ସପ୍ତମ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ନାରଦ ଉବାଚ
ଏମନ୍ତେ ପ୍ରହଲ୍ଲାଦ ବାଣୀ । ବାଳକେ ସାବଧାନେ ଶୁଣି ॥ ୧
ଭାଳନ୍ତି ପୁଣି ମନେ ମନ । ନିନ୍ଦନ୍ତି ଗୁରୁଙ୍କ ବଚନ ॥ ୨
ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଭାଳି ସର୍ବେ ଯାଇ ॥ ୩
ଗୁରୁଙ୍କ ଆଗେ ଜଣାଇଲେ । ସଂକ୍ଷେପି ସକଳ କହିଲେ ॥ ୪
ଶିଷ୍ୟଙ୍କ ବାକ୍ୟ ଶୁଣି ଗୁରୁ । ମନେ ପାଇଲେ ଚିନ୍ତାଗରୁ ॥ ୫
ଏକାନ୍ତ ବୁଦ୍ଧି ତ ଏହାର । ଅନ୍ୟେ ଅଲକ୍ଷ୍ୟ ଅଗୋଚର ॥ ୬
ସତ୍ୟସଂଯୁତେ ଆବୋରିଲା । ବାଳକବୁଦ୍ଧି ନାଶ କଲା ॥ ୭
ଯେବେ ଏହାର ବୋଲେ ଥିବେ । ସର୍ବ ବାଳକ ନାଶ ଯିବେ ॥ ୮
ଏମନ୍ତ ହୃଦୟେ ବିଚାରି । ରାଜଦଣ୍ଡକୁ ଭୟ କରି ॥ ୯
ବେଗେ ରାଜାର ଆଗେ ଆସି । ବିସ୍ତାରି କହିଲେ ବିଶ୍ୱାସି ॥ ୧୦
ରାଜନ ଶୁଣି ସର୍ବକଥା । ମନେ ପାଇଲା ଗରୁବ୍ୟଥା ॥ ୧୧
ପୁତ୍ରର ଅନ୍ୟାୟ ବଚନ । ଶୁଣି ଅସୁର ଛନଛନ ॥ ୧୨
କ୍ରୋଧେ କମ୍ପଇ ତା ଶରୀର । ସର୍ପ ଯେସନେ ଫୁଫୁକାର ॥ ୧୩
ଅନେକ ମତେ ବିଚାରିଲା । ପୁତ୍ରମାରଣେ ମନଦେଲା ॥ ୧୪
ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ପ୍ରଚଣ୍ଡ-କୋପେ ବୀରମଣି ॥ ୧୫
ଅରୁଣନୟନେ ସେ ଚାହେଁ । ପାପିଷ୍ଠ-ପଣେ କାଳଭୟେ ॥ ୧୬
ପ୍ରହ୍ଲାଦ ପିତାର ଅଗ୍ରତେ । କର-ଅଞ୍ଜଳି ଦେଇ ମାଥେ ॥ ୧୭
ବିନୟଭାବେ ଅବନତ । ସ୍ୱଭାବ ଶୀଳ ଶାନ୍ତ ଦାନ୍ତ ॥ ୧୮
ଚରଣେ ନମସ୍କାର କଲେ । ସର୍ବବାଳକ ସଙ୍ଗମେଳେ ॥ ୧୯
ଏମନ୍ତେ ପୁତ୍ରକୁ ଅନାଇଁ । ଚିତ୍ତେ ପ୍ରଚଣ୍ଡ କୋପ ବହି ॥ ୨୦
ଗର୍ଜଇ ମନେ କରି ତାପ । ପାଦ ପ୍ରହାରେ ଯେହ୍ନେ ସର୍ପ ॥ ୨୧
ସ୍ୱଭାବେ ଦାରୁଣ ଅସୁର । ଦିଶଇ ଯେହ୍ନେ ଦିବାକର ॥ ୨୨
ପ୍ରଳୟାଳନ-କୋପ ବହି । ବୋଲଇ ପୁତ୍ର ମୁଖ ଚାହିଁ ॥ ୨୩
ହିରଣ୍ୟକଶିପୁ ଉବାଚ
ଆରେ ଦୁର୍ବୃତ୍ତ ମନ୍ଦବୁଦ୍ଧି । ଅଧମ ଦୁଷ୍ଟ କୁଳଭେଦୀ ॥ ୨୪
ମୋହର କୋପେ ତିନିପୁର । ଭୟେ କମ୍ପନ୍ତି ଥରହର ॥ ୨୫
ତ୍ରାସେ କମ୍ପନ୍ତି ଦିଗପାଳେ । ନକ୍ଷତ୍ରେ ଗଗନମଣ୍ଡଳେ ॥ ୨୬
ନିର୍ଭୟଚିତ୍ତେ ମୂଢ଼ପଣେ । ମୋ ଆଜ୍ଞା ଭାଙ୍ଗି ଅପ୍ରମାଣେ ॥ ୨୭
କୁପୁତ୍ର ମୋର କୁଳାଙ୍ଗାର । ଆଜି ପେଷିବି ଯମପୁର ॥ ୨୮
କାହାର ବୋଲେ ଦୁଷ୍ଟପଣେ । ମୋ ଆଜ୍ଞା ଭାଙ୍ଗୁ କି କାରଣେ ॥ ୨୯
ପ୍ରହ୍ଲାଦ ଉବାଚ
ଶୁଣ ପିଅର ମୋର ବାଣୀ । ତୁ ଯେ ତ୍ରୈଲୋକ୍ୟେ ବୀରମଣି ॥ ୩୦
ଏ କଥା ଅନୁଚିତ ତୋର । କହଇ ଶୁଣ ନୃପବର ॥ ୩୧
ଯେଉଁ ପ୍ରଭୁର ବଳେ ମୁହିଁ । ଜୀବକୁ ସମାନ ମଣଇ ॥ ୩୨
ତୋର ମୋହର ଆଦି କରି । ଅପରେ ଯେତେ ଦେହଧାରୀ ॥ ୩୩
ଜଗତେ ମହାବଳୀ ଯେତେ । ସ୍ଥାବର ଜଙ୍ଗମ ସହିତେ ॥ ୩୪
ବ୍ରହ୍ମାଦି ଯେତେ ସୁରଦେବା । ଯାର ଚରଣେ କରେ ସେବା ॥ ୩୫
ଯେ ହରି କାଳ-କର୍ମରୂପୀ । ଜଗଦୀଶ୍ୱର ବିଶ୍ୱବ୍ୟାପି ॥ ୩୬
ପ୍ରାଣୀଙ୍କ ବଳ ପ୍ରାଣ ସେହି । ବାହ୍ୟ ଅନ୍ତରେ ଶୁଦ୍ଧଦେହୀ ॥ ୩୭
ଇନ୍ଦ୍ରଦେବତା ଇନ୍ଦ୍ରିଗଣ । ଇନ୍ଦ୍ରିୟ-ବିଷୟ କାରଣ ॥ ୩୮
ସେ ବିଷ୍ଣୁ ସଂସାର ସର୍ଜଇ । ତ୍ରିଗୁଣ ମାୟା ସଙ୍ଗେ ଲଇ ॥ ୩୯
ଭୁଞ୍ଜଇ ଅଶେଷ ଶରୀରେ । କ୍ରୀଡ଼ାର ଅନ୍ତେ ଅନ୍ତଃକରେ ॥ ୪୦
ହେ ତାତ ଜାଣି ତାଙ୍କୁ ସ୍ମର । ଅସୁରଭାବ ଦୂର କର ॥ ୪୧
ଆତ୍ମାକୁ ଆତ୍ମଜ୍ଞାନେ ରଖ । ସକଳଘଟେ ସମ ଦେଖ ॥ ୪୨
ଯେ ଭାବେ ରିପୁ-ମିତ୍ର ନାହିଁ । ସେ ଭାବେ ରହ ମନ ଧ୍ୟାୟି ॥ ୪୩
ମିତ୍ର ଉଦାସ ଶତ୍ରୁପଣେ । ମନହୁଁ ଅନ୍ୟ ନାହିଁ ଜଣେ ॥ ୪୪
ଏ ଭାବେ ଚିନ୍ତି ହୁଅ ସ୍ଥିର । କୃଷ୍ଣ-ସନ୍ତୋଷେ କର୍ମ କର ॥ ୪୫
ତୁ ଯେ ବୋଲାଉ ବୀରମଣି । ଏ ତିନି ଭୁବନେ କାରେଣୀ ॥ ୪୬
ଏ ତିନିଭୁବନ ଆବୋରି । ଭୁଞ୍ଜୁ ତୁ ଅକଣ୍ଟକ-ଶିରୀ ॥ ୪୭
ମନେ ବିଚାର କରୁ ତୁହି । ସଂସାରେ ରିପୁ ମୋର ନାହିଁ ॥ ୪୮
ଭୋ ତାତ ଦୋଷ କର ତ୍ରାହି । କହିବି ଶୁଣ ମନ ଦେଇ ॥ ୪୯
ବ୍ରହ୍ମାଣ୍ଡେ ଯେତେ ଗୁଣ ଅଛି । ସେ ଗୁଣ ପିଣ୍ଡ ମଧ୍ୟେ ଲକ୍ଷି ॥ ୫୦
ଯେ ଷଡ଼ରିପୁ କାମ ଆଦି । ହୃଦୟମଧ୍ୟେ ଛନ୍ତି ଭେଦି ॥ ୫୧
ମନକୁ କରି ସେନାପତି । ଆତ୍ମାର ସମ୍ପଦ ଲୁଟନ୍ତି ॥ ୫୨
ଏ ଦଶଇନ୍ଦ୍ରି ଦିଗପାଳେ । ଆତ୍ମାକୁ ନାଶନ୍ତି ସମୂଳେ ॥ ୫୩
ଏହାଙ୍କୁ ଦେହେ ନ ନିବାରୁ । ମୁଁ ବୀର ବୋଲି ଗର୍ବ କରୁ ॥ ୫୪
ଏହାକୁ ଜିଣିବୁ ଯେମନ୍ତେ । ଏବେ ହୋ ଦୃଢ଼କର ଚିତ୍ତେ ॥ ୫୫
ନାରଦ ଉବାଚ
ଏମନ୍ତେ ପ୍ରହଲ୍ଲାଦ ବାଣୀ । ଅସୁର ଦେହ କମ୍ପେ ଶୁଣି ॥ ୫୬
ବୋଲଇ ପୁତ୍ରମୁଖ ଚାହିଁ । ନିଶ୍ଚେ ମରିବୁ ଆଜ ତୁହି ॥ ୫୭
ଅଧିକ ଯେତେକଥା କହୁ । ତୁ ଏ ଅସୁର ଜନ୍ମ ନୋହୁ ॥ ୫୮
ମୃତ୍ୟୁ ଯାହାର ସନ୍ନିଧାନ । ମନୁଁ ହରଇ ତାର ଜ୍ଞାନ ॥ ୫୯
ଆତ୍ମାର ଗତି ନ ପ୍ରମାଣି । ବାତୁଳଭାବେ କହୁ ବାଣୀ ॥ ୬୦
ଜୀବନ୍ତେ ଭାଗ୍ୟ ନାହିଁ ତୋର । ବଚନ କହୁ ଅଗୋଚର ॥ ୬୧
ଏ ତିନିପୁରେ ମୁଁ ଈଶ୍ୱର । ମୋ ତହୁଁ କେବା ଅଛି ଆର ॥ ୬୨
କାହାର ବୋଲେ ତୁ ପାମର । ମୋ ବାକ୍ୟେ ଅବଜ୍ଞା ତୋହର ॥ ୬୩
ସ୍ଥାବର ଜଙ୍ଗମ ସହିତେ । ମୁହିଁ ପାଳଇ ଏ ଜଗତେ ॥ ୬୪
ମୋ ତହୁଁ ଯେବେ ଅଛି ଭିନ୍ନେ । ଈଶ୍ୱର ଏ ତିନିଭୁବନେ ॥ ୬୫
ତୁ ଯେ ବୋଲୁ ମୋ ପ୍ରଭୁ ହରି । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ॥ ୬୬
ଆଜ ତୁ ମୋହର ସମକ୍ଷେ । ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ ॥ ୬୭
ସେ ଯେବେ ସର୍ବ ବ୍ୟାପି ଥାଇ । ଏ ସ୍ତମ୍ଭେ କିମ୍ପା ନ ଦିଶଇ ॥ ୬୮
ତୁ ଯେବେ ବୋଲୁ ମୋର ସଖା । ପ୍ରତ୍ୟକ୍ଷେ ସ୍ତମ୍ଭମଧ୍ୟେ ଦେଖା ॥ ୬୯
ଆଜ ଛେଦିବି ତୋର ଶିର । ଆସି ରଖୁ ତୋ ଚକ୍ରଧର ॥ ୭୦
ଏମନ୍ତେ ପିତାର ବଚନେ । ପ୍ରହ୍ଲାଦ ଭୟ କଲା ମନେ ॥ ୭୧
ବାଳକ କୃଷ୍ଣର ବିଶ୍ୱାସେ । ଚଞ୍ଚଳେ ଚାହେଁ ଦଶଦିଶେ ॥ ୭୨
ଦେଖିଲା ସ୍ତମ୍ଭମଧ୍ୟେ ହରି । ଶଙ୍ଖ କମଳ ଚକ୍ରଧାରୀ ॥ ୭୩
ଉଦ୍ଦଣ୍ଡ-ଗଦା ଶୋହେ କରେ । ପ୍ରକାଶ ସ୍ତମ୍ଭର ଭିତରେ ॥ ୭୪
ବୋଲଇ ପିତାମୁଖ ଚାହିଁ । କପାଳେ ବେନିକର ଦେଇ ॥ ୭୫
ଭୋ ତାତ ସ୍ତମ୍ଭ ମଧ୍ୟେ ହରି । ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି ॥ ୭୬
ଏମନ୍ତେ ପୁତ୍ରମୁଖୁଁ ଶୁଣି । କୋପେ ଅସୁର ନୃପମଣି ॥ ୭୭
ଡେଇଁ ଉଠିଲା ଶିରଝୁଣି । ଖଡ଼ଗ କରେ ବୀରମଣି ॥ ୭୮
ପୁତ୍ରକୁ ଚାହିଁ କୋପ ଦୃଷ୍ଟି । ଓଷ୍ଠେ ଚାପିଣ ଦନ୍ତ ପାଟି ॥ ୭୯
ତୀକ୍ଷ୍ମ ଖଡ଼ଗ ଧରି କରେ । ଅସୁର ଉଠି କୋପଭରେ ॥ ୮୦
ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି । ପ୍ରହାର କଲା ପାଦ-ମୁଷ୍ଟି ॥ ୮୧
ତକ୍ଷଣେ ଘୋରନାଦ କରି । ସ୍ତମ୍ଭ ଭିତରେ ନରହରି ॥ ୮୨
ଅତି ଭୀଷଣ ଘୋରନାଦେ । ବ୍ରହ୍ମାଣ୍ଡ ପୂରିଲା ଶବଦେ ॥ ୮୩
ବ୍ରହ୍ମାଦି ଭୁବନପାଳକେ । ଭୟେ କମ୍ପିଲେ ଏକେ ଏକେ ॥ ୮୪
ଶବଦ ଶୁଭେ ଘଡ଼ଘଡ଼ି । ବ୍ରହ୍ମାଣ୍ଡ ପଡ଼ିଲା କି ଝଡ଼ି ॥ ୮୫
ଅଦ୍ଭୁତ ଘୋରନାଦ ଶୁଣି । କୋପେ ଧାଇଁଲା ଖଡ୍ଗ ଘେନି ॥ ୮୬
ଦେଖି କମ୍ପିଲେ ଦିଗପାଳ । ଧଇଲା ପ୍ରହଲ୍ଲାଦ ବାଳ ॥ ୮୭
ଦେଖିଲା ସ୍ତମ୍ଭେ କେହି ନାହିଁ । ବୋଲଇ ପୁତ୍ରମୁଖ ଚାହିଁ ॥ ୮୮
ଆଜ ପେଷିବି ଯମପୁର । ଦେଖା ତୁ ସ୍ତମ୍ଭେ ଚକ୍ରଧର ॥ ୮୯
ସେ ପ୍ରଭୁ ଭକତବତ୍ସଳ । ଦେଖିଲେ ଭୃତ୍ୟର ବିକଳ ॥ ୯୦
ଯେ ହରି ସର୍ବଭୂତେ ପୂରି । ଭକ୍ତ ବଚନ ସତ୍ୟ କରି ॥ ୯୧
ସ୍ତମ୍ଭର ମଧ୍ୟେ ଦଇତ୍ୟାରି । ନରକେଶରୀ ରୂପ ଧରି ॥ ୯୨
ଅଦ୍ଭୁତ ରୂପ ଦେବରାୟେ । ଶୋହେ ମନୁଷ୍ୟ-ପଶୁକାୟେ ॥ ୯୩
ଅଦ୍ଭୁତ ରୂପ ଭୟଙ୍କର । ଦେଖି ବିଚାରଇ ଅସୁର ॥ ୯୪
ଏ ରୂପ ଦେଖିଲା ତ ନାହିଁ । ସ୍ତମ୍ଭେ ଏ ପ୍ରକାଶିଲା କାହିଁ ॥ ୯୫
ଦଗ୍ଧସୁବର୍ଣ୍ଣ ପ୍ରାୟେ ବର୍ଣ୍ଣ । କର୍କଶ-ପିଙ୍ଗଳ-ଲୋଚନ ॥ ୯୬
ସ୍ଫୁରିତ-କେଶର କମ୍ପନେ । ଜଳଦେ ଉଡ଼ିଲେ ଗଗନେ ॥ ୯୭
ବିସ୍ତାରତୁଣ୍ଡ ବେନିକଳେ । ଜିହ୍ୱା ବୁଲାନ୍ତି ଅନ୍ତରାଳେ ॥ ୯୮
ବିକଟ-ଦନ୍ତ ବେନିପାଟି । ନିଷ୍ଠୁର ଚଞ୍ଚଳ ଭୂକୁଟୀ ॥ ୯୯
ଊର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ । ଗିରି-ଗୁହାର ପ୍ରାୟେ ହୋଇ ॥ ୧୦୦
ନାସିକା-ରନ୍ଧ୍ର ଅନ୍ଧକାର । ବିସ୍ତାର ହନୁ ମହାଘୋର ॥ ୧୦୧
ଅଦୀର୍ଘ ସ୍ଥୂଳ ଗ୍ରୀବାଦେଶ । ଶରୀର ସ୍ପରଶେ ଆକାଶ ॥ ୧୦୨
ବିସ୍ତାର ବକ୍ଷସ୍ଥଳ ସାଜେ । କ୍ଷୀଣ-ଉଦର ଯେ ବିରାଜେ ॥ ୧୦୩
ଚନ୍ଦ୍ରଗଉର ତନୁରୁହେ । ବିଶ୍ୱ ପୂରତି ବିଶ୍ୱଦେହେ ॥ ୧୦୪
କର ଚରଣ ନଖାୟୁଧ । ତା ଦେଖି କମ୍ପିଲେ ବିବୁଧ ॥ ୧୦୫
ଅସୁର ପଳାଇଲେ ତ୍ରାସେ । ଭୟେ ଲୁଚିଲେ ଦଶଦିଶେ ॥ ୧୦୬
ଏମନ୍ତ ରୂପ ଦେଖି ଆଗେ । ଦାନବପତି ମହାରାଗେ ॥ ୧୦୭
ଗଦା ବୁଲାଇ ଅତି ଖରେ । ଧାଇଁଲା ନୃସିଂହ ଉପରେ ॥ ୧୦୮
ଘୋର ଶବଦେ ମହାବୀର । ଦେଖି କମ୍ପିଲେ ସୁରନର ॥ ୧୦୯
ଯେ ହରି ମାୟାବୀଙ୍କ ବର । ତା କାହିଁ ଜାଣିବ ଅସୁର ॥ ୧୧୦
ଧାମଇଁ ଗଦା ତୋଳି ହସ୍ତେ । ଅଗ୍ନିକି ପତଙ୍ଗ ଯେମନ୍ତେ ॥ ୧୧୧
ଗଦା ଉଞ୍ଚାଇ ମହାବୀର । ପିଟିଲା ନୃସିଂହ ଉପର ॥ ୧୧୨
ପୁଣି ପ୍ରହାରେ ବାମ-ଦକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥ ୧୧୩
ଅତି ବିକ୍ରମ-ତେଜ ଦେଖି । ନୃସିଂହ ଉନ୍ମୀଳେ ନିରେଖି ॥ ୧୧୪
କର ପ୍ରସାରି ନରହରି । ତକ୍ଷଣେ ଅସୁରକୁ ଧରି ॥ ୧୧୫
ଗଦାଏ ଅଛି ତାର ହସ୍ତେ । ସର୍ପକୁ ଗରୁଡ଼ ଯେମନ୍ତେ ॥ ୧୧୬
ତକ୍ଷଣେ ଦାନବ ନୃପତି । ହସ୍ତରୁ ଗଳି ଚିତ୍ରଗତି ॥ ୧୧୭
ଗରୁଡ଼ ହସ୍ତୁ ଯେହ୍ନେ ନାଗ । ପଡ଼ି ଧାମଇଁ ଅତି ବେଗ ॥ ୧୧୮
ଓଷ୍ଠ କାମୋଡ଼ି ଅତି ବଳେ । ଦେଖି ଡରିଲେ ଦିଗପାଳେ ॥ ୧୧୯
ଅସାଧ୍ୟ ଦେଖି ଦେବଗଣେ । ମେଘେ ଲୁଚିଲେ ତତକ୍ଷଣେ ॥ ୧୨୦
ନୃସିଂହ ହସ୍ତୁ ଯାନ୍ତେ ଗଳି । ଦେବେ ଭାଳନ୍ତି ଶୂନ୍ୟେ ମିଳି ॥ ୧୨୧
ପୁଣି ଅସୁର ନାଦ କରି । ତକ୍ଷଣେ ଖଡ୍ଗ-ଚର୍ମ ଧରି ॥ ୧୨୨
ଚର୍ମେ ଶୋଭିତ ଶତଚନ୍ଦ୍ର । ଦୁର୍ଜୟ ଅସୁର ନରେନ୍ଦ୍ର ॥ ୧୨୩
ଖଡ୍ଗ-ମଣ୍ଡଳ ଗତି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥ ୧୨୪
ଶୂନ୍ୟେ ଉଡ଼ଇ ବାହୁବଳେ । ପୁଣି ମିଳଇ ଭୂମିତଳେ ॥ ୧୨୫
ଚଣ୍ଡାଟ୍ଟହାସେ ନରହରି । କୋପେଣ ଅସୁରକୁ ଧରି ॥ ୧୨୬
ଦୃଢ଼େ ଚାପନ୍ତେ ପୁଣି ଗଳି । ତଳେ ପଡ଼ିଲା ମହାବଳୀ ॥ ୧୨୭
ପୁଣି ଧରନ୍ତି ଅତିବେଗେ । ବଳେ ଉଛୁଡ଼େ ଦଶଦିଗେ ॥ ୧୨୮
ପୁଣିହିଁ ଚାପିଲେ ଅଧରେ । ମୂଷିକେ ଯେହ୍ନେ ସର୍ପଧରେ ॥ ୧୨୯
ସ୍ୱଭାବେ ଦୁର୍ଜୟ ଅସୁର । ବଜ୍ରହୁଁ କଠିନ ଶରୀର ॥ ୧୩୦
ନୃସିଂହ-ହିରଣ୍ୟର ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ ॥ ୧୩୧
ସଂକ୍ଷେପି କହିବଇଁ କେତେ । ପୁରାଣମତେ ଭିନ୍ନ ଯେତେ ॥ ୧୩୨
ଉରୁ ଉପରେ ନରହରି । ଉତ୍ତାନ କରି ତାକୁ ଧରି ॥ ୧୩୩
ବାମ ଦକ୍ଷିଣ ବେନିକରେ । ଲୀଳାମାତ୍ରକେ ନଖାଙ୍କୁରେ ॥ ୧୩୪
ରୋଷେ ହୁଁକାର ନାଦକରି । ହୃଦୟକମଳ ବିଦାରି ॥ ୧୩୫
ଦେବେ ଦେଖନ୍ତି ଥାଇ ଶୂନ୍ୟେ । ସର୍ପକୁ ଗରୁଡ଼ ଯେସନେ ॥ ୧୩୬
ଅସୁର-ହୃଦୟ-ରୁଧିରେ । ତିନ୍ତିଲା ଲଲାଟ-କେଶରେ ॥ ୧୩୭
ସିଂହ ଯେସନେ ଗଜ ମୁଣ୍ଡେ । ବସି ବିଦାରେ ଧରି ତୁଣ୍ଡେ ॥ ୧୩୮
ଅସୁର ହୃଦୟକମଳ । ବିଦାରି ଅନ୍ତ କଲେ ମାଳ ॥ ୧୩୯
କୋପେ ଚାହାଁନ୍ତେ ଦଶଦିଶେ । ଦୈତ୍ୟେ ମିଳିଲେ ଆସି ପାଶେ ॥ ୧୪୦
ନାନା ଆୟୁଧ ଧରି କରେ । ପିଟିଲେ ନୃସିଂହ ଉପରେ ॥ ୧୪୧
ତାହାଙ୍କୁ ଧରି ତତକ୍ଷଣେ । ନଖେ ବିଦାରିଲେ ଆପଣେ ॥ ୧୪୨
ସହସ୍ର ସହସ୍ର ଅସୁର । ସମରେ ଗଲେ ଯମପୁର ॥ ୧୪୩
ଅସୁରବଳ ରଣେ ମାରି । କୋପେ ଧାଇଁଲେ ନରହରି ॥ ୧୪୪
କଟା କମ୍ପନ ଘୋରବାତେ । ମେଘେ ଉଡ଼ିଲେ ଶୂନ୍ୟପଥେ ॥ ୧୪୫
ଶବଦ ଶୁଭେ ଘଡ଼ଘଡ଼ି । ଗଗନମାର୍ଗେ ପଡ଼େ ହୁରି ॥ ୧୪୬
ଗ୍ରହ-ନକ୍ଷତ୍ର ମାଳମାଳ । ସ୍ୱର୍ଗୁ ପଡ଼ିଲେ ମହୀତଳ ॥ ୧୪୭
ଊର୍ଦ୍ଧ୍ୱେ ଚାହାଁନ୍ତେ କୋପାନଳେ । ଦେଖି ଡରିଲେ ଦିଗପାଳେ ॥ ୧୪୮
ନିଃଶ୍ୱାସବାତେ ସିନ୍ଧୁଜଳ । ଉଲ୍ଳୋଳ ଲହରୀ ସଙ୍କୁଳ ॥ ୧୪୯
ଦେବେ ଗଗନୁ ଗଲେ ତ୍ରାସେ । ଗଜେ ଉଡ଼ିଲେ ଅଷ୍ଟଦିଶେ ॥ ୧୫୦
ଶ୍ୱାସ-ପବନ-ଘାତ-ବଳେ । ବିମାନେ ଆକାଶ ମଣ୍ଡଳେ ॥ ୧୫୧
ଉଡ଼ିଲେ ସ୍ଥାନଭ୍ରଷ୍ଟ ହୋଇ । ପାଦ ବିଘାତେ କମ୍ପେ ମହୀ ॥ ୧୫୨
ନୃସିଂହ ଶରୀର ପବନେ । ପର୍ବତେ ଉଡ଼ିଲେ ଗଗନେ ॥ ୧୫୩
ଦିଶ ଆକାଶ ତେଜ ନାଶେ । ଧୂମ ଯେ ପ୍ରକାଶେ ଆକାଶେ ॥ ୧୫୪
ଦିଗ ଅଦୃଶ୍ୟ ଧୂମାକୁଳେ । ନିଃଶ୍ୱାସ ପବନ ନ ଚଳେ ॥ ୧୫୫
ଏମନ୍ତେ ଅସୁର ସଂହାରି । ସଭାର ମଧ୍ୟେ ବିଜେକରି ॥ ୧୫୬
ବସିଲେ ଅସୁର ଆସନେ । ଯେହୁ ପୂଜିତ ତ୍ରିଭୁବନେ ॥ ୧୫୭
ଦେଖି ଅସୁର ପଳାଇଲେ । ଯେ ଅବା ଅବଶେଷ ଥିଲେ ॥ ୧୫୮
ଶସ୍ତ୍ର ଧରନ୍ତା ନାହିଁ କେହି । ଭାଜିଲେ ଚଉଦିଗେ ଚାହିଁ ॥ ୧୫୯
ହିରଣ୍ୟକଶିପୁ ଅସୁର । ତ୍ରୈଲୋକ୍ୟ କଲା ସେହୁ ଜୂର ॥ ୧୬୦
ସଂଗ୍ରାମେ ହରି ତା ଜୀବନ । ସୃଷ୍ଟି ରଖିଲେ ଭଗବାନ ॥ ୧୬୧
ଅସୁର-ନିଧନ-ସମ୍ବାଦେ । ବିବୁଧେ ପରମ ଆନନ୍ଦେ ॥ ୧୬୨
ନନ୍ଦନବନୁଁ ପୁଷ୍ପ ତୋଳି । ଶୂନ୍ୟେ ସକଳ ଦେବେ ମିଳି ॥ ୧୬୩
ହରଷ ଲୋଚନେ ଅନାଇଁ । ମଙ୍ଗଳସ୍ୱରେ ଗୀତ ଗାଇ ॥ ୧୬୪
ମିଳି ସକଳ ସୁରନାରୀ । ସାନନ୍ଦେ ପୁଷ୍ପବୃଷ୍ଟି କରି ॥ ୧୬୫
ଶୂନ୍ୟେ ଅସୁରେ ଭୟେ ଭାଳି । ଥିଲେ ଯେ ଦଶଦିଗେ ମିଳି ॥ ୧୬୬
ଗଗନେ ବିମାନ-ସଙ୍କୁଳେ । ମିଳିଲେ ଦଶଦିଗପାଳେ ॥ ୧୬୭
ଦୁନ୍ଦୁଭି ବାଦ୍ୟନାଦ କଲେ । ଗନ୍ଧର୍ବେ ଅପସରା ମେଳେ ॥ ୧୬୮
ହରଷେ ନୃତ୍ୟ-ଗୀତ କରି । ଚିତ୍ତ ଆନନ୍ଦେ ମୋଦଭରି ॥ ୧୬୯
ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେ । ଋଷିଏ ପିତୃ ସିଦ୍ଧ ମେଳେ ॥ ୧୭୦
ଉରଗ ବିଦ୍ୟାଧରଗଣ । ମନୁଏ ପ୍ରଜାପତି ପୁଣ ॥ ୧୭୧
ମିଳିଲେ ଗୃହ୍ୟକ ଚାରଣ । ଯକ୍ଷ କିଂପୁରୁଷ ଏମାନ ॥ ୧୭୨
ଆବର ବେତାଳ କିନ୍ନର । ଏ ଆଦି ଅଶେଷ ଅମର ॥ ୧୭୩
ମିଳିଲେ ବିଷ୍ଣୁ-ପାରିଷଦ । ସନକ ସୁନନ୍ଦ କୁମୁଦ ॥ ୧୭୪
କର ଅଞ୍ଜଳି ଶିରେ ଦେଇ । ମିଳିଲେ ବିଷ୍ଣୁପାଶେ ଯାଇ ॥ ୧୭୫
ପ୍ରଚଣ୍ଡ ତେଜ ମହାଘୋର । ଭୟେ ରହିଲେ କିଛି ଦୂର ॥ ୧୭୬
ରହିଲେ ସ୍ତମ୍ଭୀଭୂତ ହୋଇ । ସମୀପେ ନ ପାରିଲେ ଯାଇ ॥ ୧୭୭
ଭୟେ ଶଙ୍କିତ ଦିଗପାଳେ । ସ୍ତୁତି କରନ୍ତି ପାଦମୂଳେ ॥ ୧୭୮
ବ୍ରହ୍ମା ନୃସିଂହ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୯
ବ୍ରହ୍ମା ଉବାଚ
ନମସ୍ତେ ଅନନ୍ତ ମୂରତି । ଦୂରନ୍ତବୀର୍ଯ୍ୟ ତୋର ଶକ୍ତି ॥ ୧୮୦
ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା । ଅଶେଷ ତୋହର ମହିମା ॥ ୧୮୧
ଗୁଣ-ସଂଯୋଗେ ଲୀଳାମତେ । ସଂସାର ସୃଷ୍ଟି-ସ୍ଥିତି-ଅନ୍ତେ ॥ ୧୮୨
ଅଶେଷ ଯାହାର ମହିମା । କେ କହିପାରେ ଗୁଣସୀମା ॥ ୧୮୩
ସେ ପ୍ରଭୁ ଚରଣାରବିନ୍ଦେ । ପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ ॥ ୧୮୪
ସେ ହରି ପ୍ରସନ୍ନ ହୁଅନ୍ତୁ । ସକଳେ ଅଭୟ ଦିଅନ୍ତୁ ॥ ୧୮୫
ରୁଦ୍ର ଉବାଚ
ଯୁଗାନ୍ତକାଳ ତୋର କୋପ । ସ୍ୱଭାବେ ଅସୁର ଅଳପ ॥ ୧୮୬
ହେ ପ୍ରଭୁ ଭକତବତ୍ସଳ । ଦୁଷ୍ଟ-ଅସୁର ବିନାଶିଲ ॥ ୧୮୭
ତା ପୁତ୍ର ଭକ୍ତ ପ୍ରହଲ୍ଲାଦ । ଆଶ୍ରା ନେଇଛି ତୁମ୍ଭପାଦ ॥ ୧୮୮
ତା ସମ ଭକ୍ତ କେହି ନାହିଁ । ରଖ ତାହାକୁ ଭାବଗ୍ରାହୀ ॥ ୧୮୯
ଏ ସର୍ବ ତୋହର କିଙ୍କର । ଜଗତ ତୋର ଲୀଳାଘର ॥ ୧୯୦
ଇନ୍ଦ୍ର ଉବାଚ
ଇନ୍ଦ୍ର ଅଞ୍ଜଳି ଶିରେ ଦେଇ । ବୋଲେ ନୃସିଂହ କର ତ୍ରାହି ॥ ୧୯୧
ଏ ମହାସୁର ମହାବେଗେ । ଯଜ୍ଞ ଆରମ୍ଭେ ହବିର୍ଭାଗେ ॥ ୧୯୨
ବଳେ ଭୁଞ୍ଜଇ ଏ ଆକର୍ଷି । ଆମ ହୃଦୟପଦ୍ମେ ପଶି ॥ ୧୯୩
ତୁ ନାଥ ସର୍ବ ପ୍ରାଣୀଙ୍କର । ହୃଦୟପଦ୍ମେ ତୋର ଘର ॥ ୧୯୪
ସେ ପଦ୍ମ ଅସୁର-ଶଶାଙ୍କେ । ମୁଦ୍ରିତ ଥିଲା ଅତିରେକେ ॥ ୧୯୫
ତୁ ଏବେ ସୂର୍ଯ୍ୟ ରୂପ ଧରି । ହୃଦୟପଦ୍ମ ଭେଦ କରି ॥ ୧୯୬
ତୁ ତୋର ଗୃହ ସମାର୍ଜିଲୁ । ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ ॥ ୧୯୭
ଏ ଘୋର-ସଂସାର-ସାଗରେ । ପ୍ରାଣୀ ଜୀବନ ନିରନ୍ତରେ ॥ ୧୯୮
ଗ୍ରସ୍ତ କରଇ କାଳ ବଳେ । କିବା କହିବୁ ଅନ୍ତରାଳେ ॥ ୧୯୯
ତୋର ସେବକ-ପ୍ରାଣୀଙ୍କର । ତୁ ନାଥ ଶରଣ ସୋଦର ॥ ୨୦୦
ଋଷି ସକଳ ଏକମେଳେ । ସ୍ତୁତି କରନ୍ତି ପାଦତଳେ ॥ ୨୦୧
ଋଷିଗଣ ଉବାଚ
ତୋର ଚରଣ ଧ୍ୟାନ ଅର୍ଥେ । ତପ ସମ୍ପାଦି ଏ ଜଗତେ ॥ ୨୦୨
ତୋର ବଚନେ ଆମ୍ଭେ ରହି । ସଂସାରେ ବିପ୍ରଦେହ ବହି ॥ ୨୦୩
ସେ ତପ ସାଧିବାର କଷ୍ଟ । ବଳେ ହିରଣ୍ୟ କଲା ନଷ୍ଟ ॥ ୨୦୪
ତୋର ବଚନେ ତୋତେ ଭାବି । ଦୃଢ଼େ ପଦାରବିନ୍ଦେ ସେବି ॥ ୨୦୫
ସେ ତପ ହରିଲା ଆମ୍ଭର । ନିଜ ପ୍ରତାପେ ଏ ଅସୁର ॥ ୨୦୬
ଏବେ ଏହାକୁ ନାଶକରି । ଆମ୍ଭର ତପସ୍ୟା ଉଦ୍ଧରି ॥ ୨୦୭
ରଖିଲୁ ବିପ୍ର ଋଷି ଧର୍ମ । ତୁ ନାଥ ସର୍ବ-କୁଳ-କର୍ମ ॥ ୨୦୮
ପିତୃଗଣ ଉବାଚ
ଆମ୍ଭର ଶ୍ରାଦ୍ଧକର୍ମ ଯେତେ । ପୁତ୍ରେ କରନ୍ତି ବେଦମତେ ॥ ୨୦୯
ଆମ୍ଭ ଦିବସା-ଶ୍ରାଦ୍ଧକାଳେ । ଅସୁର ଭୁଞ୍ଜେ ଆସି ବଳେ ॥ ୨୧୦
ତିଳଉଦକ ଯେତେ ତୀର୍ଥେ । ପୁତ୍ରେ କରନ୍ତି ଧର୍ମମତେ ॥ ୨୧୧
ସେ ଶ୍ରାଦ୍ଧଜଳ ପାନ କରେ । ଅର୍ପିତ ଦାନ ବଳେ ହରେ ॥ ୨୧୨
ଆମ୍ଭର ଜଳପିଣ୍ଡ ଯେତେ । ଥିଲା ଅସୁର ଗର୍ଭଗତେ ॥ ୨୧୩
ନଖଅଙ୍କୁରେ ତାହା ଚିରି । ଆମ୍ଭଙ୍କୁ ଦେଲୁ ନରହରି ॥ ୨୧୪
ସିଦ୍ଧେ କହନ୍ତି ଯୋଡ଼ି କର । ଶୁଣିମା ଦେବ ଚକ୍ରଧର ॥ ୨୧୫
ସିଦ୍ଧଗଣ ଉବାଚ
ଆମ୍ଭର ଯୋଗସିଦ୍ଧି ଗତି । ବଳେ ହରିଲା ଦୈତ୍ୟପତି ॥ ୨୧୬
ତାହାକୁ ନଖେ ବିଦାରିଲୁ । ତୁ ନାଥ ଆମଙ୍କୁ ରଖିଲୁ ॥ ୨୧୭
ତୋର ଚରଣେ ନମସ୍କାର । ଯେଣୁ ତୁ ଶରଣ ସୋଦର ॥ ୨୧୮
କର ପ୍ରସାରି ବିଦ୍ୟାଧରେ । ବୋଲନ୍ତି ନୃସିଂହ ଛାମୁରେ ॥ ୨୧୯
ବିଦ୍ୟାଧର ଉବାଚ
ଆମ୍ଭର ଅନ୍ତର୍ଦ୍ଧାନ-ଗତି । ତୋର ପ୍ରସାଦେ ସେ ପ୍ରାପତି ॥ ୨୨୦
ତାହାକୁ ପଶୁବଧ ପ୍ରାୟେ । ସଂହାର କଲୁ ଦେବରାୟେ ॥ ୨୨୧
ମାୟା-ନୃସିଂହ-ଅବତାର । ଆମ୍ଭେ ଯେ ଶରଣ ତୋହର ॥ ୨୨୨
ନାଗ ସକଳେ ଜଣାବନ୍ତି । ଶୁଣ ହେ ପ୍ରଭୁ ଲକ୍ଷ୍ମୀପତି ॥ ୨୨୩
ନାଗଗଣ ଉବାଚ
ଆମ୍ଭ ଫଣାରେ ଯେତେ ମଣି । ଯା ଗୃହେ ଉତ୍ତମ ରମଣୀ ॥ ୨୨୪
ସର୍ବ ହରିଲା ବାହୁବଳେ । ଅଜେୟ ଭୁବନ ମଣ୍ଡଳେ ॥ ୨୨୫
ସେ ଭୟ ନିବାରି ଗୋବିନ୍ଦ । ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ ॥ ୨୨୬
ତୁ ନାଥ ସଂସାର ଉଦ୍ଧର । ତୋର ଚରଣେ ନମସ୍କାର ॥ ୨୨୭
ମନୁଗଣ ଉବାଚ
ବିଧାତା-ବଂଶେ ଅବତରି । ତୋହର ଆଜ୍ଞା ଶିରେ ଧରି ॥ ୨୨୮
ମନୁ ବୋଲାଉଁ ଏ ଜଗତେ । ଆମ୍ଭେ ଯେ ତୋହର ଆୟତ୍ତେ ॥ ୨୨୯
ଧର୍ମେ ସଂସାର-ଜନ ପାଳୁ । ତୁ ନାଥ ପରମ ଦୟାଳୁ ॥ ୨୩୦
ତୋର କିଙ୍କର ଆମ୍ଭ ଦେହ । କିବା କରିବୁ ଆଜ୍ଞା ଦିଅ ॥ ୨୩୧
ପ୍ରଜାପତିଏ ସ୍ତୁତି କରି । ବୋଲନ୍ତି ଶୁଣ ନରହରି ॥ ୨୩୨
ପ୍ରଜାପତିଗଣ ଉବାଚ
ତୋ ପ୍ରଜାସୃଷ୍ଟିର ପାଳନେ । ଆମ୍ଭଙ୍କୁ ସୃଜି ବିଦ୍ୟମାନେ ॥ ୨୩୩
ରଖିଲୁ ପ୍ରଜାପାଳ କରି । ଆମ୍ଭେ ତୋ ଆଜ୍ଞା ଶିରେ ଧରି ॥ ୨୩୪
ସୃଷ୍ଟି-ପାଳନ କରୁ ଭଲେ । ମାନବ-ପ୍ରଜାପତି ତୁଲେ ॥ ୨୩୫
ଅସୁର-ଭୟ ଚିତ୍ତେ ବହି । ସ୍ଥାନେ ନ ପାରୁ ଆମ୍ଭେ ରହି ॥ ୨୩୬
ସେ ବୀର ତୋର ନଖଘାତେ । ମରି ପଡ଼ିଛି ଭୂମିଗତେ ॥ ୨୩୭
ତୁ ସତ୍ତ୍ୱମୂର୍ତ୍ତି ଦାମୋଦର । ଏ ତୋ ନୃସିଂହ-ଅବତାର ॥ ୨୩୮
ଜଗତ-ମଙ୍ଗଳ-ବିଧାନ । ସଂସାର ରଖ ଭଗବାନ ॥ ୨୩୯
ଗନ୍ଧର୍ବେ ନୃସିଂହ ଚରଣେ । କହନ୍ତି ଭକ୍ତି ଅନୁମାନେ ॥ ୨୪୦
ଗନ୍ଧର୍ବଗଣ ଉବାଚ
ଭୋ ନାଥ ତୋହର ବଚନେ । ନିତ୍ୟେ ଦେବଙ୍କ ସନ୍ନିଧାନେ ॥ ୨୪୧
ନୃତ୍ୟ-ଖଟଣି ଗୀତ ସ୍ୱରେ । ଖଟୁ ଯେ ଥିଲୁ ନିରନ୍ତରେ ॥ ୨୪୨
ଏବେ ତାଣ୍ଡବେ ଦୈତ୍ୟ ପାଶେ । ନିରତେ ଖଟୁ ଅବକାଶେ ॥ ୨୪୩
ଭୟେ ନପାରୁ ସ୍ଥାନେ ରହି । ତାହାର ଆଜ୍ଞା ଶିରେ ବହି ॥ ୨୪୪
ଉତ୍ପଥଗାମୀ ଜନଙ୍କର । କେବେହେଁ ନାହିଁ ସୁଖସାର ॥ ୨୪୫
ତୋହର ଚରଣ ପ୍ରସାଦେ । ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ ॥ ୨୪୬
ଚାରଣେ ମିଳିଣ ଜଣାନ୍ତି । ଶୁଣ ହେ ପ୍ରଭୁ ଶିରୀପତି ॥ ୨୪୭
ଚାରଣଗଣ ଉବାଚ
ଭୋ ହରି ଚରଣ ତୋହର । ଚତୁରବର୍ଗ ସୁଖକର ॥ ୨୪୮
ସଂସାର ନିବୃତ୍ତି କାରଣ । ଭୋ ନାଥ ତୋହର ଚରଣ ॥ ୨୪୯
ସେ ପାଦସେବା ଆମ୍ଭେ ଛାଡ଼ି । ଅସୁରଘରେ ବନ୍ଦୀ ପଡ଼ି ॥ ୨୫୦
ସେ ଘୋର ଦୁଃଖ ଏବେ ଗଲା । ଯେଣୁ ଅସୁର ବୀର ମଲା ॥ ୨୫୧
ଯକ୍ଷ ସକଳେ ମନ ସ୍ଥିରେ । କହନ୍ତ ନୃସିଂହ ଛାମୁରେ ॥ ୨୫୨
ଯକ୍ଷଗଣ ଉବାଚ
ସେବକ ଲୋକ ଆମ୍ଭେ ତୋର । ନିରତେ ଚରଣେ କିଙ୍କର ॥ ୨୫୩
ଅନେକ ପୁଣ୍ୟ ସାଧି ପୂର୍ବେ । ତୋର ଚରଣ ସେବୁ ଆମ୍ଭେ ॥ ୨୫୪
ଆମ୍ଭକୁ ଦିତିସୁତ ନେଇ । ବାହାନ କରେ ଦୁଃଖଦେଇ ॥ ୨୫୫
ସେ ଦୈତ୍ୟ ଜନ ପରିତାପେ । ପ୍ରାଣ ଛାଡ଼ିଲା ତୋର କୋପେ ॥ ୨୫୬
କହନ୍ତି କିଂପୁରୁଷ ମାନ । ଶୁଣିମା ପ୍ରଭୁ ଭଗବାନ ॥ ୨୫୭
କିଂପୁରୁଷ ଉବାଚ
ତୁ ମହାପୁରୁଷ ଈଶ୍ୱର । ଆମ୍ଭେ କିଙ୍କରଗଣ ତୋର ॥ ୨୫୮
କୁତ୍ସିତ-ପୁରୁଷ ଏ ନଷ୍ଟ । ସାଧୁ ବର୍ଜିତ ମହାଦୁଷ୍ଟ ॥ ୨୫୯
ଅନ୍ୟାୟକର୍ମ ଆଚରିଲା । ତୋର ପ୍ରତାପେ ନାଶଗଲା ॥ ୨୬୦
ବୈତାଳିକଗଣ ଉବାଚ
ଆମ୍ଭେ ସାଧୁଙ୍କ ସଭାମଧ୍ୟେ । ଯଜ୍ଞ-ଆରମ୍ଭ-ପରିବନ୍ଧେ ॥ ୨୬୧
ତୋର ନିର୍ମଳ-ଯଶ ଗାଇ । ସତ୍କାର-ପୂଜା-ଧର୍ମ ପାଇ ॥ ୨୬୨
ଆନନ୍ଦେ ଭୁଞ୍ଜୁ ସାଧୁମେଳେ । ଏ ମହାସୁର ତାହା ବଳେ ॥ ୨୬୩
ତୋହର ଯଶ ନାଶ କଲା । ଆମ୍ଭକୁ ମହାଦୁଃଖ ଦେଲା ॥ ୨୬୪
ଏ ଆମ୍ଭ ଦେହେ ବ୍ୟାଧି ଥିଲା । ତୋ ଉଗ୍ରତେଜେ ନାଶଗଲା ॥ ୨୬୫
କିନ୍ନରଗଣ ହରି ଚାହିଁ । ବୋଲନ୍ତି ଶିରେକର ଦେଇ ॥ ୨୬୬
କିନ୍ନରଗଣ ଉବାଚ
ତୋର କିଙ୍କରଗଣ ଆମ୍ଭେ । ତୋ ଅନୁଗ୍ରହେ ଥାଉଁ ଦମ୍ଭେ ॥ ୨୬୭
ଏ ଦିତିସୁତ ମହାନଷ୍ଟ । ଆମ୍ଭଙ୍କୁ ଦେଲା ଅତି କଷ୍ଟ ॥ ୨୬୮
ଏବେ ଅସୁର ନାଶ କଲୁ । ଆମ୍ଭର ମାନ ଉଦ୍ଧରିଲୁ ॥ ୨୬୯
ତୁ ନାଥ ଦେବଙ୍କର ଦେବ । ଆମ୍ଭର ମଙ୍ଗଳ-ବିଭବ ॥ ୨୭୦
ଶ୍ରୀବିଷ୍ଣୁ-ପାରିଷଦ ଗଣ । ବୋଲନ୍ତି ଦେବଦେବ ଶୁଣ ॥ ୨୭୧
ବିଷ୍ଣୁ ପାରିଷଦଗଣ ଉବାଚ
ଭୋ ନାଥ ଏ ରୂପ ତୋହର । ଅଦ୍ଭୁତ ମହାଭୟଙ୍କର ॥ ୨୭୨
ନୟନେ ଦେଖି ସର୍ବଜନେ । ଭୟେ କମ୍ପିଲେ ତ୍ରିଭୁବନେ ॥ ୨୭୩
ତାହାଙ୍କ କର୍ମଦାତା ତୁହି । ଆମ୍ଭକୁ କଲୁ ନାଥ ତ୍ରାହି ॥ ୨୭୪
ଯେଣୁ ନାଶିଲୁ ମହାସୁର । ଆମ୍ଭଙ୍କୁ ଅନୁଗ୍ରହ କର ॥ ୨୭୫
କହେ ନାରଦ ମହାଋଷି । ଶୁଣ ପାଣ୍ଡବ ସୋମବଂଶୀ ॥ ୨୭୬
ଏମନ୍ତେ ନୃସିଂହ ସମ୍ମୁଖେ । ସ୍ତୁତି ବଚନେ ଏକେ ଏକେ ॥ ୨୭୭
କହି କରାଇ ତୋଷ ମନ । ଏବେ ହୋ ସାଧୁଜନେ ଶୁଣ ॥ ୨୭୮
ନାରଦ ଯୁଧିଷ୍ଠିର ଆଗେ । ଯାହା କହିଲେ ଅନୁରାଗେ ॥ ୨୭୯
ସୁଜନେ ଜନେ ଏହା ଶୁଣି । ତରିବେ ଭବ ତରଙ୍ଗିଣୀ ॥ ୨୮୦
ଅଦ୍ଭୁତ ନୃସିଂହ-ଚରିତ । କହିଲା ଦାସ ଜଗନ୍ନାଥ ॥ ୨୮୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟରାଜବଧେ ନୃସିଂହସ୍ତବୋ
ନାମାଷ୍ଟମୋଽଧ୍ୟାୟଃ ॥
* * *