ସପ୍ତମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ପ୍ରହ୍ଲାଦ ଉବାଚ
ଶୁଣ ହେ ଅସୁର ବାଳକେ । ଯେ ବିଦ୍ୟାସାର ନରଲୋକେ ॥
ଆହେ ବୟସ୍ୟେ ତୁମ୍ଭେ ଦେଖ । ମୃତ୍ୟୁ-ଅଧୀନ ଜୀବଲୋକ ॥ ୨
ମାୟାକ୍ରୀଡ଼ାରେ ଭୋଳହୋଇ । ତୁମ୍ଭର ଦେହେ ଜ୍ଞାନ ନାହିଁ ॥ ୩
ବାଳୁତ ଯୁବା ବୃଦ୍ଧଦେହୀ । କେବେହେଁ ମୃତ୍ୟୁ ନ ତରଇ ॥ ୪
ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି । ଅନ୍ତେ ସେ କୈବଲ୍ୟ ଭୁଞ୍ଜନ୍ତି ॥ ୫
ଯେବେ ଅଶେଷ ଗ୍ରନ୍ଥ ପଢ଼ି । ଆତ୍ମାର ଗତିପଥ ହୁଡ଼ି ॥ ୬
ପର-ଅପର ବୋଲି ଚିନ୍ତି । ସେ ମୃତ୍ୟୁ-ମୁଖେ ସଞ୍ଚରନ୍ତି ॥ ୭
ଯେ ଗୁରୁ କହେ ଶାସ୍ତ୍ରମତେ । ଅର୍ଥକୁ ବୁଝାଇ ଅନର୍ଥେ ॥ ୮
ଅଜ୍ଞାନ ନିନ୍ଦିତ ବଚନେ । ନ ଘଟେ ଶାସ୍ତ୍ର ଅନୁମାନେ ॥ ୯
ସେ ଗୁରୁବାକ୍ୟେ କାର୍ଯ୍ୟ କିସ । ନିଷ୍ଫଳ ତାର ଉପଦେଶ ॥ ୧୦
ଆତ୍ମ-ଶରୀର ଉଦ୍ଧାରଣେ । ନ କହେ ଅଜ୍ଞାନ କାରଣେ ॥ ୧୧
ଏଣୁ ଏ ଆତ୍ମଜ୍ଞାନୀ ଯେତେ । ଯତ୍ନ କରନ୍ତି ଆତ୍ମାହିତେ ॥ ୧୨
ଏଣୁ ଅଜ୍ଞାନୀଙ୍କ ବଚନ । ନ ମାନେ ଆତ୍ମଜ୍ଞାନୀ ଜନ ॥ ୧୩
ଅଜ୍ଞାନୀ ଅଜ୍ଞାନ ଦେଖାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୧୪
ଜ୍ଞାନୀର ଶତ୍ରୁ-ମିତ୍ର ନାହିଁ । ନିତ୍ୟେ ଉଦାସିପଣେ ଥାଇ ॥ ୧୫
ଜନ୍ତୁର କର୍ମର ଆୟତ୍ତେ । ସଂପଦ ବିପଦ ଯୁଗତେ ॥ ୧୬
ଏ ମାୟାମୟ ଗୃହବାସେ । ପ୍ରାଣୀ ଯନ୍ତ୍ରିତ ମୋହପାଶେ ॥ ୧୭
ମନର ଚରଣେ ଶାଙ୍କୋଳି । ଏଣୁ ନ ପାରେ ପ୍ରାଣୀ ଚଳି ॥ ୧୮
ଏ ମାୟାବନ୍ଧ ଯା ବଚନେ । ତୁଟଇ ଜ୍ଞାନ ଅନୁମାନେ ॥ ୧୯
ସେ ଗୁରୁବଚନ ପ୍ରମାଣି । ତେବେ ସଂସାରୁ ତରେ ପ୍ରାଣୀ ॥ ୨୦
ବିଅର୍ଥେ କ୍ରୀଡ଼ା ନିତ୍ୟେ ଚିନ୍ତି । ଆୟୁଷ କ୍ଷୟ ନ ଜାଣନ୍ତି ॥ ୨୧
ଏମନ୍ତେ ଅସୁରଙ୍କୁ ଚାହିଁ । ସେ ପ୍ରହଲ୍ଲାଦ ଦୟାବହି ॥ ୨୨
କହଇ ଭାଗବତ ଧର୍ମ । ଯେଣେ ତୁଟଇ ଭବଭ୍ରମ ॥ ୨୩
ଏମନ୍ତେ ଦୈତ୍ୟଶିଶୁ ଆଗେ । ପୁଣ କହନ୍ତି ଅନୁରାଗେ ॥ ୨୪
ଶୁଣ ବାଳକେ ମୋ ବଚନ । ସଂସାରେ ଯେବା ବୁଧଜନ ॥ ୨୫
କୁମାର କାଳୁ ଭକ୍ତିଭରେ । ଶରୀର ଅନିତ୍ୟ ବିଚାରେ ॥ ୨୬
ମନୁଷ୍ୟ ଶରୀର ଦୁର୍ଲ୍ଲଭ । ଏଣୁ ଗୋବିନ୍ଦେ କର ଭାବ ॥ ୨୭
ଯେ ହରି ସର୍ବଜୀବ ଦେହେ । ଆତ୍ମା ସୁହୃଦ ପ୍ରିୟ ପ୍ରାୟେ ॥ ୨୮
ବସଇ ଈଶ୍ୱର ସ୍ୱଭାବେ । ଏଣୁ ଭଜିବ ଆତ୍ମଲାଭେ ॥ ୨୯
ଏ ସୁଖ ଦୁଃଖ ଭୋଗ ଲାଭେ । କର୍ମର ବଳେ ତାହା ଲଭେ ॥ ୩୦
ଏଣୁ ନ କରି ପ୍ରତିଆଶ । ନିରତେ ହୋଇବ ସନ୍ତୋଷ ॥ ୩୧
ଦେଖ ଆୟୁଷ ଏ ଶରୀରେ । ଛିଦ୍ରଘଟର ପ୍ରାୟେ ଝରେ ॥ ୩୨
ଏଣୁ ମୁକୁନ୍ଦ-ପାଦଯୁଗେ । ନିରତେ ଭଜ ମନଯୋଗେ ॥ ୩୩
ମରଣ ନିତ୍ୟେ ସନ୍ନିହିତେ । ତା ମୁଖେ ନ ପଡ଼ ଯାବତ ॥ ୩୪
ଯାବତ ସୁସ୍ଥ ଏ ଶରୀର । ବୃଦ୍ଧ ଅବସ୍ଥା ଅଛି ଦୂର ॥ ୩୫
ଯାବତ ଏ ଦୁର୍ଲ୍ଲଭ ଦେହେ । ଇନ୍ଦ୍ରିୟଶକ୍ତି ନଷ୍ଟ ନୋହେ ॥ ୩୬
ଯାବତ ଜୀବ ରହେ ଦେହେ । କାଳର ବଳେ କ୍ଷୟ ନୋହେ ॥ ୩୭
ତାବତ ଆତ୍ମା ନିସ୍ତାରଣେ । ଯତ୍ନ କରିବ ଅନୁକ୍ଷଣେ ॥ ୩୮
ତେବେ ଆତ୍ମାର ହିତକରେ । ଦୁର୍ଲ୍ଲଭ ମାନବ ଶରୀରେ ॥ ୩୯
ଏ ଜ୍ଞାନ ନ ବୁଝି ଯେ ହେଳେ । ବୋଲେ ସାଧିବି ବୃଦ୍ଧକାଳେ ॥ ୪୦
ଗୃହେ ଲାଗିଲେ ଅଗ୍ନି ଯେହ୍ନେ । ଉଦ୍ୟମ କୂପର ଖନନେ ॥ ୪୧
ଏମନ୍ତ ଅଜ୍ଞାନୀଙ୍କ ମତି । କେବେହେଁ ସୁଖ ନ ଲଭନ୍ତି ॥ ୪୨
ସ୍ୱଭାବେ ଅଳପ ଆୟୁଷ । ଜୀବର ଶତେକ ବରଷ ॥ ୪୩
ଯେବେ ଅଜ୍ଞାନପଣେ ଥାଇ । ତାହାର ଅର୍ଥେ ନାଶ ଯାଇ ॥ ୪୪
ସ୍ୱଭାବେ ରାତ୍ରେ ନିଦ୍ରାକାଳେ । ଅର୍ଦ୍ଧଆୟୁଷ ଯାଇ ହେଳେ ॥ ୪୫
ବାଳକ ପୌଗଣ୍ଡ କୈଶୋରେ । ବିଂଶବରଷ ତହୁଁ ହରେ ॥ ୪୬
କାଳର ସ୍ୱଭାବ ଏମନ୍ତ । କ୍ରୀଡ଼ା ବିନୋଦେ କରେ ଗ୍ରସ୍ତ ॥ ୪୭
ପୁଣ ବିଂଶତି ବୃଦ୍ଧେ ଯାଇ । ବଞ୍ଚଇ ଅସମର୍ଥ ହୋଇ ॥ ୪୮
ଅପରେ ଯେ ଅବା ରହଇ । ତା ଗୃହବନ୍ଧେ ପାସୋରଇ ॥ ୪୯
ଗୃହବନ୍ଧନେ ବନ୍ଦୀ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥ ୫୦
ଅତି ଯନ୍ତ୍ରିତ ସ୍ନେହପାଶେ । ଦୁର୍ଜୟ ଇନ୍ଦ୍ରିୟ ଲାଳସେ ॥ ୫୧
ଅର୍ଥ ଅର୍ଜନେ ଅବିରତେ । ଲୋଭ ବଢ଼ଇ ତାର ଚିତ୍ତେ ॥ ୫୨
ପ୍ରାଣୁଁ ଅଧିକ ସ୍ନେହଭରେ । ସେ ତୃଷ୍ଣା କେବା ତେଜିପାରେ ॥ ୫୩
ଯେ ଧନଅର୍ଥେ ବିକେ ପ୍ରାଣ । ତାହାର କାହିଁ ପରିତ୍ରାଣ ॥ ୫୪
ତସ୍କରପଣେ ଚୋରି କରେ । ସେବା କରଇ ଯାଇ ପରେ ॥ ୫୫
ବୋଇତେ ବସି ବଣିଜରେ । ଅଗାଧସିନ୍ଧୁ ଲୋଭେ ତରେ ॥ ୫୬
ନିରତେ ଗୃହବନ୍ଧେ ବଞ୍ଚେ । ଯକ୍ଷର ପ୍ରାୟେ ଧନ ସଞ୍ଚେ ॥ ୫୭
ଏକାନ୍ତେ କାମିନୀର ମେଳେ । କ୍ରୀଡ଼ା କରଇ କାମଭୋଳେ ॥ ୫୮
ପତ୍ନୀର ବାକ୍ୟ ଅନୁକ୍ଷଣେ । ଗୁରୁଙ୍କ ମନ୍ତ୍ର ପ୍ରାୟେ ମଣେ ॥ ୫୯
ବନ୍ଧୁବାନ୍ଧବ ବନ୍ଧନରେ । ବାଳକ ସ୍ନେହେ ମନହରେ ॥ ୬୦
ସ୍ନେହମମତା ଅବିରତେ । ଚିନ୍ତଇ ଅନୁରାଗ ଚିତ୍ତେ ॥ ୬୧
ଘରୁ ବାହାର ହୋଇ ଯେବେ । ପ୍ରବାସ କରଇ ସ୍ୱଭାବେ ॥ ୬୨
ତହିଁ ଜୀବନେ ସୁସ୍ଥ ନାହିଁ । ଭାଳଇ ଗୃହେ ମନ ଦେଇ ॥ ୬୩
ପୁତ୍ର ଦୁହିତା ସ୍ନେହଚିତ୍ତେ । ମନୋଜ୍ଞ ପତ୍ନୀଭାବ ଚିନ୍ତେ ॥ ୬୪
ତାତ ଜନନୀ ଭ୍ରାତ ସ୍ମରେ । ଏ ଭଲେ ଥିବେ କି ମୋପୁରେ ॥ ୬୫
ମନୋଜ୍ଞ ଗୃହବସ୍ତୁ ଯେତେ । ଜୀବିକା ପଶୁ ଭୃତ୍ୟ ମତେ ॥ ୬୬
ଏ ରୂପେ କୋଷକାରୀ ପ୍ରାୟେ । ଅନ୍ତରେ ଅବିରତ ଧ୍ୟାୟେ ॥ ୬୭
ଲୋଭେ ଅତୃପ୍ତକାମ ହୋଇ । ଜିହ୍ୱା ଉପସ୍ଥ ଭାବ ଧ୍ୟାୟି ॥ ୬୮
ରହନ୍ତି ମୋହଭାବ ଚିତ୍ତେ । ସେ ପ୍ରାଣୀ ଛାଡ଼ିବେ କେମନ୍ତେ ॥ ୬୯
ଦୁସ୍ତର ଭବମୋହ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥ ୭୦
ନିରତେ କୁଟୁମ୍ବ ପୋଷଣେ । ଆୟୁଷ କ୍ଷୟ ନ ପ୍ରମାଣେ ॥ ୭୧
ସର୍ବଦା ତାପତ୍ରୟେ ଦୁଃଖୀ । କୁଟୁମ୍ବ-ରାଗ ନ ଉପେକ୍ଷି ॥ ୭୨
ନିତ୍ୟେ ବିଭବ ଭବେ ଚିନ୍ତେ । କାମେ ଯନ୍ତ୍ରିତ ଅବିରତେ ॥ ୭୩
ପଣ୍ଡିତପଣେ ସର୍ବ ଜାଣେ । ଆତ୍ମାର ଗତି ନ ପ୍ରମାଣେ ॥ ୭୪
ଯେ ଫଳ ଇହ ପରଲୋକେ । ତା ଶୁଣି ଜାଣେ ଶାସ୍ତ୍ରମୁଖେ ॥ ୭୫
କୁଟୁମ୍ବୀପଣେ ଗୃହ କରେ । କ୍ରୀଡ଼ା-ବିନୋଦେ ସେ ବିହରେ ॥ ୭୬
କୁଟୁମ୍ବ-ଗ୍ରସ୍ତ ଯାକୁ କରେ । ଉଭୟଲୋକୁ ନ ନିସ୍ତରେ ॥ ୭୭
ବିଭିନ୍ନ ଆତ୍ମା ପରଭାଗୀ । କାମସଙ୍କଳ୍ପେ ଅନୁରାଗୀ ॥ ୭୮
ବିମୂଢ଼ମତି ଭବେ ଭ୍ରମେ । ଅନ୍ତେ ପଡ଼ଇ ଘୋରତମେ ॥ ୭୯
ତୁମ୍ଭେ ସକଳେ ଏହା ଶୁଣି । ଆତ୍ମାର ହିତ ମନେ ଗୁଣି ॥ ୮୦
ବିଷୟ ନ କର ହୋ ସଙ୍ଗ । ଯେସନେ ଉଦଧି-ତରଙ୍ଗ ॥ ୮୧
ଏ ସଙ୍ଗ ଦୂରେ ପରିହର । ନାରାୟଣଙ୍କୁ ଆଶ୍ରେ କର ॥ ୮୨
ସେ ନାରାୟଣ ସର୍ବଧାତା । ଈଷିତେ କଇବଲ୍ୟଦାତା ॥ ୮୩
କୃଷ୍ଣଙ୍କୁ ଆଶ୍ରେ ଯେ କରନ୍ତି । ସେ ସର୍ବଦୁଃଖୁ ନିସ୍ତରନ୍ତି ॥ ୮୪
ଅସୁରଭାବକୁ ଉପେକ୍ଷ । ଆତ୍ମାର ପ୍ରାୟ ସର୍ବ ଦେଖ ॥ ୮୫
ଏ ବିଷ୍ଣୁମାୟା ପାରାବାର । ବ୍ରହ୍ମାଣ୍ଡ ବାହ୍ୟ-ଅଭ୍ୟନ୍ତର ॥ ୮୬
ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ । ଅବ୍ୟକ୍ତରୂପ ପଞ୍ଚଭୂତେ ॥ ୮୭
ଗୁଣ ଅଗୁଣ ଗୁଣସାମ୍ୟେ । ଏ ଆଦି ସର୍ବଘଟେ ରମେ ॥ ୮୮
ବସଇ ଏକଆତ୍ମା ହରି । ଭୁଞ୍ଜେ ଅବ୍ୟୟରୂପ ଧରି ॥ ୮୯
ଆତ୍ମା ସ୍ୱରୂପେ ସର୍ବଦେହେ । ଦୃଶ୍ୟ ଅଦୃଶ୍ୟ ଭାବେ ରହେ ॥ ୯୦
ନିର୍ଲେପ ନିର୍ବିଷୟ ମତେ । କଳ୍ପି କେ ପାରିବ ଜଗତେ ॥ ୯୧
କେବଳ ଆନନ୍ଦାନୁଭବେ । ଅଶେଷ-ଦେହେ ସର୍ବଜୀବେ ॥ ୯୨
ବାହ୍ୟ-ଅନ୍ତରେ ବ୍ୟାପିରହେ । ଐଶ୍ୱର୍ଯ୍ୟଗୁଣ ସଙ୍ଗେ ବହେ ॥ ୯୩
ଏ ଘେନି ସର୍ବଭୂତେ ସାର । ପ୍ରାଣୀବିଷୟେ ଦୟାକର ॥ ୯୪
ସୁହୃଦଭାବ ଧର ଚିତ୍ତେ । ହରିଙ୍କି ଲଭିବ ଯେମନ୍ତେ ॥ ୯୫
ଅସୁରଭାବ ଦୂର କରି । ଯେଣେ ସନ୍ତୋଷ ହୋଏ ହରି ॥ ୯୬
ଏ ଭାବ ଦୃଢ଼ କରି ଚିତ୍ତେ । ହରିଙ୍କି ଭଜ ଅବିରତେ ॥ ୯୭
ସେ ବିଷ୍ଣୁ ତୋଷ ଯାକୁ ଚିତ୍ତେ । କିବା ଅଲଭ୍ୟ ଏ ଜଗତେ ॥ ୯୮
ଅନନ୍ତ ଅବ୍ୟକ୍ତ ମହିମା । କି ଗୁଣେ ଦେବା ତା ଉପମା ॥ ୯୯
ତ୍ରିଗୁଣୁଁ କରେ ନିସ୍ତାରଣ । କୈବଲ୍ୟ ପରମ କାରଣ ॥ ୧୦୦
ସଂସାର ମଧ୍ୟେ ସାର ସେହି । ତାର ଚରଣୁଁ ଅନ୍ୟ ନାହିଁ ॥ ୧୦୧
ଏ ଘେନି କୃଷ୍ଣର ଚରଣ । ପ୍ରାଣୀଏ ପଶନ୍ତି ଶରଣ ॥ ୧୦୨
ତାଙ୍କ ଚରଣେ ସେବାକର । ଏ ବିଷ୍ଣୁମାୟାରୁ ନିସ୍ତର ॥ ୧୦୩
ଏବେ ହୋ ଶୁଣ ମୋର ବାଣୀ । ଶ୍ରୀଭାଗବତ ଯେ ବଖାଣି ॥ ୧୦୪
ଧମାର୍ଥ-କାମ ବେଦମତେ । ଏ ତିନିବର୍ଗ ପରାପତେ ॥ ୧୦୫
ସାଧନ କରି ଶମଦମ । ଯଜ୍ଞାଦି ନାନାବିଧ କର୍ମ ॥ ୧୦୬
ସତ୍ୟବଚନ ବେଦବାଣୀ । ଏଥେ ସଂସାରୁ ତରେ ପ୍ରାଣୀ ॥ ୧୦୭
ନାନାପ୍ରକାରେ ତପ ଦାହି । ଯେ ହରିପାଦେ ସମର୍ପଇ ॥ ୧୦୮
ଧନ୍ୟ ତା ଶରୀର-ଧାରଣ । ସେ ଲଭେ ପରମ କାରଣ ॥ ୧୦୯
ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ । ନିଗମସାର ଅନୁପମ ॥ ୧୧୦
ନାରଦ ମୁନିଙ୍କ ଅଗ୍ରତେ । ସୁପୁଣ୍ୟ ବଦରିକା ତୀର୍ଥେ ॥ ୧୧୧
ତପ ଆଚରି ଅନୁକ୍ଷଣ । ଅଛନ୍ତି ନରନାରୟଣ ॥ ୧୧୨
ନାରଦ ମୁନି ଶୁଦ୍ଧଚେତା । ପୁଚ୍ଛିଲେ ହରିଗୁଣ ଗାଥା ॥ ୧୧୩
ସେ ନାରାୟଣ ଶୁଦ୍ଧଭାବେ । ଯେ ବାଣୀ ବିବିଧ ପ୍ରସ୍ତାବେ ॥ ୧୧୪
ନାରଦ ମୁନିଙ୍କ ସନ୍ତୋଷେ । କହିଲେ ଜ୍ଞାନ ଉପଦେଶେ ॥ ୧୧୫
କୃଷ୍ଣର ପାଦପଦ୍ମ ଧୂଳି । ସାନନ୍ଦ ମନେ ଅଙ୍ଗେ ବୋଳି ॥ ୧୧୬
ସଂସାରେ ଅକିଞ୍ଚନ ଜନେ । ଯାହା ଭାବନ୍ତି ଶୁଦ୍ଧମନେ ॥ ୧୧୭
ପୂର୍ବେ ମୁଁ ନାରଦଙ୍କ ବାଣୀ । ମାତାଙ୍କ ଗର୍ଭେ ଥାଇ ଶୁଣି ॥ ୧୧୮
ଏ ବାଣୀ ଭାଗବତ କଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥ ୧୧୯
ଭାବେ କହିଲି ତୁମ୍ଭ ଆଗେ । ହରିଚରିତ ଅନୁରାଗେ ॥ ୧୨୦
ଏମନ୍ତେ ପ୍ରହଲ୍ଲାଦ ବାଣୀ । ଭାବେ ଅସୁରପୁତ୍ରେ ଶୁଣି ॥ ୧୨୧
ବୋଲନ୍ତି ପ୍ରହଲ୍ଲାଦ ଆଗେ । ତୁଲ୍ୟବୟସ ଅନୁରାଗେ ॥ ୧୨୨
ଶୁଣ ହେ ନୃପତି କୁମର । ଆମ୍ଭେ ଯେ ସଙ୍ଗତେ ତୋହର ॥ ୧୨୩
ତୋହର ଭିନ୍ନ ଗୁରୁ ନାହିଁ । ଏ ବିଦ୍ୟା ସମ୍ପାଦିଲୁ କାହିଁ ॥ ୧୨୪
ଏ ଗୁରୁପୁତ୍ରଙ୍କ ଚରଣେ । ଆମ୍ଭେ ଭଜିଲୁ ଅନୁକ୍ଷଣେ ॥ ୧୨୫
ତାହାଙ୍କ ଉପଦେଶ ଜାଣୁ । ତୁ ଏହା କେମନ୍ତେ ବଖାଣୁ ॥ ୧୨୬
ତୁହି ତ ବାଳକ ବେଭାରେ । ନିରତେ ଥାଉ ଅନ୍ତଃପୁରେ ॥ ୧୨୭
ସ୍ୱଭାବେ ସ୍ତିରୀଙ୍କ ମନ୍ଦିର । ଦେବଦାନବେ ଅଗୋଚର ॥ ୧୨୮
ତହିଁ ଭିତରେ ଥାଉ ତୁହି । ମହତ ସଙ୍ଗ ତୋର ନାହିଁ ॥ ୧୨୯
ତେଣୁ ସଂଶୟ ଆମ୍ଭ ମନ । ନିହାର ବଳେ ଯେହ୍ନେ ଦିନ ॥ ୧୩୦
ତୋହର ପାଦେ ନମସ୍କାର । ସଂଶୟ ଛେଦ ତୁ ଆମ୍ଭର ॥ ୧୩୧
ଏମନ୍ତେ ଅସୁରବାଳକେ । ତାର ସମୀପେ ଏକେଏକେ ॥ ୧୩୨
ଚରଣ ଧରି ପଚାରିଲେ । ବିଶ୍ୱାସବାକ୍ୟେ ପ୍ରବୋଧିଲେ ॥ ୧୩୩
ଏମନ୍ତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୪
ସପ୍ତମ ସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଷଷ୍ଠୋଽଧ୍ୟାୟଃ ॥
* * *