ସପ୍ତମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ନାରଦ ଉବାଚ

ଏମନ୍ତେ ପ୍ରହଲ୍ଲାଦ ବାଣୀ । ବାଳକେ ସାବଧାନେ ଶୁଣି ॥

ଭାଳନ୍ତି ପୁଣି ମନେ ମନ । ନିନ୍ଦନ୍ତି ଗୁରୁଙ୍କ ବଚନ ॥

ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଭାଳି ସର୍ବେ ଯାଇ ॥

ଗୁରୁଙ୍କ ଆଗେ ଜଣାଇଲେ । ସଂକ୍ଷେପି ସକଳ କହିଲେ ॥

ଶିଷ୍ୟଙ୍କ ବାକ୍ୟ ଶୁଣି ଗୁରୁ । ମନେ ପାଇଲେ ଚିନ୍ତାଗରୁ ॥

ଏକାନ୍ତ ବୁଦ୍ଧି ତ ଏହାର । ଅନ୍ୟେ ଅଲକ୍ଷ୍ୟ ଅଗୋଚର ॥

ସତ୍ୟସଂଯୁତେ ଆବୋରିଲା । ବାଳକବୁଦ୍ଧି ନାଶ କଲା ॥

ଯେବେ ଏହାର ବୋଲେ ଥିବେ । ସର୍ବ ବାଳକ ନାଶ ଯିବେ ॥

ଏମନ୍ତ ହୃଦୟେ ବିଚାରି । ରାଜଦଣ୍ଡକୁ ଭୟ କରି ॥

ବେଗେ ରାଜାର ଆଗେ ଆସି । ବିସ୍ତାରି କହିଲେ ବିଶ୍ୱାସି ॥ ୧୦

ରାଜନ ଶୁଣି ସର୍ବକଥା । ମନେ ପାଇଲା ଗରୁବ୍ୟଥା ॥ ୧୧

ପୁତ୍ରର ଅନ୍ୟାୟ ବଚନ । ଶୁଣି ଅସୁର ଛନଛନ ॥ ୧୨

କ୍ରୋଧେ କମ୍ପଇ ତା ଶରୀର । ସର୍ପ ଯେସନେ ଫୁଫୁକାର ॥ ୧୩

ଅନେକ ମତେ ବିଚାରିଲା । ପୁତ୍ରମାରଣେ ମନଦେଲା ॥ ୧୪

ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ପ୍ରଚଣ୍ଡ-କୋପେ ବୀରମଣି ॥ ୧୫

ଅରୁଣନୟନେ ସେ ଚାହେଁ । ପାପିଷ୍ଠ-ପଣେ କାଳଭୟେ ॥ ୧୬

ପ୍ରହ୍ଲାଦ ପିତାର ଅଗ୍ରତେ । କର-ଅଞ୍ଜଳି ଦେଇ ମାଥେ ॥ ୧୭

ବିନୟଭାବେ ଅବନତ । ସ୍ୱଭାବ ଶୀଳ ଶାନ୍ତ ଦାନ୍ତ ॥ ୧୮

ଚରଣେ ନମସ୍କାର କଲେ । ସର୍ବବାଳକ ସଙ୍ଗମେଳେ ॥ ୧୯

ଏମନ୍ତେ ପୁତ୍ରକୁ ଅନାଇଁ । ଚିତ୍ତେ ପ୍ରଚଣ୍ଡ କୋପ ବହି ॥ ୨୦

ଗର୍ଜଇ ମନେ କରି ତାପ । ପାଦ ପ୍ରହାରେ ଯେହ୍ନେ ସର୍ପ ॥ ୨୧

ସ୍ୱଭାବେ ଦାରୁଣ ଅସୁର । ଦିଶଇ ଯେହ୍ନେ ଦିବାକର ॥ ୨୨

ପ୍ରଳୟାଳନ-କୋପ ବହି । ବୋଲଇ ପୁତ୍ର ମୁଖ ଚାହିଁ ॥ ୨୩

ହିରଣ୍ୟକଶିପୁ ଉବାଚ

ଆରେ ଦୁର୍ବୃତ୍ତ ମନ୍ଦବୁଦ୍ଧି । ଅଧମ ଦୁଷ୍ଟ କୁଳଭେଦୀ ॥ ୨୪

ମୋହର କୋପେ ତିନିପୁର । ଭୟେ କମ୍ପନ୍ତି ଥରହର ॥ ୨୫

ତ୍ରାସେ କମ୍ପନ୍ତି ଦିଗପାଳେ । ନକ୍ଷତ୍ରେ ଗଗନମଣ୍ଡଳେ ॥ ୨୬

ନିର୍ଭୟଚିତ୍ତେ ମୂଢ଼ପଣେ । ମୋ ଆଜ୍ଞା ଭାଙ୍ଗି ଅପ୍ରମାଣେ ॥ ୨୭

କୁପୁତ୍ର ମୋର କୁଳାଙ୍ଗାର । ଆଜି ପେଷିବି ଯମପୁର ॥ ୨୮

କାହାର ବୋଲେ ଦୁଷ୍ଟପଣେ । ମୋ ଆଜ୍ଞା ଭାଙ୍ଗୁ କି କାରଣେ ॥ ୨୯

ପ୍ରହ୍ଲାଦ ଉବାଚ

ଶୁଣ ପିଅର ମୋର ବାଣୀ । ତୁ ଯେ ତ୍ରୈଲୋକ୍ୟେ ବୀରମଣି ॥ ୩୦

ଏ କଥା ଅନୁଚିତ ତୋର । କହଇ ଶୁଣ ନୃପବର ॥ ୩୧

ଯେଉଁ ପ୍ରଭୁର ବଳେ ମୁହିଁ । ଜୀବକୁ ସମାନ ମଣଇ ॥ ୩୨

ତୋର ମୋହର ଆଦି କରି । ଅପରେ ଯେତେ ଦେହଧାରୀ ॥ ୩୩

ଜଗତେ ମହାବଳୀ ଯେତେ । ସ୍ଥାବର ଜଙ୍ଗମ ସହିତେ ॥ ୩୪

ବ୍ରହ୍ମାଦି ଯେତେ ସୁରଦେବା । ଯାର ଚରଣେ କରେ ସେବା ॥ ୩୫

ଯେ ହରି କାଳ-କର୍ମରୂପୀ । ଜଗଦୀଶ୍ୱର ବିଶ୍ୱବ୍ୟାପି ॥ ୩୬

ପ୍ରାଣୀଙ୍କ ବଳ ପ୍ରାଣ ସେହି । ବାହ୍ୟ ଅନ୍ତରେ ଶୁଦ୍ଧଦେହୀ ॥ ୩୭

ଇନ୍ଦ୍ରଦେବତା ଇନ୍ଦ୍ରିଗଣ । ଇନ୍ଦ୍ରିୟ-ବିଷୟ କାରଣ ॥ ୩୮

ସେ ବିଷ୍ଣୁ ସଂସାର ସର୍ଜଇ । ତ୍ରିଗୁଣ ମାୟା ସଙ୍ଗେ ଲଇ ॥ ୩୯

ଭୁଞ୍ଜଇ ଅଶେଷ ଶରୀରେ । କ୍ରୀଡ଼ାର ଅନ୍ତେ ଅନ୍ତଃକରେ ॥ ୪୦

ହେ ତାତ ଜାଣି ତାଙ୍କୁ ସ୍ମର । ଅସୁରଭାବ ଦୂର କର ॥ ୪୧

ଆତ୍ମାକୁ ଆତ୍ମଜ୍ଞାନେ ରଖ । ସକଳଘଟେ ସମ ଦେଖ ॥ ୪୨

ଯେ ଭାବେ ରିପୁ-ମିତ୍ର ନାହିଁ । ସେ ଭାବେ ରହ ମନ ଧ୍ୟାୟି ॥ ୪୩

ମିତ୍ର ଉଦାସ ଶତ୍ରୁପଣେ । ମନହୁଁ ଅନ୍ୟ ନାହିଁ ଜଣେ ॥ ୪୪

ଏ ଭାବେ ଚିନ୍ତି ହୁଅ ସ୍ଥିର । କୃଷ୍ଣ-ସନ୍ତୋଷେ କର୍ମ କର ॥ ୪୫

ତୁ ଯେ ବୋଲାଉ ବୀରମଣି । ଏ ତିନି ଭୁବନେ କାରେଣୀ ॥ ୪୬

ଏ ତିନିଭୁବନ ଆବୋରି । ଭୁଞ୍ଜୁ ତୁ ଅକଣ୍ଟକ-ଶିରୀ ॥ ୪୭

ମନେ ବିଚାର କରୁ ତୁହି । ସଂସାରେ ରିପୁ ମୋର ନାହିଁ ॥ ୪୮

ଭୋ ତାତ ଦୋଷ କର ତ୍ରାହି । କହିବି ଶୁଣ ମନ ଦେଇ ॥ ୪୯

ବ୍ରହ୍ମାଣ୍ଡେ ଯେତେ ଗୁଣ ଅଛି । ସେ ଗୁଣ ପିଣ୍ଡ ମଧ୍ୟେ ଲକ୍ଷି ॥ ୫୦

ଯେ ଷଡ଼ରିପୁ କାମ ଆଦି । ହୃଦୟମଧ୍ୟେ ଛନ୍ତି ଭେଦି ॥ ୫୧

ମନକୁ କରି ସେନାପତି । ଆତ୍ମାର ସମ୍ପଦ ଲୁଟନ୍ତି ॥ ୫୨

ଏ ଦଶଇନ୍ଦ୍ରି ଦିଗପାଳେ । ଆତ୍ମାକୁ ନାଶନ୍ତି ସମୂଳେ ॥ ୫୩

ଏହାଙ୍କୁ ଦେହେ ନ ନିବାରୁ । ମୁଁ ବୀର ବୋଲି ଗର୍ବ କରୁ ॥ ୫୪

ଏହାକୁ ଜିଣିବୁ ଯେମନ୍ତେ । ଏବେ ହୋ ଦୃଢ଼କର ଚିତ୍ତେ ॥ ୫୫

ନାରଦ ଉବାଚ

ଏମନ୍ତେ ପ୍ରହଲ୍ଲାଦ ବାଣୀ । ଅସୁର ଦେହ କମ୍ପେ ଶୁଣି ॥ ୫୬

ବୋଲଇ ପୁତ୍ରମୁଖ ଚାହିଁ । ନିଶ୍ଚେ ମରିବୁ ଆଜ ତୁହି ॥ ୫୭

ଅଧିକ ଯେତେକଥା କହୁ । ତୁ ଏ ଅସୁର ଜନ୍ମ ନୋହୁ ॥ ୫୮

ମୃତ୍ୟୁ ଯାହାର ସନ୍ନିଧାନ । ମନୁଁ ହରଇ ତାର ଜ୍ଞାନ ॥ ୫୯

ଆତ୍ମାର ଗତି ନ ପ୍ରମାଣି । ବାତୁଳଭାବେ କହୁ ବାଣୀ ॥ ୬୦

ଜୀବନ୍ତେ ଭାଗ୍ୟ ନାହିଁ ତୋର । ବଚନ କହୁ ଅଗୋଚର ॥ ୬୧

ଏ ତିନିପୁରେ ମୁଁ ଈଶ୍ୱର । ମୋ ତହୁଁ କେବା ଅଛି ଆର ॥ ୬୨

କାହାର ବୋଲେ ତୁ ପାମର । ମୋ ବାକ୍ୟେ ଅବଜ୍ଞା ତୋହର ॥ ୬୩

ସ୍ଥାବର ଜଙ୍ଗମ ସହିତେ । ମୁହିଁ ପାଳଇ ଏ ଜଗତେ ॥ ୬୪

ମୋ ତହୁଁ ଯେବେ ଅଛି ଭିନ୍ନେ । ଈଶ୍ୱର ଏ ତିନିଭୁବନେ ॥ ୬୫

ତୁ ଯେ ବୋଲୁ ମୋ ପ୍ରଭୁ ହରି । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ॥ ୬୬

ଆଜ ତୁ ମୋହର ସମକ୍ଷେ । ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ ॥ ୬୭

ସେ ଯେବେ ସର୍ବ ବ୍ୟାପି ଥାଇ । ଏ ସ୍ତମ୍ଭେ କିମ୍ପା ନ ଦିଶଇ ॥ ୬୮

ତୁ ଯେବେ ବୋଲୁ ମୋର ସଖା । ପ୍ରତ୍ୟକ୍ଷେ ସ୍ତମ୍ଭମଧ୍ୟେ ଦେଖା ॥ ୬୯

ଆଜ ଛେଦିବି ତୋର ଶିର । ଆସି ରଖୁ ତୋ ଚକ୍ରଧର ॥ ୭୦

ଏମନ୍ତେ ପିତାର ବଚନେ । ପ୍ରହ୍ଲାଦ ଭୟ କଲା ମନେ ॥ ୭୧

ବାଳକ କୃଷ୍ଣର ବିଶ୍ୱାସେ । ଚଞ୍ଚଳେ ଚାହେଁ ଦଶଦିଶେ ॥ ୭୨

ଦେଖିଲା ସ୍ତମ୍ଭମଧ୍ୟେ ହରି । ଶଙ୍ଖ କମଳ ଚକ୍ରଧାରୀ ॥ ୭୩

ଉଦ୍ଦଣ୍ଡ-ଗଦା ଶୋହେ କରେ । ପ୍ରକାଶ ସ୍ତମ୍ଭର ଭିତରେ ॥ ୭୪

ବୋଲଇ ପିତାମୁଖ ଚାହିଁ । କପାଳେ ବେନିକର ଦେଇ ॥ ୭୫

ଭୋ ତାତ ସ୍ତମ୍ଭ ମଧ୍ୟେ ହରି । ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି ॥ ୭୬

ଏମନ୍ତେ ପୁତ୍ରମୁଖୁଁ ଶୁଣି । କୋପେ ଅସୁର ନୃପମଣି ॥ ୭୭

ଡେଇଁ ଉଠିଲା ଶିରଝୁଣି । ଖଡ଼ଗ କରେ ବୀରମଣି ॥ ୭୮

ପୁତ୍ରକୁ ଚାହିଁ କୋପ ଦୃଷ୍ଟି । ଓଷ୍ଠେ ଚାପିଣ ଦନ୍ତ ପାଟି ॥ ୭୯

ତୀକ୍ଷ୍ମ ଖଡ଼ଗ ଧରି କରେ । ଅସୁର ଉଠି କୋପଭରେ ॥ ୮୦

ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି । ପ୍ରହାର କଲା ପାଦ-ମୁଷ୍ଟି ॥ ୮୧

ତକ୍ଷଣେ ଘୋରନାଦ କରି । ସ୍ତମ୍ଭ ଭିତରେ ନରହରି ॥ ୮୨

ଅତି ଭୀଷଣ ଘୋରନାଦେ । ବ୍ରହ୍ମାଣ୍ଡ ପୂରିଲା ଶବଦେ ॥ ୮୩

ବ୍ରହ୍ମାଦି ଭୁବନପାଳକେ । ଭୟେ କମ୍ପିଲେ ଏକେ ଏକେ ॥ ୮୪

ଶବଦ ଶୁଭେ ଘଡ଼ଘଡ଼ି । ବ୍ରହ୍ମାଣ୍ଡ ପଡ଼ିଲା କି ଝଡ଼ି ॥ ୮୫

ଅଦ୍ଭୁତ ଘୋରନାଦ ଶୁଣି । କୋପେ ଧାଇଁଲା ଖଡ୍ଗ ଘେନି ॥ ୮୬

ଦେଖି କମ୍ପିଲେ ଦିଗପାଳ । ଧଇଲା ପ୍ରହଲ୍ଲାଦ ବାଳ ॥ ୮୭

ଦେଖିଲା ସ୍ତମ୍ଭେ କେହି ନାହିଁ । ବୋଲଇ ପୁତ୍ରମୁଖ ଚାହିଁ ॥ ୮୮

ଆଜ ପେଷିବି ଯମପୁର । ଦେଖା ତୁ ସ୍ତମ୍ଭେ ଚକ୍ରଧର ॥ ୮୯

ସେ ପ୍ରଭୁ ଭକତବତ୍ସଳ । ଦେଖିଲେ ଭୃତ୍ୟର ବିକଳ ॥ ୯୦

ଯେ ହରି ସର୍ବଭୂତେ ପୂରି । ଭକ୍ତ ବଚନ ସତ୍ୟ କରି ॥ ୯୧

ସ୍ତମ୍ଭର ମଧ୍ୟେ ଦଇତ୍ୟାରି । ନରକେଶରୀ ରୂପ ଧରି ॥ ୯୨

ଅଦ୍ଭୁତ ରୂପ ଦେବରାୟେ । ଶୋହେ ମନୁଷ୍ୟ-ପଶୁକାୟେ ॥ ୯୩

ଅଦ୍ଭୁତ ରୂପ ଭୟଙ୍କର । ଦେଖି ବିଚାରଇ ଅସୁର ॥ ୯୪

ଏ ରୂପ ଦେଖିଲା ତ ନାହିଁ । ସ୍ତମ୍ଭେ ଏ ପ୍ରକାଶିଲା କାହିଁ ॥ ୯୫

ଦଗ୍ଧସୁବର୍ଣ୍ଣ ପ୍ରାୟେ ବର୍ଣ୍ଣ । କର୍କଶ-ପିଙ୍ଗଳ-ଲୋଚନ ॥ ୯୬

ସ୍ଫୁରିତ-କେଶର କମ୍ପନେ । ଜଳଦେ ଉଡ଼ିଲେ ଗଗନେ ॥ ୯୭

ବିସ୍ତାରତୁଣ୍ଡ ବେନିକଳେ । ଜିହ୍ୱା ବୁଲାନ୍ତି ଅନ୍ତରାଳେ ॥ ୯୮

ବିକଟ-ଦନ୍ତ ବେନିପାଟି । ନିଷ୍ଠୁର ଚଞ୍ଚଳ ଭୂକୁଟୀ ॥ ୯୯

ଊର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ । ଗିରି-ଗୁହାର ପ୍ରାୟେ ହୋଇ ॥ ୧୦୦

ନାସିକା-ରନ୍ଧ୍ର ଅନ୍ଧକାର । ବିସ୍ତାର ହନୁ ମହାଘୋର ॥ ୧୦୧

ଅଦୀର୍ଘ ସ୍ଥୂଳ ଗ୍ରୀବାଦେଶ । ଶରୀର ସ୍ପରଶେ ଆକାଶ ॥ ୧୦୨

ବିସ୍ତାର ବକ୍ଷସ୍ଥଳ ସାଜେ । କ୍ଷୀଣ-ଉଦର ଯେ ବିରାଜେ ॥ ୧୦୩

ଚନ୍ଦ୍ରଗଉର ତନୁରୁହେ । ବିଶ୍ୱ ପୂରତି ବିଶ୍ୱଦେହେ ॥ ୧୦୪

କର ଚରଣ ନଖାୟୁଧ । ତା ଦେଖି କମ୍ପିଲେ ବିବୁଧ ॥ ୧୦୫

ଅସୁର ପଳାଇଲେ ତ୍ରାସେ । ଭୟେ ଲୁଚିଲେ ଦଶଦିଶେ ॥ ୧୦୬

ଏମନ୍ତ ରୂପ ଦେଖି ଆଗେ । ଦାନବପତି ମହାରାଗେ ॥ ୧୦୭

ଗଦା ବୁଲାଇ ଅତି ଖରେ । ଧାଇଁଲା ନୃସିଂହ ଉପରେ ॥ ୧୦୮

ଘୋର ଶବଦେ ମହାବୀର । ଦେଖି କମ୍ପିଲେ ସୁରନର ॥ ୧୦୯

ଯେ ହରି ମାୟାବୀଙ୍କ ବର । ତା କାହିଁ ଜାଣିବ ଅସୁର ॥ ୧୧୦

ଧାମଇଁ ଗଦା ତୋଳି ହସ୍ତେ । ଅଗ୍ନିକି ପତଙ୍ଗ ଯେମନ୍ତେ ॥ ୧୧୧

ଗଦା ଉଞ୍ଚାଇ ମହାବୀର । ପିଟିଲା ନୃସିଂହ ଉପର ॥ ୧୧୨

ପୁଣି ପ୍ରହାରେ ବାମ-ଦକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥ ୧୧୩

ଅତି ବିକ୍ରମ-ତେଜ ଦେଖି । ନୃସିଂହ ଉନ୍ମୀଳେ ନିରେଖି ॥ ୧୧୪

କର ପ୍ରସାରି ନରହରି । ତକ୍ଷଣେ ଅସୁରକୁ ଧରି ॥ ୧୧୫

ଗଦାଏ ଅଛି ତାର ହସ୍ତେ । ସର୍ପକୁ ଗରୁଡ଼ ଯେମନ୍ତେ ॥ ୧୧୬

ତକ୍ଷଣେ ଦାନବ ନୃପତି । ହସ୍ତରୁ ଗଳି ଚିତ୍ରଗତି ॥ ୧୧୭

ଗରୁଡ଼ ହସ୍ତୁ ଯେହ୍ନେ ନାଗ । ପଡ଼ି ଧାମଇଁ ଅତି ବେଗ ॥ ୧୧୮

ଓଷ୍ଠ କାମୋଡ଼ି ଅତି ବଳେ । ଦେଖି ଡରିଲେ ଦିଗପାଳେ ॥ ୧୧୯

ଅସାଧ୍ୟ ଦେଖି ଦେବଗଣେ । ମେଘେ ଲୁଚିଲେ ତତକ୍ଷଣେ ॥ ୧୨୦

ନୃସିଂହ ହସ୍ତୁ ଯାନ୍ତେ ଗଳି । ଦେବେ ଭାଳନ୍ତି ଶୂନ୍ୟେ ମିଳି ॥ ୧୨୧

ପୁଣି ଅସୁର ନାଦ କରି । ତକ୍ଷଣେ ଖଡ୍ଗ-ଚର୍ମ ଧରି ॥ ୧୨୨

ଚର୍ମେ ଶୋଭିତ ଶତଚନ୍ଦ୍ର । ଦୁର୍ଜୟ ଅସୁର ନରେନ୍ଦ୍ର ॥ ୧୨୩

ଖଡ୍ଗ-ମଣ୍ଡଳ ଗତି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥ ୧୨୪

ଶୂନ୍ୟେ ଉଡ଼ଇ ବାହୁବଳେ । ପୁଣି ମିଳଇ ଭୂମିତଳେ ॥ ୧୨୫

ଚଣ୍ଡାଟ୍ଟହାସେ ନରହରି । କୋପେଣ ଅସୁରକୁ ଧରି ॥ ୧୨୬

ଦୃଢ଼େ ଚାପନ୍ତେ ପୁଣି ଗଳି । ତଳେ ପଡ଼ିଲା ମହାବଳୀ ॥ ୧୨୭

ପୁଣି ଧରନ୍ତି ଅତିବେଗେ । ବଳେ ଉଛୁଡ଼େ ଦଶଦିଗେ ॥ ୧୨୮

ପୁଣିହିଁ ଚାପିଲେ ଅଧରେ । ମୂଷିକେ ଯେହ୍ନେ ସର୍ପଧରେ ॥ ୧୨୯

ସ୍ୱଭାବେ ଦୁର୍ଜୟ ଅସୁର । ବଜ୍ରହୁଁ କଠିନ ଶରୀର ॥ ୧୩୦

ନୃସିଂହ-ହିରଣ୍ୟର ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ ॥ ୧୩୧

ସଂକ୍ଷେପି କହିବଇଁ କେତେ । ପୁରାଣମତେ ଭିନ୍ନ ଯେତେ ॥ ୧୩୨

ଉରୁ ଉପରେ ନରହରି । ଉତ୍ତାନ କରି ତାକୁ ଧରି ॥ ୧୩୩

ବାମ ଦକ୍ଷିଣ ବେନିକରେ । ଲୀଳାମାତ୍ରକେ ନଖାଙ୍କୁରେ ॥ ୧୩୪

ରୋଷେ ହୁଁକାର ନାଦକରି । ହୃଦୟକମଳ ବିଦାରି ॥ ୧୩୫

ଦେବେ ଦେଖନ୍ତି ଥାଇ ଶୂନ୍ୟେ । ସର୍ପକୁ ଗରୁଡ଼ ଯେସନେ ॥ ୧୩୬

ଅସୁର-ହୃଦୟ-ରୁଧିରେ । ତିନ୍ତିଲା ଲଲାଟ-କେଶରେ ॥ ୧୩୭

ସିଂହ ଯେସନେ ଗଜ ମୁଣ୍ଡେ । ବସି ବିଦାରେ ଧରି ତୁଣ୍ଡେ ॥ ୧୩୮

ଅସୁର ହୃଦୟକମଳ । ବିଦାରି ଅନ୍ତ କଲେ ମାଳ ॥ ୧୩୯

କୋପେ ଚାହାଁନ୍ତେ ଦଶଦିଶେ । ଦୈତ୍ୟେ ମିଳିଲେ ଆସି ପାଶେ ॥ ୧୪୦

ନାନା ଆୟୁଧ ଧରି କରେ । ପିଟିଲେ ନୃସିଂହ ଉପରେ ॥ ୧୪୧

ତାହାଙ୍କୁ ଧରି ତତକ୍ଷଣେ । ନଖେ ବିଦାରିଲେ ଆପଣେ ॥ ୧୪୨

ସହସ୍ର ସହସ୍ର ଅସୁର । ସମରେ ଗଲେ ଯମପୁର ॥ ୧୪୩

ଅସୁରବଳ ରଣେ ମାରି । କୋପେ ଧାଇଁଲେ ନରହରି ॥ ୧୪୪

କଟା କମ୍ପନ ଘୋରବାତେ । ମେଘେ ଉଡ଼ିଲେ ଶୂନ୍ୟପଥେ ॥ ୧୪୫

ଶବଦ ଶୁଭେ ଘଡ଼ଘଡ଼ି । ଗଗନମାର୍ଗେ ପଡ଼େ ହୁରି ॥ ୧୪୬

ଗ୍ରହ-ନକ୍ଷତ୍ର ମାଳମାଳ । ସ୍ୱର୍ଗୁ ପଡ଼ିଲେ ମହୀତଳ ॥ ୧୪୭

ଊର୍ଦ୍ଧ୍ୱେ ଚାହାଁନ୍ତେ କୋପାନଳେ । ଦେଖି ଡରିଲେ ଦିଗପାଳେ ॥ ୧୪୮

ନିଃଶ୍ୱାସବାତେ ସିନ୍ଧୁଜଳ । ଉଲ୍ଳୋଳ ଲହରୀ ସଙ୍କୁଳ ॥ ୧୪୯

ଦେବେ ଗଗନୁ ଗଲେ ତ୍ରାସେ । ଗଜେ ଉଡ଼ିଲେ ଅଷ୍ଟଦିଶେ ॥ ୧୫୦

ଶ୍ୱାସ-ପବନ-ଘାତ-ବଳେ । ବିମାନେ ଆକାଶ ମଣ୍ଡଳେ ॥ ୧୫୧

ଉଡ଼ିଲେ ସ୍ଥାନଭ୍ରଷ୍ଟ ହୋଇ । ପାଦ ବିଘାତେ କମ୍ପେ ମହୀ ॥ ୧୫୨

ନୃସିଂହ ଶରୀର ପବନେ । ପର୍ବତେ ଉଡ଼ିଲେ ଗଗନେ ॥ ୧୫୩

ଦିଶ ଆକାଶ ତେଜ ନାଶେ । ଧୂମ ଯେ ପ୍ରକାଶେ ଆକାଶେ ॥ ୧୫୪

ଦିଗ ଅଦୃଶ୍ୟ ଧୂମାକୁଳେ । ନିଃଶ୍ୱାସ ପବନ ନ ଚଳେ ॥ ୧୫୫

ଏମନ୍ତେ ଅସୁର ସଂହାରି । ସଭାର ମଧ୍ୟେ ବିଜେକରି ॥ ୧୫୬

ବସିଲେ ଅସୁର ଆସନେ । ଯେହୁ ପୂଜିତ ତ୍ରିଭୁବନେ ॥ ୧୫୭

ଦେଖି ଅସୁର ପଳାଇଲେ । ଯେ ଅବା ଅବଶେଷ ଥିଲେ ॥ ୧୫୮

ଶସ୍ତ୍ର ଧରନ୍ତା ନାହିଁ କେହି । ଭାଜିଲେ ଚଉଦିଗେ ଚାହିଁ ॥ ୧୫୯

ହିରଣ୍ୟକଶିପୁ ଅସୁର । ତ୍ରୈଲୋକ୍ୟ କଲା ସେହୁ ଜୂର ॥ ୧୬୦

ସଂଗ୍ରାମେ ହରି ତା ଜୀବନ । ସୃଷ୍ଟି ରଖିଲେ ଭଗବାନ ॥ ୧୬୧

ଅସୁର-ନିଧନ-ସମ୍ବାଦେ । ବିବୁଧେ ପରମ ଆନନ୍ଦେ ॥ ୧୬୨

ନନ୍ଦନବନୁଁ ପୁଷ୍ପ ତୋଳି । ଶୂନ୍ୟେ ସକଳ ଦେବେ ମିଳି ॥ ୧୬୩

ହରଷ ଲୋଚନେ ଅନାଇଁ । ମଙ୍ଗଳସ୍ୱରେ ଗୀତ ଗାଇ ॥ ୧୬୪

ମିଳି ସକଳ ସୁରନାରୀ । ସାନନ୍ଦେ ପୁଷ୍ପବୃଷ୍ଟି କରି ॥ ୧୬୫

ଶୂନ୍ୟେ ଅସୁରେ ଭୟେ ଭାଳି । ଥିଲେ ଯେ ଦଶଦିଗେ ମିଳି ॥ ୧୬୬

ଗଗନେ ବିମାନ-ସଙ୍କୁଳେ । ମିଳିଲେ ଦଶଦିଗପାଳେ ॥ ୧୬୭

ଦୁନ୍ଦୁଭି ବାଦ୍ୟନାଦ କଲେ । ଗନ୍ଧର୍ବେ ଅପସରା ମେଳେ ॥ ୧୬୮

ହରଷେ ନୃତ୍ୟ-ଗୀତ କରି । ଚିତ୍ତ ଆନନ୍ଦେ ମୋଦଭରି ॥ ୧୬୯

ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେ । ଋଷିଏ ପିତୃ ସିଦ୍ଧ ମେଳେ ॥ ୧୭୦

ଉରଗ ବିଦ୍ୟାଧରଗଣ । ମନୁଏ ପ୍ରଜାପତି ପୁଣ ॥ ୧୭୧

ମିଳିଲେ ଗୃହ୍ୟକ ଚାରଣ । ଯକ୍ଷ କିଂପୁରୁଷ ଏମାନ ॥ ୧୭୨

ଆବର ବେତାଳ କିନ୍ନର । ଏ ଆଦି ଅଶେଷ ଅମର ॥ ୧୭୩

ମିଳିଲେ ବିଷ୍ଣୁ-ପାରିଷଦ । ସନକ ସୁନନ୍ଦ କୁମୁଦ ॥ ୧୭୪

କର ଅଞ୍ଜଳି ଶିରେ ଦେଇ । ମିଳିଲେ ବିଷ୍ଣୁପାଶେ ଯାଇ ॥ ୧୭୫

ପ୍ରଚଣ୍ଡ ତେଜ ମହାଘୋର । ଭୟେ ରହିଲେ କିଛି ଦୂର ॥ ୧୭୬

ରହିଲେ ସ୍ତମ୍ଭୀଭୂତ ହୋଇ । ସମୀପେ ନ ପାରିଲେ ଯାଇ ॥ ୧୭୭

ଭୟେ ଶଙ୍କିତ ଦିଗପାଳେ । ସ୍ତୁତି କରନ୍ତି ପାଦମୂଳେ ॥ ୧୭୮

ବ୍ରହ୍ମା ନୃସିଂହ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୯

ବ୍ରହ୍ମା ଉବାଚ

ନମସ୍ତେ ଅନନ୍ତ ମୂରତି । ଦୂରନ୍ତବୀର୍ଯ୍ୟ ତୋର ଶକ୍ତି ॥ ୧୮୦

ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା । ଅଶେଷ ତୋହର ମହିମା ॥ ୧୮୧

ଗୁଣ-ସଂଯୋଗେ ଲୀଳାମତେ । ସଂସାର ସୃଷ୍ଟି-ସ୍ଥିତି-ଅନ୍ତେ ॥ ୧୮୨

ଅଶେଷ ଯାହାର ମହିମା । କେ କହିପାରେ ଗୁଣସୀମା ॥ ୧୮୩

ସେ ପ୍ରଭୁ ଚରଣାରବିନ୍ଦେ । ପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ ॥ ୧୮୪

ସେ ହରି ପ୍ରସନ୍ନ ହୁଅନ୍ତୁ । ସକଳେ ଅଭୟ ଦିଅନ୍ତୁ ॥ ୧୮୫

ରୁଦ୍ର ଉବାଚ

ଯୁଗାନ୍ତକାଳ ତୋର କୋପ । ସ୍ୱଭାବେ ଅସୁର ଅଳପ ॥ ୧୮୬

ହେ ପ୍ରଭୁ ଭକତବତ୍ସଳ । ଦୁଷ୍ଟ-ଅସୁର ବିନାଶିଲ ॥ ୧୮୭

ତା ପୁତ୍ର ଭକ୍ତ ପ୍ରହଲ୍ଲାଦ । ଆଶ୍ରା ନେଇଛି ତୁମ୍ଭପାଦ ॥ ୧୮୮

ତା ସମ ଭକ୍ତ କେହି ନାହିଁ । ରଖ ତାହାକୁ ଭାବଗ୍ରାହୀ ॥ ୧୮୯

ଏ ସର୍ବ ତୋହର କିଙ୍କର । ଜଗତ ତୋର ଲୀଳାଘର ॥ ୧୯୦

ଇନ୍ଦ୍ର ଉବାଚ

ଇନ୍ଦ୍ର ଅଞ୍ଜଳି ଶିରେ ଦେଇ । ବୋଲେ ନୃସିଂହ କର ତ୍ରାହି ॥ ୧୯୧

ଏ ମହାସୁର ମହାବେଗେ । ଯଜ୍ଞ ଆରମ୍ଭେ ହବିର୍ଭାଗେ ॥ ୧୯୨

ବଳେ ଭୁଞ୍ଜଇ ଏ ଆକର୍ଷି । ଆମ ହୃଦୟପଦ୍ମେ ପଶି ॥ ୧୯୩

ତୁ ନାଥ ସର୍ବ ପ୍ରାଣୀଙ୍କର । ହୃଦୟପଦ୍ମେ ତୋର ଘର ॥ ୧୯୪

ସେ ପଦ୍ମ ଅସୁର-ଶଶାଙ୍କେ । ମୁଦ୍ରିତ ଥିଲା ଅତିରେକେ ॥ ୧୯୫

ତୁ ଏବେ ସୂର୍ଯ୍ୟ ରୂପ ଧରି । ହୃଦୟପଦ୍ମ ଭେଦ କରି ॥ ୧୯୬

ତୁ ତୋର ଗୃହ ସମାର୍ଜିଲୁ । ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ ॥ ୧୯୭

ଏ ଘୋର-ସଂସାର-ସାଗରେ । ପ୍ରାଣୀ ଜୀବନ ନିରନ୍ତରେ ॥ ୧୯୮

ଗ୍ରସ୍ତ କରଇ କାଳ ବଳେ । କିବା କହିବୁ ଅନ୍ତରାଳେ ॥ ୧୯୯

ତୋର ସେବକ-ପ୍ରାଣୀଙ୍କର । ତୁ ନାଥ ଶରଣ ସୋଦର ॥ ୨୦୦

ଋଷି ସକଳ ଏକମେଳେ । ସ୍ତୁତି କରନ୍ତି ପାଦତଳେ ॥ ୨୦୧

ଋଷିଗଣ ଉବାଚ

ତୋର ଚରଣ ଧ୍ୟାନ ଅର୍ଥେ । ତପ ସମ୍ପାଦି ଏ ଜଗତେ ॥ ୨୦୨

ତୋର ବଚନେ ଆମ୍ଭେ ରହି । ସଂସାରେ ବିପ୍ରଦେହ ବହି ॥ ୨୦୩

ସେ ତପ ସାଧିବାର କଷ୍ଟ । ବଳେ ହିରଣ୍ୟ କଲା ନଷ୍ଟ ॥ ୨୦୪

ତୋର ବଚନେ ତୋତେ ଭାବି । ଦୃଢ଼େ ପଦାରବିନ୍ଦେ ସେବି ॥ ୨୦୫

ସେ ତପ ହରିଲା ଆମ୍ଭର । ନିଜ ପ୍ରତାପେ ଏ ଅସୁର ॥ ୨୦୬

ଏବେ ଏହାକୁ ନାଶକରି । ଆମ୍ଭର ତପସ୍ୟା ଉଦ୍ଧରି ॥ ୨୦୭

ରଖିଲୁ ବିପ୍ର ଋଷି ଧର୍ମ । ତୁ ନାଥ ସର୍ବ-କୁଳ-କର୍ମ ॥ ୨୦୮

ପିତୃଗଣ ଉବାଚ

ଆମ୍ଭର ଶ୍ରାଦ୍ଧକର୍ମ ଯେତେ । ପୁତ୍ରେ କରନ୍ତି ବେଦମତେ ॥ ୨୦୯

ଆମ୍ଭ ଦିବସା-ଶ୍ରାଦ୍ଧକାଳେ । ଅସୁର ଭୁଞ୍ଜେ ଆସି ବଳେ ॥ ୨୧୦

ତିଳଉଦକ ଯେତେ ତୀର୍ଥେ । ପୁତ୍ରେ କରନ୍ତି ଧର୍ମମତେ ॥ ୨୧୧

ସେ ଶ୍ରାଦ୍ଧଜଳ ପାନ କରେ । ଅର୍ପିତ ଦାନ ବଳେ ହରେ ॥ ୨୧୨

ଆମ୍ଭର ଜଳପିଣ୍ଡ ଯେତେ । ଥିଲା ଅସୁର ଗର୍ଭଗତେ ॥ ୨୧୩

ନଖଅଙ୍କୁରେ ତାହା ଚିରି । ଆମ୍ଭଙ୍କୁ ଦେଲୁ ନରହରି ॥ ୨୧୪

ସିଦ୍ଧେ କହନ୍ତି ଯୋଡ଼ି କର । ଶୁଣିମା ଦେବ ଚକ୍ରଧର ॥ ୨୧୫

ସିଦ୍ଧଗଣ ଉବାଚ

ଆମ୍ଭର ଯୋଗସିଦ୍ଧି ଗତି । ବଳେ ହରିଲା ଦୈତ୍ୟପତି ॥ ୨୧୬

ତାହାକୁ ନଖେ ବିଦାରିଲୁ । ତୁ ନାଥ ଆମଙ୍କୁ ରଖିଲୁ ॥ ୨୧୭

ତୋର ଚରଣେ ନମସ୍କାର । ଯେଣୁ ତୁ ଶରଣ ସୋଦର ॥ ୨୧୮

କର ପ୍ରସାରି ବିଦ୍ୟାଧରେ । ବୋଲନ୍ତି ନୃସିଂହ ଛାମୁରେ ॥ ୨୧୯

ବିଦ୍ୟାଧର ଉବାଚ

ଆମ୍ଭର ଅନ୍ତର୍ଦ୍ଧାନ-ଗତି । ତୋର ପ୍ରସାଦେ ସେ ପ୍ରାପତି ॥ ୨୨୦

ତାହାକୁ ପଶୁବଧ ପ୍ରାୟେ । ସଂହାର କଲୁ ଦେବରାୟେ ॥ ୨୨୧

ମାୟା-ନୃସିଂହ-ଅବତାର । ଆମ୍ଭେ ଯେ ଶରଣ ତୋହର ॥ ୨୨୨

ନାଗ ସକଳେ ଜଣାବନ୍ତି । ଶୁଣ ହେ ପ୍ରଭୁ ଲକ୍ଷ୍ମୀପତି ॥ ୨୨୩

ନାଗଗଣ ଉବାଚ

ଆମ୍ଭ ଫଣାରେ ଯେତେ ମଣି । ଯା ଗୃହେ ଉତ୍ତମ ରମଣୀ ॥ ୨୨୪

ସର୍ବ ହରିଲା ବାହୁବଳେ । ଅଜେୟ ଭୁବନ ମଣ୍ଡଳେ ॥ ୨୨୫

ସେ ଭୟ ନିବାରି ଗୋବିନ୍ଦ । ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ ॥ ୨୨୬

ତୁ ନାଥ ସଂସାର ଉଦ୍ଧର । ତୋର ଚରଣେ ନମସ୍କାର ॥ ୨୨୭

ମନୁଗଣ ଉବାଚ

ବିଧାତା-ବଂଶେ ଅବତରି । ତୋହର ଆଜ୍ଞା ଶିରେ ଧରି ॥ ୨୨୮

ମନୁ ବୋଲାଉଁ ଏ ଜଗତେ । ଆମ୍ଭେ ଯେ ତୋହର ଆୟତ୍ତେ ॥ ୨୨୯

ଧର୍ମେ ସଂସାର-ଜନ ପାଳୁ । ତୁ ନାଥ ପରମ ଦୟାଳୁ ॥ ୨୩୦

ତୋର କିଙ୍କର ଆମ୍ଭ ଦେହ । କିବା କରିବୁ ଆଜ୍ଞା ଦିଅ ॥ ୨୩୧

ପ୍ରଜାପତିଏ ସ୍ତୁତି କରି । ବୋଲନ୍ତି ଶୁଣ ନରହରି ॥ ୨୩୨

ପ୍ରଜାପତିଗଣ ଉବାଚ

ତୋ ପ୍ରଜାସୃଷ୍ଟିର ପାଳନେ । ଆମ୍ଭଙ୍କୁ ସୃଜି ବିଦ୍ୟମାନେ ॥ ୨୩୩

ରଖିଲୁ ପ୍ରଜାପାଳ କରି । ଆମ୍ଭେ ତୋ ଆଜ୍ଞା ଶିରେ ଧରି ॥ ୨୩୪

ସୃଷ୍ଟି-ପାଳନ କରୁ ଭଲେ । ମାନବ-ପ୍ରଜାପତି ତୁଲେ ॥ ୨୩୫

ଅସୁର-ଭୟ ଚିତ୍ତେ ବହି । ସ୍ଥାନେ ନ ପାରୁ ଆମ୍ଭେ ରହି ॥ ୨୩୬

ସେ ବୀର ତୋର ନଖଘାତେ । ମରି ପଡ଼ିଛି ଭୂମିଗତେ ॥ ୨୩୭

ତୁ ସତ୍ତ୍ୱମୂର୍ତ୍ତି ଦାମୋଦର । ଏ ତୋ ନୃସିଂହ-ଅବତାର ॥ ୨୩୮

ଜଗତ-ମଙ୍ଗଳ-ବିଧାନ । ସଂସାର ରଖ ଭଗବାନ ॥ ୨୩୯

ଗନ୍ଧର୍ବେ ନୃସିଂହ ଚରଣେ । କହନ୍ତି ଭକ୍ତି ଅନୁମାନେ ॥ ୨୪୦

ଗନ୍ଧର୍ବଗଣ ଉବାଚ

ଭୋ ନାଥ ତୋହର ବଚନେ । ନିତ୍ୟେ ଦେବଙ୍କ ସନ୍ନିଧାନେ ॥ ୨୪୧

ନୃତ୍ୟ-ଖଟଣି ଗୀତ ସ୍ୱରେ । ଖଟୁ ଯେ ଥିଲୁ ନିରନ୍ତରେ ॥ ୨୪୨

ଏବେ ତାଣ୍ଡବେ ଦୈତ୍ୟ ପାଶେ । ନିରତେ ଖଟୁ ଅବକାଶେ ॥ ୨୪୩

ଭୟେ ନପାରୁ ସ୍ଥାନେ ରହି । ତାହାର ଆଜ୍ଞା ଶିରେ ବହି ॥ ୨୪୪

ଉତ୍ପଥଗାମୀ ଜନଙ୍କର । କେବେହେଁ ନାହିଁ ସୁଖସାର ॥ ୨୪୫

ତୋହର ଚରଣ ପ୍ରସାଦେ । ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ ॥ ୨୪୬

ଚାରଣେ ମିଳିଣ ଜଣାନ୍ତି । ଶୁଣ ହେ ପ୍ରଭୁ ଶିରୀପତି ॥ ୨୪୭

ଚାରଣଗଣ ଉବାଚ

ଭୋ ହରି ଚରଣ ତୋହର । ଚତୁରବର୍ଗ ସୁଖକର ॥ ୨୪୮

ସଂସାର ନିବୃତ୍ତି କାରଣ । ଭୋ ନାଥ ତୋହର ଚରଣ ॥ ୨୪୯

ସେ ପାଦସେବା ଆମ୍ଭେ ଛାଡ଼ି । ଅସୁରଘରେ ବନ୍ଦୀ ପଡ଼ି ॥ ୨୫୦

ସେ ଘୋର ଦୁଃଖ ଏବେ ଗଲା । ଯେଣୁ ଅସୁର ବୀର ମଲା ॥ ୨୫୧

ଯକ୍ଷ ସକଳେ ମନ ସ୍ଥିରେ । କହନ୍ତ ନୃସିଂହ ଛାମୁରେ ॥ ୨୫୨

ଯକ୍ଷଗଣ ଉବାଚ

ସେବକ ଲୋକ ଆମ୍ଭେ ତୋର । ନିରତେ ଚରଣେ କିଙ୍କର ॥ ୨୫୩

ଅନେକ ପୁଣ୍ୟ ସାଧି ପୂର୍ବେ । ତୋର ଚରଣ ସେବୁ ଆମ୍ଭେ ॥ ୨୫୪

ଆମ୍ଭକୁ ଦିତିସୁତ ନେଇ । ବାହାନ କରେ ଦୁଃଖଦେଇ ॥ ୨୫୫

ସେ ଦୈତ୍ୟ ଜନ ପରିତାପେ । ପ୍ରାଣ ଛାଡ଼ିଲା ତୋର କୋପେ ॥ ୨୫୬

କହନ୍ତି କିଂପୁରୁଷ ମାନ । ଶୁଣିମା ପ୍ରଭୁ ଭଗବାନ ॥ ୨୫୭

କିଂପୁରୁଷ ଉବାଚ

ତୁ ମହାପୁରୁଷ ଈଶ୍ୱର । ଆମ୍ଭେ କିଙ୍କରଗଣ ତୋର ॥ ୨୫୮

କୁତ୍ସିତ-ପୁରୁଷ ଏ ନଷ୍ଟ । ସାଧୁ ବର୍ଜିତ ମହାଦୁଷ୍ଟ ॥ ୨୫୯

ଅନ୍ୟାୟକର୍ମ ଆଚରିଲା । ତୋର ପ୍ରତାପେ ନାଶଗଲା ॥ ୨୬୦

ବୈତାଳିକଗଣ ଉବାଚ

ଆମ୍ଭେ ସାଧୁଙ୍କ ସଭାମଧ୍ୟେ । ଯଜ୍ଞ-ଆରମ୍ଭ-ପରିବନ୍ଧେ ॥ ୨୬୧

ତୋର ନିର୍ମଳ-ଯଶ ଗାଇ । ସତ୍କାର-ପୂଜା-ଧର୍ମ ପାଇ ॥ ୨୬୨

ଆନନ୍ଦେ ଭୁଞ୍ଜୁ ସାଧୁମେଳେ । ଏ ମହାସୁର ତାହା ବଳେ ॥ ୨୬୩

ତୋହର ଯଶ ନାଶ କଲା । ଆମ୍ଭକୁ ମହାଦୁଃଖ ଦେଲା ॥ ୨୬୪

ଏ ଆମ୍ଭ ଦେହେ ବ୍ୟାଧି ଥିଲା । ତୋ ଉଗ୍ରତେଜେ ନାଶଗଲା ॥ ୨୬୫

କିନ୍ନରଗଣ ହରି ଚାହିଁ । ବୋଲନ୍ତି ଶିରେକର ଦେଇ ॥ ୨୬୬

କିନ୍ନରଗଣ ଉବାଚ

ତୋର କିଙ୍କରଗଣ ଆମ୍ଭେ । ତୋ ଅନୁଗ୍ରହେ ଥାଉଁ ଦମ୍ଭେ ॥ ୨୬୭

ଏ ଦିତିସୁତ ମହାନଷ୍ଟ । ଆମ୍ଭଙ୍କୁ ଦେଲା ଅତି କଷ୍ଟ ॥ ୨୬୮

ଏବେ ଅସୁର ନାଶ କଲୁ । ଆମ୍ଭର ମାନ ଉଦ୍ଧରିଲୁ ॥ ୨୬୯

ତୁ ନାଥ ଦେବଙ୍କର ଦେବ । ଆମ୍ଭର ମଙ୍ଗଳ-ବିଭବ ॥ ୨୭୦

ଶ୍ରୀବିଷ୍ଣୁ-ପାରିଷଦ ଗଣ । ବୋଲନ୍ତି ଦେବଦେବ ଶୁଣ ॥ ୨୭୧

ବିଷ୍ଣୁ ପାରିଷଦଗଣ ଉବାଚ

ଭୋ ନାଥ ଏ ରୂପ ତୋହର । ଅଦ୍ଭୁତ ମହାଭୟଙ୍କର ॥ ୨୭୨

ନୟନେ ଦେଖି ସର୍ବଜନେ । ଭୟେ କମ୍ପିଲେ ତ୍ରିଭୁବନେ ॥ ୨୭୩

ତାହାଙ୍କ କର୍ମଦାତା ତୁହି । ଆମ୍ଭକୁ କଲୁ ନାଥ ତ୍ରାହି ॥ ୨୭୪

ଯେଣୁ ନାଶିଲୁ ମହାସୁର । ଆମ୍ଭଙ୍କୁ ଅନୁଗ୍ରହ କର ॥ ୨୭୫

କହେ ନାରଦ ମହାଋଷି । ଶୁଣ ପାଣ୍ଡବ ସୋମବଂଶୀ ॥ ୨୭୬

ଏମନ୍ତେ ନୃସିଂହ ସମ୍ମୁଖେ । ସ୍ତୁତି ବଚନେ ଏକେ ଏକେ ॥ ୨୭୭

କହି କରାଇ ତୋଷ ମନ । ଏବେ ହୋ ସାଧୁଜନେ ଶୁଣ ॥ ୨୭୮

ନାରଦ ଯୁଧିଷ୍ଠିର ଆଗେ । ଯାହା କହିଲେ ଅନୁରାଗେ ॥ ୨୭୯

ସୁଜନେ ଜନେ ଏହା ଶୁଣି । ତରିବେ ଭବ ତରଙ୍ଗିଣୀ ॥ ୨୮୦

ଅଦ୍ଭୁତ ନୃସିଂହ-ଚରିତ । କହିଲା ଦାସ ଜଗନ୍ନାଥ ॥ ୨୮୧

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟରାଜବଧେ ନୃସିଂହସ୍ତବୋ

ନାମାଷ୍ଟମୋଽଧ୍ୟାୟଃ ॥

* * *