ସପ୍ତମ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ପ୍ରହ୍ଲାଦ ଉବାଚ

ଶୁଣ ହେ ଅସୁର ବାଳକେ । ଯେ ବିଦ୍ୟାସାର ନରଲୋକେ ॥

ଆହେ ବୟସ୍ୟେ ତୁମ୍ଭେ ଦେଖ । ମୃତ୍ୟୁ-ଅଧୀନ ଜୀବଲୋକ ॥

ମାୟାକ୍ରୀଡ଼ାରେ ଭୋଳହୋଇ । ତୁମ୍ଭର ଦେହେ ଜ୍ଞାନ ନାହିଁ ॥

ବାଳୁତ ଯୁବା ବୃଦ୍ଧଦେହୀ । କେବେହେଁ ମୃତ୍ୟୁ ନ ତରଇ ॥

ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି । ଅନ୍ତେ ସେ କୈବଲ୍ୟ ଭୁଞ୍ଜନ୍ତି ॥

ଯେବେ ଅଶେଷ ଗ୍ରନ୍ଥ ପଢ଼ି । ଆତ୍ମାର ଗତିପଥ ହୁଡ଼ି ॥

ପର-ଅପର ବୋଲି ଚିନ୍ତି । ସେ ମୃତ୍ୟୁ-ମୁଖେ ସଞ୍ଚରନ୍ତି ॥

ଯେ ଗୁରୁ କହେ ଶାସ୍ତ୍ରମତେ । ଅର୍ଥକୁ ବୁଝାଇ ଅନର୍ଥେ ॥

ଅଜ୍ଞାନ ନିନ୍ଦିତ ବଚନେ । ନ ଘଟେ ଶାସ୍ତ୍ର ଅନୁମାନେ ॥

ସେ ଗୁରୁବାକ୍ୟେ କାର୍ଯ୍ୟ କିସ । ନିଷ୍ଫଳ ତାର ଉପଦେଶ ॥ ୧୦

ଆତ୍ମ-ଶରୀର ଉଦ୍ଧାରଣେ । ନ କହେ ଅଜ୍ଞାନ କାରଣେ ॥ ୧୧

ଏଣୁ ଏ ଆତ୍ମଜ୍ଞାନୀ ଯେତେ । ଯତ୍ନ କରନ୍ତି ଆତ୍ମାହିତେ ॥ ୧୨

ଏଣୁ ଅଜ୍ଞାନୀଙ୍କ ବଚନ । ନ ମାନେ ଆତ୍ମଜ୍ଞାନୀ ଜନ ॥ ୧୩

ଅଜ୍ଞାନୀ ଅଜ୍ଞାନ ଦେଖାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୧୪

ଜ୍ଞାନୀର ଶତ୍ରୁ-ମିତ୍ର ନାହିଁ । ନିତ୍ୟେ ଉଦାସିପଣେ ଥାଇ ॥ ୧୫

ଜନ୍ତୁର କର୍ମର ଆୟତ୍ତେ । ସଂପଦ ବିପଦ ଯୁଗତେ ॥ ୧୬

ଏ ମାୟାମୟ ଗୃହବାସେ । ପ୍ରାଣୀ ଯନ୍ତ୍ରିତ ମୋହପାଶେ ॥ ୧୭

ମନର ଚରଣେ ଶାଙ୍କୋଳି । ଏଣୁ ନ ପାରେ ପ୍ରାଣୀ ଚଳି ॥ ୧୮

ଏ ମାୟାବନ୍ଧ ଯା ବଚନେ । ତୁଟଇ ଜ୍ଞାନ ଅନୁମାନେ ॥ ୧୯

ସେ ଗୁରୁବଚନ ପ୍ରମାଣି । ତେବେ ସଂସାରୁ ତରେ ପ୍ରାଣୀ ॥ ୨୦

ବିଅର୍ଥେ କ୍ରୀଡ଼ା ନିତ୍ୟେ ଚିନ୍ତି । ଆୟୁଷ କ୍ଷୟ ନ ଜାଣନ୍ତି ॥ ୨୧

ଏମନ୍ତେ ଅସୁରଙ୍କୁ ଚାହିଁ । ସେ ପ୍ରହଲ୍ଲାଦ ଦୟାବହି ॥ ୨୨

କହଇ ଭାଗବତ ଧର୍ମ । ଯେଣେ ତୁଟଇ ଭବଭ୍ରମ ॥ ୨୩

ଏମନ୍ତେ ଦୈତ୍ୟଶିଶୁ ଆଗେ । ପୁଣ କହନ୍ତି ଅନୁରାଗେ ॥ ୨୪

ଶୁଣ ବାଳକେ ମୋ ବଚନ । ସଂସାରେ ଯେବା ବୁଧଜନ ॥ ୨୫

କୁମାର କାଳୁ ଭକ୍ତିଭରେ । ଶରୀର ଅନିତ୍ୟ ବିଚାରେ ॥ ୨୬

ମନୁଷ୍ୟ ଶରୀର ଦୁର୍ଲ୍ଲଭ । ଏଣୁ ଗୋବିନ୍ଦେ କର ଭାବ ॥ ୨୭

ଯେ ହରି ସର୍ବଜୀବ ଦେହେ । ଆତ୍ମା ସୁହୃଦ ପ୍ରିୟ ପ୍ରାୟେ ॥ ୨୮

ବସଇ ଈଶ୍ୱର ସ୍ୱଭାବେ । ଏଣୁ ଭଜିବ ଆତ୍ମଲାଭେ ॥ ୨୯

ଏ ସୁଖ ଦୁଃଖ ଭୋଗ ଲାଭେ । କର୍ମର ବଳେ ତାହା ଲଭେ ॥ ୩୦

ଏଣୁ ନ କରି ପ୍ରତିଆଶ । ନିରତେ ହୋଇବ ସନ୍ତୋଷ ॥ ୩୧

ଦେଖ ଆୟୁଷ ଏ ଶରୀରେ । ଛିଦ୍ରଘଟର ପ୍ରାୟେ ଝରେ ॥ ୩୨

ଏଣୁ ମୁକୁନ୍ଦ-ପାଦଯୁଗେ । ନିରତେ ଭଜ ମନଯୋଗେ ॥ ୩୩

ମରଣ ନିତ୍ୟେ ସନ୍ନିହିତେ । ତା ମୁଖେ ନ ପଡ଼ ଯାବତ ॥ ୩୪

ଯାବତ ସୁସ୍ଥ ଏ ଶରୀର । ବୃଦ୍ଧ ଅବସ୍ଥା ଅଛି ଦୂର ॥ ୩୫

ଯାବତ ଏ ଦୁର୍ଲ୍ଲଭ ଦେହେ । ଇନ୍ଦ୍ରିୟଶକ୍ତି ନଷ୍ଟ ନୋହେ ॥ ୩୬

ଯାବତ ଜୀବ ରହେ ଦେହେ । କାଳର ବଳେ କ୍ଷୟ ନୋହେ ॥ ୩୭

ତାବତ ଆତ୍ମା ନିସ୍ତାରଣେ । ଯତ୍ନ କରିବ ଅନୁକ୍ଷଣେ ॥ ୩୮

ତେବେ ଆତ୍ମାର ହିତକରେ । ଦୁର୍ଲ୍ଲଭ ମାନବ ଶରୀରେ ॥ ୩୯

ଏ ଜ୍ଞାନ ନ ବୁଝି ଯେ ହେଳେ । ବୋଲେ ସାଧିବି ବୃଦ୍ଧକାଳେ ॥ ୪୦

ଗୃହେ ଲାଗିଲେ ଅଗ୍ନି ଯେହ୍ନେ । ଉଦ୍ୟମ କୂପର ଖନନେ ॥ ୪୧

ଏମନ୍ତ ଅଜ୍ଞାନୀଙ୍କ ମତି । କେବେହେଁ ସୁଖ ନ ଲଭନ୍ତି ॥ ୪୨

ସ୍ୱଭାବେ ଅଳପ ଆୟୁଷ । ଜୀବର ଶତେକ ବରଷ ॥ ୪୩

ଯେବେ ଅଜ୍ଞାନପଣେ ଥାଇ । ତାହାର ଅର୍ଥେ ନାଶ ଯାଇ ॥ ୪୪

ସ୍ୱଭାବେ ରାତ୍ରେ ନିଦ୍ରାକାଳେ । ଅର୍ଦ୍ଧଆୟୁଷ ଯାଇ ହେଳେ ॥ ୪୫

ବାଳକ ପୌଗଣ୍ଡ କୈଶୋରେ । ବିଂଶବରଷ ତହୁଁ ହରେ ॥ ୪୬

କାଳର ସ୍ୱଭାବ ଏମନ୍ତ । କ୍ରୀଡ଼ା ବିନୋଦେ କରେ ଗ୍ରସ୍ତ ॥ ୪୭

ପୁଣ ବିଂଶତି ବୃଦ୍ଧେ ଯାଇ । ବଞ୍ଚଇ ଅସମର୍ଥ ହୋଇ ॥ ୪୮

ଅପରେ ଯେ ଅବା ରହଇ । ତା ଗୃହବନ୍ଧେ ପାସୋରଇ ॥ ୪୯

ଗୃହବନ୍ଧନେ ବନ୍ଦୀ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥ ୫୦

ଅତି ଯନ୍ତ୍ରିତ ସ୍ନେହପାଶେ । ଦୁର୍ଜୟ ଇନ୍ଦ୍ରିୟ ଲାଳସେ ॥ ୫୧

ଅର୍ଥ ଅର୍ଜନେ ଅବିରତେ । ଲୋଭ ବଢ଼ଇ ତାର ଚିତ୍ତେ ॥ ୫୨

ପ୍ରାଣୁଁ ଅଧିକ ସ୍ନେହଭରେ । ସେ ତୃଷ୍ଣା କେବା ତେଜିପାରେ ॥ ୫୩

ଯେ ଧନଅର୍ଥେ ବିକେ ପ୍ରାଣ । ତାହାର କାହିଁ ପରିତ୍ରାଣ ॥ ୫୪

ତସ୍କରପଣେ ଚୋରି କରେ । ସେବା କରଇ ଯାଇ ପରେ ॥ ୫୫

ବୋଇତେ ବସି ବଣିଜରେ । ଅଗାଧସିନ୍ଧୁ ଲୋଭେ ତରେ ॥ ୫୬

ନିରତେ ଗୃହବନ୍ଧେ ବଞ୍ଚେ । ଯକ୍ଷର ପ୍ରାୟେ ଧନ ସଞ୍ଚେ ॥ ୫୭

ଏକାନ୍ତେ କାମିନୀର ମେଳେ । କ୍ରୀଡ଼ା କରଇ କାମଭୋଳେ ॥ ୫୮

ପତ୍ନୀର ବାକ୍ୟ ଅନୁକ୍ଷଣେ । ଗୁରୁଙ୍କ ମନ୍ତ୍ର ପ୍ରାୟେ ମଣେ ॥ ୫୯

ବନ୍ଧୁବାନ୍ଧବ ବନ୍ଧନରେ । ବାଳକ ସ୍ନେହେ ମନହରେ ॥ ୬୦

ସ୍ନେହମମତା ଅବିରତେ । ଚିନ୍ତଇ ଅନୁରାଗ ଚିତ୍ତେ ॥ ୬୧

ଘରୁ ବାହାର ହୋଇ ଯେବେ । ପ୍ରବାସ କରଇ ସ୍ୱଭାବେ ॥ ୬୨

ତହିଁ ଜୀବନେ ସୁସ୍ଥ ନାହିଁ । ଭାଳଇ ଗୃହେ ମନ ଦେଇ ॥ ୬୩

ପୁତ୍ର ଦୁହିତା ସ୍ନେହଚିତ୍ତେ । ମନୋଜ୍ଞ ପତ୍ନୀଭାବ ଚିନ୍ତେ ॥ ୬୪

ତାତ ଜନନୀ ଭ୍ରାତ ସ୍ମରେ । ଏ ଭଲେ ଥିବେ କି ମୋପୁରେ ॥ ୬୫

ମନୋଜ୍ଞ ଗୃହବସ୍ତୁ ଯେତେ । ଜୀବିକା ପଶୁ ଭୃତ୍ୟ ମତେ ॥ ୬୬

ଏ ରୂପେ କୋଷକାରୀ ପ୍ରାୟେ । ଅନ୍ତରେ ଅବିରତ ଧ୍ୟାୟେ ॥ ୬୭

ଲୋଭେ ଅତୃପ୍ତକାମ ହୋଇ । ଜିହ୍ୱା ଉପସ୍ଥ ଭାବ ଧ୍ୟାୟି ॥ ୬୮

ରହନ୍ତି ମୋହଭାବ ଚିତ୍ତେ । ସେ ପ୍ରାଣୀ ଛାଡ଼ିବେ କେମନ୍ତେ ॥ ୬୯

ଦୁସ୍ତର ଭବମୋହ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥ ୭୦

ନିରତେ କୁଟୁମ୍ବ ପୋଷଣେ । ଆୟୁଷ କ୍ଷୟ ନ ପ୍ରମାଣେ ॥ ୭୧

ସର୍ବଦା ତାପତ୍ରୟେ ଦୁଃଖୀ । କୁଟୁମ୍ବ-ରାଗ ନ ଉପେକ୍ଷି ॥ ୭୨

ନିତ୍ୟେ ବିଭବ ଭବେ ଚିନ୍ତେ । କାମେ ଯନ୍ତ୍ରିତ ଅବିରତେ ॥ ୭୩

ପଣ୍ଡିତପଣେ ସର୍ବ ଜାଣେ । ଆତ୍ମାର ଗତି ନ ପ୍ରମାଣେ ॥ ୭୪

ଯେ ଫଳ ଇହ ପରଲୋକେ । ତା ଶୁଣି ଜାଣେ ଶାସ୍ତ୍ରମୁଖେ ॥ ୭୫

କୁଟୁମ୍ବୀପଣେ ଗୃହ କରେ । କ୍ରୀଡ଼ା-ବିନୋଦେ ସେ ବିହରେ ॥ ୭୬

କୁଟୁମ୍ବ-ଗ୍ରସ୍ତ ଯାକୁ କରେ । ଉଭୟଲୋକୁ ନ ନିସ୍ତରେ ॥ ୭୭

ବିଭିନ୍ନ ଆତ୍ମା ପରଭାଗୀ । କାମସଙ୍କଳ୍ପେ ଅନୁରାଗୀ ॥ ୭୮

ବିମୂଢ଼ମତି ଭବେ ଭ୍ରମେ । ଅନ୍ତେ ପଡ଼ଇ ଘୋରତମେ ॥ ୭୯

ତୁମ୍ଭେ ସକଳେ ଏହା ଶୁଣି । ଆତ୍ମାର ହିତ ମନେ ଗୁଣି ॥ ୮୦

ବିଷୟ ନ କର ହୋ ସଙ୍ଗ । ଯେସନେ ଉଦଧି-ତରଙ୍ଗ ॥ ୮୧

ଏ ସଙ୍ଗ ଦୂରେ ପରିହର । ନାରାୟଣଙ୍କୁ ଆଶ୍ରେ କର ॥ ୮୨

ସେ ନାରାୟଣ ସର୍ବଧାତା । ଈଷିତେ କଇବଲ୍ୟଦାତା ॥ ୮୩

କୃଷ୍ଣଙ୍କୁ ଆଶ୍ରେ ଯେ କରନ୍ତି । ସେ ସର୍ବଦୁଃଖୁ ନିସ୍ତରନ୍ତି ॥ ୮୪

ଅସୁରଭାବକୁ ଉପେକ୍ଷ । ଆତ୍ମାର ପ୍ରାୟ ସର୍ବ ଦେଖ ॥ ୮୫

ଏ ବିଷ୍ଣୁମାୟା ପାରାବାର । ବ୍ରହ୍ମାଣ୍ଡ ବାହ୍ୟ-ଅଭ୍ୟନ୍ତର ॥ ୮୬

ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ । ଅବ୍ୟକ୍ତରୂପ ପଞ୍ଚଭୂତେ ॥ ୮୭

ଗୁଣ ଅଗୁଣ ଗୁଣସାମ୍ୟେ । ଏ ଆଦି ସର୍ବଘଟେ ରମେ ॥ ୮୮

ବସଇ ଏକଆତ୍ମା ହରି । ଭୁଞ୍ଜେ ଅବ୍ୟୟରୂପ ଧରି ॥ ୮୯

ଆତ୍ମା ସ୍ୱରୂପେ ସର୍ବଦେହେ । ଦୃଶ୍ୟ ଅଦୃଶ୍ୟ ଭାବେ ରହେ ॥ ୯୦

ନିର୍ଲେପ ନିର୍ବିଷୟ ମତେ । କଳ୍ପି କେ ପାରିବ ଜଗତେ ॥ ୯୧

କେବଳ ଆନନ୍ଦାନୁଭବେ । ଅଶେଷ-ଦେହେ ସର୍ବଜୀବେ ॥ ୯୨

ବାହ୍ୟ-ଅନ୍ତରେ ବ୍ୟାପିରହେ । ଐଶ୍ୱର୍ଯ୍ୟଗୁଣ ସଙ୍ଗେ ବହେ ॥ ୯୩

ଏ ଘେନି ସର୍ବଭୂତେ ସାର । ପ୍ରାଣୀବିଷୟେ ଦୟାକର ॥ ୯୪

ସୁହୃଦଭାବ ଧର ଚିତ୍ତେ । ହରିଙ୍କି ଲଭିବ ଯେମନ୍ତେ ॥ ୯୫

ଅସୁରଭାବ ଦୂର କରି । ଯେଣେ ସନ୍ତୋଷ ହୋଏ ହରି ॥ ୯୬

ଏ ଭାବ ଦୃଢ଼ କରି ଚିତ୍ତେ । ହରିଙ୍କି ଭଜ ଅବିରତେ ॥ ୯୭

ସେ ବିଷ୍ଣୁ ତୋଷ ଯାକୁ ଚିତ୍ତେ । କିବା ଅଲଭ୍ୟ ଏ ଜଗତେ ॥ ୯୮

ଅନନ୍ତ ଅବ୍ୟକ୍ତ ମହିମା । କି ଗୁଣେ ଦେବା ତା ଉପମା ॥ ୯୯

ତ୍ରିଗୁଣୁଁ କରେ ନିସ୍ତାରଣ । କୈବଲ୍ୟ ପରମ କାରଣ ॥ ୧୦୦

ସଂସାର ମଧ୍ୟେ ସାର ସେହି । ତାର ଚରଣୁଁ ଅନ୍ୟ ନାହିଁ ॥ ୧୦୧

ଏ ଘେନି କୃଷ୍ଣର ଚରଣ । ପ୍ରାଣୀଏ ପଶନ୍ତି ଶରଣ ॥ ୧୦୨

ତାଙ୍କ ଚରଣେ ସେବାକର । ଏ ବିଷ୍ଣୁମାୟାରୁ ନିସ୍ତର ॥ ୧୦୩

ଏବେ ହୋ ଶୁଣ ମୋର ବାଣୀ । ଶ୍ରୀଭାଗବତ ଯେ ବଖାଣି ॥ ୧୦୪

ଧମାର୍ଥ-କାମ ବେଦମତେ । ଏ ତିନିବର୍ଗ ପରାପତେ ॥ ୧୦୫

ସାଧନ କରି ଶମଦମ । ଯଜ୍ଞାଦି ନାନାବିଧ କର୍ମ ॥ ୧୦୬

ସତ୍ୟବଚନ ବେଦବାଣୀ । ଏଥେ ସଂସାରୁ ତରେ ପ୍ରାଣୀ ॥ ୧୦୭

ନାନାପ୍ରକାରେ ତପ ଦାହି । ଯେ ହରିପାଦେ ସମର୍ପଇ ॥ ୧୦୮

ଧନ୍ୟ ତା ଶରୀର-ଧାରଣ । ସେ ଲଭେ ପରମ କାରଣ ॥ ୧୦୯

ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ । ନିଗମସାର ଅନୁପମ ॥ ୧୧୦

ନାରଦ ମୁନିଙ୍କ ଅଗ୍ରତେ । ସୁପୁଣ୍ୟ ବଦରିକା ତୀର୍ଥେ ॥ ୧୧୧

ତପ ଆଚରି ଅନୁକ୍ଷଣ । ଅଛନ୍ତି ନରନାରୟଣ ॥ ୧୧୨

ନାରଦ ମୁନି ଶୁଦ୍ଧଚେତା । ପୁଚ୍ଛିଲେ ହରିଗୁଣ ଗାଥା ॥ ୧୧୩

ସେ ନାରାୟଣ ଶୁଦ୍ଧଭାବେ । ଯେ ବାଣୀ ବିବିଧ ପ୍ରସ୍ତାବେ ॥ ୧୧୪

ନାରଦ ମୁନିଙ୍କ ସନ୍ତୋଷେ । କହିଲେ ଜ୍ଞାନ ଉପଦେଶେ ॥ ୧୧୫

କୃଷ୍ଣର ପାଦପଦ୍ମ ଧୂଳି । ସାନନ୍ଦ ମନେ ଅଙ୍ଗେ ବୋଳି ॥ ୧୧୬

ସଂସାରେ ଅକିଞ୍ଚନ ଜନେ । ଯାହା ଭାବନ୍ତି ଶୁଦ୍ଧମନେ ॥ ୧୧୭

ପୂର୍ବେ ମୁଁ ନାରଦଙ୍କ ବାଣୀ । ମାତାଙ୍କ ଗର୍ଭେ ଥାଇ ଶୁଣି ॥ ୧୧୮

ଏ ବାଣୀ ଭାଗବତ କଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥ ୧୧୯

ଭାବେ କହିଲି ତୁମ୍ଭ ଆଗେ । ହରିଚରିତ ଅନୁରାଗେ ॥ ୧୨୦

ଏମନ୍ତେ ପ୍ରହଲ୍ଲାଦ ବାଣୀ । ଭାବେ ଅସୁରପୁତ୍ରେ ଶୁଣି ॥ ୧୨୧

ବୋଲନ୍ତି ପ୍ରହଲ୍ଲାଦ ଆଗେ । ତୁଲ୍ୟବୟସ ଅନୁରାଗେ ॥ ୧୨୨

ଶୁଣ ହେ ନୃପତି କୁମର । ଆମ୍ଭେ ଯେ ସଙ୍ଗତେ ତୋହର ॥ ୧୨୩

ତୋହର ଭିନ୍ନ ଗୁରୁ ନାହିଁ । ଏ ବିଦ୍ୟା ସମ୍ପାଦିଲୁ କାହିଁ ॥ ୧୨୪

ଏ ଗୁରୁପୁତ୍ରଙ୍କ ଚରଣେ । ଆମ୍ଭେ ଭଜିଲୁ ଅନୁକ୍ଷଣେ ॥ ୧୨୫

ତାହାଙ୍କ ଉପଦେଶ ଜାଣୁ । ତୁ ଏହା କେମନ୍ତେ ବଖାଣୁ ॥ ୧୨୬

ତୁହି ତ ବାଳକ ବେଭାରେ । ନିରତେ ଥାଉ ଅନ୍ତଃପୁରେ ॥ ୧୨୭

ସ୍ୱଭାବେ ସ୍ତିରୀଙ୍କ ମନ୍ଦିର । ଦେବଦାନବେ ଅଗୋଚର ॥ ୧୨୮

ତହିଁ ଭିତରେ ଥାଉ ତୁହି । ମହତ ସଙ୍ଗ ତୋର ନାହିଁ ॥ ୧୨୯

ତେଣୁ ସଂଶୟ ଆମ୍ଭ ମନ । ନିହାର ବଳେ ଯେହ୍ନେ ଦିନ ॥ ୧୩୦

ତୋହର ପାଦେ ନମସ୍କାର । ସଂଶୟ ଛେଦ ତୁ ଆମ୍ଭର ॥ ୧୩୧

ଏମନ୍ତେ ଅସୁରବାଳକେ । ତାର ସମୀପେ ଏକେଏକେ ॥ ୧୩୨

ଚରଣ ଧରି ପଚାରିଲେ । ବିଶ୍ୱାସବାକ୍ୟେ ପ୍ରବୋଧିଲେ ॥ ୧୩୩

ଏମନ୍ତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୪

ସପ୍ତମ ସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୩୫

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଷଷ୍ଠୋଽଧ୍ୟାୟଃ ॥

* * *