ସପ୍ତମ ସ୍କନ୍ଧ

ସପ୍ତମ ଅଧ୍ୟାୟ

ନାରଦ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଅସୁରବାଳକ ଚରିତ ॥

ସେ ପ୍ରହଲ୍ଲାଦ ଦୟା ମନେ । କହେ ବାଳକ ଅବଧାନେ ॥

ପ୍ରହଲ୍ଲାଦ ଉବାଚ

ଏବେ ହୋ ଶୁଣ ଦୈତ୍ୟସୁତେ । ଯାହା କହିବା ତୁମ୍ଭ ହିତେ ॥

ମୋହର ପିତା ତପ ଅର୍ଥେ । ଗଲେ ଯେ ମନ୍ଦର ପର୍ବତେ ॥

ନିଶ୍ଚଳ ତପ ତାର ଦେଖି । ବିବୁଧେ ଗଗନ ଉପେକ୍ଷି ॥

ଯୁଦ୍ଧଉଦ୍ୟମ କରି ହେଳେ । ମିଳିଲେ ଅବନୀମଣ୍ଡଳେ ॥

ହିରଣ୍ୟକଶିପୁ ଅସୁର । ସ୍ୱଭାବେ ପାପୀ ଦୁରାଚାର ॥

ସର୍ପକୁ ପିପୀଲିକା ଯେହ୍ନେ । ନାଶନ୍ତି ଆତ୍ମ ପାପ-ଗୁଣେ ॥

ଏ ରୂପେ ତୁଚ୍ଛ-ମତ କରି । ବିବୁଧେ ସମର ଉଭାରି ॥

ଯେତେ ଅସୁର ଥିଲେ ପୁରେ । ଦେବଙ୍କୁ ଦେଖି ମହାଡ଼ରେ ॥ ୧୦

ନିଶସ୍ତ୍ର ହୋଇ ଶସ୍ତ୍ରାଘାତେ । ସଂଗ୍ରାମେ ଭାଜିଲେ ସମସ୍ତେ ॥ ୧୧

ଭୟେ ପଶିଲେ ଦଶଦିଶେ । ମିଳିଲେ ଘୋର ବନଦେଶେ ॥ ୧୨

ଗୃହ କଳତ୍ର ପୁତ୍ର ଏଡ଼ି । ସର୍ବସମ୍ପଦ ବେଗେ ଛାଡ଼ି ॥ ୧୩

ଜୀବନ ଘେନି ପଳାଇଲେ । ବିବୁଧେ ନବରେ ପଶିଲେ ॥ ୧୪

ସର୍ବସମ୍ପଦ ଜୂର କରି । ମୋହର ଜନନୀଙ୍କି ଧରି ॥ ୧୫

ପଥେ ଚଳାଇ ନ୍ୟନ୍ତି ବେଗେ । ପିତାର ଭୟେ ଉଦବେଗେ ॥ ୧୬

ମୋର ଜନନୀ ଅତିଭୟେ । ଚଳି ନ ପାରେ-ଗରୁ -ଦେହେ ॥ ୧୭

ଅନେକ ଦୁଃଖ ଗରୁଶୋକେ । କୁରରୀ ପ୍ରାୟେ କାନ୍ଦେ ଦୁଃଖେ ॥ ୧୮

ଏମନ୍ତେ ଗଲେ କେତେ ଦୂର । କାନନେ ବ୍ରହ୍ମାଙ୍କ କୁମର ॥ ୧୯

ମୋର ଜନନୀ ଦେଖି ପଥେ । ମିଳିଲେ ଦେବଙ୍କ ଅଗ୍ରତେ ॥ ୨୦

ବୋଲନ୍ତି ଇନ୍ଦ୍ରମୁଖ ଚାହିଁ । ଏ କଥା ଉଚିତ ନୁହଁଇ ॥ ୨୧

ନିରପରାଧୀ ଏ ତୋହର । ଏହାକୁ ଛାଡ଼ ସୁନାସୀର ॥ ୨୨

ପରର ସତୀ ଏ ସୁନ୍ଦରୀ । ତୁ କିମ୍ପା ନେଉ ବଳେ ଧରି ॥ ୨୩

ଏହାର ଅପରାଧ ନାହିଁ । ବେଗେ ଏହାକୁ ଛାଡ଼ ତୁହି ॥ ୨୪

ଏମନ୍ତେ ନାରଦ ବଚନେ । ଇନ୍ଦ୍ର ବୋଲଇ ଭୟମନେ ॥ ୨୫

ଇନ୍ଦ୍ର ଉବାଚ

ଅସୁର ବୀର୍ଯ୍ୟ ଏହା ଗର୍ଭେ । ଏ ମୋର ବଇରୀ ସ୍ୱଭାବେ ॥ ୨୬

ଯେ ପୁତ୍ର ଅଛି ଗର୍ଭେ ରହି । ତାହାର ତେଜ କେବା ସହି ॥ ୨୭

ସ୍ୱର୍ଗ ଘେନିବ ଏ ମୋହର । ଏହାକୁ ମୋର ବଡ଼ ଡ଼ର ॥ ୨୮

ଏ ନାରୀ ମୋର ପୁରେ ଥିବ । ଯାବତ ଗର୍ଭ-ପ୍ରସବିବ ॥ ୨୯

ଗର୍ଭକୁ ମାରି ସତୀ ପୁଣି । ଛାଡ଼ିବି ନିଜଘରେ ଆଣି ॥ ୩୦

ଏକଥା ସଙ୍କଳ୍ପ ମୋହର । କହିଲି ଶୁଣ ମୁନିବର ॥ ୩୧

ଏମନ୍ତେ ଇନ୍ଦ୍ରବାକ୍ୟ ଶୁଣି । ନାରଦ ମନେ ଧ୍ୟାନେ ଜାଣି ॥ ୩୨

ବୋଇଲେ ଶୁଣ ସୁରନାଥ । ମୁହିଁ ଜାଣଇ ପୂର୍ବବୃତ୍ତ ॥ ୩୩

ନାରଦ ଉବାଚ

ଏହାର ଗର୍ଭେ ଯେ କୁମର । ନିଶ୍ଚେ ସେ ବଇଷ୍ଣବ ସାର ॥ ୩୪

ଅଶେଷଗୁଣେ ଗୁଣନିଧି । ଏହାର ଦେହେ ସର୍ବସିଦ୍ଧି ॥ ୩୫

କୃଷ୍ଣର ଏ ନିଜ ସେବକ । ଏବେ ଗର୍ଭର ତେଜ ଦେଖ ॥ ୩୬

ତୁ କାହିଁ ଏହାକୁ ମାରିବୁ । ଏହାର ଚରଣେ ସେବିବୁ ॥ ୩୭

ପ୍ରହଲ୍ଲାଦ ଉବାଚ

ଏକଥା ମୁନିମୁଖୁଁ ଶୁଣି । ଇନ୍ଦ୍ର ଯେ ମନେ ମନେ ଗୁଣି ॥ ୩୮

ନାରଦ ବାକ୍ୟେ ଶଚୀପତି । ଛାଡ଼ିଲା ଅସୁର-ଯୁବତୀ ॥ ୩୯

ଅତ୍ୟନ୍ତ ପ୍ରିୟଭାବ ଭରି । ମାତାଙ୍କୁ ପ୍ରଦକ୍ଷିଣ କରି ॥ ୪୦

ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅସୁରଙ୍କ ବଳା ॥ ୪୧

ମୋର ମାତାଙ୍କୁ ଆଗକରି । ଆଶ୍ୱାସ କରି ବ୍ରହ୍ମଚାରୀ ॥ ୪୨

ନିଜ ଆଶ୍ରମେ ମୁନି ଆଣି । ମୁଖେ ସିଞ୍ଚିଲେ ଶୀତପାଣି ॥ ୪୩

ବୋଲନ୍ତି ମଧୁର ବଚନ । ତୁ ଏଥେ ଥାଅ କେତେଦିନ ॥ ୪୪

ଯାବତ ସ୍ୱାମୀ ତପୁଁ ଆସେ । ତାବତ ଥାଅ ମୋର ପାଶେ ॥ ୪୫

ମୁନି ବଚନେ ମୋର ମାତା । ଛାଡ଼ିଲା ମନୁ ଦୁଃଖ-ଚିନ୍ତା ॥ ୪୬

ନିର୍ଭୟେ ମୁନିପାଶେ ରହି । ଭର୍ତ୍ତାଆଗମେ ପଥ ଚାହିଁ ॥ ୪୭

ପରମ ଭକ୍ତି ମୁନିପାଦେ । ମୋର ଜନନୀ ଅପ୍ରମାଦେ ॥ ୪୮

ସେବା କରଇ ନିରନ୍ତରେ । ମୁନି-ପ୍ରସନ୍ନ ଅନୁସାରେ ॥ ୪୯

ମୁନି-ଚରଣ ପରସାଦେ । ପ୍ରସବ ହେବ ଅପ୍ରମାଦେ ॥ ୫୦

ଏମନ୍ତ ମନେ କରି ଚିନ୍ତା । ସୁଖେ ରହିଲା ମୋର ମାତା ॥ ୫୧

ଗୃହେ ନାରଦ ବ୍ରହ୍ମଚାରୀ । ମୋର ମାତାଙ୍କୁ ଦୟାକରି ॥ ୫୨

ଦିନକୁ ଦିନ କହି ଜ୍ଞାନ । ଆନନ୍ଦ କରି ମାତା ମନ ॥ ୫୩

ନିର୍ମଳ-ଧର୍ମ-ତତ୍ତ୍ୱ ଯେତେ । କହନ୍ତି ମାତାଙ୍କ ଅଗ୍ରତେ ॥ ୫୪

କୃଷ୍ଣର ଅଶେଷ ସମ୍ପଦେ । କହନ୍ତି ମନର ଆନନ୍ଦେ ॥ ୫୫

ଯେତେ କହିଲେ ମହାମୁନି । ମୁଁ ତାହା ଗର୍ଭେ ଥାଇ ଶୁଣି ॥ ୫୬

ଜନନୀ ସ୍ୱଭାବେ ଅବଳା । କାଳେ ସେ ଜ୍ଞାନ ପାସୋରିଲା ॥ ୫୭

ନାରଦ ଅନୁଗ୍ରହମତେ । ଜ୍ଞାନ ରହିଲା ମୋର ଚିତ୍ତେ ॥ ୫୮

ମୋର ବଚନେ ଶ୍ରଦ୍ଧା କର । ଏ ଜ୍ଞାନ ହୋଇବ ତୁମ୍ଭର ॥ ୫୯

ନିର୍ମଳ ଜ୍ଞାନ ପ୍ରସରିବ । ଅବିଦ୍ୟା-ବନ୍ଧ ନାଶଯିବ ॥ ୬୦

ନିର୍ମଳଜ୍ଞାନ ହେଲେ ଜାତ । ବିନାଶ ହୋଇ ଦୁରିତ ॥ ୬୧

ସ୍ୱଭାବେ ମନୁଷ୍ୟ-ଶରୀରେ । ଜନ୍ମଇ ଏ ଷଡ଼ବିକାରେ ॥ ୬୨

ଆତ୍ମାର ନୁହଁଇ ସ୍ୱଭାବ । ଶୁଣ କହିବା ଜ୍ଞାନଭାବ ॥ ୬୩

ବୃକ୍ଷର ଫଳ ଯେହ୍ନେ କାଳେ । ପାଚି ପଡ଼ଇ ମହୀତଳେ ॥ ୬୪

ଷଡ଼ବିକାରେ ନାଶ ଯାଇ । ଶରୀର ସ୍ୱଭାବଟି ଏହି ॥ ୬୫

ଗର୍ଭୁ ଶରୀର ଜନ୍ମ ହୋଇ । ବାଳକ-ସ୍ୱରୂପେ ବଢ଼ଇ ॥ ୬୬

ପୌଗଣ୍ଡ କିଶୋର ତରୁଣ । ଜରାନ୍ତେ ଲଭଇ ମରଣ ॥ ୬୭

ଏ ଷଡ଼ବିକାରେ ଶରୀର । ଆତ୍ମା ସ୍ୱଭାବେ ନିର୍ବିକାର ॥ ୬୮

ନିତ୍ୟ ଅବ୍ୟୟ ଶୁଦ୍ଧ ଏକ । କ୍ଷେତ୍ରଜ୍ଞ ଭାବେ ସର୍ବସାକ୍ଷ୍ୟ ॥ ୬୯

ସର୍ବ-ଆଶ୍ରୟ ସର୍ବବ୍ୟାପି । ନିଷ୍କ୍ରିୟ ଅନାବୃତ୍ତ-ରୂପୀ ॥ ୭୦

ଅସଙ୍ଗ ହେତୁ ବଦ୍ଧ ନୋହେ । ସ୍ୱପ୍ନ ଜାଗ୍ରତ ଯେହ୍ନେ ଦେହେ ॥ ୭୧

ବୁଦ୍ଧିର ଧର୍ମ ପ୍ରକାଶଇ । ସେ ପୁଣି ତାକୁ ନ ଲାଗଇ ॥ ୭୨

ବସ୍ତୁ ସ୍ୱଭାବେ ବଦ୍ଧ ନୋହେ । ଅଜ୍ଞାନେ ଦିଶେ ବଦ୍ଧ ପ୍ରାୟେ ॥ ୭୩

ଭୂତ ଭବିଷ୍ୟ ବର୍ତ୍ତମାନେ । ବସ୍ତୁ ପ୍ରକାଶେ ଭିନ୍ନେ ଭିନ୍ନେ । ୭୪

ସେ ପୁଣି ରହେ ଶେଷ ହୋଇ । ପୂର୍ଣ୍ଣ ସ୍ୱଭାବେ ପ୍ରକାଶଇ ॥ ୭୫

ଏ ଘେନି ଦ୍ୱାଦଶପ୍ରକାର । ଆତ୍ମାଲକ୍ଷଣ ପ୍ରାଣୀଙ୍କର ॥ ୭୬

ଅହଙ୍କାରକୁ ପରିହରେ । ଦେହାଭିମାନ ଦୂର କରେ ॥ ୭୭

ଆତ୍ମଯୋଗରେ କରେ ଧ୍ୟାନ । ଏ ଦେହେ ଲଭେ ବ୍ରହ୍ମଜ୍ଞାନ ॥ ୭୮

ମୁହିଁ ମୋହର ବୋଲି ଯେତେ । ମିଥ୍ୟା-ସ୍ୱଭାବ ଏ ଜଗତେ ॥ ୭୯

ଦେହାଦି-ଉପାଧି ବିଶେଷ । ମୋହରୁ ଜାତ ଯେତେ ଅଂଶ ॥ ୮୦

ମୂଢ଼-ସ୍ୱଭାବ ବେଗେ ତେଜ । ମୁକୁନ୍ଦ ପଦ୍ମପାଦେ ଭଜ ॥ ୮୧

ସୁବର୍ଣ୍ଣକାର ଯେହ୍ନେ ଜଳେ । ପାଷାଣୁ ସୁବର୍ଣ୍ଣ ଧୋଇଲେ ॥ ୮୨

ଘେନଇ ଅତି ଯତ୍ନ କରି । ସେହି ସ୍ୱଭାବ ବ୍ରହ୍ମଚାରୀ ॥ ୮୩

କ୍ଷେତ୍ରଜ୍ଞ କ୍ଷେତ୍ରରୁ ଉଦ୍ଧରେ । ଆତ୍ମାକୁ ଲଭେ ଅଭ୍ୟନ୍ତରେ ॥ ୮୪

ଅଷ୍ଟପ୍ରକୃତି ତିନିଗୁଣ । ଷୋଡ଼ଶ ବିକାର ଲକ୍ଷଣ ॥ ୮୫

ଏତେ ପ୍ରକାରେ ଭିନ୍ନ ଆତ୍ମା । ଏ ଭାବେ ବିଚାରେ ମହାତ୍ମା ॥ ୮୬

ଏତେ ପ୍ରକାରେ ଦେହ ଜାତ । ସ୍ଥାବର ଜଙ୍ଗମେ ବିଦିତ ॥ ୮୭

ଏ ଭାବେ ଯେ ଜନ ବିଚାରେ । ମାୟାସମୂହ ପରିହରେ ॥ ୮୮

ଜୀବେ ଅଜ୍ଞାନ ବ୍ୟତିରେକେ । ଜ୍ଞାନସଞ୍ଚରି ଏକେଏକେ ॥ ୮୯

ସୃଷ୍ଟି ସ୍ଥିତି ଯେ ପ୍ରଳୟର । କାରଣ ବୁଝି ହେତୁକର ॥ ୯୦

ସୁଷୁପ୍ତି ସ୍ୱପ୍ନ ଜାଗରଣ । ବୁଦ୍ଧିର ଏ ତିନିଲକ୍ଷଣ ॥ ୯୧

ଯା ତହୁଁ ଅନୁଭବ ହୋଏ । ଅଧ୍ୟକ୍ଷ ପୁରୁଷ ସେ ଦେହେ ॥ ୯୨

ଆତ୍ମା ଏ ତିନିଗୁଣେ ଦେହେ । ପବନେ ଗନ୍ଧପ୍ରାୟେ ରହେ ॥ ୯୩

ଏ ତିନିଗୁଣ ନିବନ୍ଧନେ । ସଂସାରେ ମାୟା ଅନୁମାନେ ॥ ୯୪

ଅଜ୍ଞାନ ମୂଳ ଏ ଅନର୍ଥ । ସ୍ୱପ୍ନ ଯେସନେ ନିଦ୍ରାଗତ ॥ ୯୫

ଆତ୍ମାର ସ୍ୱପ୍ନ ଏ ଜଗତ । ଯେଣୁ ଏ ତ୍ରିଗୁଣେ ନିଦ୍ରିତ ॥ ୯୬

ତ୍ରିଗୁଣାତ୍ମକ କର୍ମବୀଜେ । ଅଙ୍କୁରି ସମସ୍ତ ଉପୁଜେ ॥ ୯୭

ଏ ବୀଜ ଅନଳ ସଂଯୋଗେ । ଦହନ କର ଯୋଗମାର୍ଗେ ॥ ୯୮

ଅନ୍ୟଥା ସହସ୍ର-ଉପାୟେ । କେ ସାଧି ପାରିବ ଏ ଦେହେ ॥ ୯୯

ଯେ ଭାବେ କୃଷ୍ଣେ ହୋଏ ରତି । ଭକ୍ତି-ଲକ୍ଷଣେ ତାହା ଚିନ୍ତି ॥ ୧୦୦

ଭକ୍ତି-ଲକ୍ଷଣେ ଗୁରୁ ସେବ । କୃଷ୍ଣେ ସମର୍ପି ସର୍ବଲାଭ ॥ ୧୦୧

ସଙ୍ଗ କରିବ ସାଧୁଜନ । ଏଣେ ଈଶ୍ୱର ଆରାଧନ ॥ ୧୦୨

ସେ କୃଷ୍ଣକଥାର ଶ୍ରବଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ ॥ ୧୦୩

କୃଷ୍ଣର ଯେତେ ନାମଗୁଣ । କରିବ ଶ୍ରବଣ କୀର୍ତ୍ତନ ॥ ୧୦୪

ପଦାରବିନ୍ଦ ଧ୍ୟାନବଳେ । ବଞ୍ଚିବ ବଇଷ୍ଣବମେଳେ ॥ ୧୦୫

ବିଷ୍ଣୁଭକ୍ତଙ୍କ ପାଦ ସେବି । ଭାବବିହ୍ୱଳେ ବିଷ୍ଣୁ ଭାବି ॥ ୧୦୬

ସକଳ ଭୂତେ ଭଗବାନ । ଅଛନ୍ତି ବୋଲି ଜାଣି ପୁଣ ॥ ୧୦୭

ମନ-କର୍ମରେ ପ୍ରାଣୀ ସେବ । ଭାବୁକ ସଙ୍ଗେ କର ଭାବ ॥ ୧୦୮

ଏ ଭକ୍ତିଯୋଗ ବଳେ ପ୍ରାଣୀ । ଅଇରି ଷଡ଼ବର୍ଗ ଜିଣି ॥ ୧୦୯

କୃଷ୍ଣବିଷୟେ ଲଭେ ରତି । ଏ ଭାବେ ସଂସାରୁ ତରନ୍ତି ॥ ୧୧୦

ଏବେ ଅସୁରପୁତ୍ରେ ଶୁଣ । ଯେଣେ ଜୀବର ପରିତ୍ରାଣ ॥ ୧୧୧

କୃଷ୍ଣର ଯେତେ ପ୍ରିୟକର୍ମ । ଯେବା ଅଧିକ ଗୁଣଗ୍ରାମ ॥ ୧୧୨

ଲୀଳାଶରୀରେ ଯେତେ କଲା । ଅନନ୍ତ ବୀର୍ଯ୍ୟ ଗୁଣ ଖେଳା ॥ ୧୧୩

ସେ କଥା ଶୁଣି କର୍ଣ୍ଣଦ୍ୱାରେ । ପୁଲକ ଯାହାର ଶରୀରେ ॥ ୧୧୪

ଆନନ୍ଦେ ଅଶ୍ରୁଜଳ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ ॥ ୧୧୫

ଆନନ୍ଦେ ଗାଏ କୃଷ୍ଣବାଣୀ । ଉଚ୍ଚେ କାନ୍ଦଇ ନାମ ଗୁଣି ॥ ୧୧୬

ନୃତ୍ୟ କରଇ ବେନିପାଦେ । ହରଷେ ଡାକେ ଉଚ୍ଚନାଦେ ॥ ୧୧୭

ଭୂତ ବେତାଳ ଗ୍ରହଗଣେ । ଲାଗିଲେ ଭୋଳ ହୋନ୍ତି ଯେହ୍ନେ ॥ ୧୧୮

ଉନ୍ମତ୍ତ ହୋଇ ଭାବଭୋଳେ । ହୁଁକାର ନାଦେ କୃଷ୍ଣ ବୋଲେ ॥ ୧୧୯

ଜନଙ୍କୁ କୃଷ୍ଣପ୍ରାୟେ ମଣେ । ନମଇଁ ତାହାଙ୍କ ଚରଣେ ॥ ୧୨୦

ତୁଣ୍ଡେ ବୋଲଇ ରାମ ହରି । ହେ ଜଗନ୍ନାଥ ଦଇତାରି ॥ ୧୨୧

ହେ ନାରାୟଣ ଯଦୁପତି । ଭବସାଗରୁ କର ଗତି ॥ ୧୨୨

ହୃଦେ ଗୋବିନ୍ଦନାମ ଚିନ୍ତି । ନିର୍ଲ୍ଲଜପ୍ରାୟେ ବହେ ମତି ॥ ୧୨୩

ଏମନ୍ତ ଭାବେ ଯେତେବେଳେ । ଭଜଇ କୃଷ୍ଣପାଦ ମୂଳେ ॥ ୧୨୪

ଅଶେଷ-କର୍ମବନ୍ଧ-ପାଶ । ତକ୍ଷଣେ ହୋଏ ସେହୁ ନାଶ ॥ ୧୨୫

କୃଷ୍ଣଚରଣେ ଭାବ କରେ । ଅଶେଷ-ବନ୍ଧନୁ ନିସ୍ତରେ ॥ ୧୨୬

କୃଷ୍ଣଭାବନେ ହୋଏ ଶୁଦ୍ଧି । ଚେତନା ଅହଙ୍କାର ବୁଦ୍ଧି ॥ ୧୨୭

ଏମନ୍ତ ବାହ୍ୟ-ଅଭ୍ୟନ୍ତର । ନିର୍ମଳେ ପ୍ରକାଶ ଶରୀର ॥ ୧୨୮

କର୍ମବାସନା ବୀଜବଳେ । ଜୀବ ସଞ୍ଚରେ ଏ ଶୟଳେ ॥ ୧୨୯

କୃଷ୍ଣଭଗତି ଯୋଗବଳେ । ପ୍ରକାଶ ପ୍ରଳୟ ଅନଳେ ॥ ୧୩୦

ସେ ଅଗ୍ନିତେଜେ କର୍ମବୀଜ । ତକ୍ଷଣେ ହୁଅଇ ଦହିଯ୍ୟ ॥ ୧୩୧

କର୍ମ ବିନାଶେ ଜୀବ ତରେ । ନିଶ୍ଚିନ୍ତେ କୃଷ୍ଣ ଆଶ୍ରେ କରେ ॥ ୧୩୨

କୃଷ୍ଣ ଆଶ୍ରୟେ ପ୍ରାଣୀଙ୍କର । ଶୁଭ-ଅଶୁଭ ହୋଏ ଦୂର ॥ ୧୩୩

ଏ ଶୁଭାଶୁଭ-ଚକ୍ରେ ଥାଇ । ପ୍ରାଣୀ ଅଶେଷ ଜନ୍ମ ପାଇ ॥ ୧୩୪

ସଂସାରଚକ୍ର ଦୃଢ଼ ପାଶ । ହରି ଭଜନେ ହୋଏ ନାଶ ॥ ୧୩୫

ଏ ଜୀବ ବନ୍ଧୁ ମୋକ୍ଷ ହୋଇ । ବ୍ରହ୍ମନିର୍ବାଣେ ପଶେ ଯାଇ ॥ ୧୩୬

ପଣ୍ଡିତଜନଙ୍କର ମତ । କୃଷ୍ଣଭଜନ ବ୍ରହ୍ମତତ୍ତ୍ୱ ॥ ୧୩୭

ବାଳକେ ମୋର ବୋଲ କର । ବେଳହୁଁ ଗୋବିନ୍ଦ ସୁମର ॥ ୧୩୮

ହରିଙ୍କି ଭଜ ଦୃଢ଼ମନେ । କି ଦୁଃଖ କୃଷ୍ଣ-ଉପାସନେ ॥ ୧୩୯

ହରି ଅଶେଷ ପ୍ରାଣୀ-ଦେହେ । କ୍ଷୁଦ୍ର-ଆକାଶ ପ୍ରାୟେ ରହେ ॥ ୧୪୦

ଆତ୍ମାର ସଖା ପଦ୍ମନାଭ । ଅନ୍ୟ ଭଜନେ କିବା ଲାଭ ॥ ୧୪୧

ଦେଖ ଏ ଧନ ଦାରା ସୁତ । ପଶୁ କୁଞ୍ଜର ଗୃହ କ୍ଷେତ୍ର ॥ ୧୪୨

ନାନା ସମ୍ପଦ ଅର୍ଥ କାମ । କ୍ଷଣଭଙ୍ଗୁର ସର୍ବ ଜାଣ ॥ ୧୪୩

ସ୍ୱପ୍ନର ପ୍ରାୟେ ମିଥ୍ୟା ହୋନ୍ତି । ଜୀବକୁ କିବା ଏ କରନ୍ତି ॥ ୧୪୪

ସମ୍ପଦ ନୁହଁଇ ନିଶ୍ଚଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୧୪୫

ଏହା ନ ଜାଣି ମୂଢ଼ଜନେ । ଏ ମାୟା ନିଗମ ବଚନେ ॥ ୧୪୬

ଯଜ୍ଞ ଆରମ୍ଭେ କରେ କର୍ମ । ଶ୍ରୁତି-ସଙ୍କୁଳେ ହୋଏ ଭ୍ରମ ॥ ୧୪୭

ସେ ଯଜ୍ଞଫଳ ବେନିଲୋକେ । ଆବୋରି ଭୁଞ୍ଜେ ଏକେଏକେ ॥ ୧୪୮

କର୍ମ ସରିଲେ ପୁଣି ଚଳେ । ଭ୍ରମଇ ଏ ମାୟାଶୟଳେ ॥ ୧୪୯

ଅଦୃଷ୍ଟ କୃତକର୍ମ ଫଳ । କେବେହେଁ ନୁହଁଇ ନିର୍ମଳ ॥ ୧୫୦

ଏ କର୍ମ ଦୂରେ ପରିହର । ଆତ୍ମାକୁ ମାୟାରୁ ଉଦ୍ଧର ॥ ୧୫୧

ଅନ୍ତରେ ଆତ୍ମ-ସୁଖଲାଭେ । କୃଷ୍ଣଚରଣ ଚିନ୍ତ ଭାବେ ॥ ୧୫୨

ଯେ ଅର୍ଥେ କର୍ମ ଇହଲୋକେ । କରଇ ପ୍ରାଣୀ ଏକେଏକେ ॥ ୧୫୩

ସେ କର୍ମ ଯେବେ ହରିପାଦେ । ଅର୍ପଇ ନାହିଁ ସେ ଆନନ୍ଦେ ॥ ୧୫୪

ନିମିଷେ ହରିଙ୍କୁ ନ ଭାବେ । ସେ ବିପରୀତ ଫଳ ଲଭେ ॥ ୧୫୫

ଦୁଃଖ ବିନାଶେ ସୁଖ ଅର୍ଥେ । ପ୍ରାଣୀ ଭ୍ରମନ୍ତି ଏ ଜଗତେ ॥ ୧୫୬

ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ । ସୁଖ ନ ମିଳେ କଦାଚିତେ ॥ ୧୫୭

ଅଶେଷ କାମଭୋଗ ଅର୍ଥେ । କର୍ମ କରଇ ପ୍ରାଣୀ ନିତ୍ୟେ ॥ ୧୫୮

ସେ ଫଳ ପରଲୋକେ ପାଇ । ମିଳଇ ଅବା ନ ମିଳଇ ॥ ୧୫୯

ଯେ ଦେହ ପାଇଁ କର୍ମମାନ । କରଇ ତାକୁ ଭଣି ଶ୍ୱାନ ॥ ୧୬୦

ଏ ଦାରା ସୁତ ଗୃହ ଧନ । ରାଜ୍ୟ ଭଣ୍ଡାର ଭୃତ୍ୟଜନ ॥ ୧୬୧

ମମତା-ଆବୃତେ ଏ ଥାନ୍ତି । ଦିଶନ୍ତି ପୁଣି ନ ଦିଶନ୍ତି ॥ ୧୬୨

ଇନ୍ଦ୍ରିୟ ପ୍ରାୟେ ଦେହ ତୁଲେ । ସର୍ବେ ନାଶନ୍ତି ଅନ୍ତଃକାଳେ ॥ ୧୬୩

ଅନର୍ଥ ଅର୍ଥ ପ୍ରାୟେ ମଣି । ମାୟା ସଂଗ୍ରହେ ସର୍ବପ୍ରାଣୀ ॥ ୧୬୪

ଏ ନିତ୍ୟ ଆନନ୍ଦସାଗରେ । ଚିତ୍ତ ମଜ୍ଜାଅ ନିରନ୍ତରେ ॥ ୧୬୫

ଦେହ ଧାରଣେ ଏତେ ଲାଭ । ଅସୁରମତି ଛାଡ଼ି ଭାବ ॥ ୧୬୬

ଦେଖ ଏ ଶରୀର-ଧାରଣ । ଜନ୍ମହୁଁ ଯାବତ ମରଣ ॥ ୧୬୭

ଏ ମଧ୍ୟେ ଅଶେଷ ଉପାୟେ । ଜୀବର କ୍ଳେଶ ମାତ୍ର ହୋଏ ॥ ୧୬୮

କର୍ମସଂଯୋଗେ ଦେହ ବହି । ନିରତେ କର୍ମହିଁ ସଞ୍ଚଇ ॥ ୧୬୯

ଜନ୍ମ ମରଣ କର୍ମ ଫଳେ । ଭୁଞ୍ଜଇ ଅବିବେକ ବଳେ ॥ ୧୭୦

ଏ ଘେନି ଧର୍ମ ଅର୍ଥ କାମ । ଏ ତିନି ଜୀବର ଯେ ଭ୍ରମ ॥ ୧୭୧

ଏଣୁ ଭ୍ରମଇ ନିରନ୍ତରେ । କ୍ଷଣେ ନ ରହେ ସୁଖେ ଘରେ ॥ ୧୭୨

ଏଣୁ ସଂଶୟ ଦୂରକରି । ଅନ୍ତରେ ଭଜ ନରହରି ॥ ୧୭୩

ଆତ୍ମାର ପ୍ରିୟ ଯେ ଈଶ୍ୱର । ଚିତ୍ତ-ନିର୍ମଳେ ଆଶ୍ରେକର ॥ ୧୭୪

ଏ ସୂକ୍ଷ୍ମଭୂତ ମହାଭୂତେ । ଜନ୍ମ କରାଏ ସ୍ୱଆୟତ୍ତେ ॥ ୧୭୫

ସଂଯୋଗେ ଶରୀର ପ୍ରକାଶେ । କର୍ମ ସରିଲେ ପ୍ରାଣୀ ନଶେ ॥ ୧୭୬

ଦେବ ଅସୁର ନର ଯେବେ । ଯକ୍ଷ ଗନ୍ଧର୍ବ ଭକ୍ତିଭାବେ ॥ ୧୭୭

ବିପ୍ର ଦେବତା ଋଷି ହୋଇ । ଯେବେ କୃଷ୍ଣଙ୍କୁ ନ ଭଜଇ ॥ ୧୭୮

ଅନେକ ବିଦ୍ୟାବାଦ କରେ । ସ୍ୱବୃତ୍ତି-କର୍ମେ ଦିନ ହରେ ॥ ୧୭୯

ଅନେକ ଦାନ ତପ ସାଧି । ଅଷ୍ଟାଙ୍ଗଯୋଗ କର୍ମବିଧି ॥ ୧୮୦

ଯଜ୍ଞ ଶଉଚ ବ୍ରତ ଯେତେ । ନାନା ଉପାୟ ଏ ଜଗତେ ॥ ୧୮୧

ଅଜ୍ଞାନ ବିଡ଼ମ୍ବନ ଏହି । ଏଣେ ଗୋବିନ୍ଦଙ୍କୁ ନ ପାଇ ॥ ୧୮୨

ଯେବେ ଜନ୍ମଇ ଅନ୍ତର୍ଗତେ । ନିର୍ମଳଭକ୍ତି ଅବିରତେ ॥ ୧୮୩

ତେବେ ଲଭଇ ଭଗବାନ । ଅନ୍ୟଥା ସର୍ବ ବିଡ଼ମ୍ବନ ॥ ୧୮୪

ଏଣୁ ଗୋବିନ୍ଦପାଦେ ଭଜ । ଅସୁରବୁଦ୍ଧି ଦୂରେ ତେଜ ॥ ୧୮୫

ସେ ଆତ୍ମା ସୁବୁଦ୍ଧି ବିବେକ । ଆତ୍ମା ସମାନେ ସର୍ବ ଦେଖ ॥ ୧୮୬

ସକଳ ଘଟେ ବିଜେ ହରି । ସୂକ୍ଷ୍ମ ସ୍ୱରୂପେ ଛନ୍ତି ପୂରି ॥ ୧୮୭

ଏ ଭାବ ଜାଣି ଏ ଶୟଳେ । ଅନେକ ପ୍ରାଣୀ ନିସ୍ତରିଲେ ॥ ୧୮୮

ଅସୁର ଯକ୍ଷ ରକ୍ଷଗଣ । ସ୍ତିରୀ ଗୋପାଳ ଶୂଦ୍ରଜନ ॥ ୧୮୯

ମୃଗ ପତଙ୍ଗ ପାପୀଜୀବେ । ସର୍ବେ ତରିଲେ କୃଷ୍ଣଭାବେ ॥ ୧୯୦

ଏ ଜୀବଲୋକେ ଏ ଦୁର୍ଲ୍ଲଭ । ଏକାନନ୍ତଚିତ୍ତେ ହରି ଭାବ ॥ ୧୯୧

ଜ୍ଞାନଲୋଚନେ ସର୍ବ ଦେଖ । ଆତ୍ମାକୁ ଆତ୍ମାଭାବେ ରଖ ॥ ୧୯୨

ଉତ୍ତମ କର୍ମର ଲକ୍ଷଣ । ଦେଖ ଏ ଦୈତ୍ୟସୁତେ ପୁଣ ॥ ୧୯୩

ଅସୁରପୁତ୍ରଙ୍କର ଆଗେ । ସେ ପ୍ରହଲ୍ଲାଦ ଅନୁରାଗେ ॥ ୧୯୪

ଯେତେ କହିଲେ ହରିବାଣୀ । ସୁଜନେ ତର ଏହା ଶୁଣି ॥ ୧୯୫

ସପ୍ତମ ସ୍କନ୍ଧେ ହରିଲୀଳା । ଏ ଭବସମୁଦ୍ରକୁ ଭେଳା ॥ ୧୯୬

ଭଣଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୯୭

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟପୁତ୍ରାନୁଶାସନଂ ନାମ ସପ୍ତମୋଽଧ୍ୟାୟଃ ॥

* * *