସ୍ତାରି ॥ ୧୦୮
ସେ ସୃଷ୍ଟି କାଳଚକ୍ରେ ଥୋଇ । ସେ ଚକ୍ରେ ଜୀବକୁ ବସାଇ ॥ ୧୦୯
ପେଡ଼ଇ ଈକ୍ଷୁଦଣ୍ଡ ପ୍ରାୟେ । ଏଣୁ ଡରଇ ମୋର କାୟେ ॥ ୧୧୦
ଏବେ ମୁଁ ତୋ ଶରଣାଗତ । ଚକ୍ରୁ ଉଦ୍ଧର ମୋର ନାଥ ॥ ୧୧୧
ମୁଁ ଏବେ ଦେଖିଲି ପ୍ରତ୍ୟକ୍ଷେ । ଭୋ ନାଥ ତୋହର ସମକ୍ଷେ ॥ ୧୧୨
ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା । ମନୁଷ୍ୟ କରେ ତାଙ୍କୁ ସେବା ॥ ୧୧୩
ଇଚ୍ଛନ୍ତି ଅଇଶ୍ୱର୍ଯ୍ୟ ଭୋଗ । ସାତ୍ତ୍ୱିକ ସଂଯୋଗ ବିଯୋଗ ॥ ୧୧୪
ଏ ଦେବେ ମୋର ପିତା ତ୍ରାସେ । ଦଣ୍ଡେ ନଥାନ୍ତି ଅବକାଶେ ॥ ୧୧୫
ତାହାର ଭ୍ରୂକୁଟୀ କୁଟୀଳେ । ଭୟେ ପଶନ୍ତି ଅନ୍ତରାଳେ ॥ ୧୧୬
ତୁ ଏବେ ତାହାକୁ ସଂହାରି । ରଖିଲୁ ସର୍ବଦେବ ଶିରୀ ॥ ୧୧୭
ତେଣୁ ଯେ ପ୍ରାଣୀଙ୍କ ଆଶିଷ । ଯେ ଫଳ ଏ ଭୂତ ଭବିଷ୍ୟ ॥ ୧୧୮
ଆୟୁ ସମ୍ପଦ ଭୋଗ ଅର୍ଥ । ଇନ୍ଦ୍ରିୟ ସୁଖର ପ୍ରାପତ ॥ ୧୧୯
ସେ ସର୍ବବାଞ୍ଛା ତୋର ବଳେ । କାଳ ହରଇ ଅବହେଳେ ॥ ୧୨୦
ତେଣେ ମୋହର କାର୍ଯ୍ୟ ନାହିଁ । ତୋ ପାଦେ ରଖ ଭାବଗ୍ରାହୀ ॥ ୧୨୧
ତୋ ମାୟା-ସଂସାର-ସାଗରେ । ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ॥ ୧୨୨
ଏ କଳେବରର ମହିମା । ଅଶେଷ ରୋଗଙ୍କର ସୀମା ॥ ୧୨୩
ଏ ସର୍ବ ଶ୍ରୁତିମୁଖେ ଶୁଣି । ସ୍ୱପ୍ନର ପ୍ରାୟେ ପରିମାଣି ॥ ୧୨୪
ଅଛଇ ତୋର ମାୟାମୋହେ । କେବେ ହେଁ ବିରକତ ନୋହେ ॥ ୧୨୫
କାମଅନଳ ମଧୁ ଲୋଭେ । କେମନ୍ତେ ଲିଭିବ ସ୍ୱଭାବେ ॥ ୧୨୬
ମୋହର ଜନ୍ମ ରଜଗୁଣେ । ଅଧିକ ତାମସ ଲକ୍ଷଣେ ॥ ୧୨୭
ଅସୁରକୁଳେ ଜାତ ମୁହିଁ । ତୋ ଅନୁକମ୍ପା ଅବା କାହିଁ ॥ ୧୨୮
ଭୋ ନାଥ ମୋର ଶିରେ ଆଣି । ପ୍ରସନ୍ନେ ଦେଲୁ ପଦ୍ମପାଣି ॥ ୧୨୯
ତୋର ପ୍ରସାଦ ପଦ୍ମନାଭ । ବ୍ରହ୍ମା ଶଙ୍କରରେ ଦୁର୍ଲ୍ଲଭ ॥ ୧୩୦
କମଳା ତୋର ହୃଦେ ଥାଇ । ତୋ ଭାବ ଲଭି ନପାରଇ ॥ ୧୩୧
ତୋର ମହିମା ଭାବଗ୍ରାହୀ । ପର-ଅପର ତୋର ନାହିଁ ॥ ୧୩୨
ଏ ଜୀବ ପରାପର ଜାଣେ । ସଂସାରଗତି ନ ପ୍ରମାଣେ ॥ ୧୩୩
ଉତ୍ତମ ସେବା ତୋ ଚରଣେ । ଯେ ପ୍ରାଣୀ କରେ ଅନୁକ୍ଷଣେ ॥ ୧୩୪
ସେ ପାଦ ଯାରେ ଦୟା କରେ । ପ୍ରସନ୍ନ କଳ୍ପଦ୍ରୁମ ତାରେ ॥ ୧୩୫
ସେବାନୁରୂପ ଫଳ ପାଇ । ପର-ଅପର ତୋର ନାହିଁ ॥ ୧୩୬
ଏମନ୍ତେ ଭବବନ୍ଧ-କୂପେ । ବେଢ଼ି ଅଛନ୍ତି କାଳସର୍ପେ ॥ ୧୩୭
ସେ କୂପେ ପଡ଼ି ସର୍ବଜନେ । କାମ କଳ୍ପନ୍ତି ନିତ୍ୟ ମନେ ॥ ୧୩୮
ତାହାଙ୍କ ସଙ୍ଗତରେ ଥାଇ । ସେ କାମ କଳ୍ପୁଥାଇ ମୁହିଁ ॥ ୧୩୯
ନାରଦ ମୁନି ବେଦମୟ । ସେ ମୋତେ କଲେ ଅନୁଗ୍ରହ ॥ ୧୪୦
ଏଣୁ ସାଧୁଙ୍କ ସଙ୍ଗେ ଭାବି । ତୋ ସେବା କେମନ୍ତେ ଛାଡ଼ିବି ॥ ୧୪୧
ଅନନ୍ତ ମୋ ପ୍ରାଣ ରକ୍ଷଣ । ପିଅର ମରଣ କାରଣ ॥ ୧୪୨
ଭକ୍ତ-ରକ୍ଷଣ ବାକ୍ୟମତେ । ତୋ ଅବତାର ଏ ଜଗତେ ॥ ୧୪୩
ମୋ ପିତା ଖଡ଼୍ଗ ଧରି ହସ୍ତେ । ପ୍ରତିଜ୍ଞା କଲା ମୋ ଅଗ୍ରତେ ॥ ୧୪୪
ବୋଇଲା ଦେଖା ତୋ ଠାକୁର । ନୋହିଲେ ଛେଦିବଇଁ ଶିର ॥ ୧୪୫
ମୁହିଁ ଈଶ୍ୱର ତିନିପୁରେ । ମୋ ତହୁଁ କେବା ଅଛି ପରେ ॥ ୧୪୬
ଏଣୁ ମୋ ବାକ୍ୟ ସତ୍ୟ କରି । ତୋ ଅବତାର ନରହରି ॥ ୧୪୭
ତୁ ଏ ଜଗତେ ଦେହ ଧରି । ଜନଙ୍କ ମଧ୍ୟେ ଅବତରି ॥ ୧୪୮
ପ୍ରକାଶୁ ସ୍ଥୂଳ ସୂକ୍ଷ୍ମ ରୂପେ । ଏବେ ରହୁ ନିର୍ଲେପ ରୂପେ ॥ ୧୪୯
ତ୍ରିଗୁଣ ସର୍ଜୁ ଗୁଣମୟେ । ମାୟା ପ୍ରକାଶୁ ନାନାଦେହେ ॥ ୧୫୦
ବିହରୁ ଗୁଣମଧ୍ୟେ ପଶି । କେ କହୁ ତୋ ରୂପ ବିଶେଷି ॥ ୧୫୧
ସତ ଅସତ ଏ ଜଗତ । ତୋ ତହୁଁ ନାହିଁ ଭିନ୍ନମତ ॥ ୧୫୨
ମାୟାରେ ଆତ୍ମ ପର କରେ । ବିଅର୍ଥେ ବୁଦ୍ଧିରେ ବିଚାରେ ॥ ୧୫୩
ପ୍ରକାଶ ସ୍ଥିତି ଅନ୍ତ ସୃଷ୍ଟି । ତରୁ-ପଲ୍ଲବେ ଯେହ୍ନେ ଅଷ୍ଟି ॥ ୧୫୪
ତୁ ଏ ଜଗତେ ଆତ୍ମବଳେ । ଆତ୍ମାରେ ଥାଉ ଅନ୍ତଃକାଳେ ॥ ୧୫୫
ସୃଷ୍ଟି ସଂହାରି ମାୟାବଳେ । ନାଗ ଶୟନେ ତୁ ନିଶ୍ଚଳେ ॥ ୧୫୬
ତୋ ନିଜ ସୁଖେ ଅନୁଭବ । ନିରୀହ ରୂପ ପଦ୍ମନାଭ ॥ ୧୫୭
ମୁଦ୍ରିତ ଲୋଚନେ ମୁରାରି । ନିଦ୍ରାକୁ ହୃଦରେ ସଂହାରି ॥ ୧୫୮
ତୁରୀୟେ ସୁଖେ ରହୁ ତୁହି । ତ୍ରିଗୁଣେ ତୋର କାର୍ଯ୍ୟ ନାହିଁ ॥ ୧୫୯
ସେ ଗୁଣମୟ ତୋ ଶରୀରେ । ଚେତଇ ନିଦ୍ରା ଅଭ୍ୟନ୍ତରେ ॥ ୧୬୦
କାଳର ବଳେ ତୋ ନୟନେ । ଯୋଗ ସମାଧି ଅବସାନେ ॥ ୧୬୧
ତୋ ନାଭିମଧ୍ୟେ ଜଳକଣେ । ବୀଜ ପ୍ରକାଶେ ତତକ୍ଷଣେ ॥ ୧୬୨
ବୀଜୁ ଯେସନେ ବଟ ହୋଇ । ପଦ୍ମ ମୃଣାଳ ପ୍ରକାଶଇ ॥ ୧୬୩
ସେ ପଦ୍ମମଧ୍ୟୁ ବ୍ରହ୍ମା ଜାତ । ନ ଜାଣେ ଆତ୍ମାର ବୃତ୍ତାନ୍ତ ॥ ୧୬୪
ତୁ ବୀଜଆତ୍ମା ତା ଶରୀରେ । ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ ॥ ୧୬୫
ତାହା ନଜାଣି ବେଦମୁଖ । ଆରତେ ଖୋଜିଲେ ଅନେକ ॥ ୧୬୬
କାହୁଁ ଅଇଲି ବୋଲି ଚିନ୍ତି । ଭୟେ ଭାଳଇ ପ୍ରଜାପତି ॥ ୧୬୭
ପୁଣି ପଶିଲା ପଦ୍ମନାଳେ । ଶତେବରଷ ଯୋଗବଳେ ॥ ୧୬୮
ଅଙ୍କୁରମାର୍ଗେ ବୀଜ ଲୋଡ଼ି । ଭ୍ରମିଲା ବହୁ ଦୁଃଖେପଡ଼ି ॥ ୧୬୯
ଲୋଡ଼ି ନ ପାଇ ମହାଜଳେ । ପୁଣି ଉଠିଲା ପଦ୍ମନାଳେ ॥ ୧୭୦
ଭାଳଇ ପଦ୍ମମଧ୍ୟେ ରହି । ତୋ ଅନ୍ତ ପାଇବ ସେ କାହିଁ ॥ ୧୭୧
ତୋତେ ନପାଇ ପ୍ରଜାପତି । ତପସାଧନେ କଲା ମତି ॥ ୧୭୨
ଅନେକ କାଳ ସାଧି ତପ । ଦେଖିବା ନିମନ୍ତେ ତୋ ରୂପ ॥ ୧୭୩
ତୋ ରୂପ କରି ଅନୁମାନେ । ଭୂମିରୁ ଗନ୍ଧମାତ୍ରା ଯେହ୍ନେ ॥ ୧୭୪
ସହସ୍ର-ବଦନ-ନୟନ । ସହସ୍ର-ଶିର-ନାସା-କର୍ଣ୍ଣ ॥ ୧୭୫
ସହସ୍ର-ଉର ସସ୍ରପାଦ । ସହସ୍ର ଭୁଜେ ସସ୍ରାୟୁଧ ॥ ୧୭୬
ସେ ମାୟାମୟ ରୂପ ସୁଖେ । ବିଧାତା ଦେଖିଲା ସମ୍ମୁଖେ ॥ ୧୭୭
ତୋହର ଦେଖି ଦିବ୍ୟବେଶ । ବିଧାତା ହୋଇଲା ହରଷ ॥ ୧୭୮
ବ୍ରହ୍ମାର ଅର୍ଥେ ପଦ୍ମନାଭ । ରୂପ ପ୍ରକାଶ ହୟଗ୍ରୀବ ॥ ୧୭୯
ବିଷ୍ଣୁର ଯୋଗନିଦ୍ରା କାଳେ । କର୍ଣ୍ଣରୁ ମଳ ପଡ଼ି ଜଳେ ॥ ୧୮୦
ରଜ-ତାମସ-ଗୁଣେ ଜାତ । ମଧୁ-କୈଟଭ ବେନି ଦୈତ୍ୟ ॥ ୧୮୧
ଦେବହେଳନ ମହାଘୋର । ତେଜ ପ୍ରଚଣ୍ଡ ଭୟଙ୍କର ॥ ୧୮୨
ତାହାଙ୍କୁ ମାରି ଶତ୍ରୁଗଣ । ବ୍ରହ୍ମାଙ୍କୁ କଲୁ ସମର୍ପଣ ॥ ୧୮୩
ଏହି ପ୍ରକାରେ ନରହରି । ନୃ ପଶୁ ଋଷି ରୂପ ଧରି ॥ ୧୮୪
ଦେବତା ଜଳଜନ୍ତୁ ରୂପେ । ତୋ ଅବତାର ମହାକଳ୍ପେ ॥ ୧୮୫
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥ ୧୮୬
ଯୁଗାନୁଧର୍ମେ ପାଳୁ ନାଥ । କଳିଲେ ନୋହୁ ତୁ ତେମନ୍ତ ॥ ୧୮୭
ଏ ରୂପେ ଛନ୍ନରୂପ ହେଉ । ଏଣୁ ତ୍ରିଯୁଗ ତୁ ବୋଲାଉ ॥ ୧୮୮
ନିରତେ ମାୟାଜଡ଼େ ଛନ୍ନ । ପାପ-ସଙ୍କଳ୍ପେ ଦୁଷ୍ଟମନ ॥ ୧୮୯
ଏଣୁ ତୋ କଥାମୃତେ ରତି । କେ କରିପାରେ ଦୃଢ଼ ମତି ॥ ୧୯୦
କାମ-ସଙ୍କଳ୍ପେ ମୁଁ ଆତୁର । କାହୁଁ ଜାଣିବି ଗତି ତୋର ॥ ୧୯୧
ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ । ଭୋ ନାଥ ସାବଧାନେ ଶୁଣ ॥ ୧୯୨
ଆତ୍ମା ନରହି ହୃଦଗତେ । ଚଳଇ ଇନ୍ଦ୍ରିୟ ଆୟତ୍ତେ ॥ ୧୯୩
ରସ-ଲାଳସେ ଜିହ୍ୱା ଧରେ । ତୃଷିତେ ତୃଷା ବଳ କରେ ॥ ୧୯୪
ଉପସ୍ଥ ଧରେ କାମ ଭୋଗେ । ଗୁହ୍ୟ ଧରଇ ମଳୋତ୍ସର୍ଗେ ॥ ୧୯୫
ଚର୍ମ ଧରଇ ଶୀତ-ଉଷ୍ମେ । ଉଦର ଧରେ ଭକ୍ଷ-କର୍ମେ ॥ ୧୯୬
ଶ୍ରବଣ ଶବ୍ଦ-ଅର୍ଥେ ଧରେ । ଗନ୍ଧାର୍ଥେ ନାସିକା-ବିବରେ ॥ ୧୯୭
ରୂପ ସଂଯୋଗେ ଦୃଷ୍ଟି ରହେ । ବଳ-ବିକ୍ରମ ଶକ୍ତି ବହେ ॥ ୧୯୮
ଏ ଇନ୍ଦ୍ରିଗଣ କର୍ମବଳେ । ପ୍ରାଣୀ ନାଶନ୍ତି ଅବହେଳେ ॥ ୧୯୯
ବହୁତ ସପତଣୀ ଘରେ । ଗୃହସ୍ଥ ରମେ ନିରନ୍ତରେ ॥ ୨୦୦
ସେ ଯେହ୍ନେ ପତ୍ନୀଙ୍କ ଆୟତ୍ତେ । ନିରତେ ରମେ ନାନାମତେ ॥ ୨୦୧
ସେ ନାରୀଗଣେ ତାର ଚିତ୍ତ । କରନ୍ତି ଆପଣା ଆୟତ୍ତ ॥ ୨୦୨
ଯେ ଯାହାମତେ ସୁଖ ଚିନ୍ତି । ସ୍ୱାମୀ ଜୀବନ ସେ ହରନ୍ତି ॥ ୨୦୩
ଏମନ୍ତେ କର୍ମପାଶ ବଳେ । ବଇତରଣୀ ଭବ ଜଳେ ॥ ୨୦୪
ଜନ୍ମ ମରଣ ପ୍ରାଣୀ ବହେ । ଅନ୍ୟୋନ୍ୟ ଘଟଣା-ପ୍ରବାହେ ॥ ୨୦୫
ସ୍ୱ-ପରଭେଦେ ପଥ ହୁଡ଼ି । ଯାତନା ମଧ୍ୟେ ଛନ୍ତି ଜଡ଼ି ॥ ୨୦୬
ତାହାଙ୍କ ମଧ୍ୟେ ମୁହିଁ ଥାଇ । ଆତ୍ମାର ଗତି ନ ଜାଣଇ ॥ ୨୦୭
ତୋ ପାଦେ ପଶିଲି ଶରଣ । ମୋତେ ଉଦ୍ଧର ନାରାୟଣ ॥ ୨୦୮
ଦୁଃଖୀଜନଙ୍କ ଉପକାରେ । ତୋ ସମ ନାହିଁନା ସଂସାରେ ॥ ୨୦୯
ସଂସାର ଉତ୍ପତ୍ତି ପାଳନ । ଈଷିତେ କରୁ ସଂହରଣ ॥ ୨୧୦
ମୂଢ଼ପ୍ରାଣୀଙ୍କି ତୋର ଦୟା । କେ ଜାଣିପାରେ ନାଥ ଏହା ॥ ୨୧୧
ଆରତ ଜନବନ୍ଧୁ ହେଉ । କରୁଣାସିନ୍ଧୁ ନାମ ବହୁ ॥ ୨୧୨
ତୋହର ସେବକ ତାରଣେ । ତୁ ନାଥ ଥାଉ ଅନୁକ୍ଷଣେ ॥ ୨୧୩
ତୋର ମହିମା-ଗୁଣ ଗୁଣି । ନିଶ୍ଚଳ ଚିତ୍ତେ ପରିମାଣି ॥ ୨୧୪
ଏଣୁ ମୋହର ଭୟ ନାହିଁ । ବଇତରଣୀ ମଧ୍ୟେ ଥାଇ ॥ ୨୧୫
ତୋରେ ବିମୁଖ ଯାର ମନ । ସେ ପ୍ରାଣୀ ସେ ଜଳେ ନିମଗ୍ନ ॥ ୨୧୬
କୁଟୁମ୍ବ-ଭରଣ ନିମନ୍ତେ । ଭାର ବହଇ ଅବିରତେ ॥ ୨୧୭
ଇନ୍ଦ୍ରିୟ ସୁଖେ ଗୃହେ ରହେ । କୁଟୁମ୍ବ ସ୍ନେହେ ମାୟାମୋହେ ॥ ୨୧୮
ଏ ଯେ ସକଳ ମୁନିଜନେ । ନିର୍ମଳ-ନିଶ୍ଚଳ-ଚିନ୍ତନେ ॥ ୨୧୯
ମାୟା-କଳ୍ପନା ଦୂର କରି । ମଉନବ୍ରତେ ବ୍ରହ୍ମଚାରୀ ॥ ୨୨୦
ବିଜନେ ରହନ୍ତି ନିରତେ । ଜପନ୍ତି ନିଜ ମୁକ୍ତି ଅର୍ଥେ ॥ ୨୨୧
ତାହାଙ୍କ ଚିନ୍ତା କାହିଁ ଏଣେ । ଯେ ବା ଭ୍ରମନ୍ତି ଭବ-ବଣେ ॥ ୨୨୨
ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର । ତୋ ତହୁଁ ରକ୍ଷକ କେ ଆର ॥ ୨୨୩
ଏ ଗୃହେ ମୈଥୁନାଦି ସୁଖେ । ପ୍ରାଣୀ କ୍ରୀଡ଼ନ୍ତି ଦୁଃଖ ଶୋକେ ॥ ୨୨୪
କଣ୍ଡୁ ଯେସନେ ନଖମାଝେ । ନିମିଷ ମାତ୍ର ସୁଖ ବୁଝେ ॥ ୨୨୫
କଣ୍ଡୁ ଅନ୍ତରେ ମହାଦୁଃଖ । ତେସନେ ଗୃହବନ୍ଧ-ସୁଖ ॥ ୨୨୬
ଏଣୁ ନରମେ ଜ୍ଞାନୀଜନ । ତୋ ପାଦପଦ୍ମେ ଦେଇ ମନ ॥ ୨୨୭
ମଉନବ୍ରତ ଶ୍ରୁତ ତପ । ସ୍ୱଧର୍ମ ଅଧ୍ୟୟନ ଜପ ॥ ୨୨୮
ଏକାନ୍ତ ସର୍ବସେବା-ବିଧି । ବ୍ୟାଖ୍ୟାନ ନିଶ୍ଚଳ-ସମାଧି ॥ ୨୨୯
ଜ୍ଞାନ ଅମୃତ ଗୁରୁବାଣୀ । ସୁଜନେ ବୁଝ ପରିମାଣି ॥ ୨୩୦
ଏ ଦଶ ଅପବର୍ଗ ଅର୍ଥେ । ଅଜିତେନ୍ଦ୍ରିୟ ସାଧେ ଯେତେ ॥ ୨୩୧
ତାହାଙ୍କ ସୁଖ ଲେଶ ନାହିଁ । ମାୟା-ସଂସାରେ ଭ୍ରମୁଥାଇ ॥ ୨୩୨
ତୋର ଚରଣ ଅବିରତ । ଜ୍ଞାନୀଜନଙ୍କ ହୃଦେ ସ୍ଥିତ ॥ ୨୩୩
ତୋତେ ଲଭନ୍ତି ଭାବଗ୍ରାହୀ । ଦାମ୍ଭିକେ ଲଭିବେ ତା କାହିଁ ॥ ୨୩୪
ଏ ସୃଷ୍ଟି ମଧ୍ୟେ ପଦ୍ମମୁଖ । ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ ॥ ୨୩୫
ବୀଜରୁ ଅଙ୍କୁର ଯେମନ୍ତ । ପ୍ରକାଶ କରେ ଏ ଜଗତ ॥ ୨୩୬
ସେ ବୀଜ-ଅଙ୍କୁର ତୋ ଦେହ । ତୋର ପ୍ରକାଶ ଏ ଉଭୟ ॥ ୨୩୭
ତୋତେ ଯେ ଭଜେ ଅବିରତେ । ତୋ ରୂପ ଜାଣଇ ସେ ଚିତ୍ତେ ॥ ୨୩୮
ଭକତି ଯୋଗମାର୍ଗେ ସାଧେ । ଅନଳ ଯେହ୍ନେ ଦାରୁ ମଧ୍ୟେ ॥ ୨୩୯
ଗଗନ ସମୀର ଅନଳ । ଅବନୀ ଆଦି ମହାଜଳ ॥ ୨୪୦
ମାତ୍ରା-ସ୍ୱରୂପୀ ଇନ୍ଦ୍ରିଗଣ । ଚତୁର ଅନ୍ତର କରଣ ॥ ୨୪୧
ତୋ ଅନୁଗ୍ରହେ ଦେହେ ରହି । ଗୁଣ ବିଗୁଣ ଯେତେ ହୋଇ ॥ ୨୪୨
ମନ ବଚନେ ଯେତେ କରି । ତୁ ସର୍ବରୂପ ନରହରି ॥ ୨୪୩
ତ୍ରିଗୁଣ ମହତ୍ ଅହଙ୍କାର । ମନ ପ୍ରକୃତି ଦେବ ନର ॥ ୨୪୪
ଏ ଆଦି ଅନ୍ତ ମଧ୍ୟେ ଥାନ୍ତି । କେବେହେଁ ତୋତେ ନ ଜାଣନ୍ତି ॥ ୨୪୫
ସେ ଭାବ ଜାଣି ମୁନିଜନେ । ନିଶ୍ଚଳେ ରହନ୍ତି ମଉନେ ॥ ୨୪୬
ଭୋ ନାଥ ତୋର ନାମ ସ୍ତୁତି । ତୋ ପୂଜା କର୍ମେ ଯାର ମତି ॥ ୨୪୭
ନିତ୍ୟେ ଚିନ୍ତନ୍ତି ତୋ ଚରଣ । ତୋ ପୁଣ୍ୟ କଥନ ଶ୍ରବଣ ॥ ୨୪୮
ସୁପୁଣ୍ୟ କର୍ମ ଅର୍ପି ତୋତେ । ଏ ଷଡ଼ଅଙ୍ଗ ଭକ୍ତିମତେ ॥ ୨୪୯
ଯେ ଅବା ସାଧନ୍ତି ଜଗତେ । ସେ ତୋତେ ଲଭନ୍ତି ନିଶ୍ଚିନ୍ତେ ॥ ୨୫୦
ଯେବେ ତୋ ଭାବେ ନାହିଁ ମନ । ସେ ତୋର ଭକ୍ତିଭାବୁଁ ହୀନ ॥ ୨୫୧
ତୁ ନାଥ ଅନନ୍ତ ମୂରତି । ପରମଯୋଗୀଙ୍କର ଗତି ॥ ୨୫୨
ଯେ ତୋର ଅଭୟଚରଣ । ତହିଁ ମୁଁ ନିଶ୍ଚୟେ ଶରଣ ॥ ୨୫୩
ଶୁକ ଉବାଚ
ଏମନ୍ତେ ଧର୍ମସୁତ ଆଗେ । ନାରଦ ମୁନି ଅନୁରାଗେ ॥ ୨୫୪
କହନ୍ତି ସଭାମଧ୍ୟେ ବସି । ଶୁଣ ନୃପତି କୁରୁବଂଶୀ ॥ ୨୫୫
ନାରଦ ଉବାଚ
ଅସୁରସୁତ ବିଷ୍ଣୁ ଆଗେ । ଯେତେ ବର୍ଣ୍ଣିଲା ଭକ୍ତିମାର୍ଗେ ॥ ୨୫୬
ଶୁଣି ସନ୍ତୋଷ ନାରାୟଣ । ଯେ ହରି ପରମ କାରଣ ॥ ୨୫୭
ସୁପ୍ରୀତେ ତାଙ୍କୁ କୋଳେ ଧରି । ପ୍ରଚଣ୍ଡ କୋପ ପରିହରି ॥ ୨୫୮
କହନ୍ତି ମଧୁର-ବଚନ । ଶୁଣ ହେ ଅସୁରନନ୍ଦନ ॥ ୨୫୯
ନୃସିଂହ ଉବାଚ
ସନ୍ତୋଷେ ଜାଣିଲି ତୋ ଭାବ । ଏ ନରଲୋକେ ସୁଦୁର୍ଲ୍ଲଭ ॥ ୨୬୦
ମୁଁ କାମ ପୂରାଏ ପ୍ରାଣୀର । ଆତ୍ମାନୁରୂପେ ମାଗ ବର ॥ ୨୬୧
ଯେ ପ୍ରୀତି ନ କରଇ ମୋତେ । ମୁଁ ତାକୁ ଦୁର୍ଲ୍ଲଭ ଜଗତେ ॥ ୨୬୨
ମୋତେ ଯେ ଦେଖଇ ନୟନ । ତାର କି ତପେ ପ୍ରୟୋଜନ ॥ ୨୬୩
ଏ ଘେନି ଜ୍ଞାନୀଜନ ଯେତେ । ଭାବେ ଭଜନ୍ତି ନିତ୍ୟେ ମୋତେ ॥ ୨୬୪
ଚିତ୍ତ ପ୍ରସନ୍ନେ ବର ଦେଇ । ସର୍ବ ଆଶିଷ ପତି ମୁହିଁ ॥ ୨୬୫
ନାରଦ ଉବାଚ
ଏମନ୍ତ ବର-ଲୋଭ କହି । ମନ ମୋହିଲେ ଭାଗଗ୍ରାହୀ ॥ ୨୬୬
ଏକାନ୍ତ ଭକ୍ତି ହୃଦେ ତାର । ବରେ ନକଲା ଅଙ୍ଗୀକାର ॥ ୨୬୭
ଏମନ୍ତ ମହିମା ଯାହାର । ଦେବମାନବେ ଅଗୋଚର ॥ ୨୬୮
ଯେ ଏହା ଆରତେ ଶୁଣନ୍ତି । ପଢ଼ନ୍ତି ଅବା ନିତିନିତି ॥ ୨୬୯
ସେ ସର୍ବେ ସଙ୍କଟୁ ତରନ୍ତି । ହରିପାଦରେ ଲଭେ ଭକ୍ତି ॥ ୨୭୦
ଶୁଣ ସୁଜନେ ଏହୁ ରସ । ହରିବ ଦୁର୍ଗତି ଅଶେଷ ॥ ୨୭୧
ସେ ପ୍ରହଲ୍ଲାଦ ପାଦଗତ । ନମଇଁ ବିପ୍ର ଜଗନ୍ନାଥ ॥ ୨୭୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଭଗବତ୍ସ୍ତବୋନାମ ନବମୋଽଧ୍ୟାୟଃ ॥
* * *